‘‘ଲୋକମାନେ ମୋ ଶ୍ୱଶୁରଙ୍କୁ ପଚାରନ୍ତି, ‘ତୁମ ପରିବାରର ଜଣେ ମହିଳା ଟଙ୍କା ରୋଜଗାର କରିବା ଲାଗି ଘରୁ ବାହାରକୁ ଯାଉଛି?’ ମୁଁ ଏ ସହରର ଝିଅ ନୁହେଁ ତେଣୁ ଏ ନିୟମ ମୋ ପାଇଁ ଅଧିକ କଠୋର,’’ ଫାତିମା ବିବି କୁହନ୍ତି ।

କୁଶଳତା ପୂର୍ବକ ନିଜର କଳା ନିକାବ କୁ ଓହ୍ଲାଇବା ପରେ, ତା’କୁ ଘର ଆଗ କବାଟ ପାଖରେ ଥିବା ଏକ କଣ୍ଟାରେ ଟଙ୍ଗାଇ ଦେଇ ଫାତିମା ଘର ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ତାଙ୍କର କଥାବାର୍ତ୍ତା ଜାରି ରହିଥିଲା। ପୂର୍ବ କଥା ମନେ ପକାଇ ହସି ହସି ସେ କହିଥିଲେ, ‘‘ମୁଁ ଯେତେବେଳେ ଛୋଟ ଝିଅ ଥିଲି, ଭାବୁଥିଲି- ମୋ କାମ କେବଳ ରୋଷେଇ ଘର-ରୋଷେଇ ଏବଂ ଘରକରଣା କାମରେ ସୀମିତ ରହିବ’’। ସେଦିନ ସନ୍ଧ୍ୟାରେ ୨୮ ବର୍ଷୀୟା ଉତ୍ସାହୀ ମହିଳା ଫାତିମାଙ୍କ ଦୁପଟ୍ଟା (କାନି) ରେ ଲାଗିଥିବା ରୂପେଲି ଚୁମୁକିଗୁଡ଼ିକ ଚକମକ୍‌ କରୁଥାଏ। ନିଜ କଥାକୁ ଆହୁରି ଆଗକୁ ବଢ଼ାଇ ସେ କହିଥିଲେ, ‘‘ମୁଁ ଯେତେବେଳେ କିଛି କରିବା ପାଇଁ ଚେଷ୍ଟା କରିଛି, ମୋ ପରିବାର ମୋତେ ବାହାରକୁ ଯାଇ ନିଜ ପାଇଁ କିଛି କରିବା ଲାଗି ସବୁବେଳେ ସ୍ୱାଧୀନତା ଦେଇଛି। ଏମିତି କିଛି ନାହିଁ ଯାହା ମୁଁ କରିପାରିବି ନାହିଁ।’’

ଫାତିମା ଉତ୍ତର ପ୍ରଦେଶର ପ୍ରୟାଗରାଜ (ପୂର୍ବରୁ ଆହ୍ଲାବାଦ ନାମରେ ପରିଚିତ ଥିଲା) ଜିଲ୍ଲାର ମାହେୱା ସହରରେ ରୁହନ୍ତି । ଏଠାରେ ଜୀବନର ଗତି ପାଖରେ ବୋହି ଯାଉଥିବା ଅଳସୀ ଯମୁନାର ଧୀର ବେଗ ଭଳି ଆଗକୁ ବଢ଼ିଥାଏ । ଫାତିମା କିନ୍ତୁ ନିଜ ପାଦ ତଳେ ଘାସ ବଢ଼ିବାକୁ ଦେଇନାହାନ୍ତି । ଆଜି ସେ ଜଣେ କୁଶଳୀ କାରିଗର ଓ ହସ୍ତଶିଳ୍ପ ଉଦ୍ୟୋଗୀ ପାଲଟିଛନ୍ତି । ମୁଞ୍ଜ (ବେଣା) ଘାସରେ ତିଆରି ବିଭିନ୍ନ ଘରକରଣା ସାମଗ୍ରୀର ଡିଜାଇନ କରିବା ସହିତ ସେଗୁଡ଼ିକୁ ସେ ବିକ୍ରି କରୁଛନ୍ତି । ସରପତ୍‌ ଘାସ ଭଳି ଏହାର ବାହାର ପାତିଆରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ତିଆରି ହୋଇଥାଏ ।

ଯୁବତୀ ଥିବା ସମୟରେ କ’ଣ କରିବେ ତାହା ଫାତିମା ଜାଣିନଥିଲେ । କିନ୍ତୁ ମହମ୍ମଦ ଶକିଲଙ୍କୁ ବାହା ହୋଇ ସେ ମାହେୱା ଆସିବା ପରେ ସବୁଠୁ ଅଭିଜ୍ଞ ମୁଞ୍ଜ କାରିଗରଙ୍କ ଘରେ ତାଙ୍କର ପାଦ ପଡ଼ିଲା । ତାଙ୍କର ଶାଶୂ ଆୟେଶା ବେଗମ୍‌ ଜଣେ କୁଶଳୀ ମୁଞ୍ଜ କାରିଗର।

PHOTO • Priti David
PHOTO • Priti David

ବାମ: ଆୟେଶା ବେଗମ୍‌ ଏକ ମୁଞ୍ଜ ଝୁଡ଼ିର ଢାଙ୍କୁଣି ବୁଣୁଛନ୍ତି। ଶୁଖିଲା ଘାସରେ ସେ ଝୁଡ଼ି, ବିନ୍ସ, ଟୋକେଇ, ଅଳଙ୍କାର ଏବଂ ସାଜସଜ୍ଜା ସାମଗ୍ରୀ ଭଳି ବିଭିନ୍ନ ପ୍ରକାର ଜିନିଷ ତିଆରି କରିଥାନ୍ତି। ଡାହାଣ: ଆୟେଶାଙ୍କ ବୋହୂ ଫାତିମା ବିବି ସମ୍ପୂର୍ଣ୍ଣ ହୋଇସାରିଥିବା ଝୁଡ଼ିର ଏକ ଥାକ ସହିତ, ଯାହାକି ବିଭିନ୍ନ ଷ୍ଟୋର ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀରେ ବିକ୍ରି ହେବ

ନୂଆ କନିଆଁ ଭାବେ ସେ ଦେଖିଲେ, କିପରି ଆୟେଶାଙ୍କ କୁଶଳୀ ହାତ ମୁଞ୍ଜ କୁ ନିୟନ୍ତ୍ରିତ କରି ସେଥିରେ ବିଭିନ୍ନ ପ୍ରକାର ସାମଗ୍ରୀ ନିର୍ମାଣ କରୁଛି । ସବୁ ଆକାର ଓ ପ୍ରକାରର ଢାଙ୍କୁଣି ଥିବା ଏବଂ ଢାଙ୍କୁଣି ନଥିବା ଟୋକେଇ, ପେନ ଷ୍ଟାଣ୍ଡ, ବ୍ୟାଗ, ଡଷ୍ଟବିନ ଏବଂ ଛୋଟ ଝୁଲା, ଟ୍ରାକ୍ଟର ଭଳି ଆଳଙ୍କାରିକ ସାମଗ୍ରୀ ଆହୁରି ଅନେକ ସାମଗ୍ରୀ ସେ ତିଆରି କରୁଥିଲେ। ଏସବୁ ସାମଗ୍ରୀ ବିକ୍ରିରୁ ଏକ ସ୍ଥିର ଆୟ ହେଉଥିଲା, ଯାହା ପରିବାରର ମହିଳାଙ୍କ ପାଖରେ ରହୁଥିଲା ଏବଂ ସେମାନେ ନିଜ ଇଚ୍ଛା ଅନୁଯାୟୀ, ଏହାକୁ ଖର୍ଚ୍ଚ କରିପାରୁଥିଲେ ।

‘‘ଆମ ଘର ପିପିରାସାରେ ମୋ ମା’ ମଧ୍ୟ ଏହି କାମ ( ମୁଞ୍ଜ ଘାସରେ ଉତ୍ପାଦ ତିଆରି କରିବା) କରୁଥିବା ମୁଁ ଦେଖିଥିଲି’’, ସେ କହିଥିଲେ । କିଛି ସମୟ ମଧ୍ୟରେ ଫାତିମା ମଧ୍ୟ ଏହି କାରିଗରୀରେ ସିଦ୍ଧହସ୍ତ ହୋଇଗଲେ। ‘‘ମୁଁ ଜଣେ ଗୃହିଣୀ ଥିଲି, ଘରେ କାମ କରୁଥିଲି, କିନ୍ତୁ କିଛି ବଡ଼ ଆକାରରେ କରିବା ଲାଗି ମୋ ମନରେ ଇଚ୍ଛା ରହିଥିଲା। ଏବେ (ଏହି କାମ ସହିତ) ମୁଁ ମାସକୁ ପାଖାପାଖି ୭,୦୦୦ ଟଙ୍କା ରୋଜଗାର କରିପାରୁଛି’’, ନଅ ବର୍ଷ ବୟସ୍କା ଆଫିୟା ଏବଂ ୫ ବର୍ଷ ବୟସ୍କା ଆଲିୟାଁଙ୍କ ମା’ ଫାତିମା କହିଥିଲେ।

ମୁଞ୍ଜ ଉତ୍ପାଦ ତିଆରି କରୁନଥିବା ସମୟରେ, ଫାତିମା ବିଭିନ୍ନ ମାର୍ଗରେ ଏହି ହସ୍ତଶିଳ୍ପର ପ୍ରୋତ୍ସାହନ କାମରେ ବ୍ୟସ୍ତ ରହିଥାଥାନ୍ତି: ସେ ମୁଞ୍ଜ ଉତ୍ପାଦ ସଂଗ୍ରହ ଓ ବିପଣନ କରିଥାନ୍ତି, ନୂଆ କ୍ରେତାଙ୍କ ସନ୍ଧାନ କରିଥାନ୍ତି, ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରିଥାନ୍ତି ଏବଂ ଏହି ହସ୍ତଶିଳ୍ପକୁ ନେଇ ନୀତି ନିର୍ମାଣ ପାଇଁ ଚେଷ୍ଟା କରନ୍ତି । ସେ ମଧ୍ୟ ନିଜର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରିଥାନ୍ତି, ଯାହା ନାଁ ସେ ‘ଏଞ୍ଜେଲ’ ରଖିଥାନ୍ତି । କେତେଜଣ ଦୃଢ଼, ଦୟାଳୁ ମହିଳାମାନଙ୍କୁ ନେଇ ଗଠିତ ଏ ସଂଗଠନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସଶକ୍ତ କରିଥାଏ । ‘‘ମୁଁ ସେମିତି କାହାଣୀ ଓ ଚଳଚ୍ଚିତ୍ରକୁ ଭଲ ପାଏ, ଯେଉଁଥିରେ ମହିଳାମାନେ ଅନ୍ୟ ମହିଳାଙ୍କ ସହିତ ପ୍ରତିଯୋଗିତା ନକରି ସେମାନଙ୍କ ସହିତ ଖୁସିରେ ରହିଥାନ୍ତି’’।

ତାଙ୍କୁ ଅନେକ ମାନ୍ୟତା ଓ ସମ୍ମାନ ମିଳିଛି । ବିଶେଷ କରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତାଙ୍କୁ ରୋମାଞ୍ଚିତ କରିଥିଲା । ନିଜର ଅନୁଭବ ଏବଂ ସ୍ୱାଧୀନତା ବିଷୟରେ ସେ କୁହନ୍ତି, ‘‘ପୂର୍ବରୁ ମୋ ସ୍ୱାମୀ (ଜଣେ ମୋଟର ମେକାନିକ) ମୁଁ କୁଆଡ଼େ ଯାଉଛି ଓ ଆସୁଛି ସେ ନେଇ ଚିନ୍ତା କରୁଥିଲେ । କିନ୍ତୁ ଏବେ ମୋତେ ମିଳୁଥିବା ସମ୍ମାନକୁ ଦେଖି ସେ ମୋତେ ନେଇ ଗର୍ବ କରୁଛନ୍ତି । ଗତ ଦୁଇ ବର୍ଷ ହେବ, ମୁଁ ସପ୍ତାହକୁ ଅତି କମରେ କେବଳ ଦୁଇ ଦିନ ଘରେ ରହିଥାଏ’’। ଏସଏଚଜି ସଦସ୍ୟା ଓ କ୍ରେତାମାନଙ୍କୁ ଭେଟିବା, ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ପିଲାମାନଙ୍କର ଯତ୍ନ ନେବାରେ ତାଙ୍କର ସବୁ ସମୟ ବ୍ୟତୀତ ହୋଇଯାଏ ।

ମୁଞ୍ଜକୁ ପ୍ରୋତ୍ସାହିତ କରିବା ଲାଗି ମାହେୱାର ଉଦ୍ୟମୀ ମହିଳାମାନେ ଏହି ପଦକ୍ଷେପକୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ ଏବଂ ସେମାନଙ୍କର ରୋଜଗାର ବଢ଼ାଇବାର ଏହି ସୁଯୋଗକୁ ଆପଣାଇ ନେଇଥିଲେ

ଭିଡ଼ିଓ ଦେଖନ୍ତୁ: ପ୍ରୟାଗରାଜରେ ଘାସ ଅଧିକ ସବୁଜ

ତଥାପି ଲୋକମାନେ ତାଙ୍କ ବିରୋଧରେ ଟାହିଟାପରା କରିଥାନ୍ତି। ଫାତିମା କୁହନ୍ତି, ‘‘ଯେତେବେଳେ ମୁଁ ପ୍ରଶିକ୍ଷଣ ବୈଠକରେ ଯୋଗ ଦେଇଥାଏ ସେଠାରେ ପୁରୁଷମାନେ ଉପସ୍ଥିତ ଥାଆନ୍ତି ଏବଂ ଗୋଷ୍ଠୀର ଫଟୋ ନିଆଯାଇଥାଏ । ଲୋକମାନେ ମୋ ଶାଶୂଙ୍କ ପାଖକୁ ଆସି କହିଥାନ୍ତି, ‘ଦେଖ ତା’କୁ, ପୁରୁଷଙ୍କ ସହ ଫଟୋ ଉଠାଉଛି!’ କିନ୍ତୁ ସେମିତି ଆଲୋଚନା ମୋତେ ମୋ କାମ କରିବାରୁ ଅଟକାଇ ପାରିନଥାଏ ।’’ ଉତ୍ତର ପ୍ରଦେଶର ଛୋଟ ସହରରେ ରହିଥିବା ସଙ୍କୀର୍ଣ୍ଣ ସାମାଜିକ ପ୍ରଥାର ବନ୍ଧନରେ ବାନ୍ଧି ହୋଇଯିବା ଲାଗି ସେ ପ୍ରସ୍ତୁତ ନୁହନ୍ତି ।

ଉତ୍ତରପ୍ରଦେଶର ପଶ୍ଚିମ ଉପରହାରରେ ଥିବା ମାହେୱା ପଟ୍ଟି ୬,୪୦୮ ଜନସଂଖ୍ୟା (୨୦୧୧ ଜନଗଣନା ଅନୁଯାୟୀ) ବିଶିଷ୍ଟ ଏକ ସହର, ତଥାପି ସ୍ଥାନୀୟ ଲୋକମାନେ ଏହାକୁ ‘ମାହେୱା ଗାଁ’ ବୋଲି କହିଥାନ୍ତି । କାରଛାନା ତହସିଲ ଅଧୀନରେ ଆସୁଥିବା ଏ ସ୍ଥାନ ଗଙ୍ଗା ଓ ଯମୁନା ନଦୀର ସଙ୍ଗମ ଏବଂ ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥଳୀଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି।

ମାହେୱାର ଲୋକମାନଙ୍କ ଜୀବନ ଓ ଜୀବିକାକୁ ଯମୁନା ନଦୀ ପ୍ରଭାବିତ କରିଥାଏ । ଏଠାକାର ହସ୍ତଶିଳ୍ପ କାରିଗର ମହିଳାମାନେ ତାଳପତ୍ରରେ ତିଆରି ଛୋଟ ଛୋଟ ଝୁଡ଼ି ତିଆରି କରି ପଠାଇଥାନ୍ତି ଯାହାକି ଫୁଲରେ ଭର୍ତ୍ତି ହୋଇ ସଙ୍ଗମ ତୀର୍ଥସ୍ଥଳୀରେ ପୂଜା ପାଇଁ ଉପଯୋଗ ହୋଇଥାଏ । ସ୍ଥାନୀୟ ପୁରୁଷମାନେ ପ୍ରୟାଗରାଜ ସହରରେ ମେକାନିକ୍‌ ଓ ଡ୍ରାଇଭର ଭାବେ କାମ କରିଥାନ୍ତି, ଛୋଟ ଦୋକାନ ଚଳାଇଥାନ୍ତି କିମ୍ବା ହୋଟେଲଗୁଡ଼ିକରେ କାମ କରିଥାନ୍ତି ।

ରୋଚକ କଥା ହେଉଛି, (୨୦୧୧ ଜନଗଣନା ଅନୁଯାୟୀ) ପ୍ରୟାଗରାଜ ଜିଲ୍ଲାରେ ୧୩ ପ୍ରତିଶତ ଜନସଂଖ୍ୟା ମୁସଲିମ ସମ୍ପ୍ରଦାୟର ହୋଇଥିବା ବେଳେ, ମାହୋୱାରେ ମୁସଲିମ ଜନସଂଖ୍ୟା ମାତ୍ର ୧ ପ୍ରତିଶତରୁ ସାମାନ୍ୟ ଅଧିକ । ତଥାପି, ମୁଖ୍ୟତଃ ଏବଂ ପ୍ରାୟ ଏକାକୀ ଫାତିମା ଓ ଆୟେଶାଙ୍କ ଭଳି ମୁସଲିମ ମହିଳାମାନେ ହିଁ ଏହି ହସ୍ତକଳାକୁ ପୁନରୁଦ୍ଧାର କାର୍ଯ୍ୟରେ ଅଗ୍ରଣୀ ରହିଛନ୍ତି । ଫାତିମା କହିଥିଲେ, ‘‘ଆମେ ସବୁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଛୁ, କିନ୍ତୁ ଶେଷରେ, ଏହି ହସ୍ତଶିଳ୍ପ କାମ କରୁଥିବା ମହିଳାମାନଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତେ ଗୋଟିଏ ସମ୍ପ୍ରଦାୟର । ଅନ୍ୟମାନେ କାମ କରିବା ପାଇଁ ଆସିନଥାନ୍ତି । ହୁଏତ’ ସେମାନେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବେ।’’

*****

PHOTO • Priti David
PHOTO • Priti David

ବାମ: ଫାତିମା ଓ ଆୟେଶା ସେମାନଙ୍କର ଘରର ଛାତ ଉପରେ ଅଛନ୍ତି, ଯେଉଁଠି ଶୁଖିଲା ଘାସ ସଂରକ୍ଷିତ କରି ରଖାଯାଇଛି। ଡାହାଣ: ସଦ୍ୟ କଟା ହୋଇଥିବା ମୁଞ୍ଜକୁ ଗୋଟିଏ ସପ୍ତାହ ପାଇଁ ଖରାରେ ଶୁଖାଯାଇଥାଏ, ଯାହାଫଳରେ ଏହା କ୍ରିମ୍‌ ରଙ୍ଗ ଧାରଣ କରିଥାଏ । ମୁଞ୍ଜକୁ ବିଡ଼ା କରି ବାନ୍ଧିବା ଲାଗି ଶୁଖିଲା ପତଳା ଘାସ ବ୍ୟବହୃତ ହୋଇଥାଏ, ଯାହାକୁ କାସା କୁହାଯାଏ

ମାହେୱା ସ୍ଥିତ ତାଙ୍କ ଘର ଛାତ ଉପରେ ଥିବା ଷ୍ଟୋର ରୁମ କବାଟ ଫାତିମା ଖୋଲି ଦେଖାଇଥିଲେ। ସେଥିରେ ମୂଲ୍ୟବାନ ଶୁଖିଲା ମୁଞ୍ଜ ରହିଥିଲା, ସେସବୁ ନଷ୍ଟ ହୋଇଯାଇଥିବା ଘରକରଣା ସାମଗ୍ରୀ ଉପରେ ଥୁଆ ହୋଇଥିଲା। ‘‘ଆମେ କେବଳ ଶୀତ ଋତୁ (ନଭେମ୍ବରରୁ ଫେବୃଆରୀ) ମାସରେ ମୁଞ୍ଜ ପାଇଥାଉ ଏବଂ ସବୁଜ ଘାସକୁ ଚିରି ପାତିଆ ତିଆରି କରୁ, ତାହାକୁ ଶୁଖାଇ ଥାଉ ଏବଂ ଏଠାରେ ଷ୍ଟୋର କରି ରଖିଥାଉ। ଏହା ଘରର ସବୁଠୁ ଶୁଖିଲା ସ୍ଥାନ ଏବଂ ଏଠାକୁ ପବନ ଆସିନଥାଏ। ବର୍ଷା ଓ ପବନ ଏହାର ରଙ୍ଗକୁ ବଦଳାଇ ଦେଇଥାଏ ଏବଂ ଘାସ ହଳଦିଆ ପଡ଼ିଯାଏ।’’

ଘାସ ହଳଦିଆ ହେବା ଉଚିତ୍‌ ନୁହେଁ କାରଣ ଏହା ଅତ୍ୟଧିକ ଦୁର୍ବଳ ହୋଇଯାଏ ଏବଂ ଏଥିରେ ବୁଣିବା ସମ୍ଭବ ହୁଏ ନାହିଁ । ଏକ ହାଲୁକା କ୍ରିମ ରଙ୍ଗର ମୁଞ୍ଜ ଘାସରେ କାରିଗରମାନେ ନିଜ ଇଚ୍ଛା ମୁତାବକ ରଙ୍ଗ ଦେଇପାରିଥାନ୍ତି । ଏଥିପାଇଁ, ସଦ୍ୟ କଟା ହୋଇଥିବା ମୁଞ୍ଜ ବିଡ଼ା ବାନ୍ଧିବା ପରେ ସତର୍କତା ପୂର୍ବକ ଗୋଟିଏ ସପ୍ତାହ ପାଇଁ ଖୋଲା, ଖରା ପଡ଼ୁଥିବା, ପବନମୁକ୍ତ ସ୍ଥାନରେ ଶୁଖାଇବାକୁ ପଡ଼ିଥାଏ ।

ଫାତିମାଙ୍କ ଶାଶୂ, ଆୟେଶା ବେଗମ ମଧ୍ୟ ଉପରକୁ ଯାଇ ଷ୍ଟକ୍‌ ଯାଞ୍ଚ କରିଥାନ୍ତି । ୫୦ ବର୍ଷ ଟପି ସାରିଥିବା ଆୟେଶା ପୁରୁଣା ଦିନ କଥା ମନେ ପକାଇ କୁହନ୍ତି, ପୂର୍ବରୁ ଯମୁନା ନଦୀ କୂଳରେ ପ୍ରଚୁର ପରିମାଣରେ ଘାସ ହେଉଥିଲା । ଯିଏ ଯେତେ ଚାହିଁଲେ କାଟି ଆଣିପାରୁଥିଲେ । କିନ୍ତୁ ଗତ କିଛି ଦଶନ୍ଧି ହେବ, ଦ୍ରୁତ ବିକାଶ ଏବଂ ସହର ସୀମା ବଢ଼ିବା କାରଣରୁ ପ୍ରଚୁର ପରିମାଣରେ ଜଙ୍ଗଲୀ ଘାସ ଉଠୁଥିବା ଯମୁନା ନଦୀତଟ ସଙ୍କୁଚିତ ହେବାରେ ଲାଗିଛି।

ଆମେ ଆୟେଶାଙ୍କ ସହିତ ତାଙ୍କ ଅଗଣାକୁ ଗଲୁ । ଏଇଠି ସେ କାମ କରିଥାନ୍ତି । ସେ କହିଥିଲେ, ‘‘ଏବେ ଯମୁନା ନଦୀ ପାର୍‌ ହେଉଥିବା ମଲ୍ଲାମାନେ (ନାବିକ) ଆମକୁ ମୁଞ୍ଜ ଆଣି ଦେଇଥାନ୍ତି । ସେମାନେ ଗୋଟିଏ ବିଡ଼ା (ଗୋଟିଏ ବିଡ଼ା ପ୍ରାୟ ୨-୩ କିଲୋଗ୍ରାମ ହେବ) ମୁଞ୍ଜ କୁ ୩୦୦ରୁ ୪୦୦ ଟଙ୍କାରେ ବିକ୍ରି କରିଥାନ୍ତି ।’’ ଗୋଟିଏ ବିଡ଼ା ମୁଞ୍ଜ ରେ ଜଣେ କାରିଗର ୧୨ x ୧୨ ଇଞ୍ଚ ଝୁଡ଼ି ତିଆରି କରିଥାନ୍ତି ଯାହାକି ପ୍ରାୟ ୧,୫୦୦ ଟଙ୍କାରେ ବିକ୍ରି ହୋଇଥାଏ; ଏହି ଆକାରର ଝୁଡ଼ି ସାଧାରଣତଃ ଗଛ ବଢ଼ାଇବା କିମ୍ବା ପୋଷାକ ରଖିବା ପାଇଁ ଉପଯୋଗ କରାଯାଇଥାଏ ।

ସରପତ୍‌ ଘାସ ୭ରୁ ୧୨ ଫୁଟ ମଧ୍ୟରେ ବଢ଼ିଥାଏ, ଏହା ମୁଞ୍ଜ ହସ୍ତଶିଳ୍ପ ଉତ୍ପାଦ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କାସା ନାମକ ଆଉ ଏକ ପତଳା ଘାସ ସହାୟକ ହୋଇଥାଏ କିନ୍ତୁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହା ଟାଣ ମୁଞ୍ଜ କୁ ବାନ୍ଧିବା ଲାଗି ଉପଯୋଗ କରାଯାଇଥାଏ; କାସା ମୁଖ୍ୟତଃ ଶେଷ ଉତ୍ପାଦରେ ଦେଖିବାକୁ ମିଳିଥାଏ। ଏ ଘାସ ନଈ କୂଳରେ ପ୍ରଚୁର ପରିମାଣରେ ବଢ଼ିଥାଏ, ଟାଇଟ୍‌ କରି ବନ୍ଧା ହୋଇଥିବା ମୁଠାଏ ଘାସ ୫-୧୦ ଟଙ୍କାରେ ବିକ୍ରି ହୋଇଥାଏ ।

PHOTO • Priti David
PHOTO • Priti David

ବାମ: ଏକ ମୁନିଆ ଛୁଞ୍ଚି ସିରାହୀ ସହାୟତାରେ ଆୟେଶା ବେଗମ ଗଣ୍ଠି ବାନ୍ଧୁଛନ୍ତି । ଡାହାଣ: ସେ ଆକାର ଦେବା ଲାଗି ପତଳା କାସା ଚାରି ପାଖରେ ମୋଟା ମୁଞ୍ଜ ପାତିଆକୁ ବାନ୍ଧୁଛନ୍ତି

ଘର ଅଗଣାରେ ବସିଥିବା ଆୟେଶା ପୁଣିଥରେ କାମ ଆରମ୍ଭ କରନ୍ତି । ସେ ଝୁଡ଼ିର ଢାଙ୍କୁଣିରେ ବ୍ୟବହାର ହେବା ଲାଗି କିଛି ଗଣ୍ଠି ତିଆରି କରୁଛନ୍ତି, ସେ ଘାସର ଚିକ୍କଣ ପାତିଆକୁ କଞ୍ଚି ଓ ଧାରୁଆ ଛୁରି ସାହାଯ୍ୟରେ କାଟୁଛନ୍ତି, ଟାଣୁଛନ୍ତି, ଠେଲୁଛନ୍ତି ଏବଂ ବେଳେ ବେଳେ ସେହି ଟାଣ ପାତିଆଗୁଡ଼ିକୁ ଏକ ପାଣି ବାଲଟି ବୁଡ଼ାଇ ଅଧିକ ନରମ କରୁଛନ୍ତି ।

ଆୟେଶା କୁହନ୍ତି, ‘‘ମୋ ଶାଶୂଙ୍କୁ ଦେଖି ମୁଁ ଏ କାମ ଆରମ୍ଭ କରିଥିଲି । ୩୦ ବର୍ଷ ତଳେ, ଯେତେବେଳେ ମୁଁ ନୂଆ କନିଆଁ ହୋଇ ଏଠାକୁ ଆସିଥିଲି, ପ୍ରଥମ ଥର ପାଇଁ ମୁଁ ରୋଟି କା ଡବ୍ବା ( ରୁଟି ଡବା) ତିଆରି କରିଥିଲି ।’’ ଜନ୍ମାଷ୍ଟମୀ (ଭଗବାନ କୃଷ୍ଣଙ୍କ ଜନ୍ମ ଦିନ ପର୍ବ) ରେ ଭଗବାନ କୃଷ୍ଣଙ୍କ ଝୁଲିବା ପାଇଁ ମୁଁ ଏକ ଦୋଳି ମଧ୍ୟ ତିଆରି କରିଥିଲି ।

ଗଭୀର ଘା’ ଦାଗ ଥିବା ନିଜ ରୁକ୍ଷ ହାତକୁ ଦେଖାଇ ସେ କୁହନ୍ତି, ‘‘ଏ ଛୁରୀ ଓ ପତଳା କିନ୍ତୁ ଟାଣ ଘାସରେ ଆମ ଆଙ୍ଗୁଠି କଟି ଯାଇଥାଏ।’’ ପୂର୍ବଦିନ କଥା ମନେ ପକାଇ ସେ କୁହନ୍ତି, ‘‘(ସେତେବେଳେ) ପରିବାରର ସବୁ ଲୋକ ଏହି କାମରେ ଲାଗୁଥିଲେ – ମହିଳା ଓ ପିଲାମାନେ ମୁଞ୍ଜ ଉତ୍ପାଦ ତିଆରି କରୁଥିଲେ ଏବଂ ଏହାପରେ ପୁରୁଷମାନେ ସେଗୁଡ଼ିକୁ ବିକ୍ରି କରିବା ପାଇଁ ନେଇ ଯାଉଥିଲେ । ପରିବାରର ଦୁଇରୁ ତିନି ଜଣ ମହିଳା ମିଳିମିଶି କାମ କଲେ, ଆମେ ଦିନକୁ ୩୦ ଟଙ୍କା ରୋଜଗାର କରୁଥିଲୁ, ଘର ଚଳାଇବା ପାଇଁ ସେତିକି ଯଥେଷ୍ଟ ଥିଲା।’’

ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ମୁଞ୍ଜ ର ଚାହିଦା ହ୍ରାସ ପାଇଲା; ଏହି ହସ୍ତଶିଳ୍ପ କାମ କରୁଥିବା ମହିଳାଙ୍କ ସଂଖ୍ୟା କମିଗଲା ଏବଂ ବିକ୍ରି ପାଇଁ ଅଳ୍ପ କିଛି ଉତ୍ପାଦ ମିଳୁଥିଲା । ୨୦୧୩ରେ ଉତ୍ତର ପ୍ରଦେଶ ସରକାର ଏକ ଜିଲ୍ଲା ଏକ ଉତ୍ପାଦ (ଓଡିଓପି) ଯୋଜନା  ଆରମ୍ଭ କଲେ । ସାତ ଦଶନ୍ଧି ପୁରୁଣା ଇତିହାସ ଥିବା ମୁଞ୍ଜ କୁ ପ୍ରୟାଗରାଜ ଜିଲ୍ଲାର ବିଶେଷ ଉତ୍ପାଦ ଭାବେ ଚୟନ କରାଗଲା ।

PHOTO • Priti David
PHOTO • Priti David

ବାମ: ୫୦ ବର୍ଷ ବୟସ ଟପି ସାରିଥିବା ଆୟେଶା ବେଗମ ଜଣେ ଅଭିଜ୍ଞ ମୁଞ୍ଜ ହସ୍ତଶିଳ୍ପ କଳକାର । ‘ମୁଁ ମୋ ଶାଶୂଙ୍କ ଠାରୁ ଦେଖିବା ଆରମ୍ଭ କରିଥିଲି । ୩୦ ବର୍ଷ ପୂର୍ବେ ମୁଁ ପ୍ରଥମେ ଏକ ରୁଟି ଡବା ତିଆରି କରିଥିଲି।’ ଡାହାଣ: ନିକଟରେ ଆୟେଶା ତିଆରି କରିଥିବା କେତେକ ଡଷ୍ଟବିନ୍‌ ଓ ଝୁଡ଼ି

ପ୍ରୟାଗରାଜ ଜିଲ୍ଲାର ଶିଳ୍ପ ଉପ ଆୟୁକ୍ତ ଅଜୟ ଚୌରାସିଆ କୁହନ୍ତି, ‘‘ଓଡିଓପି ମାନ୍ୟତା ମିଳିବା ପରେ ଚାହିଦା ଓ ବିକ୍ରି ( ମୁଞ୍ଜ ଉତ୍ପାଦର) ବୃଦ୍ଧି ପାଇଲା, ଏବଂ ବହୁ ସଂଖ୍ୟାରେ କାରିଗର ଏବେ ଏହି ପେସାକୁ ଫେରୁଛନ୍ତି ଏବଂ ନୂଆ ଲୋକମାନେ ମଧ୍ୟ ଏଥିରେ (ହସ୍ତଶିଳ୍ପ)ରେ ଯୋଗ ଦେଉଛନ୍ତି । ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ଜରିଆରେ ହସ୍ତଶିଳ୍ପୀ ମହିଳାମାନଙ୍କୁ ଓଡିଓପି ଯୋଜନାର ଲାଭ ହସ୍ତାନ୍ତର କରାଯାଇଥାଏ ଏବଂ ଚୌରାସିଆ ଏହାର ମୁଖ୍ୟ ଅଛନ୍ତି । ସେ କୁହନ୍ତି, ‘‘ଏହି କାମ ପାଇଁ ଆଗେଇ ଆସୁଥିବା ମହିଳାମାନଙ୍କୁ ଆମେ ପ୍ରଶିକ୍ଷଣ ଦେବା ସହିତ କିଟ୍‌ ବିତରଣ କରୁଛୁ ଏବଂ ବାର୍ଷିକ ଆମେ ୪୦୦ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଲକ୍ଷ୍ୟ ରଖିଛୁ।’’ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ମେଳା ଓ ମହୋତ୍ସବ ଆୟୋଜନ କରି ଏହି କେନ୍ଦ୍ର ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେଇଥାଏ ।

ମାହେୱାର ଉଦ୍ୟମୀ ମହିଳାମାନେ ମୁଞ୍ଜ କୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରାଯାଇଥିବା ପଦକ୍ଷେପକୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କ ଆୟରେ ସହାୟକ ହେବାର ସୁଯୋଗକୁ ହାତଛଡ଼ା କରିନଥିଲେ । ଫାତିମା କୁହନ୍ତି, ସେମାନଙ୍କୁ ଏବେ ହ୍ୱାଟ୍ସଆପ୍‌ରେ ଅର୍ଡର ମିଳୁଛି ଏବଂ କାମ ଓ ରୋଜଗାର ମହିଳାମାନଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯାଉଛି ।

ଓଡିଓପି ଯୋଜନା ସେମାନଙ୍କ ଘର ପାଖରେ ପାଣ୍ଠି ପହଞ୍ଚାଇଛି । ‘‘ଏହି ଯୋଜନା ମାଧ୍ୟମରେ ଆମେ ଋଣ ପାଇପାରୁଛୁ । ମୋ ଏସଏଚଜିରେ, କାମ ଆରମ୍ଭ କରିବା ଲାଗି ବହୁ ସଦସ୍ୟ ୧୦,୦୦୦ ଟଙ୍କାରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସାରିଛନ୍ତି’’, ଫାତିମା କହିଥିଲେ । ଏହି ଯୋଜନାରେ ମୋଟ ଋଣ ଉପରେ ୨୫ ପ୍ରତିଶତ ସବସିଡି ଦିଆଯାଇଥାଏ – ଅର୍ଥାତ୍‌, ୨୫ ପ୍ରତିଶତ ଋଣ ପରିମାଣ ଛାଡ଼ କରାଯାଇଥାଏ । ଅବଶିଷ୍ଟ ଅର୍ଥ, ତିନି ମାସ ମଧ୍ୟରେ ଫେରାଇ ଦେଲେ, ସୁଧମୁକ୍ତ ହୋଇଥାଏ, ଏବଂ ଏହାପରେ ବାର୍ଷିକ ପାଞ୍ଚ ପ୍ରତିଶତ ସୁଧ ଲାଗୁ ହୋଇଥାଏ।

ଏହି ଯୋଜନା ଅନ୍ୟ ସ୍ଥାନରୁ ମହିଳାମାନଙ୍କୁ ଆକର୍ଷିତ କରିବାର ସମ୍ଭାବନା ରହିଛି । ଆୟେଶାଙ୍କ ବିବାହିତା ଝିଅ, ନାସ୍ରୀନ୍‌, ମାତ୍ର ୧୦ କିଲୋମିଟର ଦୂରରେ ଥିବା ଫୁଲପୁର ତହସିଲର ଆନ୍ଦୱା ଗାଁରେ ରହିଥାନ୍ତି । ‘‘ଏଠି (ଆନ୍ଦୱାରେ) ସେହି ଘାସ ଛାତରେ ଉପଯୋଗ କରାଯାଇଥାଏ । ଟାଇଲ ପକାଇବା ପୂର୍ବରୁ ବର୍ଷା ଜଳ ଭିତରକୁ ପ୍ରବେଶ ରୋକିବା ନିମନ୍ତେ ଘାସକୁ ଉପଯୋଗ କରାଯାଇଥାଏ’’, ଶିକ୍ଷା ଓ ମନୋବିଜ୍ଞାନରେ ସ୍ନାତକ କରୁଥିବା ୨୬ ବର୍ଷୀୟା ନାସ୍ରୀନ କୁହନ୍ତି । ତାଙ୍କ ଘରେ ମୁଞ୍ଜ ର ଆର୍ଥିକ ସମ୍ଭାବନାକୁ ଦୃଷ୍ଟିରେ ରଖି, ସେ ଘରେ ଏହି ହସ୍ତଶିଳ୍ପ ତିଆରି କରନ୍ତି ।

PHOTO • Priti David
PHOTO • Priti David

ଆୟେଶା ବେଗମ ଓ ଫାତିମା ବିବିଙ୍କ ପଡ଼ୋଶୀଙ୍କ ନାମ ମଧ୍ୟ ଆୟେଶା ବେଗମ, ସେ ପ୍ରତ୍ୟେକ ମୁଞ୍ଜ ଉତ୍ପାଦ ପାଇଁ ୧୫୦-୨୦୦ ଟଙ୍କା ରୋଜଗାର କରିଥାନ୍ତି । ‘ଖାଲିଟାରେ ଘରେ ବସିବା ଅପେକ୍ଷା, ମୁଁ ଟଙ୍କା ରୋଜଗାର କରି ମୋ ସମୟ ବିତାଉଛି’

୨୦ ବର୍ଷ ପୂର୍ବରୁ, ରୁଟି ରଖିବା ଲାଗି ଏକ ମୁଞ୍ଜ ଡବା ୨୦ ଟଙ୍କାରେ ବିକ୍ରି ହେଉଥିଲା । ଆଜି ସେହି ସମାନ ଡବା ୧୫୦ କିମ୍ବା ଅଧିକ ଟଙ୍କାରେ ବିକ୍ରି ହେଉଛି । ଦରବୃଦ୍ଧି ସତ୍ତ୍ୱେ ଏଥିରୁ ସମ୍ମାନଜନକ ଆୟ ହେଉଛି । କେବଳ ଏହି କାରଣରୁ ଫାତିମାଙ୍କ ପଡ଼ୋଶୀ, ତାଙ୍କ ନାଁ ମଧ୍ୟ ଆୟେଶା ବେଗମ, ଏହି ହସ୍ତଶିଳ୍ପକୁ ନେଇ ତାଙ୍କ ମନରେ ଖୁବ୍‌ ଆଗ୍ରହ ରହିଛି । ଅଧିକ ସମୟ କାମ କଲେ ତାଙ୍କ ଆଖି ଥକି ଯାଇଥାଏ, ତଥାପି ତାଙ୍କର ଆଗ୍ରହ କମିନଥାଏ । ‘‘ମୁଁ ତିଆରି କରୁଥିବା ପ୍ରତି ସାମଗ୍ରୀ ୧୫୦-୨୦୦ ଟଙ୍କାରେ ବିକ୍ରି ହୋଇଥାଏ । ବସି ରହିବା ଅପେକ୍ଷା, ମୁଁ ଟଙ୍କା ରୋଜଗାର କରୁଛି ଏବଂ ସମୟ ବିତାଉଛି,’’ ସେ କହିଥିଲେ । ସେ ତାଙ୍କ ଘର ଅଗଣାରେ କାନ୍ଥ ଆଡ଼କୁ ପିଠି କରି ଚଟେଇ ଉପରେ ବସିଛନ୍ତି, ଝୁଡ଼ିର ଢାଙ୍କୁଣି ବୁଣିବା ସମୟରେ ତାଙ୍କର ଆଙ୍ଗୁଠି ତଳ-ଉପର ହେଉଛି ।

ସେ କଥା ହେବା ସମୟରେ ତାଙ୍କର ସ୍ୱାମୀ ଶୁଣୁଥିଲେ । ତାଙ୍କ ଆଡ଼କୁ ଇସାରା କରି କହିଲେ, ଏହାପରେ ସେ ପିଠି ଯନ୍ତ୍ରଣା ହେଉଛି ବୋଲି କହିବ । ଚା’ ଦୋକାନ କାମରୁ ନିକଟରେ ଅବସର ନେଇଥିବା ମହମ୍ମଦ ମାତୀନ୍‌ଙ୍କୁ ଆମେ ଯେତେବେଳେ ପଚାରିଲୁ ଯେ ଯଦି ପୁରୁଷମାନେ ଏହି କାମ କରନ୍ତି? ସେ ସ୍ମିତ ହସି କହିଲେ, ‘‘କିଛି ପୁରୁଷ ଏହି କାମ କରିପାରିବେ, କିନ୍ତୁ ମୁଁ ପାରିବି ନାହିଁ ।’’

ପ୍ରାୟ ଅପରାହ୍ଣ ସମୟ, ଫାତିମାଙ୍କ ମା’ ଆସମା ବେଗମ ସମ୍ପୂର୍ଣ୍ଣ ହୋଇଥିବା କିଛି ଉତ୍ପାଦ ସହିତ ତାଙ୍କ ଝିଅ ଘର ପାଖରେ ଆସି ପହଞ୍ଚିଛନ୍ତି । ପରଦିନ ପ୍ରୟାଗରାଜ ସର୍କିଟ୍‌ ହାଉସଠାରେ ଆୟୋଜିତ ହେବାକୁ ଥିବା ଏକ ଛୋଟ ପ୍ରଦର୍ଶନୀରେ ସେ ଏସବୁ ପ୍ରଦର୍ଶିତ ଏବଂ ବିକ୍ରି କରିବେ । ଆସମା ନିଜ ହାତ ତିଆରି କାମକୁ ଦେଖାଇବା ଲାଗି ବଡ଼ ଢାଙ୍କୁଣି ଥିବା ଏକ ଝୁଡ଼ି ଉଠାଇଥିଲେ । ‘‘ଗରମ ବ୍ୟଞ୍ଜନ ରଖିବା ଲାଗି ଏକ ଭଲ କୋଷ୍ଟର (ପାତ୍ର) ତିଆରି କରିବା ଲାଗି ତିନି ଦିନ ଲାଗିଥାଏ । ଆପଣ ଏହାକୁ ଧୀରେ ଧୀରେ କରିବା ଉଚିତ୍‌ ନହେଲେ ଘାସ ଚିରିଯିବ’’, ସେ କହିଥିଲେ । କାରିଗରମାନେ ଅଧିକ କୋମଳ, ପତଳା ସାମଗ୍ରୀ ତିଆରି କରିବା ଲାଗି ଘାସର ପତଳା ପାତିଆ ଉପଯୋଗ କରିଥାନ୍ତି । ଯାହାକୁ ତିଆରି କରିବା ଲାଗି ଅଧିକ ସମୟ ଲାଗିଥାଏ ଏବଂ ଏହାର ଦାମ୍‌ ମଧ୍ୟ ଅଧିକ ହୋଇଥାଏ ।

ପ୍ରାୟ ୫୦ ବର୍ଷ ବୟସ୍କ ଆସମା ଜଣେ ସମ୍ମାନିତ କାରିଗର, ନିକଟରେ ମାହେୱାଠାରୁ ୨୫ କିଲୋମିଟର ଦୂର ପିପିରସା ଠାରେ ଥିବା ନିଜ ଘରେ ସେ ୯୦ ଜଣ ମହିଳାଙ୍କୁ ମୁଞ୍ଜ ହସ୍ତଶିଳ୍ପର ପ୍ରଶିକ୍ଷଣ ଦେଇଥିଲେ। ସେ କୁହନ୍ତି, ‘‘ଏହା ଏକ ଭଲ କାମ। ଯେକେହି ଶିକ୍ଷା ଲାଭ କରିପାରିବେ, ଟଙ୍କା ରୋଜଗାର କରିପାରିବେ ଏବଂ ଜୀବନରେ ଆଗକୁ ବଢ଼ିପାରିବେ। ମୁଁ ଯେତେଦିନ ପାରିବି, ଏହି କାମ କରିବି। ମୋ ଝିଅ ଫାତିମା ଯେଉଁ କାମ କରୁଛି ସେଥିରେ ମୁଁ ଖୁସି ଅଛି।”

PHOTO • Priti David
PHOTO • Priti David

ବାମ: ଫାତିମାଙ୍କ ମା’, ଆସମା ବେଗମ (ବାମ, ସବୁଜ ଓଢ଼ଣି ପକାଇଥିବା), ଜଣେ କୁଶଳୀ ହସ୍ତଶିଳ୍ପ କାରିଗର ସେ ମହିଳାମାନଙ୍କୁ ମୁଞ୍ଜ ହସ୍ତଶିଳ୍ପ ପ୍ରଶିକ୍ଷଣ ଦେଇଥାନ୍ତି । ‘ଯେକେହି ଏହାକୁ ଶିଖି ଟଙ୍କା ରୋଜଗାର କରିପାରିବେ ଏବଂ ଜୀବନରେ ଆଗକୁ ବଢ଼ିପାରିବେ।’ ଡାହାଣ: ନିଜେ ତିଆରି କରିଥିବା ଢାଙ୍କୁଣି ଓ ଝୁଡ଼ି ସହିତ ଆସମା

ଆସମା ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ପ୍ରାୟ ଦୁଇ ଏକର ଚାଷ ଜମି ଥିବା ଫାତିମାଙ୍କ ବାପାଙ୍କୁ ସେ ୧୮ ବର୍ଷ ବୟସରେ ସେ ବାହା ହୋଇଥିଲେ । ପ୍ରଶିକ୍ଷକ ଭାବେ ଆସମା ଜିଲ୍ଲା ଉଦ୍ୟୋଗ କେନ୍ଦ୍ରରୁ ୫,୦୦୦ ଟଙ୍କା ପାଇଥାନ୍ତି । ଏଠାରେ ୬ ମାସିଆ ପ୍ରଶିକ୍ଷଣ ପାଠ୍ୟକ୍ରମରେ ନାମ ଲେଖାଉଥିବା ଝିଅମାନଙ୍କୁ ମାସିକ ୩,୦୦୦ ଟଙ୍କା ମିଳିଥାଏ । ସେ କୁହନ୍ତି, ‘‘ଏ ଝିଅମାନେ ଏବେ ଘରେ ରହି କିଛି କାମ କରିପାରୁଛନ୍ତି ଓ ଟଙ୍କା ରୋଜଗାର କରିପାରୁଛନ୍ତି, ଅନ୍ୟଥା ଏମାନେ ଖାଲି ହାତରେ ବସି ରହିଥାନ୍ତେ। କିଛି ପିଲା ଆଗକୁ ପଢ଼ିବା ଲାଗି ଏହି ଟଙ୍କା ବିନିଯୋଗ କରୁଛନ୍ତି’’, ସେ କହିଥିଲେ।

ମୁଞ୍ଜ କାରିଗରଙ୍କ ପାଇଁ, ପରବର୍ତ୍ତୀ ଯୋଜନା ହେଉଛି ଏକ ସଂଗ୍ରହାଳୟ ଏବଂ କର୍ମଶାଳା । ଫାତିମା କୁହନ୍ତି, ‘‘ଆମେ ଏକ ସଂଗ୍ରହାଳୟ ଚାହୁଁଛୁ, ଯାହାଫଳରେ ପରିଦର୍ଶକମାନେ ଆସି ଆମେ କରୁଥିବା କାମକୁ ଦେଖିପାରିବେ ଓ ପ୍ରଶଂସା କରିପାରିବେ। ଏଠାରେ ସବୁଠୁ ନିଖୁଣ ଭାବେ ତିଆରି କରାଯାଇଥିବା ଉତ୍ପାଦ ପ୍ରଦର୍ଶିତ ହେବ ଏବଂ ଆପଣଙ୍କ ତିଆରି ପ୍ରକ୍ରିୟାକୁ ଦେଖିପାରିବେ।’’ ସଂଗ୍ରହାଳୟକୁ ଲାଗି ରହିଥିବା କର୍ମଶାଳା ଅଧିକ ସଂଖ୍ୟାରେ ମହିଳାମାନଙ୍କୁ ଆଗେଇ ଆସିବାକୁ ଅନୁପ୍ରାଣିତ କରିବ। ଚୌରାସିଆ କୁହନ୍ତି, ଗତ ବର୍ଷ କେନ୍ଦ୍ର ସରକାର ଶିଳ୍ପ ଗ୍ରାମ ପାଇଁ ୩ କୋଟି ଟଙ୍କା ସହାୟତା ଦେଇଥିଲେ ଯେଉଁଥିରେ ଏକ ସଂଗ୍ରହାଳୟ ରହିବ। ‘‘ଏହି କାମ ଆରମ୍ଭ ହୋଇସାରିଛି, କିନ୍ତୁ ସରିବା ପାଇଁ କିଛି ସମୟ ଲାଗିବ’’, ସେ କହିଥିଲେ।

ମଜବୁତ ଘାସରେ ଦୃଢ଼ ଭାବେ ବୁଣା ହୋଇଥିବା ଉତ୍ପାଦ ପ୍ରସ୍ତୁତ କରିବା ଲାଗି ନିଜର ପରିକଳ୍ପନାକୁ ନେଇ ଫାତିମା କୁହନ୍ତି, ‘‘କର୍ମଶାଳାରେ, କିଛି ଲୋକ ବୁଣା କାମ କରିବେ, ଆଉ କିଛି ଲୋକ ରଙ୍ଗ ଦେବେ – କାମ ଭାଗ ଭାଗ କରି ଦିଆଯିବ । ଖୁବ ଭଲ ହେବ, ଆମେ ସମସ୍ତେ ମୁଞ୍ଜ ମହିଳା କାରିଗରମାନଙ୍କ ସମୁଦାୟରେ, ଆମେ ସମସ୍ତେ ଏକାଠି ବସିବୁ ଏବଂ କାମ କରିବୁ।’’

ଏହି ଲେଖା ପ୍ରସ୍ତୁତିରେ ଉଦାର ସହାୟତା ପାଇଁ ପ୍ରୟାଗରାଜସ୍ଥିତ ସାମ୍‌ ହିଗ୍ଗିନ୍‌ବୋଟମ ୟୁନିଭର୍ସିଟୀ ଅଫ ଏଗ୍ରୀକଲ୍ଚର ଟେକ୍ନୋଲୋଜି ଏଣ୍ଡ ସାଇନ୍ସେସ (ଏସଏଚୟୁଏଟିଏସ)ର ପ୍ରଫେସର ଜାହାନରା ଏବଂ ପ୍ରଫେସର ଆରିଫ୍‌ ବ୍ରୋଡୱେଙ୍କୁ ସମ୍ବାଦଦାତା ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍

Reporter : Priti David

Priti David is a Journalist with the People’s Archive of Rural India, and Editor, PARI Education. She works with educators to bring rural issues into the classroom and curriculum, and with young people to document the issues of our times.

Other stories by Priti David
Editor : Sangeeta Menon

Sangeeta Menon is a Mumbai-based writer, editor and communications consultant.

Other stories by Sangeeta Menon
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE