ହିମାଚଳ ପ୍ରଦେଶ ବରଫ ଆଚ୍ଛାଦିତ ପାହାଡ଼ ପାଇଁ ପ୍ରସିଦ୍ଧ। କିନ୍ତୁ କାଙ୍ଗରା ଜିଲ୍ଲାର ପାଲମପୁର ସହରରେ ଏକ ଭିନ୍ନ ପାହାଡ଼ ମୁଣ୍ଡ ଟେକୁଛି - ତାହା ହେଉଛି ଆବର୍ଜନାର ପାହାଡ଼।

ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ହୋଇଥିବାରୁ ରାଜ୍ୟକୁ ୨୦୧୯ରେ ୧୭୨ ଲକ୍ଷ ପର୍ଯ୍ୟଟକ ଆସିଥିଲେ, ଏହା ୨୦୧୧ରେ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟାଠାରୁ ଅଧିକ ବୋଲି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ରିପୋର୍ଟରେ କୁହାଯାଇଛି। ପର୍ଯ୍ୟଟନ ସ୍ଥାନୀୟ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଏବଂ କେବଳ କାଙ୍ଗରା ଜିଲ୍ଲାରେ ପ୍ରାୟ ୧,୦୦୦ ହୋଟେଲ୍‌ ଏବଂ ହୋମ୍‌ଷ୍ଟେ ବା ପର୍ଯ୍ୟଟକମାନଙ୍କ ରହଣୀସ୍ଥଳ ରହିଛି। ଆବର୍ଜନା ପାହାଡ଼ ବଢ଼ିବାର ଏକ ପ୍ରମୁଖ କାରଣ ହେଉଛି ପର୍ଯ୍ୟଟକମାନଙ୍କ ଭିଡ଼। ବର୍ତ୍ତମାନ ଖାଲି ସ୍ଥାନ ଏବଂ ନଦୀତଟରେ ବର୍ଜ୍ୟବସ୍ତୁ ଫିଙ୍ଗା ଯାଉଥିବା କାରଣରୁ ଏହି ପାହାଡ଼ୀ ସହରର ସମ୍ବେଦନଶୀଳ ପରିବେଶ ଅପୂରଣୀୟ କ୍ଷତି ସହୁଛି।

‘‘ଏହି ଖୋଲାସ୍ଥାନ ପୂର୍ବରୁ ଏକ ପଡ଼ିଆ ଥିଲା ଏବଂ ପିଲାମାନେ ଏଠାରେ ଖେଳୁଥିଲେ,’’ ୭୨ ବର୍ଷ ବୟସ୍କ ଗେଲୋରା ରାମ କୁହନ୍ତି। ସେ ଏହି ଅଳିଆ ଗଦାଠାରୁ ମାତ୍ର କିଛି ମିନିଟ୍‌ ଦୂରରେ ରୁହନ୍ତି।

‘‘ଏହି ସମ୍ପୂର୍ଣ୍ଣ ଅଞ୍ଚଳ ସବୁଜିମା ଓ ଗଛଲତାରେ ପରିପୂର୍ଣ୍ଣ ଥିଲା,’’ ଶିଶୁ ଭରଦ୍ୱାଜ (ଛଦ୍ମ ନାମ) କୁହନ୍ତି। ତାଙ୍କ ଚା’ ଦୋକାନ ପାଖରୁ ଦେଖାଯାଉଥିବା ବିଶାଳ ଅଳିଆ ଗଦା ଆଡ଼କୁ ସେ ଇସାରା କରି ଦେଖାଇ ଦିଅନ୍ତି। ‘‘ଏଠାକୁ ଅଧିକରୁ ଅଧିକ ମାତ୍ରାରେ ଆବର୍ଜନା ଆସିବା ଯୋଗୁଁ  ସେମାନେ (ପୌରପାଳିକା) ଅଧିକରୁ ଅଧିକ ଗଛ କାଟି ଚାଲୁଛନ୍ତି। ଆବର୍ଜନାରୁ ଦୁର୍ଗନ୍ଧ ବାହାରୁଛି! ଆଉ ସେଠାରେ ବହୁସଂଖ୍ୟାରେ ମାଛି ଉଡ଼ୁଛନ୍ତି,’’ ଏହି ୩୨ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କହିଥାନ୍ତି।

ଆନୁମାନିକ ପାଞ୍ଚ ହେକ୍ଟର ଜମିରେ ବିସ୍ତାରିତ ପାଲମପୁର ଅଳିଆ ଗଦା ପାର୍ଶ୍ୱବର୍ତ୍ତୀ ଜମିରେ ତାଙ୍କ ଦୋକାନ ରହିଛି। ପୋଷାକ ବର୍ଜ୍ୟ, ପ୍ଲାଷ୍ଟିକ୍‌ ଥଳି, ଭଙ୍ଗା ଖେଳଣା, ଫିଙ୍ଗା ଯାଇଥିବା ପୋଷାକ ଓ ଘରୋଇ ସାମଗ୍ରୀ, ରୋଷେଇ ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ, ବିପଜ୍ଜନକ ଚିକିତ୍ସା ବର୍ଜ୍ୟବସ୍ତୁ ଏବଂ ଅନେକ କିଛି ଅଳିଆ ଗଦାରେ ପଡ଼ି ରହିଥାଏ; ବର୍ଷା ସତ୍ତ୍ୱେ, ମାଛିମାନେ ଲଗାତର ଏଣେତେଣେ ଉଡ଼ି ବୁଲିଥାନ୍ତି।

ଶିଶୁ ୨୦୧୯ରେ ପ୍ରଥମେ ଯେତେବେଳେ ଏଠାରେ ଦୋକାନ କଲେ, ଏହି ସ୍ଥାନରେ ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ରହିଥିଲା ଯେଉଁଥିରେ ତିନୋଟି ପଞ୍ଚାୟତର ବର୍ଜ୍ୟବସ୍ତୁ ପୃଥକୀକରଣ କରାଯାଇ ପୁନଃଚକ୍ରଣ କରାଯାଉଥିଲା। ମହାମାରୀ ବ୍ୟାପିବା ପରେ ସବୁ ୱାର୍ଡରୁ ଆସୁଥିବା ବର୍ଜ୍ୟବସ୍ତୁ ଏଠାକୁ ଆସୁଛି ଏବଂ କେବଳ ହାତରେ କାମ କରୁଥିବା ଶ୍ରମିକମାନଙ୍କୁ ପୃଥକୀକରଣ ପାଇଁ ଉପଯୋଗ କରାଯାଉଛି।

Left : Waste dump as visible from Shishu Bhardwaj's tea shop in Palampur, Kangra.
PHOTO • Sweta Daga
Right: (In the background) Ashish Sharma, the Municipal Commissioner of Palampur and Saurabh Jassal, Deputy Commissioner Kangra, surveying the dumpsite
PHOTO • Sweta Daga

ବାମ: କାଙ୍ଗରା ପାଲମପୁରରେ ଥିବା ଶିଶୁ ଭରଦ୍ୱାଜଙ୍କ ଚା’ ଦୋକାନ ପାଖରୁ ଅଳିଆ ଗଦା ଦେଖାଯାଉଛି। ଡାହାଣ: (ପଛରେ) ପାଲମପୁର ମହାନଗର ଆୟୁକ୍ତ ଆଶୀଷ ଶର୍ମା ଏବଂ କାଙ୍ଗରା ଉପଆୟୁକ୍ତ ସୌରଭ ଜସଲ ଅଳିଆ ଗଦା ନିରୀକ୍ଷଣ କରୁଛନ୍ତି

ନିକଟରେ ମହାନଗର ଆୟୁକ୍ତଙ୍କ ଦ୍ୱାରା ନୂଆ ବର୍ଜ୍ୟବସ୍ତୁ ପୃଥକୀକରଣ ଯନ୍ତ୍ରାଂଶ ଖଞ୍ଜା ଯାଇଥିଲା ଏବଂ ପୁଣିଥରେ ବର୍ଜ୍ୟବସ୍ତୁ ପୁନଃଚକ୍ରଣ ଆରମ୍ଭ ହେବ ବୋଲି ଦାବି କରାଯାଇଥିଲା।

ସ୍ଥାନୀୟ ପ୍ରଶାସନ ଏହି ଅଞ୍ଚଳରେ ବର୍ଜ୍ୟବସ୍ତୁର ବିସ୍ଫୋରଣ ସମସ୍ୟାକୁ ସମାଧାନ କରିପାରୁନାହିଁ ଏବଂ ବିକାଶ ସହିତ ତାଳ ଦେଇ ବଢ଼ୁଥିବା ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା ଲାଗି ଯୋଜନା ପ୍ରସ୍ତୁତ କରିନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥାନ୍ତି। ବର୍ତ୍ତମାନର ଅଳିଆ ଗଦା ବିପଜ୍ଜନକ ଭାବେ ନ୍ୟୁଗଲ ନଦୀ ପାଖରେ ରହିଛି ଯାହାକି ବେଆସ ନଦୀରେ ମିଶିଥାଏ। ଏହି ଅଞ୍ଚଳ ଏବଂ ଆଗକୁ ତଳି ଅଞ୍ଚଳରେ ଦ ବିଏସ୍ ନଦୀ ଏକ ଗୁରୁତ୍ୱପୂର୍ଣ୍ଣ ପାନୀୟ ଜଳ ଉତ୍ସ ଭାବେ ବ୍ୟବହୃତ ହୋଇଥାଏ।

ଛୋଟ ପାହାଡ଼ି ସହର ପାଲମପୁର ସମୁଦ୍ର ପତନ ଠାରୁ ୧,୦୦୦ରୁ ୧,୫୦୦ ମିଟର ଉଚ୍ଚତାରେ ଅବସ୍ଥିତ। ନିକଟରେ ଅଗଷ୍ଟ ୨୦୨୩ରେ ହିମାଚଳପ୍ରଦେଶରେ ୭୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଏଠାରେ ସେତେଟା ବର୍ଷା ହୋଇନଥିଲା। ତେବେ ଏହା କେବଳ ଗୋଟିଏ ସମୟର କଥା ବୋଲି ସ୍ଥାନୀୟ ଲୋକମାନେ ଚିନ୍ତା ପ୍ରକଟ କରି କହିଥାନ୍ତି।

ମୁମ୍ବାଇରୁ ଆସି ଏଠାରୁ ୧୨ କିଲୋମିଟର ଦୂର ଏକ ଛୋଟିଆ ପଡ଼ାଗ୍ରାମ କନ୍ଦବାଡ଼ିରେ ରହୁଥିବା କାଙ୍ଗରା ନାଗରିକ ଅଧିକାର ମଞ୍ଚର ଜଣେ ସଦସ୍ୟା ଫାତିମା ଚପ୍ପରୱାଲା କୁହନ୍ତି, ‘‘ଏଭଳି ପ୍ରବଳ ବର୍ଷା ହେଲେ ଅଳିଆ ଗଦାର ବିଷାକ୍ତ ପଦାର୍ଥ ବାହାରି ନଦୀ ଓ ମାଟିକୁ ପ୍ରଦୂଷିତ କରିଦେଇପାରେ। ଫତିମା ଓ ତାଙ୍କ ସ୍ୱାମୀ ମହମ୍ମଦ ବହୁବର୍ଷ ଧରି ଅଳିଆ ଗଦା ହେବା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ନାଗରିକଙ୍କ ସହ ମିଶି କାମ କରି ଆସୁଛନ୍ତି।

‘‘ଏଠାରେ ସବୁ ଅଳିଆ ଓ ଆବର୍ଜନା ଗଦା ହୋଇଥାଏ। ଆଉ ପ୍ରାୟ ଦୁଇରୁ ତିନି ବର୍ଷ ପୂର୍ବରୁ ସେମାନେ ଏଠାରେ ଅଧିକରୁ ଅଧିକ ବର୍ଜ୍ୟବସ୍ତୁ ଗଦା କରିବା ଆରମ୍ଭ କରିଛନ୍ତି,’’ ଅଳିଆ ଗଦାଠାରୁ ଅତିବେଶୀରେ ୩୫୦ ମିଟର ଦୂରରେ ଅବସ୍ଥିତ ଗୋଟିଏ ପଡ଼ା ଊୱର୍ଣ୍ଣାର ବାସିନ୍ଦା ଗେଲୋରା ରାମ (୭୨) କୁହନ୍ତି। ଏଠାରେ ଅଳିଆ ଗଦାର ଆକାର ବଢ଼ିବା ପରଠାରୁ ଲୋକମାନେ ଅସୁସ୍ଥ ହେବା ଆରମ୍ଭ କରିଛନ୍ତି ବୋଲି ସେ କହିଥାନ୍ତି।  ‘‘ଆମେ ଅସୁସ୍ଥ ହୋଇପଡ଼ୁଛୁ। ପିଲାମାନେ ଦୁର୍ଗନ୍ଧରେ ବାନ୍ତି କରି ପକାଉଛନ୍ତି। ଅଳିଆ ଗଦା ଅତିକ୍ରମ କରି ଯିବାକୁ ପଡ଼ୁଥିବାରୁ ପିଲାମାନେ ସ୍କୁଲ୍‌ ଯିବା ଛାଡ଼ି ଦେଇଛନ୍ତି। କାରଣ ସ୍କୁଲ୍‌ ଯିବା ପାଇଁ ଅଳିଆ ଗଦା ଦେଇ ଯିବା ହିଁ ଗୋଟିଏ ମାତ୍ର ରାସ୍ତା।’’

Cloth waste, kitchen waste, industrial waste, hazardous medical waste and more lie in heaps at the garbage site
PHOTO • Sweta Daga

ପୋଷାକ ବର୍ଜ୍ୟ, ରୋଷେଇ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ, ବିପଜ୍ଜନକ ଚିକିତ୍ସା ଆବର୍ଜନା ଏବଂ ଆହୁରି ଅନେକ ଆବର୍ଜନ ଅଳିଆ ଗଦାରେ କୁଢ଼ କୁଢ଼ ହୋଇ ଜମା ହୋଇଛି

*****

ନଦୀ ପାର୍ଶ୍ୱରେ ଥିବା ଆବର୍ଜନା ଗଦାକୁ ଦେଖାଇ ମାନସୀ ଅସର୍‌ କୁହନ୍ତି, ବଡ଼ ବିପତ୍ତି ପ୍ରତି ଅଧିକ ଧ୍ୟାନ ଦିଆଯାଏ, କିନ୍ତୁ ଦୈନନ୍ଦିନ ଜୀବନର ଏହି ବିପଦକୁ ଆମେ ସାଧାରଣ ଭାବେ ଅଣଦେଖା କରିଥାଉ। ସ୍ଥାନୀୟ ପରିବେଶ ସଂଗଠନ ହିମଧାରାର ଜଣେ ଗବେଷକ ଭାବେ କାର୍ଯ୍ୟ କରୁଥିବା ମାନସୀ କୁହନ୍ତି, ‘‘ଯଦି ଆପଣଙ୍କ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନଦୀ ପାର୍ଶ୍ୱରେ ରହିଛି ତା’ହେଲେ ଏହା କେବଳ ଅଧିକ ଦୂଷିତ ପରିବେଶ ସୃଷ୍ଟି କରିବ ଏବଂ ନଦୀ ପ୍ରଦୂଷଣର କାରଣ ସାଜିବ।’’

‘‘ଗୋଟିଏ ଗ୍ରାମୀଣ ପାର୍ବତ୍ୟ କ୍ଷେତ୍ରରେ, ସହରାଞ୍ଚଳ ବର୍ଜ୍ୟବସ୍ତୁ ସ୍ୱାଭାବିକ ଭାବେ ନଦୀଶଯ୍ୟା, ଜଙ୍ଗଲ ଓ ଚାରଣଭୂମିକୁ ଦଖଲ କରିବ,’’ ମାନସୀ କୁହନ୍ତି। ପ୍ରଦୂଷିତ ଓ ମିଶ୍ରିତ ବର୍ଜ୍ୟରୁ ବାହାରୁଥିବା ଦୂଷିତ ପଦାର୍ଥ ମାଟିରେ ମିଶିବା ସହିତ ଜଳ ଯୋଗାଣ ଭିତରକୁ ପ୍ରବେଶ କରିଥାଏ, ଅଧିକାଂଶ ଲୋକ ଭୂତଳ ଜଳ ବ୍ୟବହାର କରୁଥିବାରୁ ଏହାଦ୍ୱାରା ସେମାନେ ରୋଗରେ ପଡ଼ିଥାନ୍ତି। ତଳମୁଣ୍ଡରେ ଥିବା ପଞ୍ଜାବରେ ଏହି ପାଣିକୁ ଫସଲ ଅମଳ ପାଇଁ ବ୍ୟବହାର କରାଯାଇଥାଏ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୨୦୨୧ର ଏକ ରିପୋର୍ଟରୁ ଜଣାପଡିଛି ଯେ, ହିମାଚଳ ପ୍ରଦେଶରେ ୫୭ଟି ଡମ୍ପିଂ ସାଇଟ୍ ବା ଅଳିଆ ଗଦା ଅଛି, କିନ୍ତୁ ଗୋଟିଏ ସାନିଟାରୀ ଲ୍ୟାଣ୍ଡଫିଲ୍ (ପରିବେଶ ଓ ଜନସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ ନକରି ଭୂପୃଷ୍ଠରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା) ନାହିଁ। ଅଳିଆ ଗଦା ପରିବର୍ତ୍ତେ, ଏକ ସାନିଟାରୀ ଲ୍ୟାଣ୍ଡଫିଲକୁ ଗୋଟିଏ ଉପରିସ୍ଥ ଆସ୍ତରଣ  ସହିତ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟରୁ ଭୂତଳ ଜଳ ପ୍ରଦୂଷଣକୁ ରୋକିବା ପାଇଁ ଗୋଟିଏ ଲାଇନର୍ ଏବଂ ଲିଚେଟ୍ (ମଇଳା ଜଳ) ସଂଗ୍ରହ ବ୍ୟବସ୍ଥା ରହିଥାଏ। ଏହା ମଧ୍ୟ ଅଳିଆ ଗଦାକୁ ବନ୍ଦ କରିବା ଏବଂ ବନ୍ଦ ପରବର୍ତ୍ତୀ ଯୋଜନା ସହିତ ଆସିବା ଉଚିତ୍। ସମାନ ରିପୋର୍ଟରେ ମଧ୍ୟ ବର୍ଜ୍ୟବସ୍ତୁ ପରିଚାଳନାର ଆକଳନ କ୍ଷେତ୍ରରେ ହିମାଚଳପ୍ରଦେଶକୁ ୩୫ ରାଜ୍ୟ ମଧ୍ୟରୁ ୧୮ତମ ସ୍ଥାନରେ ରଖାଯାଇଛି। ଅକ୍ଟୋବର ୨୦୨୦ରେ ୧୫ଟି ୱାର୍ଡକୁ ନେଇ ନୂଆ ପାଲମପୁର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସି) ଅଧୀନରେ ୧୪ଟି ପଞ୍ଚାୟତକୁ ମିଶ୍ରଣ କରାଯାଇଥିଲା। ମହମ୍ମଦ ଚପ୍ପଲୱାଲା କାଙ୍ଗରା ନାଗରିକ ଅଧିକାର ମଞ୍ଚର ସଦସ୍ୟ ଅଟନ୍ତି। ସେ କୁହନ୍ତି, "ପାଲମପୁର ଏମସି ହେବା ପୂର୍ବରୁ ଅଧିକାଂଶ ପଞ୍ଚାୟତ ନିଜ ନିଜ ବର୍ଜ୍ୟବସ୍ତୁର ପରିଚାଳନା କରୁଥିଲେ, କିନ୍ତୁ ଆମେ ଏମ୍‌ସି ହେବା ପରଠାରୁ ବର୍ଜ୍ୟବସ୍ତୁରେ ବ୍ୟାପକ ବୃଦ୍ଧି ଘଟିଛି ଏବଂ ଏସବୁ ଆବର୍ଜନା, ଏପରିକି ଡାକ୍ତରଖାନାର ବର୍ଜ୍ୟବସ୍ତୁ ମଧ୍ୟ ଗୋଟିଏ ସ୍ଥାନକୁ ଯାଉଛି।’’

ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ୨୦୧୬ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପୁସ୍ତିକା ଅନୁଯାୟୀ, ଲ୍ୟାଣ୍ଡଫିଲ୍ ସାଇଟ୍ ରଖିବାକୁ ହେଲେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବା ୟୁଏଲବି ନିମ୍ନଲିଖିତ ମାର୍ଗଦର୍ଶିକା ପାଳନ କରିବା ଆବଶ୍ୟକ: ଭାରତ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଅନୁଯାୟୀ ଲ୍ୟାଣ୍ଡଫିଲ୍ ସାଇଟ୍ ସ୍ଥାପନ କରାଯିବ। ଲ୍ୟାଣ୍ଡଫିଲ୍ ସାଇଟ୍ ନଦୀଠାରୁ ୧୦୦ ମିଟର, ପୋଖରୀଠାରୁ ୨୦୦ ମିଟର, ରାଜପଥ, ବସ୍ତି, ସର୍ବସାଧାରଣ ପାର୍କ ଏବଂ ଜଳ ଯୋଗାଣ କୂଅଠାରୁ ୨୦୦ ମିଟର ଦୂରରେ ରହିବ।

The landfill sprawls across an estimated five hectares of land
PHOTO • Sweta Daga

ଆନୁମାନିକ ପାଞ୍ଚ ହେକ୍ଟର ଜମିରେ ଏହି ଅଳିଆଗଦା ବ୍ୟାପୀ ରହିଛି

Left: Waste being unloaded at the dump site.
PHOTO • Sweta Daga
Right: Women waste workers sorting through trash for recyclable items
PHOTO • Sweta Daga

ଗୋଟିଏ ଅଳିଆ ଗଦା ନିକଟରେ ବର୍ଜ୍ୟବସ୍ତୁ ଢଳାଯାଉଛି। ଡାହାଣ: ମହିଳା ସଫେଇ କର୍ମୀମାନେ ପୁନଃଚକ୍ରଣ ହେବାକୁ ଥିବା ସାମଗ୍ରୀଗୁଡ଼ିକୁ ଅଳିଆରୁ ଅଲଗା କରୁଛନ୍ତି

ଗତ ବର୍ଷ, ସ୍ଥାନୀୟ ନାଗରିକମାନେ ଆମକୁ ସେମାନଙ୍କ କଲ୍ ଟୁ ଆକ୍ସନ ବା କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଆନ୍ଦୋଳନରେ ଯୋଗ ଦେବା ପାଇଁ ଉତ୍ସାହିତ କରିଥିଲେ ଏବଂ ସାହାଯ୍ୟ ମାଗିଥିଲେ, ତେଣୁ ଆମେ ଏକ ଆରଟିଆଇ (ସୂଚନା ଅଧିକାର) ତଥ୍ୟ ମାଗିବାକୁ ନିଷ୍ପତ୍ତି ନେଇଥିଲୁ। ମହମ୍ମଦଙ୍କ କହିବା ଅନୁଯାୟୀ, କମିଶନରଙ୍କ କାର୍ଯ୍ୟାଳୟକୁ ୧୪ ମାର୍ଚ୍ଚ, ୨୦୨୩ରେ ଆରଟିଆଇ ଆବେଦନ ମିଳିଥିଲା ଏବଂ ଏପ୍ରିଲ ୧୯ରେ ଉତ୍ତର ଦିଆଯାଇଥିଲା, କିନ୍ତୁ ପ୍ରକୃତରେ କିଛି ଉତ୍ତର ମିଳିନଥିଲା। ‘‘ଆମର ଅନେକ ପ୍ରଶ୍ନ ପାଖରେ ଥିବା ଉତ୍ତର ଘର ଖାଲିଥିଲା,’’ ସେ କହିଥାନ୍ତି।

କେତେ ବର୍ଜ୍ୟବସ୍ତୁ ବାହାରୁଛି ତାହା କେହି ଜାଣନ୍ତି ନାହିଁ। ମହମ୍ମଦ କୁହନ୍ତି, "ମୁଁ ଯେତେବେଳେ ବି ଯାଞ୍ଚ କରିବାକୁ ଆସିଛି, ଅଳିଆ ଗଦା ବଡ଼ ହେବାରେ ଲାଗିଛି ଏବଂ ବର୍ତ୍ତମାନ ଏହା ନ୍ୟୁଗାଲ ନଦୀ ପାଖରେ ରହିଛି ଓ ବର୍ଜ୍ୟବସ୍ତୁ ପାଣିରେ ମିଶୁଛି।’’

କିଛି ଦିନ ପୂର୍ବରୁ ଅଳିଆ ଗଦାରେ ୭ଟି ବର୍ଜ୍ୟବସ୍ତୁ ପୃଥକୀକରଣ ମେସିନ୍ ଲଗାଯାଇଛି। ସ୍ଥାନୀୟ ସାମ୍ବାଦିକ ରବୀନ୍ଦର୍‌ ସୁଦଙ୍କ କହିବା ଅନୁଯାୟୀ, ଶୁଖିଲା ବର୍ଜ୍ୟବସ୍ତୁ କମାଇବା ପାଇଁ ବ୍ୟବହୃତ ହେଉଥିବା ଏକ ଶ୍ରେଡର ସମେତ ୫ଟି ମେସିନ୍‌ କାର୍ଯ୍ୟକ୍ଷମ ରହିଛି।

ତେବେ ତାଙ୍କ ଚା' ଦୋକାନରୁ ପରିବର୍ତ୍ତନ ଦେଖିଥିବା ଭରଦ୍ୱାଜ କୁହନ୍ତି, "ମେସିନ୍ ଆସିଯାଇଛି, କିନ୍ତୁ ବର୍ଷା କାରଣରୁ ସେଗୁଡ଼ିକ ମଧ୍ୟରୁ କୌଣସିଟି କାମ କରୁନାହିଁ ଏବଂ ସବୁକିଛି ସମାନ ରହିଛି। ଗନ୍ଧ, ପ୍ରଭାବ ଏବେ ବି ପୂର୍ବଭଳି ରହିଛି।  ତାଙ୍କ ପଡ଼ୋଶୀ ରାମ ଆହୁରି କୁହନ୍ତି, "ଆମେ ଚାହୁଁଛୁ ଯେ ସେମାନେ ଆମ ଜୀବନ, ଆମ ପିଲାମାନଙ୍କ ଜୀବନରେ ସୁଧାର ଆଣିବା ପାଇଁ ଅଳିଆ ଗଦାକୁ ଅନ୍ୟତ୍ର ସ୍ଥାନାନ୍ତର କରନ୍ତୁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

Other stories by Sweta Daga
Editors : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Editors : Shaoni Sarkar

Shaoni Sarkar is a freelance journalist based in Kolkata.

Other stories by Shaoni Sarkar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE