ଚିତ୍ତରଞ୍ଜନ ରାୟ, ୨୮ ବର୍ଷ ବୟସରେ ପଶ୍ଚିମବଙ୍ଗର ଗଦାଙ୍ଗ ଗ୍ରାମରୁ ୨୦୧୫ ରେ ଏଠାରୁ ବହୁ-ଦୂରରେ ଅବସ୍ଥିତ କେରଳକୁ ଯିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ, ଭଲ ମଜୁରି ପାଇବା ଆଶାରେ । ସେ ରାଜ୍ୟର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ ଭାବେ କାମ କଲେ, ସେଥିରୁ କିଛି ଅର୍ଥ ସଞ୍ଚୟ କଲେ ଓ ଲିଜ୍‌ରେ ନେଇଥିବା ଆଠ ବିଘା ଜମି ଚାଷ କରିବା ପାଇଁ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ସେ ଏହା ପୂର୍ବରୁ ପରିବାର ନିଜସ୍ୱ ଚାଷଜମିରେ କାମ କରିଥିଲେ ଓ  ନିଜେ ଆଳୁ ଚାଷରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହିଁଥିଲେ ।

“ଏହି ଜମିରେ ପ୍ରଥମଥର ପାଇଁ ଚାଷ କାମ କରାଯାଉଥିବାରୁ ଏଥିରେ ଅତ୍ୟନ୍ତ କଠିନ ପରିଶ୍ରମ କରିବା ଓ ଅଧିକ ନିବେଶ କରିବା ଆବଶ୍ୟକ ଥିଲା,’’ ବୋଲି ତାଙ୍କ କକା ଉତ୍ତମ ରେ କୁହନ୍ତି, ଯିଏ ହେଉଛନ୍ତି ଜଣେ ୫୦ବର୍ଷ ବୟସ୍କ ଚାଷୀ । ଆଦାୟ ଭଲ ହେଲେ ଲାଭ ମଧ୍ୟ ଭଲ ହେବ, ଏହି ଆଶାରେ ଚିତ୍ତରଞ୍ଜନ ବ୍ୟାଙ୍କ ଓ ସ୍ଥାନୀୟ ଘରୋଇ ଋଣଦାତାଙ୍କଠାରୁ ଋଣରେ ଟଙ୍କା ଆଣିଥିଲେ- ସମୟକ୍ରମେ ଯାହାର ପରିମାଣ ମୋଟ ୫ଲକ୍ଷରେ ପହଞ୍ଚିଗଲା- “ଅତି ଉଚ୍ଚ ସୁଧ ହାରରେ” ବୋଲି ଉତ୍ତମ କୁହନ୍ତି । କିନ୍ତୁ ତାପରେ, ୨୦୧୭ ରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ସେହି ସ୍ଥାନରେ ସବୁବେଳେ ପାଣି ଜମି ରହିଲା । ଫସଲ ନଷ୍ଟ ହୋଇଗଲା । ଏହି କ୍ଷତିର ସାମନା କରିନପାରି, ୩୦ -ବର୍ଷ-ବୟସ୍କ ଚିତ୍ତରଞ୍ଜନ ଜୁଲାଇ ୩୧ରେ ତାଙ୍କ ଘରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କଲେ ।

“ତାଙ୍କର ବାପାମା ତାଙ୍କ ବିବାହ କରିଦେବା ପାଇଁ ବ୍ୟସ୍ତ ହେଉଥିଲେ,” ବୋଲି ଚିନ୍ତାମୋହନ ରାୟ, ଜଲପାଇଗୁରୀ ଜିଲ୍ଲା ଅନ୍ତର୍ଗତ ଧୁପ୍‌ଗୁରୀ ବ୍ଲକ୍‌ର ସେହି ଗ୍ରାମର ଅନ୍ୟ ଜଣେ ଚାଷୀ, ଯିଏ ତାଙ୍କ ପାଞ୍ଚ ଭିଗା (୧ଭିଗା ହେଉଛି ୦.୩୩ଏକର)  ଜମିରେ ଆଳୁ, ଧାନ ଓ ଝୋଟ ଆଦି ଚାଷ କରନ୍ତି, କୁହନ୍ତି । ‘‘ଯେହେତୁ ବ୍ୟାଙ୍କରୁ ଋଣ କରିବା ପାଇଁ ତାଙ୍କର ଯୋଗ୍ୟତା ନଥିଲା, ତେଣୁ ତାଙ୍କ ବାପା ନିଜ ନାମରେ ଋଣ ନେଇଥିଲେ । “ପୁଅ ଚାଲିଯିବା ପରେ,ଏବେ ତାଙ୍କର ୬୦ -ବର୍ଷ-ବୟସ୍କ ପିତାଙ୍କୁ ଋଣ ବୋଝ ସହିତ ସଂଘର୍ଷ କରିବାକୁ ପଡୁଛି, ମୃତକଙ୍କ ମା’ ଅସୁସ୍ଥ ଅଛନ୍ତି ।

ଚିନ୍ତାମୋହନ ମଧ୍ୟ ଏବେ ଏବେ ତାଙ୍କ ପରିବାରରେ ଜଣଙ୍କୁ ଆତ୍ମହତ୍ୟା କରିଥିବା ଦେଖିଛନ୍ତି । “ମୋର ଭାଇ ଜଣେ ସରଳ ଲୋକ ଥିଲେ, ସେ ଚାପ ସହ୍ୟ କରିପାରିଲେ ନାହିଁ ଓ ଜୁନ୍‌ ୨୩,୨୦୧୯ ରେ  କୀଟନାଷକ ଖାଇ ଆତ୍ମହତ୍ୟା କଲେ,” ବୋଲି ସେ କୁହନ୍ତି। ତାଙ୍କ ଭାଇ ଗଙ୍ଗାଧରଙ୍କ ବୟସ ହେଉଛି ୫୧ ବର୍ଷ ।

“ସେ ନିଜର ପାଞ୍ଚ ଭିଗା ରେ ଆଳୁ ଚାଷ କରୁଥିଲେ’’ ବୋଲି ୫୪ ବର୍ଷୀୟ ଚିନ୍ତାମୋହନ କୁହନ୍ତି । “ସେ ଏଥିପାଇଁ ଋଣ ନେଇଥିଲେ [ବ୍ୟାଙ୍କ, ଘରୋଇ ଋଣଦାତା ଏପରିକି ଇନ୍‌ପୁଟ୍‌ ଡିଲର୍‌ମାନଙ୍କଠାରୁ ମଧ୍ୟ] । ବିଗତ କିଛି ଋତୁରେ ବାରମ୍ବାର କ୍ଷତି ହେଉଥିବାରୁ, ପରିସ୍ଥିତି ଏପରି ହେଲା ଯେ ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ…”

ଗଙ୍ଗାଧରଙ୍କ ଜମିର ଏକ ବଡ ଅଂଶକୁ ସେ ଜଣେ ଋଣଦାତାଙ୍କ ପାଖରେ ବନ୍ଧା ପକେଇଛନ୍ତି । ତାଙ୍କର ସମୁଦାୟ ଋଣବୋଝ ପ୍ରାୟ ୫ଲକ୍ଷ ଟଙ୍କା ହେବ । ତାଙ୍କର ବିଧବା ଜଣେ ଗୃହିଣୀ, ତାଙ୍କର ତିନୋଟି ଝିଅ ଅଛନ୍ତି, ସବୁଠାରୁ ବଡ କଲେଜରେ ପଢେ । "“ଆମେ ଭାଇମାନେ ଓ ଗଙ୍ଗାଧରଙ୍କ ଶ୍ୱଶୁର ଘର ଲୋକମାନେ ମିଳିତ ଭାବେ ସେମାନଙ୍କୁ କୌଣସି ପ୍ରକାରେ ଏହି ପରିସ୍ଥିତିରୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛୁ” ବୋଲି ଚିନ୍ତାମୋହନ କୁହନ୍ତି ।

Uttam Roy at the rally
PHOTO • Smita Khator
Chintamohan Roy at the rally
PHOTO • Smita Khator

ବାମ: ଉତ୍ତମ ରେଙ୍କ ପୁତୁରା ଜୁଲାଇ ୨୦୧୭ ରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିଲେ ଡାହାଣ : ଚିନ୍ତାମୋହନ ରାୟଙ୍କ ଭାଇ ଜୁନ୍‌ ୨୦୧୯ ରେ କୀଟନାଷକ ପିଇ ଆତ୍ମହତ୍ୟା କରିଥିଲେ । ଉଭୟ ଆଳୁ ଚାଷୀ ଥିଲେ 

ମୁଁ ଏକ ଗୁଳୁଗୁଳି ହେଉଥିବା ଦ୍ୱିପହରରେ, AIKS-AIAWU (ଅଲ୍‌ ଇଣ୍ଡିଆ କିସାନ୍‌ ସଭା -–ଅଲ୍‌ ଇଣ୍ଡିଆ ଏଗ୍ରିକଲ୍‌ଚରାଲ୍‌ ୱାର୍କର୍ସ ୟୁନିୟନ୍‌) ଦ୍ୱାରା କେନ୍ଦ୍ର କୋଲ୍‌କାତାର ରାସମଣି ରୋଡ୍‌ରେ ଅଗଷ୍ଟ ୩୧ରେ ଆୟୋଜିତ ହୋଇଥିବା ଏକ ରାଲ୍ଲିରେ ତାଙ୍କୁ ଭେଟିଥିଲି । ସେମାନେ ସେହି ୪୩ ଜଣିଆ ଦଳରେ ଥିଲେ, ଯେଉଁମାନଙ୍କ ପରିବାରର କେହି ନା କେହି ଜଣେ ଚାଷ ଜନିତ ଅସୁବିଧା ଯୋଗୁଁ ଆତ୍ମହତ୍ୟା କରିଥିଲେ। ସେମାନେ ମୁଖ୍ୟତଃ ଜଲ୍‌ପାଇଗୁରୀ, ମାଲ୍‌ଦା, ପୂର୍ବ ବର୍ଦ୍ଧମାନ, ପଶ୍ଚିମ ବର୍ଦ୍ଧମାନ, ପଶ୍ଚିମ ମେଦିନାପୁର ଓ ପୂର୍ବ ମେଦିନାପୁର ଜିଲ୍ଲାରୁ ଆସିଥିଲେ । ସେହି ରାଲ୍ଲିରେ ପ୍ରାୟ ୨୦,୦୦୦ ଲୋକ ଅଂଶ ଗ୍ରହଣ କରିଥିବା ଜଣାଯାଏ । 

ସେମାନଙ୍କ ଦାବି ମଧ୍ୟରେ ରହିଛି: ଚାଷ ଜନିତ ଆତ୍ମହତ୍ୟା ପାଇଁ ଅନୁକମ୍ପା ପ୍ରଦାନ କରିବା, ସଂଶୋଧିତ ମଜୁରି, ଉଚିତ ସର୍ବନିମ୍ନ ସହାୟତା ମୂଲ୍ୟ ଓ ବୟସ୍କ କୃଷି ଶ୍ରମିକମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ।

ଦୁଇ ଦିନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ AIKS ପକ୍ଷରୁ କୁହାଯାଇଥିଲା ଯେ( ଏହାର ନିଜସ୍ୱ କ୍ଷେତ୍ର ସର୍ବେକ୍ଷଣ ଆଧାରରେ ପ୍ରକାଶିତ) ୨୦୧୧ ଠାରୁ ପଶ୍ଚିମବଙ୍ଗରେ ଚାଷ କାରଣରୁ ୨୧୭ ଜଣ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆଳୁ ଚାଷୀ ଅଟନ୍ତି । ୨୦୧୫ରେ ବିଜିନେସ୍‌ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ଏକ ରିପୋର୍ଟରେ ଅନ୍ୟ ଖବର ମଧ୍ୟରେ, ପଶ୍ଚିମବଙ୍ଗରେ ଆଳୁ ଚାଷୀଙ୍କ ଆତ୍ମହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ, ବିଭିନ୍ନ ମେଡିଆର ରିପୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଏହା ଆତ୍ମହତ୍ୟା ନୁହେଁ ବୋଲି କହିଥିବା ଉଲ୍ଲେଖ କରାଯାଇଛି । ୨୦୧୧ପରଠାରୁ ରାଜ୍ୟ ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡସ ବ୍ୟୁରୋ (ଏନ୍‌ଆର୍‌ସିବି)କୁ ଚାଷୀ ଆତ୍ମହତ୍ୟା ସମ୍ବନ୍ଧିତ ତଥ୍ୟ ପ୍ରଦାନ କରିବା ବନ୍ଦ କରିଦେଇଛି, ଯେତେବେଳେକି ଏନ୍‌ସିଆର୍‌ବି ନିଜେ ସ୍ୱୟଂ ୨୦୧୫ରୁ ଏହି ସମ୍ବନ୍ଧୀୟ ତଥ୍ୟ ସାମିଲ୍‌ କରିବା ବନ୍ଦ କରିଦେଇଛି ।

କିନ୍ତୁ ଅଗଷ୍ଟ ୩୧ ରାଲିରୁ ଏହା ସୁସ୍ପଷ୍ଟ ଯେ ପଶ୍ଚିମବଙ୍ଗର ଆଳୁ ଚାଷୀମାନେ ଘୋର ଦୁର୍ଦଶା ଦେଇ ଗତି କରୁଛନ୍ତି – ତାହା ନିମ୍ନ ଆଦାୟ ଯୋଗୁଁ ହୋଇପାରେ ବା ବଜାରରେ ଅଧିକ ପରିମାଣରେ ଉପଲବ୍ଧ ହେବା ସହିତ ମୂଲ୍ୟ ଖସିବା ଯୋଗୁଁ ହୋଇପାରେ, ଉଭୟ ଯୋଗୁଁ ପ୍ରଭାବିତ ହେଉଛନ୍ତି । ଆଳୁ ଉତ୍ପାଦନରେ ଭାରତରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ ଅଛି, ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି । କେନ୍ଦ୍ରର କୃଷି ମନ୍ତ୍ରଣାଳୟର ହର୍ଟିକଲ୍‌ଚର୍‌ ପରିସଂଖ୍ୟାନ ବିଭାଗ ସୂତ୍ରରୁ ଜଣାପଡିଛି ଯେ ପଶ୍ଚିମବଙ୍ଗରେ ୫ ବର୍ଷରେ (୨୦୧୩-୧୪ ରୁ ୨୦୧୭-୧୮ ମଧ୍ୟରେ) ହାରାହାରି ୧୦.୬ ମିଲିୟନ୍‌ ଟନ୍‌ ଆଳୁ ଉତ୍ପାଦନ ହୋଇଛି – ବା ଭାରତରେ ଉତ୍ପାଦିତ ହେଉଥିବା ସମୁଦାୟ ଆଳୁର ୨୩ ପ୍ରତିଶତ । ୨୦୧୮ -୧୯ରେ ରାଜ୍ୟରେ ୧୨. ୭୮ ମିଲିୟନ୍‌ ଟନ୍‌ ଆଳୁ ଉତ୍ପାଦନ ହୋଇଥିବା ଆକଳନରୁ ଜଣାପଡିଛି- ଯାହା ଭାରତରେ ଆଳୁ ଉତ୍ପାଦନର ୨୪ .୩୧ପ୍ରତିଶତ ହେବ । ଯଦିଓ ଉତ୍ପାଦନ ହୋଇଥିବା ଆଳୁର ପ୍ରାୟ ଅଧା ଭାଗ ଅନ୍ୟ ରାଜ୍ୟଗୁଡିକୁ ବିକ୍ରି କରିବା ପାଇଁ ପଠେଇ ଦିଆଯାଏ (ବଳକା ପଶ୍ଚିମବଙ୍ଗରେ ବ୍ୟବହାର କରାଯାଏ), ତଥାପି ବେଳେ ବେଳେ ଆଳୁ ଉତ୍ପାଦନ ଚାହିଦା ଠାରୁ ଖୁବ୍‌ ଅଧିକ ହୋଇଥାଏ ।

୨୭ ଫେବୃୟାରୀ, ୨୦୧୯ରେ ପଶ୍ଚିମବଙ୍ଗ ସରକାରଙ୍କ କୃଷି ବିପଣନ ବିଭାଗରୁ ଜାରି କରାଯାଇଥିବା ଏକ ନୋଟିସ୍‌ରେ କୁହାଯାଇଛି ଯେ ଚଳିତ ବର୍ଷ ଆମ ରାଜ୍ୟରେ ବମ୍ପର ଆଳୁ ଉତ୍ପାଦନ ହୋଇଛି ଓ ଅନ୍ୟ ଆଳୁ ଉତ୍ପାଦନକାରୀ ରାଜ୍ୟଗୁଡିକରେ ମଧ୍ୟ ଭଲ ଫସଲ ହୋଇଛି, ଏହି କାରଣରୁ  ଆଳୁ ବଜାରରେ ଚାହିଦାଠାରୁ ଅଧିକ ଯୋଗାଣ ହେଉଥିବାରୁ ଫାର୍ମ ଗେଟ୍‌ ପ୍ରାଇସ୍‌ରେ ତୀବ୍ର ହ୍ରାସ ଘଟିଛି । ବର୍ତ୍ତମାନର ଫାର୍ମ ଗେଟ୍‌ ପ୍ରାଇସ୍‌ ଖୁବ୍‌ ନିମ୍ନସ୍ତରରେ ରହିଥିବା ଜଣାପଡିଛି ଏପରିକି ଏହା ଉତ୍ପାଦନରେ ହେଉଥିବା ବ୍ୟୟଠାରୁ ମଧ୍ୟ କମ୍‌ ଓ ଆଶଙ୍କା କରାଯାଉଛି ଯେ ମାର୍ଚ୍ଚ ମାସରେ ପ୍ରଚୁର ପରିମାଣରେ ଆଦାୟ ହେବାପରେ ଏହି ଫାର୍ମ ଗେଟ୍‌ ପ୍ରାଇସ୍‌ ଆହୁରି ତଳକୁ ଖସି ଯାଇପାରେ, ଯାହାଫଳରେ ଚାଷୀମାନଙ୍କୁ ଆହୁରି ଗମ୍ଭୀର ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିପାରେ’’
PHOTO • Smita Khator

କେନ୍ଦ୍ର କୋଲ୍‌କାତାର ରାଣୀ ରାସମଣି ରୋଡ୍‌ରେ ଅଗଷ୍ଟ ୩୧ରେ ଆୟୋଜିତ ହୋଇଥିବା ରାଲ୍ଲୀରେ, ପୋଷ୍ଟରରେ ଅନ୍ୟ ଦାବିଗୁଡ଼ିକ ସହିତ  ଉଲ୍ଲେଖ କରାଯାଇଛି ଯେ: ଆମେ ଚାଷୀ ଆତ୍ମହତ୍ୟା ପୀଡ଼ିତଙ୍କ ପରିବାର ପାଇଁ ୧୦ଲକ୍ଷ ଟଙ୍କାର ଅନୂକମ୍ପା ରାଶି ଦାବି କରୁଛୁ; ଆମେ ଗ୍ରାମରେ ୨୦୦ଦିନ କାମ ଯୋଗାଇବା ପାଇଁ ଓ ସର୍ବନିମ୍ନ ୩୭୫ଟଙ୍କା ପାରିଶ୍ରମିକ ପ୍ରଦାନ କରିବାକୁ ଦାବି କରୁଛୁ ’

ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ, ରାଜ୍ୟ ତରଫରୁ, ସେହି ଏକା ନିଟିସ୍‌ରେ, ଚାଷୀମାନଙ୍କ ଠାରୁ "ଡିକ୍ଲାରେଡ୍‌ ମିନିମମ୍‌ ପ୍ରୋକ୍ୟୋର୍‌ମେଣ୍ଟ ପ୍ରାଇସ୍‌” (କୁଇଣ୍ଟାଲ ପିଛା ୫୫୦ ଟଙ୍କା) ରେ ସିଧାସଳଖ ଆଳୁ ସଂଗ୍ରହ କରାଯିବ ବୋଲି କୁହାଯାଇଛି ଯାହା ମାର୍ଚ୍ଚ ୧, ୨୦୧୯ରୁ କାର୍ଯ୍ୟକାରୀ ହେବ । ଏହା, ନୋଟିସ୍‌ ମୁତାବକ, "ଚାଷୀମାନଙ୍କ ଠାରୁ ସିଧାସଳଖ ସଂଗ୍ରହ କରାଯାଇ ଶୀତଳ ଭଣ୍ଡାର ଗେଟ୍‌ରେ ରଖାଯିବା ପାଇଁ ପ୍ରସ୍ତୁତ ଥିବା ଆଳୁ” ପାଇଁ ପ୍ରଜୁଯ୍ୟ ଅଟେ।

ତେବେ, ପଶ୍ଚିମବଙ୍ଗରେ ଉତ୍ପାଦିତ ହେଉଥିବା ଲକ୍ଷ ଲକ୍ଷ ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାରର ସୁବିଧା ନାହିଁ । ଜାତୀୟ ହର୍ଟିକଲ୍‌ଚର୍‌ ବୋର୍ଡ ( କୃଷି ବିଭାଗ ଅଧିନରେ) ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ କୁହାଯାଇଛି ଯେ ରାଜ୍ୟରେ (ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ) ସର୍ବମୋଟ ୫.୯ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଆଳୁ ଶୀତଳ ଭଣ୍ଡାରରେ ଗଚ୍ଛିତ କରି ରଖାଯାଇପାରିବ । ତେବେ ୨୦୧୭-୧୮ ରେ, ପଶ୍ଚିମ ବଙ୍ଗରେ ୧୨.୭ ମିଲିୟନ୍‌ ଟନ୍‌ ଆଳୁ ଉତ୍ପାଦନ ହୋଇଥିଲା ।

“ ମାର୍ଚ୍ଚ ମାସରେ ଯେତେବେଳେ ଆଳୁ ଆଦାୟ ହୁଏ, ସେତେବେଳେ କୋଲ୍ଡ-ଚେନ୍‌ ତରଫରୁ ବିଜ୍ଞାପନ ପ୍ରକାଶ କରାଯାଇ ମୁଣ୍ଡ ପିଛା କେତେ ପରିମାଣର ଆଳୁ ଗଚ୍ଛିତ କରାଯିବ ଓ କେଉଁ ତାରିଖରେ କରାଯିବ ତାହା ଜଣାଯାଏ,’’ କହିଛନ୍ତି ଚିନ୍ତାମୋହନ । ଆମମାନଙ୍କୁ ଅଗ୍ରୀମ ଟଙ୍କା ପଇଠ କରିବାକୁ ହୋଇଥାଏ। ଯେତେବେଳେ ଦର ସର୍ବାଧିକ ହୁଏ, ସେତେବେଳେ ଆମେ ବଜାରରେ ଆଳୁ ବିକ୍ରି କରିଥାଉ। ବଳକା ଆଳୁ ଜମିରେ ରହି ପଚିଯାଏ । 

ଗତ ବର୍ଷ ମଧ୍ୟ, ଚାଷୀମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, କୋଲ୍‌କାତା ରାଲ୍ଲୀରେ ଯୋଗ ଦେଇଥିବା କିଛି ଲୋକ, ସେମାନଙ୍କ ପରିବାରର ସଦସ୍ୟଙ୍କ ଆତ୍ମହତ୍ୟା କରିବା ଯୋଗୁଁ  ସେମାନେ ଏବେ ମଧ୍ୟ ମାନସିକ ଯନ୍ତ୍ରଣା ଦେଇ ଗତି କରୁଥିବା କହୁଛନ୍ତି । “ମୋର ସ୍ୱାମୀ [ଦିଲୀପ]ଙ୍କୁ ଅଖା ପ୍ରତି ମାତ୍ର ୨୦୦ଟଙ୍କା ମିଳିଲା [ସେହି ବର୍ଷ, ଅର୍ଥାତ୍‌ ୨୦୧୫ ରେ କ୍ୱିଣ୍ଟାଲ୍‌ ପ୍ରତି ବ୍ୟୟ ପରିମାଣ ୫୫୦ - ୫୯୦ ହେବ ବୋଲି ଆକଳନ ହୋଇଥିଲା । ସେ ଆଳୁ ଚାଷ କରିବା ପାଇଁ ତିନି ଏକର ଜମି ଲିଜ୍‌ରେ ନେଇଥିଲେ,” ବୋଲି ପଶ୍ଚିମ ମେଦିନାପୁରର ଗାର୍‌ବେତା-୧ ବ୍ଲକର ଅଂକୋପା ଗ୍ରାମର ଜୋତ୍ସ୍ନା ମଣ୍ଡଳ କୁହନ୍ତି । ‘‘ତାଙ୍କ ଉପରେ ଅନ୍ୟ ଋଣବୋଝ ମଧ୍ୟ ରହିଥିଲା । ଋଣଦାତାଙ୍କଠାରୁ ଆରମ୍ଭ କରି ଜମିଦାର, ବିଦ୍ୟୁତ୍‌ ବିଭାଗ ଓ ବ୍ୟାଙ୍କ, ସମସ୍ତେ ତାଙ୍କ ଉପରେ ନିରନ୍ତର ଚାପ ପକାଉଥିଲେ । ସେହି ଦିନ- ଏପ୍ରିଲ ୪, ୨୦୧୫ ରେ ଜମିଦାର ତାଙ୍କୁ ଅପମାନିତ କଲା, ସେ ନିଜ କୁଡିଆରେ ଯେଉଁଠାରେ ସେ ଜମିରୁ ଆଳୁ ଆଣି ଗଚ୍ଛିତ କରି ରଖୁଥିଲେ,  ନିଜ ଗଳାରେ ଫାଶ ଲଗେଇ ଆତ୍ମହତ୍ୟା କଲେ’’।

Jyotsna Mondal at the rally
PHOTO • Smita Khator
Family members of farmers and farm labourers that committed suicide at the rally
PHOTO • Smita Khator

ବାମ : ୨୦୧୫ରେ ଜୋତ୍ସ୍ନା ମଣ୍ଡଳଙ୍କ ସ୍ୱାମୀ ନିଜ କୁଡିଆରେ ବେକରେ ଫାଶ ଲଗେଇ ଆତ୍ମହତ୍ୟା କରିଥିଲେ- ଯେଉଁଠାରେ ତାଙ୍କ ସେହି ପରିବାର ଆଳୁ ଗଚ୍ଛିତ କରି ରଖୁଥିଲା । ଡାହାଣ : ଆତ୍ମହତ୍ୟା କରିଥିବା ଚାଷୀମାନଙ୍କ ପରିବାରର ସଦସ୍ୟ ଓ କୃଷି ଶ୍ରମିକମାନେ

ମଞ୍ଜି ଦର ମଧ୍ୟ ବଢିଛି, ବୋଲି ଚିନ୍ତାମୋହନ କୁହନ୍ତି । “ଗତ ଦୁଇ ବର୍ଷ ହେବ ଆମେ ୫୦ଟଙ୍କାରେ ଏକ କିଲୋଗ୍ରାମ [ଆଳୁ] ମଞ୍ଜି କିଣୁଛୁ । ପୂର୍ବରୁ କିନ୍ତୁ ଆମେ ୩୫ଟଙ୍କାରେ ଏକ କେଜି ପାଇଯାଉଥିଲୁ । ଏ ବିଷୟରେ ସରକାର ହସ୍ତକ୍ଷେପ କରୁନାହାନ୍ତି, ବିଶେଷକରି ଆମ ଅଞ୍ଚଳରେ ତ ନହେଁ ।’’

‘ମିନିମମ୍‌ ପ୍ରୋକ୍ୟୋର୍‌ମେଣ୍ଟ ପ୍ରାଇସ୍‌’ ଘୋଷିତ ହୋଇଥିଲେ ମଧ୍ୟ, ଚିନ୍ତାମୋହନ କୁହନ୍ତି ଯେ “ଗୋଟିଏ ମଧ୍ୟ ଆଳୁ ଏହି ଭୁମିରୁ କୁଆଡେ ଯାଇନି।” ‘‘ଏହି ଋତୁରେ ମଧ୍ୟ କିଛି ଭିନ୍ନ ହେବନି ବୋଲି ସେ ବିଶ୍ୱାସ କରନ୍ତି, ଆମମାନଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ପଡିବ । ଚାଷୀ କିମ୍ବା ବ୍ୟାପାରୀ କେହି ମଧ୍ୟ ଲାଭାନ୍ୱିତ ହେବେ ନାହିଁ ।’’

ଏପରି ପରିସ୍ଥିତିରେ କାହିଁକି ଆଳୁଚାଷ କରିବା, ଯଦି ସବୁବେଳେ ଅତ୍ୟଧିକ ଉତ୍ପାଦନ ଯୋଗୁଁ ସଂକଟ ଉପୁଜୁଥିବ? ସେ କୁହନ୍ତି, “ମୁଁ ମଧ୍ୟ ଧାନ ଓ ଝୋଟ ଚାଷ କରୁଥିଲି, ଝୋଟ ଚାଷ କରିବା କଷ୍ଟକର କାମ, ଏଥିପାଇଁ ବହୁତ ପରିଶ୍ରମ କରିବାକୁ ହୋଇଥାଏ; ଆଳୁଚାଷ ଅପେକ୍ଷାକୃତ ସହଜ ଓ ନମନୀୟ – ଥରେ ବୁଣିବାକୁ ପଡେ, ତାପରେ କିଛି ପରିମାଣରେ ଜଳସେଚନ ବ୍ୟବସ୍ଥା ସହିତ ସପ୍ତାହରେ ଦୁଇଥର କୀଟନାଶକ ପ୍ରୟୋଗ କରିବାକୁ ହୋଇଥାଏ, ତା’ପରେ ଫସଲ ଆଦାୟ ପାଇଁ ପ୍ରସ୍ତୁତ ହୋଇଯାଏ’’।

କୋଲ୍‌କାତା ରାଲ୍ଲିରେ ଯୋଗ ଦେଇଥିବା ଅଧିକାଂଶ ପରିବାରର ସଦସ୍ୟମାନେ ଏ ବିଷୟରେ ଓ ଅନ୍ୟ ସମସ୍ୟାଗୁଡିକ ବିଷୟରେ କହିଛନ୍ତି, ଯାହା ମଧ୍ୟରେ ଅନେକ ସମାଞ୍ଜସ୍ୟ ରହିଛି- କୌଣସି ମୃତ୍ୟୁକୁ ଚାଷ ଜନିତ ଆତ୍ମହତ୍ୟା ବୋଲି ସ୍ୱୀକୃତି ପ୍ରଦାନ କରାଯାଇ ନାହିଁ । କେହି ମଧ୍ୟ ବିଧବା ପେନ୍‌ସନ୍‌ ପାଇନାହାନ୍ତି ଅଧିକାଂଶ ଆତ୍ମହତ୍ୟା ବୋଲି ପ୍ରମାଣିତ କରିବାକୁ କାଗଜ କାମରେ ଛନ୍ଦି ହୋଇ ରହିଛନ୍ତି । କାହାକୁ ମଧ୍ୟ ଫସଲ ବୀମା ମିଳିନାହିଁ ।

“ସରକାରଙ୍କ ପାଖରୁ ମୋତେ କାଣି କଉଡିଟିଏ  [ଡାଇମ୍‌] ମଧ୍ୟ ମିଳିନାହିଁ, ଏପରିକି ସେମାନେ ମୋର ସ୍ୱାମୀ ଆତ୍ମହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କରୁନାହାନ୍ତି!” ବୋଲି ଜୋତ୍ସ୍ନା କୁହନ୍ତି, “ମୋତେ ବିଧବା ପେନ୍‌ସନ୍‌ ମଧ୍ୟ ମିଳୁନି । ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କ କୃଷି ଋଣ ମଧ୍ୟ ଛାଡ କରାଯାଇ ନାହିଁ । ମୁଁ ସେହି ଋଣ ପରିଶୋଧ କରୁଛି । ସେମାନଙ୍କ ଋଣ ଶୁଝିବା ପାଇଁ (ଋଣଦାତା) ମୋତେ ପୁଣି ବନ୍ଧନ ବ୍ୟାଙ୍କରୁ [୮୦,୦୦୦ଟଙ୍କା] ଋଣ କରିବାକୁ ପଡିଲା । ବର୍ତ୍ତମାନ ମୁଁ ପ୍ରତି ସପ୍ତାହରେ ୧, ୦୦୦ ଟଙ୍କା ପରିଶୋଧ କରୁଛି,’’ ବୋଲି ସେ କାନ୍ଦି କାନ୍ଦି କୁହନ୍ତି । “ ଆମର ନିଜର ବୋଲି କେଉଁଠି କେହି ମଧ୍ୟ ନାହିଁ । ଦୟାକରି ଆସନ୍ତୁ ଓ ଆମ ପରି ଲୋକମାନେ କିଭଳି ବଞ୍ଚୁଛନ୍ତି ତାହା ଟିକେ ଦେଖନ୍ତୁ । ମୋର [ ସାନ] ପୁଅ ଓ ମୁଁ ପୂର୍ବାହ୍ନ ୮ଟାରୁ ଆରମ୍ଭ କରି ଦ୍ୱିପହର ୩ଟା ପର୍ଯ୍ୟନ୍ତ କେବଳ ୧୫୦ଟଙ୍କା ପାଇଁ ଜମିରେ ଖଟୁଛୁ । ଏ ପରିସ୍ଥିତିରେ ଆମେ କିଭଳି ବଞ୍ଚି ରହିବୁ ଓ ଋଣ ପରିଶୋଧ କରିବୁ?”

କଭର୍‌ ଫଟୋ: ଶ୍ୟାମଳ ମଜୁମଦାର

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Smita Khator

ମିତା ଖାତୁରଙ୍କ ଘର କୋଲକାତାରେ। ପରୀ ଅନୁବାଦର ସଂଯୋଜକ ଏବଂ ଜଣେ ବେଙ୍ଗଲୀ ଅନୁବାଦକ

Other stories by Smita Khator