‘‘ସାର୍‌, ଏଠି ଅଳ୍ପ କେଇଜଣ ଗ୍ରାହକ ଅଛନ୍ତି, ଦୟାକରି ମୁଁ ସେମାନଙ୍କ କଥା ବୁଝିପାରିବି ? ମୋର ଇୟରଫୋନ୍‌ ଅନ୍‌ ଅଛି, ମୁଁ ଆପଣଙ୍କ କଥା ଶୁଣୁଥିଲି।’’ ନିଜକୁ କିଛି ସମୟ ପାଇଁ ଅନମ୍ୟୁଟ୍‌ କରି ମୁଜାଫର କୁଣ୍ଠିତ ଭାବରେ ତା’ ଠେଲାଗାଡ଼ି ପାଖରେ ପରିବାର କିଣିବା ପାଇଁ ଅପେକ୍ଷା କରିଥିବା ଅଳ୍ପ କେଇଜଣ ଗ୍ରାହକଙ୍କ କଥା ବୁଝିବା ପାଇଁ ନିଜ ଶିକ୍ଷକଙ୍କ ଅନୁମତି ଚାହିଁଥିଲା । ସ୍ମାର୍ଟଫୋନ୍‌ରେ ବିଜ୍ଞାନ ଶ୍ରେଣୀକୁ ଫେରିଯିବା ପୂର୍ବରୁ ସେ ପୁଣି ଥରେ ପାଟି କରି ଡାକିଲା ‘‘ତାଜି… ସବ୍‌ଜି ଲେ-ଲୋ…’’

ଏହା ଥିଲା ଜୁନ୍‌ ୧୫ ତାରିଖରେ ମୁଜାଫର ଶେଖ୍‌ଙ୍କର ଅନ୍‌ଲାଇନ୍‌ କ୍ଲାସର ପ୍ରଥମ ଦିନ । ଅଷ୍ଟମ ଶ୍ରେଣୀ ଛାତ୍ର ୧୪ ବର୍ଷ ବୟସ୍କ ମୁଜାଫର କହିଥିଲେ, ‘‘ମୁଁ ସବୁବେଳେ ପଛପଟୁ ଟ୍ରାଫିକ୍‌ର ଶବ୍ଦ, କୋଳାହଳ କରୁଥିବା ଗ୍ରାହକମାନଙ୍କର ଶବ୍ଦ ଶୁଣୁଥାଏ । ମୁଁ ଏହା ସ୍ଥିର କରିବାକୁ ଅସମର୍ଥ ଥିଲି ଯେ, ମୁଁ ପାଠପଢ଼ାରେ ଧ୍ୟାନ ଦେବି ନା ପରିବା ବିକ୍ରି କରିବାରେ ।’’ ସେ ସେହି ଅନ୍‌ଲାଇନ୍‌ ଶ୍ରେଣୀରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଉତ୍ତର ମୁମ୍ବାଇର ମାଲାଡ ଅଞ୍ଚଳରେ ମାଲବାଣିରେ ଥିବା ବ୍ୟସ୍ତ ବଜାରରେ ବାଇଗଣ, ବିଟ୍‌, କାକୁଡ଼ି, ପତ୍ରକୋବି ଏବଂ ଅନ୍ୟାନ୍ୟ ପନିପରିବା ତାଙ୍କ ଠେଲା ଗାଡ଼ିରୁ ବିକୁ ଥିବା ସମୟରେ ଯୋଗ ଦେଇଥିଲେ ।

ମୁଜାଫର ସେହି କ୍ଲାସ ପାଇଁ ଜଣେ ସାଙ୍ଗଠାରୁ କେଇ ଘଣ୍ଟା ନିମନ୍ତେ ଗୋଟିଏ ଫୋନ୍‌ ଉଧାର ଆଣିଥିଲେ । ତାଙ୍କର ନିଜର ସ୍ମାର୍ଟଫୋନ୍‌ ନାହିଁ । ‘‘ସେହି ସମୟରେ ମୋ ବଡ଼ ଭାଇ ମୁବାରକ [ଜଣେ ୯ମ ଶ୍ରେଣୀ ଛାତ୍ର]  ମଧ୍ୟ ତାଙ୍କ ସାଙ୍ଗ ଘରେ ଅନ୍‌ଲାଇନ୍‌ କ୍ଲାସରେ ଯୋଗ ଦେଇଥିଲେ । ବାପା କାମକୁ ଯାଇଥିଲେ ମୁଁ ଠେଲାଗାଡ଼ି ବନ୍ଦ କରିପାରିଲି ନାହିଁ । ଦୁଇମାସ ପରେ ଗତ ଜୁନ୍‌ ୧୦ ତାରିଖରେ ଆମେ ପୁନଃ [କାମ] ଆରମ୍ଭ କରିଥିଲୁ,’’ ସେ କହିଥିଲେ ।

ଏହି ବାଳକମାନଙ୍କର ପିତା ଇସଲାମ ଜାନୁଆରୀ ମାସରେ ଠେଲା ଗାଡ଼ିଟି ଭଡ଼ା ନେଇଥିଲେ। ପରିବାରର ଖର୍ଚ୍ଚ ବଢ଼ୁଥିଲା ଏବଂ ସେମାନେ ଆୟର ଆଉ ଏକ ଉତ୍ସ ଆବଶ୍ୟକ କରୁଥିଲେ । ବର୍ତ୍ତମାନ ୪୦ ବର୍ଷ ବୟସରେ ପହଞ୍ଚିଥିବା ଇସ୍‌ଲାମ୍‌ ସାଧାରଣତଃ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ସହାୟକ ଭାବରେ କାମ କରୁଥିଲେ, କିନ୍ତୁ କମ୍‌ ଆୟ କାରଣରୁ ସେ ସେହି କାମ ଛାଡ଼ି ଦେଇଥିଲେ (ଯଦିଓ ସେ ଏହା ଜୁନ୍‌ରେ ପୁଣି ଆରମ୍ଭ କରିଥିଲେ)। ବାଳକମାନଙ୍କର ମାଆ ୩୫ ବର୍ଷ ବୟସ୍କା ମୋମିନା, ହେୟାରକ୍ଲିପ୍‌ ତିଆରି କରନ୍ତି ଏବଂ ଗାଉନ୍‌ ସିଲେଇ କରନ୍ତି । ୭ ଜଣିଆ ପରିବାରରେ ଦୁଇବର୍ଷ ବୟସ୍କ ହାସନୈନ୍‌ ଏବଂ ଦୁଇ ଝିଅ ୭ମ ଶ୍ରେଣୀରେ ପଢ଼ୁଥିବା ଫର୍ଜାନା,୧୩ ଏବଂ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଅଫସାନା,୧୨ ଅଛନ୍ତି ।

କିନ୍ତୁ ସେହି ଠେଲାଗାଡ଼ି ଭଡ଼ାରେ ନିଆଯିବାର ମାତ୍ର ଦୁଇମାସ ପରେ ମାର୍ଚ୍ଚ ୨୫ ତାରିଖରୁ କୋଭିଡ୍‌-୧୯ ଲକ୍‌ଡାଉନ୍‌ ପରିବାରର ଅନଭିଜ୍ଞ ପନିପରିବା ବ୍ୟବସାୟକୁ ବନ୍ଦ କରିଦେଇଥିଲା। ମୁଜାଫର କୁହନ୍ତି, ‘‘ବାପା ପ୍ରଥମେ ଠେଲା ଗାଡ଼ି ଚଳାଉଥିଲେ, ଯେତେବେଳେ କି ସେ ଏବଂ ୧୭ ବର୍ଷ ବୟସ୍କ ମୁବାରକ ସକାଳ ୭ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯାଉଥିଲେ। ସ୍କୁଲ୍‌ ପରେ ଉଭୟ ବାଳକ ସେମାନଙ୍କ ବାପାଙ୍କୁ ପରିବା ବିକ୍ରି କରିବାରେ ସାହାଯ୍ୟ କରୁଥିଲେ ।
Mubarak Sheikh and his brother Muzzafar (in white) have been trying to juggle attending online classes and selling vegetables on a handcart
PHOTO • Jyoti Shinoli
Mubarak Sheikh and his brother Muzzafar (in white) have been trying to juggle attending online classes and selling vegetables on a handcart
PHOTO • Jyoti Shinoli

ମୁବାରଖ ଶେଖ୍‌ ଏବଂ ତାଙ୍କ ଭାଇ ମୁଜାଫର (ଧଳାରେ) ଅନ୍‌ଲାଇନ୍‌ କ୍ଲାସରେ ଯୋଗ ଦେବା ଏବଂ ଠେଲାଗାଡ଼ିରେ ପନିପରିବା ବିକ୍ରି କରିବା ମଧ୍ୟରେ ସନ୍ତୁଳନ ରଖିବାକୁ ଚେଷ୍ଟା କରୁଛନ୍ତି

‘‘ଗତବର୍ଷ ପର୍ଯ୍ୟନ୍ତ ଆମେ ଅତିବେଶୀରେ ୫,୦୦୦ ଟଙ୍କା ଆୟ କରୁଥିଲୁ [ଗୋଟିଏ ମାସରେ]’’ ବୋଲି ମୋମିନା କୁହନ୍ତି । ସେ ପରିବାରଟିକୁ ପ୍ରାୟତଃ ସମ୍ପର୍କୀୟ ଏବଂ ପଡ଼ୋଶୀମାନଙ୍କ ସାହାଯ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଯେତେବେଳେ ମୋମିନା ଜଣେ ପଡ଼ୋଶୀଙ୍କଠାରୁ ଏକ ସିଲେଇ ମେସିନ ପାଇଲେ, ସେ ହେୟାର କ୍ଲିପ୍‌ ତିଆରି କରିବା ସହ ଗାଉନ୍‌ ସିଲେଇ କରି ସାମାନ୍ୟ ରୋଜଗାର କରିବା ଆରମ୍ଭ କଲେ- ମାସିକ ପ୍ରାୟ ଟ. ୧,୦୦୦ । କିନ୍ତୁ ଏହା ପରେ ତାଙ୍କର ଆୟ ମଧ୍ୟ ଲକ୍‌ଡାଉନ୍‌ ସମୟରେ ବନ୍ଦ ହୋଇଗଲା । ସେ କୁହନ୍ତି, ‘‘ଗ୍ରୋସରୀ, ବିଦ୍ୟୁତ୍‌ ବିଲ୍‌, ପାଣି ଖର୍ଚ୍ଚ, ସ୍କୁଲ୍‌ ଦେୟ ଆଦି ଚଳାଇବା କଷ୍ଟକର ଥିଲା । ତେଣୁ  ଆମେ ପରିବା ବିକିବା ଆରମ୍ଭ କଲୁ, କିନ୍ତୁ ଏହି ଲକ୍‌ଡାଉନ୍‌ ସବୁକିଛି ନଷ୍ଟ କରିଦେଲା।’’

ଏହି ଶେଖ୍‌ ପରିବାର ପରି ଭାରତରେ ଅନୌପଚାରିକ କ୍ଷେତ୍ରରେ ନିୟୋଜିତ ହୋଇଥିବା ବହୁ ସଂଖ୍ୟକ ପ୍ରବାସୀ ପରିବାରଗୁଡ଼ିକ, ଯେଉଁମାନେ କି ଦୈନିକ ମଜୁରୀରେ ଚଳନ୍ତି, ସେମାନେ ଲକ୍‌ଡାଉନ୍‌ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ)ରେ ଅଗଷ୍ଟ ୨୦୨୦ରେ ପ୍ରକାଶିତ ଏକ ପ୍ରବନ୍ଧ ଉଲ୍ଲେଖ କରିଛି, ‘‘ଛୋଟ ବ୍ୟବସାୟୀ, ବୁଲା ବିକାଳୀ ଏବଂ ଦିନ ମଜୁରିଆ ଶ୍ରମିକମାନେ ଏପ୍ରିଲ୍‌ ମାସରେ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ସବୁଠାରୁ କଦର୍ଯ୍ୟ ଆଘାତ ପାଇଛନ୍ତି । ସେହି ମାସରେ ହୋଇଥିବା ସମୁଦାୟ ୧୨୧.୫ ନିୟୁତ ନିଯୁକ୍ତି ହାନି ମଧ୍ୟରୁ ୯୧.୨ ନିୟୁତ ହେଉଛନ୍ତି ଏମାନେ ।

ଲକ୍‌ଡାଉନ୍‌ ସମୟରେ, ଶେଖ୍‌ ପରିବାର ଦେଖିଥିଲେ ଅନେକ ନିଜ ନିଜର ଗାଁକୁ ଫେରିଯାଉଛନ୍ତି – ଏବଂ ସେମାନେ ମଧ୍ୟ ଫେରିଯିବାକୁ ଚିନ୍ତା କରିଥିଲେ । ସେମାନେ ୧୯୯୯ ମସିହାରେ କାମର ସନ୍ଧାନରେ ଉତ୍ତରପ୍ରଦେଶର ବାହାରିଚ୍‌ ଜିଲ୍ଲାର ବଲାପୁର ଗ୍ରାମରୁ ମୁମ୍ବାଇ ଆସିଥିଲେ । ସେମାନେ ଗାଁରେ କୃଷି ଶ୍ରମିକ ଥିଲେ ଏବଂ ସେମାନଙ୍କର ନିଜସ୍ୱ କୌଣସି ଜମି ନଥିଲା । ମୋମିନା କୁହନ୍ତି, ‘‘ଆମେ ଆମ ଗାଁକୁ ଚାଲିଯିବାକୁ ଚିନ୍ତା କରୁଥିଲୁ କିନ୍ତୁ କୌଣସି ଟ୍ରେନ୍‌ କିମ୍ବା ବସ୍‌ ଟିକେଟ୍ ପାଇନଥିଲୁ । ଏହା ପରେ ଆମେ ଚାଲି ଚାଲି କିମ୍ବା ଟେମ୍ପୋରେ ଯାଉଥିବା ଲୋକମାନଙ୍କର ଦୁର୍ଘଟଣାର ଖବର ସବୁ ପାଇଲୁ । ଆମେ ସେହି ବିପଦ ନେବାକୁ ଚାହୁଁନଥିଲୁ । ତେଣୁ ଆମେ ଏଠାରେ ରହିବାକୁ ଏବଂ ପରିସ୍ଥିତି ପୂର୍ବ ପରି ହେବାକୁ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲୁ ।’’

ଉଭୟ ପିତାମାତା କାମ ବିନା ଥିବାରୁ, ମୁଜାଫର୍ ଏବଂ ମୁବାରକ୍‌ କଠୋର କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌ ମଧ୍ୟରେ ଏପ୍ରିଲ୍ ମାସର ଆଦ୍ୟ ଭାଗରେ କିଛି ପନିପରିବା ବିକ୍ରି କରିବାକୁ ଚେଷ୍ଟା କରିଥିଲେ। ମୁଜାଫର୍‌ କହିଥିଲେ, ‘‘ଘର ନିକଟସ୍ଥ ବଜାରରେ ଜନଗହଳିକୁ ନିୟନ୍ତ୍ରଣ କରିବା ସମୟରେ ହାବିଲ୍‌ଦାର ମୁବାରକ୍‌ଙ୍କ କହୁଣୀକୁ ଗୋଟିଏ ଲାଠିରେ ପିଟିଥିଲେ । ଏହା ପରେ ଆମେ ମାସେ ପାଇଁ ମାଲ୍‌ଭାନିରେ ଅନ୍ୟ ଜଣେ ପରିବା ବ୍ୟବସାୟୀଙ୍କ ଠେଲାରେ କାମ କରିଥିଲୁ ।’’ ଏଥିପାଇଁ ସେମାନେ ପ୍ରତ୍ୟେକେ ମେ’ ମାସ ପର୍ଯ୍ୟନ୍ତ ଦିନକୁ ଟ. ୫୦ ଲେଖାଏଁ ରୋଜଗାର କରିଥିଲେ ।

‘‘ଜୁନ୍‌ ସୁଦ୍ଧା, ଲକ୍‌ଡାଉନ୍‌ କଟକଣା ଠିଲା ହୋଇଯିବା ସହିତ ବାଳକମାନେ ଠେଲାଟିଏ ଭଡ଼ା ନେବା ଆରମ୍ଭ କଲେ । ଠେଲା ଗାଡ଼ି ଏବଂ ଟେମ୍ପୋ (ହୋଲ୍‌ସେଲ୍ ମାର୍କେଟ୍‌କୁ)କୁ ଭଡ଼ା ପୈଠ କରିବା ଏବଂ ପନିପରିବା କିଣିବା ପରେ ସେମାନେ ଏକତ୍ର ଗୋଟିଏ ମାସରେ ଟ. ୩,୦୦୦ – ୪,୦୦୦ ନିଜ ହାତରେ ପାଉଥିଲେ ।
'We have one simple mobile. So we borrowed khala’s mobile', says Mubarak, here with his mother Momina (who stitches gowns and makes hairclips for an income) and sister Afsana
PHOTO • Jyoti Shinoli
'We have one simple mobile. So we borrowed khala’s mobile', says Mubarak, here with his mother Momina (who stitches gowns and makes hairclips for an income) and sister Afsana
PHOTO • Jyoti Shinoli

ମୁବାରକ୍‌ କୁହନ୍ତି, ‘ଆମର ଗୋଟିଏ ସାଧାରଣ ମୋବାଇଲ୍ ଅଛି। ତେଣୁ ଆମେ ଖାଲାଙ୍କ ମୋବାଇଲ୍‌ ଧାର ଆଣିଥିଲୁ’, ଏଠାରେ ତାଙ୍କ ମାଆ ମୋମିନା (ଯିଏ ରୋଜଗାର କରିବା ପାଇଁ ଗାଉନ୍‌ ସିଲେଇ କରନ୍ତି ଏବଂ ହେୟାର୍‌କ୍ଲିପ୍‌ ତିଆରି କରନ୍ତି) ଏବଂ ଭଉଣୀ ଅଫ୍‌ସାନାଙ୍କ ସହିତ

ସେହି ମାସ ସୁଦ୍ଧା, ଇସ୍‌ଲାମ୍‌ ପୂର୍ବରୁ କରୁଥିବା ପରି ମାସିକ ଟ. ୪,୦୦୦ରେ ଜଣେ ଟ୍ରକ୍‌ ଚାଳକଙ୍କ ସହଯୋଗୀ ଭାବରେ ତାଙ୍କର କାମ ପୁନାରମ୍ଭ କରିଥିଲେ। ମୋମିନା କୁହନ୍ତି ‘‘ସେ ମୁମ୍ବାଇ ବାହାରେ ୯-୧୦ ଟ୍ରିପ୍‌ [ପ୍ରତ୍ୟେକଟି ୨-୩ ଦିନର] ଟ୍ରିପ୍‌ ପାଇଁ ଯାଆନ୍ତି । ‘‘ଏ ମଝିରେ ସେ ଘରକୁ ଆସନ୍ତି, ୨-୩ ଘଣ୍ଟା ବିଶ୍ରାମ ନିଅନ୍ତି ଏବଂ ତୁରନ୍ତ ପରବର୍ତ୍ତୀ ଟ୍ରିପ୍‌ ପାଇଁ ବାହାରି ଯାଆନ୍ତି । ସେ ଦିନରାତି କାମ କରୁଛନ୍ତି ।’’

ମୋମିନା ମଧ୍ୟ ପ୍ରାୟ ସେହି ସମୟରେ କାମ ପୁନାରମ୍ଭ କରିଥିଲେ କିନ୍ତୁ ମାସିକ ଅଳ୍ପ କିଛି ଦିନ ପାଇଁ । ସେ କୁହନ୍ତି, ‘‘ଜୁଲାଇ ମାସରୁ ମୁଁ କିଛି କାମ ପାଇବା ଆରମ୍ଭ କଲି । କିନ୍ତୁ ଏହା ମାସରେ ୧୦ ଦିନ ପାଇଁ ଥିଲା, ମାର୍ଚ୍ଚ ପୂର୍ବରୁ ଏହା ମାସକୁ ୨୦ ଦିନ ପାଇଁ ଥିଲା । ସପ୍ଲାଏର୍‌ କହିଲେ ‘‘ଅନେକ ଫ୍ୟାକ୍ଟ୍ରି କ୍ଷତି କାରଣରୁ ବନ୍ଦ ହୋଇଯାଇଛି ତେଣୁ କମ୍‌ ଅର୍ଡର ଆସୁଛି ।’’

କିନ୍ତୁ ସେମାନଙ୍କ ଜୀବିକା କ୍ଷେତ୍ରଗୁଡ଼ିକ ଧୀରେ ଧୀରେ ପୁଣି ଖୋଲୁଥିବା ବେଳେ ମୁଜାଫର୍‌ ଏବଂ ମୁବାରକ୍‌ ପଢ଼ୁଥିବା ସ୍କୁଲ୍‌ ବନ୍ଦ ରହିଥିଲା । ସେମାନେ ମାଲ୍‌ଭାନୀର ଅମ୍ବୁଜୱାଡ଼ି ବସ୍ତିରେ ଥିବା ସେମାନଙ୍କ ଘରଠାରୁ ଏକ କିଲୋମିଟର ଦୂରରେ ଥିବା ଗୁରୁକୁଳ ହାଇସ୍କୁଲ୍ ଏବଂ ଜୁନିଅର୍‌ କଲେଜ୍‌ରେ ପାଠ ପଢ଼ନ୍ତି। ଏହା ଏନ୍‌ଜିଓଗୁଡ଼ିକ ଦ୍ୱାରା ପରିଚାଳିତ ହୁଏ ଏବଂ ଏହାର କିଣ୍ଡରଗାର୍ଟେନ୍‌ରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ୯୨୮ ଛାତ୍ରଛାତ୍ରୀ ଅଛନ୍ତି । ଜୁନ୍‌ ମାସରେ ଚଳିତ ଶିକ୍ଷା ବର୍ଷ ପାଇଁ ସ୍କୁଲ୍‌ର ଶ୍ରେଣୀଗୁଡ଼ିକ – ଅନ୍‌ଲାଇନ୍‌ କ୍ଲାସ୍‌ଗୁଡ଼ିକ ଆରମ୍ଭ ହୋଇଥିଲା ।

ମୁବାରକ୍‌ କହିଲେ ‘‘ଆମର ଗୋଟିଏ ସାଧାରଣ ମୋବାଇଲ୍ ଅଛି। ତେଣୁ ଆମେ ଖାଲାଙ୍କ (ମାଉସୀଙ୍କ) ମୋବାଇଲ୍‌ ଧାର ଆଣିଥିଲୁ’’, କିନ୍ତୁ ଗୋଟିଏ ଉଧାର ଆଣିଥିବା ମୋବାଇଲ୍‌ ଚାରି ଭାଇଭଉଣୀଙ୍କ ପାଇଁ ଯଥେଷ୍ଟ ନୁହେଁ ବିଶେଷକରି ଯେତେବେଳେ ସେମାନଙ୍କର ସମୟ ସାରଣୀ ମଧ୍ୟରେ ଦ୍ୱନ୍ଦ୍ୱ ହୁଏ । ତେଣୁ ସେମାନଙ୍କର ସାନ ଭଉଣୀମାନେ – ଫର୍ଜାନା ଏବ ଅଫ୍‌ସାନା, ଯେଉଁମାନେ ଅମ୍ବୁଜୱାଡ଼ିଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ପୌରପାଳିକା ଦ୍ୱାରା ପରିଚାଳିତ ଏମ୍‌.ଏଚ୍‌.ବି. ଉର୍ଦ୍ଦୁ ବିଦ୍ୟାଳୟରେ ପଢ଼ୁଛନ୍ତି, ସେମାନଙ୍କର ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଜଣେ ସାଙ୍ଗ ଘରକୁ ଯାଆନ୍ତି ।

ମୁଜାଫର୍‌ ଏବଂ ମୁବାରକ୍‌ ପାଳି କରି ସେମାନଙ୍କର ପରିବା ବ୍ୟବସାୟ ସମ୍ଭାଳନ୍ତି ଏବଂ ଧାର ଅଣାଯାଇଥିବା ଅନ୍‌ଲାଇନ୍‌ କ୍ଲାସ୍‌ଗୁଡ଼ିକରେ ଯୋଗ ଦିଅନ୍ତି । ସେମାନେ ବଜାରରୁ ଅନ୍‌ଲାଇନ୍‌ କ୍ଲାସ୍‌ କରିବାର ସେହି ପ୍ରଥମ ଅଭିଜ୍ଞତାର ପୁନରାବୃତ୍ତି ଏଡ଼ାଇବା ପାଇଁ ଅମ୍ବୁଜୱାଡ଼ି ବସ୍ତିରେ ଥିବା ସେମାନଙ୍କର ଏକ ବଖରା କୋଠରୀ ବିଶିଷ୍ଟ ଘରୁ କ୍ଲାସ୍‌ କରନ୍ତି । ପ୍ରତିଦିନ ୬ରୁ ୭ ଘଣ୍ଟାର କାମ (କେବଳ ରବିବାରଗୁଡ଼ିକ ଛୁଟି) ସହିତ ଦୈନିକ ତିନି ଘଣ୍ଟା ପର୍ଯ୍ୟନ୍ତ ପଢ଼ାରେ ଧ୍ୟାନ ଦେବା ତଥାପି ଏକ କଷ୍ଟକର ବ୍ୟାପାର ।

ପ୍ରତିଦିନ, ଭାଇମାନେ ପରିବା କିଣିବାକୁ ଯିବା ପାଇଁ ମଧ୍ୟ ପାଳି କରନ୍ତି – ଅମ୍ବୁଜୱାଡ଼ିରୁ ଚାଳିଶି କିଲୋମିଟର ଦୂର ନାଭି ମୁମ୍ବାଇର ବାଶିଠାରେ ଥିବା ଏଗ୍ରିକଲ୍‌ଚରାଲ୍ ପ୍ରଡ୍ୟୁସ୍‌ ମାର୍କେଟ୍‌ କମିଟି (ଏପିଏମ୍‌ସି) ପରିସରକୁ ଅନ୍ୟ ବ୍ୟବସାୟୀମାନଙ୍କ ସହିତ ଏକ ଭଡ଼ା ଭାଗ କରି ଏକ ଟେମ୍ପୋରେ ଯିବା ପାଇଁ । ସେମାନେ ଜାନୁଆରୀ ମାସରେ ଇସ୍‌ଲାମ୍‌ ଠେଲା ଗାଡ଼ି ଭଡ଼ା ନେବା ସମୟରେ ସେମାନଙ୍କ ବାପାଙ୍କ ସହ ପୂର୍ବରୁ ଏପରି କରିଥିଲେ । ମୁଜାଫର୍‌ କୁହନ୍ତି, ‘‘ଆମେ ରାତି ପ୍ରାୟ ୧୨ଟା ବେଳେ ଯାଉ ଏବଂ ସକାଳ  ୫- ୫.୩୦ରେ ଫେରିଆସୁ । ପ୍ରାୟତଃ ମୁଁ ଯାଏ, ମୁବାରକ୍‌ ଠିକ୍‌ ଭାବରେ ମୂଲେଇ ପାରେ ନାହିଁ । ୭.୩୦ ସୁଦ୍ଧା ଆମେ ପରିବାପତ୍ର ଧୋଉ ଏବଂ ଠେଲାରେ ତାଜା ପନିପରିବାକୁ ସଜାଡ଼ି ରଖୁ ।’’

PHOTO • Jyoti Shinoli

ମୁଜାଫର୍‌ ଜୁନ୍‌ ମାସରେ ତାଙ୍କର ଅନ୍‌ଲାଇନ୍‌ ଶିକ୍ଷାର ପ୍ରଥମ ଦିନକୁ ମନେ ପକାଇ କୁହନ୍ତି, ‘ମୁଁ ସ୍ଥିର କରିବାକୁ ଅସମର୍ଥ ଥିଲି କ୍ଲାସ୍‌ରେ ମନଦେବି ନା ପରିବା ବିକିବାରେ ।’

ହୋଲ୍‌ସେଲ୍‌ ବଜାରରେ ରାତିରେ ଦୀର୍ଘ ସମୟ କାଟିବା, ପରଦିନ ସକାଳେ କିମ୍ବା ଅପରାହ୍ଣରେ ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗଦେବା ଜାଗ୍ରତ ରହିବା ଏବଂ ଧ୍ୟାନ ଦେବା ପାଇଁ ଖୁବ୍‌ ପ୍ରୟାସ ଆବଶ୍ୟକ କରିଥାଏ । ମୁବାରକ୍‌ କୁହନ୍ତି, ‘‘କ୍ଲାସ୍‌ ସମୟରେ ଆଖି ଭାରି ହୋଇଯାଏ । କିନ୍ତୁ ମୁଁ ମୋ ଆଖିରେ ପାଣି ଛାଟେ ଏବଂ ମୋ ମୁଣ୍ଡକୁ ହଲାଏ ଏବଂ ନିଦକୁ ନିୟନ୍ତ୍ରଣ କରେ’’।

ଓଜନିଆ ଠେଲା ଗାଡ଼ିରେ ୧୫-୨୦ କେଜି ପରିବା ନେଇ ଯିବାଆସିବା କରିବା ମଧ୍ୟ ଖୁବ୍‌ କ୍ଳାନ୍ତିକାରକ । ମୁଜାଫର୍‌ କୁହନ୍ତି, ମାଲ୍‌ବାନୀର ଅଣଓସାରିଆ ଗଳିଗୁଡ଼ିକରେ ଠେଲାଗାଡ଼ି ଠେଲିବା ସମୟରେ ‘‘ମୋ କାନ୍ଧ ଯନ୍ତ୍ରଣା ହୁଏ, ମୋ ପାପୁଲି ପୋଡ଼େ, ଲେଖିଲା ବେଳେ କାଟେ । ଆମେ ପାଳି କରୁ । ଆଜି [ନଭେମ୍ବର ୨୮] ମୁବାରକ୍‌ର ସକାଳ କ୍ଲାସ୍‌ ଥିଲା । ତେଣୁ ମୁଁ କାମକୁ ଆସିଲି । ମୋର କ୍ଲାସ୍‌ ଅପରାହ୍ଣରେ ୧.୩୦ରେ ଅଛି ।’’

ତାଙ୍କ ସ୍କୁଲ୍‌ର ଅନେକ ଛାତ୍ରଛାତ୍ରୀ ସମାନ ପ୍ରତିବନ୍ଧକକୁ ସାମ୍ନା କରିଛନ୍ତି । ଗୁରୁକୁଳ ଉଚ୍ଚବିଦ୍ୟାଳୟ ଏବଂ କନିଷ୍ଠ ମହାବିଦ୍ୟାଳୟର ସଂସ୍ଥାପକ ଏବଂ ଅଧ୍ୟକ୍ଷ ଫରିଦ୍‌ ଶେଖ୍‌ କୁହନ୍ତି, ‘‘ଆମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପାଖାପାଖି ୫୦ ଜଣ ହୋଟେଲ୍‌ ନିର୍ମାଣ କ୍ଷେତ୍ର ପନିପରିବା ବିକିବା ଆଦି କାମ କରୁଛନ୍ତି । ସେମାନେ ଅନେକ ସମୟରେ କୁହନ୍ତି, ‘‘କାମ ଯୋଗୁଁ ସେମାନେ କ୍ଳାନ୍ତ ଏବଂ ନିଦୁଆ ଅନୁଭବ କରୁଛନ୍ତି । କ୍ଲାସ୍‌ ସମୟରେ ଧ୍ୟାନଶୀଳ ହେବା ସେମାନଙ୍କ ପାଇଁ କଷ୍ଟକର।’’

‘‘ମାଲ୍‌ବାନୀ, ଧରାବୀ, ମଙ୍ଖର୍ଦ ଏବଂ ଗୋୱାଣ୍ଡିର ବସ୍ତିଗୁଡ଼ିକର ଅନେକ ଶିଶୁ ଲକ୍‌ଡାଉନ୍‌ ସମୟରେ କାମ କରିବା ଆରମ୍ଭ କରୁଛନ୍ତି । ସେମାନେ ଏ ପର୍ଯ୍ୟନ୍ତ କାମ କରୁଛନ୍ତି । ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଡିଭାଇସ୍‌ ନଥିବା ଏବଂ ବାପାମାଆଙ୍କର ରୋଜଗାର ନଥିବା ମୁଖ୍ୟ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ ।’’ ଏହା କୁହନ୍ତି ବସ୍ତିମାନଙ୍କରେ ବାସ କରୁଥିବା ଶିଶୁମାନଙ୍କର ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ମୁମ୍ବାଇଭିତ୍ତିକ ଏନ୍‌ଜିଓ ପ୍ରଥମର ପ୍ରୋଗ୍ରାମ୍‌ ହେଡ୍‌, ନବନାଥ କାମ୍ବଲେ ।

ସେମାନଙ୍କ ମଧ୍ୟରେ ଅଛନ୍ତି ୧୭ ବର୍ଷ ବୟସ୍କା ରୋସ୍‌ନି ଖାନ୍‌, ସେ ମଧ୍ୟ ଅମ୍ବୁଜୱାଡ଼ିରେ ଶେଖ୍‌ ପରିବାରଠାରୁ ୧୦ ମିନିଟ୍ ଦୂରରେ ରହନ୍ତି । ସେ ଗୁରୁକୁଳ ଉଚ୍ଚ ବିଦ୍ୟାଳୟ ଏବଂ କନିଷ୍ଠ ମହାବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢ଼ୁଛନ୍ତି । ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଗୋଟିଏ ସେକେଣ୍ଡ୍ ହ୍ୟାଣ୍ଡ୍ ମୋବାଇଲ୍ କିଣିବାକୁ ସମର୍ଥ ହେବା ନିମନ୍ତେ ସେ ଲକ୍‌ଡାଉନ୍‌ ସମୟରେ ଏକ କେକ୍‌ ଦୋକାନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ବାପା ସବିର୍‌ ହେଉଛନ୍ତି ଜଣେ ୱେଲ୍‌ଡର ଏବଂ ମାଆ ରୁକ୍‌ସାନା ଜଣେ ଘରୋଇ ସହାୟିକା । ସେମାନଙ୍କ ପିତାମାତା ୧୯୭୦ ଦଶକରେ ବିହାରର ମାଧେପୁରା ଜିଲ୍ଲାର କଲୋତାହା ଗ୍ରାମରୁ ମୁମ୍ବାଇ ଆସିଥିଲେ ।
Along with online school, Roshni Khan continues to work at a cake shop to support her family, including her mother Ruksana and sister Sumaira (right)
PHOTO • Jyoti Shinoli
Along with online school, Roshni Khan continues to work at a cake shop to support her family, including her mother Ruksana and sister Sumaira (right)
PHOTO • Jyoti Shinoli

ଅନ୍‌ଲାଇନ୍‌ ବିଦ୍ୟାଳୟ ସହିତ ରୋସ୍‌ନୀ ଖାନ୍‌ ମାଆ ରୁକ୍‌ସାନା ଏବଂ ଭଉଣୀ ସୁମେଇରା (ଡାହାଣ)ଙ୍କ ସମେତ ପରିବାରକୁ ସହଯୋଗ ଦେବା ପାଇଁ ଏକ କେକ୍‌ ଦୋକାନରେ କାମ କରିବା ଜାରି ରଖିଛନ୍ତି

ରୋସ୍‌ନୀ କୁହନ୍ତି, ‘‘ବାପାଙ୍କର ଗୋଟିଏ ସାଧାରଣ ମୋବାଇଲ୍ ଥିଲା । ସେମାନଙ୍କର କାମ ମାର୍ଚ୍ଚ ମାସରୁ ବନ୍ଦ ହୋଇଗଲା ତେଣୁ ଏକ ମୋବାଇଲ୍ (ସ୍ମାର୍ଟଫୋନ୍‌) କିଣିବା ଅସମ୍ଭବ ଥିଲା । ମାଲାଡ୍‌ ୱେଷ୍ଟରେ ଯେଉଁ ଦୋକାନରେ ସେ ମଫିନ୍‌ ଏବଂ କେକ୍‌ ଡେକୋରେସନ୍‌ ସବୁ ପ୍ୟାକିଂ କରିବା ଏବଂ ବିକ୍ରି କରିବା କାମ କରନ୍ତି ତାହା ଅମ୍ବୁଜୱାଡ଼ିଠାରୁ ପାଞ୍ଚ କିଲୋମିଟର ଦୂରରେ ରହିଛି । ନିକଟରେ ଠିଆ ହୋଇଥିବା ଏକ ସେୟାର୍‌ ଅଟୋରିକ୍ସା ଆଡ଼କୁ ଆଗେଇ ଯିବା ସମୟରେ ରଶ୍ମି କୁହନ୍ତି, ‘‘ମୋ ସାଙ୍ଗ ମୋତେ ଏହି କାମ ବିଷୟରେ ମାର୍ଚ୍ଚ ମାସରେ କହିଥିଲା ତେଣୁ ମୁଁ ଯୋଗ ଦେଲି ।’’ ପ୍ରତିଦିନ ସେ କାମରେ ପହଞ୍ଚିବା ପାଇଁ ଥରକେ ଟ. ୨୦ ଖର୍ଚ୍ଚ କରନ୍ତି ।

ରୋସ୍‌ନୀ ତାଙ୍କର ମାସିକ ଟ. ୫୦୦୦ ଦରମାରୁ ମେ’ ମାସର ମଧ୍ୟ ଭାଗ ବେଳକୁ ଏକ ସେକେଣ୍ଡହ୍ୟାଣ୍ଡ୍ ଫୋନ୍‌ ଟ. ୨,୫୦୦ରେ କିଣିଥିଲେ । ଏହା ପରେ ସେ ତାଙ୍କ ବାପାମାଆଙ୍କୁ ଘର ଚଳାଇବାରେ ସାହାଯ୍ୟ କରିବା ପାଇଁ କାମ କରିବା ଜାରି ରଖିଥିଲେ ।

କିନ୍ତୁ ତାଙ୍କର ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୬ ଟା ପର୍ଯ୍ୟନ୍ତ କାର୍ଯ୍ୟ ନିର୍ଘଣ୍ଟ ତାଙ୍କର ସ୍କୁଲ୍ ସମୟ ସାରଣୀ ସହିତ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ‘‘ଗୋଟିଏ ସପ୍ତାହରେ ପ୍ରାୟ ୨- ୩ ଥର ଅପରାହ୍ଣ କ୍ଲାସଗୁଡ଼ିକ କରିପାରୁନାହିଁ । ମୁଁ କ୍ଲାସ୍‌ କରିପାରୁନଥିବା ଅଧ୍ୟାୟଗୁଡ଼ିକୁ ନିଜେ ନିଜେ ପଢ଼େ ଏବଂ ଫୋନ୍‌ ଦ୍ୱାରା ମୋର ସନ୍ଦେହଗୁଡ଼ିକୁ ଶିକ୍ଷକଙ୍କୁ ପଚାରେ’’, ବୋଲି ସେ କୁହନ୍ତି ।

କାମରେ ତାଙ୍କର ସାତ ଆଠ ଘଣ୍ଟା ରୋସ୍‌ନୀକୁ ସମ୍ପୂର୍ଣ୍ଣ କ୍ଳାନ୍ତ କରିଦିଏ । ‘‘ମୁଁ ଖୁବ୍‌ କ୍ଳାନ୍ତ ଅନୁଭବ କରେ, ମୁଁ ହୋମ୍‌ୱାର୍କ ଶେଷ କରିପାରେନି । ମୁଁ ପ୍ରାୟତଃ ରାତି ଭୋଜନ ବିନା ଶୋଇପଡ଼େ । ବେଳେ ବେଳେ ମୁଁ ଭାବେ ମୁଁ [ଏକ କାମ କରୁଛି ଏବଂ] ରୋଜଗାର କରୁଛି, ତା’ ହେଲେ ମୁଁ ପାଠ ପଢ଼ିବା କ’ଣ ଦରକାର’’ ବୋଲି ସେ ପଚାରନ୍ତି ।

ପ୍ରଥମର ନବନାଥ କାମ୍ବଲେ ଉଲ୍ଲେଖ କରନ୍ତି ପାଠ ପଢ଼ାରେ ଅନାଗ୍ରହ ବଢ଼ିବା ଖୁବ୍‌ ସାଧାରଣ । ସେ କୁହନ୍ତି, ‘‘ବସ୍ତିଗୁଡ଼ିକର କାମ କରୁଥିବା ପିଲାମାନେ ପାଠ ପଢ଼ାରେ ଖୁବ୍‌ ଆଗ୍ରହୀ ନୁହଁନ୍ତି ଏବଂ ଏକ ଭଲ ଶିକ୍ଷାରୁ ବଞ୍ଚିତ ହେବା ଶିଶୁ ଶ୍ରମିକ ସୃଷ୍ଟି କରିଥାଏ ଏବଂ ବୃଦ୍ଧି କରିଥାଏ ।’’

ରୋସ୍‌ନୀର ତିନି ସାନ ଭାଇଭଉଣୀ ଅଛନ୍ତି – ରିହାନା ୭ମ ଶ୍ରେଣୀରେ, ସୁମାଇରା ୫ମ ଶ୍ରେଣୀ, ଏବଂ ରିଜ୍‌ୱାନ୍‌ ୪ର୍ଥ ଶ୍ରେଣୀରେ । ସମସ୍ତେ ଏମ୍‌.ଏଚ୍‌.ବି. ସ୍କୁଲ୍‌ରେ ପାଠ ପଢ଼ୁଛନ୍ତି । ସେ କୁହନ୍ତି, ‘‘ସେମାନେ ଅନ୍‌ଲାଇନ୍ କ୍ଲାସ୍‌ ପାଇଁ ସେମାନଙ୍କର ସାଙ୍ଗ ଘରକୁ ଯାଆନ୍ତି କାରଣ ମୁଁ କାମକୁ ଯିବା ସମୟରେ ମୋବାଇଲ୍ ନେଇଯାଏ ।’’

'I feel so tired, I cannot finish homework', says Roshni. 'Sometimes I feel I already [have a job and] earn, so why do I need to study?'
PHOTO • Jyoti Shinoli
'I feel so tired, I cannot finish homework', says Roshni. 'Sometimes I feel I already [have a job and] earn, so why do I need to study?'
PHOTO • Jyoti Shinoli

ରୋସ୍‌ନୀ କୁହନ୍ତି, ‘ମୁଁ ଖୁବ୍‌ କ୍ଳାନ୍ତ ଅନୁଭବ କରେ, ମୁଁ ହୋମ୍‌ୱାର୍କ ଶେଷ କରିପାରେ ନାହିଁ, ବେଳେ ବେଳେ ଭାବେ ମୁଁ [କାମ କରୁଛି ଏବଂ] ରୋଜଗାର କରୁଛି, ତା’ହେଲେ ମୁଁ ପଢ଼ିବା କ’ଣ ଦରକାର?’

ସେମାନଙ୍କ ବାପାମାଆ ସେପ୍ଟେମ୍ବର ମଝିରୁ କାମ ଆରମ୍ଭ କଲେ କିନ୍ତୁ କାମ କମ୍‌ ହୋଇଛି । ରୁକ୍‌ସାନା କୁହନ୍ତି, ‘‘ମୁଁ ଚାରୋଟି ଘରେ କାମ କରୁଥିଲି, ଏବେ ଗୋଟିକରେ କାମ କରୁଛି । ଅନ୍ୟ ମାଲିକମାନେ ମୋତେ ଏ ପର୍ଯ୍ୟନ୍ତ ଡାକିନାହାନ୍ତି ।’’ ଏହାର ଅର୍ଥ ହେଉଛି ସେ ମାର୍ଚ୍ଚ ମାସ ପୂର୍ବରୁ ଆୟ କରୁଥିବା ଟ. ୪,୦୦୦ ପରିବର୍ତ୍ତେ ମାସକୁ ମାତ୍ର ଟ. ୧,୦୦୦ ରୋଜଗାର କରୁଛନ୍ତି ।

ରୁକ୍‌ସାନା କୁହନ୍ତି, ‘‘ରୋସ୍‌ନୀର ବାପା ମଧ୍ୟ ଏବେ ୧୫ ଦିନ ପାଇଁ କାମ କରୁଛନ୍ତି [ଦିନକୁ ଟ. ୪୦୦ରେ], ସେ ମାର୍ଚ୍ଚ ପୂର୍ବରୁ ଯେତେବେଳେ ମାଲ୍‌ୱାନୀ ଶ୍ରମିକ ଛକରେ ଛିଡ଼ା ହେଉଥିଲେ ସେତେବେଳେ ୨୫ ଦିନ କାମ ପାଉଥିଲେ ।’’ ତେଣୁ ସେମାନଙ୍କର ମାସିକ ଆୟ ରୋସ୍‌ନୀଙ୍କ ଯୋଗଦାନ ସତ୍ତ୍ୱେ ଟ. ୧୨,୦୦୦ କୁ ଖସି ଆସିଛି, ଯେତେବେଳେ କି ଲକ୍‌ଡାଉନ୍‌ ପୂର୍ବରୁ ରୋସ୍‌ନୀ କାମ କରୁନଥିବା ବେଳେ ଏହା ଟ. ୧୪,୦୦୦ ଥିଲା ।

ରୁକ୍‌ସାନା କୁହନ୍ତି, ‘‘ଆମର ଆୟ ହ୍ରାସ ପାଇଛି କିନ୍ତୁ ଆମର ଖର୍ଚ୍ଚ ନୁହେଁ’’ ଯେପରି ଆଇଟମ୍ ଉପରେ ଗ୍ରସରୀ, ସ୍କୁଲ୍ ଦେୟ, ବିଦ୍ୟୁତ୍‌ ବିଲ୍‌, ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଏବଂ ଖାଦ୍ୟଶସ୍ୟ (ପରିବାରର ରାସନ କାର୍ଡ ନାହିଁ ଏବଂ ସେମାନେ ଏଥିପାଇଁ ଆବେଦନ ମଧ୍ୟ କରିନାହାନ୍ତି)।

ରୁକ୍‌ସାନା ତାଙ୍କ ଝିଅ ଉପରେ ପଡ଼ିଥିବା ଆର୍ଥିକ ଦାୟିତ୍ୱ ସମ୍ପର୍କରେ ବିବ୍ରତ । ସେ କୁହନ୍ତି ରୋସ୍‌ନୀ ଖୁବ୍‌ ଛୋଟ । ମୁଁ ତା’ ପାଇଁ ବ୍ୟସ୍ତ । ଏହା ତାହା ପାଇଁ ଖୁବ୍‌ ବଡ଼ ଦାୟିତ୍ୱ ।’’

ଏ ମଧ୍ୟରେ ରୋସ୍‌ନୀ କାମ ଏବଂ ଅନ୍‌ଲାଇନ୍‌ କ୍ଲାସ୍‌ ମଧ୍ୟରେ ସନ୍ତୁଳନ ଜାରି ରଖନ୍ତି । ଯେମିତି ମୁଜାଫର୍ ଏବଂ ମୁବାରକ୍‌ କରୁଛନ୍ତି। ବୃହନ୍‌ମୁମ୍ବାଇ ମହାନଗର ନିଗମ ଘୋଷଣା କରିଛି ଯେ ସହରରେ ସ୍କୁଲ୍‌ଗୁଡ଼ିକ ଡିସେମ୍ବର ୩୧ ପର୍ଯ୍ୟନ୍ତ (ଅତି କମ୍‌ରେ) ବନ୍ଦ ରହିବ ।

ମୁଜାଫର୍‌ ଆଉ ଏକ ଅନ୍‌ଲାଇନ୍‌ କ୍ଲାସରେ ଯୋଗ ଦେବା ପାଇଁ ଘରକୁ ଚାଲି ଚାଲି ଫେରୁଥିବା ବେଳେ କୁହନ୍ତି, ‘‘ଉଭୟ ପାଠପଢ଼ା ଏବଂ କାମ କରିବାକୁ ନେଇ ଆମେ ଚିନ୍ତିତ ନୁହେଁ, ଏହା ଯେତେ ଲମ୍ବା ହେଉନା କାହିଁକି । କିନ୍ତୁ ମୁଁ କେବେହେଲେ ପାଠ ପଢ଼ା ଛାଡ଼ିବି ନାହିଁ । ଯାହା ହେଉନା କାହିଁକି ଆମେ ବର୍ତ୍ତମାନ ସୁଦ୍ଧା କ୍ଳାନ୍ତ ଥିବା ସମୟରେ ମଧ୍ୟ ପଢ଼ିବାରେ ଅଭ୍ୟସ୍ତ ହୋଇଗଲୁଣି, ଆଗକୁ ମଧ୍ୟ ଏହା କରିପାରିବୁ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli is a Senior Reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE