“କରୋନା କାରଣରୁ ଏ ପର୍ଯ୍ୟନ୍ତ ମୁଁ ଦୁର୍ଗା ମୂର୍ତ୍ତି ପାଇଁ କୌଣସି ଅର୍ଡର ପାଇନାହିଁ । କିନ୍ତୁ ମୁଁ ନିଜ ଇଚ୍ଛାରେ କେତେକ ମୂର୍ତ୍ତି ଗଢ଼ିଛି । ଆଶା କରୁଛି, ସେଗୁଡ଼ିକ ବିକ୍ରି ହୋଇଯିବ,” ଏହା କହିଲେ କୁମ୍ଭକାର ଓ ମୂର୍ତ୍ତି କାରିଗରମାନଙ୍କ ଅଞ୍ଚଳ ରୂପେ ଖ୍ୟାତିପ୍ରାପ୍ତ, ଉତ୍ତର କୋଲକାତାର କୁମାରଟୁଲିରେ ଥିବା କ୍ରିଷ୍ଣା ଷ୍ଟୁଡିଓର ତାପସ ପାଲ । କଥା ଯୋଡ଼ି ସେ କହିଲେ, “ଆପଣ ମୋତେ ଆଠ ବର୍ଷରୁ ଅଧିକ ସମୟ ହେଲା ଜାଣିଛନ୍ତି । ଜୁନ୍‌ ମାସ ଅଧାରେ ମୋ ଷ୍ଟୁଡିଓ କେବେହେଲେ ବିନା ମୂର୍ତ୍ତିରେ ଥିବା ଦେଖିଛନ୍ତି କି ?”

ଏତେ ବେଳକୁ କୁମାରଟୁଲିରେ ଥିବା ମୋଟାମୋଟି ୪୫୦ଟି ଷ୍ଟୁଡିଓ (ସ୍ଥାନୀୟ କାରିଗର ସଂଘରେ ସଦସ୍ୟ ଭାବେ ପଞ୍ଜୀକୃତ) ବାଉଁଶ ଆଉ କୁଟାରେ ତିଆରି ଛାଞ୍ଚରେ ଭରି ଯାଇଥାଆନ୍ତା ଏବଂ ପରେ ଏହି ଛାଞ୍ଚ ଉପରେ ମାଟି ଦେଇ ମୂର୍ତ୍ତି ଗଢ଼ା ହୋଇଥାଆନ୍ତା । ଅକ୍ଟୋବର ମାସରେ ଦୁର୍ଗା ପୂଜା ଉତ୍ସବ ପାଳନର କେଇ ସପ୍ତାହ ପୂର୍ବରୁ ଏହି ମୂର୍ତ୍ତିଗୁଡ଼ିକୁ ରଙ୍ଗ ଓ ଅଳଙ୍କାରରେ ସଜେଇ ଦିଆଯାଇଥାଏ । (ପଢ଼ନ୍ତୁ ଯାତ୍ରାପଥରେ କୁମାରତୁଲି)

