ସାମାଜିକ ଆନ୍ଦୋଳନ ରୂପରେ ସାଇକେଲ ଚାଳନା ? ବୋଧହୁଏ, ଅବିଶ୍ୱସନୀୟ ଲାଗୁଛି । କିନ୍ତୁ ଠିକ୍‌ ତାହା ନୁହେଁ- ତାମିଲନାଡୁ ପୁଡୁକୋଟ୍ଟାଇ ଜିଲ୍ଲାର ହଜାର ହଜାର ନବ-ସାକ୍ଷର ଗ୍ରାମୀଣ ମହିଳାଙ୍କ କ୍ଷେତ୍ରରେ ତ ଆଦୌ ନୁହେଁ । ଅନୁନ୍ନତ ସ୍ଥିତିକୁ ସୁଧାରିବା ଲାଗି, ପ୍ରତିରୋଧାତ୍ମକ ଭାବନାର ପରିପ୍ରକାଶ ଲାଗି ଏବଂ ସାମାଜିକ ବନ୍ଧନରୁ ମୁକୁଳିବା ଲାଗି ଲୋକେ ବିଭିନ୍ନ ଉପାୟ ଖୋଜି ନିଅନ୍ତି । ବେଳେବେଳେ, ବିଚିତ୍ର ଉପାୟ ।

ଏ କ୍ଷେତ୍ରରେ, ଭାରତର ଦରିଦ୍ରତମ ଜିଲ୍ଲାରୁ ଗୋଟିକରେ, ଗ୍ରାମୀଣ ମହିଳାମାନେ ସାଇକେଲ ଚାଳନାକୁ ମାଧ୍ୟମ ରୂପେ ବାଛି ନେଇଥିବା ଭଳି ମନେହୁଏ । ଗତ ୧୮ ବର୍ଷ ଭିତରେ, ୧୦୦,୦୦୦ରୁ ଅଧିକ ଗ୍ରାମୀଣ ମହିଳା ସାଇକେଲ ଚାଳନାକୁ ଆତ୍ମନିର୍ଭରଶୀଳତା, ସ୍ୱାଧୀନତା ଏବଂ ଗତିଶୀଳତାର ପ୍ରତୀକ ରୂପେ ଧରିନେଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନବ-ସାକ୍ଷର। ଯଦି ଆମେ ୧୦ ବର୍ଷରୁ କମ୍‌ ବୟସର ଝିଅମାନଙ୍କୁ ବାଦ୍‌ ଦେବା, ତେବେ ଏହାର ଅର୍ଥ ହେବ ଯେ, ଜିଲ୍ଲାର ମୋଟ ଗ୍ରାମୀଣ ମହିଳାଙ୍କ ସଂଖ୍ୟାର ଏକ ଚତୁର୍ଥାଂଶରୁ ଅଧିକ ସାଇକେଲ ଚଲେଇ ଶିଖିଛନ୍ତି । ଏବଂ ଏମାନଙ୍କ ମଧ୍ୟରୁ ୭୦,୦୦୦ରୁ ଅଧିକ ମହିଳା ସାର୍ବଜନୀନ ‘ପ୍ରଦର୍ଶନୀ ତଥା ପ୍ରତିଯୋଗିତା’ରେ ସଗର୍ବେ ଭାଗ ନେଇ ସେମାନଙ୍କର ନୂତନ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏବଂ ଏ ପର୍ଯ୍ୟନ୍ତ ଅବିରତ ରହିଛି ପ୍ରଶିକ୍ଷଣ ଶିବିର ଏବଂ ଶିଖିବାର ଇଚ୍ଛା ।

ଗ୍ରାମୀଣ ପୁଡୁକୋଟ୍ଟାଇର କେନ୍ଦ୍ରସ୍ଥଳରେ, ଅତ୍ୟନ୍ତ ରକ୍ଷଣଶୀଳ ପରିବାରରୁ ଆସିଥିବା ମୁସଲିମ୍‌ ମହିଳାମାନେ ରାସ୍ତାରେ ନିଜ ନିଜର ସାଇକେଲ ଚଳାଇ ଯା’ଆସ କରନ୍ତି । କେତେଜଣ ତ ସାଇକେଲ ପାଇଁ ଅବଗୁଣ୍ଠନକୁ ପରିତ୍ୟାଗ କରିବା ଭଳି ଲାଗେ। ସାଇକେଲ ଚାଳନାକୁ ଆପଣେଇ ନେଇ ଥିବା ଜଣେ ମୁସଲିମ୍‌ ଯୁବତୀ ଜାମିଲା ବିବି ମୋତେ କହିଲେ, “ଏହା ମୋର ଅଧିକାର । ଆମେ ଯେଉଁଠିକି ଇଚ୍ଛା ଯାଇପାରିବୁ । ଏବେ ମୋତେ ବସ୍‌କୁ ଅପେକ୍ଷା କରିବାକୁ ପଡୁନି । ମୁଁ ଜାଣେ ଯେ ମୁଁ ଯେତେବେଳେ ସାଇକେଲ ଚଲେଇବା ଆରମ୍ଭ କଲି ଲୋକେ ଖରାପ ମନ୍ତବ୍ୟ ଦେବାରେ ଲାଗିଲେ, କିନ୍ତୁ ମୁଁ ସେଥି ପ୍ରତି ଧ୍ୟାନ ଦେଲି ନାହିଁ ।”

ଫାତିମା ଜଣେ ମାଧ୍ୟମିକ ସ୍କୁଲ୍‌ର ଶିକ୍ଷୟିତ୍ରୀ ଏବଂ ପ୍ରତି ସନ୍ଧ୍ୟାରେ ଅଧା ଘଣ୍ଟା ପାଇଁ ଭଡ଼ାରେ ନେଇଥିବା (ସାଇକେଲ୍‌ଟିଏ କିଣିବାରେ ସେ ଏଯାଏଁ ଅସମର୍ଥ- ଗୋଟିକର ମୂଲ୍ୟ ୧,୨୦୦ ଟଙ୍କାରୁ ଅଧିକ) ସାଇକେଲ୍‌ ଚଲାଇବାରେ ଅଭ୍ୟସ୍ତ । ସେ କହନ୍ତି, “ସାଇକେଲ ଚଲାଇବାରେ ସ୍ୱାଧୀନତା ଅଛି । ଏବେ ଆମେ କାହାରି ଉପରେ ନିର୍ଭର କରୁନାହୁଁ । ମୁଁ ଏହାକୁ କେବେ ବି ଛାଡ଼ି ପାରିବି ନାହିଁ ।” ଜାମିଲା, ଫାତିମା ଏବଂ ସେମାନଙ୍କ ସାଙ୍ଗ ଆଭାକାନ୍ନି, ସମସ୍ତଙ୍କ ବୟସ ୨୦ରୁ କିଛିଟା ଅଧିକ। ସେମାନଙ୍କ ସଂପ୍ରଦାୟର ଅନ୍ୟ ଅନେକ ଯୁବତୀଙ୍କୁ ସେମାନେ ସାଇକେଲ ଚାଳନାର କଳା ଶିଖାଇଛନ୍ତି ।

Women learning how to ride bicycles in a village in Tamil Nadu
PHOTO • P. Sainath

ଆରିଭୋଲିର ଏହି ‘ସାଇକେଲ ଚାଳନା ପ୍ରଶିକ୍ଷଣ କେନ୍ଦ୍ର’ରେ ରବିବାସରୀୟ ପରିଧାନରେ ଆଶାୟୀ ଶିକ୍ଷାର୍ଥୀମାନେ । ଶିକ୍ଷକମାନେ ବି ବେଶ୍‌ ସୁନ୍ଦର ପୋଷାକ ପିନ୍ଧି ଆସିଛନ୍ତି

ସାଇକେଲ ଚଲେଇବା ମୋହରେ ପଡ଼ିଯାଇଛି ସାରା ଜିଲ୍ଲା । ଏହାର ଅନୁଗାମୀଙ୍କ ମଧ୍ୟରେ ଅଛନ୍ତି ମହିଳା କୃଷି ଶ୍ରମିକ, କ୍ୱାରୀ ଶ୍ରମିକ ଏବଂ ଗ୍ରାମ୍ୟ ସ୍ୱାସ୍ଥ୍ୟ ସେବିକା । ସେମାନଙ୍କ ଭିଡ଼ରେ ସାମିଲ ହେଉଛନ୍ତି ବାଲୱାଡ଼ି ଏବଂ ଅଙ୍ଗନୱାଡ଼ି କର୍ମୀ, ରତ୍ନପଥର କଟାଳି ଏବଂ ସ୍କୁଲ୍‌ ଶିକ୍ଷକମାନେ । ଏବଂ ଗ୍ରାମ ସେବିକା ଏବଂ ମଧ୍ୟାହ୍ନ ଭୋଜନ କର୍ମୀମାନେ ବି ପଛରେ ପଡ଼ିନାହାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନୂଆ ନୂଆ ସାକ୍ଷର ହୋଇଛନ୍ତି । ସେମାନଙ୍କର ଏହି କର୍ମଶକ୍ତିକୁ ଖୁବ୍‌ ଶୀଘ୍ର ଚିହ୍ନଟ କରିପାରିଛି ଆରିଭୋଲି ଇୟାକ୍କମ୍‌ (ଜ୍ଞାନର ଆଲୋକ ଅଭିଯାନ) ନେତୃତ୍ୱରେ ସାରା ଜିଲ୍ଲାରେ ଜୋରସୋରରେ ଚାଲିଥିବା ସାକ୍ଷରତା ଅଭିଯାନ । ନୂଆ କରି ସାକ୍ଷର ହୋଇଥିବା ଏବଂ ନୂଆ ନୂଆ ସାଇକେଲ ଚଲେଇ ଶିଖିଥିବା ଯେଉଁ ମହିଳାମାନଙ୍କ ସହ ମୁଁ କଥା ହେଲି, ସେମାନେ ସମସ୍ତେ, ସାଇକେଲ ଚଲେଇବା ସହିତ ବ୍ୟକ୍ତିଗତ ସ୍ୱାଧୀନତାର ସିଧାସଳଖ ସଂପର୍କ ଯୋଡ଼ିଥିଲେ ।

ଆରିଭୋଲି କେନ୍ଦ୍ରୀୟ ସଂଯୋଜକ ଏବଂ ସାଇକେଲ ଚାଳନା ଅଭିଯାନର ଅନ୍ୟତମ ପୁରୋଧା ଏନ୍‌.କାନ୍ନାମ୍ମାଲ କହିଲେ, “ମୂଳକଥା ହେଲା, ଏଥିରୁ ମହିଳାମାନଙ୍କର ଆତ୍ମବିଶ୍ୱାସ ବଢ଼ିଲା । ଉଲ୍ଲେଖନୀୟ ଯେ, ଏହା ଦ୍ୱାରା ପୁରୁଷମାନଙ୍କ ଉପରେ ସେମାନଙ୍କର ନିର୍ଭରଶୀଳତା କମିବାରେ ଲାଗିଲା । ଆଜିକାଲି ଅନେକ ସମୟରେ, ଜଣେ ମହିଳା ଚାରି କିଲୋମିଟର ବାଟ ସାଇକେଲ ଚଲେଇ ପାଣି ଆଣିବାକୁ ଯାଉଥିବାର ଦୃଶ୍ୟ ଆମ ଆଖିରେ ପଡ଼େ । ବେଳେବେଳେ ତାଙ୍କ ପିଲାମାନେ ବି ସାଙ୍ଗରେ ଥାଆନ୍ତି । ଏମିତି କି ସେମାନେ ଅନ୍ୟସ୍ଥାନରୁ ଘର ପାଇଁ ଜିନିଷପତ୍ର ବି ବୋହି ଆଣି ପାରନ୍ତି । କିନ୍ତୁ, ବିଶ୍ୱାସ କରନ୍ତୁ, ଏସବୁ ଆରମ୍ଭ ହେଲା ସମୟରେ ମହିଳାମାନଙ୍କୁ ସେମାନଙ୍କ ଚରିତ୍ରସଂହାର କଲା ଭଳି ଅନେକ କଟୁ ଟିପ୍ପଣୀ ଶୁଣିବାକୁ ପଡ଼ିଛି । ଅନେକ ଲୋକ କଦର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ସାଇକେଲ ଚାଳନାକୁ ସାମାଜିକ ସ୍ୱୀକୃତି ପ୍ରଦାନ କରିଛି ଆରିଭୋଲି । ତେଣୁ ମହିଳାମାନେ ଏହାକୁ ଆଦରି ନେଇଛନ୍ତି ।”

ଆଉ ସେମାନଙ୍କ ମଧ୍ୟରେ ଆଗରେ ଥିଲେ ନିଜେ କାନ୍ନାମ୍ମାଲ । ଜଣେ ବିଜ୍ଞାନ ଗ୍ରାଜୁଏଟ୍‌ ହୋଇଥିବା ସତ୍ତ୍ୱେ ପୂର୍ବରୁ ସେ ସାଇକେଲ ଚଲେଇବାକୁ ସାହସ ଜୁଟାଇ ପାରି ନଥିଲେ । ଆରିଭୋଲି ‘ସାଇକେଲ ଚାଳନା ପ୍ରଶିକ୍ଷଣ ଶିବିର’କୁ ଯିବା, ତାଙ୍କ ପାଇଁ ଏକ ଅସାଧାରଣ ଅଭିଜ୍ଞତା ଥିଲା । କିଲାକୁରୁଚି ଗାଁରେ ଆଶାୟୀ ଶିକ୍ଷାର୍ଥୀମାନେ ନିଜ ନିଜର ରବିବାସରୀୟ ପୋଷାକ ପିନ୍ଧି ପହଞ୍ଚି ଯାଇଥିଲେ । ସାଇକେଲ ଚାଳନା ଅଭିଯାନ ପାଇଁ ସେମାନଙ୍କ ନିଚ୍ଛକ ଆବେଗ ଆପଣଙ୍କୁ ହତବାକ୍‌ କରିଦେଲା ଭଳି ଥିଲା । ସେମାନେ ଜାଣିବାକୁ ପାଉଥିଲେ । ପୁରୁଷ ପ୍ରଧାନ ସମାଜରେ ବାଧ୍ୟତାମୂଳକ ଭାବେ ପ୍ରଚଳିତ ଧାରାରୁ ମୁକୁଳିବାର ଉପାୟ ବତାଉଥିଲା ସାଇକେଲ ଚାଳନା। ଏପରିକି ଅନ୍ୟମାନଙ୍କୁ ସାଇକେଲ ଚାଳନା ଦିଗରେ ଉତ୍ସାହିତ କରିବା ଲାଗି ନବୀନ ସାଇକେଲ ଚାଳକମାନେ ଆରିଭୋଲି ଦ୍ୱାରା ପ୍ରସ୍ତୁତ ଗୀତ ଗାଉଥିଲେ । ଏଥିରୁ ଗୋଟିକର ଧାଡ଼ିଟିଏ ଥିଲା ଏମିତି: “ଏ ଭଉଣୀ ଆସ, ସାଇକେଲ ଚଲାଇ ଶିଖ, ସମୟର ଚକ ସହ ତାଳ ଦେଇ ଚାଲ... ।”

ଯେଉଁମାନେ ପ୍ରଶିକ୍ଷଣ ପାଇସାରିଥିଲେ, ସେମାନଙ୍କ ମଧ୍ୟରୁ ବହୁସଂଖ୍ୟକ ପ୍ରଶିକ୍ଷିତ ସାଇକେଲ ଚାଳକ ଆସି ନୂତନ ପ୍ରଶିକ୍ଷାର୍ଥୀମାନଙ୍କର ସହାୟତା କରୁଥିଲେ । ସେମାନେ ଆରିଭୋଲି ପାଇଁ ପ୍ରବୀଣ-ପ୍ରଶିକ୍ଷକ (କେବେ କେମିତି କୁହାଯାଉଥିଲା) ରୂପେ ମାଗଣାରେ କାମ କରୁଥିଲେ । ସେମାନଙ୍କର ଯେ କେବଳ ଶିଖିବାକୁ ଇଚ୍ଛା ଥିଲା ତା ନୁହେଁ, ତା ସହିତ ସେମାନଙ୍କ ମଧ୍ୟରେ ଏକ ବ୍ୟାପକ ଧାରଣା ଜନ୍ମିଥିଲା ଯେ ମହିଳାମାନେ ସାଇକେଲ ଚଲେଇ ଶିଖିବା ନିହାତି ଆବଶ୍ୟକ। ସୁତରାଂ, ସେମାନଙ୍କର ଅଭିଜ୍ଞତା ସାକ୍ଷରତା ଅଭିଯାନକୁ ସମୃଦ୍ଧ କରିଥିଲା । ନୂତନ ସାଇକେଲ ଚାଳକମାନେ ପୂର୍ବାପେକ୍ଷା ଅଧିକ ଭାବାବେଗ ନେଇ ଆରିଭୋଲି ସହ ଯୋଡ଼ି ହୋଇଯାଇଥିଲେ ।

ଏହି ସମଗ୍ର ଘଟଣାବଳି ଥିଲା ପୂର୍ବତନ ଲୋକପ୍ରିୟ ଜିଲ୍ଲାପାଳ ଶୀଲା ରାନୀ ଚୁଂକଥଙ୍କର ମାନସ ସନ୍ତାନ । ୧୯୯୧ରେ ତାଙ୍କର ଧାରଣା ଥିଲା ଯେ, ମହିଳା କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଗଲେ ହିଁ ସାକ୍ଷରତା ଅଭିଯାନ ଚାରିକାନ୍ଥ ଭିତରେ ଥିବା ମହିଳାମାନଙ୍କ ନିକଟରେ ପହଞ୍ଚି ପାରିବ । ସେ ମଧ୍ୟ ଚଳପ୍ରଚଳ କ୍ଷମତାକୁ ସାକ୍ଷରତା ଅଭିଯାନର ଏକ ଅଂଶ ରୂପେ ସାମିଲ କରିଥିଲେ । ଏହା ଏହି ତଥ୍ୟ ଉପରେ ଆଧାରିତ ଥିଲା ଯେ, ଗତିଶୀଳତାର ଅଭାବ ହିଁ ମହିଳାମାନଙ୍କର ଆତ୍ମବିଶ୍ୱାସ ହ୍ରାସ ପଛରେ ଥିବା ଏକ ବଡ଼ କାରଣ । ମହିଳାମାନଙ୍କୁ ସାଇକେଲ କିଣିବାକୁ ଋଣ ଦେବା ଲାଗି ଚୁଂକଥ ବ୍ୟାଙ୍କଗୁଡ଼ିକୁ କହିଲେ । ଏହି ଅଭିଯାନକୁ ଆଗେଇ ନେବା ପାଇଁ ପ୍ରତିଟି ବ୍ଲକ୍‌ ଯେପରି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସଂପାଦନ ଦାୟିତ୍ୱ ନିଏ, ସେ ଦିଗରେ ମଧ୍ୟ ସେ କାମ କଲେ । ଜିଲ୍ଲାର ଶୀର୍ଷତମ ଅଧିକାରୀ ରୂପରେ ସେ ଏହା ଉପରେ ବ୍ୟକ୍ତିଗତ ଭାବେ ବିଶେଷ ଧ୍ୟାନ ଦେଲେ ।

ପ୍ରଥମେ କର୍ମୀମାନେ ସାଇକେଲ ଚଲେଇ ଶିଖିଲେ । ତା’ପରେ ନବ-ସାକ୍ଷରମାନେ ଶିଖିବାକୁ ଚାହିଁଲେ । ପ୍ରତିଟି ମହିଳା ଶିଖିବାକୁ ଚାହିଁଲେ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଏହା ଫଳରେ ‘ଲେଡିଜ୍‌’ ସାଇକେଲ୍‌ର ଅଭାବ ଉପୁଜିଲା । ଚିନ୍ତା ନାହିଁ । ‘ଜେଣ୍ଟସ’ ସାଇକେଲ ବି ଠିକ୍‌ ସେମିତି, ସୁନ୍ଦର ଭାବରେ କାମ ତୁଲାଇ ପାରିବ, ଧନ୍ୟବାଦ। କେତେକ ମହିଳା ଏହି ସାଇକେଲକୁ ବେଶୀ ପସନ୍ଦ କଲେ କାରଣ ଏଥିରେ ସିଟ୍‌ରୁ ହ୍ୟାଣ୍ଡଲ୍‌ ପର୍ଯ୍ୟନ୍ତ ଏକ ଅତିରିକ୍ତ ଲୁହା ବାର୍‌ ଲାଗିଥିଲା । ଆପଣ ଏଥିରେ ଜଣେ ପିଲାକୁ ବସାଇ ପାରିବେ । ଏବଂ ଆଜିର ଦିନରେ, ଏଠାକାର ହଜାର ହଜାର ମହିଳା ଏହି ‘ଜେଣ୍ଟସ’ ସାଇକେଲ ଚଲାଉଛନ୍ତି । ଅନ୍ୟ ହଜାର ହଜାର ମହିଳା ସେଇ ଦିନ ଲାଗି ସ୍ୱପ୍ନ ଦେଖୁଛନ୍ତି, ଯେଉଁଦିନ ସେମାନେ ସାଇକେଲଟିଏ କିଣିବାକୁ ସମର୍ଥ ହେବେ ।

୧୯୯୨ ମସିହା ମାର୍ଚ୍ଚ ୮ ତାରିଖର ଅନ୍ତର୍ଜାତୀୟ ମହିଳା ଦିବସ ପରେ ଏହି ଜିଲ୍ଲା ଆଉ ପୂର୍ବ ଭଳି ହୋଇ ରହିପାରିବ ନାହିଁ । ହ୍ୟାଣ୍ଡଲ ବାର୍‌ରେ ପତାକା ଲଗାଇ, ଘଣ୍ଟି ବଜାଇ ବଜାଇ ଆସିଥିବା ୧୫୦୦ରୁ ଅଧିକ ମହିଳା ସାଇକେଲ ଚାଳକ ପୁଡୁକୋଟ୍ଟାଇକୁ ଚମକାଇ ଦେଲେ । କେବଳ ମହିଳାମାନଙ୍କୁ ନେଇ ଆୟୋଜିତ ଏହି ସାଇକେଲ ଶୋଭାଯାତ୍ରାର ବିଶାଳ ପ୍ରଦର୍ଶନ  ସହରବାସୀଙ୍କୁ ସ୍ତମ୍ଭୀଭୂତ କରିଦେଲା । 

ପୁରୁଷମାନେ କ’ଣ ଭାବିଲେ ? ଏହାକୁ ଯେଉଁମାନେ ସ୍ୱୀକୃତି ପ୍ରଦାନ କଲେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ରାମ ସାଇକେଲ୍‌ସର ମାଲିକ, ଏସ୍‌. କନ୍ନକରାଜନ୍‌, । ଏହି ଜଣେ ମାତ୍ର ସାଇକେଲ୍‌ ବିକ୍ରେତା ଦେଖିଲେ ଯେ, ବର୍ଷକ ଭିତରେ ‘ଲେଡିଜ୍‌’ ସାଇକେଲ୍‌ ବିକ୍ରି ୩୫୦ ପ୍ରତିଶତ ବୃଦ୍ଧି ପାଇଛି । ସମ୍ଭବତଃ ଦୁଇଟି କାରଣରୁ, ଏହି ସଂଖ୍ୟା କମ୍‌ ଦର୍ଶାଯାଇଥିବା ମନେହୁଏ । ଏକ: ‘ଲେଡିଜ୍‌’ ସାଇକେଲ ପାଇଁ ଅପେକ୍ଷା ନ କରି ବହୁ ମହିଳା ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ସାଇକେଲ କିଣିଥିଲେ: ଦୁଇ: ଖୁବ ସତର୍କତାର ସହିତ କନ୍ନକରାଜନ୍‌ ଏହି ତଥ୍ୟ ମୋତେ ଦେଇଥିଲେ । ତାଙ୍କ ବିଚାରରେ, ମୁଁ ଥିଲି ଛଦ୍ମବେଶରେ ଆସିଥିବା ବିକ୍ରି କର ବିଭାଗର ଜଣେ କର୍ମଚାରୀ ।

ସେ ଯାହା ହେଉ, ସବୁ ପୁରୁଷ ପ୍ରତିକୂଳ ମନୋଭାବ ପୋଷଣ କରୁ ନଥିଲେ। ଏପରିକି କେତେ ଜଣ ଉତ୍ସାହିତ ବି କରୁଥିଲେ । ଉଦାହରଣତଃ ଆରିଭୋଲିର ଜଣେ ସାମାଜିକ କର୍ମୀ ମୁଥୁ ଭାସ୍କରନ୍‌ । ସେ ସେହି ପ୍ରସିଦ୍ଧ ସାଇକେଲ ଚାଳନା ଗୀତ ଲେଖିଥିଲେ ଯାହା କି ସେମାନଙ୍କର ସାମୂହିକ ସଙ୍ଗୀତର ରୂପ ନେଇଥିଲା ।

ଯେତେବେଳେ, ଆପଣ କୁଦିମିଆନ୍‌ମାଲାଇରେ ଥିବା ପଥର କ୍ୱାରୀଗୁଡ଼ିକର ପ୍ରଚଣ୍ଡ ଉତ୍ତାପରେ ଯାଇ ଅନ୍ୟମାନଙ୍କୁ ତାଲିମ ଦେଉଥିବା ୨୨ ବର୍ଷୀୟା କେ.ମନୋରମାନିଙ୍କ ପାଖରେ ପହଞ୍ଚନ୍ତି, ଏ ଉଦ୍ୟମ ଯଥାଯୋଗ୍ୟ ବୋଲି ଆପଣ ଅନୁଭବ କରନ୍ତି । ସେ ନିଜେ ଜଣେ କ୍ୱାରୀ କର୍ମଚାରୀ ଏବଂ ଆରିଭୋଲିର ସ୍ୱେଚ୍ଛାସେବୀ । ସେ ଚାହାଁନ୍ତି ଯେ ତାଙ୍କ ସହ-କର୍ମଚାରୀମାନେ ସାଇକେଲ ଚଲାଇ ଶିଖନ୍ତୁ । ସେ ମୋତେ କହିଲେ, “ଆମ ଏଠାକାର ଅଞ୍ଚଳଗୁଡ଼ିକ ଟିକେ ବିଚ୍ଛିନ୍ନ ହୋଇ ରହିଛି। ଯେଉଁମାନେ ସାଇକେଲ ଚଲେଇ ଜାଣିଛନ୍ତି ସେମାନେ ହିଁ ଯା’ଆସ କରିପାରିବେ ।”

Women learning how to ride bicycles in a village in Tamil Nadu
PHOTO • P. Sainath
PHOTO • P. Sainath

୧୯୯୨-୯୩ରେ ପୁଡୁକୋଟ୍ଟାଇର ୧୦୦,୦୦୦ ମହିଳା ସାଇକେଲ ଚଲେଇ ଶିଖିଲେ । ସେମାନଙ୍କ ଉପରେ ଏହାର ସକାରାତ୍ମକ ଅର୍ଥନୈତିକ ପ୍ରଭାବ ପଡ଼ିଲା । କିନ୍ତୁ ସାଇକେଲ ସେମାନଙ୍କ ପାଇଁ କେବଳ ତାହା ହିଁ ନ ଥିଲା । ଏହା ଥିଲା ସ୍ୱାଧୀନତାର ଏକ ଶକ୍ତିଶାଳୀ ଶବ୍ଦରୂପ

୧୯୯୨ ମସିହାର ଗୋଟିଏ ସପ୍ତାହରେ ୭୦,୦୦୦ରୁ ଅଧିକ ମହିଳା ଏକ ସାର୍ବଜନୀନ ‘ପ୍ରଦର୍ଶନୀ ତଥା ପ୍ରତିଯୋଗିତା’ରେ ସେମାନଙ୍କ ସାଇକେଲ ଚାଳନା ଦକ୍ଷତା ପ୍ରଦର୍ଶନ କଲେ । ଏଥିରେ ପ୍ରଭାବିତ ହୋଇଥିଲା ୟୁନିସେଫ୍‌ ଏବଂ ଆରିଭୋଲିର ୫୦ ଜଣ ମହିଳା କର୍ମୀଙ୍କ ପାଇଁ ମୋପେଡ୍‌ ମଞ୍ଜୁର କରିଥିଲା ।

ସାଇକେଲ ଚାଳନାର ସୁନିର୍ଦ୍ଦିଷ୍ଟ ଅର୍ଥନୈତିକ ପ୍ରଭାବ ରହିଆସିଛି । ଏହା ରୋଜଗାର ବୃଦ୍ଧି କରେ । ଏଠାକାର କେତେକ ମହିଳା ଗାଁରେ ଥିବା ଗୋଷ୍ଠୀ ଭିତରେ କୃଷିଜାତ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରନ୍ତି । ବସ୍‌ ଅପେକ୍ଷାରେ ସେମାନେ ନଷ୍ଟ କରୁଥିବା ସମୟକୁ ସାଇକେଲ କମ୍‌ କରି ଦେଇଛି । ଯେଉଁ ସ୍ଥାନକୁ ଭଲ ରାସ୍ତା ନାହିଁ ସେଠାକୁ ଯିବା ପାଇଁ ଏହା ଅତି ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟତଃ, ଏହା ସାମଗ୍ରୀ ବିକ୍ରି ଉପରେ ଧ୍ୟାନ ଦେବାକୁ ଆପଣଙ୍କୁ ଅଧିକ ସମୟ ଦିଏ। ତୃତୀୟତଃ, ଏହା ଆପଣଙ୍କ ବିକ୍ରୟ କ୍ଷେତ୍ରକୁ ଆଶାତୀତ ଭାବେ ବଢ଼ାଇଥାଏ । ଶେଷରେ, ଆପଣ କାମରୁ କିଛିଟା ବିରତି ନେବାକୁ ଚାହୁଁଥିଲେ, ଏହା ଆପଣଙ୍କ ଅବସର ସମୟ ବଢ଼ାଇ ଥାଏ ।

ବସ୍‌କୁ ଅପେକ୍ଷା କରିବା ଲାଗି, ଛୋଟକାଟର ମହିଳା ଉତ୍ପାଦନକାରୀମାନଙ୍କୁ ବସ୍‌ ଷ୍ଟପ୍‌ରେ ପହଞ୍ଚିବା ପାଇଁ ବି ସବୁବେଳେ ବାପା, ଭାଇ, ସ୍ୱାମୀ କିମ୍ବା ପୁଅ ଉପରେ ନିର୍ଭର କରିବାକୁ ପଡୁଥିଲା । ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ଲାଗି ସେମାନେ ସୀମିତ ସଂଖ୍ୟକ ଗାଁକୁ ଯାଇ ବୁଲି ପାରୁଥିଲେ । କେତେଜଣ ତ ଚାଲି ଚାଲି ଯାଉଥିଲେ । ଯେଉଁମାନେ ସାଇକେଲ କିଣି ପାରିନାହାନ୍ତି ସେମାନେ ଏବେ ବି ଚାଲି ଚାଲି ଯାଉଛନ୍ତି । ପିଲାମାନଙ୍କ ଯତ୍ନ ନେବାକୁ ଏବଂ ପାଣି ଆଣିବା ଭଳି ଅନ୍ୟାନ୍ୟ କାମ କରିବାକୁ ଏହି ମହିଳାମାନଙ୍କୁ ଶୀଘ୍ର ଘରକୁ ଫେରି ଆସିବାକୁ ପଡ଼େ । ଯେଉଁମାନଙ୍କର ସାଇକେଲ ଅଛି, ସେମାନେ ଏବେ ଭିନ୍ନ ଭିନ୍ନ କାମକୁ ଏକାଠି କରି ଅତି ସହଜରେ ତୁଲାଇ ପାରୁଛନ୍ତି । ଯାହାର ଅର୍ଥ, ଏମିତିକି ଏକ ଦୁର୍ଗମ ରାସ୍ତାରେ, ଆପଣ ଜଣେ ଯୁବତୀ ମାଆକୁ ସାଇକେଲ ଚଲାଉଥିବା ଦେଖିପାରିବେ, ଆଗ ବାର୍‌ରେ ସାନ ପିଲାଟିଏ ବସିଥିବ ଏବଂ ପଛ କ୍ୟାରିଅର୍‌ରେ ସାମଗ୍ରୀ ରଖା ହୋଇଥିବ । ହୁଏତ ସେ ଦୁଇଟି, ସମ୍ଭବତଃ ତିନିଟି, ପାଣି ମାଠିଆ ପଛରେ ଝୁଲାଇ, ଘରକୁ କିମ୍ବା କାର୍ଯ୍ୟସ୍ଥଳକୁ ପାଣି ବୋହି ନେଉଥିବ ।

ତଥାପି, ଅନ୍ୟ ସବୁ କଥା ଛାଡ଼ି କେବଳ ଆର୍ଥନୀତିକ ଦିଗ ଉପରେ ଗୁରୁତ୍ୱ ଦେବା ନିହାତି ଭୁଲ ହେବ । ସବୁଠୁ ବଡ଼କଥା ହେଉଛି ସାଇକେଲ ଚାଳନାରୁ ମିଳୁଥିବା ଆତ୍ମ ସମ୍ମାନ ଭାବନା । “ଅବଶ୍ୟ ଏହା ଅର୍ଥନୀତିର କଥା ନୁହେଁ,” ଏହା କହିବା ବେଳେ ଫାତିମା ମୋତେ ଏମିତି ଚାହିଁଲେ ଯେ ମୁଁ ନିଜକୁ ମୁର୍ଖ ଭଳି ମନେ କଲି । “ସାଇକେଲ ଚଲେଇ ମୁଁ କେତେ ଟଙ୍କା ପାଇବି ? ମୁଁ ଟଙ୍କା ସାରିବି । ସାଇକେଲଟିଏ କିଣିବାକୁ ମୋର ସାମର୍ଥ୍ୟ ନାହିଁ । କିନ୍ତୁ ମୁଁ ସବୁ ସନ୍ଧ୍ୟାରେ ସାଇକେଲଟିଏ ଭଡ଼ାରେ ନିଏ। କେବଳ ସେଇ ଭଲକଥାଟିକୁ, ସେଇ ସ୍ୱାଧୀନତାକୁ, ଅନୁଭବ କରିବା ଲାଗି ।” ପୁଡୁକୋଟ୍ଟାଇକୁ ଆସିବା ଆଗରୁ ମୁଁ କେବେହେଲେ ଏହି ସରଳ ଯାନଟିକୁ ସେହି ଦୃଷ୍ଟିରୁ ଦେଖି ନଥିଲି- ସ୍ୱାଧୀନତାର ଏକ ଶବ୍ଦରୂପ ଭାବରେ ସାଇକେଲ ।

କନ୍ନାମ୍ମାଲ କହନ୍ତି, “ଗାଉଁଲି ମହିଳାମାନଙ୍କ ପାଇଁ ଏହା କେତେ ବଡ଼କଥା ତାହା ଲୋକେ ବୁଝିବା କଷ୍ଟକର । ସେମାନଙ୍କ ପାଇଁ ଏହା ଉଡ଼ାଜାହାଜ ଉଡ଼ାଇବା ଭଳି ଏକ ବିରାଟ ବଡ଼ ସଫଳତା । ଲୋକେ ହୁଏତ ହସିବେ । କିନ୍ତୁ କେବଳ ସେଇ ମହିଳାମାନେ ହିଁ ଜାଣନ୍ତି ଯେ ଏହା କେତେ ଗୁରୁତ୍ୱପୂର୍ଣ୍ଣ ।”

ମୋର ମନେହୁଏ, ଗୁଣାତ୍ମକ ସାମ୍ବାଦିକତାର ମାପଦଣ୍ଡ ଅନୁଯାୟୀ ‘ଭାରସାମ୍ୟ’ ରକ୍ଷା କରିବା ପାଇଁ ସାଇକେଲ ଚାଳନା ଅଭିଯାନକୁ ବିରୋଧ କରୁଥିବା ଲୋକଙ୍କ ଉକ୍ତି ଏଠାରେ ଉପସ୍ଥାପନ କରିବା ଦରକାର । ସତ କହିବାକୁ ଗଲେ, କିଏ ପଚାରେ ? ନୂଆ ନୂଆ ସାକ୍ଷର ହୋଇଥିବା ୧୦୦,୦୦୦ରୁ ଅଧିକ ମହିଳା ସାଇକେଲ ଚଲାଉଛନ୍ତି ଏବଂ ତାହା ହିଁ ବଡ଼କଥା ।

ଯେଉଁ ଲୋକମାନେ ଏହାର ବିରୋଧ କରୁଛନ୍ତି ସେମାନେ ଚାଲି ଚାଲି ବୁଲି ଆସନ୍ତୁ । କାରଣ, ସାଇକେଲ ଚଲେଇବା ପ୍ରସଙ୍ଗରେ, ସେମାନେ ସେଇ ମହିଳାମାନଙ୍କ ସମକକ୍ଷ ନୁହଁନ୍ତି ।

ଶେଷକଥା: ଏପ୍ରିଲ ୧୯୯୫ରେ ମୁଁ ଯେତେବେଳେ ପୁଡୁକୋଟ୍ଟାଇକୁ ଫେରିଲି, ସେଇ ଉତ୍ସାହ ଅବିରତ ରହିଥିଲା । କିନ୍ତୁ ବହୁସଂଖ୍ୟାକ ମହିଳା ସାଇକେଲ କିଣିବାରେ ଅକ୍ଷମ ଥିଲେ - ଯାହାକି ଗୋଟିକୁ ଏବେ ପ୍ରାୟ ୧,୪୦୦ ଟଙ୍କା । ଏବଂ ଏକ ନୂଆ ପିଢ଼ି ସାମନାକୁ ଆସୁଥିଲେ, ଯେଉଁମାନଙ୍କର କି ପ୍ରଥମ ପର୍ଯ୍ୟାୟରୁ ଫାଇଦା ନେବାର ବୟସ ହୋଇ ନଥିଲା । କିନ୍ତୁ ସାଇକେଲ ଚାଳନା କ୍ଷେତ୍ରରେ ମହିଳାମାନଙ୍କ ଆଶ୍ଚର୍ଯ୍ୟଜନକ ଅନୁପାତ ଯୋଗୁଁ ଭାରତର ଜିଲ୍ଲାଗୁଡ଼ିକ ଭିତରେ ପୁଡୁକୋଟ୍ଟାଇ ଅନନ୍ୟ ହୋଇ ରହିଛି । ଏବଂ ଏହି ଦକ୍ଷତା ଅର୍ଜନ କରିବା ଲାଗି ଅବଶିଷ୍ଟ ମହିଳାଙ୍କ ମଧ୍ୟରେ ଥିବା ଉତ୍ସାହ ଯୋଗୁଁ ମଧ୍ୟ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath