ବିଲ ମଝିରେ ଏକ ପାଞ୍ଚ ଫୁଟରେ ଦଶ ଫୁଟ ପିଣ୍ଡିରେ ଏକ ଛୋଟ ଫଳକ ଲାଗିଛି । ସେଥିରେ ଲେଖା ହୋଇଛି : ‘ଚେତନ ଦାଦାରାଓ ଖୋବ୍ରାଗୋଡ଼େ। ଜନ୍ମ: ୮/୮/୧୯୯୫। ମୃତ୍ୟୁ: ୧୩/୫/୧୮’। ଯେଉଁ ସ୍ଥାନରେ ଗୋଟିଏ ବାଘ ଦ୍ୱାରା ତାଙ୍କ ପୁଅ ନିହତ ହୋଇଥିଲା ସେହି ସ୍ଥାନରେ ତାଙ୍କ ପିତାମାତା ଏହି ସ୍ମାରକଟି ନିର୍ମାଣ କରିଛନ୍ତି।

୨୩ ବର୍ଷ ବୟସ୍କ ଚେତନ ନିଜ ବଡ଼ ଭଉଣୀ ପାୟଲଙ୍କ ବିବାହ ପାଇଁ ଅପେକ୍ଷା କରିଥିଲେ, ଏହାପରେ ନିଜ ବିବାହ ବିଷୟରେ ଯୋଜନା କରୁଥିଲେ। ୨୫ ବର୍ଷିୟା ପାୟଲ୍‌ କୁହନ୍ତି, ‘‘ ଆମେ ଜାଣିଥିଲୁ ଗୋଟେ ବାଘ ଆମ ଆଖପାଖରେ ରହୁଛି। କିନ୍ତୁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲୁ ସେ ଗୋଟିଏ ବାଘ ଦ୍ୱାରା ମୃତ୍ୟୁ ବରଣ କରିବ ତାହା ପୁଣି ଆମ ନିଜ ଜମିରେ। ’’

ତାହା ମେ’ ମାସର ଏକ ଗରମ ଦିନ ଥିଲା। ପ୍ରାୟ ସଂଧ୍ୟା ୬ଟା ହୋଇଥିଲା। ଚେତନ ନିଜ ଗାଈମାନଙ୍କ ପାଇଁ ସବୁଜ ଘାସ ଆଣିବାକୁ ଆମ୍‌ଗାଓଁ ଗ୍ରାମରେ ନିଜ ଜମିକୁ ଯାଇଥିଲା। କିନ୍ତୁ ଯେତେବେଳେ ସେ ୭ଟା ପର୍ଯ୍ୟନ୍ତ ଘରକୁ ଫେରିଲାନି ସେତେବେଳେ ତା’ର ସବା ସାନଭାଇ ୧୭ ବର୍ଷ ବୟସ୍କ ସାହିଲ୍‌ ଏବଂ ସେମାନଙ୍କର ସମ୍ପର୍କୀୟ ଭାଇ ବିଜୟ ତାକୁ ଖୋଜିବାକୁ ବାହାରିଲେ। ସେମାନେ ଦେଖିଲେ ଚେତନର ଦା’ ତଳେ ପଡ଼ିଛି। ପରିବାରର ୫ ଏକର ଜମି ରାସ୍ତା ଆରପଟେ ସେମାନଙ୍କ ଘର ଠାରୁ ମାତ୍ର ୫୦୦ ମିଟର ଦୂର, ଏହା ପରେ ଶୁଖିଲା ଏବଂ ପତ୍ରଝଡ଼ା ଦେଇଥିବା  ଶାଗୁଆନ ଏବଂ ବାଉଁଶ ଜଙ୍ଗଲ।

ସେ ଦୁହେଁ ଚିତ୍କାର କଲେ, ‘‘ୱାଘ୍‌, ୱାଘ୍‌ [ ବାଘ, ବାଘ]’’ ଏବଂ ସାହାଯ୍ୟ ପାଇଁ ଅନ୍ୟମାନଙ୍କୁ ଡାକ ପକାଇଲେ। ଅଳ୍ପ କିଛି ଦୂରରେ, ଗୋଖାଦ୍ୟ ଫସଲ କଦ୍ୟାଲୁର ସବୁଜ କିଆରୀ ମଧ୍ୟରେ ଚେତନର କଦର୍ଯ୍ୟ ଭାବରେ କ୍ଷତବିକ୍ଷତ ଶରୀର ପଡ଼ିଥିଲା। ସେ ଏକ ବାଘ ଦ୍ୱାରା ନିହତ ହେଲା ଯିଏ ଆଖପାଖରେ ରହୁଥିଲା ବୋଲି ସାରା ଗାଁ ଜାଣିଥିଲା।

ବିଜୟ କହିଥିଲେ, ‘‘ସେ ବାଘ ଜଙ୍ଗଲ ଆଡ଼କୁ ଯାଉଥିବାର ଆମେ ଦେଖିଲୁ।’’ ସେ ଜମିକୁ ଲାଗିଥିବା ଜଙ୍ଗଲର ଅଂଶ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ। ସେ ମନେ ପକାଇ କହିଥିଲେ, ଏହା ଏକ ବଡ଼ ବାଘ ଥିଲା, ବୋଧହୁଏ ସେ ଭୋକିଲା ଏବଂ ଶୋଷିଲା ଥିଲା।

ସାଧାରଣ ଭୂମିର ସଂକୋଚନ

ଜଣେ ଯୁବକ ଯିଏ ଏହି ଛୋଟ ଗୋଷ୍ଠିଟିର ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନେଉଥିଲେ, ତାଙ୍କର ମୃତ୍ୟୁ ଆମଗାଓଁ (ସ୍ଥାନୀୟ ଲୋକେ ଏହାକୁ ଆମଗାଁଓ ଜଙ୍ଗଲୀ କୁହନ୍ତି)ର ଲୋକମାନଙ୍କୁ ଏକ ଭୟଭୀତ ଏବଂ ଦୁଖଦ ନୀରବତା ଭିତରେ ବୁଡ଼ାଇ ଦେଇଛି। ଏପରିକି ଯେତେବେଳେ ବର୍ଷା ଆସୁଛି ସେତେବେଳେ ମଧ୍ୟ ଜମି ପଡ଼ିଆ ପଡ଼ୁଛି - ଲୋକେ ଜମିକୁ ଯାଉନାହାନ୍ତି।

ୱାର୍ଦ୍ଧା ଜିଲ୍ଲାର ସେଲୁ ତାଲୁକାର ଏହି ଗାଁ ବୋର୍‌ ବ୍ୟାଘ୍ର ଅଭୟାରଣ୍ୟର ବଫର୍‌ ଜୋନ୍‌ରେ ଅଛି। ବଫର୍‌ରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ଗୋଚର କିମ୍ବା ସାଧାରଣ ଭୂମିର ବ୍ୟବହାର ଏବଂ  ନିର୍ମାଣ ଓ ପଶୁଚାରଣ ଉପରେ କଟକଣା ଅଛି। ଏହା ସଂରକ୍ଷିତ ଜଙ୍ଗଲର କେନ୍ଦ୍ରୀୟ (କିମ୍ବା ଅନତି କ୍ରମଣୀୟ) ଅଞ୍ଚଳ ଯେଉଁଠାରେ ମନୁଷ୍ୟର ପ୍ରବେଶ ଜଙ୍ଗଲ ବିଭାଗ ଦ୍ୱାରା ନିୟନ୍ତ୍ରିତ ଏବଂ ଜଙ୍ଗଲି କ୍ଷେତ୍ର ବା ବଫର୍‌ ବାହାରେ ଯେଉଁଠାରେ ଗ୍ରାମଗୁଡ଼ିକ ଥାଏ।

ବୋର୍‌ ସଂରକ୍ଷିତ ଜଙ୍ଗଲ ଦେଶର ନୂତନତମ ଏବଂ କ୍ଷୁଦ୍ରତମ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଅନ୍ୟତମ। ଏହା ନାଗପୁରଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅଛି। ୨୦୧୪ ମସିହା ଜୁଲାଇ ମାସରେ ଏହା ଏକ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ହେଲା ଏବଂ ମାତ୍ର ୧୩୮ ବର୍ଗ କିଲୋମିଟର ପରିମିତ।

PHOTO • Jaideep Hardikar
PHOTO • Jaideep Hardikar

ବାମ: ଆମଗାଓଁରେ ଚେତନ ଖୋବ୍ରାଗଡ଼େଙ୍କ ସମାଧିଡାହାଣ: ଦାଦାରାଓ ଖୋବ୍ରାଗଡ଼େ  ୱାର୍ଦ୍ଧା ଜିଲ୍ଲାରେ ସେମାନଙ୍କ ଜମିରେ ଯେଉଁଠାରେ  ଗୋଟିଏ ବାଘ ଦ୍ୱାରା ତାଙ୍କ ପୁଅର ମୃତ୍ୟୁ ଘଟିଥିଲା ସେଠାରେ ଛିଡ଼ା ହୋଇଛନ୍ତି। 

ବଫର୍‌ ଏବଂ ପରିସର ସହ ସଂଲଗ୍ନ ଅନେକ ଗାଁ ପରି ଆମଗାଓଁରେ ମଧ୍ୟ ପ୍ରାୟ ୩୯୫ ଜଣ ଲୋକ (୨୦୧୧ ଜନଗଣନା) ବାସ କରନ୍ତି, ଯେଉଁମାନେ କି ମହାରାଷ୍ଟ୍ରର ଦୂରନ୍ତ ପୂର୍ବାଞ୍ଚଳର ବିଦର୍ଭରେ ଚାଲିଥିବା ମଣିଷ-ବାଘ ସଂଘର୍ଷ ମଧ୍ୟରେ ଫସିଯାଇଛନ୍ତି। ଏହି ଅଞ୍ଚଳରେ ସମୁଦାୟ ୨୨,୫୦୮ ବର୍ଗକିଲୋମିଟର ଜଙ୍ଗଲ ରହିଛି (୨୦୧୪ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ତଥ୍ୟ) ଏବଂ ଏ ମଧ୍ୟରେ ୬ଟି ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଏବଂ ୩ଟି ଗୁରୁତ୍ୱପୂର୍ଣ୍ଣ ଅଭୟାରଣ୍ୟ ରହିଛି।

ଆମଗାଓଁର ଜନୈକ ପୂର୍ବତନ ସରପଞ୍ଚ ୬୫ବର୍ଷ ବୟସ୍କ ବାବନରାଓ ୟେଓଲେ କୁହନ୍ତି, ‘‘କିନ୍ତୁ ଆମେ ଅତୀତରେ ଏ ପ୍ରକାର ଦୁଃଖଦ ଘଟଣାକୁ କେବେ ବି ସାମ୍ନା କରିନଥିଲୁ।’’ ସେ ଏକ ଯାଯାବର ପଶୁ ଚାରକ ସମୂହ ଗୋୱାଲିର ସଦସ୍ୟ (ସେମାନେ ନିଜକୁ ନନ୍ଦ-ଗାୱାଲି କୁହନ୍ତି)। ସେମାନେ ମୂଳ ଗାଓଲାଓ ପ୍ରଜାତି ଗାଈମାନଙ୍କୁ ପାଳନ କରନ୍ତି। ସେ କୁହନ୍ତି, ତାଙ୍କ ସମୂହ ଶହ ଶହ ବର୍ଷ ଧରି ସେମାନଙ୍କ ଗୋସମ୍ପଦକୁ ଜଙ୍ଗଲରେ ଚରିବାକୁ ଛାଡ଼ିଦିଅନ୍ତି। ସେମାନେ ଏକଥା ମଧ୍ୟ ଜାଣୁଥିଲେ ମାଂସଭୋଜୀ ଜୀବମାନେ ଏଗୁଡ଼ିକ ମଧ୍ୟରୁ କେତେକଙ୍କୁ ନିଶ୍ଚୟ ଖାଇବେ। ସେ କହିଥିଲେ, ‘‘କେତେଗୁଡ଼ିଏ ଅଣ୍ଡିରା ବାଛୁରିଙ୍କୁ ବାଘମାନଙ୍କ ପାଇଁ ଛାଡ଼ିଦେବା ଏକ ଚଳଣି ଥିଲା…’’

ନନ୍ଦ-ଗୱାଲିମାନେ ସେମାନଙ୍କ ଗାଈମାନଙ୍କର ଦେଖାଶୁଣା କରିବା ପାଇଁ ପ୍ରତିଦିନ ଜଙ୍ଗଲ ଭିତରକୁ ଯାଆନ୍ତି। ଏହି ଗାଈମାନେ ଖରାଦିନରୁ ଦୀପାବଳି ପର୍ଯ୍ୟନ୍ତ ବର୍ଷର ପ୍ରାୟ ୬ମାସ ଜଙ୍ଗଲରେ ଚରିବା ପାଇଁ ଛାଡ଼ିଦିଆଯାଏ। ଶୀତ ଆସିଲେ ସେମାନଙ୍କୁ ଘରକୁ ଅଣାଯାଏ, ଯେତେବେଳେ କି ଗାଁରେ ପାଣି ଏବଂ ଚାରା ଉଭୟ ଉପଲବ୍ଧ ହୁଏ।

କିନ୍ତୁ ଏହାପରେ ୧୯୭୦ ମସିହା ଜୁନ୍‌ ମାସରୁ ବନ୍ୟଜନ୍ତୁ ଅଭୟାରଣ୍ୟ ଭାବରେ ମାନ୍ୟତା ପାଇଥିବା ବୋର୍‌ ପ୍ରଥମେ ଏକ ବ୍ୟାଘ୍ର ସଂରକ୍ଷଣ ଭାବରେ ଘୋଷଣା କରାଗଲା। ଏହା ଭାରତର ୪୭ତମ ଏବଂ ମହାରାଷ୍ଟ୍ରର ୬ତମ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଭାବରେ ୨୦୧୪ ଜୁଲାଇ ମାସରେ ଘୋଷଣା କରାଗଲା ଏବଂ ଏହା ମନୁଷ୍ୟର ବସବାସ ଏବଂ ପ୍ରବେଶ ଉପରେ କଟକଣା ଜାରି କଲା। ଯେହେତୁ ଆମଗାଓଁ ବଫର୍‌ ଜୋନ୍‌ରେ ରହିଛି, ତେଣୁ ଲୋକମାନଙ୍କ ପାଇଁ ଜଙ୍ଗଲ ବିଭାଗର ଦୃଢ଼ କଣ କରିବ, ଣ କରିବନି ନିୟମ ରହିଛି। ଏପରିକି ସଂରକ୍ଷଣ କ୍ଷେତ୍ର ମଧ୍ୟରେ ଗାଈଗୋରୁଙ୍କର ପ୍ରବେଶ ଏବଂ ଚାରଣ ଉପରେ ମଧ୍ୟ କଟକଣା ଜାରି ହୋଇଛି।

ୟେଓଲେ କୁହନ୍ତି, ‘‘ଜଙ୍ଗଲ ଏବଂ ଆମ ମଧ୍ୟରେ ଏକ ପରସ୍ପର ସହଯୋଗୀ ସମ୍ପର୍କ ଥିଲା। ବୋର୍‌ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଘୋଷଣା ହେବା ପରେ ଏହି ସମ୍ପର୍କ ଭାଙ୍ଗିଗଲା। ଲୋକମାନେ ଦେଖିଲେ, ଜଙ୍ଗଲ ସହିତ ସେମାନଙ୍କର ବନ୍ଧନ ଭାଙ୍ଗିଯାଇଛି। ଏବେ ଜଙ୍ଗଲ ଏବଂ ବନ୍ୟଜନ୍ତୁ ଆମ ପରିସଂସ୍ଥାନର ଅଂଶ ନୁହନ୍ତି।’’

ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି

ସର୍ବଭାରତୀୟ ବ୍ୟାଘ୍ର ଆକଳନ ସର୍ବେକ୍ଷଣ (ବ୍ୟାଘ୍ର ଗଣନା ଭାବରେ ଜଣାଶୁଣା) ୨୦୧୪ ଅନୁଯାୟୀ ଦେଶବ୍ୟାପୀ ବାଘ ସଂଖ୍ୟାରେ ବୃଦ୍ଧି ଘଟିଛି, ୨୦୧୦ରେ ଏହା ୧୭୦୬ ଥିବାବେଳେ ୨୦୧୪ରେ ଏହା ୨୨୨୬ରେ ପହଞ୍ଚିଛି। ୨୦୦୬ ମସିହାରେ ଏହି ସଂଖ୍ୟା ଥିଲା ୧୪୧୧। ଏହି ତଥ୍ୟ ଅଣସଂରକ୍ଷିତ ଅଞ୍ଚଳରେ ଥିବା ବାଘମାନଙ୍କୁ ସାମିଲ୍‌ କରିନାହିଁ। ଏପରିକି ବୋର୍‌ ସଂରକ୍ଷଣ କ୍ଷେତ୍ର ଓ ଏହାର ଆଖପାଖରେ ଥିବା ବାଘମାନଙ୍କୁ ମଧ୍ୟ। ସୂଚନାଯୋଗ୍ୟ ବୋର୍‌ ସଂରକ୍ଷଣ କ୍ଷେତ୍ରରେ ୨୦୧୪ ମସିହାରେ ୮ଟି ବାଘ ଥିବା ଗଣନାରୁ ଜଣାପଡ଼ିଥିଲା।

୨୦୧୧ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ବ୍ୟାଘ୍ର ଆକଳନ ରିପୋର୍ଟ ମଣିଷ-ବାଘ ସଂଘର୍ଷ ବୃଦ୍ଧିକୁ ନେଇ ସତର୍କ କରାଇଦେଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଭାରତର ଅଧିକାଂଶ ପ୍ରଜନନକ୍ଷମ ବାଘମାନେ ବର୍ତ୍ତମାନ ଦେଶର ସମୁଦାୟ ସମସ୍ତ ବାଘ ବାସସ୍ଥାନର ୧୦ ପ୍ରତିଶତ ମଧ୍ୟରେ ବାସ କରୁଛନ୍ତି। ୨୦୧୮ ବାଘ ଗଣନା ଏବେ ବି ଚାଲିଛି। କିନ୍ତୁ ଅଧିକାରୀମାନଙ୍କର ଆଶା ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ଯାହା ଆହୁରି ଅଧିକ ମଣିଷ-ବାଘ ସଂଘର୍ଷ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ବାଘ ସଂଖ୍ୟା ବୃଦ୍ଧି ପାଇବା ଫଳରେ ସେମାନେ ସଂରକ୍ଷଣ କ୍ଷେତ୍ରରୁ ବାହାରି ଗାଁମାନଙ୍କରେ ପ୍ରବେଶ କରୁଛନ୍ତି। ୨୦୧୮ ମାର୍ଚ୍ଚରୁ ଜୁନ୍‌ ମାସର ଆରମ୍ଭ ମଧ୍ୟରେ ବାଘ ଆକ୍ରମଣ ଘଟଣା ଖୁବ୍‌ ବୃଦ୍ଧି ପାଇଥିଲା- ସମୁଦାୟ ବିଦର୍ଭରେ ଅତିକମ୍‌ରେ ଏଭଳି ୨୦ଟି ଘଟଣା ଘଟିଥିଲା। ଏସବୁ ମଧ୍ୟରେ ଅଧିକାଂଶ ଘଟଣା ଘଟିଥିଲା ସଂରକ୍ଷିତ ଜଙ୍ଗଲଗୁଡ଼ିକର ବାହ୍ୟ ଅଂଶରେ। ପ୍ରଥମେ ଏହି ସମସ୍ୟା ନାଗପୁରଠାରୁ ୧୫୦ କିଲୋମିଟର ଦକ୍ଷିଣରେ ଥିବା ଚନ୍ଦ୍ରପୁର ଜିଲ୍ଲାର ତାଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ (TATR) କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ଥିଲା। ବର୍ତ୍ତମାନ ଏହା ବିଦର୍ଭର ଅନ୍ୟ ବାଘ ଅଞ୍ଚଳକୁ ବ୍ୟାପୀଯାଇଥିବା ପରି ଜଣାପଡ଼ୁଛି।

TATR ଅଞ୍ଚଳ ମଧ୍ୟରେ ଏବଂ ଏହା ଆଖପାଖରେ ଥିବା ଗାଁଗୁଡ଼ିକ ବ୍ୟତୀତ ନାଗପୁର ଜିଲ୍ଲାର ଉତ୍ତର ଆଞ୍ଚଳିକ ଜଙ୍ଗଲଗୁଡ଼ିକ, ଜବତମାଲର ଏକ ଉପ ଜଙ୍ଗଲ ଏବଂ ୱାର୍ଦ୍ଧାର ବୋର୍‌ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ବାଘ ଆକ୍ରମଣର ଘଟଣା ଦେଖାଯାଇଛି। ଶେଷ ଘଟଣା ଘଟିଥିଲା ନଭେମ୍ବର ମାସର ମଧ୍ୟ ଭାଗରେ। ଯେତେବେଳେ ବ୍ରହ୍ମପୁରୀ ସହର ନିକଟସ୍ଥ ଏକ ଗାଁରେ ବାଘ ଜଣେ ୬୦ବର୍ଷ ବୟସ୍କା ମହିଳାଙ୍କୁ ମାରିଦେଇଥିଲା।

ଏସବୁ ଆକସ୍ମିକ, ଅପ୍ରତ୍ୟାଶିତ ଏବଂ ଆଶ୍ଚର୍ଯ୍ୟଜନକ ଥିଲା, ଏହା ଜମିରେ କିମ୍ବାରେ ଗାଁଗୁଡ଼ିକୁ ଲାଗିଥିବା ଜଙ୍ଗଲରେ ଘଟିଥିଲା।

PHOTO • Jaideep Hardikar
PHOTO • Jaideep Hardikar

ହିୱାରାବର୍ଷା ଗାଁର ଜଣେ କୋଲାନ୍‌ ଆଦିବାସୀ କୃଷକ ଦାମୁ ଅତରାମ ୨୦୧୮ ମେରେ ଏକ ବାଘ ଆକ୍ରମଣ ପରେ ମୁଣ୍ଡରେ ୮ଟି ଏବଂ ବେକରେ ୫ଟି ଷ୍ଟିଚ୍‌ କରାଇଛନ୍ତି।

ପଶ୍ଚିମ ବିଦର୍ଭର ଜବତମାଲ ଜିଲ୍ଲାର ଜାରି-ଜମାନି ତାଲୁକାର ହିୱାରାବର୍ଷା ଗ୍ରାମରେ ବାସ କରୁଥିବା ଜନୈକ କୋଲାମ୍‌ ଆଦିବାସୀ ଦାମୁ ଅତରାମ ୨୦୧୮ ମେ’ରେ ନିଜ ଜମିରେ କାମ କରୁଥିବା ବେଳେ ଗୋଟିଏ ବାଘ ତାଙ୍କୁ ମାଡ଼ିବସିଥିଲା। ସେ ବାଘଠାରୁ ରକ୍ଷା ପାଇଗଲେ, କାରଣ ତାଙ୍କ ଗ୍ରାମବାସୀମାନେ କୌଣସିମତେ ତାଙ୍କୁ ରକ୍ଷା କଲେ, ତେବେ ତାଙ୍କ ମୁଣ୍ଡ  ଏବଂ ବେକରେ ଆଘାତ ଲାଗିଥିଲା। ସେ ଠିକ୍‌ ସମୟରେ ଡାକ୍ତରୀ ସେବା ମଧ୍ୟ ପାଇଗଲେ- ମୁଣ୍ଡରେ ୮ଟି ଏବଂ ୫ଟି ଷ୍ଟିଚ୍‌ ଏବଂ ଗୋଟିଏ ବାଘର କାହାଣୀ କହିବାକୁ ବଞ୍ଚିଗଲେ। ଅତରାମ ମୋତେ କହିଥିଲେ, ‘‘ମୋ ମୁଣ୍ଡ ସବୁବେଳେ ଓଜନିଆ ଲାଗୁଛି ଏବଂ ନିଦୁଆ ଲାଗୁଛି। ମୁଁ ସକାଳେ ନିଜ ଜମିରେ କାମ କରୁଥିବା ବେଳେ ସେ ଆସିଲା। ମୁଁ ଜାଣିନଥିଲି, ଗୋଟିଏ ବାଘ ଆଖପାଖରେ ଅଛି ବୋଲି। ଏହା ମୋ ଉପରକୁ ଡେଇଁପଡ଼ିଲା କିନ୍ତୁ ଯେତେବେଳେ ମୁଁ ଚିତ୍କାର କଲି, ସେ ଜଙ୍ଗଲ ଭିତରକୁ ଚାଲିଗଲା। ’’

ଏଠାରୁ କେଇ କିଲୋମିଟର ଦୂରରେ ନାଗପୁର ଜିଲ୍ଲାର ରାମଟେକ୍‌ ତାଲୁକାର ପିଣ୍ଡକାପର୍‌ ଗ୍ରାମର ୨୫ବର୍ଷ ବୟସ୍କ ଗୋଣ୍ଡ ଆଦିବାସୀ କୃଷକ ବୀରସିଂହ ବିରେଲାଲ୍‌ କୋଦ୍ୱାତେ ଏକ ବାଘ ସହ ପ୍ରାୟ ଏକ ଜୀବନହାନୀକାରକ ସଂଘର୍ଷରୁ ଏପର୍ଯ୍ୟନ୍ତ ମୁକୁଳି ପାରିନାହାନ୍ତି। ମେ’ ମାସ ଆରମ୍ଭରେ ଦିନେ କୋଦ୍ୱାତେ ତାଙ୍କ ୩ବର୍ଷର ପୁଅ ବିହାନ୍‌ ସହ କେନ୍ଦୁପତ୍ର ସଂଗ୍ରହ ପାଇଁ  ମୋଟରସାଇକେଲରେ ଦୂରକୁ ଯାଉଥିଲେ। ସେ ଏହି କେନ୍ଦୁପତ୍ର ଶୁଖାଇ ବିଡ଼ି ଠିକାଦାରମାନଙ୍କୁ ବିକ୍ରି କରନ୍ତି। କୋଦ୍ୱାତେମାନେ  ବାୱାନ୍ଥାଡ଼ି ଜଳଭଣ୍ଡାର କ୍ଷେତ୍ରର ନଈକୂଳିଆ ଅଞ୍ଚଳରେ ନିଜ ଜମିରେ ବାସ କରନ୍ତି। ଏହା ଘଞ୍ଚ ବାଉଁଶ ଏବଂ ଶାଗୁଆନ୍‌ ଜଙ୍ଗଲ ପରିବେଷ୍ଟିତ। କିନ୍ତୁ ସେମାନେ କେବେ ବି ବାଘକୁ ସାମ୍ନା କରିନଥିଲେ। ଏହି ଅଞ୍ଚଳ ପେଞ୍ଚ ବାଘ ସଂରକ୍ଷଣ କ୍ଷେତ୍ର ଏବଂ ଗୋଣ୍ଡିଆର ନାବେଗାଓଁ-ନାଗଜିରା ବାଘ ସଂରକ୍ଷଣ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପୀଥିବା ବାଘ କରିଡର ଅଞ୍ଚଳରେ ରହିଛି।

ବୀରସିଂହ ସେ ଘଟଣାକୁ ମନେପକାଇ କହନ୍ତି, ‘‘ବାଘଟି ଜଙ୍ଗଲ ପାର୍ଶ୍ୱରେ ଥିବା ରାସ୍ତାର କଲଭର୍ଟ ତଳେ ଲୁଚିରହିଥିଲା ଏବଂ ଯେତେବେଳେ ଆମେ ସେହି ସ୍ଥାନ ଅତିକ୍ରମ କଲୁ, ସେ ଆମ ବାଇକ୍‌ ଉପରକୁ ଡେଇଁଲା ଏବଂ ପଞ୍ଝାରେ ଆଘାତ ଦେଲା। ତେବେ ଆମେ ଭାଗ୍ୟବାନ ଯେ ଆମେ ତା’ ମୁହଁରୁ ବର୍ତ୍ତିଯାଇଛୁ। ମୁଁ ବୋକା ପାଲଟିଗଲି, ତାହା ଏକ ବଡ଼ ବାଘ ଥିଲା।’’ ସେ ଦୁହେଁ ତଳେ ପଡ଼ିଯିବା ପରେ ସେ କୌଣସିମତେ ଉଠି ବାଇକ୍ ଷ୍ଟାର୍ଟ କଲେ ଏବଂ ଭୀଷଣ ଭାବରେ ଆହତ ହୋଇଥିବା ପୁଅକୁ ନେଇ ଘରକୁ ଫେରିଲେ।

ଉଭୟ ବାପ ଏବଂ ପୁଅ ନାଗପୁରର ଏକ ସରକାରୀ ଡାକ୍ତରଖାନାରେ ସପ୍ତାହେ କାଟିଲେ, ଉଭୟ ଆଘାତ ଏବଂ ଭୟରୁ ଉପଶମ ପାଇଁ। ଯେତେବେଳେ ମୁଁ ତାଙ୍କୁ ଭେଟିଲି, ବୀର ସିଂହଙ୍କ ଘାଗୁଡ଼ିକ ସତେଜ ଥିଲା- ତାଙ୍କ ଆଖି ଫୁଲିଥିଲା, ତାଙ୍କ କାନ ବାଘ ନଖ ଦ୍ୱାରା ଆଞ୍ଛୁଡ଼ି ହୋଇଥିଲା। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା। ବିହାନର ମାସୁଲୋଚନା କହିଥିଲେ, ‘‘ତା ମୁଣ୍ଡରେ ୮ଟି ଷ୍ଟିଚ୍‌ ହୋଇଛି। ସେ ବର୍ତ୍ତିଯାଇଛି।’’

ଏକ ସଂଘର୍ଷ ଯାହା କ୍ରମଶଃ ବୃଦ୍ଧି ପାଉଛି

ଚନ୍ଦ୍ରପୁର ଜିଲ୍ଲାର TATR ଆଖପାଖରେ ସିନ୍ଦେୱାହି ଏବଂ ଚିମୁର୍‌ ତାଲୁକାରେ ୨୦୧୮ ଜାନୁଆରୀ ମାସରୁ ବାଘ ଆକ୍ରମଣରେ ପ୍ରାୟ ୨୦ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ୨୦୦୪-୦୫ ମସିହାରେ ମଧ୍ୟ ଏପରି ମୃତ୍ୟୁ ଘଟଣା ବଢ଼ିଥିଲା। ନିକଟରେ ଘଟିଥିବା ଅଧିକାଂଶ ଆକ୍ରମଣ ଗ୍ରାମ୍ୟ ଜଙ୍ଗଲ କିମ୍ବା ଏଥିସହ ସଂଲଗ୍ନ ଜମିଗୁଡ଼ିକରେ ଘଟିଛି।

ଜୁନ୍‌ ୪ ତାରିଖରେ ଜଣେ ଆଦିବାସୀ କୃଷକ ୬୫ବର୍ଷ ବୟସ୍କ ମହାଦେବ ଗେଡାମ୍‌ ତାଙ୍କ ଜମିରୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ସମୟରେ ବାଘ ଆକ୍ରମଣର ଶିକାର ହୋଇଥଲେ। ତାଙ୍କ ଜମି ଏକ ଛୋଟ ଜଙ୍ଗଲଖଣ୍ଡକୁ ଲାଗିଛି। ଗେଡାମ୍‌ ଗୋଟିଏ ଗଛ ଉପରେ ଚଢ଼ିଗଲେ। କିନ୍ତୁ ବାଘଟି ତାଙ୍କୁ ଭିଡ଼ିଆଣି ମାରିଦେଲା ବୋଲି ଗ୍ରାମବାସୀମାନେ କୁହନ୍ତି।

ଏହା ସିନ୍ଦେୱହି ତାଲୁକାର ମୁର୍‌ମାଡ଼ି ଗ୍ରାମରେ ୫ମାସ ମଧ୍ୟରେ ଦ୍ୱିତୀୟ ମୃତ୍ୟୁ ଥିଲା। ୨୦୧୮ ଜାନୁଆରୀରେ ଅନ୍ୟ ଜଣେ ଗୋଣ୍ଡ ଆଦିବାସୀ ମହିଳା ୬୦ବର୍ଷ ବୟସ୍କା ଗୀତାବାଈ ପେଣ୍ଡାମ୍‌ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ସମାନ ପ୍ରକାରର ଆକ୍ରମର ଏବଂ ମୃତ୍ୟୁର ଶିକାର ହୋଇଥିଲେ। 

PHOTO • Jaideep Hardikar

ଚନ୍ଦ୍ରପୁରର ମୁରମାଡ଼ି ଗାଁର ରମାବାଈ ଗେଡ଼ାମ (ମଝି)ତାଙ୍କ ସ୍ୱାମୀ ମହାଦେବ ୨ମାସ ମଧ୍ୟରେ ତାଙ୍କ ଗାଁର ବାଘ ଆକ୍ରମଣର ଦ୍ୱିତୀୟ ଶିକାର। 

ଏହି ସ୍ଥାନ ତାଙ୍କ ଗାଁଠାରୁ ମାତ୍ର ୫୦୦-୮୦୦ ମିଟର ଦୂରରେ। ରାସ୍ତା ଆରପଟେ ଥିବା ଘଞ୍ଚ ଜଙ୍ଗଲରେ ଘଟିଥିଲା। ଯାହାକି ବାଘମାନଙ୍କ ପାଇଁ ଏକ ଭିନ୍ନ କରିଡର ପ୍ରଦାନ କରିଛି।

ନିକଟବର୍ତ୍ତୀ କିହ୍ନି ଗ୍ରାମର ୨୦ବର୍ଷ ବୟସ୍କ ମୁକୁନ୍ଦଭେଣ୍ଡାରେ ଜଙ୍ଗଲ ଅଞ୍ଚଳରେ ମୃତ ଅବସ୍ଥାରେ ମିଳିଥିଲେ। ତାଙ୍କ ଶରୀର ଏକ ବାଘ ଦ୍ୱାରା ଛିନ୍ନଭିନ୍ନ ହୋଇଥିଲା। ଏହା ଗେଡାମ୍‌ଙ୍କ ମୃତ୍ୟୁର ପ୍ରାୟ ୨ସପ୍ତାହ ପୂର୍ବରୁ ଘଟିଥିଲା। ଜୁନ୍‌ ୬ ତାରିଖରେ TATR ଅଞ୍ଚଳର ଉତ୍ତର ପାର୍ଶ୍ୱରେ ଥିବା ଚିମୁର୍‌ ତାଲୁକାରେ ଗୋଟିଏ ବାଘ ୪ଜଣ ମହିଳା ଜମିରେ କାମ କରୁଥିବା ସମୟରେ ସେମାନଙ୍କୁ ଆକ୍ରମଣ କରିଥିଲା, ଜଣଙ୍କୁ ମାରିଦେଲା ଏବଂ ଅନ୍ୟମାନଙ୍କୁ ଆହତ କଲା।

ଆମେମାନେ ମୁରମାଡ଼ି ଗ୍ରାମକୁ ଯାଇଥିବା ସମୟରେ ସ୍ୱପ୍ନିଳ ବଦ୍ୱାୟିକ ନାମକ ଜଣେ ଯୁବ ଫରେଷ୍ଟର ଆମକୁ କହିଥିଲେ, ‘‘ମୋ ଜଙ୍ଗଲ କ୍ଷେତ୍ରରେ ୨-୩ଟି ପ୍ରାପ୍ତବୟସରେ ପହଞ୍ଚିଯାଇଥିବା ବାଘ ରହୁଛନ୍ତି। ଯେଉଁଠାରେ ସଦ୍ୟତମ ଆକ୍ରମଣଗୁଡ଼ିକ ହୋଇଥିଲା। ଆମେ ଜାଣିନୁ, ଗୋଟିଏ ବାଘ ମଣିଷମାନଙ୍କୁ ଆକ୍ରମଣ କରୁଛି କିମ୍ବା ଏହି ବାଘ ଭିନ୍ନଭିନ୍ନ।’’

ଆକ୍ରମଣରେ କେତେଜଣ ବାଘ ସଂଶ୍ଲିଷ୍ଟ ତାହା ଜାଣିବା ପାଇଁ ବାଘମାନଙ୍କର ଲାଳ (ମଣିଷ ଶରୀରରୁ ନିଆଯାଇଥିବା) ଏବଂ ଅନ୍ୟ ନମୁନାଗୁଡ଼ିକ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚ ଅଧୀନସ୍ଥ ପ୍ରମୁଖ ଅନୁଷ୍ଠାନ ସେଣ୍ଟର ଫର୍‌ ସେଲୁଲାର୍‌ ଆଣ୍ଡ ମଲେକୁଲାର୍‌ ବାୟୋଲୋଜିକୁ ପଠାଇଦିଆଯାଇଛି। ଯଦି ଗୋଟିଏ ବାଘ ଏସବୁର କାରଣ ହୋଇଥାଏ ତେବେ ସାଧାରଣତଃ ଜଙ୍ଗଲ ବିଭାଗ ଏହାକୁ ମାରିଦେବାକୁ ନିଷ୍ପତ୍ତି ନିଏ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚଳିତବର୍ଷ ମରୁଡ଼ି ଏହି ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି। ଖରାଦିନେ ସାଧାରଣତଃ ଲୋକମାନେ ଜଙ୍ଗଲ ମଧ୍ୟକୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଆନ୍ତି ଏବଂ ଏହି ସମୟରେ ହିଁ ବାଘମାନେ ପାଣି ଏବଂ ଶିକାର ସନ୍ଧାନରେ ଘୂରିବୁଲିଥାନ୍ତି। ଏଥିସହ ପ୍ରାପ୍ତ ବୟସରେ ପହଞ୍ଚିବାକୁ ଯାଉଥିବା (୩ବର୍ଷରୁ କମ୍‌) ବାଘଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଏହି ସମସ୍ୟା ବଢ଼ାଉଛି। କାରଣ ଏହି ବୟସର ବାଘମାନେ ନିଜ ନିଜ କ୍ଷେତ୍ର ସ୍ଥାପନ କରିବା ପାଇଁ ଚେଷ୍ଟା କରନ୍ତି।

PHOTO • Jaideep Hardikar
PHOTO • Jaideep Hardikar

ନାଗପୁର ଜିଲ୍ଲାର ପିଣ୍ଡକାପର୍‌ ଗ୍ରାମର ନିଜ ଘରେ ଥିବା ବୀରସିଂହ କୋଦାଓ୍ୱତେ ଏବଂ ତାଙ୍କ ପୁଅ ବିହାନ୍‌ ଏପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକସ୍ମିକ ଆକ୍ରମଣର ସ୍ମୃତିରୁ ନିଜକୁ ମୁକ୍ତ କରିପାରିନାହାନ୍ତି। 

TATRର କ୍ରମବର୍ଦ୍ଧିଷ୍ଣୁ ପର୍ଯ୍ୟଟକ ଆକର୍ଷଣଠାରୁ ବିପରୀତରେ ପ୍ରତ୍ୟେକ ବର୍ଷ ଜଙ୍ଗଲ ମଧ୍ୟରେ ବନ୍ୟଜୀବମାନଙ୍କର ବଞ୍ଚିବା ପାଇଁ ସଂଗ୍ରାମ ଏବଂ ଜନସଂଖ୍ୟା ବୃଦ୍ଧି ସଂଘର୍ଷକୁ ଅଧିକ ନାଟକୀୟ ଏବଂ ରକ୍ତାକ୍ତ କରିଦେଉଛି।

୨୦୧୦ରୁ ୨୦୧୮ ଜୁଲାଇ ମଧ୍ୟରେ ମହାରାଷ୍ଟ୍ରରେ ୩୩୦ରୁ ଅଧିକ ଲୋକ ବନ୍ୟଜୀବ ଆକ୍ରମଣରେ, ବିଶେଷକରି ବାଘ ଏବଂ ଚିତାବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି: ୧,୨୩୪ଜଣ ଭୀଷଣ ଭାବରେ ଆହତ ହୋଇଛନ୍ତି ଏବଂ ୨,୭୭୬ ଜଣ ସାମାନ୍ୟ ଆଘାତ ପାଇଛନ୍ତି ବୋଲି ମହାରାଷ୍ଟ୍ର ଜଙ୍ଗଲ ବିଭାଗ ବନ୍ୟଜୀବ ୱିଙ୍ଗ୍ ତଥ୍ୟରେ ପ୍ରକାଶ କରାଯାଇଛି। ଯଦିଓ ଏହି ତଥ୍ୟ  ସାରା ରାଜ୍ୟର, ତେବେ ଏ ମଧ୍ୟରେ ଅଧିକାଂଶ ଘଟଣା ଘଟିଛି ବିଦର୍ଭର ବାଘ ସଂରକ୍ଷଣ କ୍ଷେତ୍ର ଏବଂ ଅଭୟାରଣ୍ୟ ଆଖପାଖରେ।

ସମାନ ସମୟ ମଧ୍ୟରେ ବିଦର୍ଭରେ ସଂଗଠିତ ଦଳ ଦ୍ୱାରା ଅତିକମରେ ୪୦ଟି ବାଘ ଶିକାର ହୋଇଛନ୍ତି, ଗତ ୧୦ବର୍ଷରେ ଜଙ୍ଗଲ ବିଭାଗ ୪ଟି ସମସ୍ୟା ସୃଷ୍ଟି କରୁଥିବା ବାଘକୁ ହତ୍ୟା କରିଛି, ଅନେକଙ୍କୁ ଧରାଯାଇ ନାଗପୁର ଏବଂ ଚନ୍ଦ୍ରପୁରର ପ୍ରାଣୀ ଉଦ୍ୟାନ କିମ୍ବା ଉଦ୍ଧାର କେନ୍ଦ୍ରଗୁଡ଼ିକୁ ପଠାଇ ଦିଆଯାଇଛି ଓ କେତେକଙ୍କୁ ବିଦ୍ୟୁତ ଆଘାତରେ ହତ୍ୟା କରାଯାଇଛି।

ଜଙ୍ଗଲର ବିଭାଜନ କ୍ରୋଧ ବଢ଼ାଉଛି

ମହାରାଷ୍ଟ୍ର ମୁଖ୍ୟ ବନ୍ୟ ସଂରକ୍ଷକ (ବନ୍ୟଜୀବ) ଅଶୋକ କୁମାର ମିଶ୍ରଙ୍କ କହିବା ଅନୁଯାୟୀ ଏହି ସଂଘର୍ଷର କେନ୍ଦ୍ରରେ ୨ଟି ପ୍ରକ୍ରିୟା ରହିଛି। ସେ କୁହନ୍ତି, ‘‘ଗୋଟିଏ ପଟରେ ସଂଘବଦ୍ଧ ଶିକାର ଉପରେ କଟକଣା କରାଯିବା ସହ ସଂରକ୍ଷଣ ଯୋଗୁ ବାଘ ସଂଖ୍ୟା ବଢ଼ୁଛି। ଅନ୍ୟପଟରେ ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ ଉପରେ କ୍ରମବର୍ଦ୍ଧିଷ୍ଣୁ ନିର୍ଭରତା ଯୋଗୁ ମାନବକୃତ ଚାପ ମଧ୍ୟ ପଡ଼ୁଛି।’’

ଭାରତୀୟ ବନ୍ୟଜୀବ ସଂରକ୍ଷଣ ସମାଜ ସହ କାର୍ଯ୍ୟ କରୁଥିବା ନାଗପୁରର ବ୍ୟାଘ୍ର ବିଶେଷଜ୍ଞ ନୀତିନ ଦେଶାଇ କୁହନ୍ତି, ‘‘୨୦୧୩ ପରେ କୌଣସି ସଂଗଠିତ ଶିକାରୀ ଗୋଷ୍ଠୀ ସମ୍ପର୍କରେ କୌଣସି ସୂଚନା ମୋ ପାଖକୁ ଆସିନାହିଁ (ଜଙ୍ଗଲ ବିଭାଗ ଶିକାରୀମାନଙ୍କ ବିରୋଧରେ ପାଟ୍ରୋଲିଂ ବୃଦ୍ଧି କରିଛି) । ଗତ ପାଞ୍ଚବର୍ଷରେ ଏହି ଅଞ୍ଚଳ ମଧ୍ୟରେ କୌଣସି ଅପ୍ରାକୃତିକ ଢଙ୍ଗରେ ବହୁ ସଂଖ୍ୟକ ବାଘଙ୍କର ମୃତ୍ୟୁ ଘଟିନାହିଁ। ଯାହାକି ବାଘ ସଂଖ୍ୟାରେ ପ୍ରାକୃତିକ ବୃଦ୍ଧିରେ ସହାୟକ ହୋଇଛି ବୋଲି ସେ କହିଛନ୍ତି।

ଶ୍ରୀ ଦେଶାଇ ବୁଝାଇଥିଲେ, ‘‘ଯଦି ଏହି ଅଞ୍ଚଳରେ ୬୦ଟି ବାଘ ଥିଲେ, ତାହେଲେ ବର୍ତ୍ତମାନ ସେହି ଅଞ୍ଚଳରେ ୧୦୦ ବାଘ ଅଛନ୍ତି। ସେମାନେ କୁଆଡ଼େ ଯିବେ? ଆମେ ସମାନ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ବାଘ ସଂଖ୍ୟାକୁ କିପରି ପରିଚାଳନା କରିବୁ? ଆମ ପାଖରେ କୌଣସି ଯୋଜନା ନାହିଁ।’’

ଏବଂ ମଣିଷ-ବାଘ ସଂଘର୍ଷ ସୀମାକୁ ନେଇ ବଢ଼ୁଛି। ବିଦର୍ଭର ଜଙ୍ଗଲଗୁଡ଼ିକ, କହିବାକୁ ଗଲେ ସମଗ୍ର କେନ୍ଦ୍ର ଭାରତର ଜଙ୍ଗଲଗୁଡ଼ିକ ରାସ୍ତା ସମେତ ଅସଂଖ୍ୟ ଉନ୍ନୟନ ପ୍ରକଳ୍ପ ପାଇଁ ଖଣ୍ଡ ବିଖଣ୍ଡିତ ହେଉଛି। 

PHOTO • Jaideep Hardikar
PHOTO • Jaideep Hardikar

ବୀରସିଂହଙ୍କ ଶ୍ୱଶୁର ବାବୁଲାଲ୍‌ ଅତରାମ ଏବଂ ତାଙ୍କ ବଡ଼ପୁଅ ବିବେକ ପିଣ୍ଡକାପର୍‌ ଗାଁରେ ଯାହାକି ନାଗପୁର ଜିଲ୍ଲାର ବାୱାନ୍ଥାଡି ଜଳଭଣ୍ଡାର ନିକଟରେ ରହିଛି। ଯାହା ଚାରିପାଖରେ ପେଞ୍ଚ ବାଘ ସଂରକ୍ଷଣ ଜଙ୍ଗଲ ରହିଛି। 

ଶ୍ରୀ ମିଶ୍ର କହୁଥିଲେ, ବାଘମାନଙ୍କର ଆବାସସ୍ଥଳୀ କ୍ରମଶଃ ସଙ୍କୁଚିତ ହେଉଛି, ଜୀବମାନଙ୍କର ଚଳପ୍ରଚଳ ରାସ୍ତା ଭାଙ୍ଗିଯାଉଛି। ଯାହାଦ୍ୱାରା ବାଘ ଏବଂ ଅନ୍ୟ ବନ୍ୟଜୀବମାନେ ଚଳପ୍ରଚଳ କରିବା ପାଇଁ ସ୍ଥାନ ପାଉନାହାନ୍ତି।  ଏହାପରେ ଆପଣ ସଂଘର୍ଷ ବ୍ୟତୀତ ଆଉ ଆଶା କରିବେ ? ସେ ପଚାରନ୍ତି, ‘‘ଯଦି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେ କୌଣସି ଉଦ୍ୟମ ନକରିବା ତେବେ ଏହା ଆହୁରି ବୃଦ୍ଧି ପାଇବ।’’
ତାଙ୍କର ବକ୍ତବ୍ୟ ପୂର୍ବ ବିଦର୍ଭରେ ବାଘ ଆବାସସ୍ଥଳର ଜଙ୍ଗଲ ବିଭାଜନ ପରିପ୍ରେକ୍ଷୀରେ ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟଜୀବ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଆଧାରରେ ତାଙ୍କ କାର୍ଯ୍ୟାଳୟ ତଥ୍ୟ ଉପରେ ପର୍ଯ୍ୟବସିତ।
ମହାରାଷ୍ଟ୍ରର ଉତ୍ତର ବିଦର୍ଭ ଅଞ୍ଚଳରେ ଜଙ୍ଗଲ ବିଭାଜନ-ଦି’ ଟିଗ୍‌-ସ’ ପଜଲ୍‌ ଶୀର୍ଷକ ୩୭ପୃଷ୍ଠା ବିଶିଷ୍ଟ ରିପୋର୍ଟ ୨୦୧୮ ଜୁଲାଇ ମାସରେ ପ୍ରକାଶିତ ହୋଇଥିଲା। ଏହା ଅନୁଯାୟୀ ସମୁଦାୟ ଅଞ୍ଚଳରେ ୫୦୦ ବର୍ଗକିଲୋମିଟରରୁ ବଡ଼ ଥିବା ମାତ୍ର ୬ଟି ଜଙ୍ଗଲ ବାଘମାନଙ୍କ ବସବାସ ପାଇଁ ସବୁଠାରୁ ଉତ୍କୃଷ୍ଟ। ସେଗୁଡ଼ିକ ମଧ୍ୟରୁ ୪ଟି ରହିଛି ଗଡ଼ ଚିରୋଲିର ନିରବଚ୍ଛିନ୍ନ ଜଙ୍ଗଲ କ୍ଷେତ୍ରରେ , ଏହି ଜିଲ୍ଲାର ଅନେକ ଆଗରୁ ବିଭିନ୍ନ ସଂଘର୍ଷରେ ଖଣ୍ଡ ବିଖଣ୍ଡିତ ଏବଂ ଏଠାରେ ବାଘ ସଂଖ୍ୟା ଖୁବ୍‌ ନଗଣ୍ୟ।
ଅଧିକାଂଶ ଅନ୍ୟ ଜଙ୍ଗଲର କ୍ଷେତ୍ର ଖୁବ୍‌ ଛୋଟ- ୫ବର୍ଗକିଲୋମିଟରରୁ କମ୍‌ ଏବଂ ସେଗୁଡ଼ିକ ବାଘ ବାସସ୍ଥାନ ଭାବରେ ପରିଗଣିତ ହୁଏନାହିଁ।
ଭାରତୀୟ ଉପମହାଦେଶ ଜୈବ ଅଞ୍ଚଳ, ଯାହା ମଧ୍ୟରେ ନେପାଳ ଓ ବାଲାଂଦେଶ ମଧ୍ୟ ସାମିଲ୍‌, ସେଠାରେ ପୂର୍ବରୁ କରାଯାଇଥିବା କେତେକ ଅଧ୍ୟୟନ ୫୯ଟି ଟାଇଗର କଞ୍ଜରଭେସନ୍‌ ୟୁନିଟ୍‌ (TCU) ଚିହ୍ନଟ କରିଥିଲା। ଯାହାକି ସମୁଦାୟ ୩୨୫,୫୭୫ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଏବଂ ସେ ମଧ୍ୟରୁ ୫୪,୯୪୫ ବର୍ଗ କିଲୋମିଟର  (୧୬.୮୭ ପ୍ରତିଶତ) ସଂରକ୍ଷିତ। ଦି ସେଣ୍ଟ୍ରାଲ୍‌ ଇଣ୍ଡିଆନ୍‌ ଲ୍ୟାଣ୍ଡସ୍କେପ୍ପ୍‌ (CIL)ରେ ୧୦୭, ୪୪୦ ବର୍ଗକିଲୋମିଟର ଟାଇଗର୍‌ କଞ୍ଜରଭେସନ୍‌ ୟୁନିଟ୍‌ ରହିଛି। ଯାହା ମଧ୍ୟରୁ ୫୯,୪୬୫ ବର୍ଗକିଲୋମିଟର ପ୍ରଥମ ଓ ଦ୍ୱିତୀୟସ୍ତରର ଟାଇଗର କଞ୍ଜରଭେସନ୍‌ ୟୁନିଟ୍‌-ଯାହାକି ସଂରକ୍ଷଣ ଦୃଷ୍ଟିରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ବାସିନ୍ଦାମାନଙ୍କୁ ସୂଚିତ କରେ।
ସିଆଇଏଲ୍‌ ଏବଂ ପୂର୍ବଘାଟ ବ୍ୟାଘ୍ର ସଂରକ୍ଷଣ ପାଇଁ ଏକ ବୈଶ୍ୱିକ ପ୍ରାଥମିକ କ୍ଷେତ୍ର ବୋଲି ଡବ୍ଲ୍ୟୁଆଇଆଇ ରିପୋର୍ଟରେ ସୂଚିତ କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ବିଶ୍ୱ ବାଘ ସଂଖ୍ୟାର ୧୮ ପ୍ରତିଶତକୁ ସହଯୋଗ ଦିଏ। ୨୦୧୬ ବୈଶ୍ୱିକ ତଥ୍ୟ ଅନୁଯାୟୀ ଜଙ୍ଗଲରେ ସମୁଦାୟ ୩୯୦୦ଟି ବାଘ ଅଛନ୍ତି (ପ୍ରାଣୀ ଉଦ୍ୟାନରେ ଥିବା ବାଘଙ୍କ ସଂଖ୍ୟା ଜଣାନାହିଁ)। କେନ୍ଦ୍ରୀୟ ଭାରତୀୟ ବାଘ ସଂଖ୍ୟା ବହୁଧା ବିଭାଜିତ ବାଘ କରିଡର୍‌, କୃଷି ପାଇଁ ଜଙ୍ଗଲ ହ୍ରାସ ଆଦି ଯୋଗୁ ପ୍ରଭାବିତ ହେଉଛି ବୋଲି ଏହି ରିପୋର୍ଟରେ ପ୍ରକାଶ କରାଯାଇଛି।
ଡବ୍ଲ୍ୟୁଆଇଆଇ ରିପୋର୍ଟ ଅନୁଯାୟୀ, ‘‘ପୂର୍ବ ବିଦର୍ଭରେ ସମୁଦାୟ ୨୨,୫୦୮ ବର୍ଗକିଲୋମିଟର ଜଙ୍ଗଲ ରହିଛି। ଯାହାକି ସମୁଦାୟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୩୫ ପ୍ରତିଶତ ଏବଂ ଏଠାରେ ଉଭୟ ସଂରକ୍ଷିତ ଅଞ୍ଚଳ ଭିତରେ ଏବଂ ବାହାରେ ୨୦୦ରୁ ଅଧିକ ବାଘ ବାସ କରୁଛନ୍ତି। ଏହି ଅଞ୍ଚଳ ୪୫,୭୯୦ କିଲୋମିଟର ରାସ୍ତା ପାଇଁ ଭାଗ ଭାଗ ହୋଇଛି (୨୦୧୬ ମାର୍ଚ୍ଚ ସୁଦ୍ଧା)। ଏ ମଧ୍ୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ରାସ୍ତା ଏବଂ ଗ୍ରାମ୍ୟ ରାସ୍ତା ଅଛି। ଏସବୁ ରାସ୍ତାଜନିତ ବିଭାଜନ ଯୋଗୁ ୫୧୭ କ୍ଷୁଦ୍ର ନୂତନ ଜଙ୍ଗଲ ସୃଷ୍ଟି ହୋଇଛି, ଯାହାକି ୧ବର୍ଗ କିଲୋମିଟର ଠାରୁ ଛୋଟ ଏବଂ ସମୁଦାୟ ୨୪୬.୩୮ ବର୍ଗ କିଲୋମିଟର କ୍ଷେତ୍ର ଅଧିକାର କରିଛି’’।
ଚନ୍ଦ୍ରପୁର ଜିଲ୍ଲାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ବୃଦ୍ଧି ପାଇଛି, ଠିକ୍ ସେମିତି ହେଉଛି ଅବଶିଷ୍ଟ ବିଦର୍ଭରେ। 

PHOTO • Jaideep Hardikar
PHOTO • Jaideep Hardikar

ଚେତନ ଖୋବ୍ରାଗଡ଼େଙ୍କ ଭାଇଭଉଣୀ, ପିତାମାତା ଏବଂ ସମ୍ପର୍କୀୟ। ତାଙ୍କ ମୃତ୍ୟୁ ଆମଗାଓଁର ଲୋକମାନଙ୍କୁ ଭୟ ଓ ଦୁଃଖଦ ନିରବତାରେ ଘେରେଇ ନେଇଛି। 

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ବିଦର୍ଭର ରାସ୍ତା ନିର୍ମାଣ ସମେତ  ଭିତ୍ତିଭୂମି ବିକାଶ ବୃଦ୍ଧି ପାଇଛି : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିଶ୍‌ ନାଗପୁରରୁ, ଅର୍ଥ ଏବଂ ଜଙ୍ଗଲ ବିଭାଗ ମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର ଚନ୍ଦ୍ରପୁରର ଶକ୍ତିମନ୍ତ୍ରୀ ଚନ୍ଦ୍ରଶେଖର ବାୱାଙ୍କୁଲେ ନାଗପୁର ଗ୍ରାମାଞ୍ଚଳରୁ ଏବଂ କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାହଜ ଚଳାଚଳ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ନାଗପୁର କ୍ଷେତ୍ରରୁ ନିର୍ବାଚିତ ହୋଇଛନ୍ତି।

କିନ୍ତୁ ଏସବୁ ନେତାଙ୍କ ମଧ୍ୟରୁ କେହି ମଧ୍ୟ ଏହି ବିକାଶ ବନ୍ୟଜୀବ ବିଶେଷ କରି ବାଘମାନଙ୍କର କଣ କ୍ଷତି କରୁଛି ଏ ସମ୍ପର୍କରେ ସଚେତନ ନୁହନ୍ତି। ଏହି ବାଘମାନେ ନୂତନ କ୍ଷେତ୍ରର ସନ୍ଧାନରେ ସଂରକ୍ଷିତ ଜଙ୍ଗଲ ବାହାରକୁ ଯିବା ପାଇଁ ସଂଯୁକ୍ତ କରିଡର ଆବଶ୍ୟକ କରୁଛନ୍ତି।

ଦୁଇଟି ୪ ଲେନ୍‌ ବିଶିଷ୍ଟ କଂକ୍ରିଟ୍‌ ରାସ୍ତା, ପୂର୍ବ-ପଶ୍ଚିମ ୪ ଲେନ୍ ବିଶିଷ୍ଟ ରାଜପଥ (ଏନ୍‌ଏଚ୍‌-୪୨) ଏବଂ ଉତ୍ତର-ପଶ୍ଚିମ ରାଜପଥ (ଏନ୍‌ଏଚ୍‌-୪୭) ନାଗପୁର ଦେଇ ଯାଇଛି ଏବଂ ବିଦର୍ଭର ଜଙ୍ଗଲକୁ ବିଭାଜିତ କରୁଛି। ତେବେ ଏହା କେବଳ ଯଥେଷ୍ଟ ହୋଇନି, ମହାରାଷ୍ଟ୍ର ସରକାର ଚନ୍ଦ୍ରପୁର ଜିଲ୍ଲାରେ ପ୍ରଶସ୍ତ କରୁଥିବା ରାଜ୍ୟ ରାଜପଥ TATR ଅଞ୍ଚଳକୁ ଖଣ୍ଡଖଣ୍ଡ କରୁଛି।

ଏଥିସହିତ ଗତ ଦଶକରେ ଭଣ୍ଡାରା ଜିଲ୍ଲାର ଗୋଜେଖୁର୍ଦଠାରେ ନିର୍ମିତ ହୋଇଥିବା ବିଶାଳ ଜଳଭଣ୍ଡାରର ୮୦ କିଲୋମିଟର ଦୀର୍ଘ ମୁଖ୍ୟ କେନାଲ TATRର ପୂର୍ବ-ପଶ୍ଚିମ କରିଡର ମଧ୍ୟ ଦେଇ ଯାଇଛି ଏବଂ ଏହା ପଶ୍ଚିମରେ ନାବେଗାଓଁ-ନାଗଜିରା ବାଘ ସଂରକ୍ଷଣ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପିଛି।

ଚନ୍ଦ୍ରପୁରରେ ଇକୋ-ପ୍ରୋ ନାମକ ଏକ ଏନ୍‌ଜିଓ ପରିଚାଳନା କରୁଥିବା ସଂରକ୍ଷଣ କର୍ମୀ ବାନ୍ଦୁ ଧୋତ୍ରେ କହିଛନ୍ତି, ‘‘ମଣିଷଙ୍କଠାରୁ ଅଧିକ ବିକାଶ ପ୍ରକଳ୍ପଗୁଡ଼ିକ ବିଦର୍ଭର ପ୍ରାକୃତିକ ବାଘ କରିଡର ଏବଂ ଜୀବଜନ୍ତୁଙ୍କ ଗମନାଗମନ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି’’

ଯଦିଓ ମନୁଷ୍ୟ ମୃତ୍ୟୁ, ଗାଈଗୋରୁଙ୍କ ମୃତ୍ୟୁ ଏବଂ ବାଘ ଆକ୍ରମଣ ଘଟଣା କାଗଜପତ୍ରରେ ସ୍ଥିର ରହିଛି କିନ୍ତୁ ବାସ୍ତବିକ ପରିସ୍ଥିତି ଭିନ୍ନ ଏବଂ ଜନତାଙ୍କ କ୍ରୋଧ କ୍ରମେ ପୁଞ୍ଜିଭୂତ ହେଉଛି।

ଉଦାହରଣସ୍ୱରୂପ ଏକ ଅପ୍ରତ୍ୟାଶିତ ବାଘ ଆକ୍ରମଣରେ ଚେତନ ଖୋବ୍ରାଗଡ଼େଙ୍କ ମୃତ୍ୟୁ ମେମାସ ସାରା ଜଙ୍ଗଲ ବିଭାଗ ବିରୋଧରେ ପ୍ରତିବାଦ ଆରମ୍ଭ କରିଥିଲା। ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଆଖପାଖରେ ଥିବା ୫୦ଟି ଗ୍ରାମର ଲୋକମାନେ ଏହି ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ। ସେମାନେ ଗାଁରେ ଶୋଭାଯାତ୍ରା କରିବା ସହ ୱାର୍ଦ୍ଧା ସହରରେ ଜିଲ୍ଲା ସଂରକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଗ୍ରାମବାସୀମାନେ ଏହି ସଂରକ୍ଷଣ କ୍ଷେତ୍ରଠାରୁ ଦୂରରେ ସମ୍ପୂର୍ଣ୍ଣ ଥଇଥାନ ଦାବି କରିଥିଲେ।

 ସେମିତି ତାଦବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ଆଖପାଖରେ ଦୀର୍ଘ ସମୟଧରି ସାଦୃଶ୍ୟ ପ୍ରତିବାଦ ଚାଲିଛି। ମଣିଷ ଏବଂ ବାଘମାନଙ୍କ ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ଶେଷ ହେବା ପରି ଦେଖାଯାଉନାହିଁ।

ଏହି କାହାଣୀର ଅନ୍ୟ ସଂସ୍କରଣ ଜୁଲାଇ ୨୦୧୮ରେ ମଙ୍ଗାୱେ ଓ ବିବିସି ମରାଠିରେ ପ୍ରକାଶିତ ହୋଇଥିଲା। 

ଏହି ସିରିଜ୍‌ର ଅନ୍ୟସବୁ କାହାଣୀ :

ଇନ୍‌ ଟାଇଗ୍ରେସ୍‌ ଟିଆଇ ଟେରିଟୋରି : କ୍ରୋନିକଲ୍‌ ଅଫ୍‌ କିଲିଂ ହ୍ୱେନ୍‌ ଆଇ ସି ହିମ୍‌ ବ୍ୟାକ୍‌ ହୋମ୍‌, ଆଇ ଥାଙ୍କ୍‌ ଦ ଟାଇଗର୍‌’, ଟାଇଗ୍ରେସ୍‌ ଟିଆଇଜ୍‌ ଟ୍ରେଲ୍‌ ଅଫ୍‌ ଆଟାକ୍‌ ଅଫ୍‌ ଟେରର୍‌

ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar