ଅଞ୍ଜଳି ସବୁବେଳେ ତୁଳସୀଙ୍କୁ ନିଜ ଆମ୍ମା (ମା’) ବୋଲି ପରିଚୟ ଦେଇଥା’ନ୍ତି। ଏହି କୁଞ୍ଚିତ କେଶୀ ମା’ ମୁଣ୍ଡରେ ଖୋସା ପକାଇଛନ୍ତି ଓ ଗୋଲାପୀ ଶାଢ଼ୀକୁ ସୁନ୍ଦର ଭାବେ ପିନ୍ଧିଛନ୍ତି ଏବଂ ଆମକୁ ଏ କଥା କହିବା ସମୟରେ ଅଳ୍ପ ଅଳ୍ପ ହସୁଥା’ନ୍ତି। ତୁଳସୀ ଜଣେ କିନ୍ନର ମହିଳା ଅଟନ୍ତି ଏବଂ ନଅ ବର୍ଷର ଗୋଟିଏ ଝିଅର ମା’ ବୋଲି ନିଜର ପରିଚୟ ଦିଅନ୍ତି।

କିଶୋରାବସ୍ଥାର ଅନ୍ତିମ ପର୍ଯ୍ୟାୟରେ ତୁଳସୀ ନିଜକୁ ‘କାର୍ତିଗା’ ବୋଲି ପରିଚୟ ଦେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ, ଜଣେ ସରକାରୀ ଅଧିକାରୀ ତାଙ୍କ ରାସନ କାର୍ଡରେ ଭୁଲ କରିଦେଲେ ଏବଂ ତାମିଲରେ ଏକ ଉଭୟଲିଙ୍ଗୀ ନାମ ‘ତୁଳସୀ’ ଲେଖି ଦେଇଥିଲେ। ସେ ଏହାକୁ ଖୁସିର ସହିତ ସ୍ୱୀକାର କରିଥିଲେ ଏବଂ ଏହା ପରଠାରୁ ଉଭୟ ନାମରେ ସମ୍ବୋଧିତ ହେବାକୁ ଲାଗିଲେ।

ତାମିଲନାଡ଼ୁର ତିରୁପୁରୁର ତାଲୁକ ରେ ଥିବା ଏକ ଇରୁଲା ପଡ଼ା ଦରଗାସ୍‌ରେ ଥିବା ଛୋଟିଆ କଚ୍ଚା ଘରେ ଝିଅ ଅଞ୍ଜଳି ସହିତ ସେ ରୁହନ୍ତି। ଅଞ୍ଜଳି ଅତି ଛୋଟ ହୋଇଥିବା ବେଳେ ତୁଳସୀଙ୍କ ପତ୍ନୀ ତା’ ଠାରୁ ଅଲଗା ହୋଇଯାଇଥିଲେ। ତେଣୁ ଏକାକିନୀ ଅଭିଭାବକ ଭାବେ ସେ ତା’କୁ ବଢ଼ାଇଥିଲେ। ୨୦୧୬ରେ ବରଦା ବାତ୍ୟା ସମୟରେ ଏହି ଦମ୍ପତି ସେମାନଙ୍କର ନଅ ବର୍ଷର ପ୍ରଥମ ସନ୍ତାନକୁ ହରାଇଥିଲେ।

ବର୍ତ୍ତମାନ ୪୦ ବର୍ଷ ବୟସରେ ପହଞ୍ଚି ସାରିଥିବା ତୁଳସୀ କିଛି ବର୍ଷ ଧରି ତିରୁନଙ୍ଗଇ (ତାମିଲରେ କିନ୍ନର ମହିଳା) ସମାଜର ଅଂଶବିଶେଷ ହୋଇ ରହିଆସିଛନ୍ତି। ନିଜ କୋଳରେ ବସିଥିବା ଅଞ୍ଜଳିକୁ ସ୍ନେହର ସହିତ ଦେଖିବା ସମୟରେ ସେ କୁହନ୍ତି, ‘‘ମୁଁ ହାତରେ କ୍ଷୀର ବୋତଲ ଧରି ତା’କୁ ନେଇ ଆମ (ତିରନଙ୍ଗଇ) ବୈଠକୁ ଯାଇଥାଏ।’’

PHOTO • Smitha Tumuluru
PHOTO • Smitha Tumuluru

ବାମ : ତାମିଲନାଡ଼ୁର ତିରୁପୁରୁର ତାଲୁକରେ ଥିବା ଏକ ଇରୁଲା ପଡ଼ା ଦରଗା ସ୍‌ରେ ନିଜ ଝିଅ ଅଞ୍ଜଳି ସହିତ ସେମାନଙ୍କ ଘରେ ତୁଳସୀ ଡାହାଣ : ଶିଶୁ ଅଞ୍ଜଳିକୁ ଧରିଥିବାର ତୁଳସୀଙ୍କ ଗୋଟିଏ ଫଟୋ

PHOTO • Smitha Tumuluru
PHOTO • Smitha Tumuluru

ବାମ : କୋଭିଡ୍ ମହାମାରୀ ସମୟରେ ତେନମୋଳି ପ୍ରାଣ ହରାଇବା ପୂର୍ବରୁ ତେନମୋଳି ( ନୀଳ ଶାଢ଼ୀ ) ଙ୍କ ସହିତ ଗୀତ ଗାଉଛନ୍ତି ତୁଳସୀ

ଅଞ୍ଜଳିକୁ ଯେତେବେଳେ ଚାରି ବର୍ଷ ହୋଇଥିଲା, ତୁଳସୀ ତା’ର ମା’ ରୂପରେ ପରିଚୟ ଦେବା ପାଇଁ ଉତ୍ସୁକ ଥିଲେ ଏବଂ ସେଥିପାଇଁ ସେ ୱେଷ୍ଟି (ପୁରୁଷମାନେ ପିନ୍ଧୁଥିବା ଏକ ପରିଧାନ) ପିନ୍ଧିବା ଛାଡ଼ି କେବଳ ଶାଢ଼ୀ ପିନ୍ଧିବା ଆରମ୍ଭ କରି ଦେଇଥିଲେ। ୫୦ ବର୍ଷ ବୟସ୍କା ତିରୁନଙ୍ଗଇ କୁମୁଦିଙ୍କ ପରାମର୍ଶକ୍ରମେ ସେ ଏହା କରିଥିଲେ ବୋଲି କୁହନ୍ତି। ତୁଳସୀ ତାଙ୍କୁ ନିଜ ଆୟା (ଜେଜେ ମା’) ବୋଲି ମାନନ୍ତି।

ସେ  ଜୋର ଦେଇ ଯେତେବେଳେ ଜଣେ ମହିଳା ରୂପରେ ନିଜର ଲିଙ୍ଗଗତ ପରିଚୟ ଦେବା ଆରମ୍ଭ କରିଥିଲେ ସେହି ସମୟ ବିଷୟରେ ଉଲ୍ଲେଖ କରି ସେ କୁହନ୍ତି, ‘‘ ୱିଲମ୍ବର ମା ୱେ ନ୍ଦତେ (ମୁଁ ଖୋଲାଖୋଲି ସାମ୍ନାକୁ ଆସିଲି)।’’

ଏହି ପରିବର୍ତ୍ତନକୁ ଚିହ୍ନିତ କରିବା ଲାଗି ତୁଳସୀ ତିରୁୱଲ୍ଲୁର ଜିଲ୍ଲା ବେଦିୟୁର୍‌ରେ ଥିବା ନିଜର ୪୦ ବର୍ଷ ବୟସ୍କ ସମ୍ପର୍କୀୟ ରବିଙ୍କୁ ଆନୁଷ୍ଠାନିକ ଭାବେ ବିବାହ କରିଥିଲେ। ତାମିଲନାଡ଼ୁରେ କିନ୍ନର ମହିଳାଙ୍କ ମଧ୍ୟରେ ବହୁ ପ୍ରଚଳିତ ଏହି ପ୍ରଥାରେ ବିବାହ କେବଳ ଏକ ପ୍ରତିକାତ୍ମକ ହୋଇଥାଏ। ରବିଙ୍କ ପରିବାର - ତାଙ୍କ ପତ୍ନୀ ଗୀତା ଓ ଦୁଇ ଜଣ କିଶୋରୀ କନ୍ୟା ତୁଳସୀଙ୍କୁ ଆଶୀର୍ବାଦ ରୂପରେ ନିଜ ପରିବାରରେ ଗ୍ରହଣ କରିଥିଲେ। ‘‘ମୋ ସ୍ୱାମୀଙ୍କ ସହିତ ଆମେ ସମସ୍ତେ ତାଙ୍କୁ ‘ଆମ୍ମା’ କହୁ। ସେ ଆମ ପାଇଁ ଭଗବାନଙ୍କ ଭଳି,’’ ଗୀତା କୁହନ୍ତି।

ତୁଳସୀ ଦରଗାସ୍‌ରେ ରୁହନ୍ତି ଏବଂ ସ୍ୱତନ୍ତ୍ର ଅବସରରେ ନିଜର ନୂଆ ପରିବାରକୁ ଭେଟନ୍ତି।

ପ୍ରାୟ ସେହି ସମୟରେ, ତାଙ୍କର ସାତ ଭାଇ-ଭଉଣୀ ତାଙ୍କୁ ‘ଆମ୍ମା’ ବା ‘ଶକ୍ତି’ (ଦେବୀ) ବୋଲି ସମ୍ବୋଧନ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କର ଏହି ପରିବର୍ତ୍ତନ ଦେବୀ (ଆମ୍ମାନାରୁଲ୍‌)ଙ୍କ କୃପା ସହ ଜଡ଼ିତ ବୋଲି ସେମାନେ ବିଶ୍ୱାସ କରନ୍ତି।

PHOTO • Smitha Tumuluru
PHOTO • Smitha Tumuluru

ବାମ : ତୁଳସୀ ଏବଂ ରବି ପ୍ରତ୍ୟେକ ଦିନ ଶାଢ଼ି ପିନ୍ଧିବାର ନିଜ ପରିବର୍ତ୍ତନକୁ ଚିହ୍ନଟ କରିବା ଲାଗି ଆନୁଷ୍ଠାନିକ ବିବାହ କରିଥିଲେ ଡାହାଣ : ତୁଳସୀଙ୍କ କେଶରେ ଫୁଲ ଲଗାଉଛନ୍ତି ରବିଙ୍କ ପତ୍ନୀ ଗୀତା , ପାଖରେ ଥାଇ ରବି , ତାଙ୍କ ଝିଅ ଗୀତା ଏହାକୁ ଦେଖୁଛନ୍ତି

PHOTO • Smitha Tumuluru
PHOTO • Smitha Tumuluru

ଅଞ୍ଜଳିଙ୍କ ସହିତ ତୁଳସୀ ରବି ( ବାମ ) ତୁଳସୀଙ୍କ ପରିବାର ତାଙ୍କୁ ଏକ ଆଶୀର୍ବାଦ ରୂପରେ ଦେଖନ୍ତି ଲାଗୁଛି ଯେମିତି ଆମ୍ମାନ ( ଦେବୀ ) ଘରକୁ ଆସିଛନ୍ତି ,’ ତାଙ୍କର ସ୍ୱର୍ଗୀୟା ମାତା ସେନ୍ଦାମାରାଇ କହିଥିଲେ

ତୁଳସୀ କୁହନ୍ତି, ପରସ୍ପର ସହ ଘନିଷ୍ଠ ସମ୍ପର୍କ ଥିବା ତାଙ୍କ ଇରୁଲା ସମୁଦାୟର ପ୍ରତ୍ୟେକ ସଦସ୍ୟ ନିଜର ଲିଙ୍ଗ ବିଷୟରେ ଜାଣନ୍ତି, ତେଣୁ ଏହାକୁ ଲୁଚାଇବାର ଆବଶ୍ୟକତା ନାହିଁ। ତୁଳସୀ କୁହନ୍ତି, ‘‘ଆମ ବାହାଘର ପୂର୍ବରୁ ମୋ ପତ୍ନୀ ମଧ୍ୟ ମୋ ବିଷୟରେ ସବୁକଥା ଜାଣିଥିଲେ।’’ ସେ ଆହୁରି କୁହନ୍ତି, ‘‘ମୁଁ ଯେତେବଳେ କୁଡ଼ୁମି (କେଶରେ ଛୋଟ ଖୋସା) ବାନ୍ଧିବା ଏବଂ ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲି, କେହି ହେଲେ କେବେ ମୋତେ ନିର୍ଦ୍ଦିଷ୍ଟ ବ୍ୟବହାର କରିବା କିମ୍ବା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦେଇନଥିଲେ।’’

ତୁଳସୀ କାହିଁକି ‘ଗୋଟିଏ ଝିଅ ଭଳି ବ୍ୟବହାର’ କରୁଛି ସେ ବିଷୟରେ ସାଙ୍ଗମାନେ ପଚାରିବା ଆରମ୍ଭ କରିଥିଲେ ବୋଲି ତୁଳସୀଙ୍କ ଜଣେ ବନ୍ଧୁ ପୁଙ୍ଗୱନମ୍‌ କୁହନ୍ତି। ‘‘ଆମ ଗାଁ ହିଁ ଆମ ଦୁନିଆ ଥିଲା। ଆମେ ତା’ ଭଳି (ତୁଳସୀ) କାହାରିକୁ ଦେଖିନଥିଲୁ। ଏମିତି ଲୋକ ବି ଥାଆନ୍ତି ମନେ କରି ଆମେ ତା’କୁ ମଧ୍ୟ ସ୍ୱୀକାର କରି ନେଲୁ,’’ କେବେ କେହି ତୁଳସୀଙ୍କୁ ଅନାଦର କରିଥିବା କିମ୍ବା ଥଟ୍ଟା ପରିହାସ କରିବା କଥାକୁ ସେ ଖଣ୍ଡନ କରିଥାନ୍ତି।

ବର୍ତ୍ତମାନ ୭୦ରୁ ଅଧିକ ବୟସରେ ପହଞ୍ଚି ସାରିଥିବା ତାଙ୍କ ମାତାପିତା ସେନ୍ଦାମାରାଇ ଏବଂ ଗୋପାଳ ମଧ୍ୟ ସେ ଯେମିତି ସେହି ଅବସ୍ଥାରେ ତାଙ୍କୁ ଗ୍ରହଣ କରି ନେଇଛନ୍ତି, ‘‘ ଅୱନ ମନସ ପୁନ୍ ପଡ଼ଦ କୁଡ଼ାଦ (ଆମେ ତା’ର ଭାବନାକୁ ଆଘାତ ପହଞ୍ଚାଇବା ଉଚିତ୍‌ ନୁହେଁ)।’’

‘‘ଏହା (ତୁଳସୀ ଶାଢ଼ି ପିନ୍ଧିବା) ଭଲ କଥା। ଯେମିତି ଆମ୍ମା ଘରକୁ ଆସିଛନ୍ତି,’’ ତୁଳସୀ ଦେବୀଙ୍କର ଅବତାର ବୋଲି ତାଙ୍କ ପରିବାରର ମନୋଭାବକୁ ସେନ୍ଦାମରାଇ ହାତ ଯୋଡ଼ି, ଆଖି ବନ୍ଦ କରି ପ୍ରାର୍ଥନା କରିବା ମୁଦ୍ରାରେ ସମ୍ମାନ ଦିଅନ୍ତି। ୨୦୨୩ ଶେଷ ଭାଗରେ ସେନ୍ଦାମରାଇଙ୍କର ପରଲୋକ ହୋଇଥିଲା।

ପ୍ରତିମାସରେ, ତୁଳସୀ ନିଜର ତିରୁନଙ୍ଗଇ ସମାଜ ସହିତ ୧୨୫ କିଲୋମିଟର ଯାତ୍ରା କରି ୱିଲୁପୁରମ୍‌ ଜିଲ୍ଲାରେ ଥିବା ମନ୍ଦିର ନଗରୀ ମେଲମାଲାୟନୁର୍‌ ଯାଆନ୍ତି ଏବଂ ସେଠାରେ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି। ‘‘ ତିରୁନଙ୍ଗଇ ଙ୍କ କଥା ସତ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ମୁଁ କେବେ ଲୋକଙ୍କୁ ଅଭିଶାପ ଦେଇନାହିଁ, କେବଳ ସେମାନଙ୍କୁ ଆଶୀର୍ବାଦ ଦେଇଛି ଏବଂ ସେମାନେ ଆମକୁ ଯାହା ଦେଇଛନ୍ତି ତାହା ସ୍ୱୀକାର କରିଛି,’’ ସେ କୁହନ୍ତି। ସବୁଦିନ ଶାଢ଼ି ପିନ୍ଧିବା ଲାଗି ତାଙ୍କର ପସନ୍ଦ ତାଙ୍କର ଆଶୀର୍ବାଦକୁ ଅଧିକ ପ୍ରଭାବୀ କରିଛି ଏବଂ ଗୋଟିଏ ପରିବାରକୁ ଆଶୀର୍ବାଦ ଦେବା ପାଇଁ ସେ କେରଳ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଛନ୍ତି।

PHOTO • Smitha Tumuluru
PHOTO • Smitha Tumuluru

ବାମ : ମେଲମାଲାୟନୁର୍ ମନ୍ଦିର ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି ତୁଳସୀ ଡାହାଣ : ସମାରୋହ ପାଇଁ ତୁଳସୀଙ୍କ ତିରୁନଙ୍ଗଇ ପରିବାରର ଝୁଡ଼ି ମନ୍ଦିର ଆଗରେ ଲୋକମାନଙ୍କୁ ଆଶୀର୍ବାଦ ଦେ ବା ପାଇଁ କିନ୍ନର ମହିଳାମାନେ ଏକାଠି ହୋଇଛନ୍ତି

PHOTO • Smitha Tumuluru
PHOTO • Smitha Tumuluru

ବାମ : ତୁଳସୀ ନିଜ ତିରୁନଙ୍ଗଇ  ପରିବାର ଏବଂ ରବିଙ୍କ ସହିତ ନିଜ ବଡ଼ ପରିବାରର ସଦସ୍ୟଙ୍କ ସହିତ ଫେବୃଆରୀ ୨୦୨୩ରେ ମେଲମାଲାୟନୁର ଉତ୍ସବରେ ଯୋଗ ଦେଇଛନ୍ତି। ଡାହାଣ : ତୁଳସୀ ପ୍ରାର୍ଥନା କରୁଛନ୍ତି ଏବଂ ଜଣେ ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି। ସେ କୁହନ୍ତି, ‘ମୁଁ କେବେ ବି ଲୋକଙ୍କୁ ଅଭିଶାପ ଦେଇ ନାହିଁ, କେବଳ ସେମାନଙ୍କୁ ଆଶୀର୍ବାଦ ଦେଇଛି ଏବଂ ସେମାନେ ଆମକୁ ଯାହା ଦିଅନ୍ତି ତା’କୁ ସ୍ୱୀକାର କରିଥାଏ’

ସାଧାରଣ ଅସୁସ୍ଥତା ପାଇଁ ଆୟୁର୍ବେଦ ଚିକିତ୍ସା ଉପରେ ତାଙ୍କର ଜ୍ଞାନ ତାଙ୍କ ପାଇଁ ରୋଜଗାର ପନ୍ଥା ପାଲଟିଥିଲା କିନ୍ତୁ ଗତ କିଛି ବର୍ଷ ଧରି ଏହା ହ୍ରାସ ପାଇଛି। ‘‘ମୁଁ ଅନେକ ଲୋକଙ୍କୁ ଭଲ କରିଛି। କିନ୍ତୁ ଏବେ, ସେମାନେ ସମସ୍ତେ ନିଜ ମୋବାଇଲ ଦେଖି ଚିକିତ୍ସା କରି ନେଉଛନ୍ତି! ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ୫୦,୦୦୦ (ଟଙ୍କା) ରୋଜଗାର କରିଥିଲି। ଧୀରେ ଧୀରେ ଏହା ବାର୍ଷିକ ୪୦,୦୦୦, ୩୦,୦୦୦ ଏବଂ ତା’ପରେ ଅତିବେଶୀରେ ୨୦,୦୦୦ ଟଙ୍କାକୁ ଖସି ଆସିଥିଲା,’’ ସେ ଦୀର୍ଘଶ୍ୱାସ ପକାଇ କୁହନ୍ତି। କୋଭିଡ ବର୍ଷଗୁଡ଼ିକ ସବୁଠୁ କଷ୍ଟକର ସମୟ ଥିଲା।

ଇରୁଲର ଦେବୀ କନ୍ନିୟମ୍ମା ମନ୍ଦିର ପରିଚାଳନା କରିବା ସହିତ, ତୁଳସୀ ପାଞ୍ଚ ବର୍ଷ ପୂର୍ବରୁ ନୁର ନାଲ୍‌ ୱେଲଇ (ମନରେଗା) କାମ ମଧ୍ୟ ଆରମ୍ଭ କରିଥିଲେ। ସେ ଦରଗାସରେ ଅନ୍ୟ ମହିଳାଙ୍କ ସହିତ ଚାଷ କାମ କରନ୍ତି ଏଂ ଦୈନିକ ପ୍ରାୟ ୨୪୦ ଟଙ୍କାର ମଜୁରି ପାଇଥା’ନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଗ୍ରାମାଞ୍ଚଳ ପରିବାରଗୁଡ଼ିକୁ ବାର୍ଷିକ ୧୦୦ ଦିନ କାମର ଗ୍ୟାରେଣ୍ଟି ଦେଇଥାଏ।

କାଞ୍ଜିପୁରମ ଜିଲ୍ଲା ପାଖରେ ଥିବା ଏକ ସରକାରୀ ଆବାସିକ ବିଦ୍ୟାଳୟରେ ଅଞ୍ଜଳି ନାମ ଲେଖାଇଛନ୍ତି। ତୁଳସୀ କୁହନ୍ତି, ତାଙ୍କର ଶିକ୍ଷା ଏକ ପ୍ରାଥମିକତା। ‘‘ତା’କୁ ଶିକ୍ଷିତ କରିବା ଲାଗି ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛି। କୋଭିଡ ସମୟରେ, ଛାତ୍ରୀ ନିବାସରେ ରହିବାକୁ ସେ ପସନ୍ଦ କରିନଥିଲା। ତେଣୁ ମୁଁ ତା’କୁ ପାଖରେ ଆଣି ରଖିଥିଲି,’’ ସେ କୁହନ୍ତି। ୨୦୨୩ ଆରମ୍ଭରେ ଯେତେବେଳେ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ତୁଳସୀ ଝିଅ ଅଞ୍ଜଳିକୁ ନାମ ଲେଖାଇବା ପାଇଁ ବିଦ୍ୟାଳୟକୁ ନେଇ ଯାଇଥିଲେ ତାଙ୍କୁ ପ୍ରଥମ କିନ୍ନର ଅଭିଭାବକ ରୂପରେ ସମ୍ମାନିତ କରାଯାଇଥିଲା।

ତୁଳସୀଙ୍କ ତିରୁନଙ୍ଗଇ ବନ୍ଧୁମାନଙ୍କ ମଧ୍ୟରୁ କେତେଜଣ ଲିଙ୍ଗ ନିର୍ଦ୍ଧାରଣ ଅସ୍ତ୍ରୋପଚାର କରାଇବାକୁ ବାଛିଥିଲେ କିନ୍ତୁ ସେ କୁହନ୍ତି, ‘‘ମୁଁ ଯେମିତି ମୋତେ ସମସ୍ତେ ସେହିଭଳି ଭାବେ ଗ୍ରହଣ କରିଛନ୍ତି, ତେଣୁ ଏ ବୟସରେ ଅସ୍ତ୍ରୋପଚାର କରାଇବାରେ ଲାଭ କ’ଣ?’’

କିନ୍ତୁ ସମାଜ ଭିତରେ ଏହି ବିଷୟକୁ ନେଲେ ଲଗାତାର ଆଲୋଚନା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟା ଆଶଙ୍କା ସତ୍ତ୍ୱେ ସେ ଏହି ବିଷୟ ଉପରେ ପୁନର୍ବିଚାର କରିବା ଲାଗି ବାଧ୍ୟ ହୋଇଥାନ୍ତି: ‘‘ଅସ୍ତ୍ରୋପଚାର କରାଇବା ଲାଗି ଗ୍ରୀଷ୍ମ ଋତୁ ହୁଏତ’ ଏକ ଭଲ ସମୟ ହୋଇପାରେ। ଶୀଘ୍ର ଉପଚାର ହୋଇଯିବ।’’

PHOTO • Smitha Tumuluru
PHOTO • Smitha Tumuluru

ବାମ : ତୁଳସୀ ଜଣେ ଆୟୁର୍ବେଦ ଚିକିତ୍ସକ। ସେ ଔଷଧ ପ୍ରସ୍ତୁତ କରିବା ଲାଗି ଦରଗାସ୍‌ରେ ଥିବା ତାଙ୍କ ଘର ପାଖରେ ଔଷଧିୟ ବୃକ୍ଷଗୁଡ଼ିକୁ ଖୋଜିଥା’ନ୍ତି। ଡାହାଣ : ମେଲମାଲୟାନୁର ମନ୍ଦିରରେ ତୁଳସୀ ଓ ଅଞ୍ଜଳି

PHOTO • Smitha Tumuluru
PHOTO • Smitha Tumuluru

‘ମୁଁ ଏବେ ସବୁଠୁ ଅଧିକ ଖୁସି!’ ମନ୍ଦିର ଉତ୍ସବ ସମୟରେ ହସି ହସି ଏବଂ ମଝିରେ ମଝିରେ ନୃତ୍ୟ କରି ସେ କୁହନ୍ତି

ଖର୍ଚ୍ଚ କମ୍‌ ନୁହେଁ - ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ଏବଂ ଭର୍ତ୍ତି ହେବା ପାଇଁ ପ୍ରାୟ ୫୦,୦୦୦ ଟଙ୍କା ଖର୍ଚ୍ଚ ହେବ । ସେ କିନ୍ନର ଲୋକଙ୍କ ପାଇଁ ମାଗଣା ଲିଙ୍ଗ ନିର୍ଦ୍ଧାରଣ ଅସ୍ତ୍ରୋପଚାର ଲାଗି ତାମିଲନାଡ଼ୁ ସରକାରଙ୍କ ନୀତି ଏବଂ ଏହି ସରକାରୀ ଯୋଜନାରେ ତାଙ୍କୁ ସହାୟତା ମିଳିପାରିବ କି ନାହିଁ ସେ ବିଷୟରେ ଜାଣିବାକୁ ଚାହୁଁଛନ୍ତି।

ଫେବୃଆରୀ ୨୦୨୩ରେ, ସେନ୍ଦମରାଇ ଏବଂ ଅଞ୍ଜଳିଙ୍କ ସହିତ ତୁଳସୀ ମସାନକୋଲ୍ଲେଇ (ଯାହାକୁ ମୟାନକୋଲ୍ଲେଇ ମଧ୍ୟ କୁହାଯାଏ) ନାମକ ଲୋକପ୍ରିୟ ପର୍ବ ପାଳନ କରିବା ଲାଗି ମେଲମାଲାୟନୁର ମନ୍ଦିରକୁ ଯାଇଥିଲେ।

ଅଞ୍ଜଳି ନିଜ ମା’ଙ୍କ ହାତକୁ ଧରି ମନ୍ଦିରର ଗହଳିପୂର୍ଣ୍ଣ ସଡ଼କରେ ପୁରୁଣା ବନ୍ଧୁମାନଙ୍କୁ ଭେଟିବା ସହିତ ନାଚି ନାଚି ଚାଲୁଥିଲେ। ରବି ଓ ଗୀତା ନିଜ ଯୌଥ ପରିବାର ସହିତ ଆସିଥିଲେ। ତୁଳସୀଙ୍କ ତିରୁନଙ୍ଗଇ ପରିବାର - ତାଙ୍କ ଗୁରୁ, ଭଉଣୀ ଏବଂ ଅନ୍ୟମାନେ ସେମାନଙ୍କ ସହିତ ସାମିଲ ହେଲେ।

ମଥାରେ ବଡ଼ ଲାଲ ସିନ୍ଦୁର ଟୋପା ଓ ଲମ୍ବା ନକଲି କେଶ ଲଗାଇ ତୁଳସୀ ସମସ୍ତଙ୍କ ସହ କଥା ହେଉଥିଲେ। ‘‘ମୁଁ ଏବେ ସବୁଠୁ ବେଶୀ ଖୁସି!’’ ସେ ହସି ହସି ଏବଂ ମଝିରେ ମଝିରେ ନାଚି ନାଚି କହିଲେ।

‘‘ତାଙ୍କର କେତେଜଣ ମା’ ଅଛନ୍ତି ତୁମେ ଅଞ୍ଜଳିଙ୍କୁ ପଚାର,’’ ଏକ ପାରିବାରିକ ଉତ୍ସବରେ ତୁଳସୀ ମୋତେ କହିଲେ।

ମୁଁ ତାହା କଲି ଏବଂ ଅଞ୍ଜଳି ତୁରନ୍ତ ଉତ୍ତର ଦେଲେ, ‘‘ଦୁଇ ଜଣ’’, ସେ ହସି ହସି ତୁଳସୀ ଓ ଗୀତାଙ୍କ ଆଡ଼କୁ ହାତ ଠାରିଲେ।

ଅନୁବାଦ : ଓଡ଼ିଶାଲାଇଭ୍‍

Smitha Tumuluru

Smitha Tumuluru is a documentary photographer based in Bengaluru. Her prior work on development projects in Tamil Nadu informs her reporting and documenting of rural lives.

Other stories by Smitha Tumuluru
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE