“ମୁଁ ଜାଣିନାହିଁ ଏସବୁ କ’ଣ, ମୋତେ ଲାଗୁଛି ମୋଦୀଙ୍କ ସହିତ ଏହାର କିଛି ସମ୍ପର୍କ ରହିଛି। ମୁଁ ଏଠାକୁ ଖାଇବା ଲାଗି ଆସୁଛି। ଏବେ ଆମକୁ ଭୋକରେ ଶୋଇବାର ଚିନ୍ତା ନାହିଁ”, ୧୬ ବର୍ଷୀୟା ରେଖା କହିଥାନ୍ତି (ଏ ଷ୍ଟୋରୀରେ ଉଲ୍ଲେଖ କରାଯାଇଥିବା ଅଧିକାଂଶ ଲୋକଙ୍କ ଭଳି, ସେ ମଧ୍ୟ କେବଳ ନିଜର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ସେ ପୁନଃବ୍ୟବହାରଯୋଗ୍ୟ ଅଳିଆ ଗୋଟାଇବା କାମ କରିଥାନ୍ତି ଏବଂ ସିଂଘୁର ଆନ୍ଦୋଳନସ୍ଥଳୀ ଠାରୁ ପାଖାପାଖି ୮ କିମି ଦୂର, ଉତ୍ତର ଦିଲ୍ଲୀର ଅଲୀପୁରରେ ରହିଥାନ୍ତି।

ସେ ହରିୟାଣା-ଦିଲ୍ଲୀ ସୀମାରେ ଥିବା ସିଂଘୁର ଅବରୋଧ ଅଞ୍ଚଳରେ ଅଛନ୍ତି, ଯେଉଁଠି ସେପ୍ଟେମ୍ବରରେ ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନେ ନଭେମ୍ବର ୨୬ ତାରିଖ ଠାରୁ ଆନ୍ଦୋଳନ ଚଳାଇଆସୁଛନ୍ତି। ଆନ୍ଦୋଳନସ୍ଥଳୀ ହଜାର ହଜାର ଲୋକ-କୃଷକ, ସମର୍ଥକ, ଜିଜ୍ଞାସୁ ଓ କେତେଜଣ ସରଳ ଭୋକିଲା ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି, ଯେଉଁମାନେ କୃଷକ ଏବଂ ଗୁରୁଦ୍ୱାରାଗୁଡ଼ିକ ଦ୍ୱାରା ପରିଚାଳିତ ବିଭିନ୍ନ ଲଙ୍ଗରରେ ଖାଦ୍ୟ ଖାଉଛନ୍ତି। ଏହି ଗୋଷ୍ଠୀ ଭୋଜନାଳୟରେ କାମ କରୁଥିବା ଲୋକମାନେ ଖାଇବାକୁ ଆସୁଥିବା ସବୁ ଲୋକଙ୍କୁ ସ୍ୱାଗତ କରିଥାନ୍ତି।

ଏମାନଙ୍କ ମଧ୍ୟରେ ଆଖପାଖ ଫୁଟପାଥ ଏବଂ ବସ୍ତିରେ ରହୁଥିବା ଅନେକ ପରିବାର ସାମିଲ ଅଛନ୍ତି, ଯେଉଁମାନେ ବିରୋଧ ପ୍ରଦର୍ଶନସ୍ଥଳୀକୁ ମୁଖ୍ୟତଃ ଲଙ୍ଗର-ମାଗଣା ଭୋଜନ-ପାଇଁ ଆସିଥାନ୍ତି ଯାହା ସାରା ଦିନ ଚାଲିଥାଏ, ସକାଳେ ପାଖାପାଖି ୮ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ। ଚାଉଳ, ଡାଲି, ପକୋଡ଼ା, ଲଡୁ, ଶାଗ, ମକା ରୁଟି, ପାଣି, ଜୁସ-ଏସବୁ ଜିନିଷ ଏଠାରେ ଉପଲବ୍ଧ ରହିଛି। ସ୍ୱେଚ୍ଛାସେବୀମାନେ ମଧ୍ୟ ବିଭିନ୍ନ ପ୍ରକାରର ଉପଯୋଗୀ ସାମଗ୍ରୀ ଯେପରିକି ଔଷଧ, କମ୍ବଳ, ସାବୁନ, ଚପଲ, ପୋଷାକ ଆଦି ମାଗଣାରେ ବାଣ୍ଟୁଛନ୍ତି।

ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ଜଣେ, ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ଘୁମନ କଲାଁ ଗ୍ରାମର ୨୩ ବର୍ଷୀୟ ହରପ୍ରିତ ସିଂ ବିଏସସିରେ ପାଠପଢ଼ୁଛନ୍ତି। “ଆମେ ବିଶ୍ୱାସ କରୁ ଯେ ଏହି ଆଇନ କ୍ଷତିକାରକ”, ସେ କୁହନ୍ତି। “ଆମର ପୂର୍ବପୁରୁଷ ଏହି ଜମିରେ ଚାଷ କରୁଥିଲେ ଏବଂ ଏଗୁଡ଼ିକର ମାଲିକ ଥିଲେ ଏବଂ ଏବେ ସରକାର ଏଥିରୁ ଆମକୁ ବେଦଖଲ କରିବାକୁ ଚାହୁଁଛନ୍ତି। ଆମେ ଏହି ଆଇନ କୁ ବିରୋଧ କରୁଛୁ। ଯଦି ଆମର ରୁଟି ଖାଇବାକୁ ଇଚ୍ଛା ନାହିଁ, କେହି ଆମକୁ ଏହା ଖାଇବା ଲାଗି ବାଧ୍ୟ କିପରି କରିପାରିବ? ଏହି ଆଇନକୁ ରଦ୍ଦ କରିବାକୁ ହେବ।”
PHOTO • Kanika Gupta

“ଲକଡାଉନ ସମୟରେ, ଆମେ ଖାଇବାକୁ ପାଉନଥିଲୁ, ଭଲ ଖାଇବାର ତ’ ଦୂରର କଥା”, ୩୦ ବର୍ଷୀୟ ମୀନା (ସବୁଜ ରଙ୍ଗର ଓଢ଼ଣିରେ ମୁଣ୍ଡ ଘୋଡ଼ାଇଛନ୍ତି) କୁହନ୍ତି, ଯିଏକି ସିଂଘୁ ସୀମା ଠାରୁ ପାଖାପାଖି ୮ କିମି ଦୂର, ଉତ୍ତର ଦିଲ୍ଲୀର ଅଲୀପୁରରେ ରହିଥାନ୍ତି ଏବଂ ଜୀବନଯାପନ ଲାଗି ରାସ୍ତାକଡ଼ରେ ବେଲୁନ ବିକ୍ରି କରିଥାନ୍ତି। “ଏଠି ଆମେ ଯାହାକିଛି ଖାଉଛୁ ସେଗୁଡ଼ିକ ପୂର୍ବରୁ ଆମେ ଖାଉଥିବା ଭୋଜନଠାରୁ ଅନେକ ଗୁଣରେ ଭଲ। କୃଷକମାନେ ଆମକୁ ସାରା ଦିନ ଭଲ ଖାଦ୍ୟ ଦେଉଛନ୍ତି। ଆମେ ଏଠାକୁ ଏକ ସପ୍ତାହ ଧରି, ଦିନରେ ଦୁଇ ଥର ଖାଇବାକୁ ଆସୁଛୁ।”


PHOTO • Kanika Gupta

ପଞ୍ଜାବର ଗୁରଦାସପୁର ଜିଲ୍ଲାର ଘୁମନ କଲାଁ ଗ୍ରାମର ୨୩ ବର୍ଷୀୟ କୃଷକ ହରପ୍ରୀତ ସିଂ (ନୀଳ ରଙ୍ଗର ପଗଡ଼ି ପିନ୍ଧିଥିବା), ବିଏସସିରେ ପଢ଼ୁଛନ୍ତି, ଆନ୍ଦୋଳନ ପାଇଁ ଫୋନ କଲ୍‌ ପାଇବା ପରେ ସେ ଘରୁ ବାହାରି ଆସିଥିଲେ। ଆମେ ସମସ୍ତେ କୃଷକ ଏବଂ ଆମେ ଜାଣୁ ଯେ ଏହି ଆଇନ ଭୁଲ। ଆମର ପୂର୍ବପୁରୁଷ ଏହି ଜମିରେ ଚାଷ କରୁଥିଲେ ଏବଂ ଏଗୁଡ଼ିକର ମାଲିକ ଥିଲେ ଏବଂ ଏବେ ସରକାର ଏଥିରୁ ଆମକୁ ବେଦଖଲ କରିବାକୁ ଚାହୁଁଛନ୍ତି। ଆମେ ଏହି ଆଇନକୁ ବିରୋଧ କରୁଛୁ। ଯଦି ଆମର ରୁଟି ଖାଇବାକୁ ଇଚ୍ଛା ନାହିଁ, କେହି ଆମକୁ ଏହା ଖାଇବା ଲାଗି ବାଧ୍ୟ କିପରି କରିପାରିବ? ଏହି ଆଇନକୁ ରଦ୍ଦ କରିବାକୁ ହେବ।


PHOTO • Kanika Gupta

“ମୁଁ ମୋ ଭାଇମାନଙ୍କ ସହିତ ମିଶି ଏଠାରେ ସେବା କରୁଛି”, ହରପ୍ରୀତ ସିଂ କୁହନ୍ତି (ଯିଏକି ଏହି ଫଟୋରେ ନାହାନ୍ତି)। “ଏହା ଆମ ଗୁରୁଙ୍କ ଲଙ୍ଗର। ଏହା କେବେ ଶେଷ ହେବ ନାହିଁ। ଏହା ଆମର ଏବଂ ହଜାର ହଜାର ଅନ୍ୟ ଲୋକମାନଙ୍କର ପେଟ ଭରୁଛି। ଅନେକ ଲୋକ ଆମକୁ ସହାୟତା କରିବା ଲାଗି ଆସୁଛନ୍ତି ଏବଂ ଏହି ଆନ୍ଦୋଳନରେ ଯୋଗଦାନ ଦେଉଛନ୍ତି। ଏହି ଆଇନକୁ ଉଚ୍ଛେଦ କରିବା ଲାଗି ଯେତିକି ସମୟ ଲାଗିବ, ସେପର୍ଯ୍ୟନ୍ତ ଆମେ ଏଠାରେ ପ୍ରତୀକ୍ଷା କରିବା ଲାଗି ପ୍ରସ୍ତୁତ। ଆମେ ସାରା ଦିନ ଲଙ୍ଗର ଚଳାଇଥାଉ ଯାହାଫଳରେ ଏଠାକୁ ଆସୁଥିବା ସବୁ ଲୋକ ପେଟ ପୂରା ଖାଇସାରିବା ପରେ ଯେମିତି ଏଠାରୁ ଯିବେ।”


PHOTO • Kanika Gupta

୫୦ ବର୍ଷୀୟ ରଜୱନ୍ତ କୌର (ନିଜର ଏବଂ ନିଜ ସାଥୀଙ୍କ ମୁଣ୍ଡରେ ଲାଲ ଓଢ଼ଣି ସହିତ), ଉତ୍ତର-ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ରୋହିଣୀର ଜଣେ ଗୃହିଣୀ। ତାଙ୍କ ପୁଅ ଗୋଷ୍ଠୀ ଭୋଜନାଳୟରେ କାମ କରିବା ଲାଗି ସବୁଦିନ ଏଠାକୁ ଆସିଥାଏ, ଏବଂ ସେ ହିଁ ତାଙ୍କୁ ଆନ୍ଦୋଳନରେ ସାମିଲ ହେବା ଲାଗି ଅନୁପ୍ରାଣିତ କରିଥିଲା। “ମୁଁ ମୋର ସହଯୋଗ ଯୋଗାଇ ଦେବା ଲାଗି ଆଉ କିଛି କରିପାରିବି ନାହିଁ”, ସେ କହିଥାନ୍ତି। “ସେଥିପାଇଁ ମୁଁ ମୋ ପୁଅ ସହିତ ଏଠାକୁ ରୋଷେଇ କରିବା ଏବଂ ଏଠାକୁ ଆସୁଥିବା ହଜାର ହଜାର ଲୋକଙ୍କୁ ଖାଦ୍ୟ ଖୁଆଇବାରେ ସେମାନଙ୍କୁ ସହାୟତା କରିବା ଲାଗି ନିଷ୍ପତ୍ତି ନେଇଛି। ଏଠାରେ କାମ କରିବା ଏବଂ ଆମର କୃଷକ ଭାଇମାନଙ୍କୁ ସେବା କରିବା ଆମକୁ ଭଲ ଲାଗିଥାଏ।’’


PHOTO • Kanika Gupta

ପଞ୍ଜାବର ସଙ୍ଗରୁର ଜିଲ୍ଲାର ଏକ ସହର, ମାଲେରକୋଟଲାର ମୁସଲମାନଙ୍କର ଏକ ଗୋଷ୍ଠୀ ଏକ ବିଶେଷ ପ୍ରକାରର ଭାତ, ଜର୍ଦ୍ଦା ପରଷୁଛନ୍ତି ଏବଂ ଆନ୍ଦୋଳନର ପ୍ରଥମ ଦିନଠାରୁ ଏଠାରେ ଉପସ୍ଥିତ ଅଛନ୍ତି। ମୁସଲିମ ଫେଡରେସନ ଅଫ ପଞ୍ଜାବ, ମାଲେରକୋଟଲାର ତାରିକ ମଞ୍ଜୁର ଆଲମ କୁହନ୍ତି, ସେ ଏପରି ଏକ କ୍ଷେତ୍ରରୁ ଆସୁଛନ୍ତି ଯେଉଁଠି ମୁସଲିମ ଓ ଶିଖ ଭାଇ ଶହ ଶହ ବର୍ଷ ଧରି ପରସ୍ପରର ସପକ୍ଷରେ ଛିଡ଼ା ହୋଇଛନ୍ତି। କୃଷକଙ୍କ ଆନ୍ଦୋଳନରେ ସହାୟତା କରିବା ଲାଗି, ସେ ନିଜର ବିଶେଷ ବ୍ୟଞ୍ଜନ ନେଇ ଆସିଛନ୍ତି। “ସେମାନେ ଯେପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଛନ୍ତି, ଆମେ ତାଙ୍କୁ ସମର୍ଥନ କରିବୁ”, ତାରିକ କୁହନ୍ତି, “ଆମେ ସେମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୋଇଛୁ।”


PHOTO • Kanika Gupta

କରଣବୀର ସିଂଙ୍କୁ ୧୧ ବର୍ଷ। ତାଙ୍କ ବାପା ସିଂଘୁ ସୀମାରେ ଠେଲାଗାଡ଼ିରେ ଚାଓମିନ ବିକ୍ରି କରିଥାନ୍ତି। “ମୋ ସାଙ୍ଗମାନେ ମୋତେ ଏଠାକୁ ଆସିବାକୁ କହିଥିଲେ। ଆମେ ଗାଜର ହାଲୱା ଖାଇବାକୁ ଚାହୁଁଥିଲୁ”, କରଣବୀର କେଶର ରଙ୍ଗର ଭାତ, ଅର୍ଥାତ ଜର୍ଦ୍ଦା, ଖାଇବା ସମୟରେ, ହସି ହସି କହିଥିଲେ।


PHOTO • Kanika Gupta

ମୁନ୍ନୀ, ହରିୟାଣାର ସୋନିପତ ଜିଲ୍ଲାର କୁଣ୍ଡଲୀ ଗ୍ରାମରେ ରହିଥାନ୍ତି ଏବଂ ନିର୍ମାଣ ସ୍ଥଳୀରେ କାମ କରିଥାନ୍ତି। ସେ ନିଜ ପିଲାମାନଙ୍କୁ ଖାଦ୍ୟ ଖୁଆଇବା ଲାଗି ଆନ୍ଦୋଳନସ୍ଥଳୀକୁ ଆଣିଥାନ୍ତି। “ମୋର ଛୋଟ ପିଲାମାନେ ଅଛନ୍ତି, ଯେଉଁମାନେ କିଛି ଖାଇବା ଲାଗି ଚାହୁଁଛନ୍ତି, ସେ କହିଥାନ୍ତି। “ଏସବୁ କାହିଁକି ଚାଲିଛି ମୁଁ ଜାଣେ ନାହିଁ, ମୁଁ ଭାବୁଛି ସେମାନେ ଫସଲ ଓ ଉତ୍ପାଦନ ପାଇଁ ଆନ୍ଦୋଳନ କରୁଛନ୍ତି।”


PHOTO • Kanika Gupta

ଆନ୍ଦୋଳନ ସ୍ଥଳୀ ନିୟମିତ ଭୋଜନ ମିଳିବା ସ୍ଥାନ ବ୍ୟତୀତ ଅନେକ ଲୋକଙ୍କ ପାଇଁ ଜୀବିକାର ଉତ୍ସ ମଧ୍ୟ ପାଲଟିଯାଇଛି। ଯେମିତିକି ଅଳିଆ ଗୋଟାଉଥିବା ପୂଜା ହରିୟାଣାର କୁଣ୍ଡଲୀ ଅନ୍ତର୍ଗତ ସେରସା ବ୍ଲକରେ ରୁହନ୍ତି। ସେ ନିଜ ସ୍ୱାମୀଙ୍କ ସହିତ ବୋତଲ ଏବଂ ବାକ୍ସ ଗୋଟାଇବା ଲାଗି ସିଂଘୁ ସୀମାର ଆନ୍ଦୋଳନ ସ୍ଥଳୀକୁ ଆସିଥାନ୍ତି। “ମୁଁ ଚଟାଣରେ ଝାଡ଼ୁ ମାରିଥାଏ ଏବଂ ଅଳିଆ ଉଠାଇଥାଏ”, ସେ କୁହନ୍ତି। “ସେମାନେ ମୋତେ ଖାଦ୍ୟ ଓ ମୋ ଝିଅ ପାଇଁ କ୍ଷୀର ଦେଇଥାନ୍ତି। ଯେବେଠାରୁ ସେମାନେ ଏଠାରେ ଶିବିର ଚଳାଇଛନ୍ତି, ଆମେ ଏଠାକୁ ସବୁଦିନ ଆସୁଛୁ। ସେମାନେ ଆମକୁ ଦେଉଥିବା ସବୁ ଜିନିଷ ଆମର ପସନ୍ଦ। ବେଳେବେଳେ କଦଳୀ ଓ କମଳା, ଆଉ କେତେବେଳେ ସାବୁନ ଓ କମ୍ବଳ ଦେଇଥାନ୍ତି। ମୁଁ ବୋତଲଗୁଡ଼ିକୁ ବିକ୍ରି କରି ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରିଥାଏ। ଏହା ମୋତେ ପିଲାମାନଙ୍କ ପାଇଁ ଖର୍ଚ୍ଚରେ ସହାୟତା କରିଥାଏ। ସେମାନେ ଆମ ପ୍ରତି ଏତେ ଦୟାଳୁ ହୋଇଥିବାରୁ ମୁଁ ଆଶା କରୁଛି ଯେ ସେମାନେ ଯାହା ଚାହୁଁଛନ୍ତି ୱାହେଗୁରୁ ସେମାନଙ୍କୁ ନିଶ୍ଚିତ ଭାବେ ଦେବେ।’’


PHOTO • Kanika Gupta

ହରିୟାଣା କରନାଲର ଏକ ଆଶ୍ରମର ସ୍ୱେଚ୍ଛାସେବୀମାନେ ରାତିରେ କୃଷକମାନଙ୍କୁ ଗରମ ରଖିବା ଲାଗି ଗରମ ସୁଗନ୍ଧିତ କ୍ଷୀର ପ୍ରସ୍ତୁତ କରୁଛନ୍ତି। କ୍ଷୀରରେ ଶୁଖିଲା ଫଳ, ଘିଅ, ଖଜୁରୀ, କେସର ଓ ମହୁ ମିଶା ହେଉଛି। ତଟକା କ୍ଷୀର ସବୁଦିନ ସକାଳେ କରନାଲର ଡାଏରୀରୁ ଅଣାଯାଇଥାଏ।


PHOTO • Kanika Gupta

ପଞ୍ଜାବର କପୁରଥାଲା ଜିଲ୍ଲାର ଏକ କଲ୍ୟାଣକାରୀ ସମାଜର ସ୍ୱେଚ୍ଛାସେବୀମାନେ, ସନ୍ଧ୍ୟାରେ ଜଳଖିଆ ଲାଗି ଗରମ ପକୋଡ଼ା ଛାଣୁଛନ୍ତି। ଆନ୍ଦୋଳନସ୍ଥଳୀର ଏକ ଦେକାନରେ ସାଧାରଣତଃ ଅଧିକ ଭିଡ଼ ହୋଇଥାଏ।


PHOTO • Kanika Gupta

ଅକ୍ଷୟଙ୍କ ବୟସ ୮ ବର୍ଷ ଏବଂ ସାହିଲଙ୍କର ୮ ବର୍ଷ। “ଆମ ବାପା-ମା’ ଏକ କାରଖାନାରେ କାମ କରିଥାନ୍ତି। ମୋ ମା’ ସକାଳୁ ଶୀଘ୍ର ଉଠି କାମକୁ ଚାଲିଯାଆନ୍ତି। ତେଣୁ ଆମ ପାଇଁ ଜଳଖିଆ ପ୍ରସ୍ତୁତ କରିପାରିନଥାନ୍ତି। ତେଣୁ ଆମେ ସବୁଦିନ ଏଠାକୁ ଖାଇବା ଲାଗି ଆସିଥାଉ”, ସେ କୁହନ୍ତି। “ମୁଁ ସ୍ପ୍ରାଇଟ ଭଲ ପାଏ”, ଅକ୍ଷୟ କୁହନ୍ତି, “ଓ ତା’ର (ସାହିଲର) ବିସ୍କୁଟ ପସନ୍ଦ।”


PHOTO • Kanika Gupta

ଦୁଇ ସାଙ୍ଗ ଆଞ୍ଚଲ ଓ ସାକ୍ଷୀଙ୍କ ବୟସ ଯଥାକ୍ରମେ ୭ ଓ ୯ ବର୍ଷ (ତଳେ ବସିଛନ୍ତି), ସେମାନେ କୁହନ୍ତି, “ଆମର ପଡ଼ୋଶୀମାନେ ଆମକୁ କହିଲେ, ସୀମାକୁ ଯାଅ, ସେଠାରେ ବହୁ ପରିମାଣରେ ଖାଦ୍ୟ ମିଳୁଛି”।


PHOTO • Kanika Gupta

ଆନ୍ଦୋଳନ ସ୍ଥଳୀ କେବଳ କୃଷକମାନଙ୍କୁ ନୁହେଁ, ବରଂ ଏଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିକିତ୍ସା ଶିବିର ଓ ମାଗଣାରେ ଔଷଧ ଯୋଗାଇ ଦେଇଥାଏ। ଆଖପାଖ ଅଞ୍ଚଳରେ ରହୁଥିବା ଅନେକ ଲୋକ ଏହି ଶିବିରକୁ ଆସିଥାନ୍ତି।


PHOTO • Kanika Gupta

ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ୩୭ ବର୍ଷୀୟା କଞ୍ଚନ କହିଥିଲେ ଯେ ସେ ମାସିକ ୬୫୦୦ ଟଙ୍କାରେ ଏକ କାରଖାନାରେ କାମ କରିଥାନ୍ତି। “କିଛିଦିନ ହେବ ମୋତେ ଜ୍ୱର ଲାଗି ରହିଛି। ମୁଁ ମୋର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିସାରିଥିଲି। କାରଖାନାରେ ଜଣେ ବ୍ୟକ୍ତି ମୋତେ କହିଲେ ଯେ ସିଂଘୁ ସୀମାରେ ମାଗଣାରେ ଔଷଧ ମିଳୁଛି। ମୁଁ ଏଠାକୁ ଆସି ନିଜ ମନ ମୁତାବକ ଔଷଧ ପାଇଲି। ମୁଁ ବାସ୍ତବରେ ଆମର ଭାଇମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ପ୍ରତ୍ୟେକ ଅସହାୟ ଲୋକଙ୍କୁ ସହାୟତା କରୁଛନ୍ତି। ସେମାନେ ମୋତେ ଖାଦ୍ୟ ଓ ଔଷଧ ଦେଲେ ନହେଲେ ମୋତେ ଏଥିପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା।”


PHOTO • Kanika Gupta

ପଞ୍ଜାବର ତରନ ତାରନ ଅଞ୍ଚଳର ୨୦ବର୍ଷ ବୟସ୍କ ସୁଖପାଲ ସିଂ ଟୁଥପେଷ୍ଟ, ସାବୁନ ଓ ବିସ୍କୁଟ ବିତରଣ କରୁଛନ୍ତି। ଦିଲ୍ଲୀ-ହରିୟାଣା ସୀମାରେ ସଡ଼କ ବନ୍ଦ ରହିଥିବାରୁ, ଟ୍ରାକ୍ଟରଗୁଡ଼ିକର ଲମ୍ବା ଧାଡ଼ି କେବଳ ଆନ୍ଦୋଳନକାରୀ କୃଷକମାନଙ୍କର ସେବା କରୁନାହିଁ ବରଂ ଆଖପାଖରେ ରହୁଥିବା ଗରିବ ଲୋକମାନଙ୍କୁ ମଧ୍ୟ ସମସ୍ତ ପ୍ରକାରର ସାମଗ୍ରୀ ବିତରଣ କରୁଛି-ସାନିଟାରୀ ନାପକିନ ଠାରୁ ଆରମ୍ଭ କରି କମ୍ବଳ, ଖାଦ୍ୟ, ଔଷଧ, ଟୁଥବ୍ରଶ ଓ ସାବୁନ ପର୍ଯ୍ୟନ୍ତ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Kanika Gupta

Kanika Gupta is a freelance journalist and photographer from New Delhi.

Other stories by Kanika Gupta