ଜଗଦ୍ଦୀଶ ସୋନୀ ଏବଂ ତାଙ୍କର ତିନି ପୁଅ ପ୍ରାୟ ୧୫ ଏକର ଜମିରେ ଧାନ ଚାଷ କରିଆସୁଥିଲେ । ଏହା ସେମାନଙ୍କର ଆୟର ମୁଖ୍ୟ ଉପାୟ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମରୁଡ଼ି ପଡିବାରୁ ସେମାନେ ଚାଉଳଟିଏ ମଧ୍ୟ ଅମଳ କରିବାକୁ ଅକ୍ଷମ ହୋଇପଡ଼ିଲେ । ଫଳରେ ଏହି ପରିବାରର ଋଣ ଟ.୧ ଲକ୍ଷ ପର୍ଯ୍ୟନ୍ତ ବଢିଗଲା ।

ଏହାପରେ ଏକ ଆଶାର କିରଣ ଦେଖାଗଲା- ଜାନୁଆରୀ ୨୦୧୬ରେ ମରୁଡ଼ି ପ୍ରପୀଡିତ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ଦେବାକୁ ଘୋଷଣା କଲେ । ହେଲେ ସୋନୀଙ୍କ ନାଁ ଏହି ତାଲିକାରେ ନଥିଲା ।

“ପଟୱାରୀ (ଗ୍ରାମର ରେକର୍ଡ ରଖୁଥିବା ବ୍ୟକ୍ତି )ଜମି ବୁଲି ଦେଖିବାକୁ ଗୁରୁତ୍ୱ ଦେଲେ ନାହିଁ। ସେ ଅନାବଶ୍ୟକ ଲୋକଙ୍କୁ ସରକାରୀ ରିଲିଫ୍ ଅର୍ଥ ଦେଲେ । ଏହି ୮୦ ବର୍ଷୀୟ ଚାଷୀ କହିଥିଲେ, ‘‘ମୁଁ ଯଦି ସୁଯୋଗ ପାଏ ତେବେ ତାଙ୍କୁ ଗୁଳି କରିଦେବି। ଆମେ ଆଉ ବଞ୍ଚିବାକୁ ସକ୍ଷମ ନୁହେଁ।’’ 

PHOTO • Shirish Khare

ଆଚୋଟି ଗ୍ରାମର ୮୦ ବର୍ଷୀୟ ଜଗଦ୍ଦୀଶ ସୋନୀ ଏବଂ ତାଙ୍କ ପରିବାରର ସମସ୍ତ ଧାନ ଫସଲ ମରୁଡ଼ି ଯୋଗୁଁ  ନଷ୍ଟ ହୋଇଯାଇଥିଲା । ସେମାନଙ୍କ ଋଣ ପରିମାଣ ୧ ଲକ୍ଷ ଟଙ୍କାରେ ପହଞ୍ଚିଥିବା ବେଳେ ସେମାନେ ସରକାରଙ୍କ ଠାରୁ କ୍ଷତିପୂରଣ ପାଇବାକୁ ଆଶା ବାନ୍ଧିଥିଲେ, ହେଲେ ସେମାନଙ୍କ ନାମ ସରକାରୀ ତାଲିକାରେ ନଥିଲା । ଫଟୋ: ଶିରିଶ ଖେର୍‌

ଆଚୋଟି ଗ୍ରାମର ଏହି ଚାଷୀମାନଙ୍କ ମଧ୍ୟରେ ସୋନୀ ହେଉଛନ୍ତି ଅନ୍ୟତମ ଚାଷୀ ଯିଏ କି ସରକାରୀ ଉଦାସୀନତାର ଶିକାର ହୋଇଥିଲେ । ଛତିଶଗଡ଼ ରାଜଧାନୀ ରାୟପୁରଠାରୁ ମାତ୍ର ୨୫ କିମି ଦୂରରେ  ଏବଂ ଦୁର୍ଗ ଜିଲ୍ଲା ଅନ୍ତର୍ଗତ ଏହି ଆଚୋଟି ଗ୍ରାମରେ ପ୍ରାୟ ୨୦୦ ପରିବାର ରୁହନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପରିବାର ସରକାରଙ୍କ ଦ୍ୱାରା ମରୁଡ଼ି ପୀଡିତ ବୋଲି ଘୋଷିତ ହୋଇଛନ୍ତି ।

“ତାନ୍ଦୁଲା କେନାଲ ଉପରେ ଆମ ଗାଁର ଜଳସେଚନ ନିର୍ଭର କରିଥାଏ । କିନ୍ତୁ ଚଳିତବର୍ଷ କେନାଲକୁ ପାଣି ଛଡ଼ାଯାଇନଥିଲା । ଫଳରେ ଆଚୋଟି ଗ୍ରାମ ସମେତ ନାରଧା, ଚେଟଭା, ମୁରମୁଣ୍ଡା, ଓଟେବନ୍ଧ, ଗୋଡି ଏବଂ ମାଲପୁରୀ ଭଳି ଆଖପାଖ ଗାଁ ଓ ଅନ୍ୟାନ୍ୟ ଗାଁର ପ୍ରାୟ ୭୫ ଭାଗ ଫସଲ ନଷ୍ଟ ହୋଇଗଲା”, ବୋଲି ଅଭିଯୋଗ କରନ୍ତି ଆଚୋଟି ସରପଞ୍ଚ ହେମ ସାହୁ ।

ତେବେ, ଦୁର୍ଗ ଜିଲ୍ଲାପାଳ ଆର୍ ସଙ୍ଗୀତା ଏହା ସହିତ ସମ୍ମତ ହୁଅନ୍ତି ନାହିଁ । “ଆମେ ହୁଏତ କିଛି ଲୋକଙ୍କ ନାମ ଛାଡ଼ି ଦେଇଥିବୁ । କିନ୍ତୁ  ସର୍ଭେ ଉଦ୍ଦେଶ୍ୟରେ କରାଯାଇଥିବା ପଦ୍ଧତି ସମ୍ପୂର୍ଣ୍ଣ ଠିକ୍” ବୋଲି ସେ କୁହନ୍ତି ।

ଜିଲ୍ଲାପାଳଙ୍କ ଏଭଳି ଦାବି ସତ୍ତ୍ୱେ, କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ କ୍ଷତିପୂରଣ ଦିଆଯିବା ଦ୍ୱାରା ଛତିଶଗଡ଼ ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ରିଲିଫ୍ ଅର୍ଥ ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ଏଥିରେ ବଡ଼ ଧରଣର ହେରଫେର୍ କରାଯିବା ଘଟଣା କଟା ଘା’ରେ ଚୂନ ମାରିବା ଭଳି ହୋଇଛି । ଏଭଳି ଦାୟିତ୍ୱହୀନ ସରକାରୀ ଅଧିକାରୀଙ୍କ ବିରୋଧରେ ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି ।

PHOTO • Shirish Khare

କୋର୍ବି ଗ୍ରାମର ଚାଷୀମାନେ ହତାଶା ଏବଂ ବ୍ୟସ୍ତତା ମଧ୍ୟରେ ରହିଛନ୍ତି । ସହାୟତା ପାଇବା ଉଦ୍ଦେଶ୍ୟରେ ଉମେଦ ରାମ ବହୁ ସରକାରୀ ଅଫିସ୍ ଦୌଡ଼ିଛନ୍ତି, କିନ୍ତୁ କେହି ଜଣେ ମଧ୍ୟ ତାଙ୍କ ଦୁଃଖ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଫଟୋ: ରାଜେନ୍ଦ୍ର ରାଠୋର

ରିଲିଫ୍ ପାଇବାର ମାନଦଣ୍ଡ ତ୍ରୁଟିପୂର୍ଣ୍ଣ ହେବା ସହିତ ରିଲିଫ୍ ପାଇଁ ଆବେଦନ କରିବା ପ୍ରକ୍ରିୟା ମଧ୍ୟ ଆହୁରି ତ୍ରୁଟିପୂର୍ଣ୍ଣ । କେବଳ ୨୫ ଏକର ମଧ୍ୟରେ ଚାଷ କରିଥିବା ସଂଯୁକ୍ତ ପରିବାର ଏବଂ ଯେଉଁମାନଙ୍କ ୭୦ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଥିବ ସେମାନେ ହିଁ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ ବୋଲି ବ୍ୟବସ୍ଥା ରହିଛି । ତେଣୁ ଅପେକ୍ଷାକୃତ କମ୍ ଜମିରେ ଚାଷ କରିଥିବା ଚାଷୀ ଯେଉଁମାନଙ୍କ ୨୦ ରୁ ୩୦ ଭାଗ ଫସଲ ନଷ୍ଟ ହୋଇଛି, ସେମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏପରିକି ୫ ଏକରରୁ କମ୍ ଚାଷ କରିଥିବା ଚଷୀମାନଙ୍କ ଅଭିଯୋଗ ଗ୍ରହଣ କରାଯାଇ ନାହିଁ । ଏହା ମଧ୍ୟରେ ଯେଉଁମାନଙ୍କୁ ତାଲିକାଭୁକ୍ତ କରାଯାଇଛି ସେମାନଙ୍କୁ ଅର୍ଥ ପ୍ରଦାନ କରିବାରେ ବିଳମ୍ବ କରାଯାଇଥିବାରୁ ସେମାନଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ିଛି । ଏହି ରାଜ୍ୟରେ ଯିଏ ୨୦ ଏକର ଚାଷ କରୁଛି, ସେ ମଧ୍ୟ ଅତି ଦରିଦ୍ର କାରଣ ଏହି ପରିମିତ ଜମି ବହୁ ସଦସ୍ୟ ବିଶିଷ୍ଟ ଯୌଥ ପରିବାରର ହୋଇଥାଏ ।

ରାଜ୍ୟ ସରକାରଙ୍କ ଅନୁଯାୟୀ, ଛତିଶଗଡ଼ରେ ୩୭.୪୬ ଲକ୍ଷ ଚାଷୀ ରହିଛନ୍ତି ଯେଉଁମାନଙ୍କ ମଧ୍ୟରୁ ୮୦ ଭାଗ ହେଉଛନ୍ତି କ୍ଷୁଦ୍ର ଚାଷୀ । ଏହାସହିତ ରାଜ୍ୟର ୪୬.୮୫ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ୭୦ ଭାଗ ଅଣ ଜଳସେଚିତ। ଯେଉଁ ୩୦ ପ୍ରତିଶତ ଜଳସେଚିତ ଜମିରେ ଚାଷ ହୋଇଛି ସେଥିମଧ୍ୟରୁ ଅଧିକାଂଶ ଚାଷୀଙ୍କୁ ମଧ୍ୟ ଏହି ରିଲିଫ୍ ସୁବିଧାରୁ ବାଦ୍ ଦିଆଯାଇଛି । କିନ୍ତୁ ଭୂତଳ ଜଳ ଏବଂ ବିଦ୍ୟୁତ୍ ବିଭ୍ରାଟଜନିତ ସମସ୍ୟାକୁ ନେଇ ସେମାନେ ମଧ୍ୟ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ରିଲିଫ୍ ବ୍ୟବସ୍ଥାରୁ ବହୁ ସଂଖ୍ୟାରେ ଚାଷୀ ବାଦ୍ ବାଦ୍ ପଡ଼ିଥିବାରୁ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଛି ଏବଂ ଏଥିପାଇଁ ବହୁ ଅଞ୍ଚଳରେ ଲୋକମାନେ ନିଜ ନିଜ ସ୍ଥାନ ଛାଡୁଛନ୍ତି । ଆଗାମୀ ଦିନରେ ଚାଷୀମାନେ ସେମାନଙ୍କ କ୍ଷତି ଭରଣା କରିବାକୁ ସକ୍ଷମ ହେବେ ନାହିଁ ବୋଲି ଅନୁଭବ କରୁଛନ୍ତି ।

“ଆମ ଗାଁରେ ପ୍ରତ୍ୟେକ ଚାଷୀ ଋଣଭାରରେ କଣ୍ଠରୁଦ୍ଧ ହୋଇପଡ଼ିଛନ୍ତି । ଆଗାମୀ ଋତୁ ପାଇଁ ଅଧିକାଂଶ ଚାଷୀଙ୍କ ନିକଟରେ ଶସ୍ୟ ମଧ୍ୟ ନାହିଁ । ଆସନ୍ତା ବର୍ଷ ମଧ୍ୟ ସେମାନେ ତାଙ୍କ ଜମିକୁ ପଡ଼ିଆ ପକାଇବେ” କୁହନ୍ତି ଆଚୋଟି ଗ୍ରାମବାସୀ ରିଖିରାମ ସାହୁ ।

PHOTO • Shirish Khare

ରିଖିରାମ ସାହୁ ଏବଂ ଦୁର୍ଗ ଜିଲ୍ଲାର ଆଚୋଟି ଗ୍ରାମର ମରୁଡ଼ିପୀଡ଼ିତ କ୍ଷୁଦ୍ରଚାଷୀମାନେ ସରକାର କ୍ଷତିପୂରଣ ଦେବା ପରିବର୍ତ୍ତେ ସେମାନଙ୍କ ଋଣଛାଡ଼ କରନ୍ତୁ ବୋଲି ଦାବି କରୁଛନ୍ତି। ଫଟୋ: ଶିରିଶ ଖେର୍‌

ରାଜନନ୍ଦଗାଁଓ, ମହାସମୁନ୍ଦ, ଜାଙ୍ଗଗୀର-ଚମ୍ପା ଭଳି ଆଭ୍ୟନ୍ତରୀଣ ଅଞ୍ଚଳ ଏବଂ ଦୁର୍ଗ ଜିଲ୍ଲା ପରିଦର୍ଶନ ସରକାର ଦାବି ପଛର ସତ୍ୟାସତ୍ୟ  ଜାଣିବା ପାଇଁ ଯଥେଷ୍ଟ ହେବ। ଏହି ଅଞ୍ଚର ଚାଷୀମାନଙ୍କ ପାଖରେ କେବଳ ଚିନ୍ତା, ଦୁଃଖ, ଅଶାନ୍ତି ଏବଂ କ୍ରୋଧ ଅଛି ବାଣ୍ଟିବା ପାଇଁ ।

ରମଣ ସିଂ ନେତୃତ୍ୱରେ ରାଜ୍ୟ ସରକାର ଏଭଳି ସମସ୍ୟାରୁ ମୁକୁଳିବା ନେଇ କେନ୍ଦ୍ର ସରକାରଙ୍କଠାରେ ଟ.୬,୦୦୦ କୋଟିର ସହାୟତା ଦାବି କରିଥିଲେ । ନରେନ୍ଦ୍ର ମୋଦୀ ସରକାର ଟ.୧,୨୦୦ କୋଟିର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିମଧ୍ୟରୁ ଟ.୮୦୦ କୋଟି ମରୁଡ଼ି ପ୍ରଭାବିତ ଚାଷୀଙ୍କୁ  ବଣ୍ଟନ କରିବା ଲାଗି ଧାର୍ଯ୍ୟ କରାଯାଇଥିଲା ।

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, କ୍ଷତିପୂରଣ ବଣ୍ଟନ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇସାରିଛି । ଆଉ କୌଣସି ସହାୟତାର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇସାରିଛି ।

PHOTO • Shirish Khare

ମହାସମୁନ୍ଦ ଜିଲ୍ଲାର ନାରା ଗ୍ରାମର ଦିନେଶ ଯାଦବ ଏବଂ ତାଙ୍କ ପରିବାର: ସରକାରୀ ଅଧିକାରୀମାନେ କାର୍ଯ୍ୟାଳୟ ପରିଦର୍ଶନ ନକରି ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ କଥା ନବୁଝି ସର୍ଭେ କରିଥିବାରୁ ତାଙ୍କ ଭଳି ଚାଷୀମାନେ ସେମାନଙ୍କ ଅର୍ଥ ପାଇପାରିନାହାନ୍ତି ବୋଲି ଅଭିଯୋଗ କରନ୍ତି । ଫଟୋ: ଲଳିତ ପଟେଲ

ବିଭାଗୀୟ ସଚିବ କେ ଆର୍‌ ପିସ୍‌ଦା କୁହନ୍ତି ଯେ କୌଣସି ଜିଲ୍ଲା ପକ୍ଷରୁ ଅଧିକ ଅର୍ଥ ଦାବି କରାଯାଇ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ୩୮୦ କୋଟି ଟଙ୍କା ବଣ୍ଟନ କରାଯାଇଛି। ତେବେ ବିଶେଷଜ୍ଞମାନେ ଯୁକ୍ତି କରନ୍ତି ଯେ ଏହି ପରିମାଣର ଅର୍ଥ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାରେ ପର୍ଯ୍ୟାପ୍ତ ନୁହେଁ।

ଅନେକ ଅଞ୍ଚଳରେ ଚାଷୀମାନେ ସେମାନଙ୍କ ବଳକା ଫସଲକୁ ଗୋରୁ ଗାଈଙ୍କ ପାଇଁ ଛାଡିବାକୁ ବାଧ୍ୟ ହୋଇଛନ୍ତି, କାରଣ ସେମାନେ ଜାଣିଛନ୍ତି ଯେ ଏହା ସେମାନଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ। ତେବେ ସରକାରଙ୍କ ମାପଦଣ୍ଡ ଅନୁସାରେ ଏହି ଚାଷୀମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ନୁହନ୍ତି।

ଏବେ ରାଜ ରାସ୍ତାରେ ଲୋକମାନଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଦେଖିବାକୁ ମିଳୁଛି। ବିଭିନ୍ନ ଜିଲ୍ଲାରେ ମନୋମୁଖୀ ଭାବେ ବଣ୍ଟା ଯାଇଥବା କ୍ଷତିପୂରଣ ବିରୋଧରେ ବିକ୍ଷୋଭ କରାଯାଇଛି।

‘‘କେନ୍ଦ୍ର ଦେଇଥିବା ୧୨୦୦ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ମଧ୍ୟରୁ ଚାଷୀମାନଙ୍କୁ କେବଳ ଏହାର ଏକ-ତୃତୀୟାଂଶ ବଣ୍ଟନ କରାଯାଇଛି।  କ୍ଷତିପୂରଣ ପାଇବା ଏବଂ ମରୁଡ଼ି ଅଞ୍ଚଳ ଘୋଷଣା କରିବା କ୍ଷେତ୍ରରେ ରାଜ୍ୟ ସରକାର କେତେକ ଆଯୌକ୍ତିକ ସର୍ତ୍ତାବଳି ଲାଗୁ କରି ବହୁ ଗରିବ ଚାଷୀଙ୍କୁ ବଞ୍ଚିତ କରିଛନ୍ତି। ଏହାର ଅର୍ଥ ବାକି ୮୨୦ କୋଟି ଟଙ୍କା ରାଜ୍ୟ ସରକାର ହଡ଼ପ କରିବାକୁ ବସିଛନ୍ତି ବୋଲି’’ ଅଭିଯୋଗ କରନ୍ତି ଚାଷୀ ନେତା ରାଜକୁମାର ଗୁପ୍ତା।

PHOTO • Shirish Khare

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ନିଜସ୍ୱ ଜିଲ୍ଲା ରାଜନନ୍ଦଗାଓଁର ସୁକୁଲ ଦୈହାଁ ଗ୍ରାମରେ ଅସନ୍ତୁଷ୍ଟ ଚାଷୀମାନେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫସଲ ନଷ୍ଟ ପାଇଁ ସରକାର ଯେଉଁ ୭ ରୁ ୮ ହଜାର ଟଙ୍କାର କ୍ଷତିପୂରଣ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ବୋଲି ସେମାନେ କୁହନ୍ତି। ଫଟୋ: ମନୋଜ ଦେବାଙ୍ଗନ୍‌

ଚଳିତ ଋତୁରେ ପ୍ରାୟ ୧୦ ଲକ୍ଷ ଚାଷୀ ଧାନ ବିକ୍ରି କରିନଥିବା କୁହାଯାଉଥିବା ବେଳେ ଏହା ସରକାରୀସ୍ତରରେ ପ୍ରକାଶ କରାଯାଇଥିବା ମରୁଡ଼ିଗ୍ରସ୍ତ ଚାଷୀଙ୍କ ସଂଖ୍ୟା ସହ ତାଳମେଳ ରଖୁ ନାହିଁ।

ସରକାରଙ୍କ ଏଭଳି ଉଦାସୀନତା ଏହି ଚାଷୀମାନଙ୍କ ଜୀବନଜୀବିକା ପ୍ରତି ବଡ଼ ସମସ୍ୟା ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅନ୍ୟ ସ୍ଥାନରେ ସବୁଜ ଚାରଣଭୂମି ଖୋଜିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ।

ମହାସମୁନ୍ଦ ଜିଲ୍ଲାର ବାଗବହରା, ପିଠୋରା, ବାସ୍‌ନା, ଝଲପ, ସରେଇପଲି ଏବଂ ଭଗବାନପୁର ଅଞ୍ଚଳର ଶହ ଶହ ପରିବାର ସେମାନଙ୍କର ଗ୍ରାମ ଛାଡ଼ି ସାରିଛନ୍ତି। ଏହି ଧାରା ଜାଞ୍ଜଗୀର-ଚମ୍ପା କ୍ଷେତ୍ରର ବାଲୋଦା ଅଞ୍ଚଳରେ ମଧ୍ୟ ପରିଲକ୍ଷିତ ହୋଇଛି ଯେଉଁଠାରେ ଏମ୍‌ଏନ୍‌ଆର୍‌ଇଜିଏ ଶ୍ରମିକମାନେ ସେମାନଙ୍କର ମଜୁରୀ ତିନିମାସ ପର୍ଯ୍ୟନ୍ତ ପାଇନାହାଁନ୍ତି ।

PHOTO • Shirish Khare

ଜାଞ୍ଜଗୀର-ଚମ୍ପା ଜିଲ୍ଲାର କୋର୍ବି ଗ୍ରାମର ଅନେକ ଘରେ ତାଲା ପଡିଛି ଏବଂ ପରିବାରଗୁଡ଼ିକ ମରୁଡ଼ିରେ ବିପନ୍ନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ। ସେମାନେ ନାଗପୁର, ମୁମ୍ବାଇ କିମ୍ବା ପୁନେକୁ କାମ ସନ୍ଧାନରେ ଯାଇଛନ୍ତି। ଫଟୋ : ରାଜେନ୍ଦ୍ର ରାଠୋର/ମହାସମୁନ୍ଦ ଜିଲ୍ଲାର ବାଗବହରା ଗ୍ରାମରେ ପ୍ରତି ୩ଟି ପରିବାର ମଧ୍ୟରୁ ଗୋଟିଏ ପରିବାରର ଜଣେ ସଦସ୍ୟ କାମ ସନ୍ଧାନରେ  ଯାଇଛନ୍ତି। ଫଟୋ: ଲଳିତ ପଟେଲ୍‌

ଏହା ଅନୁମାନ. କରାଯାଉଛି ଯେ, ଏହି ଅଞ୍ଚଳର ୩୦-୪୦ ପ୍ରତିଶତ ପରିବାର ନିକଟ ସପ୍ତାହଗୁଡ଼ିକରେ ସେମାନଙ୍କ ଘର ଛାଡ଼ିଛନ୍ତି ।

କିନ୍ତୁ ପିସ୍‌ଦା ଏଭଳି ରିପୋର୍ଟକୁ ଅସ୍ୱୀକାର କରନ୍ତି। ସେ ବୁଝାଇ କୁହନ୍ତି, ‘‘ଆମେ ପ୍ରତିବର୍ଷ ଖୁବ୍‌ କମ୍‌ ପରିମାଣର ପ୍ରବାସ ଦେଖିଥାଉ। ତେବେ ଚଳିତବର୍ଷ  ୧୩ଲକ୍ଷ ଲୋକ ଏମ୍‌ଏନ୍‌ଆର୍‌ଇଜିଏ ଅଧୀନରେ କାର୍ଯ୍ୟଦାବି କରିଛନ୍ତି। ଏଥିସହିତ ଦୁର୍ଭିକ୍ଷ ଆଶ୍ୱସ୍ତି ପଦକ୍ଷେପ ଅଧୀନରେ କେତେକ ପ୍ରକଳ୍ପ ମଧ୍ୟ ବାକି ପଡିଛି। ଆମେ ପାନୀୟଜଳ ଏବଂ ଜଳସେଚନ ଉପକ୍ରମକୁ ପ୍ରାଥମିକତା ଦେଉଛୁ।’’

PHOTO • Shirish Khare

କୋର୍ବି ଜିଲ୍ଲାର ବିସାହୀନବାଈ ଯାଦବ, ଯାହାଙ୍କର ଏକରଠାରୁ କମ୍‌ ଜମି ଅଛି, କୌଣସି କ୍ଷତିପୂରଣ ପାଇନାହାଁନ୍ତି । କିମ୍ବା ତାଙ୍କ ପୁଅ ବିନୋଦ ଏମ୍‌ଏନ୍‌ଆର୍‌ଇଜିଏ କାମ ପାଇଁ ତିନିମାସ ହେବ ମଜୁରୀ ପାଇନାହାନ୍ତି। 

ଫଟୋ: ରାଜେନ୍ଦ୍ର ରାଠୋର

ପିସ୍‌ଦାଙ୍କ ଦୃଢ଼ୋକ୍ତି ସତ୍ତ୍ୱେ କୃଷକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାରଙ୍କ ଉଦ୍ୟମ ମୁଖ୍ୟତଃ କାଗଜରେ ହିଁ ରହିଛି। 

ସେ କୁହନ୍ତି, ‘‘ପ୍ରଶାସନ ସରକାରୀ ନୀତି ଅନୁଯାୟୀ, ପ୍ରତ୍ୟେକ ଉପଯୁକ୍ତ କୃଷକଙ୍କୁ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରିଛି। ଆମେ ପ୍ରତ୍ୟେକ ଜିଲ୍ଲାରୁ ଅଭିଯୋଗ ପାଉଛୁ। ଜିଲ୍ଲାପାଳମାନଙ୍କୁ ଏସବୁ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।’’

କିନ୍ତୁ, ଯଦି କ୍ଷତିପୂରଣ ନୀତିରେ ହିଁ ସମସ୍ୟା ଥାଏ ତା’ହେଲେ କ’ଣ ହେବ ?

ଶୂନ୍ୟ କ୍ଷେତରୁ କ୍ଷତି ଆକଳନ କରାଯାଇପାରିବେ ନାହିଁ କାରଣ ଫସଲଗୁଡ଼ିକ ଏ ମଧ୍ୟରେ ଅମଳ ହୋଇସାରିଛି। ଅଧିକାରୀମାନେ ବୃଷ୍ଟିପାତ ତଥ୍ୟ ଏବଂ ଧାନ ଫସଲ ବିକ୍ରୟ ଜରିଆରେ କ୍ଷତି ଆକଳନ କରିଛନ୍ତି। \

ରାଜ୍ୟ କୃଷିମନ୍ତ୍ରୀ ବ୍ରିଜ୍‌ମୋହନ ଅଗ୍ରଓ୍ୱାଲଙ୍କ ଅନୁଯାୟୀ, ‘‘ କ୍ଷତିପୂରଣ ଅର୍ଥ ଆବଣ୍ଟନ କରିବା ଦାୟିତ୍ୱ ଅଧିକାରୀମାନଙ୍କ ପ୍ରଦାନ କରାଯାଇଛି। ଅଭିଯୋଗଗୁଡ଼ିକ କିଛି ପରିମାଣରେ ସ୍ୱାଭାବିକ। କିନ୍ତୁ ଏହା କହିବା ଭୁଲ୍‌ ହେବ ଯେ, କୃଷକମାନଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ରହିଛି।

ଆମ ଆଦ୍‌ମୀ ପାର୍ଟିର ରାଜ୍ୟ ପ୍ରବକ୍ତା ଏବଂ କୃଷି ବିଶେଷଜ୍ଞ ସଙ୍କେତ ଠାକୁର ଏହି ଦାବିକୁ ପ୍ରତିବାଦ କରନ୍ତି।

ସେ ଅଭିଯୋଗ କରନ୍ତି, ‘‘ସରକାର କେବଳ କୃଷକମାନଙ୍କୁ ସାହାଯ୍ୟ କରିବାର ଛଳନା କରୁଛନ୍ତି। ଏହା ଅମଲାତନ୍ତ୍ରକୁ ଅର୍ଥ ପଠାଇ ଦେଇଛି। ପ୍ରଥମତଃ ରିଲିଫ୍‌ ଅର୍ଥ ଯଥେଷ୍ଟ ନୁହେଁ ଏବଂ ଏହାପରେ ସେଥିରେ ବିତରଣରେ ବୃହତ୍‌ ପରିମାଣର ଅନିୟମିତତା ରହିଛି।’’

ସେ କୁହନ୍ତି, ‘‘ଯଦି ପରିସ୍ଥିତିରେ ଉନ୍ନତି ନ ହୁଏ ତେବେ ଆହୁରି ଅଧିକ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ। ସେମାନଙ୍କୁ କେବଳ ଏମ୍‌ଏନ୍‌ଆର୍‌ଇଜିଏର ଦୟାରେ ଛାଡ଼ି ଦେଇ ହେବ ନାହିଁ’’।

ଏହି କାହାଣୀଟି ପ୍ରଥମେ  ୨୦୧୬ ଫେବୃଆରୀ ୨୯ ତାରିଖରେ ରାଜସ୍ଥାନ ପତ୍ରିକାର ରାୟପୁର ସଂସ୍କରଣରେ ପ୍ରକାଶିତ ହୋଇଥିଲା।

ଦୀପକ ଶର୍ମାଙ୍କ ଦ୍ୱାରା ହିନ୍ଦୀରୁ ଅନୁଦିତ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shirish Khare

ଶିରିଶ ଖେର୍‌ ଛତିଶଗଡ଼ର ରାୟପୁରରେ ଅବସ୍ଥାପିତ ଏବଂ ରାଜସ୍ଥାନ ପତ୍ରିକାର ଜଣେ ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରନ୍ତି।

Other stories by Shirish Khare