ପ୍ରାୟ ୪୦ଟି ଓଟ ସମୁଦ୍ର କୂଳରେ ମୋହାଡ଼ି ଗାଁର ଆବଡସା ତାଲୁକାରେ ଥିବା ଏକ ଦ୍ୱୀପରୁ  ଏବେ ପହଁରି ଫେରିଛନ୍ତି । ସେମାନେ ଫକିରାନି ଜାଟ୍ ସଂପ୍ରଦାୟର ଇସମାଇଲ ଜାଟଙ୍କର ।

ମୁଁ ଯାହା ଦେଖୁଥିଲି ତାକୁ ବିଶ୍ୱାସ କରିପାରୁନଥିଲି । ଓଟମାନେ ବି ପହଁରିପାରନ୍ତି? କିନ୍ତୁ ସେଗୁଡ଼ିକ ପ୍ରସିଦ୍ଧ ଖରାଇ ପ୍ରଜାତିର ଓଟ ଥିଲେ । ଖରାଦିନେ ବିଶେଷକରି ମାର୍ଚ୍ଚ-ଏପ୍ରିଲରୁ ଜୁଲାଇ ମାସର ମଧ୍ୟଭାଗ ଯାଏ ସେମାନେ କଚ୍ଛର ଉପକୂଳରେ ଥିବା ଦ୍ୱୀପରେ ଥରକେ ୩-୪ ଦିନ ଧରି ରହି ହେନ୍ତାଳବନରୁ ଖାଦ୍ୟ ଖାଇଥାନ୍ତି । ତା’ ପରେ ସେଠାରୁ ୩ କିମି ଲେଖାଏଁ ପହଁରି ଉପକୂଳବର୍ତ୍ତୀ ଗାଁକୁ ପାଣି ପିଇବାକୁ ଆସିଥାନ୍ତି ।  ପରେ ପୁଣି ଦ୍ୱୀପକୁ ଫେରିଯାନ୍ତି ।

ଓଟଗୁଡ଼ିକ ସହିତ ଉଣ୍ଟ ମାଲଧାରୀ ବା ଗୁଜରାଟର ଓଟ ରଖୁଥିବା ସଂପ୍ରଦାୟର ପଶୁପାଳକମାନେ ଥାନ୍ତି । ସାଧାରଣତଃ ଦୁଇଜଣ ପୁରୁଷ ମାଲଧାରୀ ଗୋଟିଏ ଟିମ୍ ଗଠନ କରିଥାନ୍ତି । ଉଭୟ ହୁଏତ ପହଁରି  ଯାଇଥାନ୍ତି ନ ହେଲେ ଜଣେ ଏଥିପାଇଁ ଛୋଟ ଡଙ୍ଗା ବ୍ୟବହାର କରିଥାନ୍ତି । ଡଙ୍ଗାରେ ସେ ନିଜ ସହିତ ରୁଟି ଓ ପିଇବା ପାଣି ନେଇଥାନ୍ତି ଏବଂ ପରେ ଗାଁକୁ ଫେରିଆସନ୍ତି । ଅନ୍ୟ ପଶୁପାଳକମାନେ ଦ୍ୱୀପରେ ଓଟଗୁଡ଼ିକ ସହିତ ରହିଥାନ୍ତି । ଯେଉଁଠାରେ ସେମାନେ ଓଟ କ୍ଷୀର ପିଇ ଜୀବନଧାରଣ କରିଥାନ୍ତି । ଓଟ କ୍ଷୀର ଏହି ସଂପ୍ରଦାୟର ଲୋକମାନଙ୍କର ଖାଦ୍ୟର ଏକ ପ୍ରମୁଖ ଅଂଶ ।

ବର୍ଷା ଆରମ୍ଭ ହେବା ପରେ ମାଲଧାରୀମାନେ ଓଟଗୁଡ଼ିକୁ ଦ୍ୱୀପରେ ଛାଡ଼ି ଦେଇଥାନ୍ତି । ସେପ୍ଟେମ୍ବର ମାସର ମଧ୍ୟଭାଗ ବେଳକୁ ସେମାନେ ଓଟଗୁଡ଼ିକୁ ଫେରାଇ ଆଣିଥାନ୍ତି । ସେମାନଙ୍କୁ ବର୍ଷା ପ୍ଲାବିତ ଘାସ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ହେନ୍ତାଳ ଗଛକୁ ଚରିବାକୁ ନେଇଯାନ୍ତି ।(ଗୋଚର ଭୂମିର ଅନ୍ତହୀନ ଅନ୍ୱେଷଣକୁ ଦେଖନ୍ତୁ) ।

୨୦୧୫ରେ ମୁଁ ପ୍ରଥମେ ପହଁରୁଥିବା ଓଟ ଦେଖିଲି; ମୁଁ ମୋହାଡ଼ିରୁ ଜଣେ ମାଲଧାରୀ ସହିତ ଓଟର କଡେ କଡେ ଏକ ଡଙ୍ଗାରେ ଗଲି। କିନ୍ତୁ ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସଏଫ୍)ର ବିନା ଅନୁମତିରେ ଦ୍ୱୀପ ପର୍ଯ୍ୟନ୍ତ ଯାଇପାରିଲି ନାହିଁ। ଏହି ଅଞ୍ଚଳ ପାକିସ୍ତାନର ସୀମା ସହ ସଂଲଗ୍ନ। ତେଣୁ ସମୁଦ୍ରରେ କିଏ ଗଲା ଓ ଆସିଲା ସେହି ଗତିବିଧିକୁ ବିଏସଏଫ୍‌ର ଚେକ୍ ପୋଷ୍ଟ ମାଧ୍ୟମରେ କଡ଼ା ନଜର ରଖାଯାଇଥାଏ। ଇତିମଧ୍ୟରେ ଓଟଗୁଡ଼ିକ ପାଣି ମଧ୍ୟରେ ଦିଗବଳୟରେ ଅଦୃଶ୍ୟ ହେବାକୁ ଲାଗିଲେ। 

ପରେ ଇସମାଇଲ ମୋତେ ବୁଝାଇଲେ ଯେ ଗୁଜରାଟୀ ଭାଷାରେ ‘ଖରାଇ’ ଶବ୍ଦର ଅର୍ଥ ହେଲା ‘ଲୁଣିଆ’। ଏହି ଓଟଗୁଡ଼ିକ ଗୋଟିଏ ସ୍ୱତନ୍ତ୍ର ପ୍ରଜାତିର ଯାହାକି ସେଠାକାର ପରିବେଶ ବା ପରିବର୍ତ୍ତନଶୀଳ ଚରିବା ଅବସ୍ଥା ଯେପରିକି ଉପକୂଳବର୍ତ୍ତୀ ଅଞ୍ଚଳର ହେନ୍ତାଳବନ ଓ ସବୁଜଘାସର ଚାରଣଭୂମିକୁ ଗ୍ରହଣ କରିନେଇଛନ୍ତି। ବିଭିନ୍ନ ପ୍ରକାର ଗଛ, ଗୁଳ୍ମ ଏବଂ ହେନ୍ତାଳ ଗଛହେଲା ସେମାନଙ୍କର ଖାଦ୍ୟ। କିନ୍ତୁ ଯଦି ସେମାନେ ଦୀର୍ଘ ଦିନ ଧରି ହେନ୍ତାଳ ଗଛ ନ ଖାଇବେ ସେମାନେ ରୋଗରେ ପଡ଼ିବେ ଏବଂ ପରେ ମରିଯିବେ।

କଚ୍ଛରେ ଦୁଇ ପ୍ରକାରର ପଶୁପାଳକ ସଂପ୍ରଦାୟ ଖରାଇ ଓଟଙ୍କୁ ରଖିଥାନ୍ତି। ସେମାନେ ହେଲେ ରାବାରିସ ଓ ଫକିରାନି ଜାଟ୍। ଅବଶ୍ୟ ସମା ସଂପ୍ରଦାୟର ଲୋକମାନେ ମଧ୍ୟ ଓଟ ରଖନ୍ତି, କିନ୍ତୁ ସେମାନେ ଖରାଇ ପ୍ରଜାତିର ଓଟ ରଖନ୍ତି ନାହିଁ। କଚ୍ଛ ଉଣ୍ଟ ଉଚ୍ଚେରାକ ମାଲଧାରୀ ସଂଗଠନ(କଚ୍ଛ ଓଟ ପାଳନ ସଂଘ) ଅନୁସାରେ ଗୁଜରାଟରେ ପ୍ରାୟ ୫ହଜାର ଖରାଇ ଓଟ ଅଛନ୍ତି। ସେଥିମଧ୍ୟରୁ ୨୦୦୦ ଖରାଇ ଓଟ କଚ୍ଛ ଜିଲ୍ଲାରେ ରହିଥାନ୍ତି ଯେଉଁଠାରେ ବହୁ ସଂଖ୍ୟାରେ ଦ୍ୱୀପ ଓ ହେନ୍ତାଳ ଗଛ ରହିଛି। କିନ୍ତୁ ଏକଦା ପରିପୂର୍ଣ୍ଣ ଥିବା ଏହି ଜଙ୍ଗଲଗୁଡ଼ିକ ଏବେ ଦ୍ରୁତଗତିରେ ଉଭାନ ହେବାରେ ଲାଗିଛି। ଏହାଦ୍ୱାରା ବଡ଼ ନିର୍ମାତାମାନଙ୍କୁ ବା ଶିଳ୍ପକୁ ସହାୟତା ମିଳୁଛି। ପଶୁମାନଙ୍କ ଚରିବା ପାଇଁ ଉର୍ଦ୍ଦିଷ୍ଟ ଥିବା ବଡ଼ ଚାରଣ ଭୂଇଁ ବା ଗୋଚର ଭୁଇଁକୁ ସରକାର ମଧ୍ୟ କର୍ଡନ କରିନେଲେଣି କିମ୍ବା ତା’ ସ୍ଥାନରେ ଗାଣ୍ଡୋ ବାଭର(ପ୍ରୋସୋପିସ୍ ଜୁଲିଫୋରା) ପ୍ରଜାତିର ଗଛ ଉଠିଗଲାଣି।

ଜୁଲାଇ ୨୦୧୮ରେ ଜିଲ୍ଲା ମୁଖ୍ୟାଳୟ ଭୁଜଠାରୁ ପ୍ରାୟ ୮୫ କିମି ଦୂର ଭାଚାଉ ତାଲୁକାକୁ ଯିବା ସମୟରେ ମୁଁ ଅନ୍ତହୀନ ଲୁଣ ବେଡ୍ (ଲୁଣମରା ସ୍ଥାନ) ଦେଖିଲି। ଭାଚାଉ ତାଲୁକା ରାଜପଥରୁ ମାତ୍ର କିଛି କିମି ଦୂରରେ ଥିବାବେଳେ ସେଠାରେ ପୂର୍ବାପେକ୍ଷା ଅଧିକ ଲୁଣ ବେଡ୍ ଥିଲା। ତା’ ପରେ ତାଲୁକାର ଅମାଲିୟାରା ଅଞ୍ଚଳରେ ମୁଁ ମୁବାରକ୍ ଜାଟ ଓ ତାଙ୍କର ପରିବାରକୁ ଏକ ଟାପୁ(ଦ୍ୱୀପ)ରେ ଭେଟିଲି, ସେହି ଟାପୁ କାଦୁଅ ଦ୍ୱାରା ପରିବେଷ୍ଟିତ ଥିଲା। ସେମାନଙ୍କର ଉଚ୍ଚ ମୂଲ୍ୟଯୁକ୍ତ ଖରାଇ ପ୍ରଜାତିର ଓଟଙ୍କ ପାଇଁ ହେନ୍ତାଳ ବନ ପ୍ରାୟ ନଥିଲା। ସେ କହିଲେ, “ଆମେ ଜାଣିନାହୁଁ ଆଗକୁ ଆମେ କେଉଁଠାକୁ ଯିବୁ? ଏଠାରେ କୌଣସି ସବୁଜିମା ନାହିଁ। ବଞ୍ଚିବା ପାଇଁ ଆମେ ବାରମ୍ବାର ସ୍ଥାନ ବଦଳାଉଛୁ। କିନ୍ତୁ କେତେ ଦିନ। ସବୁଆଡ଼େ ଏବେ ଲୁଣ ବେଡ୍ ଦେଖିବାକୁ ମିଳୁଛି ।’’

ଦୀନଦୟାଲ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥିବା ବ୍ୟାପକ ଲୁଣ ବେଡ୍‌ର ଲିଜ୍ ବିରୋଧରେ ପୂର୍ବରୁ ଚଳିତବର୍ଷ କଚ୍ଛ ଓଟପାଳକ ସଂଘ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହୋଇଥିଲା। ମାର୍ଚ୍ଚ ୨୦୧୮ରେ ଏନଜିଟି ଏକ ଅନ୍ତରୀଣ ଆଦେଶ ଦେଇ କାନ୍ଧଲା ଓ ସୁରଜବାରୀ ମଧ୍ୟରେ ଲିଜ୍‌ରେ ଦିଆଯାଇଥିବା ଜମିରେ ଲୁଣ ମରା ଗତିବିଧିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ସେହିପରି ଗୁଜରାଟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଗୁଜରାଟ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି (ଜିସିଜେଡ୍ଏମଏ) ଏବଂ ଅନ୍ୟ ସଂସ୍ଥା ଦ୍ୱାରା ପରିଦର୍ଶନକୁ ବାଧ୍ୟତାମୂଳକ କରିଦେଲେ। ପରିଦର୍ଶନର ରିପୋର୍ଟକୁ ଏପ୍ରିଲ ମାସରେ ଦାଖଲ କରାଗଲା। ସେହି ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି।

ପରେ ଜୁଲାଇ ମାସରେ ମୋର ଗସ୍ତ ସମୟରେ ମୁଁ କିଛି ଦିନ ଲାଖପତ୍ ତାଲୁକାରେ ବିତାଇଲି। ତାହା ଭାଚାଉରୁ ପ୍ରାୟ ୨୧୦ କିମି ଦୂର ଥିଲା। ସେଠାରେ ବହୁ ସଂଖ୍ୟାରେ ଫକିରାନି ଜାଟ୍ ସଂପ୍ରଦାୟର ଲୋକେ ରହୁଥିଲେ। କିନ୍ତୁ ସେହି ସଂପ୍ରଦାୟ ମଧ୍ୟରୁ ଅଧିକାଂଶ ଏବେ ଆଉ ଯାଯାବର ହୋଇ ନାହାନ୍ତି। ସେମାନଙ୍କ ଅନୁସାରେ ଏହାର କାରଣ ହେଲା ସେମାନଙ୍କର ଖରାଇ ଓଟ ପାଇଁ ଚାରଣ ଭୂମିର ଅଭାବ। ମୋହରି ଗାଁର କରିମ ଜାଟ୍ କହିଲେ, “ମୁଁ ଆମର ପାରମ୍ପରିକ ଜୀବନକୁ ଛାଡ଼ିଦେବାକୁ ଚାହୁନାହିଁ। କିନ୍ତୁ ମୋତେ ଏପରି କରିବାକୁ ପଡୁଛି। କାରଣ ଏଠାରେ ବର୍ଷା ନାହିଁ । ହେନ୍ତାଳବନ କମିଯାଉଛି କିମ୍ବା ସେଗୁଡ଼ିକ ସଂରକ୍ଷିତ ଅଞ୍ଚଳରେ ପରିଣତ ହୋଇଛି ଯେଉଁଠାରେ ଆମେ ଆମର ପଶୁଙ୍କୁ ଚରାଇ ପାରିବୁ ନାହିଁ। ଆମେ କ’ଣ କରିବା ଉଚିତ? ଏହି ଓଟଗୁଡ଼ିକ ଆମର ପରିବାରର ସଦସ୍ୟଙ୍କ  ଭଳି। ସେମାନଙ୍କର ଦୁଃଖ ଦେଖିଲେ ହୃଦୟ ତରଳି ଯାଉଛି।’’

PHOTO • Ritayan Mukherjee

ବହୁ ଶତାବ୍ଦୀ ଧରି ଗୁଜରାଟର କଚ୍ଛ ଜିଲ୍ଲାର ବ୍ୟାପକ ହେନ୍ତାଳବନ ସେହି ଅଞ୍ଚଳର ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିଛି ଏବଂ ତାହା ଖରାଇ ପ୍ରଜାତିର ଓଟଙ୍କ ପାଇଁ ଖାଦ୍ୟର ମୁଖ୍ୟ ଉତ୍ସ ।

PHOTO • Ritayan Mukherjee

ଖରାଇ ଓଟ ହେଉଛନ୍ତି ଏକ ସ୍ୱତନ୍ତ୍ର ପ୍ରଜାତି ଯାହାକି ଉପକୂଳବର୍ତ୍ତୀ ଅଞ୍ଚଳର ପରିବେଶ ସହ ଖାପଖୁଆଇ ଯାଇଛନ୍ତି ଏବଂ ଏହା ହେଉଛି ଏକମାତ୍ର ପ୍ରଜାତିର ଓଟ ଯିଏକି ପହଁରିପାରେ । ଗୁଜରାଟରେ ଏବେ ମାତ୍ର ୫୦୦୦ ଖରାଇ ଓଟ ଅଛନ୍ତି ।

PHOTO • Ramesh Bhatti

ହେନ୍ତାଳବନ ସନ୍ଧାନରେ ଖରାଇ ଓଟଗୁଡ଼ିକ ଲାଖପତ ତାଲୁକାରେ କଚ୍ଛର ଉପସାଗରୀୟ ଅଞ୍ଚଳରେ ପହଁରି ନିକଟବର୍ତ୍ତୀ ଟାପୁ(ଦ୍ୱୀପକୁ) ଯାଉଛନ୍ତି। ସେମାନେ ସମୁଦ୍ରରେ ୧୦ କିମି ଯାଏ ପହଁରିବାରେ ସକ୍ଷମ। ମାଲଧାରୀ ସଂପ୍ରଦାୟର ପଶୁପାଳକମାନେ ଏହି ସବୁ ପହଁରିବା ଓ ଦ୍ୱୀପକୁ ଯିବା ସମୟରେ ସେମାନଙ୍କ ସହିତ ଥାନ୍ତି ।

PHOTO • Ramesh Bhatti

ଭାଚାଉ ତାଲୁକାରେ ଜାଙ୍ଗି ପ୍ରଣାଳୀ ନିକଟରେ ଥିବା ଏକ ଦ୍ୱୀପରେ ଖରାଇ ଓଟଗୁଡ଼ିକ ହେନ୍ତାଳଗଛ ଖାଉଛନ୍ତି। ସେମାନଙ୍କର ଚରିବା ମଧ୍ୟ ଏକ ପରାଗସଙ୍ଗମ ପ୍ରକ୍ରିୟା ଯାହାକି ନୂଆ ହେନ୍ତାଳବନ ସୃଷ୍ଟି କରିବାରେ ସାହାଯ୍ୟ କରେ ।

PHOTO • Ritayan Mukherjee

ଗୁପ୍ତରୂପରେ ତୀବ୍ରଗତିରେ ପ୍ରସାରିତ ହେଉଥିବା ଲୁଣ ବେଡଗୁଡ଼ିକ ତାଲୁକାରେ ବ୍ୟାପକ ପରିମାଣରେ ଥିବା ଘଞ୍ଚ ଓ ସବୁଜିମାଭରା ହେନ୍ତାଳଗଛକୁ ନିଶ୍ଚିହ୍ନ କରିଦେଇଛି ।

PHOTO • Ritayan Mukherjee

ଜୁଆର ପାଣି ଆସିବାକୁ ବନ୍ଦ କରିବା ଲାଗି ବନ୍ଧ ତିଆରି ପାଇଁ ମେସିନ୍ ବ୍ୟବହାର କରାଯାଉଛି । ଏହାଯୋଗୁ ଏହି ପରିବେଶରେ ବୃଦ୍ଧି ପାଉଥିବା ହେନ୍ତାଳଗଛ ଓ ଅନ୍ୟ ପ୍ରଜାତିର ଗଛଗୁଡ଼ିକ ନଷ୍ଟ ହୋଇଯାଉଛି ।

PHOTO • Ritayan Mukherjee

ମୁବାରକ୍ ଜାଟ୍ କହିଲେ ତାଙ୍କର ପଶୁପାଇଁ ସେଠାରେ ଆଉ ଚାରଣଭୂମି ପ୍ରାୟ ନାହିଁ । ସେ ତାଙ୍କର ଖରାଇ ପ୍ରଜାତିର ଓଟଙ୍କ ସହିତ ଭାଚାଉର ଚିରାଇ ମୋଟି ଗାଁ ନିକଟରେ ଏକ ଛୋଟ ଦ୍ୱୀପରେ ଲୁଣ ବେଡ୍ ମଧ୍ୟରେ ରହୁଛନ୍ତି ।

PHOTO • Ritayan Mukherjee

ଚାରଣଭୁଇଁର ଦ୍ରୁତ ଗତିରେ କ୍ଷୟ ଘଟୁଛି। ଏହାଯୋଗୁ ଯାଯାବର ସଂପ୍ରଦାୟର ଫକିରାନି ଜାଟମାନେ ସେମାନଙ୍କର ଓଟ ପାଇଁ ଖାଦ୍ୟର ସନ୍ଧାନରେ ଖୁବ୍ ଶୀଘ୍ର ସେମାନଙ୍କର ସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି ।

PHOTO • Ritayan Mukherjee

କରିମ ଜାଟ୍ ଏବଂ ୟାକୁବ ଜାଟ ଧରାଙ୍ଗବନ୍ଧ ବସ୍ତି ନିକଟରେ ଏକ ଖରାଇ ଓଟକୁ ଔଷଧ ଦେଉଛନ୍ତି । ତାହା ଜଳହୀନତା ଓ ଦୀର୍ଘ ଦିନ ଧରି ହେନ୍ତାଳ ଗଛ ନ ଖାଇବା ଯୋଗୁ ଅସୁସ୍ଥ ହୋଇପଡ଼ିଛି ।

PHOTO • Ritayan Mukherjee

କରିମ ଜାଟ୍ ଲାଖପତ୍ ତାଲୁକାରେ ମୋରି ଗାଁରେ ରହୁଥିବା ଫକିରାନି ଜାଟମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ କି ସେମାନଙ୍କର ଯାଯାବର ଜୀବନକୁ ଛାଡ଼ି ଦେଇଛନ୍ତି । ଏହାର କାରଣ ହେଲା ସେମାନଙ୍କ ଓଟ ପାଇଁ ଚାରଣ ଭୁମିର ଅଭାବ । ସେ କହିଲେ, “ମାଲଧାରୀମାନେ ଚିନ୍ତିତ ଅଛି । ଏଠାରେ କିଛି ଘାସ ନାହିଁ, ଚାରଣଭୂମି ନାହିଁ , ଆମେ ଚାରା ବା ଦାନା କିଣିପାରିବୁ ନାହିଁ। ଏଠାରେ ବର୍ଷା ହୋଇନାହିଁ, ଆମେ ଖୁବ୍ ଚିନ୍ତିତ.. ।’’

PHOTO • Ritayan Mukherjee

୧୩ ବର୍ଷୀୟ ସୁଲେମାନ ଜାଟ୍ କହିଲେ, “ମୁଁ ମୋ ବାପାଙ୍କ ଭଳି ପଶୁପାଳକ ହେବାକୁ ଚାହୁଁଛି । କିନ୍ତୁ ମୁଁ ବଡ଼ ହେବା ବେଳକୁ ଚାରଣ ଭୂମି ରହିଥିବ କି ନାହିଁ ତାହା ଜାଣେନି ।’’

PHOTO • Ritayan Mukherjee

ଭାଚାଉ ତାଲୁକାରେ ଚିରାଇ ନାନି ଗାଁର ଅନତିଦୂରରେ ହତାଶ ଆୟୁବ ଅମିନ୍ ଜାଟ ଚାରଣଭୂମିର ସନ୍ଧାନରେ ଟାଙ୍ଗରା ଭୂମି ଦେଇ ଯାଉଛନ୍ତି ।

ରମେଶ ଭଟ୍ଟି ହେଉଛନ୍ତି ଭୁଜସ୍ଥିତ ଜଣେ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଏବଂ ଦିଲ୍ଲୀସ୍ଥିତ ସେଣ୍ଟର ଫର ପାସ୍ତୋରାଲିଜିମର ଜଣେ ଟିମ୍ ଲିଡର । ସେ ପ୍ରାକୃତିକ ସମ୍ବଳ ପରିଚାଳନା, ଜୀବନଜୀବିକା ଏବଂ ଲିଙ୍ଗଗତ ପ୍ରସଙ୍ଗରେ କାମ କରିଥାନ୍ତି ।


ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Other stories by Ritayan Mukherjee