ଉତ୍ତରାଖଣ୍ଡର ଏକ ଦୂରବର୍ତ୍ତୀ ଗାଁରେ ବ୍ୟାଗ୍‌ ପାଇପର ଧ୍ୱନି ଏକ ବିରଳ ଏବଂ ଅସାଧାରଣ କଥା । ଆମେ ଏଠାରେ, ବାଗେଶ୍ୱର ଜିଲ୍ଲାର ବୈଜନାଥରେ, ସେହି ଧ୍ୱନି ଶୁଣୁଛୁ ଏବଂ ତା ସହିତ ତାଳ ଦେଇ କିଛି ଦୂରରେ ଢୋଲ ବାଜୁଛି । କିଛି ଦୂରରୁ, ମଝିରେ ମଝିରେ ହସ ଓ କରତାଳି ଶବ୍ଦ ସହିତ ଉତ୍ତୁଙ୍ଗ କଣ୍ଠସ୍ୱରରେ ଗୀତ ବି ଶୁଣାଯାଉଛି । କୌଣସି ଉତ୍ସବ ବୋଲି ଭାବି ଆମେ ସେଠାରେ ପହଞ୍ଚିଲୁ । ପ୍ରକୃତରେ ତାହା ଥିଲା ସେଠାକାର ଏକ ବାହାଘର । ଏବେ ଆମେ ସେହି ସବୁ ବାଦ୍ୟଯନ୍ତ୍ର ବଜାଉଥିବା ବ୍ୟକ୍ତିମାନଙ୍କର ମୁହଁ ଦେଖିପାରିଲୁ । ସେହି ବାଦ୍ୟକାରମାନେ ବି ନାଚୁଥିଲେ ଏବଂ ଗୀତ ଗାଉଥିଲେ । ଆକର୍ଷଣୀୟ ରଙ୍ଗର ପୋଷାକ ପିନ୍ଧିଥିବା କଳାକାରମାନେ ଖଣ୍ଡା ଓ ଢାଲ ଉପଯୋଗ କରୁଥିଲେ ଏବଂ ଯୋଡ଼ି ଯୋଡ଼ି ହୋଇ ନାଚୁଥିଲେ । ଏଠି ବିବାହ ଉତ୍ସବରେ, ସ୍ଥାନୀୟ ସଂପ୍ରଦାୟର ଅଧିବାସୀମାନେ ଶୋଭାଯାତ୍ରାରେ ଯାଆନ୍ତି ଏବଂ କନ୍ୟା ଘୋଡ଼ାରେ ଚଢ଼ି ବିବାହ କକ୍ଷ ପର୍ଯ୍ୟନ୍ତ ଯାଏ ।

ଏହା ହିଁ ଛୋଲିୟା ନୃତ୍ୟ ଏବଂ ଉତ୍ତରାଖଣ୍ଡର କୁମାଓଁ ଅଞ୍ଚଳରୁ ଏହା ଆରମ୍ଭ ହୋଇଥିଲା। ଏଥିରେ ମହିଳାମାନେ ଭାଗ ନିଅନ୍ତି ନାହିଁ । ଏହା ଯୋଦ୍ଧାମାନଙ୍କର ଏକ ନୃତ୍ୟ । ସେମାନେ ବ୍ୟବହାର କରୁଥିବା ବ୍ୟାଗ୍‌ପାଇପ୍‌ ଏବଂ ଖଣ୍ଡାରୁ ଏଥିରେ ବ୍ରିଟିଶ ରାଜୁତି ଏବଂ ରାଜପୁତ ସଂସ୍କୃତିର ପ୍ରଭାବ ସ୍ପଷ୍ଟ ବାରିହୁଏ । ଏକ ପ୍ରକାରର କଳା ଭାବରେ, ଛୋଲିୟା ସଂଗୀତ ଓ କଳା ପ୍ରଦର୍ଶନର ଏକ ସଂଗମ, ଯାହା କି ହଜାର ବର୍ଷରୁ ଅଧିକ ପୁରୁଣା ।

ଢୋଲି କୁହାଯାଉଥିବା ଢୋଲ ବାଦକମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ସଂପ୍ରଦାୟର । ହେଲେ ଅନ୍ୟ ବାଦ୍ୟକାରମାନେ ଭିନ୍ନ ଭିନ୍ନ ଜାତିରୁ ଆସିଥାଆନ୍ତି, କିନ୍ତୁ ମୁଖ୍ୟତଃ ସେମାନେ ରାଜପୁତ । ବିବାହ ସମୟରେ ସେମାନଙ୍କ ପ୍ରଦର୍ଶନ ଏକ ବିଜୟ ଉତ୍ସବ ପାଳନର ଉଦ୍ଦୀପନା ସୃଷ୍ଟି କରେ । ଏ ପର୍ଯ୍ୟନ୍ତ ଲୋକେ ବିଶ୍ୱାସ କରନ୍ତି ଯେ, ଦୁଷ୍ଟାତ୍ମା ନିବାରଣ ଏବଂ ନବଦମ୍ପତିଙ୍କୁ ଦୁର୍ଭାଗ୍ୟରୁ ରକ୍ଷା କରିବା ଶକ୍ତି ଛୋଲିୟାର ରହିଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Yashashwini & Ekta

Yashaswini is a 2017 PARI fellow and a filmmaker, who recently completed an artist-in-residence term at the Rijksakademie van Beeldende Kunsten, Amsterdam. Ekta is a filmmaker and co-founder of Maraa, a media and arts collective in Bengaluru.

Other stories by Yashashwini & Ekta
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE