ନିଃସଙ୍ଗ ଜୀବନଯାପନ ଜିଗର ଦେଦ୍‌ଙ୍କର ଭାଗ୍ୟ ପାଲଟି ଯାଇଛି । ସେ ଶ୍ରୀନଗରର ଡାଲ୍‌ ହ୍ରଦର ଏକ  ଘାଟରେ ତାଙ୍କର ହାଉସ୍‌ବୋଟ୍‌ ନିକଟରେ ଥିବା ଏକ କୁଡିଆ ଘରେ ଏକଲା ରୁହନ୍ତି । ପ୍ରଥମେ ତାଙ୍କର ସ୍ୱାମୀ ଓ ତାପରେ ତାଙ୍କର ପୁଅ, ଜଣଙ୍କ ପରେ ଜଣେ ଆରପାରିକୁ ଚାଲିଗଲେ, ଏ ମଧ୍ୟରେ ତିନି ଦଶନ୍ଧି ସମୟ ବିତିଗଲାଣି ଆଉ ଏହି ଦୀର୍ଘ ସମୟ ମଧ୍ୟରେ ସେ ଅନେକ ଦୁଃଖକଷ୍ଟର ସମ୍ମୁଖୀନ ହୋଇଛନ୍ତି ।

ଅଥଚ, ସେ କୁହନ୍ତି ଯେ, “ଗତ ୩୦ ବର୍ଷ ହେବ ମୁଁ ଏପରି ନିଃସଙ୍ଗ ଜୀବନଯାପନ କରି ଆସୁଛି, ହେଲେ ଗତ ବର୍ଷ ପରି ପ୍ରତିକୂଳ ପରିସ୍ଥିତିର ସାମନା କେବେ ମଧ୍ୟ କରିବାକୁ ପଡିନଥିଲା। ସଟ୍‌ଡାଉନ୍‌ ପରେ, ଯେତେବେଳେ ପର୍ଯ୍ୟଟକମାନେ ପୁଣିଥରେ ଆସିବାକୁ ଆରମ୍ଭ କଲେ, ସେତେବେଳେ ଏଇ କରୋନା ଆସିଗଲା ଓ ତାପରେ ତାଲାବନ୍ଦ, ଯାହାଯୋଗୁଁ ଆମେ ସମସ୍ତେ ଏକ ଯନ୍ତା ଭିତରେ ବନ୍ଦୀ ହୋଇଗଲୁ’’।

ଅଗଷ୍ଟ ୫,୨୦୧୯ରେ ସରକାର ଯେତେବେଳେ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କଲେ, ତାହାର ପରବର୍ତ୍ତୀ ସମୟରେ ଲାଗୁ କରାଯାଇଥିବା ସଟ୍‌ଡାଉନ୍‌ ଯୋଗୁଁ ବ୍ୟାପକ କ୍ଷତି ସହିବାକୁ ପଡୁଛି । “ତା’ପର ଠାରୁ ମୁଁ ଗୋଟଏ ମଧ୍ୟ ଗ୍ରାହକଙ୍କୁ ଏଠାରେ ଦେଖିନି,” ବୋଲି ଜିଗର୍‌ କୁହନ୍ତି। ସେହି ସମୟରେ ଏକ ସରକାରୀ ପରାମର୍ଶ ଯେଉଁଥିରେ ସମସ୍ତ ଅଣ-ସ୍ଥାନୀୟ ନିବାସୀଙ୍କୁ ସେହି ସ୍ଥାନ ଛାଡି ଚାଲିଯିବାକୁ କୁହାଯାଇଥିବା ତାହାର ପ୍ରଭାବରେ ସମସ୍ତ ପର୍ଯ୍ୟଟକ ମଧ୍ୟ ଉପତ୍ୟାକା ଛାଡି ଚାଲିଯାଇଥିଲେ। “ଏହା ଫଳରେ ଆମ ଅଚାନକ୍‌ ନିଃସ୍ୱ ହୋଇଗଲୁ” ବୋଲି ସେ କୁହନ୍ତି। “ଏଥିଯୋଗୁଁ ଆମ ବ୍ୟବସାୟର ବ୍ୟାପକ କ୍ଷତି ସାଧନ ହେଲା। ମୋର ବିଧ୍ୱସ୍ତ ଜୀବନକୁ ଏହା ଆହୁରି ଅଧିକ ବିପର୍ଯ୍ୟସ୍ତ କରିଦେଲା।

ସେ ସେହି ସର୍ବନାଶ କଥା, ଯାହା ତାଙ୍କୁ ଏହି ନିଃସଙ୍ଗତା ମଧ୍ୟକୁ ଠେଲି ଦେଇଥିବା, ତାହା ପରିଷ୍କାର ଭାବେ ମନେପକାନ୍ତି; “ମୋର ଭଉଣୀର ନିର୍ବନ୍ଧ କାର୍ଯ୍ୟ  ଚାଲିଥାଏ ଓ ଆମ ପରିବାରର ସମସ୍ତେ ସେଠାରେ ଏକତ୍ରିତ ହୋଇଥିଲୁ ଖୁସିରେ ଗାଉଥିଲୁ ଓ ନାଚୁଥିଲୁ,” ବୋଲି ଜିଗର୍‌, ଯିଏ ତାଙ୍କର ବୟସ ୮୦ରୁ ଅଧିକ ବୋଲି ଆକଳନ କରନ୍ତି, କୁହନ୍ତି। “ମୋର ସ୍ୱାମୀ ଅଲ୍ଲୀ ମହମ୍ମଦ୍‌ ଥୁଲା ମୋ ପାଖକୁ ଆସିଲେ ଓ ତାଙ୍କ ଛାତିରେ ଯନ୍ତ୍ରଣା ହେଉଛି ବୋଲି ମତେ କହିଲେ। ଆଉ ତା’ପରେ, ମୁଁ ତାଙ୍କୁ ମୋର କୋଳରେ ଧରିଲି, ମୁଁ ଅନୁଭବ କଲି ଯେ ତାଙ୍କର ଶରୀର କ୍ରମଶଃ ଶୀତଳ ହେଉଛି--- ସେହି ସମୟରେ ମତେ ଏପରି ଅନୁଭବ ହେଲା ସତେ ଯେପରି ପୂରା ଆକାଶ ମୋ ଉପରେ ଲଦି ହୋଇଯାଇଛି।

୫୦ରୁ ଅଧିକ ବର୍ଷ ବୟସ୍କ ଅଲ୍ଲୀ ମହମ୍ମଦ, ଜିଗର ଓ ମଞ୍ଜୁରକୁ ପଛରେ ଛାଡ଼ିଦେଇ, ସେମାନଙ୍କର ଏକମାତ୍ର ସନ୍ତାନକୁ ଦୁଃଖରେ କାଳାତିପାତ କରିବାକୁ ଛାଡିଦେଇ ଆରପାରିକୁ ଚାଲିଯାଇଥିଲେ। ମନ୍ନା, ଯେଉଁ ନାମରେ ଜିଗର୍‌ ତାଙ୍କ ପୁଅକୁ ଡାକନ୍ତି, ତାକୁ ସେତେବେଳେ ମାତ୍ର ୧୭ ବର୍ଷ ହୋଇଥିଲା। ଆଉ ସେମାନଙ୍କର ଏକ ପାରିବାରିକ ହାଉସ୍‌ବୋଟ୍‌ ଥିଲା, ଏକ ଚାରି-ବଖରା ବିଶିଷ୍ଟ ଇନ୍ଦୁରା, ଯାହା ସେମାନଙ୍କ କୁଡିଆ ଆରପାଖରେ ଥିବା ଏକ ସେତୁରେ ପାର୍କ କରାଯାଇଥିଲା।

"ଯେତେବେଳେ ମଧ୍ୟ ମୋର ପୁଅ ପର୍ଯ୍ୟଟକମାନଙ୍କୁ ଆମ ବୋଟ୍‌କୁ ଆଣିବାକୁ ଯାଉଥିଲା, ସେତେବେଳେ ସେ ଆମର ପଡୋଶୀମାନଙ୍କୁ ମୋର ଯତ୍ନ ନେବାକୁ କହୁଥିଲା, କାରଣ ମୁଁ ତା’ର ବାପାଙ୍କୁ ମନେ ପକାଇ କାନ୍ଦିବି ବୋଲି ସେ ଜାଣିଥିଲା,” ବୋଲି ଜିଗର ତାଙ୍କର ଗୋଟିଏ ବଖରା ବିଶିଷ୍ଟ କୁଡିଆରେ ଏକ ଖଟ ଉପରେ ବସି, ଦ୍ୱାର ବାଟେ ବାହାରକୁ ଦେଖିବାବେଳେ କହିଲେ। କାଠ କାନ୍ଥରେ ତାଙ୍କର ସ୍ୱାମୀ ଓ ପୁଅର ଫଟୋ ଝୁଲୁଥିଲା ।

ଅଲ୍ଲୀଙ୍କ ମୃତ୍ୟୁ ଜନିତ ଦୁଃଖରୁ ବାହାରିବା ପାଇଁ ସେ ନିଜର ସଂଘର୍ଷ ଜାରି ରଖିଥିବା ବେଳେ ମଞ୍ଜୁରର ମଧ୍ୟ ନିଧନ ହୋଇଗଲା, ଠିକ୍‌ ସାତ ମାସ ପରେ. । ଜିଗର୍‌ ମୃତ୍ୟୁର ତାରିଖ ବା କାରଣ ମନେ ପକାଇ ପାରୁନାହାନ୍ତି, ହେଲେ, ବାପାକୁ ହରାଇବାର ଦୁଃଖରେ ଭାରାକ୍ରାନ୍ତ ହୋଇ ତାଙ୍କର ଯୁବ ପୁଅ ଜୀବନ ହାରିଥିବା ସେ ବିଶ୍ୱାସ କରନ୍ତି ।

“ମୋର ଆଖି ସାମନାରେ ମୋର ସମ୍ପୂର୍ଣ୍ଣ ଦୁନିଆ ଓଲଟିଗଲା,” ବୋଲି ସେ କୁହନ୍ତି । “ ମୋ ଜୀବନର ଦୁଇଜଣ ହିରୋ ମତେ ସମ୍ପୂର୍ଣ୍ଣ ଏକଲା କରି ଚାଲିଗଲେ, ସେମାନଙ୍କର ସ୍ମୃତିଭରା ଏହି ହାଉସ୍‌ବୋଟ୍‌ ସହିତ । “ଏଗୁଡିକ ,ସବୁବେଳେ ମତେ ଆନ୍ଦୋଳିତ କରୁଛି । ମୋର ଅସୁସ୍ଥତା କାରଣରୁ ଅତୀତର ଅଧିକାଂଶ ଘଟଣା କ୍ରମଶଃ ଆଉ ମନେ ପଡୁନି, ହେଲେ ଯେଉଁଗୁଡିକ ସବୁବେଳେ ମତେ ଆନ୍ଦୋଳିତ କରୁଛି ତାହା ଆଜି ମଧ୍ୟ ସତେଜ ରହିଛି ।

PHOTO • Muzamil Bhat

ପୁଅ (ଡାହାଣରେ; ବାମରେ ଜଣେ ପର୍ଯ୍ୟଟକ ଅଛନ୍ତି)। ‘ମୋର ମଞ୍ଜୁର ଗୋଟେ ହିରୋ ଥିଲା, ସେ କେବେ ମଧ୍ୟ ଦୁଇ ଦିନ ଧରି ଗୋଟିଏ ଡ୍ରେସ୍‌ ପିନ୍ଧୁ ନଥିଲା’

ଆମ କଥାବାର୍ତ୍ତା ଆଗକୁ ବଢିବା ସହିତ ସେ ତାଙ୍କର ଅତୀତର ସ୍ମୃତିରୁ କିଛି ବର୍ଣ୍ଣନା କରିବାକୁ ଆରମ୍ଭ କଲେ । “ମୋର ମନ୍ନା ଏହି ଶେଯ ଉପରେ ଶୋଉଥିଲା,” ବୋଲି  ସେ ମନେପକାନ୍ତି । “ସେ ଭାରି ଚଗଲା ପିଲା ଥିଲା । ଏକମାତ୍ର ସନ୍ତାନ ହୋଇଥିବାରୁ, ସେ ଆମମାନଙ୍କୁ  ନେଇ ଅନ୍ତ୍ୟନ୍ତ ଭାବୁକ ହୋଇଯାଉଥିଲା । ମୋର ମନେ ଅଛି, ଥରେ ଆମେ ତାକୁ ନଜଣାଇ ଗୋଟିଏ ସୋଫା ଆଣିଥିଲୁ ଓ ସେ ଯେତେବେଳେ ଏ ବିଷୟରେ ଜାଣିପାରିଲା, ସେଦିନ ତାର ବାପା ଓ ମୁଁ ତାକୁ ନଜଣାଇ ଏପରି କରିବା ଭୂଲ୍‌ ହୋଇଗଲା ବୋଲି ନ କହିବା ପର୍ଯ୍ୟନ୍ତ ସେ ଖାଦ୍ୟ ଖାଇଲା ନାହିଁ । ହେ ଖୁଦା, ମୋର ପିଲା କଥା ମୋର ବହୁତ ମନେ ପଡୁଛି !”

ତା’ପରଠାରୁ, ଜିଗର ଦେଦ୍‌ କେବଳ ଡାଲ୍‌ ହ୍ରଦର ପାଣିକୁ ଆଶ୍ରା କରି, ତାଙ୍କ ସ୍ୱାମୀ ଛାଡି ଯାଇଥିବା ସେହି ହାଉସ୍‌ବୋଟ୍‌ରୁ ନିଜର ଭରଣପୋଷଣ ପାଇଁ ଆବଶ୍ୟକ ଅର୍ଥ ଉପାର୍ଜନ କରି କୌଣସି ପ୍ରକାରେ ବଞ୍ଚି ରହିବାକୁ ନିଜର ପ୍ରୟାସ ଜାରି ରଖିଛନ୍ତି। ସାଧାରଣତଃ ପର୍ଯ୍ୟଟନ ଋତୁରେ, ଏପ୍ରିଲ୍‌ ରୁ ଅଗଷ୍ଟ ମଧ୍ୟରେ ସେ ମାସକୁ ପ୍ରାୟ ୧୫,୦୦୦ – ୨୦,୦୦୦ ଟଙ୍କା ଉପାର୍ଜନ କରନ୍ତି।

ହେଲେ, ଗତ ବର୍ଷର ସଟ୍‌ଡାଉନ୍‌  ଓ ଉପାର୍ଜନ ହ୍ରାସ ହେବା ସହିତ, ତାଙ୍କୁ ଅଗଷ୍ଟ ୨୦୧୯ର ଦୁଇ ମାସ ପରେ ପରେ ଆଉ ଏକ ପ୍ରତିକୂଳ ପରିସ୍ଥିତିର ମଧ୍ୟ ସମ୍ମୁଖୀନ ହେବାକୁ ପଡିଲା ଯେତେବେଳେ ହାଉସ୍‌ବୋଟ୍‌ରେ ତାଙ୍କର ଦୀର୍ଘ-କାଳୀନ ସହାୟକ କାର୍ଯ୍ୟ ଛାଡିଦେଲା। “ମୋ ପାଖରେ ଗୁଲାମ ରସୁଲ ନାମରେ ଜଣେ କର୍ମଚାରୀ ଥିଲା, ଯିଏ ପର୍ଯ୍ୟଟକମାନଙ୍କ ଯତ୍ନ ନେଉଥିଲା। ସେ ମୋର ପୁଅ ଭଳି ଥିଲା ଓ ମୋର ବୋଟ୍‌ର ଦେଖାରେଖା ମଧ୍ୟ କରୁଥିଲା ଓ ଏହା ସହିତ ବାହାରୁ ମୋ ପାଇଁ ଖାଦ୍ୟ ଓ ଅନ୍ୟ ସାମଗ୍ରୀ ଆଣିଦେଉଥିଲା’’।

ଯେତେବେଳେ ଜିଗର୍‌ ଆଉ ତାକୁ ତାର ବେତନ, ଯାହା ମାସକୁ ୪,୫୦୦ – ୫୦୦୦ ଅଟେ, ପ୍ରଦାନ କରିବାକୁ ସମର୍ଥ ହୋଇପାରିଲେ ନାହିଁ (ଓ ସେ ମଧ୍ୟ ପର୍ଯ୍ୟଟକଙ୍କଠାରୁ କୌଣସି ଅତିରିକ୍ତ ଟିପ୍‌ ପାଇପାରିଲେନି), ସେତେବେଳେ ଗୁଲାମ ଛାଡି ଚାଲିଗଲା । “ମୁଁ ତାକୁ ମତେ ଛାଡି ଚାଲିଯିବାକୁ ମନା କରି ପାରିଲି ନାହିଁ, ତାର ମଧ୍ୟ ଗୋଟିଏ ପରିବାର ଅଛି,” ବୋଲି ସେ କୁହନ୍ତି।

ତାଙ୍କର ବୟସ ବୃଦ୍ଧି ହେବା ସହିତ, ଜିଗର୍‌ ଦେଦ୍‌ ଆଉ ତାଙ୍କର ହାଉସ୍‌ବୋଟ୍‌ ବାହାରେ କମ କରିବାକୁ ବା ଡାଲ୍‌ ହ୍ରଦ ବାହାରକୁ ଯାଇ କିରାଣା ସାମଗ୍ରୀ ଆଣିବାକୁ ସମର୍ଥ ହୋଇ ପାରୁନାହାନ୍ତି ଓ ବଜାରରୁ ତାଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ଆଣିବା ପାଇଁ ତାଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡୁଛି । ସାଧାରଣତଃ, ତାଙ୍କର ଜଣେ ପୁରୁଣା ପାରିବାରିକ ବନ୍ଧୁ ତାଙ୍କୁ ଏହି କାମରେ ସହାୟତା କରନ୍ତି, ହେଲେ, ବେଳେବେଳେ ସାହାଯ୍ୟ ପାଇବା ପାଇଁ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଉସ୍‌ବୋଟ୍‌ ବାହାରେ ଅପେକ୍ଷା କରିବାକୁ ପଡିଥାଏ । "ମୁଁ କାହାକୁ ମଧ୍ୟ ସେମାନଙ୍କର କାମ ଛାଡି ମୋର କାମ କରିବାକୁ ବାଧ୍ୟ କରିପାରିବିନି । ମୁଁ କେବଳ ଏତିକି କରିପାରିବି ଯେ କେହି ଜଣେ ମୋ ଆଡକୁ ସହାୟତାର ହାତ ବଢାଇବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିପାରିବି,” ବୋଲି ସେ କୁହନ୍ତି ।

“ ପୂର୍ବେ, ଯେତେବେଳେ ମୋ ପାଖରେ ପଇସା ଥିଲା, ସେତେବେଳେ ଲୋକମାନେ ମୋ ପାଖକୁ ଆବଶ୍ୟକ ଜିନିଷ ନେଇ ପହଞ୍ଚି ଯାଉଥିଲେ (ସହଜରେ),” ବୋଲି ସେ କୁହନ୍ତି “ହେଲେ ବର୍ତ୍ତମାନ କୌଣସି ଜିନିଷ ପାଇବାକୁ ହେଲେ ମତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି କାରଣ ସେମାନେ ଭାବୁଛନ୍ତି ଯେ ମୋ ପାଖରେ ଆଉ କିଛି ପଇସା ନାହିଁ ଓ ମୁଁ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇପାରିବି ନାହିଁ ।

ଆଉ ବର୍ତ୍ତମାନ, ୩୦ ବର୍ଷରେ ପ୍ରଥମ ଥର ପାଇଁ, ନିରନ୍ତର ଜାରି ରହିଥିବା ଦୁଇ ଦୁଇଟା ତାଲାବନ୍ଦ କାରଣ ଓ କୌଣସି ପର୍ଯ୍ୟଟକ ତାଙ୍କର ହାଉସ୍‌ବୋଟ୍‌ ଭଡାରେ ନନେବା ଯୋଗୁଁ ଜିଗର୍‌ ଦେଦ୍‌ ସଞ୍ଚୟ କରିଥିବା ସମସ୍ତ ପଇସା ସରିଯାଇଛି । ଏଣୁ ବର୍ତ୍ତମାନ ସେ ଦିନରେ ଦୁଇଥର ଭୋଜନ କରିବା ପରିବର୍ତ୍ତେ  କେବଳ ଗୋଟିଏ ବେଳା ଖାଉଛନ୍ତି – ସାଧାରଣତଃ  ରାତ୍ରି ଭୋଜନରେ ଭାତ ଓ ଡାଲ୍‌ ଓ ମଧ୍ୟାହ୍ନ ଭୋଜନରେ କେବଳ ସ୍ଥାନୀୟ ନୁନ୍‌ ଚାୟ,  ଲୁଣ ଚା । ବେଳେବେଳେ ଡାଲ୍‌ ହ୍ରଦର ଆଖପାଖ ଅଞ୍ଚଳର ଲୋକମାନେ ତାଙ୍କର କୁଡିଆ ବା ବୋଟ୍‌ରେ ଖାଦ୍ୟ ପୁଡିଆ ପକାଇ ଦିଅନ୍ତି ।

“ମୁଁ ଭୋକ ଉପାସରେ ମରିବାକୁ ପସନ୍ଦ କରିବି, ହେଲେ, ଅନ୍ୟମାନେ ମୋ ପ୍ରତି ଦୟା ପ୍ରଦର୍ଶନ କରିବାକୁ ସେମାନଙ୍କ ସମ୍ମୁଖରେ ଅନୁନୟ କରିବି ନାହିଁ, କାରଣ ଏହାଦ୍ୱାରା ମୋର ଅଲ୍ଲୀ ଓ ମନ୍ନାର ଅପଯଶ ହେବ,” ବୋଲି ସେ କୁହନ୍ତି । “ମୁଁ କାହାକୁ ଦୋଷ ଦେଇପାରିବିନି, କାରଣ ବର୍ତ୍ତମାନ ସମସ୍ତଙ୍କ ପାଇଁ ପରିସ୍ଥିତି ସମାନ ଅଟେ । ଏହିପରି ତାଲାବନ୍ଦ କାରଣରୁ ଆମର ବ୍ୟବସାୟ ପ୍ରାୟତଃ ଠପ୍‌ ହୋଇଯାଇଛି, ଆମ ପାଖରେ ଆଉ କିଛି ପଇସା ନାହିଁ । ଏହା କେବଳ ମୁଁ ନୁହେଁ, ଯିଏ ଗତ ବର୍ଷ ଅଗଷ୍ଟରୁ ଗୋଟିଏ ମଧ୍ୟ ଗ୍ରାହକ ଦେଖିବାର ସୁଯୋଗ ପାଇନି, ବରଂ ମୋ ଭଳି ଅନେକ ହାଉସ୍‌ବୋଟ୍‌ ମାଲିକ ଓ ଶିକାର୍‌ୱାଲା ମଧ୍ୟ ମୋର ଭଳି ଦୁର୍ଭାଗ୍ୟ ଦେଇ ଗତି କରୁଛନ୍ତି’’।

ଆଉ କିଛି ଦିନ ପରେ ଶୀତଋତୁ ଆରମ୍ଭ ହେବ, ଏଣୁ ଜିଗର୍‌ ଦେଦ୍‌ ଏହି ଥଣ୍ଡାରେ ତାଙ୍କର ହାଉସ୍‌ବୋଟ୍‌ କିଭଳି ଠିକ୍‌ କାମ କରିବ ସେ ନେଇ ଚିନ୍ତିତ ଅଛନ୍ତି, ଯେହେତୁ ଏହାର ରକ୍ଷଣାବେକ୍ଷଣ ପାଇଁ ତାଙ୍କ ପାଖରେ ଆଉ ପଇସା ନାହିଁ । ବର୍ତ୍ତମାନ ଯେତେବେଳେ ମଧ୍ୟ ପାଗ ଖରାପ ହେଲେ, ସେ ଆଉ ଶୋଇ ପାରୁନାହାନ୍ତି ବୋଲି କହୁଛନ୍ତି । “ମୁଁ ଭୟ କରୁଛି ଯେ ଯଦି ବର୍ଷା ହେବ, ତାହାହେଲେ ମୁଁ କ’ଣ କରିବି? ମୁଁ ଭୟ କରୁଛି  ମୋ ସହିତ ମୋର ହାଉସ୍‌ବୋଟ୍‌ ମଧ୍ୟ ପାଣିରେ ବୁଡିଯାଇପାରେ କାରଣ ଶୀତ ଋତୁରେ ଏହାକୁ କାର୍ଯ୍ୟକ୍ଷମ ରଖିବାକୁ ବହୁତ ମରାମତି କାମ କରିବା ଆବଶ୍ୟକ। ମୁଁ ଖୁଦାଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଯେ ଶୀତ କାରଣରୁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ମତେ କେତେଜଣ ଗ୍ରାହକ ମିଳିଯାଆନ୍ତୁ, ଯାହାଫଳରେ ମତେ ମୋର ଜୀବିକା ଅର୍ଜନର ଏକମାତ୍ର ଅବଲମ୍ବନ ଓ ମୋ ଅଲ୍ଲୀର ଉପହାର ହରାଇବାକୁ ପଡିବ ନାହିଁ ।’’

PHOTO • Muzamil Bhat

ଅତୀତର ସମସ୍ତ ସ୍ମୃତି ବହନ କରୁଥିବା ଏକ ହାଉସ୍‌ବୋଟ୍‌ରେ :  ଗତ ୩୦ ବର୍ଷ ହେବ ଜିଗର ଦେଦ୍‌ କେବଳ ଡାଲ୍‌ ହ୍ରଦ ଉପରେ ଆଶ୍ରା କରି ଜୀବନ ଅତିବାହିତ କରିବାକୁ ଚେଷ୍ଟା କରୁଆସୁଛନ୍ତି । କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଗତବର୍ଷ ସଟ୍‌ଡାଉନ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ସେ କୌଣସି ପ୍ରକାରେ ତାଙ୍କ ସ୍ୱାମୀଙ୍କର ସେହି ହାଉସ୍‌ବୋଟ୍‌ ସହାୟତାରେ ନିଜର ଜୀବୀକା ଅର୍ଜନ କରିବାକୁ ସମର୍ଥ ହୋଇପାରିଛନ୍ତି । ‘ମୁଁ ଗତ ବର୍ଷ ମଧ୍ୟ ଏଭଳି ଯାତନାମୟ ପରିସ୍ଥିତିର ସମ୍ମୁଖୀନ ହୋଇନଥିଲି,’ ବୋଲି ସେ କୁହନ୍ତି । ‘ସଟ୍‌ଡାଉନ୍‌ ପରେ, ଠିକ୍‌ ଯେତେବେଳେ ପର୍ଯ୍ୟଟକମାନେ ଆସିବାକୁ ଆରମ୍ଭ କରୁଥିଲେ, ସେତେବେଳେ ଏହି କରୋନା ଆସିଗଲା ଓ ତା’ପରେ ତାଲାବନ୍ଦ…’

PHOTO • Muzamil Bhat

ତାଙ୍କର ବୟସ ବୃଦ୍ଧି ହେବା ସହିତ, ଜିଗର ଡାଲ୍‌ ହ୍ରଦ ବାହାରେ ଥିବା ବଜାରକୁ ଆଉ ଯାଇ ପାରୁନାହାନ୍ତି । ଏପରି ସ୍ଥିତିରେ, ତାଙ୍କର ସ୍ୱାମୀଙ୍କ ବନ୍ଧୁ, ଜଣେ ଶିକାରୱାଲା,ଙ୍କୁ ତାଙ୍କ ପାଇଁ କିରାଣା ସାମଗ୍ରୀ ଆଣିଦେବା ପାଇଁ ଡାକିବା ପରିବର୍ତ୍ତେ ଅନ୍ୟ କୌଣସି ବିକଳ୍ପ ନାହିଁ ।

PHOTO • Muzamil Bhat

ତାଙ୍କର ସମ୍ପର୍ଣ୍ଣ ଦୁନିଆ ତାଙ୍କର କୁଡିଆ, ହାଉସ୍‌ବୋଟ୍‌ ଓ ଛୋଟ କାଠ ସେତୁ ଯାହା ଏ ଦ୍ୱୟକୁ ଯୋଗ କରୁଛି, ସେ ମଧ୍ୟରେ ସିମୀତ ହୋଇଯାଇଛି । ‘ମୁଁ କାହାକୁ ମଧ୍ୟ ସେମାନଙ୍କ କାମ ଛାଡି ମୋର କାମ କରିବାକୁ ବାଧ୍ୟ କରିପାରିବି ନାହିଁ । ମୁଁ କେବଳ ଅପେକ୍ଷା କରିପାରିବି, କେହି ଜଣେ ଆସିବ ଆଉ ମତେ ସାହାଯ୍ୟ କରିବ ।

PHOTO • Muzamil Bhat

ବଜାରରୁ କିରାଣା ସାମଗ୍ରୀ ଆଣିଦେବେ ବୋଲି ସେ ତାଙ୍କ ସ୍ୱାମୀଙ୍କ ବନ୍ଧୁଙ୍କୁ ଅପେକ୍ଷା କରି ରହିଛନ୍ତି: ‘ସକାଳେ ମୁଁ ତାଙ୍କୁ ତିନିଥର ଡାକିଛି କାରଣ ମୋର ସମସ୍ତ ଖାଦ୍ୟ ସାମଗ୍ରୀ ଶେଷ ହୋଇଯାଇଛି ଓ ସେ ଆସୁଛନ୍ତି ବୋଲି କହୁଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କର ଦେଖା ନାହିଁ, ବର୍ତ୍ତମାନ ସମୟ ସକାଳ ୧୧ ଟା  ହେଲାଣି । ମୁଁ ଆଶା କରୁଛି ଯେ ଶୀଘ୍ର ଆସିଯିବେ ଯାହାଫଳରେ ମୁଁ ମୋ ପାଇଁ ଗୋଟିଏ କପ୍‌ ଚା ପ୍ରସ୍ତୁତ କରିପାରିବି ।

PHOTO • Muzamil Bhat

ଗତ ୩୦ ବର୍ଷରେ ବୋଧହୁଏ ପ୍ରଥମ ଥର ପାଇଁ, ଜିଗର୍‌ଙ୍କର ସମସ୍ତ ସଞ୍ଚିତ ଅର୍ଥ ନିରନ୍ତର ଲାଗି ରହିଥିବା ଦୁଇ ଦୁଇଟା ତାଲାବନ୍ଦ ଯୋଗୁଁ ପ୍ରାୟତଃ ଖର୍ଚ୍ଚ ହୋଇଯାଇଛି , ଏଣୁ ବର୍ତ୍ତମାନ ସେ ଦିନରେ କେବଳ ଗୋଟିଏ ଥର ଭୋଜନ କରୁଛନ୍ତି ଓ କହନ୍ତି ଯେ ‘ଖାଦ୍ୟ ରାନ୍ଧିବା ବେଳେ ମୁଁ ଯଥାସମ୍ଭବ କମ୍‌ ବାସନ ବ୍ୟବହାର କରିବାକୁ ଚେଷ୍ଟା କରୁଛି, ଯାହାଫଳରେ ମୁଁ ଏଗୁଡିକ ଧୋଇବା ପାଇଁ ହେଉଥିବା ଖର୍ଚ୍ଚ କମ୍‌ କରିପାରିବି । ଶୀତ ଆସୁଛି ଓ ମୋର ହାତ ଥଣ୍ଡା ପାଣି ସହ୍ୟ କରିପାରିବ ନାହିଁ ।

PHOTO • Muzamil Bhat

‘ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ମୋର ପୁଅ ମନ୍ନାକୁ ଯାବୁଡି ଧରି ଶୋଉଥିଲି ଓ ଏହା ମୋତେ ମୋର ନିଃସଙ୍ଗତାକୁ ଅନୁଭବ କରିବାକୁ ଦେଉନଥିଲା । ହେଲେ, ମନ୍ନା ମଧ୍ୟ ମତେ ଛାଡି ଆରପାରିକୁ ଚାଲିଯିବା ପରେ ସବୁକିଛି ଓଲଟିଗଲା, ମୋ ପାଖରେ କେବଳ ସେମାନଙ୍କର ସ୍ମୃତିସବୁ ରହିଗଲା।’

PHOTO • Muzamil Bhat

ତାଙ୍କର ନିଃସଙ୍ଗ ଜୀବନ ଆରମ୍ଭ ହେବା ପୂର୍ବରୁ : ତାଙ୍କର ପୁଅ ମଞ୍ଜୁର ( ଶୀର୍ଷ ବାମ), ତାଙ୍କ ସ୍ୱାମୀ ଅଲି ମହମ୍ମଦ ଥୁଲ୍ଲା (ଡାହାଣ) ଙ୍କ ସହିତ ସମ୍ପୂର୍ଣ୍ଣ ପରିବାରର ଫଟୋ ଓ ଅସଦୁଲ୍ଲାହ, ଜଣେ ପୂର୍ବତନ କର୍ମଚାରୀ, ମଞ୍ଜୁର , ଅଲି ମହମ୍ମଦ, ଜଣେ ପର୍ଯ୍ୟଟକ ଓ ଜିଗର୍‌ ଦେଦ୍‌ଙ୍କର ଏକ ଗ୍ରୁପ୍‌ ଫଟୋ

PHOTO • Muzamil Bhat

ବର୍ତ୍ତମାନ ଯେତେବେଳେ ମଧ୍ୟ ପାଗ ଖରାପ ହେଉଛି, ସେ ଆଉ ଶୋଇ ପାରୁନାହାନ୍ତି ବୋଲି କହୁଛନ୍ତି । “ମୁଁ ଭୟ କରୁଛି ଯେ ଯଦି ବର୍ଷା ହେବ, ତାହାହେଲେ ମୁଁ କ’ଣ କରିବି? ମୁଁ ଭୟ କରୁଛି ଯେ ମୋ ସହିତ ମୋର ହାଉସ୍‌ବୋଟ୍‌ ମଧ୍ୟ ପାଣିରେ ବୁଡିଯାଇପାରେ କାରଣ ଶୀତ ଋତୁରେ ଏହାକୁ କାର୍ଯ୍ୟକ୍ଷମ ରଖିବାକୁ ବହୁତ ମରାମତି କାମ କରିବାକୁ ପଡିଥାଏ ।

ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

Muzamil Bhat is a Srinagar-based freelance photojournalist and filmmaker, and was a PARI Fellow in 2022.

Other stories by Muzamil Bhat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE