ଲକ୍ଷ୍ମୀ ଟୁଡୁ ଡାକ୍ତରଖାନାରେ ପହଞ୍ଚିବା ବେଳକୁ କଳ୍ପନା ମରିସାରିଥିଲା । “ଝିଅ ସେଦିନ ସକାଳବେଳା ଭାରି ଭୋକିଲା ଥିଲା । ମୁଁ ତା’ପାଇଁ ଭାତ ନେଇଯିବାକୁ ଇଚ୍ଛା କରିଥିଲି ହେଲେ ମୋର ଟିକେ ବିଳମ୍ବ ହୋଇଗଲା,” ବୋଲି ଲକ୍ଷ୍ମୀ ସେଦିନର କଥା ମନେ ପକାଇ କୁହନ୍ତି । “ସେଦିନ ଭାରି ବର୍ଷା ହେଉଥିଲା ।’’

ଏହା ହେଉଛି ଜୁନ୍‌ ୨୦୨୦ର କଥା, ଯେତେବେଳେ ତାଙ୍କର ୨୬ ବର୍ଷ ବୟସ୍କ ଝିଅ କଳ୍ପନାର ମୁଣ୍ଡ ବ୍ୟଥା ଓ ଅହରହ ବାନ୍ତି ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲକ୍ଷ୍ମୀଙ୍କ ମଝିଆ ଝିଅ ଶିବାନୀ ତାଙ୍କ ଭଉଣୀଙ୍କ ସହିତ ଡାକ୍ତରଖାନାରେ ଥିଲେ ।

ଗଙ୍ଗାରାମପୁରଠାରେ ଥିବା ଏକ ସରକାରୀ ସବ୍‌-ଡିଭିଜନାଲ୍‌ ଡାକ୍ତରଖାନା -–ଯାହା ସ୍ଥାନୀୟ ଅଞ୍ଚଳରେ କାଳଦିଘି ନାମରେ ପରିଚିତ- ର ଡାକ୍ତରମାନେ ତାଙ୍କୁ ଘରୋଇ ସ୍ନାୟୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ଉପଦେଶ ଦେବା ପରେ ୨୦୧୭ରୁ ଏକ ଘରୋଇ ରୋଗ ନିର୍ଣ୍ଣୟ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଥିଲା । ୨୦୧୯ରେ ତାଙ୍କର ଦ୍ୱିତୀୟ ପୁଅର ଜନ୍ମ ପରେ ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଯାଇଥିଲା ।

ମାର୍ଚ୍ଚ ୨୦୨୦ରେ ତାଲାବନ୍ଦ ହେବା କାରଣରୁ ତାଙ୍କ ଡାକ୍ତର କୋଲ୍‌କାତାରୁ ନିୟମିତ ଭାବେ ତାଙ୍କର ମାସିକ ପରିଦର୍ଶନ ପାଇଁ ଆସି ପାରିଲେ ନାହିଁ । “ଆମେ ଅପେକ୍ଷା କରୁଥିଲୁ ହେଲେ ତାଙ୍କର ତାରିଖ ସବୁବେଳେ ଘୁଞ୍ଚି ଯାଉଥିଲା,” ବୋଲି ଲକ୍ଷ୍ମୀ ମନେପକାନ୍ତି । “ଏଣୁ ଆମେ ଡାକ୍ତର କହିଥିବା ସେହି ଔଷଧଗୁଡିକ ବାରମ୍ବାର ଆଣୁଥିଲୁ’’।

କଳ୍ପନା ଗଙ୍ଗାରାମପୁର ମହାବିଦ୍ୟାଳୟରେ ବିଏ ଛାତ୍ର ଥିବାବେଳେ ୨୦୧୪ରେ ତାଙ୍କର ବିବାହ ହୋଇଥିଲା । ତାଙ୍କର ୨୯ ବର୍ଷୀୟ ସ୍ୱାମୀ, ନୟନ ମର୍ଦିଙ୍କର ଗୋଟିଏ କିରାଣା ଦୋକାନ ଅଛି ଓ ସେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାରେ ଅବସ୍ଥିତ ଗଙ୍ଗାରାମପୁର ଟାଉନ୍‌ଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ ଅନନ୍ତପୁର ଗ୍ରାମରେ ଟେଲରିଂ କାମ ମଧ୍ୟ କରୁଥିଲେ । ତାଙ୍କର ଅଭିବାବକ – ଶାଶୁ ଶ୍ୱଶୁର ସମସ୍ତେ କୃଷି ଶ୍ରମିକ ଅଟନ୍ତି । ଗୋଟିଏ ବର୍ଷ ପରେ, କଳ୍ପନା ତାଙ୍କର ପ୍ରଥମ ସନ୍ତାନକୁ, ପୁତ୍ର ସନ୍ତାନ, ଜନ୍ମ ଦେବାପରେ, ତାଙ୍କର ତୀବ୍ର ମୁଣ୍ଡବ୍ୟଥା – ଯାହା ପିଲାବେଳୁ ସେ ଭୋଗି ଆସୁଛନ୍ତି- ଆହୁରି ଗମ୍ଭୀର ହେବାକୁ ଆରମ୍ଭ ହେଲା ।
Her husband's death in 2016 left Laxmi Tudu as the sole earner and parent for their four children, including Shibani (right)
PHOTO • Saurabh Sarmadhikari
Her husband's death in 2016 left Laxmi Tudu as the sole earner and parent for their four children, including Shibani (right)
PHOTO • Saurabh Sarmadhikari

୨୦୧୬ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଲକ୍ଷ୍ମୀ ଟୁଡୁ ଘରର ଏକାକୀ ଉପାର୍ଜନକ୍ଷମ ବ୍ୟକ୍ତି ଓ ଶିବାନୀ (ଡାହାଣ)ଙ୍କ ସମେତ ସେମାନଙ୍କର ଚାରି ସନ୍ତାନଙ୍କର ଅଭିବାବକ ହୋଇଗଲେ

ଚଳିତ ବର୍ଷ ଜୁନ୍‌ ୨୮ରେ, ଯେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ନୟନ, ତାଙ୍କର ଛୋଟ ଭଉଣୀ ଶିବାନୀଙ୍କ ସହିତ, କାଳଦିଘି ଡାକ୍ତରଖାନା ଯିବାକୁ ଏକ କାର୍‌ ଭଡାରେ ନେଲେ । ଲକ୍ଷ୍ମୀ – ଏସବୁ ମନେ ପକାଇବାବେଳେ ବାତୁଳ ପ୍ରାୟ ହୋଇ ହୋଇଯାଉଥିଲେ - ଡାକ୍ତରଖାନାରେ କ’ଣ ହେଲା ସେ ବିଷୟରେ ସ୍ପଷ୍ଟ ଭାବେ କିଛି ଜାଣନ୍ତି ନାହିଁ । ତାଙ୍କର ଯାହା ମନେ ପଡୁଛି ତାହା ଏହା ଯେ ‘ପରଦିନ ସକାଳେ କଳ୍ପନାର ମୃତ୍ୟୁ ହୋଇଥିଲା।’

ଜାନୁଆରି ୨୦୧୬ରେ ଲକ୍ଷ୍ମୀଙ୍କ ସ୍ୱାମୀଙ୍କ ନିଧନର ପ୍ରାୟ ପାଞ୍ଚ ବର୍ଷ ପରେ ଏପରି ଏକ ଅଘଟଣ ଘଟିଥିଲା । ଏକ ଶୀତ ସନ୍ଧ୍ୟାରେ ନିଜକୁ ଉଷୁମ କରିବାକୁ  ଜ୍ୟେତୁ ଟୁଡୁ ଲଗାଇଥିବା ନିଆଁ ତାଙ୍କ ଦେହରେ ଲାଗିଗଲା । ଏହା ପୂର୍ବରୁ ୫୮ ବର୍ଷୀୟ ଜ୍ୟେତୁ ପ୍ରାୟ ଦଶ ବର୍ଷ ଧରି ଯକ୍ଷ୍ମା ଓ ଯକୃତ ସମସ୍ୟାରେ ପିଡୀତ ହୋଇ ପ୍ରାୟତଃ ଶଯ୍ୟାଶାୟୀ ହୋଇଯାଇଥିଲେ। ସେ ଗଙ୍ଗାରାମପୁର ଟାଉନ୍‌ରେ ରିକ୍ସା ଚଲାଇବା କାମ କରୁଥିଲେ । “ଆମେ ତାଙ୍କୁ କାଳଦିଘି ଡାକ୍ତରଖାନାକୁ ନେଇଗଲୁ,” ବୋଲି ଲକ୍ଷ୍ମୀ ମନେପକାଇ କୁହନ୍ତି। ‘‘୧୬ ଦିନପରେ ତାଙ୍କର ମୃତ୍ୟୁ ହୋଇଗଲା’’।

ଏହାପରେ ଲକ୍ଷ୍ମୀ ଏକମାତ୍ର ଉପାର୍ଜନକାରୀ ଓ ସେମାନଙ୍କର ତିନି ଝିଅ – ସନ୍ତନା, ବର୍ତ୍ତମାନ ୩୦, କଳ୍ପନା, ଯାହାକୁ ୨୬ ବର୍ଷ ହୋଇଥିଲା ଓ ୨୧ବର୍ଷ ବୟସ୍କ ଶିବାନୀ ଓ ୧୫ ବର୍ଷ ବୟସ୍କ ପୁଅ ଶିବନାଥର ଅଭିବାବକ ହୋଇ ରହିଲେ।

“ ମୁଁ ଦୁଃଖରେ ଭାଙ୍ଗି ପଡିଥିଲି । ତିନି ଝିଅ ଓ ଗୋଟିଏ ଛୋଟ ପୁଅ । ମତେ ଏକାକୀ ସେମାନଙ୍କ ଲାଳନପାଳନ କରିବାକୁ ହେବ,” ବୋଲି ଲକ୍ଷ୍ମୀ କୁହନ୍ତି । ଅନୁସୂଚିତ ଜନଜାତିର ସାନ୍ତାଳ ସମ୍ପ୍ରଦାୟର ଲକ୍ଷ୍ମୀ ଗଙ୍ଗାରାମପୁର ସ୍ଥିତ ତାଙ୍କ ଘର ଅଗଣାରେ ବସି ଆମ ସହିତ କଥା ହେଉଥିଲେ । “ମୁଁ ଅସହ୍ୟ ଯନ୍ତ୍ରଣା ସିହି ଯାଇଛି। ଆପଣ ମତେ କେବେ ମଧ୍ୟ ଦିନେ ଖାଲିରେ ବସିଥିବା ଦେଖିବାକୁ ପାଇବେ ନାହିଁ,’’ ବୋଲି ସେ କୁହନ୍ତି । “ମୁଁ ପ୍ରତିଦିନ କାମ କରେ । ଏହିପରି ମୁଁ ମୋର ପିଲାମାନଙ୍କୁ ବଡ଼ କରିଛି’’।

ଜ୍ୟେତୁଙ୍କ ମୃତ୍ୟୁର ମାତ୍ର ୧୧ ଦିନ ପରେ ତାଙ୍କର ୫୩ ବର୍ଷ ବୟସ୍କ ଭାଇ ସୁଫଳ ଟୁଡୁ, ଯିଏ ମିସ୍ତ୍ରୀ ଭାବେ କାମ କରନ୍ତି, ତାଙ୍କ ଭାଇଙ୍କ ଶୁଦ୍ଧି କ୍ରିୟା ଭୋଜିରେ ଯୋଗ ଦେବା ପାଇଁ ସମ୍ପର୍କୀୟମାନଙ୍କୁ ଆମନ୍ତ୍ରଣ କରିବାକୁ ଯାଇଥିବାବେଳେ ହୃଦ୍‌ଘାତ କାରଣରୁ ମରିଗଲେ ।
Built under the Pradhan Mantri Awas Yojana, Laxmi's house has a small pond in the backyard (left), and a kitchen with tarpaulin and tin walls and a mud floor (right)
PHOTO • Saurabh Sarmadhikari
Built under the Pradhan Mantri Awas Yojana, Laxmi's house has a small pond in the backyard (left), and a kitchen with tarpaulin and tin walls and a mud floor (right)
PHOTO • Saurabh Sarmadhikari

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ, ନିର୍ମିତ ଲକ୍ଷ୍ମୀଙ୍କ ଘରେ ବାଡ଼ିରେ (ବାମ) ଏକ ଛୋଟ ପୋଖରୀ  ଓ ଟିଣ କାନ୍ଥ ଓ ମାଟି ଚଟାଣ ଥିବା ତାରପୋଲିନ୍ ଆଚ୍ଛାଦିତ ରୋଷେଇ ଘର ଅଛି

ଲକ୍ଷ୍ମୀ ବର୍ତ୍ତମାନ ୨୦୧୬ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ନିର୍ମିତ ଦୁଇ ବଖରା ବିଶିଷ୍ଟ ତାଙ୍କ ଘରେ ରହୁଛନ୍ତି। ଏହି ଘରର ପଛ ପାଖରେ ଗୋଟିଏ ପୋଖରୀ ଅଛି, ଏହା ସହିତ ଟିଣ କାନ୍ଥ ଓ ମାଟି ଚଟାଣ ଥିବା ତାରପୋଲିନ୍‌ ଆଚ୍ଛାଦିତ ଏକ ରୋଷେଇ ଘର ରହିଛି । ସେ ତାଙ୍କର ପ୍ଲଟ୍‌କୁ ଅନ୍ୟ ଜଣଙ୍କ ସହିତ ବାଣ୍ଟିଛନ୍ତି – ତାଙ୍କର ଜା’ ହିସିମୁଣି, ସୁଫଳ ଟୁଡୁଙ୍କର ବିଧବା, ଯିଏ ଏକ ମାଟି କୁଡିଆରେ ରୁହନ୍ତି । ଉଭୟ ମହିଳା କୃଷି ଓ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି ।

“ ମୋର ବାପା କୁହନ୍ତି ଯେ ଜୟ ବଙ୍ଗଳା [ ନେତ୍ରାବରଣ ପ୍ରଦାହ ପାଇଁ ଏକ ସ୍ଥାନୀୟ ଶବ୍ଦ, ଯାହା ଏକ ମହାମାରୀରୁ ଆସିଛି ଯାହା ୧୯୭୧ରେ ଚାଲିଥିବା ବଙ୍ଗଳାଦେଶ ମୁକ୍ତ ଯୁଦ୍ଧ ସମୟରେ ଭାରତରେ ବ୍ୟାପିଥିଲା],’’ ବୋଲି ଲକ୍ଷ୍ମୀ କୁହନ୍ତି । ସେ କଥା ବିଚାରକୁ ନେଲେ, ତାଙ୍କୁ ଏବେ ୪୯ ବର୍ଷ ବୟସ ହେବା କଥା, ଯଦିଓ ତଙ୍କର ଆଧାର କାର୍ଡରେ ୫୫ ବୋଲି ଦର୍ଶାଯାଇଛି । ପିଲାବେଳେ କଳ୍ପନାଙ୍କ ଭଳି ତାଙ୍କର ବାରମ୍ବାର ତୀବ୍ର ମୁଣ୍ଡବ୍ୟଥା ହେଉଥିବାରୁ ସେ ନିୟମିତ ବିଦ୍ୟାଳୟକୁ ଯାଇ ପାରୁନଥିଲେ – ସେ କେବଳ ପ୍ରଥମ ଶ୍ରେଣୀ ପାଠ ପଢା ଶେଷ କରିଛନ୍ତି । ଏଣୁ ଲକ୍ଷ୍ମୀଙ୍କ ଅଭିବାବକ – ତାଙ୍କର ବାପା  ମିସ୍ତ୍ରୀ ଥିଲେ ଓ ତାଙ୍କର ମା ଗଙ୍ଗାରାମପୁରରେ କୃଷି ଶ୍ରମିକ ଥିଲେ – ସେମାନେ ତାଙ୍କୁ ସେମାନଙ୍କ ଗାଇଗୋରୁ ଜଗିବା କାମ ଦେଇଥିଲେ ।

‘‘ମୁଁ ଲେଖିବା ପଢିବା କିଛି ଜାଣେନି,” ବୋଲି ଲକ୍ଷ୍ମୀ କୁହନ୍ତି, ଯଦିଓ ତାଙ୍କର ଭଉଣୀ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି । ବୋଧହୁଏ ସେଥିପାଇଁ ତାଙ୍କ ପିଲାଙ୍କ ଶିକ୍ଷା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଜ୍ୟେତୁଙ୍କ ମୃତ୍ୟୁର ଠିକ୍‌ ପରେ, ଲକ୍ଷ୍ମୀଙ୍କର ଜଣେ ଭଉଣୀ ଶିବନାଥକୁ ତାଙ୍କ ପାଖରେ ରଖିବାକୁ ଉତ୍ତର ଦିନାଞ୍ଜପୁର ଜିଲ୍ଲାର ନନ୍ଦନ ଗ୍ରାମକୁ ନେଇ ଯାଇଥିଲେ ।  ସେ ଏକ ସ୍ଥାନୀୟ ଅଙ୍ଗନୱାଡିରେ କାମ କରନ୍ତି ଓ ଶିବନାଥଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରନ୍ତି। ବୋର୍ଡ ପରୀକ୍ଷା ସରିବା ପରେ ମୁଁ ତାକୁ ମୋ ପାଖକୁ ନେଇ ଆସିବି ବୋଲି ଲକ୍ଷ୍ମୀ ୧୦ମ ଶ୍ରେଣୀରେ ପଢୁଥିବା ଶିବନାଥଙ୍କ ବିଷୟରେ କୁହନ୍ତି ।

ଲକ୍ଷ୍ମୀଙ୍କର ନିଜସ୍ୱ ଜମି ବୋଲି କିଛି ନାହିଁ ଓ ତାଙ୍କର ସ୍ୱାମୀଙ୍କ ଜମି (ସେ ଏହା ବିଷୟରେ ବିସ୍ତାରରେ କିଛି କଥା ହେବାକୁ ଚାହିଁଲେ ନାହିଁ)କୁ ସେମାନଙ୍କର ବଡ଼ ଝିଅ - ୨୦୦୭ରେ ସନ୍ତନା ଏବଂ ୨୦୧୪ରେ କଳ୍ପନାଙ୍କ ବିବାହ ପାଇଁ ବିକ୍ରୟ କରିଦେଇଥିଲେ। ସନ୍ତନା, ଜଣେ ଗୃହିଣୀ, ଗଙ୍ଗାରାମପୁରଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ସୁତୈଳ ଗ୍ରାମରେ ରୁହନ୍ତି, ଯେଉଁଠାରେ ତାଙ୍କର ସ୍ୱାମୀ ଜଣେ କୃଷି ଶ୍ରମିକ ଓ ପାର୍ଟ-ଟାଇମ୍‌ ଘରୋଇ ଟ୍ୟୁଟର୍‌ ଭାବେ କାମ କରନ୍ତି।

ଅଗଷ୍ଟ ୨୦୨୦ରେ, ଯେତେବେଳେ ଧାନର ଖରିଫ୍‌  ଚାଷ ପାଇଁ ରୋଇବା କାମ ଜୋର୍‌ସୋର୍‌ରେ ଚାଲିଥିଲା, ସେତେବେଳେ ଲକ୍ଷ୍ମୀ ତା’ର ସବୁଠାରୁ ସାନ ଝିଅ ଶିବାନୀକୁ ପାଖରେ ଥିବା ଜମିମାଲିକଙ୍କ ଜମିରେ କାମ କରିବାକୁ ଠିକ୍‌ କରିଥିଲା ।
In August 2020, when the kharif plantation of paddy was on, Laxmi (left) had enlisted Shibani's (right) help to work in the fields
PHOTO • Saurabh Sarmadhikari
In August 2020, when the kharif plantation of paddy was on, Laxmi (left) had enlisted Shibani's (right) help to work in the fields
PHOTO • Saurabh Sarmadhikari

ଅଗଷ୍ଟ ୨୦୨୦ରେ, ଯେତେବେଳେ ଧାନର ଖରିଫ୍‌ ଫସଲ ପାଇଁ ରୋଇବା କାମ ଜୋର୍‌ସୋର୍‌ରେ ଚାଲିଥିଲା, ସେତେବେଳେ ଜମିରେ ସହାୟତା କରିବାକୁ ଲକ୍ଷ୍ମୀ (ବାମ) ଶିବାନୀକୁ ବାଛିଥିଲା

ଏହି ଭାଗରେ, ଧାନ ଜୁନ୍‌ଠାରୁ ଅଗଷ୍ଟ ମଧ୍ୟରେ ବୁଣାଯାଇଥାଏ ଓ ଅକ୍ଟୋବର୍‌ ଓ ଡିସେମ୍ବର ମଧ୍ୟରେ ଅମଳ କରାଯାଏ । ଲକ୍ଷ୍ମୀ ଅନ୍ୟ ଫସଲ ଚାଷରେ ମଧ୍ୟ ସହାୟତା କରନ୍ତି – ମୁଖ୍ୟତଃ ଝୋଟ, ଏହାସହିତ ସୋରିଷ, ଆଳୁ ଓ ଲଙ୍କା ମଧ୍ୟ । ବେଳେବେଳେ, ଜୁଲାଇ ଓ ଅଗଷ୍ଟରେ ସମାନ ସମୟରେ ଝୋଟ ଅମଳ ଓ ଧାନ ରୋଇବା କାମ ହୁଏ । ଲକ୍ଷ୍ମୀ ଧାନ ରୋଇବା କାମ କରିବାକୁ ପସନ୍ଦ କରନ୍ତି, ଝୋଟ ଅମଳ କାମ ଅତ୍ୟନ୍ତ କ୍ଳାନ୍ତିକର ଅଟେ । ହେଲେ ସବୁବେଳେ, ତାଙ୍କ ପାଖରେ ଏକ ବିକଳ୍ପ ଚୟନ କରିବାର ସୁବିଧା ନଥାଏ ।

“ପ୍ରତିବର୍ଷ ଆମେ ମୋଟ ୨-୩ ମାସ ଜମିରେ କାମ କରିଥାଉ ଓ ବର୍ଷର ବାକି ସମୟରେ ଆମେ ନିର୍ମାଣ ଶ୍ରମିକ ଭାବେ କାମ କରିଥାଉ,” ବୋଲି ଲକ୍ଷ୍ମୀ, କୁହନ୍ତି । ସେ ବେଳେବେଳେ ଘର ମରାମତି କାମ ମଧ୍ୟ କରିଥାନ୍ତି । ହେଲେ, ଗଙ୍ଗାରାମପୁର ପୌରାଞ୍ଚଳର ଆଖପାଖ ଅଞ୍ଚଳରେ ନିର୍ମାଣ ସ୍ଥଳରେ କାମ ଖୋଜି ପାଇବା ଫାର୍ମ ଶ୍ରମିକମାନଙ୍କ ପାଇଁ ସହଜ ହୋଇନଥାଏ କାରଣ ତାଙ୍କ ଭଳି ଶ୍ରମିକମାନେ ଠିକାଦାରଙ୍କର ପେରୋଲ୍‌ରେ ନାହାନ୍ତି । ଅନେକ ସମୟରେ, ତାଙ୍କୁ କିଛି କାମ ପାଇବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡିଥାଏ ।

ନିର୍ମାଣସ୍ଥଳରେ ମିଳୁଥିବା ଚାକିରିରେ ଲକ୍ଷ୍ମୀଙ୍କ ଭଳି ‘ଅଣକୁଶଳୀ’ ଶ୍ରମିକମାନଙ୍କୁ ଦୈନିକ ମଜୁରି ୨୦୦ ଟଙ୍କା ମିଳିଥାଏ ଯାହା ସ୍ଥାୟୀ ଅଟେ, ଯେତେବେଳେକି ଫାର୍ମଗୁଡ଼ିକରେ କାମ କଲେ ଦିନକୁ ୧୫୦ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ମିଳିଥାଏ । (ପଶ୍ଚିମବଙ୍ଗରେ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦିନ ମଜୁରି ହେଉଛି ୨୫୭ ଟଙ୍କା ଅଟେ।) ଲକ୍ଷ୍ମୀ ତାଙ୍କର ୪,୦୦୦ ଟଙ୍କାରୁ ୫,୦୦୦ଟଙ୍କାର, ହାରାହାରି ମାସିକ ଆୟ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ଚାଉଳ, ଅଟା ଓ କିରୋସିନି ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ନିର୍ଭର କରନ୍ତି । ତାଙ୍କର ଏକ ଅଗ୍ରାଧିକାର ଗୃହ ରାସନ୍‌ କାର୍ଡ ଅଛି ଯାହା ତାଙ୍କୁ ଚାଉଳ, ଗହମ, ଚିନି (ଯାହା ସହଜରେ ଉପଲବ୍ଧ ନୁହେଁ) ଓ କିରୋସିନି ଆଦି ରିହାତି ମୂଲ୍ୟରେ ପାଇବା ପାଇଁ ଯୋଗ୍ୟ କରିଥାଏ ।

ଫାର୍ମ ଋତୁରେ, ଲକ୍ଷ୍ମୀ ତାଙ୍କର ଦିନ ପୂର୍ବାହ୍ନ ୪ଟାରେ ଆରମ୍ଭ କରନ୍ତି, ଘରର ସମସ୍ତ କାମ କରନ୍ତି ଓ ଚାରି ଘଣ୍ଟା ପରେ କାମକୁ ବାହାରି ଯାଆନ୍ତି । ତାଙ୍କର ଝିଅ ଶିବାନୀ ତାଙ୍କ ମା’ଙ୍କୁ ଜମିରେ କାମ କରିବା ବେଳେ ସହାୟତା କରିବା ପରେ ଘରେ ସାହାଯ୍ୟ କରିବା ଆବଶ୍ୟକ ହୁଏ ନାହିଁ । “ମୁଁ ଯେତେଦୂର ପର୍ଯ୍ୟନ୍ତ ସମ୍ଭବ ହୁଏ, ତାକୁ ପାଠ ପଢିବାକୁ ଛାଡିଦିଏ,” ବୋଲି ଲକ୍ଷ୍ମୀ କୁହନ୍ତି ।
Shibani has participated and won prizes – including a cycle – in many sports events, but she had to give up these activities to help her mother earn
PHOTO • Saurabh Sarmadhikari
Shibani has participated and won prizes – including a cycle – in many sports events, but she had to give up these activities to help her mother earn
PHOTO • Saurabh Sarmadhikari

ଶିବାନୀ ଅନେକ ଖେଳ ପ୍ରତିଯୋଗିତା ଅଂଶଗ୍ରହଣ କରିଛନ୍ତି ଓ ପୁରସ୍କାର ଜିତିଛନ୍ତି  - ସେଥିରେ ଏକ ସାଇକେଲ୍‌ ମଧ୍ୟ ଅଛି - ହେଲେ,  ମା’ଙ୍କ ସହାୟତା କରିବା ପାଇଁ ତାଙ୍କୁ ଏହିସବୁ ଗତିବିଧିଠାରୁ ଦୂରେଇ ଯିବାକୁ ପଡ଼ୁଛି

ଶିବାନୀ – ଗଙ୍ଗାରାମପୁର ମହାବିଦ୍ୟାଳୟର ବିଏ ଦ୍ୱିତୀୟ ବର୍ଷ ଛାତ୍ରୀ – ତାଙ୍କ ମହାବିଦ୍ୟାଳୟର ନ୍ୟାସ୍‌ନାଲ୍‌ କ୍ୟାଡେଟ୍‌ କର୍ପସ (ଏନ୍‌ସିସି, ଭାରତୀୟ  ସ୍ଥଳ ସେନା ବାହିନୀ ସହ ଅନୁବନ୍ଧିତ)ରେ ଯୋଗ ଦେବାକୁ ଚାହାନ୍ତି। ସେ ଜଣେ ଖେଳାଳୀ ଓ ମତେ ୨୦୧୧ ଓ ୨୦୧୨ ରେ କୋଲ୍‌କାତାରେ ଅନୁଷ୍ଠିତ ରାଜ୍ୟ-ସ୍ତରୀୟ କବାଡିରେ ସେ ଅଂଶଗ୍ରହଣ କରି ପାଇଥିବା ସାର୍ଟିଫିକେଟ ଦେଖାଇଲେ । ୧୩ ବର୍ଷ ବୟସରେ ସେ ପୁନାଠାରେ ୨୦୧୧ରେ ଅନୁଷ୍ଠିତ ଜାତୀୟ-ସ୍ତରୀୟ କବାଡି ଚମ୍ପିଆନ୍‌ସିପ୍‌ରେ ଉତ୍ତର ବଙ୍ଗ ଅଞ୍ଚଳର (ପଶ୍ଚିମବଙ୍ଗର ଉତ୍ତରରେ ଥିବା ବିଭିନ୍ନ ଅଞ୍ଚଳକୁ ନେଇ ଗଠିତ) ପ୍ରତିନିଧିତ୍ୱ କରିଥିଲେ । ସେ ଗର୍ବର ସହିତ ଆମକୁ ସେ ୨୦୧୩ରେ ଅନୁଷ୍ଠିତ ଏକ ସ୍ଥାନୀୟ ମାରାଥନ୍‌ରେ ଜିତିଥିବା ବାଇସାଇକେଲ୍‌ ମଧ୍ୟ ଦେଖାଇଲେ ।

ହେଲେ, ଶିବାନୀ ଏନ୍‌ସିସିରେ ଯୋଗ ଦିଅନ୍ତୁ, ତାହା ଲକ୍ଷ୍ମୀ ଚାହୁଁନାହାନ୍ତି । “ଏହାର ଅର୍ଥ ହେଉଛି ପୋଷାକ ପାଇଁ ଅତିରିକ୍ତ ଅର୍ଥ ବ୍ୟୟ କରିବା,” ବୋଲି ଲକ୍ଷ୍ମୀ କୁହନ୍ତି,’’ ଆଉ ତା’ପରେ ତାକୁ ପ୍ରତିଦିନ ମହାବିଦ୍ୟାଳୟକୁ ମଧ୍ୟ ଯିବାକୁ ପଡ଼ିବ । “ଶିବାନୀ କେବଳ ପରୀକ୍ଷା ଦେବା ପାଇଁ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିନରେ ମହାବିଦ୍ୟାଳୟକୁ ଯାଇଥାଏ । ଫାର୍ମରେ କାମ ହେଉଥିବା ଦିନଗୁଡିକରେ ତାଙ୍କୁ ତାଙ୍କର ମା’ଙ୍କର ସହାୟତା ମଧ୍ୟ କରିବାକୁ ପଡ଼ିଥାଏ ।

ଶିବାନୀଙ୍କୁ ଏନସିସିର ସ୍ୱପ୍ନ ଦେଖିବା ବନ୍ଦ କରିବାକୁ ହେବ ଓ ତାଙ୍କର ଖେଳ ଗତିବିଧିକୁ ମଧ୍ୟ ପ୍ରାୟତଃ ବନ୍ଦ କରିବାକୁ ହେବ, ‘‘ଏଥିପାଇଁ ମତେ ବହୁତ ଦୁଃଖ ଲାଗୁଛି” ବୋଲି ଶିବାନୀ କୁହନ୍ତି। “ହେଲେ, କ’ଣ କରାଯିବ, ଅନ୍ୟ କୌଣସି ଉପାୟ ମଧ୍ୟ ନାହିଁ ।’’

ଶିବାନୀ ଓ ଶିବନାଥ ଶିକ୍ଷିତ ହେଲେ ମଧ୍ୟ ତାଙ୍କୁ ଚାକିରି ପାଇବାରେ ଅସୁବିଧା ହେବ, ତାହା ଲକ୍ଷ୍ମୀ ଜାଣନ୍ତି । “ବର୍ତ୍ତମାନ ସମୟ ଭଲ ନାହିଁ । ମତେ ଭଲ ପରିଣାମ ଦରକାର (ମୋର ପିଲାଙ୍କ ପାଇଁ),”। “ହେଲେ, ମୁଁ କୌଣସି ଆଶାକୁ ନେଇ ବଞ୍ଚିନି।’’ ଲକ୍ଷ୍ମୀ ଶିବନାଥଙ୍କର ସ୍ଥଳ ସେନା ବାହିନୀରେ ଯୋଗ ଦେବାର ସ୍ୱପ୍ନକୁ ସମର୍ଥନ କରନ୍ତି । ଶିବାନୀଙ୍କ କ୍ଷେତ୍ରରେ, ଯଥାଶୀଘ୍ର ବାହାଘର କରିବାକୁ ପ୍ରସ୍ତୁତି ଚାଲିଛି ଓ ଜଣେ ଉପଯୁକ୍ତ ବରପାତ୍ର ଖୋଜା ଚାଲିଛି ।

“ମତେ ତା’ପରେ ଏହିପରି ଭାବେ ଚାଲିବାକୁ ହେବ [ ମୋ ମା’ଙ୍କ ଭଳି], ଚାଷକାମ ଉପରେ ନିର୍ଭର କରି,” ବୋଲି ଶିବାନୀ କୁହନ୍ତି। ସେ ତାଙ୍କର ଜଣେ ସମ୍ପର୍କୀୟଙ୍କଠାରୁ ଦର୍ଜୀ କାମ ଶିଖୁଛନ୍ତି ଓ ଦିନେ ଏକ ଦୋକାନ ଖୋଲି ମା’ଙ୍କୁ ସାହାଯ୍ୟ କରିବେ ବୋଲି ଆଶା କରୁଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Saurabh Sarmadhikari

Saurabh Sarmadhikari teaches English Literature in a college in Gangarampur municipality in West Bengal.

Other stories by Saurabh Sarmadhikari
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE