html ଆଉ ଗୋଟିଏ ଏକର ଚାଷ ଜମି ସୁଦ୍ଧା ନାହିଁ

ଜଙ୍ଗମ ଧନଲକ୍ଷ୍ମୀ କହିଲେ, ‘‘ଆମ ଗାଁ କିମ୍ବା ଆଖପାଖ ଗାଁରେ ଆଉ କାମ ନାହିଁ। ସବୁ ଚାଷ ଜମି ମାଛ ପୋଖରୀରେ ପରିଣତ ହୋଇଯାଇଛି।’’ 

୪୦ ବର୍ଷୀୟା ଧନଲକ୍ଷ୍ମୀ, (ଉପରେ କଭର ଚିତ୍ରରେ ଅଛନ୍ତି) ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ତମିରିସା ଗାଁର ଆଙ୍କେନଗୁଡେମ ପଡ଼ାରେ ରହନ୍ତି। ଏହି ଦଳିତ ପଡ଼ାର ଲୋକ ସଂଖ୍ୟା ପ୍ରାୟ ୪୫୦। ପ୍ରତିଦିନ କୃଷି କ୍ଷେତ୍ରରେ କାମ କରିବାକୁ ଏଠାରୁ ପ୍ରାୟ ୬୦ କିଲୋମିଟର ଯିବାଆସିବା କରନ୍ତି। ସେଥିରେ ତାଙ୍କର ଦୈନିକ ମଜୁରୀ ୨୦୦ ଟଙ୍କାରୁ ଅଟୋ ରିକ୍ସା ଭଡ଼ା ବାବାଦରେ ଏକ ଚତୁର୍ଥାଂଶ ଖର୍ଚ୍ଚ ହୋଇଯାଏ। 

ଧନଲକ୍ଷ୍ମୀଙ୍କ ପଡ଼ୋଶୀ, ୬୦ ବର୍ଷୀୟା ଗାନ୍ତା ସରୋଜା କହିଲେ, ‘‘ଏତେ ବୁଲାବୁଲି ପରେ ବି ବର୍ଷକୁ ଆମେ ୩୦ ଦିନ କାମ ପାଉ - ଏପ୍ରିଲରେ ୧୦ ଦିନ, ଅଗଷ୍ଟରେ ୧୦ ଦିନ ଆଉ ଡିସେମ୍ବରରେ ୧୦ ଦିନ ଯେଉଁ ସମୟରେ କ୍ଷେତରେ ସର୍ବାଧିକ କାମ ଥାଏ।’’ କ୍ଷେତ କାମରୁ ବର୍ଷକୁ ମାତ୍ର ୫,୦୦୦-୬,୦୦୦ ଟଙ୍କା ରୋଜଗାର ହେଉଥିବାରୁ ପଡ଼ାର ଅନେକ ଲୋକ ବାହାରକୁ ପଳାଇଛନ୍ତି। ସରୋଜା ହିସାବ କରି କହିଲେ, ‘‘୧୦ ବର୍ଷ ତଳେ ଏହି ଗାଁରେ ୧୫୦ଟି ପରିବାର ବସବାସ କରୁଥିଲେ। ଏବେ ଅତି ବେଶିରେ ୬୦ଟି ପରିବାର ରହୁଛନ୍ତି।’’ ‘‘କାମ ଖୋଜିବାକୁ କିଛି ଲୋକ ଗୁଡ଼ିବଦା, ବିଜୟୱାଡ଼ା ଓ ହାଇଦ୍ରାବାଦକୁ ପଳାଇଛନ୍ତି, ଆଉ କିଛି ଲୋକ ସେମାନଙ୍କ ସଂପର୍କୀୟଙ୍କ ଗାଁକୁ ପଳାଇଛନ୍ତି।’’ 

