ଜଣଙ୍କ ତତ୍ତ୍ୱାବଧାନରେ ସ୍ଥାନାନ୍ତର। ମଇଁଷିଙ୍କୁ ବାଟ ଦିଗ ଦେଖାନ୍ତି ମଣିଷ। ପ୍ରତିବର୍ଷ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଗୋପାଳମାନେ ବହୁ ସଂଖ୍ୟାରେ ଗୃହପାଳିତ ଜଳ ମଇଁଷିଙ୍କୁ ନେଇ ଦେବୀ ନଦୀ ପାର ହୁଅନ୍ତି। ଉତ୍ତପ୍ତ  ଖରା ମାସ ଗୁଡ଼ିକରେ ଚରିବା ପାଇଁ ନଦୀ ଆରପଟେ ନୂଆ ଘାସ ପଡ଼ିଆ ସନ୍ଧାନରେ ଯାଇଥାନ୍ତି ।  ପୁଣି ପହଁରି ପହଁରି ଫେରି ଆସନ୍ତି। ଏହା ସିରେଙ୍ଗେଟ୍ଟି ଜାତୀୟ ଉଦ୍ୟାନର ସ୍ଥାନାନ୍ତରଣ ନୁହେଁ। ତଥାପି ଏହା ଏକ ଅସାଧାରଣ ଦୃଶ୍ୟ।

ଦିନେ ନହରଣା ଗ୍ରାମ ପଞ୍ଚାୟତ ନିକଟରେ ଏଭଳି ଏକ ଦଳବଦ୍ଧ ସ୍ଥାନାନ୍ତର ଦୃଶ୍ୟ ମୁଁ ଦେଖିଛି। ଗାଁଟି ଦେବୀ ନଦୀ କୂଳରେ ଅବସ୍ଥିତ। ଉପକୂଳ ଓଡ଼ିଶାର ଜଗତସିଂହପୁର ଏବଂ ପୁରୀ ଜିଲ୍ଲା ମଧ୍ୟ ଦେଇ ଏହି ନଦୀଟି ବହି ଯାଇଛି। ମହାନଦୀର ଏକ ପ୍ରଧାନ ଶାଖାନଦୀ।

ନହରଣା ଗ୍ରାମ ପଞ୍ଚାୟତର ଗଣ୍ଡକୁଳ ଗାଁ ପାଖ ଦେବୀ ନଦୀର ପଠା। ଦକ୍ଷିଣରେ ଥିବା ଏହି ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳର ନାଁ ମନୁ ଢିଅ (ମନୁ ତ୍ରିକୋଣଭୂମି)

ନହରଣା ଗ୍ରାମ ପଞ୍ଚାୟତର ଚାରିପାଖରେ ଥିବା ଗାଁଗୁଡ଼ିକରେ ଅନେକ ଧୀବର ସଂପ୍ରଦାୟର ଲୋକ ବାସ କରନ୍ତି। ତାଙ୍କ ଜୀବିକାର ମୁଖ୍ୟ ଆଧାର ହେଉଛି ଦେବୀ ନଦୀ। ଏହି ଉପକୂଳ ଅଞ୍ଚଳରେ ବହୁ ସଂଖ୍ୟାରେ ଗୋପାଳ ସଂପ୍ରଦାୟର ଲୋକ ବି ରହନ୍ତି। ଅନ୍ୟ ଲୋକଙ୍କର ମଧ୍ୟ ଗାଈଗୋରୁ ଅଛନ୍ତି, ଯାହା ତାଙ୍କୁ କିଛି ଅଧିକ ରୋଜଗାର ଦିଏ।

ଏଠାରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନ ସଂଘ ଭଲ ଚାଲେ। ଗୋପାଳ ସଂପ୍ରଦାୟର ଲୋକ ଏବଂ ଗାଈ ମଇଁଷି ରଖୁଥିବା ଅନ୍ୟ ଲୋକମାନେ ନିଜର ଉତ୍ପାଦ ବିକ୍ରି କରିବାକୁ ବଜାର ଖୋଜିବାକୁ ଯାଆନ୍ତି ନାହିଁ- ସଂଘ ସେମାନଙ୍କଠାରୁ କିଣି ନିଏ।

ଧୀବରମାନେ ଦେବୀ ନଦୀରେ ଜାଲରୁ ମାଛ ବାହାର କରୁଛନ୍ତି , ଲୁଣି ମାଛର ଏହା ଏକ ପେଣ୍ଠସ୍ଥଳ।

ନହରଣାଠାରୁ ମୁହାଣ ପ୍ରାୟ ୧୦ କିଲୋମିଟର ଦୂର। ନଦୀର ମୁହାଣ ପ୍ରଶସ୍ତ ହୋଇଥିବାରୁ ଗାଁଗୁଡିକର ମଝିରେ ଅନେକ ତ୍ରିକୋଣଭୂମି ସୃଷ୍ଟି ହୋଇଛି। ଯେତେବେଳେ ବନ୍ୟାରେ ଚାଷ ଜମି ନଷ୍ଟ ହୋଇଯାଏ, ସେତେବେଳେ ଏହି ତ୍ରିକୋଣଭୂମିରେ ସ୍ଥାନୀୟ ଲୋକେ ଅଧିକ ସମୟ ଦେଇ ଫସଲ କରନ୍ତି। ଏହି ତ୍ରିକୋଣଭୂମି ସେମାନଙ୍କ ପାଇଁ ଅସ୍ଥାୟୀ ବାସସ୍ଥଳୀ ବି ପାଲଟିଥାଏ। ଏହି ଅଞ୍ଚଳରେ ତ୍ରିକୋଣଭୂମିଗୁଡ଼ିକ ସବୁଠୁ ଭଲ ଗୋଚର।

ବ୍ରାମୁଣ୍ଡାଳୀ ଗ୍ରାମ ପଞ୍ଚାୟତକୁ ଲାଗିଥିବା ପାତ୍ରପଡ଼ା ଗାଁର ଗୋଟିଏ ଗୋପାଳ ପରିବାର ନିଜେ ରଖିଥିବା ୧୫୦ଟି ଜଳ ମଇଁଷିଙ୍କ କ୍ଷୀର ବିକ୍ରି କରିଥାନ୍ତି। ଏଭଳି ପରିବାରଗୁଡ଼ିକ ସାଧାରଣତଃ ଭୂମିହୀନ। ତେଣୁ ବହୁ ସଂଖ୍ୟକ ମଇଁଷି ପାଇଁ ଗୁହାଳ କରିବା ଏବଂ ଘାସ ପଡ଼ିଆ ଖୋଜିବା ଏମାନଙ୍କ ପାଇଁ ସହଜ କାମ ନୁହେଁ। ଦେବୀ ନଦୀର ତଟ ଏବଂ ତ୍ରିକୋଣ ଭୂମି ତାଙ୍କୁ ସହାୟ ହୁଏ। ତ୍ରିକୋଣଭୂମିରେ ମଇଁଷି ଚରାଇବା ପାଇଁ ମଇଁଷି ମାଲିକମାନେ ଜମି ମାଲିକଙ୍କୁ ବର୍ଷକୁ ପ୍ରାୟ ୨ ଲକ୍ଷ ଟଙ୍କା ଦିଅନ୍ତି। ନଦୀ ତଟରେ ଥିବା ଝାଉଁ ଗଛ ମୂଳେ ମଇଁଷିମାନେ ରାତିରେ ବିଶ୍ରାମ ନିଅନ୍ତି। ଦିନବେଳେ ନଦୀ ପହଁରି ତ୍ରିକୋଣଭୂମିକୁ ଚରିବାକୁ ଯାଆନ୍ତି। ତ୍ରିକୋଣଭୂମିଗୁଡିକୁ ମୌସୁମୀ ବର୍ଷାର ନୂଆପାଣି ପହଞ୍ଚିବା ପର୍ଯ୍ୟନ୍ତ ଏଭଳି ଚାଲେ। ଏହି ବର୍ଷା ପାଣିରେ ମଇଁଷିମାନେ ମଧ୍ୟ ଶୋଷ ମେଣ୍ଟାନ୍ତି।

ପ୍ରତିଦିନ ସବୁଜ ଗୋଚର ସନ୍ଧାନ​‌ରେ ମଇଁଷିମାନଙ୍କ ଯାତ୍ରା ବର୍ଣ୍ଣନା କରୁଥିବା କେତୋଟି ଫଟୋ।

ଝାଉଁ ଗଛ ମୂଳର ଅସ୍ଥାୟୀ ଆଶ୍ରୟ ସ୍ଥଳୀରୁ ମଇଁଷିମାନେ ବାହାରୁଛନ୍ତି।

ସେମାନେ ନଦୀ ତଟରେ ସେପର୍ଯ୍ୟନ୍ତ ଚାଲିବେ ଯେଉଁଠି ରାସ୍ତା ଓ ତ୍ରିକୋଣଭୂମି ମଧ୍ୟରେ ନଦୀ ସବୁଠୁ ଅଣଓସାରିଆ ଥିବ , ଫଳରେ ତାଙ୍କୁ ଅଳ୍ପ ବାଟ ପହଁରିବାକୁ ପଡ଼ିବ।

ନଦୀ ପାର ହେବାକୁ ମଇଁଷିମାନେ ରାସ୍ତା ତଳକୁ ଖସିଲେ। କିଛି ମଇଁଷି ପାଣିରେ ସହଜରେ ପଶିବାକୁ ନାରାଜ ଆଉ କିଛି ପାଣିକୁ ଆଗ୍ରହରେ ଡେଇଁ ପଡ଼ୁଛନ୍ତି

ଗୋଟିଏ ତିନି ଦିନର ମଇଁଷି ଛୁଆ ମା ପଛେ ପଛେ ପାଣିକୁ ଡେଉଁଛି

ମଇଁଷିମାନେ ଦଳ ବାନ୍ଧି ପହଁରୁଛନ୍ତି। ଗୋପାଳ ଜଣଙ୍କ ତାଙ୍କ ପଛେପଛେ ଏକ ମୋଟର ବୋଟ୍‌ରେ ଅନୁସରଣ କରୁଛନ୍ତି

ନିଜର ସୁରକ୍ଷା ଏବଂ ବାଛୁରୀଙ୍କ ସହ ଦୁର୍ବଳମାନଙ୍କୁ ସାଙ୍ଗରେ ନେବାକୁ ମଇଁଷିମାନେ ଦଳ ବାନ୍ଧି ପହଁରୁଛନ୍ତି

ମଇଁଷି ପଲଙ୍କ ସହାୟତାରେ ମଝି ନଈ ପର୍ଯ୍ୟନ୍ତ ଆସିବା ପରେ ତିନି ଦିନର ବାଛୁରୀଟି ରହିଗଲା। ବଡ ମଇଁଷିଙ୍କ ସାଙ୍ଗରେ ତାଳ ଦେଇ ପହଁରି ପାରୁନଥିବା ବାଛୁରୀଟି ପଛରେ ଫସିଗଲା। ମା ମଇଁଷିଟି ମଧ୍ୟ ଅସହାୟ

ପଛରେ ଡଙ୍ଗାରେ ଆସୁଥିବା ଗୋପାଳ ଜଣଙ୍କ ବାଛୁରୀ ପାଖରେ ପହଞ୍ଚି ତାକୁ ଡଙ୍ଗାକୁ ଉଠାଇ ନେଲେ

ଉଦ୍ଧାର ପାଇଥିଲେ ମଧ୍ୟ ବାଛୁରୀଟି ଆଶ୍ୱସ୍ତ ଜଣାପଡ଼ୁ ନାହିଁ

ତା ମା ର ଧ୍ୟାନ ଆକର୍ଷଣ କରିବାକୁ ସେ ବୋବୋଉଛି

ମା ମଇଁଷିଟି ଡଙ୍ଗା ଏବଂ ତା ଛୁଆକୁ ବାରମ୍ବାର ଫେରି ଚାହୁଁଛି , ଯେତେବେଳେ ଅନ୍ୟ ମଇଁଷିମାନେ ଆଗକୁ ଚାଲିଛନ୍ତି

ନଦୀକୂଳ ପାଖେଇ ଆସିବାରୁ ବାଛୁରୀଟି ଡଙ୍ଗା ଭିତରୁ ଡେଇଁବା ପାଇଁ ଛିଡା ହେଲା , ପୁଣି ମା ସହ ଏକାଠି ହେବାକୁ ଇଛା କରୁଛି

ମଇଁଷିମାନେ ମନୁ ଢିଅ ତଟର ନିକଟତର ହେଉଛନ୍ତି

ବାଛୁରୀଟିକୁ ଡଙ୍ଗାରୁ ଆଗ ଓହ୍ଲାଇ ଦିଆଗଲା

ଛୁଆକୁ ପାଇବାର ଆବେଗ ସହ ମା ମଇଁଷିଟି ପହଞ୍ଚିଗଲା

ଅନ୍ୟ ମଇଁଷିମାନେ ତ୍ରିକୋଣଭୂମିରେ ପହଞ୍ଚିଯିବା ମାତ୍ରେ ତାଙ୍କ କାମରେ ଲାଗିଗଲେ

ହୃଷ୍ଟପୁଷ୍ଟ ହୋଇଥିବା ଏହି ଅଣ୍ଡିରା ମଇଁଷିଟି ଶାନ୍ତିରେ ଚରିବାକୁ ଅନ୍ୟ ମଇଁଷିଙ୍କଠାରୁ ଅଲଗା ହୋଇଗଲା

ମା ମାଇଁଷିଟି ପଡିଆ ଆଡ଼କୁ ଚାଲିଲା , ତା ପଛେ ପଛେ ବାଛୁରୀ

ମଇଁଷି ପଲଙ୍କୁ ସୁରକ୍ଷିତ ଭାବେ ଆଣି ତ୍ରିକୋଣଭୂମିରେ ଛାଡିବା ପରେ ଗୋପାଳ ଜଣଙ୍କ ତାଙ୍କ ଗାଁକୁ ଫେରୁଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.