ଯେତେବେଳେ କହ୍ନେୟାଲାଲ ଇଞ୍ଜିନ୍ ଡ୍ରାଇଭର କ୍ୟାବିନରୁ ହାତରେ ହଳେ ଲାଲ୍ ଏବଂ ସବୁଜ ପତାକା ଧରି ତଳକୁ ଡେଇଁଲେ ସେତେବେଳେ ଆମେ ମଧ୍ୟ ତାଙ୍କ ପଛେ ପଛେ ମନ୍ଥର ହୋଇଯାଇଥିବା ଟ୍ରେନରୁ ଓହ୍ଲାଇଲୁ । ଆମେ ସେଥିପାଇଁ ଅପେକ୍ଷା କରୁଥିଲୁ । କିନ୍ତୁ ଆମେ ତାଙ୍କ ପାଇଁ ଯାହା ଆଶା କରି ନଥିଲୁ ତାହା ହେଉଛି ପରବର୍ତ୍ତୀ ୨୦୦ ମିଟର ସେ ଯେପରି ଭାବରେ ଦୌଡ଼ାଳିଙ୍କ ପରି ଦୌଡ଼ିଲେ । ଆମେ ତାଙ୍କ ପଛେ ପଛେ ଆବୁଡ଼ା ଖାବୁଡ଼ା ରାସ୍ତାରେ ଦୌଡ଼ିଲୁ । କହ୍ନେୟାଲାଲ ଗୋଟିଏ ଜଗୁଆଳି ବିହୀନ ଲେଭଲ୍ କ୍ରସିଂ ଆଡ଼କୁ ଦୌଡ଼ିଲେ ଏବଂ ଲାଲ୍ ପତାକା ହଲାଇ ସେଠାରେ ରେଳ ଫାଟକ ବନ୍ଦ କଲେ । ଏହାପରେ ସେ ଟ୍ରେନ୍ ଆଡ଼କୁ ଦୌଡ଼ିଲେ ଏବଂ ସବୁଜ ପତାକା ହଲାଇଲେ । ଟ୍ରେନ୍ ଆଗକୁ ଗଡ଼ିଲା ଏବଂ ବନ୍ଦ ହୋଇଥିବା ଫାଟକ ଅତିକ୍ରମ କରି ପୁଣି ଅଟକିଗଲା । କହ୍ନେୟାଲାଲ ଫାଟକ ଖୋଲିଲେ ଏବଂ ପୁଣି ଡ୍ରାଇଭର୍ କ୍ୟାବିନକୁ ଫେରିଲେ , ଆମେ ମଧ୍ୟ ତାଙ୍କ ପଛେ ପଛେ ଆସିଲୁ ।

PHOTO • p. sainath

ସେ ୬୮ କିଲୋମିଟର ଦୂରତା ମଧ୍ୟରେ ୧୬ ଥର ଏପରି କରନ୍ତି । ସେ କୁହନ୍ତି, “ମୁଁ ତାହା ହିଁ କରେ । ମୁଁ ଜଣେ ମୋବାଇଲ୍ ଗେଟ୍ କିପର୍ ବା ଭ୍ରାମ୍ୟମାଣ ଫାଟକ ରକ୍ଷକ ।” ଏହା ‘ମୋବାଇଲ’ର ପୁରୁଣା ଅର୍ଥକୁ ପୁଣି ଫେରାଇ ଆଣିଛି । ଏହା ଛତିଶଗଡ଼ ରାଜ୍ୟରେ ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇର କଥା । ଆମେ ୨୩୨ ଡାଉନ୍ ଧମତାରି ପାସେଞ୍ଜରରେ ଥିଲୁ । ଏହି ଟ୍ରେନ୍ ‘ଲେବର୍ ଟ୍ରେନ୍’ ଭାବରେ ଅଧିକ ଜଣାଶୁଣା । କାରଣ ଏହା କାମ ସନ୍ଧାନରେ ରାୟପୁର ସହରକୁ ଆସୁଥିବା ଶହ ଶହ ପ୍ରବାସୀ ଶ୍ରମିକଙ୍କୁ ନେବା ଆଣିବା କରେ । ଧମତାରିରୁ ରାୟପୁର ନିକଟସ୍ଥ ତେଲିବନ୍ଧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୂରତା ଆସିବା ପାଇଁ ତିନି ଘଣ୍ଟା ପାଞ୍ଚ ମିନିଟ୍ ସମୟ ଲାଗେ, ମଝିରେ ୯ଟି ରହଣୀସ୍ଥଳ ପଡ଼େ । ଏହି ଦୂରତା ମଧ୍ୟରେ ପ୍ରାୟ ୧୯ଟି ଲେଭଲ୍ କ୍ରସିଂ କିମ୍ବା ଫାଟକ ପଡ଼େ । ଏ ମଧ୍ୟରୁ ମାତ୍ର ଦୁଇ ବା ତିନୋଟିରେ ଜଗୁଆଳୀ ଅଛନ୍ତି ।  


କହ୍ନେୟାଲାଲ ଗୁପ୍ତା କୁହନ୍ତି, “ମୋର କାମ ଫାଟକ ଖୋଲିବା ଏବଂ ବନ୍ଦ କରିବା । ଆଗରୁ ଏସବୁ ଫାଟକରେ ଜଗୁଆଳ ଥିଲେ, କିନ୍ତୁ ଏବେ ମତେ ଭ୍ରାମ୍ୟମାଣ ଜଗୁଆଳ ଭାବରେ ନିଯୁକ୍ତ କରାଯାଇଛି । ଆଗରୁ ମୁଁ ଗ୍ୟାଙ୍ଗମ୍ୟାନ୍ ଥିଲି, ତା’ ପରେ ଏହି ପଦକୁ ଆସିଲି ।  ଏହି ପଦରେ ମୁଁ ଦୁଇ ବର୍ଷ ହେବ ଅଛି । ମତେ ମୋ କାମ ଭଲ ଲାଗୁଛି ।” (କିନ୍ତୁ ସେ ମାସକୁ ୨୦,୦୦୦ ଟଙ୍କାରୁ କମ୍ ଦରମା ପାଇବେ ।)

a man standing at the door of the train
PHOTO • p. sainath

ରାସ୍ତାର ଆଦ୍ୟ ଷ୍ଟେସନଗୁଡ଼ିକରେ ଜଣେ ଭ୍ରାମ୍ୟମାଣ ଜଗୁଆଳ ଫାଟକଗୁଡ଼ିକ ଦେଖି ସାରିବା ପରେ ପଛ କମ୍ପାର୍ଟମେଣ୍ଟଗୁଡ଼ିକୁ ଯାଇପାରିବ । କାରଣ ସେତେବେଳକୁ ଟ୍ରେନ୍ ଭର୍ତ୍ତି ହୋଇନଥିବ ଏବଂ ସେ ଆରାମରେ ବସି ପାରିବ । କିନ୍ତୁ ଟ୍ରେନ୍ ରାୟପୁରର ଯେତେ ନିକଟତର ହୋଇଆସିବ ସେ କମ୍ପାର୍ଟମେଣ୍ଟରେ ପଶିବା କଷ୍ଟକର ହୋଇଯିବ । ତେଣୁ ତାକୁ ଡ୍ରାଇଭର୍ କ୍ୟାବିନକୁ ଯିବାକୁ ହେବ ଏବଂ ପରବର୍ତ୍ତୀ ଫାଟକ ଆସିବା ପର୍ଯ୍ୟନ୍ତ ଛିଡ଼ା ହେବାକୁ ପଡ଼ିବ ।

ଏକଦା ରେଳବାଇ ଏଠାରେ  ବହୁ ସଂଖ୍ୟାରେ ନିଯୁକ୍ତି ଦେଉଥିଲା । କିନ୍ତୁ ବର୍ତ୍ତମାନ ବିସ୍ମୟକର ସଂଖ୍ୟକ ପଦ ଖାଲି ପଡ଼ିଛି । କହ୍ନେୟାଲାଲର କାମ ଏକ ନୂତନ ଆବିଷ୍କାର ନୁହେଁ । ଏହା କେବଳ କର୍ମଚାରୀ ସଂଖ୍ୟା କମ୍ କରିବାର ଏକ  ଉଦ୍ୟମ। ସୁରକ୍ଷା ଦୃଷ୍ଟିରୁ ଦେଖିଲେ, ସମସ୍ତ ଅର୍ଥାତ ସମୁଦାୟ ୧୬ଟି ଫାଟକ ଜଗୁଆଳ ଦରକାର କରୁଛି । ରେଳବାଇର ଅଧିକାରୀଙ୍କ ଗଣନା ଅନୁଯାଯୀ ଦେଶରେ ସମୁଦାୟ ୩୦,୦୦୦ ଲେଭେଲକ୍ରସିଂ ଅଛି । ସେ ମଧ୍ୟରୁ ୧୧,୫୦୦ରୁ ଅଧିକ ଜଗୁଆଳି ବିହୀନ ।

ସମୁଦାୟ ରେଳ ଦୁର୍ଘଟଣାର ୪୦ ପ୍ରତିଶତ ଲେଭେଲକ୍ରସିଂଠାରେ ହୋଇଥାଏ ଏବଂ ରେଳ ଲାଇନରେ ସମୁଦାୟ ମୃତ୍ୟୁର ଦୁଇ ତୃତୀୟାଂଶ ଏହିଠାରେ ହିଁ ହୋଇଥାଏ। ଜଗୁଆଳି ପରିଚାଳିତ ଲେଭେଲକ୍ରସିଂଠାରେ ବିପର୍ଯ୍ୟୟର ଘଟଣା ଖୁବ୍ ବିରଳ । ଜଗୁଆଳିବିହୀନ ଲେଭେଲକ୍ରସିଂଗୁଡ଼ିକୁ କ୍ରମଶଃ ବନ୍ଦ କରିବାକୁ ରେଳବାଇ ଯୋଜନା କରୁଛି । କାରଣ ଏଥିପାଇଁ ସେମାନଙ୍କୁ ଫାଟକ ଜଗୁଆଳି ଭାବରେ କର୍ମଚାରୀ ରଖିବାକୁ ହେଉଛି । ଏହାଛଡ଼ା କହ୍ନେୟାଲାଲଙ୍କ ପରି ଭ୍ରାମ୍ୟମାଣ ଜଗୁଆଳି ନିଯୁକ୍ତ କରିବା ଅନ୍ୟ ଏକ ଭଲ ବିକଳ୍ପ । କାରଣ ସେ ଏକୁଟିଆ ଏକାଧିକ ବ୍ୟକ୍ତିଙ୍କର କାମ କରିପାରିବେ ।

୨୩୨ ଡାଉନ୍ ଧମତାରି ପାସେଞ୍ଜରରେ କିନ୍ତୁ କୌଣସି ଦୁର୍ଘଟଣାର ଆଶଙ୍କା ଖୁବ୍ କମ୍ । ଏହା ଏକ ନ୍ୟାରୋ ଗଜ୍ ଟ୍ରେନ୍ । ଦେଶରେ ଚାଲିଥିବା ଅଳ୍ପ କେଇଟି ଏହି ପ୍ରକାର ଟ୍ରେନ୍ ମଧ୍ୟରୁ ଏହା ଅନ୍ୟତମ । ଏହାର ଗତି ଖୁବ୍ ମନ୍ଥର, ଏହା ହେବା ମଧ୍ୟ ଉଚିତ । କାରଣ ଏଥିରେ ଅନେକ ଲୋକ ଲଦି ହୋଇଥାନ୍ତି । କିନ୍ତୁ କହ୍ନେୟା ଲାଲଙ୍କ ପରି ଚାକିରି ରହିବା ପଛରେ ଏକମାତ୍ର କାରଣ ହେଉଛି କର୍ମଚାରୀ ସଂଖ୍ୟା ହ୍ରାସ କରିବା।

a man in the driver's cabin
PHOTO • p. sainath

ଭାରତୀୟ ରେଳ ମଜଦୁର ସଂଘର ମହାସଚିବ ବେଣୁ ପି. ନାୟାରଙ୍କ କହିବା ଅନୁଯାୟୀ, “ଭାରତୀୟ ରେଳର ଅନୁମୋଦିତ କର୍ମଚାରୀ ସଂଖ୍ୟା ୧୩.୪ ଲକ୍ଷ”। “କିନ୍ତୁ ପ୍ରାୟ ୨ଲକ୍ଷ ପଦବୀ ଖାଲି ପଡ଼ିଛି ଏବଂ ଏହି ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ଏହା ହିଁ ଧାରା । ୭୦ ଦଶକରେ ଆମର ୧୭ ଲକ୍ଷ କର୍ମଚାରୀ ଓ ୫ଲକ୍ଷ ଅନୌପଚାରିକ ଶ୍ରମିକ ଥିଲେ । କିନ୍ତୁ ବର୍ତ୍ତମାନ ଏତିକି ହିଁ ଅଛନ୍ତି । ଯଦିଓ ସେବେଠାରୁ ବର୍ତ୍ତମାନ ମଧ୍ୟରେ ପାସେଞ୍ଜର ଟ୍ରେନର ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଏଥିସହ ଷ୍ଟେସନର ସଂଖ୍ୟା, ଲାଇନର ସଂଖ୍ୟା ଏବଂ ବୁକିଂ କାଉଣ୍ଟରର ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଛି । କିନ୍ତୁ ଗତ ୨୦ବର୍ଷ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟାରେ ଆଖିଦୃଷ୍ଟିଆ ହ୍ରାସ ଘଟିଛି। ଏହା ବିପଜ୍ଜନକ ଓ ଭୁଲ ।” ଭାରତୀୟ ରେଳବାଇର ୧୨୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରୁଛି ଏବଂ ଦୈନିକ ପ୍ରାୟ ୨୩ ନିୟୂତ ଯାତ୍ରୀଙ୍କୁ ନେବା ଆଣିବା କରୁଛି।

ଧମତାରିର ଏହି “ଶ୍ରମିକ ଟ୍ରେନ’ର ୭ଟି କୋଚ୍ ଅଛି ଏବଂ ଏହାର କ୍ଷମତା ୪୦୦ ଯାତ୍ରୀ ପରିବହନର । କିନ୍ତୁ ବୋଧହୁଏ ଏହାର ଦୁଇଗୁଣ ସଂଖ୍ୟକ ଯାତ୍ରୀ ଟ୍ରେନ୍ ମଧ୍ୟରେ ଥାଆନ୍ତି ଏବଂ ଏହାର କଡ଼ ଓ ପଛରେ ଓହଳି ଥାଆନ୍ତି । ଏପରିକି କୋଚ୍ ଗୁଡ଼ିକ ମଧ୍ୟରେ ଥିବା ସ୍ଥାନରେ ମଧ୍ୟ ଯାତ୍ରୀର ଓହଳି ଥାଆନ୍ତି । ଜଣେ ଶ୍ରମିକ କହିଥିଲେ, “ଏହି ଟ୍ରେନ୍ ରାୟପୁର ନିକଟରେ ପହଞ୍ଚିଥିବାବେଳେ ଆପଣ ଏହି ଟ୍ରେନ୍ ଦେଖିବା ଉଚିତ୍ । ସେତେବେଳେ ଏହାର ଛାତ ଉପର ମଧ୍ୟ ଯାତ୍ରୀମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଇଥାଏ ।”

ଯାତ୍ରୀମାନେ ଆମକୁ ଭିଡିଓ କ୍ୟାମେରା ସହ ଦେଖି ଖୁବ୍ ଆନନ୍ଦିତ ହେଉଥାନ୍ତି । ପ୍ରତି ଜଗୁଆଳିବିହୀନ ଫାଟକରେ ସେମାନେ କହ୍ନେୟାଲାଲଙ୍କ ପଛରେ ଦୌଡ଼ୁଥାନ୍ତି। ଦୁଇ କମ୍ପାର୍ଟମେଣ୍ଟ ମଧ୍ୟରେ ଓହଳିଥିବା ଜଣେ ବଡ଼ ପାଟିରେ କହିଲେ, “ଏହା ଏକ ଫିଲ୍ମ ସୁଟିଂ । ସେମାନେ ବଲିଉଡରୁ ଆସିଛନ୍ତି ।” ତାଙ୍କର ଅନ୍ୟଜଣେ ସାଥୀ ଚିତ୍କାର କଲେ, “ତା’ହେଲେ ହିରୋ କିଏ?” ତୃତୀୟ ଜଣଙ୍କ କହିଲେ, “ହିରୋ କଥା ଚିନ୍ତା କରନି । ଆମକୁ ହିରୋଇନ୍ ଦେଖାଅ ।”

କିନ୍ତୁ ସେମାନେ ଷ୍ଟେସନରେ ଆମ ସହିତ ଖୁବ୍ ଧୈର୍ଯ୍ୟର ସହ କଥା ହେଲେ । ଏମାନଙ୍କ ମଧ୍ୟରୁ ସମସ୍ତେ କାମର ସନ୍ଧାନରେ ସହରକୁ ଆସିଛନ୍ତି । ଯେଉଁ ଅଞ୍ଚଳରେ କୃଷିର ଅବସ୍ଥା ଖୁବ୍ ଖରାପ, ସେ ସବୁ ଗାଁରୁ ସେମାନେ ଆସିଛନ୍ତି । ଆମେ ପଚାରିଲୁ ଟ୍ରେନରେ କାହିଁକି ଆସୁଛ ଏ ପ୍ରକାର ଗହଳିରେ? ତମେମାନେ ରାୟପୁରରେ ପହଞ୍ଚିବା ବେଳକୁ ହାଲିଆ ହୋଇଯାଉଥିବା ବୋଧେ । “ଧମତାରିରୁ ରାୟପୁର ଟ୍ରେନ୍ ଟିକେଟର ଦାମ୍ ମାତ୍ର ୨୦ଟଙ୍କା । ସେହି ରାସ୍ତା ପାଇଁ ବସ୍ ଦେୟ ୬୫-୭୦ଟଙ୍କା, ତିନିଗୁଣରୁ ଅଧିକ । ବସରେ ଯିବା ଆସିବା କଲେ ଆମେ ଦିନରେ ଯେଉଁ ୨୦୦-୨୫୦ ଟଙ୍କା ରୋଜଗାର କରିବୁ ତାହାର ଅଧାରୁ ଅଧିକ ସେଥିରେ ଚାଲିଯିବ ।”

PHOTO • P. Sainath

୨୩୨ ଡାଉନ୍ ଧମତାରି ପାସେଞ୍ଜରରେ ପଛପଟେ ବସିଥିବା ଯାତ୍ରୀମାନେ

ଇଞ୍ଜିନ୍ ଡ୍ରାଇଭର ବେଣୁ ଗୋପାଳ ବୁଝାଇ କୁହନ୍ତି, “ସକାଳ ଟ୍ରେନରେ,” “ଅଧିକାଂଶ ଯାତ୍ରୀ ଶ୍ରମିକ । ଗ୍ରାମାଞ୍ଚଳର ଲୋକମାନେ ଏହି ଟ୍ରେନରେ ଦିନ ମଜୁରିଆ ଭାବେ କାମ କରିବା ପାଇଁ ରାୟପୁର ଯାଆନ୍ତି । ପ୍ରତିଦିନ ସନ୍ଧ୍ୟାରେ ଟ୍ରେନ ଯୋଗେ ଫେରନ୍ତି ।”

କେନ୍ଦ୍ରୀ ଷ୍ଟେସନରେ ରୋହିତ ନୌରଙ୍ଗେ କହିଥିଲେ, “ଏହା ଖୁବ୍ କଷ୍ଟ ,’’ ଏଠାରେ ଚଳିବା ପାଇଁ ଏତେ ଅଧିକ ରୋଜଗାର କରିହେବନି ।” କେନ୍ଦ୍ରୀ ଗାଁରେ ଗୋଟିଏ ଛୋଟ ସାଇକେଲ ମରାମତି ଦୋକାନ କରିଥିଲେ ମଧ୍ୟ ରୋହିତ ଜଣେ ଦିନମଜୁରିଆ ଏବଂ ଅଧିକାଂଶ ସମୟରେ ସେ ଏହି ଟ୍ରେନରେ ଯିବା ଆସିବା କରନ୍ତି ।

ଆମେ ଟ୍ରେନକୁ ଫେରିଲୁ, କହ୍ନେୟା ଲାଲ୍ ତାଙ୍କ କାମରେ ସମ୍ପୂର୍ଣ୍ଣ ମନ ଲଗାଇଥିଲେ, ପରବର୍ତ୍ତୀ ଫାଟକ ପାଇଁ ସେ ପ୍ରସ୍ତୁତ ହେଉଥିଲେ । ସେ ସାମାନ୍ୟ ହସି କହିଲେ, “ଖୋଲ ଏବଂ ବନ୍ଦ କର ।”

ଏହି କାହାଣୀର ଏକ ସଂସ୍କରଣ ବିବିସି ନ୍ୟୁଜ୍ ଅନଲାଇନ୍ (http://www.bbc.com/news/world-asia-india-29057792)ରେ ୨୦୧୪ ସେପ୍ଟେମ୍ବର ୨୨ ତାରିଖରେ ଇଂରାଜୀ ଏବଂ ହିନ୍ଦୀରେ ପ୍ରସାରିତ ହୋଇଛି ।

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath