ନିଜ ଘର ବାହାରେ ଥିବା ଖୋଲା ଭାଟିରେ ମାଠିଆ ପୋଡ଼ିବା ପୂର୍ବରୁ ଏହାକୁ ରଙ୍ଗ କରୁଥିବା ରେଖା କୁମ୍ଭକାର କହିଥିଲେ, “ଆମେ ଏହି ଗ୍ରୀଷ୍ମ ହରାଉଛୁ!’’ ଲକ୍‌ ଡାଉନ୍‌ ସମୟରେ ସେ ନିଜ ଘର ଭିତରେ ମାଠିଆ ତିଆରି କରୁଥିଲେ, କେବଳ ବେଳେବେଳେ କାମକୁ ବାହାରକୁ ଆଣୁଥିଲେ ।

ଲାଲ୍ ମାଟିର ମାଠିଆ ସାଧାରଣତଃ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇଥାନ୍ତା । ସେ ସମୟରେ ଛତିଶଗଡର ଧମତାରୀ ସହରର କୁମ୍ଭାରମାନଙ୍କ ସାହି କୁମ୍ଭାରପଡ଼ାର ଘର ବାହାରେ ସବୁଆଡ଼େ ଏହା ରଖାଯାଇଥାଏ ।  ରେଖା କହିଥିଲେ, ‘‘ଯେମିତି ବଜାରରେ ପରିବା ବିକାଳୀଙ୍କୁ ସକାଳ ୭ରୁ ଦିନ ୧୨ ଟା ପର୍ଯ୍ୟନ୍ତ ବିକ୍ରୟ ପାଇଁ ଅନୁମତି ଦିଆଯାଉଛି, ଆମକୁ ମଧ୍ୟ ସେମିତି ଅନୁମତି ଦେବା ଉଚିତ୍‌, ନଚତ୍‌ ଆମେ ଅସୁବିଧାରେ ପଡ଼ିବୁ ।

ଠିକ୍ ସେତିକିବେଳେ ଭୁବନେଶ୍ୱରୀ କୁମ୍ଭକାର ମୁଣ୍ଡରେ ଖାଲି ବାଉଁଶ ଟୋକେଇ ନେଇ କୁମ୍ଭାରପଡ଼ାକୁ ଫେରି ଆସିଲେ । ସେ କହିଲେ, ‘‘ମୁଁ ସକାଳୁ ସହରର ବିଭିନ୍ନ କଲୋନୀକୁ ମାଟି ହାଣ୍ଡି ବିକ୍ରି କରିବାକୁ ଯାଇଥିଲି। ଆଠଟି ବିକ୍ରି କଲି ଏବଂ ଆଉ ଆଠଟି ନେଇ ରାସ୍ତାକୁ ଯାଉଛି ।  କିନ୍ତୁ ମୋତେ ଶୀଘ୍ର ଫେରିବାକୁ ପଡିବ କାରଣ ମଧ୍ୟାହ୍ନରେ ଲକଡାଉନ୍ ପୁଣି ଆରମ୍ଭ ହେବ । ଯେହେତୁ ଆମକୁ ବଜାରକୁ ଯିବାକୁ ଅନୁମତି ନାହିଁ, ଆମେ ଅଧିକ ବିକ୍ରୟ କରିବାକୁ ଅସମର୍ଥ । ଗୋଟିଏ ପରିବାର ସରକାର ଯୋଗାଇଥିବା କେବଳ ଚାଉଳ ଏବଂ ଟ. ୫୦୦ରେ କିପରି ବଞ୍ଚିବ ? ”

କୁମ୍ଭାରପଡ଼ାର କୁମ୍ଭକାରମାନେ - ଏଠାରେ ଥିବା ସମସ୍ତ ପରିବାର କୁମ୍ଭାର ଓବିସି ସମୂହର ଅଂଶ – ପ୍ରତିଟି ବଡ଼ ମାଠିଆକୁ ଟ. ୫୦-୭୦ ରେ ବିକ୍ରି କରନ୍ତି । ପ୍ରତ୍ୟେକ ପରିବାର ସବୁଠାରୁ ଅଧିକ ବିକ୍ରୀ ହେଉଥିବା ମାର୍ଚ୍ଚରୁ ମେ ମାସ ମଧ୍ୟରେ ୨୦୦-୭୦୦ ମାଠିଆ ବିକ୍ରି କରନ୍ତି । ଏହି ସମୟରେ ଲୋକମାନେ ପାଣି ସାଇତିବା ଏବଂ ଏହାକୁ ଥଣ୍ଡା ରଖିବା ପାଇଁ ମାଠିଆ କିଣନ୍ତି ।  ମାଠିଆ ତିଆରିର ସଂଖ୍ୟା ପରିବାରର କେତେଜଣ ସଦସ୍ୟ ଏହି କାମରେ ସାହାଯ୍ୟ କରନ୍ତି ତାହା ଉପରେ ନିର୍ଭର କରେ । ଅନ୍ୟ ଋତୁରେ କୁମ୍ଭାରମାନେ ପୂଜା ପର୍ବ ପାଇଁ ଛୋଟ ମୂର୍ତ୍ତୀ, ଦିଓ୍ୱାଲି ସମୟରେ ଦୀପ ବିବାହ ରୀତିନୀତି ପାଇଁ ଛୋଟ ହାଣ୍ଡି ଏବଂ ଅନ୍ୟ କେତେକ ସାମଗ୍ରୀ ତିଆରି କରନ୍ତି ।

ମୌସୁମୀ ସମୟରେ, ଜୁନ୍ ମଧ୍ୟଭାଗରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ, ସେମାନଙ୍କ କାମ ବନ୍ଦ ହୋଇଯାଏ । ଏହି ସମୟରେ ଓଦା ମାଟି ଶୁଖେନାହିଁ , ଏବଂ ଘର ବାହାରେ କାମ କରିବା ସମ୍ଭବ ନୁହେଁ । ଏହି ମାସଗୁଡିକରେ, କେତେକ କୁମ୍ଭାର (କୌଣସି ପରିବାରର କିଛି ଚାଷ ଜମି ନାହିଁ) ଦିନକୁ ଟ.୧୫୦-୨୦୦ ମଜୁରୀରେ କୃଷି ଶ୍ରମିକ କାମ ଖୋଜନ୍ତି ।

PHOTO • Purusottam Thakur

ଲକଡାଉନ୍ ସମୟ ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ୱରୀ କୁମ୍ଭକାର (ଉପର ଧାଡି) କିଛି ମାଠିଆ ବିକ୍ରି କରିବାକୁ ତତ୍ପର ଥିଲେ । ସୁରଜ କୁମ୍ଭକାର (ତଳ ବାମ) କହିଥିଲେ, 'ଲକ୍‌ଡାଉନ୍‌ ଯୋଗୁଁ ଆମର କାମ ବନ୍ଦ ହୋଇଗଲା’। ରେଖା କୁମ୍ଭକାର (ତଳ ଡାହାଣ) ଏକ ଖୋଲା ଭାଟିରେ ପୋଡିବା ପୂର୍ବରୁ ମାଠିଆଗୁଡ଼ିକୁ ରଙ୍ଗ କରୁଥିଲେ

ଛତିଶଗଡର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ପ୍ରତ୍ୟେକ ବ୍ୟକ୍ତି ମାସକୁ ୭ କିଲୋ ଚାଉଳ ପାଇବାକୁ ହକଦାର । ଲକଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ, ପରିବାରଗୁଡ଼ିକ ଅତିରିକ୍ତ ୫ କିଲୋ ଉଠାଇ ପାରୁଥିଲେ, ଏଥିସହ ଦୁଇମାସର ଶସ୍ୟ ମଧ୍ୟ ଗୋଟିଏ ଥରରେ ନେଇ ପାରୁଥିଲେ - ଭୁବନେଶ୍ୱରୀଙ୍କ ପରିବାର ମାର୍ଚ୍ଚ ଶେଷରେ (ଦୁଇମାସ ପାଇଁ) ୭୦ କିଲୋ ଚାଉଳ ଏବଂ ପରେ ମେ’ ମାସରେ ପୁଣି ୩୫ କିଲୋ ଚାଉଳ ପାଇଥିଲେ । କୁମ୍ଭାରପଡ଼ାର ବାସିନ୍ଦାମାନେ ମଧ୍ୟ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ପରିବାର ପିଛା ଟ. ୫୦୦ ପାଇଥିଲେ । ଭୁବନେଶ୍ୱରୀ ପଚାରନ୍ତି, ‘‘ କିନ୍ତୁ ଆମେ ଟ. ୫୦୦ରେ କ’ଣ କରି ପାରିବୁ ? ତେଣୁ ମୁଁ ଆମ ପରିବାରର ଖର୍ଚ୍ଚ ପୂରଣ କରିବା ପାଇଁ ମାଠିଆ ବିକ୍ରୀ କରିବାକୁ ରାସ୍ତାକୁ ଯିବାକୁ ବାଧ୍ୟ ।”

ସୁରଜ କୁମ୍ଭକାର କହିଥିଲେ, “ମୁଁ ବିଳମ୍ବରେ କାମ ଆରମ୍ଭ କରିଥିଲି [ଆମ ସାକ୍ଷାତର ଗୋଟିଏ ଦିନ ପୂର୍ବରୁ], କାରଣ ମୋ ପତ୍ନୀ ଅଶ୍ୱନୀଙ୍କର ଅସ୍ତ୍ରୋପଚାର ହୋଇଥିଲା [ଧମତାରୀର ଏକ ଘରୋଇ ଡାକ୍ତରଖାନାରେ ହିଷ୍ଟେରେକ୍ଟୋମି ପାଇଁ, ଯାହା ଏକ ଋଣର କାରଣ ହୋଇଥିଲା]। ଏହା ହେଉଛି ଆମର କୌଳିକ ବୃତ୍ତି ଏବଂ ଏହି କାମ ପାଇଁ ଏକରୁ ଅଧିକ ବ୍ୟକ୍ତି ଆବଶ୍ୟକ ହୁଅନ୍ତି।” ସୁରଜ ଏବଂ ଅଶ୍ୱନୀଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି, ଯେଉଁମାନଙ୍କ ବୟସ ୧୦ ରୁ ୧୬ ମଧ୍ୟରେ । ସୁରଜ ଏହା ମଧ୍ୟ କହିଥିଲେ, “ଲକ୍‌ଡାଉନ୍‌ କାରଣରୁ ଆମର କାମ ବନ୍ଦ ହୋଇଗଲା । ଦିୱାଲୀ ଠାରୁ ଖରାପ ପାଗ [ମଝିରେ ମଝିରେ ବର୍ଷା] ହେତୁ ମାଠିଆ ତିଆରି କରିବା କଷ୍ଟକର ହୋଇପଡିଥିଲା । “ଏବଂ ଅପରାହ୍ଣରେ ବାହାରେ କାମ ବନ୍ଦ କରିବାକୁ ପୋଲିସ ଆସି ପହଞ୍ଚି ଯାଏ । ଆମର ଜୀବିକା ଅତ୍ୟନ୍ତ ଖରାପ ଭାବରେ ପ୍ରଭାବିତ ହୋଇଛି ।”

ଯେତେବେଳେ ଆମେ ତାଙ୍କୁ ଭେଟିଲୁ ସେତେବେଳେ ସୁରଜ ବଡ଼ ଦୀପ ତିଆରି କରୁଥିଲେ । ଦିଓ୍ୱାଲି ସମୟରେ ଏଗୁଡ଼ିକ ଟ. ୩୦-୪୦ରେ ବିକ୍ରି ହୁଏ । ଛୋଟ ଦୀପଗୁଡ଼ିକ ସେଗୁଡ଼ିକର ଆକାର ଉପରେ ନିର୍ଭର କରି ଟ. ୧ ରୁ ଟ. ୨୦ ମଧ୍ୟରେ ବିକ୍ରି ହୁଏ । ତାଙ୍କ ପରିବାର ଦୁର୍ଗା ପୂଜା, ଗଣେଶ ପୂଜା ଏବଂ ଅନ୍ୟାନ୍ୟ ପର୍ବ ପାଇଁ ମୂର୍ତ୍ତୀ ତିଆରି କରନ୍ତି ।

ସୁରଜ ହିସାବ କରନ୍ତି କୁମ୍ଭାରପଡ଼ାରେ ଥିବା ପ୍ରାୟ ୧୨୦ ଟି ପରିବାର ମଧ୍ୟରୁ ୯୦ଟି ପରିବାର ଏବେ ମଧ୍ୟ ମାଠିଆ ଓ ଅନ୍ୟ ସାମଗ୍ରୀ ତିଆରି କରି ରୋଜଗାର କରନ୍ତି । ଅନ୍ୟମାନେ କୃଷି ଶ୍ରମିକ, ସରକାରୀ ଚାକିରୀ ଏବଂ ଅନ୍ୟ ଜୀବିକାକୁ ଆପଣେଇଛନ୍ତି ।

PHOTO • Purusottam Thakur

ପୁରବ କୁମ୍ଭକାର (ଉପର ବାମ) ଏହି ଅକ୍ଷୟ ତୃତୀୟାରେ ଖୁବ୍ କମ୍ ସଂଖ୍ୟକ ବର-ବଧୂ ମୂର୍ତ୍ତି ବିକ୍ରି କରିଥିଲେ । କୁମ୍ଭାରପଡ଼ାର ଅନେକ କୁମ୍ଭାର ଲକ୍‌ ଡାଉନ୍‌ କାରଣରୁ ଏ ଥର ଗ୍ରୀଷ୍ମରେ ପ୍ରାୟତଃ କିଛି ମାଠିଆ ବିକ୍ରି କରି ପାରି ନାହାଁନ୍ତି

ଏପ୍ରିଲ୍‌ର ଶେଷରେ, ଆମେ ମଧ୍ୟ ଧମତାରୀ ଜିଲ୍ଲା ପ୍ରଶାସନ ଦ୍ୱାରା ସାମୟିକ ଭାବରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏକ ପୁରୁଣା ମଣ୍ଡିକୁ ଯାଇଥିଲୁ । କେଇଜଣ କୁମ୍ଭାର ଅଳ୍ପ କିଛି ମାଠିଆ ସହିତ ମାଟି ଖେଳନା (ପ୍ରାୟତଃ ବର ଏବଂ ବଧୂ ଯୋଡି) ବିକ୍ରି କରୁଥିବା ଦେଖି ଆମକୁ ଖୁସି ଲାଗିଲା। ଲକଡାଉନ୍‌ର ପ୍ରାରମ୍ଭିକ ସପ୍ତାହଗୁଡ଼ିକରେ, କୁମ୍ଭାରମାନଙ୍କୁ ଏଠାରେ ଅନୁମତି ଦିଆଯାଇନଥିଲା - କେବଳ ପନିପରିବା ଭଳି ଜରୁରୀ ଜିନିଷ ବିକ୍ରୟ କରିବାକୁ ଅନୁମତି ଦିଆଯାଇଥିଲା ।

ଏହା ହିନ୍ଦୁ କ୍ୟାଲେଣ୍ଡରରେ ଶୁଭ ଦିନ ଭାବରେ ବିବେଚିତ ଅକ୍ଷୟ ତୃତୀୟାର ସମୟ ଥିଲା, ଯେତେବେଳେ ଭାରତର ଅନେକ ସ୍ଥାନରେ କୃଷକମାନେ ଚାଷ ଆରମ୍ଭ କରନ୍ତି ଏବଂ ଛତିଶଗଡର ଅନେକେ ବର- ବଧୂ ମୂର୍ତ୍ତି (ପୁତ୍ର ଏବଂ ପୁତ୍ରି) ର ପାରମ୍ପରିକ ବିବାହ ଉତ୍ସବ ପାଳନ କରନ୍ତି । ପ୍ରତ୍ୟେକ ଯୋଡିକୁ ଟ. ୪୦ କିମ୍ବା ୫୦ ରେ  ବିକ୍ରି କରୁଥିବା ପୁରବ କୁମ୍ଭକାର କହିଛନ୍ତି, “ମୋ ପାଖରେ ୪୦୦ ଯୋଡି ଅଛି, କିନ୍ତୁ ଏପର୍ଯ୍ୟନ୍ତ କେବଳ ୫୦ ଟି ବିକ୍ରି ହୋଇଛି । ଗତ ବର୍ଷ ଏହି ସମୟ ସୁଦ୍ଧା ମୁଁ ଟ. ୧୫,୦୦୦ର ଜିନିଷ ବିକ୍ରି କରିଥିଲି, କିନ୍ତୁ ଏ ବର୍ଷ ଏହା ମାତ୍ର ଟ. ୨୦୦୦।  ହଉ ଦେଖିବା, ଆଉ ଦୁଇ ଦିନ ଅଛି ... [ପର୍ବ ସମୟର]। ଆଜ୍ଞା ଲକ୍‌ଡାଉନ୍‌ ଯୋଗୁଁ ଆମେ ଭୀଷଣ କ୍ଷତି ସହୁଛୁ।’’

କୁମ୍ଭାରପଡ଼ାର ଅଧିକାଂଶ ପରିବାରର ପିଲାମାନେ ସ୍କୁଲ କିମ୍ବା କଲେଜରେ ପଢ଼ୁଛନ୍ତି – ଅର୍ଥାତ୍‌ ସ୍କୁଲ୍‌ ଦେୟ, ବହି, ୟୁନିଫର୍ମ ଭଳି ଖର୍ଚ୍ଚ ରହିଛି । କୁମ୍ଭାରମାନଙ୍କ ପାଇଁ ଗ୍ରୀଷ୍ମଋତୁ ହିଁ କିଛି ଅଧିକ ରୋଜଗାର କରିବା ଏବଂ ବର୍ଷର ବଳକା ସମୟ ପାଇଁ ସଞ୍ଚୟ କରିବାର ଗୁରୁତ୍ୱପୂର୍ଣ୍ଣ ସମୟ ।

ପୁରବ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମଝିରେ ମଝିରେ ବର୍ଷା ହେବା ହେତୁ ମାଠିଆ ମଧ୍ୟ ବିକ୍ରି ହେଉନାହିଁ। ଲୋକମାନେ ଖରାଦିନେ  ମାଠିଆ ଦରକାର କରନ୍ତି କାରଣ ସେତେବେଳେ ପାଗ ଗରମ ଥାଏ । ଉଭୟ ପାଣିପାଗ ଏବଂ ଲକ୍‌ଡାଉନ୍‌ ଆମ ଜୀବନକୁ କଷ୍ଟକର କରିଦେଇଛି।”

ମେ ମାସ ମଧ୍ୟଭାଗ ସୁଦ୍ଧା ଛତିଶଗଡରେ ଲକଡାଉନ୍ ପ୍ରତିବନ୍ଧକ ଧୀରେ ଧୀରେ ସହଜ ହେବା ସହିତ କୁମ୍ଭାରମାନେ ବିକ୍ରି କରିବା ପାଇଁ ବଜାରକୁ ଏବଂ ଏଥି ସହିତ ଧମତାରୀରେ ଥିବା ବଡ଼ ରବିବାର ହାଟ (ଇତଓ୍ୱାରୀ ବଜାର)କୁ ଯାଇ ପାରିଥିଲେ ।  ନିୟମିତ ବଜାରଗୁଡ଼ିକ ବର୍ତ୍ତମାନ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ଅଛି | କିନ୍ତୁ ମେ’ ମାସ ମଧ୍ୟଭାଗରେ, ଗ୍ରୀଷ୍ମ ଭଳି କୁମ୍ଭାରମାନଙ୍କର ବିକ୍ରୟର ସର୍ବାଧିକ ଭଲ ଋତୁ ଶେଷ ହେବାକୁ ଯାଉଥିଲା - ଏବଂ ଏହି କ୍ଷତି ବର୍ଷସାରା କୁମ୍ଭାର ପରିବାର ମଧ୍ୟରେ ପ୍ରତିଧ୍ୱନିତ ହେଉଥିବ ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker. At present, he is working with the Azim Premji Foundation and writing stories for social change.

Other stories by Purusottam Thakur