ରଙ୍ଗଛଡ଼ା କାନ୍ଥ ଥିବା ଦୁଇମହଲା ଘରର ଉପର ମହଲାରେ ଅଜଲାନ ଅହମଦ ତାଙ୍କ କୋଠରୀର ଗୋଟିଏ କୋଣରେ ବସି ଫୋନ୍‌ରେ ଲାଗି ରହିଥାନ୍ତି। ତାଙ୍କ ହାତଗୁଡ଼ିକ ଥରୁଛି ଏବଂ ସେ କଶ୍ମୀରି ଭାଷାରେ ତାଙ୍କ ମାଆକୁ ଚିତ୍କାର କରି ଉଠନ୍ତି, ‘‘ମାଇ ଗୋ ଖବର କ୍ୟା [ମୁଁ ଜାଣିନି ମୋର କ’ଣ ହେଉଛି]।’’ ସେ ମୁଣ୍ଡ ବିନ୍ଧା ଏବଂ ଶରୀର ଯନ୍ତ୍ରଣାର ଅଭିଯୋଗ କରନ୍ତି। ତାଙ୍କ ମାଆ ସକିନା ବେଗମ ଗୋଟିଏ ଗ୍ଲାସ ପାଣି ଆଣିବା ପାଇଁ ରୋଷେଇଘରକୁ ଦୌଡ଼ନ୍ତି। ଅଜଲାଙ୍କ ଚିତ୍କାର ଶୁଣି ତାଙ୍କ ବାପା ବସିର ଅହମଦ କୋଠରୀ ଭିତରକୁ ଆସନ୍ତି ଏବଂ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି, କୁହନ୍ତି ଯେ, ‘‘ଡାକ୍ତରମାନେ ତାଙ୍କୁ କହିଥିଲେ ନିଶା ଛାଡ଼ିବାର ଲକ୍ଷଣଗୁଡ଼ିକ ଏମିତି ହୋଇପାରେ।’’

ସମୟକ୍ରମେ, ସକିନା ବେଗମ ଏବଂ ବସିର (ଗୋପନୀୟତା ରକ୍ଷା ପାଇଁ ସମସ୍ତ ନାମ ପରିବର୍ତ୍ତନ କରାଯାଇଛି) ୨୦ବର୍ଷ ବୟସ୍କ ଅଜଲାନଙ୍କ କୋଠରୀକୁ ତାଲା ପକାଇ ସୁରକ୍ଷିତ କରିବା ଆରମ୍ଭ କଲେ, ସେମାନଙ୍କ ଘରର ୧୦ଟି ଝରକା ମଧ୍ୟ ବନ୍ଦ ରଖାଗଲା। ଏହି କୋଠରୀଟି ରୋଷେଇଘର ପାଖକୁ ଥିବା ଯେଉଁଠାରୁ ତାଙ୍କ ମାଆ ତାଙ୍କ ଉପରେ ଏକ ତୀକ୍ଷ୍ଣ ନଜର ରଖିପାରିବେ। ୫୨ ବର୍ଷ ବୟସ୍କା ସକିନା ବେଗମ କୁହନ୍ତି, ‘‘ନିଜ ପୁଅକୁ ତାଲା ପକାଇ ରଖିବା ଯନ୍ତ୍ରଣା ଦାୟକ, କିନ୍ତୁ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ’’, ସେ ଭୟ କରନ୍ତି ଯେ, ଯଦି ତାଙ୍କ ପୁଅ ବାହାରକୁ ଯିବ ସେ ଡ୍ରଗ୍ସ ଖୋଜିବା ଆରମ୍ଭ କରିବ।

ବେରୋଜଗାର ଥିବା ଏବଂ ସ୍କୁଲ ପାଠପଢ଼ା ଅଧାରୁ ଛାଡ଼ିଥିବା ଅଜଲାନ  ଦୁଇବର୍ଷ ହେବ ହେରୋଇନ ନିଶାସକ୍ତ ହୋଇଗଲାଣି। ଏହି ଅଭ୍ୟାସ ଚାରିବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଉତ୍ତେଜନା ପାଇବା ପାଇଁ ଜୋତା ପଲିସ ସହ, ଏହା ପରେ ସେ ହେରୋଇନ ପାଖରେ ପହଞ୍ଚିବା ପୂର୍ବରୁ ଔଷଧୀୟ ଅଫିମ ଓ ଚରସ (ଗଞ୍ଜେଇର ଏକ ଉତ୍ପାଦ) ନେଉଥିଲା।

ଏହି ନିଶା ଅଭ୍ୟାସ ଅଜଲାନଙ୍କ ପରିବାର ପାଇଁ ଏକ ଆଘାତ ଥିଲା, ଯେଉଁମାନେ କି ଦକ୍ଷୀଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଚୁରୁସୁ ଅଞ୍ଚଳରେ ରହୁଥିଲେ। ୫୫ବର୍ଷ ବୟସ୍କ ଧାନ ଚାଷୀ ବସିର କୁହନ୍ତି, ‘‘ସେ ଡ୍ରଗ୍ସ କିଣିବା ପାଇଁ ଆମର ଯାହାକିଛି ମୂଲ୍ୟବାନ ଜିନିଷ ଥିଲା ସବୁ ବିକିଦେଲା, ତା’ ମା’ର କାନଫୁଲଠାରୁ ଆରମ୍ଭ କରି ତା’ ଭଉଣୀର ମୁଦି ପର୍ଯ୍ୟନ୍ତ’’। ସେ ତାଙ୍କ ପୁଅର ଡ୍ରଗ୍ସ ଅଭ୍ୟାସ ବିଷୟରେ ଅଜଲାନ ତାଙ୍କର ଏଟିଏମ୍‌ କାର୍ଡ ଚୋରେଇ ନେଇ ତାଙ୍କ ଜମାଖାତାରୁ ଟ. ୫୦ହଜାର ଉଠାଇନେବାର ଅନେକଦିନ ପରେ ଜାଣିଲେ। ସେ କୁହନ୍ତି, ‘‘ଆମ ଘରେ ଯେଉଁ ଅତିଥିମାନେ ରହୁଥିଲେ ସେମାନେ ମଧ୍ୟ ସେମାନଙ୍କର ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଥିଲେ।’’

କିନ୍ତୁ ସମସ୍ୟାର ପୂର୍ଣ୍ଣ ସ୍ୱରୂପ ଗତ କେଇମାସ ତଳେ ସ୍ପଷ୍ଟ ହେଲା ଯେତେବେଳେ ବସିର ଦେଖିଲେ ତାଙ୍କ ପୁଅ ହେରୋଇନ କିଣିବା ପାଇଁ ତା’ ୩୨-ବର୍ଷ ବୟସ୍କା ଭଉଣୀର ଆଙ୍ଗୁଠିରୁ ଗୋଟିଏ ମୁଦି କାଢ଼ି ନେଉଛି। ସେ କୁହନ୍ତି, ‘‘ତା’ ପରଦିନ ମୁଁ ତାକୁ ଚିକିତ୍ସା ପାଇଁ ଶ୍ରୀନଗରରେ ଥିବା ନିଶାମୁକ୍ତି କେନ୍ଦ୍ରକୁ ନେଲି। ମୁଁ ମୋ ପୁଅକୁ ଅନ୍ଧ ଭାବରେ ବିଶ୍ୱାସ କରିଥିଲି ଏବଂ କେବେ ଚିନ୍ତା କରିନଥିଲି ଯେ ତାକୁ ଦିନେ ଡ୍ରଗ୍ସ ନିଶାଭ୍ୟାସି କୁହାଯିବ।’’

Left: A young man from the Chursoo area (where Azlan Ahmad also lives) in south Kashmir’s Anantnag district, filling an empty cigarette with charas.
PHOTO • Muzamil Bhat
Right: Smoking on the banks of river Jhelum in Srinagar
PHOTO • Muzamil Bhat

ବାମ: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ଚୁରୁସୁ ଅଞ୍ଚଳ (ଯେଉଁଠାରେ ଅଜଲାନ ଅହମଦ ମଧ୍ୟ ବାସ କରେ) ରେ ଜଣେ ଯୁବକ ତାଙ୍କ ଖାଲି ସିଗାରେଟକୁ ଚରସରେ ଭରୁଛନ୍ତି। ଡାହାଣ: ଶ୍ରୀନଗରର ଝେଲମ ନଦୀକୂଳରେ ଧୂମପାନ

ନିଶାମୁକ୍ତି କେନ୍ଦ୍ର ଚୁରୁସୁଠାରୁ ୫୫ କିଲୋମିଟର ଦୂରରେ ଶ୍ରୀନଗରର କରନ ନଗର ଅଞ୍ଚଳରେ ଶ୍ରୀ ମହାରାଜା ହରି ସିଂ (ଏସଏମଏଚ୍‌ଏସ) ଡାକ୍ତରଖାନାରେ ଅବସ୍ଥିତ। ସାରା କଶ୍ମୀରରୁ ଅଜଲାନଙ୍କ ପରି ଡ୍ରଗ୍ସ ଦ୍ୱାରା ବାଟ ଭୁଲିଥିବା ଅନେକ ଏଠାକୁ ସାହାଯ୍ୟ ପାଇଁ ଆସନ୍ତି। ଏହି କେନ୍ଦ୍ରରେ ତିରିଶଟି ଶଯ୍ୟା ଏବଂ ଗୋଟିଏ ବର୍ହି-ରୋଗୀ ବିଭାଗ ରହିଛି ଏବଂ ଏହା ଶ୍ରୀନଗରରେ ସରକାରୀ ଡାକ୍ତରୀ ମହାବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ହେଲଥ ଆଣ୍ଡ୍‌ ନ୍ୟୁରୋ ସାଇନ୍ସ (ଆଇଏମ୍‌ଏଚ୍‌ଏଏନ୍‌ଏସ) ଦ୍ୱାରା ପରିଚାଳିତ।

ସେମାନଙ୍କ ମଧ୍ୟରେ ଅଛନ୍ତି ଉତ୍ତର କଶ୍ମୀରର କୁପଓ୍ୱାରା ଜିଲ୍ଲାରୁ କାଇଜର ଦର୍‌ (ପରିବର୍ତ୍ତିତ ନାମ)। ଜିନ୍‌ସ ଏବଂ ମଷ୍ଟାର୍ଡ ଜ୍ୟାକେଟ୍‌ ପିନ୍ଧିଥିବା ଏହି ୧୯ବର୍ଷ ବୟସ୍କ ତରୁଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ପାଇଁ ତାଙ୍କ ପାଳି ଆସିବାକୁ ଅପେକ୍ଷା କରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ସହ ଥଟ୍ଟାମଜା କରନ୍ତି। ଯେତେବେଳେ ଭିତରକୁ ଯିବାର ସମୟ ଆସେ, ତାଙ୍କ ହସ ହଜିଯାଏ।

ଜଣେ ସାଙ୍ଗ ଦ୍ୱାରା ସେ ଚରସ ସହ ପରିଚିତ ହେବା ପୂର୍ବରୁ, କୁପଓ୍ୱାରା ସରକାରୀ ମହାବିଦ୍ୟାଳୟରେ ଯେତେବେଳେ ସେ ଜଣେ ଛାତ୍ର ଥିଲେ ସେ କ୍ରିକେଟ୍‌ ଏବଂ ଫୁଟବଲ ଖେଳିବାକୁ ଖୁବ୍‌ ଭଲ ପାଉଥିଲେ। ଅଜଲାନଙ୍କ ପରି ସେ ମଧ୍ୟ ହେରୋଇନ ପାଖରେ ପହଞ୍ଚିବା ପୂର୍ବରୁ ନାନା ପ୍ରକାର ଡ୍ରଗ୍ସ ସହ ପରୀକ୍ଷା ନିରୀକ୍ଷା କରିଥିଲେ। କାଇଜର କୁହନ୍ତି, ‘‘ମୁଁ କୋରେକ୍ସ [ଗୋଟିଏ କଫ୍ ସିରପ୍‌] ଏବଂ ବ୍ରାଉନସୁଗର ନେବା ଆରମ୍ଭ କଲି ଏବଂ ବର୍ତ୍ତମାନ ଏହା ହେରୋଇନ। ତାଙ୍କ ପିତା ସରକାରୀ ପରିଚାଳିତ ସ୍କୁଲରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ। ଯିଏକି ବର୍ତ୍ତମାନ ମାସକୁ ପ୍ରାୟ ଟ. ୩୫,୦୦୦ ଆୟ କରୁଛନ୍ତି। ‘‘ଗୋଟିଏ ଡୋଜ୍‌ ନେବା ପରେ ମୋତେ ଖୁସି ଲାଗୁଥିଲା, ଯେମିତିକି ମୁଁ ମୋର ସମସ୍ତ ଦୁଃଖରୁ ମୁକ୍ତି ପାଇଯାଇଛି। ମୁଁ ଆଉ ଅଧିକ ଚାହିଁଲି। ମାତ୍ର ଦୁଇଟି ଡୋଜ୍‌ରେ ମୁଁ ନିଶାସକ୍ତ ହୋଇଗଲି’’।

ସାରା କଶ୍ମୀରରେ ହେରୋଇନ ଅପବ୍ୟବହାର ଏକ ମହାମାରୀ ପରି ବ୍ୟାପିଯାଇଛି ବୋଲି ଏସ୍‌ଏମ୍‌ଏଚ୍‌ଏସ ଡାକ୍ତରଖାନାର ନିଶାମୁକ୍ତି କେନ୍ଦ୍ରରେ ଥିବା ମାନସିକ ରୋଗ ବିଶେଷଜ୍ଞ କୁହନ୍ତି। ଆଇଏମ୍‌ଏଚ୍‌ଏଏନ୍‌ଏସ୍‌ରେ ଜଣେ ପ୍ରଫେସର ଥିବା ଡକ୍ଟର ଅର୍ସାଦ ହୁସେନ ବୁଝାଇ କୁହନ୍ତି, ‘‘ଅନେକଗୁଡ଼ିଏ କାରଣ ଦାୟୀ- ଚାଲିଥିବା ସଂଘର୍ଷ, ରୋଜଗାରହୀନତା, ପାରିବାରିକ ସରଞ୍ଚନା ନଷ୍ଟ ହେବା, ସହରୀକରଣ ଏବଂ ଚାପ ଆଦି ହେଉଛି କେତେକ ସାଧାରଣ କାରଣ’’।

ଏବଂ କେତେଜଣ ଲକ୍ଷ୍ୟ କରନ୍ତି କଶ୍ମୀରରେ ଡ୍ରଗ ବ୍ୟବହାର ୨୦୧୬ ପରଠାରୁ ବୃଦ୍ଧି ପାଇଛି। ‘‘ନିଶାମୁକ୍ତି କେନ୍ଦ୍ରର ମୁଖ୍ୟ ଡକ୍ଟର ୟାସିର ରାଥେର କୁହନ୍ତି, ‘‘୨୦୧୬ରେ ଯେତେବେଳେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ବୁରହାନ ଓ୍ୱାନିକୁ ହତ୍ୟା କରାଗଲା [ସୁରକ୍ଷା ବାହିନୀ ଦ୍ୱାରା ୨୦୧୬ ଜୁଲାଇ ୮ରେ] ସେବେଠାରୁ ହେରୋଇନ ନିଶା ଅଭ୍ୟାସରେ ଏକ ଦ୍ରୁତ ବୃଦ୍ଧି ହୋଇଛି। ୨୦୧୬ରେ ଆମେ ୪୮୯ ରୋଗୀଙ୍କୁ ଦେଖିଥିଲୁ। ୨୦୧୭ରେ ଓପିଡିକୁ ୩,୬୨୨ ଜଣ ରୋଗୀ ଆସିଥିଲେ, ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ହେରୋଇନ ନିଶାଭ୍ୟାସି।

A growing number of families are bringing their relatives to the 30-bed Drug De-addiction Centre at the Shri Mahraja Hari Singh Hospital in Srinagar
PHOTO • Muzamil Bhat
A growing number of families are bringing their relatives to the 30-bed Drug De-addiction Centre at the Shri Mahraja Hari Singh Hospital in Srinagar
PHOTO • Muzamil Bhat

ଅଧିକରୁ ଅଧିକ ସଂଖ୍ୟକ ପରିବାର ସେମାନଙ୍କର ସମ୍ପର୍କୀୟମାନଙ୍କୁ ଶ୍ରୀନଗରରେ ଥିବା ଶ୍ରୀ ମହାରାଜା ହରି ସିଂ ଡାକ୍ତରଖାନାର ୩୦ ଶଯ୍ୟା ବିଶିଷ୍ଟ ଡ୍ରଗସ ନିଶାମୁକ୍ତି କେନ୍ଦ୍ରକୁ ଆଣୁଛନ୍ତି

୨୦୧୮ରେ ଏହିସଂଖ୍ୟା ୫,୧୧୩ ବୃଦ୍ଧି ହେଲା। ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ନିଶାମୁକ୍ତି କେନ୍ଦ୍ର ୪,୪୧୪ ରୋଗୀଙ୍କୁ ଗ୍ରହଣ କରିଥିଲା, ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ହେରୋଇନ ଅପବ୍ୟବହାରକାରୀ ବୋଲି ଡକ୍ଟର ରାଥର କୁହନ୍ତି। କିନ୍ତୁ ସେ କୁହନ୍ତି, ‘‘ନିଶାଭ୍ୟାସ ବଢ଼ିବାର ମୁଖ୍ୟ କାରଣ ହେଉଛି, ‘‘ସହଜ ଉପଲବ୍ଧତା, ସହଜ ଉପଲବ୍ଧତା ଏବଂ ସହଜ ଉପଲବ୍ଧତା’’।

ନିଶାଭ୍ୟାସ ସାଧାରଣତଃ ଖୁସି ପାଇଁ ଡ୍ରଗ୍ସ ବ୍ୟବହାରରୁ ଆରମ୍ଭ ହୁଏ ବୋଲି ଡକ୍ଟର ହୁସେନ ବର୍ଣ୍ଣନା କରନ୍ତି। ନିଶାମୁକ୍ତି କେନ୍ଦ୍ରରେ ଥିବା ଜଣେ ମନସ୍ତତ୍ତ୍ୱବିତ୍‌ ଡକ୍ଟର ସଲିମ ୟୁସୁଫ କୁହନ୍ତି, ‘‘ଏଥିରୁ ମିଳୁଥିବା ଉଚ୍ଛ୍ୱାସ ଆପଣଙ୍କୁ ପରିମାଣ ବଢ଼ାଇବାକୁ ଦିଏ। ଏହା ପରେ ଦିନେ ଆପଣ ଦେଖନ୍ତି, ଆପଣ ଜଣେ ଡ୍ରଗ ନିର୍ଭରଶୀଳ ଏବଂ ଆପଣ ହୁଏତ ଅଧିକ ପରିମାଣ କାରଣରୁ ମୃତ୍ୟୁବରଣ କରନ୍ତି କିମ୍ବା ଅସୁସ୍ଥ ହୁଅନ୍ତି। ନିଶାଭ୍ୟାସିମାନଙ୍କର ମନୋସ୍ଥିତି ଅସ୍ଥିର ହୁଏ, ଉଦ୍‌ବେଗ ଓ ଅବସାଦ ହୁଏ ଏବଂ ସେମାନେ ସେମାନଙ୍କର ନିଜ କୋଠରୀରେ ବନ୍ଦ ରହିବାକୁ ପସନ୍ଦ କରନ୍ତି।’’

ଅଜଲାନଙ୍କ ପିତାମାତା ଏହାକୁ ଭଲ ଭାବରେ ଜାଣନ୍ତି। ସକିନା ବେଗମ୍‌ କୁହନ୍ତି, ସେ ତାଙ୍କ ସହ ଅନେକ ଝଗଡ଼ା କରୁଥିଲା। ଥରେ ସେ ସେମାନଙ୍କ ରୋଷେଇଘରର ଝରକାର କାଚ ଭାଙ୍ଗି ଦେବା ପରେ ତାକୁ ଡାକ୍ତରଙ୍କ ପାଖକୁ ହାତ ସିଲେଇ କରିବାକୁ ନେବାକୁ ହୋଇଥିଲା। ସେ କୁହନ୍ତି, ‘‘ଡ୍ରଗ୍‌ ତାକୁ ଏମିତି କରାଉଥିଲା’’।

ହେରୋଇନ ଅପ ବ୍ୟବହାର ବିଭିନ୍ନ ପ୍ରକାର ହୋଇଥାଏ-ଧମନୀରେ ଇଞ୍ଜେକ୍ସନ ଦ୍ୱାରା ନିଆଯାଏ, ପାଉଡର ଭାବରେ ଆଘ୍ରାଣ କରାଯାଏ କିମ୍ବା ଧୂମପାନ କରାଯାଏ। ତେବେ ଇଞ୍ଜେକ୍ସନଗୁଡ଼ିକ ଜଣେ ନିଶାଭ୍ୟାସିକୁ ଅଧିକ ଉତ୍ତେଜନା ଦେଇଥାଏ। ହେରୋଇନର ଦୀର୍ଘ ବ୍ୟବହାର ଶେଷରେ ବ୍ରେନର କାର୍ଯ୍ୟପ୍ରଣାଳୀ ପରିବର୍ତ୍ତନ କରିଦିଏ ବୋଲି କୁହନ୍ତି ଡକ୍ଟର ରାଥେର। ଏହା ମଧ୍ୟ ଏକ ଖୁବ୍‌ ଦାମୀ ଅଭ୍ୟାସ- ଗୋଟିଏ ଗ୍ରାମ ଡ୍ରଗ ସାଧାରଣତଃ ଟ. ୩୦୦୦ରୁ ଅଧିକ ଦାମ୍‌ ଏବଂ ଅନେକ ନିଶାଭ୍ୟାସି ଦିନକୁ ଅତିକମ୍‌ରେ ଦୁଇଗ୍ରାମ ଆବଶ୍ୟକ କରନ୍ତି।

ତେଣୁ ଯେତେବେଳେ କୁଲଗାମ ଜିଲ୍ଲାର ୨୫ବର୍ଷ ବୟସ୍କ ଟ୍ୟାକ୍ସି ଡ୍ରାଇଭର ତୋଷିଫ ରଜା (ପରିବର୍ତ୍ତିତ ନାମ) ଦିନକୁ ହେରୋଇନ ପାଇଁ ଟ. ୬ହଜାର ଖର୍ଚ୍ଚ କରିବା ଆରମ୍ଭ କଲେ। ତାଙ୍କର ଦୈନିକ ଟ. ୨୦୦୦ ରୋଜଗାର ନିଅଣ୍ଟ ପଡ଼ିଲା। ସେ ସନ୍ଦେହ କରୁନଥିବା ଭଦ୍ର ସାଙ୍ଗମାନଙ୍କଠାରୁ ଏବଂ ତାଙ୍କ ନିଶାଭ୍ୟାସି ସାଙ୍ଗମାନଙ୍କୁ ସେ ଗୋଟିଏ ଅପରେସନ ପାଇଁ ଅର୍ଥ ଆବଶ୍ୟକ କରନ୍ତି ବୋଲି ମିଛ କହି ଉଧାର ନେବା ଆରମ୍ଭ କଲେ। ସେ ଟ ୧ଲକ୍ଷରୁ ଅଧିକ ସଂଗ୍ରହ କଲେ ଏବଂ ହେରୋଇନ ଇଞ୍ଜେକ୍ସନ ନେବା ଆରମ୍ଭ କଲେ।

Patients arriving at the De-Addiction Centre’s OPD are evaluated by psychiatrists and given a drug test. The more severe cases are admitted to the hospital for medication and counselling
PHOTO • Muzamil Bhat

ନିଶାମୁକ୍ତି କେନ୍ଦ୍ରର ଓପିଡିରେ ପହଞ୍ଚୁଥିବା ରୋଗୀମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଆକଳନ କରାଯାଆନ୍ତି ଏବଂ ଏକ ଡ୍ରଗ ପରୀକ୍ଷା ଦିଆଯାଏ। ଅଧିକ ଗୁରୁତର ମାମଲାଗୁଡ଼ିକୁ ଡାକ୍ତରଖାନାରେ ଚିକିତ୍ସା ଏବଂ ପରାମର୍ଶ ପାଇଁ ଭର୍ତ୍ତି କରାଯାଏ।

ତୋସିଫ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ କାରଣ ତାଙ୍କ ସାଙ୍ଗମାନେ ସେଗୁଡ଼ିକ ବ୍ୟବହାର କରୁଥିଲେ। ସେ ମନେପକାଇ କୁହନ୍ତି, ‘‘ତେଣୁ ଭାବିଲି ମୁଁ ମଧ୍ୟ ଏହା ଥରେ ଚେଷ୍ଟା କରିବି। ଖୁବ୍‌ଶୀଘ୍ର ମୁଁ ନିଜେ ନିଶାଭ୍ୟାସି ହୋଇଥିବା ଜାଣିଲି। ଯେଉଁଦିନ ମୁଁ ଡ୍ରଗ୍ସ ପାଉନଥିଲି ମୁଁ ମୋ ସ୍ତ୍ରୀକୁ ପିଟୁଥିଲି।’’  ସେ ମନେପକାନ୍ତି ‘‘ମୁଁ ତିନିବର୍ଷ ପର୍ଯ୍ୟନ୍ତ ହେରୋଇନ ନେଲି ଏବଂ ମୋ ସ୍ୱାସ୍ଥ୍ୟ ଖରାପ ହୋଇଗଲା। ମୁଁ ସବୁବେଳେ ବାନ୍ତି ହେବା ପରି ଅନୁଭବ କଲି ଏବଂ ମାଂସପେଶୀରେ ଭୀଷଣ ଯନ୍ତ୍ରଣା ହେଉଥିଲା। ମୋ ସ୍ତ୍ରୀ ମୋତେ ଏସଏମ୍‌ଏଚ୍‌ଏସ ଡାକ୍ତରଖାନାକୁ ଆଣିଲେ ଏବଂ ସେବେଠାରୁ ମୁଁ ଚିକିତ୍ସାରେ ଅଛି।’’

ନିଶାମୁକ୍ତି କେନ୍ଦ୍ରର ଓପିଡିରେ ପହଞ୍ଚୁଥିବା ରୋଗୀମାନେ ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଆକଳନ କରାଯାଆନ୍ତି ଏବଂ ଏକ ଡ୍ରଗ ପରୀକ୍ଷା ଦିଆଯାଏ। ଅଧିକ ଗୁରୁତର ମାମଲାଗୁଡ଼ିକୁ ଡାକ୍ତରଖାନାରେ ଚିକିତ୍ସା ଏବଂ ପରାମର୍ଶ ପାଇଁ ଭର୍ତ୍ତି କରାଯାଏ। ଶ୍ରୀନଗରର ସରକାରୀ ଡାକ୍ତରୀ ମହାବିଦ୍ୟାଳୟରେ ଥିବା ମାନସିକ ରୋଗ ବିଭାଗର ଜଣେ ଡାକ୍ତର ଇକ୍ରା ଶାହ କୁହନ୍ତି, ‘‘ସପ୍ତାହେ ପରେ ଯେତେବେଳେ ଆମେ ଲକ୍ଷଣଗୁଡ଼ିକ ଆକଳନ କରୁ ଏବଂ ଦେଖୁ ଯେ ସେ ଚିକିତ୍ସା ଗ୍ରହଣ କରୁଛନ୍ତି ଆମେ ତାଙ୍କୁ ଡିସଚାର୍ଜ କରିଦେଉ।’’

ଡାକ୍ତରମାନେ ଡ୍ରଗ ଛାଡ଼ିବାକୁ ଔଷଧ ଦ୍ୱାରା ଚିକିତ୍ସା କରନ୍ତି। ଡକ୍ଟର ୟୁସୁଫ କୁହନ୍ତି, ‘‘ଆପଣ ଥରେ ମାଦକ ପଦାର୍ଥ ନେବା ବନ୍ଦ କଲେ ଆପଣ ଅତ୍ୟଧିକ ଝାଳ ବୋହିବା, ଥରିବା, ବାନ୍ତିଲାଗିବା, ବାଚାଳାମି, ମାଂସପେଶୀ ଯନ୍ତ୍ରଣା ଏବଂ ଶରୀର ବିନ୍ଧା ଅନୁଭବ କରିବେ।’’ ଡକ୍ଟର ହୁସେନ କୁହନ୍ତି, ମାଦକ ପଦାର୍ଥ ଅଭ୍ୟାସ କାରଣରୁ ଉନ୍ମାଦ ହୋଇଥିବା ଅନେକ ରୋଗୀଙ୍କୁ ଆଇଏମ୍‌ଏଚ୍‌ଏଏନ୍‌ଏସ୍‌ରେ ଭର୍ତ୍ତି କରାଯାଇଛି।

କଶ୍ମୀରରେ ମହିଳା ନିଶାଭ୍ୟାସି ମଧ୍ୟ ଅଛନ୍ତି, କିନ୍ତୁ ସେମାନେ ଶ୍ରୀନଗରରେ ନିଶାମୁକ୍ତି କେନ୍ଦ୍ରରେ ଚିକିତ୍ସିତ ହୁଅନ୍ତି ନାହିଁ। ଡକ୍ଟର ୟୁସୁଫ କୁହନ୍ତି, ‘‘ଅନେକ ମାମଲାରେ ଝିଅମାନେ ମଧ୍ୟ ହେରୋଇନ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ନେଉଛନ୍ତି, କିନ୍ତୁ ସେମାନଙ୍କର ସଂଖ୍ୟା କମ୍‌। ଯେହେତୁ ଆମର ସେମାନଙ୍କ ପାଇଁ ସୁବିଧା ନାହିଁ, ଆମେ ସେମାନଙ୍କୁ ଓପିଡିରେ ଚିକିତ୍ସା କରୁ ଏବଂ ସେମାନଙ୍କ ଯତ୍ନ ନେବାକୁ ପିତାମାତାଙ୍କୁ କହୁ।’’ ଡାକ୍ତରମାନେ ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କ କଥା ବୁଝିବା, ସେମାନଙ୍କୁ ମାଦକ ଦ୍ରବ୍ୟ ଅପବ୍ୟବହାର ସମ୍ପର୍କରେ ପରାମର୍ଶ ଦେବା ଏବଂ ସେମାନଙ୍କ ପିଲା ଠିକ୍‌ ସମୟରେ ମେଡିସିନ ଦେବା ଏବଂ ଏକୁଟିଆ ନ ରହିବା ସୁନିଶ୍ଚିତ କରାଇବା ପାଇଁ କହିଥାଆନ୍ତି।

୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ଶ୍ରୀନଗରର ନିଶାମୁକ୍ତି କେନ୍ଦ୍ର କଶ୍ମୀରରେ ଏମିତି ଏକମାତ୍ର ବ୍ୟବସ୍ଥା ଥିଲା। ଏହା ଆଇଏମ୍‌ଏଚ୍‌ଏଏନ୍‌ଏସ୍‌ ଜଡ଼ିତ ୬୩ଜଣ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଏମାନଙ୍କ ମଧ୍ୟରୁ ୨୦ଜଣ ମାନସିକ ରୋଗ ବିଶେଷଜ୍ଞ, ୬ଜଣ ଚିକିତ୍ସୀୟ ମନସ୍ତତ୍ତ୍ୱବିତ୍‌, ୨୧ ଜଣ ଆବାସିକ ଡାକ୍ତର ଏବଂ ୧୬ଜଣ ଚିକିତ୍ସୀୟ ମନସ୍ତତ୍ତ୍ୱର ଗବେଷଣା ଛାତ୍ର। ସରକାର ଏହି ବର୍ଷ ରାଜ୍ୟରେ ଆଉ ତିନୋଟି ନିଶାମୁକ୍ତି କେନ୍ଦ୍ର ବାରମୂଳା, କଠୁଆ ଏବଂ ଅନନ୍ତ ନାଗରେ ଖୋଲିଛନ୍ତି ବୋଲି ଡକ୍ଟର ହୁସେନ କହିଛନ୍ତି। ଏଥିସହିତ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ମାନସିକ ରୋଗ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କର ଓପିଡିଗୁଡ଼ିକରେ ନିଶାଭ୍ୟାସିମାନଙ୍କୁ ଚିକିତ୍ସା କରିବା ଆରମ୍ଭ କରିଛନ୍ତି।

Left: A young boy in a village on the outskirts of Srinagar using heroin.
PHOTO • Muzamil Bhat
Right: In Budgam,  a young man ingesting heroin
PHOTO • Muzamil Bhat

ବାମ : ଶ୍ରୀନଗର ବାହାରେ ଥିବା ଗୋଟିଏ ଗାଁ’ରେ ଜଣେ କମ୍‌ ବୟସର ବାଳକ ହେରୋଇନ ବ୍ୟବହାର କରୁଛନ୍ତି। ଡାହାଣ: ବୁଡ଼ଗାମ୍‌ରେ ଜଣେ ଯୁବକ ହେରୋଇନ ଇଞ୍ଜେକ୍ସନ ନେଉଛନ୍ତି

କଶ୍ମୀରରେ ଥିବା କ୍ରାଇମବ୍ରାଞ୍ଚ ଅଧିକାରୀମାନେ କୁହନ୍ତି ଯେ, ୨୦୧୬ଠାରୁ ଚରସ, ବ୍ରାଉନସୁଗର ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ନିୟନ୍ତ୍ରଣ ରେଖା ଆର ପାଖରୁ ଅଧିକ ପରିମାଣରେ ଆସୁଛି।  (କେହି ଅଧିକ କହିବାକୁ ଚାହୁଁନାହାଁନ୍ତି କିମ୍ବା କାରଣ ସମ୍ପର୍କରେ ଔପଚାରିକ ଭାବରେ କହିବାକୁ ଚାହୁଁନାହାଁନ୍ତି। ପରିଣାମସ୍ୱରୂପ ଡ୍ରଗ ଜବତ ହେବା ବଢ଼ିଛି। ଜମ୍ମୁ ଓ କଶ୍ମୀର ପୋଲିସର ୨୦୧୮ ନିମନ୍ତେ କ୍ରାଇମଗେଜେଟ୍‌ ସୂଚିତ କରିଛି ଯେ, ସେହି ବର୍ଷ ପ୍ରାୟ ୨୨ କିଲୋ ହେରୋଇନ ଜବତ ହୋଇଥିଲା। ହେରୋଇନ ବ୍ୟତୀତ ପୋଲିସ ମଧ୍ୟ ୨୪୮.୧୫୦ କିଲୋ ଚରସ ଏବଂ ପ୍ରାୟ ୨୦ କିଲୋ ବ୍ରାଉନସୁଗର ଜବତ କରିଥିଲା।

ନିୟମିତ ଭାବରେ ପୋଲିସ ଦ୍ୱାରା କୁହାଯାଉଥିବା ଅନୁଯାୟୀ, ପ୍ରେସ ବିଜ୍ଞପ୍ତି ପ୍ରକାଶିତ ହେଉଛି ଯେ, ଅଫିମ ଉତ୍ପାଦ ଏବଂ ହେରୋଇନର ଉତ୍ସ ହଜାର ହଜାର ଏକର ଅଫିମ ଫସଲ ସାରା କଶ୍ମୀରରେ ନଷ୍ଟ କରାଯାଇଛି ଏବଂ ନିଶା ବ୍ୟବସାୟୀମାନଙ୍କୁ ଗିରଫ କରାଯାଇଛି। କିନ୍ତୁ ସମସ୍ୟା ସେମିତି ରହିଛି। ପୁଲଓ୍ୱାମା ଜିଲ୍ଲାର ରୋହୁମୁର ଜଣେ ୧୭ବର୍ଷ ବୟସ୍କ ମେକାନିକ ମୁନୀବ ଇସମାଇଲ (ପରିବର୍ତ୍ତିତ ନାମ) କୁହନ୍ତି, ‘‘ମୋ ଅଞ୍ଚଳରେ ହେରୋଇନ ସିଗାରେଟ ପରି ଉପଲବ୍ଧ। ମୋତେ ଏହା ପାଇବା ପାଇଁ କଷ୍ଟକରିବାକୁ ହେବନି।’’ ନିଶାମୁକ୍ତି କେନ୍ଦ୍ରରେ ଅନ୍ୟ ନିଶାଭ୍ୟାସିମାନେ ମଧ୍ୟ ଏହା ପୁଷ୍ଟି କରନ୍ତି ଯେ, ମାଦକଦ୍ରବ୍ୟ ହାସଲ କରିବା ସହଜ। ଡିଲରମାନେ ଯେଉଁମାନେ କି ସ୍ଥାନୀୟ ଲୋକ କୁହାକୁହିରେ ବ୍ୟବସାୟ କରନ୍ତି। ସେମାନେ ଯୁବକ (ଏବଂ ମହିଳା)ମାନଙ୍କୁ ପ୍ରଥମେ ମାଗଣା ଧୂମପାନ ଦ୍ୱାରା ନିଶାଭ୍ୟାସ ପ୍ରତି ଆକର୍ଷିତ କରନ୍ତି ଏବଂ ସେମାନେ ଏଥିରେ ପଡ଼ିଗଲେ ମାଦକ ଦ୍ରବ୍ୟ ବିକ୍ରୟ କରନ୍ତି।

ଉଦାହରଣସ୍ୱରୂପ, ଦକ୍ଷିଣ କଶ୍ମୀରର ଗୋଟିଏ ଅଞ୍ଚଳରେ ନିଶାଭ୍ୟାସିମାନେ ଖୋଲାଖୋଲି ଭାବରେ ଜଣେ ଡିଲରଙ୍କ ଘରକୁ ସେଠାରେ ଡ୍ରଗ୍ସ ବ୍ୟବହାର କରିବା ପାଇଁ ଯାଆନ୍ତି ବୋଲି ନିଜ ନାମ ଗୋପନ ରଖିବାର ଅନୁରୋଧ କରି ନିଶାମୁକ୍ତି କେନ୍ଦ୍ରର ଜଣେ ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି। ସେ କୁହନ୍ତି, ‘‘ସେମାନେ ମୋତେ କହିଲେ ଏପରିକି ପୋଲିସ ଏହି ଘର ସମ୍ପର୍କରେ ଜାଣେ କିନ୍ତୁ ସେମାନେ ଏ ସମ୍ପର୍କରେ କିଛି କରନ୍ତି ନାହିଁ।’’ ସାରା ଉପତ୍ୟକାରେ ଏମିତି ଅନେକ ଘର ଅଛି। (ପ୍ରଚ୍ଛଦ ଫଟୋ ପ୍ରଦର୍ଶିତ କରୁଛି ଜଣେ ନିଶାଭ୍ୟାସି ଧୂମପାନ ପରେ ବୁଡ଼ଗାମ୍‌ରେ ଗୋଟିଏ ଘର ବାହାରେ ବୁଲୁଛନ୍ତି।)

ତେବେ, ବରିଷ୍ଠ ପୋଲିସ ସୁପରିଟେଣ୍ଡେଣ୍ଟ, ଶ୍ରୀନଗର ହସିବ ମୁଗଲ କୁହନ୍ତି, ଯେ ନିଶା ଅଭ୍ୟାସ ଏକ ଚିକିତ୍ସୀୟ ସମସ୍ୟା। ଏହି ସମ୍ବାଦଦାତାଙ୍କ ସହ ଏକ ଏକ ସାକ୍ଷାତକାରରେ ସେ କହିଥିଲେ, ‘‘ଏହା ଡାକ୍ତରଙ୍କ ଦ୍ୱାରା କରାଯିବା ଆବଶ୍ୟକ। କଶ୍ମୀର ମାଦକଦ୍ରବ୍ୟ ଅପବ୍ୟବହାର ପାଇଁ ଅଧିକରୁ ଅଧିକ ନିଶାମୁକ୍ତି କେନ୍ଦ୍ର ଖୋଲାଯିବା ଆବଶ୍ୟକ।’’

Left: A well-known ground  in downtown Srinagar where addicts come for a smoke. Right: Another spot in Srinagar where many come to seek solace in drugs
PHOTO • Muzamil Bhat
 Another spot in Srinagar where many come to seek solace in drugs
PHOTO • Muzamil Bhat

ବାମ: ଶ୍ରୀନଗର ସହରତଳିରେ ଏକ ଜଣାଶୁଣା ପଡ଼ିଆ ଯେଉଁଠାକୁ ନିଶାଭ୍ୟାସିମାନେ ଧୂମପାନ ପାଇଁ ଆସନ୍ତି। ଡାହାଣ: ଶ୍ରୀନଗରରେ ଆଉ ଏକ ସ୍ଥାନ ଯେଉଁଠାକୁ ଅନେକ ମାଦକଦ୍ରବ୍ୟରେ ଶାନ୍ତି ଖୋଜିବା ପାଇଁ ଆସିଥାନ୍ତି

ଜୁନ୍‌ ୨୦୧୯ରେ ରାଜ୍ୟ ସରକାର ସାର୍ବଜନୀନ ମତାମତ ଆମନ୍ତ୍ରଣ ପରେ ଜମ୍ମୁ ଏବଂ କଶ୍ମୀରରେ ପ୍ରଥମ ମାଦକ ଦ୍ରବ୍ୟ ନିଶାମୁକ୍ତି ନୀତି ଚୂଡ଼ାନ୍ତ କରିଥିଲେ। ଏହା ପର୍ଯ୍ୟାୟକ୍ରମେ ଲାଗୁ କରାଯାଉଛି। ଏହି ଗତ ଦୁଇ ଦଶକରେ ଜମ୍ମୁ-କଶ୍ମୀରରେ ମାଦକ ଦ୍ରବ୍ୟ ବ୍ୟବହାର ସମସ୍ୟାରେ ଭୀଷଣ ବୃଦ୍ଧି ଉଲ୍ଲେଖ କରି ଏହି ଦସ୍ତାବିଜ ସୂଚିତ କରୁଛି, ‘‘ଗତବର୍ଷ ଗୁଡ଼ିକରେ ପରିଚାଳିତ ଅଧ୍ୟୟନ ମହିଳା ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି, ପ୍ରଥମ ବ୍ୟବହାରର ବୟସ ହ୍ରାସ, ଦ୍ରବଣଗୁଡ଼ିକର ପରିବର୍ତ୍ତିତ ବୃଦ୍ଧି, ଇଞ୍ଜେକ୍ସନରେ ନିଆଯାଉଥିବା ଅଫିମ ଦ୍ରବ୍ୟ ଏବଂ ମାଦକ ଦ୍ରବ୍ୟ ସମ୍ପର୍କିତ ମୃତ୍ୟୁ (ମାତ୍ରାଧିକ ପରିମାଣ ଏବଂ ଦୁର୍ଘଟଣାଗୁଡ଼ିକ) ଆଦି ବୃଦ୍ଧି ମାମଲାରେ ମାଦକ ଦ୍ରବ୍ୟ ବ୍ୟବହାରର ଏକ ଉଦବେଗଜନକ ପରିବର୍ତ୍ତନ ପ୍ରଦର୍ଶନ କରୁଛି।’’

ଏହି ନୀତି ସରକାରୀ ଡାକ୍ତରୀ ମହାବିଦ୍ୟାଳୟ, ପୋଲିସ, ଗୁଇନ୍ଦା ବିଭାଗ, ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଏବଂ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ଏବଂ ନିଶାମୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେସରକାରୀ ଅନୁଷ୍ଠାନ ସମେତ ୧୪ଟି ରାଜ୍ୟ ଅନୁଷ୍ଠାନକୁ ମାଦକ ଦ୍ରବ୍ୟ ଅପବ୍ୟବହାର ନିୟନ୍ତ୍ରଣରେ ମୁଖ୍ୟ ଭାବରେ ତାଲିକାଭୁକ୍ତ କରିଛି।

ଧର୍ମ ଆଧାରିତ ସଂଗଠନ ଏବଂ ସ୍କୁଲଗୁଡ଼ିକୁ ମଧ୍ୟ ଏହି ସମସ୍ୟାର ନିରାକରଣରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ୨୦୧୯ ଜୁନ୍‌ରେ ଶ୍ରୀନଗରରେ ଏକ ଶୌଚାଳୟରେ ଜଣେ ଯୁବକଙ୍କର ମାଦକ ଦ୍ରବ୍ୟ ସମ୍ପର୍କିତ ମୃତ୍ୟୁ ସନ୍ଦେହ କରାଯିବା ପରେ ଡେପୁଟି କମିଶନର ସାହିଲ ଇକବାଲ ଚୌଧୁରୀ ମସଜିଦଗୁଡ଼ିକର ଧାର୍ମିକ ଉପଦେଷ୍ଟାମାନଙ୍କୁ ‘‘ମାଦକ ଦ୍ରବ୍ୟ ନିଶା ବିପଦ ବୃଦ୍ଧି ବିପକ୍ଷରେ ଉଚ୍ଚସ୍ୱରରେ କହିବା’’ ପାଇଁ ଅନୁରୋଧ କରିଥିଲେ।  ଏହି ଘଟଣାରେ ପରେ ଗୋଟିଏ ଧାର୍ମିକ ପ୍ରବଚନରେ ହୁରିୟାତ ନେତା ଏବଂ ଶ୍ରୀନଗର ଜାମ୍ମା ମସଜିଦର ମୁଖ୍ୟ ମୌଲବି ମିରଓ୍ୱାଇଜ ଉମର ଫାରୁକ କହିଥିଲେ ଯେ, ବହୁ ସଂଖ୍ୟକ ଯୁବକ ନିଶାପ୍ରତି ଆସକ୍ତ ହେବା ଉଦବେଗଜନକ। ଫାରୁକ କହିଥିଲେ, ‘‘ସହଜ ଅର୍ଥ ଏବଂ ସହଜ ଉପଲବ୍ଧତା, ପିତାମାତାଙ୍କ ଅସଚେତନତା ଏବଂ ଆଇନ କାର୍ଯ୍ୟକାରୀ କରୁଥିବା କର୍ତ୍ତୃପକ୍ଷଙ୍କର ନିଷ୍କ୍ରିୟତା ଏଥିରେ ଯୋଗଦାନ ଦେଉଛି। ଆମେ ଏହି ବିପଦକୁ ଅତିକ୍ରମ କରିବା ପାଇଁ ଏ ସମସ୍ତ କ୍ଷେତ୍ରରୁ କାର୍ଯ୍ୟ କରିବା ଆବଶ୍ୟକ।’’

କିନ୍ତୁ ବର୍ତ୍ତମାନ ପାଇଁ ଏହି ବିପଦ ରହିଛି ଏବଂ ଏ ପର୍ଯ୍ୟନ୍ତ ଘରେ ତାଲା ବନ୍ଦ ହୋଇଥିବା ଆଜଲାନଙ୍କ ପରି ଅନେକ ପରିବାର ସେମାନଙ୍କ ପୁଅମାନଙ୍କୁ ରାସ୍ତାକୁ ଫେରାଇ ଆଣିବାକୁ କଠିନ ପରିଶ୍ରମ କରୁଛନ୍ତି। ବାସିର କୁହନ୍ତି, ‘‘ଯେତେବେଳେ ଆଜଲାନ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି ହୋଇଥିଲା, ମୁଁ ସେଠାରେ ସପ୍ତାହ ପରେ ସପ୍ତାହ କଟାଇଛି। ବର୍ତ୍ତମାନ ମଧ୍ୟ ମୋତେ କାମ ଛାଡ଼ି ଆସିବାକୁ ପଡୁଛି। ଏହା ଦେଖିବା ପାଇଁ ଯେ ଆଜଲାନ ଭଲ ଅଛି। ମୁଁ ଆର୍ଥକ ଭାବରେ ଏବଂ ଶାରୀରିକ ଭାବରେ ଭାଙ୍ଗି ପଡ଼ିଛି। ଆଜଲାନର ନିଶାଭ୍ୟାସ ମୋ ମେରୁଦଣ୍ଡ ଭାଙ୍ଗି ଦେଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shafaq Shah

Shafaq Shah is a Srinagar based freelance journalist.

Other stories by Shafaq Shah