ପ୍ରତି ବର୍ଷ ମାର୍ଚ୍ଚ/ଏପ୍ରିଲ ମାସ ସୁଦ୍ଧା ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । କିନ୍ତୁ ଏଥର କୋଭିଡ୍‌-୧୯ ସର୍ବବ୍ୟାପୀ ମହାମାରୀ ଯୋଗୁଁ କୁମାରଟୁଲିର ଏହି କାର୍ଯ୍ୟ ନିର୍ଘଣ୍ଟ ଅଟକି ଯାଇଛି । ଗତ ୨୦ ବର୍ଷ ହେଲା ଏଠାରେ ମୂର୍ତ୍ତି ଗଢ଼ିଆସୁଥିବା ମୃତ୍ୟୁଞ୍ଜୟ ମିତ୍ର କହିଲେ, “ଏହା ଆମ ପାଇଁ ଏକ ଭୟଙ୍କର ବର୍ଷ । ଏପ୍ରିଲ ମାସରୁ ହିଁ ଆମର କ୍ଷତି ବଢ଼ିବାରେ ଲାଗିଲା । ପ୍ରଥମେ ବଙ୍ଗଳା ନୂଆ ବର୍ଷ (ପଇଲା ବୈଶାଖ, ଏ ବର୍ଷ ଏପ୍ରିଲ ୧୫ରେ ) ଅବସରରେ ଘରେ ସ୍ଥାପନ କରିବା ପାଇଁ ଗଢ଼ା ହୋଇଥିବା ଦେବୀ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ବିକ୍ରି ହେଲା ନାହିଁ । ପୂରା କଲୋନିରେ ପ୍ରାୟ ୧୦୦ଟି ମୂର୍ତ୍ତି ଗଢ଼ା ହୋଇଥିଲା । ହେଲେ ମାତ୍ର ୮-୧୦ଟି ବିକ୍ରି ହେଲା । ଏଥିରେ ଲାଗିଥିବା ସବୁ ଟଙ୍କା ପାଣିରେ ପଡ଼ିଲା । ଏବେ ଦୁର୍ଗା ମୂର୍ତ୍ତି ଗଢ଼ିବାକୁ ମୋତେ ଏ ପର୍ଯ୍ୟନ୍ତ କୌଣସି ଅର୍ଡର ମିଳିନାହିଁ ।”

କୁମାରଟୁଲିରେ ତାଙ୍କ ଭଳି କୁମ୍ଭକାରମାନେ ୧୮ଶ ଶତାବ୍ଦୀରୁ ହିଁ ମାଟିରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଗଢ଼ି ଆସୁଛନ୍ତି । ସେ ସମୟରେ କୋଲକାତାର ଧନୀ ଜମିଦାର ଓ ବ୍ୟବସାୟୀମାନେ, ନିଜ ନିଜ ପରିବାରରେ ବାର୍ଷିକ ଦୁର୍ଗା ପୂଜା ଉତ୍ସବ ପାଳନ ନିମନ୍ତେ ସେମାନଙ୍କୁ ମୂର୍ତ୍ତି ଗଢ଼ିବା କାମରେ ନିୟୋଜନ କରିବା ଆରମ୍ଭ କରିଥିଲେ । ଏହି କାରିଗରମାନଙ୍କ ମଧ୍ୟରୁ ଅଧିକାଂଶ ନଦିୟା ଜିଲ୍ଲାର କ୍ରିଷ୍ଣନଗର ସହରରୁ ଆସିଥିଲେ । କୋଲକାତା ନଗରୀରେ ସେମାନଙ୍କ କଳାକୃତିର ଚାହିଦା ବଢ଼ିବାରେ ଲାଗିବାରୁ ଉତ୍ତର କୋଲକାତାର ହୁଗୁଳି ନଦୀ ତଟରେ ସେମାନେ ବସବାସ କରିଥିଲେ ।

