ତିନି ବର୍ଷ ତଳେ, କୂଅଟିଏ ଖୋଳିବା ପାଇଁ କାରଭାରୀ ରାମରାଓ ଯାଦବଙ୍କ ଆବେଦନ ଅନୁମୋଦିତ ହୋଇଥିଲା । ସେଥିପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ପାଖରୁ ୨.୯୯ ଲକ୍ଷ ଟଙ୍କା ସବ୍ସିଡି ବି ମିଳିବାର ଥିଲା । କିନ୍ତୁ ତା ବଦଳରେ, ସେ କହନ୍ତି, “ସେଇ ଟଙ୍କା ତ ମୁଁ କେବେ ହେଲେ ଦେଖିନାହିଁ,  ବରଂ ନିଜେ ନିଜେ କୂଅ ଖୋଳିବାକୁ ଚେଷ୍ଟା କରି୧.୫ ଲକ୍ଷ ଟଙ୍କା କରଜ କରିସାରିଲିଣି ।”

ଔରଙ୍ଗାବାଦର ଫୁଲମ୍ବ୍ରି ତାଲୁକା ଅନ୍ତର୍ଗତ ଗାନୋରି ଗାଁରେ ରହନ୍ତି ୪୮ ବର୍ଷୀୟ ଯାଦବ । ଚାରି ଏକର ଜମିରେ କପା ଓ ବାଜରା ଚାଷ କରନ୍ତି ଏବଂ ଏଥିପାଇଁ ପାଖରେ ଥିବା ପାହାଡ଼ରୁ ଝରୁଥିବା ଏକ ଝରଣାର ପାଣି ବ୍ୟବହାର କରନ୍ତି । କିନ୍ତୁ ମରାଠୱାଡ଼ା ଅଞ୍ଚଳରେ ମରୁଡ଼ି ଏକ ସାଧାରଣ କଥାହୋଇଥିବାରୁ ଯାଦବ ଚିନ୍ତା କଲେ କି ନିଜର କୂଅଟିଏ ଥିଲେ ତାଙ୍କ ଚାଷଜମି ଓ ଗୃହପାଳିତ ପଶୁଙ୍କ ଦେଖାରଖା ସହଜ ହେବ ।

ତେଣୁ ସେ ୨୦୧୩ ମସିହା ଆରମ୍ଭରୁ ଏକ ଆବେଦନ ଦାଖଲ କଲେ । ଏଥିପାଇଁ ତାଙ୍କ ଜମିଜମା ସମ୍ବନ୍ଧିତ ଅନେକ କାଗଜପତ୍ର ଆବଶ୍ୟକ ହୋଇଥିଲା । ଏସବୁ ପାଇବା ପାଇଁ ତାଙ୍କୁ ବିଭିନ୍ନ ଅଫିସ୍କୁ ଦୌଡ଼ିବାକୁ ପଡ଼ିଲା, ଯେମିତି କି ତଲାତି (ଗାଁର ଆକାଉଣ୍ଟାଣ୍ଟ), ଗ୍ରାମ ପଞ୍ଚାୟତ (ଗ୍ରାମ ପରିଷଦ) ଏବଂ ପଞ୍ଚାୟତ ସମିତି (ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପରିଷଦ ବା ଜିଲ୍ଲା ବୋର୍ଡର ମଧ୍ୟବର୍ତ୍ତୀ ସଂସ୍ଥା) । ଏସବୁ କାମ ଭିତରେ, କାଗଜପତ୍ର ଏବଂ ଜିଲ୍ଲା ପରିଷଦ ପାଖରୁ କାର୍ଯ୍ୟାଦେଶ ପାଇବା ପାଇଁ ତାଙ୍କୁ ଲାଞ୍ଚ ଦେବାକୁ କୁହାଗଲା । ସେ କହନ୍ତି, “ଜଣେ ଦୁର୍ବଳ ଚାଷୀ ଜିଲ୍ଲା ପ୍ରଶାସନର ମୁକାବିଲା କରିବାକୁ ସମର୍ଥ ହୋଇପାରିବ ନାହିଁ ।”

PHOTO • Parth M.N.

କାରଭାରୀ ରାମରାଓ ଯାଦବ: 'ଜଣେ ଦୁର୍ବଳ ଚାଷୀ ଜିଲ୍ଲା ପ୍ରଶାସନର ମୁକାବିଲା କରିବାକୁ ସମର୍ଥ ହୋଇପାରିବ ନାହିଁ ।'

ନିଜର କୂଅ ଖୋଳିବା ପାଇଁ ଚାଷୀମାନଙ୍କର ଆବେଦନ ଅନୁମୋଦିତ ହେଲେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ (MNREGA) ଅନୁସାରେ ରାଜ୍ୟ ସରକାର ଚାଷୀଙ୍କୁ ୨.୯୯ ଲକ୍ଷ ଟଙ୍କାର ସବ୍ସିଡି ପ୍ରଦାନ କରନ୍ତି । ସେହି ଟଙ୍କାରୁ ଚାଷୀମାନେ ମଜୁରି ଦେବା ଏବଂ ପାଇପ୍ଭଳି ସାମଗ୍ରୀ କିଣିବା ବାବଦରେ ଖର୍ଚ୍ଚ କରିବା କଥା । ଏସବୁ ଖର୍ଚ୍ଚ ବାବଦ ଟଙ୍କାକୁ କିସ୍ତିରେ ପାଇବା ଲାଗି ପଞ୍ଚାୟତ ସମିତିରେ ଆବେଦନ କରାଯାଏ ।

କିନ୍ତୁ ଆରମ୍ଭରୁ ହିଁ, ଏମିତି କି ତାଙ୍କ ନିଜ ଜମିର କାଗଜପତ୍ର ପାଇଁ ବି, ଯାଦବଙ୍କର ଟଙ୍କା ଆବଶ୍ୟକ ହେଲା । ସେ ଜଣେ ସ୍ଥାନୀୟ ସାହୁକାରଙ୍କ ସହାୟତା ଲୋଡ଼ିଲେ, ଯିଏ କି ତାଙ୍କୁ ମାସକୁ ୫ ପ୍ରତିଶତ ସୁଧହାରରେ ୪୦,୦୦୦ ଟଙ୍କା ଦେଲେ। ଅର୍ଥାତ୍ବର୍ଷକୁ ୬୦ ପ୍ରତିଶତ ଭଳି ଅତ୍ୟଧିକ ଚଢ଼ା ହାରରେ ସେ ଋଣ କଲେ । ଅତୀତରେ ମରୁଡ଼ି ପଡ଼ିବା ସମୟରେ ଯାଦବ ବ୍ୟାଙ୍କରୁ ଋଣ ନେଇଥିଲେ,  କିନ୍ତୁ ବେସରକାରୀ ଭାବେ ଏହା ଥିଲା ତାଙ୍କର ପ୍ରଥମ ଋଣ । ସେ କହନ୍ତି, “ମୁଁ ଲାଞ୍ଚ ଭାବରେ ୩୦,୦୦୦ ଟଙ୍କା ଦେଲି ଏବଂ କୂଅଖୋଳା ଆରମ୍ଭ କରିବା ଲାଗି ୧୦,୦୦୦ ଟଙ୍କା ପାଖରେ ରଖିଲି । ଖୁବ୍ଶୀଘ୍ର ସାହୁକାରଙ୍କୁ ଟଙ୍କା ପରିଶୋଧ କରିଦେବି ବୋଲି ମୁଁ ଆଶା କରୁଥିଲି । ଯେଉଁ ଲୋକମାନଙ୍କୁ ମୁଁ ଭେଟିଥିଲି, ସେମାନେ କାମ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।”

୨୦୧୫ ଫେବ୍ରୁଆରୀ ମାସରେ ସେ ପ୍ରାଶାସନିକ ଅନୁମୋଦନ ପାଇଲେ ଏବଂ ପରେ ପରେ କାମ ଆରମ୍ଭ କରିବା ଲାଗି ଅନୁମତି ସମ୍ବଳିତ କାର୍ଯ୍ୟାଦେଶ ବି ମିଳିଗଲା । ଏଥିରୁ ତାଙ୍କର ଦୃଢ଼ ବିଶ୍ୱାସ ହେଲା ଯେ ସେ ମନରେଗାରୁ ଟଙ୍କା ପାଇଲେ ଋଣ ଶୁଝି ଦେଇପାରିବେ । ତେଣୁ ସେ ଶ୍ରମିକମାନଙ୍କୁ କାମରେ ଲଗାଇଲେ ଏବଂ ତାଙ୍କ ଚାଷଜମିଠାରୁ ଅନତି ଦୂରରେ କୂଅଖୋଳା କାମ ଜୋରସୋରରେ କରିଲେ ।

କିନ୍ତୁ କାର୍ଯ୍ୟାଦେଶ ପାଇଥିବା ସତ୍ତ୍ୱେ ଯାଦବ ପଞ୍ଚାୟତ ସମିତିରୁ ଟଙ୍କା ପାଇଲେ ନାହିଁ । ପାଦରେ ଚାଲି ଚାଲି କିମ୍ବା ଅନ୍ୟମାନଙ୍କ ସହ ରିକ୍ସା ଭଡ଼ା ଭାଗ କରି ସେ ତାଙ୍କ ଘରଠାରୁ ୧୫ କିଲୋମିଟର ଦୂର ଫୁଲମ୍ବ୍ରିରେ ଥିବା ପଞ୍ଚାୟତ ସମିତି ଅଫିସ୍କୁ ଦୌଡ଼ିବାରେ ଲାଗିଲେ । ସେଠାରେ କେହି ହେଲେ ତାଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେଲେ ନାହିଁ । ଯାଦବ କହନ୍ତି, “ଟଙ୍କା ପାଇଁ ଦୌଡ଼ି ଦୌଡ଼ି ମୁଁ ଯେ କେବଳ ଆର୍ଥିକ କଷଣ ସହିଛି ତାହା ନୁହେଁ, ଏହା ମୋର କାର୍ଯ୍ୟସମୟକୁ ମଧ୍ୟ ପ୍ରଭାବିତ କରିଛି ।”

ଏହା ଭିତରେ କୂଅଟି ୨୦ ଫୁଟ୍ଗଭୀର ଯାଏଁ ଖୋଳା ସରିଛି । ଆଉ କିଛି ସପ୍ତାହ କାମ ଚାଲିବ ଏବଂ ଯାଦବଙ୍କ ଆଶା ଥିଲା ଯେ ପାଣିର ଧାର ବାହାରକୁ ଆସିବ । କିନ୍ତୁ ଏ ପର୍ଯ୍ୟନ୍ତ ସରକାରୀ ଟଙ୍କା ମିଳିନାହିଁ । ଟଙ୍କା ମିଳିବାରେ ବାରମ୍ବାର ବିଳମ୍ବ ଯୋଗୁଁ ଯାଦବଙ୍କ ଆଶାର ପ୍ରକଳ୍ପ ବନ୍ଦ ହୋଇଗଲା । ସେ କହନ୍ତି, “ଶ୍ରମିକମାନେ କାମକୁ ଆସିଲେ ନାହିଁ, କିନ୍ତୁ ମୁଁ ସେମାନଙ୍କୁ ଦୋଷ ଦେଉନାହିଁ । ମୁଁ ସେମାନଙ୍କ ପ୍ରାପ୍ୟ ଦେଇପାରିଲି ନାହିଁ । ସେମାନେ କାହିଁକି ବା କାମ ଜାରି ରଖିବେ ?”

ଯାଦବଙ୍କ କୁଟୀର ଆଗରେ ଗୋଡ଼ିମାଟି ଘେରରେ ଥିବା ଏହି ଅର୍ଦ୍ଧନିର୍ମିତ କୂଅଟି ତାଙ୍କର ଋଣ, ବଢୁଥିବା ସୁଧହାର, ମଜୁରି ବାବଦ ଖର୍ଚ୍ଚ ଏବଂ ଘଣ୍ଟା ଘଣ୍ଟାର ପ୍ରୟାସ ସଂପର୍କରେ ତାଙ୍କୁ ସବୁଦିନ ମନେ ପକାଇ ଦିଏ । ସବୁକିଛି କେବଳ ଏକ କୂଅ ପାଇଁ, ଯାହାକି ଏକ ଗାତରେ ହିଁ ସୀମିତ ରହିଯାଇଥିଲା ।

ଭିଡିଓ ଦେଖନ୍ତୁ; ‘ସେଇଟା ହିଁ ମୋର କୂଅ, ଅଚାନକ ଏହାର ଅନ୍ତ ଘଟିଲା...’

ଯଦିଚ ଗାନୋରିରେ ଏହି କାହାଣୀ ଅସାମାନ୍ୟ ନୁହେଁ । ଏପ୍ରିଲ ମାସ ପ୍ରାରମ୍ଭର ପ୍ରଖର ଖରାତାତିରେ ରହିଛି ଔରଙ୍ଗାବାଦ ସହରରୁ ୩୫ କିଲୋମିଟର ଦୂର ଏହି ଗାଁର ମାଇଲ ମାଇଲ ଯାଏ ବ୍ୟାପ୍ତ ଚାଷଜମି । ଜଳ ଉତ୍ସରେ ଭରା ବହୁ ପାହାଡ଼ର ମଧ୍ୟଭାଗରେ  ଏହି ଗାଁ ଅବସ୍ଥିତ । ପାହାଡ଼ ଭିତର ଦେଇ ଝରି ଆସୁଥିବା ଝରଣା ଦେଖି ଅନେକ ଲୋକକୂଅ ଖୋଳିବା ପାଇଁ ଆବେଦନ କରିବାକୁ ଆଗ୍ରହୀ ହୋଇଛନ୍ତି । ବର୍ଷ ବର୍ଷ ପରେ ଯାଦବଙ୍କ ଭଳି ଆଉ ୧୭ ଜଣ ଚାଷୀ ମଧ୍ୟ ଏ ପର୍ଯ୍ୟନ୍ତ ଅପେକ୍ଷା ହିଁ କରୁଛନ୍ତି ।

ଲାଞ୍ଚ ଦେବା ନିମନ୍ତେ ଅର୍ଥ ଯୋଗାଡ଼ କରିବା ଲାଗି ଚାରି ଏକର ଜମିର ମାଲିକ ମୁସା ନୁର୍ଶାହଙ୍କୁ ତାଙ୍କ କୁକୁଡ଼ାରୁ ୧୦ଟି ଏବଂ ଛଅଟି ଛେଳି ୫୦,୦୦୦ଟଙ୍କାରେ ବିକିବାକୁ ପଡ଼ିଲା । ସେ କହନ୍ତି, “ମୁଁ ୨୦,୦୦୦ ଟଙ୍କା (ବିଭିନ୍ନ ବ୍ୟକ୍ତିଙ୍କୁ) ଦେଲା ପରେ ମୋତେ କାର୍ଯ୍ୟାଦେଶ ମିଳିଲା’’ । ‘‘ମୁଁ କୂଅ ଖୋଳିବା ଆରମ୍ଭ କଲି, କିନ୍ତୁ ସେମାନେ ମୋର କାଗଜପତ୍ର ପୂରା ନାହିଁ ବୋଲି କହି ଅଧିକ ଟଙ୍କା ମାଗିଲେ ।”

ପାଖାପାଖି ୪୫ ବର୍ଷର ମୁସା ଅଶିକ୍ଷିତ ଏବଂ କୂଅ ଖୋଳିବା କଥା ଚିନ୍ତା କରିବା ପୂର୍ବରୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନଥିଲା । ସେ କହନ୍ତି, ‘‘ସେମାନେ ମୋତେ ଗୋଟିଏ ଆକାଉଣ୍ଟ ଖୋଲିବାକୁ କହିଲେ, ଯାହା ଦ୍ୱାରା କି କୂଅ ବାବଦ ଟଙ୍କା ସିଧାସଳଖ ସେଥିରେ ଜମା ହୋଇପାରିବ । ରାଜ୍ୟ ସରକାରଙ୍କ ଯୋଜନାକୁ ବିଶ୍ୱାସ କରିବାର ଫଳ ମୁଁ ଭୋଗୁଛି । ଏବେ ମୋର ଋଣଭାର ଅଧିକ ଏବଂ ଗୃହପାଳିତ ପଶୁ କମ୍ । ଏହା ମୋର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି । ମୋ ଝିଅର ବାହାଘର ବର୍ଷେ ହେଲା ଅଟକି ରହିଛି ।”


PHOTO • Parth M.N.

ମୁସା ନୁର୍ଶାହ: ‘ଏବେ ମୋର ଋଣଭାର ଅଧିକ ଏବଂ ଗୃହପାଳିତ ପଶୁ କମ’

ଅନ୍ୟାୟରେ ଅତିଷ୍ଠ ହୋଇ, କୂଅ ଖୋଳିବା ପାଇଁ ଆବେଦନ କରିଥିବା ଗାନୋରି ଗାଁର ଜଣେ ଚାଷୀଙ୍କ ପୁଅ ସୁନିଲ ରୋଠେ, ଗତ ମାର୍ଚ୍ଚ ମାସରେ ଗାଁରେ ଥିବା ଗ୍ରାମ ସେବକଙ୍କ ଅଫିସ ଭିତରକୁ ଧସେଇ ପଶିଲେ । ତାଙ୍କୁ କୁହାଗଲା ଯେ କେବଳ ଗାନୋରିର ଚାଷୀ ନୁହଁନ୍ତି, ଅନ୍ୟ ହଜାର ହଜାର ଚାଷୀ ବି ଲାଞ୍ଚ ଦେଇଛନ୍ତି । ସୁନିଲ ଏହି କଥାବାର୍ତ୍ତାକୁ ତାଙ୍କ ସ୍ମାର୍ଟ୍ଫୋନ୍ରେ ରେକର୍ଡ କଲେ ଏବଂ ଏହାକୁ ହ୍ୱାଟ୍ସଆପ୍ରେ ପକାଇଲେ । ସ୍ଥାନୀୟ ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଉଠାଇବା ପରେ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଡିଭିଜନାଲ କମିସନର ପୁରୁଷୋତ୍ତମ ଭାପକର ଏହାର ତଦନ୍ତ ନିର୍ଦ୍ଦେଶ ଦେଲେ ଏବଂ ପୁଣି କାମ ଆରମ୍ଭ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଲା । ଏହା ଭିତରେ ପ୍ରତିହିଂସାମୂଳକ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ କାହାରିକୁ ଲାଞ୍ଚ ଦେଇଥିବା କଥାକୁ ଚାଷୀମାନେ ଅସ୍ୱୀକାର କରୁଛନ୍ତି ।

ହୁଏତ ଏହି ତଦନ୍ତ ଶେଷରେ କେବଳ କାହାର ବଦଳି ହେବ ବା କାହାକୁ ନିଲମ୍ବନ କରାଯିବ । କିନ୍ତୁ ଅସଲ କାର୍ଯ୍ୟକ୍ଷେତ୍ର ଉପରେ ଏହାର ସେତେ ବେଶୀ ପ୍ରଭାବ ପଡ଼ିବ ନାହିଁ । ରୋଠେଙ୍କ ରେକର୍ଡିଂ ଯୋଗୁଁ ଏବଂ ଟଙ୍କା ଦେବା ସତ୍ତ୍ୱେ ସେମାନଙ୍କ ପ୍ରକଳ୍ପର ଅଗ୍ରଗତି ନ ହେବା କାରଣରୁ ଗାନୋରି ଗାଁର ଚାଷୀମାନେ ସ୍ଥାନୀୟ ଗଣମାଧ୍ୟମର ହସ୍ତକ୍ଷେପ ଲୋଡ଼ିଥିଲେ । ଯଦି ସେମାନଙ୍କ କୂଅ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଥାଆନ୍ତା ତେବେ ଯେଉଁ ଦୁର୍ନୀତି ଚକ୍ର କବଳରେ ପଡ଼ି ସେମାନେ ଘାଣ୍ଟି ହେଉଛନ୍ତି ତାହା ଯଥାରୀତି ଘୂରିଥାଆନ୍ତା । ଚାଷୀମାନଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଅନେକ ଯୋଜନା ବାସ୍ତବରେ ସେମାନଙ୍କୁ ସର୍ବସ୍ୱାନ୍ତ କରୁଛି ।

ମରାଠୱାଡ଼ାର କୃଷି କ୍ଷେତ୍ରରେ କାଗଜପତ୍ରରେ ଅନୁମୋଦିତ କୂଅ ସଂଖ୍ୟା ତୁଳନାରେ ଖୁବ କମ୍କୂଅ ଖୋଳା ଯାଇଥିବା ଘଟଣାରୁ ଏହା ସ୍ପଷ୍ଟ ପ୍ରତିଫଳିତ । ଡିଭିଜନାଲ କମିସନରଙ୍କ ଅଫିସ୍ରୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୮ ମସିହାରେ ମହାରାଷ୍ଟ୍ରରେ MNREGA ଆରମ୍ଭ ହେବା ପରଠାରୁ ଏହି ଅଞ୍ଚଳରେ ୮୯,୪୬୦ଟି କୂଅ ପାଇଁ ଅନୁମୋଦନ ମିଳିଛି ଏବଂ କେବଳ ୪୬,୫୩୯ଟି କୂଅ କାମ ସଂପୂର୍ଣ୍ଣ ହୋଇଛି । ଔରଙ୍ଗାବାଦ ଜିଲ୍ଲାରେ ୬,୬୧୬ଟି କୂଅ ପାଇଁ ମଞ୍ଜୁରି ମିଳିଛି, କିନ୍ତୁ ମାତ୍ର ୨,୪୯୩ଟିର କାମ ସଂପୂର୍ଣ୍ଣ ହୋଇଛି ଏବଂ ୫୬୨ଟି କୂଅର କାମ ଆରମ୍ଭ ହିଁ ହୋଇନାହିଁ ।

କାର୍ଯ୍ୟସାଧନର ଏହି ନିରାଶାଜନକ ହାରକୁ ସୁଧାରିବା ଲାଗି ଔରଙ୍ଗାବାଦ ଜିଲ୍ଲାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୨,୫୦୦ଟି କୂଅ ଖୋଳା କାମ ସଂପୂର୍ଣ୍ଣ କରିବା ଲାଗି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେବଳ ୩୩୮ଟି କୂଅ କାମ ସଂପୂର୍ଣ୍ଣ ହୋଇଛି । ସେହିପରି, ମରାଠୱାଡ଼ାରେ ୩୯,୬୦୦ ଘରୋଇ ପୋଖରୀ ଅନୁମୋଦିତ ହୋଇଛି, କିନ୍ତୁ କେବଳ ୫,୮୨୫ଟିର କାମ ଶେଷ ହୋଇଛି ।

PHOTO • Parth M.N.

ଗାନୋରି ଗାଁର ସେମାନଙ୍କ କୁଡ଼ିଆ ଘର ଆଗରେ ଅବଶିଷ୍ଟ ଦୁଇଟି ଗାଈଙ୍କ ସହ ଯାଦବ ଓ ତାଙ୍କ ବୋହୂ

ତେଣେ ଗାନୋରି ଗାଁରେ ୨୦୧୬ ଏପ୍ରିଲରେ ଜଣେ ସାହୁକାରଙ୍କ ପାଖରେ ତାଙ୍କର ଅଧା ଏକର ଜମି ବନ୍ଧକ ରଖି ମଜୁରି ବାବଦ ଟଙ୍କା ପଇଠ କରିବାକୁ ଯାଦବ ୪୦,୦୦୦ ଟଙ୍କା ଆଣିଲେ । ମଜୁରି ବାବଦ ଦେୟ ୬୦,୦୦୦ ଟଙ୍କାରେ ପହଞ୍ଚିଥିଲା । ଦେୟ ବାବଦ ସବୁ ଟଙ୍କା ପରିଶୋଧ କରିବାରେ ସେ ସକ୍ଷମ ହେଲେ ସତ, କିନ୍ତୁ ବନ୍ଧକ ରଖିଥିବା ତାଙ୍କର ଜମି ଫେରି ପାଇଲେ ନାହିଁ । ଗତ ବର୍ଷ କୃଷିକାର୍ଯ୍ୟରେ ଟଙ୍କା ଖଟାଇବା ପାଇଁ ସେ ତାଙ୍କର ଚାରିଟି ଗାଈ ମଧ୍ୟରୁ ଦୁଇଟିକୁ ୩୦,୦୦୦ ଟଙ୍କାରେ ବିକି ଦେଲେ । ଏ ବର୍ଷ ପାଇଁ ତାଙ୍କର ଆଉ ଅଧିକ ଟଙ୍କା ଦରକାର ।

ଯାଦବ କହନ୍ତି, “ନିଜର କୂଅଟିଏ ପାଇଁ ସ୍ୱପ୍ନ ଦେଖିବା ଆଗରୁ ମୋ ନାଁରେ ବେସରକାରୀ ଋଣ ବୋଲି କିଛି ନଥିଲା । ଏହି କୂଅ ହିଁ ମୋର ଆର୍ଥିକ ସ୍ଥିତିକୁ ବିପର୍ଯ୍ୟସ୍ତ କରି ଦେଇଛି । ସୁଧହାର ଘନଘନ ବଢ଼ିବାରେ ଲାଗିଛି ଏବଂ ଖରିଫ ଋତୁ ପାଇଁ ପ୍ରାକ୍ମୌସୁମୀ ପ୍ରସ୍ତୁତି ସକାଶେ ମୋତେ ଅର୍ଥ ବନ୍ଦୋବସ୍ତ କରିବାକୁ ପଡ଼ିବ । ମୋତେ ଚିନ୍ତା ଘାରିଛି ଯେ ଏବେ କିଏ ମୋତେ ଟଙ୍କା ଦେବ… ।”

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.