“ମୁଁ ଗୋଟିଏ କାମୋତ୍‌କୁ ହଠାତ୍‌ ଧରିପକେଇଲି । ବର୍ତ୍ତମାନ ମଧ୍ୟ ଆପଣମାନେ ଏହାର ଦାନ୍ତ ଚିହ୍ନ ସ୍ପଷ୍ଟ ଦେଖିପାରିବେ । “ନିତାଇ ଜୋଦ୍ଦାର୍‌, ଏକ ମଉଲି (ମହୁ ସଂଗ୍ରାହକ), ଯେତେବଳେ ଏକ କାମୋତ୍‌ (କୁମ୍ଭୀର) ତାଙ୍କୁ ନିତମ୍ବଠାରୁ ଗୋଡ ପର୍ଯ୍ୟନ୍ତ ଚୋବେଇ ଥିଲା, ସେତେବେଳେ କଣ ହୋଇଥିଲା, ତାହା ସଠିକ୍‌ ଭାବେ ମନେପକାଉଛନ୍ତି । ଏହା ହେଉଛି ୨୩ମାର୍ଚ୍ଚ ୧୯୮୦ର କଥା ଓ ଆମେମାନେ ରାଇମଙ୍ଗଳ ନଦୀକୁ ମାଛ ଧରିବାପାଇଁ ଯାଇଥିଲୁ ।

ପଶ୍ଚିମ ବଙ୍ଗର ଉତ୍ତର ୨୪ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହେମନଗର ଗ୍ରାମର ନିତାଇଙ୍କ ବୟସ ହେଉଛି ୪୧ବର୍ଷ । ତାଙ୍କ ବାପା, ଜଣେ ମହୁ ସଂଗ୍ରାହକ, ନିତାଇଙ୍କୁ ୧୦ ବର୍ଷ ହୋଇଥିବା ବେଳେ, ମହୁ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯିବାବେଳେ ନିଜ ସହିତ ନେଇ ଯାଉଥିଲେ । କାମୋତ୍‌ ଘଟଣା ଘଟିବା ପରେ ନିତାଇ ନିଜର ସୁରକ୍ଷା ପାଇଁ ଏକ ଡେଉଁରିଆ ପିନ୍ଧୁଛନ୍ତି । ସୁନ୍ଦରବନର ବିଭିନ୍ନ ସ୍ଥାନରେ ନଦୀବନ୍ଧଗୁଡିକରେ କୁମ୍ଭୀର ସହିତ ମୁହାଁମୁହୁଁ ହେବା ଅତି ସାଧାରଣ ଘଟଣା । ଲୋକମାନେ, ବିଶେଷକରି ମାଛ ଧରିବା କାମ କରୁଥିବା ଲୋକମାନେ, ପ୍ରାୟତଃ ଆଘାତପ୍ରାପ୍ତ ହୋଇଥାନ୍ତି ଓ ଅନେକ ସମୟରେ ସେମାନଙ୍କ ମୃତ୍ୟୁ ମଧ୍ୟ ହୋଇଯାଏ ।

କୁମ୍ଭୀର କାମୁଡିବା ପରେ ନିତାଇ ଜୋଦ୍ଦାର ଏହି ବାହୁ ବଳା ପିନ୍ଧୁଛନ୍ତି ଓ ଏହା ତାଙ୍କୁ ସୁନ୍ଦରବନର ଜଙ୍ଗଲରେ ବିଭିନ୍ନ ବିପଦରୁ ସୁରକ୍ଷା ପ୍ରଦାନ କରିବ ବୋଲି ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି

ବିକ୍ରି ଉଦ୍ଦେଶ୍ୟରେ ମହୁ ସଂଗ୍ରହ କରିବା ହେଉଛି ସୁନ୍ଦରବନ ଅଞ୍ଚଳର ଏକ ସାଧାରଣ ବୃତ୍ତି- ଓ ଏହା ବେଳେବେଳେ ଅତ୍ୟନ୍ତ ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ । ନିତାଇ ଓ ଅନ୍ୟମାନଙ୍କ କ୍ଷେତ୍ରରେ, କୁମ୍ଭୀର ଆକ୍ରମଣ କରିବା ସମ୍ଭାବନା ରହିଥିବା ଯେତିକି ସତ୍ୟ, ମାଛ ଧରିବାବେଳେ ବା ଘନ ଜଙ୍ଗଲ ଭିତରେ ମହୁ ସଂଗ୍ରହ କରିବା ବେଳେ ବାଘ ଭୟ ମଧ୍ୟ ସେତିକି ସତ୍ୟ । ସୁନ୍ଦରବନର ବିଭିନ୍ନ କାର୍ଯ୍ୟକଳାପ ସମ୍ବନ୍ଧୀୟ ବିଭାଗର ୱେବ୍‌ସାଇଟ୍‌ ମୁତାବକ “….. ସୁନ୍ଦରବନର ଲୋକମାନଙ୍କୁ ବିଭିନ୍ନ ସମୟରେ ବନ୍ୟପ୍ରାଣୀମାନେ ଆକ୍ରମଣ କରିଥାନ୍ତି – ସାର୍କ, କୁମ୍ଭୀର ବା ବାଘ… ବିଶେଷକରି ଯେତେବେଳେ କେଉଟ ବା ମହୁ ସଂଗ୍ରାହକମାନେ ଘଞ୍ଚ ------ଜଙ୍ଗଲ ମଧ୍ୟକୁ ଯାଇଥାନ୍ତି…”। ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଏହିପରି ଆକ୍ରମଣ ଜନିତ ବିପଦ ହାର ସମାନ ଅଟେ, ଯଦିଓ ସାଧାରଣତଃ ଏହି ସମ୍ପ୍ରଦାୟର ମହିଳାମାନଙ୍କୁ ସଂପ୍ରସାରିତ ମହୁ ସଂଗ୍ରହ ଯାତ୍ରାରେ ଯିବା ପାଇଁ ଅନୁମତି ନାହିଁ ।

ସୁନ୍ଦରବନରେ ମହୁ ସାଧାରଣତଃ ଏପ୍ରିଲ୍‌ ରୁ ଜୁନ୍‌ ମାସ ମଧ୍ୟରେ ସଂଗ୍ରହ କରାଯାଏ । ଏହି ମାସଗୁଡିକରେ, ରାଜ୍ୟ ସରକାର ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଇଦିଅନ୍ତି, ଯାହାଫଳରେ ମାଛ ସଂଖ୍ୟା ପୁଣି ବୃଦ୍ଧି ପାଇପାରିବ । ଏହା ସେତେବେଳେ କରାଯାଉଛି, ଯେତେବେଳେ ଅନେକ ମାଛଧରାଳି ମହୁ ସଂଗ୍ରାହକ ପାଲଟିଛନ୍ତି ଓ ଜଙ୍ଗଲକୁ ଦୁଇଥର ଯାଉଛନ୍ତି, ପ୍ରତ୍ୟେକ ଥର ୧୫ ବା ଅଧିକ ଦିନ ପାଇଁ ।

ପଶ୍ଚିମବଙ୍ଗ ହେଉଛି ଏକ ପ୍ରମୁଖ ମହୁ-ଉତ୍ପାଦନକାରୀ ରାଜ୍ୟ ଓ ଉତ୍ପାଦନର ଏକ ବଡ ଭାଗ ରପ୍ତାନି ହୋଇଥାଏ । ମହୁଁ ସଂଗ୍ରହ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହେବାକୁ ହୋଇଥାଏ । ମହୁ ଏକତ୍ର କରୁଥିବା ବ୍ୟକ୍ତିମାନେ ବନ ବିଭାଗକୁ ଜଣାଇଥାନ୍ତି, ଯେଉଁ ବୋଟ୍‌ ମାଲିକଙ୍କ ପାଖରେ BLC( ବୋଟ୍‌ ଲାଇସେନ୍ସ ସାର୍ଟିଫିକେଟ୍‌) ଅଛି, ତାଙ୍କଠାରୁ ବୋଟ୍‌ ଭଡାରେ ଆଣନ୍ତି ଓ ଋଣଦାତା ବା ମହାଜନଙ୍କଠାରୁ ଟଙ୍କା ଧାରରେ ଆଣନ୍ତି। ନିତାଇଙ୍କ ପୁଅ ସଞ୍ଜିତ୍‌ ପୋଦ୍ଦର, ୨୩, ବର୍ଣ୍ଣନା କରି କୁହନ୍ତି ଯେ,: “ଯଦି ୫ରୁ୬ ଜଣ ବ୍ୟକ୍ତି ଏକତ୍ର ହୋଇ ମହୁ ସଂଗ୍ରହ କରିବାକୁ ଯାଉ, ତେବେ ଆମେ ମିଳିତଭାବେ ୧୦,୦୦୦ – ୧୫,୦୦୦ଟଙ୍କା ଧାର କରିଥାଉ । ଏହି ବାବଦକୁ ଆମକୁ ୨-୩ ପ୍ରତିଶତ ସୁଧ ଦେବାକୁ ପଡେ, ଯାହା ଆମେ ମୂଳଧନ ସହ ଫେରସ୍ତ କରିଥାଉ, ପ୍ରାୟ ୩୦-୪୫ଦିନ ମଧ୍ୟରେ । ବର୍ଷକୁ ଥରେ ଆମେ ଏହି ଋଣ ନେଇଥାଉ ।

PHOTO • Urvashi Sarkar

ସୁନ୍ଦରବନର ମଉଲିମାନେ ( ଡାହାଣରୁ ବାମ ) ନିତାଇ ଜୋଦ୍ଦାର୍‌ , ବିନୟ ମଣ୍ଡଳ ଓ ହରିପାଦ ଜୋଦ୍ଦର୍‌

୧୫-ଦିନର ଯାତ୍ରାପାଇଁ ଆବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ଉଧାରରେ ଟଙ୍କା ଆଣିବାକୁ ହୋଇଥାଏ । ଗୋଟିଏ ଋତୁ ପାଇଁ ବୋଟ୍‌ ଭଡା ନେଲେ ୨,୮୦୦-୩,୦୦୦ ଟଙ୍କା ବ୍ୟୟ କରିବାକୁ ହୁଏ( ଏପ୍ରିଲ୍‌ ରୁ ଜୁନ୍‌ ମଧ୍ୟରେ ୬୦ ଦିନ ପାଇଁ). ବୋଟ୍‌ର ମାଲିକକୁ ମଧ୍ୟ ଦୟାକରି କିଛି ଦେବାକୁ ହୋଇଥାଏ – ମାତ୍ର କିଛି କେଜି ମହୁ। ଆହୁରିମଧ୍ୟ ଜଙ୍ଗଲରେ କାଳେ କିଛି ଦୁର୍ଘଟଣା ଘଟିବ, ତାକୁ ଦୃଷ୍ଟିରେ ରଖି ବନ ବିଭାଗକୁ ବାର୍ଷିକ ୧୨୦ଟଙ୍କା ବୀମା ବାବଦକୁ ଦେବାକୁ ପଡିଥାଏ। ସମସ୍ତ ପ୍ରକାରର ଋଣ ପରିଶୋଧ କରିସାରିବା ପରେ ଓ ପାଉଣା ଦେଇ ସାରିବା ପରେ, ପ୍ରତ୍ୟେକ ମୌଲି ୧୫,୦୦୦ – ୨୫,୦୦୦ ଟଙ୍କା ପାଇଥାନ୍ତି (ସମ୍ପୂର୍ଣ୍ଣ ଋତୁରେ)।

ବେଳେବେଳେ, ମୌଲିମାନଙ୍କୁ ଅନ୍ୟ ପ୍ରକାରେ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ: ଜଙ୍ଗଲରେ ବୁଲୁଥିବା ବେଳେ ଡାକୁମାନେ ସେମାନଙ୍କଠାରୁ ଚୋରି କରିନିଅନ୍ତି ବା ସେମାନଙ୍କୁ ମଧ୍ୟ ଅପହରଣ କରିଦିଅନ୍ତି । ଗତବର୍ଷ ଡାକୁମାନେ କିଛି ଲୋକଙ୍କୁ ଅପହରଣ କରିନେବା ଓ ସେମାନଙ୍କୁ ମୁକୁଳେଇବା ପାଇଁ ତାଙ୍କ ପରିବାରକୁ ୨-୩ ଲକ୍ଷ ଟଙ୍କା ଯୋଗାଡ କରିବା କଥା ନିତାଇଙ୍କ ମନେପଡୁଛି ।

“ଆକାଶ ଯେତେବେଳେ ନିର୍ମଳ ଥାଏ ଓ ନଦୀରେ ଜୁଆର କମ୍‌ ଥାଏ, ସେତେବେଳେ ଆମେ ଯାତ୍ରା ଆରମ୍ଭ କରୁ” ବୋଲି ନିତାଇ କୁହନ୍ତି । ‘‘ଆମ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆମକୁ କିଛି ଘଣ୍ଟା ସମୟ ଲାଗିଥାଏ ଯାହା ଜୁଆର ଉପରେ ନିର୍ଭର କରିଥାଏ । ଆମେ ବୋଟ୍‌କୁ ଛାଡୁ ଓ ଜଙ୍ଗଲ ଭିତରକୁ ପ୍ରବେଶ କରୁ । ନଦୀ ତୀରରେ ବୋଟ୍‌ ଚଲେଇବା ପାଇଁ ଜଣେ ଲୋକ ପଛରେ ରହିଥାଏ । ଯେତେବେଳେ କିଛି ପରିମାଣର ମହୁ ସଂଗ୍ରହ ହୋଇଯାଏ, ଆମେ ତାହା ବୋଟ୍‌ରେ ରଖିଦେଉ । ଆମେ ବୋଟ୍‌ରେ ଖାଇଥାଉ ଓ ଶୋଇଥାଉ ମଧ୍ୟ ।’’

