୨୮ ଫେବୃଆରୀ ୨୦୨୩ ସନ୍ଧ୍ୟା ୬ଟା ସମୟ। ସୁଦୃଶ୍ୟ ଖୋଳଦୋଡା ଗ୍ରାମରେ ସୂର୍ଯ୍ୟାସ୍ତ ହେବା ସହିତ ରାମଚନ୍ଦ୍ର ଦୋଡ଼କେ (୩୫) ଆଗକୁ ଲମ୍ବା ରାତି ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୂରକୁ ଆଲୁଅ ଦେଖାଉଥିବା ନିଜର ଉଚ୍ଚ କ୍ଷମତାଯୁକ୍ତ ‘କମାଣ୍ଡର’ ଟର୍ଚ୍ଚକୁ ସେ ଯାଞ୍ଚ କରନ୍ତି ଏବଂ ତା’ପରେ ବିଛଣା ସଜାଡ଼ନ୍ତି।
ସେମାନଙ୍କ ସାଧାରଣ ଘର ଭିତରେ, ତାଙ୍କର ପତ୍ନୀ ଜୟଶ୍ରୀ ରାତ୍ରୀ ଭୋଜନ ପ୍ରସ୍ତୁତ କରୁଛନ୍ତି - ଡାଲ୍ (ଡାଲି) ଏବଂ ପରିବା ମିଶା ଏକ ତରକାରୀ। ପଡ଼ୋଶୀ ଘରେ ତାଙ୍କର କକା ଦାଦାଜୀ ଦୋଡ଼କେ (୭୦) ମଧ୍ୟ ରାତ୍ରୀ ପାଇଁ ପ୍ରସ୍ତୁତି କରୁଛନ୍ତି। ତାଙ୍କ ପତ୍ନୀ ଶକୁବାଇ ବାସ୍ନା ଚାଉଳରେ ଭାତ ରାନ୍ଧୁଛନ୍ତି ଏବଂ ରୁଟି ତିଆରି କରୁଛନ୍ତି। ଏହି ବାସ୍ନା ଚାଉଳକୁ ସେମାନେ ନିଜ କ୍ଷେତରେ ଅମଳ କରିଥାନ୍ତି।
‘‘ଆମେ ପ୍ରାୟ ପ୍ରସ୍ତୁତ ହୋଇସାରିଛୁ,’’ ଏହି ୩୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ମୋତେ କୁହନ୍ତି। ‘‘ଆମ ଖାଦ୍ୟ ପ୍ରସ୍ତୁତ ହୋଇସାରିବା ପରେ ଆମେ ବାହାରଯିବୁ।’’ ଜୟଶ୍ରୀ ଓ ଶକୁବାଇ ଆମ ପାଇଁ ରାତ୍ରୀଭୋଜନ ବାନ୍ଧି ଦେବେ, ସେ କହିଥାନ୍ତି।
ଦୁଇଟି ଭିନ୍ନ ଭିନ୍ନ ପିଢ଼ିର ବ୍ୟକ୍ତି ଦାଦାଜୀ ଓ ରାମଚନ୍ଦ୍ର ମାନା ସମ୍ପ୍ରଦାୟ (ମହାରାଷ୍ଟ୍ରରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ)ର ପ୍ରତିନିଧିତ୍ୱ କରିଥାନ୍ତି, ଆଜି ସେମାନେ ମୋତେ ଆତିଥେୟ ଦେଉଛନ୍ତି। ଦାଦାଜୀ ହେଉଛନ୍ତି, ବାବାସାହେବ ଆମ୍ବେଦକରଙ୍କ ଜଣେ ସମର୍ପିତ ଅନୁଗାମୀ କୀର୍ତ୍ତନକାର ତଥା ଜଣେ ଚାଷୀ। ଅନ୍ୟପଟେ ରାମଚନ୍ଦ୍ର ନିଜ ପରିବାରର ୫ ଏକର ଚାଷ ଜମିକୁ ଦେଖାଶୁଣା କରୁଛନ୍ତି, କାରଣ ତାଙ୍କ ବାପା ତଥା ଦାଦାଜୀଙ୍କ ବଡ଼ ଭାଇ ଭୀକାଜୀ ଅସୁସ୍ଥତା ଯୋଗୁଁ ଆଉ ଚାଷ କରିପାରୁନାହାନ୍ତି। ଭୀକାଜୀ ଏକଦା ଗାଁର ‘ପୋଲିସ ପାଟିଲ’ ଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଯେଉଁଥିରେ ସେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ସମନ୍ୱୟ ସ୍ଥାପନ କରୁଥିଲେ।
ବନ୍ୟପ୍ରାଣୀଙ୍କଠାରୁ କଞ୍ଚା ଫସଲକୁ ସୁରକ୍ଷା ଦେବା ପାଇଁ ରାତ୍ରି ଜାଗରଣ ବା ଯାହାକୁ ସେମାନେ ଜାଗିଲ୍ ବୋଲି କହିଥାନ୍ତି, ସେଥିପାଇଁ ଆମେ ନାଗପୁର ଜିଲ୍ଲାର ଭିୱାପୁର ତହସିଲ ଅନ୍ତର୍ଗତ ସେମାନଙ୍କ ଗାଁଠାରୁ ଗୋଟିଏ ମାଇଲ୍ ଦୂରରେ ଥିବା ରାମଚନ୍ଦ୍ରଙ୍କ ଚାଷ ଜମି ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଉଛୁ। ରାମଚନ୍ଦ୍ରଙ୍କ ବଡ଼ ପୁଅ ନଅ ବର୍ଷ ବୟସ୍କ ଆଶୁତୋଷ ମଧ୍ୟ ଆମ ୭ ଜଣିଆ ଦଳରେ ରହିଛି।
ସହରର ଲୋକମାନଙ୍କ ପାଇଁ ଏହା ଏକ ଦୁଃସାହସିକ କାର୍ଯ୍ୟ ହୋଇପାରେ, କିନ୍ତୁ ମୋତେ ଆତିଥେୟ ଦେଇଥିବା ଲୋକଙ୍କ ପାଇଁ ଏହା ବର୍ଷସାରା ଚାଲୁଥିବା ଏକ ଦୈନନ୍ଦିନ କାର୍ଯ୍ୟ। ଅମଳ ପାଇଁ ପ୍ରାୟତଃ ପ୍ରସ୍ତୁତ ହୋଇସାରିଥିବା ସେମାନଙ୍କର ରବି ଫସଲ - ଲଙ୍କା, ହରଡ଼, ଗହମ ଓ ବିରି - କୁ ସୁରକ୍ଷା ଦେବା ଜରୁରି।
ଦାଦାଜୀଙ୍କ ଚାଷ ଜମି ଅନ୍ୟ ପାର୍ଶ୍ୱରେ ରହିଛି, କିନ୍ତୁ ଆମେ ରାମଚନ୍ଦ୍ରଙ୍କ ଜମିରେ ଆଜି ରାତି ବିତାଇବୁ; ସେଠି ରାତ୍ରୀ ଭୋଜନ କରିବୁ, ବୋଧହୁଏ କାଠ ନିଆଁ ଚାରିପାଖରେ ବସି। ଶୀତପ୍ରକୋପ ବଢ଼ିବାରେ ଲାଗିଛି ଏବଂ ଆଜି ରାତିରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ପାଖାପାଖି ରହିବ। ରାମଚନ୍ଦ୍ର କୁହନ୍ତି ଡିସେମ୍ବର ୨୦୨୨ ଏବଂ ଜାନୁଆରୀ ୨୦୨୩ରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥିଲା। ରାତ୍ରୀ ତାପମାତ୍ରା ୬-୭ ଡିଗ୍ରୀକୁ ହ୍ରାସ ପାଇଥିଲା।
ଫସଲକୁ ଜଗିବା ପାଇଁ, ଅତିକମ୍ରେ ଜଣେ ପରିବାର ସଦସ୍ୟ କ୍ଷେତରେ ରହିବା ଦରକାର। ଏମିତି ଦିନରାତି କାମ କରିବା ଏବଂ ରାତିରେ ଶୀତ ପ୍ରକୋପ ସହିବା କାରଣରୁ ଅଧିକାଂଶ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ୁଛନ୍ତି। ନିଦ୍ରାହୀନତା, ମାନସିକ ଚାପ ଏବଂ ଶୀତ ସହିବା ଯୋଗୁଁ ସେମାନଙ୍କଠାରେ ଜ୍ୱର ଓ ମୁଣ୍ଡବ୍ୟଥା ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ରାମଚନ୍ଦ୍ର କହିଥାନ୍ତି।
ଆମେ ଯିବା ଲାଗି ପ୍ରସ୍ତୁତ ହେବା ସମୟରେ, ଦାଦାଜୀ ବେକରେ ବାନ୍ଧୁଥିବା ବେଲ୍ଟ ଆଣିବା ପାଇଁ ତାଙ୍କ ପତ୍ନୀଙ୍କୁ କୁହନ୍ତି। ‘‘ଡାକ୍ତର ମୋତେ ଏହାକୁ ସବୁବେଳେ ପିନ୍ଧିବାକୁ କହିଛନ୍ତି,’’ ସେ କହିଥାନ୍ତି।
କାହିଁକି, ମୁଁ ପଚାରେ, ବେକକୁ ସାହାରା ଦେବା ପାଇଁ ତାଙ୍କର ବେଲ୍ଟ ଦରକାର କି?
‘‘ସାରା ରାତି ଏ ବିଷୟରେ କଥା ହେବା ପାଇଁ ସମୟ ଅଛି; ନିଜ ପ୍ରଶ୍ନଗୁଡ଼ିକୁ ସାଇତି ରଖିଥାଅ।’’
କିନ୍ତୁ ରାମଚନ୍ଦ୍ର ଓଠଚାପି ହସି ହସି କୁହନ୍ତି : ‘‘ବୁଢ଼ା ଲୋକ, କିଛି ମାସ ପୂର୍ବରୁ ତାଙ୍କ କ୍ଷେତରେ ଥିବା ଆଠ ଫୁଟ ଉଚ୍ଚା ମଚାନ୍ (ମଞ୍ଚା)ରୁ ପଡ଼ିଯାଇଥିଲେ। ସେ ବେଶ ଭାଗ୍ୟବାନ, ନହେଲେ ଆଜି ସେ ଆମ ଗହଣରେ ନଥାନ୍ତେ।’’
*****
ଖୋଳଦୋଡ଼ା ନାଗପୁରଠାରୁ ପ୍ରାୟ ୧୨୦ କିଲୋମିଟର ଦୂର ଭିୱାପୁର ତହସିଲ ଅନ୍ତର୍ଗତ ଆଳେସୁର ଗ୍ରାମ ପଞ୍ଚାୟତ ଅଧୀନରେ ଆସିଥାଏ। ଏହାର ସୀମାରେ ରହିଛି ଚନ୍ଦ୍ରପୁର ଜିଲ୍ଲାର ଚିମୁର ତହସିଲ ଜଙ୍ଗଲ, ଯାହାକି ତାଡ଼ୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟ (ଟିଏଟିଆର)ର ଉତ୍ତର ପଶ୍ଚିମ ସୀମାରେ ଅବସ୍ଥିତ।
ପୂର୍ବ ମହାରାଷ୍ଟ୍ରର ବିଦର୍ଭ ବନାଞ୍ଚଳରେ ଥିବା ଶତାଧିକ ଗ୍ରାମ ଭଳି, ଖୋଳଦୋଡ଼ା ମଧ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବର ଶିକାର ହୋଇଥାଏ - ଗାଁ ଲୋକମାନେ ଅଧିକାଂଶ ସମୟରେ ସେମାନଙ୍କ ଫସଲ ଓ ଗୃହପାଳିତ ପଶୁଙ୍କୁ ହରେଇଥାନ୍ତି। ଅଧିକାଂଶ ଚାଷ ଜମି ବାଡ଼ ଘେରା, କିନ୍ତୁ ରାତ୍ରୀ ଉଜାଗର ରହି ଫସଲ ଜଗିବା ଦୈନନ୍ଦିନ ଜୀବନର ଅଙ୍ଗ ପାଲଟିଗଲାଣି।
ଦିନ ସାରା ଲୋକମାନେ ସେମାନଙ୍କ ଫସଲ ସହ ଜଡ଼ିତ ନିତିଦିନିଆ ଚାଷ କାମ କରିଥାନ୍ତି। କିନ୍ତୁ ରାତିରେ, ବିଶେଷ କରି ଅମଳ ସମୟରେ, ପ୍ରତ୍ୟେକ ପରିବାର ସେମାନଙ୍କ ଠିଆ ଫସଲକୁ ବନ୍ୟଜନ୍ତୁଙ୍କଠାରୁ ସୁରକ୍ଷା ଦେବା ପାଇଁ ଚାଷ ଜମିକୁ ଚାଲି ଆସନ୍ତି। ବେଶୀ ଚାଷ ହେଉଥିବା ସମୟ ଅର୍ଥାତ୍ ଅଗଷ୍ଟରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏପରି ଧାରା ଚାଲିଥାଏ, ଅନ୍ୟ ସମୟରେ ମଧ୍ୟ ଫସଲ ଜଗିବା କାମ ହୁଏ।
ସକାଳ ସମୟରେ ମୁଁ ଯେତେବେଳେ ଖୋଳଦୋଡ଼ାରେ ପହଞ୍ଚେ, ଚାରିଆଡ଼େ ଏକ ଅଦ୍ଭୂତ ପ୍ରକାର ନିରବତା ଛାଇ ହୋଇ ରହିଥାଏ, ଗୋଟିଏ ହେଲେ କ୍ଷେତରେ କେହି ନଥାନ୍ତି, ପ୍ରତ୍ୟେକ ଜମି ଚାରିପାଖରେ ନାଇଲନ୍ ଶାଢ଼ିରେ ବାଡ଼ ଘେରା ହୋଇଥାଏ। ସମୟ ଅପରାହ୍ଣ ୪ଟା। ଗାଁର ଗଳି ସବୁ ଖାଲି, ଶୂନ୍ଶାନ୍ ଦେଖାଯାଉଛି, ଏଠିସେଠି ବୁଲୁଥିବା କିଛି କୁକୁରଙ୍କୁ ବାଦ୍ ଦେଲେ ଆଉ କେହି ନାହାନ୍ତି।
‘‘ଅପରାହ୍ଣ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସମସ୍ତେ ଶୋଇଥାନ୍ତି କାରଣ ରାତିରେ ଆମେ ଶୋଇ ପାରିବୁ କି ନାହିଁ ସେ ନେଇ ନିଶ୍ଚିତ ନଥାଉ,’’ ଗାଁର ଅଦ୍ଭୂତ ନିରବତା ସମ୍ପର୍କରେ ଆମେ ଯେତେବେଳେ ଦାଦାଜୀଙ୍କ ଘରକୁ ଯାଇ ପଚାରୁ, ତା’ର ଉତ୍ତରରେ ଆମକୁ ସେ ଏହା କହିଥାନ୍ତି।
‘‘ସେମାନେ (ଚାଷୀମାନେ) ଦିନ ସାରା ଚାଷ କାମ କରି ଚାଲିଥାନ୍ତି। ଏହା ୨୪ ଘଣ୍ଟିଆ ଡ୍ୟୁଟି ଭଳି,’’ ସେ ଥଟ୍ଟାରେ କୁହନ୍ତି।
ସଞ୍ଜ ନଇଁ ଆସିବା ବେଳକୁ ଗାଁ ପୁଣିଥରେ ଜୀବନ୍ତ ହୋଇ ଉଠେ - ମହିଳାମାନେ ରୋଷେଇ ଆରମ୍ଭ କରନ୍ତି, ପୁରୁଷମାନେ ରାତିରେ ଫସଲ ଜଗିବାକୁ ପ୍ରସ୍ତୁତ ହୁଅନ୍ତି ଏବଂ ଗୋରୁମାନେ ସେମାନଙ୍କ ଜଗୁଆଳଙ୍କ ସହିତ ଜଙ୍ଗଲରୁ ଘର ଅଭିମୁଖେ ଫେରନ୍ତି।
ଶାଗୁଆନ ଓ ଅନ୍ୟାନ୍ୟ ଗଛରେ ଭର୍ତ୍ତି ଘଞ୍ଚ ଜଙ୍ଗଲ ଘେରା ଖୋଳଦୋଡ଼ା ଗ୍ରାମ ତାଡ଼ୋବା ଭୂଖଣ୍ଡର ଅଂଶବିଶେଷ। ୨୦୧୧ ଜନଗଣନା ଅନୁଯାୟୀ, ଗାଁରେ ପ୍ରାୟ ୧୦୮ ପରିବାର ଅଛନ୍ତି। ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମୁଖ୍ୟତଃ ଦୁଇଟି ସାମାଜିକ ବର୍ଗ : ମାନା ଆଦିବାସୀ ଓ ମାହାର ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ଅନ୍ୟ ଜାତିର ଅଳ୍ପ କିଛି ପରିବାର ମଧ୍ୟ ଅଛନ୍ତି।
ଏଠାକାର ପ୍ରାୟ ୧୧୦ ହେକ୍ଟର ଉର୍ବର, ସମୃଦ୍ଧ ମୃତ୍ତିକା ବିଶିଷ୍ଟ ଚାଷ ଜମି ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରିଥାଏ। ଏଠାରେ ପ୍ରାୟତଃ ଧାନ, ଡାଲି ଜାତୀୟ ଫସଲ ଚାଷ ହେଉଥିବା ବେଳେ କିଛି ଚାଷୀ ଗହମ, ମାଣ୍ଡିଆ ଜାତୀୟ ଶସ୍ୟ ଓ ପନିପରିବା ଚାଷ କରନ୍ତି। ଏଠାକାର ଚାଷୀମାନେ ମୁଖ୍ୟତଃ ନିଜ ଜମିରେ କାମ କରନ୍ତି, ତେବେ ଅତିରିକ୍ତ ଆୟ ପାଇଁ ସେମାନେ ଜଙ୍ଗଲଜାତ ଦ୍ରବ୍ୟ ଏବଂ ଶ୍ରମ ମଜୁରି ଉପରେ ନିର୍ଭର କରିଥାନ୍ତି। ଚାଷ କାମ ଘର ଚଳେଇବାରେ ସହାୟକ ହେଉନଥିବାରୁ କିଛି ଯୁବକ ଜୀବିକାର୍ଜ୍ଜନ ପାଇଁ ଅନ୍ୟ ସହରକୁ ଚାଲିଯାଉଛନ୍ତି। ଦାଦାଜୀଙ୍କ ପୁଅ ଜଣେ ପୋଲିସ କନେଷ୍ଟବଳ ଏବଂ ସେ ନାଗପୁରରେ କାର୍ଯ୍ୟରତ। ଗାଁର କିଛି ଲୋକ ଶ୍ରମିକ ଭାବେ କାମ କରିବା ପାଇଁ ଭିୱାପୁର ମଧ୍ୟ ଯାଇଥାନ୍ତି।
*****
ଆମର ରାତ୍ରୀଭୋଜନ ପ୍ରସ୍ତୁତ ହେବା ସମୟରେ, ଆମେ ପରିସ୍ଥିତିକୁ ଅନୁଧ୍ୟାନ କରିବା ଲାଗି ଗାଁ ସାରା ଟିକିଏ ବୁଲି ଆସୁ।
ତିନି ଜଣ ମହିଳା - ଶକୁନ୍ତଳା ଗୋପିଚନ୍ଦ ନନ୍ନାୱଡ଼େ, ଶୋଭା ଇନ୍ଦ୍ରପାଲ ପେନ୍ଦମ ଏବଂ ପର୍ବତା ତୁଲସୀରାମ ପେନ୍ଦମଙ୍କ ସହିତ ଆମର ସାକ୍ଷାତ ହୁଏ। ସେମାନଙ୍କ ବୟସ ୫୦ରୁ ଅଧିକ ହେବ; ସେମାନେ ଟିକିଏ ଆଗରୁ ନିଜ ଚାଷ ଜମି ଆଡ଼କୁ ତରବର ହୋଇଯାଉଛନ୍ତି। ସେମାନଙ୍କ ସହିତ ଗୋଟିଏ କୁକୁର ଅଛି। ‘‘ଆମେ ଭୟଭୀତ, କିନ୍ତୁ କ’ଣ କରିବୁ?’’ ଶକୁନ୍ତଳା କୁହନ୍ତି। ଘର କାମ, ଚାଷ କାମ ଏବଂ ସେଥିରେ ପୁଣି ରାତିରେ କ୍ଷେତ ଜଗିବା କାମ କେତେ କଷ୍ଟ ବୋଲି ମୁଁ ପଚାରିବାରୁ ସେ ଏହି ଉତ୍ତର ଦେଇଥାନ୍ତି। ରାତିରେ ସେମାନେ ପରସ୍ପର ପାଖାପାଖି ରହି ଚାଷ ଜମି ଚାରି ପାଖରେ ଘୂରିବୁଲିଥାନ୍ତି।
ଦାଦାଜୀଙ୍କ ଘରର ବିପରୀତ ପାର୍ଶ୍ୱରେ ଥିବା ଗାଁର ମୁଖ୍ୟ ରାସ୍ତା ଉପରେ ଗୁଣୱନ୍ତ ଗାଏକୱାଡ଼ ନିଜ ବନ୍ଧୁମାନଙ୍କ ସହିତ କଥା ହେଉଥିବା ଆମେ ଦେଖୁ। ‘‘ଆଜି ଭାଗ୍ୟରେ ଥିଲେ ତୁମେ ଏକ ବାଘ ଦେଖିବାକୁ ପାଇବ,’’ ସେମାନଙ୍କ ମଧ୍ୟରୁ ଜଣେ ମଜାଳିଆ ଢଙ୍ଗରେ କୁହନ୍ତି। ‘‘ନିୟମିତ ଭାବେ ବାଘ ଆମ କ୍ଷେତରେ ଏପଟସେପଟ ହେଉଥିବା ଆମେ ଦେଖୁ,’’ ଗାୟକୱାଡ଼ କହିଥାନ୍ତି।
ଆମେ ଗାଁର ଉପ ସରପଞ୍ଚ ରାଜହଂସ ବନକରଙ୍କୁ ତାଙ୍କ ଘରେ ଭେଟୁ; ସେ ନିଜର ରାତ୍ରୀ ଭୋଜନ ସାରୁଛନ୍ତି, ଯାହାପରେ ସେ ଜମି ଅଭିମୁଖେ ବାହାରିଯିବେ; ସେ ଦିନସାରା କାମ କରି ଥକି ଯାଇଛନ୍ତି ଓ କ୍ଳାନ୍ତ ହୋଇପଡ଼ିଛନ୍ତି - ବନକର ପଞ୍ଚାୟତର ପ୍ରଶାସନିକ କାମରେ ଲାଗି ରହିଥାନ୍ତି।
ତା’ପରେ ଆମେ ବର୍ତ୍ତମାନର ମହିଳା ‘ପୋଲିସ ପାଟିଲ’ ସୁଷମା ଘୁଟକେଙ୍କୁ ସାକ୍ଷାତ କରୁ, ସେ ତାଙ୍କ ସ୍ୱାମୀ ମହେନ୍ଦ୍ରଙ୍କ ଗାଡ଼ି ପଛରେ ବସି ସେମାନଙ୍କ କ୍ଷେତକୁ ଯାଉଥାନ୍ତି। ସେମାନେ ରାତ୍ରିଭୋଜନ, ଦୁଇଟି କମ୍ବଳ, ଗୋଟିଏ କାଠ ରଡ଼ ଏବଂ ଦୂରକୁ ଆଲୋକ ପକାଇପାରୁଥିବା ଟର୍ଚ୍ଚ ସାଥୀରେ ନେଇଛନ୍ତି। ଅନ୍ୟମାନେ ମଧ୍ୟ ଟର୍ଚ୍ଚ, କାଠ ବାଡ଼ି ଓ କମ୍ବଳ ଧରି ସେମାନଙ୍କ ଚାଷ ଜମି ଅଭିମୁଖେ ଯାଉଥିବା ଆମେ ଦେଖୁ।
‘‘ ଚାଲା ଆମଚ୍ୟା ବରୋବର ,’’ ସୁଷମା ସ୍ମିତହାସ୍ୟ ସହିତ ସେମାନଙ୍କ ଚାଷ ଜମିକୁ ଯିବା ପାଇଁ ଆମକୁ ନିମନ୍ତ୍ରଣ କରନ୍ତି। ‘‘ରାତିରେ ତୁମେ ଅନେକ ଶବ୍ଦ ଶୁଣିପାରିବ,’’ ସେ କୁହନ୍ତି। ‘‘ରାତି ୨ଟା ୩୦ ପର୍ଯ୍ୟନ୍ତ ଚେଇଁ ରହିଲେ ତୁମେ ଶବ୍ଦ ଶୁଣିପାରିବ।’’
ବଣୁଆ ଘୁଷୁରୀ, ନୀଳ ଗାଈ, ହରିଣ, ସମ୍ବର, ମୟୂର, ଠେକୁଆ - ସେମାନେ ଖାଦ୍ୟ ପାଇଁ ରାତିରେ ଚାଷ ଜମିକୁ ଆସନ୍ତି। ସେ କୁହନ୍ତି, ବେଳେବେଳେ ସେମାନେ ମହାବଳ ଏବଂ କଲରାପତରିଆ ବାଘକୁ ମଧ୍ୟ ଦେଖନ୍ତି। ‘‘ଆମ ଜମି ବନ୍ୟଜନ୍ତୁଙ୍କର,’’ ସେ ଥଟ୍ଟାରେ କୁହନ୍ତି।
କିଛି ଘର ଛାଡ଼ି, ଆତ୍ମାରାମ ସାଉସଖଳ (୫୫)ଙ୍କର ଘର ରହିଛି। ସେ ଜଣେ ସ୍ଥାନୀୟ ରାଜନେତା ଏବଂ ତାଙ୍କର ୨୩ ଏକର ପୈତୃକ ଚାଷ ଜମି ଅଛି। ସେ ମଧ୍ୟ ରାତିରେ ଜଗିବାକୁ ବାହାରନ୍ତି। ସେ କୁହନ୍ତି, ଏତେ ବେଳକୁ ତାଙ୍କ ଚାଷ ଜମିରେ ଜଗିବାକୁ ଲୋକ ଯାଇସାରନ୍ତେଣି। ‘‘ମୋ ଚାଷ ଜମି ବଡ଼, ତେଣୁ ତା’କୁ ସୁରକ୍ଷା ଦେବା କଷ୍ଟକର କାମ,’’ ସେ କୁହନ୍ତି। ଏବେ ଗହମ ଓ ବିରି ( ଚନା ) ହୋଇଥିବା ବଡ଼ ଭାଗ ଫସଲକୁ ଜଗିବା ପାଇଁ ତାଙ୍କ ଜମିରେ ଛଅରୁ ସାତଟି ମଞ୍ଚା ତିଆରି ହୋଇଛି।
ରାତି ସାଢ଼େ ଆଠଟା ସୁଦ୍ଧା ଖୋଳଦୋଡ଼ାର ଲୋକମାନେ ରାତିରେ ସେମାନଙ୍କ ଦ୍ୱିତୀୟ ଘର-ଚାଷ ଜମିକୁ ଯାଇସାରିଛନ୍ତି।
*****
ରାମଚନ୍ଦ୍ର ତାଙ୍କ କ୍ଷେତ ଚାରି ପାଖରେ ଏକାଧିକ ମଚାନ (ମଞ୍ଚା) ତିଆରି କରିଛନ୍ତି ଯେଉଁଠୁ ଆପଣ ପରସ୍ପରର କଥା ଶୁଣିପାରିବେ କିନ୍ତୁ କାହାକୁ ଦେଖିପାରିବେ ନାହିଁ। ଆଉ ଆପଣ ସେଠାରେ ନିରାପଦ ଭାବେ ଶୋଇପାରିବେ। ମଚାନ୍ ଗୁଡ଼ିକ କାଠରେ ତିଆରି ଉଚ୍ଚ ସ୍ଥାନ ହୋଇଥାଏ, ଯାହାର ଉଚ୍ଚତା ସାତରୁ ଆଠ ଫୁଟ ପର୍ଯ୍ୟନ୍ତ ହୋଇଥାଏ ଏବଂ ତା’ଉପରେ ଶୁଖିଲା ଘାସ କିମ୍ବା ପାଲ ବିଛା ହୋଇଥାଏ। କେତେକ ମଞ୍ଚାରେ ଦୁଇ ଜଣ ବ୍ୟକ୍ତି ବସିପାରିବେ, କିନ୍ତୁ ଅଧିକାଂଶ ମଞ୍ଚାରେ ଜଣେ ହିଁ ବସିପାରିବେ।
ବାସ୍ତବରେ ଭିୱାପୁରର ଏହି ଅଞ୍ଚଳ ଜଙ୍ଗଲକୁ ଲାଗି ରହିଛି ଏବଂ ଏଠାରେ ଆପଣ ଆଶ୍ଚର୍ଯ୍ୟଜନକ କିସମର ଆଶ୍ରୟସ୍ଥଳୀ ଦେଖିପାରିବେ - ଯାହାକୁ ରାତି ବିତାଇବା ଲାଗି ସେଠାକାର ଚାଷୀମାନେ ତିଆରି କରିଥାନ୍ତି ଓ ଏହା ସେମାନଙ୍କ ହାତତିଆରି ସ୍ଥାପତ୍ୟ କଳାକୁ ପ୍ରଦର୍ଶିତ କରିଥାଏ।
‘‘ଆପଣ ଯେକୌଣସି ମଞ୍ଚାକୁ ବାଛିପାରିବେ,’’ ସେ ମୋତେ କୁହନ୍ତି। ଅମଳ ହେବାକୁ ପ୍ରାୟତଃ ପ୍ରସ୍ତୁତ ବିରି ଫସଲର ଜମି ମଝିରେ ଥିବା ଏକ ମଞ୍ଚାକୁ ମୁଁ ବାଛେ ଏବଂ ତା’ଉପରେ ଏକ ପାଲ ପଡ଼ିଥାଏ। କାରଣ ଶୁଖିଲା ଘାସ କିମ୍ବା ନଡ଼ାରେ ତିଆରି ମଞ୍ଚାରେ ମୂଷା ଭଳି ପ୍ରାଣୀ ରହିଥାଇପାରନ୍ତି ବୋଲି ମୋର ସନ୍ଦେହ ହୁଏ। ମୁଁ ଚଢ଼ିବା ମାତ୍ରେ ମଚାନ୍ ହଲି ଉଠେ। ରାତି ପ୍ରାୟ ସାଢ଼େ ୯ଟା ହେବ ଏବଂ ଆମେ ରାତ୍ରୀ ଭୋଜନ ପାଇଁ ପ୍ରସ୍ତୁତ ହୋଇଥାଉ। ଆମେ ସିମେଣ୍ଟ ଖଳାରେ ଜଳୁଥିବା ନିଆଁ ଚାରିପାଖେ ବସିପଡ଼ିଛୁ; ତାପମାତ୍ରା କମିବାରେ ଲାଗିଛି। ଏଠାରେ ଘନ ଅନ୍ଧକାର ଅଛି, କିନ୍ତୁ ଆକାଶ ସମ୍ପୂର୍ଣ୍ଣ ସଫା।
ରାତ୍ରୀ ଭୋଜନ କରୁ କରୁ ଦାଦାଜୀ କଥାବାର୍ତ୍ତା ଆରମ୍ଭ କରନ୍ତି।
‘‘ଚାରି ମାସ ପୂର୍ବରୁ, ଥରେ ମଧ୍ୟ ରାତ୍ରୀରେ ମୋ ମଞ୍ଚା ହଠାତ୍ ମଝିରୁ ଭୁଶୁଡ଼ି ପଡ଼ିଲା, ସାତ ଫୁଟ ଉଚ୍ଚରୁ ମୋ ଉପରେ ସମ୍ପୂର୍ଣ୍ଣ ଅଜାଡ଼ି ହୋଇପଡ଼ିଥିଲା, ମୋ ବେକ ଓ ପିଠିରେ ଗମ୍ଭୀର ଆଘାତ ଲାଗିଥିଲା।’’
ଏହା ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ହୋଇଥିଲା। ସୌଭାଗ୍ୟବଶତଃ ଯେଉଁ ମାଟି ଉପରେ ସେ ପଡ଼ିଲେ ତାହା ଟାଣ ନଥିଲା। ସେ କୁହନ୍ତି, କିଛି ଘଣ୍ଟା ପର୍ଯ୍ୟନ୍ତ ଆଘାତ ଏବଂ ଗଭୀର ଯନ୍ତ୍ରଣାରେ ସେଠାରେ ସେ ପଡ଼ି ରହିଥିଲେ। ଯେଉଁ କାଠ ଖୁଣ୍ଟ ସାହାରାରେ ମଞ୍ଚା ରହିଥିଲା ତାହା ମାଟିରେ ଧସି ଯାଇଥିଲା। ସେହି ଖୁଣ୍ଟ ତଳେ ଥିବା ମାଟି ନରମ ହୋଇଯିବା କାରଣରୁ ଏପରି ହୋଇଥିଲା।
‘‘କେହି ମୋତେ ସହାୟତା କରିବାକୁ ସେଠାରେ ନଥିବାରୁ ମୁଁ ହଲି ପାରିନଥିଲି।’’ ଆଖପାଖରେ ଲୋକମାନେ ନିଜ ନିଜ ଜମିକୁ ଜଗିଥିଲେ ସୁଦ୍ଧା ରାତିବେଳା କ୍ଷେତରେ ଏକୁଟିଆ ରହିବାକୁ ହୋଇଥାଏ। ‘‘ମୁଁ ଭାବିଲି, ବୋଧହୁଏ ମୋର ଜୀବନ ଚାଲିଯିବ,’’ ସେ କୁହନ୍ତି।
ଭୋର ହେବା ବେଳକୁ ଶେଷରେ ସେ ଛିଡ଼ା ହେବାକୁ ସକ୍ଷମ ହେଲେ ଏବଂ ବେକ ଓ ପିଠିରେ ଗମ୍ଭୀର ଯନ୍ତ୍ରଣା ସତ୍ତ୍ୱେ, ସେ ଦୁଇ ତିନି କିଲୋମିଟର ଦୂର ବାଟ ଆସି ଘରେ ପହଞ୍ଚିଲେ। ‘‘ଘରେ ପହଞ୍ଚିବା ପରେ, ମୋର ପୂରା ପରିବାର ଓ ପଡ଼ୋଶୀମାନେ ସହାୟତା କରିବାକୁ ଦୌଡ଼ି ଆସିଥିଲେ।’’ ଦାଦାଜୀଙ୍କ ପତ୍ନୀ ଶକୁ ବାଈ ଭୟଭୀତ ହୋଇଯାଇଥିଲେ।
ରାମଚନ୍ଦ୍ର ତାଙ୍କୁ ଭିୱାପୁରରେ ତହସିଲରେ ଥିବା ଜଣେ ଡାକ୍ତରଙ୍କ ପାଖକୁ ନେଇଗଲେ, ଯେଉଁଠି ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ନାଗପୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଗଲା। ତାଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି କରାଇବାର ବ୍ୟବସ୍ଥା କଲେ।
ଏକ୍ସ-ରେ ଏବଂ ଏମଆରଆଇ ସ୍କାନରୁ ଆଘାତ ଲାଗିଥିବା ଜଣାପଡ଼ିଲା, କିନ୍ତୁ ସୌଭାଗ୍ୟବଶତଃ କିଛି ଭାଙ୍ଗି ନଥିଲା। ସେ ଡେଙ୍ଗା ଓ ପତଳା ବ୍ୟକ୍ତି ହୋଇଥିବାରୁ ପଡ଼ିଯିବା ଦିନଠାରୁ ବେଶୀ ସମୟ ବସିପାରିଲେ ନାହିଁ କିମ୍ବା ଛିଡ଼ା ହୋଇପାରିଲେ ନାହିଁ। ମୁଣ୍ଡ ବୁଲାଇ ଦେଉଥିବାରୁ ସେ ଶୋଇଯାଉଥିଲେ। ଆଉ ଭଜନ ଗାଉଥିଲେ।
‘‘ରାତିରେ ଜଗିବା ପାଇଁ ମୋତେ ଏହି ମୂଲ୍ୟ ଦେବାକୁ ପଡ଼ିଲା, ଆଉ କାହିଁକି? କାରଣ ଯଦି ମୁଁ ମୋ ଫସଲକୁ ଜଗିବି ନାହିଁ ତେବେ ଏହି ଜଙ୍ଗଲୀ ଜନ୍ତୁମାନେ ମୋତେ ମୋ ଜମିରୁ କିଛି ବି ଅମଳ କରିବାକୁ ଦେବେ ନାହିଁ,’’ ସେ ମୋତେ କୁହନ୍ତି।
ଦାଦାଜୀ କୁହନ୍ତି, ସେ ପିଲା ଥିବା ସମୟରେ ରାତିରେ ଜଗିବାର କୌଣସି ଆବଶ୍ୟକତା ନଥିଲା। ବିଗତ ୨୦ ବର୍ଷ ମଧ୍ୟରେ ବନ୍ୟଜନ୍ତୁଙ୍କ ଆକ୍ରମଣ ତୀବ୍ରତା ବୃଦ୍ଧି ପାଇଛି। ସେ କୁହନ୍ତି, କେବଳ ଜଙ୍ଗଲ ସଙ୍କୁଚିତ ହୋଇନାହିଁ, ବରଂ ଜଙ୍ଗଲୀ ଜନ୍ତୁଙ୍କୁ ମଧ୍ୟ ଯଥେଷ୍ଟ ଖାଦ୍ୟ ମିଳିପାରୁନାହିଁ ଏବଂ ସେମାନଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ସେଥିପାଇଁ ହଜାର ହଜାର ଚାଷୀଙ୍କୁ ଜମିରେ ରାତି ବିତାଇବାକୁ ପଡ଼ୁଛି, ସତର୍କ ଦୃଷ୍ଟି ରଖିବାକୁ ପଡ଼ୁଛି, ରାତ୍ରୀ ଆକ୍ରମଣକାରୀଙ୍କଠାରୁ ନିଜ ଫସଲକୁ ସୁରକ୍ଷା ଦେବାକୁ ପଡ଼ୁଛି। ଅନ୍ୟପଟେ ଜଙ୍ଗଲୀ ଜନ୍ତୁମାନେ ସବୁବେଳେ କ୍ଷେତରେ ଠିଆ ଫସଲକୁ ଖାଇବା ସୁଯୋଗରେ ରହୁଛନ୍ତି।
ଦୁର୍ଘଟଣା, ପଡ଼ିଯିବା, ଜଙ୍ଗଲୀ ଜନ୍ତୁଙ୍କ ସହିତ ହିଂସ୍ର ମୁକାବିଲା, ନିଦ୍ରାହୀ ନତା କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ସାଧାରଣ ଶାରୀରିକ ଅସୁସ୍ଥତା ମଧ୍ୟ ଦେଖା ଦେଉଛି - ଏହା ଖୋଳଦୋଡ଼ା ଗାଁ ଏବଂ ବୃହତ ବିଦର୍ଭ କ୍ଷେତ୍ରରେ ଚାଷୀମାନଙ୍କ ପାଇଁ ଏକ ନୂଆ ବାସ୍ତବିକତାରେ ପରିଣତ ହୋଇଯାଇଛି ଯାହାକି ସଙ୍କଟଗ୍ରସ୍ତ ଚାଷୀଙ୍କ ସମସ୍ୟାକୁ ବହୁଗୁଣିତ କରି ଦେଉଛି।
ଗତ କିଛି ବର୍ଷ ଧରି, ଗ୍ରାମାଞ୍ଚଳରେ ନିଜର ଯାତ୍ରା ସମୟରେ ମୁଁ ଏପରି କିଛି ଚାଷୀଙ୍କୁ ଭେଟିଛି, ଯେଉଁମାନେ ସ୍ଲିପ୍ ଆପ୍ନିଆ ନାମକ ମାନସିକ ଚାପଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଏହା ଏପରି ଏକ ସମସ୍ୟା ଯାହାକି ଶୋଇବା ସମୟରେ ଆପଣଙ୍କ ଶ୍ୱାସକ୍ରିୟାକୁ ବନ୍ଦ କରିଦିଏ ଏବଂ ପୁଣି ଆରମ୍ଭ କରି ଦିଏ।
‘‘ଏହା ଆପଣଙ୍କ ଶରୀରକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥାଏ - ଆମକୁ ଦିନରେ ଓ ରାତିରେ କାମ କରିବାକୁ ହୁଏ, ଶୋଇବାକୁ ଯଥେଷ୍ଟ ସମୟ ମିଳେ ନାହିଁ,’’ ରାମଚନ୍ଦ୍ର ନିରାଶ ହୋଇ କୁହନ୍ତି। ‘‘ଏମିତି ସମୟ ଆସେ ଯେତେବେଳେ ଆମେ ଗୋଟିଏ ଦିନ ସୁଦ୍ଧା ନିଜ ଜମିକୁ ଛାଡ଼ି ଯାଇପାରିନଥାଉ।
ସେ କୁହନ୍ତି ଯଦି ଆପଣ ଆମ ଅଞ୍ଚଳରେ ଧାନ କିମ୍ବା ଡାଲି କିମ୍ବା ବିରି ଖାଇବାକୁ ପାଉଛନ୍ତି, ତା’ହେଲେ ସମ୍ଭବତଃ ସେହି ଫସଲ ଜଙ୍ଗଲୀ ପଶୁଙ୍କ ଆକ୍ରମଣରୁ ବର୍ତ୍ତି ଯାଇଛି କାରଣ କେହି ଜଣେ ରାତି ଅନିଦ୍ରା ହୋଇ କୌଣସି ନା କୌଣସି ସ୍ଥାନରେ ନିଜ ଫସଲକୁ ସୁରକ୍ଷା ଦେବାରେ ସଫଳତା ପାଇଛନ୍ତି।
‘‘ଆମେ ଆଲାରାମ ବଜାଇଥାଉ, ନିଆଁ ଜଳାଉ, ଆମ ଜମି ଚାରି ପାଖରେ ବାଡ଼ ବୁଲାଇଥାଉ, କିନ୍ତୁ ଯଦି ଆପଣ ରାତିରେ ଜମିକୁ ଜଗି ରହିବେ ନାହିଁ, ତା’ହେଲେ ଆପଣ ଲଗାଇଥିବା ସବୁ ଫସଲ ହରେଇବାର ଯଥେଷ୍ଟ ସମ୍ଭାବନା ରହିଛି,’’ରାମଚନ୍ଦ୍ର କୁହନ୍ତି।
*****
ରାତିରେ ଖାଇବା ପରେ ଆମେ ରାମଚନ୍ଦ୍ରଙ୍କ ପଛରେ ସିଧା ଏକ ସରଳରେଖାରେ ଚାଲିଲୁ, ରାତିର ଘନ ଅନ୍ଧକାରରେ ଚାଷଜମିଗୁଡ଼ିକର ଗୋଲକଧନ୍ଦା ମଧ୍ୟରେ ବାଟ କଡ଼େଇବା ପାଇଁ ଆମ ହାତରେ ଟର୍ଚ୍ଚ ଚମକୁଥାଏ।
ରାତି ୧୧ଟା ବାଜିଥାଏ। ଆମେ ଲୋକମାନଙ୍କ ଚିତ୍କାର ଶୁଣିଲୁ। ‘‘ଓୟେ... ଓୟ... ଏ... ମଝିରେ ମଝିରେ ଏମିତି ପାଟି ଶୁଭୁଥାଏ, ଏହା ବନ୍ୟଜନ୍ତୁମାନଙ୍କୁ ଘଉଡ଼ାଇବା ପାଇଁ କରାଯାଉଥାଏ। ଜମିରେ ବନ୍ୟଜନ୍ତୁଙ୍କ ଉପସ୍ଥିତି ସମ୍ପର୍କରେ ମଧ୍ୟ ଏହା ସୂଚନା ଦେଉଥାଏ।
ଅନ୍ୟ ଦିନଗୁଡ଼ିକରେ ଏକାକୀ ଥିଲେ, ରାମଚନ୍ଦ୍ର ପ୍ରତି ଗୋଟିଏ ଘଣ୍ଟାରେ ଥରେ ନିଜ କ୍ଷେତ ଚାରିପାଖରେ ବୁଲନ୍ତି। ତାଙ୍କ ହାତରେ ଏକ ଲମ୍ବା, ଓଜନିଆ କାଠ ବାଡ଼ି ଥାଏ। ବିଶେଷ କରି ରାତି ୨ଟାରୁ ୪ଟା ମଧ୍ୟରେ ସେ ଅଧିକ ସତର୍କ ରହିଥାନ୍ତି। ଏହି ସମୟରେ ବନ୍ୟଜନ୍ତୁମାନେ ଅଧିକ ସକ୍ରିୟ ଥିବା ସେ କୁହନ୍ତି। ତା’ଭିତରେ ସେ ଟିକିଏ ଶୋଇପଡ଼ନ୍ତି, କିନ୍ତୁ ସତର୍କ ଥାଆନ୍ତି।
ମଧ୍ୟ ରାତି ବେଳକୁ ଜଣେ ଗ୍ରାମବାସୀ ନିଜ ବାଇକରେ ଚାଷ ଜମି ଆଡ଼କୁ ଆସନ୍ତି ଏବଂ ଆମକୁ କୁହନ୍ତି ଯେ ଆଳେସୁରରେ ଏକ ରାତ୍ରକାଳୀନ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆମେ ସେହି ଖେଳ ଦେଖିବାକୁ ଯିବା ଲାଗି ନିଷ୍ପତ୍ତି ନେଉ। ରାମଚନ୍ଦ୍ରଙ୍କ ପୁଅ ସହିତ ଦାଦାଜୀ କ୍ଷେତରେ ରୁହନ୍ତି ଏବଂ ଆମେ ଅନ୍ୟମାନେ ସେଠାରୁ ଗାଡ଼ିରେ ୧୦ମିନିଟ୍ ଦୂର ଆଳେସୁର ଯିବାକୁ ନିଷ୍ପତ୍ତି ନେଉ।
ଆଳେସୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ କବାଡି ପ୍ରତିଯୋଗିତା ଦେଖିବା ଲାଗି ଚାଷୀମାନେ ସେମାନଙ୍କ ରାତ୍ରୀ ଜାଗରଣ ମଝିରେ ଏକତ୍ରିତ ହୋଇଥାନ୍ତି
ରାସ୍ତାରେ ଯିବା ସମୟରେ ଆମେ ଜଙ୍ଗଲୀ ବାର୍ହାଙ୍କ ଏକ ପଲ ରାସ୍ତା ପାରି ହେଉଥିବା ଦେଖୁ, ସେମାନଙ୍କ ପଛରେ ଦୁଇଟି ଶୃଗାଳ ଥାଆନ୍ତି। କିଛି ସମୟ ପରେ, ଜଙ୍ଗଲର ଗୋଟିଏ ଭାଗରେ ହରିଣଙ୍କ ଏକ ପଲ ଦେଖାଦିଏ। ଏବେ ସୁଦ୍ଧା ମହାବଳ ବାଘର କିଛି ସଙ୍କେତ ମିଳିନାହିଁ।
ଆଳେସୁରରେ ନିକଟସ୍ଥ ଗାଁର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହେଉଥିବା ରୋମାଞ୍ଚକର କବାଡ଼ି ପ୍ରତିଯୋଗିତାକୁ ଦେଖିବା ଲାଗି ବହୁ ସଂଖ୍ୟାରେ ଦର୍ଶକ ଏକତ୍ରିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ଉତ୍କଣ୍ଠା ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଥାଏ। ୨୦ରୁ ଅଧିକ ଦଳ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ଏବଂ ମ୍ୟାଚ୍ ସକାଳ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରେ ଫାଇନାଲ ମୁକାବିଲା ହେବାକୁ ଧାର୍ଯ୍ୟ ହୋଇଥାଏ। ଗାଁ ଲୋକମାନେ ରାତି ସାରା ସେମାନଙ୍କ ଚାଷ ଜମିରୁ ପ୍ରତିଯୋଗିତା ସ୍ଥଳ ମଧ୍ୟରେ ଏପଟସେପଟ ହେବେ।
ସେହି ଅଞ୍ଚଳରେ ମହାବଳ ବାଘର ଉପସ୍ଥିତି ସମ୍ପର୍କରେ ସେମାନେ କଥା ହୁଅନ୍ତି। ‘‘ତୁମେ ସତର୍କ ରହିବ,’’ ସେମାନଙ୍କ ମଧ୍ୟରୁ ଜଣେ ରାମଚନ୍ଦ୍ରଙ୍କୁ କୁହନ୍ତି। ସନ୍ଧ୍ୟାରେ ଆଳେସୁରର ଜଣେ ଗ୍ରାମବାସୀ ବାଘକୁ ଦେଖିଥିଲେ।
ମହାବଳ ବାଘଙ୍କୁ ଦେଖିବା ଏକ ପ୍ରକାର ରହସ୍ୟ।
କିଛି ସମୟ ପରେ ଆମେ ରାମଚନ୍ଦ୍ରଙ୍କ କ୍ଷେତକୁ ଫେରିଆସୁ। ରାତି ୨ଟା ବାଜିଛି ଓ ପୁଅ ଆଶୁତୋଷ ଖଳାରେ ପଡ଼ିଥିବା ଚାରପାଇ ଉପରେ ଶୋଇପଡ଼ିଛି; ଦାଦାଜୀ ଚୁପଚାପ ବସି ତା’ ଉପରେ ନଜର ରଖିଛନ୍ତି ଏବଂ ନିଆଁକୁ ଜଳାଇ ରଖିଛନ୍ତି। ଆମେ ଥକି ଯାଇଛୁ, କିନ୍ତୁ ଏପର୍ଯ୍ୟନ୍ତ ନିଦ ଆସିନାହିଁ। ଆମେ ପୁଣିଥରେ ଜମି ଚାରି ପାଖରେ ବୁଲି ଆସୁ।
ରାମଚନ୍ଦ୍ର ଦଶମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ଦେଇଥିଲେ ଏବଂ ସେ କୁହନ୍ତି, ଅନ୍ୟ କିଛି କାମ ଥିଲେ ସେ ଚାଷ ଆଦୌ କରନ୍ତେ ନାହିଁ। ସେ ତାଙ୍କର ଦୁଇ ପିଲାଙ୍କୁ ନାଗପୁରରେ ଥିବା ଏକ ଆବାସିକ ବିଦ୍ୟାଳୟକୁ ପଢ଼ିବା ପାଇଁ ପଠାଇ ଦେଇଛନ୍ତି କାରଣ ସେ ଚାହାନ୍ତି ନାହିଁ ଯେ ସେମାନେ ଚାଷ କରନ୍ତୁ। ଆଶୁତୋଷ ସ୍କୁଲ ଛୁଟି ଥିବାରୁ ଘରକୁ ଆସିଛି।
ହଠାତ୍, ଚାରି ଦିଗରୁ ଜଙ୍ଗଲୀ ସ୍ୱର ଶୁଣାଯାଏ। ଏମାନେ ଥାଳି ପିଟୁଥିବା ଚାଷୀ ଯେଉଁମାନେ ଖୁବଜୋରରେ ପାଟି ଚିଲ୍ଲାଉଛନ୍ତି। ବନ୍ୟଜନ୍ତୁଙ୍କୁ ଡରାଇବା ଲାଗି ସେମାନେ ବାରମ୍ବାର ଚିତ୍କାର କରୁଥାନ୍ତି।
ମୋର ଆଚମ୍ବିତ ହାବଭାବକୁ ଦେଖି ଦାଦାଜୀ ହସନ୍ତି। ସେମିତି ରାମଚନ୍ଦ୍ର ମଧ୍ୟ ହସିଥାନ୍ତି। ‘‘ଏହା ତୁମକୁ ଅଜବ ଲାଗିପାରେ,’’ ସେ କୁହନ୍ତି, ‘‘କିନ୍ତୁ ରାତି ସାରା ଏପରି ହୋଇଥାଏ। ଚାଷୀ କିଛି ପଶୁଙ୍କ ଉପସ୍ଥିତିର ସଙ୍କେତ ଦେବା ଲାଗି ଚିଲ୍ଲାଇଥାନ୍ତି ଯେଉଁମାନେ ଅନ୍ୟ କ୍ଷେତକୁ ଯାଇପାରନ୍ତି। ୧୫ ମିନିଟ୍ ପରେ କୋଳାହଳ ବନ୍ଦ ହୋଇଯାଏ ଏବଂ ସବୁକିଛି ଶାନ୍ତ ପଡ଼ିଯାଏ।
ରାତି ୩ଟା ୩୦ ମିନିଟ୍ ସମୟରେ, ତାରା ଚମକୁଥିବା ଆକାଶ ତଳେ, ଆମେ ଅଲଗା ଅଲଗା ହୋଇଯାଉ ଏବଂ ଆମର ହଲୁଥିବା ଓ ଝୁଲୁଥିବା ମଞ୍ଚା ଉପରକୁ ଚଢ଼ିଯାଉ, ମୋର ଚାରିପାଖରେ କୀଟପତଙ୍ଗଙ୍କ ଶବ୍ଦ ହଠାତ୍ ବଢ଼ିଯାଏ। ମୁଁ ଚିତ୍ ହୋଇ ଶୋଇପଡ଼େ, ମଞ୍ଚାରେ କେବଳ ମୋ ପାଇଁ ଯଥେଷ୍ଟ ସ୍ଥାନ ଥାଏ। ଫଟା ଧଳା ପାଲର ଚାଦର ପବନ ପ୍ରଭାବରେ ଉଡ଼ୁଥାଏ। ତାରା ଗଣୁ ଗଣୁ ମୁଁ ଟିକିଏ ସମୟ ଶୋଇପଡ଼େ। ସକାଳର ସ୍ପର୍ଶ ସହିତ ରହି ରହି ଲୋକମାନଙ୍କ ସ୍ୱରରେ ମୋର ନିଦ ଭାଙ୍ଗିଯାଏ। ମଞ୍ଚା ଉପରେ ସୁବିଧାଜନକ ସ୍ଥାନରେ ଥାଇ ମୁଁ ନିଜ ଚାରି ପାଖରେ ଥିବା ଘନ ସବୁଜ କ୍ଷେତ ଆଡ଼େ ଆଖି ବୁଲାଇ ଆଣେ ଯାହା ଉପରେ ଶ୍ୱେତ କାକର ପଡ଼ି ଚମକୁଥାଏ।
ରାମଚନ୍ଦ୍ର ଓ ଦାଦାଜୀ କିଛି ସମୟ ପୂର୍ବରୁ ଉଠି ସାରିଛନ୍ତି। ଜମିରେ ଥିବା ଏକମାତ୍ର କମଳା ଗଛରୁ ଦାଦାଜୀ କିଛି ଫଳ ତୋଳି ମୋତେ ଘରକୁ ନେଇଯିବା ପାଇଁ ଦିଅନ୍ତି।
ଫସଲକୁ କେହି ସ୍ପର୍ଶ କରିଛି କି ନାହିଁ ତାହା ନିରୀକ୍ଷଣ କରିବା ଲାଗି ରାମଚନ୍ଦ୍ର କ୍ଷେତରେ ତରବର ହୋଇ ବୁଲି ଆସନ୍ତି, ମୁଁ ବି ତାଙ୍କ ପଛରେ ଯାଏ।
ସକାଳ ୭ଟାରେ ଆମେ ଗାଁକୁ ଫେରୁ। ସେ କୁହନ୍ତି ସୌଭାଗ୍ୟବତଃ ଗତ ରାତିରେ ତାଙ୍କର କୌଣସି କ୍ଷତି ହୋଇନାହିଁ।
ଗତକାଲି ରାତିରେ ଜଙ୍ଗଲୀ ଜନ୍ତୁ କ୍ଷେତ ଭିତରେ ପ୍ରବେଶ କରିଥିଲେ କି ନାହିଁ ତାହା ଦିନର ବିଳମ୍ବିତ ପ୍ରହରରେ ଜଣାପଡ଼ିବ।
ମୋର ସତ୍କାରକମାନଙ୍କ ଠାରୁ ମୁଁ ବିଦାୟ ନିଏ, ସେମାନେ ତାଙ୍କ ଜମିରେ ଫଳିଥିବା ଧାନରୁ ସଦ୍ୟ ବାହାରିଥିବା ଗୋଟିଏ ପ୍ୟାକେଟ୍ ଚାଉଳ ମୋତେ ଦିଅନ୍ତି। ଏହା ବାସ୍ନାଯୁକ୍ତ ଚାଉଳ। ଏହାକୁ ସୁରକ୍ଷିତ ଭାବେ ଅମଳ କରି ଆଣିବା ପାଇଁ ରାମଚନ୍ଦ୍ରଙ୍କୁ ଅନେକ ରାତି ଅନିଦ୍ରା ହେବାକୁ ପଡ଼ିଛି।
ଆମେ ଖୋଳଦୋଡ଼ାକୁ ପଛରେ ପକାଇ କ୍ଷେତ ଦେଇ ଆସିବା ସମୟରେ ପୁରୁଷ ଓ ମହିଳାମାନଙ୍କୁ କ୍ଷେତରୁ ଘରକୁ ଫେରୁଥିବା ଦେଖୁ। ମୋର ରୋମାଞ୍ଚ ଶେଷ ହୋଇସାରିଛି। ସେମାନଙ୍କ ଅଣ୍ଟାଭଙ୍ଗା ପରିଶ୍ରମ ଏବେ ଆରମ୍ଭ ହୋଇଛି।
ଅନୁବାଦ: ଓଡ଼ିଶାଲାଇଭ୍