ଦୁଇ ବର୍ଷ ପୂର୍ବେ, ରୁଖସାନା ଖାତୁନ, ବିହାର ଦରଭଙ୍ଗା ଜିଲ୍ଲାରେ ଥିବା ତାଙ୍କ ସ୍ୱାମୀଙ୍କ ଗ୍ରାମ ମୋହନ ବାହେରାରେ ରାସନ କାର୍ଡ ପାଇଁ ଆବେଦନ କରିଥିଲେ। ସେହିବର୍ଷ ପରିବାରର ପକ୍କା ଘର ସମ୍ପୂର୍ଣ୍ଣ ହୋଇଥିଲା, ରୁଖସାନା ଆଧାର କାର୍ଡ ପାଇଁ ମଧ୍ୟ ଆବେଦନ କରିଥିଲେ, ଯାହାକୁ ସେ ପାଇଥିଲେ। ପୂର୍ବରୁ ସେ ଦୁଇ ଥର ରାସନ କାର୍ଡ ପାଇଁ ଆବେଦନ କରିଥିଲେ, କିନ୍ତୁ କେବେ ଆସିନଥିଲା।

ଏହା ତାଙ୍କର ତୃତୀୟ ଚେଷ୍ଟା ଥିଲା, ଅଗଷ୍ଟ ୨୦୧୮ରେ, ଏବଂ ସେ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲେ।

୩୦ ବର୍ଷ ବୟସ୍କା ରୁଖସାନା ଏବଂ ତାଙ୍କ ସ୍ୱାମୀ ୩୪ ବର୍ଷ ବୟସ୍କ ମହମ୍ମଦ ୱାକିଲ କଠିନ ପରିଶ୍ରମ କରୁଥିଲେ ଏବଂ ଭଲରେ ପରିବାର ଚଳାଇ ନେଉଥିଲେ। ପଶ୍ଚିମ ଦିଲ୍ଲୀର ପଟେଲ ନଗରରେ ଥିବା ୫ଟି ଘରେ ରୁଖସାନା ଘରୋଇ ସେବିକା ଭାବେ କାମ କରୁଥିଲେ, ଏବଂ ୱାକିଲ ଦରଜୀ କାମ କରି ଯାହା ଆୟ କରୁଥିଲେ, ଦୁହେଁ ମିଶି ମାସକୁ ୨୭,୦୦୦ ଟଙ୍କା ଆୟ କରି ନେଉଥିଲେ। ଏପରିକି ତାଙ୍କର ଛଅ ଜଣିଆ ପରିବାର (୧୨,୮,୨ ବର୍ଷର ତିନି ଝିଅ ଏବଂ ୧୦ ବର୍ଷର ପୁଅ ସମେତ) ର ଖର୍ଚ୍ଚ ତୁଲାଇ ନେଉଥିଲେ ଏବଂ ଗାଁରେ ଥିବା ୱାକଲିଙ୍କ ଗୃହିଣୀ ମା’ଙ୍କ ନିକଟକୁ ଦୁଇ ହଜାର ଟଙ୍କା ପଠାଇ ପ୍ରତି ମାସ କିଛି ସଞ୍ଚୟ କରି ପାରୁଥିଲ।

କଠିନ ପରିଶ୍ରମ ଯୋଗୁ ସବୁ ସମ୍ଭବ ହେଉଥିଲା। ୱାକିଲ ପଶ୍ଚିମ ଦିଲ୍ଲୀର ନୂଆ ରଞ୍ଜିତ ନଗର  ଅଞ୍ଚଳରେ ଏକ ଛୋଟିଆ ଦରଜୀ ଦୋକାନ ଖୋଲିଥିଲେ, ସେ ମାସିକ ଏଥିରୁ ୧୨,୦୦୦ ଟଙ୍କା ଆୟ କରିବା ଲାଗି ଆଶା କରିଥିଲେ, ଯାହାକୁ ସେ ଦରଜୀ ଦୋକାନର କର୍ମଚାରୀ ଭାବେ ଆଣିଥିଲେ। ଏହା ଥିଲା ମାର୍ଚ୍ଚ ୧୫, ୨୦୨୦ର କଥା।

ଏହାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ, ଭାରତ ସାରା ରାଷ୍ଟ୍ରବ୍ୟାପୀ ଲକଡାଉନ ଲାଗୁ କରି ଦିଆଗଲା।

ରୁଖସାନାକୁ କାମରେ ରଖିଥିବା ଲୋକମାନେ ତାଙ୍କୁ ଘରକୁ ଆସିବା ଲାଗି ମନା କରି ଦେଲେ ଏବଂ ଖୁବଶୀଘ୍ର ଏହା ସ୍ପଷ୍ଟ ହୋଇଗଲା ଯେ ଲକଡାଉନ ମାସଗୁଡ଼ିକରେ ତାଙ୍କୁ କୌଣସି ପାରିଶ୍ରମିକ ମିଳିବ ନାହିଁ। ପାଞ୍ଚଟି ଘରୁ ୧୫,୦୦୦ ଟଙ୍କା ଆୟ କରିବା ପରିବର୍ତ୍ତେ ସେ ମାତ୍ର ଗୋଟିଏ ଘରେ ରୋଷେଇ କାମ ଜାରି ରଖିଲେ ଏବଂ ୨,୪୦୦ ଟଙ୍କା ଆୟ କରୁଥିଲେ। ଜୁନ ବେଳକୁ ସେ ଚାକିରି ମଧ୍ୟ ତାଙ୍କୁ ହରାଇବାକୁ ପଡ଼ିଲା, କିନ୍ତୁ ଖୁବ ଶୀଘ୍ର ସେ ଆଉ ଏକ ଘର ସଫା ଓ ରୋଷେଇ କାମ ପାଇଗଲେ, ଯେଉଁଠି ତାଙ୍କୁ କାମରେ ରଖିଥିବା ଲୋକ, ‘ସୁପର ସ୍ପ୍ରେଡର’ଙ୍କୁ ନେଇ ଚିନ୍ତିତ ଥିଲେ ଏବଂ ସେ ମସଜିଦକୁ ଯାଇଥିଲେ କି ବୋଲି ପ୍ରଶ୍ନ କରିଥିଲେ। “ମୁଁ ଖରାପ ଭାବିଲି ନାହିଁ। ସମସ୍ତେ କରୋନାକୁ ନେଇ ଭୟଭୀତ ଥିଲେ, ତେଣୁ ମୁଁ ତାଙ୍କର ଚିନ୍ତା ବୁଝିପାରୁଥିଲି”, ରୁଖସାନା କହିଥିଲେ।

When Rukhsana and her family couldn't pay rent for their room in West Delhi, the landlord asked them to leave
PHOTO • Chandni Khatoon
When Rukhsana and her family couldn't pay rent for their room in West Delhi, the landlord asked them to leave
PHOTO • Chandni Khatoon

ଯେତେବେଳେ ରୁଖସାନା ଓ ତାଙ୍କ ପରିବାର ପଶ୍ଚିମ ଦିଲ୍ଲୀରେ ଥିବା ସେମାନଙ୍କ ଭଡ଼ା ଘର ପାଇଁ ଭଡ଼ା ଦେଇପାରିଲେ ନାହିଁ, ଘର ମାଲିକ ତାଙ୍କୁ ଛାଡ଼ି ଚାଲିଯିବା ଲାଗି କହିଲେ

ଜୁନ ବେଳକୁ, ପରିବାରର ସମସ୍ତ ସଞ୍ଚୟ ସରି ଯାଇଥିଲା। ଗାଁରେ ଜଣେ ତାଙ୍କୁ ପ୍ରବାସୀ ଶ୍ରମିକଙ୍କ ପାଇଁ ବିହାର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବିଶେଷ ଆର୍ଥିକ ସହାୟତା ଯୋଜନାରେ ଯୋଗାଇ ଦିଆଯାଉଥିବା ୧୦୦୦ ଟଙ୍କା ଆର୍ଥିକ ସହାୟତା ବିଷୟରେ କହିବା ପରେ ସେମାନେ ଏହି ଏକକାଳୀନ ସହାୟତା ବିଷୟରେ ଦାବି କରିଥିଲେ।

“ନୀତୀଶ କୁମାରଙ୍କ ପକ୍ଷରୁ ଦିଆଯାଇଥିବା ସହାୟତା ଟଙ୍କା ଉଠାଇବାକୁ ମୁଁ ସକ୍ଷମ ହେଲି, କିନ୍ତୁ ମୋଦୀ ଦେଇଥିବା ଟଙ୍କା ଉଠାଇ ପାରିଲି ନାହିଁ”, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏପ୍ରିଲ ମାସ ପରଠାରୁ ଯୋଗାଇ ଦିଆଯାଉଥିବା ମାସିକ ୫୦୦ ଟଙ୍କା ସହାୟତା ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରି ରୁଖସାନା କହିଥିଲେ। ବ୍ୟାଙ୍କ ପକ୍ଷରୁ ତାଙ୍କୁ କୁହାଗଲା ଯେ ତାଙ୍କ ଆକାଉଣ୍ଟ ଲିଙ୍କ ହେବା ସମୟରେ କେତେକ ତ୍ରୁଟି ରହିଥିଲା। “କ୍ୟା ହୋତା ହେ ୧,୦୦୦ ରୁପେୟା ସେ? ଏପରିକି ଏହା ଦୁଇ ଦିନ ସୁଦ୍ଧା ଗଲା ନାହିଁ”, ସେ କହିଲେ।

ମାର୍ଚ୍ଚ ଶେଷ ବେଳକୁ ତାଙ୍କ ଘର ପାଖରେ ଥିବା ସରକାରଙ୍କ ଦ୍ୱାରା ପରିଚାଳିତ ସର୍ବୋଦୟ କନ୍ୟା ବିଦ୍ୟାଳୟରେ ମିଳୁଥିବା ଦିନକୁ ଦୁଇ ବେଳା ଭୋଜନ-ଥରେ ପୂର୍ବାହ୍ନ ୧୧ଟାରେ ଏବଂ ଆଉ ଥରେ ଅପରାହ୍ଣ ୫ଟାରେ କିଛି ମାତ୍ରାରେ ସହାୟକ ହୋଇଥିଲା। “ଉଭୟ ଥର, ସେମାନେ ଆମକୁ ଭାତ ଡାଲି କିମ୍ବା ରାଜମା ଦେଉଥିଲେ। କୌଣସି ମସଲା, ଲୁଣ ନଥିଲା-ରୋଗୀଙ୍କ ଖାଦ୍ୟ ଭଳି ଲାଗୁଥିଲା। ୨୦୦ ଲୋକଙ୍କ ସହିତ ମୋତେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା। ଯଦି ମୁଁ ଆଗୁଆ ପହଞ୍ଚୁଥିଲି, ଗୋଟିଏ ମିଲ ମିଳୁଥିଲା।” ନଚେତ, ରୁଖସାନା କିଛି ଦୂରରେ ରହି, ଘରୋଇ ସେବିକା ଭାବେ କାମ କରୁଥିବା ତାଙ୍କ ମା’ଙ୍କ ପାଖକୁ ଯାଇ ଦିନକ ପାଇଁ ଭାତ ଓ ଡାଲି ଯୋଗାଡ଼ କରୁଥିଲେ। (ତାଙ୍କ ବାପା, ଜଣେ ଦିନ ମଜୁରିଆ ଥିଲେ, ଯିଏକି ବହୁବର୍ଷ ପୂର୍ବରୁ ଯକ୍ଷ୍ମାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ)

ବିଦ୍ୟାଳୟରେ ଯୋଗାଇ ଦିଆଯାଉଥିବା ଲକଡାଉନ ମିଲ କେବେବି ସମ୍ପୂର୍ଣ୍ଣ ପରିବାର ପାଇଁ ଯଥେଷ୍ଟ ହେଉନଥିଲା। “ମୋ ସ୍ୱାମୀ ଓ ମୁଁ  ଖୁବ ଅଳ୍ପ ଖାଉଥିଲୁ ଯାହାଫଳରେ ପିଲାମାନେ ଭୋକରେ ରହିବେ ନାହିଁ। ଆମ ପାଖରେ ଆଉ କି ବିକଳ୍ପ ଥିଲା? ଆମର ଏଠି ଏକ ରାସନ କାର୍ଡ ନଥିଲା। ଆମେ ଆମ ଗାଁରେ ଏକ ରାସନ କାର୍ଡ ପାଇଁ ଆବେଦନ କରିଥିଲୁ, କିନ୍ତୁ ତାହା ମିଳୁନଥିଲା”, ରୁଖସାନା ମୋତେ କହିଥିଲେ।

Rukhsana returned to Bihar in June with her four children, aged 12, 10, 8 and 2 (not in the picture)
PHOTO • Chandni Khatoon

ରୁଖସାନା ଜୁନମାସରେ ନିଜର ଚାରି ପିଲାଙ୍କ ସହିତ ବିହାରକୁ ଫେରିଗଲେ, ସେମାନଙ୍କ ବୟସ ୧୨, ୧୦, ୮ ଏବଂ ୨ (ଫଟୋରେ ନାହାନ୍ତି)

ମେ ଶେଷ ଆଡ଼କୁ, ଖାଦ୍ୟ ବିତରଣ ବନ୍ଦ ହୋଇଗଲା, ଅଧିକାଂଶ ପ୍ରବାସୀ ଶ୍ରମିକ ଘରକୁ ଫେରିଯାଉଥିଲେ, ସରକାରଙ୍କ ପକ୍ଷରୁ କୁହାଗଲା। ଏହାପରେ, ପୂର୍ବରୁ ରୁଖସାନାଙ୍କୁ କାମରେ ରଖିଥିବା ଜଣେ ବ୍ୟକ୍ତି ତାଙ୍କୁ କିଛି ରାସନ ଦେଲେ, ସେଥିରେ କିଛି ଗହମ, ଚାଉଳ ଓ ଡାଲି ଥିଲା। “ଆମେ ଦିଲ୍ଲୀରେ ରହିବାକୁ ପସନ୍ଦ କଲୁ କାରଣ ଗାଁରେ କିଛି କାମ ନଥିଲା। କିନ୍ତୁ ଏବେ ଏଠି ରହିବା କଷ୍ଟ ହେଉଛି”, ରୁଖସାନା ମୋତେ ଜୁନ ୧୧ରେ ଫୋନରେ କହିଥିଲେ।

ତେଣୁ ସେହି ମାସରେ, ୱାକିଲଙ୍କୁ ଦିଲ୍ଲୀରେ ଛାଡ଼ି, ସେ ଓ ତାଙ୍କ ପିଲାମାନେ ସେଠାରୁ ପାଖାପାଖି ୧,୧୭୦ କିମି ଦୂର ଦରଭଙ୍ଗାରେ ଥିବା ସେମାନଙ୍କ ଗାଁକୁ ଫେରିଯିବା ଲାଗି ଯୋଜନା କଲେ।

କିନ୍ତୁ ସେତେବେଳକୁ ତିନି ମାସର ଘର ଭଡ଼ା (୧୫,୦୦୦ଟଙ୍କା), ସହିତ ୱାକିଲଙ୍କ ନୂଆ ଦୋକାନ(୧୬,୫୦୦) ଟଙ୍କାର ବୋଝ ପଡ଼ି ରହିଥିଲା। ପରିବାରର ଅନୁରୋଧ କ୍ରମେ ଘର ମାଲିକ ଦୁଇ ମାସର ଭଡ଼ା ଛାଡ଼ କରିଦେଲେ। ବିହାର ଯିବା ପୂର୍ବରୁ ରୁଖସାନା ପୂର୍ବରୁ ତାଙ୍କୁ କାମରେ ରଖିଥିବା ମାଲିକଙ୍କ ଠାରୁ ଟଙ୍କା ଆଣି ଗୋଟିଏ ମାସର ଘର ଭଡ଼ା ଓ ଦୋକାନ ଭଡ଼ା ଦେବାକୁ ସକ୍ଷମ ହୋଇଥିଲେ।

ବିହାରରେ, ତାଙ୍କର ଆଶାଥିଲା ଯେ ତାଙ୍କୁ ମିଳିବାକୁ ଥିବା ରାସନ କାର୍ଡରୁ ସେ କିଛି ଖାଦ୍ୟସାମଗ୍ରୀ ପାଇବେ-କିନ୍ତୁ ତାହା ତାଙ୍କୁ ମିଳିନଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅନ୍ତର୍ଗତ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାର ଶସ୍ତାରେ ଖାଦ୍ୟ ସାମଗ୍ରୀ- କିଲୋ ପ୍ରତି ୩ ଟଙ୍କାରେ ଚାଉଳ, ୨ ଟଙ୍କାରେ ଗହମ ଏବଂ ମୋଟା ଶସ୍ୟ ୧ଟଙ୍କାରେ- ସାଧାରଣ ବଣ୍ଟନ ବ୍ୟବସ୍ଥାର ‘ସୁଲଭ ମୂଲ୍ୟ କେନ୍ଦ୍ର’ (ରାସନ କେନ୍ଦ୍ର)ରୁ ପାଇବାକୁ ଯୋଗ୍ୟ ବିବେଚିତ ହେଉଥିଲେ। ‘ପ୍ରାଥମିକତା’ ବର୍ଗର ପରିବାରକୁ ମାସିକ ୨୫କିଗ୍ରା ଖାଦ୍ୟଶସ୍ୟ ଏବଂ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ଆସୁଥିବା ପରିବାରଗୁଡ଼ିକୁ ପ୍ରତି ମାସ ୩୫ କିଗ୍ରା ଖାଦ୍ୟଶସ୍ୟ ଦିଆଯିବାର ବ୍ୟବସ୍ଥା ରହିଛି।

ମେ ୨୦୨୦ରେ, ରାଷ୍ଟ୍ରବ୍ୟାପୀ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଗଲା(୨୦୨୧ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ନେଇ)। ଏହା ହିତାଧିକାରୀଙ୍କ ଆଧାର ନମ୍ବର ସହ ମିଶ୍ରଣ ହେବା ପରେ ରାସନ କାର୍ଡର ‘ପୋର୍ଟେବିଲିଟି’କୁ (ଯେଉଁଠି ଏହା ପଞ୍ଜିକୃତ ହୋଇଥାଉ ପଛେ) ଅନୁମତି ଦେଇଛି। ଯଦି ବାସ୍ତବରେ ଏହା ହେବ, କାର୍ଯ୍ୟକାରୀ ହୋଇଥାନ୍ତା, ରୁଖସାନାଙ୍କ ଭଳି ଯେକୌଣସି ପରିବାର ଦେଶର କୌଣସି କେନ୍ଦ୍ରରୁ ପିଡିଏସ ରାସନ ପାଇପାରିବାର ସ୍ଥିତିରେ ଥାଆନ୍ତେ।

ପଟେଲ ନଗରରେ ରହୁଥିବା ପଡ଼ୋଶୀ ପରିବାର ନୂଆ ‘ପୋର୍ଟେବିଲିଟି ଖବର ଜାଣିଥିଲେ ଏବଂ ସେମାନେ ରୁଖସାନା ଓ ୱାକିଲଙ୍କୁ ଏ ଖବର ଦେଲେ। ପରିବାରର ରାସନ କାର୍ଡ ଏବେ ସୁଦ୍ଧା ବିହାରରେ ପଡ଼ି ରହିଥିଲା, ଏହାର ଲାଭ ମିଳିବା ଆହୁରି କଷ୍ଟକର ହୋଇପଡ଼ିଥିଲା।

“ପରବର୍ତ୍ତୀ ମାସଗୁଡ଼ିକ ପାଇଁ ଆମକୁ ପ୍ରସ୍ତୁତ ହେବାର ଥିଲା। ଆମେ ଦିଲ୍ଲୀରେ କାମ ପାଇବୁ କି ନାହିଁ କିଏ ଜାଣେ? ଆମେ ଏପରି ଏକ ସମୟରେ ଏହି ନୂଆ ବ୍ୟବସ୍ଥା ସହିତ ରାସନ କାର୍ଡ ଥିଲେ ରାଜଧାନୀରେ ତିଷ୍ଠି ପାରିବୁ’’,ରୁଖସାନା କହିଥିଲେ । “ନହେଲେ, ଆମେ ବିହାରକୁ ଫେରିଯିବୁ। ଏପରିକି ଗାଁରେ କୌଣସି କାମ ନଥିଲେବି, ଆମେ ଏକ ରାସନ କାର୍ଡରେ ଆମର ପେଟ ପୂରାଇବାକୁ ତ’ ସକ୍ଷମ ହେବୁ।’’

In March, Rukhsana's husband Mohammed Wakil had opened a tailoring shop in Delhi. Now, he is struggling to re-start work
PHOTO • Sanskriti Talwar
In March, Rukhsana's husband Mohammed Wakil had opened a tailoring shop in Delhi. Now, he is struggling to re-start work
PHOTO • Sanskriti Talwar

ମାର୍ଚ୍ଚରେ, ରୁଖସାନାଙ୍କ ସ୍ୱାମୀ ମହମ୍ମଦ ୱାକିଲ ଦିଲ୍ଲୀରେ ଏକ ଦରଜୀ ଦୋକାନ ଖୋଲିଥିଲେ। ବର୍ତ୍ତମାନ ସେ କାମ ଆରମ୍ଭ କରିବା ଲାଗି ସଂଘର୍ଷ କରୁଛନ୍ତି

ଜୁନ ୧୭ ତାରିଖରେ, ସେ ଓ ତାଙ୍କର ପିଲାମାନେ ଏକ କୋଭିଡ୍ -19 ସ୍ୱତନ୍ତ୍ର ଟ୍ରେନ୍ ବିହାର ସମ୍ପର୍କ କ୍ରାନ୍ତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଚଢ଼ିଲେ। ୱାକିଲ୍ ଦିଲ୍ଲୀରେ ରହିଲେ, ଆଶା ଥିଲା ପୁଣିଥରେ କାମ ଆରମ୍ଭ କରିବେ।

ସେଠି ବିହାରରେ, ସେପ୍ଟେମ୍ବର ଆରମ୍ଭ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ଏବଂ ଦରଭଙ୍ଗାରେ ଜୁଲାଇ ଓ ଅଗଷ୍ଟ ମାସରେ ବନ୍ୟା ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। ଯଦିଓ ମୋହନ ବାହେରା ଗ୍ରାମ ବନ୍ୟାପ୍ଳାବିତ ହୋଇନଥିଲା, ରାସନ କାର୍ଡ ପାଇଁ ଅନୁସନ୍ଧାନ କରିବାକୁ ଯିବା ଆହୁରି କଷ୍ଟକର ହୋଇପଡ଼ିଥିଲା। ତଥାପି ଜୁଲାଇ ଓ ଅଗଷ୍ଟ ୨୦୨୦ରେ ରୁଖସାନା ଦୁଇ ଥର ଘର ଠାରୁ ଦଶ କିମି ଦୂର ବେଣୀପୁର ନଗର ପରିଷଦକୁ ଯାଇ ଦେଖିଥିଲେ ଯେ ରାସନ ଅଫିସ ବନ୍ଦ ରହିଛି।

ସେପ୍ଟେମ୍ବରରେ, ସେ ପୁଣିଥରେ ବେଣୀପୁର ଯାଇ ତାଙ୍କ ରାସନ କାର୍ଡ ବିଷୟରେ ପଚାରିଲେ। ସେଠାରେ ଥିବା ଅଧିକାରୀମାନେ ତାଙ୍କୁ କହିଲେ ଯେ ତାହା ଆସିନାହିଁ ଏବଂ ତାଙ୍କୁ ପୁଣିଥରେ ଆବେଦନ କରିବାକୁ ପଡ଼ିବ।

“ଅଗଷ୍ଟ ୨୦୧୮ରେ, ତୃତୀୟ ଥର ମୁଁ ମୋ ଶାଶୂଙ୍କ ସହ ବେଣୀପୁର ଯାଇ ରାସନ କାର୍ଡ ପାଇଁ ଆବେଦନ କରିଥିଲି, ଅଧିକାରୀମାନେ ମୋତେ ଏକ କାଗଜ ସ୍ଲିପ ଧରାଇ ଦେଇ ଥିଲେ ଏବଂ କହିଥିଲେ ଯେ ଏହା ଆମ ଗାଁରେ ଥିବା ଘରକୁ ଯିବ। କିନ୍ତୁ ମୋ ଶାଶୂ ଏହାକୁ ପାଇନଥିଲେ,” ସେ କହିଥିଲେ। ସେହିମାସ ତାଙ୍କର ପକ୍କା ଘର ମୋହନ ବାହେରା ଗ୍ରାମରେ ଆଂଶିକ ଭାବେ ସମ୍ପୂର୍ଣ୍ଣ ହୋଇଥିଲା, ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀଠାରୁ ୩୫,୦୦୦ ଟଙ୍କା ଋଣ ଆଣି ଏହି ଘର ତିଆରି କରିଥିଲେ।

ରୁଖସାନା ରାସନ କାର୍ଡ ପାଇଁ ଆବେଦନ କରିବାକୁ ପାଞ୍ଚ ବର୍ଷ ହୋଇଗଲାଣି। ସବୁଥର ତାଙ୍କୁ ସ୍ଲିପ ଧରାଇ ଦିଆଯାଉଛି, କାର୍ଡ ଆସୁନାହିଁ। ତୃତୀୟ ଥର ପାଇଁ ଅଗଷ୍ଟ ୨୦୧୮ରେ ସେ ଉଦ୍ୟମ କରିଥିଲେ(ଜୁନ ୨୦୨୦ ପୂର୍ବରୁ ସେ ଏହି ସମୟରେ ଶେଷ ଥର ପାଇଁ ବିହାର ଯାଇଥିଲେ), ଏଥର ବେଣୀପୁରରେ ଆବେଦନ ସହିତ ସେ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡର ଗୋଟିଏ ଲେଖାଏଁ କପି ଧରାଇ ଦେଇଥିଲେ। କିନ୍ତୁ  ପରିବାର ଲୋକଙ୍କ ଆଧାର କାର୍ଡରେ ଦିଲ୍ଲୀର ଠିକଣା ଥିଲା, ତେଣୁ ସେ କାର୍ଡରେ ଥିବା ଏହି ଠିକଣାକୁ ବଦଳାଇ ଗାଁ ଠିକଣା ସହିତ ରାସନ କାର୍ଡ ଲାଗି ଆବେଦନ କରିଥିଲେ।

'My husband would rather stay hungry than ask anyone for help,' says Rukhsana, who awaits her ration card in Mohan Bahera village
PHOTO • Rubi Begum

ମୋ ସ୍ୱାମୀ କାହାକୁ ସହାୟତା ମାଗିବା ପରିବର୍ତ୍ତେ ଭୋକରେ ରହିଯିବେ,’ ରୁଖସାନା କୁହନ୍ତି, ଯିଏକି ତାଙ୍କର ରାସନ କାର୍ଡ ପାଇଁ ମୋହନ ବାହେରା ଗାଁରେ ଅପେକ୍ଷାରତ ଅଛନ୍ତି

ଅକ୍ଟୋବର ୬ ତାରିଖରେ ସେ ମୋତେ ଫୋନରେ କହିଲେ, “ଏପରି ସବୁ କାର୍ଯ୍ୟ କରିବା ଲାଗି, ଏଠାରେ ଟଙ୍କା(ଲାଞ୍ଚ) ଦେବା ଜରୁରି। ଏହାପରେ ତୁମର ସବୁକାମ ହୋଇଯିବ।” ସେ ଭାବୁଛନ୍ତି ଏତେ ଉଦ୍ୟମ ପରେ ମଧ୍ୟ ତାଙ୍କୁ ଏଥିପାଇଁ ରାସନ କାର୍ଡ ମିଳୁନାହିଁ କାରଣ ଏବେ ବି ଦିଲ୍ଲୀରେ ତାଙ୍କ ମା’ଙ୍କ ରାସନ କାର୍ଡରେ ତାଙ୍କର ନାଁ ରହିଛି। “ତା’କୁ ହଟାଇ ଦେବାର ଆବଶ୍ୟକତା ରହିଛି। ତା’ ପରେ ଯାଇ ଏଠି କିଛି ହୋଇପାରିବ।”

ସେଥିପାଇଁ ଅନେକ ଥର ରାସନ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ, ଅଧିକ କାଗଜପତ୍ର କାମ କରିବାକୁ ପଡ଼ିବ।

ସେଠି ଦିଲ୍ଲୀରେ, ୱାକିଲଙ୍କୁ ଅଗଷ୍ଟ ପରଠାରୁ କିଛି ଦରଜୀ ଅର୍ଡର ମିଳିବାକୁ ଲାଗିଲାଣି। “ବେଳେ ବେଳେ ଜଣେ କିମ୍ବା ଦୁଇ ଜଣ ଗ୍ରାହକ ଆସୁଛନ୍ତି। ମୁଁ ଦିନକୁ ୨୦୦-୨୫୦ ଟଙ୍କା ଆୟ କରୁଛି। ନଚେତ ଆଦୌ ଗ୍ରାହକ ନାହାନ୍ତି,” ସେ କୁହନ୍ତି। ସେ ଘରକୁ ମାସିକ ୫୦୦ ଟଙ୍କା ପଠାଇବାକୁ ସକ୍ଷମ ହେଉଛନ୍ତି।

ଜୁନରୁ ଅଗଷ୍ଟ ମାସର ଭଡ଼ା ଦେଇନପାରିବାରୁ ଘର ମାଲିକ ୱାକିଲଙ୍କୁ ଘର ଖାଲି କରି ଚାଲିଯିବାକୁ କହିଲେ ଏବଂ ସେପ୍ଟେମ୍ବରରେ ସେ ଆହୁରି ଛୋଟ ଦୋକାନକୁ ଚାଲିଗଲେ; ଦୋକାନ ବାବଦ ଭଡ଼ା ଏବେ ସୁଦ୍ଧା ପଡ଼ି ରହିଛି। ରୁଖସାନା ଗାଁରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀରୁ ୩୦,୦୦୦ ଟଙ୍କା ଋଣ ଆଣି ଭଡ଼ା ଏବଂ ୧୨,୦୦୦ ଟଙ୍କାର କରଜ ସୁଝିଥିଲେ। ଦିଲ୍ଲୀରେ ତାଙ୍କର ପୂର୍ବ ମାଲିକଙ୍କ ଦୟା କାରଣରୁ ସେ ପରିବା ଦୋକାନୀ ଏବଂ ଅନ୍ୟ ଯେଉଁମାନଙ୍କ ଠାରୁ ବକେୟା ଆଣିଥିଲେ ସେମାନଙ୍କୁ ଟଙ୍କା ସୁଝିବାରେ ସକ୍ଷମ ହୋଇପାରିଥିଲେ। କିନ୍ତୁ ସେହି ଆବେଦନ ମଧ୍ୟ ବିଚାରାଧୀନ ଅଛି । ଅକ୍ଟୋବର ୧୬ ରେ ସେ ଋଣ ନେଇଥିଲେ। ଜଣେ ଗ୍ରାମବାସୀଙ୍କଠାରୁ ୧୦,୦୦୦ ଯେତେବେଳେ ଦିଲ୍ଲୀର ଜଣେ ପୂର୍ବ ନିଯୁକ୍ତିଦାତା ତାଲା ପକାଇବା ସମୟରେ ଋଣ କରିଥିବା ଟଙ୍କା ଫେରସ୍ତ କରିବାକୁ କହିଥିଲେ।

କିଛି ଦିନ ପାଇଁ ବିହାରରେ ରହିବା ପାଇଁ ରୁଖସାନା ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ତାଙ୍କୁ ଘରୋଇ କାମ ମିଳିବାକୁ ନେଇ ସେ ଏବେବି ଅନିଶ୍ଚିତ ଅଛନ୍ତି ଏବଂ ଗାଁରେ ରାସନ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି।

“ମୁଁ ଜାଣିଛି ମୋର ସ୍ୱାମୀ ଭୋକରେ ରହିବେ କିନ୍ତୁ କାହାରିକୁ ସାହାଯ୍ୟ ମାଗିବେ ନାହିଁ,” ସେ କହିଥିଲେ। “କେବଳ ସରକାର କିଛି ଗୋଟେ କରିପାରିବେ ଏବଂ ଆମକୁ ରାସନ କାର୍ଡ ଦେବେ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sanskriti Talwar

Sanskriti Talwar is an independent journalist based in New Delhi. She reports on gender issues.

Other stories by Sanskriti Talwar