ଏହି ରିପୋର୍ଟର ଉଲ୍ଲେଖ ଅନୁଯାୟୀ ଭାରତରେ ମନସ୍ତାତ୍ତ୍ଵିକ ବା ଶାରୀରିକ ଅକ୍ଷମତା ଥିବା ଯୁବତୀ ଓ ମହିଳାମାନେ ଭାବ ଆଦାନ ପ୍ରଦାନରେ ଅକ୍ଷମତା ତଥା ସେଥିପାଇଁ ତତ୍ତ୍ଵାବଧାରକଙ୍କ ଉପରେ ନିର୍ଭରଶୀଳତା ଯୋଗୁଁ ଯୌନ ନିର୍ଯ୍ୟାତନାର ସହଜ ଶିକାର ହୁଅନ୍ତି। ଏପରିକି ଅଭିଯୋଗ ପଞ୍ଜୀକୃତ ହେଲା ପରେ ବି ମାନସିକ ଅକ୍ଷମତା ଥିବା ୨୧-ବର୍ଷ ବୟସର କଜରୀଙ୍କ କ୍ଷେତ୍ରରେ ଘଟିଥିବା ଘଟଣା ଭଳି ନ୍ୟାୟିକ ବ୍ୟବସ୍ଥାର ଧାରା ଦଣ୍ଡ ଭଳି ହୋଇଯାଏ। ୨୦୧୦ ମସିହାରେ କଜରୀଙ୍କୁ ଅପହରଣ କରି ନିଆଯିବା ପରେ ସେ ଚାଲାଣ, ଯୌନ ଉତ୍ପୀଡନ ଓ ଶିଶୁ ଶ୍ରମିକ ଭାବେ ୧୦ ବର୍ଷ କାଟିଲେ। ତାଙ୍କ ବାପା କହନ୍ତି, “କୌଣସି ଗୋଟିଏ ଜାଗାରେ କାମ କରିବା ମୋ ପାଇଁ କଷ୍ଟସାଧ୍ୟ ହେଲା କାରଣ ମତେ କଜରୀକୁ ନେଇ କେବେ ପୋଲିସକୁ ବିବୃତି ଦେବା ପାଇଁ ତ ଆଉ କେବେ ପରୀକ୍ଷା କରେଇବା ପାଇଁ ମୋତେ ଅନେକ ଦିନ ଛୁଟି ଦରକାର ପଡୁଥିଲା। ବାରମ୍ବାର ଛୁଟି ମାଗିବା ଯୋଗୁଁ ମତେ କାମରୁ ବାହାର କରି ଦିଆଗଲା”।
ପ୍ରଫେସର ଉମା ଚକ୍ରବର୍ତ୍ତୀ ତାଙ୍କ ପ୍ରବନ୍ଧ କନସେପଚୁଆଲାଇଜିଂ ବ୍ରାହ୍ମନିକାଲ ପାଟ୍ରିଆର୍କି ଇନ୍ ୟର୍ଲି ଇଣ୍ଡିଆରେ ଲେଖିଛନ୍ତି, ଲଗାତାର ଭାବେ ”(ମହିଳାମାନଙ୍କୁ) ନିୟନ୍ତ୍ରଣ କରିବା ପାଇଁ ଏକ ଫଳପ୍ରଦ ବ୍ୟବସ୍ଥା ଓ ଜଗିବା ଆବଶ୍ୟକତା ନିରନ୍ତର କାମ କରୁଛି”। ପ୍ରବନ୍ଧର ବର୍ଣ୍ଣନା ଅନୁଯାୟୀ ଏହି ନିୟନ୍ତ୍ରଣ ଦ୍ଵାରା ପୁରୁଷକୈନ୍ଦ୍ରିକ ବ୍ୟବସ୍ଥାକୁ ଗ୍ରହଣ କରୁଥିବା ମହିଳାମାନଙ୍କୁ ସୁବିଧା ପ୍ରଦାନ କରାଯାଏ ଓ ଯେଉଁମାନେ ଗ୍ରହଣ ନ କରିବେ ସେମାନଙ୍କୁ ଲଜ୍ଜିତ କରାଯାଏ। ମହିଳାମାନଙ୍କ ଗତିବିଧିକୁ ହିଂସ୍ର ଭାବେ ସଙ୍କୁଚିତ କରୁଥିବା ଏହି ନିୟନ୍ତ୍ରଣ ବ୍ୟବସ୍ଥା ବହୁଧା ମହିଳାମାନଙ୍କ ଯୌନତା ଓ ଆର୍ଥିକ ସ୍ଵାଧୀନତାର ଭୟ ମଧ୍ୟରେ ଲୁଚି ରହିଥାଏ। “ପୂର୍ବରୁ ସେମାନେ (ତାଙ୍କ ଶାଶୁଘର ଲୋକେ) ଯେତେବେଳେ ମୁଁ ଗାଁର କୌଣସି ଗର୍ଭବତୀ ମହିଳାଙ୍କୁ ଭେଟିବାକୁ ବା ସେମାନଙ୍କୁ ଡାକ୍ତରଖାନାକୁ ନେବାକୁ ବାହାରକୁ ଯାଏ, କହୁଥିଲେ କି ମୁଁ ଅନ୍ୟ ପୁରୁଷଙ୍କୁ ଭେଟିବାକୁ ଯାଏ। ଜଣେ ‘ଆଶା’ କର୍ମୀ ରୂପେ ଏହା ମୋର କାମ”, କହନ୍ତି ୩୦-ବର୍ଷୀୟା ଗିରିଜା। ଉତ୍ତର ପ୍ରଦେଶର ମାହୋବା ଜିଲ୍ଲାରେ ରହୁଥିବା ଗିରିଜାଙ୍କୁ ‘ଆଶା’ (ଆକ୍ରେଡିଟେଡ ସୋସିଆଲ ହେଲଥ ଆକ୍ଟିଭିଷ୍ଟ) କର୍ମୀ କାମ ଛାଡି ଦେବା ପାଇଁ ତାଙ୍କ ଶାଶୁଘର ଲୋକଙ୍କ ଚାପ ସହିବାକୁ ପଡେ। “ଗତକାଲି ମୋ ସ୍ଵାମୀଙ୍କ ଜେଜେବାପା ମତେ ଲାଠିରେ ବାଡ଼େଇଲେ ଓ ଏପରିକି ମୋ ତଣ୍ଟି ଚିପିବାକୁ ଚେଷ୍ଟା କଲେ”, ସେ କହିଲେ।
ଯେତେବେଳେ ମହିଳାମାନେ ସାଧ୍ୟମତେ କାମ କଲେ ଓ ସେଥି ପାଇଁ ଟଙ୍କା ପାଇଲେ, ସେତେବେଳେ କର୍ମସ୍ଥଳରେ ପରବର୍ତ୍ତୀ ଲିଙ୍ଗଗତ ପ୍ରତିବନ୍ଧକର ସାମନା କରିବାକୁ ପଡ଼େ। ଗୋଟିଏ ସର୍ବେକ୍ଷଣ ଅନୁଯାୟୀ ଜାତୀୟ ରାଜଧାନୀ ଅଞ୍ଚଳ ଓ ବେଙ୍ଗାଲୁରୁର ପୋଷାକ ପ୍ରସ୍ତୁତି କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ମଧ୍ୟରୁ ୧୭ ଭାଗ ମହିଳାଙ୍କର କର୍ମସ୍ଥଳରେ ଯୌନ ଉତ୍ପୀଡନର ସାମନା କରୁଥିବା ବାବଦରେ ଲିଖିତ ଅଭିଯୋଗ ରହିଛି। “ପୁରୁଷ ମ୍ୟାନେଜର, ସୁପରଭାଇଜର ଓ ମେକାନିକମାନେ ଆମକୁ ଛୁଇଁବାକୁ ଚେଷ୍ଟା କରନ୍ତି ଓ ଆମେ ଅଭିଯୋଗ ଶୁଣିବା ପାଇଁ କେହି ନାହାନ୍ତି”, ଉଲ୍ଲେଖ କରନ୍ତି ପୋଷାକ ପ୍ରସ୍ତୁତି ଶିଳ୍ପରେ ଜଣେ କାରଖାନା କର୍ମଚାରୀ ରୂପେ କାମ କରୁଥିବା ଲତା (ପଢନ୍ତୁ: ହ୍ୱେନ ଦଳିତ ଓମେନ ୟୁନାଇଟେଡ଼ ଇନ୍ ଡିଣ୍ଡିଗୁଡ଼ି)। ମହିଳା କର୍ମଚାରୀମାନଙ୍କୁ ସାମୁହିକ ଭାବେ ସେମାନଙ୍କ ଦାବି ଦୃଢ ଭାବେ ଉପସ୍ଥାପନ କରିବା ଲକ୍ଷ୍ୟ ରଖି ‘ବିଶାଖା ନିର୍ଦ୍ଦେଶିକା’ (୧୯୭୭) ସୁପାରିଶ ଅନୁଯାୟୀ ସଂସ୍ଥାଗୁଡ଼ିକ ଗୋଟିଏ ‘ଅଭିଯୋଗ କମିଟି’ ଗଠନ କରିବେ ଯାହାର ମୁଖ୍ୟ ରୂପେ ଜଣେ ଜଣେ ମହିଳା ରହିବେ ଓ ସେହି କମିଟିର ସମୁଦାୟ ସଦସ୍ୟ ସଂଖ୍ୟାର ଅଧାରୁ ମହିଳା ସଦସ୍ୟଙ୍କ ସଂଖ୍ୟା କମ୍ ହେବ ନାହିଁ। କାଗଜରେ ଏଭଳି ନିର୍ଦ୍ଦେଶାବଳୀ ରହିଥିବା ସତ୍ତ୍ୱେ ତାହାର କାର୍ଯ୍ୟକାରିତା ବହୁତ କମ୍ କରାଯାଉଛି। ମହିଳାମାନଙ୍କ ପ୍ରତି ହିଂସ୍ର ଆଚରଣ କର୍ମସ୍ଥଳ ଓ ଘର ଭିତରେ ପରିବ୍ୟାପ୍ତ ହୋଇ ରହିଛି।