ପୁରୁଷୋତ୍ତମ ରାଣା ଏ ବର୍ଷ କପା ଚାଷ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ବର୍ଷା କମ୍ ହେବା ଯୋଗୁ ତାଙ୍କର ଫସଲ ଶୁଖିଗଲା । ସେ ଓଡ଼ିଶାର ମୁରିବାହାଲ ତହସିଲର ଡୁମେରପଡ଼ା ଗାଁରେ ସରକାର ସ୍ଥାୟୀ ଜଳସେଚନ ଓ ବୋରୱେଲ ସୁବିଧା ଯୋଗାଇ ଦିଅନ୍ତୁ ବୋଲି ଚାହୁଁଛନ୍ତି । ତାଙ୍କର ଗାଁ ବଲାଙ୍ଗୀର ଜିଲ୍ଲାରେ ରହିଛି (ଜନଗଣନାରେ ତାହା ବାଲାଙ୍ଗୀର ଭାବେ ତାଲିକାଭୁକ୍ତ) ଯାହାକି ଏବେ ମରୁଡ଼ିର ସାମ୍ନା କରୁଛି ।

ନଭେମ୍ବର ୨୯-୩୦ ତାରିଖରେ କିଶାନ ମୁକ୍ତି ମଞ୍ଚରେ ଭାଗ ନେବାକୁ ଦିଲ୍ଲୀ ଯାଇଥିବା ୬୫ ବର୍ଷୀୟ ରାଣା କହନ୍ତି, “ଆମର (ଯୌଥ) ପରିବାର ଅଲଗା ହେବା ପରେ ମୋ ପରିବାର ଭାଗରେ ୧ ଏକର ଜମି ପଡ଼ିଲା, କିନ୍ତୁ ସେହି ଜମି ଏବେ ବି ମୋର ଜେଜେବାପାଙ୍କ ନାଁରେ ରହିଛି । ମୋର ଛଅ ପୁଅ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେହି ଚାଷରେ ନିୟୋଜିତ ନାହାନ୍ତି । ସେମାନେ ନିର୍ମାଣ ଶ୍ରମିକ ଭାବେ କାମ କରିବା ଲାଗି ମୁମ୍ବାଇ ଏବଂ ଗୁଜରାଟ ଭଳି ସ୍ଥାନକୁ ଯାଇଥାନ୍ତି ।’’

ସେହି ଗାଁର ୫୭ ବର୍ଷୀୟ ଯୁଗ ରାଣା ମଧ୍ୟ ପଦଯାତ୍ରାରେ ଥିଲେ । ଦେଢ ଏକର ଜମିରେ ହୋଇଥିବା ତାଙ୍କର ଧାନ ଫସଲ ପାଣି ଅଭାବରୁ ଜଳିଗଲା ଏବଂ ଯୁଗ ଏଥିପାଇଁ ବୀମା ବାବଦରେ ମାତ୍ର ୬ ହଜାର ଟଙ୍କା ପାଇଲେ। ତାହା ଯଥେଷ୍ଟ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି ।

ପଦଯାତ୍ରାରେ ମୁଁ ଉପକୂଳ ଓଡ଼ିଶାର ଲୋକମାନଙ୍କୁ ମଧ୍ୟ ଭେଟିଲି। ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକର ସିଂହବରହମପୁର ପୂର୍ବାବାଦ ଗାଁର ମଞ୍ଜୁ ବେହରା (ଉପରେ କଭର ଫଟୋର ମଝିରେ) କହିଲେ, “ଆମର ଜମି ନାହିଁ, ଚାଷୀମାନଙ୍କର ଜମିରେ କାମ କରି ଆମେ ଜୀବିକାର୍ଜ୍ଜନ କରିଥାଉ।’’  ଗାଁରେ କାମ ଥିଲେ ସେ ଦିନ ମଜୁରୀ କରି ଦିନକୁ ୨୦୦ ଟଙ୍କା ରୋଜଗାର କରିଥାନ୍ତି । ପ୍ରାୟ ୪୫ ବର୍ଷୀୟ ମଞ୍ଜୁ ତାଙ୍କ ଗାଁର ଅନ୍ୟ କିଛି ଜଣଙ୍କ ସହ ମିଶି ଦିଲ୍ଲୀ ଆସିଛନ୍ତି । ସେମାନେ ସମସ୍ତେ ଦଳିତ ସଂପ୍ରଦାୟର ଭୂମିହୀନ ଶ୍ରମିକ ।

ରାଲି ସ୍ଥଳରେ ଉପସ୍ଥିତ ଥିବା ଓଡ଼ିଶାର  ଅନେକଙ୍କ ମଧ୍ୟରୁ ଜଣେ ସାମାଜିକ କର୍ମୀ ଶଶି ଦାସ କହିଲେ, “ଆମ ଗାଁର କିଛି ପ୍ରଭାବଶାଳୀ ଳୋକଙ୍କୁ (ଇନ୍ଦିରା ଆବାସ ଯୋଜନା ଅଧୀନରେ, ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଭାବେ ପରିଚିତ) ୨-୩ଟି ଘର ମିଳିଛି । ଯେତେବେଳେ କି ଆମ ମଧ୍ୟରୁ କିଛି ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଘର ଖଣ୍ଡେ ଆବଣ୍ଟନ କରାଯାଇନାହିଁ।”

ବଲାଙ୍ଗୀର ଜିଲ୍ଲାର ଏକ ଛୋଟ ସହର କଣ୍ଟାବାଞ୍ଝିର ଜଣେ ଓକିଲ ଓ ମାନବାଧିକାର କର୍ମୀ ବିଷ୍ଣୁ ଶର୍ମା(ତଳେ ଦ୍ୱିତୀୟ ଫଟୋରେ କଳାରଙ୍ଗର ସ୍ୱେଟର ପିନ୍ଧିଛନ୍ତି)କହିଲେ, “ଭାରତର ଚାଷୀମାନଙ୍କର ସମସ୍ୟା ଏବଂ ସେ ସଂପର୍କିତ ପ୍ରସଙ୍ଗ ବିଷୟରେ ହୃଦୟଙ୍ଗମ କରିବା ଓ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ କ’ଣ ସେ ସଂପର୍କରେ ଜାଣିବା ଲାଗି ମୁଁ ଏହି ମୋର୍ଚ୍ଚାରେ ଭାଗ ନେଇଛି । ଏହି ସବୁ ପ୍ରସଙ୍ଗ ସଂପର୍କରେ ଚାଷୀମାନେ ଭଲ ଭାବେ ଅବଗତ ଥିବାର ଜାଣି ମୁଁ ଖୁସି ହେଲି । ମୋତେ ଏହି ସବୁ ପ୍ରସଙ୍ଗରେ ଅନେକ କଥା ଶିଖିବାର ଅଛି । ମୁଁ ବଲାଙ୍ଗୀରରୁ ଆସିଛି ଯାହାକି ମରୁଡ଼ି ଏବଂ ଫସଲହାନିର ସାମ୍ନା କରେ । କିନ୍ତୁ ଏଠାକୁ ଆସିବା ପରେ ମୁଁ ହୃଦୟଙ୍ଗମ କଲି ଯେ ଚାଷୀମାନେ ଅନ୍ୟ ବହୁ ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛନ୍ତି ।’’

ଶର୍ମା କହିଲେ ସେ ଦିଲ୍ଲୀ ପଦଯାତ୍ରାରୁ କିଛି ସମାଧାନ ବାହାରିବ ବୋଲି ଆଶା କରନ୍ତି । “ଆମେ ମୋର ଅଞ୍ଚଳରୁ ସ୍ଥାନାନ୍ତରକୁ ଦେଖିଛୁ । ଏଠାରେ ଚାଷୀମାନଙ୍କ ସହିତ ଆଲୋଚନା କରିବା ପରେ  ମୁଁ ବୁଝିପାରିଲି ଯେ ଏହି ସବୁ ସମସ୍ୟା ଚାଷ ସହିତ ଜଡ଼ିତ । ଯଦି ଚାଷ ସଂପର୍କିତ ପ୍ରସଙ୍ଗକୁ ଅଣଦେଖା କରାଯାଏ, ତା’ ହେଲେ ସ୍ଥାନାନ୍ତର ଏବଂ ଅନ୍ୟ ସମସ୍ୟା ଜାରି ରହିବ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur
PHOTO • Purusottam Thakur

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ର ପରି ସାଥୀ, ସେ ଜଣେ ସ୍ୱାଧୀନ ସାମ୍ବାଦିକ, ଫଟୋଗ୍ରାଫର ଏବଂ ବୃତ୍ତ ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ ସଂଗ୍ରହ କରନ୍ତି। ସେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାମ କରନ୍ତି।

Other stories by Purusottam Thakur