କୋରେଲା ଭେଙ୍କଟାଚାରିଙ୍କ ତିନି କୋଠରୀ ଘରର ଚଟାଣରେ ଖେଳଣା ସହିତ ବିସ୍ତୃତ ହୋଇଛି, ପେଣ୍ଟ ପାତ୍ରଗୁଡିକ ଗୋଟିଏ କୋଣରେ ଏବଂ ଅନ୍ୟଟିରେ ଅବ୍ୟବହୃତ କାଠ ପଡ଼ିରହିଛି। “ମୁଁ ୨୮ ବର୍ଷ ହେଲା ଖେଳନା ତିଆରି କରିଆସୁଛି”, ଗର୍ବର ସହ ସେ କହନ୍ତି।

ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର କୋଣ୍ଡାପାଲ୍ଲି (‘ପାହାଡର ଗାଁ’, ପ୍ରାୟ ଅନୁବାଦିତ) ର ୨୨୯ ଖେଳନା ନିର୍ମାତାମାନଙ୍କ ମଧ୍ୟରେ  ଜଣେ ହେଉଛନ୍ତି ଭେଙ୍କଟାଚାରି। ପୂର୍ବ ପୂର୍ବାଞ୍ଚଳ ଘାଟ ଏବଂ ନରଲା ଟାଟା ରାଓ ତାପଜ ବିଦ୍ୟୁତ୍ କେନ୍ଦ୍ର ନିକଟରେ ଏହି ଗାଁ ଅବସ୍ଥିତ।

ସେ ଓ ଅନ୍ୟ କାରିଗରମାନେ ପିଢ଼ି ପରେ ପିଢ଼ି ଏହି ସ୍ୱତନ୍ତ୍ର କୋଣ୍ଡାପାଲି କାଠ ଖେଳନା ତିଆରି କରିଆସୁଛନ୍ତି। ତାଙ୍କର ପୂରା ପରିବାର ଏହି କାମ କରନ୍ତି। ସେ କାଠକୁ ଖୋଦେଇ କରି ଖେଳନା ତିଆରି କରନ୍ତି। ତାଙ୍କ ପତ୍ନୀ ଜ୍ୟୋତି ଖେଳନା ରଙ୍ଗ କରନ୍ତି। ସେମାନଙ୍କ ୧୮ ବର୍ଷୀୟ ଝିଅ ମୋନିକା ମାଟ୍ରିକ୍ ପରେ ପଢ଼ା ବନ୍ଦ କରି ଖେଳନା ତିଆରିରେ ବାପାମାଆଙ୍କୁ ସାହାଯ୍ୟ କରୁଛନ୍ତି।
PHOTO • Rahul Maganti

ବାମ- କୋଣ୍ଡାପାଲିର ଏକ ଖେଳନା ଦୋକାନରେ କାଠ ଶଗଡ଼ ଗାଡ଼ି ଓ ହାତୀ। ଡାହାଣ- କାରିଗରମାନେ ଖେଳନା ତିଆରି କରୁଥିବା ସ୍ଥାନ

ରେଡି ରାଜବଂଶର ଦୁର୍ଗକୁ ଯାଉଥିବା ଏହି ରାସ୍ତା ପାଖ ଘର ଓ ଦୋକାନରେ ଭର୍ତ୍ତି। ଏଠାରେ ହିଁ ଖେଳନା ତିଆରି ହୁଏ ଓ ବିକ୍ରି ହୁଏ। ଅଧିକାଂଶ କାରିଗର ଘର ଭିତରେ ହିଁ ଖେଳନା ତିଆରି କରନ୍ତି। ଘରର ସମସ୍ତ ସଦସ୍ୟ ଏହି କାମରେ ସହଯୋଗ କରନ୍ତି। ଅଳ୍ପସଂଖ୍ୟକ ସ୍ଥାନରେ ସାମୂହିକ ଭାବେ ଖେଳନା ତିଆରି ହୁଏ। ଏଥିରେ ଦିନକିଆ ମଜୁରୀ ହିସାବରେ କାରିଗରମାନେ କାମ କରନ୍ତି। ଖେଳନା ତିଆରି କରନ୍ତି ଓ ରଙ୍ଗ ଦିଅନ୍ତି। ଅଧିକାଂଶ ଖେଳନା ହୋଲସେଲରେ ବିକ୍ରି ହୁଏ। ହାଇଦ୍ରାବାଦର ଶିଳ୍ପଗ୍ରାମ ଭଳି ସାଂସ୍କୃତିକ ସଂଗଠନ ଖେଳନା ତିଆରି କରିବା ପାଇଁ ଅର୍ଡର ଦେଇଥାନ୍ତି।

୫୭ ବର୍ଷ ଧରି ଖେଳନା ତିଆରି କରୁଥିବା  ୮୦ ବର୍ଷୀୟ ଭି ଭେଙ୍କାୟା କୁହନ୍ତି, “ଆମେ ସାଧାରଣତଃ ଯାହା ଦେଖୁ ଏବଂ ଦୈନନ୍ଦିନ ଜୀବନରେ ଯାହା ସହ ଜଡିତ ତାହା ତିଆରି କରିଥାଉ। ତେବେ କଣ୍ଢେଇଗୁଡ଼ିକ ଭିତରୁ ଅଧିକାଂଶ ବଳଦ ଗାଡ଼ି, ବିଭିନ୍ନ ପଶୁ ଓ କାଉ, ମୟୂର ଭଳି ପକ୍ଷୀ। ଆମେ ପୌରାଣିକ ଏବଂ କାଳ୍ପନିକ କାହାଣୀର ଚରିତ୍ର ଅନୁସାରେ ଖେଳନା ତିଆରି କରୁ। କିନ୍ତୁ ମୁଁ ତାହା ହିଁ ଦେଖାଇବାକୁ ଚେଷ୍ଟା କରେ ଯାହା ଲୋକମାନେ ସବୁଦିନ ନିଜ ଚାରିପାଖରେ ଦେଖନ୍ତି।”
PHOTO • Rahul Maganti

ଫଟୋ- ନାଗେଶ୍ୱର ରାଓ ଖେଳନା ତିଆରି ବ୍ୟବସାୟରେ ପଶିବା ପୂର୍ବରୁ ବଢ଼େଇ ଥିଲେ

କୋଣ୍ଡାପାଲିର ଖେଳନା ତିଆରି ପରମ୍ପରା କେଇ ଶହ ବର୍ଷର। ଷୋଡ଼ଶ ଶତାବ୍ଦୀରେ ରାଜା ଆନାଭେମା ରେଡ୍ଡି ୧୦ରୁ ୧୨ଟି କାଠ ଶିଳ୍ପୀ ପରିବାରଙ୍କୁ ରାଜସ୍ଥାନରୁ ଏଠାକୁ ଡାକିଥିଲେ ବୋଲି କହନ୍ତି ୩୭ ବର୍ଷୀୟ ଖେଳନା କାରିଗର ନାଗେଶ୍ୱର ରାଓ। “ ଏହି ସବୁ ପରିବାର ନାକାରସାଲୁ ସମ୍ପ୍ରଦାୟର, ଏଠାକୁ ଦେଶାନ୍ତର ହୋଇ ଆସିଛନ୍ତି’’। ରେଡ୍ଡି ବଂଶର ରାଜା ସେମାନଙ୍କ କଳାକୌଶଳରେ ମୁଗ୍ଧ ହୋଇଥିଲେ। ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ଏଠାରେ ସବୁ ଦିନ ରହିଯିବା ପାଇଁ କହିଥିଲେ। “ଖେଳନା ପାଇଁ କଞ୍ଚାମାଲ ଭାବରେ ସେମାନଙ୍କୁ ପୂର୍ବ ଘାଟରୁ କୋମଳ ପୋନିକି କାଠ ପ୍ରଦାନ କରାଯାଇଥିଲା। ସେ କୁହନ୍ତି, ତଥାପି ଆମେ ଏହି ଘାଟରୁ କାଠ ପାଇଥାଉ’’।

PHOTO • Rahul Maganti

ଖେଳନା କାରିଗରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସେବା ସମବାୟ ସମିତିର ଅଫିସ ଏବଂ (ଡାହାଣ) ଖେଳନା କାରିଗରଙ୍କ ସମ୍ପର୍କରେ ତଥ୍ୟ

ଶତାବ୍ଦୀ ପରେ ଶତାବ୍ଦୀ ବିତିବା ସହ ଖେଳନା ତିଆରି କରିବାର କଳାକୌଶଳ ନାକାରସାଲୁ ସମ୍ପ୍ରଦାୟରୁ ଅନ୍ୟ ସମ୍ପ୍ରଦାୟର ଲୋକେ ଶିଖିଛନ୍ତି। ଏହା ଆଉ ଜାତିଭିତିକ ବୃତ୍ତି ହୋଇ ନାହିଁ। ବଭିନ୍ନ ସମ୍ପ୍ରଦାୟ ଓ ଜାତି ବିଶେଷ କରି ପଦ୍ମାସାଲି, କାମସାଲି, ବିଶ୍ୱବ୍ରାହ୍ମଣ ଜାତିରୁ ମଧ୍ୟ ଲୋକମାନେ ଖେଳନା ତିଆରି କାମରେ ନିଜକୁ ନିୟୋଜିତ କରିଛନ୍ତି। କାରିଗରଙ୍କ ଦ୍ଵାରା ୨୦୦୨ରେ ପ୍ରତିଷ୍ଠିତ ସେବା ସମବାୟ ସମିତି ତଥ୍ୟ (MACS) ଅନୁସାରେ ଫେବ୍ରୁଆରି ୨୦୧୭ରେ ଗାଁରେ ୨୨୯ଜଣ ଖେଳନା କାରିଗରଙ୍କ ମଧ୍ୟରୁ ୧୦୭ ପୁରୁଷ ଓ ୧୨୨ ମହିଳା। ସେମାନଙ୍କ ମଧ୍ୟରୁ ୫୩ ଦଳିତ, ୧୨୮  ଓବିସି, ୨୬ ମୁସଲିମ ଓ ୨୨ ଜଣ ଅନ୍ୟାନ୍ୟ ଜାତିରୁ।

 “ଜାତି [କିମ୍ବା ପରିସ୍ଥିତି] ନୁହେଁ ବରଂ ଇଛା ହିଁ କିଛି କଳା କୌଶଳ ଶିଖିବାର ଯୋଗ୍ୟତା”, କହିଛନ୍ତି ୧୮ ବର୍ଷ ହେଲା ଖେଳନା ରଙ୍ଗ କରିଆସୁଥିବା ୩୩ ବର୍ଷୀୟା ରାଜଲକ୍ଷ୍ମୀ। “ମୁଁ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ କେବଳ ମୋ ବାପାମାଆଙ୍କ ରୋଜଗାରରେ ପରିବାର ଚଳିବା କଷ୍ଟକର ଥିଲା। ଯେହେତୁ ମୁଁ ବଡ଼ ଝିଅ ଥିଲି, ତେଣୁ ମତେ ପାଠ ପଢ଼ା ଛାଡ଼ିବାକୁ ପଡ଼ିଲା। ଆମମାନଙ୍କ ମଧ୍ୟରୁ ଅଧିକାଂଶ ବାଧ୍ୟ  ହୋଇ ଏହି ଖେଳନା ଶିଳ୍ପରେ ପ୍ରବେଶ କରିଛନ୍ତି। କାରଣ ଏଠାରେ ବିକଳ୍ପ ନିଯୁକ୍ତିର କ୍ୱଚିତ ସୁଯୋଗ ରହିଛି। ଯଦି ପିଲାମାନେ ପାଠରେ ଭଲ କରୁନାହାନ୍ତି ଓ ଘରର ଆର୍ଥିକ ଅବସ୍ଥା ଭଲ ନାହିଁ ତେବେ ସେମାନଙ୍କୁ ଏହି ଖେଳନା ତିଆରି ଶିଳ୍ପରେ ଯୋଗଦେବାକୁ ପଡ଼ିବ। ପୁଅମାନେ ଖେଳନା ଖୋଦେଇ ଶିଖୁଥିବା ବେଳେ ଝିଅମାନେ ରଙ୍ଗ କରିବା ଶିଖନ୍ତି।
PHOTO • Rahul Maganti

ସରିଯାଇଥିବା ଖେଳନାଗୁଡିକ ସହରଗୁଡିକର ଷ୍ଟୋରଗୁଡିକରେ ପ୍ରାୟତଃ ପୁରୁଣା । ଡାହାଣ: ରାଜଲକ୍ଷ୍ମୀ କାଠ ଗଣେଶଙ୍କୁ ରଙ୍ଗ ଦେଉଛନ୍ତି

ରାଜଲକ୍ଷ୍ମୀଙ୍କ ପରି, ଅନେକ ଖେଳନା ତିଆରି କରିବା ପାଇଁ ସ୍କୁଲ ଛାଡ଼ିଛନ୍ତି। ୩୩ ବର୍ଷୀୟ ପି. ସତ୍ୟଭାମା ତାଙ୍କୁ ୧୩ ବର୍ଷ ହୋଇଥିବା ଦିନଠାରୁ ରଙ୍ଗ ଦେଇଆସୁଛନ୍ତି। ସପ୍ତମ ଶ୍ରେଣୀ ସରିବା ପରଠାରୁ ସେ ଏହି କାମ କରିଆସୁଛନ୍ତି। ସେବା ସମବାୟ ସମିତି ସମ୍ପାଦକ ଉଦୟଗରି ଶେଷାରାଓଙ୍କ ଖେଳନା ତିଆରି କାରଖାନାରେ ଜଣେ ଦିନମଜୁରିଆ ଭାବେ କାମ କରନ୍ତି। “୨୦ ବର୍ଷ ତଳେ ଯେତେବେଳେ ଶିଖୁଥିଲି ସେତେବେଳେ ମତେ ଦିନକୁ ୫ଟଙ୍କା ଲେଖାଏଁ ମିଳୁଥିଲା। ବର୍ତ୍ତମାନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖେଳନା ରଙ୍ଗ କରି ଦିନକୁ ମୁଁ ୧୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି। ସେଠାରୁ ଫେରିବା ପରେ ଗୋଟିଏ କି ଦୁଇଟା ବ୍ଲାଉଜ ସିଲେଇ କରି ଦିନକୁ ଆଉ ୫୦ ଟଙ୍କା ରୋଜଗାର କରେ। ଏହାଛଡ଼ା ଝିଅ, ସ୍ୱାମୀଙ୍କ କଥା ବୁଝେ, ରୋଷେଇ କରେ ଓ ଅନ୍ୟାନ୍ୟ ଘର କାମ କରେ। ଏସବୁ କାମ ସରିବା ପରେ ରାତି ଅଧରେ ଯାଇକି ବିଶ୍ରାମ ମିଳେ। ପୁଣି ଭୋର ୫:୩୦ରୁ ଉଠି ଆଉ ଗୋଟିଏ ଦିନ ଆରମ୍ଭ କରିବାକୁ ପଡ଼େ”।

ସତ୍ୟଭାମାଙ୍କ ସହ କାମ କରୁଥିବା ଭି ଦୁର୍ଗା କହନ୍ତି, “ଆମେମାନେ ବାଧ୍ୟ ହୋଇ ବର୍ଷକୁ ୩୬୫ଦିନ କାମ କରୁ। କାରଣ ସେଠାରେ ଖାଦ୍ୟ ଯୋଗାଡ଼ କରିବାର ଆଉ କିଛି ମାଧ୍ୟମ ନାହିଁ। ଆମେ କେବଳ ସେହିଦିନ ଛୁଟି ନେଉ ଯେଉଁ ଦିନ କିଛି ଜରୁରୀ ଥାଏ ନ ହେଲେ ଦେହ ଖରାପ ହୁଏ”।
PHOTO • Rahul Maganti

କାଠରେ ତିଆରି ବିଷ୍ଣୁଙ୍କ ଦଶାବତାର ମୂର୍ତ୍ତି: ‘ଆମେ ପୌରାଣିକ ଓ କାଳ୍ପନିକ କଥାର ଚରିତ୍ର ମଧ୍ୟ ତିଆରି କରୁ’, କହିଛନ୍ତି ୮୦ ବର୍ଷୀୟ ଭି. ଭେଙ୍କେୟା। “କିନ୍ତୁ ମୁଁ ଯାହା ପ୍ରତିଦିନ ଦେଖେ ତାହା କାଠରେ ଦେଖାଇବାକୁ ଭଲ ପାଏ।”

ଦୁର୍ଗାଙ୍କ ଦ୍ୱନ୍ଦ୍ୱ ଏହା ଯେ, ଭାରତରେ ହଜାର ହଜାର କୁଶଳୀ କାରିଗର ଓ ଶିଳ୍ପୀ ରହିଛନ୍ତି। ସେମାନେ ଏକ ଯନ୍ତ୍ରଣାଦାୟକ ଦୁନିଆରେ ରହୁଛନ୍ତି। ହେଲେ କେବେ ବି କୌଣସି ସରକାର ସେମାନଙ୍କ ଏହି କାରିଗରୀ ଓ କଳାକୌଶଳକୁ ବଞ୍ଚାଇବା ପାଇଁ ଚେଷ୍ଟା କରିନାହାନ୍ତି। ଯାନ୍ତ୍ରିକ ବ୍ୟବସ୍ଥା, ସ୍ୱୟଂଚାଳିତ ବ୍ୟବସ୍ଥାରେ ମେସିନରେ ତିଆରି ହେଉଥିବା ଖେଳନା ବଜାରରେ ଭର୍ତ୍ତି ହୋଇସାରିଲାଣି। ଏହା ଦ୍ୱାରା ସେମାନଙ୍କ ରୋଜଗାର ଭୟଙ୍କର ଭାବେ ହ୍ରାସ ପାଇଲାଣି। ଏହାଛଡ଼ା ସେଦିନ ସବୁ ଗଲାଣି ଯେଉଁଦିନ ସେମାନଙ୍କୁ ସ୍ଥାନୀୟ ଧନିକମାନେ ପ୍ରୋତ୍ସାହିତ କରୁଥିଲେ। ଏବେ ଋଣଗ୍ରସ୍ତ ହୋଇଥିବାରୁ ଏଥିରେ ପୁଞ୍ଜିନିବେଶ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ବାଧ୍ୟ ହୋଇ ଖେଳନାସବୁ କମିଶନ ଏଜେଣ୍ଟ କିମ୍ବା ଛୋଟ “ଖେଳନା କାରଖାନା’’କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଏବଂ ଖେଳନା ପରମ୍ପରା ଏବେ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି।  “ରାଜ୍ୟ ସରକାର କେବେ ଆମକୁ ସାହାଯ୍ୟ କରିନାହାନ୍ତି”, କହିଛନ୍ତି ସେବା ସମବାୟ ସମିତିର ୟୁ. ଶେଷାରାଓ। “ଏପରିକି ଏହି ବିଲ୍ଡିଂ ମଧ୍ୟ ଲାନକୋର।।[ଲାଗାଦପତି ଅମରପ୍ପା ନାଇଡୁ ଏବଂ କମ୍ପାନୀ, ସେହି ବ୍ୟବସାୟ ଚୋଙ୍ଗଲୋମେରେଟ୍]।ସେମାନେ ଦୀର୍ଘଦିନ ହେଲା ଆମକୁ ସାହାଯ୍ୟ କରିଆସୁଛନ୍ତି।’’
PHOTO • Rahul Maganti

ସତ୍ୟଭାମା (ବାମ) ଏକ ଖେଳନାକୁ ଶେଷ ସ୍ପର୍ଶ ଦେଉଛନ୍ତି। ଡାହାଣ - ଖେଳନା ପରିବାଗୁଡ଼ିକ ବ୍ୟବସାୟୀଙ୍କ ଅପେକ୍ଷାରେ

୧୯୩୭-୧୯୩୮ ମସିହା ମଧ୍ୟରେ ପ୍ରଥମ ସମବାୟ ସମିତି ପ୍ରତିଷ୍ଠା ହୋଇଥିଲା ବୋଲି କହନ୍ତି ଭି. ଭେଙ୍କେୟା ନାଇଡୁ । “ ତେବେ ଏହି କଳା ସେବେଠାରୁ ୧୯୯୦ରେ ତାର ଚମକ ହରାଇବା ଆରମ୍ଭ କରିଥିଲା, ଯେତେବେଳେ ଯନ୍ତ୍ରଯୁଗ ଓ ନୂଆ ପ୍ରଯୁକ୍ତିବିଦ୍ୟାର ଆରମ୍ଭ ହେଲା।  ଯଦି ସରକାର ଅବହେଳା ଜାରି ରଖନ୍ତି, ତେବେ ଏହି କଳା ଅତି ବେଶୀରେ ଆଉ ୧୦ ବର୍ଷ ଯାଏ ବଞ୍ଚି ରହିବ”। ଏହା ସହିତ  କାରିଗରମାନଙ୍କର ଘର, ପେନସନ ଓ ପରିଚୟପତ୍ର ପ୍ରସଙ୍ଗ ମଧ୍ୟ ରହିଛି।

ନାଗେଶ୍ୱର ରାଓଙ୍କ କହିବା କଥା, କୋଣ୍ଡାପାଲି ପରମ୍ପରା ୧୦ ବର୍ଷରୁ ଅଧିକ ଦିନ ଯାଏ ବଞ୍ଚି ନ ପାରେ। “ ବହୁ ଟଲିଉଡ ଫିଲ୍ମରେ ରାଜେନ୍ଦ୍ର ପ୍ରସାଦ ଓ ଚିରଞ୍ଜିବୀଙ୍କ ପରି ହିରୋମାନେ ସେମାନଙ୍କ ହିରୋଇନଙ୍କୁ କୋଣ୍ଡାପାଲି “ବୋମା’’ (“କଣ୍ଢେଇ’’) ବୋଲି କହନ୍ତି,” ସେ କହନ୍ତି। “ତେବେ ଦୁଃଖର କଥା ହେଉଛି ଯେ, ଏହି ମହାନ କଳାର ଉଦାହରଣ କେବଳ ସୁନ୍ଦରୀ ମହିଳାଙ୍କ ସହ ତୁଳନା କରାଯାଏ”।କିନ୍ତୁ ଆମର କାମର ପ୍ରଚାର ପ୍ରସାର କରିବା, ଆମ ଖେଳନା ଓ କଣ୍ଢେଇକୁ ପ୍ରଦର୍ଶିତ କରିବା ଓ ଆମ ଜୀବନକୁ କେବେ ପ୍ରଦର୍ଶିତ କରାଯାଏନି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Other stories by Rahul Maganti