ପିଇବା ପାଣି ଟିକେ ପାଇବା ଲାଗି ଗଙ୍ଗୁବାଇ ଚଭନଙ୍କୁ କାକୁତି ମିନତି କରିବାକୁ ହିଁ ପଡ଼ିବ। “ସରକାର! ୱାଚମ୍ୟାନ୍‌ ସାହିବ ! ଆମକୁ ଟିକେ ପାଣି ପିଇବାକୁ ଦିଅନ୍ତୁ। ମୁଁ ଏଠାକାର ଜଣେ ବାସିନ୍ଦା, ଆଜ୍ଞା।”

ହେଲେ କେବଳ କାକୁତି ମିନତିରେ ଚଳିବ ନାହିଁ। ତାଙ୍କୁ ସେମାନଙ୍କୁ କଥା ଦେବାକୁ ପଡ଼ିବ ଯେ, “ମୁଁ ଆପଣଙ୍କର ଗରା ମାଠିଆ ଛୁଇଁବି ନାହିଁ।”

ଗଙ୍ଗୁବାଇ (ପରିବର୍ତ୍ତିତ ନାମ) ପିଇବା ପାଣି ପାଇଁ ଘରୋଇ ପାଣି କଳ, ଚା’ ଦୋକାନ, ଏବଂ ବିବାହ ଉତ୍ସବ ସ୍ଥଳ ଉପରେ ନିର୍ଭର କରନ୍ତି। ନାନ୍ଦେଡ଼ ନଗରୀର ଗୋକୁଲନଗର ଅଞ୍ଚଳରେ, ଫୁଟ୍‌ପାଥ ଉପରେ ଥିବା ତାଙ୍କ ‘ଘର’ ସାମନା ହୋଟେଲ ଏବଂ ଅନ୍ୟାନ୍ୟ କୋଠାବାଡ଼ିର ଜଗୁଆଳିମାନଙ୍କ ପାଖରେ ସେ ନେହୁରା ହୁଅନ୍ତି। ଏବଂ ଦିନେ ଅଧେ ନୁହେଁ, ସବୁଦିନ ଆଉ ସବୁ ସମୟରେ, ଯେତେବେଳେ ବି ତାଙ୍କର ପାଣି ଦରକାର ହୁଏ, ସେ ଏମିତି କରନ୍ତି।

ତାଙ୍କ ପାଇଁ ପାଣି ଖୋଜିବା ନିତିଦିନିଆ କାମ। ଏବଂ ଏହି ପାଣିଖୋଜା କାମର ବୋଝକୁ ବହୁଗୁଣିତ କରେ ଏକ ସାମାଜିକ କଳଙ୍କ ଭରା ଅବାଞ୍ଛିତ ଆକ୍ଷେପ। ସବୁଦିନ ସେ ଏଥିପାଇଁ ଲୋକଙ୍କ ଉପେକ୍ଷାର ସମ୍ମୁଖୀନ ହୁଅନ୍ତି ଯେ ସେ ଫାନ୍‌ସେ ପାର୍ଦ୍ଧି ଆଦିବାସୀ ସଂପ୍ରଦାୟର- ଯାହାକି ଏକଦା ଏକ ‘ଅପରାଧୀ ଆଦିବାସୀ’ ସଂପ୍ରଦାୟ ଭାବରେ ବିଜ୍ଞାପିତ ହୋଇଥିଲା। ଔପନିବେଶିକ ଯୁଗରେ ପରିଭାଷିତ ଏହି ପଦକୁ ୧୯୫୨ରେ ଭାରତ ସରକାର ଉଚ୍ଛେଦ କରିଥିଲେ । ତଥାପି, ୭୦ ବର୍ଷ ପରେ ବି, ଗଙ୍ଗୁବାଇଙ୍କ ଭଳି ବ୍ୟକ୍ତିମାନେ ନିଜ ଅଧିକାର ପାଇଁ ଲଢ଼େଇ କରନ୍ତି; ସେ ଜଣେ ଚୋର ନୁହଁନ୍ତି ବୋଲି ତାଙ୍କୁ ଅନ୍ୟମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ପଡ଼େ ଏବଂ ତେବେ ଯାଇ ସେ ଗୋଟିଏ ବାଲଟି ପାଣି ପାଇ ପାରନ୍ତି।

ଗଙ୍ଗୁବାଇ କହନ୍ତି, “ଆପଣ ଏଠି ରଖିଥିବା କୌଣସି ଜିନିଷକୁ ଆମେ ଛୁଇଁନାହୁଁ” ବୋଲି ଆମେ କହିବା ପରେ ହିଁ ସେମାନେ ଆମକୁ କିଛି ପାଣି ଦିଅନ୍ତି। ଥରେ ପାଣି ନେବାକୁ ଅନୁମତି ମିଳିଗଲା ପରେ, ସେ ପାଖରେ ଥିବା ତାଙ୍କର ସବୁ ପାତ୍ର, ପ୍ଲାଷ୍ଟିକ୍‌ ଡ୍ରମ୍‌ ଏବଂ ପାଣି ବୋତଲରେ, ଯେତେ ସମ୍ଭବ ସେତେ ପାଣି ସଂଗ୍ରହ କରି ନିଅନ୍ତି। ଗୋଟିଏ ହୋଟେଲ ମନା କରିବା ପରେ ସେ ପାଖରେ ଥିବା ଆଉ ଗୋଟିଏ ହୋଟେଲକୁ ଯାଆନ୍ତି। ହୋଟେଲ ମାଲିକମାନଙ୍କ ରୁକ୍ଷ ବ୍ୟବହାରକୁ ଅଣଦେଖା କରି ସେ ଚାରି ପାଞ୍ଚଟି ଜାଗାରେ ପାଣି ପାଇଁ ନତମସ୍ତକ ହୋଇ ଅନୁରୋଧ କରିବା ପରେ ହିଁ କେହି ଜଣେ ପାଣି ଦେବାକୁ ରାଜି ହୁଅନ୍ତି ଏବଂ ପିଇବା, ରାନ୍ଧିବା ଏବଂ ଅନ୍ୟାନ୍ୟ ଘରକାମ ପାଇଁ ତାଙ୍କୁ ପାଣି ଟିକେ ମିଳେ।

A settlement of the Phanse Pardhi groups on the municipal grounds of Gokulnagar in Nanded. Migrants and transhumants live here on footpaths
PHOTO • Prakash Ransingh
A settlement of the Phanse Pardhi groups on the municipal grounds of Gokulnagar in Nanded. Migrants and transhumants live here on footpaths
PHOTO • Prakash Ransingh

ନାନ୍ଦେଡ଼ର ଗୋକୁଲନଗରସ୍ଥିତ ମ୍ୟୁନିସିପାଲ ମଇଦାନରେ ଫାନ୍‌ସେ ପା ର୍ଦ୍ଧି ଗୋଷ୍ଠୀର ବସତି ପ୍ରବାସୀ ଶ୍ରମିକ ଏବଂ ଋତୁକାଳୀନ ପଶୁପାଳକମାନେ ଏଠାକାର ଫୁଟ୍‌ପାଥରେ ରହନ୍ତି

Left: Children taking a bath near the road settlements. Right: An enclosure created for men to bath
PHOTO • Prakash Ransingh
Left: Children taking a bath near the road settlements. Right: An enclosure created for men to bath
PHOTO • Prakash Ransingh

ବାମ : ରାସ୍ତାକଡ଼ ବସତି ନିକଟରେ ପିଲାମାନେ ଗାଧୋଉଛନ୍ତି ଡାହାଣ : ପୁରୁଷମାନେ ଗାଧୋଇବା ପାଇଁ ସ୍ଥାପିତ ଏକ ଅସ୍ଥାୟୀ ଗାଧୁଆଘର

ମହାରାଷ୍ଟ୍ରର ବିଭିନ୍ନ ଗାଁ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଆସି ନାନ୍ଦେଡ଼ରେ ପହଞ୍ଚନ୍ତି ଗଙ୍ଗୁବାଇଙ୍କ ଭଳି ଅନେକ ପ୍ରବାସୀ ଶ୍ରମିକ। ସେମାନଙ୍କର ଏଠାକାର ରହଣି ସଂପର୍କରେ ବୁଝାଇବାକୁ ଯାଇ ସେ କହନ୍ତି, “ଆମେ ଏଠାରେ (ନାନ୍ଦେଡ଼ରେ) ଆଠ ମାସ ରହୁ. ଏବଂ ବର୍ଷାଋତୁ ଆରମ୍ଭ ହୋଇଗଲେ ଆମ ଗାଁକୁ ଫେରିଯାଉ।” ପ୍ରବାସୀଙ୍କ ପରିବାର ଲୋକେ ସହରର ବିଭିନ୍ନ ଖୋଲା ପଡ଼ିଆ, ଫୁଟ୍‌ପାଥ, ପାଣିଟାଙ୍କି ତଳେ ଥିବା ଖାଲି ସ୍ଥାନ, ଅଳିଆ ଭର୍ତ୍ତି କରାଯାଇଥିବା ଜାଗା ଏବଂ ରେଳ ଷ୍ଟେସନରେ ଘର କରି ରହନ୍ତି। ଏଠାରେ ଯେତିକି ଦିନ ରହିବେ, ସେତିକି ଦିନ ପାଇଁ କାମଧନ୍ଦା ପାଇବା ହିଁ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହୋଇଥିବାରୁ ଦରକାର ମୁତାବକ ସେମାନେ ରହଣି ସ୍ଥାନ ପରିବର୍ତ୍ତନ କରିଥାଆନ୍ତି।

ପ୍ରବାସୀ ଶ୍ରମିକ ଏବଂ ଋତୁକାଳୀନ ପଶୁଚରାଳି ଗୋଷ୍ଠୀକୁ ପାଣି ଯୋଗାଇ ଦେବା ପାଇଁ ସହରର କୌଣସି ସ୍ଥାନରେ ସ୍ଥାୟୀ ବ୍ୟବସ୍ଥା ନାହିଁ। ପାଣି ଖୋଜି ବୁଲିବା ସମୟରେ ସେମାନଙ୍କ ପିଲା, ମହିଳା ଏବଂ ବିଶେଷତଃ ଯୁବତୀମାନେ ଅପମାନ ଏବଂ ହିଂସାର ଶିକାର ହୋଇଥାଆନ୍ତି।

ଏହି ସବୁ ଗୋଷ୍ଠୀର ଅଧିକାଂଶ ଲୋକ ପରବର୍ତ୍ତୀ ସହରକୁ କିମ୍ବା ନିଜ ନିଜ ଗାଁକୁ ଫେରିଯିବା ପର୍ଯ୍ୟନ୍ତ, ଗୋକୁଲନଗର, ଦେଗଲୁର ନାକା, ବଜେଗାଓଁ, ସିଡ୍‌କୋ ରୋଡ୍‌ ଏବଂ ହଜୁର ସାହିବ ରେଳ ଷ୍ଟେସନ ଅଞ୍ଚଳରେ କାମଧନ୍ଦା ଖୋଜି ବୁଲନ୍ତି।

କାମଧନ୍ଦା ଅନ୍ୱେଷଣରେ ଏଠାକୁ ଆସୁଥିବା ପ୍ରବାସୀମାନଙ୍କ ମଧ୍ୟରୁ ଅଧିକାଂଶ ଫାନ୍‌ସେ ପାର୍ଦ୍ଧି, ଘିସାଡ଼ି ଏବଂ ବଡ଼ାର ସଂପ୍ରଦାୟର ଏବଂ ଆଉ କେତେକ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଏବଂ କର୍ଣ୍ଣାଟକର ବିଦରରୁ ଆସିଥାଆନ୍ତି। ତେଲେଙ୍ଗାନାର ମୁସଲମାନ, ଚମାର ଏବଂ ଯୋଗୀମାନେ ମଧ୍ୟ କାମଧନ୍ଦା ପାଇଁ ଏଠାକୁ ଆସନ୍ତି। ସେମାନେ ସେମାନଙ୍କର ପାରମ୍ପରିକ ଜାତି ଭିତ୍ତିକ ବୃତ୍ତିକୁ ଆଦରି ନେଇ ପେଟ ପୋଷିବା ସହିତ କାମଧନ୍ଦାର ନୂଆ ନୂଆ ସୁଯୋଗ ବି ଖୋଜନ୍ତି। ସେମାନେ ମଧ୍ୟ ହାତ ତିଆରି ଲୁହା ଉପକରଣ, ପେନ୍‌, ବେଲୁନ, ଚଟେଇ, କାଚ ଜିନିଷ ଏବଂ କଣ୍ଢେଇ ପ୍ରଭୃତି ବିକ୍ରି କରନ୍ତି ଏବଂ ବେଳେବେଳେ ଟ୍ରାଫିକ୍‌ ସିଗ୍‌ନାଲ ପାଖରେ ଭିକ ମାଗନ୍ତି କିମ୍ବା କୋଠାବାଡ଼ି ନିର୍ମାଣସ୍ଥଳରେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି। ବଞ୍ଚି ରହିବା ପାଇଁ ଯେ କୌଣସି ଉପାୟ ଖୋଜି ନିଅନ୍ତି।

ସହରର ସିଡ୍‌କୋ ଏମ୍‌ଆଇଡିସି ରୋଡ୍‌ରେ ବସବାସ କରୁଥିବା ଘିସାଡ଼ି ପରିବାରର କାଜଲ ଚଭନ କହନ୍ତି ଯେ, ସବୁବେଳେ ସେମାନେ ପାଣି ଖୋଜି ବୁଲୁଥାଆନ୍ତି। ସେ କହନ୍ତି. “ବେଳେବେଳେ ରାସ୍ତାରେ ପାଣି ନେଇ ଯା’ଆସ କରୁଥିବା ଟ୍ୟାଙ୍କରରୁ ଆମେ ପାଣି ମାଗିଥାଉ। ଆମେ ସେମାନଙ୍କ ପାଇଁ କାମ କରିଦେଉ।” ଏବଂ ସେ ଏକୁଟିଆ ନୁହନ୍ତି। ମ୍ୟୁନିସିପାଲ ମଇଦାନରେ ବସବାସ କରୁଥିବା ଲୋକେ ବି କହନ୍ତି ଯେ, ଘରୋଇ ପାଣି କଳରୁ ପାଣି ନେବାକୁ ହେଲେ ଆମକୁ ଘର ମାଲିକମାନଙ୍କ ପାଇଁ କାମ କରିବାକୁ ପଡ଼ିଥାଏ।

ପାଇପ୍‌ ପାଣି ନ ମିଳିଲେ ସେମାନେ ଅନ୍ୟ ବିକଳ୍ପ ଖୋଜିବାକୁ ବାଧ୍ୟ ହୁଅନ୍ତି। ଗୋକୁଲନଗର ଫୁଟ୍‌ପାଥ ଉପରେ ପୌର ସଂସ୍ଥା ପାଇପ୍‌ ଲାଇନର ସଂଯୋଗ ସ୍ଥଳରେ ଗୋଟିଏ ଛୋଟ ପ୍ରକୋଷ୍ଠ ବା ଚ୍ୟାମ୍ବର ରହିଛି। ଏଥିରୁ ଲିକ୍‌ କରୁଥିବା ପାଣି ଏହା ତଳେ ଥିବା ଏକ ସିମେଣ୍ଟ ଗାତରେ ଜମି ରହେ। ଗୋକୁଲନଗରର ଜଣେ ସ୍ଥାନୀୟ ଆଖୁରସ ବିକ୍ରେତା କହନ୍ତି, “ଏହି ଚ୍ୟାମ୍ବରକୁ (ପାଇପ୍‌ ଲାଇନରୁ) ସପ୍ତାହକୁ ଦୁଇ ଥର ପାଣି ଆସେ। ଚ୍ୟାମ୍ବରରେ ପାଣି ଥିବା ଦିନଟି ଆନନ୍ଦ ଉତ୍ସବର ଦିନ ଭଳି ଲାଗେ।”

A collection of containers lined up to collect water. Their temporary homes on the side of a road  (right)
PHOTO • Prakash Ransingh
A collection of containers lined up to collect water. Their temporary homes on the side of a road  (right).
PHOTO • Prakash Ransingh

ପାଣି ସଂଗ୍ରହ କରିବାକୁ ଧାଡ଼ିରେ ରଖାଯାଇଥିବା ପାତ୍ର। ରାସ୍ତାକଡ଼ରେ ସେମାନଙ୍କ ଅସ୍ଥାୟୀ ଘର (ଡାହାଣ)

A Ghisadi family (right) makes iron tools using different alloys (left)
PHOTO • Prakash Ransingh
A Ghisadi family (right) makes iron tools using different alloys (left)
PHOTO • Prakash Ransingh

ଗୋଟିଏ ଘିସାଡ଼ି ପରିବାର (ଡାହାଣ) ବିଭିନ୍ନ ଧାତୁ ମିଶ୍ରଣ ବ୍ୟବହାର କରି ଲୁହାର ଉପକରଣ ତିଆରି କରନ୍ତି (ବାମ)

ଛୋଟ ପିଲାମାନେ ସେହି ସିମେଣ୍ଟ ଗାତ ଭିତରେ ପଶି ପାଣି ଆଣିପାରନ୍ତି। ଆଖପାଖ ହୋଟେଲରୁ ବାହାରୁଥିବା ଆବର୍ଜନା ଏବଂ ମଇଳା ପାଣି ପଶି ଗାତ ଭିତରର ପାଣି ଦୂଷିତ ହୋଇଥାଏ। ତଥାପି, ସେମାନେ ଏହାକୁ ଗାଧୁଆପାଧୁଆ ଏବଂ ଲୁଗାପଟା ଧୋଇବା ଲାଗି ଉପଯୋଗ କରିବାକୁ ବାଧ୍ୟ ହୁଅନ୍ତି। ଫୁଟ୍‌ପାଥର ଏହି ଚ୍ୟାମ୍ବର ଉପରେ ନିର୍ଭର କରନ୍ତି ୫୦ଟି ପରିବାର। ହୁଏତ ସେମାନଙ୍କ ସଂଖ୍ୟା ଆହୁରି ଅଧିକ ହୋଇଥିବ, କିନ୍ତୁ ମୁଣ୍ଡ ଗଣତି କରିବା କଷ୍ଟକର କାମ।

୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମୁଣ୍ଡପିଛା ୧୨୦ ଲିଟର ହିସାବରେ ନାନ୍ଦେଡ଼ ସହରକୁ ଦୈନିକ ମୋଟ ୮୦ ନିୟୁତ ଲିଟର ପାଣି ସବୁଦିନ ଯୋଗାଇ ଦିଆଯାଏ। କିନ୍ତୁ ରାସ୍ତାକଡ଼ରେ ରହୁଥିବା ଏହି ଲୋକଙ୍କ ପାଖରେ ତାହା ପହଞ୍ଚେ ନାହିଁ।

*****

ଦେଗଲୁର ନାକାର ଏକ ପାଣିଟାଙ୍କି ତଳେ ବସବାସ କରୁଛନ୍ତି ଖାନ୍‌ ପରିବାର। ସେମାନେ ବୀଡ୍‌ (ବିଡ୍‌ ମଧ୍ୟ ଲେଖାଯାଏ) ଜିଲ୍ଲାର ପାର୍ଲିରୁ ଆସିଛନ୍ତି। ବର୍ଷକୁ କେଇଥର, ବିଶେଷତଃ ରମଜାନ ସମୟରେ ସେମାନେ ନାନ୍ଦେଡ଼କୁ ଆସି ପ୍ରାୟ ପନ୍ଦର ଦିନ ପାଇଁ ରହନ୍ତି।

ସିମେଣ୍ଟରେ ତିଆରି ଏହି ଉଚ୍ଚ ପାଣିଟାଙ୍କି ତଳେ ସେମାନେ ଆଶ୍ରୟ ନିଅନ୍ତି ଏବଂ ଆଖପାଖ ହୋଟେଲରୁ ପାଣି ଆଣନ୍ତି ଏବଂ ବହୁ ଦୂରରେ ଥିବା ଏକ ସରକାରୀ ଡାକ୍ତରଖାନା ପରିସରରେ ଲାଗିଥିବା ଫିଲ୍‌ଟରରୁ ପିଇବା ପାଣି ସଂଗ୍ରହ କରନ୍ତି। ଡାକ୍ତରଖାନା ବନ୍ଦ ଥିଲେ ଫିଲ୍‌ଟର ପର୍ଯ୍ୟନ୍ତ ଯିବା ବି ବନ୍ଦ ହୋଇଯାଏ। ୪୫ ବର୍ଷୀୟ ଜାଭେଦ ଖାନ୍‌ କହନ୍ତି, “ନଳକୂଅରୁ ହେଉ କି ପାଇପ୍‌ରୁ, ଆମକୁ ଯେଉଁଠାରୁ ପାଣି ମିଳିଲେ ବି ଆମେ ପିଉ। ମୁଣ୍ଡ ଉପର ପାଣିଟାଙ୍କିର ଭଲ୍‌ଭରୁ ଲିକ୍‌ କରୁଥିବା ମଇଳା ପାଣିକୁ ମଧ୍ୟ ଆମେ ପିଇଥାଉ।”

ପ୍ରବାସୀମାନେ ପାଣି ପାଇଁ ହନ୍ତସନ୍ତ ହେଉଥିବା ସମୟରେ ଘରୋଇ ମାଲିକାନାରେ ଥିବା ଫିଲ୍‌ଟର ପାଣି ସବୁଆଡ଼େ ମିଳିଥାଏ – ୧୦ ଟଙ୍କାରେ ୫ ଲିଟର ପାଣି। ଦଶ ଟଙ୍କାରେ ଥଣ୍ଡା ପାଣି ଏବଂ ପାଞ୍ଚ ଟଙ୍କାରେ ସାଧାରଣ ପାଣି ମିଳେ।

ମୁମ୍ବାଇ-ନାସିକ-ପୁଣେ ତିନି ସହରାଞ୍ଚଳ ବୁଲିବା ପରେ ନାନ୍ଦେଡ଼ରେ ଆସି ପହଞ୍ଚିଥିଲେ ସୋଲାପୁରର ଜଣେ ପ୍ରବାସୀ, ୩୨ ବର୍ଷୀୟା ନୟନା କାଲେ। ସେ କହନ୍ତି, “ଆମେ ୧୦ ଟଙ୍କାରେ କିଣିଥିବା ପାଞ୍ଚ ଲିଟର ପାଣି ବୋତଲରେ ଦିନଯାକ ଚଳିଯିବାକୁ ଚେଷ୍ଟା କରୁ।”

Left: Some migrants get access to filtered tap water from a clinic.
PHOTO • Prakash Ransingh
Right: A water pot near Deglur Naka
PHOTO • Prakash Ransingh

ବାମ: କେତେକ ପ୍ରବାସୀଙ୍କୁ ସରକାରୀ ଡାକ୍ତରଖାନା ପରିସରରୁ ଫିଲ୍‌ଟର ପାଣି ମିଳିଯାଏ। ଡାହାଣ: ଦେଗଲୁର ନାକା ନିକଟରେ ଏକ ପାଣି ହାଣ୍ଡି

ଲୋକେ ସବୁଦିନ ପଇସା ଖର୍ଚ୍ଚ କରି ପାଣି କିଣି ପାରନ୍ତି ନାହିଁ ଏବଂ ତେଣୁ ତା ବଦଳରେ ମଇଳା ପାଣି ବ୍ୟବହାର କରନ୍ତି। ‘ରିଭର୍ସ ଅସମୋସିସ୍‌’ (ଆର୍‌ଓ) ପ୍ରକ୍ରିୟାରେ ପାଣି ବିଶୋଧିତ ହେବା ପରେ ଫିଲ୍‌ଟରରୁ ବାହାରୁଥିବା ମଇଳା ପାଣିକୁ ସେମାନେ ବ୍ୟବହାର କରନ୍ତି। ମଣିଷଙ୍କ ବ୍ୟବହାର ଅନୁପଯୋଗୀ ଏହି ପାଣିକୁ ସେମାନେ ପିଅନ୍ତି ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରନ୍ତି।

“ହୋଟେଲରୁ ପାଣି ପାଇବାକୁ ହେଲେ ଆମକୁ ଏହା କିଣିବାକୁ ପଡ଼ିବ କିମ୍ବା ଏଠାକାର ହୋଟେଲ ମ୍ୟାନେଜରମାନେ କହନ୍ତି ଗ୍ରାହକମାନଙ୍କ ପାଇଁ ବି ଆମ ପାଖରେ ପାଣି ନଥିବା ବେଳେ ତୁମକୁ କେଉଁଠୁ ଦେବୁ?” ଏହା କହନ୍ତି ଖାତୁନ ପଟେଲ। ଏହି ୩୦ ବର୍ଷୀୟା ମହିଳା ଜଣକ ନାନ୍ଦେଡ଼ ଷ୍ଟେସନ ନିକଟରେ ରହନ୍ତି।

ଗୋକୁଲନଗରର ଜଣେ ୱାଚ୍‌ମ୍ୟାନ୍‌ କହନ୍ତି, “ଆମ ପାଖରେ ପାଣି ଅଛି ସତ, ହେଲେ ଆମେ ସେମାନଙ୍କୁ ଦେଉନାହିଁ। ଆମେ ପାଣି ନାହିଁ ବୋଲି କହି ସେମାନଙ୍କୁ ଘଉଡ଼ାଇ ଦେଉ।”

ବିବାହ ଉତ୍ସବ ଲାଗି ଉଦ୍ଦିଷ୍ଟ ଏକ ହଲ୍‌ର ମାଲିକ (ତାଙ୍କ ନାଁ ପ୍ରକାଶ କରିବାକୁ ଚାହିଁଲେନି) କହନ୍ତି, “ଆମେ ସେମାନଙ୍କୁ (ସେଠାରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ) କହିଲୁ ଯେ, ସେମାନେ ଦୁଇଟି କ୍ୟାନ୍‌ରେ ଭରି ପାଣି ନେଇପାରିବେ। ତଥାପି ସେମାନେ ଆଉ ଅଧିକ ମାଗନ୍ତି। ଆମକୁ ଯୋଗାଇ ଦିଆଯାଉଥିବା ପାଣି ମିଟରରେ ମପା ହେଉଛି ଏବଂ ଆମେ ଏହାଠାରୁ ଅଧିକ ଦେଇପାରିବୁ ନାହିଁ।”

*****

ପାଣି ସଂଗ୍ରହ ଦାୟିତ୍ୱ ବହନ କରନ୍ତି ମହିଳା ଓ ଝିଅମାନେ ଏବଂ ସେମାନଙ୍କୁ ହିଁ ଲୋକଙ୍କ ପ୍ରତ୍ୟାଖ୍ୟାନ ଜନିତ ଦାଉ ସମ୍ଭାଳିବାକୁ ପଡ଼େ। ହେଲେ କେବଳ ସେତିକି ନୁହେଁ। ଫୁଟ୍‌ପାଥ ଉପରେ ସବୁବେଳେ ଲୋକଙ୍କ ଭିଡ଼ ଲାଗି ରହିଥାଏ ଏବଂ ସେଠାରେ ସର୍ବସାଧାରଣ ଗାଧୁଆଘର ବ୍ୟବସ୍ଥା ନାହିଁ। “ଆମେ ଲୁଗା ପିନ୍ଧି ଗାଧୋଇ ଥାଉ (ଗାଧୋଇବାକୁ ବାଧ୍ୟ ହେଉ)। ଆମେ ଅତି ତରବର ହୋଇ ଗାଧୁଆପାଧୁଆ ସାରୁ। ଚାରିଆଡ଼େ ବହୁ ଲୋକ ଥାଆନ୍ତି। ଆମକୁ ଲାଜ ଲାଗେ। ଲୋକେ ଆମକୁ ଦେଖୁଥାଆନ୍ତି। ଆମେ ଶୀଘ୍ର ଶୀଘ୍ର ଗାଧୋଇ ପଡୁ ଏବଂ ପିନ୍ଧାଲୁଗା ଖୋଲି ଧୋଇଦେଉ,” ଏହା କହନ୍ତି ସମୀରା ଯୋଗୀ। ଏହି ୩୫ ବର୍ଷୀୟା ମହିଳା ଲକ୍ଷ୍ନୌରୁ ଆସିଛନ୍ତି ଏବଂ ସେ ଯୋଗୀ ସଂପ୍ରଦାୟର, ଯାହାକି ଉତ୍ତର ପ୍ରଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ଶ୍ରେଣୀଭୁକ୍ତ ହୋଇଛି।

ଦେଗଲୁର ନାକାରେ ରହୁଥିବା ପାର୍ଦ୍ଧି ପରିବାରର ମହିଳାମାନେ କହନ୍ତି ଯେ, ସେମାନେ ଅନ୍ଧାର ହେଲେ ଯାଇ ଗାଧୁଆପାଧୁଆ କରନ୍ତି। ଗାଧୋଇବାକୁ ସେମାନେ ସେଠାରେ ରହିଥିବା ଟ୍ରକ୍‌ ପଛପଟକୁ ଚାଲିଯାଆନ୍ତି ଏବଂ ସେମାନଙ୍କ ଶାଢ଼ିରେ ଘେର ତିଆରି କରି ନିଅନ୍ତି।

ସିଡ୍‌କୋ ରୋଡ୍‌ ବସତିରେ ରହୁଥିବା କାଜଲ ଚଭନ ଆମକୁ କହନ୍ତି, “ଆମେ ରାସ୍ତାରେ ରହୁ। ଯା’ଆସ କରୁଥିବା ଲୋକେ ଦେଖୁଥାଆନ୍ତି। ସେଥିପାଇଁ ଆମେ ଗାଧୋଇବାକୁ ଏହି ଛୋଟ ଘେର ତିଆରି କରିଛୁ। ମୋ ସାଙ୍ଗରେ ମୋର ଯୁବତୀ ଝିଅ ରହୁଛି। ତେଣୁ ମୋତେ ସାବଧାନ ରହିବାକୁ ପଡ଼ିବ।”

Left: The board at the public toilet with rate card for toilet use.
PHOTO • Prakash Ransingh
Right: Clothes create a private space for women to bathe
PHOTO • Prakash Ransingh

ବାମ: ସର୍ବସାଧାରଣ ଶୌଚାଳୟ ଆଗରେ ଲାଗିଥିବା ବୋର୍ଡରେ ଶୌଚାଳୟ ବ୍ୟବହାର ଦର ଲେଖା ହୋଇଛି। ଡାହାଣ: ଲୁଗା ଘେର କରି ମହିଳାମାନେ ଗାଧୁଆପାଧୁଆ କରନ୍ତି

ଗୋକୁଲନଗର ବାସିନ୍ଦା ନୟନା କାଲେ ବଡ଼ି ଭୋରରୁ ଉଠି ତରବର ହୋଇ ଗାଧୋଇ ପକାନ୍ତି। କାରଣ କାଳେ କେହି ତାଙ୍କୁ ଦେଖୁଥିବ ବୋଲି ଚିନ୍ତା ଲାଗି ରହିଥାଏ। ଦେଗଲୁର ନାକାର ଚାଳିଶ ବର୍ଷ ବୟସ୍କା ଇରଫାନା ଶେଖ କହନ୍ତି, “ଏଠି ପାଣି ନାହିଁ କି ଗାଧୋଇବାକୁ ଉପଯୁକ୍ତ ବ୍ୟବସ୍ଥା ନାହିଁ। ତେଣୁ ମୁଁ ସପ୍ତାହକୁ କେବଳ ଦୁଇ ଥର ଗାଧୋଇଥାଏ।”

ଗଙ୍ଗୁବାଇ ପଚାରନ୍ତି, “ସର୍ବସାଧାରଣ ସ୍ନାନାଗାରରେ ଗାଧୋଇଲେ ଆମକୁ ଥରକୁ ୨୦ ଟଙ୍କା ଦେବାକୁ ପଡ଼ିବ। ଆମ ଭଳି ଢୋକେ ପିଇ ଦଣ୍ଡେ ଜୀଉଥିବା ଲୋକେ ଏହା କେମିତି ଦେଇପାରିବେ ?” ସେ କହନ୍ତି, “ଆମ ପାଖରେ ସେତେ ଟଙ୍କା ନଥିଲେ ଆମେ ସେଦିନ ଗାଧୋଉ ନାହିଁ।” ରେଳ ଷ୍ଟେସନ ପାଖରେ ରହୁଥିବା ଖାତୁନ ପଟେଲ କହନ୍ତି, “ଆମ ପାଖରେ ପଇସା ନଥିଲେ ଆମେ ନଦୀକୁ ଗାଧୋଇ ଯାଉ। ସେଠାରେ ବି ଅନେକ ପୁରୁଷ ଲୋକ ବୁଲୁଥାଆନ୍ତି। ତେଣୁ ଏହା ଆମ ପାଇଁ କଷ୍ଟକର ହୋଇପଡ଼େ।”

ଗୋକୁଲନଗରର ଚ୍ୟାମ୍ବରରେ ପାଣି ଆସିଗଲେ, ଆଖପାଖରେ ରହୁଥିବା ପିଲାମାନେ ସେଠାରେ ଗାଧୋଇବା ପାଇଁ ଭିଡ଼ ଜମାନ୍ତି। କିଶୋରୀମାନେ ମଧ୍ୟ ସେଠାରେ ପୋଷାକ ପିନ୍ଧିଥିବା ଅବସ୍ଥାରେ ଗାଧୁଆପାଧୁଆ କରୁଥିବା ଦେଖାଯାଏ। ମହିଳାମାନେ ଶାଢ଼ିରେ ଦେହକୁ ଢାଙ୍କି ପାଣି ଢାଳି ହୁଅନ୍ତି। ବୋଧହୁଏ, କୌଣସି ପତଳା ଲୁଗା ଘେର ଭିତର ଅପେକ୍ଷା ଲୁଗାପଟା ପିନ୍ଧି ଗାଧୋଇବା ନିରାପଦ ବୋଲି ସେମାନେ ମନେ କରନ୍ତି।

ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କ ସମସ୍ୟା ବହୁଗୁଣିତ ହୋଇଥାଏ। ଇରଫାନା କହନ୍ତି, “ମୋର ଋତୁସ୍ରାବ ସମୟରେ ମୁଁ କୌଣସି ବାହାନାରେ ଶୌଚାଳୟ ଭିତରକୁ ଯାଏ ଏବଂ ସେଠାରେ ପ୍ୟାଡ୍‌ ବଦଳାଇ ଥାଏ। ସପ୍ତମ ଦିନରେ ଆମେ ନିଶ୍ଚିତ ରୂପରେ ଗାଧୋଇବା କଥା। ସେତେବେଳେ ମୋତେ ୨୦ ଟଙ୍କା ଦେଇ ସର୍ବସାଧାରଣ ସ୍ନାନାଗାରରେ ଗାଧୋଇବାକୁ ହୁଏ।”

ଗଙ୍ଗୁବାଇ କହନ୍ତି, “ଏହି ଭୈୟାମାନେ (ବାହାର ରାଜ୍ୟର ଲୋକମାନେ) ଆମ ଉପରେ ପାଟି କରନ୍ତି ‘ତୁମ ଲୋକମାନଙ୍କୁ କୁହ ଏଠାକାର ଶୌଚାଳୟ ବ୍ୟବହାର କରିବେ ନାହିଁ।’ ଆମ ଲୋକମାନେ ପଟ୍‌/କମୋଡ୍‌ ବ୍ୟବହାରରେ ଅଭ୍ୟସ୍ତ ନୁହଁନ୍ତି। ତେଣୁ ବେଳେବେଳେ ସେମାନେ ଏହାକୁ ମଇଳା କରି ଦିଅନ୍ତି। ସେହି କାରଣରୁ ସେମାନେ ଆମକୁ ତାହା ବ୍ୟବହାର କରିବାକୁ ଦିଅନ୍ତି ନାହିଁ।”

Left: Requesting water from security guards of buildings doesn't always end well.
PHOTO • Prakash Ransingh

ବାମ: କୋଠାବାଡ଼ିର ସୁରକ୍ଷାକର୍ମୀଙ୍କୁ ପାଣି ମାଗିଲେ ସବୁବେଳେ ଭଲ ଫଳ ମିଳେ ନାହିଁ। ଡାହାଣ: ଜଣେ ପ୍ରବାସୀ ଗୋଟିଏ ଘରୋଇ ଫିଲ୍‌ଟରରୁ ପାଣି ଭର୍ତ୍ତି କରୁଛନ୍ତି

ସର୍ବସାଧାରଣ ଶୌଚାଳୟ ବ୍ୟବହାର କଲେ ପ୍ରତି ଥର ୧୦ ଟଙ୍କା ହିସାବରେ ଦେବାକୁ ପଡ଼େ ଏବଂ ଗୋଟିଏ ବଡ଼ ପରିବାର ପକ୍ଷରେ ଏହି ପାଉଣା ପୈଠ କରିବା କଷ୍ଟକର ହୋଇପଡ଼େ। ତେଣୁ ଖୋଲା ପଡ଼ିଆକୁ ଯିବା ଶସ୍ତା ପଡ଼େ। “ରାତି ୧୦ଟାରେ ସର୍ବସାଧାରଣ ଶୌଚାଳୟ ବନ୍ଦ ହୁଏ। ତା’ପରେ ଆମେ ଖୋଲା ଜାଗାକୁ ଯାଉ। ଆମେ ଆଉ କ’ଣ ବା କରିପାରିବୁ ?” ବୋଲି ପଚାରନ୍ତି ୫୦ ବର୍ଷୀୟ ରମେଶ ପାଟୋଡ଼େ, ମ୍ୟୁନିସିପାଲ ମଇଦାନ ବସତିର ଜଣେ ବାସିନ୍ଦା।

‘ଆମେ ଖୋଲା ପଡ଼ିଆରେ ଝାଡ଼ା ଫେରୁ। ରାତିରେ ଯିବାକୁ ହେଲେ ଆମକୁ ଡର ଲାଗେ। ତେଣୁ ଆମେ ଦୁଇ ତିନିଟି ଝିଅଙ୍କୁ ସାଙ୍ଗରେ ନେଇ ଯାଉ,” ବୋଲି କହନ୍ତି ନୟନା କାଲେ। ଗୋକୁଲନଗରର ମ୍ୟୁନିସିପାଲ ମଇଦାନ ନିକଟ ଫୁଟ୍‌ପାଥରେ ସେ ରହନ୍ତି। ସେ ଆହୁରି କହନ୍ତି, “ଆମେ ଖୋଲା ଜାଗାକୁ ଯାଉଥିବା ବେଳେ ଲୋକେ ଆମକୁ ପାଟି କରି ଡାକନ୍ତି ଏବଂ ଆମକୁ ଚିଡ଼ାନ୍ତି। ବେଳେବେଳେ ସେମାନେ ଆମର ପିଛା କରନ୍ତି। ଏ ସଂପର୍କରେ ଆମେ ପୋଲିସ ପାଖରେ ଶହେ ଥର ଅଭିଯୋଗ କରିସାରିଥିବୁ।”

ଏହାର ବିକଳ୍ପ ସଂପର୍କରେ ସିଡ୍‌କୋ ରୋଡ୍‌ ଅଞ୍ଚଳର କାଜଲ ଚଭନ କହନ୍ତି, “ରାସ୍ତାର କୋଣ ବାଟ ଦେଇ ଯିବାକୁ ପଡ଼ିବ।”

୨୦୧୧-୧୨ରେ ନାନ୍ଦେଡ଼ରେ ସଂପୂର୍ଣ୍ଣ ପରିମଳ ଅଭିଯାନ ଅନ୍ତର୍ଗତ ନଗର ପରିମଳ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେ ସମୟରେ ସହରର ପ୍ରାୟ ୨୦ ପ୍ରତିଶତ ଲୋକ ଖୋଲା ପଡ଼ିଆକୁ ଝାଡ଼ା ଯାଉଥିଲେ। ଗୋଟିଏ ରିପୋର୍ଟ ଅନୁସାରେ, ୨୦୧୪-୧୫ରେ ନାନ୍ଦେଡ଼ରେ ଥିବା ୨୩ଟି ସର୍ବସାଧାରଣ ଶୌଚାଳୟରେ ୨୧୪ଟି ସିଟ୍‌ ରହିଥିଲା। ଯାହାକି ଆବଶ୍ୟକତା ତୁଳନାରେ ୪୧୦୦ରୁ ଅଧିକ ନିଅଣ୍ଟ ହେଉଥିଲା। ପରିମଳ ବ୍ୟବସ୍ଥା, ମଇଳା ପାଣି ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ନିମନ୍ତେ ତତ୍‌କାଳୀନ ପୌର ସଂସ୍ଥା କମିଶନର ନିପୁନ ବିନାୟକ ଗୋଷ୍ଠୀ-ସଂଚାଳିତ ସଂପୂର୍ଣ୍ଣ ପରିମଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଭାଗୁଆଳି ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ। ୨୦୨୧ରେ ୱାଘଲା ପୌର ନିଗମକୁ ଓଡିଏଫ୍‌+ ଏବଂ ଓଡିଏଫ୍‌++ (ବାହ୍ୟ ମଳତ୍ୟାଗ ମୁକ୍ତ) ଅଞ୍ଚଳ ରୂପେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଅଥଚ, ସହରର ନିଷ୍ପେଷିତ ସାମୟିକ ପଶୁଚରାଳି ସଂପ୍ରଦାୟର ଲୋକଙ୍କ ପାଇଁ ପିଇବା ପାଣି ଏବଂ ପରିଷ୍କାର ଓ ନିରାପଦ ପରିମଳ ବ୍ୟବସ୍ଥା ଏବେ ବି ସ୍ୱପ୍ନ ହୋଇ ରହିଛି। ଯେମିତି କି ଜାଭେଦ ଖାନ କହନ୍ତି, “ପରିଷ୍କାର ଓ ପିଇବା ଯୋଗ୍ୟ ପାଣି ମିଳିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।”

ଏହି ରିପୋର୍ଟର ପୁଣେର SOPPECOM ଅନୁଷ୍ଠାନର ସୀମା କୁଲକର୍ଣ୍ଣୀ, ପଲ୍ଲବୀ ହର୍ଷେ, ଅନିତା ଗୋଡବୋଲେ ଏବଂ ଡକ୍‌ଟର ବୋଷଙ୍କୁ ଧନ୍ୟବାଦ ଅର୍ପଣ କରନ୍ତି ‘ଟୁୱାର୍ଡ୍‌ସ ବ୍ରାଉନ୍‌ ଗୋଲ୍‌ଡ ରି-ଇମାଜିନିଂ ଅଫ୍‌-ଗ୍ରୀଡ୍‌ ସାନିଟେସନ୍‌ ଇନ୍ ରାପିଡ୍‌ଲି ଅର୍ବାନାଇଜିଂ ଏରିଆଜ୍‌ ଇନ୍‌ ଏସିଆ ଆଣ୍ଡ ଆଫ୍ରିକା’ ଶୀର୍ଷକ ଅନୁଧ୍ୟାନ ଉପରେ ଆଧାରିତ ଏହି ଗବେଷଣା ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭଲପମେଣ୍ଟ ଷ୍ଟଡିଜ୍‌ (IDS) ସହଯୋଗରେ କରାଯାଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Prakash Ransingh

Prakash Ransingh is a research associate at the Society for Promoting Participative Ecosystem Management (SOPPECOM), Pune.

Other stories by Prakash Ransingh
Editor : Medha Kale

Medha Kale is based in Pune and has worked in the field of women and health. She is the Translations Editor, Marathi, at the People’s Archive of Rural India.

Other stories by Medha Kale
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE