୧୯୪୯  ମସିହାର କଥା । ଜୀବନ କୃଷ୍ଣା ପୋଦ୍ଦର୍‌, ବୟସ ୧୪ ବର୍ଷ, ନିଜ ବାପାମା ଓ ଜେଜେମାଙ୍କ ସହିତ  ପଶ୍ଚିମ ବଙ୍ଗର ବରିସାଲ୍‌ ଜିଲ୍ଲାରୁ ପଳାୟନ କରିଥିଲେ । ୧୯୪୬ ମସିହାର ନୋଆଖାଲି ଦଙ୍ଗା ଯୋଗୁ ସେଠାରୁ ଅନେକ ଲୋକ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଆରମ୍ଭ କରିଥିଲେ ଯାହା ବହୁଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ଦୁଇବର୍ଷ ପର୍ଯ୍ୟନ୍ତ ଲୁଚିଛପି ରହିବାପରେ , ଏହି ପରିବାର ସୁନ୍ଦରବନରେ ଆସି ପହଞ୍ଚିଥିଲା ।

ବର୍ତ୍ତମାନ ତାଙ୍କ ବୟସ ୮୦ରୁ ଅଧିକ ହେବ ଓ ସେ ଏକ ବର୍ଷାଦିନର ସନ୍ଧ୍ୟାରେ ନିଜ ଘର ବାରଣ୍ଡା ଉପରେ ବସି, ଅତୀତର କଥା ସବୁ ମନେ ପକାଉଛନ୍ତି, ପଥରପ୍ରତିମା ବ୍ଲକ୍‌ର କୃଷ୍ଣଦାସପୁର ଗ୍ରାମ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଓ ଏହା ପଛର କାରଣଗୁଡିକ ମନେପକାଉଛନ୍ତି । “ସେତେବେଳେ ସେଠାରେ ହୋଇଥିବା ହିଂସା ଯୋଗୁ ଆମକୁ ସେ ସ୍ଥାନ ଛାଡିବାକୁ ପଡିଲା । ମୋ ମା ଉଷା ରାଣୀ ପୋଦ୍ଦର, ଆମର ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡିକ ୧୪ଟି ବ୍ୟାଗ୍‌ରେ ଭର୍ତ୍ତି କଲେ । ଆମେମାନେ ଜାହାଜ ଯୋଗେ ଆସି ଖୁଲ୍‌ନା ସହରରେ (ସେତେବେଳେ ପୂର୍ବ ବଙ୍ଗଳାରେ ଥିଲା) ପହଞ୍ଚିଥିଲୁ । ସେଠାରୁ ଗୋଟିଏ ଟ୍ରେନ୍‌ରେ ବସି ବେନାପୋଲ୍‌ରେ ପହଞ୍ଚିଲୁ । ଆମେ ଆମର ଟଙ୍କାପଇସା ଓ ଅଳଙ୍କାର ସବୁ କପଡା ଓ ଜିନଷଗୁଡିକ ଭିତରେ ଲୁଚେଇ ଦେଇଥିଲୁ ।

ଜୀବନ ମନେପକାନ୍ତି ଯେ ତାଙ୍କ ପରିବାରକୁ ପଶ୍ଚିମ ବଙ୍ଗଳାର ନଦିଆଠାରେ ଥିବା ଏକ ଶରଣାର୍ଥୀ ଶିବିରକୁ ଅଣାଯାଇଥିଲା, ଯେଉଁଠାରେ ସେମାନେ ଅନ୍ୟ ୨୦,୦୦୦ରୁ ଅଧିକ ଲୋକଙ୍କ ସହିତ ପ୍ରାୟ ୧୧ମାସ ପର୍ଯ୍ୟନ୍ତ ରହିଥିଲେ । ସେତେବେଳେ ଦଣ୍ଡକାରଣ୍ୟ (ମଧ୍ୟ ଭାରତର ଜଙ୍ଗଲ ଘେରା ବସ୍ତର ଜିଲ୍ଲା), ଆଣ୍ଡାମାନ ଦ୍ୱୀପ ବା ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ବସତି ସ୍ଥାପନ କରିବା ପାଇଁ ଶରଣାର୍ଥୀମାନଙ୍କୁ କୁହାଯାଇଥିଲା । “ମୋ ବାପା ଶରତ ଚନ୍ଦ୍ର ପୋଦ୍ଦର ସୁନ୍ଦରବନକୁ ବାଛିଲେ,” ବୋଲି ଜୀବନ କୁହନ୍ତି । ସିଏ କିଛି ଚାଷଜମି ରଖିବାକୁ ଇଚ୍ଛା କରିଥିଲେ । ମାଛ ଓ ଚାଷ (ବଙ୍ଗାଳିମାନଙ୍କ ପାଇଁ ମାଛ ଓ ଚାଷ) ହେଉଛି ଦୁଇଟି ମୁଖ୍ୟ ଆକର୍ଷଣ । ସେ ଭାବିଲେ ଯେ ଦଣ୍ଡକାରଣ୍ୟ ଓ ଆଣ୍ଡାମାନ୍‌ ଜଙ୍ଗଲରେ ଏଯାଏ ବସତି ସ୍ଥାପନ ହୋଇପାରିନାହିଁ, ଏଣୁ ଏଠାରେ  ଜୀବନଯାପନ କରିବା କଷ୍ଟକର ହେବ । ଜୀବନଙ୍କ ପରିବାର ସେଦିନ ଅନ୍ୟ ୧୫୦ ପରିବାର ସହିତ ମିଶି ହାୱଡାରୁ ସୁନ୍ଦରବନକୁ  ଜାହାଜରେ ଆସି ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଭାରତ ସରକାର ସେମାନଙ୍କୁ ମଥୁରାପୁର ବ୍ଲକ୍‌ ଅନ୍ତର୍ଗତ ଜଙ୍ଗଲକୁ କୃଷି କାମ ପାଇଁ କାଟି ସଫା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।  “ଆମେ ଯେତେବେଳେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲୁ, ଏହା ଅତ୍ୟନ୍ତ କଷ୍ଟକର ଥିଲା । ଏହି ଅଞ୍ଚଳର ୬୦ଭାଗ ସ୍ଥାନରେ ପାଣି ଭର୍ତ୍ତି ହୋଇ ରହିଥିଲା ଓ ବଳକା ୪୦ ଭାଗରେ ଜଙ୍ଗଲ ଥିଲା । ପାନୀୟ ଜଳ ଅପରିଷ୍କାର ହୋଇଥିବାରୁ, ଏହାକୁ ପିଇବାପରେ ଅନେକ ଲୋକ ହଇଜା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ପ୍ରତି ୧୫ଦିନରେ ଥରେ ଡାକ୍ତର ଆସୁଥିଲେ । ସେଠାରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଆମକୁ ଅନେକ ଦିନ ପର୍ଯ୍ୟନ୍ତ ଭୋକରେ ରହିବାକୁ ପଡୁଥିଲା ।

ଜୀବନଙ୍କ ବାପା ଏକ ସରକାରୀ କାର୍ଯ୍ୟାଳୟରେ ଗୋଟିଏ ଚାକିରୀ ପାଇଗଲେ ଯେଉଁଠାରେ ଅନ୍ୟ କର୍ମଚାରୀଙ୍କୁ ହାତପଙ୍ଖା ସାହାଯ୍ୟରେ ବିଞ୍ଚିବା କାମ ତାଙ୍କୁ ଦିଆଯାଇଥିଲା । ତାଙ୍କ ମା କିଛି ମଇଁଷି ରଖିଲେ ଓ କ୍ଷୀର ଓ ଅଣ୍ଡା ବିକ୍ରି କଲେ ।

କାଳକ୍ରମେ ଏହି ପରିବାରକୁ ସରକାରଙ୍କ ତରଫରୁ ୧୦ ବିଘା ଜମି (ପଶ୍ଚିମ ବଙ୍ଗରେ ଏକ ବିଘା ହେଉଛି ଏକ ଏକରର ଏକ-ତୃତୀୟାଂଶ) କୃଷ୍ଣଦାସପୁର ଗ୍ରାମରେ ପ୍ରଦାନ କରାଗଲା, ଯେଉଁଠାରେ ସେମାନେ ଧାନ ଚାଷ କରିବାକୁ ଆରମ୍ଭ କଲେ । କିଛି ଅର୍ଥ ସଞ୍ଚୟ କରିସାରିବା ପରେ, ସେମାନେ ଆହୁରି ଅଧିକ ଜମି କିଣିଲେ ଓ ସେହି ଗ୍ରାମରେ ଏକ ଘର ନିର୍ମାଣ କଲେ, ଯେଉଁଗ୍ରାମର ଜନସଂଖ୍ୟା ବର୍ତ୍ତମାନ ହେଉଛି ୨,୬୫୩ (୨୦୧୧ ଜନସଂଖ୍ୟା ଗଣନା)। ଜୀବନ, ତାଙ୍କ ସ୍ତ୍ରୀ ଓ ୧୧ଜଣ ସନ୍ତାନଙ୍କ ସହିତ ରହନ୍ତି ଓ ପ୍ରାୟ ୨୦୧୦ ମସିହାରେ ସେ ସେହି ଗ୍ରାମର ପୋଷ୍ଟମାଷ୍ଟର ପଦବୀରୁ ଅବସର ଗ୍ରହଣ କରିଛନ୍ତି । ପ୍ରିୟରଞ୍ଜନ ଦାସ, ୬୪, ଯିଏ ଗ୍ରାମ ପୋଷ୍ଟ ଅଫିସ୍‌ରୁ ଜଣେ ପିଅନ୍‌ ଭାବେ ଅବସର ଗ୍ରହଣ କରିଛନ୍ତି, ସେ ମଧ୍ୟ ପଶ୍ଚିମ ବଙ୍ଗରୁ ଆସିଥିବା କଥା  କହିଛନ୍ତି । ସେ ୧୯୫୦ମସିହାରେ, ନିଜ ବାପାମାଙ୍କ ସହିତ ନୂଆଖଳି ଗ୍ରାମରୁ ଆସିଥିଲେ। ସେତେବେଳେ ତାଙ୍କୁ ମାତ୍ର ଦୁଇବର୍ଷ ବୟସ ହୋଇଥିଲା। “ଆମ ପାଖରେ ଖାଇବାକୁ କିଛି ଖାଦ୍ୟ ନଥିଲା, ଏଣୁ ଆମେ ବିଭିନ୍ନ କନ୍ଦା ସିଝାଇ ଖାଉଥିଲୁ । ସେତେବେଳେ ହଇଜା ଭୟଙ୍କର ରୂପ ନେଇଥିଲା, ଯେଉଁଥିପାଇଁ ବହୁ ଲୋକ ଅନ୍ୟତ୍ର ଚାଲିଯିବା ପାଇଁ ବାଧ୍ୟ ହୋଇଥିଲେ। କିନ୍ତୁ ଆମେ ସେଠାରେ ରହିଲୁ, ସେ ମନେପକାନ୍ତି ।

ଯେତେବେଳେ ଇଷ୍ଟ୍‌ ଇଣ୍ଡିଆ କମ୍ପାନି ବଙ୍ଗଳାର ନାଗରିକ ପ୍ରଶାସନ ଭାର ସମ୍ଭାଳିଲେ, ସେତେବେଳେ, ୧୭୬୫ ମସିହା ପରେ ଅନେକ ପରିବାର ପଶ୍ଚିମବଙ୍ଗ, ଛୋଟନାଗ୍‌ପୁର୍‌ ମାଳଭୂମି ଓ ଓଡିଶାର ବିଭିନ୍ନ ଅଞ୍ଚଳରୁ ସୁନ୍ଦରବନରେ ରହିବା ପାଇଁ ଆସିଥିଲେ । ଅମିତେଶ ମୁଖୋପାଧ୍ୟାୟ (ଲିଭିଂ ୱିଥ୍‌ ଡିଜାଷ୍ଟର୍‌ :  କମ୍ୟୁନିଟିଜ୍‌ ଓ ଡେଭେଲପ୍‌ମ୍ୟାଣ୍ଟ ଇନ୍‌ ସୁନ୍ଦରବନ) ଓ ଅନୁ ଜଲାଇସ୍‌ (ପିପୁଲ୍‌ ଏଣ୍ଡ ଟାଇଗର୍ସ : ଏନ୍‌ ଆନ୍ଥ୍ରୋପୋଲୋଜିକାଲ୍‌ ଷ୍ଟଡି ଅଫ୍‌ ଦ ସୁନ୍ଦରବନ୍‌ସ ଅଫ୍‌ ୱେଷ୍ଟ ବେଙ୍ଗାଲ୍‌, ଇଣ୍ଡିଆ)ରେ ଲେଖିଛନ୍ତି ଯେ ଉପନିବେଶର ଶାସକମାନେ, ଯେଉଁମାନେ କେବଳ ରାଜସ୍ୱ ବୃଦ୍ଧି କରିବା ପାଇଁ ଆଗ୍ରହୀ ଥିଲେ, ସେମାନେ ପତିତ ଜମିସବୁ ଚାଷ ଉପଯୋଗୀ କରିବା ପାଇଁ ଓ ସେଠାରେ ଚାଷକାମ କରିବା ପାଇଁ ଉପମହାଦେଶର ବିଭିନ୍ନ ଭାଗରୁ ଶ୍ରମିକମାନଙ୍କୁ ଭଡାରେ ଆଣୁଥିଲେ ।

ଗ୍ରାମୀଣ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଟାଗୋର୍‌ ସୋସାଇଟି, ସୁନ୍ଦରବନ ଅଞ୍ଚଳରେ କାର୍ଯ୍ୟରତ ଏକ ବେସରକାରୀ ସଂସ୍ଥାର ରବି ମଣ୍ଡଳ କୁହନ୍ତି, ‘‘ମେଦିନାପୁର ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ଓ ଦୁର୍ଭିକ୍ଷ, ୧୯୪୭ ମସିହାରେ ବଙ୍ଗ ବିଭାଜନ ଓ ୧୯୭୧ ମସିହାରେ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ଯୋଗୁଁ ବହୁଳ ସଂଖ୍ୟାରେ ଲୋକମାନେ ସେଠାରୁ ଚାଲି ଆସିଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ସୁନ୍ଦରବନରେ ଆସି ପହଞ୍ଚିଥିଲେ ।

ପ୍ରାୟ ୧୯୦୫ମସିହାରେ ମଧ୍ୟ ଅନେକ ଲୋକ ଦେଶାନ୍ତର ଗମନ କରିଥିଲେ, ଯେତେବେଳେ ଗୋସାବା ବ୍ଲକ୍‌ର ଦ୍ୱୀପଗୁଡିକରେ ସମବାୟ ଆନ୍ଦୋଳନ ଜରିଆରେ ଗ୍ରାମୀଣ ଅଞ୍ଚଳର ଉନ୍ନତି ପାଇଁ ଡାନିଏଲ୍‌ ହାମିଲ୍‌ଟନ୍‌ ନାମକ ସ୍କଟ୍‌ଲ୍ୟାଣ୍ଡର ଜଣେ ବ୍ୟବସାୟୀ କାର୍ଯ୍ୟରତ ଥିଲେ। ସେ ଚାଷ କାମପାଇଁ ଶ୍ରମିକମାନଙ୍କୁ ଲିଜ୍‌ରେ ଜମି ଦେଉଥିଲେ। ଦେଶାନ୍ତର ଗମନ କରିଥିବା ସେହି ଲୋକମାନଙ୍କ ପରବର୍ତ୍ତୀ ବଂଶଧରମାନେ ଆଜି ମଧ୍ୟ ଗୋସାବାରେ ବସବାସ କରନ୍ତି ଓ ସୁନ୍ଦରବନର ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ମନେପକାନ୍ତି ।

ଅଶି ବର୍ଷର ରେବତୀ ସିଂ, ଯିଏ ଜ୍ୟୋତିରାମପୁର୍‌ ଗ୍ରାମରେ ରୁହନ୍ତି, ସେ ରାଞ୍ଚିର ମୂଳ ନିବାସୀ ଅଟନ୍ତି । ତାଙ୍କର ଜେଜେବାପା, ଆନନ୍ଦମାୟି ସିଂ, ୧୯୦୭ମସିହାରେ ହାମିଲ୍‌ଟନ୍‌ଙ୍କ ସମବାୟ ଆନ୍ଦୋଳନ ସମୟରେ  ଗୋସାବାକୁ ଆସିଥିଲେ। “ସେ ଟ୍ରାମରେ ବସି କାନିଂ ବ୍ଲକ୍‌କୁ ଆସିଥିଲେ। ସେଠାରୁ ସେମାନେ ବୋଧହୁଏ ଗୋସାବାକୁ ଚାଲିଚାଲି ଆସିଥିବେ, ଯେଉଁଠାକୁ ବର୍ତ୍ତମାନ ପାଦରେ ଚାଲିଚାଲି ଯିବାପାଇଁ ୧୨ଘଣ୍ଟା ସମୟ ଲାଗିବ । ପରବର୍ତ୍ତୀ ସମୟରେ, ହାମିଲ୍‌ଟନ୍‌ ସେମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଛୋଟ ଛୋଟ ବୋଟ୍‌ମାନ ନିର୍ମାଣ କରିଥିଲେ ।

ସେତେବେଳେ ସେଠାର ଜନସଂଖ୍ୟା ଅଳ୍ପ ହୋଇଥିବା ଓ ବାରମ୍ବାର ବାଘ, କୁମ୍ଭୀରମାନେ ଆକ୍ରମଣ କରିବା ଓ ପିଇବା ପାଇଁ ବିଶୁଦ୍ଧ ପାଣିର ଅଭାବ ବିଷୟରେ ରେବତୀ ଶୁଣିଛନ୍ତି । ବର୍ତ୍ତମାନ ସେହି ସ୍ଥିତି କଣ ବଦଳିଛି? ‘‘ବର୍ତ୍ତମାନ କମ୍‌ ସଂଖ୍ୟକ ବାଘ ଆକ୍ରମଣ କରୁଛନ୍ତି’’, ସେ କୁହନ୍ତି । “ସେତେବେଳେ ସେଠାରେ ଚାକିରି କରିବା ପାଇଁ କୌଣସି ସୁବିଧା ନଥିଲା ଓ ଏବେ ମଧ୍ୟ କାମ ପାଇବା ଏକ ସମସ୍ୟା ଅଟେ । ମୁଁ ଧାନ ଚାଷ କରୁଥିଲି କିନ୍ତୁ ବାରମ୍ବାର ନଦୀପାଣି ମାଡି ଯାଉଥିବାରୁ ମୁଁ ବନ୍ଦ କରିଦେଇଛି । “ରେବତୀଙ୍କ ତିନୋଟି ପୁଅ ଅସଙ୍ଗଠିତ କ୍ଷେତ୍ରରେ କାମ କରନ୍ତି ।’’

ଲଖଣ ସର୍‌ଦାର, ଯାହାର ଜେଜେବାପା ଭାଗଲ୍‌ ସର୍‌ଦାର୍‌, ସମବାୟ ଆନ୍ଦୋଳନରେ ଭାଗ ନେବାପାଇଁ ରାଞ୍ଚିରୁ ଆସିଥିଲେ, ମନେପକାଇ କୁହନ୍ତି ଯେ ହାମିଲ୍‌ଟନ୍‌ଙ୍କ ନିମନ୍ତ୍ରଣରେ ସୁନାମଧନ୍ୟ କବି ଓ ଲେଖକ ରବୀନ୍ଦ୍ରନାଥ ଟାଗୋର୍‌ ମଧ୍ୟ ୧୯୩୨ ମସିହାରେ ଗୋସାବା ଆସିଥିଲେ । 

PHOTO • Urvashi Sarkar

ଲଖଣ ଓ ସନ୍ଧ୍ୟା ସର୍‌କାର୍‌ : ଲଖଣଙ୍କ ଜେଜେବାପା ରାଞ୍ଚିରୁ ଗୋସାବାକୁ ୧୯୦୦ମସିହାର ଆରମ୍ଭରେ ପ୍ରବାସରେ ଆସିଥିଲେ

ସୁନ୍ଦରବନରେ ବସବାସ କରୁଥିବା ଜନସଂଖ୍ୟାର ଏକ ବିରାଟ ଅଂଶ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରୁ ଆସିଛନ୍ତି। ମେଦିନାପୁରରେ ବାରମ୍ବାର ବନ୍ୟା ଓ ଦୁର୍ଭିକ୍ଷ ହେବା ଯୋଗୁଁ ସେଠାକାର ବାସିନ୍ଦାମାନେ ସୁନ୍ଦରବନ ଆସି ସେଠାରେ ଜମିରେ ଶ୍ରମିକ ବା କୃଷକ ଭାବେ କାମ କରିବା ପାଇଁ ବାଧ୍ୟ ହୋଇଥିଲେ। ଜ୍ୟୋତିରାମ୍‌ପୁରର ଜ୍ୟୋତିର୍ମୟ ମଣ୍ଡଳ ଅତୀତ କଥା ମନେପକାଇ କୁହନ୍ତି ଯେ ତାଙ୍କର ଜେଜେବାପା, ହାମିଲ୍‌ଟନ୍‌ଙ୍କ ସମବାୟ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ମେଦିନାପୁରରୁ ସୁନ୍ଦରବନକୁ ଚାଲି ଚାଲି ଆସିଥିଲେ । “ଜେଜେବାପା ସେଠାରେ ଜଣେ ରାତ୍ରି ଜଗୁଆଳିର କାମ କଲେ ଓ ଶେଷରେ ଜ୍ୱର ହୋଇ ମରିଗଲେ । ମୋ ଜେଜେମା, ଦିଗମ୍ବରୀ ମଣ୍ଡଳ, ଜୀବିକା ନିର୍ବାହ କରିବା ପାଇଁ ଅନ୍ୟ ଲୋକମାନଙ୍କ ମଇଁଷି ଜଗୁଥିଲେ, ଧାନ ଚାଷ କରୁଥଲେ ଓ ଘିଅ ବିକ୍ରି କରୁଥିଲେ ।’’

ମହମ୍ମଦ ମହ୍ଲାର୍‌ ସେଖ୍‌ ଗୋସାବାର ଆରମ୍‌ପୁର୍‌ ଗ୍ରାମରେ କାଠ କାଟି ଜୀବିକା ନିର୍ବାହ କରନ୍ତି । ତାଙ୍କର ପଣି ଜେଜେବାପା ୧୫୦ ବର୍ଷ ପୂର୍ବେ ନିଜର ଦୁଇ ଭାଇଙ୍କ ସହିତ ମେଦିନାପୁରରୁ ସୁନ୍ଦରବନକୁ  ଆସିଥିଲେ । “ଆମେ ସେମାନଙ୍କଠାରୁ ଶୁଣିଛୁ ଯେ କିଭଳି ଭାବେ ସେମାନେ ତତଲା ଲୁହା ଛଡ ଧରି ବାଘମାନଙ୍କ ପଛରେ ଦଉଡୁଥିଲେ। ଏକଥା ମଧ୍ୟ ଆମେ ଶୁଣିଆସିଛୁ ଯେ କିଭଳି ଭାବେ ବାରମ୍ବାର ସେମାନଙ୍କୁ ବନ୍ୟା ଓ ଦୁର୍ଭିକ୍ଷର ସାମନା କରିବାକୁ ପଡୁଥିଲା ଓ ସେମାନଙ୍କ ଧାନ କ୍ଷେତ ନଷ୍ଟ ହେଉଥିବା ସେମାନେ ଦେଖୁଥିଲେ।’’
PHOTO • Urvashi Sarkar

ମହମ୍ମଦ୍‌ ମହ୍ଲାର୍‌ ସେଖ୍‌ଙ୍କ ପଣି ଜେଜେବାପା ୧୫୦ ବର୍ଷ ପୂର୍ବେ ମେଦିନାପୁର୍‌ରୁ ସୁନ୍ଦରବନ ଆସିଥିଲେ

୧୯୪୩ ମସିହାରେ ପଶ୍ଚିମବଙ୍ଗରେ ପଡିଥିବା ଦୁର୍ଭିକ୍ଷର କଠୋରତା ନ ସହିପାରି ଅନେକ ଲୋକ ମେଦିନାପୁର ଛାଡି ସୁନ୍ଦରବନକୁ ଚାଲି ଆସିଥିଲେ। ଏହି ସମୟରେ ଏକସ୍ତରୀ ବର୍ଷର ହରିପ୍ରିୟା କରଙ୍କ ସ୍ୱାମୀଙ୍କ ପରିବାର ମଧ୍ୟ ଗୋସାବାକୁ ସ୍ଥାନାନ୍ତରିତ ହୋଇ ଆସିଥିଲେ ।  ଜ୍ୟୋତିରାମପୁର୍‌ ଗ୍ରାମ, ଯେଉଁଠାରେ ସେ ରୁହନ୍ତି, ତାହା ତାଙ୍କ ଶ୍ୱଶୁର ଜ୍ୟୋତିରାମ କରଙ୍କ ନାମ ଅନୁସାରେ ନାମିତ ହୋଇଛି । “ଜ୍ୟୋତିରାମ ଓ କ୍ଷେତ୍ରମୋହନ, ଦୁଇଜଣ ଦୁଇଭାଇ ଥିଲେ ଓ ମିଶିକରି ମେଦିନାପୁରରୁ ଗୋସାବାକୁ ଆସିଥିଲେ, ସେମାନଙ୍କ ସହିତ ଅନ୍ୟ ୨୭ଟି ପରିବାର ମଧ୍ୟ ଆସିଥିଲେ । ଏହି ପରିବାରଗୁଡିକ ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲ ସବୁ କାଟି ସଫା କରିଥିଲେ  ଓ ସେଠାରେ ବସତି ସ୍ଥାପନ କରିଥିଲେ’’ ବୋଲି ସେ କୁହନ୍ତି ।

ହରିପ୍ରିୟା କଥା କହୁଥିବା ବେଳେ ତାଙ୍କ ଘରର ଛାଇ ଅନ୍ଧାରରେ ଦେଖାଯାଉଥିଲା । କିଛି ଘଣ୍ଟା ପୂର୍ବରୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇ ଯାଇଥିଲା । ଏଠାରେ ଜୀବିକା ନିର୍ବାହ କରିବା ପନ୍ଥାର ବିକଳ୍ପ ବହୁତ କମ୍‌, ଏଠାରେ ଡାକ୍ତରି ସହାୟତା ସହଜରେ ମିଳିନଥାଏ ଓ ସଡ଼କ ଏବଂ ପରିବହନ ବ୍ୟବସ୍ଥା ସହିତ ସଂଯୋଗୀକରଣ ହେଉଛି ଏକ ବଡ଼ ବାଧକ । ତଥାପି, ସୁନ୍ଦରବନର ମୂଳ ବାସିନ୍ଦାମାନଙ୍କ ବଂଶଧରମାନଙ୍କୁ ତାଙ୍କ ପୂର୍ବପୁରୁଷଙ୍କ ଭଳି କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡୁନାହିଁ । ଏକ ଉତ୍ତମ ଜୀବନପାଇଁ ସଂଗ୍ରାମ ଏବେ ବି କାୟମ ରହିଛି, କିନ୍ତୁ ସେମାନେ ଅତୀତର ସେହି ଦୁଃଖ ଓ ଅଭାବର ଚିତ୍ର ଏବେ ବି ତାଙ୍କ ମନରେ ସତେଜ ହୋଇ ରହିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

Other stories by Urvashi Sarkar