ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ କୁର୍ଜାଦି ଗ୍ରାମର ଗୋଟିଏ କଣରେ ଥିବା ଏକ ଛୋଟ ଘରେ ଉଜ୍ଜ୍ୱଲା ପେଟକାର (୪୧) ତାଙ୍କ ଯାଆ ଉଷା ପେଟକାର (୪୫)ଙ୍କ ସହ ଏ ବର୍ଷ କେଉଁ ବିହନଗୁଡ଼ିକ ବୁଣାଯିବ, ଏହା ପରେ କେଉଁ ପ୍ରକାରର ଫସଲ ଚାଷ କରାଯିବ ଏବଂ ଆହୁରି ଅନେକଗୁଡ଼ିଏ ସମ୍ପର୍କରେ ଦୀର୍ଘ ଆଲୋଚନାରେ ବ୍ୟସ୍ତ । ଯଦି ଆଜି କୃଷି କାର୍ଯ୍ୟ ସେମାନଙ୍କୁ ଏକତ୍ର କରିଛି, ଅଳ୍ପ କିଛି ବର୍ଷ ପୂର୍ବେ ଦୁଃଖ ସେମାନଙ୍କୁ ଏକତ୍ର କରିଥିଲା । ସେମାନଙ୍କ ସ୍ୱାମୀମାନେ, ଯେଉଁମାନେ କି ଭାଇ ଥିଲେ, ଋଣ ବୋଝରୁ ମୁକ୍ତି ପାଇବାର ଉପାୟ ନପାଇ ଆତ୍ମହତ୍ୟା କରିଥିଲେ ।

ଏହା ଉଭୟ ମହିଳାଙ୍କ ପାଇଁ ଏକ କଷ୍ଟକର ସମୟ ଥିଲା । ଯେମିତିକି ସେମାନଙ୍କ ସ୍ୱାମୀମାନଙ୍କୁ ହରାଇବାର ଦୁଃଖ ଯଥେଷ୍ଟ ହୋଇନଥିଲା, ସେମାନଙ୍କୁ ସମସ୍ୟାର ପାହାଡ଼ ସାମ୍ନା କରିବାକୁ ହୋଇଥିଲା । ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ସ୍ୱାମୀମାନଙ୍କର ଋଣ ପରିଶୋଧ କରିବା ପ୍ରାଥମିକ ଥିଲା, କିନ୍ତୁ ସେମାନଙ୍କ ପାଖରେ ଏହା କରିବାର କୌଣସି ଉପାୟ ନଥିଲା ।

ଉଜ୍ଜ୍ୱଲା କୁହନ୍ତି, ‘‘୨୦୦୨ରେ ମୋ ସ୍ୱାମୀ ଆତ୍ମହତ୍ୟା କରିବା ପରେ ମୋ ଦୁନିଆଁ ଭାଙ୍ଗିରୁଜି ଯାଇଥିଲା । ମୋର ଦୁଇଟିଯାକ ପିଲା ଛୋଟ ଥିଲେ ଏବଂ ମୁଁ ଯେ କେବଳ ଅର୍ଥ ବିଷୟରେ କିଛି ଜାଣିନଥିଲି ତାହା ନୁହେଁ, ମୁଁ ମୋ ସ୍ୱାମୀଙ୍କ ଜମି ବିଷୟରେ ସବୁକିଛି ଜାଣିନଥିଲି । ଏହା ଯେମିତି କୁଟା ଖିଅରୁ ଜୀବନ ଆରମ୍ଭ କରିବା ପରି ଥିଲା ।’’ ତାଙ୍କ ସ୍ୱାମୀ ପ୍ରଭାକର ମୃତ୍ୟୁବରଣ କରିବା ବେଳକୁ ଟ. ୨ ଲକ୍ଷ ଋଣରେ ଥିଲେ ।

ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଅନୁଯାୟୀ ଭାରତ ସମେତ ଅଧିକାଂଶ ବିକାଶଶୀଳ ଦେଶଗୁଡ଼ିକରେ ଗ୍ରାମୀଣ ମହିଳାମାନେ ହିଁ ଅର୍ଥନୀତିରେ ସବୁଠାରୁ ଉତ୍ପାଦକଶୀଳ କାର୍ଯ୍ୟ ବଳ ଗଠନ କରନ୍ତି । ଜିଡିପିରେ ୧୬ ପ୍ରତିଶତ ଯୋଗଦାନ ଦେଉଥିବା କୃଷି ହେଉଛି ଭାରତରେ ଏକକ ବୃହତ୍ତମ ଉତ୍ପାଦନ ଉଦ୍ୟମ, ଏହା ଅଧିକରୁ ଅଧିକ ମହିଳା ଗତିବିଧି ପାଲଟିବାରେ ଲାଗିଛି । ‘ଉତ୍ପାଦନଶୀଳ କର୍ମୀ’ର ଗତାନୁଗତିକ ବଜାର କେନ୍ଦ୍ରିତ, ସଂକୁଚିତ ସଂଜ୍ଞାଠାରୁ ଅନେକ ଆଗରେ, ଗ୍ରାମୀଣ ଭାରତର ପ୍ରାୟ ସମସ୍ତ ମହିଳା କୌଣସି ନା କୌଣସି ଭାବରେ ‘କୃଷକ’ ଭାବରେ ବିବେଚିତ ହୋଇପାରିବେ, ଯେଉଁମାନେ କି କୃଷି ଶ୍ରମିକ ଭାବରେ କିମ୍ବା ପାରିବାରିକ କୃଷି ଉଦ୍ୟୋଗରେ ଅଣବେତନପ୍ରାପ୍ତ କର୍ମୀ ଭାବରେ ଏବଂ ବେଳେ ବେଳେ ଦୁଇଟିର ମିଶ୍ରଣ ଭାବରେ କାର୍ଯ୍ୟ କରନ୍ତି।

ଏ ସବୁକୁ ବିବେଚନାକୁ ନେଇ ଏମ୍‌ ଏସ୍‌ ସ୍ୱାମୀନାଥନ୍‌ ରିସର୍ଚ ଫାଉଣ୍ଡେସନ୍‌ର ମହିଳା କିଷାନ ସଶକ୍ତିକରଣ ପରିଯୋଜନା ପ୍ରକଳ୍ପ କୃଷିରେ ମହିଳାମାନଙ୍କର ସଂପୃକ୍ତିକୁ ପ୍ରୋତ୍ସାହନ ପ୍ରଦାନ କରୁଛି । ୨୦୦୮ରେ, ଏହି ଅନୁଷ୍ଠାନ ୨୦୦୮ରେ କୃଷି ବିପର୍ଯ୍ୟୟ ଦ୍ୱାରା ଆଘାତ ପାଇଥିବା ମହିଳାମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ନେଇ ପରିଦୃଶ୍ୟକୁ ଆସିଥିଲା । ଏହା ବିଦର୍ଭ ଅଞ୍ଚଳର ସବୁଠାରୁ ବିପର୍ଯ୍ୟୟ ଆଘାତପ୍ରାପ୍ତ ଦୁଇଟି ଯାକ ଜିଲ୍ଲା ୱାର୍ଦ୍ଧା ଏବଂ ଜବତମାଲ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ସ୍ଥିର କରିଥିଲା । ଏହି ବିଚାର ଧାରା ସରଳ ଥିଲା: ସ୍ଥାୟୀ କୃଷି ଅଭ୍ୟାସ ଜରିଆରେ ଆନୁଷ୍ଠାନିକ ଗଠନ ।

ଏହା ପଛର ବିଶ୍ୱାସ ଥିଲା ଯେ ପରିବାରର ମହିଳାଙ୍କୁ ସଶକ୍ତ କରିବା ଦ୍ୱାରା ପିଲାମାନେ ମନକୁ ମନ ଲାଭାନ୍ୱିତ ହେବେ ।

ତୁରନ୍ତ, ପେଟକାର ଯାଆମାନେ ଅନ୍ୟ ମହିଳାମାନଙ୍କ ସହିତ ଏହି ପ୍ରକଳ୍ପରେ ସଂପୃକ୍ତ ହେବା ଆରମ୍ଭ କରିଥିଲେ । ଏହା ୫୫ଟି ଗ୍ରାମରେ ପ୍ରାୟ ୧,୩୫୪ ମହିଳା କୃଷକଙ୍କୁ ୮୬ଟି ମହିଳା କୃଷକ ଗୋଷ୍ଠୀରେ ବ୍ୟବସ୍ଥିତ କରୁଥିଲା । ତିନି ବର୍ଷ ତଳୁ, ସଫଳତା ଦେଖିବାକୁ ମିଳିଛି ।

ପ୍ରାୟ ୧୦୦ ଜଣ ମହିଳା କୃଷକ ସ୍ଥାୟୀ କୃଷି ଅଭ୍ୟାସର କିଛି ସ୍ୱରୂପ ଗ୍ରହଣ କରିଛନ୍ତି ଯାହା କୃଷିର ଖର୍ଚ୍ଚ କମ୍‌ କରିବାରେ ସେମାନଙ୍କୁ ସାହାଯ୍ୟ କରିଛି । ୨୫୦ରୁ ଅଧିକ ମହିଳା କିଚେନ୍‌ ଗାର୍ଡେନ୍‌ ସ୍ଥାପନ କରିଛନ୍ତି ଯାହା ସେମାନଙ୍କ ଖାଦ୍ୟ ଝୁଡ଼ିକୁ ବିବିଧ କରିବାରେ ସାହାଯ୍ୟ କରିଛି ଏବଂ ଚୂଡ଼ାନ୍ତ ଭାବରେ ସେମାନଙ୍କର ପୌଷ୍ଟିକ ସ୍ଥିତିକୁ ଉନ୍ନତ କରିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଣାମ ହୋଇଛି ଯେ ସେମାନଙ୍କ ମଧ୍ୟରୁ ଅନେକ କୃଷି ଅଭ୍ୟାସ ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି ।

ଉଦାହରଣ ସ୍ୱରୂପ, ଉଜ୍ଜ୍ୱଲା ଟ. ୧ ଲକ୍ଷର ଋଣ ପରିଶୋଧ କରିଛନ୍ତି ଏବଂ ଏକ ନର୍ସିଂ କଲେଜ୍‌ରେ ତାଙ୍କ ଝିଅର ନାମ ଲେଖାଇଛନ୍ତି । ସେ ବର୍ତ୍ତମାନ ତାଙ୍କର ପାଞ୍ଚ ଏକର ଜଳସେଚିତ ଜମିରେ କପା, ହରଡ଼, ସୋୟାବିନ୍ ଏବଂ ହରଡ଼ ଚାଷ କରୁଛନ୍ତି । ସେ ମଧ୍ୟ ଏହି ଜମିକୁ ନିଜ ନାମରେ ବଦଳାଇପାରିଛନ୍ତି ଯାହାକି ଜଣେ ପୁରୁଷଙ୍କର ଆତ୍ମହତ୍ୟା ପରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏ ମଧ୍ୟରେ ଉଷା ତାଙ୍କର ଗୋଟିଏ ଝିଅର ବିବାହ କରାଇଛନ୍ତି ଏବଂ ଅନ୍ୟଟିକୁ ନର୍ସ ତାଲିମ୍‌ ପ୍ରଦାନ କରିଛନ୍ତି । ତାଙ୍କର ଦୁଇ ପୁଅ ଚାଷ କରୁଛନ୍ତି । ସେ କୁହନ୍ତି, ‘‘ମୋ ସ୍ୱାମୀ ନେଇଥିବା ଟ.୧,୬୦,୦୦୦ ଋଣ ମଧ୍ୟରୁ ମୁଁ ଅଧିକାଂଶ ପରିଶୋଧ କରିସାରିଛି । ଏବେ କେବଳ ଟ. ୨୫,୦୦୦ ବାକି ଅଛି । ତାଙ୍କ ସ୍ୱାମୀ କାଭଡୋଜି ୨୦୦୬ ଫେବୃଆରୀରେ ଆତ୍ମହତ୍ୟା କରିଥିଲେ।’’

ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରକଳ୍ପ ସମନ୍ୱକ କିଶୋର ଜଗତାପ କୁହନ୍ତି, ‘‘ଏହା ହେଉଛି କେବଳ ଆରମ୍ଭ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ଆସିବା ପାଇଁ ତଥାପି ଅନେକ ସମୟ ଲାଗିବ ।’’ ‘‘ମହିଳାମାନଙ୍କ ସହିତ ଆମେ ପିଲାମାନଙ୍କ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରୁ କାରଣ ସେମାନେ ଏହା ବଂଶାନୁକ୍ରମିକତାରେ ପାଇବେ । ଗତ ବର୍ଷ, ଆମେ ଏକ ବିଶାଳ ଉଦ୍ୟମ ପରିଚାଳନା କରିଥିଲୁ ଏବଂ ଜାଣିବାକୁ ପାଇଥିଲୁ ଯେ ୫୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାରେ ପୀଡ଼ିତ । ତେଣୁ ମହିଳାମାନଙ୍କୁ ସେମାନଙ୍କର ନିଜସ୍ୱ ନିଷ୍ପତ୍ତି ନେବା ପାଇଁ ସଶକ୍ତ କରିବା ସମୟରେ ଏକ ସମ୍ପୂର୍ଣ୍ଣ ଦୃଷ୍ଟିକୋଣ ଆବଶ୍ୟକ । ଥରେ ମହିଳାମାନଙ୍କଠାରେ ପରିବର୍ତ୍ତନ ଦେଖାଦେଲେ, ପିଲାମାନେ ମନକୁ ମନ ଲାଭ ପାଇବେ ।’’

ଜବତମଲ ଜିଲ୍ଲାର ରାଲେଗାଓଁ ବ୍ଲକ୍‌ର ଟକଲି ଗ୍ରାମରୁ ଆସିଥିବା ଇନ୍ଦିରା ମେଶ୍ରାମ କୁହନ୍ତି ସେ ଗତ କିଛି ବର୍ଷରେ ଅଧିକ ଆତ୍ମବିଶ୍ୱାସୀ ହୋଇଛନ୍ତି । ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ଇନ୍ଦିରା ୨୦୦୯ରେ ଏହି ପ୍ରକଳ୍ପର ଅଂଶ ହୋଇଥିଲେ । ସେ କୁହନ୍ତି, ‘‘ମୁଁ କୃଷି ସମ୍ପର୍କରେ କିଛି ଜାଣିନଥିଲି; ବର୍ତ୍ତମାନ ମୁଁ ଖତଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷାର ଗୁରୁତ୍ୱ ପର୍ଯ୍ୟନ୍ତ ସବୁକିଛି ଜାଣେ । ମୁଁ ଘରେ ସମସ୍ତ ନିଷ୍ପତ୍ତି ନିଏ କେବଳ ଚାଷ ସମ୍ପର୍କରେ ନୁହେଁ ବରଂ ଅନ୍ୟ ସବୁକିଛିରେ ମଧ୍ୟ । ମୋ ପୁଅକୁ ସୋସିଆଲ୍ ୱାର୍କରେ ବ୍ୟାଚେଲର୍ସ ଡିଗ୍ରୀ ପାଇଁ ପଠାଇବା ମଧ୍ୟ ମୋର ନିଷ୍ପତ୍ତି ଥିଲା ।’’ ବର୍ତ୍ତମାନ ମେଶ୍ରାମଙ୍କୁ ଏହି ଅଞ୍ଚଳରେ ଅନ୍ୟ ମହିଳାମାନଙ୍କୁ ତାଲିମ୍‌ ଦେବା ପାଇଁ ଏବଂ ସ୍ୱାଧୀନତାର ଗୁରୁତ୍ୱ ଉପରେ ଆଲୋଚନା କରିବା ପାଇଁ ଆମନ୍ତ୍ରଣ କରାଯାଉଛି ।

ଏହି ଗବେଷଣା ଅନୁଷ୍ଠାନ ମହିଳା ପରିଷଦ ଗଠନ କରିବାରେ ସାହାଯ୍ୟ କରିଛି ଯାହା ସମସ୍ୟାଗୁଡ଼ିକର ଆଲୋଚନା ପାଇଁ ମଝିରେ ମଝିରେ ବୈଠକ କରନ୍ତି । ମନ୍ତ୍ର ହେଉଛି ‘‘ମହିଳାମାନେ ପରସ୍ପରକୁ ଶିକ୍ଷା ଦେବେ’’। ମହିଳାମାନେ ପରସ୍ପରକୁ ଭେଟିବା ଏବଂ ସେମାନଙ୍କର ଅଭିଜ୍ଞତା ବିନିମୟ କରିବା ପାଇଁ ବର୍ଷରେ ଥରେ ମେଳା ଅନୁଷ୍ଠିତ ହୋଇଥାଏ ।

ଏହି ଉପକ୍ରମର ସଫଳତାକୁ ଜାଣିବା ପରେ, ୨୦୧୦ରେ, ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ମହିଳା କିଷାନ ସଶକ୍ତିକରଣ ପରି ଯୋଜନା ନିମନ୍ତେ ଟ. ୧୦୦ କୋଟିର ବଜେଟ୍ ରଖିଥିଲେ ଏବଂ ସାରା ଦେଶରେ ଏହାକୁ ବ୍ୟାପ୍ତ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଜରିଆରେ ସଂଚାଳିତ ହୋଇଥିଲା, ଯାହା ଏହି ପ୍ରକଳ୍ପ ନିମନ୍ତେ ସାରା ଭାରତରୁ ଦକ୍ଷ ଏନ୍‌ଜିଓଗୁଡ଼ିକଠାରୁ ଆବେଦନ ଆହ୍ୱାନ କରିଥିଲା ଏବଂ ଏନ୍‌ଜିଓଗୁଡ଼ିକ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିବାର ଚାରି ମାସ ପରେ ପ୍ରଥମ ସମୀକ୍ଷା ବୈଠକ ୨୦୧୨ ଏପ୍ରିଲ୍ ଆଦ୍ୟ ଭାଗରେ ଅନୁଷ୍ଠିତ ହୋଇଥିଲା ।

ବର୍ତ୍ତମାନ, ମହାରାଷ୍ଟ୍ର, କେରଳ, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ଟି ଏନ୍‌ଜିଓ ଏହି ପ୍ରକଳ୍ପରେ ସହଭାଗୀ ହୋଇଛନ୍ତି ଯାହାକି ଅନୁସୂଚିତ ଜାତି ଏବଂ ଜନଜାତି, ସଂଖ୍ୟାଲଘୁ, ବିଧବା, ଏକାକିନୀ ମହିଳା ଏବଂ ଆହୁରି ଅନେକ କ୍ଷୁଦ୍ର ଏବଂ ନାମମାତ୍ର ମହିଳା କୃଷକମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖିଛି ।

କୋହ୍ଲାପୁରସ୍ଥିତ ଶିବାଜୀ ବିଶ୍ୱବିଦ୍ୟାଳୟରେ ସେଣ୍ଟର୍‌ ଫର୍‌ ଓମେନ୍‌ ଷ୍ଟଡିଜ୍‌ ନିର୍ଦ୍ଦେଶକ ମେଧା ନାନିବାଦେକର କହିଥିଲେ ଯେ ପ୍ରକୃତରେ ଏପରି କାର୍ଯ୍ୟକ୍ରମଗୁଡ଼ିକ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତଥାପି ସରକାର ନମନୀୟ ହେବା ଏବଂ ସେମାନଙ୍କର ଅନନ୍ୟତା ଏବଂ ପ୍ରସଙ୍ଗ ଆଧାରରେ ଦେଶର ବିଭିନ୍ନ ଅଞ୍ଚଳରେ ସେଗୁଡ଼ିକର ପୁନରାବୃତ୍ତି କରିବା ପାଇଁ ସମର୍ଥ ହେବା ଆବଶ୍ୟକ। ସେ କୁହନ୍ତି, ‘‘ସାଧାରଣତଃ ସରକାରୀ ଯୋଜନାଗୁଡ଼ିକ ଅତି ସୁନ୍ଦର ମନେ ହୁଏ, କିନ୍ତୁ ଯେତେବେଳେ ଏହା କାର୍ଯ୍ୟକାରୀ ହୁଏ ସେତେବେଳେ ବିଚିତ୍ର ନିୟମଗୁଡ଼ିକ କାରଣରୁ ଏହା ପ୍ରାୟତଃ ସମ୍ଭବ ହୁଏ ନାହିଁ ।’’

ଅଦୃଶ୍ୟ ବଳ

କୃଷି କ୍ଷେତ୍ର ଅର୍ଥନୈତିକ ଭାବରେ ସକ୍ରିୟ ସମସ୍ତ ମହିଳାମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କୁ ନିଯୁକ୍ତି ଦେଇଥାଏ; ସେମାନେ କୃଷି ଶ୍ରମିକ ବଳର ୩୩ ପ୍ରତିଶତ ଏବଂ ଆତ୍ମନିଯୁକ୍ତ କୃଷକମାନଙ୍କର ୪୮ ପ୍ରତିଶତ ଗଠନ କରନ୍ତି । ଜାତୀୟ ନମୁନା ସର୍ବେକ୍ଷଣ ଅନୁଷ୍ଠାନ ଅନୁଯାୟୀ ଭାରତରେ କୃଷକ ପରିବାରର ୧୮ ପ୍ରତିଶତର ମୁଖ୍ୟ ହେଉଛନ୍ତି ମହିଳାମାନେ ।

ଏହି ନିବନ୍ଧ ୨୬ ମେ ୨୦୧୨ରେ ଦି ଟାଇମ୍‌ସ ଅଫ୍ ଇଣ୍ଡିଆ , ଦି କ୍ରେଷ୍ଟ୍ ଏଡିସନ୍‌ରେ ମୌଳିକ ଭାବରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Sukhada Tatke

سُکھدا ٹٹکے ہوسٹن، ٹیکساس میں مقیم ایک فری لانس جرنسلٹ ہیں۔ وہ پہلے ممبئی میں ٹائمز آف انڈیا اور دی ہندو کے ساتھ کام کر چکی ہیں۔ ان کے مضامین ٹیکساس منتھلی، ہوسٹن کرونیکل، اور اسکرول ڈاٹ اِن وغیرہ میں شائع ہوتے رہے ہیں۔ آپ مضمون نگار سے یہاں رابطہ کر سکتے ہیں: @ASuitableGirl

کے ذریعہ دیگر اسٹوریز سکھدا ٹٹکے
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

کے ذریعہ دیگر اسٹوریز OdishaLIVE