‘‘ହୁର୍‌…

ହେହେହେ… ହୋ…ହେହେହେ…ହୋ…’’

ହଠାତ୍‌ ବଗିଚା ଉପର ଆକାଶରେ ଅଗଣିତ ପକ୍ଷୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଡେଣାଲଗା ପ୍ରାଣୀମାନଙ୍କୁ ଘଉଡ଼ାଇବା ପାଇଁ ସୁରଜ ଯେତେବେଳେ ପାଟି କଲା ସେମାନେ ଭୟଭୀତ ହୋଇ ଉପରେ ଉଡ଼ିବାକୁ ଲାଗିଲେ। ଏହି ନାସପାତି ବଗିଚାର ଜଗୁଆଳି ଭାବେ, ଭୋକିଲା ପକ୍ଷୀମାନଙ୍କୁ ପାଚିଲା ଫଳଠାରୁ ଦୂରେଇ ରଖିବା ତା’ର କାମ। ସେମାନଙ୍କୁ ଭୟଭୀତ କରି ଘଉଡ଼ାଇବା ଲାଗି ସେ ବଡ଼ ପାଟିରେ ଚିଲ୍ଲାଇଥାଏ ଏବଂ ଏକ କମାନ୍‌ କିମ୍ବା ଗୁଲେଲ (ଏକ ବାଟୁଳି ଖଡ଼ା)ରେ ରୋଡା (ମାଟି ଗୁଳି) ମାରିଥାଏ।

ଉତ୍ତର-ପଶ୍ଚିମ ପଞ୍ଜାବର ତରନତାରନ ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ଥିବା ପଟ୍ଟୀ ନିଜର ଫଳ ବଗିଚା ପାଇଁ ପ୍ରସିଦ୍ଧ। ନାସପାତି ଏବଂ ପିଚ୍‌ ଫଳ ଗଛର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ପ୍ରବାସୀ ଶ୍ରମିକମାନେ ଏଠାକୁ ଆସନ୍ତି। ସେମାନଙ୍କ କାମ ହେଉଛି ପକ୍ଷୀମାନଙ୍କୁ ଦୂରରେ ରଖିବା । ପକ୍ଷୀମାନେ ଯେକୌଣସି ସମୟରେ ତଳକୁ ଆସି ପାଚିଲା ଫଳକୁ ଥଣ୍ଟ ମାରି ଖାଇ ଦିଅନ୍ତି କିମ୍ବା ନଷ୍ଟ କରି ଦେଇଥାନ୍ତି। ଏହି ଫଳ ବଗିଚାକୁ ଜଗୁଥିବା ସୂରଜଙ୍କ ଭଳି ଶ୍ରମିକମାନଙ୍କୁ ରାଖେ କୁହାଯାଏ।

ସୁରଜ ବହରଦାର ହିସାବ କରି କୁହନ୍ତି, ଦୁଇ ଏକର ପରିଧି ବିଶିଷ୍ଟ ଏହି ବଗିଚାରେ ପାଖାପାଖି ୧୪୪ଟି ନାସପାତି ଗଛ ରହିଛି। ଏପ୍ରିଲରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଲୁଥିବା ଫଳ ଋତୁରେ ୧୫ ବର୍ଷୀୟ ସୂରଜ ଏକମାତ୍ର ଜଗୁଆଳି ଅଟନ୍ତି। ଏଥିପାଇଁ ଜମି ମାଲିକ ତାଙ୍କୁ ମାସିକ ୮,୦୦୦ ଟଙ୍କା ବେତନ ଦେଇଥାନ୍ତି।

‘‘ଗଛରେ ଫୁଲ ଧରିବା ଆରମ୍ଭ କରିବା ମାତ୍ରେ, ଜମି ମାଲିକମାନେ ସେମାନଙ୍କ ବଗିଚାକୁ ଲିଜ୍‌ ଦେଇଦିଅନ୍ତି। ଏହାକୁ ଲିଜ୍‌ରେ ନେଉଥିବା ଠେକେଦାର (ଠିକାଦାର)ମାନେ ରାଖେ ମାନଙ୍କୁ ନିଯୁକ୍ତ କରିଥାନ୍ତି,’’ ସୂରଜ ଆମକୁ କହିଥାନ୍ତି। ଅଧିକାଂଶ ରାଖେ ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ପ୍ରବାସୀ ଶ୍ରମିକ ହୋଇଥାନ୍ତି।

A pile of rodas (pellets) made from wet clay and a kaman (bow) are the tools of the caretaker's trade.
PHOTO • Kamaljit Kaur
Suraj is aiming with a kaman at birds in the orchard
PHOTO • Kamaljit Kaur

ବାମ : ଓଦା ମାଟିରେ ତିଆରି ହୋଇଥିବା ରୋଡା ( ମାଟି ଗୁଳି ) ଏବଂ ଏକ କମାନ ( ବାଟୁଳି ଖଡ଼ା ) ବଗିଚା ଜଗୁଆଳିଙ୍କ ଅସ୍ତ୍ର। ଡାହାଣ : ସୂରଜ କମାନ ଜରିଆରେ ବଗିଚାରେ ବସିଥିବା ପକ୍ଷୀମାନଙ୍କୁ ଘଉଡ଼ାଇ ଦେଉଛନ୍ତି

ସୂରଜ ବିହାରରୁ ଆସିଛନ୍ତି ଏବଂ ବଗିଚାରେ କାମ ଖୋଜିବା ଲାଗି ସେ ଘରଠାରୁ ପ୍ରାୟ ୨,୦୦୦ କିଲୋମିଟର ଦୂର ଯାତ୍ରା କରି ଆସିଛନ୍ତି। ସେ ଏଠାକୁ ଆସିବା ପୂର୍ବରୁ ପ୍ରଥମେ ବିହାରର ଆରାରିଆ ଜିଲ୍ଲାରେ ଥିବା ନିଜ ଗ୍ରାମ ଭାଗପାରୱାହାଠାରୁ ଏକ ବଡ଼ ସହର ସହର୍ସାକୁ ଆସିଥିଲେ। ଏହାପରେ ସେ ଟ୍ରେନରେ ବସି ୧,୭୩୨ କିଲୋମିଟର ଯାତ୍ରା କରିବା ପରେ ପଞ୍ଜାବର ଅମୃତସରରେ ପହଞ୍ଚିଥିଲେ। ଏହାପରେ ଠେକେଦାର ବ୍ୟବସ୍ଥା କରିଥିବା ବସ୍‌ରେ ଏକ ଘଣ୍ଟା ଯାତ୍ରା କରିବା ପରେ ତାଙ୍କ ଭଳି ଶ୍ରମିକମାନେ ପଟ୍ଟୀରେ ଆସି ପହଞ୍ଚିଥିଲେ।

*****

ସୂରଜ ବହରଦାର ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି, ଏମାନେ ବିହାରରେ ଅତି ପଛୁଆ ବର୍ଗ (ଇବିସି) ଭାବେ ତାଲିକାଭୁକ୍ତ। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି କାରଣରୁ ତାଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ସେ କୁହନ୍ତି, ‘‘ମୋ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା। କିନ୍ତୁ ଘରକୁ ଫେରିବା ପରେ, ମୁଁ ମୋ ରୋଜଗାର ଟଙ୍କାରେ ପୁଣିଥରେ ସ୍କୁଲରେ ପାଠପଢ଼ା ଆରମ୍ଭ କରିବି।’’

ପଞ୍ଜାବର ମାଝାକ୍ଷେତ୍ର ଅଞ୍ଚଳରେ ଥିବା ପଟ୍ଟୀ ସହର ତରନ ତାରନ ସହରଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ରହିଛି; ଏହା ପାକିସ୍ତାନରେ ଲାହୋର ସହର ଏଠାରୁ ମାତ୍ର ଏକ ଘଣ୍ଟା ଦୂରରେ ଅବସ୍ଥିତ। ଏହି କ୍ଷେତ୍ରର ଅଧିକାଂଶ ବଗିଚା ଜଟ୍ଟ (ଜାଟ)ଙ୍କ ଭଳି ଉଚ୍ଚ ଜାତିର ଲୋକମାନଙ୍କ ମାଲିକାନାରେ ରହିଛି। ଫଳ ବଗିଚା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ ଜମିର ମାଲିକାନା ମଧ୍ୟ ରହିଛି ଯେଉଁଠି ସେମାନେ ଖାଦ୍ୟ ସଶ୍ୟ ମଧ୍ୟ ଅମଳ କରିଥାନ୍ତି।

ନାସପାତି ଏବଂ ପିଚ୍‌ ଫଳ ବଗିଚାର ବିପରୀତ, ପିଜୁଳି ବଗିଚାର ସୁରକ୍ଷା ପାଇଁ ବର୍ଷକୁ ଦୁଇ ଥର ରାଖେମାନଙ୍କୁ ନିଯୁକ୍ତ କରାଯାଇଥାଏ। ବେଳେବେଳେ ସ୍ଥାନୀୟ ଲୋକମାନଙ୍କୁ ଫଳ ଗଛ ଜଗିବାକୁ ନିୟୋଜିତ କରାଯାଏ କିମ୍ବା ଠେକେଦାର ମାନେ ସେଠାରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏହି କାମରେ ଲଗାଇଥାନ୍ତି।

ଏହି କାମ ପାଇଁ ବିହାରରୁ ଆସିଥିବା ଅଧିକାଂଶ ପ୍ରବାସୀ ଶ୍ରମିକ ସୂରଜଙ୍କଠାରୁ ଅଧିକ ବୟସ୍କ ଏବଂ ଏତେ ଛୋଟ ପିଲା ଏକ ବଗିଚାରେ ରାଖେ ଭାବେ କାମ କରିବା ସାଧାରଣ କଥା ନୁହେଁ। ଆପଣ ଏହି କିଶୋରଙ୍କୁ କେତେବେଳେ ପକ୍ଷୀଙ୍କୁ ଘଉଡ଼ାଇ ଦେଉଥିବା ଏବଂ ଆଉ କେତେବେଳେ ରୋଷେଇ କରୁଥିବା, କପଡ଼ା ସଫା ଏବଂ ଅନ୍ୟାନ୍ୟ ଘରକରଣା କାମ କରୁଥିବା ଦେଖିବାକୁ ପାଇବେ। ସୂରଜ କୁହନ୍ତି ଯେ, ମାଲିକମାନେ ନିଜ ଘର ସଫା କରିବା ଏବଂ ତେଜରାତି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ କିଣିବା ଲାଗି ତାଙ୍କୁ ପଠାଇଥାନ୍ତି। ବିହାର ଫେରିଯିବା ପରେ ଫୋନ୍‌ରେ ସେ କହିଥିଲେ, ‘‘ବଗିଚା ଜଗିବା ଆଳରେ ଏତେ ସବୁ କାମ କରିବାକୁ କୁହାଯିବ ବୋଲି ମୁଁ ଯଦି ପୂର୍ବରୁ ଜାଣିଥାନ୍ତି ତା’ହେଲେ କେବେ ବି ମୁଁ ସେଠାକୁ ଯାଇନଥାନ୍ତି।’’

Suraj's meagre food rations on the table.
PHOTO • Kamaljit Kaur
He is crafting pellets (right) from wet clay
PHOTO • Kamaljit Kaur

ବାମ : ଟେବୁଲ ଉପରେ ଅଳ୍ପ କିଛି ମାତ୍ରାରେ ଥିବା ସୂରଜଙ୍କ ରାସନ । ସେ ଓଦା ମାଟିରେ ବାଟୁଳି ( ଡାହାଣ ) ତିଆରି କରୁଛନ୍ତି

ପଟ୍ଟୀର ବଗିଚାଗୁଡ଼ିକରେ, ଏପ୍ରିଲରେ ଫୁଲ ଫୁଟିବା ଆରମ୍ଭ ହେବା ପରେ ଶ୍ରମିକମାନେ ସେମାନଙ୍କର କାମ ଆରମ୍ଭ କରିଥାନ୍ତି ଏବଂ ଅଗଷ୍ଟରେ ଫଳ ପାଚିବା ପର୍ଯ୍ୟନ୍ତ ସେଠାରେ ରୁହନ୍ତି। ସେମାନେ ପାଞ୍ଚ ମାସ ପର୍ଯ୍ୟନ୍ତ ବଗିଚାରେ ବିତାଇଥାନ୍ତି ଏବଂ ଏହି ସମୟରେ ସେମାନଙ୍କ ମୁଣ୍ଡ ଉପରେ ଆଦୌ ପକ୍କା ଛାତ ନଥାଏ। ସେମାନେ ଗଛଗୁଡ଼ିକ ମଝିରେ ତାର୍ପଲିନ୍‌ ପଡ଼ିଥିବା ଅସ୍ଥାୟୀ ବାଉଁଶ କୁଡ଼ିଆ ତିଆରି କରିଥାନ୍ତି। ଖରାଦିନର ଗରମ ଏବଂ ମୌସୁମୀର ଗୁଳଗୁଳିରେ ବିଷାକ୍ତ ସାପ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ପାଖକୁ ଚାଲି ଆସନ୍ତି।

ସୁରଜ କୁହନ୍ତି, ‘‘ରୋଜଗାର ଆବଶ୍ୟକତା ସାମ୍ନାରେ ବିପଜ୍ଜନକ ସରୀସୃପଙ୍କ ଡର ଫିକା ପଡ଼ିଯାଇଥାଏ।’’ ବାହାରକୁ ବାହାରିବା ଏବଂ ଖାଲି ହାତରେ ଫେରିବା ମଧ୍ୟ ଏକ ବିକଳ୍ପ ନୁହେଁ।

*****

ପଟ୍ଟୀର ସିଙ୍ଗାରା ସିଂ ତିନି ଏକର ପରିଧି ବିଶିଷ୍ଟ ଏକ ପିଜୁଳି ବଗିଚାକୁ ଠିକାରେ ନେଇଛନ୍ତି। ସେ ଓ ତାଙ୍କ ପତ୍ନୀ ପରମଜିତ କୌର ମିଶି ଏହି ବଗିଚାରେ ରାଖେ ଭାବେ କାମ କରିଥାନ୍ତି। ସିଙ୍ଗାରା (୪୯) ମେହରା ଶିଖ ସମ୍ପ୍ରଦାୟର ଅଧିବାସୀ ଅଟନ୍ତି, ଏମାନଙ୍କୁ ପଞ୍ଜାବରେ ଅତି ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ କରାଯାଇଛି। ସେ ଏହି ବଗିଚାକୁ ଦୁଇ ବର୍ଷ ପାଇଁ ଠିକାରେ ନେଇଛନ୍ତି ଏବଂ ଏଥିପାଇଁ ୧ ଲକ୍ଷ ୧୦ ହଜାର ଟଙ୍କା ପରିଶୋଧ କରିଛନ୍ତି। ଶିଙ୍ଗାରା ସିଂ କୁହନ୍ତି, ‘‘ମୋତେ ଏହି ବଗିଚା ଖୁବ୍‌ କମ୍‌ ଦାମ୍‌ରେ ମିଳିଛି, କାରଣ ମାଲିକ ଜମି ହିସାବରେ ନୁହେଁ, ବରଂ ଗଛ ହିସାବରେ ଲିଜ୍‌ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି।’’

ସେ କୁହନ୍ତି ଯେ, ସାଧାରଣତଃ ଗୋଟିଏ ଏକର ବଗିଚାରେ ପାଖାପାଖି ୫୫-୫୬ଟି ପିଜୁଳି ଗଛ ଲଗାଯାଇଥାଏ, କିନ୍ତୁ ସେ ଯେଉଁ ବଗିଚାର ଠିକା ନେଇଛନ୍ତି ସେଥିରେ ମାତ୍ର ୬୦ଟି ପିଜୁଳି ଗଛ ଅଛି। ମଣ୍ଡିରେ ଫଳ ବିକ୍ରି କରି ସେ ୫୦,୦୦୦-୫୫,୦୦୦ ଟଙ୍କା ରୋଜଗାର କରିଥାନ୍ତି। ସେ କୁହନ୍ତି, ‘‘ଏତେ କମ୍‌ ରୋଜଗାରରେ ଆମେ କୌଣସି ରାଖେଙ୍କୁ କାମରେ ରଖିବା ବିଷରେ ଚିନ୍ତା କରିପାରିବୁ ନାହିଁ।’’

ସିଙ୍ଗାରା ସିଂ ଆହୁରି କୁହନ୍ତି, ‘‘ଏବେ ଦୁଇ ବର୍ଷ ପାଇଁ ଆମେ ଜମି ଲିଜ୍‌ ନେଇଛୁ। ଶୀତ ଋତୁରେ, ଆମେ ଏଠାରେ ପିଜୁଳି ଗଛ ସହିତ ଖାଲି ପଡ଼ିଥିବା ଜମିରେ ପନିପରିବା ଚାଷ କରିଥାଉ ଏବଂ ମଣ୍ଡିକୁ ନେଇ ବିକ୍ରି କରିଥାଉ। କିନ୍ତୁ, ଖରା ଦିନେ ଆମର ରୋଜଗାର କେବଳ ଫଳ ଉପରେ ନିର୍ଭର କରିଥାଏ।’’

ବଗିଚାର ଜଗୁଆଳି ଭାବେ କାମ କରିବାରେ ଥିବା ସମସ୍ୟା ବିଷୟରେ ସେ କୁହନ୍ତି, ‘‘ପକ୍ଷୀମାନଙ୍କ ମଧ୍ୟରୁ ପାରାକୀତ (ଶୁଆ) ଆମକୁ ବେଶୀ ହଇରାଣ କରିଥାନ୍ତି। ପିଜୁଳି ସେମାନଙ୍କର ମନପସନ୍ଦର ଫଳ। ହଁ, ଯଦି ପୂରା ଫଳ ଖାଇବାର ଅଛି ତା’ହେଲେ ଭିନ୍ନ କଥା, କିନ୍ତୁ ସେମାନେ କେବଳ ପିଜୁଳିର ମଞ୍ଜି ଖାଆନ୍ତି ଏବଂ ବାକିତକ ଫଳକୁ କାଟି କାଟି ତଳେ ପକାଇ ଦିଅନ୍ତି।’’

Shingara Singh in his three-acre guava orchard in Patti. Along with fruits, turnip is also cultivated
PHOTO • Kamaljit Kaur
A temporary camp (right) in the orchard
PHOTO • Kamaljit Kaur

ବାମ : ସିଙ୍ଗାରା ସିଂ, ପଟ୍ଟୀରେ ତିନି ଏକର ପରିବ୍ୟାପ୍ତ ପିଜୁଳି ବଗିଚାରେ ଛିଡ଼ା ହୋଇଛନ୍ତି। ଏଠାରେ ଫଳ ସହିତ ଟର୍ଣ୍ଣିପ ଚାଷ କରାଯାଏ। ବଗିଚାରେ ଏକ ଅସ୍ଥାୟୀ ତମ୍ବୁ (ଡାହାଣ)

ପାରାକୀତମାନଙ୍କ ମଧ୍ୟରେ କେତେକ ବିଶେଷ ବିପଜ୍ଜନକ ପ୍ରଜାତିର ଶୁଆ ମଧ୍ୟ ରହିଛନ୍ତି। ଶିଙ୍ଗାରା ସିଂ କୁହନ୍ତି, ‘‘ପାରାକୀତମାନଙ୍କ ମଧ୍ୟରେ ଆଲେକଜେଣ୍ଡାଇନ ପ୍ରଜାତିର ଶୁଆଗୁଡ଼ିକ ସବୁଠୁ ଅଧିକ କ୍ଷତି କରିଥନ୍ତି। ଯଦି ସେମାନଙ୍କର ପୂରା ଦଳ ବଗିଚାକୁ ଫଳ ଖାଇବାକୁ ଆସନ୍ତି, ତା’ହେଲେ ଜାଣନ୍ତୁ ଯେ ସମ୍ପୂର୍ଣ୍ଣ ବଗିଚା ନଷ୍ଟ ହେବାର ଆଶଙ୍କା ରହିଛି।’’ ଏଭଳି ସ୍ଥିତିରେ, ଜଗୁଆଳି ଭାବେ କାମ କରୁଥିବା ଶ୍ରମିକମାନେ ଭୟାନକ ସ୍ୱର କରି ଏବଂ ସୂରଜଙ୍କ ଭଳି ଗୁଲେଲ୍‌ ବ୍ୟବହାର କରି ସେମାନଙ୍କୁ ଘଉଡ଼ାଇବା ପାଇଁ ବାଧ୍ୟ ହୋଇଥାନ୍ତି।

ସ୍ଥାନୀୟ ଶ୍ରମିକମାନଙ୍କ ତୁଳନାରେ ସୂରଜଙ୍କ ଭଳି ପ୍ରବାସୀ ଶ୍ରମିକମାନଙ୍କୁ କମ୍‌ ପାରିଶ୍ରମିକ ଦିଆଯାଏ। ଶିଙ୍ଗାରା ସିଂ କୁହନ୍ତି, ‘‘ଉତ୍ତର ପ୍ରଦେଶ-ବିହାରର ଶ୍ରମିକମାନେ କମ୍‌ ମଜୁରିରେ କାମ କରିବା ଲାଗି ରାଜି ହୋଇଯାଆନ୍ତି, ଏବଂ ଠିକାଦାରମାନଙ୍କୁ ସେମାନଙ୍କ ପଞ୍ଜୀକରଣ ଆଦି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଯାଇଥାଏ।

୨୦୧୧ର ଜନଗଣନା ଅନୁଯାୟୀ, ଉତ୍ତର ପ୍ରଦେଶ ଓ ବିହାରରୁ କାମ ସନ୍ଧାନରେ ସବୁଠୁ ଅଧିକ ଶ୍ରମିକଙ୍କ ପ୍ରବାସ ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ବଞ୍ଚିତ ସମୁଦାୟର ଏବଂ ସେମାନେ କାରଖାନା, କୃଷି କ୍ଷେତ୍ର, ଇଟା-ଭାଟି ଏବଂ ବଗିଚାରେ ମଜୁରି କାମ କରିଥାନ୍ତି। ଅନ୍ୟ କୌଣସି ସରକାରୀ ପ୍ରତିଷ୍ଠାନ ପାଖରେ ଶ୍ରମିକମାନଙ୍କର କୌଣସି ରେକର୍ଡ ନାହିଁ। ଅନ୍ୟପଟେ, ଶ୍ରମିକଙ୍କ ମଧ୍ୟରେ କାମ କରୁଥିବା କୌଣସି ଟ୍ରେଡ ୟୁନିୟନ ଅଥବା ସଂଗଠନ ପାଖରେ ଏତେ ସମ୍ବଳ ନଥାଏ ଯେ ସେମାନେ ଏହି ଶ୍ରମିକମାନଙ୍କର ତଥ୍ୟ ରଖିପାରିବେ।

ସାମାଜିକ କର୍ମୀ କୱଁଲଜିତ ସିଂ କୁହନ୍ତି, ‘‘ପ୍ରବାସୀ ଶ୍ରମିକମାନଙ୍କୁ ଦୁଇଟି ବଡ଼ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନରେ ଏହି ଶ୍ରମିକ ଏବଂ ସେମାନଙ୍କୁ କାମ କରାଉଥିବା ଲୋକଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି, ତଥାପି ଏହି ଆଇନକୁ କେହି ପାଳନ କରନ୍ତି ନାହିଁ।’’ କୱଁଲଜିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ (ମାର୍କ୍ସବାଦୀ-ଲେନିନବାଦୀ) ଲିବରେସନର କେନ୍ଦ୍ର କମିଟି ସଦସ୍ୟ ମଧ୍ୟ ଅଟନ୍ତି। ସେ ଆହୁରି କୁହନ୍ତି, ‘‘ଆଇନ କାର୍ଯ୍ୟକାରୀ ନହେବା ଫଳରେ ଏଠାକୁ କାମ କରିବା ଲାଗି ଆସୁଥିବା ଶ୍ରମିକମାନଙ୍କର କୌଣସି ତଥ୍ୟ ମିଳେ ନାହିଁ। ଏହି କାରଣରୁ ସେମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ଶ୍ରମିକମାନେ ବଞ୍ଚିତ ହୋଇଥାନ୍ତି।’’

*****

Suraj getting ready to scare birds away with a kaman. He was hoping he could earn enough from this job to get back into school
PHOTO • Kamaljit Kaur

ଏକ କମାନ ଧରି ପକ୍ଷୀମାନଙ୍କୁ ଘଉଡ଼ାଇବା ପାଇଁ ସୂରଜ ପ୍ରସ୍ତୁତ ହେଉଛନ୍ତି। ପୁଣିଥରେ ସ୍କୁଲରେ ପାଠ ପଢ଼ା ଆରମ୍ଭ କରିବା ଲାଗି ଯଥେଷ୍ଟ ଟଙ୍କା ରୋଜଗାର କରିନେବେ ବୋଲି ତାଙ୍କର ଆଶା ରହିଥିଲା

ପ୍ରାୟ ଦୁଇ ଏକର ବିଶିଷ୍ଟ ଏହି ବଗିଚାରେ ପାଖାପାଖି ୧୪୪ଟି ଗଛ ଲାଗିଛି। ମାତ୍ର ୧୫ ବର୍ଷ ବୟସର ସୂରଜ, ଏପ୍ରିଲ ମାସ ଠାରୁ ଆରମ୍ଭ କରି ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫଳ ଋତୁରେ ଏକାକୀ ସମ୍ପୂର୍ଣ୍ଣ ବଗିଚାକୁ ଜଗିଥାନ୍ତି। ବଗିଚାର ମାଲିକ ତାଙ୍କୁ ମାସିକ ବେତନ ଆକାରରେ ୮,୦୦୦ ଟଙ୍କା ଦିଅନ୍ତି

ଆରାରିଆ ଜିଲ୍ଲାର ଭାଗପରୱାହା ଗ୍ରାମରେ ସୂରଜଙ୍କ ପିତା ଅନିରୁଦ୍ଧ ବହରଦାର (୩୭) ପଟୱାରୀ (ମୁଖିଆ)ଙ୍କ ସହାୟକ ଭାବେ କାମ କରିଥାନ୍ତି। ଏହି କାମ ପାଇଁ ତାଙ୍କୁ ମାସିକ ୧୨,୦୦୦ ଟଙ୍କା ବେତନ ମିଳିଥାଏ ଏବଂ ଏତିକି ହିଁ ଏହି ଭୂମିହୀନ ପରିବାରଙ୍କ ଏକମାତ୍ର ସ୍ଥିର ରୋଜଗାର। ସୂରଜ କୁହନ୍ତି, ତାଙ୍କ ପିତା ଚାହୁଁନଥିଲେ ଯେ ପୁଅ ତାଙ୍କର ଏତେ ଦୂର କାମ କରିବା ପାଇଁ ଯାଉ। କିନ୍ତୁ ପରିବାର ପାଖରେ ଆଉ କୌଣସି ଉପାୟ ନଥିଲା। ସୂରଜ କୁହନ୍ତି, ‘‘ମୁଁ ମୋର ଜଣେ ସମ୍ପର୍କୀୟଠାରୁ ଶୁଣିଥିଲି ଯେ ସେଠାରେ ଅଧିକ ଟଙ୍କା ମିଳିଥାଏ।’’ ସେଥିପାଇଁ, ସେ ପଞ୍ଜାବ ଆସିବାକୁ ରାଜି ହୋଇଯାଇଥିଲେ।

ସୂରଜଙ୍କ ଛଅ ଜଣିଆ ପରିବାର ଖପରୈଲ (ମାଟି ଟାଇଲ) ଛପର ଥିବା କଚ୍ଚା ଘରେ ରୁହନ୍ତି। ତାଙ୍କ ମା’ ସୁର୍ତ୍ତି ଦେବୀ କୁହନ୍ତି, ‘‘ବର୍ଷା ଦିନେ ଘର ଭିତରେ ପାଣି ପଶିଯାଏ। ଆମ ଗାଁରେ ସମସ୍ତଙ୍କର ମାଟି କାନ୍ଥରେ ତିଆରି କୁଡ଼ିଆ ଘର, କେବଳ କିଛି ଲୋକଙ୍କର ଟିଣ ଛାତ ଘର ରହିଛି।’’ ସୂରଜ ପଞ୍ଜାବରୁ ଯେଉଁ ଟଙ୍କା ରୋଜଗାର କରି ଆଣିଥିଲେ, ତାହା ଘର ମରାମତିରେ ଖର୍ଚ୍ଚ ହେଲା ଏବଂ ସେ ନିଜ ଯୋଜନା ମୁତାବକ ପାଠପଢ଼ା ଆରମ୍ଭ କରିପାରିଲେ ନାହିଁ। ଘରକୁ ଫେରଯିବା ପରେ ସେ ଫୋନ୍‌ରେ କହିଥିଲେ, ‘‘ଲାଗୁଛି ଯେମିତି ଇଚ୍ଛା ନଥିଲେ ମଧ୍ୟ ମୋତେ ପୁଣିଥରେ ପଞ୍ଜାବ ଆସିବାକୁ ପଡ଼ିବ।’’

ସୁର୍ତ୍ତୀ ଦେବୀ (୩୫) ଘର କାମ କରିଥାନ୍ତି ଏବଂ ଆବଶ୍ୟକତା ପଡ଼ିଲେ ମଜୁରି କାମ ମଧ୍ୟ କରନ୍ତି। ସୂରଜଙ୍କର ତିନି ସାନ ଭାଇ ସରକାରୀ ସ୍କୁଲରେ ପାଠପଢ଼ନ୍ତି – ନୀରଜ (୧୩) ଷଷ୍ଠ ଶ୍ରେଣୀ, ବିପିନ (୧୧) ଚତୁର୍ଥ ଏବଂ ସବୁଠୁ ସାନ ଭାଇ ଆଶୀଷ (୬) ଏବେ ପ୍ରାକବିଦ୍ୟାଳୟ ଶ୍ରେଣୀରେ ପଢ଼ୁଛି। ଏହି ପରିବାର ଭୂମିହୀନ ହୋଇଥିବାରୁ ସେମାନେ ପ୍ରାୟ ୨.୫ ଏକର ଜମି ଭାଗରେ ନେଇଛନ୍ତି। ଏଥିମଧ୍ୟରୁ ୧.୫ ଏକର ଜମିରେ ପୋଖରୀ ଖୋଳି ମାଛ ଚାଷ କରୁଛନ୍ତି। ବାକି ଗୋଟିଏ ଏକର ଜମିରେ ଧାନ ଓ ପନିପରିବା ଚାଷ କରାଯାଉଛି। ସୂରଜ ଯେତେବେଳେ ଘରେ ରୁହନ୍ତି, ନିଜ ଜମିରେ ହେଉଥିବା ଅଳ୍ପବହୁତ ପନିପରିବାକୁ ମଣ୍ଡିରେ ବିକ୍ରି ଲାଗି ନେଇଯାଆନ୍ତି। ଏସବୁ କରି ପରିବାର ଲୋକମାନେ ବର୍ଷକୁ ପାଖାପାଖି ୨୦,୦୦୦ ଟଙ୍କା ରୋଜଗାର କରିନିଅନ୍ତି, କିନ୍ତୁ ଏହା କୌଣସି ସ୍ଥିର ଆୟ ନୁହେଁ।

ସୂରଜ ଏବେ ନିଜ ଗାଁରେ ଅଛନ୍ତି ଏବଂ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ରୋଜଗାର କରିବା ଲାଗି ତାଙ୍କୁ ହୁଏତ ପୁଣିଥରେ ପଞ୍ଜାବ ଫେରିବାକୁ ହେବ। କିନ୍ତୁ ମନ ତାଙ୍କର ପାଠପଢ଼ାରେ ରହିଛି: ‘‘ମୁଁ ଯେତେବେଳେ ଅନ୍ୟ ପିଲାମାନଙ୍କୁ ସ୍କୁଲ ଯାଉଥିବା ଦେଖେ, ମୋର ବି ସ୍କୁଲ ଯିବା ଲାଗି ଇଚ୍ଛା ହୁଏ।’’

ଅନୁବାଦ : ଓଡ଼ିଶାଲାଇଭ୍‍

Kamaljit Kaur

Kamaljit Kaur has done M.A. in Punjabi literature. She is the Translations Editor, Punjabi, at People’s Archive of Rural india and a social activist.

Other stories by Kamaljit Kaur
Editor : Devesh

Devesh is a poet, journalist, filmmaker and translator. He is the Translations Editor, Hindi, at the People’s Archive of Rural India.

Other stories by Devesh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE