‘‘ସ୍କୁଲ ଯିବା ପୂର୍ବରୁ ମୋତେ ଏହିସବୁ କାମ କରିବାକୁ ହୋଇଥାଏ, ନହେଲେ କିଏ କରିବ?’’ ଛୋଟ ବାଛୁରୀକୁ କ୍ଷୀର ଖାଇବା ପାଇଁ ତା’ର ମା’ ପାଖକୁ ଛାଡ଼ିବା ବେଳେ ୧୫ ବର୍ଷ ବୟସ୍କା କିରଣ ପ୍ରଶ୍ନ କରିଥାନ୍ତି। ସମୟ ସକାଳ ୫ଟା। ସେତେବେଳକୁ ତାଙ୍କର ବଖୁରିକିଆ ଘରେ ଅସୁସ୍ଥ ମା’ ଏବଂ ସାନ ଭାଇ ରବି ଶୋଇଥାନ୍ତି। ଘର ସଫା କରିବା ପୂର୍ବରୁ ତାଙ୍କୁ ବାଛୁରୀକୁ ନେଇ ଗୁହାଳରେ ବାନ୍ଧିବାକୁ ହେବ। ଏହାପରେ ତାଙ୍କର ଜେଜେବାପା ଗାଈ ଦୁହିଁବେ।

ସବୁଦିନ ଭଳି ସେ ବଡ଼ି ଭୋରୁ ଉଠିଛନ୍ତି, କିନ୍ତୁ ଆଜି କିରଣ କାମ କରିବା କିମ୍ବା ସ୍କୁଲକୁ ଯିବା ଭଳି ଦେଖାଯାଉନାହାନ୍ତି। ଏହା ସେହି ଦିନଗୁଡ଼ିକ ମଧ୍ୟରୁ ଅନ୍ୟତମ, ଅର୍ଥାତ୍‌ ତାଙ୍କ ଋତୁସ୍ରାବ ଚକ୍ରର ପ୍ରଥମ ଦିନ, ଯେତେବେଳେ ଖୁବ୍‌ ଅଧିକ ଥକ୍କା ଲାଗିଥାଏ। ଏହାଛଡ଼ା ମହାମାରୀ ପରଠାରୁ ତାଙ୍କର ଖୁବ୍‌ ଜୋରରେ ପେଟ ବ୍ୟଥା ମଧ୍ୟ ହେଉଥିବା ସେ ଅନୁଭବ କରୁଛନ୍ତି। ତଥାପି ସକାଳ ସାଢ଼େ ୬ଟା ପୂର୍ବରୁ ସବୁ ଘର କାମ ତାଙ୍କୁ ସାରିବାକୁ ହେବ। ‘‘୭ଟାରେ ସକାଳ ପ୍ରାର୍ଥନା ଆରମ୍ଭ ହୋଇଯାଏ ଏବଂ ସ୍କୁଲରେ ଚାଲି ଚାଲି ପହଞ୍ଚିବାକୁ ମୋତେ ୨୦-୨୫ ମିନିଟ୍‌ ସମୟ ଲାଗିଥାଏ,’’ ସେ କୁହନ୍ତି।

ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲା ଅନ୍ତର୍ଗତ କରୱି ତହସିଲ ଅଧୀନରେ ଥିବା କିରଣ ଦେବୀଙ୍କ ଘରଠାରୁ ୨ କିଲୋମିଟର ଦୂରରେ ସରକାରୀ ସ୍କୁଲ ରହିଛି । ଏଠାରେ ସେ ଏକାଦଶ ଶ୍ରେଣୀରେ ପାଠ ପଢ଼ନ୍ତି। କିରଣଙ୍କ ଘରେ ତାଙ୍କ ଭାଇ ରବି, ସେମାନଙ୍କ ମା’ ପୁନମ ଦେବୀ (୪୦), ଜେଜେବାପା ଖୁସିରାମ (୬୭) ଅଛନ୍ତି।  ସେମାନଙ୍କ ଘର ପଛପଟେ ଥିବା ୮୦୦ ବର୍ଗଫୁଟ ଜମିରେ ତାଙ୍କର ଜେଜେବାପା ଚାଷ କରନ୍ତି। ସେଠାରେ ସେମାନେ ଗହମ, ଚଣା ଏବଂ ଅନ୍ୟାନ୍ୟ ଋତୁକାଳୀନ ପନିପରିବା ଚାଷ କରିଥାନ୍ତି।  ପୁନମଙ୍କ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ, ଏହି କାରଣରୁ ସେ ଘର କାମ କରିପାରନ୍ତି ନାହିଁ। ତେଣୁ କିରଣଙ୍କ ଉପରେ ସବୁ ଦାୟିତ୍ୱର ବୋଝ ପଡ଼ିଥାଏ।

କିରଣଙ୍କ ପାଇଁ ଦିନଚର୍ଯ୍ୟା ଏକ କଷ୍ଟଦାୟକ ଶ୍ରମରେ ପରିଣତ ହୋଇଯାଇଛି। ‘‘ଏହି ଛୋଟମୋଟ ଘର କାମ କରିବାରେ ମୋର କୌଣସି ଆପତ୍ତି ନାହିଁ, ତେବେ ଏହା ସେତିକିବେଳେ ଏକ ସମସ୍ୟା ପାଲଟିଯାଏ ଯେତେବେଳେ ମୋର ଋତୁସ୍ରାବ ଜନିତ ପେଟ ଯନ୍ତ୍ରଣା ହୋଇଥାଏ।’’

Kiran Devi, 15, gets up long before dawn to tend to the calves in the shed
PHOTO • Jigyasa Mishra
Kiran Devi, 15, gets up long before dawn to tend to the calves in the shed
PHOTO • Jigyasa Mishra

୧୫ ବର୍ଷ ବୟସ୍କା କିରଣ ଦେବୀ ବଡ଼ି ଭୋରୁ ଉଠିଯାଆନ୍ତି ଏବଂ ଗୁହାଳରେ ବାଛୁରୀଙ୍କ ଯତ୍ନ ନିଅନ୍ତି

କିରଣ ଉତ୍ତର ପ୍ରଦେଶର ସେହି ୧୦ ନିୟୁତ ଝିଅମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ମାଗଣାରେ ସାନିଟାରୀ ନାପକିନ ପାଇବା ଲାଗି ଯୋଗ୍ୟ। ହେଲେ କୋଭିଡ ମହାମାରୀ କାରଣରୁ କିଶୋରୀ ସୁରକ୍ଷା ଯୋଜନା ବନ୍ଦ ହୋଇଯିବା ଫଳରେ ଏମାନେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଋତୁସ୍ରାବ ସ୍ୱଚ୍ଛତା ଯୋଜନା ଅଧୀନରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଝିଅମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍‌ ଯୋଗାଇ ଦେବା ଲାଗି ଉତ୍ତରପ୍ରଦେଶ ସରକାର କେଏସୱାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୨୦୧୫ରେ ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ରାଜ୍ୟ କାର୍ଯ୍ୟକ୍ରମ ଭାବେ ଏହାକୁ ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଝିଅଙ୍କୁ ୧୦ଟି ନାପକିନ ଥିବା ଏକ ପ୍ୟାକେଟ୍‌ ମାଗଣାରେ ମିଳିଥାଏ।

ଏହି କାର୍ଯ୍ୟକ୍ରମ ଅଧୀନରେ ଉତ୍ତର ପ୍ରଦେଶର କେତେ ଝିଅ ମାଗଣାରେ ପ୍ୟାଡ୍‌ ପାଇଛନ୍ତି ସେହି ତଥ୍ୟ ହାସଲ କରିବା ଅସମ୍ଭବ ଥିଲା। କିନ୍ତୁ ଯଦି ମୋଟ୍‌ ଝିଅମାନଙ୍କର ସଂଖ୍ୟାର ଦଶ ପ୍ରତିଶତଙ୍କ କଥା ବିଚାରକୁ ନିଆଯାଏ ତା’ହେଲେ କୋଭିଡ ମହାମାରୀ ଆସିବା ପରଠାରୁ ଦେଢ଼ ବର୍ଷରୁ ଅଧିକ ସମୟ ହେବ ୧ ନିୟୁତରୁ ଅଧିକ ଗରିବ ପରିବାରର ଝିଅମାନେ ମାଗଣାରେ ସାନିଟାରୀ ନାପକିନ୍‌ ପାଇବା ଲାଗି ସକ୍ଷମ ହୋଇନାହାନ୍ତି।

ଆହୁରି, ଏହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ପୁନଃକାର୍ଯ୍ୟକାରୀ କରାଯିବା ସଂକ୍ରାନ୍ତ ଦାବିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥାଏ। କେତେକ ସହରାଞ୍ଚଳରେ ଏହା ପୁଣିଥରେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ, କିରଣଙ୍କୁ ଏବେ ଆଦୌ କୌଣସି ସାନିଟାରୀ ପ୍ୟାଡ୍‌ ମିଳୁନାହିଁ। ବ୍ୟବସାୟିକ ବ୍ରାଣ୍ଡର ପ୍ୟାଡ୍‌ କିଣିବା ଲାଗି ତାଙ୍କ ପାଖରେ କ୍ଷମତା ନାହିଁ। ଏମିତି ସ୍ଥିତି ଥିବା ହଜାର ହଜାର ଝିଅମାନଙ୍କ ମଧ୍ୟରୁ ସେ ଅନ୍ୟତମ।

କିରଣ ତାଙ୍କ ଘର, ଗାଈ ଗୁହାଳ ଏବଂ ତାଙ୍କ ଘର ବାହାରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଥିବା ସମ୍ପୂର୍ଣ୍ଣ ଅଞ୍ଚଳକୁ ଝାଡ଼ୁ ମାରି ସଫା କରି ସାରିଛନ୍ତି। ଥାକ ଉପରେ ଥୁଆ ହୋଇଥିବା ଏକ ପୁରୁଣା କାନ୍ଥ ଘଣ୍ଟା ଦେଖିବାକୁ ସେ ଘର ଭିତରକୁ ଦୌଡ଼ି ଯାଉଛନ୍ତି। ‘‘ଆରେ, ୬:୧୦ ବାଜିଗଲାଣି!’’ ସତର୍କ ହୋଇ ସେ କୁହନ୍ତି । ‘‘ମା’, ତୁମକୁ ଶୀଘ୍ର ମୋ ବେଣୀ ବାନ୍ଧି ଦେବାକୁ ହେବ, ମୁଁ ଏଇ ଆସୁଛି,’’ ଏତିକି କହି ସେ ଘରୁ ବାହାରି ଆସନ୍ତି ଏବଂ ପ୍ରାୟତଃ ରାସ୍ତା ପାଖ ଖୋଲା ସ୍ଥାନରେ ଥିବା ଏକ ପ୍ଲାଷ୍ଟିକ୍‌ ଟାଙ୍କି ପାଖକୁ ଗାଧୋଇବାକୁ ଦୌଡ଼ି ଯାଆନ୍ତି।

ଗାଧୁଆ ଘର ବିଷୟରେ ମୋର ପ୍ରଶ୍ନ ଶୁଣି ସେ ହସି ଦିଅନ୍ତି। ‘‘କି ଗାଧୁଆ ଘର? ପାଇଖାନା ବ୍ୟବହାର କରିବାକୁ ମଧ୍ୟ ଆମ ପାଖରେ ଯଥେଷ୍ଟ ପାଣି ନାହିଁ, ଗାଧୁଆ ଘର ଆମେ କେମିତି ବ୍ୟବହାର କରିବୁ? ମୁଁ ପାଇଖାନାରେ ଓଦା ପୋଷାକ ବଦଳାଇଥାଏ,’’ ସେ କୁହନ୍ତି। କୋଭିଡ-୧୯ ପ୍ରଥମ ଲକଡାଉନ ଆରମ୍ଭ ହେବା ପରେ ମାଗଣା ସାନିଟାରୀ ନାପକିନ ମିଳିବା ବନ୍ଦ ହୋଇଯାଇଥିଲା। କିରଣ ସେବେଠାରୁ ସୂତା କପଡ଼ା ବ୍ୟବହାର କରି ଆସୁଛନ୍ତି। ଏହା କହିବା ଲାଗି ସେ କୁଣ୍ଠାବୋଧ କରିଥାନ୍ତି। ମହାମାରୀର ଦୁଇ ବର୍ଷ ପରେ, ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲାରେ ସରକାରୀ ସ୍କୁଲ କର୍ତ୍ତୃପକ୍ଷ ସାନିଟାରୀ ନାପକିନ ବିତରଣ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରିବାକୁ ସଫଳ ହୋଇପାରିନାହାନ୍ତି।

No matter what, Kiran has to clean the house and cow shed by 6:30 every morning and get to school by 7 a.m.
PHOTO • Jigyasa Mishra
No matter what, Kiran has to clean the house and cow shed by 6:30 every morning and get to school by 7 a.m.
PHOTO • Jigyasa Mishra

ଯାହା ହେଉ ପଛେ, କିରଣଙ୍କୁ ସକାଳ ସାଢ଼େ ୬ଟା ଭିତରେ ଘର ଓ ଗୁହାଳ ସଫା କରିବାକୁ ହେବ ଏବଂ ସକାଳ ୭ଟା ସୁଦ୍ଧା ସ୍କୁଲକୁ ବାହାରିବାକୁ ହେବ

‘‘ନିକଟରେ ଶ୍ରେଣୀରେ ବସିଥିବା ସମୟରେ ମୋର ଜଣେ ସହପାଠୀଙ୍କର ଋତୁସ୍ରାବ ହୋଇଥିଲା। ସେ ଶିକ୍ଷୟିତ୍ରୀଙ୍କୁ ସାନିଟାରୀ ପ୍ୟାଡ୍‌ ମାଗିଥିଲେ, କିନ୍ତୁ ଆଦୌ ଷ୍ଟକ୍‌ ନଥିବା ତାଙ୍କୁ କୁହାଗଲା। ତେଣୁ, ଆଉ ଜଣେ ବନ୍ଧୁ ତାଙ୍କୁ ନିଜର ରୁମାଲ ବ୍ୟବହାର କରିବା ପାଇଁ ଦେଇଥିଲେ,’’ କିରଣ କୁହନ୍ତି। ‘‘ପୂର୍ବରୁ ସ୍କୁଲରେ ଆମର ଯେତେବେଳେ ପ୍ୟାଡ୍‌ ଦରକାର ହେଉଥିଲା, ଆମେ ଶିକ୍ଷୟିତ୍ରୀଙ୍କୁ ମାଗି ନେଉଥିଲୁ। ଏହାପରେ ଲକଡାଉନ ଆସିଲା ଏବଂ ସବୁ ସ୍କୁଲ ବନ୍ଦ ହୋଇଗଲା। ତା’ପରେ, ପୁଣି ଯେତେବେଳେ ସ୍କୁଲ ଖୋଲିଲା ଆଦୌ ପ୍ୟାଡ୍‌ ମିଳିଲା ନାହିଁ। ଆମକୁ କୁହାଗଲା ଯେ ସ୍କୁଲକୁ ଆଉ ପ୍ୟାଡ୍ ଆସୁନାହିଁ,’’ କିରଣ କହିଥାନ୍ତି।

ଋତୁସ୍ରାବ ସମୟରେ କିରଣଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ମହାମାରୀ ପରଠାରୁ ଗତ ଦୁଇ ବର୍ଷ ମଧ୍ୟରେ, ମାସିକ ଧର୍ମର ପ୍ରଥମ ଦିନଠାରୁ ତାଙ୍କର ପେଟବ୍ୟଥା ହେଉଥିବା ଦେଖାଯାଉଛି । ଯଦିଓ ତାଙ୍କ ପରିବାରରେ କେହି କୋଭିଡ-୧୯ ପଜିଟିଭ ସଂକ୍ରମିତ ହୋଇନଥିଲେ, ତଥାପି ସମ୍ପୂର୍ଣ୍ଣ ଚିତ୍ରକୂଟ ଜିଲ୍ଲା ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲା। କିରଣଙ୍କ ଅଧିକାଂଶ ପଡ଼ୋଶୀ ସଂକ୍ରମିତ ହୋଇଥିଲେ। ଏପରିକି କିଛି ଲୋକ ୩ କିଲୋମିଟର ଦୂରରେ ଥିବା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

କୋଭିଡ-୧୯ର ପ୍ରତ୍ୟକ୍ଷ ପ୍ରଭାବ କାରଣରୁ ଅଧିକ ଯନ୍ତ୍ରଣାଦାୟକ ଋତୁସ୍ରାବ ହେଉଥିବା ବେଳେ, ‘‘ମାନସିକ ଚାପ, ଭୟ, ଅପପୁଷ୍ଟି ଏବଂ ଶୟନ ଓ ଶାରୀରିକ ବ୍ୟାୟାମର ଅଭାବ କାରଣରୁ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ମାସିକ ଧର୍ମ ପ୍ରଭାବିତ ହୋଇପାରେ,’’ ବୋଲି ଏକ ୟୁନିସେଫ ରିପୋର୍ଟରେ ଦର୍ଶାଯଇଛି। ଅକ୍ଟୋବର ୨୦୨୦ରେ ପ୍ରକାଶିତ ‘‘ମିଟିଗେଟିଂ ଦ ଇମ୍ପାକ୍ଟସ ଅଫ କୋଭିଡ-୧୯ ଅନ ମେନ୍‌ଷ୍ଟ୍ରୁଆଲ ହେଲ୍‌ଥ୍‌ ଏଣ୍ଡ ହାଇଜିନ’’ (ମାସିକ ଧର୍ମ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଉପରେ କୋଭିଡ-୧୯ର ପ୍ରଭାବ ପ୍ରଶମନ) ଶୀର୍ଷକ ଏକ ଗବେଷଣା ପତ୍ରରେ ଦର୍ଶାଯାଇଛି ଯେ, ‘‘ମହାମାରୀ ପୂର୍ବ ତୁଳନାରେ ଋତୁସ୍ରାବ ଜନିତ ଅନିୟମିତତା ଏବେ ଖୁବ ଅଧିକ ଦେଖିବାକୁ ମିଳୁଛି।’’

କିରଣଙ୍କ ଘର ପାଖରୁ ୪ କିଲୋମିଟର ଦୂରରେ ରହୁଥିବା ଫୁଲବାତିୟାଙ୍କୁ ସ୍କୁଲରୁ ଆଉ ସାନିଟାରୀ ନାପକିନ୍‌ ମିଳୁନାହିଁ। ‘‘ମୋ ସ୍କୁଲ (ମହାମାରୀ ପାଇଁ) ବନ୍ଦ ହେବା ପରଠାରୁ, ମୁଁ ପୁଣିଥରେ କପଡ଼ା ବ୍ୟବହାର କରୁଛି। କପଡ଼ା ସଫା କରିବା ପରେ ଘର ଭିତରେ ଶୁଖାଉଛି,’’ ସେ ୨୦୨୦ରେ ପରୀକୁ କହିଥିଲେ । ତାଙ୍କ ଭଳି ଗ୍ରାମୀଣ ଚିତ୍ରକୂଟର ହଜାର ହଜାର ଝିଅ ସେତେବେଳେ ଦାନ ସୂତ୍ରରେ ମିଳୁଥିବା ନାପକିନ୍‌ ବ୍ୟବହାର କରୁଥିଲେ, ଯାହାକି ଅତିକମ୍ ରେ ୩-୪ ମାସ ପର୍ଯ୍ୟନ୍ତ ମିଳିଥିଲା। ସେବେଠାରୁ ଦୁଇ ବର୍ଷ ହେଲାଣି ଏବଂ ସେ ଏବେ ପୁଣିଥରେ କପଡ଼ା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ‘‘ସ୍କୁଲରୁ ଆଉ ପ୍ୟାଡ୍‌ ମିଳୁନଥିବାରୁ ମୁଁ କେବଳ କପଡ଼ା ବ୍ୟବହାର କରୁଛି। ମୁଁ ଭାବୁଛି ଏହି ସୁବିଧା ଏବେ ଆମ ପାଇଁ ଶେଷ ହୋଇଯାଇଛି,’’ ସେ କୁହନ୍ତି।

Kiran preparing the cow feed.
PHOTO • Jigyasa Mishra
Her grandfather, Khushiram, milks the cow in the morning. Her mother, Poonam Devi (in the blue saree), suffers from pain in her wrist and knees, which limits her ability to work around the house
PHOTO • Jigyasa Mishra

ବାମ : କିରଣ ଗୋଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଡାହାଣ : ତାଙ୍କର ଜେଜେ ବାପା, ଖୁସିରାମ ସକାଳୁ ଗାଈ ଦୁହୁଁଛନ୍ତି। ତାଙ୍କ ମା’ ପୁନମ ଦେବୀ (ନୀଳ ଶାଢ଼ିରେ)ଙ୍କ ଆଣ୍ଠୁ ଗଣ୍ଠି ବ୍ୟଥା ରୋଗ ଅଛି, ଫଳରେ ସେ ଘର କାମ କରିବାକୁ ସକ୍ଷମ ହୋଇନଥାନ୍ତି

ତେବେ ସହରରେ ସ୍ଥିତି ଉନ୍ନତ ଥିବା ଲକ୍ଷ୍ନୌ ଜିଲ୍ଲା କାକୋରି ବ୍ଲକ୍‌ ଅଧୀନ ସରୋସା ଭରୋସାରେ ଥିବା କମ୍ପୋଜିଟ୍‌ ସ୍କୁଲର ଶିକ୍ଷୟିତ୍ରୀ ଶ୍ୱେତା ଶୁକ୍ଳା ଦାବି କରିଥାନ୍ତି। ‘‘ଆମ ସ୍କୁଲର ଛାତ୍ରୀମାନଙ୍କୁ ସବୁ ମାସରେ ନିୟମିତ ପ୍ୟାଡ୍‌ ମିଳୁଛି। ଆମ ପାଖରେ ଏକ ରେଜିଷ୍ଟର ରହିବା ଉଚିତ୍‌ ଏବଂ ଆମକୁ ଯୋଗାଇ ଦିଆଯାଉଥିବା ପ୍ୟାଡର ଉପଯୋଗ କରାଯିବା ଆବଶ୍ୟକ,’’ ସେ କୁହନ୍ତି। କିନ୍ତୁ ଗ୍ରାମୀଣ ଉତ୍ତର ପ୍ରଦେଶର ପରିସ୍ଥିତି ସମ୍ପର୍କରେ ଶୁଣିବା ପରେ ସେ ଆଦୌ ଚକିତ ହୋଇନଥିଲେ। ‘‘ଆପଣମାନେ ଜାଣନ୍ତି ଯେ ସରକାରୀ ସ୍କୁଲରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିବା ସାଧାରଣ କଥା ଏବଂ ବିଶେଷ କରି, ଆମେ ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବା ଏବଂ ସେମାନଙ୍କୁ ଭଲ ପରିବେଶ ଯୋଗାଇ ଦେବାରେ ଯଦି ସକ୍ଷମ ହୋଇ ନଥାଉ ତା’ହେଲେ ଏଥିରେ ଆମେ କିଛି କରିପାରିବା ନାହିଁ,’’ ସେ କୁହନ୍ତି ।

ପୁନମ ଦେବୀ ଓ ତାଙ୍କର ସ୍ୱାମୀ ସବୁବେଳେ ସେମାନଙ୍କ ପିଲା କିରଣ ଓ ରବିଙ୍କୁ ଘରୋଇ ସ୍କୁଲକୁ ପଠାଇବା ପାଇଁ ସ୍ୱପ୍ନ ଦେଖୁଥିଲେ। ‘‘ମୋ ପିଲାମାନେ ଭଲ ପାଠ ପଢ଼ନ୍ତି। ମୁଁ ମୋ ପିଲାମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ପଠାଇବା ଭଳି କୌଣସି ମାର୍ଗ ଅଛି କି?’’ ସେ ପ୍ରଶ୍ନ କରନ୍ତି। ‘‘ଯଦିଓ ଆମ ପାଖରେ ଯଥେଷ୍ଟ ଟଙ୍କା ନାହିଁ, ତଥାପି ଆମର ପିଲାମାନେ ଭଲ ସ୍କୁଲକୁ ଯାଆନ୍ତୁ ବୋଲି ସେମାନଙ୍କ ବାପା ସବୁବେଳେ ଚାହୁଁଥିଲେ। ଯାହାଫଳରେ ସେମାନେ କାମ କରିବାକୁ ବଡ଼ ସହରକୁ ଯାଇପାରିବେ ଏବଂ ସୁଖଦ ଜୀବନଯାପନ କରିପାରିବେ,’’ ପୁନମ ଦେବୀ କୁହନ୍ତି।  କିନ୍ତୁ ୧୦ ବର୍ଷ ପୂର୍ବରୁ, କିରଣଙ୍କୁ ମାତ୍ର ୫ ବର୍ଷ ହୋଇଥିବା ସମୟରେ ତାଙ୍କ ପିତା କାମ କରୁଥିବା ସମୟରେ ଆରପାରିକୁ ଚାଲିଯାଇଥିଲେ। ପେସାରେ ସେ ଜଣେ ବିଦ୍ୟୁତ କର୍ମଚାରୀ ଥିଲେ। ଏହାପରେ ପୁନମ ଅସୁସ୍ଥ ହୋଇପଡ଼ିବା ଯୋଗୁଁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିଥିଲା। ଚାଷରୁ ପରିବାରର ଯଥେଷ୍ଟ ରୋଜଗାର ହେଉନଥିଲା। ଏଭଳି ଏକ ପରିସ୍ଥିତିରେ, ସ୍କୁଲରେ ତାଙ୍କ ଋତୁସ୍ରାବ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବା ଏକ ବରଦାନ ସଦୃଶ ଥିଲା।

ତେବେ, କିରଣଙ୍କ ଭଳି ଲକ୍ଷାଧିକ ଝିଅ ସେମାନଙ୍କର ମାସିକ ଧର୍ମ ସମୟରେ ଅସ୍ୱଚ୍ଛ ପଦ୍ଧତି ଆପଣାଇବାକୁ ବାଧ୍ୟ ହେଉଛନ୍ତି। ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ୨୦୧୬-୧୭ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ - ସ୍କୁଲ ଏଜୁକେସନ ଇନ୍‌ ଇଣ୍ଡିଆ ଅନୁଯାୟୀ, ଉତ୍ତର ପ୍ରଦେଶରେ ୧୦.୮୬ ନିୟୁତ ଛାତ୍ରୀ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢ଼ୁଛନ୍ତି।  ମାସିକ ଋତୁସ୍ରାବ ସମୟରେ ଝିଅମାନେ ସ୍କୁଲ ଆସିନଥାନ୍ତି। ତେଣୁ ସେମାନଙ୍କୁ ଶ୍ରେଣୀଗୃହକୁ ଆକୃଷ୍ଟ କରିବା ଲାଗି ମାଗଣା ସାନିଟାରୀ ନାପକିନ ବିତରଣ ଯୋଜନା ଆରମ୍ଭ କରାଯାଇଥିଲା। ୨୦୧୫ରେ ଏହି ସଂଖ୍ୟା ରାଜ୍ୟରେ ୨୮ ଲକ୍ଷ ଥିଲା। ଏବେ ଯୋଜନା ବନ୍ଦ ହୋଇଯିବା ପରେ ଉତ୍ତର ପ୍ରଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସ୍ଥିତି କିଭଳି ଥିବ ତା’କୁ ନେଇ ପ୍ରଶ୍ନ ଉଠିଲାଣି।

ଚିତ୍ରକୂଟ ଜିଲ୍ଲାପାଳ ଶୁଭ୍ରାନ୍ତ କୁମାର ଶୁକ୍ଳା ଏହି ପରିସ୍ଥିତିକୁ ନେଇ ସହଜ ମନ୍ତବ୍ୟ ଦେଇଥାନ୍ତି। ସେ କୁହନ୍ତି, ‘‘ମୁଁ ଭାବୁଛି ମହାମାରୀ ପରେ ଯୋଗାଣକୁ ନେଇ କିଛି ସମସ୍ୟା ଥାଇପାରେ। ଅନ୍ୟଥା ଝିଅମାନଙ୍କୁ ସାନିଟାରୀ ନାପକିନ୍‌ ମିଳିବା ଉଚିତ୍‌। କିନ୍ତୁ, ଯଥାଶୀଘ୍ର ସମ୍ଭବ ସମାଧାନ ଲାଗି, ସବୁ ଝିଅମାନେ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର ସହ ଯୋଗାଯୋଗ କରିପାରିବେ ଏବଂ ସେଠାରୁ ସାନିଟାରୀ ନାପକିନ ନେଇପାରିବେ। ସେମାନେ ମଧ୍ୟ ସେଠାରୁ ଫଲିକ ଏସିଡ୍‌ ବଟିକା ପାଇପାରିବେ।’’ ତେବେ, କିରଣ ଏବଂ ତାଙ୍କର ପଡ଼ୋଶୀ ବନ୍ଧୁମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ। ଅନ୍ୟପଟେ ଚିତ୍ରକୂଟରେ ଥିବା ଅଙ୍ଗନୱାଡ଼ିରେ ସାନିଟାରୀ ନାପକିନ ମିଳୁଥିଲେ ମଧ୍ୟ ତାହା କେବଳ ନୂଆ କରି ମା’ ହୋଇଥିବା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସୀତାପୁର ଗାଁର ଜଣେ ଅଙ୍ଗନୱାଡ଼ି କର୍ମୀ କହିଥାନ୍ତି।

After finishing all her chores, Kiran gets ready for school.
PHOTO • Jigyasa Mishra
She says bye to the calf before heading to school
PHOTO • Jigyasa Mishra

ବାମ : ନିଜର ସବୁ ଘର କାମ ସାରିବା ପରେ, କିରଣ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଡାହାଣ : ସ୍କୁଲ ଅଭିମୁଖେ ଯିବା ପୂର୍ବରୁ ସେ ନିଜର ବାଛୁରୀଠାରୁ ବିଦାୟ ନେଉଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ୨୦୨୦ରେ ଲାଲକିଲ୍ଲାରୁ ଦେଇଥିବା ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ମହିଳାମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ ‘‘ଜନଔଷଧି କେନ୍ଦ୍ରରେ ମାତ୍ର ୧ ଟଙ୍କାରେ ସାନିଟାରୀ ପ୍ୟାଡ୍‌ ଯୋଗାଇ ଦେଇ ଏ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।’’ ସେ କହିଥିଲେ, ଖୁବ ଅଳ୍ପ ସମୟ ମଧ୍ୟରେ, ‘‘୬,୦୦୦ ଜନଔଷଧି କେନ୍ଦ୍ର ଜରିଆରେ ୫ କୋଟିରୁ ଅଧିକ ମହିଳାଙ୍କୁ ସାନିଟାରୀ ପ୍ୟାଡ୍‌ ଯୋଗାଇ ଦିଆଯାଇଛି।’’

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅଧୀନରେ ଏସବୁ ଜନଔଷଧି କେନ୍ଦ୍ରରେ ଜେନେରିକ ଔଷଧ ସୁଲଭ ଦରରେ ମିଳିଥାଏ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୦୨୧ ସୁଦ୍ଧା ୮୦୧୨ଟି ଜନଔଷଧି କେନ୍ଦ୍ର ଦେଶରେ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ଏଠାରେ ୧,୬୧୬ ପ୍ରକାରର ଔଷଧ ଓ ୨୫୦ ସର୍ଜିକାଲ ଉପକରଣ ବିକ୍ରି ହେଉଛି।

କିନ୍ତୁ କିରଣଙ୍କ ଘର ଆଖପାଖ ୫ କିଲୋମିଟର ପରିଧି ମଧ୍ୟରେ କୌଣସି ଗୋଟିଏ ହେଲେ ଜନଔଷଧି କେନ୍ଦ୍ର ନାହିଁ। ସେ କେବଳ ତାଙ୍କ ଘରଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ଔଷଧ ଦୋକାନରୁ ପ୍ୟାକେଟ୍‌ ପିଛା ଅତିକମ୍ ରେ ୪୫ ଟଙ୍କା ଦେଇ ସାନିଟାରୀ ନାପକିନ କିଣିପାରିବେ। ଏତେ ଟଙ୍କା ଖର୍ଚ୍ଚ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ।

ସାନିଟାରୀ ନାପକିନ୍‌ ମିଳୁନଥିବା ବେଳେ ଋତୁସ୍ରାବ ହେଉଥିବା ଝିଅମାନଙ୍କ ପାଇଁ ସ୍କୁଲରେ ଯଥେଷ୍ଟ ସୁବିଧା ନାହିଁ। କିରଣ କୁହନ୍ତି, ‘‘ମୁଁ ସ୍କୁଲରେ ଥିବା ସମୟରେ, ମୋତେ (ପ୍ୟାଡ୍‌) ବଦଳାଇବା ପାଇଁ ଘରକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ, କାରଣ ସ୍କୁଲରେ ଆବଶ୍ୟକ ଡଷ୍ଟବିନ ମଧ୍ୟ ନାହିଁ। ମୁଁ ସ୍କୁଲରେ ଥିବା ସମୟରେ ବେଳେବେଳେ ଗୋଟିଏ ପ୍ୟାଡ୍‌ ଓଦା ହୋଇ ମୋ ୟୁନିଫର୍ମରେ ଦାଗ ଲାଗିଯାଏ। ସ୍କୁଲ ନ ସରିବା ପର୍ଯ୍ୟନ୍ତ ମୁଁ କିଛି କରିପାରେ ନାହିଁ।’’ ଏପରିକି ଶୌଚାଳୟ ମଧ୍ୟ ସଫା ନଥାଏ। ‘‘କେବଳ ରବିବାର ଦିନ ଶୌଚାଳୟ ସଫା ହୁଏ, ତେଣୁ ଆମକୁ କେବଳ ସୋମବାର ଦିନ ହିଁ ସଫା ଶୌଚାଳୟ ବ୍ୟବହାର କରିବାର ସୁବିଧା ମିଳିଥାଏ ଏବଂ ଦିନ ବିତିବା ସହିତ ଏହା ମଇଳା ହୋଇଯାଏ,’’ ସେ କୁହନ୍ତି।

Poonam Devi braids Kiran’s hair before she goes to school in the morning.
PHOTO • Jigyasa Mishra
Kiran and her friend Reena walk to school together
PHOTO • Jigyasa Mishra

ବାମ : କିରଣ ସ୍କୁଲ ଯିବା ପୂର୍ବରୁ ପୁନମ ଦେବୀ ତାଙ୍କର ବେଣୀ କରି ଦେଉଛନ୍ତି। ଡାହାଣ : କିରଣ ଓ ତାଙ୍କର ବାନ୍ଧବୀ ରୀନା ଏକାଠି ଚାଲି ଚାଲି ସ୍କୁଲକୁ ଯାଉଛନ୍ତି

ଲକ୍ଷ୍ନୌ ସହରର ବସ୍ତିରେ ରହୁଥିବା କିଶୋରୀ ମହିଳାମାନଙ୍କର ଋତୁସ୍ରାବ ସମସ୍ୟାକୁ ନେଇ ପ୍ରକାଶିତ ଏକ ଜର୍ଣ୍ଣାଲ ଆଟିକିଲ ବା ଜର୍ଣ୍ଣାଲ ନିବନ୍ଧ ରେ ଉଲ୍ଲେଖ କରାଯାଇଛି ଯେ, ଏଭଳି ସମସ୍ୟା ବ୍ୟକ୍ତିଗତ, ସାମାଜିକ ଓ ସଂସ୍ଥାଗତ ସ୍ତରରେ ବ୍ୟାପି ରହିଛି। ଏହି ଗବେଷଣା ସ୍ତମ୍ଭରେ କୁହାଯାଇଛି ଯେ, ‘‘ବ୍ୟକ୍ତିଗତ ସ୍ତରରେ, ଅଳ୍ପ ବୟସର ମହିଳାଙ୍କ ପାଖରେ ଯଥେଷ୍ଟ ସଚେତନତା ନଥାଏ। ସାମାଜିକ ସ୍ତରରେ, କିଶୋରୀ ଝିଅମାନେ ଋତୁସ୍ରାବକୁ ନେଇ ଅପବାଦ, ଆଲୋଚନା କରିବାର ସୁଯୋଗ ଅଭାବ, ଯାତାୟାତକୁ ନେଇ ସୀମାବଦ୍ଧତା ଏବଂ ଋତୁସ୍ରାବ ସମୟରେ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ସଂସ୍ଥାଗତ ସ୍ତରରେ, ଉଦାହରଣ ସ୍ଵରୂପ ସ୍କୁଲରେ ଋତୁବତୀ ଝିଅମାନଙ୍କୁ ସହାୟତା ପାଇଁ ଯଥେଷ୍ଟ ସମ୍ବଳ ମିଳିନଥାଏ, ଯଥା : ଶୌଚାଳୟ ଅପରିଷ୍କାର ଥାଏ, କବାଟ ଭାଙ୍ଗି ଯାଇଥାଏ ଆଦି।

ଲଖିମପୁର ଖେରୀ ଜିଲ୍ଲାର ରାଜାପୁର ଗ୍ରାମରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀତୁ ଅୱସ୍ତି ଯୁକ୍ତି ଉପସ୍ଥାପନ କରି କୁହନ୍ତି ଯେ, ଉତ୍ତରପ୍ରଦେଶର ସ୍କୁଲଗୁଡ଼ିକରେ ଦୁର୍ବଳ ନିଷ୍କାସନ ବ୍ୟବସ୍ଥା ନାହିଁ, ବରଂ ପ୍ରକୃତ ସମସ୍ୟା ସଫେଇ କର୍ମଚାରୀଙ୍କୁ ନେଇ ରହିଛି। ‘‘ଏଠାରେ ଝିଅମାନଙ୍କୁ ସାନିଟାରୀ ନାପକିନ ଯୋଗାଇ ଦିଆଯାଉଛି ଏବଂ ଶୌଚାଳୟରେ ଇନସିନରେଟର (ବ୍ୟବହୃତ ପ୍ୟାଡର ସୁପରିଚାଳନା ଯନ୍ତ୍ର) ମଧ୍ୟ ଲାଗିଛି। କିନ୍ତୁ ସଫେଇ କର୍ମଚାରୀଙ୍କ କାରଣରୁ ସବୁ ଅବ୍ୟବସ୍ଥା ଦେଖା ଦେଇଛି। ସରକାରଙ୍କ ଦ୍ୱାରା ନିଯୁକ୍ତ ସଫେଇକର୍ମୀମାନେ ଗ୍ରାମ ପ୍ରଧାନ (ଗାଁ ମୁଖିଆ)ଙ୍କ ଅଧୀନରେ କାମ କରନ୍ତି, ତେଣୁ କେବଳ ସେମାନଙ୍କ କଥା ଶୁଣନ୍ତି। ସ୍କୁଲରେ ଦୈନିକ ସଫେଇ ଆବଶ୍ୟକ, କିନ୍ତୁ ସପ୍ତାହକୁ ମାତ୍ର ଦୁଇ ଥର ହେଉଛି,’’ ସେ କୁହନ୍ତି।

ଉଦିତ ସୂର୍ଯ୍ୟଙ୍କ ପ୍ରଥମ ଆଲୋକ କିରଣଙ୍କ ଘର ଭିତରକୁ ପ୍ରବେଶ କରିବା ପରେ, ତିନୋଟି କାଠ ଖଟ ଦେଇ ଚଟାଣରେ ପଡ଼ିଛି। ଏହି ସମୟରେ ଦୈନନ୍ଦିନ ଘର କାମ ସାରି ସେ ସ୍କୁଲକୁ ଯିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ପୁନମ ଝିଅର ମୁଣ୍ଡରେ ଦୁଇଟି ବେଣୀ କରି ଦେଇଛନ୍ତି, ସେଗୁଡ଼ିକୁ ଉଜ୍ଜ୍ୱଳ ରିବନରେ ସଜେଇ ଦେଇଛନ୍ତି। ‘‘ କିରନ୍‌ ଜଲଦି ଆ ଜା ମୈ ୟହିଁ ରୁକୀ ହୁଁ (କିରଣ ଶୀଘ୍ର ଆସ, ମୁଁ ଏଇଠି ଅପେକ୍ଷା କରିଛି),’’ ବାହାରୁ ଥାଇ ରୀନା ସିଂ ଡାକୁଛନ୍ତି। ସେ କିରଣଙ୍କ ସହପାଠୀ ଏବଂ ଉଭୟ ସାଙ୍ଗ ହୋଇ ଚାଲି ଚାଲି ସ୍କୁଲକୁ ଯାଆନ୍ତି। କିରଣ ଘର ଭିତରୁ ଦୌଡ଼ି ଦୌଡ଼ି ବାହାରକୁ ଚାଲି ଆସୁଛନ୍ତି ଏବଂ ଉଭୟ ଝିଅ ତରବର ହୋଇ ସେମାନଙ୍କ ସ୍କୁଲ ଅଭିମୁଖେ ଯାଉଛନ୍ତି।

ଠାକୁର ପରିବାର ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ଅନୁଦାନ ଜରିଆରେ ଜିଜ୍ଞାସା ମିଶ୍ରା ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ଜନ ସ୍ୱାସ୍ଥ୍ୟ ଓ ନାଗରିକ ଅଧିକାର ପ୍ରସଙ୍ଗରେ ଖବର ସଂଗ୍ରହ କରିଥାନ୍ତି। ଏହି ସମ୍ବାଦର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Editor : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE