“ବର୍ତ୍ତମାନ ଆମକୁ ପ୍ରତିଦିନ ନିଶ୍ଚିତ ଭାବେ ୨୫ଘରକୁ ଯିବାକୁ ପଡୁଛି, ପ୍ରତି ମାସରେ ଅତିକମ୍‌ରେ ଚାରିଥର,” “କରୋନାଭୂତାଣୁ ସର୍ଭେ କରିବା ଉଦ୍ଦେଶ୍ୟରେ” ବୋଲି ସୁନିତା ରାଣୀ କୁହନ୍ତି। ଗତ ୧୦ଦିନରୁ ଅଧିକ ସମୟ ହେବ ସେ ଏହିପରି ରାଉଣ୍ଡରେ ଯାଉଛନ୍ତି, ଯେତେବେଳେକି ହରିୟାଣାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁତାବକ ଏପ୍ରିଲ୍‌ ୧୪ ସୁଦ୍ଧା ପ୍ରାୟ ୧୮୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

“ ଏହି ରୋଗ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଏହା ସ୍ପର୍ଶ ମାଧ୍ୟମରେ ବ୍ୟାପୁଛି ବୋଲି ଅନେକ ଭାବୁଛନ୍ତି । ଗଣମାଧ୍ୟମରେ ସେମାନେ ‘ ସାମାଜିକ ଦୂରତା’ ପାଳନ କରିବାକୁ କହୁଛନ୍ତି । ମୁଁ ସେମାନଙ୍କୁ କରୋନାଭୂତାଣୁ ବିଷୟରେ ଓ ସେମାନେ କିଭଳି ଭାବେ ପରସ୍ପର ଠାରୁ ଦୂରରେ ରହିପାରିବେ ସେ ବିଷୟରେ ବୁଝାଉଥିଲେ ମଧ୍ୟ ଏହା ଉପରେ କିଭଳି ଜୋର୍‌ ଦେଇ କହିପାରିବି ତାହା ମୁଁ ଜାଣିପାରୁ ନାହିଁ” ବୋଲି ସୁନିତା କୁହନ୍ତି । “ ଏକ ୧୦ ଫୁଟ ଗୁଣନ ୧୦ ଫୁଟ ବଖରା ଯେଉଁଠି  ସାତ ଜଣ ଲୋକ ରହୁଛନ୍ତି ସେଠାରେ ପୁଣି ସାମାଜିକ ଦୂରତା କିପରି ରକ୍ଷା କରାଯାଇ ପାରିବ?

ସୁନିତା, ୩୯, ହେଉଛନ୍ତି ହରିୟାଣାର ସୋନିପତ୍‌ ଜିଲ୍ଲାର ନାଥପୁର ଗ୍ରାମରେ କାମ କରୁଥିବା ଜଣେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) । ଭାରତରେ ଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆଶା, ଯେଉଁମାନେ ଭାରତର ଗ୍ରାମାଞ୍ଚଳ ନିବାସୀଙ୍କୁ ସାଧାରଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସହିତ ଯୋଡିଥାନ୍ତି, ସେମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । କୋଭିଡ୍‌- ୧୯ ଏବେ ସାଧାରଣ ସ୍ୱାସ୍ଥ୍ୟ ଓ ମାମାଜିକ ମଙ୍ଗଳ କ୍ଷେତ୍ରରେ ସବୁଠାରୁ ବଡ ସଂକଟ ଭାବେ ଉଭା ହୋଇଥିବା ବେଳେ ସେମାନଙ୍କର ଏକ ସାଧାରଣ ବ୍ୟସ୍ତବହୁଳ ଦିନ ଯେଉଁଥିରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୬୦ରୁ ଉର୍ଦ୍ଧ୍ୱ କାମ ମଧ୍ୟରୁ ଯେକୌଣସି ଏକ କାମ ତୁଲାଇବାକୁ ହୋଇଥାଏ- ଯାହା ମଧ୍ୟରେ ରହିଛି ନବଜାତଙ୍କର ଟୀକାକରଣ ଠାରୁ ଆରମ୍ଭ କରି ଆସନ୍ନ ପ୍ରସବାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଓ ସେମାନଙ୍କୁ ପରିବାର ନିୟୋଜନ ପାଇଁ ଉପଦେଶ ଦେବା – ସବୁକିଛି ଓଲଟପାଲଟ ହୋଇଯାଇଛି ।

ମାର୍ଚ୍ଚ ୧୭ରେ ଯେତେବେଳେ ହିରିୟାଣାର ପ୍ରଥମ କୋଭିଡ୍‌- ୧୯ ସଂକ୍ରମିତ ଗୁରୁଗ୍ରାମରେ ଚିହ୍ନଟ ହୋଇଥିଲେ, ସେତେବେଳେ ମଧ୍ୟ ସୋନିପତ୍‌ର ଆଶା କର୍ମୀମାନଙ୍କୁ ସେମାନଙ୍କ ସୁପରଭାଇଜର୍‌ ଏହି ରୋଗ ସମ୍ବନ୍ଧରେ କୌଣସି ଯୋଗାଯୋଗ କରିନଥିଲେ । ଚାରିଦିନ ପରେ ସୋନିପତ୍‌ରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଧ୍ୟ ସେମାନଙ୍କ ସୁପର୍‌ଭାଇଜର୍‌ମାନେ ସେମାନଙ୍କୁ କ’ଣ କରାଯିବା ଉଚିତ କିମ୍ବା ଗ୍ରାମବାସୀଙ୍କୁ କିଭଳି ସଚେତନ କରାଯିବ ସେ ନେଇ ଜାରି ହୋଇଥିବା ନୂତନ ସୁରକ୍ଷା ପ୍ରଟୋକଲ୍‌ ବିଷୟରେ ଗୋଟିଏ ଶବ୍ଦ ମଧ୍ୟ ଜଣାଇନଥିଲେ । ସୋନିପତ୍‌ରେ ସୁନିତା ଓ ତାଙ୍କ ଭଳି ଅନ୍ୟ୧୨୭୦ ଜଣ ଆଶାଙ୍କୁ ସାର୍‌ସ-କୋଭ୍‌- ୨ର ମୁକାବିଲା ପାଇଁ ଆଗ ଧାଡିର ଯୋଦ୍ଧାମାନଙ୍କ ମଧ୍ୟରେ ସାମିଲ୍‌ କରିବାକୁ, ଏହି ମାରାତ୍ମକ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଦେବା ଆରମ୍ଭ ହେବା ବେଳକୁ ଦେଶବ୍ୟାପୀ ତାଲାବନ୍ଦ ଜାରି ହୋଇସାରିଥିଲା ଓ ରାଜ୍ୟରେ କୋଭିଡ୍‌- ୧୯ କାରଣରୁ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ଯାହା ଜିଲ୍ଲାରେ ପ୍ରଥମ ଅଟେ ।

ତାଙ୍କ ଗ୍ରାମର ପ୍ରାୟ ୧୦୦୦ ଲୋକଙ୍କ ଦାୟିତ୍ୱରେ ଥିବା ସୁନିତାଙ୍କର ନୂଆ ଦାୟିତ୍ୱ ତାଲିକାରେ ଏବେ ସାମିଲ ହୋଇଛି ତାଙ୍କ ପରିସରଭୁକ୍ତ ପ୍ରତ୍ୟେକ ପରିବାରର ସବିଶେଷ ବିବରଣୀ ଲିପିବଦ୍ଧ କରିବା ଯେପରିକି ପରିବାର ସଦସ୍ୟଙ୍କ ବୟସ, ସେମାନଙ୍କ ମଧ୍ୟରୁ କେହି ବିଦେଶରୁ ଆସିଛନ୍ତି କି ଓ ସେମାନଙ୍କ ମଧ୍ୟରେ ଏପରି କୌଣସି ବ୍ୟକ୍ତି ଅଛନ୍ତି ଯେଉଁମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି ଯେପରିକି କ୍ୟାନ୍‌ସର୍‌, ଯକ୍ଷ୍ମା ବା ହୃଦୟ ରୋଗୀ, ସମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦିର ବିବରଣୀ । “ମୁଁ ଯାଞ୍ଚ କରେ ଓ ଯେଉଁମାନଙ୍କ ପାଖରେ ଇନ୍‌ଫ୍ଲୁଏଞ୍ଜା ବା କରୋନାଭୂତାଣୁର ଲକ୍ଷଣ ପରିଲକ୍ଷିତ ହୁଏ ତାହା ଟିପି ରଖେ । ଏସବୁ କରିବା କଷ୍ଟକର ନୁହେଁ । ମୁଁ ତଥ୍ୟ ଲିପିବଦ୍ଧ କରି ରଖିବାରେ ଅଭ୍ୟସ୍ତ କନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି,’’ ବୋଲି ସୁନିତା କୁହନ୍ତି ।

Top left: An ASHA worker demonstrates an arm’s length distance to a rural family. Top right and bottom row: ASHA workers in Sonipat district conducting door-to-door COVID-19 surveys without protective gear like masks, gloves and hand sanitisers
PHOTO • Pallavi Prasad

ଶୀର୍ଷ ବାମ: ଏକ ଗ୍ରାମୀଣ ପରିବାରକୁ ଜଣେ ଆଶା କର୍ମୀ ହାତେ ଲମ୍ବ ଦୂରତା କ’ଣ ତାହା ପ୍ରଦର୍ଶିତ କରୁଛନ୍ତି । ଶୀର୍ଷ ଡାହାଣ ଓ ନିମ୍ନ ଧାଡି: ସୋନିପତ୍‌ ଜିଲ୍ଲାର ଆଶା କର୍ମୀମାନେ କୌଣସି ସୁରକ୍ଷା ପୋଷାକ ଯେପରିକି ମାସ୍କ, ଗ୍ଲୋଭ୍‌ସ ଓ ହ୍ୟାଣ୍ଡ ସାନିଟାଇଜର୍‌ ଆଦି ବ୍ୟବହାର ନକରି ଦ୍ୱାର ଦ୍ୱାର ବୁଲି କୋଭିଡ୍‌ – ୧୯ ସର୍ଭେ କାମ କରୁଛନ୍ତି ।

“ଆମକୁ କୌଣସି ମାସ୍କ ଦିଆଯାଇ ନାହିଁ । ଆମକୁ ଏପ୍ରିଲ ୨ରେ ଯେତେବେଳେ ପ୍ରଥମେ ପ୍ରଶିକ୍ଷଣ ପ୍ରଦାନ କରାଗଲା, ସେତେବେଳେ ଆମେ ସୁରକ୍ଷା ଉପକରଣ ବିଷୟରେ ପଚାରିଥିଲୁ । ଆମ ପାଖରେ ମୌଳିକ ଶିକ୍ଷା ଅଛି, ଆମେ ଖବର ପଢୁଛୁ । ସେମାନେ ଆମକୁ କିଛି ମଧ୍ୟ ଦେଲେ ନାହିଁ : ମାସ୍କ , ହ୍ୟାଣ୍ଡ ସାନିଟାଇଜର୍‌ କିମ୍ବା ଗ୍ଲୋଭ୍‌ସ, କିଛି ମଧ୍ୟ ନୁହେଁ । ଆମେ ସମସ୍ତେ ପଛଘୁଞ୍ଚା ଦେବା ପରେ କିଛି ଆଶାମାନେ କଟନ୍‌ ମାସ୍କ ପାଇଲେ । ବଳକା ଆମେ ସମସ୍ତେ ଘରେ ତିଆରି କଲୁ – ଆମମାନଙ୍କ ପାଇଁ ଓ ଏପରିକି ଗାଁରେ ଯେଉଁମାନେ ବେମାର ହେବା ସମ୍ଭାବନା ରହିଛି ସେମାନଙ୍କ ପାଇଁ ମଧ୍ୟ । ଆମେ ସମସ୍ତେ ଆମ ନିଜ ପାଇଁ ଗ୍ଲୋଭ୍‌ସ୍‌ କିଣିଲୁ” ବୋଲି ମଧ୍ୟ ସୁନିତା କୁହନ୍ତି ।

ଦ୍ୱାର ଦ୍ୱାର ବୁଲି କୋଭିଡ୍‌- ୧୯ ଚିହ୍ନଟ କରିବା କାମ ଯାହା ମୁଳତଃ କୋଭିଡ୍‌- ୧୯ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ପାଇଁ ଆବଶ୍ୟକ, ସେଥିପାଇଁ ଆଶାମାନଙ୍କୁ କୌଣସି ସୁରକ୍ଷା ପୋଷାକ ବିନା ପଠାଇବା ନିଶ୍ଚିତ ଭାବେ ସରକାରୀ ଉଦାସୀନତାକୁ ବୁଝାଉଛି । ଆଶା କର୍ମୀମାନଙ୍କୁ ମାତ୍ର ଦୁଇ ଘଣ୍ଟା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି – କେବଳ ଥରେ- କିଭଳି ଭାବେ ନୂଆ ବେମାରୀ ଓ ଇନ୍‌ଫ୍ଲୁଏଞ୍ଜା ବିଷୟରେ ରହିଥିବା ପାର୍ଥକ୍ୟକୁ ଜାଣିହେବ ବା କେଉଁମାନେ କରୋନାଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି । ତାହା ମଧ୍ୟ ଅତି ବିଳମ୍ବରେ ଶେଷ ମୁହୂର୍ତ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଭଳି ମନେହେଉଛି ଯେଉଁଥିରେ ଆଶାମାନଙ୍କୁ ଯେଉଁମାନଙ୍କ ଠାରେ କୋଭିଡ୍‌- ୧୯ର ଲକ୍ଷଣ ପ୍ରକାଶ ପାଉନାହିଁ ବା ଅନ୍ୟ ସମ୍ଭାବ୍ୟ ଲକ୍ଷଣଗୁଡିକ କ’ଣ ହୋଇପାରେ, ସେ ବିଷୟରେ ପର୍ଯ୍ୟାପ୍ତ ଭାବେ ପ୍ରଶିକ୍ଷିତ ନକରି ପଠାଯାଉଛି ।

ଛବି କଶ୍ୟପ, ୩୯, ହେଉଛନ୍ତି ସୋନିପତ୍‌ର ବାହଲ୍‌ଗଡ ଗ୍ରାମରେ କାର୍ଯ୍ୟରତ ଜଣେ ଆଶା କର୍ମୀ, ଯାହାକୁ ମାସ୍କ ମିଳିନି । ତାଙ୍କୁ ନିଜର ମାସ୍କ ନିଜେ ପ୍ରସ୍ତୁତ କରିବା ପାଇଁ କୁହାଗଲା । “ମୁଁ ଘରେ ତିଆରି କରିଥିବା ମାସ୍କ କିଛି ଦିନ ପର୍ଯ୍ୟନ୍ତ ବ୍ୟବହାର କଲି କିନ୍ତୁ ଏହାକୁ ସୁଦୃଢ କରି ବାନ୍ଧି ହେଲାନାହିଁ । ମୋର ଦୁଇଟି ପିଲା ଅଛନ୍ତି ଓ ମୋର ସ୍ୱାମୀ ମଧ୍ୟ ଡାକ୍ତରଖାନାରେ କାମ କରନ୍ତି,” ବୋଲି ସେ କୁହନ୍ତି । “ମୁଁ ବିପଦକୁ ଡାକିବାକୁ ଚାହୁଁନଥିଲି, ଏଣୁ ମୁଁ ଏହା ପରିବର୍ତ୍ତେ ମୋର ଓଢଣି ବ୍ୟବହାର କରିବାକୁ ଲାଗିଲି । ହରିୟାଣାର ଆଶା ୟୁନିୟନ୍‌ର ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଚୁନ୍ନିକୁ କିଭଳି ଭାବେ ନିଜ ମୁହଁରେ ବାନ୍ଧିବା ଉଚିତ, ତାହାର ଏକ ଭିଡିଓ ବହୁସଂଖ୍ୟାରେ ସେୟାର୍‌ ହେଉଛି, ଯାହା ସେ ଅନ୍ୟ ମାନଙ୍କୁ ଏ ବିଷୟରେ ଜ୍ଞାନ ଦେବାକୁ ବ୍ୟବହାର କରୁଛନ୍ତି।

ହରିୟାଣାର ଆଶା ୟୁନିୟନ୍‌ ରାଜ୍ୟ ସରକାରଙ୍କୁ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ଦୁଇଟି ଚିଠି ଲେଖିବା ପରେ ଏପ୍ରିଲ ୯ରେ ୧୦ଟି ମାସ୍କ ଓ ଯାତ୍ରା ପାଇଁ ଉଦ୍ଦିଷ୍ଟ ଏକ ହ୍ୟାଣ୍ଡ ସାନିଟାଇଜର୍‌ ପାଇଁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଛଅ ଦିନ ପର୍ଯ୍ୟନ୍ତ କ୍ଷେତ୍ରରେ କାମ କରିବା ପରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ୭-୯ଟି ଲେଖା କେବଳ ଗୋଟିଏ ଥରେ ବ୍ୟବହାର ଯୋଗ୍ୟ ମାସ୍କ ମିଳିଛି  ।

ଅନୁବାଦ: ଓଡ଼ିଶାଲାଇଭ୍‍

ଆଶା କର୍ମୀମାନଙ୍କୁ କେବଳ ଦୁଇ ଘଣ୍ଟା ପ୍ରଶିକ୍ଷିତ କରାଗଲା – କେବଳ ଥରେ – ନୂଆ ବେମାରୀ ଓ ଇନ୍‌ଫ୍ଲୁଏଞ୍ଜା ମଧ୍ୟରେ ରହିଥିବା ପାର୍ଥକ୍ୟକୁ କିପରି ଜାଣି ପାରିବ

ଭିଡିଓ ଦେଖନ୍ତୁ : କିଭଳି ଭାବେ ଚୁନ୍ନିରୁ ଫେସ୍‌ ମାସ୍କ ତିଆରି କରିବେ

ଛବିକୁ କେବଳ ଗୋଟିଏ ଥର ବ୍ୟବହାର ଯୋଗ୍ୟ ନଅଟି ମାସ୍କ ମିଳିଥିଲା  ଓ ପ୍ରତ୍ୟେକ ମାସ୍କକୁ ଅନ୍ୟୁନ ତିନିଦିନ ବ୍ୟବହାର କରିବା ପାଇଁ କୁହାଯାଇଥିଲା । “ସେମାନେ କିଭଳି ଭାବେ କିଛି ନ ଦେଇ ଆମକୁ ଏହି ମହାମାରୀ ସମ୍ମୁଖକୁ ଠେଲି ଦେଇପାରିବେ’’? ବୋଲି ସେ ପଚାରନ୍ତି । ସେ ଚିନ୍ତା କରିଛିନ୍ତି ଯେ ସେ ଖୂବ୍‌ ଶୀଘ୍ର ତାଙ୍କ ଚୁନ୍ନି କୁ ପୁଣି ଥରେ ବ୍ୟବହାର କରିବେ- ତାଙ୍କର ସେହି ଲାଲ୍‌ ରଙ୍ଗର ଓଢଣି ଯାହାକୁ ସେ ଦିନକୁ ଅନ୍ୟୁନ ଦୁଇଥର ଫୁଟନ୍ତା ପାଣରେ ଧୋଇ ପରିଷ୍କାର କରନ୍ତି । “ମାସ୍କ ବିନା କୁଆଡେ ନଯିବାକୁ ସରକାର କହୁଛନ୍ତି । ଆମ ପାଖରେ କିନ୍ତୁ ଗୋଟିଏ ମଧ୍ୟ ନାହିଁ । ଆମେ ଯେତେବେଳେ ବାହାରକୁ ବାହାରୁଛୁ ଲୋକମାନେ ଆମକୁ ଗାଳି କରୁଛନ୍ତି,” ବୋଲି ଛବି କୁହନ୍ତି ।

ଯଦି କାହା ପାଖରେ ଲକ୍ଷଣ ରହିଛି ତାହାହେଲେ ଆଶା କର୍ମୀମାନଙ୍କୁ ସେମାନେ ଯେଉଁ ଏନଏନ୍‌ଏମ୍‌ଙ୍କ (ଅଧିନରେ କାମ କରୁଛନ୍ତି, ସେମାନଙ୍କୁ ଏ ବିଷୟରେ ଜଣାଇବାକୁ ହୋଇଥାଏ, ଯାହାପରେ ସେହି ଅଞ୍ଚଳ ନିକଟସ୍ଥ ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସ୍‌ ସେଠାକୁ ଆସି ସେମାନଙ୍କୁ ସେମାନଙ୍କ ଘରେ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବା ସରକାରୀ ବ୍ୟବସ୍ଥାରେ ରଖାଯିବ ତାହା ନିଶ୍ଚିତ କରିନ୍ତି । “ତାପରେ ପରିବାର ଲୋକ ଆମକୁ ଘେରି ଦିଅନ୍ତି ଓ ସେମାନଙ୍କ ବିଷୟରେ ଜଣାଇଥିବାରୁ ଆମକୁ ଗାଳି କରନ୍ତି । ଯେଉଁମାନଙ୍କୁ ଘରେ କ୍ୱାରାଣ୍ଟାଇନ୍‌ରେ ରଖା ଯାଉଛି ସେମାନେ ସେମାନଙ୍କ ଘରେ ଆମେ ଲଗାଇଥିବା ଷ୍ଟିକର୍‌ ବାହାର କରି ଦିଅନ୍ତି ଓ ବାରମ୍ବାର ସେହି ଷ୍ଟିକର୍‌ ସେଠାରେ ଲଗାଇବାକୁ ପଡେ ଓ ସେମାନଙ୍କ ସହିତ ଆଲୋଚନା କରିବାକୁ ପଡେ,” ବୋଲି ସୁନିତା କୁହନ୍ତି ।

ନିଜେ ସଂକ୍ରମିତ ହେବାର ସମ୍ଭାବନା ନେଇ ସେ କ’ଣ ଚିନ୍ତା କରନ୍ତି ନାହିଁ? ସେ କରନ୍ତି । ହେଲେ, ଆଶା ଓ ୟୁନିଅନ୍‌ ଲିଡର୍‌ ଭାବେ ଦ୍ୱୈତ ଭୂମିକାରେ ରହିଥିବାରୁ ତାଙ୍କ ମନରେ ଅନ୍ୟ ଚିନ୍ତା ଘର କରି ରହିଛି । ସେ ପ୍ରାୟ ୧୫ଜଣ ମହିଳାଙ୍କୁ ଜନ୍ମ ନିରୋଧକ ବଟିକା ଦେଉଥିଲେ । “ବର୍ତ୍ତମାନ ତାଲାବନ୍ଦ ଯୋଗୁଁ ଷ୍ଟକ୍‌ ଆସିବା ବନ୍ଦ ହୋଇଯାଇଛି,” ବୋଲି ସେ କୁହନ୍ତି । “କଣ୍ଡୋମ ମଧ୍ୟ ସରିଗଲାଣି । ଏପରି ସ୍ଥିତିରେ ଗତ କିଛି ମାସ ହେବ ଆମେ ଯାହାକିଛି କାମ କରିପାରିଛୁ ତାହା ବେକାର ହୋଇଯିବ । “ତାଲାବନ୍ଦ ପରେ ଯେ ଅବାଞ୍ଛନୀୟ ଗର୍ଭଧାରଣ ସଂଖ୍ୟା ବୃଦ୍ଧି ପାଇବ ଏନେଇ ସେ ନିଶ୍ଚିତ ଅଛନ୍ତି ।

“ପୂର୍ବରୁ ପୁରୁଷମାନେ କାମ କରିବାକୁ ବାହାରକୁ ଚାଲି ଯାଉଥିବାରୁ ଘରର ମହିଳାଙ୍କ ସହିତ ଆଲୋଚନା କରିବା ପାଇଁ ଆମକୁ ସୁବିଧା ହେଉଥିଲା । ବର୍ତ୍ତମାନ କିନ୍ତୁ ଆମେ କରୋନା ଭୂତାଣୁ ସର୍ଭେ କରିବାକୁ  ଗଲାବେଳକୁ ସବୁ ପୁରୁଷମାନେ ଘରେ ଉପସ୍ଥିତ ରହୁଛନ୍ତି । ଏ ସମସ୍ତ ପ୍ରଶ୍ନ ପଚାରିବାକୁ ଆମେମାନେ କିଏ ବୋଲି ସେମାନେ ଆମକୁ ପଚାରୁଛନ୍ତି । ସେମାନେ ଆମକୁ ଆମର ପରିଚୟ ପତ୍ର ଦେଖେଇବାକୁ କହୁଛନ୍ତି । ସରକାର ଆମକୁ ସ୍ୱୀକୃତି ପ୍ରଦାନ କରିବାକୁ ଓ ଆମର ବୃତ୍ତିକୁ ନିୟମିତ କରିବାକୁ ମନା କରୁଛନ୍ତି । ଆମେ ସେମାନଙ୍କ ପାଇଁ କେବଳ ଜଣେ ସ୍ୱେଚ୍ଛାସେବୀ ମାତ୍ର । ଆହୁରିମଧ୍ୟ ଅନେକ ଲୋକ ଆମ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଉଛନ୍ତି,” ବୋଲି ସୁନିତା କୁହନ୍ତି ।

Many ASHAs started stitching masks after receiving just one for their fieldwork. When they finally received disposable masks, it were less than their quota and came with a travel-sized bottle of sanitiser
PHOTO • Pallavi Prasad

ଅନେକ ଆଶାମାନେ ସେମାନଙ୍କ ଫିଲ୍ଡ କାମ ପାଇଁ ଗୋଟିଏ ମାତ୍ର ମାସ୍କ ପାଇବା ପରେ ସେମାନେ ନିଜ ପାଇଁ ନିଜର ମାସ୍କ ତିଆରି କରୁଛନ୍ତି । ଶେଷରେ ଯେତେବେଳେ ସେମାନେ କେବଳ ଗୋଟିଏ ଥର ବ୍ୟବହାର ପାଇଁ ଉଦ୍ଦିଷ୍ଚ ମାସ୍କ ପାଇଲେ, ତାହା ସେମାନଙ୍କ ସ୍ଥିରୀକୃତ ସଂଖ୍ୟା ଠାରୁ କମ୍‌ ଥିଲା ଓ ଏହା ସହିତ ଯାତ୍ରା ସମୟରେ ବ୍ୟବହାର ଯୋଗ୍ୟ ଏକ ସାନିଟାଇଜର୍‌ ବୋତଲ୍‌ ଥିଲା ।

ଗୋଟିଏ ଦିନ ସେ ନିଜର ନିତିଦିନିଆ ରାଉଣ୍ଡରେ ଆସିଥିବା ବେଳେ କିଛି ମହିଳା ଯେଉଁମାନେ ତାଙ୍କୁ ଜାଣନ୍ତି ଓ ତାଙ୍କୁ ବିଶ୍ୱାସ କରନ୍ତି, ବାହରକୁ ଆସି ତାଙ୍କ ସହିତ କଥାହେଲେ । “ସେମାନଙ୍କ ମଧ୍ୟରୁ କେହି ଜଣେ ମୋ ପାଖରେ କୌଣସି ଗର୍ଭନିରୋଧକ ବଟିକା ଅଛି କି ବୋଲି ପ୍ରଥମେ ପଚାରିଲେ । ‘ଅବ୍‌ ତୋ ଜରୁରତ୍‌ ବଢ୍‌ଗଇ ହେ, ଦିଦି । ୱ ଘର୍‌ପେ ରହତେ ହେଁ’ [ଏବେ ଆବଶ୍ୟକତା ବଢି ଯଆଇଛି, ଦିଦି । ସେ ଘରେ ରହୁଛନ୍ତି] । ତାଙ୍କ ପ୍ରଶ୍ନର କୌଣସି ଉତ୍ତର ମୋ ପାଖରେ ନଥିଲା ଓ ମୁଁ ଏଥିପାଇଁ ତାଙ୍କୁ କ୍ଷମା ମାଗିଲି । ସେତେବେଳକୁ ତାଙ୍କ ସ୍ୱାମୀ ବାହାରକୁ ଆସିଗଲେ ଓ ମୋତେ ସେଠାରୁ ଚାଲି ଯିବାକୁ କହିଲେ ।

ଆଶାମାନଙ୍କ ପାଖରେ ଆବଶ୍ୟକତା ଆଧାରରେ ସବୁବେଳେ ମୁଣ୍ଡବ୍ୟଥା, ଶରୀରପୀଡା, ଜ୍ୱର ଓ ଗର୍ଭନିରୋଧ ପାଇଁ ବ୍ୟବହାର କରାଯାଉଥିବା ସାଧାରଣ ଔଷଧ ଥିବା ଏକ ଡ୍ରଗ୍‌ କିଟ୍‌ ରହିବା ଉଚିତ । ଏହି କିଟ୍ ଆଜି ପର୍ଯ୍ୟନ୍ତ ବାସ୍ତବରେ ଉପଲବ୍ଧ ହୋଇପାରିନାହିଁ, ଏହା କେବଳ କାଗଜ କାମରେ ସୀମିତ ରହିଯାଇଛି ବୋଲି ସୁନିତା କୁହନ୍ତି – କିନ୍ତୁ ସେହି ଅଭାବର ଫଳାଫଳ ବର୍ତ୍ତମାନ ଗମ୍ଭୀର ରୂପ ଧାରଣ କରିଛି । ମୁଁ ସେମାନଙ୍କ ଘରକୁ ଯାଉଛି ଓ କେହି ଜ୍ୱରରେ କମ୍ପୁଥିଲେ ମଧ୍ୟ ମୁଁ ସେମାନଙ୍କୁ ଗୋଟିଏ ପାରାସିଟାମଲ୍‌ ମଧ୍ୟ ଦେଇ ପାରୁନି… ମୁଁ କେବଳ ଲୋକମାନଙ୍କୁ ବିଶ୍ରାମ ନେବାକୁ କହିପାରୁଛି । ଗର୍ଭବତୀ ମହିଳାମାନେ ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ ଟାବ୍‌ଲେଟ୍‌ ପାଇପାରୁ ନାହାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ରକ୍ତହୀନତାର ଶିକାର ଅଟନ୍ତି । ଏସବୁ ନଥିଲେ ସେମାନଙ୍କ ପ୍ରସବ ଅଧିକ ଜଟିଳ ହୋଇଯିବ” ବୋଲି ସେ ବର୍ଣ୍ଣନା କରି କୁହନ୍ତି ।

ଛବି ମଧ୍ୟ ସେହି ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏପ୍ରିଲ ୫ରେ, ସେ ଯେଉଁ ୨୩ ବର୍ଷ ବୟସ୍କ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଥିଲା ତାଙ୍କର ପ୍ରସବ ପୀଡା ଆରମ୍ଭ ହୋଇଗଲା । ଏହି ସମୟରେ ତାଙ୍କର ଦାୟିତ୍ୱ - ପ୍ରାକ୍‌-କୋଭିଡ୍‌ – ହେଉଛି ତାଙ୍କୁ ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ନେବା ଓ ନିର୍ବିଘ୍ନରେ କିପରି ପ୍ରସବ ହେବ ତାହା ନିଶ୍ଚିତ କରିବା । ସବୁଠାରୁ ନିକଟତମ ସ୍ଥାନ ହେଉଛି ଏକ ସିଭିଲ୍‌ ଡାକ୍ତରଖାନା, ଯାହା ସେଠାରୁ ଆଠ କିଲୋମିଟର ଦୂରରେ ଅବସ୍ଥିତ । ଯଦି ମୁଁ ତାଙ୍କ ସହିତ ଯାଇଥାନ୍ତି ତାହାହେଲେ ଏହା ଏକ ଜରୁରୁକାଳୀନ ପରିସ୍ଥିତି ହୋଇଥିବାରୁ ପୋଲିସ୍‌ ମତେ ଯିବାକୁ ଅନୁମତି ଦେଇଥାନ୍ତା । ହେଲେ, ଫେରିବା ସମୟରେ ଯଦି ସେମାନେ ମତେ ଧରିଥାନ୍ତେ ତେବେ ମୁଁ ଅସୁବିଧାରେ ପଡିଯାଇଥାନ୍ତି । କାରଣ ସେତେବେଳେ ମୁଁ କିଛି “ଆବଶ୍ୟକ’’ କାମ କରୁନଥିଲି । ମୋ ପାଖରେ ସେମାନଙ୍କୁ ଦେଖେଇବାକୁ ପରିଚୟ ପତ୍ର ମଧ୍ୟ ନାହିଁ ।’’ ଛବି ଏକ ଆମ୍ୱୂଲାନ୍ସ ଯୋଗାଡ କରି ସେହି ମହିଳାଙ୍କ ସହାୟତା କରିବା ପାଇଁ ଚେଷ୍ଟା କଲେ । ହେଲେ, କେହି ମଧ୍ୟ ଆସିଲେ ନାହିଁ ଓ ଶେଷରେ ଗର୍ଭବତୀ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀକୁ ଡାକ୍ତରଖାନାକୁ ନେବାକୁ ଏକ ଅଟୋର ବ୍ୟବସ୍ଥା କରିବାରେ ସଫଳ ହେଲେ ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ମିଟିଂ ପାଇଁ ସେମାନଙ୍କୁ ଡକା ଯାଇଛି ବୋଲି ସେମାନେ ବାରମ୍ବାର ନିବେଦନ କରି କହିବା ସତ୍ତ୍ୱେ ଦେଶବ୍ୟାପୀ ତାଲାବନ୍ଦକୁ କାର୍ଯ୍ୟକାରୀ କରିବା ପାଇଁ ମାର୍ଚ୍ଚ ୩୦ରେ ପୋଲିସ୍‌ ଗୋହନା ତଲସିଲ୍‌ରେ ଦୁଇଜଣ ଆଶାଙ୍କୁ ଲାଠିରେ ମାଡ ମାରିଥିଲା ବୋଲି ସେ କୁହନ୍ତି ।

ଭିଡିଓ ଦେଖନ୍ତୁ : ହରିଆଣା ପୋଲିସ୍‌ କୋଭିଡ୍‌- ୧୯ ଡ୍ୟୁଟିରେ ଥିବା ଆଶା କର୍ମୀଙ୍କୁ ମାଡ ମାରୁଛନ୍ତି

ଆଶାମାନଙ୍କ ପାଖରେ ଆବଶ୍ୟକତା ଆଧାରରେ ସବୁବେଳେ ମୁଣ୍ଡବ୍ୟଥା, ଶରୀରପୀଡା, ଜ୍ୱର ଓ ଗର୍ଭନିରୋଧ ପାଇଁ ବ୍ୟବହାର କରାଯାଉଥିବା ସାଧାରଣ ଔଷଧ ଥିବା ଏକ ଡ୍ରଗ୍‌ କିଟ୍‌ ରହିବା ଉଚିତ । ଏହି କିଟ୍ ଆଜି ପର୍ଯ୍ୟନ୍ତ ବାସ୍ତବରେ ଉପଲବ୍ଧ ହୋଇପାରିନାହିଁ, ଏହା କେବଳ କାଗଜ କାମରେ ସୀମିତ ରହିଯାଇଛି

କଠୋର କୋଭିଡ୍‌- ୧୯ ତାଲାବନ୍ଦ ଯୋଗୁଁ ଶିଶୁମାନଙ୍କ ନିୟମିତ ଇମ୍ୟୁନାଇଜେସନ୍‌ ବନ୍ଦ ହୋଇଯାଇଥିବା ବେଳେ ଏହା ପୁଣି କେବେ ଆରମ୍ଭ ହେବ ତାହା ଅସ୍ପଷ୍ଟ ଅଟେ । ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳାମାନେ ଯେଉଁମାନେ ପ୍ରାୟତଃ ଆଶାମାନଙ୍କ ସହିତ ଡାକ୍ତରଖାନା ଯାଆନ୍ତି-  ଯାହାକୁ ସେମାନେ ବହୁ ଓ ଦିଦି  ବୋଲି ମଧ୍ୟ କୁହନ୍ତି – ସେମାନେ ଶେଷରେ ଘରେ ଶିଶୁକୁ ଜନ୍ମ ଦେବେ । “କେହି ମଧ୍ୟ ପଥ ପ୍ରଦର୍ଶକ ନରହିବା ଯୋଗୁଁ ଗମ୍ଭୀର ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି,” ସୁନିତା ସତର୍କ କରିଛନ୍ତି ।

କୋଭିଡ୍‌ ପୂର୍ବରୁ ହରିୟାଣାରେ ଆଶାମାନେ ରାଜ୍ୟ ସରକାରଙ୍କ ଠାରୁ ମାସିକ ୪୦୦୦ଟଙ୍କା ଷ୍ଟାଇପେଣ୍ଡ ପାଉଥିଲେ । ଏହାସହିତ କେନ୍ଦ୍ର ସରକାରଙ୍କ ଠାରୁ ପାଞ୍ଚଟି ପ୍ରମୂଖ ଦାୟିତ୍ୱ (ଡାକ୍ତରଖାନାରେ ଗୋଟିଏ ପ୍ରସବ, ଜଣେ ଶିଶୁର ଟୀକାକରଣ, ପ୍ରସବପୂର୍ବ ଯତ୍, ଘରେ ପ୍ରସବତ୍ତୋର ଯତ୍ନ ଓ ପରିବାର ନିୟୋଜନ ସଚେତନତା) ତୁଲାଇବା ପାଇଁ ୨୦୦୦ଟଙ୍କାର ପ୍ରୋତ୍ସାହନ ରାଶି ମିଳିଥାଏ । ଟ୍ୟୁବେକ୍ଟୋମି ଓ ଭାସାକ୍ଟୋମି ଆଦି ପାଇଁ ଜଣକୁ ରାଜି କରାଇ ପାରିଲେ ସେଥିପାଇଁ ବ୍ୟକ୍ତିଗତ ଆର୍ଥିକ ପ୍ରୋତ୍ସାହନ ରାଶି ମିଳିଥାଏ।

“ ଆମର ସବୁ କାମ ଏଇ କରୋନାଭୂତାଣୁ ଓ ତାଲାବନ୍ଦ କାରଣରୁ ବନ୍ଦ ହୋଇଯାଇଛି । ଏହି ସର୍ଭେ କରିବା ପାଇଁ (କରୋନା ଭୂତାଣୁ) ଗତ ତିନିମାସ ହେବ ଆମକୁ ମାସକୁ କେବଳ ୧୦୦୦ଟଙ୍କା ମିଳୁଛି । ଆମ ସମସ୍ତଙ୍କୁ ପ୍ରାୟ ୨୫୦୦ଟଙ୍କାର(ମାସିକ) କ୍ଷତି ସହିବାକୁ ପଡୁଛି । ସବୁଠାରୁ ବଡ କଥା ହେଉଛି ଅକ୍ଟୋବର ୨୦୧୯ ପରଠାରୁ ମତେ ମୋର ପ୍ରାପ୍ୟ ମିଳିନି । ମୁଁ କେବେ ଏହି ତୁଚ୍ଛ ରାଶି ପାଇବି? ଆମେ କିଭଳି ଆମ ଘର ଚଳାଇବୁ, ଆମ ପିଲାଙ୍କୁ ଖାଇବାକୁ ଦେବୁ?” ବୋଲି ସୁନିତା ପଚାରନ୍ତି ।

ଏପ୍ରିଲ ୧୦ରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖତ୍ତର ଆଗଧାଡିର ମେଡିକାଲ୍‌ କର୍ମଚାରୀଙ୍କ ଦରମା ଦ୍ୱିଗୁଣିତ କଲେ –ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଯେଉଁମାନେ କୋଭିଡ୍‌- ୧୯ ସଂଗ୍ରାମରେ ସଂପୃକ୍ତ । ହେଲେ, ଆଶା କର୍ମୀମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ସ୍ୱେଚ୍ଛାସେବୀ ବୋଲି ବିବେଚନା କରାଯାଏ ଓ ବୋଧହୁଏ ଏଥିପାଇଁ ବିଚାର ବହିର୍ଭୂତ । “ଆମକୁ କ’ଣ କର୍ମୀଭାବେ ବିବେଚନା କରାଯାଉନି’’? ବୋଲି ସୁନିତା ପଚାରନ୍ତି । “ସରକାର ଏହି ମହାମାରୀ ମଧ୍ୟରେ ଆମ ଜୀବନ ସହିତ, ଲୋକମାନଙ୍କ ଜୀବନ ସହିତ ଖେଳୁଛନ୍ତି ।’’ ଆଉ ଏହା ସହିତ ଆମ କଥାବର୍ତ୍ତାରେ ପୂର୍ଣ୍ଣଚ୍ଛେଦ ପଡିଲା । ତାଙ୍କ ସ୍ୱାମୀ ପ୍ରଥମଥର ପାଇଁ ଭାତ ରାନ୍ଧୁଥିଲେ । ତାଙ୍କ ସ୍ୱାମୀ ନିଜକୁ ପୋଡିଦେବେ ବା ସେମାନଙ୍କ ରାତ୍ରି ଭୋଜନକୁ- ଏନେଇ ସେ ଚିନ୍ତିତ ଥିଲେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Pallavi Prasad

Pallavi Prasad is a Mumbai-based independent journalist, a Young India Fellow and a graduate in English Literature from Lady Shri Ram College. She writes on gender, culture and health.

Other stories by Pallavi Prasad