“ପିଲା ବେଳେ, ମୁଁ ଶୁଣିବାକୁ ପାଇଥିଲି ଯେ ଆମର ଦ୍ୱୀପ ଏକ ବିଶାଳ ପ୍ରବାଳ ଉପରେ ତିଷ୍ଠି ରହିଛି। ଏହାର ତଳେ ଥିବା ସମସ୍ତ ପ୍ରବାଳ ଏହାକୁ ଧରି ରଖିଛି। ଏବଂ ଆମର ଚାରିପାଖରେ ଏକ ଲାଗୁନ (ଉପକୂଳ) ରହିଛି ଯାହା ଆମକୁ ମହାସାଗରଠାରୁ ସୁରକ୍ଷିତ ରଖିଥାଏ,” ବିତ୍ରା ଦ୍ୱୀପରେ ରହୁଥିବା ୬୦ ବର୍ଷୀୟ ମତ୍ସ୍ୟଜୀବୀ ବି.ହାଇଦର କୁହନ୍ତି।

“ମୁଁ ଯେତେବେଳେ ଛୋଟ ଥିଲି, ଆମେ ଜୁଆର କମ୍‌ ଥିବା ସମୟରେ ପ୍ରବାଳଗୁଡ଼ିକୁ ଦେଖିପାରୁଥିଲୁ”, କୁହନ୍ତି ବିତ୍ରାର ଅନ୍ୟ ଜଣେ ମତ୍ସ୍ୟଜୀବୀ ଅବଦୁଲ ଖାଦାର। “ସେଗୁଡ଼ିକ ସୁନ୍ଦର ଥିଲା। ବର୍ତ୍ତମାନ ସେଥିରୁ ଖୁବ ଅଳ୍ପ ବାକି ରହିଛି। କିନ୍ତୁ ବଡ଼ ଢେଉଠାରୁ ସୁରକ୍ଷିତ ରହିବାକୁ ହେଲେ ଆମକୁ ସେଭଳି ପ୍ରବାଳର ଆବଶ୍ୟକତା ରହିଛି।

ଲାକ୍ଷାଦ୍ୱୀପ ଦ୍ୱୀପସମୂହର କାହାଣୀ, କଳ୍ପନା, ଜୀବନ, ଜୀବିକା ଓ ପରିବେଶ ତନ୍ତ୍ରର କେନ୍ଦ୍ରରେ ସେହି ପ୍ରବାଳ ରହିଛି। ବର୍ତ୍ତମାନ ତାହା ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି। ଏହାଛଡ଼ା କିଛି ଦଶନ୍ଧି ଧରି ମତ୍ସ୍ୟଜୀବୀମାନେ ଆଉ କେତେକ ପରିବର୍ତ୍ତନ ମଧ୍ୟ ଦେଖିପାରୁଛନ୍ତି।

“ଏହା ଖୁବ ସହଜ। ପ୍ରକୃତି ବଦଳିଯାଇଛି,” ବୋଲି କୁହନ୍ତି ମୁନିୟାମିନ କେ. କେ.। ଅଗତ୍ତୀ ଦ୍ୱୀପର ଆଉ ଜଣେ ମତ୍ସ୍ୟଜୀବୀ ଯିଏକି ୨୨ ବର୍ଷ ବୟସରେ ମାଛ ଧରିବା ଆରମ୍ଭ କରିଥିଲେ। “ସେତେବେଳେ ମୌସୁମୀ ସଠିକ ସମୟରେ (ଜୁନରେ) ଆସୁଥିଲା, କିନ୍ତୁ ବର୍ତ୍ତମାନ ଏହା କେତେବେଳେ ଆସିବ ଆମେ କହିପାରିବା ନାହିଁ। ଏବେ ଖୁବ କମ୍‌ ମାଛ ମିଳୁଛନ୍ତି। ପୂର୍ବରୁ ଆମକୁ ବେଶୀଦୂର ଯିବାକୁ ପଡ଼ୁନଥିଲା, ପାଖରେ ମାଛଗୁଡ଼ିକ ମିଳିଯାଉଥିଲେ। କିନ୍ତୁ ଏବେ ଲୋକମାନଙ୍କୁ ଦିନ ଦିନ ଧରି, ବେଳେ ବେଳେ କିଛି ସପ୍ତାହ ପର୍ଯ୍ୟନ୍ତ, ମାଛ ସନ୍ଧାନରେ ଦୂରକୁ ଯିବାକୁ ପଡ଼ୁଛି।”

ଅଗତ୍ତୀ ଓ ବିତ୍ରା ମଧ୍ୟରେ ଦୂରତା ଡଙ୍ଗାରେ ସାତ ଘଣ୍ଟା ଲାଗିଥାଏ। ଆରବ ସାଗର ମଧ୍ୟରେ କେରଳ ଉପକୂଳ ଠାରୁ କିଛି ଦୂରରେ ଥିବା ଭାରତର କ୍ଷୁଦ୍ରତମ କେନ୍ଦ୍ରଶାସିତ ପ୍ରଦେଶ ଲାକ୍ଷାଦ୍ୱୀପର ସବୁଠୁ ଦକ୍ଷ ମତ୍ସ୍ୟଜୀବୀ ଏହି ଦୁଇଟି ସ୍ଥାନରେ ରହିଥାନ୍ତି। ଉଭୟ ମାଲାୟାଲମ ଓ ସଂସ୍କୃତରେ ‘ଲାକ୍ଷାଦ୍ୱୀପ’ର ଅର୍ଥ ହେଉଛି ‘ଏକ ଲକ୍ଷ ଦ୍ୱୀପ’। ବାସ୍ତବତା ହେଉଛି, ଆମ ସମୟରେ, ମାତ୍ର ୩୬ଟି ଦ୍ୱୀପ ରହିଛି, ସବୁ ଦ୍ୱୀପ ମିଶିଲେ ମୋଟ କ୍ଷେତ୍ରଫଳ ମାତ୍ର ୩୨ ବର୍ଗ କିମି ହେବ। ତେବେ, ଦ୍ୱୀପପୁଞ୍ଜର ଜଳ ୪୦୦,୦୦୦ ବର୍ଗକିମିରେ ପରିବ୍ୟାପ୍ତ ଏବଂ ଏଠାରେ ସମୃଦ୍ଧ ସାମୁଦ୍ରିକ ଜୀବନ ଓ ସମ୍ବଳ ଭରି ରହିଛି।

ଏହି ଗୋଟିଏ ଜିଲ୍ଲା ବିଶିଷ୍ଟ କେନ୍ଦ୍ରଶାସିତ ପ୍ରଦେଶରେ ୬୪,୫୦୦ ଲୋକ (୨୦୧୧ ଜନଗଣନା ଅନୁଯାୟୀ) ରୁହନ୍ତି ଏମାନଙ୍କ ମଧ୍ୟରୁ ୯୦୦୦ରୁ ଅଧିକ ଲୋକ ମତ୍ସ୍ୟଜୀବୀ, ଅର୍ଥାତ ପ୍ରତି ସାତ ଜଣଙ୍କ ମଧ୍ୟରୁ ଜଣେ ଏହି ପେଷାକୁ ଗ୍ରହଣ କରିଛନ୍ତି।

PHOTO • Sweta Daga

ବିତ୍ରା (ଉପର) ଏବଂ ଲାକ୍ଷାଦ୍ୱୀପର ଅବଶିଷ୍ଟ ଭାଗ ଭାରତର ଏକମାତ୍ର ପ୍ରବାଳ ଦ୍ୱୀପ। ‘ମୁଁ ଯେତେବେଳେ ଛୋଟ ଥିଲି, ଆମେ ଜୁଆର କମ୍‌ ଥିବା ସମୟରେ ପ୍ରବାଳ ଦେଖିପାରୁଥିଲୁ (ପୃଷ୍ଠଭୂମି, ତଳେ ଡାହାଣ), ବିତ୍ରାର ଜଣେ ମତ୍ସ୍ୟଜୀବୀ ଅବଦୁଲ ଖାଡ଼ା କୁହନ୍ତି। ‘ବର୍ତ୍ତମାନ ସେଗୁଡ଼ିକ ମଧ୍ୟରୁ ଖୁବ ଅଳ୍ପ ବାକି ରହିଛି’

ଦ୍ୱୀପର ବୟସ୍କମାନେ କୁହନ୍ତି ଯେ ମୌସୁମୀ ଆସିବା ବେଳକୁ ସେମାନେ କ୍ୟାଲେଣ୍ଡର ପ୍ରସ୍ତୁତ କରି ଦେଉଥିଲେ। କିନ୍ତୁ “ଏବେ ସମୁଦ୍ର ଯେକୌଣସି ସମୟରେ ଉଗ୍ରରୂପ ଧାରଣ କରୁଛି- ପୂର୍ବରୁ ଏପରି ହେଉନଥିଲା”, ୭୦ ବର୍ଷ ବୟସ୍କ ମତ୍ସ୍ୟଜୀବୀ ୟୁ.ପି. କୋୟା କୁହନ୍ତି, ଯାହାଙ୍କ ପାଖରେ ଦୀର୍ଘ ଚାରି ଦଶନ୍ଧିର ମାଛ ଧରା ଅଭିଜ୍ଞତା ରହିଛି। “ମୁଁ ବୋଧହୁଏ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲି ଯେତେବେଳେ ମିନିକୋୟ (ପାଖାପାଖି ୩୦୦ କିମି ଦୂର)ରୁ ଲୋକମାନେ ଆସିଥିଲେ ଏବଂ ଆମକୁ ‘ପୋଲ ଏବଂ ଲାଇନ’ ପଦ୍ଧତିରେ ମାଛ ଧରା ଶିଖାଇଥିଲେ। ସେବେଠାରୁ ଲାକ୍ଷାଦ୍ୱୀପରେ ଆମେ ମୁଖ୍ୟତଃ ସେହି ଉପାୟରେ ମାଛ ଧରିଥାଉ-ଆମେ ଜାଲ ଉପଯୋଗ କରିନଥାଉ କାରଣ ସେଗୁଡ଼ିକ ପ୍ରବାଳ ଚଟାଣରେ ଫସିଯାଇ ସେଗୁଡ଼ିକୁ ଫଟାଇ ଦେଇଥାଏ। ଆମେ ପକ୍ଷୀଙ୍କ କାରଣରୁ ଏବଂ ଆମର କମ୍ପାସ ସାହାଯ୍ୟରେ ମାଛଗୁଡ଼ିକୁ ଧରିଥାଉ।”

ମାଛ ଧରିବା ଲାଗି ‘ପୋଲ ଓ ଲାଇନ’ ପଦ୍ଧତିରେ ମତ୍ସ୍ୟଜୀବୀମାନେ ରେଲିଂ କିମ୍ବା ନିଜ ଜାହାଜ ଉପରେ ତିଆରି ଏକ ବିଶେଷ ପ୍ଲାଟଫର୍ମ ଉପରେ ଛିଡ଼ା ହୋଇଥାନ୍ତି। ଶେଷ ଧାଡ଼ିରେ ଏକ ମଜବୁତ ହୁକ ସହିତ ଏକ ଛୋଟ ଓ ମଜବୁତ ଲାଇନ, ପୋଲ୍ ସହିତ ଲାଗି ରହିଥାଏ, ଯାହା ମୁଖ୍ୟତଃ ଫାଇଭର ଗ୍ଲାସରେ ନିର୍ମିତ ହୋଇଥାଏ। ଏହା ମାଛ ଧରିବାର ସବୁଠୁ ସ୍ଥାୟୀ ପଦ୍ଧତି, ଏବଂ ଏଠାରେ ଏହାକୁ ପାଣିର ଉପରି ଭାଗରେ ରହୁଥିବା ଟୁନା ପ୍ରଜାତିର ମାଛ ଧରିବା ଲାଗି ଉପଯୋଗ କରାଯାଇଥାଏ। ଅଗତ୍ତୀ ଏବଂ ଲାକ୍ଷାଦ୍ୱୀପର ଅନ୍ୟ ଦ୍ୱୀପରେ ଲୋକମାନେ ଖାଦ୍ୟରେ ମୁଖ୍ୟତଃ ନଡ଼ିଆ ଏବଂ ମାଛ-ମୁଖ୍ୟତଃ ଟୁନା-ର ଉପଯୋଗ କରିଥାନ୍ତି।

ବିତ୍ରା ସବୁଠୁ ଛୋଟ-୦.୦୧୫ ବର୍ଗକିମି, ବା ପାଖାପାଖି ୧୦ ହେକ୍ଟର- ଏବଂ ଏହି ଦ୍ୱୀପସମୂହର ୧୨ଟି ଜନବସତି ଥିବା ଦ୍ୱୀପଗୁଡ଼ିକ ମଧ୍ୟରୁ ସବୁଠୁ ଦୂରରେ ରହିଛି। ଏଥିରେ ନରମ, ଧଳା ବାଲି ଥିବା ସମୁଦ୍ର ଉପକୂଳ, ନଡ଼ିଆ ଗଛ ରହିଛି ଏବଂ ଏହାର ଚାରିପାଖରେ ଚାରିଟି ରଙ୍ଗର ପାଣି-ନୀଳ, ସବୁଜ ମିଶା ନୀଳ ରଙ୍ଗ, ଆକ୍ୱାମେରିନ ଏବଂ ସାମୁଦ୍ରିକ ସବୁଜ-ଘେରି ରହିଛି। ପର୍ଯ୍ୟଟକମାନଙ୍କୁ ଏଠାକୁ ଯିବା ଲାଗି ଅନୁମତି ନାହିଁ; ଏଠାରେ ପହଞ୍ଚିବା ପରେ ଚାଲିବା ହିଁ ଏକମାତ୍ର  ବିକଳ୍ପ, କୌଣସି କାର୍‌ କିମ୍ବା ମୋଟର ବାଇକ ନାହିଁ, ଏପରିକି ସାଇକେଲ ମଧ୍ୟ ଏଠାରେ ମିଳିବା ଦୁର୍ଲଭ। ୨୦୧୧ର ଜନଗଣନା ଅନୁଯାୟୀ, ବିତ୍ରାରେ ମାତ୍ର ୨୭୧ ଜଣ ଲୋକ ରୁହନ୍ତି।

ତେବେ, ଏହି କେନ୍ଦ୍ର ଶାସିତ ପ୍ରଦେଶରେ ସବୁଠୁ ବଡ଼ ଲାଗୁନ ଏଠାରେ ରହିଛି-କ୍ଷେତ୍ରଫଳ ଦୃଷ୍ଟିରୁ ପାଖାପାଖି ୪୭ ବର୍ଗ କିମି। ଏବଂ ବିତ୍ରା ତଥା ଲାକ୍ଷାଦ୍ୱୀପର ଅବଶିଷ୍ଟ ଭାଗ ଭାରତରେ ଏକମାତ୍ର ପ୍ରବାଳ ଦ୍ୱୀପ । ଅର୍ଥାତ, ଏଠାରେ ଥିବା ପ୍ରାୟତଃ ସମସ୍ତ ଜନବସତି ଭୂମି ବାସ୍ତବରେ ପ୍ରବାଳ ଦ୍ୱୀପ ଅଟନ୍ତି । ଏହାର ମାଟି ମୁଖ୍ୟତଃ ପ୍ରବାଳରୁ ସୃଷ୍ଟି ହୋଇଛି।

ପ୍ରବାଳଗୁଡ଼ିକ ଜୀବିତ ପ୍ରାଣୀ ଯେଉଁମାନେ ଚଟାଣ ସୃଷ୍ଟି କରିଥାନ୍ତି ଏବଂ ସାମୁଦ୍ରିକ ଜୀବନ, ବିଶେଷ କରି ମତ୍ସ୍ୟଜୀବୀମାନଙ୍କ ଲାଗି ପରିବେଶ ତନ୍ତ୍ର ପ୍ରଦାନ କରିଥାନ୍ତି। ପ୍ରବାଳ ଚଟାଣ ଏକ ପ୍ରାକୃତିକ ଅବରୋଧକ, ଯାହା ଏହି ଦ୍ୱୀପଗୁଡ଼ିକୁ ସମୁଦ୍ର ଗର୍ଭରେ ଲୀନ ହେବାରୁ ବଞ୍ଚାଇଥାନ୍ତି ଏବଂ ଲୁଣି ପାଣିକୁ ସୀମିତ ମଧୁର ଜଳ ସ୍ରୋତ ଠାରୁ ବାହାରେ ରଖିଥାନ୍ତି।

ଆଖିବୁଜା ମାଛ ଧରା, ବିଶେଷ କରି ଜାଲଯୁକ୍ତ ମେସିନ ଚାଳିତ ଡଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ରକୁ ଯାଇ ମାଛ ଧରିବା ଯୋଗୁଁ ମାଛ ଜାଆଁଳ (ବେଟଫିଶ) କମି ଯାଉଛନ୍ତି ଏବଂ ପ୍ରବାଳ ଚଟାଣ ତଥା ତତସଂକ୍ରାନ୍ତ ଜୈବବିବିଧତା କ୍ଷତିଗ୍ରସ୍ତ ହେଉଛି

ଭିଡ଼ିଓ ଦେଖନ୍ତୁ : ନୌକାରେ ମାଛ ଜାଆଁଳ (ବେଟ ଫିଶ) ଧରିବାକୁ ଯାଉଥିବା ମତ୍ସ୍ୟଜୀବୀ

ପ୍ରବାଳ ଚଟାଣରେ ଛୋଟ ମାଛ ଜାଆଁଳ (ବେଟଫିଶ)ଗୁଡ଼ିକ ରହିଥାନ୍ତି। ଏମାନଙ୍କୁ ଟୁନା ଏବଂ ଲାଗୁନ ମାଛଗୁଡ଼ିକର ବିଭିନ୍ନ ପ୍ରଜାତିଙ୍କୁ ଆକର୍ଷିତ କରିବା ଲାଗି ଧରାଯାଇଥାଏ। ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୨ର ୟୁଏନଡିପି ଲାକ୍ଷାଦ୍ୱୀପ ଆକ୍ସନ ପ୍ଲାନ ଅନୁଯାୟୀ, ଭାରତରେ ମୋଟ ଯେତିକି ମାଛ ଧରାଯାଇଥାଏ ସେଥିମଧ୍ୟରୁ ୨୫ ପ୍ରତିଶତ ସମୁଦ୍ର ଜଳ ଏବଂ ପ୍ରବାଳ ଚଟାଣରୁ ମିଳିଥାଏ। ଏବଂ ଟୁନା ପ୍ରଜାତି ମାଛ ଧରିବା ଲାଗି ଏପରି ମାଛ ଜାଆଁଳଗୁଡ଼ିକର ମୁଖ୍ୟ ଭୂମିକା ରହିଥାଏ।

“ଅଣ୍ଡା ଜମା କରିସାରିବା ପରେ ଜାଆଁଳ ମାଛଗୁଡ଼ିକୁ ଆମେ ଧରୁଥିଲୁ, କିନ୍ତୁ ଏବେ ଲୋକମାନେ ସେମାନଙ୍କୁ ଯେକୌଣସି ସମୟରେ ଧରି ନେଉଛନ୍ତି”, ୫୩ ବର୍ଷୀୟ ମତ୍ସ୍ୟଜୀବୀ ଅବଦୁଲ ରେହମାନ କୁହନ୍ତି, ଯିଏକି ବିତ୍ରା ଠାରୁ ପାଖାପାଖି ୧୨୨ କିମି ଦୂର, ଜିଲ୍ଲା ମୁଖ୍ୟାଳୟ କବରତ୍ତୀରେ ରହିଥାନ୍ତି ଏବଂ ୩୦ ବର୍ଷ ହେବ ମାଛ ଧରିଆସୁଛନ୍ତି। “ଡଙ୍ଗା ସଂଖ୍ୟା ବଢ଼ିଯାଇଛି, କିନ୍ତୁ ମାଛ ସଂଖ୍ୟା କମିଯାଇଛି।” ଆଖିବୁଜା ମାଛ ଧରିବା, ବିଶେଷ କରି ଜାଲଯୁକ୍ତ ମେସିନ ଚାଳିତ ଡଙ୍ଗା ସାହାଯ୍ୟରେ ଗଭୀର ଜଳକୁ ଯାଇ ମାଛ ଧରିବା କାରଣରୁ ମାଛ ଜାଆଁଳ କମି ଯାଉଛି ଏବଂ ପ୍ରବାଳ ଚଟାଣ ତଥା ତତସଂକ୍ରାନ୍ତ ଜୈବ-ବିବିଧତା କ୍ଷତିଗ୍ରସ୍ତ ହେଉଛି।

ତେବେ ଏହା ସମସ୍ୟାର କେବଳ ଗୋଟିଏ ଅଂଶ।

ଏଲ ନିନୋ ଭଳି ଗମ୍ଭୀର ଜଳବାୟୁ ପ୍ୟାଟର୍ଣ୍ଣ ସମୁଦ୍ର ଉପରିସ୍ଥ ଭାଗର ତାପମାତ୍ରାକୁ ବଢ଼ାଇ ଦେଇଥାଏ ଏବଂ ବ୍ୟାପକ ମାତ୍ରାରେ ‘ପ୍ରବାଳ କ୍ଷୟ’ ହୋଇଥାଏ-ଯାହାକି ପ୍ରବାଳ ଚଟାଣର ରଙ୍ଗ ଓ ଜୀବନ ହାନି କରିବା ଏବଂ ଦ୍ୱୀପଗୁଡ଼ିକୁ ରକ୍ଷା କରିବା ଲାଗି ସେମାନଙ୍କର କ୍ଷମତା କମିଯିବାର କାରଣ ସାଜିଥାଏ। ଲାକ୍ଷାଦ୍ୱୀପରେ ତିନୋଟି ବଡ଼ ପ୍ରବାଳ କ୍ଷୟ ଦେଖିବାକୁ ମିଳିଛି- ୧୯୯୮, ୨୦୧୦, ଏବଂ ୨୦୧୬ରେ। ମହୀଶୂରସ୍ଥିତ ଅଣ-ଲାଭକାରୀ ବନ୍ୟଜୀବ ସଂରକ୍ଷଣ ଏବଂ ଗବେଷଣା ସଂଗଠନ, ନେଚର କଞ୍ଜରଭେସନ ଫାଉଣ୍ଡେସନ (ଏନସିଏଫ)ର ୨୦୧୮ର ଅଧ୍ୟୟନରୁ ଜଣାପଡ଼ିଥାଏ ଯେ ପ୍ରବାଳ ଚଟାଣଗୁଡ଼ିକ ପ୍ରତି ବିପଦ ଦେଖାଦେଇଛି। ଅଧ୍ୟୟନରୁ ଜଣାପଡ଼ିଥାଏ ଯେ ୧୯୯୮ରୁ ୨୦୧୭ ମଧ୍ୟରେ-ମାତ୍ର ୨୦ ବର୍ଷ ମଧ୍ୟରେ- ଲାକ୍ଷାଦ୍ୱୀପରେ ପ୍ରବାଳ ଚଟାଣର କ୍ଷେତ୍ର ୫୧.୬ ପ୍ରତିଶତରୁ ହ୍ରାସ ପାଇ ମାତ୍ର ୧୧ ପ୍ରତିଶତ ବାକି ରହିଛି।

ବିତ୍ରାର ଜଣେ ମତ୍ସ୍ୟଜୀବୀ, ୩୭ ବର୍ଷୀୟ ଅବଦୁଲ କୋୟା କୁହନ୍ତି: “ଆମେ ଚାରି କିମ୍ବା ପାଞ୍ଚ ବର୍ଷର ହୋଇଥିବା ବେଳେ ପ୍ରବାଳକୁ ଚିହ୍ନି ପାରୁଥିଲୁ। ପାଣି ଭିତରକୁ ଯିବା ପୂର୍ବରୁ ଆମେ ସେଗୁଡ଼ିକୁ କୂଳରେ ଭାସୁଥିବା ଦେଖିପାରୁଥିଲୁ। ଏହାର ଉପଯୋଗ ଆମେ ଆମ ଘର ତିଆରିରେ କରୁଥିଲୁ।”

କଭରତ୍ତୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ବୈଜ୍ଞାନିକ, ଡକ୍ଟର କେକେ ଇଦରୀସ ବାବୁ କ୍ଷୟପ୍ରାପ୍ତ ପ୍ରବାଳ ବିଷୟରେ କୁହନ୍ତି : “ସମୁଦ୍ର ଜଳ ଉପରିସ୍ତ ଭାଗର ତାପମାତ୍ରା ଏବଂ ପ୍ରବାଳ ଆଧାର ମଧ୍ୟରେ ଏକ ସମ୍ପର୍କ ରହିଛି। ୨୦୧୬ରେ, ସମୁଦ୍ର ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ଏବଂ ଏହାଠାରୁ ଅଧିକ ଥିଲା!” ଅଧ୍ୟୟନରୁ ଜଣାପଡ଼ିଥାଏ ଯେ ୨୦୦୫ ପର୍ଯ୍ୟନ୍ତ ପ୍ରବାଳ ଚଟାଣ କ୍ଷେତ୍ରରେ ତାପମାତ୍ରା ୨୮.୯୨ ସେଲସିୟସ ରହିଥିବା ଦେଖିବାକୁ ମିଳିଥିଲା। ୧୯୮୫ରେ ଏହା ୨୮.୫ ସେଲସିୟସ ଥିଲା। ଗରମ ଏବଂ ଜଳସ୍ତରରେ ବୃଦ୍ଧି ସେହି ଦ୍ୱୀପଗୁଡ଼ିକ ପାଇଁ ଚିନ୍ତାର ବିଷୟ ଯେଉଁ ସ୍ଥାନର ହାରାହାରୀ ଉଚ୍ଚତା ସମୁଦ୍ର ପତନଠାରୁ ସର୍ବାଧିକ ୧-୨ ମିଟର।

PHOTO • Rohan Arthur, Nature Conservation Foundation, Mysuru

ଉପର ଧାଡ଼ି : ଏଲ ନିନୋ ଭଳି ଗମ୍ଭୀର ଜଳବାୟୁ ପ୍ୟାଟର୍ଣ୍ଣ ସମୁଦ୍ର ଉପରିସ୍ତ ଭାଗର ତାପମାତ୍ରାକୁ ବଢ଼ାଇ ଦେଇଥାଏ ଏବଂ ବ୍ୟାପକ ମାତ୍ରାରେ ‘ପ୍ରବାଳ କ୍ଷୟ’-ପ୍ରବାଳ ଚଟାଣର ରଙ୍ଗ ଓ ଜୀବନ ହ୍ରାସ ପାଇବା ଏବଂ ଦ୍ୱୀପଗୁଡ଼ିକୁ ସୁରକ୍ଷା ଦେବା ଲାଗି ସେମାନଙ୍କର କ୍ଷମତାକୁ କମ କରିବା-ର କାରଣ ସାଜିଥାଏ। ତଳ ଧାଡ଼ି : ୨୦୧୪ରେ ପାଭୋନା କ୍ଲେଭସ କୋରାଲର ଏକ ବଡ଼ ତଟ, ‘ଆଳୁ ଖଣ୍ଡ’ ଭଳି ପରିବେଶ ତନ୍ତ୍ର ଏବଂ ରିଫ ମାଛ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ। କିନ୍ତୁ ୨୦୧୬ରେ ଏଲ ନିନୋ ଘଟଣା ସମୟରେ, ତାପମାତ୍ରା ବଢ଼ି ଚାଲିବା ସହିତ, ପ୍ରବାଳରେ ଥିବା ଜୀବ ନିଜର ସହଜୀବୀ ଶୈବାଳଗୁଡ଼ିକୁ ବାହାରକୁ ବାହାର କରି ଦେଇଥିଲେ ଏବଂ ସେଗଗୁଡ଼ିକ ଧଳା ହୋଇଯାଇଥିଲେ।

କବରତ୍ତୀରେ ସବୁଠୁ ବଡ଼ ଡଙ୍ଗା-୫୩ ଫୁଟ ଲମ୍ବ-ର ମାଲିକ ୪୫ ବର୍ଷୀୟ ନିଜାମୁଦ୍ଦିନ ମଧ୍ୟ ପରିବର୍ତ୍ତନଗୁଡ଼ିକୁ ଅନୁଭବ କରିଥାନ୍ତି ଏବଂ କହିଥାନ୍ତି ଯେ ପାରମ୍ପରିକ ଜ୍ଞାନ ହରାଇବା କାରଣରୁ ସେମାନଙ୍କ ସମସ୍ୟା ବୃଦ୍ଧି ପାଇଛି: “ମୋ ବାପା, ଜଣେ ମତ୍ସ୍ୟଜୀବୀ, ଜାଣିଥିଲେ ଯେ କେଉଁଠି ମାଛ ମିଳିବ, (ସେହି ପିଢ଼ି) ନିକଟରେ ସେହି ସୂଚନା ଥିଲା। ଆମେ ତା’କୁ ହରାଇଲୁ ଏବଂ ଅଧିକାଂଶ ସମୟରେ ଏଫଏଡି (ଅଧିକ ମାଛ ଧରିବାର ଉପକରଣ) ଉପରେ ଭରସା କରିବାକୁ ଲାଗିଲୁ। ଆମକୁ ଟୁନା ମାଛ ନମିଳିଲେ, ଆମେ ଲାଗୁନ ମାଛ ପଛରେ ଦୌଡ଼ିଥାଉ।” ଏଫଏଡି, ହାଇଟେକ ଶୁଭୁଥିଲେ ମଧ୍ୟ, ଏକ ବଡ଼ କିମ୍ବା ଭାସୁଥିବା କାଠ ଖଣ୍ଡ ହୋଇପାରେ-ଯାହା ମାଛଗୁଡ଼ିକୁ ଆକୃଷ୍ଟ କରିଥାଏ, ମାଛଗୁଡ଼ିକ ଏହାର ଚାରି ପାଖରେ କିମ୍ବା ତଳେ ଏକତ୍ରିତ ହୋଇଯାଆନ୍ତି।

“ବର୍ତ୍ତମାନ, ଯଦିଓ,” ଲାକ୍ଷାଦ୍ୱୀପରେ ୨୦ ବର୍ଷ ଧରି କାମ କରିସାରିଥିବା ସାମୁଦ୍ରିକ ଜୀବ ବିଜ୍ଞାନୀ ଏବଂ ବୈଜ୍ଞାନିକ ଡକ୍ଟର ରୋହନ ଆର୍ଥର କୁହନ୍ତି, “ମୋର ମୁଖ୍ୟ ଚିନ୍ତା ପ୍ରବାଳଗୁଡ଼ିକର ଜୈବବିବିଧତା ନୁହେଁ, ବରଂ ସେଗୁଡ଼ିକର କାର୍ଯ୍ୟକାରିତା ଉଦ୍ଦେଶ୍ୟକୁ ନେଇ ରହିଛି। ଚଟାଣର ସମ୍ପର୍କ କେବଳ ପ୍ରବାଳ ସହ ନୁହେଁ, ବରଂ ଏସବୁ ସମ୍ପୂର୍ଣ୍ଣ ପରିବେଶ ତନ୍ତ୍ରର ନିର୍ମାଣ କରିଥାନ୍ତି। ଏହାକୁ ପାଣି ତଳେ ଜଙ୍ଗଲ ରୂପରେ ଦେଖାଯିବା ଉଚିତ-ଏବଂ ଜଙ୍ଗଲର ଅର୍ଥ କେବଳ ଗଛ ନୁହେଁ।”

ଏନସିଏଫରେ ମହାସାଗର ଏବଂ ଉପକୂଳ କାର୍ଯ୍ୟକ୍ରମର ମୁଖ୍ୟ ଥିବା ଡ. ଆର୍ଥର ଆମକୁ କଭରତ୍ତୀରେ କହିଥଲେ ଯେ “ଲାକ୍ଷାଦ୍ୱୀପର ଚଟାଣ ସହନଶୀଳତାର ସଙ୍କେତ ଦେଖାଇଛନ୍ତି, କିନ୍ତୁ ବର୍ତ୍ତମାନର ସୁଧାର ହାର ଜଳବାୟୁ ପରିବର୍ତ୍ତନ ଘଟଣା ସହିତ ଗତି ବଜାୟ ରଖିବାରେ ଅସମର୍ଥ ଅଟନ୍ତି। ଏବଂ ତାହାପୁଣି ସୀମାତିରିକ୍ତ ମାଛ ମାରିବା ଭଳି ଅବିଚାରିତ ମାନବୀୟ ଚାପର ପ୍ରଭାବକୁ ସହ୍ୟ କରିବାରେ।”

ଜଳବାୟୁ ଘଟଣା ଏବଂ ପ୍ରକ୍ରିୟାଗୁଡ଼ିକ, ଅବକ୍ଷୟ ଭଳି ଘଟଣା ବ୍ୟତୀତ ଅନ୍ୟ ପ୍ରଭାବ ମଧ୍ୟ ପକାଇଥାନ୍ତି। ଘୂର୍ଣ୍ଣିବାତ୍ୟା - ୨୦୧୫ରେ ମେଘ ଏବଂ ୨୦୧୭ରେ ଓଖି- ମଧ୍ୟ ଲାକ୍ଷାଦ୍ୱୀପକୁ ବରବାଦ କରି ଦେଇଥିଲା। ମତ୍ସ୍ୟପାଳନ ବିଭାଗର ତଥ୍ୟ ଅନୁଯାୟୀ ମାଛ ଧରିବା ପରିମାଣରେ ବ୍ୟାପକ ମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି, ଯାହାକି ୨୦୧୬ରେ ପାଖାପାଖି ୨୪,୦୦୦ ଟନ (ସମସ୍ତ ଟୁନା ପ୍ରଜାତି)ରୁ ହ୍ରାସ ପାଇ ୨୦୧୭ରେ ୧୪,୦୦୦ ଟନ ହୋଇଯାଇଥିଲା-ଅର୍ଥାତ ୪୦ ପ୍ରତିଶତ ହ୍ରାସ। ୨୦୧୯ରେ, ଏହା ବିଗତ ବର୍ଷର ୨୪,୦୦୦ରୁ ହ୍ରାସ ପାଇ ୧୯,୫୦୦ ଟନ ହୋଇଯାଇଛି। କିଛି ବର୍ଷ ଭଲ ମଧ୍ୟ ରହିଛି, କିନ୍ତୁ ମତ୍ସ୍ୟଜୀବୀମାନେ କୁହନ୍ତି ଯେ, ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନିଶ୍ଚିତ ଓ ଅପ୍ରତ୍ୟାଶିତ ହୋଇଯାଇଛି।

ଆହୁରି ବିଗତ ଗୋଟିଏ ଦଶନ୍ଧି ହେବ ରିଫ ମାଛର ବିଶ୍ୱସ୍ତରୀୟ ଚାହିଦାରେ ବୃଦ୍ଧି କାରଣରୁ ଏଠାକାର ମତ୍ସ୍ୟଜୀବୀମାନେ ସ୍ଥାନୀୟ ଅଞ୍ଚଳରେ ଚମ୍ମମ ନାମରେ ପ୍ରସିଦ୍ଧ ବଡ଼ ଶିକାରୀ ମାଛ ସନ୍ଧାନକୁ ଜୋରଦାର କରି ଦେଇଛନ୍ତି।

PHOTO • Sweta Daga

ବାମ : ‘ନୌକା ସଂଖ୍ୟା ବଢ଼ିଯାଇଛି, କିନ୍ତୁ ମାଛ କମିଯାଇଛି’, କବରତ୍ତୀ  ଦ୍ୱୀପର ମତ୍ସ୍ୟଜୀବୀମାନେ କହିଛନ୍ତି; ଏଠାରେ, ସେମାନେ ଟୁନା ନେଇ ଆସୁଛନ୍ତି। ଡାହାଣ : ବିତରା ଦ୍ୱୀପରେ ଅବଦୁଲ କୋୟା ନିଜ ମାଛ ଶୁଖାଉଛନ୍ତି।

ଅଗତ୍ତୀ ଦ୍ୱୀପର ୩୯ ବର୍ଷୀୟ ଉମ୍ମେର ଏସ.-ଯିଏକି ୧୫ ବର୍ଷ ଧରି ମାଛ ଧରିବା ଏବଂ ନୌକା ତିଆରି କାମ କରୁଛନ୍ତି-କହିଥାନ୍ତି ଯେ ସେମାନେ ବଡ଼ ଶିକାରୀ ମାଛ କାହିଁକି ଧରନ୍ତି। “ପୂର୍ବରୁ ଲାଗୁନ ନିକଟରେ ବହୁ ପରିମାଣରେ ଟୁନା ମାଛ ମିଳୁଥିଲେ, କିନ୍ତୁ ଏବେ ଆମକୁ ସେହି ମାଛ ଧରିବା ଲାଗି ୪୦-୪୫ ମାଇଲ ଦୂର ଯିବାକୁ ପଡ଼ୁଛି। ଆହୁରି ଯଦି ଆମକୁ ଅନ୍ୟ ଦ୍ୱୀପକୁ ଯିବାକୁ ପଡ଼େ, ତା’ହେଲେ ସେଥିପାଇଁ ଦୁଇ ସପ୍ତାହ ଲାଗିଥାଏ। ସେଥିପାଇଁ ସେତିକି ସମୟରେ ମୁଁ ଚମ୍ମମ ଧରିଥାଏ। ଏଗୁଡ଼ିକ ପାଇଁ ବଜାର ରହିଛି, କିନ୍ତୁ ଏହା ଖୁବ କଷ୍ଟକର କାମ, କାରଣ କେବଳ ଗୋଟିଏ ଚମ୍ମମ ଧରିବା ଲାଗି ଆପଣଙ୍କୁ ଗୋଟିଏ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିପାରେ।”

ଏହି କ୍ଷେତ୍ରର ବିକାଶ ଉପରେ ଅଧ୍ୟୟନ କରୁଥିବା ଜଣେ ବୈଜ୍ଞାନିକ, ରୁଚା କରକରେ ଆମକୁ ବିତ୍ରାରେ କହିଥିଲେ, “ପ୍ରବାଳ କ୍ଷୟ ସହିତ ବଡ଼ ଶିକାରୀ ମାଛ (ଚମ୍ମମ) ସଂଖ୍ୟାରେ ବିଗତ କିଛି ବର୍ଷ ମଧ୍ୟରେ ବ୍ୟାପକ ହ୍ରାସ ଦେଖିବାକୁ ମିଳିଛି। ମତ୍ସ୍ୟଜୀବୀମାନେ ଅନିଶ୍ଚିତତା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ କାରଣରୁ, ଟୁନା ମାଛ ନମିଳିଲେ, ରିଫ ମାଛ ଧରିବାକୁ ଯାଆନ୍ତି, ଯାହାଫଳରେ ସେଗୁଡ଼ିକ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆମେ ପରାମର୍ଶ ଦେଇଥିଲୁ ଯେ ସେମାନେ ମାଛ ଅଣ୍ଡା ଦେଉଥିବା ମାସର ପାଞ୍ଚ ଦିନ ମାଛ ଧରିବାକୁ ନଯାଆନ୍ତୁ।’’

ବିତ୍ରାର ମତ୍ସ୍ୟଜୀବୀମାନେ ସେହି ଦିନଗୁଡ଼ିକରେ ନିଜର ଗତିବିଧି ବନ୍ଦ କରିବା ଲାଗି ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଦେଖିଲେ ଯେ ଅନ୍ୟମାନେ ଏପରି କରିବାକୁ ପ୍ରସ୍ତୁତ ନଥିଲେ।

“କିଲତନ ଦ୍ୱୀପର ପିଲାମାନେ ଏଠାକୁ ବିତ୍ରା ଆସୁଥିଲେ ଏବଂ ରାତିରେ ମାଛ ଧରୁଥିଲେ,” ଅବଦୁଲ କୋୟା କୁହନ୍ତି, ଯିଏକି ନିଜ ଶୁଖିଲା ମାଛକୁ ଛାଣିବା ସମୟରେ ଆମ ସହ କଥାବାର୍ତ୍ତା କରୁଥିଲେ। “ଏଥିପାଇଁ ଅନୁମତି ଦିଆଯିବା ଅନୁଚିତ… ଏପରି ଅଧିକାଂଶ ସମୟରେ ହୋଇଥାଏ ଏବଂ ବେଟଫିଶ, ରିଫ ଓ ଟୁନା ସବୁ ମାଛରେ ହ୍ରାସ ଦେଖିବାକୁ ମିଳୁଛି।”

“ମୁଖ୍ୟ ଭୂମିରୁ, ଅନ୍ୟ କେତେକ ଦେଶରୁ ମଧ୍ୟ ବଡ଼ ବଡ଼ ନୌକା ଆସୁଛି, ଯେଉଁମାନଙ୍କ ପାଖରେ ବଡ଼ ଜାଲ ଥାଏ,” ବି. ହାଇଦର କୁହନ୍ତି, ଯିଏକି ବିତ୍ରା ପଞ୍ଚାୟତର ମୁଖ୍ୟ ମଧ୍ୟ ଅଟନ୍ତି। “ଆମେ ଆମର ଛୋଟ ନୌକା ନେଇ ସେମାନଙ୍କ ମୁକାବିଲା କରିବାକୁ ସକ୍ଷମ ନୋହୁଁ।”

ଇତିମଧ୍ୟରେ, ପାଣିପାଗ ଓ ଜଳବାୟୁ ଘଟଣା ଅଧିକ ଅନିଶ୍ଚିତ ଭାବେ ବଢ଼ିବାରେ ଲାଗିଛି। “ମୋତେ ୪୦ ବର୍ଷ ହେବା ପର୍ଯ୍ୟନ୍ତ କେବଳ ୨ଟି ଘୂର୍ଣ୍ଣିବାତ୍ୟା ହୋଇଥିବା ମୋର ମନେ ପଡ଼ୁଛି”, ହାଇଦର କୁହନ୍ତି। “ବିଗତ କିଛି ବର୍ଷ ମଧ୍ୟରେ ଏଗୁଡ଼ିକ ଅଧିକ ଥର ଆସିସାରିଲାଣି, ଏବଂ ସେଗୁଡ଼ିକ ଚଟାଣଗୁଡ଼ିକୁ ଭାଙ୍ଗି ଦେଉଛନ୍ତି।”

PHOTO • Sweta Daga

ବାମ : ବେଟଫିଶଗୁଡ଼ିକ ଅଣ୍ଡା ଦେଇସାରିବା ପରେ ହିଁ ଆମେ ସେଗୁଡ଼ିକୁ ଧରୁଥିଲୁ, କିନ୍ତୁ ଏବେ ଲୋକମାନେ ଯେକୌଣସି ସମୟରେ ସେଗୁଡ଼ିକୁ ଧରି ନେଉଛନ୍ତି”, କବରତ୍ତୀ ଦ୍ୱୀପର ମତ୍ସ୍ୟଜୀବୀ ଅବଦୁଲ ରେହମାନ କୁହନ୍ତି। ଡାହାଣ : କବରତ୍ତୀର ସବୁଠୁ ବଡ଼ ନୌକାର ମାଲିକ ନିଜାମୁଦ୍ଦିନ ମଧ୍ୟ ପରିବର୍ତ୍ତନକୁ ଅନୁଭବ କରୁଛନ୍ତି।

କବରତ୍ତୀରେ, ଅବଦୁଲ ରେହମାନ ମଧ୍ୟ ବାତ୍ୟାର ପ୍ରଭାବ ବିଷୟରେ କହିଥାନ୍ତି, “ପୂର୍ବରୁ ଆମେ ଡେଉଁଥିବା ଟୁନା ମାଛଗୁଡ଼ିକୁ ଚଟାଣ ନିକଟରେ ହିଁ ପାଇଯାଉଥିଲୁ, କିନ୍ତୁ ଓଖୀ ପରେ ସବୁକିଛି ବଦଳିଯାଇଛି। ୧୯୯୦ଦଶକରେ ଆମେ ସମୁଦ୍ରରେ ମାତ୍ର ୩-୪ ଘଣ୍ଟା ବିତାଉଥିଲୁ। ଆମ ପାଖରେ କୌଣସି ଯାନ୍ତ୍ରିକ ଉପକରଣ ନଥିଲା। କିନ୍ତୁ ଯୋଗାଣ ଏତେ ପ୍ରଚୁର ଥିଲା ଯେ ଆମେ ଶୀଘ୍ର ଆମର କାମ ସାରିପାରୁଥିଲୁ। ଏବେ ଆମକୁ ସାରା ଦିନ କିମ୍ବା ତା’ଠାରୁ ଅଧିକ ସମୟ ବାହାରେ ରହିବାକୁ ପଡ଼ୁଛି। ଆମେ ରିଫ ମାଛ ଧରିବା ଲାଗି ଯିବାକୁ ଚାହୁଁନାହୁଁ। କିନ୍ତୁ ଯଦି ଟୁନା ମାଛ ମିଳୁନାହିଁ, ତା’ହେଲେ ଆମେ ବେଳେ ବେଳେ ରିଫ ମାଛ ଧରିବାକୁ ଯାଉଛୁ।”

ରେହମାନ ମଧ୍ୟ କହିଥାନ୍ତି, “ନୌକା ସଂଖ୍ୟା-ଏବଂ ଏବେ ତ’ ଆହୁରି ବଡ଼ ବଡ଼-ବୃଦ୍ଧି ପାଇଛି। କିନ୍ତୁ ମାଛ ସଂଖ୍ୟା କମିଯାଇଛି, ଏବଂ ଆମର ପରିଚାଳନା ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି।”

ଡକ୍ଟର ଆର୍ଥର କୁହନ୍ତି ଯେ ମତ୍ସ୍ୟଜୀବୀମାନଙ୍କ ରୋଜଗାର ବିଷୟରେ ଅନୁମାନ ଲଗାଇବା ସହଜ ନୁହେଁ ଏବଂ ଏହା ପ୍ରତି ମାସ ଭିନ୍ନ ଭିନ୍ନ ହୋଇଥାଏ। “ସେମାନଙ୍କ ମଧ୍ୟରୁ କିଛି ଲୋକ ଅନ୍ୟ ଚାକିରି ମଧ୍ୟ କରିଥାନ୍ତି, ସେଥିପାଇଁ ସେଥିରୁ ହେଉଥିବା ଆୟକୁ ମାଛ ଧରିବାରୁ ହେଉଥିବା ଆୟ ଠାରୁ ପୃଥକ କରିବା କଷ୍ଟକର।” କିନ୍ତୁ ଏହା ସ୍ପଷ୍ଟ ଯେ “ବିଗତ ଦଶକରେ ଆୟ ଖୁବ ଅନିଶ୍ଚିତ ରହିଆସିଛି ।”

ସେ କୁହନ୍ତି ଲାକ୍ଷାଦ୍ୱୀପରେ, “ଗୋଟିଏ ସମୟରେ ଦୁଇଟି ବଡ଼ ପରିବର୍ତ୍ତନ ହେଉଛି, ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରବାଳ ଚଟାଣ କ୍ଷତିଗ୍ରସ୍ତ ହେଉଛି ଯାହା ଫଳରେ ମାଛ ଯୋଗାଣ ମଧ୍ୟ ପ୍ରଭାବିତ ହେଉଛି, ଏବଂ ଏହିପରି ଭାବେ ମତ୍ସ୍ୟଜୀବୀ ଓ ସେମାନଙ୍କର ଜୀବିକା ମଧ୍ୟ ପ୍ରଭାବିତ ହେଉଛି। ତେବେ, ଲାକ୍ଷାଦ୍ୱୀପ ନିକଟରେ ସେହି କ୍ଷମତା ରହିଛି, ଯାହାକୁ ଆମେ ‘ଉଜ୍ଜ୍ୱଳ ସ୍ଥାନ’ କହିଥାଉ। ଯଦି ଆମେ ସାମୁଦ୍ରିକ ଜୀବନର ପରିବେଶ ତନ୍ତ୍ରକୁ ସୁରକ୍ଷା କରି ଚଟାଣଗୁଡ଼ିକୁ ଠିକ କରିବାରେ ସହାୟତା କରିବା ଲାଗି ସକ୍ଷମ ହୋଇପାରିବୁ, ତା’ହେଲେ ଆମ ପାଖରେ ସେଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାର ସୁଯୋଗ ମିଳିବ।”

ଅନ୍ୟପଟେ କରତ୍ତୀରେ, ନିଜାମୁଦ୍ଦିନ କୁହନ୍ତି, “୨୦ ବର୍ଷ ପୂର୍ବେ ଏତେ ଅଧିକ ମାଛ ମିଳୁଥିଲେ ଯେ ଆମେ ୪ କିମ୍ବା ୫ ଘଣ୍ଟାରେ କାମ ସାରି ଦେଉଥିଲୁ, କିନ୍ତୁ ଏବେ ଆମକୁ ନୌକା ଭରିବା ଲାଗି ବହୁଦିନ ଲାଗୁଛି। ମୌସୁମୀ ଆଗ-ପଛ ହୋଇଯାଇଛି, ଏବଂ ଆମେ ଜାଣିପାରୁନାହୁଁ ଯେ ବର୍ଷା କେବେ ହେବ। ସମୁଦ୍ରରେ ମାଛ ଧରିବା ପାଗରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳୁଛି। ଆମେ ଜୁନ ମାସରେ ଆମର ଡଙ୍ଗାଗୁଡ଼ିକୁ କୂଳକୁ ନେଇ ଆସୁଥିଲୁ-ଯାହାକି ଖୁବ କଠିନ କାର୍ଯ୍ୟ-କାରଣ ଆମେ ଜାଣିଥିଲୁ ଯେ ଏହି ସମୟରେ ହିଁ ମୌସୁମୀ ଆସିବ । କିନ୍ତୁ ଦେଖାଗଲା ଯେ ମୌସୁମୀ ଗୋଟିଏ ମାସ ବିଳମ୍ବିତ ହୋଇଗଲା! ଆମର ନୌକା କୂଳରେ ହିଁ ଅଟକିଗଲା, ଏବଂ ଆମେ ଜାଣିନାହୁଁ ଯେ ଏଗୁଡ଼ିକୁ ପୁଣିଥରେ ନେଇଯିବୁ ନା ଅପେକ୍ଷା କରିବୁ। ସେଥିପାଇଁ ଆମେ ମଧ୍ୟ ଫସିଯାଇଛୁ।

ଜଳବାୟୁ ପରିବର୍ତ୍ତନ ଉପରେ ପରୀର ଦେଶବ୍ୟାପୀ ରିପୋର୍ଟିଂ, ସାଧାରଣ ଜନତାଙ୍କର ସ୍ୱର ଏବଂ ଜୀବନର ଅନୁଭବ ମାଧ୍ୟମରେ ସେହି ଘଟଣାକୁ ରେକର୍ଡ କରିବାରେ ୟୁଏନଡିପି-ସମର୍ଥିତ ପ୍ରୟାସର ଏକ ଅଂଶବିଶେଷ

ଏହି ଲେଖାକୁ ପ୍ରକାଶ କରିବାକୁ ଚାହୁଁଥିଲେ ଦୟାକରି  [email protected] କୁ ଇମେଲ କରନ୍ତୁ ଏବଂ ଏହାର ଏକ କପି [email protected] କୁ ପଠାନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

Other stories by Sweta Daga