ନିଜ ଜୀବନର ୭୦ ଦଶକର ଶେଷ ଭାଗରେ ପହଞ୍ଚି ସାରିଥିବା ସେ ଜଣେ ଷ୍ଟ୍ରବେରୀ କୃଷକ। ପୁରୁଣା ମହାବଳେଶ୍ୱରରେ ଥିବା ତାଙ୍କର ତିନି ଏକର କ୍ଷେତରେ ସେ ଖୋଳିଥିବା ଗଭୀର କୂପ ପଥର ଭଳି ଶୁଖିଲା ପଡିଛି। ଚାଷ କାମ ଜାରି ରଖିବା ପାଇଁ ସେ ଓ ତାଙ୍କର ସ୍ତ୍ରୀ ସଂଘର୍ଷ କରୁଛନ୍ତି। ଯେହେତୁ ତାଙ୍କର ବୋରୱେଲରେ ଏବେ ବି କିଛି ପାଣି ଅଛି, ସେମାନେ ଚାଷ ଜାରି ରଖିବାରେ ସମର୍ଥ ହୋଇଛନ୍ତି। ସେହି ଅଳ୍ପ ପାଣି ମଧ୍ୟରୁ ବି ସେ ତାଙ୍କ ଜମିକୁ ଲାଗିକରି ଥିବା ମନ୍ଦିରକୁ ମାଗଣାରେ କିଛି ଦିଅନ୍ତି। ଉକ୍ରଟ ମରୁଡି ତାଙ୍କ ଫସଲକୁ କ୍ଷତି ପହଞ୍ଚାଇଛି କିନ୍ତୁ ତାଙ୍କ ବଦାନ୍ୟତା ଉପରେ କୌଣସି ପ୍ରଭାବ ପଡିନାହିଁ। ତାଙ୍କ ନାଁ ହେଲା ୟୁନୁସ୍ ଇସମାଇଲ୍ ନାଲାବନ୍ଦ ଏବଂ ସେ କ୍ରିଷ୍ଣାମାଇ ମନ୍ଦିରକୁ ବଡ ଆନନ୍ଦର ସହ ପାଣି ଦିଅନ୍ତି, ଯାହାକି ସତାରା ଜିଲ୍ଲାରେ କ୍ରିଷ୍ଣା  ନଦୀର ସବୁଠାରୁ ପୁରୁଣା ଉତ୍ସର ଚିହ୍ନ। 

ସେ କହନ୍ତି, “ପ୍ରକୃତରେ ଏହା କଣ ମୋର ପାଣି ?  ଏହା ସବୁ ଉପରବାଲାର, ନୁହେଁ କି ? ’’ ତାଙ୍କ ସ୍ତ୍ରୀ ରୋସନ ନାଲାବନ୍ଦ ମଧ୍ୟ ସହମତି ପ୍ରକାଶ ସୂଚକ ମୁଣ୍ଡ ହଲାଇଲେ। ରୋସନ୍ ବି ଜୀବନର ୭୦ ଦଶକରେ ପହଞ୍ଚିଛନ୍ତି। ଉଭୟ ଛୋଟ ବାକ୍ସରେ ଷ୍ଟ୍ରବେରୀ ପ୍ୟାକିଂ କରୁଥିଲେ। ରୋସନ କହିଲେ, “ବ୍ୟବସାୟୀମାନେ ଏସବୁ ନେବାକୁ ଆସିବେ, ଅଭାବ ପାଇଁ ଚଳିତବର୍ଷ ମୂଲ୍ୟ ଅଧିକ ଅଛି, କିନ୍ତୁ କମ୍ ପରିମାଣର ଓ କମ୍ ମାନର ଫସଲ ଯୋଗୁଁ ତାହା ସନ୍ତୁଳିତ ହୋଇଯାଇଛି। ’’ କିଭଳି ଜଳ ସଙ୍କଟ ସେମାନଙ୍କୁ ପ୍ରଭାବିତ କରୁଛି, କାମ ବନ୍ଦ ନ କରି ସେମାନେ କଥା ହେଉଥିଲେ। ରୋସନ କେବଳ ଆମକୁ ପାଣି ଦେବାକୁ ବା ଅନ୍ୟ କିଛି ଆବଶ୍ୟକୀୟ ଜିନିଷ ପାଇଁ ପଚାରିବାକୁ ଏକ ମିନିଟ୍ ପାଇଁ ବିରତି ନେଲେ। 

ନାଲାବନ୍ଦଙ୍କ ବୋରୱେଲରୁ ପାଣି ଆସିବା ସମୟ ଛାଡିଦେଲେ,  କ୍ରିଷ୍ଣାମାଇରେ କୁଣ୍ଡ(ମନ୍ଦିର ଟାଙ୍କି) ସବୁବେଳେ ଖାଲି ଥାଏ। ଏଥର ଟାଙ୍କି ଶୁଖିଲା ହୋଇଗଲା। କ୍ରିଷ୍ଣା ମାଇ ଅଧିକ ଲୋକ ଦେଖିବାକୁ ଆସୁଥିବା ପଞ୍ଚଗଙ୍ଗା ମନ୍ଦିରଠାରୁ ମାତ୍ର କେଇ ମିନିଟ୍ ପାଦଚଲା ରାସ୍ତା ଦୂରରେ ଅଛି। ପଞ୍ଚଗଙ୍ଗା ମନ୍ଦିର କ୍ରିଷ୍ଣା ଏବଂ ଅନ୍ୟ ୪ଟି ନଦୀ କୋୟନା, ବୀନା, ସାବିତ୍ରୀ ଓ ଗାୟତ୍ରୀର ସାଙ୍କେତିକ ଉତ୍ସ। ସେସବୁର ପ୍ରକୃତ ଉତ୍ସ ଗୁଡିକ ଏଠାରୁ ବେଶୀ ଦୂର ନୁହେଁ। ସମ୍ଭବତଃ କ୍ରିଷ୍ଣାମାଇ ହେଉଛି ୱାଇ- ମହାବଳେଶ୍ୱର ଅଞ୍ଚଳର ସବୁଠାରୁ ପୁରୁଣା ମନ୍ଦିର। ଗୋଟିଏ ଛୋଟ ସୁନ୍ଦର ମନ୍ଦିର, ସ୍ଥାନୀୟ ଲୋକେ ନଦୀ ଦେବୀଙ୍କ ଘର ବୋଲି ବିଶ୍ୱାସ କରନ୍ତି।

Old couple selling strawberries
PHOTO • P. Sainath
Dry well
PHOTO • P. Sainath

ୟୁନୁସ୍ ନାଲାବନ୍ଦ ଏବଂ ତାଙ୍କ ସ୍ତ୍ରୀ ରୋସନି ନାଲାବନ୍ଦ - କ୍ଷୁଦ୍ର ଚାଷୀ, ସେମାନଙ୍କର ୩ ଏକର ଜମିରେ ମୁଖ୍ୟତଃ ଷ୍ଟ୍ରବେରୀ ଉତ୍ପାଦନ କରନ୍ତି। ନିମ୍ନରେ – ତାଙ୍କର ସମ୍ପୂର୍ଣ ଭାବେ ଶୁଷ୍କ କୂଅ। 

ମୋ ବନ୍ଧୁ ଓ ସହକର୍ମୀ ଜୟଦୀପ ହାର୍ଦିକର ଓ ମୁଁ, ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ଅନ୍ୟ ସାମ୍ବାଦିକଙ୍କ ସହ ମେ ମାସରେ --ସାଙ୍କେତିକ ହେଉ ବା ପ୍ରକୃତ- ମହାରାଷ୍ଟ୍ରର ବିଭିନ୍ନ ନଦୀର ଉିତ୍ପତ୍ତି ସ୍ଥଳକୁ ଗସ୍ତ କରିଥିଲୁ। ଏହା ପଛରେ ଉଦ୍ଦେଶ୍ୟ ଥିଲା ପ୍ରତି ନଦୀର ତଳ ଭାଗକୁ ଯିବା ଏବଂ ସେଠାରେ ଚାଷୀ, ଶ୍ରମିକ ଏବଂ ସେହି ରାସ୍ତାରେ ରହୁଥିବା ଅନ୍ୟମାନଙ୍କ ସହ କଥା ହେବା। ସେମାନଙ୍କଠାରୁ ଏହି ବାବଦରେ ଶୁଣିବା ଯେ କେମିତି ଏକ ପାଣିପାଗ ଜନିତ ମରୁଡିଠାରୁ ଏହି ଉକ୍ରଟ ଜଳ ସଙ୍କଟ ଖୁବ୍ ବଡ, ଯାହା ସେମାନଙ୍କ ଜୀବନକୁ ପ୍ରଭାବିତ କରୁଛି। 

ଖରାଦିନେ ନଦୀର କିଛି ଅଞ୍ଚଳ ଶୁଖିଲା ହୋଇଯିବା ସାଧାରଣ କଥା। କିନ୍ତୁ ନଦୀର ଉତ୍ସ ଅଞ୍ଚଳରେ ବି ଏବେ ଏମିତି ହେଉଛି, ସେହି ସବୁ ଅଞ୍ଚଳରେ ଯେଉଁଠାରେ ନଦୀ କେବେହେଲେ ଶୁଖିଲା ପଡ଼ିନାହିଁ। ପଶ୍ଚିମଘାଟ ପରିବେଶ ବିଶେଷଜ୍ଞ ପ୍ୟାନେଲର ମୁଖ୍ୟ ଥିବା ପ୍ରଫେସର ମାଧବ ଗାଡଗିଲ କହନ୍ତି, ‘ମହାରାଷ୍ଟ୍ରର ଚିରସ୍ରୋତା ନଦୀଗୁଡ଼ିକ ଏବେ ଉଲ୍ଲେଖନୀୟ ଭାବେ ଋତୁକାଳୀନ ରୂପେ ବଦଳିଯାଇଛନ୍ତି। ଏହି ସବୁ ନଦୀର ଗତିପଥରେ ବଡ଼ ଆକାରରେ ବନ୍ଧ ବାନ୍ଧିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ କରିବା ଏହାର କାରଣ। 

ନାରାୟଣ ଜାଦେ କହିଲେ, ଛଅ ଦଶନ୍ଧି ଭିତରେ ମୁଁ କ୍ରିଷ୍ଣାମାଇ ମନ୍ଦିରର କୁଣ୍ଡ କେବେ ଖାଲି ଓ ଶୁଖିଲା ହେବା ଦେଖିନାହିଁ। ଏହା ଏକ ଏମିତି ଅଞ୍ଚଳରେ ଅଛି ଯେଉଁଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ପ୍ରାୟ ୨,୦୦୦ ମିଲିମିଟର। ଜଣେ ଅବସରପ୍ରାପ୍ତ ଟୁରିଷ୍ଟ ଗାଇଡ୍ ଏବଂ ବିସ୍ଥାପିତ ଶ୍ରମିକ, ଜାଦେ ଏହି ମନ୍ଦିର ପାଖରେ ବସି ସମୟ କାଟୁଛନ୍ତି। ଯଦିଓ ସେ ଜାଣିଛନ୍ତି ଯେ ମରୁଡି କେବଳ ବୃଷ୍ଟିପାତ ଜନିତ ନୁହେଁ, ସେ ପର୍ଯ୍ୟଟକ ଓ ବାହାର ଲୋକଙ୍କୁ କହନ୍ତି, “ଆପଣମାନଙ୍କୁ’’ ଏହାର ଉତ୍ତର ଦେବାକୁ ଅଛି। 

ସେ କହନ୍ତି, “ବହୁ ମାତ୍ରାରେ ଜଙ୍ଗଲ କଟା ମଧ୍ୟ ହୋଇଛି, କିନ୍ତୁ ତାହା ସ୍ଥାନୀୟ ଲୋକଙ୍କ ଦ୍ୱାରା ନୁହେଁ। ଯଦି ଆମ ଭିତରୁ କେହି ଏଠି ଯୋଡିଏ ଗଛ ଡାଳ କାଟି ଦିଅ, ସେ ଜେଲ୍ ଯାଏ। କିନ୍ତୁ ବାହାରୁ ଲୋକ ଆସି ଗଛ କାଟନ୍ତି ଏବଂ ଟ୍ରକ୍ ଟ୍ରକ୍ କାଠ ନେଇ ଆରାମରେ ବାହାରି ଯାଆନ୍ତି। ’’ ଜାଦେ ମଧ୍ୟ ଜଣେ ଟୁର ଗାଇଡ୍ ଭାବେ କାମ କରିଛନ୍ତି, ସେ କହନ୍ତି, ଅନିୟନ୍ତ୍ରିତ ପର୍ଯ୍ୟଟନ ବହୁ କ୍ଷତି କରିଛି। “...ଏ ସବୁ ରିସର୍ଟ ଓ ସ୍ଥାନ ସୃଷ୍ଟି ହୋଇଛି’’ ସବୁଜ ବଳୟକୁ ନଷ୍ଟ କରି। ବର୍ତ୍ତମାନ ସେ ଚାହୁଁଛନ୍ତି ଶାନ୍ତ ପଡିଯାଇଥିବା କ୍ରିଷ୍ଣାମାଇରୁ ନେଇ ପଞ୍ଚଗଙ୍ଗା ମନ୍ଦିର ଯାଏ ସବୁ ପର୍ଯ୍ୟଟକରେ ଭରିଯାଉ। 

PHOTO • P. Sainath

ପୁରୁଣା ମହାବଳେଶ୍ୱରରେ କ୍ରିଷ୍ଣାମାଇ ମନ୍ଦିର – ଜୀବିତ ଥିବା ଲୋକଙ୍କ ସ୍ମୃତିରେ ପ୍ରଥମ ଥର ପାଇଁ ଏହା ସାମ୍ନାରେ ଥିବା କୁଣ୍ଡଟି ଶୁଖିଯାଇଛି

ମନ୍ଦିରର ସମ୍ମୁଖ ଭାଗରେ ଏକ ସୁନ୍ଦର ସ୍ଥଳ ରହିଛି, ଯାହା ଢୋମ ବାଲକାୱାଡି ଡ୍ୟାମକୁ ସାମ୍ନା କରି ରହିଛି। ଏଥିରେ ଏବେ ବି କିଛି ପାଣି ଅଛି, କିନ୍ତୁ ବର୍ଷର ଏହି ସମୟରେ ଯେତେ ରହିବା କଥା ତା ଠାରୁ ଯଥେଷ୍ଟ କମ୍ ଅଛି। ବର୍ଷ ବର୍ଷର ସଂରକ୍ଷଣ ଏବଂ ନଦୀ ଜଳ ଧାରାର ବଡ ଆକାରର ପରିବର୍ତ୍ତନ ଫଳରେ ପ୍ରଭାବ ପଡିଲା। କେବେ ବି ଶେଷ ହେବାକୁ ନ ଥିବା ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଅନେକ ହଙ୍ଗାମା ହେଉଛି। ଏହା ରାଜ୍ୟର “ଜଳସେଚନ ଦୁର୍ନୀତି’’ର ମୂଳରେ ରହିଛି।  

ଏହି ସବୁ ଅତ୍ୟଧିକ ବ୍ୟୟବହୁଳ ଯୋଜନାରୁ ଯେଉଁ କେତୋଟି ଗାଁ ଉପକୃତ ହେବାର ଥିଲା, କିନ୍ତୁ ହେଲେ ନାହିଁ, ସେଗୁଡିକ ସତାରା ଜିଲ୍ଲାର ଖାଦଭ ଓ ମାନ ତହସିଲରେ ରହିଛି। ନେର୍ ଡ୍ୟାମ ଓ ହ୍ରଦର ପାଣିକୁ ବହୁ ସଂଖ୍ୟାରେ ଗ୍ରାମବାସୀଙ୍କୁ ଉଭୟ ପାନୀୟ ଓ ଜଳସେଚନ ଉଦେ୍ଧଶ୍ୟରେ ଯୋଗାଯିବାକୁ ଥିଲା। ଏହାକୁ କିନ୍ତୁ ନିକଟସ୍ଥ ପ୍ରାୟ ୧୯ଟି ଗାଁର ଚାଷୀମାନେ କେବଳ ଆଖୁ ଫସଲ ପାଇଁ ବ୍ୟବହାର କରୁଛନ୍ତି। ନେର କ୍ରିଷ୍ଣାମାଇର ତଳ ଭାଗକୁ ୮୦ କିମି ଦୂରତାରେ ରହିଛି। 

ମାନ ଓ ଖାତବ ଛଡା, ଅନ୍ୟ ୧୧ଟି ଅତ୍ୟନ୍ତ ମରୁଡି ପ୍ରଭାବିତ ତହସିଲ ରହିଛି, ଯାହା ସତାରା, ସାଙ୍ଗଲି ଓ ସୋଲାପୁର, ଏହି ତିନିଟି ଜିଲ୍ଲାରେ ପରିବ୍ୟାପ୍ତ। ଏହି ତହସିଲ ସବୁରୁ ଲୋକମାନେ ପ୍ରତିବର୍ଷ ଆଦୁସକଲ ପରିଷଦ(ମରୁଡି ପରିଷଦ)ରେ ଆଲୋଚନା କରନ୍ତି। ଜଣେ ଅବସରପ୍ରାପ୍ତ ମେଡିକାଲ୍ ଅଫିସର ମାରୁତି ରାମକ୍ରିଷ୍ଣା କାଟକର, କହନ୍ତି, “ସେମାନେ ଅନ୍ୟ ସବୁ ଦାବି ସହ ଗୋଟିଏ ମାନ ଦେଶ, ଏହି ୧୩ଟି ତହସିଲକୁ ନେଇ ଏକ ସ୍ୱତନ୍ତ୍ର ମରୁଡି ଜିଲ୍ଲା ଘୋଷଣା ଦାବି କରନ୍ତି। ”

କାଟକର କହନ୍ତି, “ତାଙ୍କର ବର୍ତ୍ତମାନ ଜିଲ୍ଲାରେ ସବୁ କଥାରେ ଏମାନଙ୍କର ମାତ୍ର ଅଳ୍ପ କିଛି କଥା ରହୁଛି। ” କିନ୍ତୁ ସେଥିରୁ ବାହାରି ଆସି ଏକ ନୂଆ ଜିଲ୍ଲା ଗଠନ ସେମାନଙ୍କୁ କେମିତି ସାହାଯ୍ୟ କରିବ ? ଏମାନେ ଅଲଗା ହେଉଥିବା ଦେଖି ପୁରୁଣା ଜିଲ୍ଲା ସବୁ ଖୁସି ହେବେ ଏବଂ ଏମାନଙ୍କ ପ୍ରତି କମ୍ ଉତ୍ତରଦାୟୀ ରହିବେ, ନିଶ୍ଚିତ ଭାବେ ? ସେ ନୂଆ ମରୁଡି ଜିଲ୍ଲା ଆନେ୍ଦାଳନର ଜଣେ ନେତା ପ୍ରଫେସର କ୍ରିଷ୍ଣା ଇଙ୍ଗୋଲେଙ୍କୁ ଆମ ସହ ଫୋନ୍ ଯୋଗେ କଥା କରାଇଲେ। ଇଲୋଲେ କହିଲେ, ଏ ଅଞ୍ଚଳରେ ଲୋକମାନଙ୍କର ସମୂହ ଲାଭ ସେମାନଙ୍କୁ ଏକାଠି ବାନ୍ଧି ରଖିଛି ଏବଂ ଜିଲ୍ଲା ମାନ୍ୟତା ସେମାନଙ୍କର ମୂଲଚାଲ ଶକ୍ତକୁ ବଢାଇବ। 

କାଟକର କହିଲେ, ଏହି ତହସିଲ୍ ସବୁ ସମୁଦ୍ର ପତ୍ତନରୁ ପ୍ରାୟ ୧,୦୦୦ ଫୁଟ ଉଚ୍ଚରେ ଅଛନ୍ତି, ଏବଂ ବୃଷ୍ଟିଛାୟା ଅଞ୍ଚଳରେ ଅଛନ୍ତି। ଆମର ଏ ଅଞ୍ଚଳରେ ବର୍ଷକୁ ୩୦ ଦିନରୁ କମ୍ ବର୍ଷା ହୁଏ। ଆମର ସବୁ ଅଞ୍ଚଳରୁ ଲୋକେ ବିସ୍ଥାପିତ ହେଉଛନ୍ତି। ବିସ୍ଥାପିତଙ୍କ ଭିତରେ ସୁନା ଓ ଗହଣା ଶ୍ରମିକ ଅଛନ୍ତି, ଯେଉଁମାନେ ପଠାଉଥିବା ଟଙ୍କାରୁ ହିଁ ଏ ଅଞ୍ଚଳର ଅର୍ଥନୀତି ତିଷ୍ଠି ରହିଛି। 

Man sitting outside the temple
PHOTO • P. Sainath

ରିଷ୍ଣାମାଇ ମନ୍ଦିରରେ ନାରାୟଣ ଜାଦେ। ସେ ବାହାର ଲୋକଙ୍କୁ ଦାୟୀ କରନ୍ତି,- “ତୁମମାନଙ୍କ ଯୋଗୁଁ”- ଜଙ୍ଗଲ ନଷ୍ଟ, ଅତ୍ୟଧିକ ଭିଡ ଏବଂ ଅନ୍ୟ କାର୍ଯ୍ୟକଳାପ ଫଳରେ ଜଳ ସଙ୍କଟ ଅଧିକ ହେଉଛି

ଜଳ ସଙ୍କଟ ଗତ ବର୍ଷେ କି ଦୁଇ ବର୍ଷର ସମସ୍ୟା ନୁହେଁ। ଏହା ଗୋଟିଏ ବଡ ମରୁଡି ଯୋଗୁଁ ହୋଇନାହିଁ। ଏହା ଦଶକ ଦଶକ ଧରି ଚାଲିଆସିଛି, ମଣିଷ ଦ୍ୱାରା ହିଁ ସୃଷ୍ଟି ହୋଇଛି। ପୁନେରେ ରହୁଥିବା ଅବସରପ୍ରାପ୍ତ ଜଳସେଚନ ଅଧିକାରୀ ଇଞ୍ଜିନିୟର ଶରଦ ମାଣ୍ଡେ କହନ୍ତି, “କାହିଁକି, ଏହି ସମସ୍ୟାର ସମାଧାନ ପାଇଁ କୌଣସି ଦୀର୍ଘସ୍ଥାୟୀ ଉପାୟ ନାହିଁ ? ” ସେ ନିଜେ ନିଜ ପ୍ରଶ୍ନର ଉତ୍ତର ଦେଲେ, “ଜଳଭଣ୍ଡାରର ଆୟୁଷ ୮୦-୯୦ ବର୍ଷ। ପାଇପ୍ ଲାଇନ୍ର ଆୟୁଷ ୩୫-୪୦ ବର୍ଷ। ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗୁଡିକର ଆୟୁଷ ୨୫-୩୦ ବର୍ଷ। ପମ୍ପିଂ ମେସିନାରୀର ଆୟୁଷ ୧୫ ବର୍ଷ। କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀଙ୍କର ଆୟୁଷ ପାଞ୍ଚବର୍ଷ। ଦୀର୍ଘ ସ୍ଥାୟୀ ପଦକ୍ଷେପ ନେବାରେ କୌଣସି ସୁନାମ ନାହିଁ। କେବଳ ଆପଣ   ଯାହା ତୁରନ୍ତ କରନ୍ତି, ସେଥିପାଇଁ ସୁନାମ ମିଳେ।”

ସରକାରୀ ତଥ୍ୟ କହୁଛି ୨୦୦୦ରୁ ୨୦୧୦ ମଧ୍ୟରେ, ରାଜ୍ୟର ଜଳସେଚନ କ୍ଷମତା ମାତ୍ର ୦.୧ ପ୍ରତିଶତ ବଢିଛି। ତାହା ପୁଣି ସମାନ ଦଶକରେ ଜଳସେଚନ ଉପରେ ୭୦,୦୦୦ କୋଟି ଟଙ୍କା ଖର୍ଚ୍ଚ ପରେ। ଜଳସେଚନ ଦୁର୍ନୀତିର ତଦନ୍ତ କରିଥିବା ଚିତାଲେ କମିଟିର ରିପୋର୍ଟ ଅନୁସାରେ ସେଥିରୁ ଅଧା, ଅନାବଶ୍ୟକ ଯୋଜନାରେ ଖର୍ଚ୍ଚ ହୋଇଥିବ। 

ସରକାରୀ ଏବଂ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ, ଗୋଟିଏ ଜଳଭଣ୍ଡାର ପାଇଁ କାର୍ଯ୍ୟାଦେଶ ଦିଆଯିବାର ମାସକ ମଧ୍ୟରେ ଏହାର ବ୍ୟୟ ୫୦୦ ପ୍ରତିଶତ ବଢିଯାଇପାରେ ବା ଛଅ ମାସ ମଧ୍ୟରେ ଏହା ୧,୦୦୦ ପ୍ରତିଶତ ବଢିପାରେ। ଗତ ୩୦ ବର୍ଷ ହେଲା ପ୍ରାୟ ୭୭ଟି ପ୍ରକଳ୍ପ “ନିର୍ମାଣାଧୀନ” ରହିଛି। ଏ ବାବଦକୁ ବ୍ୟୟ ଭାରତର କେତେକ ଛୋଟ ରାଜ୍ୟର ମୋଟ ବଜେଟରୁ ବି ଅଧିକ ହେବ। 

PHOTO • P. Sainath

ସତାରା ଜିଲ୍ଲାରେ ନେର ହ୍ରଦ ଓ ଜଳଭଣ୍ଡାର - ପାନୀୟ ଉଦ୍ଦେଶ୍ୟରେ ବ୍ୟବହାର ହେବାକୁ ଥିବା ଜଳ ନିକଟସ୍ଥ ୧୯ଟି ଜିଲ୍ଲାର ଆଖୁ ଚାଷୀଙ୍କ ଦ୍ୱାରା ବ୍ୟବହୃତ ହେଉଛି। 

ମହାରାଷ୍ଟ୍ରରେ ଭୂତଳ ଜଳ ଖୁବ୍ ଦ୍ରୁତ ଗତିରେ ଖସୁଛି, ଯେଉଁଠି ମୋଟ ଜଳସେଚନର ୬୫ ଭାଗ ଏହି ଉତ୍ସ ଉପରେ ପର୍ଯ୍ୟବସିତ। ୨୦୦ ଫୁଟ୍ ତଳକୁ ବୋରୱେଲ୍ ଖୋଳିବା ଉପରେ ୨୦୧୬ରେ ରାଜ୍ୟ ସରକାର ରୋକ୍ ଲଗାଇଲେ, କିନ୍ତୁ ଏହି ନିଷ୍ପତ୍ତି ନେବାରେ ତିନି ଦଶନ୍ଧି ବିଳମ୍ବ ହୋଇଗଲା। 

କ୍ରିଷ୍ଣା ନଦୀ ତଟବର୍ତ୍ତୀ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବି ଯେତିକି ଉକ୍ରଟ ହେବା କଥା ତାହାଠାରୁ ବହୁ ଅଧିକ ହେଉଛି। ବହୁ ପରିମାଣର ପାଣି ନିର୍ମାଣ କାମ ପାଇଁ ବ୍ୟବହୃତ ହେଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଏବଂ କୃଷିରୁ ଶିଳ୍ପକୁ ପାଣି ନିଆଯାଉଛି।

କୃଷି କ୍ଷେତ୍ରରେ, ଅଧିକାଂଶ ପାଣି ଆଖୁ ଚାଷୀଙ୍କ ଦ୍ୱାରା ବ୍ୟବହୃତ। ଏମିତିକି ପାନୀୟ ଜଳ ଉଦେ୍ଧଶ୍ୟରେ ବ୍ୟବହାର ହେଉଥିବା ନେର ହ୍ରଦର ପାଣି ଚାଷ ପାଇଁ ନିଆଯାଉଛି। ମହାରାଷ୍ଟ୍ରର ମୋଟ ଆଖୁ ଉତ୍ପାଦନର ଦୁଇ ତୃତୀୟାଂଶ ମରୁଡି ପ୍ରବଣ ଅଞ୍ଚଳରେ ହିଁ ହେଉଛି। ଚିନି କଳ ଗୁଡିକ ପାଇଁ ମାଣ୍ଡେ ଗର୍ଜନ କରି କହିଲେ, “ସେମାନଙ୍କୁ ତାହା କୁହନାହିଁ, ସେଗୁଡିକ ବିଧାୟକଙ୍କ ଫ୍ୟାକ୍ଟ୍ରି – ସେମାନେ ତାହା ଉତ୍ପାଦନ କରନ୍ତି।”

ଗୋଟିଏ ଏକରର ଆଖୁ ଚାଷ ବର୍ଷକୁ ୧୮୦ ଏକର ଇଞ୍ଚର ପାଣି ବ୍ୟବହାର କରେ – ତାହା ହେଲା ସାଧାରଣ ବର୍ଷାକୁ ବାଦ୍ ଦେଇ ପ୍ରାୟ ୧୮ ନିୟୁତ ଲିଟର। ଗୋଟିଏ ଏକରର ହାଇବ୍ରିଡ୍ ଯଅ ଚାଷ ଏହାର ମାତ୍ର ୧୦ ପ୍ରତିଶତ ପାଣି ବ୍ୟବହାର କରେ। ଅଧିକାଂଶ ଲୋକ ଏମିତି ହିଁ ଆଖୁକୁ ଦୋଷାରୋପ କରୁନାହାନ୍ତି। ଏହାକୁ ସେହି ଅଞ୍ଚଳରେ ଚାଷ କର ଯେଉଁଠାରେ ଏଥିପାଇଁ ପାଣି ଅଛି। ଜଳ ସଙ୍କଟ ଥିବା ଅଞ୍ଚଳରେ ନୁହେଁ। ଆଖୁ ମାତ୍ର ୪ ପ୍ରତିଶତ ଅଞ୍ଚଳରେ ଚାଷ ହେଉଛି, କିନ୍ତୁ ମହାରାଷ୍ଟ୍ରର ୭୦ ପ୍ରତିଶତ ଜଳସେଚନ ଉଦେ୍ଧଶ୍ୟରେ ଥିବା ପାଣିକୁ ବ୍ୟବହାର କରୁଛି। 

ମହାବଳେଶ୍ୱରର ୟୁନୁସ୍ ନାଲାବନ୍ଦ କହିଲେ, “ଆମର ଏହି କୂଅ ଛଅଦଶକ ଭିତରେ କେବେ ଶୁଖି ନ ଥିଲା। ”ସେ ଏବଂ ରୋସନ୍ ସେମାନଙ୍କର ଷ୍ଟ୍ରବେରୀ ପ୍ୟାକିଂ କରିବାରେ ଲାଗିଥିଲେ। ମହାବଳେଶ୍ୱରରେ ସାରା ଦେଶର ୮୦ ପ୍ରତିଶତ ଷ୍ଟ୍ରବେରୀ ଉତ୍ପାଦିତ ହୁଏ। ସେମାନେ ଆମକୁ କିଛି ଷ୍ଟ୍ରବେରୀ ଓ କିଛି ମଲବେରୀ ଦେଲେ। 

ଆମ ଠାରୁ ମାତ୍ର ଶହେ ଗଜ ଦୂରରେ ରହିଛି କ୍ରିଷ୍ଣାମାଇ ମନ୍ଦିର, ଯେଉଁଠିକୁ ସେମାନେ ମାଗଣାରେ ପାଣି ଦିଅନ୍ତି। ଆମ ପଛରେ ରହିଛି ସେହି ତିନି ଏକର ଜମି ଯେଉଁଠାରେ ସେମାନେ ଚାଷ କରୁଛନ୍ତି। କିନ୍ତୁ ଦିନକୁ ଦିନ ଜଳ ଉତ୍ସ ଶୁଖି ଯାଉଥିବାରୁ, ଏହା ସେହି ପୁରୁଣୀ ଗୀତ ଭଳି ହୋଇନପାରେ, “ଷ୍ଟ୍ରବେରୀ ଫିଲ୍ଡସ ଫର୍ ଏଭର”।

PHOTO • P. Sainath

ୟୁନୁସ୍ ଓ ରୋସନ୍ ମରୁଡି ସମୟରେ ଚାଷ କରିବାକୁ ସଂଘର୍ଷ କରୁଛନ୍ତି, କିନ୍ତୁ ସେମାନଙ୍କ ବୋରୱେଲରୁ ପାଉଥିବା ଅଳ୍ପ ପାଣିକୁ ସେମାନେ କ୍ରିଷ୍ଣାମାଇ ମନ୍ଦିରକୁ ଦେଉଛନ୍ତି। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath