ୱାର୍ଲିମାନେ ନିଜର କଳାଶୈଳୀ ପାଇଁ ଜଣାଶୁଣା- ଜ୍ୟାମିତିକ ଆକୃତି ବିଶିଷ୍ଟ ଅନନ୍ୟ ଚିତ୍ରକଳା । କିନ୍ତୁ ଉତ୍ତର ମୁମ୍ବାଇର ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ (SGNP / ଏସ୍‌ଜିଏନ୍‌ପି) ମଧ୍ୟରେ ଥିବା ସେମାନଙ୍କର ଏହି ଛୋଟ କାଠ, ଇଟା ଓ ଆଜବେଷ୍ଟସ୍ ଘର ଥିବା ବସ୍ତିରେ ସେମାନେ ନିଜ ସମୂହର ପାରମ୍ପରିକ ଚିତ୍ରକଳା ବିନା ହିଁ ରହୁଛନ୍ତି।

ରାୱଲପଡ଼ାର ଜନୈକା ବାସିନ୍ଦା ଆଶା କାଓଲେ କୁହନ୍ତି, “ଏଠାରେ ଜଣେ ମାତ୍ର ୱାର୍ଲି ଚିତ୍ରଶିଳ୍ପୀ’’। “ଆମେ ଅନ୍ୟମାନେ ବଞ୍ଚିବା ପାଇଁ କାମ କରିବାରେ ବ୍ୟସ୍ତ । ଏହା ଯେ ଗୁରୁତ୍ୱପୂର୍ଣ୍ଣ ଆମେ ଏକଥା ଚିନ୍ତା କରିପାରିଲୁନି ।” ୪୩ବର୍ଷ ବୟସ୍କା ଆଶା କିମ୍ବା ତାଙ୍କର ଦୁଇ ସାନଭାଇ କେହି ମଧ୍ୟ ଚିତ୍ର କରିବା ଜାଣିନାହାନ୍ତି ।

ଏକମାତ୍ର କଳାକାର, ୨୫ବର୍ଷ ବୟସ୍କ ଦିନେଶ ବରାପ ଏହାକୁ ସ୍ୱୀକାର କରି କହିଥିଲେ, “ୱାର୍ଲିମାନେ ଆଜିକାଲି ନିଜ କଳା ପ୍ରତି ଆଗ୍ରହୀ ନୁହନ୍ତି ।” ଏସ୍‌ଜିଏନ୍‌ପି ମଧ୍ୟରେ ଥିବା ନବପଡ଼ାରେ ରହୁଥିବା ଦିନେଶ କେମିତି ଚିତ୍ର କରିବାକୁ ହେବ ସେକଥା ଜେଜେମା’ଙ୍କ ଠାରୁ ଶିଖିଥିଲେ । ତାଙ୍କ ମା’ ଶାମୁ ଜଣେ ବାଲୱାଡି କର୍ମୀ । ଶାମୁ ନିଜ ମା’ଙ୍କ ଠାରୁ ମଧ୍ୟ ଏହି ଚିତ୍ରକଳା ଶିଖିଥିଲେ । ଦିନେଶ କୁହନ୍ତି, “ସେ ଏଥିପାଇଁ ସମୟ ଦେଇପାରିଲେନି କିମ୍ବା ଅଭ୍ୟାସ କରିପାରିଲେନି କାରଣ ଆମ ପାଖରେ ଅର୍ଥ ନଥିଲା।”

ଏଥିସହ ଆଶା କୁହନ୍ତି ନ୍ୟାସନାଲ୍ ପାର୍କରେ ରହୁଥିବା ୱାର୍ଲିମାନେ, “ବିସ୍ଥାପନର ଭୟ ମଧ୍ୟରେ ରହୁଛନ୍ତି । ସେମାନେ କହୁଛନ୍ତି ଯେକୌଣସି ସମୟରେ ଆମକୁ ଏଠାରୁ ଅପସାରଣ କରିଦେବେ । ଆମେ କ’ଣ କରିବୁ? ଆମକୁ ଏକ ଅଜଣା ସ୍ଥାନରେ ନୂଆ ଘର କରିବାକୁ ପଡ଼ିବ ।” ଆଶାଙ୍କ ପରିବାର ‘ଏହି ସ୍ଥାନରେ ୭ ପିଢ଼ି’ ହେବ ରହୁଛନ୍ତି। ଆଶା କୁହନ୍ତି, “ମତେ ରାଗ ଏଥିପାଇଁ ଲାଗେ ଯେ ସେମାନେ ଆମର ଜମି ନେଇଗଲେ ଏବଂ ଏଥିପାଇଁ ଆମକୁ ଛୋଟ ଛୋଟ କାମ ଦେଲେ, ଯେମିତି କି ସେମାନେ ଆମକୁ ଦୟା କରୁଛନ୍ତି ।”

Asha Kaole showing her property tax receipts dating back to 1968
PHOTO • Apekshita Varshney

ଆଶା କାଓଲେଙ୍କ ପାଖରେ ୧୯୬୮ ମସିହାର ସମ୍ପତ୍ତି କର ରସିଦ୍ ଅଛି, ଯଦି ଓ ସେ କୁହନ୍ତି, ତାଙ୍କ ପରିବାର ଏଠାରେ ‘ସାତପିଢ଼ି’ ହେବ ରହିଆସୁଛନ୍ତି।

ଯଦିଓ ବହୁ ସଂଖ୍ୟକ ୱାର୍ଲି ଏସ୍‌ଜିଏନ୍‌ପିରେ ତତ୍ତ୍ୱାବଧାରକ, ଜଗୁଆଳି, ଦିନ ମଜୁରିଆ ଓ ମାଳି ଭାବରେ କାମ କରୁଛନ୍ତି ତେବେ ସେମାନେ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ରହିବା ଉଚିତ୍ ନା ନୁହେଁ ସେ ନେଇ ବିତର୍କ ଲାଗି ରହିଛି । ୧୯୯୭ ମସିହାରେ ଅଦାଲତଙ୍କ ଏକ ରାୟ ପରଠାରୁ ଏହି ବିତର୍କ ଲାଗି ରହିଛି।

ଯେଉଁମାନଙ୍କୁ ଶ୍ରମିକ ଭାବରେ କାମ ମିଳିଛି ସେମାନଙ୍କ ମଧ୍ୟରେ ଥିଲେ ଆଶାଙ୍କ ସ୍ୱାମୀ, ଦଶବର୍ଷରୁ ଅଧିକ ସମୟ ତଳୁ ସେ ପ୍ରାଣ ହରାଇଛନ୍ତି । ଆଶା ଏସଜିଏନପି ମଧ୍ୟରେ ଜନ୍ମ ହୋଇଛନ୍ତି । ପାଞ୍ଚ ବର୍ଷ ବୟସରୁ ସେ ବୋରିଭାଲି ମାର୍କେଟକୁ ଶୁଖିଲା କାଠ ଓ ପରିବା ବିକ୍ରି କରିବାକୁ ଯାଉଥିବା ମା’ଙ୍କ ସହ ଯାଉଛନ୍ତି । କିଶୋର ବୟସରେ ସେ ଏକ ପ୍ୟାକେଜିଂ ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ । ୨୦୦୧ ମସିହାଠାରୁ ସେ ପାର୍କର ନେଚର୍ ଇନଫର୍ମେସନ୍ ସେଣ୍ଟରରେ ଜଣେ ମାଳି ଭାବରେ କାମ କରୁଛନ୍ତି । ବଗିଚା କାମ କରିବା, ସଫା କରିବା, ଜଗିବା ଓ ବେଳେବେଳେ ପରିଦର୍ଶକମାନଙ୍କ ପ୍ରଶ୍ନର ଉତ୍ତର ଦେବା ଇତ୍ୟାଦି ଦିନରେ ୧୦ଘଣ୍ଟାରୁ ଅଧିକ ସମୟ ପାଇଁ କରି ସେ ମାସକୁ ୭୦୦୦ ଟଙ୍କା ରୋଜଗାର କରୁଛନ୍ତି ।

ଏସ୍‌ଜିଏନ୍‌ପିର ବିଭିନ୍ନ ପଡ଼ାରେ ଥିବା ଥିବା ୱାର୍ଲିମାନଙ୍କ ସଂଖ୍ୟାର ଏକ ଆକଳନ ଅନୁଯାୟୀ ୧୦୩ ବର୍ଗ କିଲୋମିଟର ପରିମିତ ଏହି ଜାତୀୟ ଉଦ୍ୟାନରେ ୱାର୍ଲି ସମୂହର ୨୦୦୦-୩୦୦୦ ଲୋକ ବାସ କରନ୍ତି । ଏସ୍‌ଜିଏନ୍‌ପିର ୱେବସାଇଟ ଅନୁଯାୟୀ, ଏହି ଜଙ୍ଗଲ ଜମି ୧୯୫୦ ମସିହାରେ କ୍ରିଷ୍ଣାଗିରି ଜାତୀୟ ଉଦ୍ୟାନ ଭାବରେ ସ୍ଥାପିତ ହୋଇଥିଲା । ଏହାପରେ ଆଉ କିଛି ଅଞ୍ଚଳ ସଂଯୋଗ କରାଯାଇ ୧୯୬୮ରେ ଏହା ବୋରିଭାଲି ଜାତୀୟ ଉଦ୍ୟାନ ଭାବରେ ନାମିତ ହେଲା । ୧୯୮୧ ମସିହାରେ ଏହା ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ ଭାବରେ ନାମିତ ହେଲା । ୱାର୍ଲିମାନେ ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ । ଜନଗଣନାରେ ସେମାନଙ୍କୁ “ବର୍ଲି” ଭାବରେ ଉଲ୍ଲେଖ କରାଯାଇଛି । ସେମାନେ ମଧ୍ୟ ନାଲସୋପୋରା, ଜହ୍ୱାର, ଦହାନୁ ଏବଂ ଧୁଲେ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଂଶ, ଗୁଜରାଟ ଏବଂ ଦାଦ୍ରା ଓ ନଗରହାବେଳିରେ ବସବାସ କରନ୍ତି ।

କେଇ ପିଢ଼ି ହେବ ସେମାନେ ଏଠାରେ ରହୁଛନ୍ତି ତାହାର ପ୍ରମାଣ ଆଶାଙ୍କ ପାଖରେ ନଥାଇପାରେ କିନ୍ତୁ ବମ୍ବେ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦ୍ୱାରା ପ୍ରଦତ୍ତ ୧୯୬୮ ମସିହା ସମ୍ପତ୍ତି କର ରସିଦ୍ ତାଙ୍କ ପାଖରେ ଅଛି । ଏହା ସତ୍ତ୍ଵେ ଆଶା କୁହନ୍ତି, “ଆମେ ପକ୍କା ଘର କରିବାକୁ ଅନୁମତି ପାଇନୁ ଏବଂ ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘରେ ବିଦ୍ୟୁତ ସଂଯୋଗ, ପାନୀୟଜଳ ଯୋଗାଣ ସଂଯୋଗ, ଗ୍ୟାସ୍ ସଂଯୋଗ କିମ୍ବା ଶୌଚାଳୟ ନାହିଁ ।”

କେଲଦାପଡ଼ାରେ ରହୁଥିବା ଲକ୍ଷ୍ମୀ ୱାରଖଣ୍ଡେ ମଧ୍ୟ ଆଶାଙ୍କ ଅଭିଯୋଗର ପୁନରାବୃତ୍ତି କରନ୍ତି । ତାଙ୍କର ସବୁଠାରୁ ବଡ଼ ଅସନ୍ତୋଷ ତାଙ୍କ ପଡ଼ାରେ ସାର୍ବଜନୀନ ଶୌଚାଳୟ ନଥିବା । ଏହା ମହିଳାମାନଙ୍କୁ ବାଧ୍ୟ କରେ ଝାଡ଼ା ପରିସ୍ରା ପାଇଁ ଜଙ୍ଗଲକୁ ଯିବାକୁ । ଲକ୍ଷ୍ମୀଙ୍କ ବୟସ ୬୦ ଏବଂ ପାର୍କରେ ସାମୟିକ ଉଦ୍ୟାନ ଶ୍ରମିକ ଭାବରେ କାମ କରି ମାସକୁ ମାତ୍ର ୮୦୦ ଟଙ୍କା ପାଆନ୍ତି । ସେ ଏସ୍‌ଜିଏନ୍‌ପିର ସଫାରି ରକ୍ଷଣାବେକ୍ଷଣରେ କାମ କରୁଥିବା ପୁଅ ଉପରେ ନିର୍ଭର କରନ୍ତି ।

Shamu Barap sitting in her house
PHOTO • Apekshita Varshney
Warli painting
PHOTO • Apekshita Varshney

ଆମକୁ ଅଟ୍ଟାଳିକାରେ ରହିବା ପାଇଁ ପଠାଇ ଦିଅନି’’କୁହନ୍ତି, ନବପଡ଼ାର ଶାମୁ ବରାପ । ତାଙ୍କ ପୁଅ ଦିନେଶ ଜାତୀୟ ଉଦ୍ୟାନ ମଧ୍ୟରେ ରହୁଥିବା ୱାର୍ଲି ସମୂହର ଏକମାତ୍ର ସକ୍ରିୟ ୱାର୍ଲି ଚିତ୍ରକର ।

ଏଠାରେ ଥିବା ଅଧିକାଂଶ ପରିବାର ପରି ୱାରଖଣ୍ଡେଙ୍କ ପରିବାର ଏକ ସାର୍ବଜନୀନ କଳରୁ ପାଣି ନିଅନ୍ତି ଏବଂ କାଠ ଚୁଲାରେ ରୋଷେଇ କରନ୍ତି । ଅଧିକାଂଶ ପରିବାର ପରି ସେମାନେ ମଧ୍ୟ ସବୁବେଳେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବାର ଭୟ ମଧ୍ୟରେ ବଞ୍ଚନ୍ତି । ସେମାନେ ଜଙ୍ଗଲ ବିଭାଗ ସହ ଏକ ବିଦ୍ୟୁତ ବଣ୍ଟନ ନୀତି ବୁଝାମଣା କରି ନିକଟସ୍ଥ ଏକ ଖୁଣ୍ଟ ବା ପଏଣ୍ଟରୁ ବିଦ୍ୟୁତ୍ ସଂଯୋଗ ନିଅନ୍ତି । ଏହି ସଂଯୋଗକୁ ୭-୮ଟି ପରିବାର ଉପଯୋଗ କରନ୍ତି ବିଦ୍ୟୁତ୍ ଦେୟ ପ୍ରଦାନ ସମ୍ପର୍କିତ ବାଚନିକ ବୁଝାମଣା ଦ୍ୱାରା ।

ଯଦିଓ ଆଶା, ଲକ୍ଷ୍ମୀ ଓ ସେମାନଙ୍କ ପରିବାର ପରି ଅନେକ ୱାର୍ଲି ଏସ୍‌ଜିଏନ୍‌ପିର ତତ୍ତ୍ୱାବଧାରକ, ଜଗୁଆଳି, ଦିନ ମଜୁରିଆ ଶ୍ରମିକ ଓ ମାଳି ଭାବରେ କାମ କରନ୍ତି, ସେମାନେ ପାର୍କ ପରିସରରେ ରହିବା ଉଚିତ୍ କି ନାହିଁ ସେ ନେଇ ବିତର୍କ ଚାଲୁ ରହିଛି । ୱର୍ଲି ଏବଂ ରାଜ୍ୟ ମଧ୍ୟରେ ଲଢ଼େଇ ୧୯୯୭ରେ ବମ୍ବେ ହାଇକୋର୍ଟଙ୍କ ଏକ ରାୟ ପରଠାରୁ ଲାଗି ରହିଛି । ୧୯୯୫ରେ ବମ୍ବେ ଏନ୍‌ଭାଇରୋନ୍‌ମେଣ୍ଟ ଆକ୍ସନ ଗ୍ରୁପ୍ ଦ୍ୱାରା ଜଙ୍ଗଲ ବିଭାଗର ଏକ ସର୍ବେକ୍ଷଣକୁ ଆଧାର କରାଯାଇ ଏକ ଜନସ୍ୱାର୍ଥ ମାମଲା କରାଯାଇଥିଲା । ଏହି ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୪୦୦,୦୦୦ ଲୋକ ଏହି ଉଦ୍ୟାନର ପରିସର ମଧ୍ୟରେ ବାସ କରୁଛନ୍ତି । ଏହାର ଆଧାରରେ ଅଦାଲତ କହିଥିଲେ, ଯେଉଁମାନେ ୧୯୯୫ ମସିହା ପୂର୍ବରୁ ଏଠାରେ ରହୁଛନ୍ତି ବୋଲି ପ୍ରମାଣ ଦେଇ ପାରିବେ ସେମାନେ ୭ହଜାର ଟଙ୍କା ଜୋରିମାନା ଦେବା ପରେ ହିଁ ପୁନଃ ଥଇଥାନ ପାଇଁ ଯୋଗ୍ୟ ହେବେ । ଅନ୍ୟମାନେ ସେଠାରୁ ବିସ୍ଥାପିତ ହେବେ ଓ ସେମାନଙ୍କର ବିଦ୍ୟୁତ୍ ଓ ପାଣି ସଂଯୋଗ କାଟିଦିଆଯିବ ।

ଜଙ୍ଗଲ ବିଭାଗ ସହ-ସଂରକ୍ଷକ ତଥା ଏସ୍‌ଜିଏନ୍‌ପିର ମୁଖପାତ୍ର କଳ୍ପନା ତେମଗିରେଙ୍କ କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ପୁନର୍ବାସ ପାଇଁ ଯୋଗ୍ୟ ପରିବାଗୁଡ଼ିକ ମଧ୍ୟରୁ ୧୧,୩୮୦ ପରିବାରକୁ ଚଣ୍ଡିଭାଲିରେ ଘର ଯୋଗାଇ ଦିଆଯାଇଛି ଏବଂ ୧୩,୬୯୮ଟି  ପରିବାର ୱେଟିଂ ଲିଷ୍ଟରେ ଅଛନ୍ତି। “ଏନ୍‌ଭାଇରୋନମେଣ୍ଟାଲ ମ୍ୟାନେଜମେଣ୍ଟ ପ୍ଲାନ୍ ଫର୍ ସଞ୍ଜୟ ଗାନ୍ଧୀ ନ୍ୟାସନାଲ୍ ପାର୍କ ” ଶୀର୍ଷକ ୨୦୦୨ର ରିପୋର୍ଟ ଅନୁଯାୟୀ ୧୯୯୭ ମସିହାରେ ଜାତୀୟ ଉଦ୍ୟାନର ଜବରଦଖଲ ହୋଇଥିବା ଅଂଶରେ ସମୁଦାୟ ୬୭,୦୦୦ଟି କୁଡ଼ିଆ ଘର ଥିଲା ଏବଂ ୨୦୦୦ ମସିହା ବେଳକୁ ଏହି କୁଡ଼ିଆ ମଧ୍ୟରୁ ୪୯୦୦୦ଟିକୁ ଅପସାରଣ କରିଦିଆଯାଇଥିଲା। 

Navapada view
PHOTO • Apekshita Varshney
portrait of a women
PHOTO • Apekshita Varshney

ଲକ୍ଷ୍ମୀ ୱାରଖଣ୍ଡେଙ୍କ ସବୁଠାରୁ ବଡ଼ ଅସନ୍ତୋଷ ପଡ଼ାରେ ଶୌଚାଳୟ ନଥିବା । ଏଠାରେ ଥିବା ଅଧିକାଂଶ ପରିବାର ପରି ତାଙ୍କ ପରିବାର ମଧ୍ୟ କେବଳ ଗୋଟିଏ ସାର୍ବଜନୀନ ପାଣିକଳରୁ ପାଣି ଆଣିପାରନ୍ତି

ଏଠାରେ ଥିବା ଅଧିକାଂଶ ୱାର୍ଲିଙ୍କ ପାଖରେ ୧୯୯୫ ମସିହା ପୂର୍ବରୁ ଘର ଥିବାର ପ୍ରମାଣ ଅଛି । କିନ୍ତୁ ଯେଉଁମାନଙ୍କର ଜୋରିମାନା ଦେବାର ସାମର୍ଥ୍ୟ ନାହିଁ (କିମ୍ବା ଦେବାକୁ ଚାହାନ୍ତି ନାହିଁ) ସେମାନେ ଏବେ ବି ଏସ୍‌ଜିଏନ୍‌ପି ପରିସରରେ ବାସ କରି ଆସୁଛନ୍ତି । ଏ ମଧ୍ୟରେ ଅଛନ୍ତି ଆଶାଙ୍କ ପରିବାର- ଦୁଇ ପୁଅ, ଦୁଇ ବୋହୂ ଓ ୫ଜଣ ନାତିନାତୁଣୀ । ସେ ୭ହଜାର ଟଙ୍କା ଜୋରିମାନା ଦେବାକୁ ଅସମର୍ଥ ଥିଲେ । ଏଥିସହ “ସତେଜ ପବନ, ଖୋଲା ସ୍ଥାନ ଓ ଗ୍ରୀଲ୍ ଥିବା ଝରକା ” ଘରକୁ ଯିବାକୁ ମଧ୍ୟ ଚାହୁଁନଥିଲେ ।

ଶାମୁ ବରାପ ୧୯୯୭ ମସିହାର କଥା ମନେପକାଇ କୁହନ୍ତି, “ଆମେ ଆମ ଜଙ୍ଗଲ ବାହାରେ ୨୨୦ ବର୍ଗଫୁଟ ଫ୍ଲାଟରେ ରହିବାକୁ ଚାହୁଁନଥିଲୁ । କାରଣ ତାହା ଏମିତି ଲାଗୁଥିଲା ଯେମିତି- ଆମର ଗାଁ ନାହିଁ କି ଦେଶ ନାହିଁ ।” ଶାମୁଙ୍କ ୨୮ବର୍ଷ ବୟସ୍କା ବୋହୂ ମାନସୀ ପଚାରନ୍ତି, “ଯେଉଁ ଜମି ଆମର ସେଥିରେ ଆମେ ୭ହଜାର ଟଙ୍କା ଜୋରିମାନା କାହିଁକି ଦେବୁ ?” ମାନସୀ ନିଜ ସିଲେଇ ମେସିନରେ ଝୋଟ ବ୍ୟାଗ ସିଲେଇ କରନ୍ତି ଓ ହସ୍ତଶିଳ୍ପ ପ୍ରସ୍ତୁତ କରନ୍ତି । ଗୋଟିଏ ଏନ୍‌ଜିଓ ମାଧ୍ୟରେ ଏହା ବିକ୍ରି କରି ସେ ଦିନକୁ ୫୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।

ନବପଡ଼ାର ବରାପ ପରିବାର ଏହି ବସ୍ତିରେ ଥିବା ଅଳ୍ପ କେଇଟି ପରିବାର ମଧ୍ୟରେ ସାମିଲ ଯେଉଁମାନଙ୍କ ଘରେ ଶୌଚାଳୟ ଏବଂ ଗ୍ୟାସ୍ ଏବଂ ପାଣି ସଂଯୋଗ ଅଛି । ବର୍ତ୍ତମାନ ୪୭ବର୍ଷରେ ପାଦ ଦେଇଥିବା ଶାମୁ ଏସ୍‌ଜିଏନ୍‌ପିର ବୋରିଭାଲି ପ୍ରବେଶପଥରୁ ୩୫ କିଲୋମିଟର ଦୂରରେ ଥିବା ନାଲସୋପାରାରୁ ୧୪ବର୍ଷ ବୟସର ନୂଆ ବୋହୂ ହୋଇ ନବପଡ଼ାକୁ ଆସିଥିବା କଥାକୁ ମନେପକାନ୍ତି । ସେ କୁହନ୍ତି, “୩୩ବର୍ଷ ତଳେ ମୋ ଶାଶୂ ଯେଉଁ ସ୍ଥାନରେ ସେମାନଙ୍କର ଚାଷ ଜମି ଥିଲା, ତାହା ଦେଖାଇ ମୋତେ ଏହି ସ୍ଥାନ ସହ ପରିଚିତ କରାଇଥିଲେ ।”

ବର୍ଷେ ପରେ ଯେତେବେଳେ ତାଙ୍କର ପ୍ରଥମ ସନ୍ତାନ ହେଲା ସେତେବେଳେ ସେ ତାକୁ ପାଠ ପଢ଼ାଇବାକୁ ଚାହିଁଲେ । କିନ୍ତୁ ସେ କୁହନ୍ତି, “ଆମ ଜାତିରେ ଶିକ୍ଷା ନାହିଁ ।” ୧୯୯୦ ଦଶକର ଆଦ୍ୟ ଭାଗରେ ଗୋଟିଏ ଏନ୍‌ଜିଓ ଏସ୍‌ଜିଏନ୍‌ପି ପରିସରରେ ବାଲ୍‌ବାଡ଼ି ଆରମ୍ଭ କଲା । ଶାମୁ ସେଠାରେ ରୋଷେୟା ଭାବରେ ଯୋଗଦେଲେ ଏବଂ ଏବେ ବି ସେଠାରେ କାମ କରୁଛନ୍ତି । ସେ କୁହନ୍ତି, “କିନ୍ତୁ ୨୦୦୦ ଆରମ୍ଭ ମସିହା ମାନଙ୍କରୁ ସମସ୍ତେ ନିଜ ପିଲାମାନଙ୍କୁ ସ୍କୁଲ ପଠାଇବା ଆରମ୍ଭ କରିଛନ୍ତି । ” କିନ୍ତୁ ଔପଚାରିକ ଶିକ୍ଷାର ଅନୁପସ୍ଥିତିର ଅର୍ଥ ନୁହେଁ ପାରମ୍ପରିକ କଳାର ଉପସ୍ଥିତି । ଶାମୁ କୁହନ୍ତି, “ଆମର ଆର୍ଥିକ ସମସ୍ୟା ଆମକୁ ତୁଳୀ ଛାଡ଼ି ଦା’, କୋଦାଳ ଓ ଝାଡ଼ୁ ଧରିବାକୁ ବାଧ୍ୟ କଲା ।”

a women is standing
PHOTO • Apekshita Varshney
A women sitting at her doorstep with her child
PHOTO • Apekshita Varshney

ମାନସୀ ବରାପ (ବାମ) ପଚାରନ୍ତି, ଯେଉଁ ଜମି ଆମର ସେଥିପାଇଁ ଆମେ ଜୋରିମାନା କାହିଁକି ଦେବୁ । କିନ୍ତୁ ଆରତି ଟୋକ୍‌ରେ (ଡାହାଣ) ଚିନ୍ତା କରନ୍ତି- ବାହାରକୁ ଚାଲିଯିବା ହୁଏତ ଅଧିକ ସୁଯୋଗ ଆଣିବ। 

ଏସ୍‌ଜିଏନ୍‌ପିରେ ଥିବା ସମସ୍ତ ୱାର୍ଲିଙ୍କ ମଧ୍ୟରେ କେବଳ ଦିନେଶ, ତାଙ୍କ ଚାରିପୁଅଙ୍କ ମଧ୍ୟରୁ ସର୍ବ କନିଷ୍ଠ, ଚିତ୍ରକାରିତାରୁ ହିଁ ଜୀବିକା ଅର୍ଜନ କରନ୍ତି । ସେ ପାରମ୍ପରିକ ୱାର୍ଲି ସାମଗ୍ରୀ ଓ ରଙ୍ଗ- ମାଟି, ଗୋବର ଓ ଲାଲ ଲାଖ ବ୍ୟବହାର କରନ୍ତି ଏବଂ ଦିନର ଛ-ସାତ ଘଣ୍ଟା କାନଭାସ୍ ଓ ଶାଢ଼ିରେ ଚିତ୍ର କରିବାରେ ବିନିଯୋଗ କରନ୍ତି । ସେ ଏହାକୁ ଅନ୍ ଲାଇନରେ ଏବଂ ଗ୍ରାହକମାନଙ୍କ ନେଟ୍‌ୱାର୍କରେ ବିକ୍ରି କରନ୍ତି । ଏପରିକି ନିଜର ଦେଶୀ ଓ ବିଦେଶୀ ପରିଦର୍ଶକମାନଙ୍କର ମତାମତ ମଧ୍ୟ ଲିଖିତ ଭାବରେ ରଖନ୍ତି (କିନ୍ତୁ ସେ ଏହି କାମରୁ ନିଜର ରୋଜଗାର ସମ୍ପର୍କରେ କିଛି କହିବାକୁ ଚାହାନ୍ତି ନାହିଁ) । ଏଥିସହ ଦିନେଶ ପିଲାମାନଙ୍କୁ ୱାର୍ଲି ଚିତ୍ରକଳା ଶିଖାଇବାକୁ ମଧ୍ୟ ଚେଷ୍ଟା କରନ୍ତି ।

ଯଦିଓ ଲକ୍ଷ୍ମୀ ୱାରଖଣ୍ଡେଙ୍କର ବିଶ୍ୱାସ “ଏହି ଚିତ୍ରକଳା ଆମକୁ ଖାଦ୍ୟ ଯୋଗାଇବନି । ” ଶାମୁ କିନ୍ତୁ ଆଶାବାଦୀ ଯେ ତାଙ୍କ ସମୂହର ଏହି କଳା “ଯୁବପିଢ଼ିଙ୍କ ଦ୍ୱାରା ପୁନରୁଦ୍ଧାର” ହୋଇପାରିବ ।

ଏ ମଧ୍ୟରେ ୱାର୍ଲିମାନଙ୍କ ଦାବି ସେମିତି ସ୍ଥିର ଅଛି: ସେମାନେ ବିଦ୍ୟୁତ ମିଟର, ଶୌଚାଳୟ, ପାଣିକଳ ନିଜ ଘର ଭିତରେ ଚାହାନ୍ତି ଏବଂ ପକ୍କା ଘର ନିର୍ମାଣ ପାଇଁ ଅନୁମତି ମଧ୍ୟ । ଯଦି ବିସ୍ଥାପନକୁ ଏଡ଼ାଇବା ଅସମ୍ଭବ, ଶାମୁ କୁହନ୍ତି, “ତା’ହେଲେ ଆମକୁ ଅଟ୍ଟାଳିକାମାନଙ୍କରେ ରହିବାକୁ ପଠାଅ ନାହିଁ ବରଂ ଆମକୁ ଏସ୍‌ଜିଏନ୍‌ପି ଚାରିପାଖରେ ଜାଗା ଦିଅ ।”

ଯାହା ହେଲେ ବି ପୁନର୍ବାସ ପ୍ରକଳ୍ପ ବିଳମ୍ବିତ ହେଉଛି । ନିଜ ନାମ ଗୋପନ ରଖିବାକୁ ଚାହୁଁଥିବା ଜଣେ ଜଙ୍ଗଲ ଅଧିକାରୀ ଏହାର କାରଣ ବୁଝାଇ କହିଥିଲେ, “ଥଇଥାନର ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇପାରି ନାହିଁ । କାରଣ ପୋୱାଇ ନିକଟସ୍ଥ ଚାଣ୍ଡିଭାଲି ବିମାନ ବନ୍ଦରର ଫନେଲ୍ ଜୋନ୍‌ରେ ଆସୁଛି ।”

A women sitting in front her house
PHOTO • Apekshita Varshney

ଆରତି କୁହନ୍ତି,  ‘ଆମ ହୁଏତ ବାହାରେ ଚଳିଯାଇପାରୁ ମାତ୍ର ସେମାନେ ପାରିବେନି ।’ ସେ ନିଜ ଶାଶୂଙ୍କ ବୟସ୍କା ମା’ ଗୌରୀ ଧାଗଡେ (ଉପର)ଙ୍କୁ  ଦେଖାଇ ଏହା କହିଥିଲେ ।

ଅନ୍ୟ ଜଣେ ଜଙ୍ଗଲ ଅଧିକାରୀ ପୁନର୍ବାସର ଧିମା ଗତି ସମ୍ପର୍କରେ କାରଣ ବର୍ଣ୍ଣନା କରିଥିଲେ । ସେ କହିଥିଲେ, “ଏସ୍‌ଜିଏନ୍‌ପି ସହ ସଂଯୁକ୍ତ ବହୁ ସଂଖ୍ୟକ ସଂସ୍ଥା ମଧ୍ୟରେ ସମନ୍ୱୟ ଖୁବ୍ କମ୍- ଚାରୋଟି ମହାନଗର ନିଗମ- ମୁମ୍ବାଇ, ଥାନେ, ମିରା ଭୈଣ୍ଡାର୍ ଓ ବସାଇ ବିରାର୍- ଏଥିସହ ବସ୍ତି ଥଇଥାନ କର୍ତ୍ତୃପକ୍ଷ (ଏସ୍ ଆର୍ ଏ ) ଏବଂ ଅନ୍ୟଗୁଡ଼ିକ ।”

ବନବିଭାଗ ସହ-ସଂରକ୍ଷକ କେ.ମ୍. ଡାଭୋଲକର କୁହନ୍ତି, “ସରକାରଙ୍କ ଯୋଗ୍ୟ ପରିବାରଗୁଡ଼ିକୁ ଆରେୟ ନିକଟସ୍ଥ ମାରୋଲ୍-ମାରୋଶି ନିକଟରେ ଥଇଥାନ କରିବାକୁ ଯୋଜନା କରିଛନ୍ତି (ଏସ୍‌ଜିଏନ୍‌ପିର ବୋରିଭାଲି ପ୍ରବେଶ ପଥରୁ ପ୍ରାୟ ୧୫ କିଲୋମିଟର ଦୂରରେ ।) ”

୧୯୯୭  ଅଦାଲତଙ୍କ ରାୟ ଓ ବିଳମ୍ବିତ ବିସ୍ଥାପନ ମଧ୍ୟରେ ଜଙ୍ଗଲ ଅଧିକାର ଆଇନ, ୨୦୦୬ ୱାର୍ଲିମାନଙ୍କ ପାଇଁ ବିରତି ସଦୃଶ । ଏହି ଆଇନ ଆଦିବାସୀମାନଙ୍କୁ ସେମାନଙ୍କ ଭୂମି ଏବଂ ଜଙ୍ଗଲ ସମ୍ପଦ ଉପରେ ଅଧିକାର  ସୁନିଶ୍ଚିତ କରାଇଛି । ଆଇନର ଧାରା ୩ (୧) (ଏମ୍) “ବନବାସୀ ଅନୁସୂଚିତ ଜନଜାତି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଅନ୍ୟ ପାରମ୍ପରିକ ସମୂହ ଯେଉଁମାନେ କି ଅବୈଧ ଭାବରେ ସେମାନଙ୍କର ଆଇନଗତ ପୁନର୍ବାସ ଓ ଥଇଥାନ ସୁବିଧା ନପାଇ ଜଙ୍ଗଲ ଭୂମିରୁ ବିସ୍ଥାପିତ ହୋଇଛନ୍ତି, ସେହି ସ୍ଥାନରେ ସେମାନଙ୍କ ଥଇଥାନ ଅଧିକାର ସୁନିଶ୍ଚିତ କରିଛି ...।”

କିନ୍ତୁ ଏସ୍‌ଜିଏନ୍‌ପିର ମୁଖପାତ୍ର ତେମ୍‌ଗିରେ କୁହନ୍ତି, “ଏହି ଆଇନ ଗ୍ରାମସଭା ଉପରେ ଧ୍ୟାନ କେନ୍ଦ୍ରିତ କରେ ଏବଂ ମାତ୍ର ୨୦୧୫ ମହାନଗର ନିଗମକୁ ସଂପ୍ରସାରିତ ହୋଇଛି (ଜନଜାତି ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପ୍ରଦତ୍ତ ଏକ ବିଜ୍ଞପ୍ତି ଅନୁଯାୟୀ) । ବର୍ତ୍ତମାନ ମହାନଗର ନିଗମ ଏକ କମିଟି ଗଠନ କରିବା ପରେ ହିଁ ଆମେ ଆଗକୁ ବଢ଼ିବୁ।”

ଯୁବପିଢ଼ିର ଅନେକେ ୱାର୍ଲି ଥଇଥାନ ପ୍ରକଳ୍ପ ପୁନର୍ବାର ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି ଏବଂ ଅନ୍ୟ ସ୍ଥାନକୁ ଯିବାକୁ ମଧ୍ୟ ବିରୋଧ କରୁନାହାନ୍ତି । ୨୩ବର୍ଷ ବୟସ୍କା ଆରତି ଟୋକ୍‌ରେ କୁହନ୍ତି, “ଏହା ହୁଏତ ଅଧିକ ସୁଯୋଗ ଆଣିବାରେ ସାହାଯ୍ୟ କରିବ ।” ଆରତି ବମ୍ବେ ମହାନଗର ନିଗମର ଜଣେ ଠିକା ଝାଡ଼ୁଦାର । ସେ ସକାଳେ ବୋରିଭାଲି ଷ୍ଟେସନ ନିକଟସ୍ଥ ଅଞ୍ଚଳ ଝାଡ଼ୁ କରନ୍ତି ଏବଂ ନିଜ କୁଡ଼ିଆରେ ଗୋଟିଏ ଜଳଖିଆ ଦୋକାନ ଚଳାନ୍ତି । ସେ ବର୍ଷାଋତୁରେ ଏସ୍‌ଜିଏନ୍‌ପି ଭିତରେ କାକୁଡ଼ି, ପାଣିକଖାରୁ ପରି ପରିବା କରି ବୋରିଭାଲି ବଜାରରେ ବିକ୍ରି କରନ୍ତି । ତାଙ୍କ କୁଡ଼ିଆ ବିପରୀତରେ ତାଙ୍କ ଶାଶୂଙ୍କ ମା’ ଗୌରୀ ଧାଗଡ଼େଙ୍କ କୁଡ଼ିଆ । ତାଙ୍କ ବୟସ ପାଖାପାଖି ୭୦ । ଆରତି ତାଙ୍କୁ ଦେଖାଇ କୁହନ୍ତି, “ଆମେ ହୁଏତ ବାହାରେ ନିଜକୁ ଖାପ ଖୁଆଇନେଇ ଚଳି ପାରିବୁ କିନ୍ତୁ ସେମାନେ ପାରିବେନି ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Apekshita Varshney

ଲେଖକ ପରିଚିତି: ଆପେକ୍ଷିତା ବର୍ଷନେ ମୁମ୍ବାଇର ଜଣେ ମୁକ୍ତବୃତ୍ତ ଲେଖିକା।

Other stories by Apekshita Varshney