ପ୍ରାୟ ୩୬,୦୦୦ ଲୋକସଂଖ୍ୟା ବିଶିଷ୍ଟ ନନ୍ଦିଭଦା ମଣ୍ଡଳରେ ରହିଛି ଆଙ୍କେନଗୁଡ଼େମ। ମାଛ ପୋଖରୀରୁ ଅଧିକ ଆୟ ଯୋଗୁଁ ଆନ୍ଧ୍ରପ୍ରଦେଶର ସର୍ବାଧିକ ମୁଣ୍ଡପିଛା ଆୟ ତାଲିକାର ଦୁଇ ନମ୍ବର ସ୍ଥାନରେ ରହିଛି ନନ୍ଦିଭଦା (ବିଶାଖାପାଟନମ୍ ଜିଲ୍ଲାର ଅଚ୍ୟୁତପୁରମ ପରେ)। ଏଠାରେ ଉତ୍ପାଦିତ ହେଉଥିବା ମାଛ, ଆକ୍ୱା ପ୍ରୋସେସିଂ ୟୁନିଟ୍‌ରେ ବ୍ୟବହାର ହୁଏ ଏବଂ ମୁଖ୍ୟତଃ ପୂର୍ବ ଏସିଆ ଓ ୟୁରୋପର ବିଭିନ୍ନ ଦେଶକୁ ରପ୍ତାନୀ ହୋଇଥାଏ। ରାଜ୍ୟର କ୍ୟାପିଟାଲ ରିଜିଅନ୍ ଡେଭଲପମେଣ୍ଟ ଅଥରିଟିଙ୍କ ତଥ୍ୟ ଅନୁଯାୟୀ ୨୦୧୪-୧୫ରେ ନନ୍ଦିଭଦାର ମୁଣ୍ଡପିଛା ବାର୍ଷିକ ଆୟ ଥିଲା ୩୦୮,୩୭୧ ଟଙ୍କା। ସେହିବର୍ଷ କ୍ରିଷ୍ଣା ଜିଲ୍ଲାର ହାରାହାରି ମୁଣ୍ଡପିଛା ଆୟ ଥିଲା୧୪୦,୬୨୮ ଟଙ୍କା। 

PHOTO • Rahul Maganti

୨୦୦୦ ମସିହା ବେଳକୁ ନନ୍ଦିଭଦା ମଣ୍ଡଳରେ ମାଛଚାଷ ଜୋରସୋର ଚାଲିଲା, ସବୁ ଚାଷ ଜମିରେ ମାଛ ଚାଷ ହେଲା; ଏବେ ରପ୍ତାନୀ ପାଇଁ ଏଠାରେ ଚିଙ୍ଗୁଡ଼ି ଓ ଅନ୍ୟ ମାଛ ଉତ୍ପାଦନ ହେଉଛି 

କିନ୍ତୁ ୨୦୦୧ ଓ ୨୦୧୧ ଜନଗଣନା ଅନୁସାରେ ପୂରା ରାଜ୍ୟରେ ଏହା ଏକମାତ୍ର ମଣ୍ଡଳ ଯେଉଁଠି ୨୦୦୦ ମସିହାରୁ କ୍ରମାଗତ ଭାବେ ଲୋକସଂଖ୍ୟା ହ୍ରାସ ପାଇବା​‌ରେ ଲାଗିଛି। ଗତ ୧୦ ବର୍ଷ ମଧ୍ୟ​‌ରେ, ଜନସଂଖ୍ୟା କମିବା ଫଳରେ ଏହି ମଣ୍ଡଳ ପରିଷଦ ଟେରିଟୋରିଆଲ କନଷ୍ଟିଚୁଏନ୍ସି ସିଟ୍ ସଂଖ୍ୟା (ଏହା ଲୋକସଂଖ୍ୟାକୁ ପ୍ରତିଫଳିତ କରେ) ୧୨ ରୁ ୧୧ କୁ ହ୍ରାସ ପାଇଲା। 

ଧନଲକ୍ଷ୍ମୀଙ୍କ ଭାଇ ଜଂଗମ ୟାହୋସୁଆ ମଧ୍ୟ ଜଣେ କୃଷି ଶ୍ରମିକ। ସେ କହନ୍ତି, ‘‘ପ୍ରାୟ ୧୫ ବର୍ଷ ତଳେ, ଆମ ପଡ଼ାରେ ୩୭୦ ଏକର ଚାଷଜମି ଥିଲା। ଏଥିରୁ ଅଧିକାଂଶ ଜମି ଆଖପାଖ ପଡ଼ାରେ ରହୁଥିବା କାମ୍ମା ଓ ଯାଦବ ଜମିଦାରମାନଙ୍କର। ସେଥିରୁ ଦଳିତମାନଙ୍କର କେବଳ ୫୦ ଏକର ଜମି। ଅଧିକ ରୋଜଗାର ପାଇଁ ଯେତେବେଳେ ଜମିଦାରମାନେ ସେମାନଙ୍କ ଚାଷ ଜମିକୁ ମାଛ ପୋଖରୀରେ ପରିଣତ କଲେ, ସେତେବେଳେ ମାଟିର ଉର୍ବରତା କମିବା ଏବଂ ପାଣି ଦୂଷିତ ହେବାରୁ ଆମେ ବି ସେଭଳି କରିବାକୁ ବାଧ୍ୟ ହେଲୁ।’’ 

ଦଳିତଙ୍କ ନାଁରେ ଥିବା ଏହି ୫୦ ଏକରରୁ ଅଧିକାଂଶ ଜମିକୁ ଜମିଦାରମାନେ ଶାଗମାଛ ଦରରେ କିଣିନେଲେ। ଦଳିତ ପରିବାରମାନଙ୍କର ତୁରନ୍ତ ଟଙ୍କା ଆବଶ୍ୟକ ପଡ଼ିବାରୁ ସେମାନେ ବିକିବାକୁ ବାଧ୍ୟ ହେଲେ। ଏହାର ପରିଣାମ ସଂପର୍କରେ ୟାହୋସୁଆ କହନ୍ତି, ‘‘ଆମ ପଡ଼ାରେ ଏବେ ଗୋଟେ ଏକର ଚାଷ ଜମି ମଧ୍ୟ ନାହିଁ, ଫଳରେ ମଜୁରି ନମଳିବାରୁ ଜୀବିକା ପାଇଁ କାମ ଖୋଜିବାକୁ ଆମକୁ ବାହାରକୁ ଯିବାକୁ ପଡ଼ିଲା। କିନ୍ତୁ ଆଖପାଖର ସବୁ ଗାଁରେ ପରିସ୍ଥିତି ସମାନ ଥିବାରୁ କୌଣସି ସ୍ଥାନରେ କାମ ନଥିଲା, ଯାହା ସ୍ଥାନାନ୍ତର ହେବାକୁ ବାଧ୍ୟ କରିଥିଲା।’’ 

PHOTO • Rahul Maganti

କ୍ରିଷ୍ଣା ନଦୀର ଏକ ଛୋଟ ଶାଖାନଦୀ ବୁଡ଼ାମେରୁର ପାଣି ମାଛ ପୋଖରୀରେ ବ୍ୟବହାର ହେଲା, ପରେ ସ୍ଥାନୀୟ ଜଳଉତ୍ସର ପାଣି ମଧ୍ୟ ହ୍ରାସ ପାଇବାରେ ଲାଗିଲା 

କାମ ନମିଳିବା ଉତ୍କଟ ସ୍ଥିତିରେ ପହଞ୍ଚିଲା: ୧୦୦ ଏକର ଚାଷ ଜମି ଗୋଟିଏ ବର୍ଷରେ ୧୧,୦୦୦-୧୨,୦୦୦ ଦିନର କାମ ଦେଇଥାଏ, ଯେତେବେଳେ ୧୦୦ ଏକର ମାଛ ପୋଖରୀ ବର୍ଷକୁ ମାତ୍ର ୧,୦୦୦ ଦିନର କାମ ଦିଏ। (କାର୍ଯ୍ୟ ଦିବସ ହେଉଛି କାମ ପାଉଥିବା ଲୋକଙ୍କ ସଂଖ୍ୟା ଓ ସେମାନେ କାମ କରୁଥିବା ଦିନ ସଂଖ୍ୟାର ଗୁଣନ)। 

କେବଳ ଆଙ୍କେନାଗୁଡ଼େମ୍ ଏକମାତ୍ର ଦଳିତ ପଡ଼ା ନୁହେଁ, ଯିଏ ଏ ପରିସ୍ଥିତିର ସାମ୍ନା କରିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସିଷ୍ଟ) ସହ କାମ କରୁଥିବା ଆନ୍ଧ୍ରପ୍ରଦେଶ ଏଗ୍ରିକଲଚରାଲ ୱାର୍କର୍ସ ୟୁନିଅନ୍‌ର କାର୍ଯ୍ୟକର୍ତ୍ତା, ୨୮ ବର୍ଷୀୟ ମୁରଲା ରାଜେଶ କହନ୍ତି, ‘‘ନନ୍ଦିଭଦା ମଣ୍ଡଳର ୩୨,୦୦୦ ଏକର ଜମିରୁ ୨୮,୦୦୦ ଏକର ଜମିରେ ମାଛ ପୋଖରୀ ହେବା ନେଇ ଆମର ଆକଳନ ଥିଲା। ଏଥିରୁ ଅଧିକାଂଶ ଜିଲ୍ଲା କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହୋଇଛି।’’ ଆନ୍ଧ୍ରପ୍ରଦେଶରେ ରାଜନୀତି ଏବଂ ସାମାଜିକ କ୍ଷେତ୍ରରେ ଏକ ପ୍ରଭାବଶାଳୀ ଜାତି ହେଉଛି କାମ୍ମା ସଂପ୍ରଦାୟ। ଏଥିରେ ରେଡ୍ଡୀ, କାପୁ, ରାଜକା ଓ ଯାଦବ ସଂପ୍ରଦାୟ ଅଛନ୍ତି। ଏବେ ସେମାନଙ୍କର ଆୟର ମୁଖ୍ୟ ଉତ୍ସ ହେଉଛି ମାଛ ପୋଖରୀ। 

ଧନଲକ୍ଷ୍ମୀଙ୍କ ପୁଅ ଅଜୟଙ୍କୁ ୨୦ ବର୍ଷ। ସେ ଏକ ମାଛ ପୋଖରୀରେ କାମ କରନ୍ତି। ଜଣେ କାମ୍ମା ସଂପ୍ରଦାୟର ଲୋକଙ୍କ ଏହି ପୋଖରୀକୁ ଜଣେ ଯାଦବ ସଂପ୍ରଦାୟର ବ୍ୟକ୍ତି ଲିଜ ସୂତ୍ରରେ ନେଇଛନ୍ତି। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କାମ କରି ମାସିକ ୭,୫୦୦ ଟଙ୍କା ପାଆନ୍ତି ଅଜୟ, ଯାହା ତାଙ୍କ ୫ ଜଣିଆ ପରିବାର ପାଇଁ ସହାୟକ ହୁଏ। ଧନଲକ୍ଷ୍ମୀ କହନ୍ତି, ‘‘୧୦ ବର୍ଷ ତଳେ ଆମେ ଦିନକୁ ତିନିବେଳା ଖାଉଥିଲୁ। ଏବେ ଦ୍ୱିତୀୟ ଥର ଖାଇବା ପାଇଁ ବି ଆମ ପାଖରେ ଟଙ୍କା ନାହିଁ।’’ 

PHOTO • Rahul Maganti

ହନୁମାନପୁଡ଼ି ପଡ଼ାର ବସନ୍ତା ରାଓ (ଏଠାରେ ନାତି ମହେଶ ସହ) ଘର ଚଳାଇବାକୁ ଏବେ ପୁଅଙ୍କ ଉପରେ ନିର୍ଭର କରୁଛନ୍ତି (ସେମାନେ ଗୁଡିଭଦା ଓ ହାଇଦ୍ରାବାଦରେ କାମ କରନ୍ତି) 

ନନ୍ଦିଭଦାର ଅନେକ ଦଳିତ ପରିବାରର ବୟସ୍କମାନଙ୍କର ଏହି ସମାନ କାହାଣୀ। ୧୯୯୦ ଦଶକ ଆରମ୍ଭରେ ନନ୍ଦିଭଦାରେ ମାଛ ଚାଷ ଆରମ୍ଭ ହୋଇଥିଲା - ପରେ ୨୦୦୦ ବେଳକୁ ବ୍ୟାପକ ହେଲା। ହନୁମାନପୁଡ଼ି ପଡ଼ା ନିକଟରେ ରହୁଥିବା ୫୫ ବର୍ଷୀୟ ଦଳିତ ବିଧବା କାମାନ୍ଥମା କୃଷି ଶ୍ରମିକ ଭାବେ ୨୦୦୦ ମସିହାର ଆରମ୍ଭ ପର୍ଯ୍ୟନ୍ତ କାମ କରୁଥିଲେ। ସେ କହନ୍ତି, ‘‘ମୁଁ ଦିନକୁ ୧୦୦ ଟଙ୍କା ରୋଜଗାର କରୁଥିଲି, ବର୍ଷକୁ ପାଖାପାଖି ୨୦୦ ଦିନ କାମ ପାଉଥିଲି। ମାଛ ପୋଖରୀ ସଂଖ୍ୟା ଯେତିକି ବଢିଲା, ଆମ ପାଇଁ ସୁଯୋଗ ସେତିକି କମିଲା। କାମ ଖୋଜିବାକୁ ବାହାରକୁ ଯିବା ପାଇଁ ମୁଁ ବାଧ୍ୟ ହେଲି। କିନ୍ତୁ  ସ୍ୱାସ୍ଥ୍ୟ ମୋତେ ସହଯୋଗ କଲାନି .......’’ ​

ତାଙ୍କ ପୁଅ, ୨୫ ବର୍ଷୀୟ ଚନ୍ଦୁ ଏବେ ତାଙ୍କ ଦେଖାଶୁଣା କରୁଛନ୍ତି। ହାଇଦ୍ରାବାଦରେ ଥିବା ଏକ ୱେଲ୍ଡିଂ କମ୍ପାନୀରେ ସେ କରୁଛନ୍ତି। ମାଆଙ୍କୁ ସାହାଯ୍ୟ କରିବାକୁ ଚନ୍ଦୁ ସପ୍ତମ ଶ୍ରେଣୀରୁ ପାଠ ଛାଡିଥିଲେ ଆଉ କୃଷି ଶ୍ରମିକ ଭାବେ ଆରମ୍ଭ କରିଥିଲେ କାମ। କିନ୍ତୁ ୪ ବର୍ଷ ତଳେ, ଯେତେବେଳେ କାମ ଆଦୌ ମିଳିଲାନି, ସେ ହାଇଦ୍ରାବଦ ଚାଲିଗଲେ। ସେ କହନ୍ତି, ‘‘ଏବେ ମୁଁ ମାସକୁ ୧୨,୦୦୦ ଟଙ୍କା ରୋଜଗାର କରୁଛି ଆଉ ସେଥିରୁ ଅଧା ମାଆଙ୍କ ପାଖକୁ ପଠାଉଛି।’’ 

ହନୁମାନପୁଡ଼ି ପଡ଼ାର ବସନ୍ତା ରାଓ ମଧ୍ୟ କିଛି ବର୍ଷ ତଳେ କୃଷି ଶ୍ରମିକ ଭାବେ କାମ କରୁଥିଲେ। ଏବେ ଘର ଚଳାଇବାକୁ ସେ ତାଙ୍କ ପୁଅମାନଙ୍କ ଉପରେ ନିର୍ଭର କରୁଛନ୍ତି। ସେ କହନ୍ତି, ‘‘ଦି ଜଣ ଗୁଡିଭଦା [ନିକଟରେ ଥିବା ସହର, ଏଠାରୁ ୭ କିଲୋମିଟର ଦୂର] ରେ କାମ କରନ୍ତି, ତୃତୀୟ ପୁଅ ହାଇଦ୍ରାବାଦରେ କାମ କରେ।’’ ବସନ୍ତାଙ୍କ ହିସାବ ଅନୁସାରେ ଏହି ପଡ଼ାରୁ ୫୦ଟି ଦଳିତ ପରିବାର ମଧ୍ୟରୁ ୩୦ଟି ପରିବାରର ପୁଅମାନେ କାମ ପାଇଁ ଏହି ଦୁଇ ଜାଗାକୁ ପଳାଇଛନ୍ତି। 

ଏହି ମଣ୍ଡଳରେ ମୁଣ୍ଡପିଛା ଆୟ ସବୁଠୁ ଅଧିକା ଥିଲେ ବି ଲୋକସଂଖ୍ୟା କମିବାରେ ଲାଗିଛି। ଏକଥା କିନ୍ତୁ ଚନ୍ଦୁଙ୍କୁ ଆଶ୍ଚର୍ଯ୍ୟ କରିନି। ସେ ପାଲଟା କହିଲେ, ‘‘ଏଠି ମହିଳାମାନେ ଘରେ ରହୁଛନ୍ତି [ଆଖପାଖ ଅଞ୍ଚଳରେ ମଜୁରି ନଥିବାରୁ ଘର କାମ କରୁଛନ୍ତି]। ପୁରୁଷମାନେ ବାହାରକୁ ଯାଇପାରିବା ଭଳି ସୁସ୍ଥ ଥିଲେ କଦବା କେମିତି କାମ ମିଳେ। ଝିଅମାନେ ବାହା ହୋଇ ତାଙ୍କ ଶାଶୁଘର ଗାଁରେ ରହୁଛନ୍ତି। ପୁଅମାନେ ଗୁଡ଼ିଭଦା ଓ ହାଇଦ୍ରାବାଦ ଚାଲିଯାଉଛନ୍ତି। ସେଠି ଚାକରବାକର କାମ କରୁଛନ୍ତି, ଅଟୋରିକ୍ସା ଚଳାଉଛନ୍ତି, ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି ବା ରଙ୍ଗ କାମ କରୁଛନ୍ତି। ସେଠି ସେମାନେ କଷ୍ଟରେ ରହି ବାପା ମାଆଙ୍କ ପାଖକୁ ଟଙ୍କା ପଠାଉଛନ୍ତି। ଏଭଳି ସ୍ଥିତିରେ ମଣ୍ଡଳରେ ଲୋକସଂଖ୍ୟା କାହିଁକି କମିବନି?’’ ସେ ପଚାରନ୍ତି।

PHOTO • Rahul Maganti

ଆଙ୍କେନଗୁଡେମ୍‌ର ଦଳିତମାନେ ଆଉ ବେଶି ଦିନ ଦୂଷିତ ପୋଖରୀ (ବାମ) ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିପାରିବେନି; ତମିରିସାରେ ଥିବା ଏହି ପୋଖରୀ (ଡାହାଣ) ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ବ୍ୟବହାର ହେଉଥିବାରୁ ସାମାନ୍ୟ ଭଲ ଅବସ୍ଥାରେ ଅଛି। 

ଯେତେବେଳେ କାମ ମିଳେ ଚନ୍ଦୁଙ୍କ ସାଙ୍ଗ ମତ୍ତୁପଲ୍ଲୀ ଯୋଶେଫ ମାଛ ପୋଖରୀରେ କାମ କରନ୍ତି। ବୃଦ୍ଧ ବାପା ମାଆଙ୍କ ସେବା କରିବା ପାଇଁ ଗାଁରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ‘‘ଏମଜିଏନଆରଇଜିଏ [ମହାତ୍ମା ଗାନ୍ଧୀ ନେସନାଲ ରୁରାଲ ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଟି ଆକ୍ଟ]ର କ’ଣ ଉଦ୍ଦେଶ୍ୟ ଅଛି ଯଦି କାମରେ ନଲାଗେ? ଏମଜିଏନଆରଇଜିଏରେ କାମ ଦେବାକୁ ଆମେ ଅନେକ ଥର ଅଧିକାରୀଙ୍କୁ କହିଛୁ, କିନ୍ତୁ ଥରେ ବି କାମ ପାଇନୁ, ଆଇନ୍ ପାସ୍ ହେବା ଦିନ ଠାରୁ [୨୯୯୫ରେ]। ଯୋଶେଫଙ୍କ ମୁହଁରେ ଯନ୍ତ୍ରଣା ଆଉ କ୍ରୋଧ ପ୍ରତିଫଳିତ ହେଉଥିଲା। ସେ କହିଲେ, ‘‘ବୁଢା ବାପା ମାଆଙ୍କୁ ଛାଡି ଦିନେ ନା ଦିନେ କୁଲି କାମ କରିବାକୁ ମୋତେ ବି ଗାଁ ଛାଡି ସହରକୁ ଯିବାକୁ ହେବ।’’ 

ଏହା ଭିତରେ ଭୂତଳ ଜଳ, ପିଇବା ପାଇଁ ବ୍ୟବହାର ହେଉଥିବା ପଡ଼ାର ପୋଖରୀକୁ ମାଛ ଚାଷ ଦୂଷିତ କରି ଦେଇଛି। ଏଥିସହ କେନାଲ ଓ ଛୋଟ ଛୋଟ ନଦୀ ଭଳି ଭୂପୃଷ୍ଠର ଜଳାଶୟ ମଧ୍ୟ ଦୂଷିତ ହୋଇଗଲାଣି। ସରୋଜା କହିଲେ, ‘‘ପଞ୍ଚାୟତ ଟ୍ୟାପରେ ଆସୁଥିବା ପିଇବା ପାଣି ସବୁଜ ଦେଖାଯାଉଛି। ଆମେ ପିଇବା ପାଇଁ ୧୫ ଟଙ୍କା ଦେଇ ୨୦ ଲିଟରର ଗୋଟିଏ ପାଣି କେନ୍ କିଣୁଛୁ [ତିମିରିସା ପଞ୍ଚାୟତ ଅଫିସ ପାଖରେ ଥିବା ଦୋକାନରୁ]। ମାସକୁ ୨୦ଟି କେନ୍ ଦରକାର ପଡ଼ୁଛି। ଏଠାରେ ଥିବା ଦଳିତମାନଙ୍କୁ ସ୍ଥାନାନ୍ତର ହେବାକୁ ବାଧ୍ୟ କରାଯାଉଛି, କିନ୍ତୁ ଜମିଦାରମାନେ ପ୍ରକୃତିର ରୋଷରୁ ବର୍ତ୍ତି ପାରିବେ ତ?’’   

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Rahul Maganti

Rahul Maganti is an independent journalist and 2017 PARI Fellow based in Vijayawada, Andhra Pradesh.

Other stories by Rahul Maganti