“ଚାଷୀ ଭାବେ ମୋର ୨୧ ବର୍ଷ ଜୀବନ କାଳରେ ମୁଁ କେବେ ମଧ୍ୟ ଏଭଳି ସଙ୍କଟର ସମ୍ମୁଖୀନ ହୋଇନାହିଁ” ବୋଲି ଏ.ସୁରେଶ କୁମାର, ଚିଥରକାଦୁ ଗ୍ରାମର ଜଣେ ତରଭୁଜ ଚାଷୀ କୁହନ୍ତି । ଏହି ଅଞ୍ଚଳର ଅନ୍ୟ ଚାଷୀମାନଙ୍କ ଭଳି ୪୦ବର୍ଷ ବୟସ୍କ କୁମାର ମୁଖ୍ୟତଃ ଧାନ ଚାଷ କରନ୍ତି କିନ୍ତୁ ତାମିଲନାଡୁର ଚେଙ୍ଗଲପଟ୍ଟୁ ଜିଲ୍ଲାର ଚିଥାମୁର୍‌ ବ୍ଲକ୍‌ରେ ଅବସ୍ଥିତ ୧,୮୫୯ ଜନସଂଖ୍ୟା ବଶିଷ୍ଟ ତାଙ୍କ ଗ୍ରାମରେ ସେ ଶୀତ ଦିନରେ ତାଙ୍କର ନିଜସ୍ୱ ପାଞ୍ଚ ଏକର୍‌ ଜମି ଓ ତାଙ୍କ ବନ୍ଧୁ ଓ ପରିବାର ଠାରୁ ଲିଜ୍‌ରେ ନେଇଥିବା ୧୮.୫ ଏକର୍‌ ଜମିରେ ତରଭୁଜ ଚାଷ କରନ୍ତି ।

“ତରଭୁଜଗୁଡିକ ୬୫-୭୦ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯାଏ । ମାର୍ଚ୍ଚ ୨୫ରେ ତାଲାବନ୍ଦ ପାଇଁ ଘୋଷଣା ହେବା ବେଳକୁ ଆମେ ସମସ୍ତେ ଫଳଗୁଡିକୁ ଅମଳ କରିବାକୁ ଓ ତାମିଲ୍‌ନାଡୁ, ବେଙ୍ଗାଲୁରୁ ଓ କର୍ଣ୍ଣାଟକର ଅନ୍ୟ ଭାଗକୁ ପଠେଇବାକୁ ପ୍ରସ୍ତୁତ ହୋଇ ସାରିଥିଲୁ” ବୋଲି ସେ କୁହନ୍ତି । “ବର୍ତ୍ତମାନ ସେଗୁଡିକ ପଚିବାକୁ ଆରମ୍ଭ ହେଲାଣି । ସାଧାରଣତଃ ଟନ୍‌ ପିଛା ଆମକୁ କ୍ରେତାମାନଙ୍କ ଠାରୁ ୧୦,୦୦୦ଟଙ୍କା ମିଳିଥାଏ କିନ୍ତୁ ଏହି ବର୍ଷ କେହି ମଧ୍ୟ ଆମକୁ ୨୦୦୦ଟଙ୍କାରୁ ଅଧିକ ଦେବା ପାଇଁ ରାଜି ହେଉନାହାନ୍ତି ।’’

ତାମିଲନାଡୁରେ ତାମିଲ୍‌ କ୍ୟାଲେଣ୍ଡର ଅନୁସାରେ କେବଳ ମରଗାଝି ଓ ଥାଇ ମାସରେ ତରଭୁଜ ଫସଲ ପାଇଁ ବୀଜ ରୋପଣ କରାଯାଏ, ଯାହା ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ପ୍ରାୟତଃ ଡିସେମ୍ବରରୁ ଫେବୃଆରି ମାସ ପର୍ଯ୍ୟନ୍ତ ସମୟକୁ ବୁଝାଇଥାଏ। ଏହି ଋତୁରେ ଏହି ଅଞ୍ଚଳରେ ଏହାର ଭଲ ବୃଦ୍ଧି ହୋଇଥାଏ ଓ ଅତି ଉତ୍ତପ୍ତ ଦାକ୍ଷିଣାତ୍ୟର ଗ୍ରୀଷ୍ମ ଋତୁ ଆରମ୍ଭ ହେବା ବେଳକୁ ଫସଲ ଅମଳ କରିବାକୁ ପ୍ରସ୍ତୁତ ହୋଇଯାଏ । ତରଭୁଜ ଉତ୍ପାଦନକାରୀ ରାଜ୍ୟମାନଙ୍କ ମଧ୍ୟରେ ତାମିଲ୍‌ନାଡୁ ଅଷ୍ଟମ ସ୍ଥାନରେ ରହିଛି ଯେଉଁଠାରେ ୬.୯୩ ହଜାର ହେକ୍ଟର ଜମିରେ ୧୬୨.୭୪ ହଜାର ମେଟ୍ରିକ୍‌ ଟନ୍‌ ଫଳ ଉତ୍ପାଦନ କରାଯାଏ ।

“ମୁଁ ମୋର ଜମିରେ ଏପରି ଭାବେ ଗଛ ଲଗେଇଛି ଯେପରିକି ମୋ ଜମିର ବିଭିନ୍ନ ଅଂଶରେ ପ୍ରତି ଦୁଇ-ସପ୍ତାହ ବ୍ୟବଧାନରେ ଫସଲ ପାଚିବ । ଯଦି ସେଗୁଡିକ ପ୍ରସ୍ତୁତ ହୋଇସାରିବାର ଅଳ୍ପ ଦିନ ମଧ୍ୟରେ ଆପଣ ସେଗୁଡିକୁ ଅମଳ କରିବେ ନାହିଁ ତାହାହେଲେ ଫଳଗୁଡିକ ନଷ୍ଟ ହୋଇଯିବ, ବୋଲି କୁମାର କୁହନ୍ତି (ଶୀର୍ଷରେ ପ୍ରଚ୍ଛଦ ଫଟୋରେ) । “ଆମକୁ ତାଲାବନ୍ଦ ବିଷୟରେ କିଛି କୁହାଯାଇ ନଥିଲା, ଏଣୁ ଯେତେବେଳେ ମୋର ପ୍ରଥମ ଅମଳ ପ୍ରସ୍ତୁତ ହୋଇଗଲା (ମାର୍ଚ୍ଚର ଶେଷ ସପ୍ତାହରେ) ସେତେବେଳେ ଏହାକୁ କିଣିବା ପାଇଁ କୌଣସି କ୍ରେତା ବା ଏହି ବୋଝକୁ ପରିବହନ କରିବା ପାଇଁ କୌଣସି ଟ୍ରକ୍‌ ଡ୍ରାଇଭର୍‌ ଉପଲବ୍ଧ ହେଲେ ନାହିଁ ।

କୁମାରଙ୍କ ହିସାବ ମୁତାବକ ଚିଥାମୁର ବ୍ଲକ୍‌ରେ ପ୍ରାୟ ୫୦ଜଣ ତରଭୁଜ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ସେମାନଙ୍କ ଫଳଗୁଡିକୁ ପଚିବାକୁ ଛାଡିଦେବାକୁ ବା ସେମାନଙ୍କ ଅମଳ ପାଇଁ ଅତି ନିମ୍ନ ମୂଲ୍ୟ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।
Left: In Kokkaranthangal village, watermelons ready for harvest on M. Sekar's farm, which he leased by pawning off jewellery. Right: A. Suresh Kumar's fields in Chitharkadu village; there were no buyers or truck drivers to move his first harvest in the  last week of March
PHOTO • Rekha Sekar
Left: In Kokkaranthangal village, watermelons ready for harvest on M. Sekar's farm, which he leased by pawning off jewellery. Right: A. Suresh Kumar's fields in Chitharkadu village; there were no buyers or truck drivers to move his first harvest in the  last week of March
PHOTO • S Senthil Kumar

ବାମ: କୋକ୍କରାନ୍ଥଙ୍ଗଲ ଗ୍ରାମରେ ଏମ୍‌.ସେକର୍‌ଙ୍କ ଜମିରେ ତରଭୁଜ ସବୁ ଅମଳ ହେବା ପାଇଁ ପ୍ରସ୍ତୁତ ହୋଇସାରିଛି, ଯେଉଁ ଜମିକୁ ସେ ଗହଣା ବନ୍ଧକ ରଖି ଲିଜ୍‌ରେ ନେଇଛନ୍ତି । ଡାହାଣ: ଚିଥର୍‌କାଦୁ ଗ୍ରାମରେ ଏ,ସୁରେଶ କୁମାରଙ୍କ ଜମି; ସେଠାରେ ମାର୍ଚ୍ଚ ଶେଷ ସପ୍ତାହରେ ହୋଇଥିବା ପ୍ରଥମ ଅମଳକୁ କିଣିବା ପାଇଁ ବା ସେଗୁଡିକୁ ସେଠାରୁ ଅନ୍ୟ ସ୍ଥାନକୁ ନେବା ପାଇଁ କୌଣସି ଟ୍ରକ୍‌ ଡ୍ରାଇଭର୍‌ ଉପଲବ୍ଧ ନାହାନ୍ତି

କେତେକ ଚାଷୀ ଏଥିପାଇଁ ଋଣ କରିଥିବା ବେଳେ ଏପରି ବିଫଳତା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ମନେହେଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଚିଥର୍‌କାଦୁ ଠାରୁ ତିନି କିଲୋମିଟର୍‌ ଦୂରରେ ଅବସ୍ଥିତ କୋକ୍କରାନ୍ଥଙ୍ଗଲ୍‌ ଗ୍ରାମର ୪୫ ବର୍ଷ ବୟସ୍କ ଏମ୍‌.ଶେକର। “ମୋର ତିନି ଝିଅଙ୍କ ପାଇଁ ଯେଉଁ ଅଳଙ୍କାରଗୁଡିକ ସାଇତି ରଖା ହୋଇଥିଲା, ସେହି ଅଳଙ୍କାରଗୁଡିକୁ ଜମି ଲିଜ୍‌ ବାବଦକୁ ଅର୍ଥ ଦେବା ସହିତ ଆମର ଚାରି ଏକର୍‌ ଜମିରେ ତରଭୂଜ ଚାଷ କରିବା ପାଇଁ ମୁଁ ବନ୍ଧକ ରଖିଛି” ବୋଲି ସେ କୁହନ୍ତି । “ବର୍ତ୍ତମାନ ଅମଳ କରିବା ସମୟ ଉପନୀତ ହୋଇଥିବା ବେଳେ ଏଗୁଡିକୁ କିଣିବା ପାଇଁ କେହି ନାହାନ୍ତି । ଅନ୍ୟ ଫସଲ ଠାରୁ ଭିନ୍ନ ଏହି ଫସଲକୁ ଯଦି ଆମେ ଆଗାମୀ କିଛି ଦିନରେ ଟ୍ରକ୍‌ରେ ଲଦି ଅନ୍ୟ ସ୍ଥାନକୁ ପଠେଇ ପାରିବୁନାହିଁ ତାହାହେଲେ ମୋର ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯିବ’’।

ଉଭୟ କୁମାର ଓ ଶେକର ଉଚ୍ଚ ସୁଧ ହାରରେ ଘରୋଇ ଋଣଦାତାଙ୍କଠାରୁ ଋଣ କରିଛନ୍ତି । ଉଭୟ ଏହି ଚାଷ ପାଇଁ ସେମାନଙ୍କ ମୋଟ ଜମିରେ ପ୍ରାୟ ୬-୭ ଲକ୍ଷ ଟଙ୍କା ନିବେଶ କରିଥିବା ଆକଳନ କରି କୁହନ୍ତି ଯାହା ଅନ୍ତର୍ଗତ ରହିଛି ଜମି ଲିଜ୍‌ରେ ନେବା, ବୀଜ କିଣିବା, ଫସଲର ଯତ୍ନ ନେବା ଓ ଏହା ସହିତ କୃଷି ଶ୍ରମିକମାନଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରିବାର ଖର୍ଚ୍ଚ । ସେକର ଗତ ତିନି ବର୍ଷ ଧରି ତରଭୁଜ ଚାଷ କରୁଥିବା ବେଳେ କୁମାର ଗତ ୧୯ ବର୍ଷ ଧରି ଏହି ଫଳ ଚାଷ କରିଆସୁଛନ୍ତି ।

“ଏଥିରୁ ଯେଉଁ ଲାଭ ମିଳିବ ତାହା ମୋର ଝିଅମାନଙ୍କ ଶିକ୍ଷା ଓ ଭବିଷ୍ୟତ ପାଇଁ ସହାୟକ ହେବ ବୋଲି ଭାବି ମୁଁ ଏ ଭିତରେ ପଶିଲି” ବୋଲି ଶେକର କୁହନ୍ତି । “ହେଲେ ମୁଁ ସେମାନଙ୍କ ଅଳଙ୍କାରକୁ ମଧ୍ୟ ଛାଡିଲିନି । ସାଧାରଣତଃ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବା ପରେ ଆମକୁ ପ୍ରାୟ ୨ଲକ୍ଷ ଟଙ୍କା ଲାଭ ହୋଇଥାଏ । ଏହି ବର୍ଷ ଆମେ ନିବେଶ କରିଥିବା ଟଙ୍କାର କେବଳ କିଛି ଅଂଶ ମାତ୍ର ପାଇପାରିବୁ ଓ ଆମକୁ ଲାଭ ବିଷୟରେ ଭୁଲିଯିବାକୁ ହେବ ।

ଏମ୍‌. ମୁରୁଗାଭେଲ୍‌, ୪୧, ନାମକ କୋକ୍କରନ୍ଥାଙ୍ଗଲର ଅନ୍ୟ ଜଣେ ତରଭୁଜ ଚାଷୀ କୁହନ୍ତି ଯେ “ମୁଁ ଏତେ ଅଳ୍ପ ମୂଲ୍ୟରେ ଦେଇଦେବା ପାଇଁ ରାଜି ହୋଇଯିବାର ଏକମାତ୍ର କାରଣ ଏହା ଯେ ମୁଁ ଏଭଳି ଭଲ ଫଳଗୁଡିକ ପଚି ଯାଉ ତାହା ଚାହୁଁନାହିଁ । ଏଥିରେ ମୁଁ ପୂର୍ବରୁ ବହୁତ କ୍ଷତି ସହି ସାରିଲାଣି ।’’ ମୁରୁଗାଭେଲ୍‌ ୧୦ ଏକର୍‌ ଜମି ଲିଜ୍‌ରେ ନେଇଛନ୍ତି। ସେ ଆହୁରି ମଧ୍ୟ କୁହନ୍ତି ଯେ, “ଏହିପରି ପରିସ୍ଥିତି ଜାରି ରହିଲେ ମୋତେ କଣ କରିବାକୁ ହେବ ତାହା ମଧ୍ୟ ମୁଁ ଜାଣେନାହିଁ । ମୋ ଗ୍ରାମରେ ଅନ୍ୟ କୃଷକମାନେ ମଧ୍ୟ ଅଛନ୍ତି ଯେଉଁମାନେ ସମ ପରିମାଣର ନିବେଶ କରିଛନ୍ତି ଓ ବର୍ତ୍ତମାନ ଏହି ଫଳଗୁଡିକୁ କିଣିବା ପାଇଁ କୌଣସି କ୍ରେତା ଆସୁନଥିବାରୁ ସେମାନେ ତାଙ୍କର ସମ୍ପୂର୍ଣ୍ଣ ଫସଲକୁ ଜମିରେ ପଚିବା ପାଇଁ ଛାଡି ଦେଇଛନ୍ତି’’ ।
A farmer near Trichy with his watermelons loaded onto a truck. A few trucks are picking up the fruits now, but farmers are getting extemely low prices
PHOTO • Dept of Agriculture-Tamil Nadu
A farmer near Trichy with his watermelons loaded onto a truck. A few trucks are picking up the fruits now, but farmers are getting extemely low prices
PHOTO • Dept of Agriculture-Tamil Nadu

ତ୍ରିଚିରେ ଟ୍ରକ୍‌ରେ ଲଦା ହୋଇଥିବା ତରଭୁଜ ସହିତ ଜଣେ କୃଷକ ଅଛନ୍ତି । ଅଳ୍ପ କେତେକ ଟ୍ରକ୍‌ ଏବେ ଫଳଗୁଡିକୁ ନେଉଛନ୍ତି କିନ୍ତୁ ଚାଷୀମାନଙ୍କୁ ଏଥିପାଇଁ ଖୂବ୍‌ ଅଳ୍ୱ ମୂଲ୍ୟ ମିଳୁଛି

“ଆମେ ପ୍ରକୃତରେ କୃଷକମାନଙ୍କ ପ୍ରତି ସମ୍ବେଦନା ପ୍ରକାଶ କରୁଛୁ । ମୁଁ ସହମତ ଯେ ତାଲାବନ୍ଦର ପ୍ରଥମ କିଛି ଦିନ ପର୍ଯ୍ୟନ୍ତ ଯାନବାହନ ସହଜରେ ଉପଲବ୍ଧ ହେଉନଥିଲା । ଆମେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଲୁ ଓ ବର୍ତ୍ତମାନ ଯେପରି ରାଜ୍ୟ ଭିତରେ ଓ ସମ୍ଭବ ହେଲେ ପଡୋଶୀ ରାଜ୍ୟରେ ଏହି ଫଳଗୁଡିକ ପହଞ୍ଚି ପାରିବ ତାହା ନିଶ୍ଚିତ କରୁଛୁ” ବୋଲି, କୃଷି ଉତ୍ପାଦନ କମିଶନର୍‌ ଓ କୃଷି ବିଭାଗ (ତାମିଲ୍‌ନାଡୁ)ରୁ ମୂଖ୍ୟ ସଚିବ ଗଗନଦୀପ ସିଂ ବେଦି କହିଛନ୍ତି । 

ବେଦିଙ୍କ ଦ୍ୱାରା ପ୍ରଦାନ କରିଥିବା ସୂଚନା ମୁତାବକ ଚିଥମୂର ବ୍ଲକ୍‌ରୁ ମାର୍ଚ୍ଚ ୨୭ ରୁ ଏପ୍ରିଲ୍ ୨ ମଧ୍ୟରେ ୯୭୮ ମେଟ୍ରିକ୍‌ ଟନ୍‌ ତରଭୁଜ ତାମିଲନାଡୁର ବିଭିନ୍ନ ବଜାରକୁ ପରିବହନ କରାଯାଇଛି । “ମୁଁ ଜାଣିନି ଏହାର କାରଣ କ’ଣ କିନ୍ତୁ ଏହି ସଙ୍କଟ ସମୟରେ ତରଭୁଜ ବିକ୍ରି ଗମ୍ଭୀର ଭାବେ ପ୍ରଭାବିତ ହୋଇଛି, ଯାହା ନିଶ୍ଚିତ ଭାବେ ଏକ ଗମ୍ଭୀର ସମସ୍ୟା । କିନ୍ତୁ ଆମେ ସହାୟତା ପ୍ରଦାନ କରିବା ପାଇଁ  ଯଥା ସମ୍ଭବ ଚେଷ୍ଟା କରୁଛୁ ବୋଲି ” ବୋଲି ମଧ୍ୟ ସେ କହିଛନ୍ତି । 

ଚାଷୀମାନେ ବଡ ଧରଣର କ୍ଷତି ସହିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ରାଜ୍ୟ ସରକାର କଣ ଏଥିପାଇଁ ସେମାନଙ୍କୁ କୌଣସି କ୍ଷତିପୂରଣ ରାଶି ପ୍ରଦାନ କରିବେ? ଏହାର ଉତ୍ତରରେ ବେଦି କହିଛନ୍ତି ଯେ “ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଆଦାୟ ହୋଇଥିବା ଫଳଗୁଡିକ ପାଇଁ ପରିବହନ ସୁବିଧା ଯୋଗାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ । “କ୍ଷତିପୂରଣ ପ୍ରଦାନ କରାଯିବା ଏକ ରାଜନୈତିକ ନିଷ୍ପତି ହୋଇଥିବାରୁ ଏହା ବିଷୟରେ ପରେ ଚିନ୍ତା କରାଯିବ । ଚାଷୀମାନଙ୍କୁ ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ ଆମେ ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବୁ ।

ଚିଥାମୁର୍‌ର ଚାଷୀମାନେ ସେମାନେ ଆଦାୟ କରିଥିବା ଫସଲକୁ ସଂଗ୍ରହ କରିବା ପାଇଁ ଟ୍ରକ୍‌ ଆସୁଥିବା କଥା ସ୍ୱୀକାର କରିଛନ୍ତି ଯଦିଓ ସେମାନଙ୍କ ସଂଖ୍ୟା ଅତି କମ୍‌ ବୋଲି କହିଛନ୍ତି । “ସେମାନେ କିଛି ପରିମାଣର ଫଳ ନେଇ ଯାଉଛନ୍ତି, ହେଲେ ବାକି ସବୁ ରହି ପଚି ଯାଉଛି,” ବୋଲି ସୁରେଶ କୁମାର କୁହନ୍ତି । “ଆଉ ଯାହା ସବୁ ନିଆଯାଇଛି, ସେଥିପାଇଁ ଆମେ ଖୂବ୍‌ ଅଳ୍ପ ମୂଲ୍ୟ ପାଇଛୁ। ସହରରେ ଲୋକମାନେ କରୋନା କାରଣରୁ ବେମାର ପଡୁଥିବା ବେଳେ ଏହା ଯୋଗୁ ଆମେ ଆମର ରୋଜଗାର ହରାଉଛୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sibi Arasu

ସିବି ଆରଶୁ ହେଉଛନ୍ତି ବାଙ୍ଗାଲୋର୍‌ରେ ଜଣେ ସ୍ୱାଧୀନ ସାମ୍ୱାଦିକ । @sibi123

Other stories by Sibi Arasu