‘‘ସାଲେତ୍‌ ଜାୟଚାୟ… ସାଲେତ୍‌… ବୈଭବ… ବୈଭବ… ସାଲେତ୍‌… [ସ୍କୁଲ୍ ଯିବାକୁ ଚାହୁଁଛି… ସ୍କୁଲ୍‌… ସ୍କୁଲ୍‌…]।’’

ସେଠାରେ ନଥିବା ଜଣେ ସହପାଠୀ ଉଦ୍ଦେଶ୍ୟରେ ଡାକି ପ୍ରତୀକ ଏହାକୁ ବାରମ୍ବାର ପୁନରାବୃତ୍ତି କରେ । ସେ ତା’ର ବଖୁରିଆ ମାଟି ଘରର କବାଟ ପାଖରେ ବସିଛି, ପାଖରେ ଖେଳୁଥିବା ଦଳେ ପିଲା ହସୁଥିବା ଏବଂ ଖେଳୁଥିବା ଦେଖୁଛି । ଏହି ୧୩ ବର୍ଷର ବାଳକଟି ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେହିଠାରେ ବସିଥାଏ କିମ୍ବା ସେ ସାମ୍ନା ଅଗଣାରେ ଏକ ଗଛକୁ ଆଉଜି ଛିଡ଼ା ହୋଇ ନିଜ ଦୁନିଆକୁ ଦେଖୁଥାଏ, ଏହି ଦୁନିଆ ଯାହା ପ୍ରାୟ ୧୧ ମାସ ହେବ ସେହି କବାଟ ଏବଂ କିଛି ଗଛ ଓ ଗୋଟିଏ ଗୁହାଳ ଥିବା ଅଗଣା ଆଗକୁ କଦବା କ୍ୱଚିତ୍‌ ଯାଇଛି ।

ରାଶିନ୍‌ ଗାଁର ଅନ୍ୟପିଲାମାନେ ପ୍ରତୀକ ସହ ଖେଳନ୍ତି ନାହିଁ । ତାଙ୍କର ୩୨ ବର୍ଷ ବୟସ୍କା ମାଆ ସାରଦା ରାଉତ ଏହାର କାରଣ ବୁଝାଇ କୁହନ୍ତି, ‘‘ଏହି ପିଲାମାନେ ସେ କ’ଣ କହୁଛି ତାହା ବୁଝିପାରନ୍ତି ନାହିଁ । ସେ ଏକୁଟିଆ ରୁହେ ।’’ ସେ ଲକ୍ଷ୍ୟ କରିଥିଲେ ଯେ ପ୍ରତୀକ ଗାଁର ଅନ୍ୟ ବାଳକମାନଙ୍କଠାରୁ ଏବଂ ଏପରିକି ତାଙ୍କର ବଡ଼ ସନ୍ତାନଠାରୁ ଭିନ୍ନ ଥିଲା । ସେ ଅଧିକ ଶିଖିବାକୁ ସକ୍ଷମ ନଥିଲା କିମ୍ବା ୧୦ ବର୍ଷ ବୟସ ପର୍ଯ୍ୟନ୍ତ ନିଜର ଯତ୍ନ ନେବାକୁ ମଧ୍ୟ ସମର୍ଥ ନଥିଲା ।

ଯେତେବେଳେ ତାକୁ ଆଠ ବର୍ଷ ବୟସ ହୋଇଥିଲା, ପ୍ରତୀକଠାରେ ହାଲ୍‌କା ଡାଉନ୍‌ ସିଣ୍ଡ୍ରୋମ୍‌ ଚିହ୍ନଟ ହୋଇଥିଲା । ଅହମ୍ମଦନଗର ଜିଲ୍ଲାର କାର୍‌ଜାତ୍‌ ତାଲୁକା ରେ ଥିବା ତାଙ୍କ ଗ୍ରାମଠାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ସୋଲାପୁରର ସରକାର ପରିଚାଳିତ ଶ୍ରୀ ଛତ୍ରପତି ଶିବାଜୀ ମହାରାଜ ସର୍ବୋପଚାରରେ ଏହା ଚିହ୍ନଟ ହୋଇଥିଲା । ଶାରଦା ମନେପକାଇ କୁହନ୍ତି, ‘’୧୦ ବର୍ଷ ବୟସ ପର୍ଯ୍ୟନ୍ତ ସେ କଥା କହିପାରୁନଥିଲା । କିନ୍ତୁ ଏହା ପରେ ସେ ସ୍କୁଲ୍‌ ଯିବା ଆରମ୍ଭ କଲା ଏବଂ ସେବେଠାରୁ ସେ ମୋତେ ଆଇ (ମାଆ) ଡାକୁଛି । ସେ ନିଜେ ଶୌଚାଳୟକୁ ଯାଉଛି ଏବଂ ନିଜେ ଗାଧୋଉଛି । ମୋ ପୁଅ ପାଇଁ ସ୍କୁଲ୍ ଗୁରୁତ୍ୱପୂର୍ଣ୍ଣ । ସେ କେତୋଟି ନୂତନ ଅକ୍ଷର ଶିଖିଛି  ଏବଂ ଯଦି ସେ ଏହା ଜାରି ରଖେ ତେବେ ଉନ୍ନତି କରିପାରିବ। କିନ୍ତୁ ଏହି ମହାମାରୀ [ପାଣ୍ଡେମିକ୍‌]!’’ ସେ ବିଳାପ କରନ୍ତି ।

ମାର୍ଚ୍ଚ ୨୦୨୦ରେ କୋଭିଡ୍‌ – ୧୯ ମହାମାରୀ ଆରମ୍ଭ ହେବା ସମୟରେ ଯେଉଁ ଆବାସିକ ବିଦ୍ୟାଳୟକୁ ପ୍ରତୀକ ଯାଉଥିଲା ତାହା ବନ୍ଦ ହୋଇଯାଇଥିଲା । ସେ ସେଠାରେ ଥିବା ୬ରୁ ୧୮ ବର୍ଷ ବୟସର ଥିବା ୨୫ ଜଣ ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଥିଲା – ସେ ସମସ୍ତଙ୍କୁ ସେମାନଙ୍କର ପରିବାର ନିକଟକୁ ପଠାଇ ଦିଆଯାଇଥିଲା ।

Prateek Raut sometimes tried to write a few alphabets, but with the school break extending to 11 months, he is forgetting all that he learnt, worries his mother
PHOTO • Jyoti Shinoli
Prateek Raut sometimes tried to write a few alphabets, but with the school break extending to 11 months, he is forgetting all that he learnt, worries his mother
PHOTO • Jyoti Shinoli

ପ୍ରତୀକ ବେଳେ ବେଳେ କିଛି ଅକ୍ଷର ଲେଖିବାକୁ ଚେଷ୍ଟା କରିଥିଲା କିନ୍ତୁ ସ୍କୁଲ୍ ବିରତି ୧୧ ମାସ ହୋଇଯିବାରୁ , ସେ ଶିଖିଥିବା ସବୁକିଛି ଭୁଲି ଯାଉଛି , ଏ ନେଇ ତାଙ୍କ ମାଆ ବ୍ୟସ୍ତ ହୁଅନ୍ତି

୨୦୧୮ରେ ଯେତେବେଳେ ଜଣେ ସମ୍ପର୍କୀୟ ତାଙ୍କ ମାଆଙ୍କୁ ସୋଲାପୁର ଜିଲ୍ଲାର କର୍ମଲା ତାଲୁକାରେ ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ଶିଶୁମାନଙ୍କ ପାଇଁ ଥିବା ଆବାସିକ ଜ୍ଞାନପ୍ରବୋଧନ ମତିମନ୍ଦ ନିବାସୀ ବିଦ୍ୟାଳୟ ସମ୍ପର୍କରେ ସୂଚିତ କରିଥିଲେ ସେତେବେଳେ ପ୍ରତୀକ ସ୍କୁଲ୍‌ରେ ଯୋଗଦେବା ଆରମ୍ଭ କରିଥିଲେ । ଏହା ପ୍ରତୀକଙ୍କ ଗ୍ରାମଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି । ଥାନେରେ ଥିବା ଏକ ଏନ୍‌ଜିଓ ଶ୍ରମିକ ମହିଳା ମଣ୍ଡଳ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଏବଂ ପରିବାରଗୁଡ଼ିକ ଉପରେ କୌଣସି ଖର୍ଚ୍ଚ ଲଦି ଦିଏ ନାହିଁ ।

ବିଦ୍ୟାଳୟର ଚାରି ଜଣ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବାକ୍‌ ଚିକିତ୍ସା, ଶାରୀରିକ ବ୍ୟାୟାମ, ସ୍ୱ-ଯତ୍ନ, କାଗଜକଳା, ଭାଷା ଦକ୍ଷତା, ସଂଖ୍ୟା ରଙ୍ଗ ଏବଂ ଜିନିଷ ଚିହ୍ନିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ମାର୍ଗଦର୍ଶନ ଏବଂ ପ୍ରଶିକ୍ଷଣ ପ୍ରଦାନ କରନ୍ତି । ଏହି ବିଦ୍ୟାଳୟ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ଚାଲେ ଏବଂ ଶନିବାର କିଛି କମ୍‌ ସମୟ ପାଇଁ ଚାଲିଥାଏ ।

କିନ୍ତୁ ଲକ୍‌ଡାଉନ୍‌ ପ୍ରତୀକଙ୍କ ସ୍କୁଲ୍‌ ରୁଟିନ୍ ଏବଂ କାର୍ଯ୍ୟସୂଚୀ, ଶିକ୍ଷକ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କର ଭାବ ବିନିମୟକୁ ଶେଷ କରିଦେଇଛି । ଘରେ ସେ ଅନେକ ସମୟରେ ନିଜେ ନିଜେ ମରାଠୀ ଏବଂ ଇଂରାଜୀରେ କେତୋଟି ଅକ୍ଷର – ଅ, ଆ, ଇ … ଏବିସିଡି ଲେଖିବାକୁ ଚେଷ୍ଟା କରିଥିଲା । ମାର୍ଚ୍ଚ ମାସରେ ଏହା ବନ୍ଦ ଥିବା ପୂର୍ବରୁ ସ୍କୁଲ୍‌ରେ ସେ ଏସବୁ ଶିଖିଥିଲା ।

କିନ୍ତୁ ୧୧ ମାସ ଦୀର୍ଘ ହୋଇଯାଇଥିବା ଏହି ବିରତି ସହିତ ସେ ଶିଖିଥିବା ସବୁକିଛି ଭୁଲି ଯାଉଛି ବୋଲି ଶାରଦା ବ୍ୟସ୍ତ ହୁଅନ୍ତି । ସେ କୁହନ୍ତି ଯେ ପ୍ରତୀକ ଡିସେମ୍ବରଠାରୁ ଅକ୍ଷର ଲେଖିବା ବନ୍ଦ କରିଦେଇଛି । ସେ ଏହା ମଧ୍ୟ କୁହନ୍ତି, ‘‘ମାର୍ଚ୍ଚ ମାସରେ ସେ ଯେତେବେଳେ ଫେରିଲା, ସେ ଖୁବ୍‌ ଶାନ୍ତ ଥିଲା । କିନ୍ତୁ ମାସ ଅତିକ୍ରମ କରିବା ସହିତ ସେ ଅଧିକ ଚିଡିଚିଡା ହୋଇଯାଇଛି ଏବଂ ମୁଁ ଆଦର କରି କିଛି କହିଲେ ମଧ୍ୟ ରାଗି ଯାଉଛି ।’’

ମୁମ୍ବାଇର ଉତ୍ତର – କେନ୍ଦ୍ର ମୁମ୍ବାଇର ସିଓନଠାରେ ଥିବା ଲୋକମାନ୍ୟ ତିଳକ ମ୍ୟୁନିସିପାଲ୍ ଜେନେରାଲ୍ ହସ୍ପିଟାଲ୍‌ର ଶିଶୁ ସ୍ନାୟୁ ରୋଗ ବିଶେଷଜ୍ଞ, ବିକାଶ ବିକୃତି ବିଶେଷଜ୍ଞ ଏବଂ ପ୍ରଫେସର୍‌ ଥିବା ଡକ୍ଟର ମୋନା ଗଜରେ କୁହନ୍ତି ସ୍କୁଲ୍‌ରେ ପ୍ରଦାନ କରାଯାଇଥିବା ସମୟ ସୂଚୀ ଏବଂ ପ୍ରଶିକ୍ଷଣ ବୌଦ୍ଧିକ ଅକ୍ଷମତା ଥିବା ଶିଶୁମାନଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ସ୍ୱତନ୍ତ୍ର ସ୍କୁଲ୍‌ଗୁଡ଼ିକର ଗୁରୁତ୍ୱ ବ୍ୟାଖ୍ୟା କରି ସେ କୁହନ୍ତି ଏଠାରେ ‘‘ପ୍ରତ୍ୟେକ କାର୍ଯ୍ୟ ବହୁ ସଂଖ୍ୟକ ଛୋଟ ଛୋଟ ପର୍ଯ୍ୟାୟରେ ଭାଙ୍ଗି ଦିଆଯାଏ ଏବଂ ପ୍ରତ୍ୟେକ ପର୍ଯ୍ୟାୟକୁ ବାରମ୍ବାର ପ୍ରଦର୍ଶନ କରିବା’’ ଏହି କାର୍ଯ୍ୟକୁ ମନେରଖିବା ଏବଂ ସ୍ୱୟଂକ୍ରିୟତାକୁ ସହଜ କରିଥାଏ । ଯଦି ନିରନ୍ତରତା ରହିବ ନାହିଁ ତେବେ ପିଲାମାନେ [ବୌଦ୍ଧିକ ଅକ୍ଷମତା ବିଶିଷ୍ଟ] କେଇ ମାସର ବ୍ୟବଧାନ ମଧ୍ୟରେ ଶିଖିଥିବା ଜିନିଷଗୁଡ଼ିକ ଭୁଲି ଯାଆନ୍ତି ।’’

ପିଲାମାନଙ୍କୁ ସେମାନଙ୍କ ପାଠ ପଢ଼ା ସହ ସଂଯୁକ୍ତ କରି ରଖିବା ପାଇଁ ପ୍ରତୀକର ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଘରକୁ ଫେରିଆସିବା ସମୟରେ ସେମାନଙ୍କ ସହିତ କିଛି ଶିକ୍ଷଣୀୟ ସାମଗ୍ରୀ ମଧ୍ୟ ପଠାଇଥିଲା । କିନ୍ତୁ ପ୍ରତୀକଙ୍କ ପାଠ ପଢ଼ାରେ ଯୋଗ ଦେବା ଶାରଦାଙ୍କ ପାଇଁ କଷ୍ଟକର । ସେ କୁହନ୍ତି, ‘‘ତା’ର ଶିକ୍ଷକ ରଙ୍ଗ ଏବଂ ଅକ୍ଷର ଚାର୍ଟ ଦେଇଥିଲେ କିନ୍ତୁ ସେ ଆମ କଥା ଶୁଣୁନି ଏବଂ ଆମର ମଧ୍ୟ କାମ ଅଛି ’’। ଶାରଦା ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, ପରିବାର ଦାୟିତ୍ୱ ନିଅନ୍ତି । ସେ ତାଙ୍କ ସ୍ୱାମୀ, ୪୦ ବର୍ଷ ବୟସ୍କ ଦତ୍ତାତ୍ରେୟ ରାଉତଙ୍କ ସହ ସେମାନଙ୍କ ପରିବାରର ଦୁଇ ଏକର କ୍ଷେତରେ କାମ ମଧ୍ୟ କରନ୍ତି ।

'His teacher gave colour and alphabets charts, but he doesn’t listen to us and we also have to work', says Sharada, who handles housework and farm work
PHOTO • Jyoti Shinoli
'His teacher gave colour and alphabets charts, but he doesn’t listen to us and we also have to work', says Sharada, who handles housework and farm work
PHOTO • Jyoti Shinoli

ତା ର ଶିକ୍ଷକ ରଙ୍ଗ ଏବଂ ଅକ୍ଷର ଚାର୍ଟ ଦେଇଛନ୍ତି , କିନ୍ତୁ ସେ ଆମ କଥା ଶୁଣୁନି ଏବଂ ଆମର ମଧ୍ୟ କାମ ଅଛି ବୋଲି ଶାରଦା କୁହନ୍ତି , ସେ ଘର କାମ ସହ ଚାଷ କାମ ମଧ୍ୟ ବୁଝନ୍ତି

ସେମାନେ ସେମାନଙ୍କ ପରିବାରର ଉପଯୋଗ ପାଇଁ ଖରିଫ୍‌ ଋତୁରେ ଜଅ ଓ ବାଜରା ଚାଷ କରନ୍ତି । ଶାରଦା କୁହନ୍ତି, ‘‘ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଆମେ ମାସର ୨୦- ୨୫ ଦିନ ଅନ୍ୟମାନଙ୍କ କ୍ଷେତରେ କାମ କରୁ ।’’ ସେମାନଙ୍କ ସମୁଦାୟ ମାସିକ ଆୟ ଟ. ୬,୦୦୦ ଅତିକ୍ରମ କରେ ନାହିଁ । ପିତାମାତାଙ୍କ ମଧ୍ୟରୁ କେହି ଜଣେ ସେମାନଙ୍କ ପୁଅ ପାଇଁ ଘରେ ବସିବାକୁ ସମୟ ଦେଇପାରିବେ ନାହିଁ – ଏହାର ଅର୍ଥ ହେବ ବର୍ତ୍ତମାନ ସୁଦ୍ଧା ଚାପଗ୍ରସ୍ତ ଥିବା ସେମାନଙ୍କର ଆର୍ଥିକ ଅବସ୍ଥାରେ ମଜୁରୀ ହାନି ।

ପ୍ରତୀକଙ୍କ ବଡ଼ ଭାଇ, ୧୮ ବର୍ଷ ବୟସ୍କ ଭିକି ତାଲୁକା କଲେଜରେ ୧୨ ଶ୍ରେଣୀରେ ପାଠ ପଢ଼େ ଏବଂ ତା’ର ମଧ୍ୟ ତା’ ଭାଇକୁ ସାହାଯ୍ୟ କରିବା ପାଇଁ ଅଧିକ ସମୟ ନାହିଁ । ସେ ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା ପାଠ ପଢ଼ୁଛି (ଲକ୍‌ଡାଉନ୍‌ ପରେ), କିନ୍ତୁ ତାଙ୍କ ପରିବାରରେ କାହାର ସ୍ମାର୍ଟଫୋନ୍‌ ନଥିବାରୁ ସେ ଗାଁରେ ଥିବା ଜଣେ ସାଙ୍ଗର ଘରକୁ ଯାଉଛି ଏବଂ ତା’ ମୋବାଇଲ୍‌ରେ ସେଠାରେ ପାଠ ପଢ଼ୁଛି ।

ଅନ୍‌ଲାଇନ୍‌ ଶିକ୍ଷା ସବୁ ପିଲାଙ୍କ ପାଇଁ ଏକ ସମସ୍ୟା ହୋଇଯାଉଥିବା ବେଳେ (ଦେଖନ୍ତୁ ଅନ୍‌ଲାଇନ୍‌ କ୍ଲାସେସ୍‌, ଅଫ୍‌ଲାଇନ୍‌ କ୍ଲାସ୍ ଡିଭିଜନ୍ସ ), ଏହା ସ୍କୁଲ୍‌ରେ ନାମ ଲେଖାଇବାକୁ ସକ୍ଷମ ହୋଇଥିବା ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ପିଲାଙ୍କ ପାଇଁ ବୃହତ୍ତମ ପ୍ରତିବନ୍ଧକ ସୃଷ୍ଟି କରୁଛି । ୨୦୧୧ ଜନଗଣନାରୁ ଜଣାପଡ଼ିଛି ୫ରୁ ୧୯ ବୟସ ଗୋଷ୍ଠୀର ୪୦୦,୦୦୦ ବୌଦ୍ଧିକ ଅକ୍ଷମ ଶିଶୁ (ଭାରତର ସମୁଦାୟ ୫୦୦,୦୦୦ରୁ ଅଧିକ ବୌଦ୍ଧିକ ଅକ୍ଷମ ଶିଶୁମାନଙ୍କର)ମାନଙ୍କ ମଧ୍ୟରୁ ମାତ୍ର ୧୮୫,୦୮୬ ଜଣ କୌଣସି ଶିକ୍ଷାନୁଷ୍ଠାନରେ ଯୋଗ ଦେଇଛନ୍ତି ।

ଏସବୁ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନେକ ଲକ୍‌ଡାଉନ୍‌ ସମୟରେ ସରକାରଙ୍କଠାରୁ ଦିଶା ନିର୍ଦ୍ଦେଶ ଗ୍ରହଣ କରିଥିଲେ । ଜୁନ୍‌ ୧୦, ୨୦୨୦ରେ ଶାରୀରିକ ଅକ୍ଷମତା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଉଦ୍ଦିଷ୍ଟ ଆୟୋଗ (ମହାରାଷ୍ଟ୍ର ସରକାରଙ୍କର) ପକ୍ଷରୁ ସାମାଜିକ ନ୍ୟାୟ ଏବଂ ବିଶେଷ ସହାୟତା ବିଭାଗକୁ ପଠାଯାଇଥିବା ପତ୍ରରେ ଏହି ମହାମାରୀ ସମୟରେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଅନୁମୋଦନ ନିମନ୍ତେ ଅନୁରୋଧ କରାଯାଇଥିଲା । ଏହି ପତ୍ରରେ କୁହାଯାଇଥିଲା: ‘‘ଏହି ଶିଶୁମାନଙ୍କୁ ସେମାନଙ୍କ ପିତାମାତାଙ୍କ ଜରିଆରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଫର୍ ଏମ୍‌ପାୱାରମେଣ୍ଟ୍‌ ଅଫ୍‌ ପର୍ସନ୍‌ ୱିଥ୍‌ ଇଣ୍ଟେଲେକ୍‌ଚୁଆଲ୍‌ ଡିଜାବିଲିଟିଜ୍‌, ଖରଘର, ନାଭି ମୁମ୍ବାଇ, ଜିଲ୍ଲା ଥାନେର ୱେବ୍‌ସାଇଟ୍‌ରେ ଉପଲବ୍ଧ ଶୈକ୍ଷଣୀୟ ସାମଗ୍ରୀ ବ୍ୟବହାର କରି ପିଲାମାନଙ୍କୁ ବିଶେଷ ଶିକ୍ଷା ପ୍ରଦାନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌ । ଏଥିସହିତ ପିତାମାତାଙ୍କୁ ଏହି ଶୈକ୍ଷଣୀୟ ସାମଗ୍ରୀଗୁଡ଼ିକ ଯୋଗାଇ ଦିଆଯିବା ମଧ୍ୟ ଆବଶ୍ୟକ ।’’

ପ୍ରତୀକର ସ୍କୁଲ୍ ଜ୍ଞାନପ୍ରବୋଧନ ବିଦ୍ୟାଳୟ ପିତାମାତାଙ୍କ ନିକଟକୁ ପିତାମାତା ଶିକ୍ଷାଦାନ ସାମଗ୍ରୀ – ଅକ୍ଷର, ସଂଖ୍ୟା ଏବଂ ଜିନିଷ ଥିବା ଚାର୍ଟ, କବିତା ଏବଂ ଗୀତ ଓ ଅନ୍ୟାନ୍ୟ ଶିକ୍ଷାଦାନ ସହାୟକ ସାମଗ୍ରୀ ସମ୍ପର୍କରେ ଅନୁଶୀଳନୀ ପଠାଇଥିଲା ଏବଂ ପିତାମାତାଙ୍କୁ ମାର୍ଗଦର୍ଶନ ପାଇଁ ଫୋନ୍‌ରେ ବାର୍ତ୍ତାଳାପ ମଧ୍ୟ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟକ୍ରମ ସମନ୍ୱକ ରୋହିତ ବାଗାଡେ କୁହନ୍ତି ସେ ପିଲାମାନଙ୍କ ସମ୍ପର୍କରେ ନିୟମିତ ଖବର ନେଉଛନ୍ତି ଏବଂ ପିତାମାତାଙ୍କୁ ଫୋନ୍‌ରେ ମାର୍ଗଦର୍ଶନ କରାଉଛନ୍ତି ।

କିନ୍ତୁ ବାଗାଡେ କୁହନ୍ତି, କିନ୍ତୁ ୨୫ ଜଣ ଯାକ ଛାତ୍ରଛାତ୍ରୀଙ୍କ ପିତାମାତା ଇଟାଭାଟିରେ କିମ୍ବା କୃଷି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି କିମ୍ବା ସେମାନେ ନାମମାତ୍ର ଚାଷୀ । ଏଥିସହିତ ସେ କୁହନ୍ତି, ‘‘ପିତାମାତା ଏହି ଶିଶୁ ସହିତ [ପାଠ ପଢ଼ା ପାଇଁ] ବସିବା ଉଚିତ୍‌, କିନ୍ତୁ ଗୋଟିଏ ପିଲା ପାଇଁ ଘରେ ରହିବା ସେମାନଙ୍କର ଦୈନିକ ମଜୁରୀକୁ ପ୍ରଭାବିତ କରିଥାଏ । ତେଣୁ ପ୍ରତୀକ କିମ୍ବା ଅନ୍ୟମାନଙ୍କର କୌଣସି ବିକଳ୍ପ ନାହିଁ କେବଳ ଚୁପ୍‌ଚାପ୍‌ ବସିବା ବ୍ୟତୀତ । ଦୈନିକ ଗତିବିଧି ଏବଂ ଖେଳ ସେମାନଙ୍କୁ ଅଧିକ ଆତ୍ମବିଶ୍ୱାସୀ କରାଏ ଏବଂ ସେମାନଙ୍କର ଚିଡ଼ିଚିଡ଼ାପଣ ଏବଂ କ୍ରୋଧକୁ ନିୟନ୍ତ୍ରଣ କରେ । ଏସବୁ ଗତିବିଧି ଅନ୍‌ଲାଇନ୍‌ରେ ପରିଚାଳନା କରିବା କଷ୍ଟକର, ଏହି ଶିଶୁମାନେ ବ୍ୟକ୍ତିଗତ ଧ୍ୟାନ ଆବଶ୍ୟକ କରନ୍ତି ।’’

With school shut, Prateek spends his days sitting at the threshold of his one-room mud house, watching a world restricted now to the front yard
PHOTO • Jyoti Shinoli
With school shut, Prateek spends his days sitting at the threshold of his one-room mud house, watching a world restricted now to the front yard
PHOTO • Jyoti Shinoli

ସ୍କୁଲ୍ ବନ୍ଦ ହେବା ସହିତ , ପ୍ରତୀକ ତା ର ଦିନଗୁଡ଼ିକ ତାଙ୍କ ଏକ ବଖୁରିଆ ମାଟି  ଘର କବାଟ ପାଖରେ ବସି ବର୍ତ୍ତମାନ ସାମ୍ନା ଅଗଣା ମଧ୍ୟରେ ସୀମିତ ଗୋଟିଏ ଦୁନିଆକୁ ଦେଖି ଦେଖି କଟାନ୍ତି

ଏହି ବିଦ୍ୟାଳୟ ବନ୍ଦ ହେବା ମଧ୍ୟ ବୌଦ୍ଧିକ ଅକ୍ଷମତା ଥିବା ଆଉ ଜଣେ ଛାତ୍ର, ୧୮ ବର୍ଷ ବୟସ୍କ ସଂକେତ ହମ୍ବେଙ୍କୁ ପ୍ରଭାବିତ କରିଛି । ପ୍ରାୟ ୧୨, ୬୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ ରାଶିନରେ ମାର୍ଚ୍ଚ ମାସରୁ ସେ ତାଙ୍କ ପକ୍କା ଘର ଅଗଣାର ଏକ ଆଜ୍‌ବେଷ୍ଟସ୍‌ ଛାତ ତଳେ ପଡ଼ିଥିବା ଏକ ଲୁହା ଖଟରେ ବସି ବସି ତଳକୁ ଅନାଇ ଏବଂ ଘଣ୍ଟା ଘଣ୍ଟା ଗୁଣୁଗୁଣୁ ହୋଇ କଟାଉଛି । (ଏହି ସ୍କୁଲ୍ ମାତ୍ର ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିଥାଏ; ଏହା ପରେ ସେମାନେ ସାଧାରଣତଃ ଘରେ ରୁହନ୍ତି । କରଜାତ ତାଲୁକାରେ ଖୁବ୍‌ କମ୍‌ ସଂଖ୍ୟକ ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ଅଛି, କିନ୍ତୁ ଏଥିପାଇଁ ପିତାମାତାଙ୍କୁ ଅର୍ଥ ପୈଠ କରିବାକୁ ହେବ ଯାହା ସେମାନେ ସେମାନଙ୍କର କମ୍‌ କୃଷି ଆୟରୁ ପ୍ରଦାନ କରିପାରିବେ ନାହିଁ ) ।

ଛଅ ବର୍ଷ ବୟସରେ ‘ଗଭୀର ମାନସିକ ଅନଗ୍ରସରତା’ (ତାଙ୍କ ଚିକିତ୍ସୀୟ ରିପୋର୍ଟଗୁଡ଼ିକରେ ସୂଚିତ ହୋଇଥିବା ଅନୁଯାୟୀ) ଥିବା ଚିହ୍ନଟ ହେବା ସହିତ ସଂକେତ କଥା କହିପାରନ୍ତି ନାହିଁ ଏବଂ ବାରମ୍ବାର ଅପସ୍ମାରରେ ପୀଡ଼ିତ ହୋଇଥାଆନ୍ତି ଯାହାକି ନିୟମିତ ଚିକିତ୍ସା ଆବଶ୍ୟକ କରିଥାଏ । ୨୦୧୭ରେ ଯେତେବେଳେ ତାଙ୍କୁ ୧୫ ବର୍ଷ ବୟସ ହୋଇଥିଲା, ତାଙ୍କ ମାଆ, ୩୯ ବର୍ଷ ବୟସ୍କ ମନିଷା ଗ୍ରାମରେ ଥିବା ଆଶା କର୍ମୀଙ୍କ ପରାମର୍ଶ କ୍ରମେ ତାଙ୍କୁ ପ୍ରଥମ ଥର ପାଇଁ ସ୍କୁଲ୍‌କୁ ପଠାଇଥିଲେ ।

ମନିଷା କୁହନ୍ତି, ‘‘ପୂର୍ବେ ଆମକୁ ତା’କୁ ପୋଷାକ ପିନ୍ଧାଇବା, ଗାଧୋଇ ଦେବା, ଶୌଚାଳୟ ବ୍ୟବହାର କରିବାରେ ସାହାଯ୍ୟ କରିବାକୁ ହେଉଥିଲା । ସେ ତା’ ଆଖପାଖରେ ଲୋକଙ୍କୁ ଦେଖିଲେ ଅସ୍ଥିର ହୋଇଯାଉଥିଲା । କିନ୍ତୁ ସେ ସ୍କୁଲ୍‌କୁ ଯିବା ପରେ ଅନେକ ଉନ୍ନତି କରିଥିଲା ।’’

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧ ମାସ ସ୍କୁଲ୍ ବନ୍ଦ ହୋଇଯାଇଥିବାରୁ ସେ ଶୌଚାଳୟ ବ୍ୟବହାର କରିବାରେ ସ୍ୱ- ଯତ୍ନ ପ୍ରଶିକ୍ଷଣ ଭୁଲିଯାଇଛି । ‘‘ମାର୍ଚ୍ଚ ମାସରେ ଘରକୁ ଫେରିବାର କେଇ ସପ୍ତାହ ପରେ ସେ ତା’ର ପ୍ୟାଣ୍ଟରେ ଝାଡ଼ା କରିଦେଉଥିଲା ଏବଂ ତା’ର ଦେହ ଏବଂ କାନ୍ଥରେ ମଇଳା ଲଗାଉଥିଲା,’’ ବୋଲି ମନିଷା କୁହନ୍ତି ।

ସ୍କୁଲ୍‌ ପ୍ରଥମେ କେଇ ସପ୍ତାହ ପାଇଁ ଏବଂ ଏହା ପରେ ମାସ ମାସ ଧରି ବନ୍ଦ ରହିବା ସହିତ ତାଙ୍କର ଉଦ୍‌ବେଗ ମଧ୍ୟ ବଢ଼ିଯାଇଛି । ସଂକେତ ସାଧାରଣତଃ ହିଂସ୍ର, ଜିଦ୍‌ଖୋର ଏବଂ ନିଦ୍ରାହୀନ ହୋଇଯାଏ । ମନିଷା କୁହନ୍ତି, ‘‘ଅନେକ ସମୟରେ ସେ ରାତିରେ ଶୁଏ ନାହିଁ, କେବଳ ବିଛଣାରେ ବସେ, ଆଗକୁ ପଛକୁ ଝୁଲୁଥାଏ ।’’

ଜଣେ କୃଷକ ଥିବା ତାଙ୍କ ସ୍ୱାମୀ ୨୦୧୦ରେ ଆତ୍ମହତ୍ୟା କରିବା ପରେ ସେ ତାଙ୍କ ପୁଅ ଏବଂ ୧୯ ବର୍ଷର ଝିଅ ଋତୁଜା ସହିତ  ରାଶିନ ଗାଁରେ ତାଙ୍କ ପିତାମାତାଙ୍କ ଘରେ ରହିଆସୁଛନ୍ତି । ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା । (ଋତୁଜା ପତ୍ର ବିନିମୟ ଦ୍ୱାରା ଏକ ସ୍ନାତକ ଡିଗ୍ରୀ ପାଇଁ ପଢ଼ୁଛନ୍ତି ଏବଂ ସେଥିପାଇଁ ସେ ଥାନେ ଜିଲ୍ଲାର ବଦଲାପୁର ସହରରେ ଜଣେ ମାଉସୀଙ୍କ ଘରେ ରହୁଛନ୍ତି) । ମନିଷା ବର୍ଷ ସାରା ତାଙ୍କ ପିତାମାତାଙ୍କ ସାତ ଏକର ଜମିରେ କାମ କରନ୍ତି । ତାଙ୍କ ପରିବାର ଶ୍ରମିକମାନଙ୍କ ସାହାଯ୍ୟରେ ଉଭୟ ଖରିଫ୍‌ ଏବଂ ରବି ଋତୁରେ ମକା ଏବଂ ଯଅ ଚାଷ କରନ୍ତି ।

Sanket Humbe's mother Manisha tries to teach him after she returns from the farm. But he often becomes aggressive and stubborn: 'Sometimes he doesn’t sleep through the night. Just sits on the bed, swaying back and forth'
PHOTO • Jyoti Shinoli

ସଂକେତ ହମ୍ବେଙ୍କ ମାଆ ଜମିରୁ ଫେରିବା ପରେ ତାଙ୍କୁ ପଢ଼ାଇବାକୁ ଚେଷ୍ଟା କରନ୍ତି କିନ୍ତୁ ସେ ସାଧାରଣତଃ ହିଂସ୍ର ଏବଂ ଜିଦ୍‌ଖୋର ହୋଇଯାଏ : ‘ ବେଳେ ବେଳେ ସେ ସାରା ରାତି ଶୁଏ ନାହିଁ କେବଳ ବିଛଣାରେ ବସେ , ଆଗକୁ ପଛକୁ ଝୁଲେ

ମନିଷା କୁହନ୍ତି, ‘‘ମୋ ପିତାମାତାଙ୍କ ବୟସ ୮୦ରୁ ଅଧିକ ଏବଂ ସେମାନେ ସଂକେତର ଦାୟିତ୍ୱ ନେଇପାରିବେ ନାହିଁ । ସେମାନେ ତା’କୁ ଖୁବ୍‌ ଆଦରରେ କିଛି ପଚାରିଲେ ମଧ୍ୟ ସେ ସେମାନଙ୍କୁ ଠେଲି ଦିଏ, ସେମାନଙ୍କ ଉପରକୁ ଜିନିଷ ଫିଙ୍ଗେ ଏବଂ ଜୋର୍‌ରେ ଚିତ୍କାର କରେ ।’’ କିନ୍ତୁ ସେ ମଧ୍ୟ ସବୁ ସମୟରେ ଘରେ ରହିପାରିବେ ନାହିଁ । ସେ ପଚାରନ୍ତି, ‘‘ତା’ ହେଲେ କିଏ କାମ କରିବ ? ଏବଂ ଆମେ କ’ଣ ଖାଇବୁ ?’’

ମାର୍ଚ୍ଚ ମାସରେ ସ୍କୁଲ୍‌ରୁ ଫେରିବା ପରେ ସଂକେତ କ୍ରୋଧୀ ନଥିଲା । ସେ କୁହନ୍ତି, ‘‘ସେ ସାଧାରଣତଃ ମୋ ସହ କ୍ଷେତକୁ ଆସୁଥିଲା ଏବଂ ଆମ ଗାଈଗୋରୁଙ୍କ ପାଇଁ ଚାରା ତା’ ମୁଣ୍ଡରେ ବୋହି ଆଣି ସାହାଯ୍ୟ କରୁଥିଲା । କିନ୍ତୁ ସେପ୍ଟେମ୍ବର ମାସରେ ହଠାତ୍‌ ଆସିବା ବନ୍ଦ କରିଦେଲା ।’’ ଯଦି ମନିଷା ତାଙ୍କୁ ଆସିବା ପାଇଁ କୁହନ୍ତି ସଂକେତ ତାଙ୍କୁ ଗୋଇଠା ମାରେ କିମ୍ବା ବାଡାଏ । ସେ କୁହନ୍ତି, ‘‘ମୁଁ ତା’ ଉପରେ ରାଗି ପାରିବି ନାହିଁ । ଜଣେ ମାଆ ପାଇଁ ତା’ର ସବୁ ପିଲା ସମାନ । ସେ ଯେମିତି ବି ହେଉ, ସେ ମୋ ହୃଦୟର ଗୋଟିଏ ଅଂଶ ।’’

ମନିଷା ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଏବଂ ସ୍କୁଲ୍‌ରୁ ଦିଆଯାଇଥିବା ଏକ ଛବି ଚାର୍ଟ ସାହାଯ୍ୟରେ ଜିନିଷଗୁଡ଼ିକ କେମିତି ଚିହ୍ନିବାକୁ ହେବ ତାହା ସଂକେତଙ୍କୁ ଶିଖାଇବାକୁ ଚେଷ୍ଟା କରୁଛନ୍ତି । ସେ ଜମିରୁ ଫେରିବା ପରେ ଏବଂ ଘର କାମ କରୁଥିବା ସମୟରେ ଏହି ପାଠ ପଢ଼ା ହୁଏ । ସେ କୁହନ୍ତି, ‘‘ଯଦି ମୁଁ ତା’କୁ ଏହି ଚାର୍ଟ ଦେଖାଏ ସେ ଦୌଡ଼ି ଚାଲିଯାଏ ଏବଂ ଆଉ କେଉଁଠାରେ ବସେ । ସେ ଶୁଣେ ନାହିଁ ।’’

ଘରେ ନିୟମିତ ଗତିବିଧିର ସ୍କୁଲ୍ ରୁଟିନ୍‌ ନଥିବାରୁ, ସ୍କୁଲ୍‌ରେ ଅନ୍ୟ ପିଲାମାନଙ୍କ ସହ ଖେଳିବା, ଶୈକ୍ଷଣୀୟ ସାମଗ୍ରୀ ସହ ଶିକ୍ଷାଲାଭ କରିବା ଓ ନିରନ୍ତର ସ୍ୱଯତ୍ନ ପ୍ରଶିକ୍ଷଣ ପାଇବାର ଅଭାବରେ ଗୁରୁତର ଏବଂ ଗଭୀର ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ଶିଶୁମାନଙ୍କଠାରେ ଆଚରଣଗତ ସମସ୍ୟା ସୃଷ୍ଟି ହୋଇପାରେ  ବୋଲି କୁହନ୍ତି ରୋହିତ ବାଗାଡେ ।

ଯଦିଓ ସେମାନଙ୍କ ପରିବାର ପାଖରେ ଏକ ସ୍ମାର୍ଟ ଫୋନ୍‌ କିମ୍ବା ଲ୍ୟାପ୍‌ଟପ୍‌ ଏବଂ ସ୍ଥିର ନେଟ୍‌ୱାର୍କ ସୁବିଧା ଥାଏ, ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ଶିଶୁମାନଙ୍କ ପାଇଁ ବାସ୍ତବିକ କ୍ଲାସ୍‌ରେ ଯୋଗ ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କୁହନ୍ତି । ବାଗାଡେ କୁହନ୍ତି, ‘‘ଏକ ସ୍ୱତନ୍ତ୍ର ଶିଶୁକୁ ଶିକ୍ଷା ଦେବା ଅନେକ ଧୈର୍ଯ୍ୟ ଆବଶ୍ୟକ କରିବା ସହ ସେ ଏକ ନିର୍ଦ୍ଦିଷ୍ଟ କାମକୁ ବୁଝିନପାରିବା ପର୍ଯ୍ୟନ୍ତ ଶିଶୁ ସହିତ କଥାବାର୍ତ୍ତା କରିବା ଜାରି ରଖିବା କିମ୍ବା ତା’କୁ ବୁଝାଇବା ବାପାମାଆଙ୍କ ପାଇଁ କଷ୍ଟକର । ପିତାମାତା ଏଥିରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ସେମାନେ ଧୈର୍ଯ୍ୟ ହରାନ୍ତି ଏବଂ ଛାଡ଼ି ଦିଅନ୍ତି, କୁହନ୍ତି ଯେ ପିଲା ସେମାନଙ୍କ କଥା ଶୁଣୁନି ।’’

ମୁମ୍ବାଇର ଲୋକମାନ୍ୟ ତିଳକ ମ୍ୟୁନିସିପାଲ୍ ଜେନେରାଲ୍ ହସ୍ପିଟାଲ୍‌ର ଡ. ଗଜରେ ବୁଝାଇ କୁହନ୍ତି, ‘‘ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ପିଲାମାନଙ୍କ ଶିକ୍ଷା ପାଇଁ ନିରନ୍ତରତା ହେଉଛି ମୁଖ୍ୟ କାରକ ।’’ କିନ୍ତୁ ସେ ସୂଚିତ କରନ୍ତି ଯେ ଏହି ମହାମାରୀ କାରଣରୁ ସ୍କୁଲ୍‌ଗୁଡ଼ିକ ବନ୍ଦ ହେବା ଅକ୍ଷମତା ଥିବା ଅନେକ ଶିଶୁଙ୍କୁ ସେମାନଙ୍କ ବିଶେଷ ଶିକ୍ଷାରୁ ବଞ୍ଚିତ କରିଛି, ସେମାନଙ୍କୁ ଅଧିକ ନିର୍ଭରଶୀଳ କରିଛି ଏବଂ ସେମାନଙ୍କର ସ୍କୁଲ୍‌ ଛାଡ଼ିବା ହାର ବୃଦ୍ଧି କରିଛି । ଡ. ଗଜରେ ଡାକ୍ତରଖାନାର ଅଟିଜିମ୍‌ ଇଣ୍ଟରଭେନ୍‌ସନ୍‌ ସେଣ୍ଟରରେ ନାମାଙ୍କନ ସମ୍ପର୍କରେ କୁହନ୍ତି, ‘‘ଅନ୍‌ଲାଇନ୍‌ ଶିକ୍ଷାଦାନ କେବେବି ଅଫ୍‌ ଲାଇନ୍‌ ଚିକିତ୍ସା ଏବଂ ପ୍ରଶିକ୍ଷଣର ସ୍ଥାନ ନେଇପାରିବ ନାହିଁ । ବିଶେଷକରି ବୌଦ୍ଧିକ ଭାବରେ ଅକ୍ଷମ ଶିଶୁମାନଙ୍କର । ମାର୍ଚ୍ଚ ମାସ ଆରମ୍ଭରେ ଆମେ ୩୫ ଜଣ ସ୍ୱତନ୍ତ୍ର ଶିଶୁକୁ ଅନ୍‌ଲାଇନ୍‌ରେ ଶିକ୍ଷା ଦେବା ଆରମ୍ଭ କଲୁ । ଅକ୍ଟୋବର ସୁଦ୍ଧା ଆମେ ଲକ୍ଷ୍ୟ କଲୁ ଯେ ପିଲାମାନଙ୍କର ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବରେ ହ୍ରାସ ପାଇଥିଲା [ପ୍ରାୟ ୮-୧୦କୁ] ।

Rohit Bagade, the programme coordinator at the Dnyanprabodhan Matimand Niwasi Vidyalaya, says that an absence of the school routine and continuous self-care training can trigger behavioural issues among children with intellectual disability
PHOTO • Jyoti Shinoli
Rohit Bagade, the programme coordinator at the Dnyanprabodhan Matimand Niwasi Vidyalaya, says that an absence of the school routine and continuous self-care training can trigger behavioural issues among children with intellectual disability
PHOTO • Jyoti Shinoli

ଜ୍ଞାନପ୍ରବୋଧନ ମତିମନ୍ଦ ନିବାସୀ ବିଦ୍ୟାଳୟଠାରେ କାର୍ଯ୍ୟକ୍ରମ ସମନ୍ୱକ ରୋହିତ ବାଗାଡେ କୁହନ୍ତି ଯେ ସ୍କୁଲ୍‌ ରୁଟିନ୍‌ ଏବଂ ନିରନ୍ତର ସ୍ୱଯତ୍ନ ତାଲିମ୍‌ର ଅଭାବ ବୌଦ୍ଧିକ ଅକ୍ଷମତା ବିଶିଷ୍ଟ ପିଲାମାନଙ୍କ ମଧ୍ୟରେ ଆଚରଣଗତ ସମସ୍ୟା ସୃଷ୍ଟି କରିପାରେ

ଯଶବନ୍ତରାଓ ଚୌହ୍ୱାନ ପ୍ରତିଷ୍ଠାନ (ଏକ ଅଣ-ସରକାରୀ ଟ୍ରଷ୍ଟ୍)ର ଅକ୍ଷମତା ଅଧିକାର ମଞ୍ଚର ସମନ୍ୱକ ବିଜୟ କାହ୍ନେକର ଆକଳନ କରନ୍ତି ଯେ ମହାରାଷ୍ଟ୍ରରେ ଦୃଷ୍ଟି ବାଧିତ, ଶ୍ରବଣ ବାଧିତ, ବୌଦ୍ଧିକ ସମସ୍ୟାଗ୍ରସ୍ତ କିମ୍ବା ଅନ୍ୟ ବିଶେଷ ଆବଶ୍ୟକତା ଥିବା ପିଲାମାନଙ୍କ ପାଇଁ ପ୍ରାୟ ୧,୧୦୦ ସରକାରୀ ସାହାଯ୍ୟପ୍ରାପ୍ତ ଏବଂ ଅଣସାହାଯ୍ୟପ୍ରାପ୍ତ ବିଶେଷ ଆବାସିକ ବିଦ୍ୟାଳୟ ରହିଛି । ଶ୍ରୀ କାହ୍ନିକର କୁହନ୍ତି ମହାରାଷ୍ଟ୍ରରେ ଏ ସମସ୍ତ ସ୍କୁଲ୍‌ ବର୍ତ୍ତମାନ ବନ୍ଦ ରହିଛି ।

କିନ୍ତୁ ବିଦ୍ୟାଳୟ ଏବଂ ପ୍ରକୃତ ଶ୍ରେଣୀଗୁଡ଼ିକ ପୂର୍ବ ପରି ଆରମ୍ଭ କରିବା ମଧ୍ୟ ପ୍ରତୀକ ଏବଂ ସଂକେତଙ୍କ ସ୍କୁଲ୍ ପାଇଁ କଷ୍ଟକର ହେବାକୁ ଯାଉଛି । କାରଣ ରାଜ୍ୟ ସରକାରଙ୍କଠାରୁ ସଞ୍ଚାଳନ ପାଇଁ ଅନୁମତି ଥିଲେ ମଧ୍ୟ ରାଜ୍ୟର ବିଦ୍ୟାଳୟ ଶିକ୍ଷା ଏବଂ କ୍ରୀଡ଼ା ବିଭାଗଠାରୁ ଏହି ସହାୟତା ଆବଶ୍ୟକ କରି ଅସଂଖ୍ୟ ପତ୍ର ପଠାଯିବା ସତ୍ତ୍ୱେ କୌଣସି ସାହାଯ୍ୟ ଗ୍ରହଣ କରିନାହାନ୍ତି । ମାର୍ଚ୍ଚ ମାସଠାରୁ ସ୍କୁଲ୍‌ କୌଣସି ନୂତନ ଦାନ ପାଇନାହିଁ (କେତେକ ଟ୍ରଷ୍ଟ ଏବଂ ବ୍ୟକ୍ତିବିଶେଷଙ୍କଠାରୁ) ଯାହା ପୁନର୍ବାର ଖୋଲିବାକୁ ଆହୁରି ମଧ୍ୟ କଷ୍ଟକର କରିଦେଉଛି ।

ବାଗାଡେ କୁହନ୍ତି, ‘‘ଆମେ ପିତାମାତାଙ୍କଠାରୁ କୌଣସି ଦେୟ ଦାବି କରୁନାହିଁ, ତେଣୁ ଦାନଗୁଡ଼ିକ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏବଂ ବିଶେଷକରି ଏହି ମହାମାରୀ ସମୟରେ ସ୍କୁଲ୍‌ ସହାୟକ ଏବଂ ଶିକ୍ଷକମାନଙ୍କ ନିମନ୍ତେ ପିପିଇ କିଟ୍ ପରି ସୁରକ୍ଷାତ୍ମକ ବ୍ୟବସ୍ଥାରେ ସୁସଜ୍ଜିତ ହେବା ଆବଶ୍ୟକ କାରଣ ଆମ ପିଲାମାନଙ୍କର ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ରହିଛି ।’’

ବିଜୟ କାହ୍ନେକର ଏଥିସହିତ କୁହନ୍ତି, ‘‘ଗ୍ରାମୀଣ ମହାରାଷ୍ଟ୍ରରେ ସମସ୍ତ ଆବାସିକ ବିଦ୍ୟାଳୟ ବର୍ତ୍ତମାନ ବନ୍ଦ ରହିଛି ଏବଂ ପିଲାମାନେ କୌଣସି କାର୍ଯ୍ୟକ୍ରମ ବିନା ଘରେ ରହିଛନ୍ତି । ଏହା ପିଲାମାନଙ୍କୁ କ୍ରୋଧୀ କରିଦେଉଛି ଏବଂ ଏଥିସହିତ ଏକ ସ୍ୱତନ୍ତ୍ର ଶିଶୁକୁ ଚଳାଇ ନେବା ପାଇଁ ସଂଘର୍ଷ କରୁଥିବା ପିତାମାତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ।’’

ତାଙ୍କ ମଞ୍ଚ ନିରାପଦ ସ୍ୱତନ୍ତ୍ର ବିଦ୍ୟାଳୟ ସୃଷ୍ଟି ପାଇଁ ସହାୟତା ଚାହୁଁଛି – କାହ୍ନେକର କୁହନ୍ତି, ‘‘ସମସ୍ତ ପ୍ରୋଟକଲ୍‌ ଏବଂ ସୁରକ୍ଷା ବ୍ୟବସ୍ଥା ସହିତ ଏକ କୋଭିଡ୍‌ କେନ୍ଦ୍ରସ୍ତରୀୟ ସ୍ୱତନ୍ତ୍ର ବିଦ୍ୟାଳୟ’’ – ଏବଂ ମହାରାଷ୍ଟ୍ରର ସାମାଜିକ ନ୍ୟାୟ ଏବଂ ସ୍ୱତନ୍ତ୍ର ସହାୟତା ବିଭାଗକୁ ପିଟିସନ୍‌ କରିଛନ୍ତି । କାହ୍ନେକର ମଧ୍ୟ ଗୁରୁତ୍ୱ ଦିଅନ୍ତି ଯେ ଅକ୍ଷମତା ଥିବା ପିଲାମାନେ କୋଭିଡ୍‌ – ୧୯ ଟୀକା ପାଇବାରେ ପ୍ରଥମ ହେବା ଉଚିତ୍‌ ।

ବର୍ତ୍ତମାନ ପାଇଁ, କୌଣସି ସ୍କୁଲ୍ ନଥିବା, କୌଣସି ନିୟମିତ ଗତିବିଧି ନଥିବା, ସାଙ୍ଗସାଥୀ ନଥିବା, ଏବଂ କିଛି କରିବା ଏବଂ କିଛି ନୂଆ ପଢ଼ିବା ପାଇଁ କମ୍‌ ସୁଯୋଗ ଥିବାରୁ, ପ୍ରତୀକ ଏବଂ ସଂକେତ ସେମାନଙ୍କ ଦିନଗୁଡ଼ିକ କେବଳ ସେମାନଙ୍କର ସାମ୍ନା ଅଗଣାରେ ବସି ବସି କଟାଉଛନ୍ତି, ଅଧିକାଂଶ ସମୟରେ ଏକୁଟିଆ । ସେମାନେ ବୋଧହୁଏ ଏହି ମହାମାରୀର ପ୍ରକୃତ ବୋଧ ପାଇନାହାନ୍ତି, ଯଦିଓ ଟିଭିରେ ବେଳେ ବେଳେ ପ୍ରତୀକ କୋଭିଡ୍‌ ସମ୍ପର୍କିତ ପରାମର୍ଶ ଦେଖେ ଏବଂ କୁହେ, ‘‘କଲୋନା… କଲୋନା… କଲୋନା…’’

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jyoti Shinoli is a senior reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli