‘‘କାଗଜପତ୍ରରେ ଦେଖିଲେ ଏଠାରେ ବୁଣାକାରଙ୍କ ଅଭାବ ନାହିଁ କିନ୍ତୁ ମୋ ମୃତ୍ୟୁ ପରେ (ବାସ୍ତବରେ) ସବୁକିଛି ଶେଷ ହୋଇଯିବ,’’ ନିଜ ବାଉଁଶ କୁଡ଼ିଆରେ ହସ୍ତତନ୍ତରେ ବୁଣିବାରୁ ସାମାନ୍ୟ ବିଶ୍ରାମ ନେଇ ରୂପଚାନ୍ଦ ଦେବନାଥ ନିରାଶ ହୋଇ କୁହନ୍ତି। ତାଙ୍କ ଘରର ଅଧିକାଂଶ ଜାଗା ତନ୍ତ ନେଇଯାଇଥିବା ବେଳେ ଅବଶିଷ୍ଟ ଭାଗରେ ଅଦରକାରୀ ସାମଗ୍ରୀ-ଭଙ୍ଗା ଫର୍ଣ୍ଣିଚର, ଧାତବ ସରଞ୍ଜାମ ଓ ବାଉଁଶ ଖଣ୍ଡ, ତଥା ଅନ୍ୟାନ୍ୟ ଜିନିଷରେ ଭର୍ତ୍ତି ହୋଇ ରହିଛି । ସେଠାରେ ଜଣେ ଲୋକଙ୍କୁ ଛାଡ଼ି ଦେଲେ ଦ୍ୱିତୀୟ ଲୋକ ପାଇଁ ସ୍ଥାନ ନାହିଁ ।

ଭାରତ ଓ ବାଂଲାଦେଶ ସୀମାବର୍ତ୍ତୀ ତ୍ରିପୁରା ରାଜ୍ୟର ଧର୍ମନଗର ସହର ଉପକଣ୍ଠ ଗୋବିନ୍ଦପୁରରେ ରୂପଚାନ୍ଦ (୭୩) ରୁହନ୍ତି। ଗାଁକୁ ସଂକୀର୍ଣ୍ଣ ପିଚୁ ରାସ୍ତାଟିଏ ପଡ଼ିଛି। ସ୍ଥାନୀୟ ଲୋକମାନେ କୁହନ୍ତି, ଏକଦା ଏହି ସ୍ଥାନରେ ୨୦୦ ବୁଣାକାର ପରିବାର ଓ ୬୦୦ରୁ ଅଧିକ ବୁଣାକାର ରହୁଥିଲେ। ଗୋବିନ୍ଦପୁର ହସ୍ତତନ୍ତ ବୁଣାକାର ସଂଘର କାର୍ଯ୍ୟାଳୟ ସଂକୀର୍ଣ୍ଣ ଗଳି ପାର୍ଶ୍ୱରେ କିଛି ଘର ମଧ୍ୟରେ ଅବସ୍ଥିତ, ଯାହାର ଭଗ୍ନ କାନ୍ଥ ପ୍ରାୟତଃ ବିସ୍ମୃତ ଗୌରବକୁ ସ୍ମରଣ କରାଇ ଦେଇଥାଏ।

ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ ନାଥ ସମ୍ପ୍ରଦାୟର ରୂପଚାନ୍ଦ କୁହନ୍ତି, ‘‘ପୂର୍ବରୁ ଏଠାରେ ଏମିତି ଗୋଟିଏ ଘର ନଥିଲା ଯେଉଁଠି ତନ୍ତ ନଥିବ।’’ ସୂର୍ଯ୍ୟ ତେଜ ଅଧିକ ରହିଛି ଏବଂ ସେ ନିଜ ମୁହଁରୁ ଝାଳ ପୋଛି କଥାବାର୍ତ୍ତା ଆଗକୁ ବଢ଼ାନ୍ତି। ‘‘ସମାଜ ଆମକୁ ସମ୍ମାନ କରୁଥିଲା। ଏବେ କେହି ଖାତିର କରୁନାହାନ୍ତି। ଯେଉଁ ବେଉସାରୁ କିଛି ଟଙ୍କା ମିଳୁନାହିଁ ତାହାକୁ କିଏ ସମ୍ମାନ କରିବ ମୋତେ କୁହ?’’ ସେ ପ୍ରଶ୍ନ କରିଥାନ୍ତି, ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ।

ଏହି ଅଭିଜ୍ଞ ବୁଣାକାର ହାତରେ ବୁଣା ହେଉଥିବା ନକ୍ସି ଶାଢ଼ୀ ତିଆରି କରିବା ବିଷୟରେ ସ୍ମରଣ କରିଥାନ୍ତି ଯେଉଁଥିରେ ନିଖୁଣ ପୁଷ୍ପ ରୂପାଙ୍କନ ରହୁଥିଲା। କିନ୍ତୁ ୧୯୮୦ ଦଶକରେ, ‘‘ଯେତେବେଳେ ପୂର୍ବାଶା (ତ୍ରିପୁରା ସରକାରଙ୍କ ହସ୍ତଶିଳ୍ପ ଏମ୍ପୋରିୟମ) ପକ୍ଷରୁ ଧର୍ମନଗରରେ ଗୋଟିଏ ଆଉଟ୍‌ଲେଟ୍‌ ଖୋଲାଗଲା, ସେମାନେ ଆମକୁ ନକ୍ସି ଶାଢ଼ି ତିଆରି ବନ୍ଦ କରିବା ଏବଂ ସାଦା ଶାଢ଼ି ତିଆରି କରିବାକୁ କହିଲେ,’’ ରୂପଚାନ୍ଦ କହିଥାନ୍ତି। ଏଗୁଡ଼ିକର କାରୁକାର୍ଯ୍ୟ ଏବଂ ସାମଗ୍ରିକ ଗୁଣବତ୍ତା କମ୍‌ ଥିଲା ସେଥିପାଇଁ ଶସ୍ତା ଥିଲା।

ସେ କହିଥିଲେ, ଧୀରେ ଧୀରେ ଏହି ଅଞ୍ଚଳରେ ନକ୍ସି ଶାଢ଼ି ବିଲୁପ୍ତ ହୋଇଗଲା ଏବଂ ଆଜି, ‘‘କେହି କାରୀଗର ନାହାନ୍ତି କିମ୍ବା ତନ୍ତ ପାଇଁ ସରଞ୍ଜାମ ଯୋଗାଣ ଲାଗି କେହି ନାହାନ୍ତି।’’ ତାଙ୍କ ମନ୍ତବ୍ୟକୁ ଗତ ଚାରି ବର୍ଷ ଧରି ବୁଣାକାର ସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ରବୀନ୍ଦ୍ର ଦେବନାଥ ମଧ୍ୟ ଦୋହରାଇଥା’ନ୍ତି। ସେ କୁହନ୍ତି, ‘‘ଆମେ ଯେଉଁ ପୋଷାକ ତିଆରି କରୁଥିଲୁ ସେଥିପାଇଁ କୌଣସି ବଜାର ମିଳୁନଥିଲା।’’ ୬୩ ବର୍ଷ ବୟସରେ ବୁଣାକାମ କରିବା ଲାଗି ଆବଶ୍ୟକ ପରିଶ୍ରମ ସେ ଆଉ କରିପାରୁନାହାନ୍ତି।

PHOTO • Rajdeep Bhowmik
PHOTO • Deep Roy

ବାମ : ରୂପଚାନ୍ଦ ଦେବନାଥ (ତନ୍ତ ପଛରେ ଛିଡ଼ା ହୋଇଛନ୍ତି) ତ୍ରିପୁରାର ଗୋବିନ୍ଦପୁର ଗାଁରେ ଶେଷ ହସ୍ତତନ୍ତ ବୁଣାକାର ଏବଂ ସେ ଏବେ କେବଳ ଗାମଛା ତିଆରି କରୁଛନ୍ତି। ତାଙ୍କ ସହିତ ସ୍ଥାନୀୟ ବୁଣାକାର ସଂଘର ବର୍ତ୍ତମାନର ଅଧ୍ୟକ୍ଷ ରବୀନ୍ଦ୍ର ଦେବନାଥ ମଧ୍ୟ ଛିଡ଼ା ହୋଇଛନ୍ତି । ଡାହାଣ : ମଣ୍ଡ ଦିଆଯିବା ପରେ ସୂତାକୁ ଖରାରେ ଶୁଖାଯାଏ, ଯାହା ଫଳରେ ତାହା ମସକା, ଟାଣ ଏବଂ କୁଞ୍ଚନମୁକ୍ତ ହୋଇଯିବ

୨୦୦୫ ବେଳକୁ ରୂପଚାନ୍ଦ ନକ୍ସି ଶାଢ଼ି ବୁଣିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ ଏବଂ ଗାମଛା ବୁଣିବା ଆରମ୍ଭ କରିଦେଇଥିଲେ। ‘‘ଆମେ ପୂର୍ବରୁ କେବେ ଗାମଛା ତିଆରି କରୁନଥିଲୁ। ଆମେ ସମସ୍ତେ ଶାଢ଼ି ବୁଣୁଥିଲୁ। କିନ୍ତୁ ଆମ ପାଖରେ କୌଣସି ବିକଳ୍ପ ନଥିଲା,’’ ଗୋବିନ୍ଦପୁରରେ ଶେଷ ଦକ୍ଷ ହସ୍ତତନ୍ତ ବୁଣାକାରଙ୍କ ମଧ୍ୟରୁ ଅନ୍ୟତମ ସେ କୁହନ୍ତି। ‘‘ଗତକାଲି ଠାରୁ, ମୁଁ ମାତ୍ର ଦୁଇଟି ଗାମଛା ବୁଣିଛି । ମୁଁ ଏସବୁ ବିକ୍ରି କରି ମାତ୍ର ୨୦୦ ଟଙ୍କା ପାଇବି,’’ ରୂପଚାନ୍ଦ କୁହନ୍ତି । ଆଗକୁ ସେ କୁହନ୍ତି, ‘‘ଏହା ଏକାକୀ ମୋର ରୋଜଗାର ନୁହେଁ। ମୋ ପତ୍ନୀ ସୂତା ଗୁଡ଼ାଇବାରେ ମୋତେ ସାହାଯ୍ୟ କରନ୍ତି। ତେଣୁ ଏହା ପୂରା ପରିବାରର ରୋଜଗାର। ଏତିକି ରୋଜଗାରରେ କିଏ କେମିତି ଚଳିପାରିବ?’’

ରୂପଚାନ୍ଦ ସକାଳ ପ୍ରାୟ ୯ଟା ପରେ ବୁଣା କାମରେ ଲାଗିଯାଆନ୍ତି ଏବଂ ମଧ୍ୟାହ୍ନରେ କିଛି ସମୟ ବିଶ୍ରାମ ନେବା ପରେ ବୁଣିବା ଆରମ୍ଭ କରନ୍ତି। ପୁଣିଥରେ କାମ ଆରମ୍ଭ କରିବା ପୂର୍ବରୁ ସେ ଗାଧୋଇ ପଡ଼ନ୍ତି ଏବଂ ମଧ୍ୟାହ୍ନ ଭୋଜନ କରନ୍ତି। ସେ ସାଧାରଣତଃ ସନ୍ଧ୍ୟାରେ ବୁଣନ୍ତି ନାହିଁ କାରଣ ଏହାଦ୍ୱାରା ତାଙ୍କର ଆଣ୍ଠୁ ଯନ୍ତ୍ରଣା ହୋଇଥାଏ। କିନ୍ତୁ ରୂପଚାନ୍ଦ କୁହନ୍ତି, ‘‘ଯୁବ ବୟସରେ ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ କାମ କରୁଥିଲି।’’

ତନ୍ତରେ ରୂପଚାନ୍ଦ ନିଜର ଅଧିକାଂଶ କାର୍ଯ୍ୟ ଦିବସକୁ କେବଳ ଗାମଛା ବୁଣିବାରେ ବିତାଇଥାନ୍ତି। ଶସ୍ତା ଦାମ୍‌ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବା କାରଣରୁ ଗାମଛା ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଘରେ ଏବଂ ପଶ୍ଚିମବଙ୍ଗର ବ୍ୟାପକ କ୍ଷେତ୍ରରେ ଉପଯୋଗ ହେଉଛି । ‘‘ମୁଁ ଗାମଛା ବୁଣିଥାଏ, ସେଗୁଡ଼ିକୁ (ପ୍ରାୟତଃ) ଏପରି ତିଆରି କରାଯାଏ’’ , ରୂପଚାନ୍ଦ ଗାମଛା ଉପରେ ଧଳା ଏବଂ ସବୁଜ ରଙ୍ଗର ସୂତାରେ ବୁଣାଯିବାକୁ ଦେଖାଇ ଦିଅନ୍ତି, ଯେଉଁଥିରେ ଉଜ୍ଜ୍ୱଳ ଲାଲ ରଙ୍ଗର ସୂତାକୁ ବର୍ଡର ରୂପରେଖ ତିଆରି କରିବା ଲାଗି ମୋଟା କରି ବୁଣାଯାଇଥାଏ। ‘‘ପୂର୍ବରୁ ଆମେ ନିଜେ ଏହି ସୂତାରେ ରଙ୍ଗ ଦେଉଥିଲୁ। ଗତ ପ୍ରାୟ ୧୦ ବର୍ଷ ହେବ, ଆମେ ବୁଣାକାର ସଂଘ ଠାରୁ ରଙ୍ଗୀନ ସୂତା କିଣୁଛୁ,’’ ସେ ଆମକୁ କହିଥାନ୍ତି । ଯେଉଁ ଗାମଛା ସେ ବୁଣିଥାନ୍ତି, ନିଜେ ମଧ୍ୟ ସେ ଗାମଛା ଉପଯୋଗ କରିଥାନ୍ତି।

କିନ୍ତୁ ହସ୍ତତନ୍ତ ଉଦ୍ୟୋଗରେ ସ୍ଥିତି କେବେ ବଦଳିଲା? ରୂପଚାନ୍ଦ କୁହନ୍ତି, ‘‘ଏହା ମୁଖ୍ୟତଃ ବିଦ୍ୟୁତ ଚାଳିତ ତନ୍ତ ପ୍ରଚଳନ ହେବା ଏବଂ ସୂତାର ମାନ ହ୍ରାସ ପାଇବା ପରଠାରୁ ଆରମ୍ଭ ହେଲା। ଆମ ଭଳି ବୁଣାକାର ବିଦ୍ୟୁତ ଚାଳିତ ତନ୍ତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିଲେ ନାହିଁ ।

PHOTO • Rajdeep Bhowmik
PHOTO • Rajdeep Bhowmik

ବାମ : ବାଉଁଶରେ ତିଆରି ସ୍ପୁଲ୍‌ ୱାଇଣ୍ଡିଂ ଚକକୁ ସ୍କେନିଂ ପାଇଁ ଉପଯୋଗ କରାଯାଏ। ସ୍କେନିଂ ହେଉଛି ଏକ ସମାନ ମୋଟାର ସ୍କେନ୍‌ ତିଆରି କରିବା ଲାଗି ଘୂରୁଥିବା ରିଲ୍‌ ଉପରେ ସୂତାକୁ ଘୂରାଇବାର ଏକ ପ୍ରକ୍ରିୟା। ଏହି ପ୍ରକ୍ରିୟା ସାଧାରଣତଃ ରୂପଚାନ୍ଦଙ୍କ ପତ୍ନୀ ବସନା ଦେବନାଥ କରିଥା’ନ୍ତି। ଡାହାଣ : ବୁଣିବା ପାଇଁ ଉପଯୋଗ କରାଯାଉଥିବା ସୂତାର ବଣ୍ଡଲ୍‌

PHOTO • Rajdeep Bhowmik
PHOTO • Rajdeep Bhowmik

ବାମ : ରୂପଚାନ୍ଦ ତାଙ୍କ ବାପାଙ୍କ ଠାରୁ ଏହି କାରିଗରୀ ଶିଖିଥିଲେ ଏବଂ ୧୯୭୦ ମସିହା ଠାରୁ ବୁଣିବା କାମ ଜାରି ରଖିଛନ୍ତି। ୨୦ ବର୍ଷ ପୂର୍ବରୁ ସେ ଏହି ତନ୍ତ କିଣିଥିଲେ। ଡାହାଣ : ରୂପଚାନ୍ଦ ଖାଲି ପାଦରେ ତନ୍ତକୁ ଚଳାଇବା ସହିତ ଗୋଟିଏ ଗାମଛା ବୁଣୁଛନ୍ତି

ବିଦ୍ୟୁତ ଚାଳିତ ତନ୍ତ ଅଧିକ ଦାମୀ, ଅଧିକାଂଶ ବୁଣାକାରଙ୍କ ପାଇଁ ଏହାକୁ କିଣି ବ୍ୟବହାର କରିବା କଷ୍ଟକର ହୋଇପଡ଼ିଛି। ଏହାବ୍ୟତୀତ, ଗୋବିନ୍ଦପୁର ଭଳି ଗାଁରେ, ତନ୍ତ ପାଇଁ ସରଞ୍ଜାମ କିଣିବା ଲାଗି କୌଣସି ଦୋକାନ ନାହିଁ ଏବଂ ମରାମତି କାମ ଆହ୍ୱାନପୂର୍ଣ୍ଣ ଯାହା ଅନେକ ବୁଣାକାରଙ୍କ ଲାଗି ଏକ ବାଧା ସୃଷ୍ଟି କରିଥିଲା। ଏବେ ରୂପଚାନ୍ଦ କୁହନ୍ତି, ମେସିନାରୀ ଚଳାଇବା ପାଇଁ ତାଙ୍କର ଆଉ ବୟସ ନାହିଁ ।

‘‘ମୁଁ ନିକଟରେ ୧୨,୦୦୦ (ଟଙ୍କା)ରେ ସୂତା (୨୨ କିଗ୍ରା) କିଣିଥିଲି ଯାହା ମୋତେ ଗତ ବର୍ଷ ୯୦୦୦ ଟଙ୍କା ପଡ଼ିଥିଲା; ନିଜର ସ୍ୱାସ୍ଥ୍ୟାବସ୍ଥାକୁ ଦେଖିଲେ ୧୫୦ଟି ଗାମଛା ତିଆରି କରିବା ଲାଗି ମୋତେ ୩ ମାସ ସମୟ ଲାଗିବ।…. ଆଉ ମୁଁ ସେଗୁଡ଼ିକୁ ୧୬,୦୦୦ ଟଙ୍କାରେ (ବୁଣାକାର ସଂଘକୁ) ବିକ୍ରି କରିବି,’’ ଅସହାୟ ରୂପଚାନ୍ଦ କୁହନ୍ତି ।

*****

ରୂପଚାନ୍ଦ ୧୯୫୦ ମସିହାରେ ବାଂଲାଦେଶର ସିଲହଟରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୫୬ ବେଳକୁ ଭାରତ ଚାଲି ଆସିଥିଲେ। ‘‘ଏଠି ମୋ ବାପା ବୁଣିବା ଜାରି ରଖିଥିଲେ। ମୁଁ ନବମଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ସ୍କୁଲ୍‌ ଯିବା ବନ୍ଦ କରି ଦେଇଥିଲି,’’ ସେ କୁହନ୍ତି। ଯୁବ ରୂପଚାନ୍ଦ ଏହାପରେ ସ୍ଥାନୀୟ ବିଦ୍ୟୁତ ବିଭାଗରେ ଚାକିରି ପାଇଥିଲେ, ‘‘କାମରେ ବହୁତ ପରିଶ୍ରମ ଲାଗୁଥିଲା ଏବଂ ପାରିଶ୍ରମିକ କମ୍‌ ଥିଲା, ତେଣୁ ଚାରି ବର୍ଷ ପରେ ମୁଁ କାମ ଛାଡ଼ିଦେଲି।’’

ତା’ପରେ ସେ ତାଙ୍କ ବାପା ତଥା ଜଣେ ପାରମ୍ପରିକ ବୁଣାକାରଙ୍କଠାରୁ ବୁଣିବାର କଳା ଶିଖିଥିଲେ। " Aହସ୍ତତନ୍ତ (ଉଦ୍ୟୋଗ)ରୁ ସେତେବେଳେ ଭଲ ରୋଜଗାର ହେଉଥିଲା। ମୁଁ ୧୫ ଟଙ୍କାରେ ଶାଢ଼ି ମଧ୍ୟ ବିକ୍ରି କରିଛି। ଯଦି ମୁଁ ଏହି ବେଉସାରେ ନଥା’ନ୍ତି, ତା’ହେଲେ ମୁଁ ନିଜର ଚିକିତ୍ସା ଖର୍ଚ୍ଚ ବହନ କରିପାରିନଥାନ୍ତି କିମ୍ବା ନିଜ (ତିନି) ଭଉଣୀମାନଙ୍କର ବାହାଘର ମଧ୍ୟ କରିପାରିନଥା’ନ୍ତି,’’ ସେ କୁହନ୍ତି ।

PHOTO • Rajdeep Bhowmik
PHOTO • Deep Roy

ବାମ : ରୂପଚାନ୍ଦ ଜଣେ ବୁଣାକାର ଭାବେ ନକ୍ସି ଶାଢ଼ି ବୁଣାରୁ ନିଜର ଯାତ୍ରା ଆରମ୍ଭ କରିଥିଲେ ଯେଉଁଥିରେ ନିଖୁଣ  ଫୁଲ କାରୁକାର୍ଯ୍ୟ ରହୁଥିଲା। କିନ୍ତୁ ୧୯୮୦ରେ, ସେମାନଙ୍କୁ ରାଜ୍ୟ ଏମ୍ପୋରିୟମ ପକ୍ଷରୁ ବିନା ଡିଜାଇନରେ ସୂତା ଶାଢ଼ି ବୁଣିବା ଲାଗି କୁହାଗଲା। ୨୦୦୫ ବେଳକୁ ରୂପଚାନ୍ଦ ସମ୍ପୂର୍ଣ୍ଣ ଭାବେ ଗାମଛା ବୁଣିବା ଆରମ୍ଭ କରିଦେଇଥିଲେ। ଡାହାଣ : ବସନା ଦେବନାଥ ଘର କାମ କରିବା ସହିତ ତାଙ୍କ ସ୍ୱାମୀଙ୍କୁ କାମରେ ସାହାଯ୍ୟ କରୁଛନ୍ତି

PHOTO • Rajdeep Bhowmik
PHOTO • Rajdeep Bhowmik

ବାମ : ଏବେ ହସ୍ତତନ୍ତ ଉଦ୍ୟୋଗରେ ଅନେକ ସମସ୍ୟା ରହିଛି, କିନ୍ତୁ ରୂପଚାନ୍ଦ ଏହାକୁ ଛାଡ଼ିବାକୁ ଚାହୁଁନାହାନ୍ତି। ‘ମୁଁ ମୋ ହସ୍ତଶିଳ୍ପକୁ ନେଇ କେବେ ଲୋଭ କରିନାହିଁ,’ ସେ କୁହନ୍ତି। ଡାହାଣ : ସ୍କିନ୍‌ ତିଆରି କରିବା ଲାଗି ରୂପଚାନ୍ଦ ସୂତା ଗୁଡ଼ାଉଛନ୍ତି

ତାଙ୍କ ପତ୍ନୀ ବସନା ଦେବନାଥ କୁହନ୍ତି, ସେମାନେ ବାହା ହେବା ପରେ ସେ ତାଙ୍କର ସ୍ୱାମୀଙ୍କୁ ସହାୟତା କରିବା ଆରମ୍ଭ କରି ଦେଇଥିଲେ। ‘‘ସେତେବେଳେ ଆମର ଚାରିଟି ତନ୍ତ ଥିଲା ଏବଂ ସେ ମୋ ଶ୍ୱଶୁରଙ୍କଠାରୁ ବୁଣିବା ଶିଖୁଥିଲେ,’’ ସେ ଏକଥା କହିବା ସମୟରେ ଅନ୍ୟ କୋଠରୀରେ ତାଙ୍କ ସ୍ୱାମୀ ତନ୍ତ ଚଳାଉଥିବାର ଶବ୍ଦ ଶୁଭୁଥାଏ।

ରୂପଚାନ୍ଦଙ୍କ ଅପେକ୍ଷା ବସନାଙ୍କ ଦିନ ଅଧିକ ବଡ଼ ହୋଇଥାଏ। ସେ ବଡ଼ି ଭୋରୁ ଉଠନ୍ତି ଓ ଘର କାମ ସାରନ୍ତି। ତା’ପରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିସାରି ତାଙ୍କ ସ୍ୱାମୀଙ୍କୁ ସୂତା ଗୁଡ଼ାଇବାରେ ସହଯୋଗ କରନ୍ତି। ସନ୍ଧ୍ୟାରେ ଯାଇ ତାଙ୍କୁ ସାମାନ୍ୟ ବିଶ୍ରାମ ମିଳିଥାଏ। ‘‘ସେ ସୂତା ଗୁଡ଼ାଇବା ଏବଂ ସ୍କେନିଂ ତିଆରି କାମ କରିଥାନ୍ତି,’’ ରୂପଚାନ୍ଦ ଗର୍ବର ସହିତ ସ୍ୱୀକାର କରିଥାନ୍ତି।

ରୂପଚାନ୍ଦ ଓ ବସନାଙ୍କର ଚାରି ପିଲା ଅଛନ୍ତି। ଦୁଇ ଝିଅ ବାହା ହୋଇ ଯାଇଛନ୍ତି ଏବଂ ଦୁଇ ପୁଅ (ଜଣେ ମେକାନିକ୍‌ ଓ ଅନ୍ୟ ଜଣେ ଅଳଙ୍କାର ନିର୍ମାତା) ସେମାନଙ୍କ ଘରଠାରୁ ଅଳ୍ପ କିଛି ଦୂରରେ ରୁହନ୍ତି। ଲୋକମାନେ ପାରମ୍ପରିକ କଳା ଓ ଶିଳ୍ପଠାରୁ ଦୂରେଇ ଯାଉଛନ୍ତି ବୋଲି ପଚାରିଲେ ଏହି ଦକ୍ଷ କାରିଗର ଜଣଙ୍କ ଆତ୍ମନିରୀକ୍ଷଣ କରି କୁହନ୍ତି, ‘‘ମୁଁ ମଧ୍ୟ ଏଥିରେ ବିଫଳ ହୋଇଛି। ମୁଁ କାହିଁକି ମୋର ପିଲାମାନଙ୍କୁ ଅନୁପ୍ରାଣିତ କରିପାରିଲି ନାହିଁ?’’

*****

ଭାରତରେ, ୯୩.୩ ପ୍ରତିଶତ ହସ୍ତତନ୍ତ କାରୀଗରଙ୍କ ପାରିବାରିକ ଆୟ ୧୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ବେଳେ ତ୍ରିପୁରାରେ ୮୬.୪ ପ୍ରତିଶତ ହସ୍ତତନ୍ତ କାରୀଗରଙ୍କ ପାରିବାରିକ ଆୟ ୫,୦୦୦ ଟଙ୍କାରୁ ମଧ୍ୟ କମ୍‌ ( ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ ଜନଗଣନା, ୨୦୧୯-୨୦୨୦ )

ରୂପଚାନ୍ଦଙ୍କ ପଡ଼ୋଶୀ ଅରୁଣ ଭୌମିକ କୁହନ୍ତି, ‘‘ଏହି ହସ୍ତଶିଳ୍ପ ଏଠାରେ ଧୀରେ ଧୀରେ ଲୁପ୍ତ ହୋଇଯାଉଛି। ଏହାକୁ ସଂରକ୍ଷିତ ରଖିବା ଲାଗି ଆମେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିପାରୁନାହୁଁ।’’ ତାଙ୍କର ଏହି ବିଚାରକୁ ଗାଁର ଆଉ ଜଣେ ବରିଷ୍ଠ ନାଗରିକ ନାନିଗୋପାଲ ଭୌମିକ ସମର୍ଥନ କରିଥାନ୍ତି, ‘‘ଲୋକମାନେ କମ୍‌ କାମ କରି ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି,’’ ସେ ନିରାଶ ପ୍ରକଟ କରି କୁହନ୍ତି। ‘‘ବୁଣାକାରମାନେ ସବୁବେଳେ କୁଡ଼ିଆ ଏବଂ ମାଟି ଘରେ ରହିଛନ୍ତି। ଏମିତି କିଏ ରହିବାକୁ ଚାହିଁବ?’’ ରୂପଚାନ୍ଦ ପୁଣି କହିଥାନ୍ତି।

PHOTO • Deep Roy
PHOTO • Deep Roy

ବାମ : ରୂପଚାନ୍ଦ ଏବଂ ବସନା ଦେବନାଥ ତାଙ୍କ ମାଟି ଘର ଆଗରେ ବସିଛନ୍ତି । ଡାହାଣ : ଟିଣ ଛାତ ପଡ଼ିଥିବା ବାଉଁଶ ଓ ମାଟିର କୁଡ଼ିଆ ରୂପଚାନ୍ଦଙ୍କ କାର୍ଯ୍ୟକ୍ଷେତ୍ର ଭାବେ କାମ କରିଥାଏ

ରୋଜଗାର ହ୍ରାସ, ସ୍ୱାସ୍ଥ୍ୟ ସମସ୍ୟା ବ୍ୟତୀତ ସେଥିମଧ୍ୟରୁ ଅନେକ ଦୀର୍ଘକାଳୀନ ସମସ୍ୟା ବୁଣାକାରଙ୍କୁ ସମସ୍ୟାରେ ପକାଇଥାଏ। ରୂପଚାନ୍ଦ କୁହନ୍ତି, ‘‘ମୁଁ ଓ ମୋର ପତ୍ନୀ ପ୍ରତ୍ୟେକ ବର୍ଷ କେବଳ ଚିକିତ୍ସା ଖର୍ଚ୍ଚ ବାବଦରେ ୫୦-୬୦,୦୦୦ ଟଙ୍କା ଖର୍ଚ୍ଚ କରିଥାଉ।’’ ଏହି ଦମ୍ପତି ଦୀର୍ଘଦିନ ହେବ ନିଶ୍ୱାସ ନେବାରେ ଅସୁବିଧା ଏବଂ ହୃତପିଣ୍ଡ ଜଟିଳତାରେ ପୀଡ଼ିତ, ଏହା ସେମାନଙ୍କର ବେଉସା କାରଣରୁ ହୋଇଛି ।

ହସ୍ତଶିଳ୍ପକୁ ସଂରକ୍ଷିତ କରି ରଖିବା ଲାଗି ସରକାର କେତେକ ପ୍ରୟାସ କରିଛନ୍ତି। କିନ୍ତୁ ରୂପଚାନ୍ଦ ଓ ଗାଁର ଅନ୍ୟମାନେ ଭାବନ୍ତି ଯେ ଏହାଦ୍ୱାରା କୌଣସି ଲାଭ ହୋଇନାହିଁ। ‘‘ ଦୀନ ଦୟାଲ ହଥଖରଗା ପ୍ରୋତ୍ସାହନ ଯୋଜନା (୨୦୦୦ ମସିହାରେ ଆରମ୍ଭ ହୋଇଥିବା କେନ୍ଦ୍ର ସରକାରଙ୍କ ଏକ ଯୋଜନା)ରେ ମୁଁ ୩୦୦ରୁ ଅଧିକ ବୁଣାକାରଙ୍କୁ ପ୍ରଶିକ୍ଷଣ ଦେଇଛି,’’ ରୂପ ଚନ୍ଦ କୁହନ୍ତି। ‘‘ପ୍ରଶିକ୍ଷାର୍ଥୀ ପାଇବା କଷ୍ଟକର,’’ ସେ ଆଗକୁ କୁହନ୍ତି, ‘‘ଲୋକମାନେ ଷ୍ଟାଇପେଣ୍ଡ ପାଇବା ଲାଗି ଆସନ୍ତି। ଏମିତି କୁଶଳୀ ବୁଣାକାର ପ୍ରସ୍ତୁତ କରିବା ସମ୍ଭବପର ନୁହେଁ।’’ ରୂପଚାନ୍ଦ କୁହନ୍ତି, ‘‘ହସ୍ତତନ୍ତ ଭଣ୍ଡାରଣ କୁପରିଚାଳନା, କାଠ କୀଟ ସଂକ୍ରମଣ ଏବଂ ମୂଷାଙ୍କ ଦ୍ୱାରା ସୂତା ନଷ୍ଟ କରିବା କାରଣରୁ ସ୍ଥିତି ଆହୁରି ଖରାପ ହୋଇଯାଇଛି।’’

୨୦୧୨ରୁ ୨୦୨୨ ମଧ୍ୟରେ ହସ୍ତତନ୍ତ ରପ୍ତାନି ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ଏବଂ ଏହାର ପରିମାଣ ୩୦୦୦ କୋଟି ଟଙ୍କାରୁ ପ୍ରାୟ ୧୫୦୦ କୋଟି ଟଙ୍କାକୁ ଖସି ଆସିଛି ( ହସ୍ତତନ୍ତ ରପ୍ତାନି ପ୍ରୋତ୍ସାହନ ପରିଷଦ )ର ତଥ୍ୟ। ମନ୍ତ୍ରଣାଳୟର ପାଣ୍ଠି ମଧ୍ୟ କମିଯାଇଛି ।

ରାଜ୍ୟରେ ହସ୍ତତନ୍ତର ଭବିଷ୍ୟତ ଅନ୍ଧକାରମୟ ଏବଂ ରୂପଚାନ୍ଦ କୁହନ୍ତି, ‘‘ଏଥିରେ ସୁଧାର ଆଣିବା କଷ୍ଟକର ବୋଲି ମୁଁ ଭାବୁଛି।’’ କିନ୍ତୁ ସେ କିଛି ସମୟ ପାଇଁ ଅଟକି ଯାଆନ୍ତି ଏବଂ ଗୋଟିଏ ସମାଧାନ ଦେବାକୁ ସକ୍ଷମ ହୁଅନ୍ତି। ‘‘ମହିଳାଙ୍କର ଅଧିକ ସମ୍ପୃକ୍ତି ଏଥିରେ ସହାୟକ ହୋଇପାରେ,’’ ସେ କୁହନ୍ତି, ‘‘ମୁଁ ସିଦ୍ଧାଇମୋହନପୁର (ପଶ୍ଚିମ ତ୍ରିପୁରାରେ ଏକ ବାଣିଜ୍ୟିକ ହସ୍ତତନ୍ତ ଉତ୍ପାଦନ ସ୍ଥଳୀ) ରେ ଅସାଧାରଣ କାର୍ଯ୍ୟବଳ ଦେଖିଛି, ଯାହାକୁ ସମ୍ପୂର୍ଣ୍ଣ ଭାବେ ମହିଳାମାନେ ଚଳାଉଛନ୍ତି।’’ ସ୍ଥିତିକୁ ସୁଧାରିବାକୁ ହେଲେ ହସ୍ତଶିଳ୍ପୀଙ୍କ ପାଇଁ ଦୈନିକ ମଜୁରି ବ୍ୟବସ୍ଥା କରିବା ଏକ ସମାଧାନ ହୋଇପାରେ ବୋଲି ସେ କୁହନ୍ତି ।

ଏ କାମ କେବେ ସେ ଛାଡ଼ିବାକୁ ଚିନ୍ତା କରିଛନ୍ତି କି ପଚାରିଲେ ରୂପଚାନ୍ଦ ହସି ହସି କୁହନ୍ତି, ‘‘ନା,’’ ସେ ଦୃଢ଼ ସଂକଳ୍ପବଦ୍ଧ ହୋଇ କୁହନ୍ତି, ‘‘ମୁଁ କେବେବି ମୋ ହସ୍ତକଳାକୁ ନେଇ ଲୋଭ କରିନାହିଁ।’’ ଯେତେବେଳେ ସେ ତନ୍ତକୁ ସ୍ପର୍ଶ କରନ୍ତି ତାଙ୍କ ଆଖିରେ ଲୁହ ଆସିଯାଏ। ‘‘ସେ ମୋତେ ଛାଡ଼ି ଦେଇପାରେ କିନ୍ତୁ ମୁଁ ତା’କୁ କେବେ ଛାଡ଼ିବି ନାହିଁ।’’

ମୃଣାଳିନୀ ଫାଉଣ୍ଡେସନ୍‌ (ଏମଏମଏଫ)ରୁ ମିଳିଥିବା ଏକ ଫେଲୋସିପ୍‌ ସହାୟତାରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Rajdeep Bhowmik

راج دیپ بھومک، پونے کے آئی آئی ایس ای آر سے پی ایچ ڈی کر رہے ہیں۔ وہ سال ۲۰۲۳ کے پاری-ایم ایم ایف فیلو ہیں۔

کے ذریعہ دیگر اسٹوریز Rajdeep Bhowmik
Deep Roy

دیپ رائے، نئی دہلی کے وی ایم سی سی و صفدر جنگ ہسپتال میں پوسٹ گریجویٹ ریزیڈنٹ ڈاکٹر ہیں۔ وہ سال ۲۰۲۳ کے پاری-ایم ایم ایف فیلو ہیں۔

کے ذریعہ دیگر اسٹوریز Deep Roy
Photographs : Rajdeep Bhowmik

راج دیپ بھومک، پونے کے آئی آئی ایس ای آر سے پی ایچ ڈی کر رہے ہیں۔ وہ سال ۲۰۲۳ کے پاری-ایم ایم ایف فیلو ہیں۔

کے ذریعہ دیگر اسٹوریز Rajdeep Bhowmik
Editor : Sarbajaya Bhattacharya

سربجیہ بھٹاچاریہ، پاری کی سینئر اسسٹنٹ ایڈیٹر ہیں۔ وہ ایک تجربہ کار بنگالی مترجم ہیں۔ وہ کولکاتا میں رہتی ہیں اور شہر کی تاریخ اور سیاحتی ادب میں دلچسپی رکھتی ہیں۔

کے ذریعہ دیگر اسٹوریز Sarbajaya Bhattacharya
Editor : Priti David

پریتی ڈیوڈ، پاری کی ایگزیکٹو ایڈیٹر ہیں۔ وہ جنگلات، آدیواسیوں اور معاش جیسے موضوعات پر لکھتی ہیں۔ پریتی، پاری کے ’ایجوکیشن‘ والے حصہ کی سربراہ بھی ہیں اور دیہی علاقوں کے مسائل کو کلاس روم اور نصاب تک پہنچانے کے لیے اسکولوں اور کالجوں کے ساتھ مل کر کام کرتی ہیں۔

کے ذریعہ دیگر اسٹوریز Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE