ଯେତେବେଳେ ମୁରଲୀଧର ଜୱାହିର୍‌ କାମ କରିବାକୁ ବସନ୍ତି, ତାଙ୍କ କାମରେ କେବେ ମଧ୍ୟ କୌଣସି ତ୍ରୁଟି ବା ବିଚ୍ୟୁତି  ରହେନାହିଁ। ତାଙ୍କ ହାତଗୁଡିକ ତୋରଣର ଯୋଡ଼ଗୁଡିକୁ ଯୋଡିବାରେ ତଥା ସେଗୁଡିକୁ ଏକ ମୋଟା କଟନ୍‌ ସୂତାରେ ବାନ୍ଧିବା କାମ  ଦ୍ରୁତଗତିରେ ଓ ନିରବ ଭାବେ କରିଚାଲିଥାଏ । କ୍ଷୀଣ ଶରୀରଧାରୀ ୭୦ ବର୍ଷ ବୟସ୍କ ଜଣେ ବୃଦ୍ଧା ଯେ ପ୍ରାୟତଃ ପ୍ରତିଦିନ ନିଖୁଣଭାବେ ଏପରି ନିଦା ବାଉଁଶ ଫ୍ରେମ୍‌ ତିଆରି କରିପାରନ୍ତି, ତାହା ସହଜରେ ବିଶ୍ୱାସ କରିହୁଏନି ।

ମହାରାଷ୍ଟ୍ରର ଇଚାଲ୍‌କରଞ୍ଜି ଟାଉନ୍‌ରେ ସ୍ଥିତ କାଦୁଅ ଓ ଇଟାରେ ନିର୍ମିତ ତାଙ୍କର ଛୋଟ ଘର ବାହାରେ ଥିବା କାର୍ଯ୍ୟସ୍ଥଳରେ ତାଙ୍କ କାର୍ଯ୍ୟର ବିଭିନ୍ନ ସାମଗ୍ରୀଗୁଡିକ ଚାରିଆଡେ ବିଛେଇ ହୋଇ ପଡିରହିଥିଲା – ବାଉଁଶ କାଠି, ରଙ୍ଗୀନ୍‌ କାଗଜ, ଜେଲାଟିନ୍‌ କାଗଜ, ପୁରୁଣା ଖବରକାଗଜ ଓ ଅନ୍ୟାନ୍ୟ ସାମଗ୍ରୀସବୁ । ଏ ସବୁକିଛି ଆଉ କିଛି ଘଣ୍ଟା ମଧ୍ୟରେ ଏକ ଜଟିଳ ତୋରଣ ମାଳାକୃତିର ଏକ ସାଜସଜ୍ଜା ସାମାନ ଯାହା ଘର ଓ ମନ୍ଦିର ଦ୍ୱାରରେ ସଜ୍ଜିତ ହୋଇଥାଏ – ରେ ରୂପାନ୍ତରିତ ହୋଇଯିବ ।

ମୁରଲୀଧରଙ୍କର ରେଖା ଭର୍ତ୍ତି ପାପୁଲିଗୁଡ଼ିକ ଖଣ୍ଡେ ବାଉଁଶ ବାଡିକୁ କ୍ଷୀପ୍ର ଭାବେ କାଟି ସମାନ ଆକାରର ୩୦ଖଣ୍ଡ କାଠି ପ୍ରସ୍ତୁତ କଲେ । ତା’ପରେ ସେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ନିଜର ମାପ କରିବାର କଳ୍ପନାଶକ୍ତି ଆଧାରରେ ନଅଟି ସମବାହୁ  ତ୍ରିଭୂଜରେ ପରିଣତ କଲେ । ସେହି ତ୍ରିଭୁଜଗୁଡ଼ିକୁ ୩ ରୁ ୧୦ ଫୁଟ ଲମ୍ବ ଏକ ବାଉଁଶ କାଠି ସହିତ ସଂଲଗ୍ନ କରାଯାଏ ।

ମୁରଲୀଧର ବାରମ୍ବାର ତାଙ୍କ ଅଙ୍ଗୁଳିଗୁଡିକୁ ଖଲ୍‌ ତେନ୍ତୁଳି ମଞ୍ଜି ଚୂନାରୁ ପ୍ରସ୍ତୁତ ଏକ ପ୍ରକାର ଅଠା- ଥିବା ଏକ ଟୋଲାଚେପା ଆଲୁମିନିୟମ୍‌ ପାତ୍ରରେ ବୁଡ଼ାନ୍ତି । ତାଙ୍କ ସ୍ତ୍ରୀ ଶୋଭା, ଯାହାର ବୟସ ୬୦ରୁ ଟିକିଏ ଅଧିକ ହେବ, ସେଦିନ ସକାଳେ ଏହାକୁ ପ୍ରସ୍ତୁତ କରିଥିଲେ  ।

“ଏପରିକି ସେ କାମ କରିବାବେଳେ ଗୋଟିଏ ମଧ୍ୟ ଶବ୍ଦ କୁହନ୍ତିନି ଓ ତାଙ୍କ କାମରେ କେହି ବାଧା ଦେଇପାରିବେନି,’’ ବୋଲି ସେ କୁହନ୍ତି ।

ମୁରଲୀଧର ଚୁପ୍‌ଚାପ୍‌ ବସି ବାଉଁଶର ଫ୍ରେମ୍‌ ତିଆରି କରି ଚାଲିଥିବା ବେଳେ, ଶୋଭା ସାଜସଜ୍ଜା ପାଇଁ ଆବଶ୍ୟକ ଜିନିଷ ପ୍ରସ୍ତୁତ କରିବାରେ ଲାଗିପଡନ୍ତି, ଯାହା ଅନ୍ତର୍ଗତ ସେ ରଙ୍ଗୀନ୍‌ ଜେଲାଟିନ୍‌ କାଗଜର ବୃତ୍ତାକାର ଖଣ୍ଡଗୁଡିକୁ ବୁଣି  ଗୁଚ୍ଛରେ ପରିଣତ କରନ୍ତି। “ଘରକାମରୁ ଯେତେବେଳେ ମଧ୍ୟ ମତେ ଟିକିଏ ଫୁରୁସତ ମିଳେ, ମୁଁ ଏହି କାମରେ ଲାଗିଯାଏ । ହେଲେ, ଏହି କାମ ଯୋଗୁଁ ଆଖି ଉପରେ ଅଧିକ ଚାପ ପଡୁଛି” ବୋଲି ସେ କୁହନ୍ତି ।

PHOTO • Sanket Jain

ମୁରଲୀଧର ଜୱାହିର୍‌ ୧୮ଫୁଟ ଲମ୍ବାର ଏକ ବାଉଁଶ ବାଡିର ପ୍ରସ୍ଥଚ୍ଛେଦ କାଟିବା ସହ ଫ୍ରେମ୍‌ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ

ଅଠା ପ୍ରସ୍ତୁତ କରିବାକୁ ସେ ଯେଉଁ ତେନ୍ତୁଳି ମଞ୍ଜି ବ୍ୟବହାର କରନ୍ତି, ତାହାର ମୂଲ୍ୟ ଗୋଟିଏ ପେଇଲି (ପାଞ୍ଚ କିଲୋଗ୍ରାମ) ପ୍ରତି ୪୦ଟଙ୍କା ଅଟେ ଓ ସେ ପ୍ରତିବର୍ଷ ୨-୩ ପେଇଲି ବ୍ୟବହାର କରନ୍ତି । ତୋରଣଗୁଡିକୁ ସଜାଇବା ପାଇଁ ଜୱାହିର୍‌ ଦମ୍ପତି ନିଜ ପାଖରେ ସବୁବେଳେ ପ୍ରାୟ ୧୦୦ରୁ ଅଧିକ ଛୋଟ-ଛତା , ନଡିଆ ଓ ରଘୁ (ଶୁଆ) ନିଜ ପାଖରେ ଗଚ୍ଛିତ କରି ରଖିଥାନ୍ତି, ଯାହାସବୁ କାଗଜରୁ ପ୍ରସ୍ତୁତ ହୋଇଥାଏ । “ପୂର୍ବେ ଆମେ ଏସବୁ ନିଜ ଘରେ ତିଆରି କରୁଥିଲୁ, ହେଲେ, ଏବେ ବୟସଗତ କାରଣରୁ ଆମେ ସେଗୁଡିକୁ ବଜାରରୁ କିଣୁଛୁ,” ବୋଲି ଶୋଭା କୁହନ୍ତି । “୯୦ ଖଣ୍ଡ ନଡିଆ ଓ ରଘୁ ପାଇଁ ଆମକୁ ମୋଟ ୧୦୦ଟଙ୍କା ଖର୍ଚ୍ଚ କରିବାକୁ ପଡେ।’’ ଥରେ ଫ୍ରେମ୍‌ ପ୍ରସ୍ତୁତ ହୋଇଯିବା ପରେ, ମୁରଲୀଧର ଏସବୁକୁ ଏକତ୍ର କରି ଡିଜାଇନ୍‌ ପ୍ରସ୍ତୁତ କରିବା କାମ ଆରମ୍ଭ କରନ୍ତି ।

ପିଢି ପରେ ପିଢି, ଜୱାହିର୍‌ ପରିବାର ଏହି ତୋରଣଗୁଡିକ ନିର୍ମାଣ କରିଆସୁଛନ୍ତି, ପ୍ରାୟ ଏକ ଶତାବ୍ଦୀରୁ ଅଧିକ ସମୟ ହେବ । “ମୁଁ ମୋର ବାପାଙ୍କ ଠାରୁ ଶୁଣିଥିଲି ଯେ ଏହି କଳା ପ୍ରାୟ ୧୫୦ବର୍ଷରୁ ଅଧିକ ପୁରାତନ ଅଟେ,” ବୋଲି ମୁରଲୀଧର ସଗର୍ବେ କୁହନ୍ତି । ତାଙ୍କର ପରିବାର ତମ୍ବାତ୍‌ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଅଟେ (ମହାରାଷ୍ଟ୍ରରେ ଓବିସି ବର୍ଗଭୁକ୍ତ ଅଟେ) ଓ ପାରମ୍ପରିକ ଭାବେ ଏମାନେ ତୋରଣ ନିର୍ମାଣ କରିବା, ପାଇପ୍‌ ଓ ତମ୍ବା ଏବଂ ପିତ୍ତଳ ପାତ୍ର ଉପରେ ଟିଣର ପ୍ରଲେପ ଦେବା ଆଦି କାମ କରିଆସୁଛନ୍ତି।

ତାଙ୍କ ବାପା ଚାବି ଫିଟ୍‌ ଲଗାଉଥିଲେ (ତମ୍ବା ବା ପିତ୍ତଳ ପାତ୍ରରେ ଲାଗିଥିବା ଟ୍ୟାପ୍‌), ବାମ୍ବ (ପାରମ୍ପରିକ ପାଣି ଗରମ କରିବା ଚୁଲ୍ଲି) ମରାମତି କରୁଥିଲେ, ପାତ୍ରଗୁଡିକର କଲାଇ କରୁଥିଲେ (ପିତ୍ତଳ ଓ ତମ୍ବା ପାତ୍ର ଉପରେ ଟିଣର ପ୍ରଲେପ ଦେବା ପ୍ରକ୍ରିୟା) । ହେଲେ, କଲାଇ କରିବାର କୌଶଳ ପ୍ରାୟ ଦୁଇ ଦଶନ୍ଧି ହେବ ଆଉ ଦେଖିବାକୁ ମିଳୁନି । “ବର୍ତ୍ତମାନ କିଏ ଏହି ପିତ୍ତଳ ଓ ତମ୍ବା ପାତ୍ର ବ୍ୟବହାର କରୁଛି? ଏବେ ତ ଖାଲି ଷ୍ଟିଲ୍‌ ଓ ପ୍ଲାଷ୍ଟିକ୍‌ ଚାଲୁଛି, ଯେଉଁଥିରେ କଲାଇ କରିବା ଆବଶ୍ୟକ ନାହିଁ ।

ଏବଂ ତାଙ୍କ ପରିବାର, ସେ କୁହନ୍ତି, କୋହ୍ଲାପୁର ଜିଲ୍ଲାସ୍ଥିତ ଇଚାଲକରଞ୍ଜି ଟାଉନ୍‌ର ଅନ୍ତିମ ପରିବାର ଯେଉଁମାନେ ଏବେ ମଧ୍ୟ ହାତ ତିଆରି ଏହି ତୋରଣଗୁଡ଼ିକ ତିଆରି କରୁଛନ୍ତି: କିଛି ଦଶନ୍ଧି ପୂର୍ବେ  ଅତି କମ୍‌ରେ ୧୦ଟି ପରିବାର ଏହି କାମ କରୁଥିବା ବେଳେ ‘‘ବର୍ତ୍ତମାନ କେବଳ ଆମେ ହିଁ ଏହି କାମ କରୁଛୁ’’। ଆଜି ସେ ଆହୁରି ମଧ୍ୟ କହିଛନ୍ତି, ‘‘ବର୍ତ୍ତମାନ ଏହି କଳାକୁ କେହି ପଚାରୁନାହାନ୍ତି ମଧ୍ୟ । ଶିଖିବା କଥା ଭୁଲିଯାଆନ୍ତୁ’’।

ତଥାପି, ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥାଏ ବୋଲି ସେ ଦୃଢ଼ତାର ସହିତ କୁହନ୍ତି । ତାଙ୍କ ଭାଷାରେ “ କହିଚ୍‌ ବଦଲ୍‌ ନାହି । ଟିଚ୍‌ କ୍ୱାଲିଟି , ଟଚ୍‌ ନମୁନା ,” ଆଦି କିଛି ପରିବର୍ତ୍ତନ ହୋଇନି । ଗୁଣବତ୍ତା ପୂର୍ବଭଳି ରହିଛି ଓ ଟେମ୍ପଲେଟ୍‌ ମଧ୍ୟ ସେଭଳି ରହିଛି ।

ପ୍ରାୟ ୧୦ ବର୍ଷ ବୟସରେ ମୁରଲୀଧର ଏହି ତୋରଣ ତିଆରି କାମ ଆରମ୍ଭ କରିଥିଲେ, ଯାହା ସେ ତାଙ୍କ ବାପାଙ୍କୁ ଦେଖି ଦେଖି ଶିଖିଥିଲେ । କୌଣସି ମାପ ଯନ୍ତ୍ର ବ୍ୟବହାର ବିନା ତୋରଣ ଡିଜାଇନ୍‌ ସୃଷ୍ଟି କରିବାକୁ ‘‘ଅନେକ ଦଶନ୍ଧିର ଅଭିଜ୍ଞତା ଆବଶ୍ୟକ ହୋଇଥାଏ,” ବୋଲି ସେ କୁହନ୍ତି । ସେ ଆହୁରି ମଧ୍ୟ କୁହନ୍ତି ଯେ ‘‘ଜଣେ ପ୍ରକୃତ କଳାକାର ପାଇଁ କୌଣସି ସ୍କେଲ୍‌ ଦରକାର ନାହିଁ। ଆମ ମଧ୍ୟରୁ କେହି ମଧ୍ୟ କୌଣସି ପ୍ରକାରର ମାପ କରିବା ଉପକରଣ ବ୍ୟବହାର କରିନାହାନ୍ତି । ଆମକୁ ମାପ କରିବା ଦରକାର ପଡ଼େନି । ଏସବୁ କିଛି ଆମର ସ୍ମୃତିରେ ରହିଛି ।’’

PHOTO • Sanket Jain

କାଠିଗୁଡ଼ିକୁ ଆଉ ଅଧିକ ଖଣ୍ଡ ଖଣ୍ଡ କରିବା ପୂର୍ବରୁ ମୁରଲୀଧର ଏଗୁଡ଼ିକୁ କେତେକ ସ୍ଥାନରେ ମୋଡ଼ି ଆକାର ପ୍ରଦାନ କରନ୍ତି

ଏହି ଡିଜାଇନ୍‌ର କୌଣସି ଲିଖିତ ରେକର୍ଡ ମଧ୍ୟ ନାହିଁ । “ କସଲା ପାହିଜେ ?” ଟେମ୍ପଲେଟ୍‌ କାହାକୁ ଦରକାର ହେବ ? ‘‘କିନ୍ତୁ, ଏଥିପାଇଁ ନିଖୁଣତା ଓ ଦକ୍ଷତା ସହିତ କାମ କରାଯିବା ଆବଶ୍ୟକ,” ବୋଲି ସେ କୁହନ୍ତି । ନୂଆ ନୂଆ ଏହି କାମ ଆରମ୍ଭ କରିବାବେଳେ ସେ ଅନେକ ତ୍ରୁଟି କରୁଥିଲେ, ହେଲେ, ବର୍ତ୍ତମାନ କିନ୍ତୁ ଗୋଟିଏ ବାଉଁଶ ଫୁଲ ଗୁଚ୍ଛା ହାତରେ ତିଆରି କରିବାକୁ ତାଙ୍କୁ ମାତ୍ର ୨୦ମିନିଟ୍‌ ସମୟ ଲାଗୁଛି ।

ସେଦିନ ସେ ଯେଉଁ ଫ୍ରେମ୍‌ କାମ କରୁଥିଲେ, ସେଥିରେ ପ୍ରଥମେ ଏକ କାଗଜ ଛତା ବାନ୍ଧିଲେ, ତା’ପରେ ଦୁଇଟି ହଳଦିଆ ମୟୁର ପ୍ରିଣ୍ଟ ବାନ୍ଧିଲେ । ଏଗୁଡିକୁ ସେ ତାଙ୍କ ଟାଉନ୍‌ଠାରୁ ୨୮ କି.ମି ଦୂରରେ ଅବସ୍ଥିତ କୋହ୍ଲାପୁର ସହରରୁ କିଣି ଆଣିଥିଲେ । ତା’ପରେ, ମୁରଲୀଧର ଓ ଶୋଭା ହିନ୍ଦୁ ଦେବାଦେବୀଙ୍କ ଫଟୋଗୁଡ଼ିକ ଗୋଟିଏ ଛାଡ଼ି ଗୋଟିଏ ତ୍ରିଭୁଜାକାର ଫ୍ରେମ୍‌ରେ ସ୍ଥାନିତ କଲେ । ଏଗୁଡ଼ିକୁ ସେମାନେ ଏକାସାଙ୍ଗରେ ବହୁ ସଂଖ୍ୟାରେ କ୍ରୟ କରିଥାନ୍ତି, କର୍ଣ୍ଣାଟକର ନିପାନି ବା କୋହ୍ଲାପୁର ସହରରୁ । “ଯଦି ଆମକୁ କୌଣସି ଫଟୋ ମିଳେନି, ତାହାହେଲେ ଆମେ ଏଗୁଡ଼ିକୁ ପୁରୁଣା କ୍ୟାଲେଣ୍ଡର, ବିବାହ ନିମନ୍ତ୍ରଣ ପତ୍ର ଓ ଖବରକାଗଜରୁ ଖୋଜି ବାହାର କରୁ ଓ କାଟି ଲଗାଇଥାଉ,” ବୋଲି ମୁରଲୀଧର କୁହନ୍ତି । କେତେ ସଂଖ୍ୟକ ଫଟୋ ବ୍ୟବହାର କରାଯିବ ତାହାର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନାହିଁ । “ଏହା କଳାକାରଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ,’’ ବୋଲି ମଧ୍ୟ ସେ କୁହନ୍ତି । ପରେ ଫଟୋଗୁଡିକୁ ଉଜ୍ଜ୍ୱଳ, ପାରଦର୍ଶୀ ଜେଲାଟିନ୍‌ ସିଟ୍‌ରେ ଆବୃତ୍ତ କରାଯାଏ ।

ଫ୍ରେମ୍‌ର ବାକି ଅଂଶକୁ ତାପରେ ଏକ ଚିତ୍ରିତ କାଗଜ ଫର୍ଦ୍ଦ ସହାୟତାରେ ସଜାଯାଏ । ୩୩ x ୪୬ ଇଂଚର ପ୍ରତ୍ୟେକ ଫର୍ଦ୍ଦର ମୂଲ୍ୟ ହେଉଛି ୩ଟଙ୍କା । ଭଲ ଧରଣର ତୋରଣ ତିଆରି କରିବାକୁ ମୁରଲୀଧର ଭେଲ୍‌ଭେଟ୍‌ କାଗଜ ବ୍ୟବହାର କରନ୍ତି । ପୁଷ୍ପ ଗୁଚ୍ଛ- ଫ୍ରେମ୍‌ର ନିମ୍ନ ଅଂଶରେ ଦୁଇଟି ଶୁଆ ବନ୍ଧା ଯାଇଥାଏ ଓ ପ୍ରତ୍ୟେକ ତ୍ରିଭୁଜ ତଳେ ଜେଲାଟିନ୍‌ ସୂତାଗୁଚ୍ଛ ସହିତ ସୁନେଲି ଫଲ୍‌ରେ ଆବୃତ ଏକ ନଡ଼ିଆ ଝୁଲାଯାଇଥାଏ ।

“୧୦ ଫୁଟର ଗୋଟିଏ ତୋରଣ ତିଆରି କରିବାକୁ ପାଞ୍ଚ ଘଣ୍ଚା ସମୟ ଲାଗିଥାଏ,” ବୋଲି ମୁରଲୀଧର କୁହନ୍ତି । ହେଲେ, ଏବେ ସେ ଆଉ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀର ଅନୁପାଳନ କରନ୍ତିନି । “ଆଓ ଜାଓ, ଘର ତୁହ୍‌ମାରା [ ଆପଣ ଆସନ୍ତୁ, ଆପଣ ଯାଆନ୍ତୁ, ଏହା ଆପଣଙ୍କ ନିଜ ଘର ],"- ହିନ୍ଦୀରେ ପ୍ରଚଳିତ ଏହି ଢଗକୁ ଉଦ୍ଧୃତ କରି ସେ ନିଜ ଇଚ୍ଛାମୁତାବକ ସୁବିଧା ସମୟରେ କାମ କରୁଥିବା କଥା ପ୍ରକାଶ କଲେ।

କାର୍ଯ୍ୟସୂଚୀ ପୂର୍ବଭଳି କଠୋର ନଥାଇପାରେ, ହେଲେ ତ୍ରୁଟିଶୂନ୍ୟ କାର୍ଯ୍ୟ ଏବେ ମଧ୍ୟ ବଜାୟ ରହିଛି । ଘଣ୍ଟା ଘଣ୍ଟା ଧରି କଠୋର ପରିଶ୍ରମ କରିବା ପରେ, ସେ ଗର୍ବ କରନ୍ତି ଯେ ଏହି କଳା କଦାପି ତୁଚ୍ଛ ନୁହେଁ । “କେବଳ ପ୍ଲାଷ୍ଟିକ ଓ ଅନ୍ୟ ହାନିକାରକ ସାମଗ୍ରୀରୁ ନିର୍ମିତ ସେହି ଆଧୁନିକ ତୋରଣଗୁ ଡ଼ିକୁ ଦେଖନ୍ତୁ, ସେସବୁ ର୍ଯ୍ୟାବରଣ [ପରିବେଶ] ପାଇଁ ଖରାପ ଅଟେ ।’’

ସମସ୍ତ ତୋରଣର ଲମ୍ବା ତିନି ରୁ ଦଶ ଫୁଟ ମଧ୍ୟରେ ହେବ – ସବୁଠାରୁ ଛୋଟଗୁଡ଼ିକର ଅଧିକ ଚାହିଦା ରହିଛି । ଏଗୁଡିକ ୧୩୦ -୧୨୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ । ୧୯୯୦ରେ ଏଗୁଡ଼ିକୁ ବିକ୍ରିକରି ପ୍ରତ୍ୟେକ ତୋରଣ ବାବଦକୁ ସେ ୩୦-୩୦୦ ଉପାର୍ଜନ କରୁଥିଲେ ।

PHOTO • Sanket Jain

ମୁରଲୀଧର ସମାନ ଆକାରର ୩୦ଟି ଖଣ୍ଡ କାଟିଲେ ଓ ତା’ପରେ ସେଗୁଡ଼ିକୁ ନିଜର ଅନ୍ତର୍ଜ୍ଞାନ ଲବ୍ଧ ମାପ କରିବା ପ୍ରଣାଳୀ ଆଧାରରେ ନଅଟି ସମବାହୁ ତ୍ରିଭୁଜରେ ରୂପାନ୍ତରିତ କଲେ

ମୁରଲୀଧର ଉଚ୍ଚମାନର ବାସିଙ୍ଗା – ବିବାହ ଉତ୍ସବରେ ଉଭୟ ବର ଓ କନ୍ୟା ସେମାନଙ୍କ କପାଳରେ ଧାରଣ କରୁଥିବା ମୁକୁଟ ପରି ଏକ ଅଳଙ୍କାର- ମଧ୍ୟ ତିଆରି କରନ୍ତି । ଏହାକୁ ଯାତ୍ରା ସମୟରେ (ଗ୍ରାମ୍ୟ ମେଳାରେ) ସ୍ଥାନୀୟ ଦେବାଦେବୀଙ୍କ ନିକଟରେ ମଧ୍ୟ ଅର୍ପଣ କରାଯାଇଥାଏ । ଗୋଟିଏ ହଳ ବାସିଙ୍ଗା ତିଆରି କରିବାକୁ ତାଙ୍କୁ ୯୦ମିନିଟ୍‌ ସମୟ ଲାଗିଥାଏ, ଯାହା ୧୫୦ଟଙ୍କାରେ ବିକ୍ରି ହୋଇଥାଏ । ଏହାର ବିକ୍ରି ପରିମାଣ ଅର୍ଡର ଓ ଋତୁ ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ଥର ଦିୱାଲୀ ସମୟରେ, ଜୱାହିର୍‌ ବାଉଁଶ ଓ ସାଜସଜ୍ଜା ପାଇଁ ବ୍ୟବହାର ହେଉଥିବା କାଗଜ ବ୍ୟବହାର କରି ଲଣ୍ଠନ ମଧ୍ୟ ତିଆରି କରନ୍ତି ।

“ଏହା ବିଧିବିଧାନର ଏକ ଅଂଶ ହୋଇଥିବାରୁ ବାସିଙ୍ଗା ର ଚାହିଦା ବର୍ତ୍ତମାନ ମଧ୍ୟ କମିନି,” ବୋଲି ମୁରଲୀଧର କୁହନ୍ତି । “ହେଲେ, କେବଳ ପର୍ବପର୍ବାଣୀ ଓ ଦିୱାଲୀ , ବିବାହ, ବାସ୍ତୁ ଭଳି ଅବସରରେ ଲୋକମାନେ ତୋରଣ କ୍ରୟ କରିଥାନ୍ତି ।’’

ମୁରଲୀଧର କେବେ ମଧ୍ୟ ତାଙ୍କର କଳାକାମକୁ କୌଣସି ବ୍ୟାପାରୀକୁ (ବେପାରୀ) ବିକ୍ରି କରିନାହାନ୍ତି କାରଣ ସେ ଭାବନ୍ତି ଯେ ଏହାଦ୍ୱାରା ସେ ତାଙ୍କର ଦକ୍ଷତାର ସଦୁପଯୋଗ କରିପାରିବେ ନାହିଁ। “ସେମାନେ ଆମକୁ ଅତିକଷ୍ଟରେ ୬୦ -୭୦ଟଙ୍କା ଦେଇଥାନ୍ତି [ଏକ ତିନି-ଫୁଟ୍‌ର ତୋରଣ ପାଇଁ ] । ଆମକୁ ବେଶୀ ଲାଭ ମିଳେନି କିମ୍ବା ସେମାନେ ସଠିକ୍‌ ସମୟରେ ଟଙ୍କା ପ୍ରଦାନ କରନ୍ତିନି ମଧ୍ୟ,” ବୋଲି ସେ କୁହନ୍ତି । ଯେଉଁ ଗ୍ରାହକମାନେ ଏହା କ୍ରୟ କରିବାକୁ ତାଙ୍କ ଘରକୁ ଆସନ୍ତି, ସେ ସେମାନଙ୍କୁ ସିଧାସଳଖ ଏଗୁଡ଼ିକ ବିକ୍ରି କରିବାକୁ ପସନ୍ଦ କରନ୍ତି ।

ହେଲେ, ବର୍ତ୍ତମାନ ବଜାରରେ ଉପଲବ୍ଧ ହେଉଥିବା ଏହାର ପ୍ଲାଷ୍ଟିକ ବିକଳ୍ପ ଯୋଗୁଁ ଏହି କଳାର ବଞ୍ଚି ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାହା ଅପେକ୍ଷାକୃତ ଶସ୍ତା ଓ ସେଗୁଡ଼ିକୁ ତିଆରି କରିବା ମଧ୍ୟ ସହଜ, ବୋଲି ସେ କୁହନ୍ତି । ସେ ବଡ଼ କଷ୍ଟରେ ମାସକୁ ହାରାହାରି  ୫,୦୦୦ - ୬, ୦୦୦ ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହୋଇପାରନ୍ତି । କୋଭିଡ୍‌ - ୧୯ ମହାମାରୀ ଓ ତାଲାବନ୍ଦ କାରଣରୁ ତାଙ୍କୁ ଅଧିକ ସଂଘର୍ଷ କରିବାକୁ ପଡୁଛି । “ଗତ ଏକମାସ ହେବ, ମୁଁ ଗୋଟିଏ ମଧ୍ୟ ଅର୍ଡର ପାଇନି । ଗତବର୍ଷ ଲକ୍‌ଡାଉନ୍‌ ସମୟରେ, ପାଞ୍ଚମାସ ପର୍ଯ୍ୟନ୍ତ କେହି ଜଣେ ମଧ୍ୟ ତୋରଣ କିଣିବାକୁ ଆସିନଥିଲେ,” ବୋଲି ସେ କୁହନ୍ତି ।

ମୁରଲୀଧର ୧୯୯୪ର ପ୍ଲେଗ୍‌ ବ୍ୟାପିଥିବା ସମୟ କଥା ମନେପକାନ୍ତି ଯେତେବେଳେ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ସେମାନଙ୍କ ଘର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ କୁହାଯାଇଥିଲା । “ ମହାମାରୀ କାରଣରୁ ଆମେ ସମସ୍ତେ ଖୋଲା ପଡ଼ିଆରେ ରହିବାକୁ ଚାଲିଯାଇଥିଲୁ, ଆଉ, ବର୍ତ୍ତମାନ କରୋନା କାରଣରୁ ସମସ୍ତ ଘର ଭିତରେ ରହିବାକୁ କୁହାଯାଉଛି । ସମୟ କିପରି ବଦଳୁଛି ଦେଖନ୍ତୁ,” ବୋଲି ସେ କହିଲେ ।

ବାସ୍ତବରେ ସମୟ ପରିବର୍ତ୍ତନ ହୋଇଯାଇଛି । ମୁରଲୀଧର ତାଙ୍କ ବାପାଙ୍କଠାରୁ ଏହି କୌଶଳ ଶିଖିଥିବା ବେଳେ, ତାଙ୍କ ନିଜ ସନ୍ତାନମାନେ କିନ୍ତୁ ତୋରଣ ନିର୍ମାଣର ବିଭିନ୍ନ କୌଶଳ ଶିଖିବା ପାଇଁ ଆଗ୍ରହୀ ନୁହନ୍ତି । “ଏପରିକି ସେମାନେ କେବେ ମଧ୍ୟ ଖଲ ଛୁଇଁନାହାନ୍ତି ( ତେନ୍ତୁଳି ଅଠା),” ବୋଲି ସେ କୁହନ୍ତି । “ସେମାନେ ଏହି କଳା ବିଷୟରେ କ’ଣ ଜାଣିବେ”? ତାଙ୍କର ଦୁଇ ପୁଅ ଯଥାକ୍ରମେ ୩୬ ବର୍ଷୀୟ ଯୋଗେଶ ଓ ୩ ୪ ବର୍ଷୀୟ ମହେଶ ଏକ ଲାଥ ମେସିନ୍‌ରେ ଦିନ ମଜୁରିଆ ଭାବେ କମ କରନ୍ତି, ଯେତେବେଳେକି ୩୨ ବର୍ଷୀୟ ଝିଅ ଯୋଗୀତା ଗୃହିଣୀ ଅଟନ୍ତି ।

ଅନେକ ଘରର ପ୍ରବେଶ ଦ୍ୱାରର ଶୋଭାବର୍ଦ୍ଧନ କରୁଥିବା ତୋରଣ ଓ ଅନେକଙ୍କ କପାଳରେ ପିନ୍ଧା ଯାଇଥିବା ବାସିଙ୍ଗା ନିର୍ମାଣରେ ପ୍ରାୟ ଛଅ ଦଶନ୍ଧିରୁ ଅଧିକ ସମୟ କଠୋର ପରିଶ୍ରମ କରି ଅତିବାହିତ କରିବା ପରେ, ମୁରଲୀଧରଙ୍କ ପାଖରେ ଏପରି କେହି ନାହିଁ ଯାହାକୁ ସେ ଏହି କଳା ବଞ୍ଚାଇ ରଖିବା ପାଇଁ ଏହି କଳା ଶିଖାଇପାରିବେ । “ଆମେମାନେ ବର୍ତ୍ତମାନ ଅଲୋଡ଼ାବସ୍ତୁ ହୋଇଗଲୁ,” ବୋଲି ସେ ସ୍ମିତ ହସି କୁହନ୍ତି ।

PHOTO • Sanket Jain

ତା ପରେ ସେ କଇଁଚିରେ କାଗଜ କାଟିବାକୁ ଆରମ୍ଭ କରନ୍ତି : ‘ ଆମ ମଧ୍ୟରୁ କେହି କେବେ କୌଣସି ମାପିବା ଉପକରଣ ବ୍ୟବହାର କରିନାହାନ୍ତି । ମାପିବା ଦରକାର ପ ଡ଼େ ନାହିଁ । ଏହାସବୁ ଆମ ସ୍ମୃତିରେ ରହିଛି

PHOTO • Sanket Jain

ତ୍ରିକୋଣୀୟ ଫ୍ରେମ୍‌ଗୁ ଡ଼ି କ ଯେପରି ଭାଙ୍ଗିନଯିବ , ତାହା ନିଶ୍ଚିତ କରିବାକୁ ମୁରଲୀଧର ସଂଯୋଗସ୍ଥଳରେ ଥିବା କାଠିଗୁ ଡ଼ି କୁ ଏକ ମୋଟା କଟନ୍‌ ସୂତାରେ ବାନ୍ଧି ଦିଅନ୍ତି

PHOTO • Sanket Jain

ମୁରଲୀଧର ବାରମ୍ବାର ତାଙ୍କ ଅଙ୍ଗୁଳିଗୁଡ଼ିକୁ ଏକ ପୁରୁଣା ଆଲୁମିନିୟମ୍‌ ପାତ୍ରରେ, ଯେଉଁଥିରେ ଖଲ ରହିଥାଏ, ବୁଡ଼ାନ୍ତି

PHOTO • Sanket Jain

ଫ୍ରେମ୍‌ ଯେପରି ବିକୃତ ହୋଇନଯାଏ, ତାହା ନିଶ୍ଚିତ କରିବାକୁ ମୁରଲୀଧର ସେଥିରେ  ଖଲ  - ତେନ୍ତୁଳି ମଞ୍ଜିକୁ ଗୁଣ୍ଡ କରି ପ୍ରସ୍ତୁତ  କରାଯାଉଥିବା ଏକ ପ୍ରକାରର ଅଠା – ପ୍ରୟୋଗ କରନ୍ତି

PHOTO • Sanket Jain

ଗୋଟିଏ ବାଉଁଶ ଗୁଚ୍ଛା ଫ୍ରେମ୍‌ ତିଆରି କରିବାକୁ ତାଙ୍କୁ ମାତ୍ର ୨୦ ମିନିଟ୍‌ ସମୟ ଲାଗିଥାଏ, ଯାହାକୁ କଣ୍ଟା ସାହାଯ୍ୟରେ ଏକ ମୋଟା ବାଉଁଶ ବାଡ଼ିରେ ଲଗାଯାଇଥାଏ

PHOTO • Sanket Jain

ମୁରଲୀଧରଙ୍କ ସହିତ ଶୋଭାଙ୍କ ବିବାହ ହେବା ପରଠାରୁ ଶୋଭା ହସ୍ତ ତିଆରି ତୋରଣ ନିର୍ମାଣ କାମ କରିବା ଆରମ୍ଭ କରିଥିଲେ – ଏହା ତାଙ୍କ ପରିବାରର କୌଳିକ ବୃତ୍ତି ଅଟେ

PHOTO • Sanket Jain

ଘରର ଯାବତୀୟ କାମ ସାରିବା ପରେ , ଶୋଭା ଜେଲାଟିନ୍‌ ସିଟ୍‌କୁ ବୁଣି କାଗଜ ସୂତାଗୁଚ୍ଛ ପ୍ରସ୍ତୁତ କରିବା ଆରମ୍ଭ କରନ୍ତି

PHOTO • Sanket Jain

ମୁରଲୀଧର ଓ ଶୋଭା ସେମାନଙ୍କ ପାଖରେ ୧୦୦ରୁ ଅଧିକ ‘ଛତା’ ଗଚ୍ଛିତ କରି ରଖିଛନ୍ତି, ଯାହାକୁ ତୋରଣରେ ସାଜସଜ୍ଜା ଜିନିଷ ଭଳି ବ୍ୟବହାର କରାଯାଏ

PHOTO • Sanket Jain

ମୁରଲୀଧର ତାଙ୍କ ହତା ମଧ୍ୟରେ ତୋରଣଗୁ ଡ଼ି କ ପ୍ରଦର୍ଶନ କରୁଛନ୍ତି କାଳେ କିଏ ଏହା କିଣିବାକୁ ଚାହିଁବ , ସେଇ ଆଶାରେ

PHOTO • Sanket Jain

ମୁରଲୀଧର ଏହି କଳା ତାଙ୍କ ବାପାଙ୍କଠାରୁ ଶିଖିଥିବାବେଳେ ତାଙ୍କର ନିଜ ପିଲାମାନେ କିନ୍ତୁ ହାତ ତିଆରି ଏହି ତୋରଣର ଜଟିଳତା ବିଷୟରେ ଜାଣିବାକୁ ଆଗ୍ରହୀ ନୁହନ୍ତି

PHOTO • Sanket Jain

ଜୱାହିର୍‌ମାନେ ବା ସିଙ୍ଗା ମଧ୍ୟ ତିଆରି କରିଥାନ୍ତି , ମୁକୁଟ ପରି ଏକ ଗହଣା ଯାହା ବିବାହ ସମାରୋହରେ ଉଭୟ ବର ଓ କନ୍ୟା ସେମାନଙ୍କ କପାଳରେ ପିନ୍ଧିଥାନ୍ତି

PHOTO • Sanket Jain

ଗୋଟିଏ ସେଟ୍‌ କାଗଜ ବାସିଙ୍ଗା ତିଆରି କରିବାକୁ ସେମାନଙ୍କୁ ୯୦ ମିନିଟ୍‌ ସମୟ ଲାଗିଥାଏ ଯାହା ୧୫୦ଟଙ୍କାରେ ବିକ୍ରି ହୋଇଥାଏ ।  ସେ କେତେ ଯୋ ଡ଼ା ବିକ୍ରି କରିବେ , ତାହା ଅର୍ଡର ଓ ଋତୁ ଉପରେ ନିର୍ଭର କରିଥାଏ

PHOTO • Sanket Jain

ଯାତ୍ରାଗୁଡ଼ିକରେ ମଧ୍ୟ ସ୍ଥାନୀୟ ଦେବାଦେବୀଙ୍କ ନିକଟରେ ବାସିଙ୍ଗା ଅର୍ପଣ କରାଯାଏ (ଗ୍ରାମ ମେଳା)। ହେଲେ, ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ କଠୋର ପରିଶ୍ରମ କରି ଏହି ଜଟିଳ କଳାକୃତି ପ୍ରସ୍ତୁତ କରିବାରେ ବିତାଇବା ପରେ, ମୁରଲୀଧରଙ୍କ ପାଖରେ ଏପରି କେହି ନାହିଁ ଯାହାକୁ ସେ ଏହି କଳା ଶିକ୍ଷା ଦାନ କରି ଏହାକୁ ବଞ୍ଚାଇ ରଖିପାରିବେ

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE