କୁହଲ ପାଖ ଦେଇ ଯିବା ବେଳେ ଜୋବନ ଲାଲ୍‌ କଣ୍ଡବାରୀ ଗାଁର ଲୋକଙ୍କୁ ତା’ର ମରାମତି ପାଇଁ ଆହ୍ୱାନ ଦେଉଛନ୍ତି । ସେ ପାଟି କରି ସେଠାକାର ପରିବାରଜନଙ୍କୁ ତାଙ୍କ ସହଯୋଗ ଦେବା ପାଇଁ ସେ ଦିନେ ଖରାଦିନ ସକାଳେ ଡାକିଲେ, ‘‘ତୁମର କୋଦାଳ ଓ ଶାବଳ ଧରି ମୋତେ ପୋଷ୍ଟ ଅଫିସ୍‌ ପଛ ପଟେ ଦେଖାକର’’ ।  କିନ୍ତୁ ତାଙ୍କ ପକ୍ଷରେ ଏମିତି ୨୦ ଜଣ ଶ୍ରମିକଙ୍କୁ ଏକାଠି କରିବା କଷ୍ଟକର ହେଲା । ସେ ମନେ ପକାନ୍ତି ‘‘ପ୍ରାୟ ୩୦ ବର୍ଷ ପୂର୍ବରୁ, ମୁଖ୍ୟତଃ ରବି ଏବଂ ଖରିଫ ଧାନ ରୋଇବା ସମୟରେ, ଯେତେବେଳେ କୋହଲି ଡାକନ୍ତି, ୬୦-୮୦ ଲୋକ ଏକାଠି ହୋଇଯାଉଥିଲେ’’ । କୁହଲ୍‌ଗୁଡ଼ିକ ସାଧାରଣତଃ ୨ ମିଟର ଚଉଡ଼ା ଏବଂ ଦୁଇ ମିଟର ଗଭୀର, ଏବଂ ୧୦୦ ମିଟରରୁ ଏକ କିଲୋମିଟର ଯାଏଁ ପ୍ରବାହିତ ହୋଇପାରେ ।

୫୫ ବର୍ଷ ବୟସ୍କ ଜୋବନ ଲାଲ୍‌, କଣ୍ଡବାରୀର ଜଣେ କୋହଲି । କଣ୍ଡବାରୀ ହେଉଛି କଙ୍ଗରା ଜିଲ୍ଲା ପାଲମପୁର ତହସିଲ ଅନ୍ତର୍ଗତ ୪୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗାଁ (ଏହି ଗାଁ ଜନଗଣନାରେ କମଲେହର ଭାବେ ତାଲିକାଭୁକ୍ତ ହୋଇଛି ) । ସେ ଏହି କାମ ତାଙ୍କ ବାପାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି, ଯଦିଓ ତାଙ୍କ ଜେଜେବାପା ଜଣେ କୋହଲି ନଥିଲେ । ସେ କହନ୍ତି, ‘‘ସମ୍ଭବତଃ କେହି ଜଣେ ଏହି କାମ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଥିବେ, ଏହା ଆଉ ଏକ ସମ୍ମାନଜନକ କାମ ହୋଇ ରହିନାହିଁ ।’’ ‘‘ଏବଂ ମୋ ବାପା ଗ୍ରାମବାସୀଙ୍କ ଦ୍ୱାରା ଏହି କାମ କରିବାକୁ ବଛା ଯାଇଥିବେ ।’’

ପାରମ୍ପରିକ ଭାବେ କୋହଲି ହେଉଛନ୍ତି କୁହଲ୍‌ର କର୍ତ୍ତୃପକ୍ଷ, ଯିଏ କି ସ୍ଥାନୀୟ ଜଳ ପରିଚାଳନା ବାବଦରେ ଗଭୀର ଜ୍ଞାନ ରଖୁଥିବା ବ୍ୟକ୍ତି । ସେ କୁହଲ୍ ଦେବୀ (ଜଣେ ଦେବୀ, ଯଦିଓ କୋହଲି ପାରମ୍ପରିକ ଭାବେ ସର୍ବଦା ମହିଳା)ଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଏବଂ ବଳି ଦିଅନ୍ତି । ଅତୀତରେ, ହିମାଚଳପ୍ରଦେଶରେ ବହୁ ଲୋକ ବିଶ୍ୱାସ କରୁଥିଲେ ଯେ ସେମାନଙ୍କ ପାଣି କେନାଲ୍‌ ସବୁ ଦେବୀଙ୍କ ଦ୍ୱାରା ସୁରକ୍ଷିତ ରହିଛି । ଏମିତିକି ମରୁଡ଼ି ସମୟରେ ମଧ୍ୟ, ସେମାନେ ଯଦି କେନାଲ୍‌ଗୁଡ଼ିକର ଭଲ ଭାବରେ ଯତ୍ନ ନେବେ, ଦେବୀ ପ୍ରସନ୍ନ ହୋଇ ପ୍ରଚୁର ଉତ୍ପାଦନ ମାଧ୍ୟମରେ ଏହାକୁ ଫେରାଇଦେବେ । ବନ୍ୟାକୁ ରୋକିବା ପାଇଁ କୋହଲି ମଧ୍ୟ ଜଣେ ସୁଫି ସନ୍ଥ (ଗ୍ରାମବାସୀ ତାଙ୍କ ନାଁ କହିପାରିଲେ ନାହିଁ)ଙ୍କୁ ପୂଜା କରନ୍ତି, ଯିଏକି ସମ୍ଭବତଃ କଙ୍ଗରା ଉପତ୍ୟକାର ପ୍ରାସଙ୍ଗିକତା ବାବଦରେ କହନ୍ତି।

The serpentine mud kuhls of Himachal are now being cemented.
PHOTO • Aditi Pinto
Joban Lal sitting outside his house.
PHOTO • Aditi Pinto

ବାମ - ସର୍ପିଳ ଭାବେ ଥିବା ହିମାଚଳପ୍ରଦେଶର କାଦୁଆ କୁହଲ୍‌ଗୁଡ଼ିକ ଏବେ ସିମେଣ୍ଟରେ ନିର୍ମିତ ହୋଇଛି ଡାହାଣଜୋବନ ଲାଲ୍ କଣ୍ଡବାରୀର କୋହଲି, ପାରମ୍ପରିକ ଭାବେ କୁହଲ୍ କର୍ତ୍ତୃପକ୍ଷ

ଏହି ପାହାଡ଼ିଆ ରାଜ୍ୟରେ, ଗ୍ଲାସିୟରରୁ ବୋହି ଆସୁଥିବା ପାଣିକୁ ମଣିଷ ତିଆରି ଜଟିଳ ଜଳସେଚନ କେନାଲ୍‌ଗୁଡ଼ିକ ମାଧ୍ୟମରେ ଗାଁ ଏବଂ ଚାଷ ଜମି ସବୁ ଅଭିମୁଖେ କଡ଼େଇ ଅଣାଯାଏ ଏହାକୁ ପାହାଡ଼ୀ ଭାଷାରେ କୁହଲ କୁହାଯାଏ । ଉପରୁ ଗାଁକୁ ଦେଖିଲେ କୃଷି କାର୍ଯ୍ୟ ପାଇଁ ବ୍ୟାପକ ଭାବେ ଥାକ ଥାକ କରି କଟାଯାଇଥିବା ସ୍ଥାନ ଏବଂ ସେମିତି ଭାବେ କୁହଲ୍‌ଗୁଡ଼ିକର ଏକ ସର୍ପିଳ ମଣ୍ଡଳୀ ।

କୃଷିକାର୍ଯ୍ୟ ବ୍ୟତୀତ, କୁହଲ୍‌ ଉପରେ ଅନ୍ୟ ବହୁ କାର୍ଯ୍ୟ ନିର୍ଭର କରେ । ହିମାଚଳପ୍ରଦେଶର ବହୁ ଗାଁରେ, କୁହଲ୍‌ ଥିବା ସ୍ଥାନ ସବୁରେ ଛୋଟ କୁଡ଼ିଆରେ ଗୋଟିଏ ପାଣି ମିଲ୍‌ ଥିବା ଦେଖାଯାଏ । ଗୋଟିଏ ଚକ ଯାହା ପ୍ରବାହିତ ହେଉଥିବା ପାଣିରୁ ଶକ୍ତି ସଂଗ୍ରହ କରେ, ଯାହା ଉପରେ ଏକ ପେଷୁଥିବା ପଥରକୁ ଘୂରାଇବାରେ ବ୍ୟବହାର ହୁଏ । ଗ୍ରାମବାସୀ କହନ୍ତି ‘‘ଘରାତରେ ପେଷାଯାଉଥିବା ଅଟା ମିଠା ଲାଗେ ଏହା ବିଦ୍ୟୁତ୍‌ ଚାଳିତ ମିଲ୍‌ରେ ପୋଡ଼ି ଯାଉଥିବା ଅଟା ଭଳି ହୁଏ ନାହିଁ ।’’ ଏକଥା ନେଇ କଣ୍ଡବାରୀର ଓମ୍‌ ପ୍ରକାଶ ୪୫ ବର୍ଷ ବୟସ୍କ ଜଣେ ଘରାତି ବା ମିଲ୍‌ ଅପରେଟର ସହମତ ହୁଅନ୍ତି ।

ଅତୀତରେ, କଙ୍ଗରାରେ ତେଲ ମିଲ୍‌ ମଧ୍ୟ ଜଳଶକ୍ତି ମାଧ୍ୟମରେ ଚାଲୁଥିଲା । ଏବେ ମାତ୍ର କେତୋଟି ଅଟା ମିଲ୍‌ ରହିଛି । ଗାଁରେ ଏବେ ରହିଥିବା ୩ ଜଣ ଘରାତିଙ୍କ ମଧ୍ୟରୁ ଓମ୍‌ ପ୍ରକାଶ  ହେଉଛନ୍ତି ଜଣେ । ସେ କହନ୍ତି, ସାପେରୁ ପଞ୍ଚାୟତରେ ଉଚ୍ଚ ଭାଗରେ ରହୁଥିବା ଗାଁଗୁଡ଼ିକରେ, ଅଧିକ ସଂଖ୍ୟାରେ ଅଛନ୍ତି, କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର କେତେ ଜଣ ହିଁ ଏ କାମ କରିବାକୁ ଆଗ୍ରହୀ । ‘‘ଆଜିକାଲି, ଅଧିକାଂଶ ଲୋକ ଅଣକୃଷିଜାତୀୟ କାମ କରିବାକୁ ଆଗ୍ରହୀ, ଯେଉଁଥିପାଇଁ ଅଧିକ ଶ୍ରମିକ ଆବଶ୍ୟକ ପଡ଼ନ୍ତି ନାହିଁ ।’’

ନିଜ ବାପାଙ୍କ ପଥରେ ଚାଲି, ୨୩ ବର୍ଷ ହେଲା ଓମ୍‌ ପ୍ରକାଶ ଘରାତି ଭାବେ କାମ କରୁଛନ୍ତି ଏବଂ ବୟସ୍କଙ୍କଠାରୁ ଏହି ବ୍ୟବସାୟ ଶିଖୁଛନ୍ତି । ସେ ଘରାତରେ ତାଙ୍କର ଅଧିକାଂଶ ସମୟ କଟାନ୍ତି, ପ୍ରାୟ ୬୦ ପରିବାରଙ୍କର ଆବଶ୍ୟକତା ପୂରଣ କରନ୍ତି, ଯେଉଁମାନେ ଅମଳ ପରେ ତାଙ୍କ ପାଖକୁ ସାଙ୍ଗରେ ମକା, ଗହମ ଏବଂ ଚାଉଳ ପେଷିବା ପାଇଁ ଆସନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କିଛି ମାତ୍ରାରେ ଶସ୍ୟ ଘରାତିଙ୍କୁ ଦିଅନ୍ତି, ଆଉ କେତେକ ଅଳ୍ପ କିଛି ଟଙ୍କା ଦିଅନ୍ତି ।

Om Prakash working at the mill
PHOTO • Aditi Pinto
Om Prakash standing outside the mill
PHOTO • Aditi Pinto

ଓମ୍‌ ପ୍ରକାଶ ହେଉଛନ୍ତି କଣ୍ଡବାରୀର ଘରାତି ବା ମିଲ୍‌ ଅପରେଟର : ‘ଘରାତ ପାଖକୁ ସବୁବେଳେ ପାଣି ଆସିବା ପାଇଁ ଆମକୁ ସର୍ବଦା କୁହଲ୍‌ ଉପରେ କାମ କରିବାକୁ ହେବ’

ଘରାତ ଚଳାଇବା ଏକ ନିରନ୍ତର କାମ ଏବଂ ଓମ୍‌ ପ୍ରକାଶ ନିଶ୍ଚିତ କରନ୍ତି ଯେ ମିଲ୍‌ ଚାଲୁଥିବାବେଳେ ଯେମିତି ଖାଲି ନ ରହିବ, ସେ କହନ୍ତି, ‘‘ଯଦି ଏହା ଖାଲି ଚାଲିବ, ପଥର ଖରାପ ହୋଇଯାଇପାରେ । ଆମକୁ ପ୍ରତି ପାଞ୍ଚ -ଛଅ ବର୍ଷରେ ଚକ ବଦଳାଇବାକୁ ହୁଏ (ପଥର ଚକ ଘରାତି ପରିବାରଙ୍କ ଦ୍ୱାରା ନିର୍ମିତ ହୋଇଥାଏ) । ଏବଂ ଆମକୁ କୁହଲ୍‌ରେ ସର୍ବଦା କାମ କରିବାକୁ ହେବ ଯାହା ଫଳରେ ଘରାତ ଆଡ଼କୁ ପ୍ରଚୁର ପରିମାଣରେ ପାଣି ପ୍ରବାହିତ ହେବ ।’’

ଚିନ୍ତିତ ଓମ୍‌ ପ୍ରକାଶ କହନ୍ତି ଯେ, ଯଦିଓ ସମୟକ୍ରମେ, ଦୋକାନଗୁଡ଼ିକରେ ଅଟା ଉପଲବ୍ଧ ହେଉଥିବାରୁ, ଅତି କମ୍‌ରୁ କମ୍‌ ଲୋକ ସେମାନଙ୍କର ଶସ୍ୟ ପେଷିବାକୁ ଆସୁଛନ୍ତି । ‘‘ଏବଂ ଆମେ ଦେଖୁଛୁ ଲୋକେ ବହୁ ପରିମାଣର ପ୍ଲାଷ୍ଟିକ୍‌ କୁହଲ୍‌ ମଧ୍ୟରେ ପକାଇ ଦେଉଛନ୍ତି । ଯଦିଓ ଆମେ ଆମର କୁହଲଗୁଡ଼ିକୁ ଏବେ ଦେଖାରେଖା କରିବା ନାହିଁ, ତେବେ ଭବିଷ୍ୟତ ପିଢ଼ି ସେଗୁଡ଼ିକୁ ଆଉ ଦେଖିପାରିବେ ନାହିଁ ... ’’

ବ୍ରିଟିଶ୍ମାନେ ଗୋଟିଏ ୭୦୦ ପୃଷ୍ଠା ବିଶିଷ୍ଟ ପୁସ୍ତକରେ, ମାନଚିତ୍ର ଏବଂ ଚିତ୍ର ସହ କୁହଲ୍‌ଗୁଡ଼ିକ ସହ ସମ୍ପୃକ୍ତ ପରମ୍ପରା ବାବଦରେ ଲେଖିଥିଲେ ଏବଂ ସଂରକ୍ଷିତ ରଖିଥିଲେ । ପାର୍ସୀ ଭାଷାରେ ଏହାର ନାମ ରିୱାଜ୍‌ ଆଇ ଆବପାସୀ (ଜଳସେଚନ ପରମ୍ପରା) । ଏହା ପ୍ରଥମ ଥର ପାଇଁ ୧୮୭୪ ମସିହାରେ ଲେଖାଯାଇଥିଲା ଏବଂ ପରେ ୧୯୭୫ରେ ପୁନଃ ଲେଖା ହୋଇଥିଲା । ଏହି ଦସ୍ତାବିଜ୍‌ କୁହଲ୍ ପରିଚାଳନାକୁ ଏକ ସମୃଦ୍ଧ ଓ ପୁରୁଣା କଥିତ ବ୍ୟବସ୍ଥା ସମ୍ପର୍କିତ ଜ୍ଞାନ ବଦଳରେ ଏକ ବିଜ୍ଞାନ ଆଧାରିତ ପ୍ରକ୍ରିୟା କରି ରଖିଛି । କିନ୍ତୁ ଏହା ମଧ୍ୟ ଏହି ପାଣି କେନାଲ ବ୍ୟବସ୍ଥାକୁ ତିଆରି କରିବା ପାଇଁ ଲାଗିଥିବା ବହୁ ପରିଶ୍ରମ ବାବଦରେ ସୂଚନା ସଂରକ୍ଷିତ କରି ରଖିଛି । 

ବହୁ ପିଢ଼ି ଧରି, ପ୍ରାୟ ୧୯୭୦ ପର୍ଯ୍ୟନ୍ତ, କୁହଲ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସଂପ୍ରଦାୟ ଦ୍ୱାରା ପରିଚାଳିତ ହେଉଥିଲା । ଜଳସେଚନ ବ୍ୟବସ୍ଥାର ପାରମ୍ପରିକ ଦେଖାରେଖା କରୁଥିବା ଲୋକମାନେ ଏହି କାମକୁ ସେମାନଙ୍କ ପରିବାରରେ ପିଢ଼ି ପରେ ପିଢ଼ି କରିଆସୁଥିଲେ । ୧୯୯୦ ଦଶକ ସୁଦ୍ଧା, ଅଧିକ ସଂଖ୍ୟାରେ ଲୋକ ଅଣକୃଷି ଜନିତ ନିଯୁକ୍ତି ପାଇଁ ଗାଁ ଛାଡ଼ିଲେ ଏବଂ ଅଧିକ ସଂଖ୍ୟାରେ ମହିଳା କୁହଲ୍‌ରେ କାମ କରିବାକୁ ଆରମ୍ଭ କଲେ-ଏହା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ୍‌ ୨୦୦୫ରୁ)ର ଅଂଶ ଥିଲା, ଯାହା ଅଧୀନରେ ଗାଁଗୁଡ଼ିକରେ ଏଭଳି କାମ ପାଇଁ ମଜୁରୀ ମିଳୁଛି । ଏବଂ ସମୟ କ୍ରମେ, ସରକାରଙ୍କ ପକ୍ଷରୁ କେତେକ କୁହଲ୍କୁ ସିମେଣ୍ଟରେ ନିର୍ମାଣ କରାଯିବାକୁ ଆରମ୍ଭ କରାଯାଇଛି ।

Indira Devi sitting outside her house
PHOTO • Aditi Pinto
The different parts and wheels of the gharaat
PHOTO • Aditi Pinto
he different parts and wheels of the gharaat
PHOTO • Aditi Pinto

ବାମ : ଇନ୍ଦିରା ଦେବୀ, ତାଙ୍କ ଗାଁର ଅନ୍ୟମାନଙ୍କ ଭଳି, ଜାଣିଛନ୍ତି ଯେ କୁହଲ୍‌ଗୁଡ଼ିକୁ ସିମେଣ୍ଟ କରିଦେବା ଭଲ ଚିନ୍ତାଧାରା ନୁହେଁ । ଡାହାଣ : ଘରାତର ବିଭିନ୍ନ ଅଂଶ ଏବଂ ଚକ

ପାଲମପୁର ତହସିଲ ଅନ୍ତର୍ଗତ ୩୫୦ ଜନସଂଖ୍ୟା ବିଶିଷ୍ଟ ସାପେରୁ ଗାଁରେ ରହୁଥିବା ୪୫ ବର୍ଷୀୟ ଇନ୍ଦିରା ଦେବୀ କହନ୍ତି ‘‘ମାଟି କୁହଲ୍‌ ଉନ୍ନତ ଥିଲା, ସେଗୁଡ଼ିକର ଦିଗ ପରିବର୍ତ୍ତନ କରିବା ସହଜ ଥିଲା । ସିମେଣ୍ଟ କୁହଲ୍‌ ସ୍ଥାୟୀ ହେବା ଭଳି ଲାଗୁଛି, କିନ୍ତୁ ଆମେ ସମସ୍ତେ ଜାଣିଛୁ ଯେ କିଛି ବର୍ଷ ମଧ୍ୟରେ ସିମେଣ୍ଟ ଧୋଇଯିବ । ’’ ସେ ନରେଗା କାମ ହେଉଥିବା ସ୍ଥାନରେ କାମ କରନ୍ତି ଏବଂ ଗାଁର ଅନ୍ୟମାନଙ୍କ ଭଳି ଜାଣିଛନ୍ତି ଯେ କୁହଲଗୁଡ଼ିକୁ ସିମେଣ୍ଟ କରିବା ଭଲ ଚିନ୍ତାଧାରା ନୁହେଁ । କିନ୍ତୁ ସେ ଆହୁରି ମଧ୍ୟ କହନ୍ତି, ‘‘ଆମେ ଏହି ପ୍ରକ୍ରିୟାରେ ଆମର ପ୍ରତିଦିନର ମଜୁରୀ ପାଉଛୁ, ଏବଂ ତେଣୁ ଆମେ ଏଥିରେ ଭାଗ ନେଉଛୁ ...’’

ଏବେ ଅଧିକାଂଶ ଗାଁରେ, କୋହଲିଙ୍କ ବ୍ୟତୀତ, ଗୋଟିଏ ନିର୍ବାଚିତ କୁହଲ୍ କମିଟି ରହିଛି, ଯାହା ସ୍ୱୟଂଶାସିତ ହୋଇ ରହୁଛି । କିନ୍ତୁ ଅନ୍ୟ ଗାଁଗୁଡ଼ିକରେ, ଜଳସେଚନ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଏବେ ପାଣି କେନାଲଗୁଡ଼ିକୁ ପରିଚାଳନା କରୁଛନ୍ତି ।

ହିମାଚଳପ୍ରଦେଶ ରାଜ୍ୟ ଜଳ ନିୟାମକ ୨୦୧୩ ଆଧାରରେ ‘‘କ୍ରମାନ୍ୱୟରେ ବନ୍ୟା ଜଳସେଚନ ବା ଖୋଲା ଚ୍ୟାନେଲ୍‌ ଜଳସେଚନରୁ କ୍ଷୁଦ୍ର ଏବଂ ପାଇପ୍‌ ମାଧ୍ୟମରେ ଜଳସେଚନ ଆଡ଼କୁ ପରିବର୍ତ୍ତିତ କରିବାକୁ’ ଯୋଜନା କରାଯାଉଛି । ଏହା ଅନୁସାରେ ପ୍ରତି ପରିବାରକୁ ମିଟର ଲଗାଯାଇ ପାନୀୟ ଜଳ ଯୋଗାଣ ଏବଂ ଯେତେ ସମ୍ଭବ ସେତେ ଅଧିକ ସର୍ବସାଧାରଣ ସ୍ଥାନରେ ପାଣି ଏଟିଏମ୍‌ ବସାଇବାକୁ ଯୋଜନା ରହିଛି ।

କ’ଣ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ସବୁ ଯୋଜନା ପୁଣି ଥରେ ସ୍ଥାନୀୟ ଗୋଷ୍ଠୀ ଦ୍ୱାରା ପରିଚାଳିତ କୁହଲ୍‌ ବ୍ୟବସ୍ଥାକୁ ନଷ୍ଟ କରିଦେବ ଏବଂ କ’ଣ ହିମାଚଳରେ ଖୋଲାରେ ପ୍ରବାହିତ ହେଉଥିବା ପାଣିର ଶବ୍ଦ ସମୟକ୍ରମେ  ପ୍ଲାଷ୍ଟିକ୍‌ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ଦ୍ୱାରା ବଦଳିଯିବ ? ଜୋବନ୍‌ ଲାଲ୍‌ ଆଶାବାଦୀ ଅଛନ୍ତି: ‘‘ହିମାଚଳରେ କୁହଲଗୁଡ଼ିକରେ ପ୍ରଚୁର ପରିମାଣରେ ଭୂପୃଷ୍ଠ ଜଳ ଅଛି ଏବଂ କୋହଲିଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ ।’’

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aditi Pinto

Aditi Pinto lives in Himachal Pradesh, and works as a translator, writer, researcher and participant in networks of small farmers and rural women. She has written articles on the environment, agriculture and social issues.

Other stories by Aditi Pinto