“ଗଧେ କା ଦୁଧ୍‌, ବଚ୍ଚା ମଜବୁତ୍‌ (ଗଧର କ୍ଷୀର, ଶିଶୁ ସବଳ)” କେହି ଜଣେ କହିଲା । ମୁଁ ବୁଲି ଚାହିଁଲି, ଚକିତ ହେଲି ।

ସୁଖଦେବ ଠିଆ ହୋଇଥିଲେ, ସାଥୀରେ ଥିଲା କାଜୋଲ, ନିରବରେ ମୁଣ୍ଡ ଟୁଙ୍ଗାରୁଥିଲା । ଅବିଚଳିତ ଭାବେ ତାଙ୍କ ପାଖରେ ଚାଲିଲା ବେଳେ କାଜୋଲ ପାଟିରୁ କୌଣସି ଶବ୍ଦ ବାହାରୁ ନଥିଲା ।

ମୁଁ ବିସ୍ମିତ ହେଲି, କିନ୍ତୁ ମଲାଡ଼ର ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ନଜର ସୁଖଦେବଙ୍କ ଉପରେ କ୍ଵଚିତ୍‌ ପଡୁଥିଲା । କାଜୋଲ ବେକରେ ବନ୍ଧା ହୋଇଥିବା ରସି ଏବଂ ଗୋଟିଏ ବାଡ଼ି ଧରି ସୁଖଦେବ ତାକୁ ବାଟ କଢ଼ାଇ ନେଉଥିଲେ ଏବଂ ତାକୁ ସିଧା ବାଟରେ ନେବା ପାଇଁ ମଝିରେ ମଝିରେ ବାଡ଼ିକୁ ରାସ୍ତାରେ ବାଡ଼େଇ ଦେଉଥିଲେ ।

ଅନେକ ସମୟରେ ଆଠ ବର୍ଷର କାଜୋଲ ସ୍ଥାନରେ ରହୁଥିଲା ସେଇ ଆଠ ବର୍ଷର ରାନୀ । ଚାଲି ଚାଲି ଘରକୁ ଘର ବୁଲିଲା ବେଳେ ସୁଖଦେବ ଗଧ କ୍ଷୀରର ଗୁଣଗାନ କରୁଥିଲେ । ସେଦିନ ରାନୀ ଘରେ ଥିଲା । ସେଦିନ, ପୂର୍ବ ମଲାଡ଼ର ଆପ୍ପାପଡ଼ା ବସ୍ତିରେ ଘରେ ଥିଲା ରାନୀ । ପଡ଼ାରେ ତା ପାଖରେ ଠିଆ ହୋଇଥିଲା କାଜୋଲର ପାଞ୍ଚ ମାସର ଛୁଆ ଗଧ । ଡାହାଣ ପଟ ପଛ ଗୋଡ଼ ବିକଳାଙ୍ଗ ହୋଇ ଜନ୍ମ ନେଇଥିବା ଦୁଇ ବର୍ଷର ଗଧ ଲାଙ୍ଗଡ଼ି ବି ଘରକୁ ଫେରିଆସିଥିଲା ।

ସେମାନଙ୍କ ସହିତ ସାଧାରଣତଃ ଆଉ ଛଅଟି ମାଈ ଗଧର ମାଲିକ ଥିଲେ ସୁଖଦେବଙ୍କ ବୃହତ୍‌ ପରିବାର । ତାଙ୍କ ପୁତୁରା ରାମଦାସଙ୍କ ଗଧର ନାଁ ମୁଦା, ତାଙ୍କ ବଡ଼ ଭାଇ ୱାମନଙ୍କ ମାଲିକାନାରେ ଥିଲେ ପାଞ୍ଚଟି ଗଧ, ଯେଉଁମାନଙ୍କର କି ନିର୍ଦ୍ଦିଷ୍ଟ ନାଁ ନ ଥିଲା ।

ସୁଖଦେବ “ସିନେମା ପାଇଁ ପାଗଳ” ବୋଲି କହନ୍ତି ତାଙ୍କ ସ୍ତ୍ରୀ ଜୟଶ୍ରୀ । ତେଣୁ ତାଙ୍କ ଗଧମାନଙ୍କୁ ପ୍ରାୟତଃ ବଲିଉଡ୍‌ ଫିଲ୍ମ ଷ୍ଟାର୍‌ମାନଙ୍କର ନାଁ ଦେଇଛନ୍ତି । ଅତୀତରେ ତାଙ୍କ ପାଖରେ ଏକ ମାଧୁରୀ ଦୀକ୍ଷିତ ବି ଥିଲା ।

ଉତ୍ତର ମୁମ୍ବାଇର ସହରତଳି ଅଞ୍ଚଳରେ ଅବସ୍ଥିତ ଆପ୍ପାପଡ଼ାର ଏକ ପାହାଡ଼ ଉପରେ ଏକାଠି ମିଳିମିଶି ରହନ୍ତି ଗଧ ଓ ମଣିଷ । ଲଗାଲଗି ହୋଇ ରହିଥିବା କୁଡ଼ିଆରେ ଲୋକେ ରହନ୍ତି, ପାଖ ଖୁଣ୍ଟିଗୁଡ଼ିକରେ ଗୁଡ଼ାହୋଇଥିବା ରସିରେ ବନ୍ଧା ହୋଇ ଗଧ ରହନ୍ତି । ପଡ଼ୋଶୀମାନଙ୍କର କିଛି ଆପତ୍ତି ଥିବା ଭଳି ମନେ ହୁଏନି । ସେଇ ପଡ଼ାରେ ରହୁଥିବା ସାହିଲ କହନ୍ତି, “ଆମେ ଏଠାକୁ ଆସିବାର ବହୁ ଆଗରୁ ସେମାନେ ଏଠାରେ ରହିଆସୁଛନ୍ତି ।”

ଛୁଆ ଗଧର ବାପା ହେଲା ରାଜା । ଏଣେତେଣେ ଦଉଡ଼ିବା ଏବଂ ଲୋକଙ୍କୁ ମୁଣ୍ଡରେ ମାରି ସେ ବଦନାମ ହୋଇଯାଇଛି ବୋଲି ଲୋକେ କହନ୍ତି । ରାଜାର ମାଲିକ ରାମଦାସ କହନ୍ତି, “ସେ ଖୁବ୍‌ ମସ୍ତି (ବଦମାସି) କରେ, ମାଈ ଗଧମାନଙ୍କୁ ତା ପଛରେ ଦୌଡ଼ାଏ, ରାସ୍ତାରେ ଯାଉଥିବା ଲୋକଙ୍କୁ ମୁଣ୍ଡରେ ଧକ୍କା ମାରେ- ହେଲେ ସେ କେବେ କାହାରି କ୍ଷତି କରିନି ।” ତେଣୁ ଚାରି ମାସ ତଳେ ସେ ତାକୁ ସେମାନଙ୍କ ଗାଁରେ ବିକି ଦେଲେ ।

ମହାରାଷ୍ଟ୍ର ପୁଣେ ଜିଲ୍ଲାର ଜେଜୁରି ତାଲୁକାରେ ଥିବା ଖାଣ୍ଡୋବା ମନ୍ଦିର ମେଳାରେ ବେଳେବେଳେ ଯାଦବ ପରିବାର ଗଧମାନଙ୍କର ବିକାକିଣା କରନ୍ତି । ଗୃହପାଳିତ ପଶୁ ବ୍ୟବସାୟ କରିବାକୁ ବିଭିନ୍ନ ରାଜ୍ୟର ବହୁ ଲୋକ ଏହି ମେଳାକୁ ଆସନ୍ତି । ଦୁର୍ବଳ ପଶୁର ମୂଲ୍ୟ ୫,୦୦୦ ଟଙ୍କାରୁ ଆରମ୍ଭ ହୁଏ ଏବଂ ଓଜନିଆ ଭାର ବୋହିପାରୁଥିବା କାର୍ଯ୍ୟକ୍ଷମ ଗଧର ମୂଲ୍ୟ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।

Some of the family members (left to right) –  Sangeeta (Ramdas's wife), Jayshri, grandkids, and Waman (in the doorway). Right: Sukhdev is 'pagal about films' says Jayshri
PHOTO • Aakanksha
Some of the family members (left to right) –  Sangeeta (Ramdas's wife), Jayshri, grandkids, and Waman (in the doorway). Right: Sukhdev is 'pagal about films' says Jayshri
PHOTO • Aakanksha

ପରିବାରର କେତେକ ସଦସ୍ୟ (ବାମରୁ ଡାହାଣକୁ) – ସଙ୍ଗୀତା (ରାମଦାସଙ୍କ ସ୍ତ୍ରୀ), ଜୟଶ୍ରୀ, ନାତିନାତୁଣୀ, ଏବଂ ୱାମନ (ଦୁଆର ମୁହଁରେ) । ଡାହାଣ:ଜୟଶ୍ରୀ କହନ୍ତି, ସୁଖଦେବ ‘ସିନେମା ପାଇଁ ପାଗଳ’

ସୁଖଦେବଙ୍କୁ ମୁଁ ତାଙ୍କ ଗାଁ କଥା ପଚାରେ । ଗର୍ବର ସହ ସେ ମତେ କହନ୍ତି, “ଆପଣ ସୈରାତ୍‌ (୨୦୧୬ରେ ମୁକ୍ତିଲାଭ କରିଥିବା ଏକ ମରାଠୀ ସିନେମା) ଦେଖିଛନ୍ତି କି ? ସେଇ ସିନେମାର ଶୁଟିଂ ଆମ ଗାଁରେ ହୋଇଥିଲା । ଆମେ ସେଇ ଗାଁରୁ ଆସିଛୁ ।” ପୂରା ପରିବାର ସେମାନଙ୍କ ଗାଁ ସଂପର୍କରେ ଏଇଭଳି ବର୍ଣ୍ଣନା କରନ୍ତି ଯେ ଯେଉଁଠି ଏହି ହିଟ୍‌ ସିନେମାର ଶୁଟିଂ ହୋଇଥିଲା-ସୋଲାପୁର ଜିଲ୍ଲାର କର୍ମାଲା ଗାଁ ।

ସେମାନେ ସମସ୍ତେ ୱଡ଼ଦାର (ମହାରାଷ୍ଟ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ) ସଂପ୍ରଦାୟର । ସୁଖଦେବଙ୍କ ବାପା ଓ ଜେଜେବାପା ଅନେକ ଗଧ ରଖିଥିଲେ । ୫୨ ବର୍ଷୀୟ ସୁଖଦେବ କହନ୍ତି, “ଗାଁରେ (ଏବଂ ଆଖପାଖର ଗାଁଗୁଡ଼ିକରେ) ଆମେ ପୋଖରୀ, ଘର, ଛୋଟ ଛୋଟ ବନ୍ଧ ତିଆରିରେ ସାହାଯ୍ୟ କରିଥାଉ-ଆମ ଗଧମାନେ ବୋଝ ବୋହି ନିଅନ୍ତି ।” କଥା ଯୋଡ଼ନ୍ତି ୩୮ ବର୍ଷୀୟା ଜୟଶ୍ରୀ, “ଆମେ ଯାହା ବି ରୋଜଗାର କରିଲୁ, ଖାଇଦେଲୁ ଏବଂ ବଞ୍ଚି ରହିଲୁ ।”

କାମ ମିଳୁଥିଲା, କିନ୍ତୁ ବେଳକାଳ ଭଲ ନଥିଲା । ସୁଖଦେବ କହନ୍ତି, “ଅନେକ ସମୟରେ ମରୁଡ଼ି ପଡ଼ିଥିଲା”। “ଯଦି ଆମର ରୋଟି ଥିଲା ତ, ତା ସାଙ୍ଗରେ ଖାଇବାକୁ ସବ୍‌ଜି ନଥିଲା । ଆମକୁ ଶୋଷ ଲାଗୁଥିଲା କିନ୍ତୁ ପିଇବାକୁ ପାଣି ନଥିଲା ।” ଏହା ବ୍ୟତୀତ ପରିବାର ବଢୁଥିଲା, ସେମାନଙ୍କର କିଛି ଜମି ନଥିଲା ଏବଂ ସମୟକ୍ରମେ କାମ ମିଳିବା ବି କଷ୍ଟକର ହୋଇପଡୁଥିଲା । ବନ୍ଧୁବାନ୍ଧବଙ୍କ ନିକଟରୁ ସେମାନେ ମୁମ୍ବାଇରେ ଥିବା ଜଙ୍ଗଲ ବିଷୟରେ ଶୁଣିଥିଲେ, ଯେଉଁଠି ଗଧମାନେ ଚରାବୁଲା କରିପାରିବେ । ଏବଂ ସେମାନେ ଶୁଣିଥିଲେ ଯେ ସହରରେ ଅଧିକ କାମ ଓ ମଜୁରି ମିଳେ” ।

୧୯୮୪ରେ, ସୁଖଦେବଙ୍କ ବାପାମାଆ, ତାଙ୍କର ଛଅ ଭାଇ, କେତେକ ଛୋଟପିଲାଙ୍କୁ ନେଇ ଗଠିତ ବିସ୍ତାରିତ ଯାଦବ ପରିବାରର ଏକ ବୃହତ୍‌ ଦଳ ଏବଂ ଅନ୍ୟ ସଂପ୍ରଦାୟର କେତେକ ସଦସ୍ୟ ମୁମ୍ବାଇ ଆସିଲେ । ସେମାନଙ୍କ ସହିତ ଥିଲେ “୧୦୦ରୁ ଅଧିକ ଗଧ।”

ସେମାନେ ସମସ୍ତେ ଚାଲି ଚାଲି ଆସିଥିଲେ । ସୁଖଦେବ କହନ୍ତି ଯେ ବେଳେବେଳେ ସେମାନଙ୍କ ମଧ୍ୟରୁ ଅଳ୍ପ କେଇ ଜଣ ଟେମ୍ପୋରେ ଆସୁଥିଲେ । କାରଣ ସବୁ ଗଧଙ୍କୁ ଗାଡ଼ିରେ ଆଣିବା ସମ୍ଭବ ନଥିଲା । ପଛକଥା ମନେ ପକାଇ ସେ କହନ୍ତି ଯେ କର୍ମାଲା ଗାଁରୁ ମୁମ୍ବାଇ ପର୍ଯ୍ୟନ୍ତ ପ୍ରାୟ ୩୨୫ କିଲୋମିଟର ଆସିବାକୁ ସେମାନଙ୍କୁ ୧୧-୧୨ ଦିନ ଚାଲିବାକୁ ପଡ଼ିଥିଲା । “ଯେଉଁଠି ବି ଢାବା ଦେଖୁଥିଲୁ ଆମେ ଖାଇବାରେ ଲାଗୁଥିଲୁ ।”

ମୁମ୍ବାଇରେ ପ୍ରଶସ୍ତ ଖୋଲା ସ୍ଥାନଟିଏ ଖୋଜି ଖୋଜି ସେମାନେ ମଲାଡ଼ର ଆପ୍ପାପଡ଼ାରେ ପହଞ୍ଚିଲେ । ସେତେବେଳେ ଏହି ଜାଗା ବୋରିୱାଲି ଜାତୀୟ ଉଦ୍ୟାନର ସଂପ୍ରସାରିତ ଅଞ୍ଚଳ ଥିଲା ଏବଂ ଏଠାରେ ଘଞ୍ଚ ଜଙ୍ଗଲ ରହିଥିଲା । ସୁଖଦେବ କହନ୍ତି, “ଆମ ଗଧମାନେ ଯୁଆଡ଼େ ଇଚ୍ଛା ବୁଲି ପାରୁଥିଲେ, ଯାହା ହେଲେ ଖାଇପାରୁଥିଲେ । ଆମେ ଏଠାରେ ପ୍ରଥମେ ରହିଲୁ ବୋଲି ଏବେ ଆପଣ ଲୋକଙ୍କୁ (ଏ ଅଞ୍ଚଳରେ) ଦେଖୁଛନ୍ତି ।”

Left: Anand Jadhav and his little cousin Yuvraj Shinde, both used to the donkeys in their midst. Right: Sukhdev and Jayshri with their menagerie
PHOTO • Aakanksha
Left: Anand Jadhav and his little cousin Yuvraj Shinde, both used to the donkeys in their midst. Right: Sukhdev and Jayshri with their menagerie
PHOTO • Aakanksha

ବାମ: ଆନନ୍ଦ ଯାଦବ ଏବଂ ତାଙ୍କ ସଂପର୍କୀୟ ସାନଭାଇ ଯୁବରାଜ ଶିନ୍ଦେ, ଉଭୟ ଗଧମାନଙ୍କ ଗହଣରେ ରହିବାରେ ଅଭ୍ୟସ୍ତ । ଡାହାଣ: ସେମାନଙ୍କ ପଶୁସଂପଦ ସହିତ ସୁଖଦେବ ଓ ଜୟଶ୍ରୀ

୧୯୮୦ ଦଶକର ମଧ୍ୟଭାଗରେ ମୁମ୍ବାଇରେ ବଡ଼ ବଡ଼ କୋଠା ନିର୍ମାଣ କାମ ଜୋର୍‌ ଧରି ନଥିଲା ସତ, ହେଲେ ବିଭିନ୍ନ ନିର୍ମାଣସ୍ଥଳରେ ଏବଂ ରେଳବାଇରେ ଇଟା ଓ ବାଲି ଏବଂ ଅନ୍ୟ ଭାର ବୋହିବା ଲାଗି ଯାଦବ ପରିବାରର ଗଧମାନଙ୍କୁ ପ୍ରଚୁର କାମ ମିଳୁଥିଲା । ସହରତଳି ଅଞ୍ଚଳରେ ଗଢ଼ି ଉଠିଥିବା ବିଭିନ୍ନ କଲୋନିକୁ ଇଙ୍ଗିତ କରି ସୁଖଦେବ ପଚାରନ୍ତି, “ଠାକୁର ଗାଁ, ହନୁମାନ ନଗର, ମହାବୀର ନଗରକୁ କିଏ ତିଆରି କଲା ? ଆମେ କଲୁ, ସାଙ୍ଗରେ ଆମ ଗଧମାନେ ଥିଲେ ।”

ମନେ ପକାଇ କହନ୍ତି ଜୟଶ୍ରୀ, “୧୦-୧୫ଟି ଗଧଙ୍କୁ ନେଇ ଆମ ଲୋକମାନେ କାମରେ ଲାଗିଲେ । ଆମେ ଏକାଠି ପଇସା ପାଇଲୁ, ଯାହାକୁ ଆମେ ଆମ ଭିତରେ ଭାଗ ବାଣ୍ଟି ନେଲୁ । କେତେବେଳେ ୫୦ ଟଙ୍କା ତ ଆଉ କେତେବେଳେ୧୦୦ ।”

ହେଲେ, ସେମାନଙ୍କର ମନେ ପଡ଼େ ଯେ ୨୦୦୯-୨୦୧୦ପାଖାପାଖି, ଗଧମାନେ ଓଜନିଆ ଭାର ବୋହିବା ଉପରେ ପ୍ରାଣୀ ଅଧିକାର ପାଇଁ କାର୍ଯ୍ୟରତ ସଂସ୍ଥାଗୁଡ଼ିକ ଆପତ୍ତି କଲେ । ୪୦ରୁ ଅଧିକ ବର୍ଷ ବୟସର ରାମଦାସ ରାଗରେ କହନ୍ତି, “ଏସବୁ ସଂସ୍ଥାର (ବେସରକାରୀ ସଂଗଠନ) ଲୋକେ କହନ୍ତି ଯେ ପଶୁମାନଙ୍କ ବିରୋଧରେ କୌଣସି ହିଂସା ହେବା ଉଚିତ ନୁହେଁ ।” ତେଣୁ ବିଲ୍‌ଡରମାନେ ଆଉ ଭଡ଼ାରେ ଗଧ ନେଉନାହାନ୍ତି । ସେ ଆହୁରି କହନ୍ତି, “ମୋ ବାପା, ଜେଜେବାପାଙ୍କ ଅମଳରୁ ମୁଁ ଏହି କାମ କରିଆସୁଛି । ସେମାନେ କେବଳ ମୋ ପେଟକୁ ଲାତ ମାରୁନାହାନ୍ତି, ସେମାନଙ୍କ (ଗଧମାନଙ୍କ) ପେଟକୁ ବି । ମଣିଷ ତ ବୋଝ ବୋହି ନିଏ, ସେଥିରେ କାହାରି କିଛି ସମସ୍ୟା ନାହିଁ ?”

ଏହା ବ୍ୟତୀତ, ସମୟକ୍ରମେ ବଡ଼ବଡ଼ ମେସିନ୍‌ର ଉପଯୋଗ ବଢ଼ିବା ସହିତ, ନିର୍ମାଣ ସ୍ଥଳରେ ଗଧମାନଙ୍କର ଭୂମିକା ହ୍ରାସ ପାଇଛି  ବୋଲି କହନ୍ତି ଜୟଶ୍ରୀ । “ଆଗରୁ ଯେମିତି ଆମ ଗଧମାନେ କରୁଥିଲେ, ସେମିତି ଆଜିକାଲି ମେସିନ୍‌ ଭାର ଉଠାଉଛି ।” ତଥାପି ବେଳେବେଳେ ପାହାଡ଼ କଡ଼ର ନିର୍ମାଣସ୍ଥଳରେ ରାମଦାସଙ୍କୁ କାମ ମିଳିଯାଏ । ସେ କହନ୍ତି, “ଯେଉଁଠିକି ଟ୍ରକ୍‌ ଯାଇପାରିବନି ସେଠାକୁ ଭାର ବୋହି ନେବାକୁ ଗଧମାନଙ୍କୁ କାମରେ ଲଗାଯାଏ ।” ହେଲେ ଏହା କେବେ କେମିତି ହୁଏ ।

କାମ ନ ମିଳିବାରୁ ଯାଦବ ପରିବାରର କେଇ ଜଣ ସଦସ୍ୟ କର୍ମାଲାକୁ ଫେରିଯାଇଛନ୍ତି କିମ୍ବା ଜୀବିକା ସନ୍ଧାନରେ ପୁଣେକୁ ଯାଇଛନ୍ତି । ମୁମ୍ବାଇରେ ରହିଯାଇଥିବା ଅଧିକାଂଶ ପରିବାର ସଦସ୍ୟ ଏବେ ଦିନ ମଜୁରିଆ ଭାବେ କାମ କରି ଦିନକୁ ୩୦୦-୪୦୦ ଟଙ୍କା ରୋଜଗାର କରୁଛନ୍ତି । ରାମଦାସ କହନ୍ତି, “ଆଉ କି କାମ କରିବାକୁ ଅଛି ? ବେଗାରି କାମ ପାଇଁ ଆମେ ସେଠାକୁ ଯାଉ, ଏଠାକୁ ଯାଉ। ଦିନେ ମତେ କାମ ମିଳେ ତ ପର ଦୁଇ ଦିନ ମିଳେନି ।” ତାଙ୍କ ପାଖରେ ସେ ତାଙ୍କ ମାଈ ଗଧ ମୁଦାକୁ ରଖିଛନ୍ତି। ସେ କହନ୍ତି, “ମୋ ଖୁସି ପାଇଁ”, ସେ ଯେ ପଶୁମାନଙ୍କ ଗହଣରେ ପିଲାଦିନୁ ବଢ଼ିଆସିଛନ୍ତି।

କେବେ କେମିତି ସୁଖଦେବଙ୍କ ୨୧ ବର୍ଷୀୟ ପୁତୁରା, ତାଙ୍କ ବଡ଼ଭାଇ ୱାମନଙ୍କ ପୁଅ ଆନନ୍ଦ, ପାୱାର ନାମକ ଏକ ହୃଷ୍ଟପୁଷ୍ଟ ମାଈ ଗଧକୁ ନେଇ ଗୋରେଗାଓଁର ଫିଲ୍ମ ସିଟିକୁ ଯାଆନ୍ତି । ସେଠାରେ କଦବା କେମିତି ଗଧଟି କୌଣସି ସିନେମା ବା ସିରିଏଲ୍‌ରେ ଦେଖାଦିଏ ଏବଂ ୩-୪ଘଣ୍ଟାର ଶୁଟିଂ ପାଇଁ ସେମାନେ ୨,୦୦୦ ଟଙ୍କା ନେଇ ଘରକୁ ଫେରନ୍ତି । କିନ୍ତୁ ଏହି କାମ ଖୁବ୍‌ କ୍ୱଚିତ୍‌ ମିଳେ ଏବଂ ଏଥିପାଇଁ ପାୱାର ସଦୃଶ ପ୍ରାଣୀ ହିଁ ଦରକାର ହୋଇଥାଆନ୍ତି ।

Jayshri and Sukhdev start out around 7 a.m. with Kajol or Rani, and go to various slum colonies and chawls looking for customers
PHOTO • Aakanksha
Jayshri and Sukhdev start out around 7 a.m. with Kajol or Rani, and go to various slum colonies and chawls looking for customers
PHOTO • Aakanksha

କାଜୋଲ ଓ ରାନୀକୁ ସାଙ୍ଗରେ ନେଇ ଜୟଶ୍ରୀ ଓ ସୁଖଦେବ ସକାଳ ୭ଟାରୁ ଘରୁ ବାହାରନ୍ତି ଏବଂ ଗ୍ରାହକ ସନ୍ଧାନରେ ବିଭିନ୍ନ ବସ୍ତି କଲୋନି ଓ ଚଲ୍‌କୁ ଯାଆନ୍ତି

ନିର୍ମାଣସ୍ଥଳରେ କାମ କମିଯିବା ପରେ ସୁଖଦେବ ଓ ଜୟଶ୍ରୀଙ୍କ ପାଖରେ ସେତେଟା ବିକଳ୍ପ ନ ଥିଲା ଏବଂ ସେମାନେ ଘରକୁ ଘର ବୁଲି କ୍ଷୀର ବିକିବାରେ ଲାଗିଲେ । ଏମିତି କି ବେଳେବେଳେ ତାଙ୍କ ନିଜ ଗାଁରେ ସୁଖଦେବଙ୍କ ପରିବାର ଗଧ କ୍ଷୀର ବିକ୍ରି କରନ୍ତି । ସାଧାରଣତଃ ରୋଗରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କ ପରିବାର ଲୋକ ଏହି କ୍ଷୀର ନେବାକୁ ଆସନ୍ତି । କାରଣ, ଏଥିରେ ବହୁ ମାତ୍ରାରେ ପୁଷ୍ଟିସାର ରହିଥିବା ବିଶ୍ୱାସ କରାଯାଏ ।

ସେମାନେ ସକାଳ ୭ଟାରେ ବାହରନ୍ତି (ଏବଂ ଅପରାହ୍‌ଣ ୪ଟା ସୁଦ୍ଧା ଫେରିଆସନ୍ତି) ଏବଂ ଗ୍ରାହକମାନଙ୍କ ସନ୍ଧାନରେ ରାସ୍ତା ବଦଳାଇ ବିଭିନ୍ନ ବସ୍ତି କଲୋନି ଏବଂ ଚଲ୍‌କୁ ଯାଆନ୍ତି । ବେଳେବେଳେ ସେମାନେ ପାଖାପାଖି ୫୦ କିଲୋମିଟର ଦୂର ବିରାରକୁ ଚାଲି ଚାଲି ଯାଆନ୍ତି । ସୁଖଦେବ କହନ୍ତି, “ଯେତେବେଳେ ବି ମୋ ଲକ୍ଷ୍ମୀ (ଧନଦାତ୍ରୀ ଦେବୀଙ୍କ ସହ ଗଧର ତୁଳନା କରି) ମୋତେ ଯେଉଁଆଡ଼େ ନିଏ, ମୁଁ ଯାଏ । ”

ଗଧକୁ ଗ୍ରାହକଙ୍କ ଘର ପାଖରେ ଦୁହାଁଯାଏ । ଏହି କ୍ଷୀରକୁ ଅଳ୍ପ ପରିମାଣରେ ଏବଂ ସାଙ୍ଗେ ସାଙ୍ଗେ ପିଇବାକୁ ହୁଏ । ଏଥିପାଇଁ ସୁଖଦେବ ଓ ଜୟନ୍ତୀ ସାଙ୍ଗରେ ଗୋଟିଏ ଚାମଚ ରଖି ଥାଆନ୍ତି । ଜୟଶ୍ରୀ କହନ୍ତି, “ଏହା ହେଉଛି ଔଷଧ । ଏହା ଦ୍ୱାରା ଆପଣଙ୍କର କାଶ, ଜ୍ୱର ଏବଂ ଶରୀରର ଉତ୍ତାପ ଦୂର ହୋଇଯିବ ଏବଂ ଏହା ପିଲାମାନଙ୍କ ଶାରୀରିକ ବିକାଶରେ ସାହାଯ୍ୟ କରିବ । ଡାକ୍ତରମାନେ ଏବେ ଆସିଲେ, ଆଗରୁ ଏହି କ୍ଷୀର ହିଁ ଦିଆଯାଉଥିଲା ।” ସେ ନିଶ୍ଚିତ ଯେ ଏହି କ୍ଷୀରରେ ମଣିଷର ମାଆ କ୍ଷୀର ଭଳି ପୁଷ୍ଟିକାରକ ତତ୍ତ୍ୱ ରହିଛି । “ଏହାକୁ ପିଅନ୍ତୁ ଏବଂ ଦେଖନ୍ତୁ ଯେ ଏହା ଆପଣଙ୍କୁ କେମିତି ଶକ୍ତିଶାଳୀ କରୁଛି ।”

ଅତୀତରେ, ତାଙ୍କ ଗାଁରେ ଯାଦବ ପରିବାର କ୍ଷୀର ଚାମଚ ପିଛା ୨ ଟଙ୍କାରେ ବିକ୍ରି କରୁଥିଲେ । ଏବେ ସାଧାରଣତଃ ଏହାର ମୂଲ୍ୟ ୧୦ ମି.ଲି.କୁ ୫୦ ଟଙ୍କା । କେମିତି ସେ ଗ୍ରାହକମାନଙ୍କ ସ୍ଥିତିକୁ ଦେଖି କ୍ଷୀରର ମୂଲ୍ୟ ସ୍ଥିର କରନ୍ତି, ସେ ସଂପର୍କରେ ସୁଖଦେବ କହନ୍ତି,“ଜୈସା ଦେଶ ୱୈସା ଭେଶ୍‌” । “ଏହି ପ୍ଲାଷ୍ଟିକ୍‌ ଛାତ ଥିବା କୁଡ଼ିଆ (ଏକ କୁଡ଼ିଆ ଘରକୁ ଦେଖାଇ) ପାଇଁ କ୍ଷୀରର ମୂଲ୍ୟ ୩୦ ଟଙ୍କା, ପକ୍କା ଘର ପାଇଁ ଏହା ୫୦-୬୦ ଟଙ୍କା, ଏବଂ ବଡ଼ ବଡ଼ କୋଠାରେ ରହୁଥିବା ଲୋକଙ୍କ ପାଇଁ ଏହା ୧୦୦ ଟଙ୍କା ।” ସେ କହନ୍ତି ଯେ, କେହି କେହି କପ୍‌ କିମ୍ବା  ଷ୍ଟିଲ୍‌ର ଛୋଟ ଗିଲାସ ଭର୍ତ୍ତି କ୍ଷୀର ମାଗନ୍ତି । ଏଥିପାଇଁ ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ହୁଏ । ତେବେ ଖୁବ୍‌ କମ ସମୟରେ ସେମିତି ହୁଏ ।

ସେମାନଙ୍କୁ ଯଥେଷ୍ଟ ଗ୍ରାହକ ମିଳିଯାଆନ୍ତି କି? ଉତ୍ତର ଦିଅନ୍ତି ସେମାନଙ୍କର ୨୦ ବର୍ଷର ପୁଅ ସୂରଜ: “ନା, ଗଧ କ୍ଷୀର ସଂପର୍କରେ ଖୁବ୍‌ କମ୍‌ ଲୋକ ଜାଣନ୍ତି । କେବଳ ଗାଉଁଲି ଲୋକେ କିମ୍ବା ବୟସ୍କ ଲୋକେ ଏହାର ମୂଲ୍ୟ ଜାଣନ୍ତି । ଆଜିକାଲିର ଯୁବକ ବା ଯୁବତୀମାନେ ଏ ସଂପର୍କରେ ଆଦୌ କିଛି ଜାଣନ୍ତି ନାହିଁ ।”

ଅନେକ ସମୟରେ ଲୋକେ ସୁଖଦେବଙ୍କ ଫୋନ୍‌ ନମ୍ବର ଏବଂ ଠିକଣା ଲେଖି ରଖନ୍ତି । ଯାହା ଫଳରେ ଯେତେବେଳେ ଦରକାର ସେତେବେଳେ ସେମାନେ କ୍ଷୀର ପାଇପାରିବେ । ଜୟଶ୍ରୀ କହନ୍ତି, “ଲୋକେ ଏଠାକୁ (ଆପ୍ପାପଡ଼ାରେ ଥିବା ସେମାନଙ୍କ ଘରକୁ) ଅନ୍ଧେରି, ଖାର, ନାଲାସୋପାରାରୁ ଆସନ୍ତି ।”

PHOTO • Aakanksha

ସାଧାରଣତଃ ଘରେ ନବଜାତ ଶିଶୁ ବା ରୋଗଗ୍ରସ୍ତ ପରିବାର ସଦସ୍ୟ ଥିବା ଲୋକେ ହିଁ ସେମାନଙ୍କର ଗ୍ରାହକ । ବେଳେବେଳେ ବାପାମାଆ ଏହି ପ୍ରଥା ପାଳନ (ଉପର ଫଟୋଗୁଡ଼ିକରେ ଦର୍ଶାଯାଇଥିବା) ପାଇଁ ଅନୁରୋଧ କରନ୍ତି

ସାଧାରଣତଃ ଯେଉଁ ଗ୍ରାହକମାନେ ଗଧ କ୍ଷୀର ଚାହାଁନ୍ତି ସେମାନଙ୍କ ଘରେ ନବଜାତ ଶିଶୁ କିମ୍ବା ରୋଗଗ୍ରସ୍ତ ପରିବାର ସଦସ୍ୟ ଥାଆନ୍ତି । ଜୟଶ୍ରୀ କହନ୍ତି, “ଆପଣ ଯଦି ଏହାକୁ ତିନି ଦିନ ପିଇବେ ଆପଣଙ୍କର ସବୁ ଦୁର୍ବଳତା ଦୂର ହୋଇଯିବ । ୫-୬ ଦିନରେ ଆପଣ ସୁସ୍ଥ ଅନୁଭବ କରିବେ ।” ଥଣ୍ଡା ଓ ଜ୍ୱରରୁ ମୁକ୍ତି ପାଇବାକୁ ଶୀତଦିନେ ଏହି ପରିବାରକୁ ଅଧିକ ଗ୍ରାହକ ମିଳନ୍ତି ।

ବେଳେବେଳେ ବାପାମାଆ ଏକ ପ୍ରଥା ପାଳନ ପାଇଁ ଅନୁରୋଧ କରନ୍ତି-ଯାହା ହେଲା ନଜର ନିକାଲନା । ଶିଶୁଟିକୁ ଚାମଚରେ କ୍ଷୀର ଖୁଆଇ ଦେବା ପରେ ସୁଖଦେବ ଓ ଜୟଶ୍ରୀ ପିଲାଟିର ମୁଣ୍ଡରେ ଗଧର ପିଠି, ଗୋଡ଼ ଏବଂ ଲାଞ୍ଜ ଛୁଆଁଇ ଦିଅନ୍ତି । ତା’ ପରେ ଯଦି ପିଲାଟି ଅତି ବେଶୀ ନ କାନ୍ଦେ, ତେବେ ତାକୁ ଗଧରପେଟ ତଳ ଏବଂ ପିଠି ଉପର ଦେଇ ନିଆଯାଏ । ଏବଂ ତା’ପରେ ମୁହୂର୍ତ୍ତକ ପାଇଁ ସେମାନେ ପିଲାଟିକୁ ଓଲଟାଇ ଶୂନ୍ୟରେ ଟେକି ଧରନ୍ତି । ସେମାନଙ୍କର ଓ ବାପାମାଆଙ୍କର ବିଶ୍ୱାସ ରହିଛି ଯେ ଏହା ଦ୍ୱାରା ଅଶୁଭ ଦୃଷ୍ଟିକୁ ଦୂରେଇ ଦେଇ ହେବ ।

ସୁଖଦେବ ଓ ଜୟନ୍ତୀଙ୍କ ମୋଟ ରୋଜଗାର ଦିନକୁ ୫୦୦ ଟଙ୍କାରୁ ୧,୫୦୦ ଟଙ୍କା ଭିତରେ ହୁଏ । କିନ୍ତୁ ସେମାନେ ସପ୍ତାହରେ ୩-୪ ଦିନ ହିଁ ଘରୁ ବାହାରନ୍ତି ଏବଂ ଅନ୍ୟ ଦିନରେ ସେମାନେ ଓ ଗଧମାନେ ବିଶ୍ରାମ ନିଅନ୍ତି ।

ନିକଟରେ ଛୁଆ ଦେଇଥିବା ମାଈ ଗଧ ଉପରେ ହିଁ ସେମାନଙ୍କ କାମ ନିର୍ଭର କରେ । ଜୟଶ୍ରୀ ମୋତେ କହନ୍ତି ଯେ, ଗଧ ଛୁଆ ନଅ ମାସ ପାଇଁ ତା ମାଆର କ୍ଷୀର ଖାଇଥାଏ ଏବଂ ତା ପରେ ମାଈ ଗଧ କ୍ଷୀର ଦେବା ବନ୍ଦ କରିଦିଏ । କାଜୋଲର ସେମିତି ହେଲେ ତାକୁ ଓ ତା ଛୁଆକୁ ବିକି ଜୟଶ୍ରୀ ଓ ସୁଖଦେବ ଛୁଆ ଦେଇଥିବା ନୂଆ ଗଧଟିଏ କିଣିବେ । ଠାଣେ ଜିଲ୍ଲାରେ ସେମାନେ ଜାଣିଥିବା ବ୍ୟବସାୟୀଙ୍କ ନିକଟରୁ ଏମିତି ମାଆ-ଛୁଆ ଯୋଡ଼ି ପାଇବାକୁ ହେଲେ ସେମାନଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ଏବଂ ଏଜେଣ୍ଟଙ୍କୁ ଆଗରୁ ଏ କଥା ଜଣାଇବାକୁ ହେବ ।

ଗଧମାନଙ୍କୁ ଭଲ କରି ଖାଇବାକୁ ଦେବାକୁ ହୁଏ । ଜୟଶ୍ରୀ କହନ୍ତି, “ସେମାନେ ହିଁ ସବୁକିଛି । ସେମାନେ ଜଙ୍ଗଲରେ (ପାଖରେ ଥିବା ଜାତୀୟ ଉଦ୍ୟାନର ବନାଞ୍ଚଳ) ବୁଲି ଖାଆନ୍ତି। ସେମାନେ କାକୁଡ଼ି, ଡାଲି, ଭାତ, ଆଉ ଯାହାକିଛି ଥିବ ସବୁ ଖାଆନ୍ତି ।” ସେମାନଙ୍କର ମନପସନ୍ଦ ଜଳଖିଆ ହେଲା ଯଅ ଏବଂ ଗହମ ଦାନା । ସେମାନଙ୍କର କେତେକ ଗ୍ରାହକଙ୍କ ପାଖରୁ ସେମାନଙ୍କୁ ବାସି ଚପାତି  ବି ମିଳିଯାଏ । ତିନିଟି ମାଈ ଗଧଙ୍କୁ ଖୁଆଇବା ପାଇଁ ତାଙ୍କ ପରିବାର ମାସକୁ ୭୦୦ ଟଙ୍କାରୁ ୧,୨୦୦ ଟଙ୍କା ଯାଏ ଖର୍ଚ୍ଚ କରେ ବୋଲି ଜୟଶ୍ରୀ କହନ୍ତି ।

'Drink it and see how strong it will make you'
PHOTO • Aakanksha
'Drink it and see how strong it will make you'
PHOTO • Aakanksha

‘ଏହାକୁ ପିଅନ୍ତୁ ଏବଂ ଦେଖନ୍ତୁ ଏହା କେମିତି ଆପଣଙ୍କୁ ବଳବାନ କରିଦେବ’

ଲୋକଙ୍କ ଭିଡ଼ ଲାଗି ରହିଥିବା ମୁମ୍ବାଇରେ ପ୍ରାଣୀମାନଙ୍କର ଯତ୍ନ ନେବା ସହଜ ନୁହେଁ । ସେମାନଙ୍କୁ ଖୋଲା ଜାଗା ଦରକାର । ଯାଦବ ପରିବାର ଯେତେବେଳେ ସେମାନଙ୍କୁ ବୁଲିବାକୁ ଛାଡ଼ି ଦିଅନ୍ତି, ସାଧାରଣତଃ ସନ୍ଧ୍ୟା ସୁଦ୍ଧା ସେମାନେ ଫେରିଆସନ୍ତି । କିନ୍ତୁ ଏମିତି ବି ହୋଇଛି ଯେ ସେମାନେ ଦିନ ପରେ ଦିନ ଧରି ଫେରିନାହାନ୍ତି । ସୁଖଦେବ କହନ୍ତି, “ଏମିତି ହେଲେ ଆମେ ଗଧକୁ ଖୋଜିବାକୁ ଏଣେତେଣେ ବୁଲୁ, ଲୋକଙ୍କୁ ପଚାରୁ ଏବଂ ତାକୁ ଫେରାଇ ଆଣୁ ।”

କଥା ଯୋଡ଼ନ୍ତି ସୂରଜ, “ଯେତେବେଳେ ଗଧ ଫେରିଆସେ, ଆମେ ତା ମୁହଁକୁ ଦେଖି ଜାଣିପାରୁ ଯେ ସେ ଆମକୁ କିଛି କହିବାକୁ ଚାହୁଁଛି । ସେ ହୁଏତ ଆମକୁ ଧକ୍କା ମାରିବ କିମ୍ବା ଲାଞ୍ଜରେ ମାରିବ । ଯଦି ତା’ର କୌଣସି ଗୋଡ଼ରେ ଆଘାତ ଲାଗିଥାଏ ସେ ଗୋଡ଼ ହଲାଇ ଆମକୁ ଦେଖାଇ ଦିଏ ।”

ଆଉ ଏମିତି ବି ହୋଇଛି ଯେ ପଶୁମାନେ ଆଦୌ ଘରକୁ ଫେରିନାହାନ୍ତି । କେତେ ବର୍ଷ ତଳେ କେତେକ ଗଧ ଘରୁ ବାହାରି ଗଲେ ଯେ ପରେ ଆଉ ମିଳିଲେନି । ଦିନକୁ ଦିନ କାୟାବିସ୍ତାର କରୁଥିବା ଏବଂ ଲୋକଙ୍କ ଭିଡ଼ ଲାଗି ରହିଥିବା ଏହି ସହରରେ ଏଭଳି ଘଟଣା ବଢ଼ିବାରେ ଲାଗିବାରୁ ତାଙ୍କ ପରିବାର ସେମାନଙ୍କ ପ୍ରାଣୀମାନଙ୍କୁ ବିକିଦେଲେ କିମ୍ବା କର୍ମାଲା ଗାଁକୁ ପଠାଇ ଦେଲେ ।

ସୂରଜ ଗଧମାନଙ୍କୁ ଭଲ ପାଆନ୍ତି । ସେ ଓ ତାଙ୍କ ୨୨ ବର୍ଷର ଭାଇ ଆକାଶ, ଦୁହେଁ ହାଇସ୍କୁଲରୁ ପାଠ ଛାଡ଼ିଛନ୍ତି ଏବଂ ଯେତେବେଳେ ବି ମିଳେ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କର ଅତି ପ୍ରିୟ ଗୁଟାକୀ କଥା ମନେ ପକାଇ ସୂରଜ କହନ୍ତି,” ପିଲାଦିନରୁ ଆରମ୍ଭ କରି ମୋତେ ୧୫ ବର୍ଷ ହେଲା ପର୍ଯ୍ୟନ୍ତ ସେ ଥିଲା ମୋର ପ୍ରିୟ ବନ୍ଧୁ । ମୁଁ ଅନ୍ୟ କୌଣସି ଗଧ ଉପରେ କେବେହେଲେ ବସୁ ନଥିଲି । ମୁଁ ତା ସହିତ ଜଙ୍ଗଲକୁ ଯାଇ ଘଣ୍ଟା ଘଣ୍ଟା ବିତାଉ ଥିଲି ଏବଂ ମୋର ସବୁକଥା ତାକୁ କହୁଥିଲି ।” ମଲାଡ଼ରେ ଏକ ସଡ଼କ ଦୁର୍ଘଟଣାରେ ଗୁଟାକୀର ମୃତ୍ୟୁ ହେବା ପରେ ସୂରଜ ଘଣ୍ଟା ଘଣ୍ଟା ଧରି କାନ୍ଦିଥିଲେ ।

ଭାରତରେ ଗଧମାନଙ୍କର ଜୀବନ କାଳ ୧୫-୨୦ ବର୍ଷ । ଯାଦବ ପରିବାରର କହିବା ଅନୁସାରେ ଗଧମାନେ ଯେତେବେଳେ ମରିଯାଆନ୍ତି, ସେମାନଙ୍କୁ ଜାତୀୟ ଉଦ୍ୟାନରେ ଥିବା ଗଛ ଗହଳି ଭିତରେ ପୋତି ଦିଆଯାଏ ।

ବସ୍ତି ପୁନର୍ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ସେମାନଙ୍କ ଅଞ୍ଚଳରେ ଗଠିତ ଫ୍ଲାଟ୍‌ରେ ରହିବାକୁ ଯାଦବ ପରିବାର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥିପାଇଁ ଆବଶ୍ୟକ ବାସିନ୍ଦା ପ୍ରମାଣପତ୍ର ସେମାନଙ୍କ ପାଖରେ ରହିଛି । ତାହା ଯେତେବେଳେ ହେବ, ଗଧମାନଙ୍କୁ ରଖିବା ପାଇଁ ସେମାନଙ୍କୁ ଟିକେ ଜାଗା ମିଳିବ ବୋଲି ସୂରଜ ଆଶା କରନ୍ତି । ସେ କହନ୍ତି, “ନହେଲେ କେତେକ ରହିବେ, ଅନ୍ୟମାନେ ଗାଁକୁ ଫେରିଯିବେ ।” ଏତିକିରେ ପାଟି କରି ଉଠନ୍ତି ସୁଖଦେବ, “ହେ ଭଗବାନ, ନା । ସେମାନଙ୍କ ବିନା ମୁଁ କୋଉଠିକି ହେଲେ ଯିବିନି ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aakanksha

ଆକାଂକ୍ଷା (ସେ କେବଳ ତାଙ୍କର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି) ପରୀରେ ଆସିଷ୍ଟାଣ୍ଟ କଣ୍ଟେଣ୍ଟ କୋର୍ଡିନେଟର୍‌ ଭାବେ କାମ କରନ୍ତି ।

Other stories by Aakanksha