ଯଦି ସେଦିନ ସଂଧ୍ୟାରେ ପାଞ୍ଚ ମିନିଟ୍ ପରେ ତାଙ୍କ ସ୍ତ୍ରୀ ଆରାୟୀ ପହଞ୍ଚିନଥାନ୍ତେ, ସେଟ୍ଟୁ ଆଜି ବଞ୍ଚି ନଥାନ୍ତେ। ଆରାୟୀ ଘର ଭିତରକୁ ପଶି ଆସିବା ବେଳକୁ ସେ ତାଙ୍କ ବେକରେ ରଶି ଗୁଡ଼ାଇ ସାରିଥିଲେ।

ନାମମାତ୍ର ଚାଷୀ କେ. ଲିକନ୍ କହନ୍ତି, ‘‘ଏହା ନିକଟତର ଥିଲା’’ - ସେଟ୍ଟୁ ତାଙ୍କ ଡାକ ନାଁ - ମୁକ୍ତି ପାଇବାକୁ ସେ ଯେଉଁ ଚରମ ପଦକ୍ଷେପ ନେଇଥିଲେ ତା ପାଇଁ ସେ ଅନୁତପ୍ତ। ସହାୟତା ପାଇଁ ଆରାୟୀ ବଡ଼ ପାଟିରେ ଡ଼ାକ ପକାଇଥିଲେ; ପଡୋଶୀମାନେ ଦୌଡ଼ି ଆସିଲେ ଏବଂ ସେଟ୍ଟୁଙ୍କୁ ତଳକୁ ଆଣିଲେ। ସମୟ ଅତିକ୍ରମ କରିଗଲା।

ଏହା ଥିଲା ନଭେମ୍ବର ୬, ୨୦୧୬। ୫୦ ଛୁଇଁବାକୁ ଯାଉଥିବା ସେଟ୍ଟୁ ସେଦିନ ଅପରାହ୍‌ଣରେ ତାଙ୍କ କ୍ଷେତକୁ ଯାଇଥିଲେ। ତାଙ୍କର ଦେଢ ଏକର ଜମିରେ ଲାଗିଥିବା ଧାନ ଫସଲକୁ କେମିତି ବଞ୍ଚେଇ ହେବ, ତାକୁ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ। ତାମିଲନାଡ଼ୁ ତିରୁଚିରାପଲ୍ଲୀ ଜିଲ୍ଲା ଥାୟାନୁର ଗାଁର ଏହି ଉଜୁଡ଼ା କ୍ଷେତ ତାଙ୍କ ମନୋବଳ ଭାଙ୍ଗିଦେଇଥିଲା। ଦ୍ୱିତୀୟ ଥର ପାଇଁ ବୁଣିଥିବା ମଞ୍ଜି ଗଜା ହୋଇନଥିଲା।

ସେଟ୍ଟୁ କହନ୍ତି, ‘‘ସେଦିନ ସଂଧ୍ୟାରେ ମୁଁ ଘରକୁ ଫେରିଥିଲି; ମୋ ସ୍ତ୍ରୀ ଓ ପୁଅମାନେ ଅନ୍ୟ ଲୋକଙ୍କ କ୍ଷେତରେ କାମ କରିବାକୁ ଯାଇଥିଲେ।’’ “କେମିତି କରଜ ସୁଝିବି ଆଉ ଘର ଚଳିବ ସେ କଥା ଭାବିବାକୁ ଲାଗିଲି।’’ ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ହାତ ଉଧାର ଆକାରରେ ୧.୫ ଲକ୍ଷ ଟଙ୍କା ଆଣିଥିଲେ। ‘‘ଚିନ୍ତା ମୋତେ ଗ୍ରାସ କରିଥିଲା ଆଉ ଆଉ ଆତ୍ମହତ୍ୟା କରିବାକୁ ଭାବି ବସିଲି।’’

କାଭେରୀ ତ୍ରିକୋଣଭୂମିର ଏହି ଅଞ୍ଚଳ ଏକଦା ଖୁବ ଉର୍ବର ଥିଲା। ସେଟ୍ଟୁ ଆତ୍ମହତ୍ୟା ଉଦ୍ୟମ କରିବାର କିଛି ମାସ ପରେ, ୨୦୧୭ ଏପ୍ରିଲ ଶେଷ ଏବଂ ମେ ଆରମ୍ଭରେ ତାମିଲନାଡ଼ୁର ଏହି ଅଞ୍ଚଳର ଚାଷୀ ଦିଲ୍ଲୀରେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀମାନେ ପାଟିରେ ମୂଷା ଧରି, ମଣିଷ ଖପୁରୀ ପ୍ରଦର୍ଶନ କରି, ଏବଂ ରାସ୍ତାରେ ଘୁସୁରି ଘୁସୁରି ଏବଂ ଗଡ଼ିଗଡ଼ି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଋଣ ଛାଡ଼ ଦାବି କରିଥିଲେ। ସେତେବେଳକୁ ଅନେକ ଚାଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ସାରିଥିଲେ। କିଛି ଚାଷୀ ହୃଦଘାତର ଶିକାର ହୋଇଥିଲେ।

୨୦୧୭ ଜାନୁଆରୀ ମାସରେ ତ୍ରିକୋଣଭୂମି ଅଞ୍ଚଳରେ ୫୦ଟି ଅକସ୍ମାତ ମୃତ୍ୟୁ ଏବଂ ଆତ୍ମହତ୍ୟା ଘଟଣା ଉପରେ ଅନୁଧ୍ୟାନ ହୋଇଥିଲା। କୃଷି ସହ ସଂପୃକ୍ତ ଥିବା ପିପୁଲ୍‌ସ୍ ୟୁନିୟନ ଅଫ୍ ସିଭିଲ ଲିବର୍ଟିଜ୍ ଟିମ୍, ସାମାଜିକ କର୍ମୀ, ଛାତ୍ର, ଡାକ୍ତର ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ଲୋକେ ଏହା ଉପରେ ଅନୁଧ୍ୟାନ କରିଥିଲେ। ୨୦୧୭ ଜାନୁଆରୀରୁ ଜୁନ୍ ମଧ୍ୟରେ ହୃଦଘାତଜନିତ ଆକସ୍ମିକ ମୃତ୍ୟୁ ସଂଖ୍ୟା ୨୦୦ ହେବ ବୋଲି ସ୍ଥାନୀୟ ଚାଷୀ ସଂଗଠନମାନେ ହିସାବ କରିଥିଲେ। ଏହାସହ କେବଳ ଡିସେମ୍ବର ୨୦୧୬ରେ ଏହି ଅଞ୍ଚଳର ପ୍ରାୟ ୧୦୬ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ୨୦୧୭, ଜାନୁଆରୀ ୫ ତାରିଖରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ଜାରି କରିଥିବା ନୋଟିସ୍‌ରେ ଏହି ତଥ୍ୟ ଉଲ୍ଲେଖ ଥିଲା।

ତାମିଲନାଡ଼ୁ ଉପରେ ସଂକଟ ପଡ଼ିଥିବା ଏହା ଇଙ୍ଗିତ କରୁଛି। ପୂର୍ବ ତାମିଲନାଡ଼ୁର କାବେରୀ ଅବବାହିକାର ଏହି ତ୍ରିକୋଣଭୂମି ଅଞ୍ଚଳ ବେଶ ସମୃଦ୍ଧ। ଏହି ଅଞ୍ଚଳରେ ସମୁଦ୍ର ସହ ସାମିଲ ହୋଇଛି ନଦୀ। ଏଠାରେ ଉତ୍କଟ ଜଳ ସଂକଟ ପଡ଼ିଥିବା ପ୍ରତି ଗାଁର ଚାଷୀ ଆମକୁ ଜଣାଉଥିଲେ। ଏହା ଏକ ମାନବକୃତ ସଂକଟ ବୋଲି ଚାଷୀ ଜୋର ଦେଇ କହନ୍ତି। କଦବା କେମିତି ମରୁଡ଼ିର ସାମ୍ନା କରେ ଏହି ଅଞ୍ଚଳ। ଏ ବର୍ଷ ମରୁଡ଼ି ରେକର୍ଡ ଭାଙ୍ଗିଛି। 

PHOTO • Jaideep Hardikar

ଥାୟାନୁର ଗାଁର ଚାଷୀମାନେ ଭୟଙ୍କର ମରୁଡ଼ି କଥା କହନ୍ତି। ବାମରୁ: ଇନ୍‌ବାରାଜ, ସୁବ୍ରମଣ୍ୟମ କୁମାର, ସେଟ୍ଟୁ, ଆରୋକ୍ୟ ସାମୀ ଓ ବି. ମୁଥୁରାଜା

ସେଟ୍ଟୁଙ୍କ ସାଙ୍ଗ ତଥା ଚାଷୀ ସୁବ୍ରମଣ୍ୟମ କୁମାର କହିଲେ, ‘‘ଆମେ ଆଗରୁ ଏଭଳି ମରୁଡ଼ି କେବେ ଦେଖି ନଥିଲୁ’’। ଏହି ତ୍ରିକୋଣଭୂମିର ଅନ୍ୟ ଚାଷୀଙ୍କଠାରୁ ଯାହା ଶୁଣିଛନ୍ତି ତାହା ସେ ବର୍ଣ୍ଣନା କରୁଥିଲେ।

କ୍ଷମତା ସଂପନ୍ନ କାବେରୀ ନଦୀ - ତାମିଲନାଡ଼ୁ ସମତଳଭୂମିରେ ଯାହାର ଶଯ୍ୟା ପ୍ରାୟ ଦେଢ କିଲୋମିଟର ଓସାର। କିନ୍ତୁ ଏହାର ଛୋଟବଡ଼ ଶାଖାନଦୀ ମେ ୨୦୧୭ ରୁ ଗତ ୬ ମାସ ହେବ ଶୁଖିଲା ପଡ଼ିଛି। ଅନ୍ୟ ମାସଗୁଡ଼ିକରେ, ନଳକୂପଗୁଡ଼ିକ ପାତାଳ ପର୍ଯ୍ୟନ୍ତ ଖୋଳାଯାଉଛି। ହେଲେ ଯେଉଁ ହାରରେ ଖୋଳାଯାଉଛି, ତାଠାରୁ ଦ୍ରୁତ ଭାବେ ଜଳସ୍ତର ତଳକୁ ଖସିବାରେ ଲାଗିଛି।  ଏବେ କାମ ନାହିଁ କି ନିଯୁକ୍ତି ନାହିଁ। ଏକମାତ୍ର ବିକଳ୍ପ ହେଉଛି ସ୍ଥାନ ଛାଡି ବାହାରକୁ ପଳାଇବା। ହଜାର ହଜାର ଲୋକେ କାମ ଧନ୍ଦା ସନ୍ଧାନରେ ସହରକୁ ଚାଲି ଯାଉଛନ୍ତି। ନହେଲେ ଫାଉଡ଼ା ଧରି ‘୧୦୦ ଦିନର କାମ’ ପାଇଁ ଗ୍ରାମାଞ୍ଚଳ ନିଶ୍ଚିତ ନିଯୁକ୍ତ ଯୋଜନା ସ୍ଥଳରେ ପହଞ୍ଚୁଛନ୍ତି।

ଜନବହୁଳ ଟ୍ରିଚୀ ସହରଠାରୁ ୨୫ କିଲୋମିଟର ଦୂରରେ ଥିବା ଶ୍ରୀରଙ୍ଗମ୍ ତାଲୁକର ଥାୟାନୁର ଗାଁରେ ଆମେ ପହଞ୍ଚିବା ବେଳକୁ ସୁବ୍ରମଣ୍ୟମ ଓ ଅନ୍ୟ କେତେଜଣ କୃଷକମାନଙ୍କ ସହ ସେଟ୍ଟୁ ବସିଥିଲେ। ସେମାନେ ଏକ ଭୟଂକର ସଙ୍କଟର ମୁକାବିଲା କରୁଥିଲେ - ଗୋଟିଏ ଦୁଇଟି ମୌସୁମୀ ବିଫଳ ହେବା ପରେ ଏହା ମରୁଡ଼ିକୁ ଗତି କରିଥିଲା।

ନିଜର ଦୁଇ ଏକର ଜମିରେ ଧାନ ଚାଷ କରିଥିବା ଇନବାରାଜ କହିଲେ, ‘‘ପରିସ୍ଥିତି ଅଧିକ ଖରାପ ହେଉଛି’’। “ଆମ ନଦୀରେ ପାଣି ବହୁ ନାହିଁ, ଭୂତଳ ଜଳ ଶୁଖି ଯାଉଛି ଏବଂ  ବର୍ଷା ବି ନାହିଁ।’’ ଏହି ଗାଁ କଟ୍ଟାଲାଇ ନଦୀ କୂଳରେ ଅବସ୍ଥିତ। କଟ୍ଟାଲାଇ ହେଉଛି କାବେରୀ ନଦୀର ଶାଖାନଦୀଗୁଡ଼ିକ ଭତରୁ ଗୋଟିଏ।

PHOTO • Jaideep Hardikar

ଇନବାରାଜ ତାଙ୍କ ଦୁଇ ଏକର ଜମିରେ ଧାନ ଚାଷ କରନ୍ତି, ଏକଦା ଉର୍ବର ଥିବା କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ମରୁଡ଼ି ଭିତରେ କିଭଳି କୃଷି ଅର୍ଥନୀତି ଭୟଙ୍କର ଭାବେ ଭୁଶୁଡ଼ି ପଡ଼ିଛି, ତାହା ବର୍ଣ୍ଣନା କରୁଛନ୍ତି।

ଇନବାରାଜ କହିଲେ ସେ ଓ ତାଙ୍କ ତିନି ଭାଇ ମିଶି ଜମିରେ ନଳକୂପ ଖୋଳିବାକୁ ଯୋଜନା କରିଥିଲେ। ଖର୍ଚ୍ଚ ପାଖାପାଖି ୧ ଲକ୍ଷ ଟଙ୍କା, ବା ଜଣକା ୨୫,୦୦୦ ଟଙ୍କା। ‘‘ପାଣି ଏବେ ୫୦୦ ଫୁଟ ତଳେ ଥିବ, ତେଣୁ ଖର୍ଚ୍ଚ ଅଧିକ ଲାଗିପାରେ’’। ଚାଷୀମାନେ କହନ୍ତି, ଏହି ଅଞ୍ଚଳରେ ୧୦୦-୧୫୦ ଫୁଟ ତଳେ ପାଣି ଥାଏ। କିନ୍ତୁ ଏହି ଦୁଇ ଦଶନ୍ଧି ଭିତର ଏହାର ତିନି ଗୁଣ ଗଭୀରକୁ ପାଣି ଖସି ଗଲାଣି।

ଚାଷ ଜମିକୁ ପାଣି ଆବଶ୍ୟକ, ଗାଈଗୋରୁଙ୍କୁ ପାଣି ଆବଶ୍ୟକ। କିନ୍ତୁ ଇନବାରାଜ କହନ୍ତି, ନଦୀ ଶଯ୍ୟାରୁ ଆମ ପାଣିକୁ ପାଇପ୍‌ରେ ନେଇ ଟ୍ରିଚି ଏବଂ ପାଖରେ ଥିବା ଅନ୍ୟ ସହରକୁ ଯୋଗାଣ କରାଯାଉଛି। ସେ କହନ୍ତି, ‘‘ଏହା ସାଙ୍ଗକୁ ରାଜପଥରେ ଛତୁଫୁଟିବା ପରି ଗଢି ଉଠୁଛି ରିଅଲ ଇଷ୍ଟେଟ,’’ ଏବଂ ସହରରେ ଆପଣଙ୍କର ଏହି ନୂଆ ଅତିଥି ବହୁ ପାଣି ଆବଶ୍ୟକ କରୁଛନ୍ତି।’’

ଏହା ଭିତରେ କିନ୍ତୁ ସେଟ୍ଟୁଙ୍କ ପାଇଁ କିଛି ବଦଳି ନାହିଁ। ନଭେମ୍ବରରେ ସେଦିନ ସେ ରଶି ଲଗାଇ ଛାତରୁ ଝୁଲିପଡ଼ିବା ବେଳେ ଘର ଭିତରକୁ ପଶି ଆସିଥିଲେ ଆରାୟୀ। ଲୋକଙ୍କ ସାହାଯ୍ୟ ପାଇ ତାଙ୍କୁ ବଞ୍ଚାଇଥିଲେ। ଏହା ପରଠାରୁ ଯଦି କିଛି ଘଟିଛି ତାହା ଖରାପ ରୁ ଅଧିକ ଖରାପ ହୋଇଛି। ତାଙ୍କ ଭଳି ଗାଁର ଭୂମିହୀନ ଏବଂ ନାମମାତ୍ର ଚାଷୀ ଅଧିକ ଆଘାତ ପାଇଛନ୍ତି।

ତଥାପି, ସେଟ୍ଟୁ ବଞ୍ଚି ରହିଥିବାରୁ ଭାଗ୍ୟବାନ। ଏହି କ୍ଷେତ୍ରରେ ଅଧିକାଂଶ ଜୀବନରକ୍ଷା କରିପାରିନଥିଲେ।

୨୦୧୬ ମସିହାରେ, ତ୍ରିକୋଣ ଭୂମି ଅଞ୍ଚଳରେ, ସ୍ୱାଭାବିକ ବର୍ଷା ହୋଇ ନଥିଲା। ନଦୀରେ ସ୍ରୋତ ନଥିଲା। ମରୁଡ଼ିର ଶିକାର ହୋଇଥିବା ପଡୋଶୀ ରାଜ୍ୟ କର୍ଣ୍ଣାଟକ ଲଗାତାର ଭାବରେ ଦ୍ୱିତୀୟ ବର୍ଷ ପାଇଁ ଉପରମୁଣ୍ଡରୁ ନଦୀବନ୍ଧରୁ ପାଣି ଛାଡ଼ିବାକୁ ମନା କରିଦେଲା। ମଞ୍ଜିରୁ ଗଜା ହେଲାନି। ଧାନ, ଆଖୁ ଏବଂ ବାଜରା ଫସଲ ଉଜୁଡ଼ିଗଲା। ପାଣି ନାହିଁ ମାନେ କାମ ନାହିଁ କି ପଇସା ନାହିଁ। ଋଣ ଭାର ବଢିଲା ଆଉ ଲୋକେ ଗୃହପାଳିତ ପଶୁ ଓ ଜମି ବିକିବା ଆରମ୍ଭ କଲେ। ସୁନା ବନ୍ଧା ପଡ଼ିଲା।

ଆଶା ଡ଼ୁବିଗଲା, ଉତ୍କଣ୍ଠା ବଢିଲା, ଆଉ ତା ପରେ ଭୟର ବାତାବରଣ ସୃଷ୍ଟି ହେଲା। ଅନେକ କଥା କରିବାକୁ ଥିଲା କିନ୍ତୁ କିଛି କରିହେଲା ନାହିଁ। ଏହା ପରେ ଚାଷୀ ହୃଦଘାତର ଶିକାର ହେଲେ କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ।

PHOTO • Jaideep Hardikar

ତ୍ରିକୋଣଭୂମିର ଜୀବନରେଖା କୁହାଯାଉଥିବା ୨,୦୦୦ ବର୍ଷର ପୁରୁଣା, ଚୋଳମାନଙ୍କ ଦ୍ୱାରା ନିର୍ମିତ ବିଶାଳ ଆନିକଟ ଶୀତ ସମୟରେ ସଂପୂର୍ଣ୍ଣ ଶୁଖିଗଲା। କାବେରୀ ନଦୀ ମଧ୍ୟ ନିରବ ହୋଇଗଲା।

ସେଟ୍ଟୁ ସେଦିନର କଥା ଭାବି ନିଜକୁ ଅପରାଧୀ ଭଳି ମନେ କରୁଥିଲେ, ଯେଉଁଦିନ ସେ ବେକରେ ରଶି ଗୁଡ଼ାଇ ଦେଇଥିଲେ। ସ୍ତ୍ରୀ ଓ ପରିବାରକୁ ସଂକଟ ଭିତରେ ଛାଡ଼ିଦେଇ ସଂସାରରୁ ମୁକ୍ତି ପାଇଯିବାର ବାଟ ବାଛି ନେଇଥିଲେ। ସେ ଏବେ ଆଶ୍ୱସ୍ତ ଯେ ଅନ୍ୟ ଚାଷୀ ଏବଂ ବନ୍ଧୁମାନଙ୍କ ସହ ସେ ଅଛନ୍ତି। ସମସ୍ତେ ସଙ୍କଟରେ ପଡ଼ିଥିଲେ ବି କେହି ପଳାଇ ନାହାନ୍ତି।

ସୁବ୍ରମଣ୍ୟମ କହିଲେ, ଥାୟାନୁର ଗାଁର କିଛି ସ୍ୱଛଳ ଚାଷୀ ସେମାନଙ୍କ ଫସଲ ବଞ୍ଚେଇ ରଖିବାକୁ ସଫଳ ହୋଇଥିଲେ କାରଣ ତାଙ୍କ ନଳକୂଅରୁ କିଛି ପାଣି ବାହାରୁଥିଲା। କିନ୍ତୁ ସେଟ୍ଟୁଙ୍କର ନଳକୂଅ ନଥିଲା। ସେ କହିଲେ, ‘‘ସେ ଦିନ ଉଜୁଡ଼ା କ୍ଷେତକୁ ମୁଁ ଚାହିଁ ପାରି ନଥିଲି। “ଆଦୌ ବର୍ଷା ନଥିଲା, ଗଜା ମରୁଡ଼ି ହୋଇଥିଲା। ’’ ସେ ସମୟ ଥିଲା ନଭେମ୍ବର ମାସ। କ୍ଷେତ ସଂପୂର୍ଣ୍ଣ ଶୁଷ୍କ ଦେଖା ଯାଉଥିଲା। “ଆଦୌ ବର୍ଷା ନଥିଲା, ଗଜା ମରୁଡ଼ି ହୋଇଥିଲା। ’’

ଆଘାତ, ଉତ୍କଣ୍ଠା, ନିରାଶା - ସବୁ ଏକାଠି ହୋଇ ଯାଇଥିଲା, ସେ କହିଲେ। ‘‘ମୋର ଅନେକ ଟଙ୍କାର କରଜ ସୁଝିବାକୁ ଥିଲା। କିନ୍ତୁ କେମିତି ଶୁଝିବି କିଛି ବୁଦ୍ଧି ବାଟ ଦେଖାଯାଉନଥିଲା।’’

ଆମେ ତାଙ୍କୁ ଭେଟିବା ବେଳେ ସେଟ୍ଟୁଙ୍କ ସ୍ତ୍ରୀ ଓ ପୁଅ ଗାଁ ବାହାରକୁ କାମ କରିବାକୁ ଯାଇଥିଲେ; ତାଙ୍କ ଝିଅ ଦୁଇ ବର୍ଷ ତଳେ ବିବାହ କରି ସାରିଛନ୍ତି, ତାଙ୍କ ସାନ ପୁଅ ସ୍କୁଲ ଯାଇଥିଲେ। ତାଙ୍କର ଏକମାତ୍ର ସଂପଦ ହେଉଛି ଘରେ ଥିବା ଗୋଟିଏ ଜର୍ସି ଗାଈ ଯିଏ ଦିନକୁ ୩ ଲିଟରରୁ ଅଧିକ କ୍ଷୀର ଦିଏ ନାହିଁ- ଖାଦ୍ୟ ଅଭାବରୁ ଗାଈ ବି ଭୋକିଲା ଦେଖାଯାଉଛି।

ସେଟ୍ଟୁ କହିଲେ, ‘‘ଏଇ ଗୋଟିକ ଆମ ପାଖରେ ରହି ଯାଇଛି,’’ “ମୁଁ ଜାଣିନି ଆମେ ୟାକୁ କେତେଦିନ ପର୍ଯ୍ୟନ୍ତ ରଖିପାରିବୁ।’’

ସମ୍ପର୍କିତ କାହାଣୀଗୁଡ଼ିକ:

Distress and death in the delta
Jaideep Hardikar • Thanjavur district, Tamil Nadu

ତ୍ରିକୋଣଭୂମିରେ ହତାଶ ଆଉ ମୃତ୍ୟୁ

ଦୀର୍ଘ ମରୁଡ଼ି ଯୋଗୁଁ ତାମିଲନାଡ଼ୁ କାବେରୀ ତ୍ରିକୋଣଭୂମି ଅଞ୍ଚଳରେ ଜଣକ ପରେ ଜଣେ ଚାଷୀ ହୃଦଘାତର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ଏହାର କାରଣ ଏହା ଯେ, ଚାଷୀଙ୍କ ମାନସିକ ସ୍ଥିତିକୁ ସରକାର ସ୍ୱୀକାର କଲେ ନାହିଁ। କିନ୍ତୁ ଅନେକ ପରିବାର ପାଖରେ ସେମାନଙ୍କ ନିଜନିଜର କାହାଣୀ କହିବାକୁ ଥିଲା।

At a '100-day' site, the elderly battle drought
Jaideep Hardikar • Thanjavur district, Tamil Nadu

ଗୋଟିଏ ‘୧୦୦-ଦିନ’ ସ୍ଥାନରେ ବୟସ୍କମାନେ ମରୁଡ଼ି ସହ ଲଢ଼ୁଥିଲେ

ଏକଦା ଉର୍ବରାଞ୍ଚଳ ଥିବା କାବେରୀ ତ୍ରିକୋଣଭୂମି ଭୟଂକର ମରୁଡ଼ିର ଶିକାର ହୋଇଥିଲା। ଅନେକ ଗାଁରେ ଯୁବକମାନେ କାମଧନ୍ଦା କରିବାକୁ ବାହାରକୁ ପଳାଇଲେ ଆଉ ବୟସ୍କମାନେ ଅଳ୍ପକିଛି ଟଙ୍କା ପାଇଁ ହାଡ଼ଭଙ୍ଗା ପରିଶ୍ରମ କଲେ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar