ଏହା ହେଉଛି ଆମ ଅନୁଭବ ଉପରେ ଏକ ଆକ୍ରମଣ- ତାତି, ଧୂଆଁ ଆଉ ଛାତି ଥରାଇ ଦେବା ଭଳି ଇଞ୍ଜିନର କମ୍ପନ । କିନ୍ତୁ ୫ ଜଣ ପୁରୁଷ ଓ ୩ ଜଣ ମହିଳା କୂଅ ଖୋଳାଳୀଙ୍କୁ, ଏସବୁ କିଛି ଫରକ ପକାଉନଥିଲା । ଗ୍ରୀଷ୍ମର ପ୍ରବଳ ଉତ୍ତାପରେ, ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସେମାନେ ମାଟି, କାଦୁଅ, ପଥରକୁ ହାଣୁଥିଲେ, ଉପରକୁ କାଢୁଥିଲେ। କାରଣ ତାମିଲନାଡୁ ଶିବଗଙ୍ଗା ଜିଲ୍ଲାର ଆୟମପଟ୍ଟି ଗାଁର ଚାଷ ଜମି ନିକଟରେ ପାଣି ବୁନ୍ଦେ ମିଳିବା କଷ୍ଟକର ଥିଲା।     

କୂଳକୁ ଅଧିକ ଗଭୀର କରିବା ଲାଗି ଠିକା ପାଇଥିବା ଥାଙ୍ଗାଭେଲ କହୁଥିଲେ, “ପ୍ରାୟ ୨୦-୨୫ ବର୍ଷ ପୂର୍ବରୁ,  ଆମକୁ ଏଠାରୁ ୧୦-୧୫ ଫୁଟ ତଳେ ପାଣି ମିଳୁଥିଲା ।” ପୂର୍ବରୁ ତାଙ୍କ ବାପା ନିଜ ହାତରେ କୂଅ ଖୋଳୁଥିଲେ ଓ ତାଙ୍କ ମାଆ ଶିରାଙ୍ଗୟୀ ତାଙ୍କୁ ମାଟି କାଢିବାରେ ସାହାଯ୍ୟ କରୁଥିଲେ ଏବଂ ସେହି ମାଟିକୁ ମୁଣ୍ଡରେ ବୋହୁଥିଲେ।  

ଶିବଗଙ୍ଗାଇ ହେଉଛି ଚେଟ୍ଟିନାଡର ଗୋଟିଏ ଅଞ୍ଚଳ, ଯାହା ନିଜ ସ୍ୱତନ୍ତ୍ର ଖାଦ୍ୟ ଓ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ। ଏଠାରେ ସବୁବେଳେ ପାଣି ସମସ୍ୟା ଲାଗି ରହେ। ଏହି ଅଞ୍ଚଳ ତାମିଲନାଡୁର ବୃଷ୍ଟିଛାୟା ଅଞ୍ଚଳରେ ଅବସ୍ଥିତ।  ଗତ କିଛି ବର୍ଷ ହେବ ଏ ଅଞ୍ଚଳରେ କାଁ ଭାଁ ବର୍ଷା ହେଉଛି ଏବଂ ନିହାତି କମ୍ ହେଉଛି ।  ଆଖପାଖରେ ଥିବା ତାଳଗଛ ବି ମରି ଗଲାଣି । ଧାନ ଜମି ସବୁ ପାଚି ଯାଉଛି। ପୋଖରୀ ଗୁଡ଼ିକ ଶୁଖି ଯାଇଛି। ଚାଷ ପାଇଁ ପାଣି ଯୋଗାଡ଼ କରିବାକୁ ବୋରୱେଲ ସବୁ ୧୦୦୦ ଫୁଟ ତଳକୁ ଖୋଳିବାକୁ ପଡୁଛି। ଆଉ ସାଧାରଣ କୂଅ ସବୁକୁ ଅଧିକ ଗଭୀର କରିବା ଆବଶ୍ୟକ ହେଉଛି।   

ଥାଙ୍ଗାଭେଲ ଦେହରେ ଗୋଟିଏ ଗଞ୍ଜି ଓ କାଦୁଅ ସରସର ଖଣ୍ଡେ ଗାମୁଛା ଥିଲା। ଏକ ବାଲି ଗଦା ଉପରେ ତାଙ୍କ ମାଆଙ୍କ ପାଖରେ ବସିଥିଲେ ଥାଙ୍ଗାଭେଲ (ଯିଏ କି ମୁଣ୍ଡରେ ଗୋଟିଏ କଳଙ୍କି ଲଗା ଲୁହା ବାଲଟିରେ ମାଟି କାଦୁଅ ଧରି ଉପରକୁ ଉଠୁଥିଲେ) କହୁଥିଲେ, ଗୋଟିଏ କୂଅ ଖୋଳିବା କେତେ କଷ୍ଟକର। କିନ୍ତୁ ସେ ଏଥିଲାଗି ଭାଗ୍ୟକୁ ନିନ୍ଦୁ ନଥିଲେ, କିମ୍ବା ପାଖରେ ଥିବା ତିନି ଜଣ ସ୍ତ୍ରୀଲୋକଙ୍କୁ ମଧ୍ୟ କୌଣସି ଅଭିଯୋଗ କରୁନଥିଲେ। ଜଣେ ଥିଲେ ତା ମାଆ ଶିରାଙ୍ଗୟୀ। ହେଲେ କେହି ଜାଣନ୍ତି ନାହିଁ ତାଙ୍କୁ ବୟସ କେତେ - କିନ୍ତୁ ସେମାନେ କହୁଥିଲେ ତାଙ୍କୁ ପ୍ରାୟ ୮୦ ବର୍ଷ ହେବ, ସେ ସେମିତି ବି କିଛି ଜଣାପଡୁନଥିଲେ।  ତାଙ୍କ ମୁହଁ ଖରାରେ ସିଝି ଯାଇଥିଲା। ତାଙ୍କ କାନ୍ଧ କିନ୍ତୁ ଥିଲା ବେଶ ଦୃଢ଼ ଓ ସବଳ। ସେ ଗୋଟିଏ ଶାଢ଼ୀକୁ କଛା ମାରି ପିନ୍ଧିଥିଲେ । କିନ୍ତୁ ତାଙ୍କ ଆଖି ଦୁଇଟି ଥିଲା ବେଶ୍ ଆକର୍ଷଣୀୟ। ସେ ଆଖିରେ ନଥିଲା ଭୟ, ଥିଲା ଆତ୍ମୀୟତା। ଖାସ କରି ସେତେବେଳେ, ଯେତେବେଳେ ସେ ୪୦ ଫୁଟ ଗଭୀର ଖାତ ଭିତରକୁ ଦେଖୁଥିଲେ, ତାଙ୍କ ଗୋଡ଼ର ବୁଢ଼ା ଆଙ୍ଗୁଠି ଗାତଠାରୁ ମାତ୍ର ଦୁଇ ଇଞ୍ଚ ଦୂରରେ ଥିଲା, ସେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ, ଧୁ ଧୁ ଖରା ହେଉଥିଲା।

ମହିଳାମାନଙ୍କର କାମ ଥିଲା କ୍ରେନ ଚଳାଇବା, ଯାହା ଖାତ ଭିତରୁ ମାଟି ଭର୍ତ୍ତି ବାଲତି ବୋହି ଆଣୁଥିଲା। ଦୁଇ ଜଣ କ୍ରେନକୁ ଗୋଟିଏ କଡ଼କୁ ଠେଲୁଥିଲେ, ଅନ୍ୟ ଜଣକ ବାଲତିରୁ କାଦୁଅ ମାଟି ଖାଲି କରୁଥିଲେ। ନିଶ୍ଚିତ ଭାବରେ ଏହା ଏକ ସହଜ କାମ ନଥିଲା। କିନ୍ତୁ ସେମାନେ ଏଥିରେ ଖୁସି ଥିଲେ, କାରଣ ଏହା ତାଙ୍କୁ ପ୍ରବଳ ଖରାରେ ୮ ଘଣ୍ଟାର ପରିଶ୍ରମ ବଦଳରେ ଦେଉଥିଲା ୧୫୦ ଟଙ୍କା ମଜୁରୀ।  

ପୁରୁଷ ଲୋକମାନେ ଅବଶ୍ୟ ମହିଳାମାନଙ୍କୁ କିଛିଟା ରିହାତି ଦେଉଥିଲେ। ସେମାନଙ୍କ ଭିତରୁ ୫ ଜଣ କୂଅ ଭିତରେ ଥିଲେ। କୂଅଟି ପ୍ରାୟ ୨୫ ଫୁଟ ଗଭୀର ଥିଲା, ଯାହାକୁ ଅଧିକ ୧୫ ଫୁଟ ଖୋଳିବା ଲାଗି ଠିକା ମିଳିଥିଲା। ଏବଂ ସେ ସମସ୍ତେ ଅତ୍ୟନ୍ତ ପରିଶ୍ରମୀ ଥିଲେ। ସେମାନେ ବଡ଼ ବଡ଼ ପଥରକୁ ବି କାଦୁଅ ଭିତରୁ କୌଣସି ଯନ୍ତ୍ରର ସାହାଯ୍ୟ ନ ନେଇ ଖୋଳୁଥିଲେ। ତା’ପରେ ସେମାନେ ସେଥିରେ ଗୋଟିଏ ଲୁହା ଚେନ ବାନ୍ଧୁଥୁଲେ। ଆଉ କ୍ରେନ ଅପରେଟରକୁ ଏହାକୁ ଉପରକୁ ନେବା ଲାଗି ବଡ଼ ପାଟିରେ କହୁଥିଲେ। ଆଉ ସୂର୍ଯ୍ୟ ଆଡ଼କୁ ମୁହଁ କରି ଦେଖୁଥିଲେ, ଏହା କିପରି ବାହାରକୁ ବାହାରୁଛି , ଆଉ ତା’ପରେ ପୁଣି ମୁଣ୍ଡ ତଳକୁ କରି କାମରେ କୂଅ ଖୋଳିବାରେ ମାତି ଯାଉଥିଲେ। 

ବର୍ଷକୁ ପାଖାପାଖି ୨୫୦ ଦିନ ଧରି ଏହିପରି କାମ ଚାଲିଥାଏ। ବର୍ଷା ହେଲେ ସେମାନଙ୍କ କାମ ବନ୍ଦ। କିନ୍ତୁ ସେମାନେ ଅନ୍ୟ କୌଣସି କାମ ପାଇଁ ଉଦ୍ୟମ କରନ୍ତି ନାହିଁ। ସେଦିନ ସଂଧ୍ୟାରେ ନିଜ ଘର ବାହାରେ ବସିଥିବା ଥାଙ୍ଗାଭେଲ କହିଲେ, “ଆମକୁ କେବଳ କୂଅ ଖୋଳିବା ହିଁ ଜଣା। ” । ସେତେବେଳକୁ ସେ ଗାଧୋଇ ସାରିଥିଲେ, ଆଉ ପିନ୍ଧିଥିଲେ ଗୋଟିଏ ନୀଳ ରଙ୍ଗର ଚେକ ସାର୍ଟ। ଶିରାଙ୍ଗାୟୀ ସେତେବେଳକୁ ସକାଳର ଲୁଗାକୁ ଧୋଇବା ପରେ ତାରରେ ଶୁଖାଉଥିଲେ । ତାଙ୍କର ରୋଷେଇ ବାସ ଓ ଅନ୍ୟ ସଫାସଫି କାମ କରିବା ବାକି ଥିଲା। ପାଣିର ଉତ୍ସ ଟିକିଏ ଦୂରରେ ଥିଲା। ଘରେ କେବଳ ରହିବାକୁ ଓ ଶୋଇବାକୁ କିଛି ଜାଗା ଥିଲା। ଘରେ କୌଣସି ଶୌଚାଳୟ ନଥିଲା। ଖୋଲା ଆକାଶ ତଳେ ଥିଲା ରୋଷେଇ କରିବା ସ୍ଥାନ, ଯେଉଁଠି ଜଙ୍ଗଲରୁ ସଂଗ୍ରହ କରାଯାଇଥିବା କାଠିକୁଟା ଜାଳି ମାଟି ଚୁଲିରେ ଖାଦ୍ୟ ରନ୍ଧା ଯାଉଥିଲା।

ତାଙ୍କ ଦଳରେ ସାମିଲ ଥିବା ଅନ୍ୟ ଦୁଇ ଜଣ ମହିଳା, ପେଚିୟାମ୍ମା ଓ ଭଲ୍ଲି, ସେ ପାଖରେ ରହୁଥିଲେ। ସେ ଦୁହେଁ ସୂର୍ଯ୍ୟ ଉଇଁବା ଆଗରୁ ଉଠୁଥିଲେ, ପରିବାର ପାଇଁ ରୋଷେଇ ବାସ ସାରି ସକାଳ ୬ଟା ସୁଦ୍ଧା କାମକୁ ବାହାରି ଯାଉଥିଲେ।  ଏମାନଙ୍କ କାମ ୭ଟା ବାଜିବା ଆଗରୁ ଆରମ୍ଭ ହେଉଥିଲା। ଏ ଦୁଇ ମହିଳାଙ୍କର ଥିଲେ ଦୁଇଟି ଲେଖାଏଁ ପୁଅ।  ଭଲ୍ଲିଙ୍କ ଛୁଆ ଦୁଇଟି ସ୍କୁଲକୁ ଯାଉଥିଲେ। ପେଚିୟାମ୍ମା ବି ସେୟା ଚାହୁଁଥିଲେ ଯେ ତାଙ୍କ ପିଲା ସ୍କୁଲକୁ ଯାଆନ୍ତୁ ବୋଲି, କିନ୍ତୁ ସେମାନେ ଥିଲେ ଅଶିକ୍ଷିତ। ତେଣୁ ସେମାନେ ଜମିରେ ଚାଷବାସ କିମ୍ବା ଅନ୍ୟ ନିର୍ମାଣ କାମରେ ମୂଲ ମଜୁରୀ ଲାଗୁଥିଲେ।  

ଥାଙ୍ଗାଭେଲ ବି ପାଠଶାଠ ପଢ଼ିନଥିଲେ। ସେ କେବଳେ ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଯାଇଥିଲେ। ତାପରେ ସେ କାମ କରିବା ଆରମ୍ଭ କରିଥିଲେ। କାରଣ ତାଙ୍କ ପରିବାର ଥିଲା ଅତି ଗରିବ। ତାଙ୍କ ପିଲାମାନେ (ଗୋଟିଏ ଝିଅ ଓ ଦୁଇ ଜଣ ପୁଅ) ଏବେ  ନିଜ ଗାଁ କରୁରରେ ସ୍କୁଲ ଯାଉଛନ୍ତି। କାରଣ ତାଙ୍କ ଦୁଇ ପୁଅ ଥିଲେ ମୂକ ଓ ବଧିର। ଏବେ ଏବେ ସେମାନେ ନୂଆ ଶ୍ରବଣ ଯନ୍ତ୍ର ଲଗାଇଥିବାରୁ ଆଶା କରାଯାଉଛି, ସେମାନେ ଶୀଘ୍ର କଥାବାର୍ତ୍ତା କରିବା ଶିଖିଯିବେ। 

କାମ ଯୋଗୁଁ ପରିବାରଠାରୁ ଦୂରରେ ଆୟାମପଟ୍ଟିରେ ରହୁଛନ୍ତି ଥାଙ୍ଗାଭେଲ। ତାଙ୍କ ପାଖରେ ଅଛି ତାଙ୍କ ମେସିନ ଓ ଠିକା କାମ। ଅବଶ୍ୟ ତାଙ୍କ ମେସିନ ପୁରୁଣା, କିନ୍ତୁ ତାହା ଥିଲା ବେଶ ଉପଯୋଗୀ। ଯେଉଁ କୂଅ ଖୋଳିବାକୁ ତାଙ୍କ ବାପାଙ୍କୁ ୬ ମାସ ଲାଗୁଥିଲା, ତାଙ୍କୁ ଲାଗୁଛି ମାତ୍ର ୨ ମାସ।  ଏ ମେସିନ ଲାଗି ତାକୁ ଖର୍ଚ୍ଚ କରିବାକୁ ପଡ଼ିଥିଲା ଲକ୍ଷାଧିକ ଟଙ୍କା, ଆଉ ଏହା ତାଙ୍କ ଆବଶ୍ୟକତା ଅନୁଯାୟୀ ତିଆରି ହୋଇଥିଲା। ଏହା ହେଉଛି ତାଙ୍କର ଏକମାତ୍ର ସଂପତ୍ତି, ତାଙ୍କର ନା ଥିଲା କୌଣସି ଜମିବାଡ଼ି ନା ଘରଦ୍ୱାର। ମେସିନ କିଣିବା ଲାଗି ନେଇଥିବା ଋଣକୁ ସେ ଏବେ ବି ଶୁଝୁଛନ୍ତି । ଏହି ମେସିନରେ ଗୋଟିଏ ଗ୍ରୀସ ଲଗା ଘୂର୍ଣ୍ଣାୟମାନ ଅଂଶ ରହିଛି, ଯାହ କ୍ରେନକୁ ଏପଟ ସେପଟ କରିଥାଏ, ଆଉ କୂଅ ଭିତରକୁ ରସି ଓହଳାଇ ଥାଏ। ସେଥିରେ ଥିଲା ଏକ ଶକ୍ତିଶାଳୀ ଇଞ୍ଜିନ ଯେଉଁଥିରୁ ବାହାରୁଥିଲା ଆକାଶକୁ ଦୁଇ ଭାଗ କରିଦେବା ଭଳି ମୋଟା ବହଳିଆ କଳା ଧୂଆଁ । କିନ୍ତୁ ଏହି ମେସିନ ସେମାନଙ୍କ ଜୀବନକୁ କେତେକାଂଶରେ ସହଜ କରି ଦେଇଥିଲା। ତେଣୁ ସେମାନେ ଯେଉଁଆଡ଼େ ଯାଉଥିଲେ ଏହାକୁ ନିଜ ସାଥୀରେ ନେଇ ଯାଉଥିଲେ । ମେସିନକୁ ଖୋଲି ତାକୁ ଟ୍ରାକ୍ଟରରେ ଭର୍ତ୍ତି କରି ନେଉଥିଲେ, ଆଉ ସେଠାରେ ପୁଣି ଖଞ୍ଜି ବସାଉଥିଲେ। 


PHOTO • Aparna Karthikeyan

କ୍ରେନ କିଣିବା ଲାଗି ନେଇଥିବା ଋଣକୁ ଏବେ ବି ଶୁଝୁଛନ୍ତି ଥାଙ୍ଗାଭେଲ,ଏହା ହେଉଛି ତାଙ୍କର ଏକମାତ୍ର ସଂପତ୍ତି, ତାଙ୍କର କୌଣସି ଜମିବାଡ଼ି କି ଘରଦ୍ୱାର ନାହିଁ-କିନ୍ତୁ ଏହା ତାଙ୍କ ପରିବାରର କାମକୁ କିଛିଟା ସରଳ କରି ଦେଇଥିଲା 

“ଆମକୁ ପ୍ରତି ବର୍ଗଫୁଟ ପିଛା ମିଳେ ୨୫ଟଙ୍କା । ଏବଂ ସେଥିରୁ ହିଁ ଆମକୁ ସମସ୍ତଙ୍କୁ ପାଉଣା ଦେବାକୁ ପଡ଼େ, ବେଳେବେଳେ ଆମେ ଦି ପଇସା କମାଉ, ବେଳେ ବେଳେ କିଛି ମିଳେନା’’ ଥାଙ୍ଗାଭେଲ କହିଲେ । ପ୍ରଥମ ୧୦ ଫୁଟ ମେସିନ ସାହାଯ୍ୟରେ ଖୋଳିବାକୁ ପଡ଼େ। ତାପରେ ଶାବଳ କିମ୍ବା ହାତରେ ଖୋଳିବାକୁ ପଡ଼େ। ଏହା ପରେ ରାଜମିସ୍ତ୍ରୀଙ୍କ ଦ୍ୱାରା ଖାତ ଚାରି କଡ଼େ କଡ଼େ କଂକ୍ରିଟ ଗୋଲେଇ ବା କୂଅ ନନ୍ଦ ଦେବାକୁ ପଡ଼େ । ଏହି କୂଅ ଦିନକୁ ଦୁଇ-ତିନି ଘଣ୍ଟା ଯାଏ ପାଣି ଯୋଗାଏ। ଏହି କାମରେ ଥିବା ବିପଦ ସଂପର୍କରେ ପଚାରିବାରୁ ସେ କହନ୍ତି, “ଗାତ ଖୋଳିବା, ଓଜନିଆ ଜିନିଷ ସେମାନଙ୍କ ମୁଣ୍ଡରେ ପଡ଼ିବା, ଆଉ ମାଟି ଅତଡ଼ା ଧସିବା ସବୁଠାରୁ ବଡ଼ ବିପଦ ।” ତଥାପି କାମ କରିବା ସ୍ଥାନରେ ପିଲାମାନେ ଥିଲେ । କୁନି କୁନି ପିଲାମାନେ ବରଗଛ ଓହଳରେ ଦୋଳି ଖେଳୁଥିଲେ, ଆଉ ଅଧା ଖୋଳା କୂଅ ଭିତରକୁ ଉହୁଁକି ଚାହୁଁଥିଲେ। ଆଉ ଶେଷରେ ସେମାନେ ଗୋଟିଏ ସାଇକେଲରେ ଘରକୁ ଫେରୁଥିଲେ ଯାହା ପଛରେ କୁକୁର ଧାଉଁଥିଲେ। ସେମାନଙ୍କ ସାଙ୍ଗରେ ଥିଲା ଗୋଟିଏ କୁକୁର। “ଏହା ସେମାନଙ୍କର କୁକୁର”- ଥାଙ୍ଗାଭେଲ କହିଲେ, ତାପରେ ଗୋଟିଏ ଲୁହା ବାଲତିକୁ ଡେଇଁ ସେ କୂଅ ଭିତରକୁ ଡେଇଁ ଖସିଲେ ମାଟି ଖୋଳିବା ଲାଗି। ସେଠାରେ ପହଞ୍ଚିବା ପରେ, ସେ ଗୋଟିଏ ଶାବଳ ସାହାଯ୍ୟରେ ପଥର ଭାଙ୍ଗିବା ଆରମ୍ଭ କଲେ । କୋଦାଳ ସାହାଯ୍ୟରେ ସେସବୁକୁ ବାହାର କରିବା ଲାଗି ଆରମ୍ଭ କଲେ କାମ।  ତା ଭିତରେ ଥିଲା ମାଟିଆ ପାଣି, ଆଉ ଗୋଟିଏ ବୋତଲ ପିଇବା ପାଣି। 

ଦୁଃଖର କଥା, ସେମାନଙ୍କ ଘର ପାଖରେ ଥିବା ନଳରୁ ଯଥେଷ୍ଟ ପାଣି ବାହାରେ ନାହିଁ। ତେଣୁ ଜଣଙ୍କୁ କିଛି ଦୂରରୁ ଯାଇ ଗୋଟିଏ ନୀଳ ବାଲତିରେ ପାଣି ଆଣିବାକୁ ପଡ଼େ। ସେ ଯେତେବେଳେ ଆସିଯାଏ, କୂଅ ଭିତରେ ଥିବା ସବୁ ଲୋକ ବାହାରକୁ ଚାଲି ଆସନ୍ତି। ସେମାନେ ନିଜ ନିଜ ଷ୍ଟିଲ ବାସନ ଆଣି ପାଣି ପିଅନ୍ତି। ତାପରେ ନିଜ ନିଜ ବୋତଲ ଭରି ନିଅନ୍ତି।  

“ତମେ ଯଦି ସବୁ ପାଣି ନେଇଯିବ, ଆମେ କଣ କରିବୁ ?” ଶିରଙ୍ଗାୟୀ ଚିଲେଇଲେ।

“ଆଉ ଆମେ କଣ କରିବୁ” ଆଉ ଜଣେ ଏହାର ଜବାବ ଦେଲେ- “୪୦ ଫୁଟ ତଳେ ? ”

ସବୁ ପଛରେ ପାଣି ପାଇଁ ସେମାନଙ୍କୁ କୂଅ ଖୋଳିବାକୁ ହେବ।


ଏହି ଲେଖାଟି ମୂଳତଃ ଅକ୍ଟୋବର ୨୫, ୨୦୧୪ରେ  ଦି ହିନ୍ଦୁରେ ବାହାରିଥିଲା।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aparna Karthikeyan

ଅପର୍ଣ୍ଣା କାର୍ତ୍ତିକେୟନ ଜଣେ ସ୍ୱାଧୀନ ମଲ୍ଟିମିଡିଆ ସାମ୍ବାଦିକ। ଗ୍ରାମୀଣ ତାମିଲନାଡୁରେ ହଜି ଯାଉଥିବା ଜୀବିକା ଉପରେ ଲେଖୁଛନ୍ତି ଏବଂ ପରୀ ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି।

Other stories by Aparna Karthikeyan