ଜୁନ୍‌ ୧୮ ତାରିଖ ଦିନ ମୁଁ ଯେତେବେଳେ ଏହି ବିଖ୍ୟାତ କୁମ୍ଭକାର ବସତିରେ ପହଞ୍ଚିଲି, କୋଲକାତା ପୌର ନିଗମର କର୍ମଚାରୀମାନେ ମେ ୨୦ରେ ସହରରେ ଖଣ୍ଡପ୍ରଳୟ ସୃଷ୍ଟି କରିଥିବା ଆମ୍ଫାନ ଝଡ଼ବାତ୍ୟାରେ ଉପୁଡ଼ି ପଡ଼ିଥିବା ଗୋଟିଏ ଗଛକୁ ସଫା କରୁଥିଲେ । ଅନ୍ୟ ସମୟରେ ଗହଳଚହଳ ଲାଗି ରହୁଥିବା ଏହି ଅଞ୍ଚଳରେ ନିରବତା ରାଜୁତି କରୁଥିଲା ଏବଂ ଅଧିକାଂଶ କାରିଗରଙ୍କ ଷ୍ଟୁଡିଓ ବନ୍ଦ ରହିଥିଲା । ଯେଉଁ କେତେକ ଖୋଲିଥିଲା, ସେଠାରେ ବି କାମ କରିବା ଲାଗି କୌଣସି ମୂର୍ତ୍ତି ନଥିଲା । ରାସ୍ତା ଉପରେ ଭଙ୍ଗା ଓ ଅଧାଗଢ଼ା ଦେବଦେବୀଙ୍କ ମୂର୍ତ୍ତି ସବୁ ପଡ଼ି ରହିଥିଲା । ଅତୀତରେ କୌଣସି ବର୍ଷର ଜୁନ୍‌ ମାସ ଭଳି ଏ ମାସଟି ଆଦୌ ନଥିଲା । ମୂର୍ତ୍ତିରେ ଲାଗିବା ପାଇଁ ଅଳଙ୍କାର ବିକ୍ରି କରିବାକୁ ଦୋକାନ ଖୋଲିଥିଲା କିନ୍ତୁ, ସେଠାରେ କୌଣସି ଗ୍ରାହକ ନଥିଲେ ।

କୁମାରଟୁଲିରେ ମୁଁ ସାକ୍ଷାତ କରିଥିବା କାରିଗରମାନେ ମୋତେ କହିଲେ ଯେ ୨୦୧୯ରେ ସାମୂହିକ ଭାବେ ସେମାନେ ୪୦ କୋଟି ଟଙ୍କାର କାରବାର କରିଥିଲେ । ଏହାର ଏକ ବଡ଼ ଭାଗ ଦୁର୍ଗା ମୂର୍ତ୍ତି ବିକ୍ରିରୁ ହିଁ ଆସିଥିଲା । ସେମାନେ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ଗଢ଼ନ୍ତି । ବେଳେବେଳେ ସିନେମା ପାଇଁ ମାଟିର ମୂର୍ତ୍ତି ଗଢ଼ିବା କାମରେ ସେମାନେ ନିୟୋଜିତ ହୁଅନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ମାଟି ପାତ୍ର ଏବଂ ବାସନକୁସନ ମଧ୍ୟ ତିଆରି କରନ୍ତି । ଏ ବର୍ଷ ବିକ୍ରି ବଢ଼ିବ ବୋଲି ସେମାନେ ଆଶା ରଖିଥିଲେ, କିନ୍ତୁ ତା ଥିଲା, କୋଭିଡ୍‌-୧୯ ଯୋଗୁଁ ସବୁକିଛି ଅଚଳ ହୋଇଯିବା ପୂର୍ବର କଥା ।

PHOTO • Ritayan Mukherjee

କୁମାରଟୁଲିର ରାସ୍ତାରେ ଦେବୀ ଦୁର୍ଗା ଓ ଅନ୍ୟ ଦେବଦେବୀଙ୍କ ଅଧାଗଢ଼ା ମାଟି ମୂର୍ତ୍ତି ପଡ଼ି ରହିଛି । କୁମ୍ଭକାରମାନେ କହନ୍ତି ଯେ. ଏ ବର୍ଷ ଅନ୍ୟ ବର୍ଷ ଭଳି ସ୍ଵାଭାବିକ ବ୍ୟବସାୟ ହୋଇନାହିଁ

ବିଡ଼ିଟିଏ ଟାଣୁ ଟାଣୁ ମୃତ୍ୟୁଞ୍ଜୟ ମୋତେ କହିଲେ ଯେ, ଏ ବର୍ଷ ଜୁନ ୨୩ରେ ପାଳିତ ହେବାକୁ ଥିବା ଜଗନ୍ନାଥଙ୍କ ରଥଯାତ୍ରା ଦିନ ଅର୍ଡର ମିଳିବ ବୋଲି ସେମାନଙ୍କ ମଧ୍ୟରୁ ଅନେକ ଆଶା କରିଥିଲେ । କାରଣ ଏହି ଦିନ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ବୋଲି ଧରିନିଆଯାଏ । ସେ କହିଲେ, “କିନ୍ତୁ ମୋର ସନ୍ଦେହ ହେଉଛି”, ଏମିତି କି ବ୍ୟାଙ୍କଗୁଡ଼ିକ ବି ଆମ ବ୍ୟବସାୟକୁ  ଲାଭଦାୟକ ବୋଲି ଆଉ ବିଚାର କରୁନାହାନ୍ତି । କେହି ଆମକୁ ଋଣ (ସ୍ଵଳ୍ପ ମିଆଦି) ଦେଉନାହାନ୍ତି । ଆମକୁ ନିଜ ହାତରୁ (ପ୍ରତି ବର୍ଷ) ପ୍ରାୟ ୭ ଲକ୍ଷ ଟଙ୍କା ଲଗାଇବାକୁ ପଡ଼ିଥାଏ, ଯାହାକି ଆଠ ମାସ ଧରି (ମାର୍ଚ୍ଚରୁ ଅକ୍ଟୋବର) ଲଟକି ରହେ। ତେଣୁ ଆମ ପାଖରେ ରୋଜଗାର ପାଇଁ ଆଉ ପ୍ରାୟ ଚାରି ମାସ ବାକି ରହିଛି ଏବଂ ସେହି ଅର୍ଥରେ ପୂରା ବର୍ଷେ ଚଳିବାର ଅଛି । ଏ ବର୍ଷ ଏହା କିପରି ସମ୍ଭବ ହେବ ?” 

କାରିଗରମାନଙ୍କ ଦ୍ଵାରା ଭିନ୍ନ ଭିନ୍ନ ଆକାରର ଏବଂ ମୂଲ୍ୟର ଦୁର୍ଗା ମୂର୍ତ୍ତି ନିର୍ମିତ ହୁଏ । ଗୋଟିଏ ପରିବାର ପାଇଁ ୬ ଫୁଟ ଉଚ୍ଚତାର ଏକ ମୂର୍ତ୍ତି ପ୍ରାୟ ୩୦,୦୦୦ ଟଙ୍କାରେ ବିକ୍ରି ହୁଏ । ଅଧିକ ଉଚ୍ଚତାର ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ପାଇଁ ସାରା ସହରର ବିଭିନ୍ନ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲ କମିଟି ପକ୍ଷରୁ ଅର୍ଡର ମିଳେ । ହାରାହାରି ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଗୋଟିଏ ଗୋଟିଏ ମୂର୍ତ୍ତିର ମୂଲ୍ୟ ୧ରୁ ୨ ଲକ୍ଷ ଟଙ୍କା ଭିତରେ ହୋଇଥାଏ ।

ରଥଯାତ୍ରା ପାଇଁ ପ୍ରବୀଣ ମୂର୍ତ୍ତିଶିଳ୍ପୀ କାର୍ତ୍ତିକ ପାଲଙ୍କୁ କେତେକ ମୂର୍ତ୍ତି ନିର୍ମାଣର ଅର୍ଡର ମିଳିଥିଲା । ସେ କହିଲେ, “ସେଗୁଡ଼ିକ ପାରିବାରିକ ପୂଜା ନିମନ୍ତେ । କିନ୍ତୁ ବଡ଼ ବଡ଼ ପୂଜା କମିଟି (ପେଣ୍ଡାଲ) ନିରବ ରହିଛନ୍ତି । ଆଜିଠାରୁ ଆଗକୁ ସ୍ଥିତି ବଦଳିବ ବୋଲି ମୁଁ ଆଶାବାଦୀ । କିନ୍ତୁ ଏକଥା ନିଶ୍ଚିତ ଯେ, ଏହା ପୂର୍ବ ବର୍ଷଗୁଡ଼ିକ ଭଳି ହେବନାହିଁ ।”

ହୁଏତ ପାଲ୍‌ ଠିକ୍‌ କହୁଛନ୍ତି । କୁମାରଟୁଲିରେ ପ୍ରତି ବର୍ଷ ପେଣ୍ଡାଲ ପ୍ରତିଷ୍ଠା କରୁଥିବା କମିଟିର ମୁଖ୍ୟ ନିମାଇ ଚନ୍ଦ୍ର ପାଲ୍‌ଙ୍କ ମତରେ ଏଥର ପୂଜା ଋତୁରେ କାରିଗରମାନେ କ୍ଷତି ସହିବେ । ସେ କହିଲେ, “ପ୍ରତି ବର୍ଷ ଆମେ ୩୦-୪୦ ଲକ୍ଷ ଟଙ୍କାର ବଜେଟ୍‌ କରୁ। ବିଭିନ୍ନ ପ୍ରାୟୋଜକ କମ୍ପାନୀରୁ ଅଧିକ ଭାଗ ପାଣ୍ଠି ମିଳିଥାଏ। ଏ ବର୍ଷ କେହି ହେଲେ ସେଥିପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି । ଆମେ ମୂର୍ତ୍ତି କାରିଗରମାନଙ୍କୁ କିଛି ଅଗ୍ରୀମ ଟଙ୍କା ଦେଇଥିଲୁ। କିନ୍ତୁ ତା ପରେ ଅର୍ଡର ବାତିଲ କରିଦେଲୁ ।” ଏଥର ଖୁବ୍‌ କମ୍‌ ବଜେଟ୍‌ରେ ପୂଜା ଉତ୍ସବ ପାଳନ କରିବା ପାଇଁ ପାଲ୍‌ଙ୍କ କମିଟି ସ୍ଥିର କରିଛନ୍ତି । “ମୁଁ ନିଶ୍ଚିତ ଯେ, ଅନ୍ୟ ବଡ଼ ବଡ଼ କମିଟି ମଧ୍ୟ ତାହା ହିଁ କରିବେ।”

ମୂର୍ତ୍ତି ପାଇଁ ଅର୍ଡର ଅଭାବ ସାଙ୍ଗକୁ କାରିଗରମାନଙ୍କର ଅନ୍ୟାନ୍ୟ ସମସ୍ୟା ବି ରହିଛି । “ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା କାରଣରୁ ଦିନ ମଜୁରିଆମାନେ (ମୂର୍ତ୍ତି କାରିଗରଙ୍କ ସହଯୋଗୀ) କାମ କରିବାକୁ ଆସି ପାରିବେନି । ସେମାନେ ବିଭିନ୍ନ ଦୂରବର୍ତ୍ତୀ ଜିଲ୍ଲାରୁ ଆସିଥାଆନ୍ତି । ତା ସାଙ୍ଗକୁ, ଲକ୍‌ଡାଉନ୍‌ ଏବଂ ଆମ୍ଫାନ ଯୋଗୁଁ କଞ୍ଚାମାଲର ଦର ପ୍ରାୟ ୩୦-୪୦ ପ୍ରତିଶତ ବୃଦ୍ଧି ପାଇଛି । କ୍ଷତିଭରଣା କରିବାକୁ ଆମ ପାଖରେ ସୁଯୋଗ କାହିଁ ?” ବିସ୍ମୟ ଭାବରେ ଏ ପ୍ରଶ୍ନ ପଚାରନ୍ତି କାର୍ତ୍ତିକ । ତାଙ୍କ ପାଖରେ ବସିଥିବା ମିଣ୍ଟୁ ପାଲ କହିଲେ ଯେ, କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ଏବଂ ଆମ୍ଫାନ୍‌ ପରେ କୁମାରଟୁଲିର କାରିଗରମାନଙ୍କୁ ଖାଦ୍ୟ ସାମଗ୍ରୀ ଦେଇ ସହଯୋଗ କରିଥିବା ପୂଜା କମିଟିଗୁଡ଼ିକ ପାଖରେ ସେମାନେ କୃତଜ୍ଞ ।

ମହୀନ ପାଲ କହିଲେ, “ଦେବୀଙ୍କ ଶରୀରରେ ଆପଣ ଯେଉଁ ସୁନ୍ଦର ଅଳଙ୍କାର ସବୁ ଦେଖୁଛନ୍ତି, ସେଗୁଡ଼ିକ ନଦିୟା ଏବଂ ହୁଗୁଳି ଜିଲ୍ଲାର ବିଭିନ୍ନ ଗାଁରେ ଗଢ଼ା ହୋଇଛି ”। ସେମାନଙ୍କର ନିର୍ମାତାମାନେ ମଧ୍ୟ ଚାକିରି କରନ୍ତି। “ମୂର୍ତ୍ତିରେ ଲାଗିବା ପାଇଁ କୃତ୍ରିମ କେଶ ପ୍ରସ୍ତୁତ କରିବାରେ ପ୍ରାୟ ୬୦-୭୦ଟି ପରିବାର କାମ କରନ୍ତି । ସେମାନଙ୍କ ଅବସ୍ଥା ବି ଭଲନାହିଁ । କାଦୁଅ ତିଆରି ପାଇଁ ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ୨୪ ପ୍ରଗଣା ଏବଂ ମାଲଦା ଜିଲ୍ଲାରୁ ମାଟି ଆସିଥାଏ । ଏହା ଡଙ୍ଗାରେ ଆସି ପହଞ୍ଚେ । ଯେଉଁଦିନ ମଜୁରିଆମାନେ ମାଟି ପରିବହନ କରନ୍ତି, ଏବେ ସେମାନଙ୍କର କୌଣସି ରୋଜଗାର ନାହିଁ ।”
PHOTO • Ritayan Mukherjee

ଜଣେ ମୂର୍ତ୍ତି କାରିଗର ବାଉଁଶ ଓ କୁଟାରେ ତିଆରି ଛାଞ୍ଚ ଉପରେ ମାଟିର ପ୍ରଲେପ ଦେଉଛନ୍ତି । ମୂର୍ତ୍ତି ଗଢ଼ିବା ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏଥିରେ କୌଶଳ ଓ ସମୟ ଆବଶ୍ୟକ ହୁଏ । ଗତ ବର୍ଷ କୁମାରଟୁଲିର କାରିଗରମାନେ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିଲେ

PHOTO • Ritayan Mukherjee

ମୂର୍ତ୍ତିଗୁଡ଼ିକର କାମ ସରିଯିବା ପରେ ସେଗୁଡ଼ିକୁ ସୁଦୀର୍ଘ ବର୍ଷା ଋତୁରେ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ୍‌ରେ ଘୋଡ଼େଇ ଷ୍ଟୁଡିଓରେ ରଖିଦିଆଯାଏ । ଶରତ ଋତୁରେ ଦୁର୍ଗାପୂଜା ଉତ୍ସବ ପାଳନ ପର୍ଯ୍ୟନ୍ତ ମୂର୍ତ୍ତିଗୁଡ଼ିକୁ ସୁରକ୍ଷିତ ରଖିବା କାରିଗରମାନଙ୍କ ପାଇଁ ଦୁରୂହ ବ୍ୟାପାର

PHOTO • Ritayan Mukherjee

କୁମାରଟୁଲିର ଜଣେ କାରିଗରଙ୍କ ଗୋଦାମ ବାହାରେ ଗଦା ହୋଇରହିଥିବା ଅନେକ ଅଧାଗଢ଼ା ମୂର୍ତ୍ତି । ମାର୍ଚ୍ଚ ଶେଷଭାଗରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଆରମ୍ଭ ହେବା ଦିନଠାରୁ କାରିଗରମାନଙ୍କ ମୂର୍ତ୍ତିର ଚାହିଦା ଉପୁଜି ନାହିଁ

PHOTO • Ritayan Mukherjee

ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି ନିର୍ମାଣରେ କୁମାରଟୁଲିର ମିଣ୍ଟୁ ପାଲଙ୍କ ଷ୍ଟୁଡିଓର ବିଶେଷ ଦକ୍ଷତା ରହିଛି ଏବଂ ସିନେମା ସେଟ୍‌ ପାଇଁ ମଧ୍ୟ ତାଙ୍କୁ ଅର୍ଡର ମିଳିଥାଏ । କିନ୍ତୁ ଲକ୍‌ଡାଉନ୍‌ ସମୟରେ ସିନେମା ସୁଟିଂ ମଧ୍ୟ ବନ୍ଦ ରହିଥିବାରୁ ସେମାନଙ୍କ ବ୍ୟବସାୟ ଗୁରୁତର କ୍ଷତିଗ୍ରସ୍ତ ହୋଇଛି

PHOTO • Ritayan Mukherjee

କୁମାରଟୁଲିର ଏହି ମୂର୍ତ୍ତି କାମରେ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡର ଦିନ ମଜୁରିଆମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ସେମାନେ ମାଟି ଓ ମୂର୍ତ୍ତି ନେବାଆଣିବା କରନ୍ତି ଏବଂ କଠିନ ଶାରୀରିକ ପରିଶ୍ରମ ଆବଶ୍ୟକ ହେଉଥିବା ବିଭିନ୍ନ କାମ କରନ୍ତି । ଲକ୍‌ଡାଉନ୍‌ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଘରକୁ ଫେରିଯାଇଛନ୍ତି । କାଳେ ଆଉ ସେମାନେ ଫେରିବେନି ବୋଲି ମୂର୍ତ୍ତି କାରିଗରମାନେ ଚିନ୍ତିତ

PHOTO • Ritayan Mukherjee

ଗ୍ରାମାଞ୍ଚଳ ବଙ୍ଗର ହସ୍ତଶିଳ୍ପ କାରିଗରମାନେ ଦୁର୍ଗା ପୂଜା ପାଇଁ ତିଆରି କରୁଥିବା ସାମଗ୍ରୀକୁ ସହରରେ ବିକିବା ପାଇଁ ଆଣନ୍ତି । ଏ ବର୍ଷ ଯଦି ମୂର୍ତ୍ତିର ଚାହିଦା କମ ରହେ ଏବଂ ନିରାଡମ୍ବର ଭାବେ ଉତ୍ସବ ପାଳନ ଲାଗି ବିଭିନ୍ନ ପୂଜା କମିଟି ସ୍ଥିର କରନ୍ତି, ତେବେ ସେମାନଙ୍କ ରୋଜଗାର କ୍ଷତିଗ୍ରସ୍ତ ହେବ

PHOTO • Ritayan Mukherjee

କୁମାରଟୁଲିର ବ୍ୟସ୍ତବହୁଳ ଗଳିକନ୍ଦି ଏ ବର୍ଷ ନିସ୍ତବ୍‌ଧ ହୋଇଯାଇଛି, ବିକ୍ରି ହୋଇପାରି ନଥିବା ଅଧାଗଢ଼ା ମୂର୍ତ୍ତି ଓ ପ୍ରତିମା ସବୁ ଗଦା ହୋଇ ରହିଛି, ତଥାପି, କାଳେ କେହି ଗରାଖ ମିଳିଯିବେ ବୋଲି ଆଶା ନେଇ ଏହି ବୟସ୍କ ବେଲୁନ୍‌ ବିକାଳିଙ୍କ ଭଳି କେତେକ ବୁଲାବିକାଳି ଏଣେତେଣେ ବୁଲୁଛନ୍ତି

PHOTO • Ritayan Mukherjee

କୁମାରଟୁଲିର ସବୁ ସ୍ଥାନରେ କୋଭିଡ୍‌-୧୯ର ପ୍ରଭାବ ଦେଖିବାକୁ ମିଳୁଛି । ଅନ୍ୟ ସମୟରେ ହୁଏତ ଏଭଳି ବିକ୍ରି ହୋଇ ନଥିବା ମୂର୍ତ୍ତି ଏବଂ ଭଙ୍ଗା ପ୍ରତିମା ରାସ୍ତା ଉପରେ ରହିଥିବାର ଦୃଶ୍ୟ ଦେଖିବାକୁ ମିଳି ନଥାନ୍ତା

PHOTO • Ritayan Mukherjee

ଜଣେ କଳାକାର ଦେବୀ ଦୁର୍ଗାଙ୍କର ଗୋଟିଏ  ଚାଲଚିତ୍ର- ମୂର୍ତ୍ତି ପଛରେ ଶୋଭା ପାଉଥିବା ରଙ୍ଗିନ ମେଢ଼କୁ ବୋହି ନେଉଛନ୍ତି । ଦୂର୍ଗାଙ୍କ ମୂର୍ତ୍ତିର ଶୋଭାକୁ ଗୌଣ ନକରିବା ଉଦ୍ଦେଶ୍ୟରେ ଏହାକୁ ସରଳ ଏବଂ ସୂକ୍ଷ୍ମକାମ ସହିତ ତିଆରି କରାଯାଇଥାଏ । ସମୟକ୍ରମେ, ନୂଆ ନୂଆ ବିଷୟବସ୍ତୁ ଭିତ୍ତିକ ପେଣ୍ଡାଲ ଡିଜାଇନ ପ୍ରସ୍ତୁତି ସହିତ ଚାଲଚିତ୍ରର ଚାହିଦା କମିବାରେ ଲାଗିଛି

PHOTO • Ritayan Mukherjee

କୁମାରଟୁଲିର ଏକ ପ୍ରମୁଖ ଷ୍ଟୁଡିଓ, ଜି.ପାଲ୍‌ ଆଣ୍ଡ ସନ୍‌ସରେ କାରବାର ମାନ୍ଦା ହୋଇଯାଇଛି । ମାର୍ବଲ ପଥରରେ ଦେବଦେବୀ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କର ବଡ଼ ବଡ଼ ମୂର୍ତ୍ତି ତିଆରି ଲାଗି ପ୍ରସିଦ୍ଧ ଏହି ଷ୍ଟୁଡିଓର କଳାକୃତି ଭାରତର ବିଭିନ୍ନ ଭାଗରେ ବିକ୍ରି ହୁଏ ଏବଂ ବିଦେଶକୁ ରପ୍ତାନୀ ମଧ୍ୟ କରାଯାଏ । ହେଲେ ବିଶ୍ଵବ୍ୟାପୀ ମହାମାରୀ ଯୋଗୁଁ ପରିବହନ କ୍ଷେତ୍ରରେ କଟକଣା ଲାଗୁ ହୋଇଥିବାରୁ ଏହି କାରବାର କ୍ଷତିଗ୍ରସ୍ତ ହୋଇଛି

PHOTO • Ritayan Mukherjee

କୁମାରଟୁଲିର ସଂକୀର୍ଣ୍ଣ ଗଳିରାସ୍ତା- ସାଧାରଣତଃ ଜୁନ୍‌ ମାସରେ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସରଗରମ ହୋଇଉଠେ-କିନ୍ତୁ ଏ ବର୍ଷର ସେହି ଦିନରେ ମଧ୍ୟ ରାସ୍ତା ଜନଶୂନ୍ୟ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Other stories by Ritayan Mukherjee