ଗୋଟିଏ ଶନିବାର ଅପରାହ୍ନରେ ଆମେ ରାମଲକ୍ଷ୍ମୀ ବୁଣାକାର କଲୋନୀ ପାଖରେ ପହଞ୍ଚିବାକୁ ବେଳକୁ ମଗଲୁ (ହସ୍ତଚାଳିତ ତନ୍ତ)ର ‘ଟକ-ଟକ’ ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଉଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅନୁମାନ ଏଠାରେ ପ୍ରାୟ ୧୪୦ଟି ପରିବାର ରୁହନ୍ତି ଓ କାମ କରନ୍ତି। ଅଧିକାଂଶ ବୁଣାକାରଙ୍କ ବୟସ ୬୦ରୁ ଅଧିକ। ସେମାନଙ୍କ ମଧ୍ୟରୁ କେତେକ ମୋତେ ଜଣେ ସରକାରୀ ଅଧିକାରୀ ବୋଲି ଧରିନେଇଥିଲେ। ଯିଏ କି ସେମାନଙ୍କୁ ମାସିକ ଟ. ୧୦୦୦ ପେନ୍‌ସନ ଦେବା ପାଇଁ ଆସନ୍ତି। ମୁଁ ଜଣେ ସାମ୍ବାଦିକ ଏହା ଜାଣି ସେମାନେ ହତାଶ ହେଲେ । 

ଯେତେବେଳେ ମୁଁ ତାଙ୍କୁ ପଚାରିଲି କାହିଁକି ଅଧିକାଂଶ ବୁଣାକାର ଏତେ ବୟସ୍କ, ସେତେବେଳେ ସେ ୭୩ ବର୍ଷ ବୟସ୍କ ବିଦୁମାତ୍‌ଲା କୋଟା ପୈଲାୟା ତାଙ୍କ ମଗମ (ଏକକ ତନ୍ତ)ରେ କାମ କରୁଥିବା ବେଳେ କହିଲେ, ‘‘କମ୍‌ ବୟସର ଲୋକମାନେ ଜୀବିକା ଓ କାମ ସନ୍ଧାନରେ ବାହାରକୁ ଚାଲିଯାଇଛନ୍ତି’’। ସେ କହିଲେ ଅଧିକାଂଶ ଯୁବକ କୃଷି କିମ୍ବା ନିର୍ମାଣ ଶ୍ରମିକ ଏବଂ ସେମାନେ ପେଦାନା ଏବଂ ଜିଲ୍ଲା ମୁଖ୍ୟାଳୟ ମଛଲିପଟନମ ଆଖପାଖରେ କାମ କରନ୍ତି। 

ପୈଲାୟାଙ୍କ ବାର୍ଦ୍ଧକ୍ୟ ଭତ୍ତା ଯଦିଓ ଖୁବ୍‌ କମ୍‌ ତାହା ତାଙ୍କୁ ପତ୍ନୀଙ୍କ ପେନସନ ସହ ମିଶାଇ ଘର ଚଳାଇବାରେ ସାହାଯ୍ୟ କରେ। ବୟନକାର୍ଯ୍ୟରୁ ତାଙ୍କର ଆୟ ଯଥେଷ୍ଟ ନୁହେଁ- ଏହା ଦିନକୁ ପ୍ରାୟ ଟ ୧୦୦। ‘‘ମୁଁ ଟ ୩୦୦-୪୦୦ ରୋଜଗାର କରିବି ଯଦି ମୁଁ ଗୋଟିଏ ଶାଢ଼ୀ ସମ୍ପୂର୍ଣ୍ଣ କରିବା ପାଇଁ ତିନିଦିନ ପର୍ଯ୍ୟନ୍ତ ଦିନକୁ ୧୦-୧୨ ଘଣ୍ଟା କାମ କରିବି। ମୁଁ ଏହାକୁ ମୁଖ୍ୟ ବୁଣାକାରମାନଙ୍କ [ପେଦାନାରେ] ଦୋକାନରେ ବିକ୍ରୟ କରିବି, ଯେଉଁମାନେ କି ପ୍ରତ୍ୟେକ ଶାଢ଼ୀକୁ ଟ. ୬୦୦-୭୦୦ରେ ବିକ୍ରି କରି ଲାଭ ପାଆନ୍ତି।  କେବଳ ଲୁଗା ବୁଣିବାରେ ଆଜିକାଲି ଆମେ ବଞ୍ଚିପାରିବୁ ନାହିଁ…’’ 

Vidumatla Kota Pailayya, 73, working on his maggam in his two-room house in Ramalakshmi weavers' colony
PHOTO • Rahul Maganti

୭୩ ବର୍ଷ ବୟସ୍କ ବିଦୁମାତ୍‌ଲା କୋଟା ପୈଲାୟା ରାମଲକ୍ଷ୍ମୀ ବୁଣାକାର କଲୋନୀରେ ତାଙ୍କ ଦୁଇବଖୁରିଆ ଘରେ ତାଙ୍କ ମଗମରେ କାମ କରୁଛନ୍ତି

କଳତନ୍ତ ଉତ୍ପାଦ ଯୋଗୁଁ ହସ୍ତତନ୍ତ କପଡ଼ାର ଚାହିଦା ଉଲ୍ଲେଖଯୋଗ୍ୟ ଭାବରେ ହ୍ରାସ ପାଇଛି ବୋଲି ପୈଲାୟା କୁହନ୍ତି। ‘‘ତେଣୁ ଯୁବ ପିଢ଼ି ଯେଉଁ କାମ ସେମାନଙ୍କୁ ସେମାନଙ୍କର ଘର ଚଳାଇବାକୁ ଯଥେଷ୍ଟ ଅର୍ଥ ଦେଉଛି, ତାହା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ଯଦି ବୟସ ଆମ ସପକ୍ଷରେ ଥାଆନ୍ତା ତାହେଲେ ଆମେ ମଧ୍ୟ କାମ ସନ୍ଧାନରେ ବାହାରକୁ ଯାଇଥାନ୍ତୁ। କିନ୍ତୁ ମୁଁ ଅନ୍ୟ କୌଣସି କାମ ଜାଣେ ନାହିଁ…’’

ପେଦାନା ଟାଉନ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ମଛଲିପଟନମ ବନ୍ଦର ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି। ଏହା ଦୁଇଟି ଉଦ୍ୟୋଗର ସ୍ଥାନ- ହସ୍ତତନ୍ତ ବୟନ ଏବଂ କଲମକାରୀ ବ୍ଲକ୍‌ ପ୍ରିଣ୍ଟିଂ। ଏଠାରେ ତିଆରି ହେଉଥିବା ହସ୍ତତନ୍ତ ସୂତା ଶାଢ଼ୀ ସେଗୁଡ଼ିକର ଦୀର୍ଘସ୍ଥାୟିତା ଏବଂ ମାନ ପାଇଁ ପ୍ରସିଦ୍ଧ। ଯେତେବେଳେ କି କଳତନ୍ତ ତିଆରି ସୂତା ଶାଢ଼ୀରେ କଲମକାରୀ ପ୍ରିଣ୍ଟ ସେଗୁଡ଼ିକର ଅନନ୍ୟ ରଙ୍ଗ ଏବଂ ଡିଜାଇନ ପାଇଁ ବିଖ୍ୟାତ । 

ଆନ୍ଧ୍ରପ୍ରଦେଶର ୩,୬୦,୦୦୦ ହସ୍ତତନ୍ତ ବୁଣାକାରଙ୍କ ମଧ୍ୟରୁ ପ୍ରାୟ ୫,୦୦୦ରୁ ୧୦,୦୦୦ (ରାଜ୍ୟ ହସ୍ତତନ୍ତ ଏବଂ ବୟନ ବିଭାଗ ଅନୁଯାୟୀ) ବୁଣାକାର ପେଦାନାରେ ରୁହନ୍ତି। ୮୫ ବର୍ଷ ବୟସ୍କ କୋଠାପାଲ୍ଲୀ ୟେଲାରାଓ ସେମାନଙ୍କ ମଧ୍ୟରୁ ଜଣେ ଯିଏକି ହାତଗଣତିରେ ଥିବା କେଇଜଣ ‘ଆଛୁ’ କାରିଗରଙ୍କ ମଧ୍ୟରେ ଅନ୍ୟତମ। ଆଚ୍ଛୁ ହେଉଛି ଏକ ପ୍ରକ୍ରିୟା, ଯାହାଦ୍ୱାରା କପଡ଼ା ପ୍ରସ୍ତୁତି ପାଇଁ ସୂତାଗୁଡ଼ିକ ଗୋଟିଏ ପରେ ଗୋଟିଏ ସଂଯୁକ୍ତ ହୁଏ। ଏହା ପରେ କପଡ଼ା ପ୍ରସ୍ତୁତି ପାଇଁ ମଗମ ଦେଇଯାଏ। ଏଠାରେ ଥିବା ଅନେକଙ୍କ ପରି ଏଲାରାଓ ମଧ୍ୟ ୧୯୬୦ ଦଶକରେ ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନଙ୍କ ସହ ପୂର୍ବ ଗୋଦାବରୀ ଜିଲ୍ଲାରୁ ପେଦାନାକୁ ଚାଲି ଆସିଥିଲେ। ସେ ସୃଜନଶୀଳ କୁଶଳତା ଦ୍ୱାରା ଜୀବିକା ଅର୍ଜନ କରୁଥିବା ପରିବାରର ଶେଷ ବ୍ୟକ୍ତି । ତାଙ୍କର ପୁଅମାନେ ନିର୍ମାଣ ଶ୍ରମିକ ଏବଂ ତାଙ୍କ ନାତିମାନେ ଇଲେକ୍ଟ୍ରିସିଆନ। 

PHOTO • Rahul Maganti

କୋଠାପାଲି ୟେଲାରାଓ ୮୫ (ଶୀର୍ଷ ଫଟୋରେ ସ୍ଥାନିତ ହୋଇଥିବା) ପେଦାନାରେ ଥିବା ଶେଷ କେଇଜଣଙ୍କ ମଧ୍ୟରେ ସାମିଲ ଯେଉଁମାନେ କି ଏ ପର୍ଯ୍ୟନ୍ତ ଆଛୁରେ କାମ କରୁଛନ୍ତି (ବାମ), ଗୋଟିଏ ପ୍ରକ୍ରିୟା ଯାହାକି ଗୋଟିଏ କପଡ଼ା ବୁଣିବା ପାଇଁ ଏହି ଫ୍ରେମ ବ୍ୟବହାର କରେ; କିଛିଦିନ ପୂର୍ବରୁ ସେ କାଠଚରଖା ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି (ଡାହାଣ)

ମୋ ପ୍ରଶ୍ନଗୁଡ଼ିକ ପ୍ରତି ତାଙ୍କର ପ୍ରତିକ୍ରିୟା ତାତ୍ତ୍ୱିକ ଥିଲା, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ସପ୍ତଦଶ ଶତାବ୍ଦୀର ତେଲୁଗୁ କବି ବେମାନାଙ୍କ ପଦରୁ ଆରମ୍ଭ ହେଉଥିଲା। ସେ କୁହନ୍ତି, ‘‘ମୁଁ ୧୯୭୦ରେ ୩୦୦ଟଙ୍କାରେ ଏହି ଛୋଟ ଜାଗା କିଣିଥିଲି। ସେତେବେଳେ ମୁଁ ଟ. ୧ ଗୃହ କର ଦେଉଥିଲି। ଏବେ ମୁଁ ୮୪୦ ଦେଉଛି। ୧୯୭୦ରେ ମୁଁ ଦିନକୁ ୧ଟଙ୍କାରୁ କମ୍‌ ରୋଜଗାର କରୁଥିଲି ଏବେ ମୁଁ ଦୈନିକ ୧୦୦ଟଙ୍କାରୁ କମ୍‌ ରୋଜଗାର କରୁଛି। ନିଜେ ହିସାବ କର…’’

ହସ୍ତତନ୍ତ ଉଦ୍ୟୋଗର ଅବନ୍ନତି ହେବା ସହ ବୁଣାକାର କାମ ଛାଡୁଥିବା କାରିଗରମାନଙ୍କ ପାଇଁ କଲମକାରୀ ପସନ୍ଦଯୋଗ୍ୟ ବିକଳ୍ପ ହୋଇଥିଲା । ପେଦାନାରେ ଥିବା ଅଧିକାଂଶ ବୟସ୍କ କଲମକାରୀ କାରିଗର ହେଉଛନ୍ତି ପୂର୍ବତନ ବୁଣାକାର- ଅଧିକାଂଶ କୁହନ୍ତି ସେମାନେ କୃଷି ଏବଂ ନିର୍ମାଣ ଅପେକ୍ଷା କଲମକାରୀକୁ ପସନ୍ଦ କରନ୍ତି କାରଣ ସେମାନେ ବୟନ ଏବଂ କଲମକାରୀର କଳା ଏବଂ ଏଥିସହ ଥିବା ପରିଶ୍ରମକୁ ଗୌରବ ମନେ କରନ୍ତି। 

PHOTO • Rahul Maganti

କଲମକାରୀ ପ୍ରିଣ୍ଟକୁ ଅଧିକ ଭଲ ରଙ୍ଗ ଏବଂ ରୂପ ଦେବା ପାଇଁ ଏହି କପଡ଼ା କଞ୍ଚାପତ୍ର ସହ ଫୁଟନ୍ତା ପାଣିରେ ପକାଇ ଦିଆଯାଏ

ଆନ୍ଧ୍ରପ୍ରଦେଶରେ ଏହି ପ୍ରକାର ପ୍ରିଣ୍ଟିଂର ଦୁଇଟି ମୁଖ୍ୟ କେନ୍ଦ୍ର ମଧ୍ୟରୁ ପେଦାନା ଗୋଟିଏ; ଅନ୍ୟଟି ହେଉଛି ଚିତ୍ତୁର ଜିଲ୍ଲାର ଶ୍ରୀକାଲହସ୍ତି ।  ଏଠାରେ ଥିବା ଲୋକଙ୍କ ଆକଳନ ଅନୁଯାୟୀ ୧୫,୦୦୦ରୁ ୨୦,୦୦୦ କଲମକାରୀ କାରିଗର ପେଦାନାରେ ବାସ କରନ୍ତି । ଏହି ସଂଖ୍ୟା ନିଶ୍ଚିତ କରିବା କଷ୍ଟକର। କାରଣ ସହରର ବୁଣାକାର ଏବଂ ଚିତ୍ରକାରମାନଙ୍କୁ ଏ ପର୍ଯ୍ୟନ୍ତ କଳାକାର ପରିଚୟପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇପାରିନାହିଁ। ଏହି କାର୍ଡଗୁଡ଼ିକ ମଧ୍ୟ ସେମାନଙ୍କୁ ସଂଘ ଗଠନ କରିବା, ଋଣ ପାଇବା ଏବଂ ସରକାରୀ ଯୋଜନା ଏବଂ ପାଣ୍ଠି ପାଖରେ ପହଞ୍ଚିବା ସହଜ କରିବ ।

 ପେଦାନାରେ କଲମକାରୀ ଏବଂ ହସ୍ତତନ୍ତ ଉଦ୍ୟୋଗ ସ୍ୱାଧିନତା ପୂର୍ବର ବୋଲି ଏଠାରେ ଥିବା କାରିଗରମାନେ କୁହନ୍ତି । ୨୦୧୩ରେ କଲମକାରୀକୁ ସରକାରଙ୍କ ଦ୍ୱାରା ଭୌଗୋଳିକ ସୂଚକ ପ୍ରଦାନ କରାଯାଇଥିଲା- ଗୋଟିଏ ଉତ୍ପାଦ ଉପରେ ଏକ ଜିଆଇ ଚିହ୍ନର ଅର୍ଥ ହେଉଛି ଏହାର ଏକ ନିର୍ଦ୍ଦିଷ୍ଟ ଉତ୍ପତ୍ତି ରହିଛି କିମ୍ବା ଏହାର ଉତ୍ପତ୍ତି କାରଣରୁ ଖ୍ୟାତି ରହିଛି (କିନ୍ତୁ ଜିଆଇ ନକଲି କଲମକାରୀ ଶାଢ଼ିକୁ ବ୍ୟାପକ କରିଛି ଏବଂ ଏହା ଅସଲିର ଖ୍ୟାତିକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଛି )।

ପେଦାନର କଲମକାରୀ ଶାଳର ମାଲିକମାନେ ନିକଟସ୍ଥ ମଛଲିପଟ୍ଟନମ୍‌ରୁ ହୋଲ୍‌ସେଲର୍‌ମାନଙ୍କ ଠାରୁ ବୃହତ୍‌ ପରିମାଣର କଳତନ୍ତ ଶାଢ଼ି କିଣି ଆଣନ୍ତି । ସେମାନଙ୍କ ପାଖରେ ଥିବା କାରିଗରମାନେ ଫୁଲରୁ ଆରମ୍ଭ କରି ପୌରାଣିକ ପର୍ଯ୍ୟନ୍ତ ନାନା ପ୍ରକାର ପ୍ରିଣ୍ଟ ପାଇଁ କାଠ ତିଆରି ବ୍ଲକ୍‌ ଏବଂ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତି । ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ ଏହି  କଳତନ୍ତ-ଛାପା ଶାଢ଼ି ପେଦାନାରେ କଠିନ ପରିଶ୍ରମରେ ପ୍ରସ୍ତୁତ ହେଉଥିବା ହସ୍ତତନ୍ତ ଶାଢ଼ିଠାରୁ ଶସ୍ତା । ପ୍ରତ୍ୟେକଟି ସ୍ଥାନୀୟ ବଜାରରେ ଥିବା ମୁଖ୍ୟ ବୁଣାକାରମାନଙ୍କ ଦୋକାନରେ ପ୍ରାୟ ଟ.୫୦୦ରେ ବିକ୍ରି ହୁଏ ।

PHOTO • Rahul Maganti

କଲମକାରୀ ଡିଜାଇନ୍‌ ଏସବୁ କାଠ ବ୍ଲକ୍‌ରେ ଏବଂ ପ୍ରାକୃତିକ ଉଜ୍ଜ୍ୱଳ ରଙ୍ଗରେ ପ୍ରସ୍ତୁତ କରାଯାଏ

୫୩ ବର୍ଷ ବୟସ୍କ ଦୈବାପୁ କୋଟେଶ୍ୱର ରାଓ, ଜଣେ ଦେବାଙ୍ଗୀ- ଏଠାରେ ଏକ ପ୍ରଭାବଶାଳୀ ଜାତି – ପଶ୍ଚିମ ଗୋଦାବରୀ ଜିଲ୍ଲାରୁ ପେଦାନାକୁ ଚାଲି ଆସିଥିଲେ । ୧୯୭୪ରୁ ସେ ଶାଢ଼ି ବୁଣୁଛନ୍ତି, କିନ୍ତୁ ସେ ରୋଜଗାର କରୁଥିବା ଅର୍ଥରେ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଚଳାଇ ପାରିଲେ ନାହିଁ । ସେ ୧୯୮୮ରେ ବୁଣିବା ଛାଡ଼ିଦେଲେ ଏବଂ ଦୈନିକ ଟ.୧୦ ପାରିଶ୍ରମିକରେ ଅନ୍ୟଜଣେ ଦେବାଙ୍ଗୀଙ୍କ କଲମକାରୀ ଶାଳରେ ଯୋଗ ଦେଲେ । ଏହି ପାରିଶ୍ରମିକ ଏବେ ଟ ୩୦୦ । 

ଯେହେତୁ ଏହାର ଅନେକ ପୁରୁଷ କାମ ପାଇଁ ଅନ୍ୟ ସହର ଏବଂ ମହାନଗରକୁ ଚାଲି ଯାଇଛନ୍ତି ତେଣୁ କଲମକାରୀ ଶାଳଗୁଡ଼ିକରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ । ସଦ୍ୟ ବିଧବା ହୋଇଥିବା ୩୦ ବର୍ଷ ବୟସ୍କା ପଦ୍ମାଲକ୍ଷ୍ମୀ ପାଞ୍ଚ ଏବଂ ଛ’ ବର୍ଷର ଦୁଇଜଣ ଝିଅଙ୍କର ମା’ । ସେ ବର୍ତ୍ତମାନ ତାଙ୍କ ବିଧବା ମା’ଙ୍କ ପାଖରେ ରହୁଛନ୍ତି, ଯିଏକି ଗୋଟିଏ ବଡ଼ି କୋଟୁ, ମିଠା, ସିଗାରେଟ୍‌, ପାନ ଏବଂ ଅନ୍ୟ ଜିନିଷ ବିକ୍ରି କରୁଥିବା ଛୋଟ ଦୋକାନ ଚଲାଉଛନ୍ତି ।

PHOTO • Rahul Maganti

ପେଦାନାରେ କଲମକାରୀ କାରିଗରମାନେ ବ୍ଲକ୍‌ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି

ଲକ୍ଷ୍ମୀଙ୍କ ପିତାମାତା ପ୍ରାୟ ୫୦ ବର୍ଷ ତଳେ ପୂର୍ବ ଗୋଦାବରୀ ଜିଲ୍ଲାରୁ ଆସିଥିଲେ ଏବଂ ଲକ୍ଷ୍ମୀ ୧୨ ବର୍ଷ ବୟସରୁ କଲମକାରୀ କାମ କରୁଛନ୍ତି । ସେ କୁହନ୍ତି, ‘‘ ସେତେବେଳେ ଦୈନିକ ପାଉଣା ଥିଲା ୪୦ ଟଙ୍କା, ଏବେ ୧୮ ବର୍ଷ ପରେ ମାତ୍ର ୨୦୦ ଟଙ୍କା ପାଉଛି । ଯେଉଁ ପୁରୁଷମାନଙ୍କର ମୋଠାରୁ କମ୍‌ ଅଭିଜ୍ଞତା ଅଛି ସେମାନଙ୍କୁ ୩୦୦ଟଙ୍କା କିମ୍ବା ଏହାଠାରୁ ଅଧିକ ପାରିଶ୍ରମିକ ମିଳୁଛି । ଯେତେବେଳେ ଆମେ ମାଲିକମାନଙ୍କ ସହ ଯୁକ୍ତି କରୁଛୁ ସେମାନେ କହୁଛନ୍ତି ଯେ ମହିଳାମାନେ ପୁରୁଷମାନଙ୍କଠାରୁ କମ୍‌ କାମ କରନ୍ତି । କିନ୍ତୁ ଆମେ ଅଧିକ ନହେଲେ ବି ସମାନ ପରିଶ୍ରମ କରୁ । ମୁଁ ମାସକୁ ୩୫୦୦-୪୦୦୦ରୁ ଅଧିକ ରୋଜଗାର କରିପାରେ ନାହିଁ । ଆମମାନଙ୍କ ମଧ୍ୟରୁ ଅଧିକାଂଶ ଚଢ଼ା ସୁଧ ହାରରେ ସାହୁକାରମାନଙ୍କ ଠାରୁ ଋଣ ନେଉ ।

ପେଦାନାରେ ଥିବା କଲମକାରୀ କାରିଗରମାନଙ୍କର ସଂଘ ନାହିଁ । (ହସ୍ତତନ୍ତ ମାଲିକମାନଙ୍କର ଗୋଟିଏ ଅଛି କିନ୍ତୁ ତାହା ମଧ୍ୟ ଅନିୟମିତ ସଦସ୍ୟତା ସହିତ)। ସମାନେ କୁହନ୍ତି ସେମାନଙ୍କ ସଂଘ ଗଠନକୁ କଲମକାରୀ ଶାଳର ମାଲିକମାନେ ବିରୋଧ କରନ୍ତି, ବେଳେ ବେଳେ ସେମାନେ ଏଥିପାଇଁ ହିଂସା ଏବଂ ଅର୍ଥବଳ ବ୍ୟବହାର ମଧ୍ୟ କରନ୍ତି । ସମୟ ସମୟରେ ନିଜର ଆୟ ବଢ଼ାଇବା ପାଇଁ ଶାଢ଼ି ବୁଣୁଥିବା ୪୦ ବର୍ଷ ବୟସ୍କ ରୁଦ୍ରାକ୍ଷୁଲା କନକରାଜୁ କୁହନ୍ତି, ‘‘ଏହା ଆମ ନିଜକୁ ସଂଗଠିତ କରିବାରେ ଏବଂ ଆମ ଅଧିକାର ପାଇଁ ଲଢ଼େଇ କରିବାରେ ସାହାଯ୍ୟ କରିବ’’ । 

An empty Kalamkari workshed on a rainy day;  work is possible only on sunny days because drying is an important part of the block printing process
PHOTO • Rahul Maganti

ବର୍ଷାଦିନେ ଗୋଟିଏ ଖାଲି ଥିବା କଲମକାରୀ ଶାଳ; କେବଳ ଖରାଥିବା ଦିନରେ ହିଁ କାମ ସମ୍ଭବ ହୁଏ କାରଣ ବ୍ଲକ୍‌ ପ୍ରିଣ୍ଟିଂର ପ୍ରକ୍ରିୟାରେ ଶୁଖାଇବା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ

ରାଜ୍ୟ ସରକାର ସମୟରେ ସମୟରେ ସେମାନଙ୍କର ପାରମ୍ପରିକ କଳାର ପୁନରୁଦ୍ଧାର ପାଇଁ ବୁଣାକାରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏମିତି ଏକ ପ୍ରତିଶ୍ରୁତି ଥିଲା ୨୦୧୪ ମେ ମାସରେ ରାଜ୍ୟ ନିର୍ବାଚନ ସମୟରେ ହସ୍ତତନ୍ତ ଋଣ ଛାଡ଼। କିନ୍ତୁ ପେଦାନାର ବୁଣାକାରମାନେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଟ. ୧୧୧କୋଟି ମଧ୍ୟରୁ ମାତ୍ର ଟ. ୨.୮କୋଟି ଋଣ ଛାଡ଼ ପାଇଥିଲେ। 

୨୦୧୪ ମସିହାରେ ଭାରତୀୟ ଜନତାପାର୍ଟି ସରକାର ପେଦାନା (ଜିଲ୍ଲାପିଛା ଦୁଇଟି ପେଣ୍ଠ ଚୟନ କରାଯାଇଥିଲା)ରେ ହସ୍ତତନ୍ତ ଉଦ୍ୟୋଗ ପାଇଁ ସ୍ଫୂର୍ତ୍ତି(ସ୍କିମ୍‌ ଅଫ୍‌ ଫଣ୍ଡ୍‌ ଫର୍‌ ରିଜେନେରେସନ ଅଫ୍‌ ଟ୍ରାଡିସନାଲ ଇଣ୍ଡଷ୍ଟ୍ରୀ) ଯୋଜନା ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଏସବୁ ପାରମ୍ପରିକ କଳାକୁ ସଂରକ୍ଷଣ କରିବା ପାଇଁ ଭିତ୍ତିଭୂମି ଏବଂ କୌଶଳ ବିକାଶ କରିବା। ଏହି ଯୋଜନା ଅମଲାତାନ୍ତ୍ରିକ ପଦ୍ଧତିଗୁଡ଼ିକ ମଧ୍ୟରେ ଅଟକି ରହିଛି ।

ଜଣେ ବରିଷ୍ଠ ବୁଣାକାର ଏବଂ ପେଦାନା ହସ୍ତତନ୍ତ ବୁଣାକାର ଏବଂ କଲମକାରୀ କଳାକାର କଲ୍ୟାଣ ଅନୁଷ୍ଠାନର ପୂର୍ବତନ ସଦସ୍ୟ ୭୩ ବର୍ଷ ବୟସ୍କ ପିଟ୍‌ଚୁକା ଭିମଲିଙ୍ଗମ କୁହନ୍ତି, ‘‘ବରିଷ୍ଠ ବୁଣାକାରମାନେ ବର୍ତ୍ତମାନ ଭଲ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ କାରିଗର ଏବଂ ଶ୍ରମିକମାନଙ୍କ  କଥା ସରକାର ବୁଝିବା ଉଚିତ୍‌ । ସରକାର ଗୋଟିଏ ହସ୍ତତନ୍ତ ଶିକ୍ଷାନୁଷ୍ଠାନ ସ୍ଥାପନ କରି ଏବଂ ଆବଶ୍ୟକ ସମସ୍ତ ପାଣ୍ଠି ପ୍ରଦାନ କରି ତାଙ୍କର ପ୍ରତ୍ୟେକ ପ୍ରତିଶ୍ରୁତି ରକ୍ଷା କରିବା ଆବଶ୍ୟକ। ସମସ୍ତ କାରିଗରଙ୍କୁ ପରିଚୟ ପତ୍ର ଜାରି କରି ଏହା ଆରମ୍ଭ କରାଯାଇପାରିବ। ଯାହାକି ସେମାନଙ୍କୁ ସେମାନଙ୍କର ମାଲିକଙ୍କ ସହ ମୂଲଚାଲ କରିବା ନିମନ୍ତେ ଅଧିକ କ୍ଷମତା ଦେବ।’’

ସେ ପର୍ଯ୍ୟନ୍ତ ପେଦାନାର ମଗମଗୁଡ଼ିକ ଏକ ଧିମିତ ସ୍ୱରରେ ବାଜୁଥିବ, ଯେତେବେଳେ କି କଲମକାରୀ କାରିଗରମାନେ ସେମାନଙ୍କର ପ୍ରିଣ୍ଟିଂ ବ୍ଲକ୍‌ଗୁଡ଼ିକ ଜୀବିତ ରଖିବା ପାଇଁ ସଂଘର୍ଷ କରୁଥିବେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Other stories by Rahul Maganti