ମାଛିମାନେ ଯେଉଁ ଦିଗରେ ଉଡ଼ନ୍ତି, ତାହା ମୌଲିମାନଙ୍କୁ ମହୁଫେଣା ଥିବା ଗଛର ସନ୍ଧାନ ଦେଇଥାଏ,” ବୋଲି ନିତାଇ କହନ୍ତି। “ଆମେ ଶୁଖିଲା ପତ୍ର ଓ ସବୁଜ ହେତାଳ ପତ୍ରଗୁଡିକ ସ୍ତରରେ ରଖି ବଣ୍ଡଲ୍‌ ପ୍ରସ୍ତୁତ କରୁ. ଯାହାକୁ ଏକ ବାଡିରେ ଲଗାଯାଇ ଥାଏ” ନିତାଇ କୁହନ୍ତି। ଆମେ ସେହି ବଣ୍ଡଲ୍‌କୁ ଜାଳିଦେଉ ଓ ସେଥିରୁ ବାହାରୁଥିବା ଧୂଆଁ ଚକ୍ରାକାରରେ ମହୁ ଫେଣା ପାଖରେ ପହଞ୍ଚିଯାଏ। ମହୁଫେଣାକୁ ଭାଙ୍ଗିବା ପାଇଁ ଏକ ତୀକ୍ଷଣ ଉପକରଣ ବ୍ୟବହାର କରାଯାଏ। ଆମେ ସମ୍ପୂର୍ଣ୍ଣ ମହୁଫେଣା ଭାଙ୍ଗୁନାହିଁ, ଯେହେତୁ ଏହା ପୁଣି ବଢିବା ଆବଶ୍ୟକ।
PHOTO • Urvashi Sarkar

ହେମନଗର ଗ୍ରାମରେ ଏକ ମହୁଫେଣା / ମହୁଫେଣା ଭାଙ୍ଗିବାପାଇଁ ବ୍ୟବହାର କରାଯାଉଥିବା ତୀକ୍ଷଣ ଓ ବଙ୍କା ଉପକ୍ରମ

ବେଳେବେଳେ ମହୁମାଛିମାନେ ଆସନ୍ନ ବିପଦ ବିଷୟରେ ଜାଣିପାରନ୍ତି ଓ ଧୂଆଁ ଉପରକୁ ନଉଠିବା ପୂର୍ବରୁ ଦଂଶନ କରିଥାନ୍ତି । କିନ୍ତୁ ଅଏଣ୍ଟମେଣ୍ଟ ବା ସୁରକ୍ଷା ପୋଷାକମାନ ନିତାଇ ଓ ତାଙ୍କ ସହକର୍ମୀମାନଙ୍କ କୌଣସି କାମରେ ଆସିନଥାଏ । “ଆମେ କେବଳ ମାଛିର ଶୁଂକକୁ ଆମ ଆଙ୍ଗୁଠି ସହାୟତାରେ ବାହାର କରିଦେଉ । ଥରେ ଜଣେ ଲୋକକୁ ୩୦୦-୪୦୦ ମହୁମାଛି ଏକାସଙ୍ଗେ ଦଂଶନ କରିଥିଲେ। ସେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଉଠିପାରିଲେ ନାହିଁ ବା ଖାଇପାରିଲେ ନାହିଁ ।’’

ନିତାଇ ଦୁଇଟି ଜିନିଷ ଉପରେ ବିଶ୍ୱାସ ରଖନ୍ତି : ତାଙ୍କର ଡେଉଁରିଆ ଓ ବନ୍‌ବିବି, ଜଙ୍ଗଲ ଓ ଲୋକଙ୍କ ରକ୍ଷକ, ସୁନ୍ଦରବନର ପରମପୂଜ୍ୟ ଭଗବାନ।

“ପରିସ୍ଥିତିର କଠୋରତାକୁ ଦୃଷ୍ଟିରେ ରଖି, ବିଭିନ୍ନ ଭାବେ ମା’ଙ୍କ ନାମ ଗାନ କରାଯାଏ,” ବୋଲି ସେ କୁହନ୍ତି । ଆମେ ତାଙ୍କୁ ଏକ ଗୀତ ଆବୃତ୍ତି କରିବାକୁ କହିଲୁ ଓ ସେ ଅଣନିଶ୍ୱାସି ହୋଇ ଦ୍ରୁତ ଗତିରେ ବଙ୍ଗାଳି ଭାଷାରେ ଗୋଟିଏ ଆବୃତ୍ତି  କଲେ, ଯାହା ମହୁ ସଂଗ୍ରାହକମାନେ ଘର ଛାଡି ଜଙ୍ଗଲକୁ ଯିବା ବେଳେ ଗାଇଥାନ୍ତି ।

ଯେପରି ସବୁବେଳେ ସୁନ୍ଦରବନରେ ରହିବାବେଳେ ହୋଇଥାଏ, ଆଲୋଚନା ମଧ୍ୟ ବାଘମାନଙ୍କ ଉପରେ କେନ୍ଦ୍ରିତ ହୋଇଗଲା । ଓ ପ୍ରତ୍ୟେକଙ୍କ ପାଖରେ ଗୋଟିଏ ବା ଦୁଇଟି କାହାଣୀ ବର୍ଣ୍ଣନା କରିବାକୁ ଥିଲା. “ଥରେ ମୋର ଜଣେ ବନ୍ଧୁଙ୍କ ବାଘ ସହିତ ମୁହାଁମୁହିଁ ହୋଇଥିଲା ଓ ସେ ଡରରେ ବରଫ ପାଲଟି ଯାଇଥିଲେ,’’ ନିତାଇ ମନେପକାନ୍ତି । “ମୁଁ ବୋନ୍‌ବିବିଙ୍କ କେତେକ ମନ୍ତ୍ର ଗାନ କଲି – କିନ୍ତୁ ସେ ତାକୁ ରକ୍ଷା କଲେ ନାହିଁ ଓ ବାଘ ତାଙ୍କୁ ମାରିଦେଲା । ମୁଁ ତାଙ୍କ ଶରୀର ପାଇଲି ଓ ତାଙ୍କ ଘରକୁ ନେଇଗଲି । ବହୁ ବର୍ଷ ପୂର୍ବେ, ପ୍ରାୟ ୧୫୦-୨୦୦ ଲୋକ ଜଙ୍ଗଲରେ ଗୋଟିଏ ବାଘକୁ ଘେରିଗଲେ । ତଥାପି ଏହା ୧-୨ଜଣ ଲୋକଙ୍କୁ ଟାଣିନେଲା ।

ଏପରି ଏକ ସମୟ ଥିଲା, ସେ କୁହନ୍ତି, ଯେତେବେଳେ ବାଘ ମାରିଲେ ସରକାରଙ୍କ ତରଫରୁ ପୁରସ୍କାର ମିଳୁଥିଲା । “କିନ୍ତୁ  ବର୍ତ୍ତମାନ, କେହି ମଧ୍ୟ ସେମାନଙ୍କୁ ସ୍ପର୍ଶ କରିପାରିବେନାହିଁ, ଆଇନ୍‌ଗୁଡିକ କାରଣରୁ ।’’ ନିତାଇ ପରି ସୁନ୍ଦରବନରେ ବସବାସ କରୁଥିବା ଅନ୍ୟମାନେ ବେଳେବେଳେ ଏହା ଭାବନ୍ତି ଯେ ରାଜ୍ୟ ସରକାର ଲୋକମାନଙ୍କ ତୁଳନାରେ ବାଘଗୁଡିକୁ ଅଧିକ ସୁରକ୍ଷା ପ୍ରଦାନ କରୁଛନ୍ତି। “କାଳେ ବାଘମାନଙ୍କ ନିଦ ଖରାପ ହୋଇଯିବ, ସେଥିପାଇଁ ଆମେ ଜଙ୍ଗଲକୁ ମଧ୍ୟ ଯାଇ ପାରୁନାହୁଁ ’’ ବୋଲି ସେ ଥଟ୍ଟା କରି କୁହନ୍ତି । କିନ୍ତୁ ସେ ଜାଣିଛନ୍ତି ଯେ ବାଘ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ସ୍ଥାନୀୟ ବନ ସୁରକ୍ଷା କମିଟିର ସଦସ୍ୟ, ଯାହା ହେଉଛି ସରକାରଙ୍କ ବନ ପରିଚାଳନା ନୀତିର ଅଂଶବିଶେଷ । ‘‘ଯଦି ବାଘ ରହିବେନାହିଁ, ତେବେ ସୁନ୍ଦରବନ ମଧ୍ୟ ରହିବ ନାହିଁ । ଲୋକମାନେ ଜଙ୍ଗଲ ଭିତରକୁ ପଶିବେ ଓ ଏହାକୁ ନଷ୍ଟ କରିଦେବେ, ଏଥିରୁ ଏହାକୁ କେହି ମଧ୍ୟ ରକ୍ଷା କରିପାରବେ ନାହିଁ ।’’

ଆମେ ନିତାଇର ଛୋଟ ଓ ସଂକୀର୍ଣ୍ଣ ଘର ଭିତରକ ଗଲୁ, ଯେଉଁଠାରେ ଚଟାଣ ଉପରେ ଆଲୁମିନିୟମ୍‌ ପାତ୍ର ଓ କ୍ୟାନ୍‌ରେ ସେ ମହୁ ସାଇତି ରଖିଛନ୍ତି । “ଏହି ସବୁ ମହୁର ରଙ୍ଗ ଓ ସ୍ୱାଦ, ଏହା କେଉଁ ଗଛ ଓ ଫୁଲ – କେୱରା, ଗୋରାନ୍‌, ଖୋଲ୍‌ସି –ରୁ ବାହାର କରାଯାଇଛି ଓ କେଉଁ ଋତୁରେ ବାହାର କରାଯାଇଛି, ତାହା ଉପରେ ନିର୍ଭର କରିଥାଏ।’’ କିନ୍ତୁ ବ୍ୟବସାୟ ପାଇଁ ବ୍ୟବହାର ହେଉଥିବା ମହୁ ବର୍ଷ ସାରା ସମାନ ଦେଖାଯାଏ ଓ ଏହାର ସ୍ୱାଦ ମଧ୍ୟ ସମାନ ରହିଥାଏ।

PHOTO • Urvashi Sarkar

ମହୁକୁ ଆଲୁମିନିୟମ୍‌ ପାତ୍ରରେ ସାଇତି ରଖାଯାଏ । ଏହି ସବୁ ମହୁର ରଙ୍ଗ ଓ ସ୍ୱାଦ, ଏହା କେଉଁ ଗଛ ଓ ଫୁଲ – କେୱରା, ଗୋରାନ୍‌, ଖୋଲ୍‌ସି –ରୁ ବାହାର କରାଯାଇଛି ଓ କେଉଁ ଋତୁରେ ବାହାର କରାଯାଇଛି, ତାହା ଉପରେ ନିର୍ଭର କରିଥାଏ ।

ସାଧାରଣତଃ, ଏକ ୧୫-ଦିନ ଯାତ୍ରାରେ ୬-୭ଜଣେ ଲୋକ ଅଂଶଗ୍ରହଣ କରିଥାନ୍ତି ଓ ସେମାନେ ଜଣେ ଜଣେ ଆନୁମାନିକ ୧-୧.୫ କ୍ୱିଣ୍ଟାଲ୍‌ ମହୁ ସଂଗ୍ରହ କରିଥାନ୍ତି । ସଂଗୃହିତ ମହୁକୁ ସରକାର ସ୍ଥିର କରିଥିବା ମୂଲ୍ୟରେ ବନ ବିଭାଗକୁ ବିକ୍ରି କରିବା ପାଇଁ ମୌଲିମାନେ ବାଧ୍ୟ ହୋଇଥାନ୍ତି । ସଞ୍ଜିତ୍‌ କୁହନ୍ତି, ଏବର୍ଷର ମୂଲ୍ୟ ହେଉଛି, କେଜି ପିଛି ୧୧୫ଟଙ୍କା- ଓ ଅଗଷ୍ଟ ୨୦୧୬ରେ ସରକାର ଯେଉଁ ମୂଲ୍ୟରେ ବଜାରରେ ଏକ କେଜି ମହୁ ବିକ୍ରି କରିଥିଲେ ତାହା ହେଉଛି ୩୦୦ଟଙ୍କା । ପଶ୍ଚିମବଙ୍ଗ ଫରେଷ୍ଟ ଡେଭଲପ୍‌ମେଣ୍ଟ କୋଅପରେସନ୍‌ ଲିମିଟେଡ୍‌ ଏହି ମହୁକୁ ବିଶୁଦ୍ଧ କରିଥାଏ ଓ ଏହାକୁ ମଉବନ୍‌ ବ୍ରାଣ୍ଡର ମହୁ ଭାବେ ବଜାରକୁ ଛାଡିଥାଏ ।

ଏହି ବର୍ଷ, ବନ ବିଭାଗ ସଂଗ୍ରହ କରାଯାଇଥିବା ସମସ୍ତ ମହୁ କ୍ରୟ ନକରି, ଏକ ନିର୍ଦ୍ଦିଷ୍ଟ ପରିମାଣର ମହୁ ମୌଲିମାନେ ଜମା କରିପାରିବେ ବୋଲି ସରକାର କହିଛନ୍ତି । “ସେମାନେ ଆମ ପରିବାରଠାରୁ ମହୁ କିଣିଲେ ନାହିଁ, କାରଣ ତାଙ୍କର ସେମାନେ ଆବଶ୍ୟକ ପରିମାଣର ମହୁ ପୂର୍ବରୁ ପାଇସାରିଥିଲେ,’’ ବୋଲି ସଞ୍ଜିତ୍‌ କୁହନ୍ତି । ସେ ଓ ତାଙ୍କର ପରିବାର ବଳକାଥିବା ମହୁକୁ ନିଜେ ନିଜେ ବିକ୍ରି କରିବେ ବୋଲି ଯୋଜନା କରିଛନ୍ତି । ଆମେ ପ୍ରାୟ ୮୦-୯୦ କେଜି ମହୁ ସଂଗ୍ରହ କରିଛୁ ଓ ଏହାକୁ କେଜି ପିଛା ୨୦୦-୨୫୦ ଟଙ୍କାରେ ପଡୋଶୀ ଗ୍ରାମରେ ବିକ୍ରି କରିବୁ। ତେବେ, କଲିକତାରେ ଆମକୁ ଆହୁରି ଅଧିକ ମୂଲ୍ୟ ମିଳିପାରିବ ।

ପୂର୍ବବର୍ଷଗୁଡିକରେ, ସଞ୍ଜିତ୍‌ କୁହନ୍ତି ‘‘ଆମେ କେବଳ ପାଞ୍ଚ କେଜି ମହୁ ଆମ ଘରକୁ ନେଇ ପାରୁଥିଲୁ । ବଳକା ସମସ୍ତ ମହୁ ଆମକୁ ବନ ବିଭାଗ ପାଖରେ ଜମା କରିବାକୁ ହେଉଥିଲା । କାଳେ କିଛି ମହୁ ଲୁଚେଇ ରଖିଥିବୁ, ସେଥିପାଇଁ ସେମାନେ ଆମ ବୋଟଗୁଡିକ ଅନୁସନ୍ଧାନ କରୁଥିଲେ। ବଜାରରେ ବିକ୍ରି କରୁଥିବା ବେଳେ ଧରା ପଡିଲେ, ଆମର ବୋଟ୍‌କୁ ଜବତ୍‌ ମଧ୍ୟ କରାଯାଉଥିଲା ।’’

ଯଦିଓ ସଞ୍ଜିତ୍‌, ତାଙ୍କ ବାପାଙ୍କ ଭଳି ଜଣେ ମାଛଧରାଳି ଓ ମହୁ ସଂଗ୍ରାହକ ଅଟନ୍ତି, ତଥାପି ସେ ପ୍ରତିବର୍ଷ ୨-୩ମାସ ପାଇଁ ନିର୍ମାଣ କାର୍ଯ୍ୟ ହେଉଥିବା ସ୍ଥାନରେ କାମ କରିବାପାଇଁ ବାଙ୍ଗାଲୁରୁ ଓ ଚେନ୍ନାଇ ଯାଇଥାନ୍ତି, ଯେଉଁଠାରେ ସେ ଦିନକୁ ୩୦୦-୪୦୦ଟଙ୍କା ଉପାର୍ଜନ କରିଥାନ୍ତି । “ମୋ ବାପା ଓ ତାଙ୍କ ବନ୍ଧୁମାନେ ସୁନ୍ଦରବନରେ କାମ କରିଛନ୍ତି । ସେମାନେ ଜଙ୍ଗଲକୁ ଭଲ ପାଆନ୍ତି ଓ ଏହାକୁ ଛାଡିଦେଲେ ଅନ୍ୟ କେଉଁଠି ଶାନ୍ତି ମିଳିବ ନାହିଁ ବୋଲି କୁହନ୍ତି । ମୋ ବୟସର ପିଲାମାନେ କାମ ପାଇଁ ବିଦେଶ( ବାହର ସ୍ଥାନ) ଯାଉଛନ୍ତି । କେବଳ ମାଛ ଧରି ଓ ମହୁ ସଂଗ୍ରହ କରି ଆମେ ଆମ ପରିବାରର ପ୍ରତିପୋଷଣ କିଭଳି ଭାବେ କରିପାରିବୁ?’’

ନିଜ ପରିବାରର ଉପାର୍ଜନ କ୍ଷମତା ବୃଦ୍ଧି କରିବା ପାଇଁ ସଞ୍ଜିତ୍‌ ବାଧ୍ୟ ହୋଇ ସ୍ନାତକ ଡିଗ୍ରୀ ଲାଭ କରିବା ପୂର୍ବରୁ ପାଠପଢା ଛାଡିଥିଲେ।  ବର୍ତ୍ତମାନ ତାଙ୍କର ଏକ ୧୮ମାସର ଛୋଟ ପୁଅ ଅଛି ଯାହାକୁ ସିଏ ଶିକ୍ଷିତ କରିବା ପାଇଁ ଚାହାନ୍ତି। “ମୋର ପୁଅ ଜଙ୍ଗଲକୁ ଯିବନାହିଁ। ଏହା ଅତି ବିପଦପୂର୍ଣ୍ଣ । କିନ୍ତୁ ନିତାଇ ବିଶ୍ୱାସ କରନ୍ତି ଯେ ଦେଶାନ୍ତର ହୋଇଥିବା ଲୋକମାନେ କେବେ ମଧ୍ୟ ଖୁସିରେ ରହିପାରନ୍ତି ନାହଁ ଯେହେତୁ ବଡ ସହରଗୁଡିକରେ ଠକିହେବା ବା କିଏ ଆପଣଙ୍କୁ ହତ୍ୟା କରିବା ସମ୍ଭାବନା ଅଧିକ ଅଟେ । ତାଙ୍କ ମତରେ, ସୁନ୍ଦରବନରେ କାମ କରିବାବେଳେ ରହିଥିବା ବିପଦ ଏହା ତୁଳନାରେ ଗ୍ରହଣୀୟ ।

PHOTO • Urvashi Sarkar

ନିତାଇ ଜୋଦ୍ଦାର , ୪୧ , ନିଜ ବାପାଙ୍କ ସହିତ ଜଙ୍ଗଲକୁ ଯିବାକୁ ଆରମ୍ଭ କରିଥିଲେ , ତିନି ଦଶନ୍ଧି ତଳେ ଜଣେ ମହୁ ସଂଗ୍ରାହକ ମଧ୍ୟ ଥିଲେ

୨୦୧୫ରେ, ତୃଣମୂଳ କଂଗ୍ରେସ୍‌ର ସାଂସଦ ପ୍ରତିମା ମଣ୍ଡଳ ଯେତେବେଳେ ସୁନ୍ଦରବନର ମହୁ ସଂଗ୍ରାହକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଲୋକସଭାରେ କହୁଥିଲେ, ସେତେବେଳେ ଏହି ବିପଦଗୁଡିକ ସମ୍ବନ୍ଧରେ ମଧ୍ୟ ବିଶେଷ ଉଲ୍ଲେଖ କରିଥିଲେ । ସେ କେନ୍ଦ୍ର ସରକାରଙ୍କୁ ସୁରକ୍ଷାଗତ ପଦକ୍ଷେପ ଗ୍ରହଣ କରିବାପାଇଁ ଓ ପାଣ୍ଠି ଯୋଗାଇବା ପାଇଁ କହିଥିଲେ ।

ଏହାର କୌଣସି ପ୍ରଭାବ ପଡିଛି କି ନାହିଁ ତାହା ବର୍ତ୍ତମାନ ଜାଣିବା ପାଇଁ ଚେଷ୍ଟା କରିବା ସମୟ ଆସିନାହିଁ, କିନ୍ତୁ ଗତ କିଛି ବର୍ଷ ଧରି ନିଶ୍ଚିତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଦୀପ ଚାଟ୍ଟାର୍ଜୀ, ଦକ୍ଷିଣବଙ୍ଗ ମତ୍ସ୍ୟଜୀବୀ ଫୋରମ୍‌ (ଫିସ୍‌ୱାର୍କର୍ସ ଫୋରମ୍‌ ଅଫ୍‌ ସାଉଥ୍‌ ବେଙ୍ଗଲ୍‌) କୁହନ୍ତି, "ସେଠାରେ କେତେକ ଉନ୍ନତି ପରିଲକ୍ଷିତ ହୋଇଛି। ଚାରି ବର୍ଷ ପୂର୍ବେ, ବନ ବିଭାଗ ମୌଲିମାନଙ୍କୁ ମହୁ କେଜି ବାବଦକୁ ୪୨ଟଙ୍କା ଦେଉଥିଲେ, ବର୍ତ୍ତମାନ କିଲୋ ବାବଦକୁ ମୂଲ୍ୟ ୧୦୦ଟଙ୍କାରୁ ଅଧିକ ହେଲାଣି ଓ ବଳକା ମହୁକୁ ସେମାନେ ବଜାରରେ ମଧ୍ୟ ବିକ୍ରି କରିପାରିବେ। ପୂର୍ବେ ବିଭାଗ ତରଫରୁ ମହୁ ସଂଗ୍ରହ କରିବା ପାଇଁ କେବଳ ୧୫ଦିନ ପାଇଁ ଗୋଟିଏ ପାସ୍‌ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ ସେମାନେ ଏହିଭଳି ଦୁଇଟି ପାସ୍‌ ଦେଉଛନ୍ତି ।’’

ତଥାପି, କାର୍ଯ୍ୟରତ ମନୁଷ୍ୟମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ମଧ୍ୟ କଛି କରାଯାଇନାହିଁ । “ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ବା ଦଳଗତ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।’’ ଏବଂ ଏହିପରି ଭାବେ ନିତାଇ ପରି ମଣିଷମାନେ କୌଣସି ସୁରକ୍ଷାଢାଲ ନଥାଇ ମଧ୍ୟ ଘଞ୍ଚ ଓ ବିପଦସଙ୍କୁଳ ଜଙ୍ଗଲରେ କାମ କରିବା ଜାରି ରଖିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Urvashi Sarkar is an independent journalist and a 2016 PARI Fellow.

Other stories by Urvashi Sarkar