ଜମିଲ (୨୭) ଏମ୍ବ୍ରୋଡୋରୀ ବା ସୂଚୀକାର୍ଯ୍ୟରେ ବେଶ୍‌ ଦକ୍ଷ ଯେଉଁଥିରେ ଜରି (ସୁନା) ସୂତା ବ୍ୟବହାର କରାଯାଏ। ହାଓଡ଼ା ଜିଲ୍ଲାର ଏହି ଶ୍ରମିକ ଜଣଙ୍କ ଘଣ୍ଟା ଘଣ୍ଟା ଧରି ଆଣ୍ଠୁ ମୋଡ଼ି ଚଟାଣ ଉପରେ ବସି ରୁହନ୍ତି ଏବଂ ମହଙ୍ଗା ପୋଷାକକୁ ଉଜ୍ଜ୍ୱଳ କରିଥା’ନ୍ତି। କିନ୍ତୁ ୩୦ ବର୍ଷ ନପୂରୁଣୁ ସେ ଅସ୍ଥି ଯକ୍ଷ୍ମା ରୋଗରେ ପୀଡ଼ିତ ହେବା ପରେ ଏହି ଛୁଞ୍ଚି ସୂତାକୁ ଅଲଗା ରଖି ଦେଇଛନ୍ତି। ରୋଗ କାରଣରୁ ତାଙ୍କର ହାଡ଼ ଏତେ ଦୁର୍ବଳ ହୋଇଯାଇଛି ଯେ ଅଧିକ ସମୟ ଧରି ଗୋଡ଼ ମୋଟି ବସିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ।

‘‘ବର୍ତ୍ତମାନ ମୋ କାମ କରିବାର ବୟସ ଏବଂ (ମୋ) ବାପାମା’ ବିଶ୍ରାମ ନେବା ଉଚିତ୍‌। କିନ୍ତୁ ଏହାର ଓଲଟା ହେଉଛି। ମୋର ଚିକିତ୍ସା ଖର୍ଚ୍ଚରେ ସହାୟତା ପାଇଁ ସେମାନଙ୍କୁ କାମ କରିବାକୁ ହେଉଛି,’’ ଜମିଲ କୁହନ୍ତି । ହାଓଡ଼ା ଜିଲ୍ଲାର ଚେଙ୍ଗାଇଲ୍‌ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ଚିକିତ୍ସା ପାଇଁ କୋଲକାତା ଯାଆନ୍ତି ।

ସେହି ଜିଲ୍ଲାରେ, ଅଭିକ୍‌ ଓ ତାଙ୍କ ପରିବାର ହାଓଡ଼ା ପିଲଖାନା ବସ୍ତିରେ ରୁହନ୍ତି ଏବଂ ଏହି କିଶୋର ଜଣଙ୍କ ମଧ୍ୟ ଅସ୍ଥି ଯକ୍ଷ୍ମାରେ ପୀଡ଼ିତ। ୨୦୨୨ ମଧ୍ୟଭାଗରେ ତାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ପଡ଼ିଥିଲା। ଯଦିଓ ଏବେ ସେ ସୁସ୍ଥ ହେଉଛନ୍ତି ତଥାପି ଏବେ ସ୍କୁଲ୍‌ ଯିବାକୁ ସେ ଅସମର୍ଥ।

୨୦୨୨ରେ ଏହି କାହାଣୀ ପାଇଁ ଖବର ସଂଗ୍ରହ କରିବାକୁ ଯିବା ସମୟରେ ମୁଁ ପ୍ରଥମ ଥର ପାଇଁ ଜମିଲ୍‌, ଅଭିକ୍‌ ଓ ଅନ୍ୟମାନଙ୍କୁ ଭେଟିଥିଲି। ମୁଁ ପ୍ରାୟତଃ ସେମାନଙ୍କୁ ଜାଣିବା ଲାଗି ପିଲଖାନା ବସ୍ତିରେ ଥିବା ସେମାନଙ୍କ ଘରକୁ ଯାଉଥିଲି ଏବଂ ସେମାନଙ୍କ ଦୈନନ୍ଦିନ ଜୀବନର ଫଟୋ ଉଠାଉଥିଲି ।

ଘରୋଇ କ୍ଲିନିକ୍‌ର ଖର୍ଚ୍ଚ ଉଠାଇବାକୁ ସକ୍ଷମ ହୋଇନଥିବାରୁ ଜମିଲ ଓ ଅଭିକ୍‌ ପ୍ରଥମରୁ ଦକ୍ଷିଣ ୨୪ ପରଗଣା ଏବଂ ହାଉଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ କାମ କରୁଥିବା ଏକ ଅଣ-ସରକାରୀ ସଂଗଠନ ଦ୍ୱାରା ପରିଚାଳିତ ଗୋଟିଏ ଭ୍ରାମ୍ୟମାଣ ଯକ୍ଷ୍ମା କ୍ଲିନିକକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ। କେବଳ ସେମାନେ ନୁହନ୍ତି ।

Left: When Zamil developed bone tuberculosis, he had to give up his job as a zari embroiderer as he could no longer sit for hours.
PHOTO • Ritayan Mukherjee
Right: Avik's lost the ability to walk when he got bone TB, but now is better with treatment. In the photo his father is helping him wear a walking brace
PHOTO • Ritayan Mukherjee

ବାମ : ଜମିଲ ଅସ୍ଥି ଯକ୍ଷ୍ମା ରୋଗରେ ପୀଡ଼ିତ ହେବା ପରେ ତାଙ୍କୁ ଏମ୍ବ୍ରୋଡୋରୀ କାମ ଛାଡ଼ିବାକୁ ପଡ଼ିଥିଲା କାରଣ ସେ ବେଶୀ ସମୟ ବସିବା ପାଇଁ ସକ୍ଷମ ନଥିଲେ। ଡାହାଣ : ଅସ୍ଥି ଯକ୍ଷ୍ମାରେ ଆକ୍ରାନ୍ତ ହେବା ପରେ ଅଭିକ ଚାଲିବା କ୍ଷମତା ହରାଇଥିଲେ, କିନ୍ତୁ ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଛି । ଫଟୋରେ ତାଙ୍କ ବାପା ତାଙ୍କୁ ଚାଲିବା ପାଇଁ ଗୋଟିଏ ସହାୟକ ଉପକରଣ ପିନ୍ଧାଇ ଦେଉଛନ୍ତି

An X-ray (left) is the main diagnostic tool for detecting pulmonary tuberculosis. Based on the X-ray reading, a doctor may recommend a sputum test.
PHOTO • Ritayan Mukherjee
An MRI scan (right) of a 24-year-old patient  shows tuberculosis of the spine (Pott’s disease) presenting as compression fractures
PHOTO • Ritayan Mukherjee

ଫୁସ୍‌ଫୁସ୍‌ ଯକ୍ଷ୍ମାକୁ ଚିହ୍ନଟ କରିବା ଲାଗି ଏକ୍ସ-ରେ (ବାମ) ମୁଖ୍ୟ ନିଦାନ ଉପକରଣ ଅଟେ। ଏକ୍ସ-ରେ ଅଧ୍ୟୟନକୁ ଆଧାର କରି, ଡାକ୍ତର କଫ ପରୀକ୍ଷା ପାଇଁ ସୁପାରିସ କରନ୍ତି। ୨୪ ବର୍ଷୀୟ ରୋଗୀଙ୍କ ଏମଆରଆଇ ସ୍କାନ୍‌ (ଡାହାଣ)ରେ ମେରୁଦଣ୍ଡ ଯକ୍ଷ୍ମା (ପଟ୍ସ ରୋଗ)ର ଚାପଜନିତ ହାଡ଼ ଭାଙ୍ଗିବାକୁ ଦର୍ଶାଯାଇଛି

‘‘ଯକ୍ଷ୍ମା ଏକ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ପୁଣିଥରେ ଉଭା ହୋଇଥିବା,’’ ସଦ୍ୟତମ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନଏଫଏଚଏସ୍‌-୫ ) ୨୦୧୯-୨୧ରେ କୁହାଯାଇଛି । ସାରା ବିଶ୍ୱର ୨୭ ପ୍ରତିଶତ ଯକ୍ଷ୍ମା ମାମଲା ଭାରତରେ ଦେଖିବାକୁ ମିଳିଥାଏ (ନଭେମ୍ବର ୨୦୨୩ରେ ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଯକ୍ଷ୍ମା ରିପୋର୍ଟରେ ଦର୍ଶାଯାଇଛି।)

ଯେଉଁମାନେ ଚିକିତ୍ସା ପାଇଁ କୋଲକାତା କିମ୍ବା ହାଓଡ଼ା ଯାଇପାରିବେ ନାହିଁ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଦୁଇ ଜଣ ଡାକ୍ତର ଓ ୧୫ ଜଣ ନର୍ସଙ୍କୁ ନେଇ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ପ୍ରତିଦିନ ପ୍ରାୟ ୧୫୦ କିଲୋମିଟର ଯାତ୍ରା କରି ଚାରିରୁ ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନକୁ ଯାଇଥାନ୍ତି। ଭ୍ରାମ୍ୟମାଣ କ୍ଲିନିକ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରେ ମୁଖ୍ୟତଃ ଦିନ ମଜୁରିଆ, ନିର୍ମାଣ ଶ୍ରମିକ, ପଥର କ୍ରସରରେ କାମ କରୁଥିବା ଶ୍ରମିକ, ବିଡ଼ି ଶ୍ରମିକ, ବସ୍‌ ଓ ଟ୍ରକ୍‌ ଡ୍ରାଇଭର୍‌ମାନେ ଥାଆନ୍ତି।

ଭ୍ରାମ୍ୟମାଣ କ୍ଲିନିକ୍‌ରେ ମୁଁ ଯେଉଁ ରୋଗୀଙ୍କ ଫଟୋ ଉଠାଇଥିଲି ଏବଂ କଥା ହୋଇଥିଲି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରୁ ଆସିଥିଲେ।

ଏସବୁ ମୋବାଇଲ୍‌ କ୍ଲିନିକ୍‌ କୋଭିଡ୍‌ ସମୟରେ ଏକ ସ୍ୱତନ୍ତ୍ର ପ୍ରୟାସ ଥିଲା ଏବଂ ସେବେଠାରୁ ବନ୍ଦ ରହିଛି। ଅଭିକ୍‌ଙ୍କ ଭଳି ଯକ୍ଷ୍ମା ରୋଗୀ ଏବେ ହାଓଡ଼ାରେ ଥିବା ବାନ୍ତ୍ରା ସେଣ୍ଟ ଥୋମାସ୍‌ ହୋମ୍‌ ୱେଲ୍‌ଫେୟାର ସୋସାଇଟିକୁ ନିୟମିତ ଚିକିତ୍ସା ପାଇଁ ଯାଉଛନ୍ତି । ଏହି ବାଳକ ଭଳି, ସୋସାଇଟିକୁ ଯାଉଥିବା ଅନ୍ୟମାନେ ବଞ୍ଚିତ ବର୍ଗର ଲୋକ ହୋଇଥିବାରୁ ପ୍ରବଳ ଭିଡ଼ ହେଉଥିବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗଲେ ସେମାନଙ୍କର ଗୋଟିଏ ଦିନର ରୋଜଗାର କ୍ଷତି ହୋଇଥାଏ।

ରୋଗୀଙ୍କ ସହ କଥା ହେବା ସମୟରେ, ମୁଁ ଜାଣିବାକୁ ପାଇଥିଲି ଯେ, ସତର୍କତା, ଚିକିତ୍ସା ଓ ଯତ୍ନ କଥା ଛାଡ଼ନ୍ତୁ, ଯକ୍ଷ୍ମା ରୋଗ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ଅନେକ ସଂକ୍ରମିତ ରୋଗୀ ନିଜ ପରିବାର ସହ ଗୋଟିଏ କୋଠରୀରେ ରୁହନ୍ତି କାରଣ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଯେଉଁମାନେ ଏକାଠି କାମ କରନ୍ତି ସେମାନେ ମଧ୍ୟ ଗୋଟିଏ କୋଠରୀରେ ରୁହନ୍ତି : ‘‘ମୁଁ ନିଜ ସହକର୍ମୀମାନଙ୍କ ସହ ରହିଥାଏ। ସେମାନଙ୍କ ମଧ୍ୟରୁ ଜଣେ ଯକ୍ଷ୍ମାରେ ପୀଡ଼ିତ, କିନ୍ତୁ ମୁଁ ଅଲଗା କୋଠରୀରେ ରହିବା ଖର୍ଚ୍ଚ ଉଠାଇ ପାରିବି ନାହିଁ । ତେଣୁ ମୁଁ ତାଙ୍କ ସହିତ ଗୋଟିଏ କୋଠରୀରେ ରହିଥାଏ,’’ ରୋଶନ କୁମାର କୁହନ୍ତି ଯିଏକି ୧୩ ବର୍ଷ ପୂର୍ବରୁ ହାଓଡ଼ାରେ ଗୋଟିଏ ଝୋଟ କାରଖାନାରେ କାମ କରିବା ଲାଗି ଦକ୍ଷିଣ ୨୪ ପରଗଣାରୁ ଆସିଥିଲେ।

*****

'Tuberculosis has  re-emerged  as  a  major  public  health  problem,' says the recent National Family Health Survey 2019-21(NFHS-5). And India accounts for 27 per cent of all TB cases worldwide. A case of tuberculous meningitis that went untreated (left), but is improving with treatment. A patient with pulmonary TB walks with support of a walker (right). It took four months of steady treatment for the this young patient to resume walking with help
PHOTO • Ritayan Mukherjee
'Tuberculosis has  re-emerged  as  a  major  public  health  problem,' says the recent National Family Health Survey 2019-21(NFHS-5). And India accounts for 27 per cent of all TB cases worldwide. A case of tuberculous meningitis that went untreated (left), but is improving with treatment. A patient with pulmonary TB walks with support of a walker (right). It took four months of steady treatment for the this young patient to resume walking with help
PHOTO • Ritayan Mukherjee

‘ଯକ୍ଷ୍ମା ଏକ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୂପରେ ପୁଣିଥରେ ଉଭା ହୋଇଥିବା,’ ସଦ୍ୟତମ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ୍-୫) ୨୦୧୯-୨୧ରେ କୁହାଯାଇଛି । ସାରା ବିଶ୍ୱର ୨୭ ପ୍ରତିଶତ ଯକ୍ଷ୍ମା ମାମଲା ଭାରତରେ ଦେଖିବାକୁ ମିଳିଥାଏ। ଯକ୍ଷ୍ମା ମେନିନ୍‌ଜାଇଟିସ୍‌ର (ମସ୍ତିଷ୍କ ଆବରକ ଝିଲ୍ଲୀର ପ୍ରଦାହ ବା ଫୁଲା) ଗୋଟିଏ ମାମଲା ଯାହାର ଆରୋଗ୍ୟ ହୋଇନାହିଁ, କିନ୍ତୁ ଚିକିତ୍ସା ପରେ ସୁଧାର ଆସିଛି। ଫୁସ୍‌ଫୁସ୍‌ ଯକ୍ଷ୍ମାରେ ପୀଡ଼ିତ ଜଣେ ରୋଗୀ ୱାକର୍‌ ବା ସହାୟକ ଉପକରଣ ସାହାଯ୍ୟରେ ଚାଲୁଛନ୍ତି। ଚାରି ମାସ ପର୍ଯ୍ୟନ୍ତ ଲଗାତାର ଉପଚାର କରିବା ପରେ ଏହି ଯୁବ ରୋଗୀ ଜଣଙ୍କ ସହାୟକ ଉପକରଣ ଜରିଆରେ ଚାଲୁଛନ୍ତି

Rakhi Sharma (left) battled tuberculosis three times but is determined to return to complete her studies. A mother fixes a leg guard for her son (right) who developed an ulcer on his leg because of bone TB
PHOTO • Ritayan Mukherjee
Rakhi Sharma (left) battled tuberculosis three times but is determined to return to complete her studies. A mother fixes a leg guard for her son (right) who developed an ulcer on his leg because of bone TB
PHOTO • Ritayan Mukherjee

ରାକ୍ଷୀ ଶର୍ମା (ବାମ) ତିନି ଥର ଯକ୍ଷ୍ମାରେ ପୀଡ଼ିତ ହୋଇସାରିଛନ୍ତି କିନ୍ତୁ ସେ ସେ ସୁସ୍ଥ ହୋଇ ନିଜ ପାଠପଢ଼ା ସମ୍ପୂର୍ଣ୍ଣ କରିବା ଲାଗି ସଂକଳ୍ପବଦ୍ଧ। ଜଣେ ମା’ ତାଙ୍କ ପୁଅ ଗୋଡ଼ରେ ଲେଗ୍‌ ଗାର୍ଡ ଲଗାଉଛନ୍ତି (ଡାହାଣ) ଯାହାଙ୍କ ଗୋଡ଼ରେ ଅସ୍ଥି ଯକ୍ଷ୍ମା କାରଣରୁ ଘା’ ହୋଇଯାଇଛି

ବିଶ୍ୱରେ ଯେତିକି ଯକ୍ଷ୍ମା ଆକ୍ରାନ୍ତ ଶିଶୁ ଅଛନ୍ତି ତା’ର ୨୮ ପ୍ରତିଶତ ଯକ୍ଷ୍ମା ଆକ୍ରାନ୍ତ ଶିଶୁ ଭାରତରେ ରହିଥିବା ନେଇ କିଶୋର ଓ ଯକ୍ଷ୍ମା ଉପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ରିପୋର୍ଟ ୨୦୨୧ରେ ସୂଚନା ଦିଆଯାଇଛି ।

ଅଭିକ୍‌ ଯେତେବେଳେ ଯକ୍ଷ୍ମାରେ ଆକ୍ରାନ୍ତ ହେଲେ, ତାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ପଡ଼ିଥିଲା କାରଣ ଘର ପାଖରୁ କିଛି ଦୂରରେ ଥିବା ସ୍କୁଲକୁ ଚାଲି ଚାଲି ଯିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା। ‘‘ମୁଁ ମୋ ସ୍କୁଲ୍‌ ଓ ବନ୍ଧୁମାନଙ୍କୁ ଝୁରୁଛି। ସେମାନେ ସମସ୍ତେ ପାଠପଢ଼ି ଆଗକୁ ବଢ଼ିବା ସହିତ ମୋଠାରୁ ଗୋଟିଏ ଶ୍ରେଣୀ ଉପରକୁ ଉନ୍ନୀତ ହୋଇସାରିଛନ୍ତି । ମୁଁ ମଧ୍ୟ ଖେଳି ପାରୁନାହିଁ,’’ ଏହି ୧୬ ବର୍ଷ ବୟସ୍କ ବାଳକ କୁହନ୍ତି।

ଭାରତରେ ପ୍ରତିବର୍ଷ ଜନ୍ମରୁ ୧୪ ବର୍ଷ ବୟସ୍କ ଆନୁମାନିକ ୩.୩୩ ଲକ୍ଷ ଶିଶୁ ଯକ୍ଷ୍ମାରେ ପୀଡ଼ିତ ହୋଇଥାନ୍ତି, ଆକ୍ରାନ୍ତଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ଅଧିକ। ‘‘ପିଲାଙ୍କଠାରେ ଯକ୍ଷ୍ମା ଚିହ୍ନଟ କରିବା କଷ୍ଟକର… ପିଲାଙ୍କଠାରେ ଦେଖା ଦେଉଥିବା ଲକ୍ଷଣ ଅନ୍ୟ ଶୈଶବ ଅସୁସ୍ଥତାର ଲକ୍ଷଣ ଭଳି ହୋଇଥାଏ…’’ ବୋଲି ଏନ୍‌ଏଚ୍‌ଏମ୍‌ ରିପୋର୍ଟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, କମ୍‌ ବୟସର ଯକ୍ଷ୍ମା ରୋଗୀଙ୍କ ପାଇଁ ଔଷଧର ଉଚ୍ଚ ମାତ୍ରା ଆବଶ୍ୟକ ହୋଇଥାଏ ।

୧୭ ବର୍ଷ ବୟସ୍କା ରାକ୍ଷୀ ଶର୍ମା ଦୀର୍ଘ ଦିନର ସଂଘର୍ଷ ପରେ ସୁସ୍ଥ ହେଉଛନ୍ତି। ତଥାପି ସେ ବିନା ସହାୟତାରେ ଚାଲିବାକୁ କିମ୍ବା ବେଶୀ ସମୟ ପର୍ଯ୍ୟନ୍ତ ବସିବାକୁ ଅକ୍ଷମ। ତାଙ୍କ ପରିବାର ସବୁବେଳେ ପିଲ୍‌ଖାନା ବସ୍ତିରେ ରହି ଆସିଛି। ରୋଗାକ୍ରାନ୍ତ ହେବା କାରଣରୁ ତାଙ୍କର ଗୋଟିଏ ବର୍ଷ ପାଠପଢ଼ା ନଷ୍ଟ ହୋଇଛି। ତାଙ୍କ ବାପା ରାକେଶ ଶର୍ମା ହାଓଡ଼ାର ଏକ ଭୋଜନାଳୟରେ କାମ କରନ୍ତି। ସେ କୁହନ୍ତି, ‘‘ଆମେ ଘରେ ଜଣେ ଘରୋଇ ଟ୍ୟୁସନ୍‌ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ଚାହୁଁଛୁ। ଆମେ ତା’କୁ ଯଥାସମ୍ଭବ ସହଯୋଗ ଯୋଗାଇ ଦେବାକୁ ଚେଷ୍ଟା କରୁଛୁ, କିନ୍ତୁ ଆମର ଆର୍ଥିକ ସୀମା ରହିଛି।

ଗ୍ରାମାଞ୍ଚଳରେ ଅଧିକ ଯକ୍ଷ୍ମା ରୋଗୀ ରହିଛନ୍ତି; ଘାସ କିମ୍ବା ନଡ଼ା ଜାଳି ରୋଷେଇ ହେଉଥିବା ଘର, ଅଲଗା ରୋଷେଇ ଘର ନଥିବା ଏବଂ ପାଖାପାଖି ଆବାସରେ ରହୁଥିବା ଲୋକମାନେ ଏଥିରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥିବା ସଦ୍ୟତମ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ କୁହାଯାଇଛି।

ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଏକ ସାଧାରଣ ଧାରଣା ରହିଛି ଯେ, ଦାରିଦ୍ର୍ୟ, ଖାଦ୍ୟାଭାବ ଏବଂ ଆୟ ହ୍ରାସ କାରଣରୁ କେବଳ ଯକ୍ଷ୍ମା ହୋଇନଥାଏ ବରଂ ଏହି ରୋଗ ପ୍ରଭାବିତ ଲୋକଙ୍କ ଦାରିଦ୍ର୍ୟ ସ୍ଥିତିକୁ ଆହୁରି ଖରାପ କରି ଦେଇଥାଏ।

Congested living conditions increase the chance of spreading TB among other family members. Isolating is hard on women patients who, when left to convalesce on their own (right), feel abandoned
PHOTO • Ritayan Mukherjee
Congested living conditions increase the chance of spreading TB among other family members. Isolating is hard on women patients who, when left to convalesce on their own (right), feel abandoned
PHOTO • Ritayan Mukherjee

ଜନଗହଳିପୂର୍ଣ୍ଣ ଜୀବନଶୈଳୀ ଦ୍ୱାରା ପରିବାରର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଯକ୍ଷ୍ମା ବ୍ୟାପିବାର ଆଶଙ୍କା ବୃଦ୍ଧି ପାଏ। ଅଲଗା ହୋଇ ରହିବା ମହିଳା ରୋଗୀଙ୍କ ପାଇଁ କଷ୍ଟକର ହୋଇଥାଏ, ଯେଉଁମାନଙ୍କୁ (ଡାହାଣ) ଆପେ ଆପେ ସୁସ୍ଥ ହେବାକୁ ଛାଡ଼ି ଦିଆଯାଇଥାଏ, ସେମାନେ ପରିତ୍ୟକ୍ତ ଅନୁଭବ କରିଥା’ନ୍ତି

Left: Monika Naik, secretary of the Bantra St. Thomas Home Welfare Society is a relentless crusader for patients with TB.
PHOTO • Ritayan Mukherjee
Right: Patients gather at the Bantra Society's charitable tuberculosis hospital in Howrah, near Kolkata
PHOTO • Ritayan Mukherjee

ବାମ : ବାନ୍ତ୍ରା ସେଣ୍ଟ ଥୋମାସ୍‌ ୱେଲଫେୟାର ସୋସାଇଟିର ସଚିବ ମୋନିକା ନାଏକ ଯକ୍ଷ୍ମା ରୋଗୀଙ୍କ କଲ୍ୟାଣ ପାଇଁ ନିରନ୍ତର ପ୍ରୟାସ କରି ଚାଲିଛନ୍ତି। ଡାହାଣ : କୋଲକାତା ନିକଟ ହାଓଡ଼ାରେ ବାନ୍ତ୍ରା ସୋସାଇଟିର ଦାତବ୍ୟ ଯକ୍ଷ୍ମା ଡାକ୍ତରଖାନରେ ରୋଗୀମାନେ ଭିଡ଼ ଜମାଇଛନ୍ତି

ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯକ୍ଷ୍ମା ରୋଗୀ ଥିବା ପରିବାର ବାଛବିଚାର ଭୟରେ ଏହାକୁ ଲୁଚାଇ ରଖିଥା’ନ୍ତି : ‘‘…ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ପରିବାରର ଯକ୍ଷ୍ମା ସ୍ଥିତିକୁ ଗୋପନୀୟ ରଖିବାକୁ ଚାହିଁଥା’ନ୍ତି।’’ ଗୋଟିଏ ଯକ୍ଷ୍ମା ଡାକ୍ତରଖାନା ପାଇଁ ସ୍ୱାସ୍ଥ୍ୟକର୍ମୀ ମିଳିବା ମଧ୍ୟ କଷ୍ଟକର ବ୍ୟାପାର।

ଭାରତରେ ଥିବା ଯକ୍ଷ୍ମା ରୋଗୀଙ୍କ ମଧ୍ୟରେ ଏକତୃତୀୟାଂଶ ପ୍ରଜନନ ବୟସ (୧୫ରୁ ୪୯ ବର୍ଷ ବୟସ୍କ)ର ମହିଳା ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଏକ ରିପୋର୍ଟ (୨୦୧୯)ରୁ ଜଣାପଡ଼ିଛି। ଯଦିଓ ପୁରୁଷଙ୍କ ତୁଳନାରେ ମହିଳାମାନେ ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଆଶଙ୍କା କମ୍‌ ତଥାପି, ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ଅପେକ୍ଷା ପାରିବାରିକ ସମ୍ପର୍କକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଥାଏ।

‘‘ମୁଁ ଯଥାଶୀଘ୍ର (ଘରକୁ) ଫେରିଯିବା ଲାଗି ଚାହୁଁଛି। ମୋ ସ୍ୱାମୀ ଆଉ କାହାକୁ ବାହା ହୋଇଯିବେ ବୋଲି ମୋର ଭୟ ରହିଛି,’’ ନିଜ ବୈବାହିକ ସମ୍ପର୍କକୁ ନେଇ ଶଙ୍କାଗ୍ରସ୍ତ ଥିବା ବିହାରର ଜଣେ ଯକ୍ଷ୍ମା ରୋଗୀ ହନୀଫା ଅଲୀ କୁହନ୍ତି। ହାଓଡ଼ାରେ ଥିବା ବାନ୍ତ୍ରା ସେଣ୍ଟ୍‌ ଥୋମାସ୍‌ ହୋମ୍‌ ୱେଲଫେୟାର ସୋସାଇଟିର ଡାକ୍ତର କୁହନ୍ତି, ସେ ତାଙ୍କ ଔଷଧ ବନ୍ଦ କରି ଦେବାର ଆଶଙ୍କା ରହିଛି।

‘‘ମହିଳାମାନେ ନିରବ ପୀଡ଼ିତ ହୋଇଥା’ନ୍ତି। ସେମାନେ ନିଜର ଲକ୍ଷଣ ଲୁଚାଇ କାମ କରି ଚାଲନ୍ତି। ପରେ ଯେତେବେଳେ ସେମାନଙ୍କଠାରେ ରୋଗ ଚିହ୍ନଟ ହୋଇଥାଏ, ସେତେବେଳକୁ ଅନେକ ଡେରି ହୋଇଯାଇଥାଏ। କ୍ଷତି ହୋଇସାରିଥାଏ,’’ ସୋସାଇଟିର ସଚିବ ମୋନିକା ନାଏକ କୁହନ୍ତି। ସେ ୨୦ ବର୍ଷରୁ ଅଧିକ ସମୟ ଧରି ଯକ୍ଷ୍ମା ନିରାକରଣ ଦିଗରେ କାମ କରି ଆସୁଛନ୍ତି ଏବଂ ସେ କୁହନ୍ତି ଯେ ଯକ୍ଷ୍ମାରୁ ସୁସ୍ଥ ହେବା ଏକ ଲମ୍ବା ପ୍ରକ୍ରିୟା ଓ ସାରା ପରିବାରକୁ ଏହାର ମୂଲ୍ୟ ଦେବାକୁ ପଡ଼ିଥାଏ।

‘‘ଏପରି କେତେକ ମାମଲା ରହିଛି ଯେଉଁଥିରେ ରୋଗୀ ସୁସ୍ଥ ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ଗ୍ରହଣ କରିବା ଲାଗି ପରିବାର ଲୋକମାନେ ରାଜି ହୋଇନଥା’ନ୍ତି। ପ୍ରକୃତରେ ଆମେ ସେମାନଙ୍କୁ ରାଜି କରାଇଥାଉ,’’ ସେ କୁହନ୍ତି। ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ତାଙ୍କର ନିରନ୍ତର କାର୍ଯ୍ୟ ଯୋଗୁ ସୁଶ୍ରୀ ନାଏକଙ୍କୁ ସମ୍ମାନଜନକ ଜର୍ମାନ୍‌ କ୍ରସ୍‌ ଅଫ୍‌ ଦ ଅର୍ଡର୍‌ ଅଫ୍‌ ମେରିଟ୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି।

୪୦ ବର୍ଷ ବୟସ୍କ ଆଲାପୀ ମଣ୍ଡଳ ଯକ୍ଷ୍ମାରୁ ସୁସ୍ଥ ହୋଇଛନ୍ତି ଏବଂ କୁହନ୍ତି, ‘‘ମୁଁ ମୋ ପରିବାର ପାଖକୁ ଫେରିଯିବା ଲାଗି ଦିନ ଗଣୁଛି। ଏହି ଦୀର୍ଘ ଲଢ଼େଇରେ ସେମାନେ ମୋତେ ଏକାକୀ ଛାଡ଼ି ଚାଲି ଯାଇଛନ୍ତି….’’

*****

Left:  Prolonged use of TB drugs has multiple side effects such as chronic depression.
PHOTO • Ritayan Mukherjee
Right: Dr. Tobias Vogt checking a patient
PHOTO • Ritayan Mukherjee

ବାମ : ଦୀର୍ଘ ଦିନ ପର୍ଯ୍ୟନ୍ତ ଯକ୍ଷ୍ମା ଔଷଧ ଖାଇବା ଦ୍ୱାରା ଗମ୍ଭୀର ଅବସାଦ ଭଳି ଏକାଧିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ। ଡାହାଣ : ଡକ୍ଟର ତୋବିୟାସ ଭୋ ଗ୍‌ତ୍ ଜଣେ ରୋଗୀଙ୍କୁ ଦେଖୁଛନ୍ତି

Left: Rifampin is the most impactful first-line drug. When germs are resistant to Rifampicin, it profoundly affects the treatment.
PHOTO • Ritayan Mukherjee
Right: I t is very difficult to find staff for a TB hospital as applicants often refuse to work here
PHOTO • Ritayan Mukherjee

ବାମ : ରିଫାମ୍ପିନ୍‌ ହେଉଛି ସବୁଠୁ ପ୍ରଭାବୀ ପ୍ରାରମ୍ଭିକ ଚିକିତ୍ସା ଔଷଧ। ଯେତେବେଳେ ଜୀବାଣୁଗୁଡ଼ିକ ରିଫାମ୍ପିସିନ୍‌ର ପ୍ରତିରୋଧୀ ହୋଇଯାଆନ୍ତି, ଏହା ଚିକିତ୍ସା ଉପରେ ଗଭୀର ପ୍ରଭାବ ପକାଇଥାଏ। ଡାହାଣ : ଯକ୍ଷ୍ମା ଡାକ୍ତରଖାନା ପାଇଁ କର୍ମଚାରୀଙ୍କୁ ଖୋଜିବା କଷ୍ଟକର କାମ କାରଣ ପ୍ରାର୍ଥୀମାନେ ପ୍ରାୟତଃ ଏଠାରେ କାମ କରିବାକୁ ମନା କରି ଦେଇଥା’ନ୍ତି

ସ୍ୱାସ୍ଥ୍ୟ କର୍ମୀଙ୍କୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ ଏବଂ ମାସ୍କ ବାଧ୍ୟତାମୂଳକ ହୋଇଥାଏ। ସୋସାଇଟି ଦ୍ୱାରା ପରିଚାଳିତ କ୍ଲିନିକ୍‌ରେ ଅତ୍ୟଧିକ ସଂକ୍ରମିତ ଯକ୍ଷ୍ମା ରୋଗୀଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଏ। ବର୍ହି ବିଭାଗ ପ୍ରତି ସପ୍ତାହରେ ଦୁଇ ଥର ଦୈନିକ ୧୦୦-୨୦୦ ରୋଗୀଙ୍କୁ ସେବା ଯୋଗାଇ ଥାଏ ଏବଂ ଏମାନଙ୍କ ମଧ୍ୟରେ ୬୦ ପ୍ରତିଶତ ମହିଳା ରୋଗୀ ଥାଆନ୍ତି।

ଏହି କ୍ଷେତ୍ରରେ କାମ କରୁଥିବା ଡାକ୍ତରମାନେ କୁହନ୍ତି ଯେ ଯକ୍ଷ୍ମା ଔଷଧ ଦୀର୍ଘ ସମୟ ପର୍ଯ୍ୟନ୍ତ ସେବନ କରିବା କାରଣରୁ ଅନେକ ରୋଗୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ରୂପରେ ନିଦାନିକ ଅବସାଦ ଦେଖା ଦେଇଥାଏ। ଉଚିତ୍‌ ଚିକିତ୍ସା ଏକ ଲମ୍ବା ଓ ଜଟିଳ ପ୍ରକ୍ରିୟା- ଡାକ୍ତରଖାନାରୁ ଛାଡ଼ ପାଇବା ପରେ ରୋଗୀ ନିୟମିତ ଔଷଧ ଏବଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ସେବନ କରିବା ଉଚିତ୍‌।

ଡାକ୍ତର ତୋବିୟାସ ଭୋଗ୍‌ତ୍‌ କୁହନ୍ତି, ଅଧିକାଂଶ ରୋଗୀ କମ୍‌ ଆୟ ବର୍ଗର ହୋଇଥିବା କାରଣରୁ ସେମାନେ ମଝିରୁ ଔଷଧ ଛାଡ଼ି ଦେଇଥାନ୍ତି ଯାହାଦ୍ୱାରା ସେମାନଙ୍କ ଠାରେ ଏମଡିଆର୍‌ ଟିବି (ମଲ୍ଟି-ଡ୍ରଗ୍‌ ରେଜିଷ୍ଟାନ୍ସ ଟ୍ୟୁବରକୁଲୋସିସ୍) ଦେଖାଦେବାର ଆଶଙ୍କା ବଢ଼ିଯାଏ। ଜର୍ମାନୀରୁ ଆସିଥିବା ଡାକ୍ତର ତୋବିୟାସ୍‌ ଗତ ଦୁଇ ଦଶନ୍ଧି ଧରି ହାଓଡ଼ାରେ ଯକ୍ଷ୍ମା ନିରାକରଣ ଦିଗରେ କାମ କରୁଛନ୍ତି।

ମଲ୍ଟିଡ୍ରଗ୍‌-ରେଜିଷ୍ଟାଣ୍ଟ ଟିବି (ଏମ୍‌ଡିଆର୍‌-ଟିବି) ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସଂକଟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବିପଦ ଭାବେ ପ୍ରଭାବ ବିସ୍ତାର ଜାରି ରଖିଛି। ୨୦୨୨ରେ ଔଷଧ ପ୍ରତିରୋଧୀ ଯକ୍ଷ୍ମାରେ ପୀଡ଼ିତ ପାଞ୍ଚ  ଜଣଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଚିକିତ୍ସା ମିଳିଥିଲା। ଡବ୍ଲୁଏଚ୍‌ଓର ବିଶ୍ୱ ଯକ୍ଷ୍ମା ରିପୋର୍ଟରେ କୁହାଯାଇଛି ଯେ, ‘‘୨୦୨୦ରେ ୨,୧୪,୦୦୦ ଲୋକ ଏଚ୍‌ଆଇଭିରେ ମୃତ୍ୟୁବରଣ କରିଥିବା ବେଳେ ୧୫ ଲକ୍ଷ ଲୋକ ଯକ୍ଷ୍ମାରେ ପ୍ରାଣ ହରାଇଥିଲେ।

ଭୋଗ୍‌ତ୍‌ ଆହୁରି କୁହନ୍ତି : ‘‘ଯକ୍ଷ୍ମା ଆପଣଙ୍କ ଅସ୍ଥି, ମେରୁଦଣ୍ଡ, ପାକସ୍ତଳୀ ଓ ମସ୍ତିଷ୍କ ସମେତ ଶରୀର ଯେକୌଣସି ଅଙ୍ଗକୁ ନଷ୍ଟ କରିଦେଇପାରେ। ଏମିତି ପିଲା ଅଛନ୍ତି ଯେଉଁମାନେ ଯକ୍ଷ୍ମାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଥାନ୍ତି, କିନ୍ତୁ ସେମାନଙ୍କର ପାଠପଢ଼ା ବାଧାପ୍ରାପ୍ତ ହୋଇଥାଏ।’’

ଅନେକ ଯକ୍ଷ୍ମା ରୋଗୀ ସେମାନଙ୍କର ଜୀବିକା ହରେଇଛନ୍ତି। ‘‘ଫୁସ୍‌ଫୁସ୍‌ ଯକ୍ଷ୍ମାରେ ଆକ୍ରାନ୍ତ ହେବା ପରେ ମୁଁ ଏବେ କାମ କରିପାରୁନାହିଁ, ଯଦିଓ ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇସାରିଛି। ମୋ ଶରୀରରୁ ଶକ୍ତି କମିଯାଇଛି,’’ ପୂର୍ବରୁ ରିକ୍ସା ଚାଳକ ଥିବା ଶେଖ୍‌ ସାହାବୁଦ୍ଦିନ କୁହନ୍ତି। ଏକଦା ସେ ଜଣେ ବଳଶାଳୀ ବ୍ୟକ୍ତି ଥିଲେ ଏବଂ ହାଓଡ଼ାରେ ଯାତ୍ରୀମାନଙ୍କୁ ବୋହି ନେଉଥିଲେ। ଏହି ବ୍ୟକ୍ତି ଜଣଙ୍କ ଏବେ ଅସହାୟ ହୋଇପଡ଼ିଛନ୍ତି। ‘‘ମୋ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି। ବଞ୍ଚିବୁ କେମିତି?’’ ଏହି ସାହାପୁର ନିବାସୀ ପ୍ରଶ୍ନ କରନ୍ତି।

Left: Doctors suspect that this girl who developed lumps around her throat and shoulders is a case of multi-drug resistant TB caused by her stopping treatment mid way.
PHOTO • Ritayan Mukherjee
Right: 'I don't have the strength to stand. I used to work in the construction field. I came here to check my chest. Recently I have started coughing up pink phlegm,'  says Panchu Gopal Mandal
PHOTO • Ritayan Mukherjee

ବାମ : ଏ ଝିଅର ଗଳା ଓ କାନ୍ଧ ଆଖପାଖରେ ସୃଷ୍ଟି ହୋଇଥିବା ଗଣ୍ଠି ସବୁ ମଲ୍ଟି ଡ୍ରଗ୍‌ ରେଜିଷ୍ଟାଣ୍ଟ ଯକ୍ଷ୍ମା କାରଣରୁ ହୋଇଛି ବୋଲି ଡାକ୍ତରମାନେ ସନ୍ଦେହ କରୁଛନ୍ତି। ମଝିରୁ ଚିକିତ୍ସା ବନ୍ଦ କରିବା କାରଣରୁ ଏପରି ହୋଇଛି। ଡାହାଣ : ‘ଛିଡ଼ା ହେବାକୁ ମୋର ବଳ ପାଉନାହିଁ। ମୁଁ ନିର୍ମାଣ ସ୍ଥଳୀରେ ପୂର୍ବରୁ କାମ କରୁଥିଲି। ଏଠାକୁ ମୋର ଛାତି ପରୀକ୍ଷା ପାଇଁ ଆସିଥିଲି। କିଛିଦିନ ହେବ ମୋର କାଶ ହେଉଥିଲା ଏବଂ ଗୋଲାପୀ ରଙ୍ଗର କଫ ବାହାରୁଥିଲା,’' ପଞ୍ଚୁ ଗୋପାଳ ମଣ୍ଡଳ କୁହନ୍ତି

Left: NI-KSHAY-(Ni=end, Kshay=TB) is the web-enabled patient management system for TB control under the National Tuberculosis Elimination Programme (NTEP). It's single-window platform helps digitise TB treatment workflows and anyone can check the details of a patient against their allotted ID.
PHOTO • Ritayan Mukherjee
Right: A dress sample made by a 16-year-old bone TB patient at  Bantra Society. Here patients are trained in needlework and embroidery to help them become self-sufficient
PHOTO • Ritayan Mukherjee

ବାମ : ନି-କ୍ଷୟ (ନି=ସମାପ୍ତି, କ୍ଷୟ=ଯକ୍ଷ୍ମା) ଜାତୀୟ ରୋଗ ଉନ୍ମୁଳନ କାର୍ଯ୍ୟକ୍ରମ (ଏନଟିଇପି) ଅଧୀନରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ୱେବ୍‌ ଆଧାରିତ ରୋଗୀ ପରିଚାଳନା ପ୍ରଣାଳୀ ରହିଛି। ଏହାର ସିଙ୍ଗଲ୍‌ ୱିଣ୍ଡୋ ପ୍ଲାଟଫର୍ମ ଯକ୍ଷ୍ମା ଚିକିତ୍ସା ୱାର୍କଫ୍ଲୋକୁ ଡିଜିଟାଲ କରିବାରେ ସହାୟକ ହୋଇଥାଏ ଏବଂ ଯେକୌଣସି ବ୍ୟକ୍ତି ରୋଗୀଙ୍କୁ ମିଳିଥିବା ଆଇଡିକୁ ବ୍ୟବହାର କରି ତାଙ୍କ ବିଷୟରେ ଜାଣିପାରିବେ। ଡାହାଣ : ବାନ୍ତ୍ରା ସୋସାଇଟିରେ ୧୬ ବର୍ଷ ବୟସ୍କ ଅସ୍ଥି ଯକ୍ଷ୍ମା ରୋଗୀଙ୍କ ଦ୍ୱାରା ତିଆରି କରାଯାଇଥିବା ପୋଷାକର ନମୁନା। ଏଠାରେ ରୋଗୀଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟତା କରିବା ଲାଗି ସିଲେଇ ଓ ଏମ୍ବ୍ରୋଡୋରୀ ପ୍ରଶିକ୍ଷଣ ଦିଆଯାଏ

ଜଣେ ବୟସ୍କ ରୋଗୀ ପଞ୍ଚୁ ଗୋପାଳ ମଣ୍ଡଳ ବାନ୍ତ୍ରା ହୋମ୍‌ ୱେଲ୍‌ଫେୟାର୍‌ ସୋସାଇଟି କ୍ଲିନିକ୍‌କୁ ଚିକିତ୍ସା ପାଇଁ ଆସିଥା’ନ୍ତି। ପୂର୍ବରୁ ସେ ଜଣେ ନିର୍ମାଣ ଶ୍ରମିକ ଥିଲେ, ଆଉ ଏବେ, ‘‘ମୋ ପାଖରେ ୨୦୦ ଟଙ୍କା ନାହିଁ ଓ ମୁଁ ଛିଡ଼ା ହେବାକୁ ମଧ୍ୟ ବଳ ପାଉନାହିଁ। ଏଠାକୁ ମୋର ଛାତି ପରୀକ୍ଷା ପାଇଁ ଆସିଥିଲି। କିଛିଦିନ ହେବ ମୋର କାଶ ହେଉଥିଲା ଏବଂ ଗୋଲାପୀ ରଙ୍ଗର କଫ ବାହାରୁଥିଲା,’’ ଏହି ୭୦ ବର୍ଷ ବୟସ୍କ ହାଓଡ଼ା ନିବାସୀ କହିଥା’ନ୍ତି। ତାଙ୍କର ସବୁ ପୁଅମାନେ କାମ ସନ୍ଧାନରେ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି।

ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ୱେବ୍‌ ଆଧାରିତ ରୋଗୀ ପରିଚାଳନା ପ୍ରଣାଳୀ - ନିକ୍ଷୟ-ର ଲକ୍ଷ୍ୟ ହେଉଛି ଉପଚାର କିଭଳି କାମ କରୁଛି ତାହା ଦେଖିବା ପାଇଁ ଏକ ବିସ୍ତୃତ, ସିଙ୍ଗଲ୍‌-ୱିଣ୍ଡୋ ବ୍ୟବସ୍ଥା ଯୋଗାଇ ଦେବା। ଯକ୍ଷ୍ମା ରୋଗୀଙ୍କ ଉପରେ ନଜର ରଖିବା ଏବଂ ସେମାନେ ଠିକ୍‌ ଭାବେ ଆରୋଗ୍ୟ ଲାଭ କରୁଛନ୍ତି ତାହା ସୁନିଶ୍ଚିତ କରିବା ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ସୋସାଇଟିର ପ୍ରଶାସନିକ ମୁଖ୍ୟ ସୁମନ୍ତ ଚାଟାର୍ଜୀ କୁହନ୍ତି, ଆମେ ଏଥିରେ (ନିକ୍ଷୟରେ) ସମସ୍ତ ବିବରଣୀ ପୂରଣ କରିଥାଉ ଏବଂ ଏହାକୁ ଧ୍ୟାନରେ ରଖିପାରିଥାଉ।’’ ସେ ଏହା ମଧ୍ୟ କହିଥାନ୍ତି ଯେ ପିଲଖାନା ବସ୍ତିରେ ଯକ୍ଷ୍ମା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଅଧିକ କାରଣ ଏହା ‘‘ରାଜ୍ୟର ସବୁଠୁ ଜନବହୁଳ ବସ୍ତି ମଧ୍ୟରୁ ଅନ୍ୟତମ।’’

ଚିକିତ୍ସା ଏବଂ ନିରାକରଣଯୋଗ୍ୟ ହୋଇଥିବା ସତ୍ତ୍ୱେ, କୋଭିଡ-୧୯ ପରେ ଯକ୍ଷ୍ମା ରୋଗରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି

ଏହାବ୍ୟତୀତ, କୋଭିଡ-୧୯ ମହାମାରୀ କାଶିବା ଓ ଅସୁସ୍ଥ ଦେଖାଯିବାର ସାମାଜିକ ଅପବାଦକୁ ବଢ଼ାଇ ଦେଇଛି, ଯାହାଫଳରେ ସମ୍ଭାବ୍ୟ ରୂପରେ ଯକ୍ଷ୍ମା ରୋଗୀମାନେ ବାଧ୍ୟ ହୋଇ ନିଜ ରୋଗକୁ ଅନ୍ୟମାନଙ୍କଠାରୁ ଲୁଚାଇ ରଖିଥା’ନ୍ତି। ଏହା ରୋଗର ଗମ୍ଭୀରତା ଏବଂ ସଂକ୍ରାମକତାକୁ ବଢ଼ାଇ ଦେଇଥାଏ।

ମୁଁ ନିୟମିତ ରୂପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଲେଖାଲେଖି କରିଥାଏ, କିନ୍ତୁ ଏତେ ଲୋକ ଯକ୍ଷ୍ମାରେ ପୀଡ଼ିତ ଥିବା କଥା ମୁଁ ଜାଣିନଥିଲି। ଏହା ଏକ ଘାତକ ରୋଗ ହୋଇନଥିବାରୁ ଏ ସମ୍ପର୍କରେ ବ୍ୟାପକ ଭାବେ ରିପୋର୍ଟ କରାଯାଇନଥାଏ। ଯଦିଓ ଏହା ସବୁବେଳେ ଘାତକ ନୁହେଁ ବୋଲି ମୁଁ ଦେଖିଛି ତଥାପି ପରିବାରର ମୁଖ୍ୟ ରୋଜଗାରିଆ ବ୍ୟକ୍ତିଙ୍କୁ ପ୍ରଭାବିତ କରି ଏହା ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଅସହାୟ କରିଦେଇପାରେ। ଏହାବ୍ୟତୀତ, ସୁସ୍ଥ ହେବା ଏକ ଦୀର୍ଘ ପ୍ରକ୍ରିୟା, ଏହାଦ୍ୱାରା ପଛୁଆ ରହିଥିବା ଲୋକମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିଥାଏ।

ଏ କାହାଣୀରେ କିଛି ଲୋକଙ୍କର ଛଦ୍ମ ନାମ ବ୍ୟବହାର କରାଯାଇଛି।

ଏହି କାହାଣୀ ପ୍ରସ୍ତୁତ କରିବାରେ ଜୟପ୍ରକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ଚେଞ୍ଜ୍‌ (ଜେପିଆଇଏସସି)କୁ ରିପୋର୍ଟର୍‌ ଧନ୍ୟବାଦ ଜ୍ଞାପନ କରୁଛନ୍ତି । ଯକ୍ଷ୍ମା ଆକ୍ରାନ୍ତ ଶିଶୁଙ୍କ ନିୟମିତ ଶିକ୍ଷା ସୁନିଶ୍ଚିତ କରିବା ଲାଗି ଜେପିଆଇଏସ୍‌ସି ସେମାନଙ୍କ ସହିତ ନିବିଡ଼ ଭାବେ କାର୍ଯ୍ୟ କରିଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

رِتائن مکھرجی کولکاتا میں مقیم ایک فوٹوگرافر اور پاری کے سینئر فیلو ہیں۔ وہ ایک لمبے پروجیکٹ پر کام کر رہے ہیں جو ہندوستان کے گلہ بانوں اور خانہ بدوش برادریوں کی زندگی کا احاطہ کرنے پر مبنی ہے۔

کے ذریعہ دیگر اسٹوریز Ritayan Mukherjee
Editor : Priti David

پریتی ڈیوڈ، پاری کی ایگزیکٹو ایڈیٹر ہیں۔ وہ جنگلات، آدیواسیوں اور معاش جیسے موضوعات پر لکھتی ہیں۔ پریتی، پاری کے ’ایجوکیشن‘ والے حصہ کی سربراہ بھی ہیں اور دیہی علاقوں کے مسائل کو کلاس روم اور نصاب تک پہنچانے کے لیے اسکولوں اور کالجوں کے ساتھ مل کر کام کرتی ہیں۔

کے ذریعہ دیگر اسٹوریز Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE