ମଧ୍ୟାହ୍ନରେ ଦୁଇଟା ବୁଲଡୋଜର ପହଞ୍ଚିଲେ। ସ୍କୁଲ ପଡ଼ିଆରେ ଥିବା ପିଲାମାନେ ବଡ଼ ପାଟିରେ ଚିଲେଇଲେ, ‘‘ବୁଲଡ଼ୋଜର, ବୁଲଡ଼ୋଜର ... ସାର୍ ... ସାର୍ ...’’। ପିଲାଙ୍କ ବଡ଼ପାଟି ଶୁଣି ଅଧ୍ୟକ୍ଷ ପ୍ରକାଶ ପାୱର ଓ ପ୍ରତିଷ୍ଠାତା ମାଟିନ୍ ଭୋସାଲେ ଅଫିସ୍ ଭିତରୁ ବାହାରକୁ ଦୌଡ଼ି ଆସିଲେ। 

ପାୱାର ପଚାରିଲେ, ‘‘ଏଠାକୁ କାହିଁକି ଆସିଛ?’’ ଜଣେ ବୁଲଡୋଜର ଡ୍ରାଇଭର କହିଲେ, ‘‘ଆମେ ଜାତୀୟ ରାଜପଥ ପାଇଁ [ଶ୍ରେଣୀଗୃହଗୁଡ଼ିକ] ଭାଂଗିବାକୁ ଚାହୁଁଛୁ। ବାହାରି ଯାଆନ୍ତୁ,’’ ଭୋସଲେ ପ୍ରତିବାଦ କଲେ, ‘‘କହିଲେ କୌଣସି ନୋଟିସ ଦିଆଯାଇ ନାହିଁ।’’ ଡ୍ରାଇଭର କହିଲେ, ‘‘ଉପରୁ [ଅମରାବତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ] ନିର୍ଦ୍ଦେଶ ଆସିଛି। 

ସ୍କୁଲ କର୍ମଚାରୀମାନେ ବେଞ୍ଚ ଓ ସବୁଜ ଲିଖନ ବୋର୍ଡଗୁଡ଼ିକୁ ଶ୍ରେଣୀଗୃହ ବାହାରକୁ ନେଇ ଆସିଲେ। ପାଠାଗାରକୁ ମଧ୍ୟ ଖାଲି କଲେ - ଆମ୍ବେଦକର, ଫୁଲେ, ଗାନ୍ଧୀ, ପୃଥିବୀ ଇତିହାସ ଏବଂ ମରାଠୀ ଭାଷାରେ ଲେଖାଯାଇଥିବା ପ୍ରାୟ ୨,୦୦୦ ଖଣ୍ଡ ବହି ଥିଲା। ଏସବୁକୁ ପାଖରେ ଥିବା ଏକ ସ୍କୁଲ ହଷ୍ଟେଲକୁ ନିଆଗଲା। ତା ପରେ ବୁଲଡୋଜର ବୁଲିଲା। ମାଟି ଉପରେ ଢଳି ପଡ଼ିଲା ଗୋଟିଏ କାନ୍ଥ। 

ଦୁଇ ଘଣ୍ଟା ଧରି ବୁଲଡୋଜର ଭାଙ୍ଗିଲା। ଏହା ଥିଲା ଜୁନ୍ ୬ ତାରିଖ, ପ୍ରଶ୍ନଚିହ୍ନ ଆଦିବାସୀ ଆଶ୍ରମଶାଳା (ପ୍ରଶ୍ନ ଚିହ୍ନ ଆଦିବାସୀ ଆବାସିକ ସ୍କୁଲ)। ଏପ୍ରିଲରୁ ଆରମ୍ଭ ହୋଇଥିବା ଖରା ଛୁଟିରେ ହଷ୍ଟେଲରେ ଥିବା ପିଲାମାନେ - ସେମାନଙ୍କ ଶ୍ରେଣୀଗୃହ ଭାଙ୍ଗି ଯାଉଥିବାର ଦୃଶ୍ୟ ଦେଖିଲେ। କିଛି ପିଲା କହିଲେ, ‘‘ସେମାନେ ଏମିତି କାହିଁକି କଲେ? ଏବେ ଜୁନ ୨୬ରୁ ଆମ ସ୍କୁଲ ଆରମ୍ଭ ହୋଇପାରିବ ନାହିଁ। ’’

Schoolchildren looking at the bulldozer demolish their school
PHOTO • Yogesh Pawar

ନିଜ ଶ୍ରେଣୀଗୃହ ମାଟିରେ ମିଶି ଯାଉଥିବା ଦୃଶ୍ୟ ପିଲାମାନେ ଆଖିରେ ଦେଖିଲେ। ‘ଜୁନ୍ ୨୬ ରେ ଆମ ସ୍କୁଲ କେମିତି ଖୋଲିବ? ସେମାନେ କାହିଁକି ଏମିତି କଲେ?’ ସେମାନଙ୍କ ଭିତରୁ କିଛି ପିଲା ପଚାରିଲେ।

ତିନିଟି ଚାଳ ଛପର ଶ୍ରେଣୀଗୃହ, ଚାରିଟି କଂକ୍ରିଟ ଶ୍ରେଣୀଗୃହ ଏବଂ ପାଠାଗାର - ୪୧୭ ଜଣ ଫାନ୍‌ସୀ ପର୍ଦ୍ଧି ଆଦିବାସୀ ସଂପ୍ରଦାୟର ଏବଂ ୩୦ ଜଣ କୋରକୁ ଆଦିବାସୀ ସଂପ୍ରଦାୟର ପିଲା ପଢୁଥିବା ଏହି ସ୍କୁଲ ସଂପୂର୍ଣ୍ଣ ଧ୍ୱଂସ ହୋଇଗଲା। ଏଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢନ୍ତି। ଶିକ୍ଷାର ସାମ୍ବିଧାନିକ ଅଧିକାର ମଧ୍ୟ ମାଟି ତଳେ କବର ନେଇଛି। 

ମହାରାଷ୍ଟ୍ର ସରକାରଙ୍କ ୭୦୦-କିଲୋମିଟର ଦୀର୍ଘ ସମୃଦ୍ଧି ମହାମାର୍ଗ (‘ସମୃଦ୍ଧ ରାଜପଥ’) ପାଇଁ ଅମରାବତୀ ଜିଲ୍ଲାର ଏହି ସ୍କୁଲ ଭାଙ୍ଗିଗଲା। ଏହି ରାଜପଥ ୨୬ଟି ତାଲୁକର ୩୯୨ଟି ଗାଁ ଦେଇ ଯିବ। ଅମରାବତୀରେ ତିନିଟି ତାଲୁକର ୪୬ଟି ଗାଁ ଦେଇ ରାଜପଥ ଯିବ। 

୩୬-ବର୍ଷୀୟ ମାଟିନ୍ କହିଲେ, ‘‘ଆମ ୭ ବର୍ଷର ପରିଶ୍ରମ ନଷ୍ଟ ହୋଇଗଲା।’’ ଆଦିବାସୀ ପିଲାଙ୍କ ପାଇଁ ସେମାନେ ଆରମ୍ଭ କରିଥିବା ଏହି ସ୍କୁଲ ନନ୍ଦଗାଓଁ ଖଣ୍ଡେଶ୍ୱର ତାଲୁକରେ ଏକ ଜନାକୀର୍ଣ୍ଣ ପାଦଚଲା ରାସ୍ତା କଡ଼ରେ ଅବସ୍ଥିତ। ଜୁନ୍ ୨୦୧୮ରେ ମହାରାଷ୍ଟ୍ର ଅମରାବତୀ ଜିଲ୍ଲାପାଳଙ୍କୁ ମହାରାଷ୍ଟ୍ର ଷ୍ଟେଟ୍ ରୋଡ୍ ଡେଭଲପମେଣ୍ଟ କର୍ପୋରେସନ୍ (ଏମଏସଆରଡିସି) ପକ୍ଷରୁ ଏକ ଚିଠି ଆସିଥିଲା। ଏଥିରେ ଉଲ୍ଲେଖ ଥିଲା ୧୯.୪୯ ହେକ୍ଟର ବିଶିଷ୍ଟ ସରକାରୀ ଗୋଚର ଜମିର କିଛି ଅଂଶରେ ସର୍ଭେ ନମ୍ବର ୨୫ରେ ସ୍କୁଲ ନିର୍ମାଣ ହୋଇଛି। ‘‘ଏପରିକି ଏହାର କ୍ଷତିପୂରଣ କଥା କେହି ବି ଉଠାଇ ନାହାନ୍ତି।’’ 

ଦୁଇ ମହଲା ବିଶିଷ୍ଟ ହଷ୍ଟେଲ ପାଇଁ ସମୃଦ୍ଧ ରାଜରାସ୍ତା ପକ୍ଷରୁ କୌଣସି ବିପଦ ନାହିଁ। ୧୦ଟି କକ୍ଷ ଥିବା ଏହି ହଷ୍ଟେଲରେ ୬୦ ଜଣ ଝିଅ ଓ ୪୯ ଜଣ ପୁଅ ରହନ୍ତିା ଆଦିବାସୀ ଫାନସୀ ପର୍ଦ୍ଧି ସମିତିର ନିଜସ୍ୱ ଜମିରେ ୩ ଏକର ଜାଗାରେ ଏହା ନିର୍ମାଣ ହୋଇଛି। ଏହି ଫାନସୀ ପର୍ଦ୍ଧି ସମିତି ସ୍କୁଲର ପରିଚାଳନା କରେ (ମାଟିନ୍ ହେଉଛନ୍ତି ସମିତି’ର ଅଧ୍ୟକ୍ଷ)। ଏହି ହଷ୍ଟେଲ ଏବଂ ଦୁଇଟି ଶୌଚାଳୟ ଜନସାଧାରଣଙ୍କ ଅନୁଦାନରେ ତିଆରି ହୋଇଛିା ୨୦୧୬ରେ ଏକ ମରଠୀ ଖବର କାଗଜରେ ଏହା ସପକ୍ଷରେ ଅଭିଯାନ ପରେ ସହଯୋଗ ମିଳିଥିଲା।  

Top left - School Premises
Top right - Matin Bhosale with his students
Bottom left - Students inside a thatched hut classroom
Bottom right - Students in semi concretised classroom
PHOTO • Jyoti Shinoli

ବାମ: ଆଦିବାସୀ ପରିବାରର ୪୪୭ ଛାତ୍ରଛାତ୍ରୀ ପ୍ରଶ୍ନଚିହ୍ନ ଆଦିବାସୀ ଆଶ୍ରମଶାଳା (ପ୍ରଶ୍ନ ଚିହ୍ନ ଆଦିବାସୀ ଆବାସିକ ବିଦ୍ୟାଳୟ)ରେ ପଢନ୍ତି। ଡାହାଣ ପାଖ ଉପର: ମାଟିନ ଭୋସାଲେ, ସ୍କୁଲର ଶିକ୍ଷକ ଏବଂ ପ୍ରତିଷ୍ଠାତା। ତଳ ଧାଡି: ଶ୍ରେଣୀକକ୍ଷ ଗୁଡ଼ିକ ଜୁନ ୬ରେ ଭାଙ୍ଗି ଯାଇଛି; ତିନିଟି ଛପର ଘର (ବାମ) ଓ ଚାରିଟି ପକ୍କା ଶ୍ରେଣୀ କକ୍ଷ (ଡାହଣ) ଭାଙ୍ଗି ଯାଇଛି। 

କିନ୍ତୁ ସରକାର ଏହି ତିନି ଏକର ମଧ୍ୟରୁ ପାଖାପାଖି ଗୋଟିଏ ଏକର ପାଇଁ କହୁଛନ୍ତି। ଜାନୁଆରୀ ୧୧, ୨୦୧୯ରେ ଅମରାବତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି ହୋଇଥିଲା। କୁହାଯାଇଥିଲା, ସର୍ଭେ ନମ୍ବର ୩୭ରେ ୩,୮୦୦ ବର୍ଗ ମିଟର ବିଶିଷ୍ଟ ଗୋଟିଏ ପ୍ଲଟ୍ (ଗୋଟିଏ ଏକର ପ୍ରାୟ ୪,୦୪୬ ବର୍ଗ ମିଟର) ରାଜପଥ ପାଇଁ ଆବଶ୍ୟକ, ଯାହା ହଷ୍ଟେଲ ଏବଂ ବର୍ତ୍ତମାନ ଭଙ୍ଗା ଯାଇଥିବା ଶ୍ରେଣୀକକ୍ଷର ମଝି ଭାଗରେ ଅବସ୍ଥିତ। ଏଥିପାଇଁ ରାଜ୍ୟ ସରକାର ସମିତିକୁ ୧୯.୩୮ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ କହିଥିଲେ। 

ଫେବୃଆରୀ ୨୦୧୯ରେ ମାଟିନ ମୋତେ କହିଲେ, ‘‘ସ୍କୁଲର ପୁନଃ ନିର୍ମାଣ କରିବାକୁ ଏହି ଟଙ୍କା ଯଥେଷ୍ଟ ନୁହେଁ। ଏପରିକି ଶ୍ରେଣୀକକ୍ଷ, ପାଠାଗାର ଓ ରୋଷେଇ ଘର ସରକାରୀ ଜାଗା ଉପରେ ଥିଲେ ବି ଆଇନ ଅନୁସାରେ ଆମେ କ୍ଷତିପୂରଣ ପାଇବା କଥା।’’ ‘‘ବିକ୍ରି ଚୁକ୍ତିରେ ଆମେ ଦସ୍ତଖତ କରି ନାହୁଁ [୩,୮୦୦ ବର୍ଗ ମିଟର ଜାଗା ପାଇଁ ଏମଏସଆରଡିସି ସହିତ]। ଅମରାବତୀ ଜିଲ୍ଲାପାଳଙ୍କ ଅଫିସରେ ଆମେ ଏକ ଅଭିଯୋଗ ରୁଜୁ କରିଛୁ ଏବଂ ସ୍କୁଲ ପାଇଁ ପ୍ରଥମେ ବିକଳ୍ପ ଜାଗା ଦେବାକୁ ଦାବି କରିଛୁ।’’ 

ଅମରାବତୀ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମାଟିନ ଆହୁରି ଅନେକ ଦରଖାସ୍ତ ଲେଖିଛନ୍ତି। ୨୦୧୮ରେ ସେ ୫୦-୬୦ ପିଲା ଏବଂ ସ୍କୁଲ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଅମରାବତୀ ଜିଲ୍ଲାପାଳଙ୍କ ଅଫିସକୁ ତିନି ଥର ପଦଯାତ୍ରାରେ ଯାଇଛନ୍ତି। ଫେବ୍ରୁଆରୀ ୨୦୧୯ରେ ଗୋଟିଏ ଦିନ ପାଇଁ ଅନଶନ ମଧ୍ୟ କରିଥିଲେ - ପ୍ରତିଥର ସେ ସଂପୂର୍ଣ୍ଣ ଥଇଥାନ ଦାବି କରି ଆସୁଛନ୍ତି। ଏହା ଭିତରେ ରହିଛି ସ୍କୁଲର ସମସ୍ତ ଭିତ୍ତିଭୂମି ପାଇଁ ଆବଶ୍ୟକ ସ୍ଥାନ। 

ପ୍ରଶ୍ନ ଚିହ୍ନ ସ୍କୁଲରେ ପଢୁଥବା ପିଲାମାନଙ୍କ ଅଭିଭାବକମାନେ ମଧ୍ୟ ସ୍କୁଲ ଭାଙ୍ଗିଯିବାକୁ ନେଇ ଚିନ୍ତିତ ଥିଲେ। ସ୍କୁଲରୁ ଦୁଇ କିଲୋମିଟର ଦୂରରେ ଥିବା ଫାନସୀ ପର୍ଦ୍ଧି ଗାଁରେ ରହିଛି ପ୍ରାୟ ୫୦ଟି କୁଡ଼ିଆ ଘର। ୩୬ ବର୍ଷୀୟ ସୁର୍ଣ୍ଣିତା ପାୱର ତାଙ୍କ ଇଟା ଘର ଆଗରେ ବସି ବିନ୍ସରୁ ଚୋପା ଛଡ଼ାଉଥିବା ବେଳେ ମୋତେ କହିଲେ, ‘‘ଏଇ ସ୍କୁଲରେ ମୋ ଝିଅ ୧୦ମ ପାସ କରିଛି। ଏବେ ସେ ଏକାଦଶ ଶ୍ରେଣୀ ପାଇଁ କରେସପଣ୍ଡେସ୍ କୋର୍ସ କରୁଛି।’’ ମାଙ୍ଗ୍ରୁଲ ଚାୱାଲା ଗାଁରେ ସୁର୍ଣ୍ଣିତା ଜଣେ କୃଷି ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ଗାଁ ପାଖକୁ ଲାଗିଥିବା ଏହି ଗାଁର ଲୋକସଂଖ୍ୟା ପ୍ରାୟ ୩,୭୬୩ । ସ୍କୁଲ ଘର ଭାଙ୍ଗିଦେବା ପରେ ଯେତେବେଳେ ମୁଁ ଫୋନ୍ କଲି ସେ କହିଲେ, ‘‘ମୁଁ ଶୁଣିଲି ଶ୍ରେଣୀଗୃହଗୁଡ଼ିକ ଭାଙ୍ଗି ଦିଆଯାଇଛି। ସୁର୍ଣ୍ଣେସ [ମୋ ପୁଅ] ସେଠି ପଞ୍ଚମରେ ପଢୁଛି। ଖରା ଛୁଟିରେ ସେ ଘରେ ଥିଲା। ଏବେ ସେ କୁଆଡ଼େ ଯିବ?’’

Young student writing on blackboard
PHOTO • Jyoti Shinoli
Student reading about Jyotiba Phule
PHOTO • Jyoti Shinoli

୨୦୧୭ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ୧୯୯ ଘର ବିଶିଷ୍ଟ ପର୍ଦ୍ଧିର ୩୮ ପ୍ରତିଶତ (ଅନ୍ତର୍ଗତ)ପିଲା ପ୍ରାଥମିକ ବିଦ୍ୟାଳୟରୁ ପାଠ ଛାଡ଼ନ୍ତି; ଏହାର ଏକମାତ୍ର କାରଣ ହେଉଛି ଭେଦଭାବ 

ଫାନସୀ ପର୍ଦ୍ଧିରେ ଥିବା ଅନ୍ୟ ଆଦିବାସୀମାନଙ୍କ ସହ ତାଙ୍କ ସଂପ୍ରଦାୟରେ ‘କ୍ରିମିନାଲ’ ମାର୍କା ବାଜିଥିଲା। ଉପନିବେଶବାଦୀ ବ୍ରିଟିଶ ସରକାରଙ୍କ କ୍ରିମିନାଲ ଟ୍ରାଇବ୍‌ସ ଆକ୍ଟ ଅନୁସାରେ ଏହି ମାର୍କା ଲାଗିଥିଲା। ୧୯୫୨ରେ, ଭାରତ ସରକାର ଏହି ଧାରାକୁ ହଟାଇ ଦେଇଥିଲେ। ଏହା ପରେ ସେମାନେ ‘ବିମୁକ୍ତ’ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ କେତେକ ଅନୁସୂଚିତ ଜାତି, କେତେକ ଅନୁସୂଚିତ ଜନଜାତି ଏବଂ ଆଉ କେତେକ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀଭୁକ୍ତ ହୋଇଛନ୍ତି। (ଦେଖନ୍ତୁ ବିନା ଅପରାଧରେ ଅସରନ୍ତି ଶାସ୍ତି)। ୨୦୧୧ ଜନଗଣନା ଅନୁସାରେ ପ୍ରାୟ ୨୨୩,୫୨୭ ଜଣ ପର୍ଦ୍ଧି ମହାରାଷ୍ଟ୍ରରେ ବସବାସ କରନ୍ତି। ଏହି ସଂପ୍ରଦାୟ ଭିତରେ ଅନେକ ଉପ-ଗୋଷ୍ଠୀ ମଧ୍ୟ ଅଛନ୍ତି। ଯେଭଳି ପାଲ୍ ପର୍ଦ୍ଧି, ଭିଲ୍ ପର୍ଦ୍ଧି ଏବଂ ଫାନ୍‌ସୀ ପର୍ଦ୍ଧି। 

ସେମାନେ ଏବେ ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ବାଛବିଚାରର ସମ୍ମୁଖୀନ ହେଉଛନ୍ତି। ସୁର୍ଣ୍ଣିତା କହନ୍ତି, ‘‘ଗାଁ ଲୋକେ ଆମକୁ କାମ ଦିଅନ୍ତି ନାହିଁ।’’ ‘‘ତେଣୁ ଆମ ଲୋକମାନେ ଅମରାବତୀ ବା ମୁମ୍ବାଇ, ନାଗପୁର, ପୁନେ, ନାସିକ ଆଦି ସହରକୁ ଭିକ ମାଗିବାକୁ ଯାଆନ୍ତି।’’

ତାଙ୍କ ପଡୋଶୀ, ୪୦-ବର୍ଷୀୟ ହିନ୍ଦୋସ ପାୱାର ସେଭଳି କରୁଥିଲେ। ଏକ ଦଶନ୍ଧି ତଳେ ସେ ଭିକ ମାଗୁଥିଲେ। ତା ପରେ ସେ ଅକସ୍ମାତ ଜମିରେ ବା ନିର୍ମାଣ କ୍ଷେତ୍ରରେ କାମ ପାଇଲେ। ସେ କହନ୍ତି, ‘‘ସାରା ଜୀବନ ମୁଁ ଦୁଃଖ ଦେଖିଛି।’’ ‘‘ଯେ କୌଣସି ସମୟରେ ପୋଲିସ ଆମକୁ ଧରିନିଏ। ଏବେ ବି ଏମିତି ଘଟୁଛି ଆଉ ମୋ ଜେଜେବାପାଙ୍କ ସମୟରେ ବି ଏଭଳି ଘଟୁଥିଲା। କିଛି ପରିବର୍ତ୍ତନ ହୋଇ ନାହିଁ। ଯଦି ଆମ ପିଲାମାନେ ପାଠ ପଢିବେନି, ସେମାନେ ବି ଆମ ଭଳି ସମାପ୍ତ ହୋଇଯିବେ।’’ ତାଙ୍କ ପୁଅ ସରଦେଶ ସପ୍ତମ ଶ୍ରେଣୀରେ ଓ ଝିଅ ସରଦେଶା ଦଶମ ଶ୍ରେଣୀରେ ପ୍ରଶ୍ନଚିହ୍ନ ଆଦିବାସୀ ଆଶ୍ରମଶାଳାରେ ପଢୁଥିଲେ, ଯେତେବେଳେ କିଛି ମାସ ତଳେ ମୁଁ ଏହି ପରିବାରକୁ ଭେଟିଥିଲି। 

୨୦୧୭ରେ କାଉନସିଲ ଫର ସୋସିଆଲ ଡେଭଲପମେଣ୍ଟ, ହାଇଦ୍ରାବାଦ ଏକ ସର୍ବେକ୍ଷଣ କରିଥିଲା। ମହାରାଷ୍ଟ୍ରର ୨୫ଟି ଜିଲ୍ଲାରେ ମୁକ୍ତ, ଯାଯାବର ଏବଂ ଅର୍ଦ୍ଧ-ଯାଯାବର ଜନଜାତିଙ୍କ ଉପରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣ (୧୧ଟି ସଂପ୍ରଦାୟର ୧,୯୪୪ଟି ପରିବାର ଉପରେ ସର୍ଭେ ହୋଇଥିଲା) ଅନୁଯାୟୀ ୧୯୯ଟି ପର୍ଦ୍ଧି ପରିବାର ମଧ୍ୟରୁ ୩୮ ପ୍ରତିଶତ ପରିବାରର ପିଲମାନେ ପ୍ରାଥମିକ ବିଦ୍ୟାଳୟରୁ ପାଠ ଛାଡ଼ନ୍ତି। ଏହାର କାରଣ ହେଉଛି ଭେଦଭାବ, ଭାଷାଗତ ପ୍ରତିବନ୍ଧକ, ବିବାହ ଏବଂ ଶିକ୍ଷାର ଗୁରୁତ୍ଵ ଉପରେ ସଚେତନତାର ଅଭାବ। ସର୍ବେକ୍ଷଣରେ ଏହା ବି କୁହାଯାଇଛି ଯେ, ଏହି ଜନଜାତିର ୨ ପ୍ରତିଶତ ପିଲାଙ୍କୁ ପଛ ବେଞ୍ଚରେ ବସାଯାଇଥାଏ ଏବଂ ୪ ପ୍ରତିଶତ ପିଲାଙ୍କୁ ଶିକ୍ଷକଙ୍କ ଆଚରଣ ଅସମ୍ମାନିତ କରିଥାଏ। 

Surnita Pawar with husband and elder daughter outside their house
PHOTO • Jyoti Shinoli
Hindos Pawar and wife outside their house
PHOTO • Jyoti Shinoli

ବାମ: ସ୍ୱାମୀ ନାଇତୁଲ ଓ ଝିଅ ସହ ସୁର୍ଣ୍ଣିତା ପାୱାର। ‘ଜିଲ୍ଲା ପରିଷଦ ସ୍କୁଲ ଶିକ୍ଷକମାନେ ଆମ ପିଲାମାନଙ୍କୁ ଭଲ ବ୍ୟବହାର କରନ୍ତିନି’। ଡାହଣ: ହିନ୍ଦସ ପାୱାର ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ସହ: ‘ଆମ ପିଲା ଯଦି ନପଢନ୍ତି, ତାହାଲେ ଆମ ପରି ହେବେ’

ସୁର୍ଣ୍ଣିତା କହନ୍ତି, ‘‘ଜିଲ୍ଲା ପରିଷଦ [ZP] ସ୍କୁଲର ଶିକ୍ଷକମାନେ ଆମ ପିଲାଙ୍କୁ ଭଲ ବ୍ୟବହାର କରନ୍ତି ନାହିଁ। ୧୪ ବର୍ଷୀୟ ଜୀବେଶ ପାୱାର ତାଙ୍କ ସହ ଏକମତ ହେଲେ। କହିଲେ, ‘‘ମୁଁ ଜିଲ୍ଲା ପରିଷଦ ସ୍କୁଲକୁ ଆଉ ଫେରିବାକୁ ଚାହୁଁ ନାହିଁ।’’ ୨୦୧୪ ପର୍ଯ୍ୟନ୍ତ ଜୀବେଶ ପଞ୍ଚମରେ ପଢୁଥିଲେ। ଯବତମାଲ ଜିଲ୍ଲାର ନେର ତାଲୁକର ଅଜନ୍ତି ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲରେ ପଢୁଥିଲେ। ସେ କହନ୍ତି, ‘‘ଶିକ୍ଷକମାନେ ମୋତେ ସବୁବେଳେ ପଛ ସିଟ୍‌ରେ ବସିବାକୁ କହୁଥିଲେ। ପର୍ଦ୍ଧି, ପର୍ଦ୍ଧି .... କହି ଅନ୍ୟ ପିଲାମାନେ ମୋତେ ଚିଡ଼ାନ୍ତି। .... ଗାଁ ଲୋକ କହନ୍ତି ଆମେ ଅପରିଛନ୍ନ। ଆମ ଛୋଟ କୁଡିଆ ଘରଗୁଡ଼ିକ ଗାଁ ବାହାରେ। ମୋ ମାଆ ଭିକ ମାଗନ୍ତି। ମୁଁ ବି ଯାଉଥିଲି। ଦୁଇ ବର୍ଷ ତଳେ ମୋ ବାପାଙ୍କର ମୃତ୍ୟୁ ଘଟିଛି।’’ 

ତା ପରେ ଜୀବେଶ ପ୍ରଶ୍ନଚିହ୍ନ ଆଦିବାସୀ ଆଶ୍ରମଶାଳାରେ ନାଁ ଲେଖାଇଥିଲେ, ତାଙ୍କ ଘରଠାରୁ ପ୍ରାୟ ୧୭ କିଲୋମିଟର ଦୂର। ତାଙ୍କ ଗାଁରେ ପାଣି କି ବିଜୁଳି ନାହିଁ। ତେଣୁ ସେ ହଷ୍ଟେଲରେ ରହନ୍ତି। ସେ କହନ୍ତି, ‘‘ମୁଁ ପାଠ ପଢି ସେନାରେ ଯୋଗ ଦେବାକୁ ଚାହୁଁଛି। ମୋ ମାଆ ଭିକ ମାଗନ୍ତୁ ବୋଲି ମୁଁ ଚାହୁଁନି।’’ ସେ ଏବେ ନବମ ପାସ୍ କରିଛନ୍ତି। ଦଶମ ଶ୍ରେଣୀରେ କିଭଳି ପହଞ୍ଚିବେ ସେଥିପାଇଁ ତାଙ୍କର ପ୍ରବଳ ଉତ୍ସାହ ଥିଲା। ଏହା ତାଙ୍କ ପାଇଁ ଏବେ ଚିନ୍ତାରେ ପରିଣତ ହୋଇଛି। 

୧୪ ବର୍ଷର କିରଣ ଚଭନ ମଧ୍ୟ ଧୁଲେ ଜିଲ୍ଲା ସକ୍ରି ତାଲୁକର ଜାମଡେ ଗାଁର ଜିଲ୍ଲା ପରିଷଦ ସ୍କୁଲରେ ପଢୁଥିଲେ। ତାଙ୍କ ବାପା ମାଆ ଦୁଇ ଏକର ଜଂଗଲ ଜମିରେ ଧାନ ଏବଂ ବାଜରା ଚାଷ କରନ୍ତି। ସେ କହନ୍ତି, ‘‘ଜିଲ୍ଲା ପରିଷଦ ସ୍କୁଲ ଯିବା ପାଇଁ ଆମକୁ ଗାଁ ଲୋକେ ବିରୋଧ କରନ୍ତି।’’ ମୋ ସାଙ୍ଗମାନେ ସ୍କୁଲ ଛାଡିଦେଲେ, କାରଣ ଅନ୍ୟ ପିଲାମାନେ ତାଙ୍କୁ ଚିଡେଇଲେ। ଆମ ଛୋଟ କୁଡ଼ିଆ ଘରଗୁଡ଼ିକ ଗାଁ ବାହାରେ। ଆପଣ ଯେତେବେଳେ ଗାଁ ଭିତରକୁ ଯିବେ, ସେମାନେ କହିବେ , ‘ସାବଧାନ ଥିବ, ଏଠି ଚୋର ଅଛନ୍ତି’। ମୁଁ ଜାଣିନି ସେମାନେ ଏମିତି କାହିଁକି କହନ୍ତି। ମୁଁ ଚୋର ନୁହେଁ। ପୋଲିସ ବେଳେବେଳେ ଆମ ବସ୍ତିକୁ ଆସେ ଆଉ ଚୋରୀ କିମ୍ବା ହତ୍ୟା ମାମଲାରେ ଜଣଙ୍କୁ ଧରିନିଏ। ସେଥିପାଇଁ ମୁଁ ପୋଲିସ ହେବାକୁ ଚାହୁଁଛି। ମୁଁ ନିରୀହ ଲୋକଙ୍କୁ ହଇରାଣ କରିବିନି। ’’ 

ଏ ସବୁ ଭଲ ଭାବରେ ଜାଣି ଫାନସୀ ପର୍ଦ୍ଧି ପିଲାମାନଙ୍କ ପାଇଁ ଏଠାରେ ସ୍କୁଲ ଖୋଲିବାକୁ ମାଟିନ୍ ଭୋଁସାଲେ ନିଷ୍ପତ୍ତି ନେଇଥିଲେ। ୮୫ ଜଣ ପିଲାଙ୍କୁ ନେଇ ସେ ୨୦୧୨ ମସିହାରେ ଏହି ସ୍କୁଲ ଆରମ୍ଭ କରିଥିଲେ। ସ୍କୁଲ ନିର୍ମାଣ ପାଇଁ ତାଙ୍କ ପରିବାରର ଥିବା ୬ଟି ଛେଳି ବିକିଥିଲେ ଏବଂ ଶିକ୍ଷକତା କରି ଯେଉଁ ପୁଂଜି ରଖିଥିଲେ,ତାକୁ ମଧ୍ୟ ବିନିଯୋଗ କରିଥିଲେ। ସେତେବେଳେ ଛୋଟିଆ ଛପର ଘରେ ସ୍କୁଲ ଚାଲିଥିଲା। କିନ୍ତୁ ତାଙ୍କ ମାମୁଁ ସଂକୁଳି ଭୋସାଲେ ତାଙ୍କୁ ସ୍କୁଲ ନିର୍ମାଣ ପାଇଁ ୩ ଏକର ଜାଗା ଦେଇଥିଲେ। ସଂକୁଳି ଭୋସାଲେଙ୍କୁ ଏବେ ୭୬ ବର୍ଷ। ମାଟିନ କହନ୍ତି ତାଙ୍କୁ ମାମୁଁ ଏହି ଜାଗାକୁ ୨୦୦ ଟଙ୍କାରେ ୧୯୭୦ ମସିହାରେ କିଣିଥିଲେ। ତା ପରେ ସେ ଏହି ଜମିକୁ ବଞ୍ଚେଇ ରଖିଛନ୍ତି। ତାଙ୍କ ମାମୁଁ ସାଧାରଣତଃ ଗୋଧି, ଚଢେଇ, ଠେକୁଆ ଓ ବାରହା ଶିକାର କରି ଅମରାବତୀ ସହରରେ ବିକ୍ରି କରନ୍ତି।

‘ଏ ସବୁ ହେଉଛି ପର୍ଦ୍ଧିର ପ୍ରଶ୍ନ - ଯାହାର ଉତ୍ତର ନାହିଁ। ତେଣୁ ଏହା ହେଉଛି ପ୍ରଶ୍ନଚିହ୍ନ [Question Mark] ଆଦିବାସୀ ଆଶ୍ରମଶାଳା 

ଭିଡିଓ ଦେଖନ୍ତୁ: ‘ସମୃଦ୍ଧି’ ଦ୍ୱାରା ଆଦିବାସୀ ସ୍କୁଲ ପୋତି ହୋଇଗଲା 

ସ୍କୁଲ ଚଳେଇବାରେ ମାଟିନଙ୍କ ପତ୍ନୀ ସୀମା ସାହାଯ୍ୟ କରନ୍ତି। ତାଙ୍କର ତିନି ଜଣ ପିଲା ମଧ୍ୟ ଏହି ସ୍କୁଲରେ ଫାନସୀ ପର୍ଦ୍ଧିର ଅନ୍ୟ ପିଲାଙ୍କ ସହ ପଢନ୍ତି। ଏଠାରେ ଅମରାବତୀ ସହ ବେଦ, ଧୁଲେ, ଓ୍ୱାସିମ ଓ ଯବତମାଲ ଜିଲ୍ଲାର ପିଲା ପାଠ ପଢନ୍ତି। ଏଠି ପିଲାମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯାଏ। ପିଲାଙ୍କ ପରିବାରକୁ ମଧ୍ୟ କୌଣସି ପ୍ରକାର ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ସ୍କୁଲରେ ଥିବା ୮ ଜଣ ଶିକ୍ଷକଙ୍କ ମଧ୍ୟରୁ ଫାନସୀ ପର୍ଦ୍ଧି ସଂପ୍ରଦାୟର ୪ ଜଣ। 

ମାଟିନ କହିଲେ, ‘‘ଫାନ୍‌ସୀ ପର୍ଦ୍ଧିମାନଙ୍କର ସ୍ଥାୟୀ ବାସଗୃହ ନାହିଁ କି ଆୟର କୌଣସି ନିର୍ଦ୍ଦିଷ୍ଟ [ସୁରକ୍ଷା] ଉତ୍ସ ନାହିଁ। ସେମାନେ ଯାଯାବର। ସେମାନେ ଭିକ ମାଗନ୍ତି, ଶିକାର କରନ୍ତି ବା କେତେବେଳେ କିଛି କାମ ମିଳିଲେ କରନ୍ତି।’’ ତାଙ୍କ ବାପା ଶିକାର କରୁଥିଲେ, ତାଙ୍କ ମା’ ଭିକ୍ଷା କରୁଥିଲେ। ‘‘ବେଳେବେଳେ ପିଲାମାନେ ତାଙ୍କ ବାପା ମାଆଙ୍କ ସହ ମଧ୍ୟ ରେଳ ଷ୍ଟେସନ୍ ବା ବସ୍ ଷ୍ଟାଣ୍ଡରେ ଭିକ ମାଗନ୍ତି। ସେମାନେ ଶିକ୍ଷା ଏବଂ କାମରୁ ସବୁବେଳେ ବଞ୍ଚିତ ରହନ୍ତି। ଶିକ୍ଷା ଏବଂ ସ୍ଥିରତା ସେମାନଙ୍କ ବିକାଶ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପର୍ଦ୍ଧି ପିଲାମାନେ ଏବେ ବି ଜିଲ୍ଲା ପରିଷଦ ସ୍କୁଲରେ ଠିକ୍ ଭାବେ ଗ୍ରହଣୀୟ ହୋଇପାରି ନାହାନ୍ତି। ତାଙ୍କ ପାଇଁ ଶିକ୍ଷା ଅଧିକାର ଆଇନ୍ କେଉଁଠି? ଏଥିସହ ମହାରାଷ୍ଟ୍ର ସରକାର ଯଥେଷ୍ଟ ଆବାସିକ ସ୍କୁଲ କରି ନାହାନ୍ତି [ଆଦିବାସୀ ପିଲାଙ୍କ ପାଇଁ]। ଏସବୁ ହେଉଛି ପର୍ଦ୍ଧିର ପ୍ରଶ୍ନ- ଏହାର ଉତ୍ତର ନାହିଁ। ତେଣୁ ଏହା ହେଉଛି ପ୍ରଶ୍ନଚିହ୍ନ [Question Mark] ଆଦିବାସୀ ଆଶ୍ରମଶାଳା।  

ପାରିବାରିକ ଏବଂ ସାଂପ୍ରଦାୟିକ ଅସୁବିଧା ସତ୍ତ୍ୱେ, ୨୦୦୯ରେ ଅମରାବତୀ ସରକାରୀ ଶିକ୍ଷକ କଲେଜରୁ ମାଟିନ୍ ଶିକ୍ଷାରେ ଡିପ୍ଲୋମା ସଂପୂର୍ଣ୍ଣ କରିଥିଲେ। ଦୁଇ ବର୍ଷ ପାଇଁ ସେ ମଙ୍ଗ୍ରୁଲ ଚାୱାଲା ଗାଁରେ ଜିଲ୍ଲା ପରିଷଦ ସ୍କୁଲରେ ଶିକ୍ଷକତା କରିଛନ୍ତି। ଗାଁର ବାହାରେ ଏକ କୁଡ଼ିଆ ଘରେ ସେ ତାଙ୍କ ବାପା ମାଆ ଓ ଭଉଣୀଙ୍କ ସହ ରହନ୍ତି। ସେ ସେହି ସ୍କୁଲରେ ପଢିଥିଲେ ଆଉ ପାଠ ଛାଡି ନଥିଲେ। ସେ କହନ୍ତି, ‘ଏସବୁ ଜଣେ ଶିକ୍ଷକଙ୍କ ସହଯୋଗ ପାଇଁ ହୋଇଛି।’ 

୧୯୯୧ରେ ମାଟିନଙ୍କୁ ପ୍ରାୟ ୮ ବର୍ଷ ହୋଇଥିଲା। ସେ ସମୟର କଥା ତାଙ୍କର ମନେ ଅଛି, ‘‘ଆମେ ଭିକ ମାଗୁ କିମ୍ବା ଚଢେଇ କିମ୍ବା ଠେକୁଆ ଶିକାର କରୁ। ନହେଲେ ମୁଁ ଓ ମୋର ତିନି ଭଉଣୀ ଗାଁ ଲୋକଙ୍କ ଦ୍ୱାରା ବାହାରେ ଫିଙ୍ଗା ଯାଇଥିବା ବାସୀ ଖାଦ୍ୟ ବି ଖାଉ। ଥରେ ଆମେ [ପ୍ରାୟ] ୫-୬ ଦିନ ପର୍ଯ୍ୟନ୍ତ କିଛି ଖାଇ ନଥିଲୁ। ମୋ ବାପା ଆମକୁ ଭୋକିଲା ଦେଖିପାରନ୍ତି ନାହିଁ। ତେଣୁ ଜଣଙ୍କ ବଗିଚାରୁ ଦୁଇ ତିନିଟି ବାଜରା ଛିଣ୍ଡେଇ ଆଣିଥିଲୁ। ମୋ ମାଆ ସେଥିରେ ବାଜରା ଆମ୍ବିଳି [ତରକାରୀ] କରି ଆମକୁ ଖୋଇଥିଲେ। ପରେ ବଗିଚାର ମାଲିକ ମୋ ବାପାଙ୍କ ନାଁରେ ୫ କ୍ୱିଣ୍ଟାଲ ବାଜରା ଚୋରି କରିଥିବା ଅଭିଯୋଗରେ ଏଫଆଇଆର [ଫାଷ୍ଟ ଇନଫରର୍ମେସନ ରିପୋର୍ଟ ପୋଲିସ ଥାନାରେ] ଦେଇଥିଲେ। ସେ ଯନ୍ତ୍ରଣା ଜର୍ଜରିତ ହୃଦୟରେ ସେ ଚୋରି କରିଥିଲେ। କିନ୍ତୁ ଦୁଇ ତିନିଟି ଏବଂ ପାଞ୍ଚ କ୍ୱିଣ୍ଟାଲ ବାଜରା ଭିତରେ ଆକାଶ ପାତାଳ ଫରକ ଅଛି।’’ 

Students reading in the library
PHOTO • Jyoti Shinoli
Students eating their school meal
PHOTO • Yogesh Pawar

ସ୍କୁଲ ପାଠାଗାର (ବାମ) ମଧ୍ୟ ଭାଙ୍ଗି ଯାଇଥିଲା, ଓ ୨,୦୦୦ ଖଣ୍ଡ ବହି ପାଖ ହଷ୍ଟେଲକୁ ନିଆଯାଇଥିଲା, ଯେଉଁଠି ପିଲାମାନେ ରହନ୍ତି ଏବଂ ଖାଆନ୍ତି (ଡାହାଣ) 

ତାଙ୍କ ବାପା ଶଙ୍କର ଭୋସାଲେ ଅମରାବତୀ ଜେଲରେ ୩ ମାସ ରହିଲେ। ୟୁନିଫର୍ମରେ ଥିବା ଲୋକଙ୍କୁ ଦେଖି ତାଙ୍କ ବାପା ଶିକ୍ଷା ଏବଂ ଜ୍ଞାନର କ୍ଷମତା କେତେ, ତାହା ବୁଝିପାରିଲେ ବୋଲି ମାଟିନ କହନ୍ତି। ତାଙ୍କ ବାପାଙ୍କ କଥା ମନେ ପକାଇ ସେ କହନ୍ତି, ‘‘ଜେଲରେ ଥିବା ସବୁ ପର୍ଦ୍ଧିଙ୍କୁ ତାଙ୍କ ପିଲାଙ୍କୁ ପାଠ ପଢାଇବାକୁ ସେ ଜୋର ଦେଇ କହିଥିଲେ।’’ ତାଙ୍କ ବାପା କହନ୍ତି, ‘ଯଦି ଜ୍ଞାନ ଏବଂ ଶିକ୍ଷାର ଭୁଲ ବ୍ୟବହାର ନିରୀହ ଲୋକଙ୍କୁ ଅସୁବିଧାରେ ପକାଇପାରେ ତାହାଲେ ଏହାର ସଦ୍‌ବ୍ୟବହାର ମଧ୍ୟ ଲୋକଙ୍କୁ ସୁରକ୍ଷା ଦେଇପାରିବ।’

ତାଙ୍କ ବାପାଙ୍କ କଥାକୁ ଅନୁସରଣ କରି ମାଟିନ ଜଣେ ଶିକ୍ଷକ ହେଲେ। ତା ପରେ ସେ ଏହି ସ୍କୁଲ ତିଆରି କଲେ। କିନ୍ତୁ ୭ ବର୍ଷ ପରେ ବି ଏହି ସ୍କୁଲ ସରକାରୀ ସ୍ୱୀକୃତି ଏବଂ ଅନୁଦାନ ପାଇଁ ସଂଘର୍ଷ କରୁଛି, ରାଜ୍ୟ ସ୍କୁଲ ଶିକ୍ଷା ବିଭାଗ ଏବଂ ଜନଜାତି ବିକାଶ ବିଭାଗକୁ ଅସଂଖ୍ୟ ଚିଠି ଦେବା ପରେ ବି। 

ସ୍ୱୀକୃତି ଓ ଅନୁଦାନ ମିଳୁନଥିବା ନେଇ ୨୦୧୫ରେ ମାଟିନ ମହାରାଷ୍ଟ୍ରର ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଏକ ଚଠି ଲେଖି ଅଭିଯୋଗ କରିଥିଲେ। ଏ ସଂପର୍କରେ କମିଶନ ରାଜ୍ୟ ସରକାରଙ୍କ ଦାୟିତ୍ୱକୁ ମନେ ପକାଇ ଦେଇଥିଲେ। ଶିକ୍ଷା ଅଧିକାର ଆଇନ୍ (ଆରଟିଇ, ୨୦୦୯) ଅଧିନରେ ଅନୁନ୍ନତ ଶ୍ରେଣୀର ପିଲାମାନେ ପ୍ରାଥମିକ ଶିକ୍ଷାରୁ କିଭଳି ବଞ୍ଚିତ ହେବ ନାହିଁ, ସେ ସଂପର୍କରେ ଚେତାଇ ଦେଇଥିଲେ। କମିଶନ ଲେଖିଥିଲେ ଯେ, ଅଭିଯୋଗକାରୀଙ୍କର ସ୍କୁଲ ଚଳାଇବା ଏବଂ ସ୍ୱୀକୃତି ପାଇବାର ଅଧିକାର ରହିଛି । ସ୍ୱୀକୃତି ପାଇବା ପାଇଁ ନିୟମ ଅନୁସଯାୟୀ ସ୍କୁଲର ଆବଶ୍ୟକ ଭିତ୍ତିଭୂମି ଏବଂ ସମସ୍ତ ସୁବିଧା ସୁଯୋଗ ରହିଛି। 

ଆହମେଦନଗର ଅଞ୍ଚଳର ଜଣେ ଶିକ୍ଷା କର୍ମୀ ଭାଉ ଚାସ୍କର କହନ୍ତି, ‘‘ଜାତି, ଶ୍ରେଣୀ ଏବଂ ଧର୍ମ ନିର୍ବିଶେଷରେ ସମସ୍ତ ଶିଶୁଙ୍କ ପାଇଁ ପ୍ରାଥମିକ ଶିକ୍ଷାକୁ ନିଶ୍ଚିତ କରିବା ସରକାରଙ୍କ ଦାୟିତ୍ଵ। ଆରଟିଇରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି। ଯଦି ସରକାର ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତେ ତେବେ ଆଜି ଏହି ‘ପ୍ରଶ୍ନ ଚିହ୍ନ’ ଛିଡ଼ା ହୋଇ ନଥାନ୍ତା। ଏହା ପରେ ବି ଯଦି କୌଣସି ବ୍ୟକ୍ତି ତାଙ୍କ ନିଜ ଉଦ୍ୟମରେ ଏଭଳି ଏକ ସ୍କୁଲ ପ୍ରତିଷ୍ଠା କରୁଛନ୍ତି, ତେବେ ବି ସରକାର ଏହାକୁ ସ୍ୱୀକୃତି ଦେଉ ନାହାନ୍ତି।’’ 

Students exercising on school grounds
PHOTO • Yogesh Pawar
Students having fun
PHOTO • Jyoti Shinoli

ସ୍କୁଲ ଅଧ୍ୟକ୍ଷ ପ୍ରକାଶ ପାୱାର କହିଲେ, ‘‘ମୁଁ ଜାଣି ପାରୁନି ଏ ବର୍ଷ କେମିତି ପାଠପଢା ଆରମ୍ଭ ହେବ। ବୋଧହୁଏ ହଷ୍ଟେଲ ରୁମ ଭିତରେ ଆମକୁ ପାଠ ପଢାଇବାକୁ ପଡ଼ିବ। ’’ 

ପ୍ରଶ୍ନ ଚିହ୍ନ ସ୍କୁଲର ଅଧ୍ୟକ୍ଷ ତଥା ଫାନ୍‌ସୀ ପର୍ଦ୍ଧି ପ୍ରକାଶ ପାୱାର କହିଲେ, ‘‘ଏହି ନିର୍ଦ୍ଦେଶନାମାକୁ ଚାରି ବର୍ଷ ବିତିଲାଣି, କିନ୍ତୁ ଅନୁସୂଚିତ ଜନଜାତି ବିଭାଗ କିମ୍ବା ଶିକ୍ଷା ବିଭାଗ, ଏ ସଂପର୍କରେ କେହି ବି ପଦକ୍ଷେପ ଗ୍ରହଣ କରୁନାହାନ୍ତି।’’ ଅନୁଦାନ ମାଧ୍ୟମରେ ରାଜ୍ୟ ସରକାର ସ୍କୁଲକୁ ବିଜ୍ଞାନ ଏବଂ କମ୍ପ୍ୟୁଟର ପରୀକ୍ଷାଗାର ପାଇଁ ଅନୁଦାନ, ପାଠାଗାର ଗୃହ, ଶୌଚାଳୟ, ପାନୀୟ ଜଳ ସୁବିଧା, ଛାତ୍ରାବାସ, ଶିକ୍ଷକଙ୍କ ଦରମା ଏବଂ ଆହୁରି ଅନ୍ୟାନ୍ୟ ଜିନିଷ ଦେଇଥାନ୍ତି। ପାୱାର କହିଲେ, ‘‘ଏସବୁ ଏଠାରେ ଜନସାଧାରଣଙ୍କ ଅନୁଦାନରେ ହୋଇଛି।’’ 

କିଛି ବେସରକାରୀ ସ୍କୁଲରୁ ନୋଟବୁକ୍ ଆକାରରେ ଏବଂ ବହି (ପାଠାଗାର ପାଇଁ) ଆକାରରେ ଅନୁଦାନ ମିଳିଛି। ରାଜ୍ୟର ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କଠାରୁ ଖାଦ୍ୟ ପଦାର୍ଥ ଏବଂ ଆର୍ଥିକ ସହାୟତା ମିଳେ। ଏଥିରେ ଆଠ ଜଣ ଶିକ୍ଷକଙ୍କ ଦରମା (ମାସିକ ୩,୦୦୦ ଟଙ୍କା) ଓ ୧୫ ଜଣ ସହଯୋଗୀଙ୍କ ଖର୍ଚ୍ଚ (ମାସିକ ୨,୦୦୦ ଟଙ୍କା) ତୁଲାଯାଏ। 

ଏସବୁ ଆହ୍ୱାନ ପରେ ବି ପ୍ରଶ୍ନ ଚିହ୍ନ ସ୍କୁଲରୁ ୫୦ ଜଣ ପିଲା ୧୦ମ ପାସ୍ କରିବା ପରେ ମହାରାଷ୍ଟ୍ରର ବିଭିନ୍ନ ସହରରେ ଅଧିକ ପାଠ ପଢୁଛନ୍ତି। ସ୍କୁଲର ମହିଳା କବାଡ଼ି  ଦଳ ୨୦୧୭ ଓ ୨୦୧୮ ମସିହାରେ ତାଲୁକ ଏବଂ ଜାତୀୟସ୍ତରୀୟ ପ୍ରତିଯୋଗିତା ଜିତିଥିଲେ। 

ଏବେ କିନ୍ତୁ ସମୃଦ୍ଧ ରାଜପଥ ତାଙ୍କ ସ୍ୱପ୍ନର ରାସ୍ତାରେ ଛିଡ଼ା ହୋଇଛି। ପାୱାର କହିଲେ, ‘‘ମୁଁ ଜଣି ପାରୁନି ଏ ବର୍ଷ କେମିତି ପାଠ ପଢା ଆରମ୍ଭ ହେବ। ହୁଏତ ହଷ୍ଟେଲ ଘର ଭିତରେ କ୍ଲାସ୍ ନିଆଯବ।’’ ‘‘ବିଭେଦ, ପ୍ରତ୍ୟାଖ୍ୟାନ, ମୌଳିକ ସୁବିଧା ଅଭାବର ‘ପ୍ରଶ୍ନ’ ଭିତରେ ଆମେ ଯନ୍ତ୍ରଣା ଭୋଗୁଛୁ। ଆମେ ଯେତେ​‌ବେଳେ ‘ଶିକ୍ଷା’କୁ ଏହାର ଉତ୍ତର ଭାବେ ଆବିଷ୍କାର କଲୁ , ସେତେବେଳେ ଆମ ସାମ୍ନାରେ ତୁମେ [ମହାରାଷ୍ଟ୍ର ସରକାର] ବିସ୍ଥାପନର ଆଉ ଏକ ପ୍ରଶ୍ନ ଛିଡ଼ା କଲ। କାହିଁକି?’’ ମାଟିନ ନିଜର କ୍ରୋଧ ପ୍ରକାଶ କରି କହିଲେ, ‘‘ମୁଁ ସବୁ ପିଲାଙ୍କୁ ନେଇ ଅନଶନରେ ବସିବାକୁ ଆଜାଦ ମଇଦାନ [ଦକ୍ଷିଣ ମୁମ୍ବାଇ]କୁ ଯିବି। ପୁନଃ ଥଇଥାନ ପାଇଁ ଲିଖିତ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ଆମେ ଏଠାରୁ ଘୁଞ୍ଚିବୁନି।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସିନୋଲି ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ରୁରାଲ୍ଇଣ୍ଡିଆର ବିଷୟବସ୍ତୁ ସଂଯୋଜକ। ସେ ପୂର୍ବରୁ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର-୧’ ପରି ନ୍ୟୁଜ୍ଚ୍ୟାନେଲ୍ରେ କାମ କରିଛନ୍ତି।

Other stories by Jyoti Shinoli