ତନୁବାଈ ଗୋଭିଲକରଙ୍କ କାମରେ ଭୁଲ ସୁଧାରିବାର କୌଣସି ସୁଯୋଗ ହିଁ ନାହିଁ । ଅତି କଷ୍ଟରେ ହାତରେ ସେ ନିଖୁଣ ଭାବେ ଏହି କାମ କରିଥାନ୍ତି । କେବେ କୌଣସି ଭୁଲ ହୋଇଗଲେ- ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବାକୁ ପଡ଼ିଥାଏ। ଏହାର ଅର୍ଥ ହେଉଛି ପାଖାପାଖି ୯୭,୮୦୦ ଷ୍ଟିଚ୍‌ ଖୋଲି ପୁଣିଥରେ ସିଲେଇ କରିବାକୁ ପଡ଼ିଥାଏ।

ପ୍ରାୟ ୭୪ ବର୍ଷ ବୟସ୍କ ତନୁବାଇ ବେଶ ଦୁର୍ବଳ ହୋଇପଡ଼ିଥିବା ନିଜ କାରିଗରୀର ନିଖୁଣତା ବିଷୟରେ କୁହନ୍ତି ଯେ, ‘‘ଯଦି ତୁମେ ଗୋଟିଏ ଭୁଲ କରିବ, ତା’ହେଲେ ୱାକଲ (ରେଜେଇ) ତିଆରି ସମ୍ପୂର୍ଣ୍ଣ ବିଗିଡ଼ିଯିବ''। ଏହା ସତ୍ତ୍ୱେ, ସେ ଏମିତି ଜଣେ ହେଲେ ମହିଳାଙ୍କୁ ଜାଣନ୍ତି ନାହିଁ, ଯାହାଙ୍କୁ କେବେ ୱାକଲ ସିଲେଇ ଖୋଲିବାକୁ ପଡ଼ିଛି। ସେ ହସି ହସି କହିଥାନ୍ତି ଯେ ‘‘ଏକଦା ଶିକଲ କି ଚୁକ୍‌ ହୋତ ନାହୀ’’ (ଥରେ ଆପଣ ଏହି କଳା ଶିଖିଗଲେ ଆପଣ କୌଣସି ଭୁଲ କରିବେ ନାହିଁ।)।’’

ସେ ପାରମ୍ପରିକ ଭାବେ କେବେବି ଏହି କଳାର ସୂକ୍ଷ୍ମତାକୁ ଶିଖିନାହାନ୍ତି, ବରଂ ପେଟର ଆବଶ୍ୟକତା ତାଙ୍କୁ ଛୁଞ୍ଚି ଓ ସୂତା ଉଠାଇବା ପାଇଁ ବାଧ୍ୟ କରିଛି। ଷାଠିଏ ଦଶକର ନିଜ ପୁରୁଣା କଥାକୁ ସ୍ମରଣ କରି ସେ କୁହନ୍ତି, ‘‘ ପୋଟାନେ ଶିକୱଲ ମଲା ( ଦାରିଦ୍ର୍ୟ ମୋତେ ଏହି କଳା ଶିଖାଇଦେଲା)।’’ ସେତେବେଳେ ସେ ୧୫ ବର୍ଷର ବିବାହିତା ଥିଲେ ।

ତନୁବାଇଙ୍କୁ ଲୋକମାନେ ସ୍ନେହରେ ଆଜୀ (ଜେଜେମା’) ବୋଲି ଡାକନ୍ତି । ସେ କୁହନ୍ତି, ‘‘ଯେଉଁ ବୟସରେ ମୋ ହାତରେ କଲମ ଓ ପେନ୍‌ସିଲ୍‌  ରହିବା କଥା, ସେହି ବୟସରେ ମୁଁ ଛୁଞ୍ଚି ଓ ଖୁରୁପି ଧରିଲି । କିନ୍ତୁ ଯଦି ମୁଁ ସ୍କୁଲ ଯାଇଥାନ୍ତି, ତା’ହେଲେ କ’ଣ ଏ କଳା ଶିଖିପାରିଥାନ୍ତି ବୋଲି ଆପଣଙ୍କୁ ଲାଗୁଛି କି?’’

PHOTO • Sanket Jain

ତନୁବାଈ ଗୋଭିଲକର, ସମସ୍ତେ ତାଙ୍କୁ ସ୍ନେହରେ ଆଜୀ (ଜେଜେମା’) ବୋଲି ସମ୍ବୋଧନ କରିଥାନ୍ତି, ସେ ୱାକଲ କାମ କରିଥାନ୍ତି । ରେଜେଇ ପ୍ରତ୍ୟେକ ଗଣ୍ଠି ପାଇଁ ହାତର ସ୍ଫୂର୍ତ୍ତି ଗତିଶୀଳତା ଆବଶ୍ୟକ ହୋଇଥାଏ

PHOTO • Sanket Jain

ଠିଗଲ ସିଲେଇ କରିବା, ଅର୍ଥାତ୍‌ ଶାଢ଼ିର ଏକ ଛୋଟ ଖଣ୍ଡକୁ ସିଲେଇ କରିବା ଲାଗି ଅତି ନିଖୁଣ ଭାବେ କାମ କରିବାର ଆବଶ୍ୟକତା ପଡ଼ିଥାଏ । ତନୁବାଈ ଗୋଟି ଗୋଟି କରି ସବୁଠୁ ଉପରିସ୍ଥ ପରସ୍ତ ଉପରେ ସେଗୁଡ଼ିକୁ ସିଲେଇ କରିଥାନ୍ତି ଓ ଏକ ରଙ୍ଗୀନ ତଥା ସମାନ ପ୍ୟାଟର୍ଣ୍ଣ ତିଆରି କରିଥାନ୍ତି । ‘ଗୋଟିଏ ମିନିଟ୍‌ର ଭୁଲ ୱାକଲର ସ୍ଥାୟି ତ୍ୱ ଓ ଗୁଣବତ୍ତାକୁ ପ୍ରଭାବିତ କରିପାରେ’

ସେ ଓ ତାଙ୍କର ପରଲୋକଗତ ସ୍ୱାମୀ ଧାନାଜୀ ଉଭୟ ମରାଠା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଜୀବନଜୀବିକା ପାଇଁ କୃଷି ଶ୍ରମିକ ମଜୁରି ଉପରେ ନିର୍ଭର କରନ୍ତି । ଶୀତ ଦିନେ ନିଜକୁ ଗରମ ରଖିବା ଲାଗି ରେଜେଇ କିଣିବାର ବିଳାସ ତ’ ଦୂରର କଥା, ନିଜ ପାଇଁ ଦୁଇ ଓଳା ଖାଇବା ଯୋଗାଡ଼ କରିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟକର କାମ ଥିଲା । ସେ ବିଗତ ଦିନ କଥା ମନେ ପକାଇ କୁହନ୍ତି, ‘‘ଆମେ ସେତେବେଳେ ରେଜେଇ କିଣିବା କଥା ସ୍ୱପ୍ନରେ ସୁଦ୍ଧା ଭାବି ପାରୁନଥିଲୁ। ତେଣୁ ସେତେବେଳେ ମହିଳାମାନେ ନିଜର ପୁରୁଣା ଶାଢ଼ିକୁ ସିଲେଇ କରି ନିଜ ପାଇଁ ରେଜେଇ ତିଆରି କରୁଥିଲେ ।’’ ସେଥିପାଇଁ ସାରା ଦିନ ଚାଷ ଜମିରେ ହାଡ଼ଭଙ୍ଗା ପରିଶ୍ରମ କରିବା ପରେ ତନୁବାଈଙ୍କ ସନ୍ଧ୍ୟା ନିଜ ଅଧୁରା ୱାକଲ ସିଲେଇ ସମ୍ପୂର୍ଣ୍ଣ କରିବାରେ କଟୁଥିଲା ।

ସେ କୁହନ୍ତି, ‘‘ ଶେତାତ ଖୁରପା ଘେଉନ ଭାଙ୍ଗଲଲେଲା ବର, ପଣ ହା ଧନ୍ଦା ନକୋ (ଏହି କାମ ତୁଳନାରେ ସାରା ଦିନ ଚାଷ ଜମିରେ ଦାଆ ଚଲାଇବା ସହଜ ଥିଲା)।’’ କାରଣ ବେଶ ସ୍ପଷ୍ଟ ଥିଲା : ଗୋଟିଏ ୱାକଲରେ ଏତେ ନିଖୁଣ ଭାବେ ଛୁଞ୍ଚିରେ ସିଲେଇ କରିବାର କାମ କରିବାକୁ ପଡ଼ୁଥିଲା ଯେ ତା’କୁ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୧୨୦ ଦିନ କିମ୍ବା ୬୦୦ ଘଣ୍ଟାର ସମୟ ଲାଗୁଥିଲା । ପିଠି ଯନ୍ତ୍ରଣାରେ ସେ ଅତିଷ୍ଠ ହୋଇ ପଡ଼ୁଥିଲେ ଏବଂ ଆଖି ପୋଡ଼ୁଥିଲା । ସ୍ୱାଭାବିକ ଭାବେ ଛୁଞ୍ଚିରେ କାମ କରିବା ଅପେକ୍ଷା ଦାଆ ଧରି କ୍ଷେତରେ ଖଟିବା କାମ ତନୁବାଈଙ୍କ ପାଇଁ ଅଧିକ ସହଜ ଥିଲା।

ମହାରାଷ୍ଟ୍ର କୋଲ୍ହାପୁର ଜିଲ୍ଲାର ୪,୯୬୩ ଲୋକ ସଂଖ୍ୟା ବିଶିଷ୍ଟ (୨୦୧୧ ଜନଗଣନା ଅନୁଯାୟୀ) ଗାଁ ଜମ୍ଭାଲିରେ ସେ ହିଁ ଏକାକୀ କାରିଗର ଅଛନ୍ତି ଯିଏ ୱାକଲ ତିଆରି କାମ ଏବେ ସୁଦ୍ଧା ଜାରି ରଖିଛନ୍ତି ।

*****

ୱାକଲ ତିଆରି କରିବା କାମର ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ଶାଢ଼ିଗୁଡ଼ିକୁ ପରସ୍ପର ଉପରେ ସାବଧାନତାର ସହିତ ଏକତ୍ରିତ କରି ରଖାଯାଇଥାଏ । ଏହି ପ୍ରକ୍ରିୟାକୁ ସ୍ଥାନୀୟ ମରାଠୀ ଭାଷାରେ ଲେଭା କୁହନ୍ତି । ୱାକଲରେ କେତେ ଶାଢ଼ି ଲାଗିବ, ତାହା କାରୀଗରଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ । ସାଧାରଣତଃ ମହିଳାମାନେ ଶାଢ଼ି ସଂଖ୍ୟା ଫୁରସତରେ ବସିବା ସମୟରେ ନିର୍ଦ୍ଧାରିତ କରିଥାନ୍ତି । ତନୁବାଇ ନିଜର ସବୁଠୁ ନୂଆ ୱାକଲରେ ନଅ ସୁତୀ (ସୂତା) କିମ୍ବା ନୌଭରୀ (ନଅ ହାତ ଲମ୍ବା) ଶାଢ଼ି ବ୍ୟବହାର କରିଥାନ୍ତି।

ସର୍ବପ୍ରଥମେ ସେ ଗୋଟିଏ ଶାଢ଼ିକୁ ଦୁଇଟି ଭିନ୍ନ ଭିନ୍ନ ଖଣ୍ଡରେ କାଟି ଦେଇଥାନ୍ତି ଏବଂ ସେଗୁଡ଼ିକୁ ଜମି ଉପରେ ବିଛାଇ ରଖି ଦିଅନ୍ତି । ଏହାପରେ ସେଗୁଡ଼ିକ ଉପରେ ଅନ୍ୟ ଶାଢ଼ିକୁ ଭଲ ଭାବେ ପରସ୍ତ ପରସ୍ତ କରି ବିଛାଇ ଦେଇଥାନ୍ତି । ଏପରି ଭାବେ ସେ ଆଠଟି ଶାଢ଼ିର  ଚାରିଟି ପରସ୍ତକୁ ଠିକ୍‌ ଭାବେ ବିଛାଇ ଦେଇଥାନ୍ତି । ଏହାପରେ ସେହି ପରସ୍ତଗୁଡ଼ିକୁ ମୋଟା ସୂତାରେ ସିଲେଇ କରିଥାନ୍ତି, ଯାହାକି ଢିଲା ଓ ଅସ୍ଥାୟୀ ହୋଇଥାଏ । ଶେଷରେ ସେ ନଅଟି ଶାଢ଼ିକୁ ଯୋଡ଼ି ଦିଅନ୍ତି । ଏହି ସମୟରେ ମୂଳଦୁଆ ସେପରି ସ୍ଥିର ରହିବ ତାହା ସୁନିଶ୍ଚିତ କରିଥାନ୍ତି । ସେ ବୁଝାଇ କହିଥାନ୍ତି ଯେ, ‘‘ୱାକଲକୁ ଆପଣ ଶେଷ ସିଲେଇ କରିବା ସମୟରେ ଏହି ଅସ୍ଥାୟୀ ସିଲେଇକୁ ଖୋଲି ଦେବାକୁ ହୋଇଥାଏ।’’

PHOTO • Sanket Jain
PHOTO • Sanket Jain

ୱାକଲ ପାଇଁ ବ୍ୟବହାର କରୁଥିବା ପୁରୁଣା ଶାଢ଼ି କାଟିବା ପାଇଁ ଆଜୀ କେବେହେଲେ ମାପିବା ଟେପ୍‌ ବ୍ୟବହାର କରିନାହାନ୍ତି । ସେ ସାଧାରଣତଃ ନିଜ ହାତରେ କପଡ଼ାର ଲମ୍ବ ମାପିଥାନ୍ତି । ଡାହାଣ ଏକ ଶାଢ଼ିକୁ କଇଁଚିରେ ଅଧା କାଟି ଦିଆଯାଇଥାଏ ଏବଂ ଏହାପରେ ତନୁବାଈ କଟା ହୋଇଥିବା କପଡ଼ାରୁ ନଅଟି ପରସ୍ତକୁ ପରସ୍ପର ଉପରେ ରଖିଥାନ୍ତି, ଯାହାକୁ ଲେଭା କୁହାଯାଏ

PHOTO • Sanket Jain

ଆଜୀଙ୍କ ନାତୁଣୀ ବୋହୂ ଅଶ୍ୱିନୀ ବିରଞ୍ଜେ (ବାମ) ୱାକଲ ତିଆରିରେ ତାଙ୍କୁ ସହାୟତା କରୁଛନ୍ତି

ଏହାପରେ, ଆଜୀ ଆଉ କିଛି ଶାଢ଼ିକୁ ଅପେକ୍ଷାକୃତ ଛୋଟ ଛୋଟ ଖଣ୍ଡରେ କାଟିଥାନ୍ତି । ଏହାକୁ ଠିଗଲ କୁହାଯାଇଥାଏ । ଏହି ଖଣ୍ଡକୁ ସେ ସବୁଠୁ ଉପର ପରସ୍ତ ଉପରେ ଏକସମାନ ଭାବେ ଏବଂ ବିଭିନ୍ନ ରଙ୍ଗର ଡିଜାଇନରେ ସିଲେଇ କରିଥାନ୍ତି । ସେ କୁହନ୍ତି, ‘‘ଏଥିପାଇଁ କୌଣସି ପ୍ରକାର ଯୋଜନା କିମ୍ବା ରେଖାଙ୍କନର ଆବଶ୍ୟକତା ନାହିଁ । ଆପଣ ଯେକୌଣସି ଏକ ଠିଗଲ ନିଅନ୍ତୁ ଏବଂ ସିଲେଇ ଆରମ୍ଭ କରିଦିଅନ୍ତୁ।’’

ତାଙ୍କ ଦ୍ୱାରା କରାଯାଇଥିବା ଯେକୌଣସି ସୂକ୍ଷ୍ମ ସିଲେଇ ପାଞ୍ଚ ମିଲିମିଟରରୁ ବଡ଼ ହୋଇନଥାଏ, ଯାହାକି ୱାକଲ ମଝିରେ ଆରମ୍ଭ ହୋଇ ଏହାର କୋଣ ଆଡ଼କୁ ବଢ଼ିଥାଏ। ସିଲେଇ ବଢ଼ିବା ସହିତ ୱାକଲ ମୋଟା ଏବଂ ଭାରୀ ହୋଇ ଚାଲିଥାଏ। ହାତ ପାପୁଲି ଏବଂ ସିଲେଇ ସହାୟତାରେ ୱାକଲକୁ ଟାଇଟ୍‌ କରାଯାଇଥାଏ, ଯାହାଫଳରେ ତାହା ଠିକ୍‌ ଆକାରରେ ପ୍ରସ୍ତୁତ ହୋଇପାରିବେ । ସାଧାରଣତଃ ଗୋଟିଏ ୱାକଲ ତିଆରି କରିବାରେ ଛୁଞ୍ଚି ସହିତ ପ୍ରାୟତ ୩୦ରିଲ ଧଳା ସୂତା, ଯାହାର ମୋଟ୍‌ ଲମ୍ବ ୧୫୦ ମିଟର (ପ୍ରାୟ ୪୯୨ ଫୁଟ) ହୋଇଥାଏ, ବ୍ୟବହାର କରାଯାଇଥାଏ। ତନୁବାଈ ଏହି ସୂତାକୁ ଗୋଟିଏ ରିଲ ପିଛା ୧୦ ଟଙ୍କାରେ କିଣିଥାନ୍ତି, ଯାହାକି ଜମ୍ଭାଲିଠାରୁ ୧୨ କିଲୋମିଟର ଦୂର ଇଞ୍ଚଲକରଞ୍ଜି ସହରରେ ମିଳିଥାଏ । ସେ ଅଭିଯୋଗ କରିବା ଭଙ୍ଗୀରେ କୁହନ୍ତି, ‘‘ପୂର୍ବରୁ ୱାକଲ ତିଆରି କରିବା ଲାଗି ୧୦ ଟଙ୍କାର ସୂତା ଲାଗୁଥିଲା, ଆଜି ସେହି ଖର୍ଚ୍ଚ ବଢ଼ି ୩୦୦ ଟଙ୍କା ହୋଇଯାଇଛି।’’

ୱାକଲର ଶେଷ ସିଲେଇ ସମ୍ପୂର୍ଣ୍ଣ କରିବା ପୂର୍ବରୁ ଆଜୀ ଏହାର ଠିକ୍‌ ମଝି ସ୍ଥାନ ବା ପୋଟ (ପେଟ)ରେ ବଡ଼ ସ୍ନେହ ପୂର୍ବକ ଭାକରୀର ଖଣ୍ଡେ କପଡ଼ା ଦେଇଥାନ୍ତି । ରେଜେଇରୁ ମିଳୁଥିବା ଗରମ ପ୍ରତି କୃତଜ୍ଞତା ଜଣାଇବାର ପ୍ରତୀକ ଭାବେ ସେ ଏପରି କରିଥାନ୍ତି । ସେ କୁହନ୍ତି, ‘‘ ତ୍ୟାଲା ପଣ ପୋଟ ଆଗେ କି ରେ ବାଲା ’(ୱାକଲର ମଧ୍ୟ ଏକ ପେଟ, ପିଲା ଅଛି)।’’

ୱାକଲ ସିଲେଇ ହୋଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ, ଏହାର ଚାରି କୋଣରେ ସୁନ୍ଦରତା ବଢ଼ାଇବା ପାଇଁ ଚାରି ଖଣ୍ଡ କପଡ଼ା ଲଗାଇ ଦିଆଯାଏ। ଏହି କପଡ଼ା ଖଣ୍ଡ ୱାକଲର ଏକ ବିଶେଷ ପରିଚୟ ଅଟେ । ଏଗୁଡ଼ିକର ଆଉ ଏକ ଲାଭ ହେଉଛି ଓଜନିଆ ୱାକଲକୁ ଉଠାଇବା ଦିଗରେ ଏସବୁ ଖଣ୍ଡ ସହାୟକ ହୋଇଥାନ୍ତି । ଶେଷରେ, ୯ ଟି ଶାଢ଼ି, ୨୧୬ ଠିଗଲ, ଏବଂ ୯୭,୮୦୦ ସିଲେଇ କାରଣରୁ ଗୋଟିଏ ୱାକଲର ଓଜନ ୭ କିଲୋଗ୍ରାମରୁ ଅଧିକ ହୋଇଯାଏ।

PHOTO • Sanket Jain
PHOTO • Sanket Jain

ତନୁବାଈ ରେଜଇ ତିଆରି କରିବା ଲାଗି ପ୍ରାୟ ୩୦ ରିଲ (୧୫୦ ମିଟର) ଧଳା ସୂତା ଏବଂ ଅନେକ ଛୁଞ୍ଚି ଉପଯୋଗ କରିଥାନ୍ତି

PHOTO • Sanket Jain
PHOTO • Sanket Jain

ବାମ: ସେ ସବୁଠୁ ବାହାର ପାର୍ଶ୍ୱ ରେ ସିଲେଇ କରିବା ଆରମ୍ଭ କରୁଛନ୍ତି, ଯାହାଫଳରେ ୱାକଲର ଦୃଢ଼ତା ସୁନିଶ୍ଚିତ ହୋଇପାରିବ। ଡାହାଣ: କାମ ଶେଷ କରିବା ପୂର୍ବରୁ, ଆଜୀ ରେଜେଇ ମଝିରେ ଭାକରୀର ଏକ ଖଣ୍ଡକୁ ରଖି ଦେଇଥାନ୍ତି, ଯାହାକି ସୂଚନା ଦେଇଥାଏ ଯେ ସେ ୱାକଲଠାରୁ ମିଳୁଥିବା ଗରମ ପ୍ରତି କୃତଜ୍ଞ ରହିଛନ୍ତି

ନୂଆ କରି ତିଆରି କରିଥିବା ନିଜ ୱାକଲକୁ ଗର୍ବର ସହିତ ଦେଖାଇ ଆଜୀ କୁହନ୍ତି, ‘‘ଏହି ୱାକଲକୁ ତିଆରି କରିବା ଲାଗି ଚାରି ମାସ ବିତିଯାଇଛି ।’’ ଏହା ନିଶ୍ଚିତ ଭାବେ ୬.୮ X ୬.୫ ଆକାର କାରିଗରୀର ଚମତ୍କାର ନମୁନା ଭାବେ ବିବେଚିତ ହେବ ।  କାମ କରିବା ଲାଗି ସେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସିଥାନ୍ତି, ତାହା ହେଉଛି ତାଙ୍କ ବଡ଼ପୁଅ ପ୍ରଭାକର କରିଥିବା କୋଠାଘର ବାହାରର ଏକ ବାରଣ୍ଡା । ଅନେକ ବର୍ଷ ଧରି ପରିଶ୍ରମ କରି ସେ ଏହି ସ୍ଥାନକୁ ରଜନୀଗନ୍ଧା ଓ କୋଲିଅସ ଗଛରେ ସଜାଇଛନ୍ତି। ବର୍ଷ ବର୍ଷ ଧରି ଆଜୀ ଏହି ଜମିକୁ ଗୋବରରେ ଲିପି ଚିକ୍କଣ କରିଛନ୍ତି । ସମୟ ସାକ୍ଷୀ ରହିଛି, ଏହି ସ୍ଥାନରେ ବସି ସେ ଅଗଣିତ ପରସ୍ତର ରେଜେଇକୁ ପରସ୍ପର ସହ ଯୋଡ଼ିବାରେ ବିତାଇ ଦେଇଛନ୍ତି ।

ସେ କୁହନ୍ତି, ‘‘ଗୋଟିଏ ୱାକଲକୁ ସଫା କରିବା ଲାଗି ଅତି କମ୍‌ରେ ଚାରି ଜଣ ଲୋକ ଦରକାର । ସେ ଅତି ଓଜନିଆ ହୋଇଥାଏ।’’ ସେ କୁହନ୍ତି, ୱାକଲକୁ ବର୍ଷରେ ତିନି ଥର ଧୋଇବା ଜରୁରି – ଦଶହରା ସମୟରେ, ନବ୍ୟାଚୀ ପୁନମ (ସଂକ୍ରାନ୍ତ ପର୍ବ ପରେ ପଡ଼ୁଥିବା ପୂର୍ଣ୍ଣିମା) ଦିନ, ଏବଂ ଗାଁରେ ବାର୍ଷିକ ମେଳା ଅବସରରେ । ସେ କୁହନ୍ତି, ‘‘ମୁଁ ଜାଣିନାହିଁ ଯେ, କାହିଁକି ଏହି ତିନି ଦିନକୁ ଚୟନ କରାଯାଇଛି, ତେବେ ଏହା ହିଁ ପରମ୍ପରା ଭାବେ ଚାଲି ଆସିଛି ।’’

ଜୀବନ ସାରା ତନୁବାଈ ତିରିଶରୁ ଅଧିକ ୱାକଲ ତିଆରି କରିଛନ୍ତି ଏବଂ ଏହି ନିଖୁଣ ଓ ଶ୍ରମସାଧ୍ୟ କଳା ପାଇଁ ନିଜ ଜୀବନର ୧୮,୦୦୦ରୁ ଅଧିକ ଘଣ୍ଟା ସେ ସମର୍ପି ଦେଇଛନ୍ତି । ସାମୟିକ କାର୍ଯ୍ୟ ଭାବେ ସେ ଏହି କାମ କରିଛନ୍ତି । ଜୀବନର ୬୦ ବର୍ଷ ପର୍ଯ୍ୟନ୍ତ ସେ ପୂର୍ଣ୍ଣକାଳୀନ କୃଷି ଶ୍ରମିକ ଭାବେ କାମ କରିଥିଲେ । ପ୍ରତିଦିନ ହାରାହାରୀ ସେ ୧୦ ଘଣ୍ଟା ହାଡ଼ଭଙ୍ଗା ପରିଶ୍ରମ କରୁଥିଲେ।

ତାଙ୍କ ଝିଅ ସିନ୍ଧୁ ବିରଞ୍ଜେ କୁହନ୍ତି, ‘‘ଏତେ ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଏବେ ବି ସେ ଥକି ଯାଇନାହାନ୍ତି । ଟିକିଏ ଖାଲି ସମୟ ମିଳିଗଲେ ସେ ୱାକଲ ତିଆରି କରିବାରେ ଲାଗି ଯାଇଥାନ୍ତି ।’’ ସିନ୍ଧୁ କେବେ ବି ଏହି କଳା ଶିଖିନାହାନ୍ତି । ତାଙ୍କ ବଡ଼ ବୋହୂ ଲତା ମଧ୍ୟ ସିନ୍ଧୁଙ୍କ କଥାରେ ସହମତ ହୋଇଥାନ୍ତି, ‘‘ଆମମାନଙ୍କ ଭିତରୁ କେହି ଜଣେ ହେଲେ ନିଜର ସାରା ଜୀବନ ବିତାଇ ଦେଲେ ସୁଦ୍ଧା ତାଙ୍କ ସହ ତୁଳନୀୟ ହୋଇପାରିବୁ ନାହିଁ ।’’

PHOTO • Sanket Jain

ତନୁବାଈ କୁହନ୍ତି, ନିଦରେ ଶୋଇଥିଲେ ସୁଦ୍ଧା ସେ ଛୁଞ୍ଚିରେ ସୂତା ଭର୍ତ୍ତି କରିପାରିବେ

PHOTO • Sanket Jain
PHOTO • Sanket Jain

ବାମ: ଛୁଞ୍ଚିରେ ସିଲେଇ କରିବାର ଜଟିଳ କାମ କାରଣରୁ ତାଙ୍କ ହାତ ଓ କାନ୍ଧରେ ଚାପ ସୃଷ୍ଟି ହୋଇଥାଏ । ‘ମୋ ହାତ ଷ୍ଟିଲ ଭଳି ହୋଇଗଲାଣି, ସେଥିପାଇଁ ଛୁଞ୍ଚି ମୋତେ ଆଉ ସମସ୍ୟାରେ ପକାଉନାହିଁ ।’ ଡାହାଣ: ସମାନ ଦୂରତାରେ ସେ କରିଥିବା ସୂକ୍ଷ୍ମ ସିଲେଇ ୫ ମିଲିମିଟରଠାରୁ ବଡ଼ ହୋଇନଥାଏ । ଏହା ମାଧ୍ୟମରେ ସବୁ ପରସ୍ତ ଏକାଠି ଯୋଡ଼ି ହୋଇ ରହିଥାଏ, ଏବଂ ସିଲେଇ ସହିତ ୱାକଲ ମୋଟା ଏବଂ ଓଜନିଆ ହୋଇଥାଏ

ସିନ୍ଧୁଙ୍କ ବୋହୂ ଅଶ୍ୱିନୀ ବିରାଞ୍ଜେ (୨୩) ସିଲେଇ ତାଲିମ ନେଇଛନ୍ତି । ସେ ୱାକଲ ତିଆରି କରିବାର କଳା ଜାଣିଛନ୍ତି । ସେ କୁହନ୍ତି, ‘‘କିନ୍ତୁ ମୁଁ ମେସିନ ଉପଯୋଗ କରି ୱାକଲ ତିଆରି କରିଥାଏ । ପାରମ୍ପରିକ ପ୍ରକ୍ରିୟାରେ ଏହାକୁ ତିଆରି କରିବା ଅତି ଧୈର୍ଯ୍ୟର କାମ ହୋଇଥାଏ ଏବଂ ଏଥିରେ ଅଧିକ ସମୟ ଲାଗିଥାଏ ।’’ ତେବେ ସେ ଏହା କୁହନ୍ତି ନାହିଁ ଯେ ଶାରୀରିକ ଭାବେ ଏହା ଅତି ଥକ୍କାପୂର୍ଣ୍ଣ କାମ, ଏହି କାରଣରୁ ପିଠି ଓ ଆଖିରେ ଯନ୍ତ୍ରଣା ହୋଇଥାଏ ଏବଂ ଆଙ୍ଗୁଠି ଟିପ ଫୁଲି ଯାଇଥାଏ ।

ତେବେ, ତନୁବାଈଙ୍କ ପାଇଁ ଏସବୁ କଷ୍ଟ କୌଣସି ମୂଲ୍ୟ ରଖିନଥାଏ । ସେ ହସି ହସି କୁହନ୍ତି ଯେ, ‘‘ମୋ ହାତ ଏବେ ଅଭ୍ୟସ୍ତ ହୋଇସାରିଲେଣି । ଏ ହାତ ଷ୍ଟିଲ ଭଳି ଟାଣ ହୋଇସାରିଲାଣି, ତେଣୁ ଛୁଞ୍ଚିକୁ ମୁଁ ଆଉ ଡରୁନାହିଁ ।’’ କଥାବାର୍ତ୍ତା କରିବା ଲାଗି ସେ ଯେତେବେଳେ ନିଜ କାମ ବନ୍ଦ କରି ଦେଇଥାନ୍ତି, ଛୁଞ୍ଚିକୁ ଅତି ସନ୍ତର୍ପଣରେ ନିଜ ମୁଣ୍ଡ ଖୋସାରେ ଖୋସି ଦେଇଥାନ୍ତି । ଅଳ୍ପ ହସି ସେ କୁହନ୍ତି, ‘‘ଛୁଞ୍ଚି ରଖିବା ପାଇଁ ଏହା ହେଉଛି ସବୁଠୁ ସୁରକ୍ଷିତ ସ୍ଥାନ ।’’

ଯୁବ ପିଢ଼ିର ଝିଅ ଓ ମହିଳାମାନେ ଏହି କଳା ଶିଖିବା ପାଇଁ କାହିଁକି ଆଗ୍ରହ ଦେଖାଉନାହାନ୍ତି ବୋଲି ପଚାରିଲେ, ସେ ବେପରୁଆ ଭାବେ ଉତ୍ତର ଦେଇଥାନ୍ତି, ‘‘ଚିନ୍ଧ୍ୟା ଫାଡ଼ାୟଣା କୋଣ ୟେଣାର? କିତୀ ପଗାର ଦେଣାର? (ଶାଢ଼ି ଚିରିବା କାମ ପାଇଁ କିଏ ଆଗକୁ ଆସିବ? ଆଉ, ଏଥିପାଇଁ ସେମାନଙ୍କୁ କେତେ ଟଙ୍କା ମିଳିବ?)’’

ସେ ବୁଝାଇ କୁହନ୍ତି, ନୂଆ ବୟସର ଲୋକମାନେ ବଜାରରୁ ମେସିନ ତିଆରି ଏବଂ ଅପେକ୍ଷାକୃତ ଶସ୍ତା ରେଜେଇ କିଣିବା ପସନ୍ଦ କରୁଛନ୍ତି । ତନୁବାଈ କୁହନ୍ତି, ‘‘ଦୁର୍ଭାଗ୍ୟବଶତଃ ହାତଗଣତି ମହିଳା ୱାକଲ ତିଆରି କାରିଗରୀ ଜାଣିଛନ୍ତି । ଏହି କଳା ପ୍ରତି ବର୍ତ୍ତମାନ ସୁଦ୍ଧା ଯେଉଁମାନଙ୍କ ମନରେ ଆକର୍ଷଣ ରହିଛି ସେହି ମହିଳାମାନେ ଏହାକୁ ମେସିନରେ ସିଲେଇ କରି ଦେଉଛନ୍ତି । ଏପରି ଭାବେ ୱାକଲ ତିଆରି କରାଯିବାର ଅର୍ଥ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି, କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ସମୟ ବିତିବା ସହିତ ଅନ୍ୟ ସବୁ କଥା ମଧ୍ୟ ବଦଳିବାରେ ଲାଗିଛି ।’’ ସେ କୁହନ୍ତି, ମହିଳାମାନେ ଏବେ ପୁରୁଣା ବଦଳରେ ନୂଆ ଶାଢ଼ିରେ ୱାକଲ ତିଆରି କରିବାକୁ ପସନ୍ଦ କରୁଛନ୍ତି ।

PHOTO • Sanket Jain
PHOTO • Sanket Jain

ବାମ : ସିଲେଇ ପାଇଁ ସଜେଇ ରଖିବା ପୂର୍ବରୁ ତନୁବାଈ ଥିଗାଲଗୁଡ଼ିକୁ ହାତରେ ମାପୁଛନ୍ତି । ଡାହାଣ: ସମ୍ପୂର୍ଣ୍ଣ ଜୀବନକାଳରେ ସେ ୩୦ଟି ୱାକଲ ତିଆରି କରିଛନ୍ତି, ଏହି କଳା ପାଇଁ ଜୀବନର ସେ ୧୮,୦୦୦ ଘଣ୍ଟା ଖର୍ଚ୍ଚ କରିଛନ୍ତି

ସାରା ଜୀବନ ହାତରେ ନିଖୁଣ ଭାବେ ଲକ୍ଷାଧିକ ସିଲେଇ ମାରିବା ପରେ ସେ ନିଜ ପଡ଼ୋଶୀ ଦରଜୀ ନାଇକ (ଆଜୀ ତାଙ୍କର ପ୍ରଥମ ନାଁ ମନେ ରଖିନାହାନ୍ତି)ଙ୍କ ବନ୍ଧୁତାପୂର୍ଣ୍ଣ ପରାମର୍ଶ ଗ୍ରହଣ କରିନଥିବାରୁ ଅନୁଶୋଚନା କରିଥାନ୍ତି । ସେ ପୂର୍ବଦିନର କଥା ସ୍ମରଣ କରି କୁହନ୍ତି, ‘‘ସେ ମୋତେ ସବୁବେଳେ ସିଲେଇ ଶିଖିବା ପାଇଁ କହୁଥିଲେ । ଯଦି ମୁଁ ସିଲେଇ କାମ ଶିଖିଯାଇଥାନ୍ତି, ତା’ହେଲେ ଆଜି ମୋ ଜୀବନ ବଦଳି ଯାଇଥାନ୍ତା ।’’ ଏହି ଅନୁଶୋଚନା ସତ୍ତ୍ୱେ ସେ ଏହି ଶ୍ରମସାଧ୍ୟ କଳାକୁ ଖୁବ୍‌ ଭଲ ପାଇଥାନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ତନୁବାଈ ନିଜର ସାରା ଜୀବନ ଗୋଟିଏ ବି ୱାକଲ ବିକ୍ରି କରିନାହାନ୍ତି । ‘କଲାଶା ରେ ମି ଭିକୁ ୱାକଲ, ବାଲା (ମୁଁ କାହିଁକି ଏହାକୁ ବିକ୍ରି କରିବି? ଏହା ବଦଳରେ ତୁମେ ମୋତେ କେତେ ଟଙ୍କା ଦେବ)?’’

*****

ତେବେ ୱାକଲ ତିଆରି କରିବା ଲାଗି କୌଣସି ନିର୍ଦ୍ଦିଷ୍ଟ ଋତୁ ନଥାଏ, କିନ୍ତୁ ଏହା ଅନେକାଂଶରେ କୃଷି-ଚକ୍ର ଉପରେ ନିର୍ଭର କରିଥାଏ । ମହିଳାମାନେ ସାଧାରଣତଃ ଏହି ଋତୁରେ ସିଲେଇ କାମ କରିବାକୁ ପସନ୍ଦ କରିଥାନ୍ତି । ଏପରି ସମୟରେ କାମ କମ ରହିଥାଏ । ଏହି ଦୃଷ୍ଟିରୁ ପ୍ରାରମ୍ଭିକ ଫେବୃଆରୀ ଠାରୁ ଆରମ୍ଭ କରି ଜୁନ୍‌ ମାସର ସମୟ ଅଧିକ ଅନୁକୂଳ ହୋଇଥାଏ । ତନୁବାଈ କୁହନ୍ତି, ‘‘ମନାଲା ୟେଇ ତେହୱା କରାୟଂଚ (ଆମେ ସେତିକି ବେଳେ ଏହି କାମ କରିଥାଉ ଯେତେବେଳେ ଆମର ଅନୁଭବ ହୋଇଥାଏ) ।

ତାଙ୍କର ମନେ ଅଛି ଯେ ୧୯୬୦ ଦଶକ ପର୍ଯ୍ୟନ୍ତ କୋହ୍ଲାପୁରର ଗଡ଼ହିଙ୍ଗଲାଜ ତାଲୁକାରେ ତାଙ୍କର ପୁରୁଣା ଗାଁରେ ୱାକଲ ଘରେ ଘରେ ତିଆରି ହେଉଥିଲା । ମହାରାଷ୍ଟ୍ରର ଅନ୍ୟ ଭାଗରେ ଏହାକୁ ଗୋଧଡ଼ି କହିଥାନ୍ତି ।  ‘‘ପୂର୍ବରୁ ମହିଳାମାନେ ନିଜ ପଡ଼ୋଶୀ ମହିଳାମାନଙ୍କୁ ୱାକଲ ସିଲେଇରେ ସହାୟତା କରିବା ଲାଗି ନିମନ୍ତ୍ରଣ କରୁଥିଲେ ଏବଂ ସାରା ଦିନ ସିଲେଇ କରିବା ବଦଳରେ ତାଙ୍କୁ ତିନି ଅଣା (ସେତେବେଳେ ଚଳୁଥିବା କିଛି ଟଙ୍କା) ପରିଶୋଧ କରୁଥିଲେ ।’’ ସେ କୁହନ୍ତି ଯଦି ଚାରି ଜଣ ମହିଳା ମିଶି କାମ କରିବେ, ତଥାପି ଗୋଟିଏ ରେଜେଇ ସମ୍ପୂର୍ଣ୍ଣ ହେବା ପାଇଁ ଦୁଇ ମାସ ଲାଗିଯିବ ।

PHOTO • Sanket Jain

ଶେଷ ପର୍ଯ୍ୟାୟରେ ହେଉଥିବା ସିଲେଇ ବେଶ୍‌ କଷ୍ଟକର ହୋଇଥାଏ କାରଣ ସେତେବେଳକୁ ରେଜେଇ ଖୁବ୍‌ ଭାରୀ ହୋଇଯାଇଥାଏ

ସେ ପୂର୍ବକଥା କୁହନ୍ତି, ଶାଢ଼ି ଦର ସେତେବେଳେ ବେଶ୍‌ ଉଚ୍ଚା ଥିଲା । ଗୋଟିଏ ସୂତା ଶାଢ଼ିକୁ ୮ ଟଙ୍କା ପଡ଼ୁଥିଲା ଏବଂ ଭଲ ଶାଢ଼ିଟିଏ କିଣିଲେ ୧୬ ଟଙ୍କା ଦେବାକୁ ପଡ଼ୁଥିଲା । ତୁଳନାତ୍ମକ ଭାବେ ଦେଖିଲେ, ସେତେବେଳେ ଗୋଟିଏ କିଲୋଗ୍ରାମ ମସୁର ଡାଲିକୁ ୧୨ ଅଣା ପଡ଼ୁଥିଲା ଏବଂ ସେ ଚାଷ ଜମିରେ ଗୋଟିଏ ଦିନ କାମ କଲେ ତାଙ୍କୁ ଛଅ ଅଣା ମିଳୁଥିଲା । ଛଅ ଅଣା ମିଶି ଗୋଟିଏ ଟଙ୍କା ହେଉଥିଲା ।

‘‘ଗୋଟିଏ ବର୍ଷରେ ଆମେ କେବଳ ଦୁଇଟି ଶାଢ଼ି ଏବଂ ଚାରିଟି ଝାମ୍ପର (ବ୍ଲାଉଜ୍‌) କିଣୁଥିଲୁ ।’’ ଏହି ଦୃଷ୍ଟିରୁ ଦେଖିଲେ ଗୋଟିଏ ୱାକଲ ତିଆରି କରିବା ପାଇଁ ବେଶ୍‌ ଅପେକ୍ଷା କରିବାକୁ ପଡ଼ୁଥିଲା । ତନୁବାଈ ଏହାକୁ ନେଇ ଗର୍ବ କରିଥାନ୍ତି ଯେ, ସେ ତିଆରି କରୁଥିବା ୱାକଲ ଅତି କମ୍‌ରେ ୩୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହୁଥିଲା। ବର୍ଷ ଧରି ଏହି କଳାକୁ ଅଭ୍ୟାସ କରିବା ଏବଂ ମାର୍ଜିତ କରିବା ପରେ ଏଥିରେ ଦକ୍ଷତା ମିଳିପାରୁଥିଲା ।

୧୯୭୨-୭୩ରେ ଭୟାବହ ମରୁଡ଼ି କାରଣରୁ ଦୁଇ କୋଟି ନାଗରିକ (ମହାରାଷ୍ଟ୍ରର ୫୭ ପ୍ରତିଶତ ଗ୍ରାମୀଣ ଜନସଂଖ୍ୟା) ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲେ । ଏହି ମରୁଡ଼ି ଯୋଗୁଁ ନୌକୁଦର ଗୋୱାଲିକରମାନଙ୍କୁ ସେଠାରୁ ୯୦ କିଲୋମିଟର ଦୂର କୋହ୍ଲାପୁରର ଶିରୋଲ ତାଲୁକାରେ ଥିବା ଜମ୍ଭାଲି ଗାଁକୁ ସ୍ଥାନାନ୍ତରିତ ହେବାକୁ ପଡ଼ିଥିଲା । ସେହି ବିଭୀଷିକାକୁ ମନେ ପକାଇ ତାଙ୍କ ଆଖିରେ ଲୁହ ଜକେଇ ଆସେ, ‘‘ସେହି ମରୁଡ଼ି ଏତେ ଭୟାବହ ଥିଲା ଯେ ଆଜି କେହି ସେ କଥା ମନେ ପକାଇବାକୁ ଚାହୁଁନାହାନ୍ତି । ଅନେକ ରାତି ଆମେ ଖାଲି ପେଟରେ ଶୋଇବା ପାଇଁ ବାଧ୍ୟ ହୋଇଛୁ ।’’

ସେ କୁହନ୍ତି, ‘‘ନୌକୁଦର ଜଣେ ବ୍ୟକ୍ତିଙ୍କୁ ଜମ୍ଭାଲିରେ କିଛି କାମ ମିଳିଯାଇଥିଲା । ଏହି ଖବର ଶୁଣି ଅନ୍ୟମାନେ ଆଗପଛ ବିଚାର କରିନଥିଲେ- ଗାଁ ସାରା ଲୋକ ନୌକୁଦରୁ ଜମ୍ଭାଲି ଚାଲି ଆସିଥିଲେ ।’’ ଜମ୍ଭାଲି ଆସିବା ପୂର୍ବରୁ ତାଙ୍କର ପରଲୋକଗତ ସ୍ୱାମୀ ଧାନାଜୀ ସଡ଼କ ତିଆରି କରିବା ଏବଂ ପଥର ଫଟାଇବା କାମ କରୁଥିବା ଜଣେ ମଜୁରିଆ ଥିଲେ । ମଜୁରି ପାଇଁ ସେ ନୌକୁଦଠାରୁ ପ୍ରାୟ ୧୬୦ କିଲୋମିଟର ଦୂର ଗୋଆ ପର୍ଯ୍ୟନ୍ତ ବୁଲି ଆସିଥିଲେ ।

ଜମ୍ଭାଲିରେ ଆଜୀ ସେହି ୪୦ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁମାନଙ୍କୁ ସରକାରଙ୍କ ମରୁଡ଼ି ସହାୟତା ଯୋଜନା ଅଧୀନରେ ଏକ ସଡ଼କ ନିର୍ମାଣ କାମ ପାଇଁ ନିୟୋଜିତ କରାଯାଇଥିଲା । ତାଙ୍କର ଭଲ ଭାବେ ମନେ ଅଛି, ‘‘ଆମକୁ ୧୨ ଘଣ୍ଟା କାମ କରିବା ପରେ ମଜୁରି ବାବଦରେ ମାତ୍ର ୧.୫ ଟଙ୍କା ମିଳୁଥିଲା ।’’ ସେହି ସମୟରେ ଗାଁର ଜଣେ ପ୍ରଭାବଶାଳୀ ଓ ଧନୀ କୃଷକ ସେହି ଶ୍ରମିକମାନଙ୍କୁ ନିଜର ୧୬ ଏକର ଜମିରେ ଦୈନିକ ୩ ଟଙ୍କା ମଜୁରିରେ କାମ କରିବା ପାଇଁ ପ୍ରସ୍ତାବ ଦେଲେ । ସେବେଠାରୁ ତନୁବାଈ ଜଣେ କୃଷି ଶ୍ରମିକ ଭାବେ କାମ କରିବା ଆରମ୍ଭ କଲେ । ସେ ଚିନାବାଦାମ, ଯଅ, ଗହମ, ଚାଉଳ ସହିତ ସପେଟା, ଆମ୍ବ, ଅଙ୍ଗୁର, ଡାଳିମ୍ବ, ଆତ ଆଦି ଫଳ ଉତ୍ପାଦନ କାମ କଲେ ।

PHOTO • Sanket Jain
PHOTO • Sanket Jain

ବାମ: ଏହି କାଟ ସହିତ ଆଜୀଙ୍କ ୱାକଲ ପ୍ରସ୍ତୁତ ହୋଇଯାଇଛି । ଡାହାଣ: ତାଙ୍କ ଡାହାଣ କାନ୍ଧରେ ଦୁଇଟି ଅସ୍ତ୍ରୋପଚାର ପରେ ଅକଥନୀୟ ଯନ୍ତ୍ରଣା ସତ୍ତ୍ୱେ ସେ ରେଜେଇ କାମ କରିବା ଛାଡ଼ିନାହାନ୍ତି

ପାଖାପାଖି ୩୦ ବର୍ଷରୁ ଅଧିକ ସମୟ ଧରି କଠିନ ପରିଶ୍ରମ ପରେ ୨୦୦୦ ଦଶକର ପ୍ରାରମ୍ଭରେ ସେ ଚାଷ ଜମିରେ କାମ କରିବା ବନ୍ଦ କରି ଦେଇଥିଲେ, ସେତେବେଳେ ମଜୁରି ବୃଦ୍ଧି ସତ୍ତ୍ୱେ ତାଙ୍କୁ ଦୈନିକ ମାତ୍ର ୧୬୦ ଟଙ୍କାର ସାଧାରଣ ମଜୁରି ମିଳୁଥିଲା । କଠିନ ପରିଶ୍ରମ ଏବଂ ଦାରିଦ୍ର୍ୟର ଦିନ କଥା ମନେ ପକାଇ ସେ କୁହନ୍ତି, ‘‘ କୋନ୍ଦାଚା ଧୋଣ୍ଡା ଖାଲା ପଣ ମୁଲାନା କଢ଼ି ମାଗା ତେଲୋ ନାହି (ଆମେ ଶସ୍ୟର ଚୋକଡ଼ ମଧ୍ୟ ଖାଇଛୁ, କିନ୍ତୁ ନିଜ ପିଲାମାନଙ୍କୁ କେବେ କଷ୍ଟ ହେବାକୁ ଦେଇନାହୁଁ)।’’ ଶେଷରେ ତାଙ୍କର ସଂଘର୍ଷ ଓ ତ୍ୟାଗ ବ୍ୟର୍ଥ ଗଲା ନାହିଁ । ଆଜି ତାଙ୍କର ବଡ଼ ପୁଅ ପ୍ରଭାକର ନିକଟବର୍ତ୍ତୀ ଜୟସିଂହପୁର ସହରରେ ଏକ ସାର ଦୋକାନ ଚଳାଇଛନ୍ତି, ଏବଂ ସାନ ପୁଅ ବାପୁସୋ ଜମ୍ଭାଲିର ଏକ ବ୍ୟାଙ୍କ୍‌ରେ ଚାକିରି କରୁଛନ୍ତି ।

ଚାଷ ଜମିରେ ମଜୁରି କାମ ଛାଡ଼ିବା ପରେ ତନୁବାଈ ଖୁବଶୀଘ୍ର ବିରକ୍ତି ଅନୁଭବ କଲେ ଏବଂ ସେ ପୁଣିଥରେ ଏହି କାମ ଆରମ୍ଭ କରିଦେଲେ । ତିନି ବର୍ଷ ପୂର୍ବରୁ ଘରେ ପଡ଼ିଯିବା କାରଣରୁ ତାଙ୍କ ଶରୀରର ଅଧିକାଂଶ ଭାଗ ଆଘାତପ୍ରାପ୍ତ ହେଲା ଓ ସେ ବାଧ୍ୟ ହୋଇ କାମ ଛାଡ଼ିଲେ । ସେ କୁହନ୍ତି, ‘‘ଡାହାଣ କାନ୍ଧରେ ଦୁଇଟି ଅପରେସନ ଏବଂ ଛଅ ମାସ ପର୍ଯ୍ୟନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମୋର ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇନାହିଁ ।’’ ହେଲେ, ଏହି ଯନ୍ତ୍ରଣା ତାଙ୍କୁ ନିଜ ନାତି ସମ୍ପତ ବିରଞ୍ଜେ ପାଇଁ ନୂଆ ୱାକଲଟିଏ ତିଆରି କରିବା ଠାରୁ ଅଟକାଇ ପାରିନାହିଁ ।

କାନ୍ଧକୁ କଷ୍ଟ ଦେଉଥିବା ଯନ୍ତ୍ରଣା ସତ୍ତ୍ୱେ, ତନୁବାଈଙ୍କ ସିଲେଇ କାମ ପ୍ରତିଦିନ ସକାଳ ୮ଟାରୁ ଆରମ୍ଭ ହୋଇଥାଏ ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥାଏ । ମଝିରେ ମଝିରେ ସେ କେବଳ ଖୋଲା ଆକାଶ ତଳେ ଶୁଖା ହୋଇଥିବା ମକା ଖାଇବା ଲାଗି ଆସୁଥିବା ମାଙ୍କଡ଼ମାନଙ୍କୁ ଘଉଡ଼ାଇବାକୁ ଉଠି ଯାଇଥାନ୍ତି । ସେ କୁହନ୍ତି, ‘‘ମାଙ୍କଡ଼ମାନଙ୍କୁ ମକା ଖାଇବାରୁ ଘଉଡ଼ାଇ ଦେବାକୁ ମୋତେ ଭଲ ଲାଗେ ନାହିଁ, କିନ୍ତୁ ମୋ ନାତି ରୁଦ୍ର ମକା ଖାଇବାକୁ ଭାରି ପସନ୍ଦ କରେ ।’’ ସେ ନିଜର ଦୁଇ ବୋହୂଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥାନ୍ତି, କାରଣ ସେ ଦୁହେଁ ଆଜୀଙ୍କ ସଉକ ପୂରଣ କରିବା ଲାଗି ତାଙ୍କୁ ସବୁବେଳେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଛନ୍ତି । ‘‘ସେହି ଦୁଇ ଜଣଙ୍କ ପାଇଁ ହିଁ ମୁଁ ପାରିବାରିକ ଉତ୍ତରଦାୟିତ୍ୱରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇସାରିଛି ।’’

୭୪ ବର୍ଷ ବୟସରେ ସୁଦ୍ଧା ତନୁବାଈ ନିଜ ଛୁଞ୍ଚି ସହାୟତାରେ ରେଜେଇ ବୁଣିବାର ଯାଦୁକରୀ କଳାକୁ ବଞ୍ଚାଇ ରଖିଛନ୍ତି । ସେ କେବେବି ଗୋଟିଏ ସିଲେଇ ଛାଡ଼ିନଥାନ୍ତି; ଏହି କାମରେ ସେ ବେଶ୍‌ କୁଶଳୀ । ‘‘ତ୍ୟାତ କାଇ ବିସାର୍ଣ୍ଣର, ବାଲା? ତ୍ୟାତ୍‌ କାଇ ବିଦ୍ୟା ଆହେ? (ଏଥିରେ ଭୁଲି ଯିବାର କ’ଣ ଅଛି? ଏଥିରେ ବା କେଉଁ ଦକ୍ଷତା ଆବଶ୍ୟକ?)’’, ଖୁବ୍‌ ଉଦାର ଭାବେ ସେ ପଚାରିଥାନ୍ତି ।

ଅନ୍ୟମାନଙ୍କ ପାଇଁ ତନୁବାଈଙ୍କ ପାଖରେ ଗୋଟିଏ ପରାମର୍ଶ ଅଛି: ‘‘ଯାହା କିଛି ହୋଇଯାଉ, ନେହମୀ ପ୍ରମାଣିକ ରହୱା (ସଚ୍ଚୋଟ ଜୀବନ ନିର୍ବାହ କରିବା ଉଚିତ୍‌)।’’ ଯେପରି ଭାବେ ୱାକଲର ଅନେକ ପରସ୍ତକୁ ନିଖୁଣ ଭାବେ ସିଲେଇ କରାଯିବା ଦ୍ୱାରା ତାହା ପରସ୍ପର ମଧ୍ୟରେ ଯୋଡ଼ି ହୋଇ ରହିଥାଏ, ସେ ମଧ୍ୟ ନିଜର ସାରା ଜୀବନକୁ ପରସ୍ପରକୁ ବାନ୍ଧି ରଖିବାରେ ନିୟୋଜିତ କରି ଦେଇଛନ୍ତି । ‘‘ ପୂର୍ଣ୍ଣ ଆୟୁଷ୍ୟ ମି ଶିୱତ ଗେଲେ (ମୁଁ ମୋ ସାରା ଜୀବନ କେବଳ ସିଲେଇରେ ବିତାଇ ଦେଇଛି)।’’

PHOTO • Sanket Jain

ଦୁଇ ମାସ ମଧ୍ୟରେ ତନୁବାଈ ଏହି ରେଜେଇକୁ ସିଲେଇ କରିଛନ୍ତି, ଦିନକୁ ଏଥିପାଇଁ ତାଙ୍କୁ ପ୍ରାୟ ୧୨ ଘଣ୍ଟା କାମ କରିବାକୁ ପଡ଼ିଛି

PHOTO • Sanket Jain

୯ ଖଣ୍ଡ ଶାଢ଼ି, ୨୧୬ ଥିଗାଲ ଏବଂ ୯୭,୮୦୦ ଷ୍ଟିଚ୍‌ ସହିତ, ଏହି ସୁନ୍ଦର ୬.୮ x ୬.୫ ଫୁଟ ଆକାରର ଏହି ୱାକଲର ଓଜନ ୭ କିଲୋଗ୍ରାମ

ଏହି ଆଲେଖ୍ୟ ଗ୍ରାମୀଣ କାରିଗରଙ୍କ ଉପରେ ସାଙ୍କେତ ଜୈନଙ୍କ ପକ୍ଷରୁ ପ୍ରସ୍ତୁତ ସିରିଜର ଏକ ଅଂଶବିଶେଷ ଏବଂ ଏଥିପାଇଁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Reporter : Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Editor : Sangeeta Menon

Sangeeta Menon is a Mumbai-based writer, editor and communications consultant.

Other stories by Sangeeta Menon
Photo Editor : Binaifer Bharucha

Binaifer Bharucha is a freelance photographer based in Mumbai, and Photo Editor at the People's Archive of Rural India.

Other stories by Binaifer Bharucha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE