ୱାର୍ଲିମାନେ ନିଜର କଳାଶୈଳୀ ପାଇଁ ଜଣାଶୁଣା- ଜ୍ୟାମିତିକ ଆକୃତି ବିଶିଷ୍ଟ ଅନନ୍ୟ ଚିତ୍ରକଳା । କିନ୍ତୁ ଉତ୍ତର ମୁମ୍ବାଇର ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ (SGNP / ଏସ୍‌ଜିଏନ୍‌ପି) ମଧ୍ୟରେ ଥିବା ସେମାନଙ୍କର ଏହି ଛୋଟ କାଠ , ଇଟା ଓ ଆଜବେଷ୍ଟସ୍ ଘର ଥିବା ବସ୍ତିରେ ସେମାନେ ନିଜ ସମୂହର ପାରମ୍ପରିକ ଚିତ୍ରକଳା ବିନା ହିଁ ରହୁଛନ୍ତି।

ରାୱଲପଡ଼ାର ଜନୈକା ବାସିନ୍ଦା ଆଶା କାଓଲେ କୁହନ୍ତି , “ଏଠାରେ ଜଣେ ମାତ୍ର ୱାର୍ଲି ଚିତ୍ରଶିଳ୍ପୀ’’। “ଆମେ ଅନ୍ୟମାନେ ବଞ୍ଚିବା ପାଇଁ କାମ କରିବାରେ ବ୍ୟସ୍ତ । ଏହା ଯେ ଗୁରୁତ୍ୱପୂର୍ଣ୍ଣ ଆମେ ଏକଥା ଚିନ୍ତା କରିପାରିଲୁନି ।” ୪୩ବର୍ଷ ବୟସ୍କା ଆଶା କିମ୍ବା ତାଙ୍କର ଦୁଇ ସାନଭାଇ କେହି ମଧ୍ୟ ଚିତ୍ର କରିବା ଜାଣିନାହାନ୍ତି ।

ଏକମାତ୍ର କଳାକାର , ୨୫ବର୍ଷ ବୟସ୍କ ଦିନେଶ ବରାପ ଏହାକୁ ସ୍ୱୀକାର କରି କହିଥିଲେ , “ୱାର୍ଲିମାନେ ଆଜିକାଲି ନିଜ କଳା ପ୍ରତି ଆଗ୍ରହୀ ନୁହନ୍ତି ।” ଏସ୍‌ଜିଏନ୍‌ପି ମଧ୍ୟରେ ଥିବା ନବପଡ଼ାରେ ରହୁଥିବା ଦିନେଶ କେମିତି ଚିତ୍ର କରିବାକୁ ହେବ ସେକଥା ଜେଜେମା’ଙ୍କ ଠାରୁ ଶିଖିଥିଲେ । ତାଙ୍କ ମା’ ଶାମୁ ଜଣେ ବାଲୱାଡି କର୍ମୀ । ଶାମୁ ନିଜ ମା’ଙ୍କ ଠାରୁ ମଧ୍ୟ ଏହି ଚିତ୍ରକଳା ଶିଖିଥିଲେ । ଦିନେଶ କୁହନ୍ତି , “ସେ ଏଥିପାଇଁ ସମୟ ଦେଇପାରିଲେନି କିମ୍ବା ଅଭ୍ୟାସ କରିପାରିଲେନି କାରଣ ଆମ ପାଖରେ ଅର୍ଥ ନଥିଲା।”

ଏଥିସହ ଆଶା କୁହନ୍ତି ନ୍ୟାସନାଲ୍ ପାର୍କରେ ରହୁଥିବା ୱାର୍ଲିମାନେ , “ବିସ୍ଥାପନର ଭୟ ମଧ୍ୟରେ ରହୁଛନ୍ତି । ସେମାନେ କହୁଛନ୍ତି ଯେକୌଣସି ସମୟରେ ଆମକୁ ଏଠାରୁ ଅପସାରଣ କରିଦେବେ । ଆମେ କ’ଣ କରିବୁ ? ଆମକୁ ଏକ ଅଜଣା ସ୍ଥାନରେ ନୂଆ ଘର କରିବାକୁ ପଡ଼ିବ ।” ଆଶାଙ୍କ ପରିବାର ‘ଏହି ସ୍ଥାନରେ ୭ ପିଢ଼ି’ ହେବ ରହୁଛନ୍ତି। ଆଶା କୁହନ୍ତି , “ମତେ ରାଗ ଏଥିପାଇଁ ଲାଗେ ଯେ ସେମାନେ ଆମର ଜମି ନେଇଗଲେ ଏବଂ ଏଥିପାଇଁ ଆମକୁ ଛୋଟ ଛୋଟ କାମ ଦେଲେ , ଯେମିତି କି ସେମାନେ ଆମକୁ ଦୟା କରୁଛନ୍ତି ।”

Asha Kaole showing her property tax receipts dating back to 1968
PHOTO • Apekshita Varshney

ଆଶା କାଓଲେଙ୍କ ପାଖରେ ୧୯୬୮ ମସିହାର ସମ୍ପତ୍ତି କର ରସିଦ୍ ଅଛି , ଯଦି ଓ ସେ କୁହନ୍ତି , ତାଙ୍କ ପରିବାର ଏଠାରେ ‘ସାତପିଢ଼ି’ ହେବ ରହିଆସୁଛନ୍ତି।

ଯଦିଓ ବହୁ ସଂଖ୍ୟକ ୱାର୍ଲି ଏସ୍‌ଜିଏନ୍‌ପିରେ ତତ୍ତ୍ୱାବଧାରକ , ଜଗୁଆଳି , ଦିନ ମଜୁରିଆ ଓ ମାଳି ଭାବରେ କାମ କରୁଛନ୍ତି ତେବେ ସେମାନେ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ରହିବା ଉଚିତ୍ ନା ନୁହେଁ ସେ ନେଇ ବିତର୍କ ଲାଗି ରହିଛି । ୧୯୯୭ ମସିହାରେ ଅଦାଲତଙ୍କ ଏକ ରାୟ ପରଠାରୁ ଏହି ବିତର୍କ ଲାଗି ରହିଛି।

ଯେଉଁମାନଙ୍କୁ ଶ୍ରମିକ ଭାବରେ କାମ ମିଳିଛି ସେମାନଙ୍କ ମଧ୍ୟରେ ଥିଲେ ଆଶାଙ୍କ ସ୍ୱାମୀ , ଦଶବର୍ଷରୁ ଅଧିକ ସମୟ ତଳୁ ସେ ପ୍ରାଣ ହରାଇଛନ୍ତି । ଆଶା ଏସଜିଏନପି ମଧ୍ୟରେ ଜନ୍ମ ହୋଇଛନ୍ତି । ପାଞ୍ଚ ବର୍ଷ ବୟସରୁ ସେ ବୋରିଭାଲି ମାର୍କେଟକୁ ଶୁଖିଲା କାଠ ଓ ପରିବା ବିକ୍ରି କରିବାକୁ ଯାଉଥିବା ମା’ଙ୍କ ସହ ଯାଉଛନ୍ତି । କିଶୋର ବୟସରେ ସେ ଏକ ପ୍ୟାକେଜିଂ ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ । ୨୦୦୧ ମସିହାଠାରୁ ସେ ପାର୍କର ନେଚର୍ ଇନଫର୍ମେସନ୍ ସେଣ୍ଟରରେ ଜଣେ ମାଳି ଭାବରେ କାମ କରୁଛନ୍ତି । ବଗିଚା କାମ କରିବା , ସଫା କରିବା , ଜଗିବା ଓ ବେଳେବେଳେ ପରିଦର୍ଶକମାନଙ୍କ ପ୍ରଶ୍ନର ଉତ୍ତର ଦେବା ଇତ୍ୟାଦି ଦିନରେ ୧୦ଘଣ୍ଟାରୁ ଅଧିକ ସମୟ ପାଇଁ କରି ସେ ମାସକୁ ୭୦୦୦ ଟଙ୍କା ରୋଜଗାର କରୁଛନ୍ତି ।

ଏସ୍‌ଜିଏନ୍‌ପିର ବିଭିନ୍ନ ପଡ଼ାରେ ଥିବା ଥିବା ୱାର୍ଲିମାନଙ୍କ ସଂଖ୍ୟାର ଏକ ଆକଳନ ଅନୁଯାୟୀ ୧୦୩ ବର୍ଗ କିଲୋମିଟର ପରିମିତ ଏହି ଜାତୀୟ ଉଦ୍ୟାନରେ ୱାର୍ଲି ସମୂହର ୨୦୦୦-୩୦୦୦ ଲୋକ ବାସ କରନ୍ତି । ଏସ୍‌ଜିଏନ୍‌ପିର ୱେବସାଇଟ ଅନୁଯାୟୀ , ଏହି ଜଙ୍ଗଲ ଜମି ୧୯୫୦ ମସିହାରେ କ୍ରିଷ୍ଣାଗିରି ଜାତୀୟ ଉଦ୍ୟାନ ଭାବରେ ସ୍ଥାପିତ ହୋଇଥିଲା । ଏହାପରେ ଆଉ କିଛି ଅଞ୍ଚଳ ସଂଯୋଗ କରାଯାଇ ୧୯୬୮ରେ ଏହା ବୋରିଭାଲି ଜାତୀୟ ଉଦ୍ୟାନ ଭାବରେ ନାମିତ ହେଲା । ୧୯୮୧ ମସିହାରେ ଏହା ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ଭାବରେ ନାମିତ ହେଲା । ୱାର୍ଲିମାନେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ । ଜନଗଣନାରେ ସେମାନଙ୍କୁ “ବର୍ଲି” ଭାବରେ ଉଲ୍ଲେଖ କରାଯାଇଛି । ସେମାନେ ମଧ୍ୟ ନାଲସୋପୋରା , ଜହ୍ୱାର , ଦହାନୁ ଏବଂ ଧୁଲେ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଂଶ , ଗୁଜରାଟ ଏବଂ ଦାଦ୍ରା ଓ ନଗରହାବେଳିରେ ବସବାସ କରନ୍ତି ।

କେଇ ପିଢ଼ି ହେବ ସେମାନେ ଏଠାରେ ରହୁଛନ୍ତି ତାହାର ପ୍ରମାଣ ଆଶାଙ୍କ ପାଖରେ ନଥାଇପାରେ କିନ୍ତୁ ବମ୍ବେ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦ୍ୱାରା ପ୍ରଦତ୍ତ ୧୯୬୮ ମସିହା ସମ୍ପତ୍ତି କର ରସିଦ୍ ତାଙ୍କ ପାଖରେ ଅଛି । ଏହା ସତ୍ତ୍ଵେ ଆଶା କୁହନ୍ତି , “ଆମେ ପକ୍କା ଘର କରିବାକୁ ଅନୁମତି ପାଇନୁ ଏବଂ ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘରେ ବିଦ୍ୟୁତ ସଂଯୋଗ , ପାନୀୟଜଳ ଯୋଗାଣ ସଂଯୋଗ , ଗ୍ୟାସ୍ ସଂଯୋଗ କିମ୍ବା ଶୌଚାଳୟ ନାହିଁ ।”

କେଲଦାପଡ଼ାରେ ରହୁଥିବା ଲକ୍ଷ୍ମୀ ୱାରଖଣ୍ଡେ ମଧ୍ୟ ଆଶାଙ୍କ ଅଭିଯୋଗର ପୁନରାବୃତ୍ତି କରନ୍ତି । ତାଙ୍କର ସବୁଠାରୁ ବଡ଼ ଅସନ୍ତୋଷ ତାଙ୍କ ପଡ଼ାରେ ସାର୍ବଜନୀନ ଶୌଚାଳୟ ନଥିବା । ଏହା ମହିଳାମାନଙ୍କୁ ବାଧ୍ୟ କରେ ଝାଡ଼ା ପରିସ୍ରା ପାଇଁ ଜଙ୍ଗଲକୁ ଯିବାକୁ । ଲକ୍ଷ୍ମୀଙ୍କ ବୟସ ୬୦ ଏବଂ ପାର୍କରେ ସାମୟିକ ଉଦ୍ୟାନ ଶ୍ରମିକ ଭାବରେ କାମ କରି ମାସକୁ ମାତ୍ର ୮୦୦ ଟଙ୍କା ପାଆନ୍ତି । ସେ ଏସ୍‌ଜିଏନ୍‌ପିର ସଫାରି ରକ୍ଷଣାବେକ୍ଷଣରେ କାମ କରୁଥିବା ପୁଅ ଉପରେ ନିର୍ଭର କରନ୍ତି ।

Shamu Barap sitting in her house
PHOTO • Apekshita Varshney
Warli painting
PHOTO • Apekshita Varshney

ଆମକୁ ଅଟ୍ଟାଳିକାରେ ରହିବା ପାଇଁ ପଠାଇ ଦିଅନି ’’ କୁହନ୍ତି , ନବପଡ଼ାର ଶାମୁ ବରାପ । ତାଙ୍କ ପୁଅ ଦିନେଶ ଜାତୀୟ ଉଦ୍ୟାନ ମଧ୍ୟରେ ରହୁଥିବା ୱାର୍ଲି ସମୂହର ଏକମାତ୍ର ସକ୍ରିୟ ୱାର୍ଲି ଚିତ୍ରକର ।

ଏଠାରେ ଥିବା ଅଧିକାଂଶ ପରିବାର ପରି ୱାରଖଣ୍ଡେଙ୍କ ପରିବାର ଏକ ସାର୍ବଜନୀନ କଳରୁ ପାଣି ନିଅନ୍ତି ଏବଂ କାଠ ଚୁଲାରେ ରୋଷେଇ କରନ୍ତି । ଅଧିକାଂଶ ପରିବାର ପରି ସେମାନେ ମଧ୍ୟ ସବୁବେଳେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବାର ଭୟ ମଧ୍ୟରେ ବଞ୍ଚନ୍ତି । ସେମାନେ ଜଙ୍ଗଲ ବିଭାଗ ସହ ଏକ ବିଦ୍ୟୁତ ବଣ୍ଟନ ନୀତି ବୁଝାମଣା କରି ନିକଟସ୍ଥ ଏକ ଖୁଣ୍ଟ ବା ପଏଣ୍ଟରୁ ବିଦ୍ୟୁତ୍ ସଂଯୋଗ ନିଅନ୍ତି । ଏହି ସଂଯୋଗକୁ ୭-୮ଟି ପରିବାର ଉପଯୋଗ କରନ୍ତି ବିଦ୍ୟୁତ୍ ଦେୟ ପ୍ରଦାନ ସମ୍ପର୍କିତ ବାଚନିକ ବୁଝାମଣା ଦ୍ୱାରା ।

ଯଦିଓ ଆଶା , ଲକ୍ଷ୍ମୀ ଓ ସେମାନଙ୍କ ପରିବାର ପରି ଅନେକ ୱାର୍ଲି ଏସ୍‌ଜିଏନ୍‌ପିର ତତ୍ତ୍ୱାବଧାରକ , ଜଗୁଆଳି , ଦିନ ମଜୁରିଆ ଶ୍ରମିକ ଓ ମାଳି ଭାବରେ କାମ କରନ୍ତି , ସେମାନେ ପାର୍କ ପରିସରରେ ରହିବା ଉଚିତ୍ କି ନାହିଁ ସେ ନେଇ ବିତର୍କ ଚାଲୁ ରହିଛି । ୱର୍ଲି ଏବଂ ରାଜ୍ୟ ମଧ୍ୟରେ ଲଢ଼େଇ ୧୯୯୭ରେ ବମ୍ବେ ହାଇକୋର୍ଟଙ୍କ ଏକ ରାୟ ପରଠାରୁ ଲାଗି ରହିଛି । ୧୯୯୫ରେ ବମ୍ବେ ଏନ୍‌ଭାଇରୋନ୍‌ମେଣ୍ଟ ଆକ୍ସନ ଗ୍ରୁପ୍ ଦ୍ୱାରା ଜଙ୍ଗଲ ବିଭାଗର ଏକ ସର୍ବେକ୍ଷଣକୁ ଆଧାର କରାଯାଇ ଏକ ଜନସ୍ୱାର୍ଥ ମାମଲା କରାଯାଇଥିଲା । ଏହି ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୪୦୦ , ୦୦୦ ଲୋକ ଏହି ଉଦ୍ୟାନର ପରିସର ମଧ୍ୟରେ ବାସ କରୁଛନ୍ତି । ଏହାର ଆଧାରରେ ଅଦାଲତ କହିଥିଲେ , ଯେଉଁମାନେ ୧୯୯୫ ମସିହା ପୂର୍ବରୁ ଏଠାରେ ରହୁଛନ୍ତି ବୋଲି ପ୍ରମାଣ ଦେଇ ପାରିବେ ସେମାନେ ୭ହଜାର ଟଙ୍କା ଜୋରିମାନା ଦେବା ପରେ ହିଁ ପୁନଃ ଥଇଥାନ ପାଇଁ ଯୋଗ୍ୟ ହେବେ । ଅନ୍ୟମାନେ ସେଠାରୁ ବିସ୍ଥାପିତ ହେବେ ଓ ସେମାନଙ୍କର ବିଦ୍ୟୁତ୍ ଓ ପାଣି ସଂଯୋଗ କାଟିଦିଆଯିବ ।

ଜଙ୍ଗଲ ବିଭାଗ ସହ-ସଂରକ୍ଷକ ତଥା ଏସ୍‌ଜିଏନ୍‌ପିର ମୁଖପାତ୍ର କଳ୍ପନା ତେମଗିରେଙ୍କ କହିବା ଅନୁଯାୟୀ , ଏପର୍ଯ୍ୟନ୍ତ ପୁନର୍ବାସ ପାଇଁ ଯୋଗ୍ୟ ପରିବାଗୁଡ଼ିକ ମଧ୍ୟରୁ ୧୧ , ୩୮୦ ପରିବାରକୁ ଚଣ୍ଡିଭାଲିରେ ଘର ଯୋଗାଇ ଦିଆଯାଇଛି ଏବଂ ୧୩ , ୬୯୮ଟି  ପରିବାର ୱେଟିଂ ଲିଷ୍ଟରେ ଅଛନ୍ତି। “ଏନ୍‌ଭାଇରୋନମେଣ୍ଟାଲ ମ୍ୟାନେଜମେଣ୍ଟ ପ୍ଲାନ୍ ଫର୍ ସଞ୍ଜୟ ଗାନ୍ଧୀ ନ୍ୟାସନାଲ୍ ପାର୍କ ” ଶୀର୍ଷକ ୨୦୦୨ର ରିପୋର୍ଟ ଅନୁଯାୟୀ ୧୯୯୭ ମସିହାରେ ଜାତୀୟ ଉଦ୍ୟାନର ଜବରଦଖଲ ହୋଇଥିବା ଅଂଶରେ ସମୁଦାୟ ୬୭ , ୦୦୦ଟି କୁଡ଼ିଆ ଘର ଥିଲା ଏବଂ ୨୦୦୦ ମସିହା ବେଳକୁ ଏହି କୁଡ଼ିଆ ମଧ୍ୟରୁ ୪୯୦୦୦ଟିକୁ ଅପସାରଣ କରିଦିଆଯାଇଥିଲା।

Navapada view
PHOTO • Apekshita Varshney
portrait of a women
PHOTO • Apekshita Varshney

ଲକ୍ଷ୍ମୀ ୱାରଖଣ୍ଡେଙ୍କ ସବୁଠାରୁ ବଡ଼ ଅସନ୍ତୋଷ ପଡ଼ାରେ ଶୌଚାଳୟ ନଥିବା । ଏଠାରେ ଥିବା ଅଧିକାଂଶ ପରିବାର ପରି ତାଙ୍କ ପରିବାର ମଧ୍ୟ କେବଳ ଗୋଟିଏ ସାର୍ବଜନୀନ ପାଣିକଳରୁ ପାଣି ଆଣିପାରନ୍ତି

ଏଠାରେ ଥିବା ଅଧିକାଂଶ ୱାର୍ଲିଙ୍କ ପାଖରେ ୧୯୯୫ ମସିହା ପୂର୍ବରୁ ଘର ଥିବାର ପ୍ରମାଣ ଅଛି । କିନ୍ତୁ ଯେଉଁମାନଙ୍କର ଜୋରିମାନା ଦେବାର ସାମର୍ଥ୍ୟ ନାହିଁ (କିମ୍ବା ଦେବାକୁ ଚାହାନ୍ତି ନାହିଁ) ସେମାନେ ଏବେ ବି ଏସ୍‌ଜିଏନ୍‌ପି ପରିସରରେ ବାସ କରି ଆସୁଛନ୍ତି । ଏ ମଧ୍ୟରେ ଅଛନ୍ତି ଆଶାଙ୍କ ପରିବାର- ଦୁଇ ପୁଅ , ଦୁଇ ବୋହୂ ଓ ୫ଜଣ ନାତିନାତୁଣୀ । ସେ ୭ହଜାର ଟଙ୍କା ଜୋରିମାନା ଦେବାକୁ ଅସମର୍ଥ ଥିଲେ । ଏଥିସହ “ସତେଜ ପବନ , ଖୋଲା ସ୍ଥାନ ଓ ଗ୍ରୀଲ୍ ଥିବା ଝରକା ” ଘରକୁ ଯିବାକୁ ମଧ୍ୟ ଚାହୁଁନଥିଲେ ।

ଶାମୁ ବରାପ ୧୯୯୭ ମସିହାର କଥା ମନେପକାଇ କୁହନ୍ତି , “ଆମେ ଆମ ଜଙ୍ଗଲ ବାହାରେ ୨୨୦ ବର୍ଗଫୁଟ ଫ୍ଲାଟରେ ରହିବାକୁ ଚାହୁଁନଥିଲୁ । କାରଣ ତାହା ଏମିତି ଲାଗୁଥିଲା ଯେମିତି- ଆମର ଗାଁ ନାହିଁ କି ଦେଶ ନାହିଁ ।” ଶାମୁଙ୍କ ୨୮ବର୍ଷ ବୟସ୍କା ବୋହୂ ମାନସୀ ପଚାରନ୍ତି , “ଯେଉଁ ଜମି ଆମର ସେଥିରେ ଆମେ ୭ହଜାର ଟଙ୍କା ଜୋରିମାନା କାହିଁକି ଦେବୁ ?” ମାନସୀ ନିଜ ସିଲେଇ ମେସିନରେ ଝୋଟ ବ୍ୟାଗ ସିଲେଇ କରନ୍ତି ଓ ହସ୍ତଶିଳ୍ପ ପ୍ରସ୍ତୁତ କରନ୍ତି । ଗୋଟିଏ ଏନ୍‌ଜିଓ ମାଧ୍ୟରେ ଏହା ବିକ୍ରି କରି ସେ ଦିନକୁ ୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।

ନବପଡ଼ାର ବରାପ ପରିବାର ଏହି ବସ୍ତିରେ ଥିବା ଅଳ୍ପ କେଇଟି ପରିବାର ମଧ୍ୟରେ ସାମିଲ ଯେଉଁମାନଙ୍କ ଘରେ ଶୌଚାଳୟ ଏବଂ ଗ୍ୟାସ୍ ଏବଂ ପାଣି ସଂଯୋଗ ଅଛି । ବର୍ତ୍ତମାନ ୪୭ବର୍ଷରେ ପାଦ ଦେଇଥିବା ଶାମୁ ଏସ୍‌ଜିଏନ୍‌ପିର ବୋରିଭାଲି ପ୍ରବେଶପଥରୁ ୩୫ କିଲୋମିଟର ଦୂରରେ ଥିବା ନାଲସୋପାରାରୁ ୧୪ବର୍ଷ ବୟସର ନୂଆ ବୋହୂ ହୋଇ ନବପଡ଼ାକୁ ଆସିଥିବା କଥାକୁ ମନେପକାନ୍ତି । ସେ କୁହନ୍ତି , “୩୩ବର୍ଷ ତଳେ ମୋ ଶାଶୂ ଯେଉଁ ସ୍ଥାନରେ ସେମାନଙ୍କର ଚାଷ ଜମି ଥିଲା , ତାହା ଦେଖାଇ ମୋତେ ଏହି ସ୍ଥାନ ସହ ପରିଚିତ କରାଇଥିଲେ ।”

ବର୍ଷେ ପରେ ଯେତେବେଳେ ତାଙ୍କର ପ୍ରଥମ ସନ୍ତାନ ହେଲା ସେତେବେଳେ ସେ ତାକୁ ପାଠ ପଢ଼ାଇବାକୁ ଚାହିଁଲେ । କିନ୍ତୁ ସେ କୁହନ୍ତି , “ଆମ ଜାତିରେ ଶିକ୍ଷା ନାହିଁ ।” ୧୯୯୦ ଦଶକର ଆଦ୍ୟ ଭାଗରେ ଗୋଟିଏ ଏନ୍‌ଜିଓ ଏସ୍‌ଜିଏନ୍‌ପି ପରିସରରେ ବାଲ୍‌ବାଡ଼ି ଆରମ୍ଭ କଲା । ଶାମୁ ସେଠାରେ ରୋଷେୟା ଭାବରେ ଯୋଗଦେଲେ ଏବଂ ଏବେ ବି ସେଠାରେ କାମ କରୁଛନ୍ତି । ସେ କୁହନ୍ତି , “କିନ୍ତୁ ୨୦୦୦ ଆରମ୍ଭ ମସିହା ମାନଙ୍କରୁ ସମସ୍ତେ ନିଜ ପିଲାମାନଙ୍କୁ ସ୍କୁଲ ପଠାଇବା ଆରମ୍ଭ କରିଛନ୍ତି । ” କିନ୍ତୁ ଔପଚାରିକ ଶିକ୍ଷାର ଅନୁପସ୍ଥିତିର ଅର୍ଥ ନୁହେଁ ପାରମ୍ପରିକ କଳାର ଉପସ୍ଥିତି । ଶାମୁ କୁହନ୍ତି , “ଆମର ଆର୍ଥିକ ସମସ୍ୟା ଆମକୁ ତୁଳୀ ଛାଡ଼ି ଦା’ , କୋଦାଳ ଓ ଝାଡ଼ୁ ଧରିବାକୁ ବାଧ୍ୟ କଲା ।”

a women is standing
PHOTO • Apekshita Varshney
A women sitting at her doorstep with her child
PHOTO • Apekshita Varshney

ମାନସୀ ବରାପ (ବାମ) ପଚାରନ୍ତି , ଯେଉଁ ଜମି ଆମର ସେଥିପାଇଁ ଆମେ ଜୋରିମାନା କାହିଁକି ଦେବୁ । କିନ୍ତୁ ଆରତି ଟୋକ୍‌ରେ (ଡାହାଣ) ଚିନ୍ତା କରନ୍ତି- ବାହାରକୁ ଚାଲିଯିବା ହୁଏତ ଅଧିକ ସୁଯୋଗ ଆଣିବ।

ଏସ୍‌ଜିଏନ୍‌ପିରେ ଥିବା ସମସ୍ତ ୱାର୍ଲିଙ୍କ ମଧ୍ୟରେ କେବଳ ଦିନେଶ , ତାଙ୍କ ଚାରିପୁଅଙ୍କ ମଧ୍ୟରୁ ସର୍ବ କନିଷ୍ଠ , ଚିତ୍ରକାରିତାରୁ ହିଁ ଜୀବିକା ଅର୍ଜନ କରନ୍ତି । ସେ ପାରମ୍ପରିକ ୱାର୍ଲି ସାମଗ୍ରୀ ଓ ରଙ୍ଗ- ମାଟି , ଗୋବର ଓ ଲାଲ ଲାଖ ବ୍ୟବହାର କରନ୍ତି ଏବଂ ଦିନର ଛ-ସାତ ଘଣ୍ଟା କାନଭାସ୍ ଓ ଶାଢ଼ିରେ ଚିତ୍ର କରିବାରେ ବିନିଯୋଗ କରନ୍ତି । ସେ ଏହାକୁ ଅନ୍ ଲାଇନରେ ଏବଂ ଗ୍ରାହକମାନଙ୍କ ନେଟ୍‌ୱାର୍କରେ ବିକ୍ରି କରନ୍ତି । ଏପରିକି ନିଜର ଦେଶୀ ଓ ବିଦେଶୀ ପରିଦର୍ଶକମାନଙ୍କର ମତାମତ ମଧ୍ୟ ଲିଖିତ ଭାବରେ ରଖନ୍ତି (କିନ୍ତୁ ସେ ଏହି କାମରୁ ନିଜର ରୋଜଗାର ସମ୍ପର୍କରେ କିଛି କହିବାକୁ ଚାହାନ୍ତି ନାହିଁ) । ଏଥିସହ ଦିନେଶ ପିଲାମାନଙ୍କୁ ୱାର୍ଲି ଚିତ୍ରକଳା ଶିଖାଇବାକୁ ମଧ୍ୟ ଚେଷ୍ଟା କରନ୍ତି ।

ଯଦିଓ ଲକ୍ଷ୍ମୀ ୱାରଖଣ୍ଡେଙ୍କର ବିଶ୍ୱାସ “ଏହି ଚିତ୍ରକଳା ଆମକୁ ଖାଦ୍ୟ ଯୋଗାଇବନି । ” ଶାମୁ କିନ୍ତୁ ଆଶାବାଦୀ ଯେ ତାଙ୍କ ସମୂହର ଏହି କଳା “ଯୁବପିଢ଼ିଙ୍କ ଦ୍ୱାରା ପୁନରୁଦ୍ଧାର” ହୋଇପାରିବ ।

ଏ ମଧ୍ୟରେ ୱାର୍ଲିମାନଙ୍କ ଦାବି ସେମିତି ସ୍ଥିର ଅଛି: ସେମାନେ ବିଦ୍ୟୁତ ମିଟର , ଶୌଚାଳୟ , ପାଣିକଳ ନିଜ ଘର ଭିତରେ ଚାହାନ୍ତି ଏବଂ ପକ୍କା ଘର ନିର୍ମାଣ ପାଇଁ ଅନୁମତି ମଧ୍ୟ । ଯଦି ବିସ୍ଥାପନକୁ ଏଡ଼ାଇବା ଅସମ୍ଭବ , ଶାମୁ କୁହନ୍ତି , “ତା’ହେଲେ ଆମକୁ ଅଟ୍ଟାଳିକାମାନଙ୍କରେ ରହିବାକୁ ପଠାଅ ନାହିଁ ବରଂ ଆମକୁ ଏସ୍‌ଜିଏନ୍‌ପି ଚାରିପାଖରେ ଜାଗା ଦିଅ ।”

ଯାହା ହେଲେ ବି ପୁନର୍ବାସ ପ୍ରକଳ୍ପ ବିଳମ୍ବିତ ହେଉଛି । ନିଜ ନାମ ଗୋପନ ରଖିବାକୁ ଚାହୁଁଥିବା ଜଣେ ଜଙ୍ଗଲ ଅଧିକାରୀ ଏହାର କାରଣ ବୁଝାଇ କହିଥିଲେ , “ଥଇଥାନର ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇପାରି ନାହିଁ । କାରଣ ପୋୱାଇ ନିକଟସ୍ଥ ଚାଣ୍ଡିଭାଲି ବିମାନ ବନ୍ଦରର ଫନେଲ୍ ଜୋନ୍‌ରେ ଆସୁଛି ।”

A women sitting in front her house
PHOTO • Apekshita Varshney

ଆରତି କୁହନ୍ତି , ‘ଆମ ହୁଏତ ବାହାରେ ଚଳିଯାଇପାରୁ ମାତ୍ର ସେମାନେ ପାରିବେନି ।’ ସେ ନିଜ ଶାଶୂଙ୍କ ବୟସ୍କା ମା’ ଗୌରୀ ଧାଗଡେ (ଉପର)ଙ୍କୁ  ଦେଖାଇ ଏହା କହିଥିଲେ ।

ଅନ୍ୟ ଜଣେ ଜଙ୍ଗଲ ଅଧିକାରୀ ପୁନର୍ବାସର ଧିମା ଗତି ସମ୍ପର୍କରେ କାରଣ ବର୍ଣ୍ଣନା କରିଥିଲେ । ସେ କହିଥିଲେ , “ଏସ୍‌ଜିଏନ୍‌ପି ସହ ସଂଯୁକ୍ତ ବହୁ ସଂଖ୍ୟକ ସଂସ୍ଥା ମଧ୍ୟରେ ସମନ୍ୱୟ ଖୁବ୍ କମ୍- ଚାରୋଟି ମହାନଗର ନିଗମ- ମୁମ୍ବାଇ , ଥାନେ , ମିରା ଭୈଣ୍ଡାର୍ ଓ ବସାଇ ବିରାର୍- ଏଥିସହ ବସ୍ତି ଥଇଥାନ କର୍ତ୍ତୃପକ୍ଷ (ଏସ୍ ଆର୍ ଏ ) ଏବଂ ଅନ୍ୟଗୁଡ଼ିକ ।”

ବନବିଭାଗ ସହ-ସଂରକ୍ଷକ କେ.ମ୍. ଡାଭୋଲକର କୁହନ୍ତି , “ସରକାରଙ୍କ ଯୋଗ୍ୟ ପରିବାରଗୁଡ଼ିକୁ ଆରେୟ ନିକଟସ୍ଥ ମାରୋଲ୍-ମାରୋଶି ନିକଟରେ ଥଇଥାନ କରିବାକୁ ଯୋଜନା କରିଛନ୍ତି (ଏସ୍‌ଜିଏନ୍‌ପିର ବୋରିଭାଲି ପ୍ରବେଶ ପଥରୁ ପ୍ରାୟ ୧୫ କିଲୋମିଟର ଦୂରରେ ।) ”

୧୯୯୭  ଅଦାଲତଙ୍କ ରାୟ ଓ ବିଳମ୍ବିତ ବିସ୍ଥାପନ ମଧ୍ୟରେ ଜଙ୍ଗଲ ଅଧିକାର ଆଇନ , ୨୦୦୬ ୱାର୍ଲିମାନଙ୍କ ପାଇଁ ବିରତି ସଦୃଶ । ଏହି ଆଇନ ଆଦିବାସୀମାନଙ୍କୁ ସେମାନଙ୍କ ଭୂମି ଏବଂ ଜଙ୍ଗଲ ସମ୍ପଦ ଉପରେ ଅଧିକାର  ସୁନିଶ୍ଚିତ କରାଇଛି । ଆଇନର ଧାରା ୩ (୧) (ଏମ୍) “ବନବାସୀ ଅନୁସୂଚିତ ଜନଜାତି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଅନ୍ୟ ପାରମ୍ପରିକ ସମୂହ ଯେଉଁମାନେ କି ଅବୈଧ ଭାବରେ ସେମାନଙ୍କର ଆଇନଗତ ପୁନର୍ବାସ ଓ ଥଇଥାନ ସୁବିଧା ନପାଇ ଜଙ୍ଗଲ ଭୂମିରୁ ବିସ୍ଥାପିତ ହୋଇଛନ୍ତି , ସେହି ସ୍ଥାନରେ ସେମାନଙ୍କ ଥଇଥାନ ଅଧିକାର ସୁନିଶ୍ଚିତ କରିଛି ...।”

କିନ୍ତୁ ଏସ୍‌ଜିଏନ୍‌ପିର ମୁଖପାତ୍ର ତେମ୍‌ଗିରେ କୁହନ୍ତି , “ଏହି ଆଇନ ଗ୍ରାମସଭା ଉପରେ ଧ୍ୟାନ କେନ୍ଦ୍ରିତ କରେ ଏବଂ ମାତ୍ର ୨୦୧୫ ମହାନଗର ନିଗମକୁ ସଂପ୍ରସାରିତ ହୋଇଛି (ଜନଜାତି ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ଏକ ବିଜ୍ଞପ୍ତି ଅନୁଯାୟୀ) । ବର୍ତ୍ତମାନ ମହାନଗର ନିଗମ ଏକ କମିଟି ଗଠନ କରିବା ପରେ ହିଁ ଆମେ ଆଗକୁ ବଢ଼ିବୁ।”

ଯୁବପିଢ଼ିର ଅନେକେ ୱାର୍ଲି ଥଇଥାନ ପ୍ରକଳ୍ପ ପୁନର୍ବାର ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି ଏବଂ ଅନ୍ୟ ସ୍ଥାନକୁ ଯିବାକୁ ମଧ୍ୟ ବିରୋଧ କରୁନାହାନ୍ତି । ୨୩ବର୍ଷ ବୟସ୍କା ଆରତି ଟୋକ୍‌ରେ କୁହନ୍ତି , “ଏହା ହୁଏତ ଅଧିକ ସୁଯୋଗ ଆଣିବାରେ ସାହାଯ୍ୟ କରିବ ।” ଆରତି ବମ୍ବେ ମହାନଗର ନିଗମର ଜଣେ ଠିକା ଝାଡ଼ୁଦାର । ସେ ସକାଳେ ବୋରିଭାଲି ଷ୍ଟେସନ ନିକଟସ୍ଥ ଅଞ୍ଚଳ ଝାଡ଼ୁ କରନ୍ତି ଏବଂ ନିଜ କୁଡ଼ିଆରେ ଗୋଟିଏ ଜଳଖିଆ ଦୋକାନ ଚଳାନ୍ତି । ସେ ବର୍ଷାଋତୁରେ ଏସ୍‌ଜିଏନ୍‌ପି ଭିତରେ କାକୁଡ଼ି , ପାଣିକଖାରୁ ପରି ପରିବା କରି ବୋରିଭାଲି ବଜାରରେ ବିକ୍ରି କରନ୍ତି । ତାଙ୍କ କୁଡ଼ିଆ ବିପରୀତରେ ତାଙ୍କ ଶାଶୂଙ୍କ ମା’ ଗୌରୀ ଧାଗଡ଼େଙ୍କ କୁଡ଼ିଆ । ତାଙ୍କ ବୟସ ପାଖାପାଖି ୭୦ । ଆରତି ତାଙ୍କୁ ଦେଖାଇ କୁହନ୍ତି , “ଆମେ ହୁଏତ ବାହାରେ ନିଜକୁ ଖାପ ଖୁଆଇନେଇ ଚଳି ପାରିବୁ କିନ୍ତୁ ସେମାନେ ପାରିବେନି ।”

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Apekshita Varshney

Apekshita Varshney is a freelance writer from Mumbai.

Other stories by Apekshita Varshney