କେନ୍ଦୁଝରର ୭ଟି ଗାଁରେ ସେମାନଙ୍କ ଜଙ୍ଗଲକୁ ଲୁହାପଥର ଖଣିରେ ପରିବର୍ତ୍ତନ କରିବା ପାଇଁ ଆଦିବାସୀମାନଙ୍କୁ ପ୍ରବର୍ତ୍ତାଗଲା। 

ଏହା ଏକ ଚୋରି

-୧୯୭୦ ମସିହାରେ ଗନ୍ଧମାର୍ଦ୍ଦନ ବ୍ଲକ୍-ବି ଖଣିକୁ ଓଡିଶା ମାଇନିଂ କର୍ପୋରେସନ୍ (ଓଏମସି)କୁ ପ୍ରଦାନ କରାଗଲା।

-୨୦୧୩ ମସିହାରେ ଖଣି କ୍ଷେତ୍ରରେ ଏକାଧିକ ଅନିୟମିତତା ହୋଇଥିବା ଶାହ କମିଶନ ଦର୍ଶାଇଲେ ।ଆବଶ ଆବଶ୍ୟକ ଜଂଗଲ ଅନୁମୋଦନ ବ୍ୟତୀତ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ୧.୨ ନିୟୁତ ଟନ୍ ଅଧିକ ଖଣିଜ ଉତ୍ତୋଳନ ହୋଇଥିଲା। ଏ ନେଇ ଦୁଇଟି ଜଂଗଲ ଆଇନ ଉଲଂଘନମାମଲା କେନ୍ଦୁଝର ଜିଲ୍ଲା କୋର୍ଟରେ ବିଚାରାଧୀନ ଅଛି। 

- ଜାନୁଆରୀ ୨୦୧୫ରେ ରାଜ୍ୟ ସରକାର ଓଏମସି ପକ୍ଷରୁ ଜଂଗଲ ଅନୁମୋଦନ ପାଇଁ ଆବେଦନ କଲେ। ବାର୍ଷିକ ଉତ୍ପାଦନ ୯.୨ ନିୟୁତ ଟନ୍‌କୁବୃଦ୍ଧି କରିବା ପାଇଁ ୧,୯୯୦ ହେକ୍ଟର ଜାଗାରେ ଜଂଗଲ କାଟ୍‌ ଅନୁମତି ପାଇଁ ଆବେଦନ କରିଥିଲେ। ଏହି ଜମି ମଧ୍ୟରେ ଥିଲା ସାତଟିଆଦିବାସୀ ଗାଁକୁ ପରିବେଷ୍ଟିତ ହୋଇ ରହିଥିବା ୧,୪୦୦ ହେକ୍ଟର ଜଂଗଲ। 

- ଏହି ଖଣିଜ ପଥରର ବାର୍ଷିକ ବିକ୍ରୀ ମୂଲ୍ୟ ୨,୪୧୬ କୋଟି ହେବ ବୋଲି ଓଏମସି ଆକଳନ କରିଥିଲା। ଏହି ସ୍ଥାନରେ ପରବର୍ତ୍ତୀ ୩୩ ବର୍ଷପାଇଁ ଖଣି ଖନନ ଏବଂ ମୋଟ ୩୦୦ ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଏମସିର ପ୍ରସ୍ତାବ ଥିଲା। 

- ଏହି ଜଂଗଲ ଅନୁମୋଦନ ପ୍ରସ୍ତାବ ଉପରେ ସଂପ୍ରତି ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ବିଚାର କରୁଛି। 

ସୂତ୍ର: ବେଆଇନ୍ ଖଣି ଖନନ ନେଇ ଜଷ୍ଟିସ୍ ଏମ.ବି ଶାହ କମିଶନଙ୍କ ତଦନ୍ତ ରିପୋର୍ଟର; ଗନ୍ଧମାର୍ଦ୍ଦନ ବ୍ଲକ-ବି ପାଇଁ ଜଂଗଲ ଅନୁମୋଦନଦାଖଲ

‘‘ମୁଁ ଓଡ଼ିଆରେ ଏହିଭଳି ଦସ୍ତଖତ କରେ। ମୋ ଜୀବନରେ ମୁଁ କେବେହେଲେ ଇଂରାଜୀ ପଢି ନାହିଁ। ମୁଁ ଇଂରାଜୀରେ କିଭଳି ଦସ୍ତଖତକରିପାରିବି?’’ ଏଭଳି ପ୍ରଶ୍ନ କଲେ ଉରୁମୁଣ୍ଡା ଗାଁର ଜଣେ ନିରୀହ ବ୍ୟକ୍ତି ଗୋପୀନାଥ ନାଏକ। 

 ଗାଁ ଜଙ୍ଗଲ ସୁରକ୍ଷା କମିଟିର ଜଣେ ସଦସ୍ୟ ହେଉଛନ୍ତି

ଗୋପୀନାଥ ନାଏକ। ଗ୍ରାମସଭାରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବରେ ତାଙ୍କ ନାଁରେ ଇଂରାଜୀରେ ଦସ୍ତଖତ ହୋଇଥିବା ସେ ଜାଣିବାକୁପାଇଲେ।

ଗ୍ରାମସଭାରେ ଗୃହୀତ ଏହି ପ୍ରସ୍ତାବରେ ୮୫୩ ହେକ୍ଟର ଜଂଗଲ ଜମି ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି)କୁ ହସ୍ତାନ୍ତର କରିବା ପାଇଁଉରୁମୁଣ୍ଡା ଗ୍ରାମବାସୀଙ୍କ ସହମତି ଥିଲା। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟରେ ଦାଖଲ ହୋଇଥିବା ୭ଟି ଗାଁରଗ୍ରାମସଭା ପ୍ରସ୍ତାବ ଭିତରୁ ଏହା ଥିଲା ଗୋଟିଏ। ୨୦୧୫ ଜାନୁଆରୀ ମାସରେ ଜଂଗଲ ଅନୁମୋଦନ ପାଇଁ ରାଜ୍ୟ ସରକାର ଏବଂ ଓଏମସିକରିଥିବା ଆବେଦନର ଏହା ଏକ ଦସ୍ତାବିଜ୍।

ଗୋପୀନାଥ ନାଏକ, ଉରୁମୁଣ୍ଡା: ‘ମୁଁ କେବେ ଇଂରାଜୀ ପଢି ନାହିଁ ... ମୁଁ କିଭଳି ଇଂରାଜୀରେ ଦସ୍ତଖତ କରିପାରିବି ? ’

ଭାରତର ସବୁଠୁ ବଡ ସରକାରୀ ଖଣି ଭାବେ ଦାବି କରୁଥିବା ଓଏମସି ଉରୁମୁଣ୍ଡା ସମେତ ୭ଟି ଗାଁର ୧,୪୦୯ ହେକ୍ଟର (୪୫ଟି ଲୋଦିଗାର୍ଡେନର ଜାଗା ସହ ସମାନ) ଜଙ୍ଗଲ ସମେତ ୧,୫୯୦ ହେକ୍ଟର ଜମିକୁ ଲୁହା ଖଣିରେ ରୂପାନ୍ତରିତ କରିବାକୁ ଜଂଗଲ ଅନୁମୋଦନ ଚାହୁଁଛି। ୩୦୦ ନିୟୁତ ଟନ୍ ବିଶିଷ୍ଟ ଏହି ଖଣିର ନାଁ ହେଉଛି ‘ଗନ୍ଧମାର୍ଦ୍ଦନ-ବି ଲୁହାପଥର ଖଣି’।

 ଓଏମସିର ଏହା ୩୩ ବର୍ଷିଆ ପ୍ରକଳ୍ପ। ପ୍ରସ୍ତାବିତ ତଥ୍ୟ ଅନୁଯାୟୀ ଖଣିରୁ ବର୍ଷକୁ ୨,୪୧୬ କୋଟି ଟଙ୍କାର ୯.୨ ନିୟୁତ ଟନ୍ ଖଣିଜ ପଦାର୍ଥ ଉତ୍ତୋଳନ ହେବ। ଖଣିର ମୋଟ ଉତ୍ପାଦର ମୂଲ୍ୟ ହେବ ୭୯,୦୦୦ କୋଟି ଟଙ୍କା ।

ଗନ୍ଧମାର୍ଦ୍ଦନରେ ୧,୫୯୦ ହେକ୍ଟର ଜଂଗଲ ଜମିରୁ ଓଡ଼ିଶା ମାଇନିଂ କର୍ପୋରେସନ୍ ୩୦୦ ନିୟୁତ ଟନ୍ ଉତ୍ତୋଳନ ଲକ୍ଷ୍ୟ ରଖିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୨୫୦ କିଲୋମିଟର ଉତ୍ତରକୁ କେନ୍ଦୁଝର ଜିଲ୍ଲାରେ ଗନ୍ଧମାର୍ଦ୍ଦନ ପର୍ବତମାଳା। ପର୍ବତ ଉପରେଆଦିବାସୀ ମୁଣ୍ଡା ଏବଂ ଭୂୟାଁ ଗାଆଁ, ପର୍ଣ୍ଣମୋଚି ଜଂଗଲ, ପାହାଡରେ ମକା, ବାଜରା ଆଉ ରାଶିର କ୍ଷେତ ସାଙ୍ଗକୁ ପ୍ରାକୃତିକ ଝରଣାରସୌନ୍ଦର୍ଯ୍ୟ। ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସହ ଏଠାରେ ହାତୀପଲଙ୍କୁ ଦେଖିବାକୁ ମିଳେ। ଗ୍ରାମବାସୀ ଏବଂ ଜଂଗଲ ବିଭାଗ କର୍ମଚାରୀଙ୍କ କହିବା କଥାହାତୀମାନେ ଏଠାରେ ଦଳବାନ୍ଧି ଘୁରି ବୁଲନ୍ତି। 

 ଭାରତର ୩ ଭାଗରୁ ଏକ ଭାଗ ହେମାଟାଇଟ୍ ଲୁହା ପଥର ଏଠାରେ ଗଚ୍ଛିତ ରହିଛି। 

 ୨୦୦୫ ରୁ ୨୦୧୨ ପର୍ଯ୍ୟନ୍ତ ପଣ୍ୟ କାରବାର ବୃଦ୍ଧି ପାଇଲା। ବିଶେଷ କରି ଚୀନକୁ ଆକର୍ଷଣୀୟ ରପ୍ତାନୀ ହେଲା। କେନ୍ଦୁଝର ଏବଂ ଏହାରପଡୋଶୀ ଜିଲ୍ଲା ସୁନ୍ଦରଗଡରେ ଲୁହାପଥର ପାଇଁ ପାହାଡ ପର୍ବତ ଖୋଳା ଚାଲିଲା। କିଛି ଧନୀ ଏବଂ ରାଜନୈତିକ ଗୋଷ୍ଠୀଙ୍କ ଫାଇଦା ପାଇଁଚାରିଆଡେ ବ୍ୟାପକ ଆଇନ ଉଲଂଘନ ଏବଂ ସ୍ଥାନୀୟ ଆଦିବାସୀ ସମାଜର ଅପବ୍ୟବହାର କରାଗଲା। ଯେଉଁଥିରୁ ପ୍ରଚୁର ଲାଭ ମିଳିଲା। ଖଣିଅନିୟମିତତା ନେଇ ଶାହ କମିଶନ (ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏମ.ବି ଶାହଙ୍କ ନେତୃତ୍ୱରେ)ଙ୍କ ତଦନ୍ତ ରିପୋର୍ଟରେ ଏହାକୁହାଯାଇଛି। ୨୦୧୧-୨୦୧୩ ମଧ୍ୟରେ ଶାହ କମିଶନ ଏହି ଅଞ୍ଚଳରେ ତଦନ୍ତ କରିଥିଲେ। 

 ୨୦୧୩ରେ ଓଡ଼ିଶାର ନବୀନ ସରକାର ବିଭିନ୍ନ ଖଣି କମ୍ପାନୀଗୁଡିକୁ ବେଆଇନ ଖଣି ଖନନ ପାଇଁ ୫୯,୨୦୩ କୋଟି ଟଙ୍କାର ରିକଭରିନୋଟିସ ପଠାଇଲେ। ଏହି ଅର୍ଥ ରାଜ୍ୟର ବାର୍ଷିକ ଜିଡିପିର ଏକ ଚତୁର୍ଥାଂଶ। କିନ୍ତୁ ଖଣି କମ୍ପାନୀ ଏପର୍ଯ୍ୟନ୍ତ ଟଙ୍କାଟିଏ ଦେଇନାହାନ୍ତି।

ବହୁ ଆଦିବାସୀ ଗ୍ରାମବାସୀଙ୍କ ଚାଷଜମିରେ ଓଡ଼ିଶା ମାଇନିଂ କର୍ପୋରେସନ ଗନ୍ଧମାର୍ଦ୍ଦନ ଖଣିର ଲିଜ୍ ଅଞ୍ଚଳ ଭାବେ ଚିହ୍ନଟ କରି ଖୁଣ୍ଟିପୋତିଲା।

ଏହି ବ୍ୟାପକ ଅନିୟମିତତା ଓଡ଼ିଶାର ସବୁଠୁ ବଡ ଦୁର୍ନୀତିକୁ ଜନ୍ମ ଦେଲା। ଏହାକୁ ନେଇ ୨୦୧୩ରେ ଶାହ କମିଶନ ଏହିଭଳି ରିପୋର୍ଟଦେଇଥିଲେ, ‘‘କୌଣସି ଆଇନ୍ କାନୁନ ନାହିଁ, ସଂପୃକ୍ତ ବିଭାଗର ଜ୍ଞାତସାରରେ କ୍ଷମତାଶାଳୀ ମାଇନିଂ ଲିଜରମାନଙ୍କ ନିଷ୍ପତ୍ତି ହେଉଛିଆଇନ।’’

 କିନ୍ତୁ ବର୍ତ୍ତମାନ ୨୦୧୬ରେ ପୂର୍ବରୁ ସାମାନ୍ୟ ଗୁରୁତ୍ୱ ଥିବା ଆଦିବାସୀମାନଙ୍କର ଏବେ ଆଦୌ ଗୁରୁତ୍ଵ ନାହିଁ ।

 ଉରୁମୁଣ୍ଡା ଗାଁରେ ନାଏକଙ୍କ ବ୍ୟତୀତ ଆହୁରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ନାଁ ପ୍ରସ୍ତାବରେ ତିନିଥର ଲେଖାଯାଇଛି। ଅନେକଗ୍ରାମବାସୀଙ୍କ ନାଁ ଏବଂ ଦସ୍ତଖତ ଜାଲିଆତି ହୋଇଥିବା ଦର୍ଶାଇଛନ୍ତି। ଗ୍ରାମବାସୀ ବୈଦ୍ୟନାଥ ସାହୁ ତାଙ୍କ ନାଁ ୩ ଥର ବ୍ୟବହାର ହୋଇଥିବାଜାଣିବାକୁ ପାଇଛନ୍ତି। ବୈଦ୍ୟନାଥ ପରିହାସ କରି କହିଛନ୍ତି ଯେ, ‘‘ସେମା​‌ନେ ମୋତେ ୩ରୁ ଅଧିକ ଥର ବିକ୍ରି କରି ଦେଇଛନ୍ତି।’’

ବୈଦ୍ୟନାଥ ସାହୁ, ଉରୁମୁଣ୍ଡା: ‘‘ସେମା​‌ନେ ମୋତେ ୩ରୁ ଅଧିକ ଥର ବିକ୍ରି କରି ଦେଇଛନ୍ତି’’

ପରିବେଶ ମନ୍ତ୍ରାଳୟରେ ଜଂଗଲ ଅନୁମୋଦନ ପାଇଁ ଦାଖଲ ହୋଇଥିବା ଦସ୍ତାବିଜ ମୁତାବକ ତଥ୍ୟ ମୁତାବକ ୨୦୧୧ ନଭେମ୍ବର ଏବଂଡିସେମ୍ବରରେ ଗନ୍ଧମାର୍ଦ୍ଦନ ଜଙ୍ଗଲର ଉରୁମୁଣ୍ଡା ଏବଂ ଅନ୍ୟ ୬ଟି ଗାଁ ଉପର ଜଗଡା, ଡଅଁଳା, ଆମ୍ବଦହଡା, ନିତିଗୋଠ, ଉପର କଇଁସିଆରୀଏବଂ ଇଚିଣ୍ଡାରେ ଗ୍ରାମସଭା ହୋଇଥିଲା। ୨,୦୦୦ରୁ ଅଧିକ ଲୋକଙ୍କ ଦସ୍ତଖତ ଏବଂ ଟିପଚିହ୍ନ ଥିବା ଏହି ଗ୍ରାମସଭାର ନକଲଗୁଡିକ ମୁଁଗୋଟିଏ ପରେ ଗୋଟିଏ ଗାଁର ଲୋକଙ୍କୁ ଦେଖାଇଲି। ଗ୍ରାମବାସୀ କହିଲେ ଏଭଳି କୌଣସି ମିଟିଂ ହୋଇ ନାହିଁ କି କୌଣସି ପ୍ରସ୍ତାବ ଗୃହୀତହୋଇ ନାହିଁ। 

​ନୀତିଗୋଠ ଗାଁରେ ହୋଇଥିବା ଗ୍ରାମସଭା ପ୍ରସ୍ତାବର ନକଲ ଦେଖି ପଞ୍ଚାୟତ ସମିତି ସଦସ୍ୟ ଶକୁନ୍ତଳା ଦେହୁରୀ ପ୍ରବଳ ବର୍ଷଣ କଲେ। ଅନ୍ୟ୬ଟି ଗାଁରେ ଗୃହୀତ ହୋଇଥିବା ଗ୍ରାମସଭା ପ୍ରସ୍ତାବରେ ନୀତିଗୋଠ ଗ୍ରାମସଭା ପ୍ରସ୍ତାବ ଭଳି ବର୍ଣ୍ଣନା ହୋଇଛି। ଗୃହୀତ ହୋଇଥିବା ପ୍ରସ୍ତାବଏହିଭଳି, ନୀତିଗୋଠ ଗ୍ରାମବାସୀମାନେ ଏକ ବୈଠକ କରି କହିଲେ ଯେ, ଜଙ୍ଗଲକୁ ସେମାନେ କୃଷି ପାଇଁ, ଘର ତିଆରି ପାଇଁ ବା ଜୀବିକାପାଇଁ ବ୍ୟବହାର କରୁନାହାନ୍ତି। କୌଣସି ବ୍ୟକ୍ତି କିମ୍ବା ସମାଜ ଏଥିପାଇଁ ଏ ନେଇ ଦାବି କରୁନାହାନ୍ତି। ପ୍ରତ୍ୟେକ ପ୍ରସ୍ତାବରେ ଗ୍ରାମବାସୀମାନେକହିଛନ୍ତି ଯେ, ଖଣି ଖୋଲିଲେ ସେମାନଙ୍କୁ ଜୀବିକା ମିଳିବ ଏବଂ ଜଂଗଲକୁ ଅନ୍ୟ ଦିଗରେ ବ୍ୟବହାର କରିବାକୁ ସରକାରଙ୍କୁ ସେମାନେଅନୁରୋଧ କରିଛନ୍ତି। 

 ଶକୁନ୍ତଳା ଗ୍ରାମସଭାର ନକଲ ପଢିବା ମାତ୍ରେ ଗ୍ରାମବାସୀମାନେ ଏକାଠି ହୋଇଗଲେ। ପଢିବା ପରେ ରାଗିଯାଇଥିବା ଶକୁନ୍ତଳା କହିଲେ, ‘ଦୟାକରି ସେ ହାରାମଜାଦା ଅଫିସରକୁ ମୋ ସାମ୍ନାକୁ ଆଣନ୍ତୁ, ଯିଏ ଏସବୁ ଉଦ୍ଭଟ ଏବଂ ମିଛ କଥା ଲେଖିଛି ।’

 ଏହି ଅଞ୍ଚଳର ଅନ୍ୟ ଗାଁ ଭଳି ନୀତିଗୋଠ ଏବଂ ଆମ୍ବଦହଡା, ଏବଂ ଓଡ଼ିଶାର ପ୍ରାୟ ୧୫.୦୦୦ ଗାଁର ପରଂପରା ହେଉଛି ଜଂଗଲକୁ ସୁରକ୍ଷାଦେବା। ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ପ୍ରତ୍ୟକ୍ଷ ଭାବେ ଏହାର ଅନୁଧ୍ୟାନ କରୁଛନ୍ତି। ଉଦାହରଣସ୍ୱରୂପ, ଏଠାରେ ଗ୍ରାମବାସୀମାନେପାଳିକରି ଜଂଗଲ ଜଗନ୍ତି। ପ୍ରତିଦିନ ଗାଁର ୫ଜଣ ଲୋକ ଜଂଗଲ ଜଗିଥାନ୍ତି ଯେଭିଳି ଜଂଗଲରୁ ଗୋଟିଏ ଗଛ କଟାଯିବ ନାହିଁ କି ଚୋରୀ ହେବନାହିଁ

ନୀତିଗୋଠ ଗାଁର ଜଂଗଲ ସୁରକ୍ଷା ତାଲିକା ଦେଖାଇଲେ ପଞ୍ଚାୟତ ସମିତି ସଦସ୍ୟ ଶକୁନ୍ତଳା ଦେହୁରୀ।

‘ଆମେ ଜଙ୍ଗଲକୁ ସୁରକ୍ଷା ଦେଉଛୁ। ଜଂଗଲ ଆମକୁ ପାଳିଛି ।’ ସେଦିନ ଜଂଗଲ ଜଗିବା ଦାୟିତ୍ୱରେ ଥିବା ଗ୍ରାମବାସୀ କବିରାଜ ଦେହୁରୀଏହା କହିଲେ। କବିରାଜ ଦେହୁରୀ ଆହୁରି କଲେ ଯେ ‘ଆମେ କିଭଳି ଏକ ଗ୍ରାମସଭାରେ ବସି କହିପାରିବୁ ଯେ ଜଂଗଲ ଉପରେ ଆମରଦାବି ନାହିଁ। ଆମେ କିଭଳି କହିପାରିବୁ ଜଂଗଲକୁ ଓଏମସିକୁ ଦେଇ ଦିଆଯାଉ ବୋଲି’। ଗ୍ରାମସଭା ପ୍ରସ୍ତାବରେ ଅନେକ ମିଥ୍ୟା ତଥ୍ୟଦିଆଯାଇଥିବା ସେ ଦର୍ଶାଇଲେ।

ସୁଜିତ ଦେହୁରୀ ଏବଂ ଭଉଣୀ ହେମଲତାଙ୍କ ନାଁ ଗ୍ରାମସଭା ପ୍ରସ୍ତାବରେ ଥିଲା। ଯେତେବେଳେ ଏହି କଳ୍ପିତ ଗ୍ରାମସଭା ହୋଇଥିଲା, ସେସମୟରେ ଏମାନେ ୪ର୍ଥ ଏବଂ ୫ମ ଶ୍ରେଣୀରେ ପଢୁଥିଲେ।

ଉପର ଜଗଡାରେ ଲୋକେ ଘେରିଯାଇ ଗ୍ରାମସଭା ପ୍ରସ୍ତାବକୁ ‘ଜାଲିଆତି’ ‘ଜାଲିଆତି’ ବୋଲି ଗୁଣୁଗୁଣୁ ହେଲେ। ଗୋବିନ୍ଦ ମୁଣ୍ଡାଙ୍କ ନାଁଦୁଇଥର ଲେଖାଯାଇଥିବା ଏବଂ ପ୍ରତିଥର ଅଲଗା ଅଲଗା ଦସ୍ତଖତ ହୋଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହେଲେ। ତାଙ୍କ ଦସ୍ତଖତ କିଭଳି ସେନିଜେ ଲେଖି ଦେଖାଇଦେଲେ। 

 ଗ୍ରାମସଭା ପ୍ରସ୍ତାବର ତାଲିକା ପଢିବାରୁ ଜଣାପଡିଲା, ଏଥିରେ ଥିବା ନାଁର ଅଧାଲୋକ ସେମାନଙ୍କ ଗାଁର ନୁହନ୍ତି। ଖଗେଶ୍ୱର ପୂର୍ତ୍ତି କହିଲେ‘‘ଓଏମସି ଖଣି କ୍ଷେତକୁ ନଷ୍ଟ କରି ଦେଇଛି, ଝରଣାକୁ ବନ୍ଦ କରି ଦେଇଛି। ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଆମେ ଅନେକ ଥର ଅଭିଯୋଗ କଲୁଣି। କିନ୍ତୁଆମ କଥା ଶୁଣୁଛି କିଏ? ଯଦି ତାଙ୍କ ପ୍ରସ୍ତାବ ଉପରେ ଆମେ ଗ୍ରାମସଭା କରିଥାନ୍ତୁ ଏଭଳି ଏକ ଅବାସ୍ତବ ନିଷ୍ପତ୍ତି ନେଇଥାଆନ୍ତୁ କି?’’

ଗ୍ରାମସଭା ପ୍ରସ୍ତାବରେ ଗୋବିନ୍ଦ ମୁଣ୍ଡାଙ୍କ ଜାଲ ଦସ୍ତଖତ ଏବଂ ଟିପ ଚିହ୍ନ ସହ ଏକାଧିକ ଥର ତାଙ୍କ ନାଁ ରହିଛି। 

ଆମ୍ବଦହଡାରେ ୪ଟି ପ୍ରସ୍ତାବରେ ନିଜର ନାଁ ଦେଖି ପୂର୍ବତନ ସରପଞ୍ଚ ଗୋପାଳ ମୁଣ୍ଡା ମୁଣ୍ଡ ହଲାଇଲେ। ତାଙ୍କ ଅଧିନରେ ଆସୁଥିବା ୪ଟି ଗାଁରପ୍ରସ୍ତାବରେ ତାଙ୍କ ନାଁ ଥିଲା ଏବଂ ତାଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ହୋଇଥିବା ଦର୍ଶାଯାଇଥିଲା। ସେ ଉତକ୍ଷିପ୍ତ ହୋଇ କହିଲେ, ‘କିଏ ମୋନାଁରେ ଏଭଳି ମିଛ କହିଛି। ମୋତେ ଭୁବନେଶ୍ୱର କିମ୍ବା ଦିଲ୍ଲୀ କୋର୍ଟକୁ ନିଆଯାଉ। ମୁଁ ମୁଣ୍ଡ ଉପରକୁ କରି କହିବି, ଏଭଳି କୌଣସି ମିଟିଂ ମୁଁକରିନଥିଲି ।’ ‘‘ ଏହି ପାହାଡ ଜଙ୍ଗଲ ପାଇଁ ଆମେ ଖାଦ୍ୟ ଶସ୍ୟ ଓ ପାଣି ପାଉଛୁ। ସେମାନେ ଆମର ସମ୍ପତ୍ତି ଆମଠାରୁ ଛଡ଼େଇ ନେଉଛନ୍ତି ଓ ଆଉ ନିଜେ ଧନୀ ହେଉଛନ୍ତି।’’ ଗୋପାଳ ମୁଣ୍ଡାଙ୍କୁ ଘେରିଥିବା ଲୋକେ କ୍ରୋଧ ପ୍ରକାଶ କରି ଏଭଳି କହିଲେ।  

ଡଅଁଳା ଗାଁର ମଶୁରୀ ବେହେରା କହିଲେ, ‘ଆମ ପେଟକୁ ସେମାନେ କାହିଁକି ଏଭଳି ଲାତ ମାରୁଛନ୍ତି ? ଆମର ତ ସହଜେ ଛୋଟିଆ ପେଟ।’କେତେବେଳେ ଏଭଳି ମିଟିଂ ହେଲା। ଯଦି ହେଲା ଆମେ କେମିତି ଜାଣି ପାରିଲୁ ନାହିଁ ?’

ମଶୁରୀ ବେହେରା, ଡଅଁଳା ଗ୍ରାମ: ‘କାହିଁକି ସେମାନେ ଆମ ପେଟକୁ ଲାତ ମାରୁଛନ୍ତି। ଆମର ତ ସହଜେ ଛୋଟିଆ ପେଟ ।’

ଗାଁ ଲୋକଙ୍କ ହିସାବକୁ ଛାଡି ୭ଟି ଅଲଗା ଅଲଗା ମିଟିଂରେ ସମାନ ପ୍ରକାର ଅନିୟମିତତା ହୋଇଛି। ଓଡ଼ିଆରେ ଗୃହୀତ ପ୍ରସ୍ତାବର ଇଂରାଜୀଅନୁବାଦରେ ଶେଷ କଥା କୁହାଯାଇପାରେ, ଯେ ୨୦୧୫ ସେପ୍ଟେମ୍ବର ମିଟିଂରେ ଓଏମସି ଜଂଗଲ ଅନୁମୋଦନ ପ୍ରସ୍ତାବ ଉପରେ ଜଂଗଲପରାମର୍ଶଦାତା କମିଟି(ଏଫଏସି)ର କୌଣସି ପ୍ରଶ୍ନ ନାହିଁ।

୭ଟି ଗ୍ରାମସଭା ପ୍ରସ୍ତାବରୁ ଦୁଇଟି। ଯଦି ଜଂଗଲ ଅନୁମୋଦନ ପାଇଁ ସରକାର ଦେଇଥିବା ତଥ୍ୟକୁ ବିଶ୍ୱାସ କରାଯାଏ, ତେବେ ୭ଟି ଗାଁରେହୋଇଥିବା ମିଟିଂର ଫଳାଫଳ ସମାନ ଏବଂ ସମାନ ପ୍ରସ୍ତାବ ଗୃହୀତ ହୋଇଛି।

ନିଜ ନାଁକୁ ଗୋପନ ରଖିବାକୁ ଅନୁରୋଧ କରି ଜଣେ ଏଫଏସି ସଦସ୍ୟ କହିଲେ ଯେ, ‘‘ଏହି ଅଞ୍ଚଳରେ ଖଣିଗୁଡିକୁ ଜଂଗଲ ଅନୁମୋଦନପାଇଁ ଚାପ ରହିଛି। ପୂର୍ବରୁ ଏସବୁ ଜିନିଷ ଉପରେ ଦୃଷ୍ଟି ଦେବାକୁ ଅବକାଶ ଥିଲା। କିନ୍ତୁ ବର୍ତ୍ତମାନ ସେ ସବୁ ପାଇଁ ସମୟ ନାହିଁ କିମ୍ବା ସେଭଳିପ୍ରତ୍ୟାଶା ବି ନାହିଁ ।’’

 ବଡ ପ୍ରଶ୍ନ: ଗ୍ରାମବାସୀଙ୍କୁ ଏଭଳି କାହିଁକି ପ୍ରତାରଣା କରାଯାଉଛି? ଜଂଗଲ ଅଧିକାର ଆଇନ ଅଧିନରେ ହୋଇଥିବା ଆକଳନ ଅନୁସାରେଭାରତରେ ୧୫୦ ନିୟୁତ ଜଂଗଲ ଅଧିବାସୀ ଅଛନ୍ତି। ଜଂଗଲ ଜମିକୁ ଅନ୍ୟ ଭାବେ ବ୍ୟବହାର କରିବାକୁ ଗୋଟିଏ ଗାଁ ୫୦ ପ୍ରତିଶତରୁ ଅଧିକଲୋକଙ୍କ ସହମତି ବାଧ୍ୟତାମୂଳକ। ଉଦାହରଣ ସ୍ୱରୂପ ଏହି କ୍ଷେତ୍ରରେ, ୩୦୦ ନିୟୁତ ଟନ୍‌ର ଲୁହାପଥର ଉତ୍ତୋଳନ ପାଇଁ ଓଏମସି୧,୪୦୯ ହେକ୍ଟର ଜଂଗଲ ଅକ୍ତିଆର କରିବାକୁ ଚାହୁଁଛି। 

 ୨୦୦୬ରେ ବିଳମ୍ବରେ କାର୍ଯ୍ୟକାରୀ ହୋଇଥିବା ଏଫଆରଏ ଅନୁଯାୟୀ, ଜଂଗଲ ଭିତରେ କିମ୍ବା ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବାଲୋକ ଯେଉଁମାନଙ୍କର ନିଜ ଘର, ଜମି ଏବଂ ଜୀବିକା ଉପରେ ଆଇନଗତ ଅଧିକାର ନାହିଁ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା। ସେମାନେରହିଥିବା ଜଂଗଲ ଜମି ଉପରେ ତାଙ୍କୁ ଅଧିକାର ଦେବା। ଉପନିବେଶବାଦ ସମୟର ‘ଐତିହାସିକ ଅବିଚାର’ର ସଂଶୋଧନ କରିବା ଏହାରଲକ୍ଷ୍ୟ ଥିଲା। 

 ଏଫଆରଏ ଅନୁଯାୟୀ, ଶିଳ୍ପ ଉଦ୍ଦେଶ୍ୟରେ ଜଂଗଲକୁ ଅଧିଗ୍ରହଣ କରାଯାଇପାରିବ, ଯଦି ଗ୍ରାମବାସୀମାନେ ଏହାକୁ ପାରମ୍ପରିକ ଭାବେବ୍ୟବହାର କରୁଥିବା ଚିହ୍ନଟ ହୁଏ। ସେଠାରେ ଅବସ୍ଥାନ କରୁଥିବା ବ୍ୟକ୍ତି କିମ୍ବା ସମାଜକୁ ଜଂଗଲ ଜମି ପ୍ରଦାନ କରି ଏହା କରାଯାଇପାରିବ।

ଓଡ଼ିଶାର ଏକ ଏନଜିଓ ବସୁନ୍ଧାରର ସର୍ବେକ୍ଷଣ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ଥିବା ଜଂଗଲ ମଧ୍ୟରୁ ୩୩୬,୬୧୫ ହେକ୍ଟର ଗୋଷ୍ଠୀ ଜଂଗଲରହିଛି, ଯାହା ଉପରେ ଗାଁଗୁଡିକର ଅଧିକାର ରହିଛି। 

(ସୌଜନ୍ୟ: ବସୁନ୍ଧରା)

ଯେହେତୁ ଗାଁ ଲୋକେ ପାରମ୍ପରିକ ଭାବେ ବ୍ୟବହାର କରୁଥିବା ଜଙ୍ଗଲର ଧ୍ୱଂସ ପାଇଁ ପ୍ରସ୍ତାବ ଦିଆଯାଇଛି ତେଣୁ ସ୍ଥାନୀୟ ବ୍ୟକ୍ତିମାନଙ୍କର ନିଷ୍ପତ୍ତି ଗ୍ରହଣରେ ଅଧିକାର ଗୁରୁତ୍ୱପୂର୍ଣ୍ଣ। 

ଏଭଳି ସ୍ୱୀକୃତି ବ୍ୟତୀତ, ସେମାନଙ୍କ ସମ୍ବଳର ଲୋଭନୀୟ ଆର୍ଥିକ କାରବାରରେ ସେମାନଙ୍କୁ ଅଧିକୃତ ଜଂଗଲ ଜମିରୁ ଲାଭ ପାଇବାରୁମଧ୍ୟ ବଂଚିତ କରାଯାଇଛି। ଉଦାହରଣସ୍ୱରୂପ, ଓଏମସିର ପ୍ରତିବର୍ଷ ଲୁହାପଥର ବିକ୍ରି ମୂଲ୍ୟ ୨,୦୦୦ କୋଟି ଏବଂ ଖଣିରୁ ପ୍ରସ୍ତାବିତ ଅବଧିରେମୋଟ ଆୟ ପରିମାଣ ୭୯,୦୦୦ କୋଟି ଟଙ୍କା। ‘‘କିନ୍ତୁ ସ୍ଥାନୀୟ ଜନଜାତି ଏହି ବ୍ୟବସ୍ଥାରୁ କ’ଣ ଲାଭ ପାଇଲେ ?’’ ଜଣେ ବରିଷ୍ଠ ଜଙ୍ଗଲ ଅଧିକାରୀ ମୋତେ ଏହି ପ୍ରଶ୍ନ କଲେ। 

ଜାନୁଆରୀ୨୦୧୬ ସଂଶୋଧନ ଅନୁଯାୟୀ ଏସସି ଏସଟି ଆଇନ୍ ଏଫଆରଏ ନିୟମକୁ ଅଧିକ ମଜବୁତ କରିଛି। ଏହି ସଂଶୋଧନ ଅନୁଯାୟୀଜଂଗଲ ଅଧିକାରର ଉଲଂଘନ ଦଣ୍ଡନୀୟ ଅପରାଧ। 

 କିନ୍ତୁ ଏହି ୭ଟି ଗାଁର ବହୁ ଲୋକ ଜଂଗଲ ଅଧିକାର ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ମିଳିନାହିଁ। ଯେଉଁ କିଛି ଲୋକଙ୍କୁ ମିଳିଛି(୨୫ରୁ ୮୦ ଡେସିମାଲ) ତାହା ତାଙ୍କର ଆବେଦନ ତୁଳନାରେ ଖୁବ୍ କମ୍। ଏପରିକି ଜିଲ୍ଲା ପ୍ରଶାସନ ମଧ୍ୟ ଡଅଁଳା ଏବଂ ଉପର କଇଁସିଆରୀଗାଁରେ କୌଣସି ଜମି ପ୍ରଦାନ କରିନାହିଁ। କେନ୍ଦୁଝର ଜିଲ୍ଲାରେ ଏଫଆରଏ ଦାବି ଉପରେ କାମ କରୁଥିବା ଜଣେ କ୍ଷେତ୍ରାଧିକାରୀ ନିଜ ନାଁଗୋପନ ରଖିବାକୁ ଅନୁରୋଧ କରି ମୋତେ କହିଲେ ଯେ, ଡଅଁଳା ଗାଁର ଜଙ୍ଗଲ ଜାଗା ଓଏମସି ଖଣିକୁ ଚାଲି ଯାଉଛି। ତେଣୁ ଆମେକେବଳ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରିବା ଉଚିତ। 

ଅନ୍ୟ ଅନିୟମିତତା ହେଉଛି, ଏହି ୭ଟି ଗାଁରୁ କୌଣସି ଗାଁକୁ ସମୁହ ସଂପତ୍ତି ପ୍ରଦାନ କରାଯାଇନାହିଁ। ଯଦିଓ ସେମାନଙ୍କ ପରିସୀମା ମଧ୍ୟରେଗୋଷ୍ଠୀ ଜଂଗଲ ରହିଛି, ଆଇନଗତ ଭାବେ ସେମାନଙ୍କର ଜଂଗଲଜାତ ଦ୍ରବ୍ୟ ଯେପରିକି ଜାଳେଣି କାଠ ଉପରେ ଅଧିକାର ରହିଛି ଏବଂସେମାନେ ନିୟମିତ ଭାବେ ଜଂଗଲକୁ ସୁରକ୍ଷା ପ୍ରଦାନ କରୁଛନ୍ତି। 

କାହିଁକି ଗ୍ରାମବାସୀଙ୍କୁ ସେମାନଙ୍କ ଅଧିକାର ଦିଆଯାଇନାହିଁ, ତା’ର ରେକର୍ଡ ମଧ୍ୟ କରି ନାହାନ୍ତି ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ବିଷ୍ଣୁ ସାହୁ। ଯଦିଓ ଏଫଆରଏ ଆଇନ ଅନୁସାରେ ଏହା ହେବା କଥା। ଏପରିକି ୨୦୧୩ ଜାନୁଆରୀ ୧୯ରେ ଓଏମସି ସପକ୍ଷରେ ଏକ ମିଥ୍ୟା ପ୍ରମାଣପତ୍ରପ୍ରସ୍ତୁତ ହୋଇଥିଲା, ଯେଉଁଥିରେ ଉଲ୍ଲେଖ ଥିଲା ଯେ, ୭ଟି ଗାଁର ଲୋକଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରାଯାଇଛି। 

ମୁଁ ଯେତେବେଳେ ଓଡ଼ିଶା ଜଂଗଲ ଏବଂ ପରିବେଶ ସଚିବ ଏସ.ସି ମହାପାତ୍ରଙ୍କୁ ଭେଟିଲି, ଯାହାଙ୍କ ବିଭାଗ ଓଏମସି ପାଇଁ ଜଂଗଲଅନୁମୋଦନ ଦରଖାସ୍ତ ଦାଖଲ କରିଛି, ସେ କହିଲେ ‘‘ଏ ବାବଦରେ ମୁଁ କିଛି ଜାଣିନାହିଁ। ପରବର୍ତ୍ତୀ ସମୟରେ ସେ ମୋତେ କୌଣସି ଉତ୍ତରଦେଲେ ନାହିଁ ।’’

ଓଡ଼ିଶାର ହଜାରହଜାର ଗାଁ ପରି ନୀତିଗୋଠର ଗ୍ରାମବାସୀମାନେ ଜଂଗଲ ସୁରକ୍ଷା କରିଥାନ୍ତି। 

୨୦୧୫ ନଭେମ୍ବରରେ ଯେତେବେଳେ ନୀତିଗୋଠ ଏବଂ ଆମ୍ବଦହଡା ଗ୍ରାମବାସୀମାନେ ଜାଣିଲେ ଯେ ସେମାନଙ୍କ ନାଁରେ ଜାଲ୍‌ ପ୍ରସ୍ତାବ ଗୃହୀତକରାଯାଇଛି, ସେମାନେ ଜଂଗଲ ଓ ପରିବେଶ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରାଳୟକୁ ଅନିୟମିତତା ନେଇ ଚିଠି ଲେଖିଲେ। ସେମାନେ ଓଡ଼ିଶାରାଜ୍ୟପାଳଙ୍କୁ ମଧ୍ୟ ଚିଠି ଲେଖିଲେ, ଆଦିବାସୀଙ୍କ ଅଧିକାର ସୁରକ୍ଷା ଯାହାଙ୍କର ସାମ୍ବିଧାନିକ ଦାୟିତ୍ଵ। ୩ ମାସ ପରେ ବି ସେମାନଙ୍କୁ ଉତ୍ତରମିଳିଲା ନାହିଁ।  

ଅବସ୍ଥା ଧୀରେ ଧୀରେ ଖରାପ ହେଲା। ୨୦୧୫ ଡିସେମ୍ବର ୨୮ରୁ ୩୦ ମଧ୍ୟରେ ପରିବେଶ ମନ୍ତ୍ରାଳୟର ଜଂଗଲ ପରାମର୍ଶଦାତା କମିଟିର ତିନିଜଣିଆ ଟିମ୍ କେନ୍ଦୁଝର ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଆସିଲେ। ଓଏମସିର ପ୍ରସ୍ତାବିତ ଖଣି ଅଞ୍ଚଳରେ ଏଫଆରଏ କାର୍ଯ୍ୟକାରୀ ହେଉଛି କିନାହିଁ ତାହା ତାଙ୍କ ଅନୁଧ୍ୟାନର ପ୍ରସଙ୍ଗ ଥିଲା। 

ଡିସେମ୍ବର ୨୯ରେ ଟିମ୍ ମୁଖ୍ୟ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅନୀଲ କୁମାରଙ୍କୁ ମୁଁ କେନ୍ଦୁଝରର ଏକହୋଟେଲରେ ଭେଟିଲି, ଯେଉଁଠି ସେମାନେ ରହୁଥିଲେ। ଓଏମସି ଅଧିକାରୀଙ୍କ ସହ ଜଳଖିଆ କଲାବେଳେ ମୁଁ ତାଙ୍କ ସହ କଥା ହେଲି। ପରିଦର୍ଶନ ନେଇ ମୋର କୌଣସି ପ୍ରଶ୍ନର ଉତ୍ତର ଦେଲେନି ଅନୀଲ କୁମାର। କିମ୍ବା ଏଫଆରଏ ଲାଗୁ ନେଇ ଟିମ୍ କିଭଳି ଅନୁଧ୍ୟାନ କରୁଛି, ସେ ନେଇ ମଧ୍ୟ ସେ କିଛି କହିଲେ ନାହିଁ। ‘‘ଏଫଏସିର କାର୍ଯ୍ୟ ଗୋପନୀୟ’’ ବୋଲି ସେ କହିଲେ। 

ଜାଲିଆତି ନେଇ ଗ୍ରାମବାସୀଙ୍କ ଅଭିଯୋଗ ଉପରେ କିଭଳି ତଦନ୍ତ କରାଯାଉଛି ଏବଂ ଟିମ୍ ସଦସ୍ୟମାନେ ଗାଁ ପରିଦର୍ଶନ କରିଛନ୍ତି କି ନାହିଁପଚାରିଲି। ଉତ୍ତର ଦେବା ପରିବର୍ତ୍ତେ ଏକ ଇମେଲରେ ଉଲଂଘନ ବିଷୟରେ ଜଣାଇବାକୁ ସେ ମୋତେ କହିଲେ। 

 କିଛି ଦିନ ପୂର୍ବରୁ, ଏକ ଖବରକାଗଜକୁ ନିଜ ସରକାରଙ୍କ ସଫଳତା ବଖାଣିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଲେ, ପରିବେଶଅନୁମୋଦନ ଏକ ଆଇନ ଭାବେ ସ୍ୱୀକୃତି ପାଇଛି। 

 କୌଣସି ଗାଁ ପରିଦର୍ଶନ ନକରି ଏବଂ କୌଣସି ଗ୍ରାମବାସୀଙ୍କ ସହ କଥା ନହୋଇ ଡିସେମ୍ବର ୩୦ରେ ଏଫଏସି ଟିମ୍ କେନ୍ଦୁଝରରୁ ପ୍ରତ୍ୟାବର୍ତ୍ତନକଲେ। 

‘‘କ୍ଷେତ୍ର ପରିଦର୍ଶନ’’ ଶେଷ ହୋଇଗଲା।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଲେଖକ ପରିଚୟ: ଚିତ୍ରାଙ୍ଗଦା ଚୌଧୁରି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କୋର୍ ଗ୍ରୁପର ସଦସ୍ୟ ।

Other stories by Chitrangada Choudhury