ଗତ ତିନିମାସ ତଳେ ୟାରାଗୁଣ୍ଟଲା ନାଗରାଜୁ ଡେଲ୍‌ଟା ଚିନି କଳରେ ନିଜର ୩୦ ବର୍ଷ ପୁରୁଣା ଚାକିରି ହରାଇଲେ। ୧୯୮୩ରେ ଚିନି କାରଖାନା ସ୍ଥାପନ ହେବାଠାରୁ ସେ ଏଠାରେ ଇଲେକ୍ଟ୍ରିସିଆନ୍‌ ଭାବରେ କାମ କରୁଥିଲେ, ତାଙ୍କୁ ସେତେବେଳେ ୧୮ ବର୍ଷ ବୟସ ହୋ‍ଇଥିଲା।

୨୦୧୭ ନଭେମ୍ବର ମାସର ଶେଷ ସପ୍ତାହରେ ତାଙ୍କୁ ଓ ତାଙ୍କ ଭଳି ଅନ୍ୟ ୨୯୯ ଜଣ କର୍ମଚାରୀଙ୍କୁ ଡିସେମ୍ବର ମାସରୁ କାମକୁ ନଆସିବାକୁ କୁହାଗଲା। ଏସବୁ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ଓ ଦଳିତ ସମ୍ପ୍ରଦାୟର। ଏଥିପାଇଁ ଆଗୁଆ ନୋଟିସ୍‌ ମଧ୍ୟ ଦିଆଯାଇନଥିଲା। ନଭେମ୍ବର ମାସରେ ଲେଖକ ଯେତେବେଳେ ନାଗରାଜୁଙ୍କୁ ଭେଟିଥିଲେ ସେତେବେଳେ ସେ କହିଲେ- ଆମକୁ ଦୁଇମାସ ହେବ ଦରମା ଦିଆଯାଇନି, ଆଉ ଏବେ ପରିଚାଳନା କର୍ତ୍ତୃପକ୍ଷ କ୍ଷତିର ବାହାନା ଦେଖାଇ କମ୍ପାନୀ ବନ୍ଦ କରୁଛନ୍ତି। ସେ ତାଙ୍କ ଚିନି କାରଖାନାର କର୍ମଚାରୀ ସଂଘର ନେତା, ଏହି ସଂଘ ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସ ସହ ଅନୁବନ୍ଧିତ। 

ନଭେମ୍ବର ୨୬ ତାରିଖରୁ କର୍ମ ସଂସ୍ଥାନହରା କର୍ମଚାରୀମାନେ କାରଖାନା ଆଗରେ ଏକ ଅସ୍ଥାୟୀ ଶିବିରରେ ରିଲେ ଅନଶନ ଧର୍ମଘଟରେ ବସିଲେ। ସେମାନଙ୍କର ଦାବି ଥିଲା ସେମାନେ କାମ କରିଥିବା ଦୁଇ ମାସର ଦରମା ଓ ଏଥିସହ ଚୁକ୍ତି ଭଙ୍ଗ କରିବାର କ୍ଷତିପୂରଣ ଭାବରେ ପ୍ରତି କର୍ମଚାରୀଙ୍କୁ ୨୪ମାସର ଦରମା କମ୍ପାନୀ କର୍ତ୍ତୃପକ୍ଷ ପ୍ରଦାନ କରନ୍ତୁ। କାରଖାନାର ଅଧିକାଂଶ କର୍ମଚାରୀ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। କାରଖାନାର ବନ୍ଦ ଫାଟକ ବାହାରେ କେଇ ସପ୍ତାହ ଅନଶନରେ ବସିବା ବେଳେ ସେମାନଙ୍କୁ ପରିବାର ଚଳାଇବା ନିମନ୍ତେ ଖୁବ୍‌ କଷ୍ଟ କରିବାକୁ ହୋଇଥିଲା। ନାଗରାଜୁ କମ୍ପାନୀର ସ୍ଥାୟୀ କର୍ମଚାରୀ ଥିଲେ ଓ ମାସକୁ ୧୪,୦୦୦ ଟଙ୍କା ଦରମା ପାଉଥିଲେ। ଚାକିରି ହରାଇବା ପରେ ସେ ନିଜ ଜମା ଅର୍ଥରୁ ଘର ଖର୍ଚ୍ଚ କଲେ। ଅବଶ୍ୟ ତାଙ୍କ ପତ୍ନୀ ଜଣେ କୃଷି ଶ୍ରମିକ ଓ ପୁଅ ଅଟୋରିକ୍ସା ଚାଳକ। 

Delta Sugars factory. Work halted inside the sugar mill
PHOTO • Rahul Maganti
Man holding flag outside the gate of the Delta Sugars factory. he is protesting the closure of the company.
PHOTO • Rahul Maganti

ହନୁମାନ ଜଙ୍କସନ୍‌ରେ ଥିବା ଡେଲ୍‌ଟା ସୁଗାର୍ସର ମାଲିକମାନେ ହଠାତ୍‌ କାରଖାନା ବନ୍ଦ କରିଦେବାରୁ ୟାରାଗୁଣ୍ଟଲା ନାଗରାଜୁ (ଡାହାଣ) ନିଜର ୩୦ ବର୍ଷର ଚାକିରି ହରାଇଲେ

ଡିସେମ୍ବର ମାସ ଶେଷ ସୁଦ୍ଧା ସେମାନେ ଏକ ଆପୋଷ ସମାଧାନରେ ପହଞ୍ଚିଲେ। କ୍ରିଷ୍ଣା ଜିଲ୍ଲାର ଉପ ଶ୍ରମ ଆୟୁକ୍ତ ପିଭିଏସ୍‌ ସୁବ୍ରମଣ୍ୟମ୍‌ ଲେଖକଙ୍କୁ ଏହି ବୁଝାମଣା ବିଷୟରେ କହିଥିଲେ। କର୍ମଚାରୀମାନେ ଇଣ୍ଡଷ୍ଟ୍ରିଆଲ୍‌ ଡିସ୍‌ପୁଟ୍‌ସ ଆକ୍ଟ ଅନୁଯାୟୀ ଶ୍ରମ ଅଦାଲତରେ ଯେଉଁ ମୋକଦ୍ଦମା କରିଥିଲେ ତାହା ଉଠାଇନେଲେ। ଏହା ବଦଳରେ ସେମାନେ ବକେୟା ଦୁଇ ମାସର ଦରମା ସହ ଆଉ ଚାରିମାସର ଦରମା ପାଇଲେ। ସେମାନେ କ୍ଷତିପୂରଣ ଭାବରେ ଯେଉଁ ଅର୍ଥ ଦାବି କରିଥିଲେ ତା ଠାରୁ ଏହା ୨୦ମାସର ଦରମା କମ୍‌ ଥିଲା। ନାଗରାଜୁ କୁହନ୍ତି, “ଆମ ପାଖରେ ଅଦାଲତରେ ମୋକଦ୍ଦମା ଲଢ଼ିବା ପାଇଁ ସମ୍ବଳ ନାହିଁ। ପୁଣି ଯେକୌଣସି ମାମଲାର ସମାଧାନ ପାଇଁ ବର୍ଷ ପରେ ବର୍ଷ ଲାଗିଯାଏ”। 

କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ ୨୦୧୪ ମସିହାଠାରୁ କମ୍ପାନୀ ସେମାନଙ୍କ ଏମ୍ପ୍ଲୟି ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) କିମ୍ବା ଏମ୍ପ୍ଲଇଜ୍‌ ଷ୍ଟେଟ୍‌ ଇନ୍‌ସ୍ୟୁରାନ୍ସ (ଇଏସ୍‌ଆଇ)ରେ ନିଜର ଭାଗର ଅର୍ଥ ଜମା କରିନାହିଁ। ଏହାବ୍ୟତୀତ କମ୍ପାନୀର ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲେ ମଧ୍ୟ କାରଖାନା ବନ୍ଦ ହେବା ପରେ ସେମାନଙ୍କ ସମୁଦାୟ ଜମା ଇପିଏଫ୍‌ ରାଶି କିମ୍ବା ଇଏସ୍‌ଆଇ ପ୍ରାପ୍ୟ ମିଳିନାହିଁ। କମ୍ପାନୀର ୩୦୦ କର୍ମଚାରୀଙ୍କ ମଧ୍ୟରୁ ୫୦ଜଣ କର୍ମଚାରୀ ଯେଉଁମାନେ କି ଅସ୍ଥାୟୀ, ଆଦୌ ଇପିଏଫ୍‌ କିମ୍ବା ଇଏସ୍‌ଆଇ ପାଇଁ ଯୋଗ୍ୟ ହୋଇନାହାନ୍ତି। କାରଖାନାର ଟ୍ରଲି ଡ୍ରାଇଭର୍‌ ଭାବରେ କାମ କରୁଥିବା ୩୨ ବର୍ଷୀୟ ମଙ୍ଗଲାଗିରି ରଙ୍ଗଦାସୁ କହିଥିଲେ- ଯେତେବେଳେ ମୁଁ ପଚାରେ ସେତେବେଳେ ମତେ କୁହାଯାଏ- ଆଗାମୀ ବର୍ଷ ତମେ ସ୍ଥାୟୀ ହୋଇଯିବ। ଏମିତି ଭାବରେ ଚଉଦ ବର୍ଷ କଟିଗଲା ଓ ଶେଷରେ ସେମାନେ ଆମକୁ ଏକାବେଳକେ ଫ୍ୟାକ୍ଟ୍ରିରୁ ବାହାର କରିଦେଲେ। 

କ୍ଷତି ଯୋଗୁଁ କାରଖାନା ବନ୍ଦ କରାଗଲା ବୋଲି ମାଲିକମାନଙ୍କ ଯୁକ୍ତିକୁ ଡେଲ୍‌ଟା ସୁଗାର୍ସ ତରବରିଆ ଭାବରେ ବନ୍ଦ ହେବା ପରେ ଗଠିତ ହୋଇଥିବା ବିରୋଧ କମିଟି ସମ୍ପୂର୍ଣ୍ଣ ଭାବରେ ମିଛ ବୋଲି କହିଛି। ଅଲ୍‌ ଇଣ୍ଡିଆ କିଷାନ୍‌ ସଭାର ଜନୈକ ବରିଷ୍ଠ କୃଷକ ନେତା କେଶବ ରାଓ ଆକଳନ କରି କହିଥିଲେ ଗତ ବର୍ଷ ୧.୬ ଲକ୍ଷ ଟନ୍‌ ଆଖୁ ପେଡାରେ କାରଖାନା ଅତିକମ୍‌ରେ ଆଠ କୋଟି ଟଙ୍କା ଲାଭ କରିଛି। ଆଖୁ ପେଡ଼ା ହେଲେ ଚିନି ବ୍ୟତୀତ ଅନ୍ୟ ଉପଜାତ ଦ୍ରବ୍ୟ (ବାଇ ପ୍ରଡକ୍ଟ) ମଧ୍ୟ ଉତ୍ପନ୍ନ ହୁଏ। ସେଗୁଡ଼ିକ ମଧ୍ୟରେ ରହିଛି ଆଖୁଛେଦା, ଗୁଡାଖୁ (ଆଲ୍‌କୋହଲ୍‌ ଓ ଇଥାନଲ୍‌ ପ୍ରସ୍ତୁତିରେ ଉପଯୋଗ ହୁଏ) ଓ ଆଖୁପିଡିଆ ଇତ୍ୟାଦି। 

(କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ କୌଣସି ଉତ୍ତର ବା ସ୍ପଷ୍ଟୀକରଣ ପାଇବା ନିମନ୍ତେ ଲେଖକଙ୍କର ସବୁ ଉଦ୍ୟମ ବ୍ୟର୍ଥ ହୋଇଥିଲା। ସୁରକ୍ଷା କର୍ମୀ ତାଙ୍କୁ କାରଖାନା ପରିସରରେ ପ୍ରବେଶ କରାଇ ଦେଲେ ନାହିଁ ଏବଂ କାରଖାନା ପରିଚାଳକ ସୁବା ରାଜୁ ଫୋନ୍‌ ଯୋଗେ କୌଣସି ଉତ୍ତର ଦେବା ପାଇଁ ମନା କରିଦେଲେ।)

Workers protesting in front of the main entrance of the Delta Sugar Mills facing the National Highway
PHOTO • Rahul Maganti
A public meeting by political parties, trade unions and farmers organisations demanding the sugar mills to be reopened
PHOTO • Rahul Maganti

ବିନା ନୋଟିସ୍‌ରେ ଡେଲ୍‌ଟା ସୁଗାର୍ସ ବନ୍ଦ କରାଯିବା ଓ ଅନ୍ୟ କେତେକ ଆଇନ୍‌ର ବିରୋଧାଚରଣ କରିବାକୁ ଶ୍ରମିକ ସଂଘ ଓ କୃଷକ ସଂଗଠନଗୁଡ଼ିକ ବିରୋଧ କରିଥିଲେ

ବିଜୟୱାଡ଼ା ସହରଠାରୁ ପ୍ରାୟ ୪୦କି.ମି. ଦୂରରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ହନୁମାନ ଜଙ୍କସନ୍‌ଠାରେ ଡେଲ୍‌ଟା ସୁଗାର୍ସର କାରଖାନା ଅଛି। ୧୯୭୦ ଦଶକ ବେଳକୁ ହନୁମାନ ଜଙ୍କସନ୍‌ ଅଞ୍ଚଳରେ ପ୍ରାୟ ୧୦ଟି ଛୋଟ ମିଶ୍ରି କାରଖାନା ଥିଲା ଯେଉଁଗୁଡ଼ିକ ଦିନକୁ ପ୍ରାୟ ୧୦୦ ଟନ୍‌ ଲେଖାଏଁ ଆଖୁ ପେଡ଼ି ପାରୁଥିଲେ। ୧୯୮୩ରେ ଉପରୋକ୍ତ ମିଲ୍‌ଗୁଡ଼ିକ ବଦଳରେ ହନୁମାନ ସୁଗାର କୋ-ଅପରେଟିଭ୍‌ ମିଲ୍‌ ଆରମ୍ଭ ହେଲା। ଏହାର ଦୈନିକ ଆଖୁ ପେଡ଼ିବା କ୍ଷମତା ୧,୨୫୦ ଟନ୍‌ ଥିଲା (ଡେଲ୍‌ଟା ସୁଗର୍ସର କ୍ଷମତା ୨,୫୦୦ ଟନ୍‌)। କୋ-ଅପରେଟିଭ୍‌କୁ ପୁଞ୍ଜି ଅଂଶଧନ ଅଞ୍ଚଳର ଆଖୁ ଚାଷୀ ଓ ରାଜ୍ୟ ସରକାରଙ୍କଠାରୁ ମିଳିଥିଲା। ଏଥିରେ କୃଷକମାନଙ୍କର ସମୁଦାୟ ଅଂଶଧନ ଥିଲା ୩ ପ୍ରତିଶତ ଏବଂ ସେମାନଙ୍କ ଅଭିଯୋଗ ଅନୁଯାୟୀ କୋ-ଅପରେଟିଭ୍‌ର ଘରୋଇକରଣ ପରେ ମଧ୍ୟ ସେମାନଙ୍କୁ ଏହି ଅଂଶଧନ ଫେରାଯାଇନାହିଁ। 

୧୯୯୦ ଦଶକରେ ଆର୍ଥିକ ଉଦାରୀକରଣ ଆରମ୍ଭ ହେବା ପରେ ଚିନି ଉଦ୍ୟୋଗ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଗଲା, ଚିନି ସମବାୟଗୁଡ଼ିକର ଘରୋଇକରଣ ସହଜ ହୋଇଗଲା। ଫଳରେ ୧୧୬ ଏକର ଅଞ୍ଚଳ ଜମି ଉପରେ ଥିବା ହନୁମାନ ସୁଗାର ୨୦୦୧ରେ ନାମମାତ୍ର ମୂଲ୍ୟ ଅର୍ଥାତ୍‌ ୧୧.୪ କୋଟି ଟଙ୍କାରେ ବିକ୍ରି ହୋଇଗଲା। ୨୦୦୦-୨୦୦୨ ମଧ୍ୟରେ ହୋଇଥିବା ରାଜସ୍ୱ କାରବାର ରେଜିଷ୍ଟ୍ରେସନ୍‌ ଦସ୍ତାବିଜ୍‌ରୁ ଜଣାପଡ଼ିଛି ସେ ସମୟରେ ଉକ୍ତ କାରଖାନାର କେବଳ ଜମି ମୂଲ୍ୟ ୪୦୦ କୋଟି ଟଙ୍କା ଥିଲା। ବ୍ୟବସାୟୀରୁ ରାଜନେତା ପାଲଟିଥିବା ଭାରତୀୟ ଜନତା ପାର୍ଟି ସାଂସଦ ଗୋକାରାଜୁ ଗଙ୍ଗା ରାଜୁ ଏହାର କ୍ରେତା ଥିଲେ। ୨୦୧୪ ମସିହାରେ ସେ କ୍ରିଷ୍ଣା ଜିଲ୍ଲା ସଂଲଗ୍ନ ପଶ୍ଚିମ ଗୋଦାବରୀ ଜିଲ୍ଲାର ନରସାପୁରମ୍‌ ଲୋକସଭା ଆସନରୁ ସାଂସଦ ଭାବରେ  ନିର୍ବାଚିତ ହୋଇଥିଲେ। 

The Delta Sugars factory. Work halted inside the sugar mill
PHOTO • Rahul Maganti
The Delta Sugars factory. Work halted inside the sugar mill
PHOTO • Rahul Maganti

କ୍ଷତି ବାହାନା ଦେଖାଇ ଡେଲ୍‌ଟା ସୁଗର୍ସ ବନ୍ଦ କରାଯିବାକୁ କାରଖାନା କର୍ମଚାରୀମାନେ ଅବିଶ୍ୱାସ କରୁଛନ୍ତି। ସେମାନଙ୍କର ବିଶ୍ୱାସ ଅଧିକ ଲାଭଜନକ ବ୍ୟବହାର ନିମନ୍ତେ ରାସ୍ତା ଖୋଲିବାକୁ ଏହାକୁ ବନ୍ଦ କରାଯାଇଛି

କାରଖାନାକୁ ହଠାତ୍‌ ବନ୍ଦ କରିଦିଆଯିବା ଅଞ୍ଚଳର ଆଖୁଚାଷୀ, ଯେଉଁମାନେ କି କାରଖାନାକୁ ଆଖୁ ଯୋଗାଉଥିଲେ, ସେମାନଙ୍କୁ ପ୍ରଭାବିତ କରିଛି (କୃଷକ ନେତା କେଶବ ରାଓଙ୍କ ଅନୁଯାୟୀ କିନ୍ତୁ ଏହି ଚାଷୀମାନେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ଚାଷୀଙ୍କ ତୁଳନାରେ ଟନ୍‌ ପିଛା କମ୍‌ ଦାମ୍‌ ପାଆନ୍ତି)। ବର୍ତ୍ତମାନ ଚାଷୀମାନଙ୍କୁ ନିଜ ଉତ୍ପାଦ ବିକ୍ରି କରିବା ପାଇଁ ନୂତନ ଚିନି କଳ ଓ ଦୂରରେ ଥିବା ଏହି କମ୍ପାନୀଗୁଡ଼ିକୁ ନିଜ ନିଜର ଉତ୍ପାଦ ପଠାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ହେବ। ଏହି ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ଉଠିବା ପରେ ଆନ୍ଧ୍ରପ୍ରଦେଶ ସରକାର ଡିସେମ୍ବର-ଜାନୁଆରୀ ମାସର ଅମଳ ଋତୁ ପାଇଁ ଏକ ଅସ୍ଥାୟୀ ସମାଧାନ ପନ୍ଥା ବାହାର କଲେ। ଏହି ବ୍ୟବସ୍ଥା ଅନୁଯାୟୀ ଚାଷୀମାନେ ସେମାନଙ୍କର ଆଖୁ ଡେଲ୍‌ଟା ସୁଗାର୍ସ କାରଖାନା ପରିସରରେ ଗଦା କରିବେ ଓ ଅନ୍ୟ ଦୁଇଟି ଘରୋଇ କମ୍ପାନୀ ଏହାକୁ କିଣିବେ। ଏହି ଦୁଇ କମ୍ପାନୀ ହେଉଛନ୍ତି କ୍ରିଷ୍ଣା ଜିଲ୍ଲାର ଭୁୟୁରୁସ୍ଥିତ କେସିପି ସୁଗାର୍ସ ଓ ପଶ୍ଚିମ ଗୋଦାମରୀ ଜିଲ୍ଲାର ଭିମ୍‌ଡୋଲେ ଡିଭିଜନର ଆନ୍ଧ୍ର ସୁଗାର୍ସ। ଏହି ଦୁଇ କମ୍ପାନୀ ନିଜ କାରଖାନାକୁ ଆଖୁ ପରିବହନ କରିବାର ଖର୍ଚ୍ଚ ବହନ କରିବେ। 

ତଥାପି ପରବର୍ତ୍ତୀ ଅମଳ ଋତୁରେ କଣ କରାଯିବ ସେ ନେଇ କିଛି ସ୍ପଷ୍ଟ ନୁହେଁ। କୃଷକ ନେତାମାନଙ୍କର ଆକଳନ କୃଷକମାନଙ୍କୁ ନିଜ ଜମିରୁ ଦୂରରେ ଥିବା ଚିନି କଳକୁ ଆଖୁ ନେବା ପାଇଁ ପ୍ରତି ୪୦ ଟନ୍‌ ପିଛା ୨୦,୦୦୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ହେବ। 

ଯେକୌଣସି କାରଖାନା ବନ୍ଦ କରିବା ପୂର୍ବରୁ ଆନ୍ଧ୍ରପ୍ରଦେଶ ଉଦ୍ୟୋଗ ବିବାଦ ଆଇନ୍‌, ୧୯୫୮ ଅନୁଯାୟୀ ଯେଉଁ ନୀତିନିୟମ ପାଳନ ହେବା କଥା, ଏ କ୍ଷେତ୍ରରେ ତାହା ହୋଇନାହିଁ। କୃଷକ ନେତା କେଶବ ରାଓଙ୍କ ଅନୁଯାୟୀ- କାରଖାନା ବନ୍ଦ କରିବାର ଦୁଇ ବର୍ଷ ପୂର୍ବରୁ ଏ ବାବଦରେ ଚାଷୀମାନଙ୍କୁ ସୂଚିତ କରାଯିବା ଉଚିତ୍‌। ଯଦ୍ଦ୍ୱାରା ସେମାନେ ପରବର୍ତ୍ତୀ ଋତୁରେ ଆଖୁ ଚାଷ କରିବା ବଦଳରେ ଅନ୍ୟ ଫସଲ ଚାଷ କରିବେ। ଏହା ନକରି ପରିଚାଳନା କର୍ତ୍ତୃପକ୍ଷ କିପରି ହଠାତ୍‌ କାରଖାନା ବନ୍ଦ କରିଦେଲେ? କେଶବ ରାଓ ହିଁ ୧୯୭୨ରେ କୃଷକ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯଦ୍ଦ୍ୱାରା ୧୯୮୩ରେ ରାଜ୍ୟ ସରକାର ଅଞ୍ଚଳରେ ସମବାୟ ଚିନି କଳ ସ୍ଥାପନ କରିବାକୁ ସହମତ ହୋଇଥିଲେ। 

ନିକଟସ୍ଥ ଗ୍ରାମର ଆଖୁଚାଷୀ ୫୯ ବର୍ଷ ବୟସ୍କ ପାମାର୍ଥୀ ଭେଙ୍କଟ ରେଡିହା କହିଥିଲେ- ଏହି ମିଲ୍‌ ବନ୍ଦ ହେବା ଦ୍ୱାରା ଆମକୁ ଆଖୁ ପରିବହନ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ହେବ। ଆମର ନିଜସ୍ୱ କାରଖାନା ହେବା ଉଚିତ୍‌। ଆମେ ମିଲ୍‌ ଆରମ୍ଭ କରିବା ପାଇଁ ଯେଉଁ ଅଭିଯାନର ନେତୃତ୍ୱ ନେଇଥିଲୁ ତା ଦ୍ୱାରା ହିଁ ଆଜି ହନୁମାନ ଜଙ୍କସନ୍‌ ଚାରି ପାଖରେ ଏକ ଅର୍ଥନୈତିକ ବଳୟ ସୃଷ୍ଟି ହୋଇଛି। ପାମାର୍ଥୀଙ୍କ ପରି ଆଖପାଖର ୬ଟି ମଣ୍ଡଳ ଯଥା- ବାପୁଲାପାଡୁ, ଉଙ୍ଗୁଟୁରୁ, ଗନ୍ନାଭରମ୍‌, ନୁଜ୍‌ଭିଡ୍‌, ମୁସୁନୁରୁ ଏବଂ ବିସ୍‌ସାନ୍ନାପେଟ୍‌ର ପ୍ରାୟ ୨,୫୦୦ ଆଖୁଚାଷୀ ନିଜର ଜୀବିକା ପାଇଁ ଡେଲ୍‌ଟା ସୁଗାର୍ସ ଉପରେ ନିର୍ଭର କରୁଥିଲେ। 

Portrait of a sugarcane farmer
PHOTO • Rahul Maganti
The defunct premises of the Delta Agro Chemical company
PHOTO • Rahul Maganti
The owner of a paan shop
PHOTO • Rahul Maganti

ପାମାର୍ଥୀ ଭେଙ୍କଟ ରେଡ୍ଡିହା (ବାମ) ଏବଂ ଅନ୍ୟ ପ୍ରାୟ ୨,୫୦୦ ଚାଷୀ ନିଜ ଆଖୁ ବିକ୍ରି ପାଇଁ ଡେଲ୍ଟା ସୁଗାର୍ସ ଉପରେ ନିର୍ଭର କରୁଥିଲେ। ନିକଟସ୍ଥ ଡେଲ୍ଟା ଆଗ୍ରୋ କେମିକାଲ୍ସ (ମଝି) ମଧ୍ୟ ଏକ ଦଶକ ତଳେ ବନ୍ଦ ହୋଇଯାଇଛି। ସେତେବେଳେ ନିଜର କାମ ହରାଇଥିବା ଛୋଡ଼ାଗିରି ରେଡ୍ଡି (ଡାହାଣ) ବନ୍ଦ ପଡ଼ିଥିବା କାରଖାନା କଡ଼ରେ ଗୋଟିଏ ପାନ ଓ ଚା ଦୋକାନ କରିଛନ୍ତି।

ଆଖପାଖ  ଗାଁର ଆମ ଗାଈ ବଳଦ ଆଖୁ ପେଡ଼ା ହେବା ପରେ ସେଥିରୁ ବାହାରୁଥିବା ଶୁଖିଲା ଛେଦା ଉପରେ ନିର୍ଭର କରନ୍ତି। ବର୍ତ୍ତମାନ ଏହା ଅଖପାଖର ଯେଉଁ ଲୋକମାନେ ଗାଈଗୋରୁ ରଖିଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହେବ”, କହିଛନ୍ତି ୫୮ ବର୍ଷ ବୟସ୍କ ଆଲା ଗୋପାଲା କ୍ରିଷ୍ଣା ରାଓ। ଯାଦବ ଜାତିର ଶ୍ରୀ କ୍ରିଷ୍ଣା ରାଓ ଦୁଗ୍ଧ ପାଇଁ ଗୋପାଳନ କରିବା ସହ ଏକର ଜମିରେ ଆଖୁ ଚାଷ କରନ୍ତି। ଅଧିକାଂଶ ଲୋକ ଯେଉଁମାନେ ଗୋପାଳନ କରନ୍ତି , ଦୁଗ୍ଧବିକ୍ରି କରନ୍ତି  କିମ୍ବା କାରଖାନାରେ କାମ କରନ୍ତି ସେମାନେ ପ୍ରାୟତଃ ଯାଦବ ପରି ପଛୁଆ ଜାତିର ନଚେତ୍ ମାଲା ପରି ଦଳିତ ଉପଜାତିର। 

ସଦ୍ୟ ବନ୍ଦ ହୋଇଥିବା ଡେଲ୍ଟା ସୁଗାର୍ସର ବିପରିତ ପାର୍ଶ୍ୱରେ ରହିଛି ଅଚଳ ହୋଇଥିବା ଡେଲ୍ଟା ଆଗ୍ରୋ କେମିକାଲ୍ସ କାରଖାନା (କିଛିଦିନ ପର୍ଯ୍ୟନ୍ତ ସମାନ କମ୍ପାନୀର ମାଲିକାନା ଥିଲା ଏହା ଉପରେ। ୨୦୦୭ରେ ମାଲିକ ବ୍ୟାଙ୍କ ଲୋନ୍ ପୈଠ  କରି ପାରିବା କାରଣରୁ  ବ୍ୟାଙ୍କ ଏହି ସମ୍ପତ୍ତି  ସିଜ୍ କରିବା ଯୋଗୁଁ ଏହା ବନ୍ଦ ହୋଇ ଯାଇଥିଲା। ଏହି ପରିତ୍ୟକ୍ତ କାରଖାନାର ସିକ୍ୟୁରିଟି ଗାର୍ଡ ଶ୍ରୀନିବାସ ରାଓ କୁହନ୍ତି - ପ୍ରାୟ ୨୦୦ କର୍ମଚାରୀ ନିଜର ଜୀବିକା ହରାଇଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଅଟୋ ଡ୍ରାଉଭର୍ କିମ୍ବା କୃଷି ଶ୍ରମିକ ଭାବରେ କାମ କରୁଛନ୍ତି  

ଏକଦା ଏହି ଅଚଳ ଆଗ୍ରୋ କେମିକାଲ୍ସ କାରଖାନାରେ ଇଲେକ୍ଟ୍ରିକାଲ୍ ଅପରେଟର୍ ଥିବା  ୩୬ ବର୍ଷ ବୟସ୍କ ଛୋଡ଼ାଗିରି ରେଡ୍ଡି ଗୋପାଲା ରାଓ ବର୍ତ୍ତମାନ ଏହାର ଠିକ୍ କଡ଼ରେ ପାନ-ଚା ଦୋକାନ କରିଛନ୍ତି। ସେ କୁହନ୍ତି୨୦୦୭ରେ ଯେତେବେଳେ ମୁଁ କାରଖାନାରେ କାମ କରୁଥିଲି ସେତେବେଳେ ମାସକୁ ୧୦,୦୦୦ ଟଙ୍କା ରୋଜଗାର କରୁଥିଲି। ଏବେ ଅତି ବେଶୀରେ ମାସକୁ ,୦୦୦ ଟଙ୍କା ରୋଜଗାର କରିପାରୁଛି। ଏତେ କମ୍ ରୋଜଗାରରେ ଅତ୍ୟାବଶ୍ୟକ ଖର୍ଚ୍ଚ ତୁଲାଇବା ମଧ୍ୟ କଷ୍ଟକର। 

ଡେଲ୍ଟା ସୁଗାର୍ସରେ ୩୦ ବର୍ଷ କାମ କରିବା ପରେ ୫୪ ବର୍ଷ ବୟସରେ ଚାକିରୀ ହରାଇଥିବା ନାଗରାଜୁ ମଧ୍ୟ ଏବେ ଅଟୋରିକ୍ସା ଉପରେ ନିର୍ଭର କରୁଛନ୍ତି। ସେ ଡେଲ୍ଟା ସୁଗାର୍ସର ଅନ୍ୟ ପୁରୁଣା କର୍ମଚାରୀମାନଙ୍କର ଦୃଢ଼ ଧାରଣା ମାଲିକ ଏହି କାରଖାନା ଜମିକୁ ଅନ୍ୟ କାମରେ ଯେମିତିକି ହାଉସିଂ ପ୍ରୋଜେକ୍ଟ କିମ୍ବା ଅଫିସ୍ କମ୍ଲେକ୍ସ ଭାବରେ ବ୍ୟବହାର କରିବେ। କାରଣ ଏହି ସ୍ଥାନ ନୂତନ ରାଜଧାନୀ ଅମରାବତୀ ବିଜୟୱାଡ଼ାର ଖୁବ୍ ନିକଟରେ ରହିଛି ଏଥିଯୋଗୁଁ ଅଞ୍ଚଳର ଜମି ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti